ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ ପ୍ରତିବର୍ଷ ୨୨ଟି ବେଶ ସମ୍ପନ୍ନ ହେଲା ବେଳେ ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ । ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶ ଓ ନାଗାର୍ଜୁନ ବେଶ । ଅନେକ ବର୍ଷ ଧରି ରଘୁନାଥ ବେଶ ଆଉହୋଇନଥିଲା ବେଳେ ୧୯୯୪ ମସିହା ପରେ ଆଉ ନାଗାର୍ଜୁନ ବେଶ ଯୋଗ ପଡ଼ିନାହିଁ । ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ନୃସିଂହ ବେଶ ଧାରଣ କରିଥାନ୍ତି । ପୁଣି ମହାପ୍ରଭୁମାନଙ୍କ ସବୁଯାକ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଧ ବେଶରେ ବଳଭଦ୍ର ମୂଖ୍ୟ ଭୂମିକା ଗ୍ରହଣ କରନ୍ତି । ଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ । ଯଥା : - ସୁନାବେଶ ପ୍ରାୟ ପାଞ୍ଚ ଥର ଓ ଶ୍ରାଦ୍ଧ ବେଶ ତିନିଥର ସଂପନ୍ନ ହୋଇଥାଏ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
କାର୍ତ୍ତିକମାସ ପୂର୍ଣ୍ଣିମାରେ ପାରମ୍ପରିକ ରୀତି ମତେ ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ବିରାଜିତ ତିନି ଠାକୁରଙ୍କୁ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥାଏ । ଏହା ସୁନାବେଶର ଅନୁରୂପ । ଅତୀତରେ ଓଡ଼ିଶାର ବହୁ ରାଜା , ଜମିଦାର ଓ ସାମନ୍ତ ବର୍ଗ ଶ୍ରୀମନ୍ଦିରକୁ ଆଗମନ ପୂର୍ବକ ଦାରୁବ୍ରହ୍ମ ରୂପୀ ଶ୍ରୀବିଗ୍ରହମାନଙ୍କର ଏହି ରାଜ ବେଶ ଦର୍ଶନରେ ପରମ ସନ୍ତୋଷ ଲାଭ କରିବା ସଙ୍ଗେ ସଙ୍ଗେ ଠାକୁରମାନଙ୍କର ଉଦ୍ଦେଶ୍ୟରେ ନାନାଦି ରତ୍ନ ଅଳଙ୍କାର ଦାନ କରୁଥିଲେ । ମୟୁରଭଞ୍ଜର ରାଜା ଓ ପାରଳାଖେମୁଣ୍ଡି ରାଜ୍ୟର ଗଜପତିମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାକୁରମାନଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରି ମହାପ୍ରଭୁଙ୍କୁ ସୁନିଆ ଭେଟିଦେଇ ମହୋତ୍ସବ କରାଉଥିବା ଜଣାଯାଏ । ଉତ୍କଳର ରାଜା ସାମନ୍ତରାଜାଙ୍କ ପକ୍ଷେ ଏହି ବେଶ ଅତ୍ୟନ୍ତ ପବିତ୍ର ଓ ଦର୍ଶନୀୟ ଥିଲା ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ସାଧାରଣତଃ ବିକଳ୍ପ ବିବାଦର ସମାଧାନ ଭାବରେ ଜଣାଶୁଣା ଏକ ମାଧ୍ୟମ ହେଉଛି ଆର୍ବିଟ୍ରେସନ୍ ବା ମଧ୍ୟସ୍ଥତା । ଭାରତୀୟ ଆଇନ ବ୍ୟବସ୍ଥାରେ ବିକଳ୍ପ ବିବାଦ ସମାଧାନର ବିଭିନ୍ନ ମାଧ୍ୟମ ଯେପରିକି ଲୋକ ଅଦାଲତ, "ଆପୋଷ ବୁଝାମଣା" ବା "ମିଡିଏସନ" ଇତ୍ୟାଦି ମଧ୍ୟ ମଧ୍ୟସ୍ଥତାର ଅନ୍ତର୍ଭୁକ୍ତ । ଏହା ଏକ ଆଇନଗତ ପ୍ରକ୍ରିୟା ଯେଉଁଠାରେ କୌଣସି ବିବାଦର ଉଭୟ ପକ୍ଷ ଏକତ୍ରିତ ହୋଇ ଜଣେ ଆର୍ବିଟ୍ରେଟରଙ୍କ ନିଷ୍ପତ୍ତିକୁ ଅନୁସରଣ କରିବା ଏବଂ ସମ୍ମାନ କରିବାକୁ ରାଜି ହୁଅନ୍ତି । ଏହା ହେଉଛି ଗୋଟିଏ ମାର୍ଗ ଯାହାକି ଯେ କେହି ଭାରତୀୟ କେତେକ ସୀମିତ କ୍ଷେତ୍ରରେ (ଯେପରିକି ବାଣିଜ୍ୟ ସମ୍ବନ୍ଧୀୟ)ମାମଲା ଦାୟର କରିବା ଏବଂ ବିବାଦର ସମାଧାନ ପାଇଁ ସିଧାସଳଖ ଅଦାଲତକୁ ଯିବା ପରିବର୍ତ୍ତେ ଏହି ମାଧ୍ୟମରେ ଚେଷ୍ଟା କରିପାରିବେ । ଆର୍ବିଟର ସାଧାରଣତ ଆଇନ କ୍ଷେତ୍ର ସହିତ ପରିଚିତ ଜଣେ ଓକିଲ ଅଟନ୍ତି | ଆର୍ବିଟରଙ୍କ ନିଷ୍ପତ୍ତି ଉଭୟ ପକ୍ଷଙ୍କ କ୍ଷେତ୍ରରେ ଆଇନଗତ ଭାବେ ବାଧ୍ୟତାମୂଳକ ଅଟେ, ଯଦିଓ ଏହି ନିଷ୍ପତ୍ତିଗୁଡ଼ିକ କେତେକ କ୍ଷେତ୍ରରେ ଅପିଲ କରାଯାଇପାରେ | ଆର୍ବିଟ୍ରେସନ୍ ଭାବରେ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରି ଦଳଗୁଡିକ ମଧ୍ୟରେ ସମାଧାନର ଏକ ବ୍ୟକ୍ତିଗତ ରୂପ ଭାବରେ ବ୍ୟବହୃତ ହୁଏ, ବିବାଦର ତୁରନ୍ତ ଏବଂ ନ୍ୟାୟପୂର୍ଣ୍ଣ ସମାଧାନର ଏକ ଉପଯୋଗୀ ମାଧ୍ୟମ ଭାବରେ ବିବେଚନା କରାଯାଏ ଯାହା ଦ୍ରବ୍ୟ ଏବଂ ସେବା କ୍ଷେତ୍ରରେ ବ୍ୟବସାୟିକ କାରବାରରୁ ହୋଇପାରେ । ଆର୍ବିଟ୍ରେଟରଙ୍କ ଉପରେ ସେମାନଙ୍କର ବିଶ୍ୱାସ, ସୂଚନାର ଗୋପନୀୟତା, ସମାଧାନର ଗତି, କମ କୋର୍ଟ ଫି ଏବଂ ଆର୍ବିଟ୍ରେସନ୍ ନିଷ୍ପତ୍ତିର ଆନ୍ତର୍ଜାତୀୟ ମାନ୍ୟତା ହେତୁ ବିବାଦରେ ଜଡିତ ପକ୍ଷମାନଙ୍କ ପାଇଁ ଆର୍ବିଟ୍ରେସନରେ ଅନେକ ସୁବିଧା ରହିଛି |
ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ । ପ୍ରତି ରଥରେ ୩ହାଣ୍ଡି ହିସାବରେ ମୋଟ ୯ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ । ଏହି ୯ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରାଯାଇଥାଏ । ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି ।
ଦାଶରଥି ଦାସ (ଜନ୍ମ: ୨୭ ଜୁଲାଇ ୧୯୩୬), ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ, ପ୍ରାବନ୍ଧିକ ତଥା ସମାଲୋଚକ । ସେ କେନ୍ଦ୍ରାପଡ଼ା ଜିଲ୍ଲାର ଅୟତପୁରଠାରେ ୧୭ ଜୁଲାଇ ୧୯୩୬ରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ଏବଂ ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଆଧାରିତ ପ୍ରାୟ ଦଶରୁ ଉର୍ଦ୍ଧ ପୁସ୍ତକ ରଚନା କରିସାରିଛନ୍ତି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ମାୟାଧର ମାନସିଂହ (୧୯୦୫-୧୯୭୩) ପୁରୀ ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ସେ ବିଲାତର ଡ଼ରହାମ ବିଶ୍ୱବିଦ୍ୟାଳୟରେ 'ସେକ୍ସପିୟର ଓ କାଳିଦାସ'ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି.
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭା ଦ୍ବାରା ନିର୍ମିତ) । ଏହା ଲୋକଙ୍କ ଦ୍ବାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।
କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ୱାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ନଳିନୀବାଳା ଦେବୀ ଆସାମର ଜଣେ ଜଣାଶୁଣା ମହିଳା କବି ଓ ଲେଖିକା ଥିଲେ । ତାଙ୍କର ଲେଖା ଗୁଡିକରେ ଜାତୀୟତାବାଦୀ ଛାପ ରହୁଥିଲା । ଭାରତ ସରକାର ତାଙ୍କୁ ୧୯୫୭ ମସିହାରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ । ୧୯୬୮ ମସିହାରେ ସେ ତାଙ୍କର କବିତା ସଂକଳନ ପୁସ୍ତକ ଅଳକାନନ୍ଦା ପାଇଁ ଭାରତର ଶ୍ରେଷ୍ଠ ସାହିତ୍ୟ କୃତି ସମ୍ମାନ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀର ନାମ ‘ହରି ଶୟନୀ’ ବା ପଦ୍ମା ଏକାଦଶୀ । ଆଷାଢ଼ ମାସ ଶୁକ୍ଳପକ୍ଷରେ ‘ହରି ଶୟନୀ ଏକାଦଶୀ’ ଦିନ ଯିଏ କମଳ ପୁଷ୍ପରେ କମଳଲୋଚନ ଭଗବାନ ବିଷ୍ଣୁଙ୍କ ପୂଜା ତଥା ଉତ୍ତମ ଏକାଦଶୀ ବ୍ରତ କରେ, ତା’ଦ୍ୱାରା ତିନିଲୋକ ଓ ତିନି ସନାତନ ଦେବତାଙ୍କ ପୂଜନ ହୋଇଥାଏ । ‘ହରିଶୟନୀ ଏକାଦଶୀ’ ଦିନ ଭଗବାନଙ୍କ ଗୋଟିଏ ସ୍ୱରୂପ ରାଜା ବଳିଙ୍କ ପାଖରେ ରହେ ଓ ଅନ୍ୟଟି କ୍ଷୀର ସାଗରରେ ଶେଷନାଗ ଶଯ୍ୟାରେ ଆଗାମୀ କାର୍ତ୍ତିକ ଏକାଦଶୀ ଆସିବା ପର୍ଯ୍ୟନ୍ତ ଶୟନ କରେ । ଏଣୁ ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ମନୁଷ୍ୟ ଉତ୍ତମ ରୂପେ ଧର୍ମ ଆଚରଣ କରିବା ଉଚିତ । ଯେଉଁ ମନୁଷ୍ୟ ଏହି ବ୍ରତର ଅନୁଷ୍ଠାନ କରେ, ସେ ପରମଗତି ପ୍ରାପ୍ତ ହୁଏ । ଏଣୁ ଯତ୍ନପୂର୍ବକ ଏହି ଏକାଦଶୀ ବ୍ରତ କରିବା ଉଚିତ୍ । ଏକାଦଶୀ ରାତିରେ ଜାଗରଣ କରି ଶଙ୍ଖ, ଚକ୍ର ଓ ଗଦାଧାରୀ ଭଗବାନ ବିଷ୍ଣୁଙ୍କ ଭକ୍ତିପୂର୍ବକ ପୂଜା କରିବା ଉଚିତ । ଏହି ବ୍ରତ କରୁଥିବା ମନୁଷ୍ୟର ପୁଣ୍ୟର ଗଣନା କରିବାକୁ ସ୍ୱୟଂ ଚତୁର୍ମୁଖ ବ୍ରହ୍ମା ମଧ୍ୟ ଅସମର୍ଥ । ଯିଏ ଏହି ପ୍ରକାର ଭୋଗ ଓ ମୋକ୍ଷ ପ୍ରଦାନକାରୀ ସର୍ବପାପହାରୀ ଉତ୍ତମ ଏକାଦଶୀ ବ୍ରତ ପାଳନ କରେ, ସେ ଜାତିରେ ଚଣ୍ଡାଳ ହୋଇଥିଲେ ମଧ୍ୟ ସଂସାରରେ ସର୍ବଦା ବିଷ୍ଣୁଙ୍କର ଅତି ପ୍ରିୟ ହୋଇ ରହେ । ଯେଉଁ ମନୁଷ୍ୟ ଦୀପଦାନ, ପଳାଶ ପତ୍ରରେ ଭୋଜନ ଏବଂ ବ୍ରତ କରି ଚତୁର୍ମାସ ଅତିବାହିତ କରେ ସେ ମଧ୍ୟ ବିଷ୍ଣୁଙ୍କର ଅତି ପ୍ରିୟ । ଚତୁର୍ମାସରେ ଭଗବାନ ବିଷ୍ଣୁ ଶୋଇ ରହନ୍ତି, ଏଥିପାଇଁ ମନୁଷ୍ୟ ଭୂମିରେ ଶୟନ କରିବା ଉଚିତ । ଶ୍ରାବଣ ମାସରେ ଶାଗ, ଭାଦ୍ରବ ମାସରେ ଦହି, ଆଶ୍ୱିନ ମାସରେ ଦୁଧ ଏବଂ କାର୍ତ୍ତିକ ମାସରେ ଡାଲି ତ୍ୟାଗ କରିଦେବା ଉଚିତ । ଯିଏ ଚତୁର୍ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରେ, ସେ ପରମଗତି ପ୍ରାପ୍ତ ହୁଏ । ଏକାଦଶୀ ବ୍ରତଦ୍ୱାରା ହିଁ ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଏ । ଏଣୁ ସର୍ବଦା ଏହି ବ୍ରତ କରିବା ଉଚିତ । ଏହା କଦାପି ଭୁଲିବା ଉଚିତ୍ ନୁହେଁ । ‘ଶୟନୀ’ ଓ ‘ବୋଧିନୀ’ ଏକାଦଶୀ ମଧ୍ୟରେ ଯେଉଁ କୃଷ୍ଣପକ୍ଷୀୟ ଏକାଦଶୀମାନ ପଡ଼େ, ଗୃହସ୍ଥ ପାଇଁ କେବଳ ତାହା ହିଁ ବ୍ରତ ରଖିବା ଯୋଗ୍ୟ । ଅନ୍ୟ ମାସର କୃଷ୍ଣପକ୍ଷୀୟ ଏକାଦଶୀ ଗୃହସ୍ଥ ପାଇଁ ବ୍ରତ ରଖିବା ଯୋଗ୍ୟ ନୁହେଁ । ଶୁକ୍ଳପକ୍ଷର ସମସ୍ତ ଏକାଦଶୀ କରିବା ଉଚିତ୍ ।
ଭାରତର ସଂସ୍କୃତି, ବହୁ ଉପାଦାନରେ ଗଢ଼ା, ଯେଉଁଥିରେ ଭାରତର ଦୀର୍ଘ ଇତିହାସ , ଅଦ୍ୱିତୀୟ ଭୂଗୋଳ ଏବଂ ସିନ୍ଧୁ-ଘାଟୀର ପ୍ରାଚୀନ ସଭ୍ୟତା ସାମିଲ । ଏହାଛଡ଼ା ବୈଦିକ ଯୁଗରେ ପ୍ରଭାବ , ଭାରତରେ ବୌଦ୍ଧ ଧର୍ମ , ସ୍ୱର୍ଣ୍ଣ ଯୁଗର ଆରମ୍ଭ ଏବଂ ତାହାର ଅସ୍ତଗମନ ସହିତ ଆମର ନିଜ ପ୍ରାଚୀନ ସାମ୍ରାଜ୍ୟ ମଧ୍ୟ ସାମିଲ ହୋଇଛି । ଏହା ସହିତ ପଡୋଶୀ ଦେଶର ଚାଲିଚଳନ , ପରମ୍ପରା ଏବଂ ବିଚାରର ମଧ୍ୟ ଏଥିରେ ସମାବେଶ ହୋଇଛି । ପାଞ୍ଚ ହଜାର ବର୍ଷ ପୂର୍ବରୁ ଅଧିକ ସମୟରେ ଭାରତର ରୀତି ନିତି , ଭାଷା , ପ୍ରଥା ଏବଂ ପରମ୍ପରା ପରସ୍ପର ସମ୍ବନ୍ଧରେ ମହାନ ବିବିଧତାର ଏକ ଅଦ୍ୱିତୀୟ ଉଦାହରଣ ଦେଇଥାଏ । ଭାରତ ବହୁ ଧାର୍ମିକ ପ୍ରଣାଳୀ (religious systems), ଯେପରି ହିନ୍ଦୁ ଧର୍ମ , ଜୈନ ଧର୍ମ , ବୌଦ୍ଧ ଧର୍ମ ଏବଂ ଶିଖ ଧର୍ମ ପରି ଧର୍ମ ମାନଙ୍କର ଜନକ ଅଟେ । ଏହି ମିଶ୍ରଣରେ ଭାରତରେ ଉତ୍ପନ୍ନ ହେଉଥିବା ବିଭିନ୍ନ ଧର୍ମ ଏବଂ ପରମ୍ପରା ବିଶ୍ୱର ଅଲଗା-ଅଲଗା ଅଂଶକୁ ମଧ୍ୟ ବହୁ ପ୍ରଭାବିତ କରିପାରିଛି ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହା ଜୁଲାଇ ୭ ତାରିଖରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହେଇଛି lଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ.
ଚନ୍ଦ୍ରଶେଖର ନନ୍ଦ (୧୮୬୮-୧୯୩୨) ଜଣେ ଓଡ଼ିଆ ଗାଳ୍ପିକ । ତାଙ୍କ ଗଳ୍ପପୁସ୍ତକ ଚିତ୍ରକୁ ପ୍ରଥମ ଓଡ଼ିଆ ଗଳ୍ପ ବହିର ମାନ୍ୟତା ଦିଆଯାଏ । ଗଳ୍ପ ବ୍ୟତିତ ସେ ଓଡ଼ିଆ ସାହିତ୍ୟର ଅନ୍ୟ ବିଭବ ଯଥା ପ୍ରବନ୍ଧ, ଉପନ୍ୟାସ, କବିତାରେ ମଧ୍ୟ ଲେଖନି ଚାଳନା କରିଥିଲେ । ସେ ଅନେକ ପାଠ୍ୟ ପୁସ୍ତକ ମଧ୍ୟ ରଚନା କରିଥିଲେ । ସେ ଫକୀର ମୋହନ ସେନାପତି ଓ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମସାମୟିକ ଥିଲେ ।
ଡିମେନ୍ସିଆ ଉଇଥ ଲୁଇ ବଡିଜ ବା ଡିବିଏଲ (ଇଂରାଜୀ ଭାଷାରେ Dementia with Lewy bodies ବା DLB) ଏକ ପ୍ରକାର ଡିମେନ୍ସିଆ ଯାହା ସମୟକ୍ରମେ ଖରାପ ଦିଗକୁ ଗତି କରେ । ସତର୍କତା କମ ବେଶୀ ହୁଏ, ଦୃଷ୍ଟିଭ୍ରମ ବା ହାଲୁସିନେସନ (seeing things that other people do not), ଚଳନ ସମସ୍ୟା, ଚାଲି ସମସ୍ୟା ଓ କଠୋରତା (rigidity) ଇତ୍ୟାଦି ଲକ୍ଷଣ ଦେଖାଯାଏ । ନିଦ୍ରା ସମୟରେ ଅତ୍ୟଧିକ ଚଳନ (Excessive movement during sleep) ଓ ଅବସାଦ (depression) ଭଳି ଲକ୍ଷଣ ମଧ୍ୟ ସାଧାରଣତଃ ଦେଖାଯାଏ । ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଏହି ରୋଗୀମାନଙ୍କର କୌଣସି ପାରିବାରିକ ରୋଗ ଇତିହାସ ନ ଥାଏ । ଦେହର ନିଉରନରେ (neuron) ଆଲଫା-ସିନ୍ୟୁକ୍ଲିନ (alpha-synuclein) ପ୍ରୋଟିନ ବା ଲୁଇ ବଡି (Lewy bodies) ଜମିଯାଏ । ଏହି ରୋଗକୁ ନିଉରୋଡିଜେନେରେଟିଭ (neurodegenerative disorder) ରୋଗ ଶ୍ରେଣୀଭୁକ୍ତ କରାଯାଏ । ଲକ୍ଷଣ ଦେଖି ରୋଗ ସନ୍ଦେହ କରାଗଲା ପରେ ରକ୍ତ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ (medical imaging) କରାଯାଏ ଓ ଅନ୍ୟାନ୍ୟ ରୋଗ ସମ୍ଭାବନା ଦୂର କରାଯାଏ । ଭେଦାତ୍ମକ ରୋଗ ନିର୍ଣ୍ଣୟରେ ପାର୍କିନ୍ସନ୍ ରୋଗ ଓ ଆଲଜିମର ରୋଗର ନାମ ଆସେ । ଡିଏଲବି ରୋଗ ଆରୋଗ୍ୟସାଧ୍ୟ ନୁହେଁ । ଏଥିରେ ମାନସିକ, ସାଇକିଆଟ୍ରିକ ଓ ମୋଟୋର ଲକ୍ଷଣମାନଙ୍କର ଚିକିତ୍ସା କରାଯାଏ । ଡୋନେପେଜିଲ (donepezil) ଭଳି ଆସେଟିଲକଲିନଇସ୍ଟରେଜ (Acetylcholinesterase inhibitors) ଔଷଧ ଦେଲେ କିଛି ଉପଶମ ହୁଏ । ଲେଭୋଡୋପା (levodopa) ଔଷଧ ଦେଲେ କେତେକ ପେଶୀଜନିତ ଉନ୍ନତି ହୁଏ । ଆଣ୍ଟିସାଇକୋଟିକ (Antipsychotic) ଔଷଧ ସାଧାରଣତଃ ଦିଆଯାଏ ନାହିଁ, ସେମାନଙ୍କର ବିଷାକ୍ତ ଗୁଣ ଯୋଗୁ । ଆଲଜିମର ରୋଗ ଓ ଭାସ୍କୁଲାର ଡିମେନ୍ସିଆ (vascular dementia) ରୋଗ ପରେ ଏହି ଡିଏଲବି ରୋଗ ତୃତୀୟ ସାଧାରଣ ଡିମେନ୍ସିଆ ରୋଗ । ସାଧାରଣତଃ ୫୦ ବର୍ଷ ବୟସ ପରେ ଏହି ରୋଗ ଆରମ୍ଭ ହୁଏ । ୬୫ ବର୍ଷ ପରେ ମାତ୍ର ୦.୧% ରୋଗ ହୁଏ । ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ରୋଗ ହୁଏ । ରୋଗର ଆଧିକ୍ୟରେ ଅନ୍ୟ ଉପରେ ସମ୍ପୁର୍ଣ୍ଣ ନିର୍ଭରଶୀଳ ହେବାକୁ ପଡ଼େ । ରୋଗ ନିର୍ଣ୍ଣୟ ହେବାପରେ ରୋଗୀର ଆୟୁଷ ପ୍ରାୟ ୮ ବର୍ଷ ଥାଏ । ସନ ୧୯୧୨ରେ ଫ୍ରେଡେରିକ ଲୁଇ (Frederic Lewy) ଏହି ଲୁଇ ପ୍ରୋଟିନ ବିଷୟ ଆବିଷ୍କାର କରିଥିଲେ ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧcode: pi is deprecated ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଖରେ ବିଭିନ୍ନ ପ୍ରକାର ଅନ୍ନବ୍ୟଞ୍ଜନ ଭୋଗ ହୋଇସାରି ବିମଳାଙ୍କ ନିକଟରେ ସମର୍ପଣ କରାଯିବା ପରେ ତାହାକୁ ମହାପ୍ରସାଦ (ଅବଢ଼ା ନାମରେ ମଧ୍ୟ ଜଣା) କୁହାଯାଏ । ଏହା ଅବଢ଼ା (ଏହା ବଢ଼ା ନହୋଇ ଗୋଟା କୁଡୁଆରେ ଠାକୁରମାନଙ୍କୁ ଅର୍ପଣ କରାଯାଉଥିବାକୁ ଏହାକୁ ଅବଢ଼ା (ବଢ଼ା ହୋଇନଥିବା) କୁହାଯାଇଥାଏ । ଅବଢ଼ା ନିର୍ମାଲ୍ୟ, ମାହାର୍ଦ୍ଦ ଓ କୈବଲ୍ୟ ନାମରେ ମଧ୍ୟ ଜଣା । କୈବଲ୍ୟ ଓ ଅବଢ଼ା ମଧ୍ୟରେ ପାର୍ଥକ୍ୟ ହେଉଛି, କୈବଲ୍ୟକୁ ଦୁଇ ଆଙ୍ଗୁଠିରେ ଅର୍ଥାତ କଣିକାଏ ଖାଇବାକୁ ହୁଏ; କିନ୍ତୁ ଅବଢ଼ା ମନମୁତାବକ ପେଟପୁରା ଖିଆଯାଏ ।
ଗୁରୁ ପ୍ରସାଦ ମହାନ୍ତି (୧୯୨୪-୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮), ଗଳ୍ପ ସଂକଳନ ବିଧ୍ୱସ୍ଥ କଳିକା, ଭ୍ରମଣ ସାହିତ୍ୟ ଦୂର ସୀମାନ୍ତର ପାରେ ଓ ପାତାଳପୁରୀର ହାଲଚାଲ ଆଦି ଅନ୍ୟତମ । ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୯୦ରେ ଭ୍ରମଣ କାହାଣୀ ପାତାଳପୁରୀର ହାଲଚାଲ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମୁଖ୍ୟତଃ ଏକ ହିନ୍ଦୁ ପର୍ବ ଯାହା ଭାରତରେ ଓ ଭାରତବାସୀଙ୍କଦ୍ୱାରା ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ ।ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ତେବେ ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି । ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମା ନାରିକେଳ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ । ଏହି ଦିନ ସମୂଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ । ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ୱ ରଖେ । ଗୁଜରାଟରେ ଏହି ଦିନ ପବିତ୍ରୋପନ ମଧ୍ୟ ପାଳିତ ହୋଇଥାଏ । ଶ୍ରାବଣର ପ୍ରତି ସୋମବାର ଶିବ ମନ୍ଦିରରେ ଜଳଲାଗି ସହ ପୂର୍ଣ୍ଣମୀରେ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହେଇଥାଏ । ଉତ୍ତର ଭାରତରେ ଏହି ପର୍ବ କାଜରି ପୂର୍ଣ୍ଣିମା ଭାବେ ଜଣାଶୁଣା । ଭଲ ଫସଲ ଉତ୍ପାଦନ ପାଇଁ ଏହି ଦିନ ଦେବୀଙ୍କୁ ପୂଜା କରାଯାଇଥାଏ । ତେବେ ଏହା ସବୁ ସ୍ଥାନରେ ନୁହେଁ, ସ୍ଥାନୀୟ ଭାବେ ପାଳିତ ହୋଇଥାଏ । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କେତେକ ସ୍ଥାନରେ ଏହା ପାଳିତ ହେଇଥାଏ । ତେବେ ଦକ୍ଷିଣ ଭାରତରେ ଏହି ତିଥିକୁ ଅବନୀ ଅୱିଟ୍ଟମ୍ ପାଳନ କରାଯାଇଥାଏ । ଏହାକୁ ଓଡ଼ିଶାର ବ୍ରାହ୍ମଣଶାସନରେ ଶ୍ରାବଣୀ ବେଦଉପାକର୍ମ ମଧ୍ୟ କୁହାଯାଏ । ବ୍ରାହ୍ମଣମାନେ ଏହିଦିନ ପବିତ୍ର ବୁଡ଼ ପକାଇ ଶ୍ଲୋକ ଉଚ୍ଚାରଣ ସହ ଯଜ୍ଞୋପବୀତ ଧାରଣ କରିଥାନ୍ତି ।[୧] ବ୍ରାହ୍ମଣଙ୍କଦ୍ୱାରା କରାଯାଉଥିବା ଉତ୍ସବକୁ ବ୍ରହ୍ମୟଜ୍ଞ ମଧ୍ୟ କୁହାଯାଏ ।
ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ । ପ୍ରତ୍ୟେକ ପର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତୋନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି ।
ପୁପୁଲ ଭୂୟାଁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଏବଂ ଦୂରଦର୍ଶନ ଉପସ୍ଥାପିକା । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର କାଉଁରୀ କନ୍ୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହା ପୂର୍ବରୁ ପୁପୁଲ ଓଡ଼ିଆ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ୨୦୧୮ ମସିହାରେ ଅପେରା ମିସେସ୍ ଇଣ୍ଡିଆ ଗ୍ଲୋବାଲ ପ୍ରତିଯୋଗୀତାରେ ପୁପୁଲ ୭୦୦ ପ୍ରତିଯୋଗୀଙ୍କ ମଧ୍ୟରେ ବିଜେତା ହୋଇଥିଲେ । ଏହି ପ୍ରତିଯୋଗୀତାର ସେମିଫାଇନାଲରେ ବେଷ୍ଟ ରାମ୍ପ ୱାକ୍ ପୁରସ୍କାର ଜିତିଥିଲେ ।
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି
ଅନୁସୂଚିତ ଜାତି: ଅନୁସୂଚିତ ଜାତି ବା ହରିଜନ, ସମାଜର ଅନୁନ୍ନତ ବର୍ଗ ତଥା ଶ୍ରମିକ ଭାବେ କାର୍ଯ୍ୟକରୁଥିବା ବ୍ୟକ୍ତି ବା ଗୋଷ୍ଠୀକୁ ବୁଝାଏ । ଭାରତୀୟ ସମ୍ବିଧାନ ଅନୁସୂଚିତ ଧାରା ଅନୁସାରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ବୁଝାଏ ।
ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ ।
ବଳଦେବ ରଥ (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ରୀତି ଯୁଗର କବି । ସେ କବିସୂର୍ଯ୍ୟ ଭାବେ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୂ ଆଦିର ରଚନା କରି ସ୍ୱରସଂଯୋଜନା କରିଥିଲେ । ଗଞ୍ଜାମ ଜିଲ୍ଲାର ଢୁମ୍ପା ସଙ୍ଗୀତକୁ କବିସୂର୍ଯ୍ୟ ଆରମ୍ଭ କରିଥିଲେ ଓ ଗୀତ ରଚନା କରିଥିଲେ । ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ଶ୍ରୀରାଧା, ୧୯୮୪ରେ ରମାକାନ୍ତ ରଥଙ୍କଦ୍ୱାରା ରଚିତ ଏକ କବିତା ସଙ୍କଳନ । କବି ରମାକାନ୍ତ ରଥଙ୍କୁ ଏଥି ପାଇଁ ୧୯୯୨ରେ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭରତବର୍ଷର କାବ୍ୟ ସାହିତ୍ୟରେ 'ଶ୍ରୀରାଧା' ଏକ କ୍ଲାସିକ ସୃଷ୍ଟିର ମାନ୍ୟତା ପାଇଛି । ଏହା ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ହୋଇ ବିପୁଳ ପାଠକୀୟ ଶ୍ରଦ୍ଧା ଲାଭ କରିଛି । ଇଂରାଜୀ ଭାଷାକୁ ଅନୁବାଦ ନିଜେ ଲେଖକ ରମାକାନ୍ତ ରଥ କରିଛନ୍ତି ।
ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଶ୍ରୀମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ । ପ୍ରତ୍ୟେକ ବର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତୋନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଉଣୀ ମାଁ ସୁଭଦ୍ରା ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ଦେବଦଳନ।
ସିନ୍ଧୁ ନଦୀ(ଇଂରାଜୀରେ Indus River) ଏସିଆ ମହାଦେଶର ଦୀର୍ଘତମ ନଦୀମାନଙ୍କ ମଧ୍ୟରୁ ଅନ୍ୟତମ । ତିବ୍ବତ ମାଳଭୂମିରେ ମାନସରୋବର ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରୁ ଏହି ନଦୀର ଉତ୍ପତ୍ତି । ନିଜ ଉତ୍ପତ୍ତିସ୍ଥଳରୁ ବାହାରି ଏହି ନଦୀ ଲଦାଖ ଅଞ୍ଚଳ ଅତିକ୍ରମ କରି ଗିଲ୍ଗିଟ୍-ବାଲ୍ଟିସ୍ତାନରେ ହିନ୍ଦୁକୁଶ ପର୍ବତମାଳାର ଉପତ୍ୟକାରେ ପ୍ରବେଶ କରିଛି । ତାହା ପରେ ଏହା ଦକ୍ଷିଣମୁଖୀ ହୋଇ ପାକିସ୍ତାନରେ ପ୍ରବାହିତ ହୋଇ ବନ୍ଦର ନଗରୀ କରାଚୀ ନିକଟରେ ଆରବ ସାଗର ସହିତ ସମ୍ମିଳିତ ହୋଇଛି । ସିନ୍ଧୁ ନଦୀ ପାକିସ୍ତାନର ଦୀର୍ଘତମ ନଦୀ ଓ ଏହାକୁ ପାକିସ୍ତାନର ଜାତୀୟ ନଦୀ ବୋଲି କୁହାଯାଏ ।ସିନ୍ଧୁ ନଦୀର ଅବବାହିକା ୧୧,୬୫,୦୦୦ ବର୍ଗ କିଲୋମିଟର୍ ଅଞ୍ଚଳରେ ବ୍ୟାପ୍ତ । ଏହାର ବାର୍ଷିକ ପ୍ରବାହ ହାରାହାରି ୨୪୩ ଘନ କିଲୋମିଟର୍ ଯାହା ନୀଳ ନଦୀର ବାର୍ଷିକ ପ୍ରବାହର ୨ ଗୁଣ ଓ ୟୁଫ୍ରେଟିସ୍-ଟାଇଗ୍ରିସ୍ ନଦୀର ମିଳିତ ପ୍ରବାହର ୩ ଗୁଣ । ଏହି କାରଣରୁ ଜଳ ନିଷ୍କାସନ ହାର ଦେଖିଲେ ସିନ୍ଧୁ ନଦୀକୁ ବିଶ୍ୱର ବୃହତ୍ତମ ନଦୀମାନଙ୍କ ଶ୍ରେଣୀରେ ଗଣନା କରାଯାଇପାରେ । ଲଦାଖରେ ଜାନ୍ସ୍କାର ନଦୀ ଏହାର ବାମ ତୀରର ଉପନଦୀ । ସମତଳ ଅଞ୍ଚଳକୁ ପ୍ରବେଶ କରିବା ପରେ ସିନ୍ଧୁର ବାମ ତୀରରେ ପଞ୍ଜନଦ ଏହାର ମୁଖ୍ୟ ଉପନଦୀ ଯାହା ଚେନାବ, ଝେଲମ୍, ରାୱି, ବେଆସ୍ ଓ ଶତଲେଜ୍ ନଦୀର ମିଳନରୁ ସୃଷ୍ଟ । ଡାହାଣ ତୀରରେ ମିଶୁଥିବା ଉପନଦୀମାନଙ୍କ ମଧ୍ୟରେ ଶ୍ୟୋକ୍, ଗିଲ୍ଗିଟ୍, କାବୁଲ୍, ଗୋମଲ୍ ଓ କୁର୍ରମ୍ ନଦୀ ପ୍ରଧାନ । ଏକ କ୍ଷୁଦ୍ର ପାହାଡ଼ିଆ ଝରଣା ରୂପେ ସୃଷ୍ଟ ସିନ୍ଧୁ ନଦୀ ହିମସ୍ରୋତ, ତଥା ହିମାଳୟ, କାରାକୋରମ୍ ଓ ହିନ୍ଦୁକୁଶର ନଦୀମାନଙ୍କଦ୍ୱାରା ପରିବୃଦ୍ଧ ହୋଇଛି । ଏହା ପରେ ସମତଳ ଭୂମି ତଥା ଶୁଷ୍କ ଅଞ୍ଚଳ ଦେଇ ପ୍ରବାହିତ ହେଉଛି ଯାହାଦ୍ୱାରା ସେଠାକାର ଜୈବମଣ୍ଡଳ ଓ ପରିବେଶ ପରିଚାଳିତ ହୋଇଥାନ୍ତି ।
ନାଗାର୍ଜୁନ ବେଶ (ପର୍ଶୁରାମ ବେଶ ନାମରେ ମଧ୍ୟ ଜଣା) ଜଗନ୍ନାଥ ମନ୍ଦିରରେ ଦିଅଁମାନଙ୍କୁ କରାଯାଉଥିବା ବେଶଗୁଡ଼ିକ ଭିତରୁ ଏକ । ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼େ ସେହି ବର୍ଷ ମଳ ତିଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ନାଗାର୍ଜୁନ ବେଶ ହୁଏ । ଅତୀତରେ ଏହି ବେଶ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ, ଓ ତା ପୂର୍ବରୁ ୧୯୯୩ ନଭେମ୍ବର ୨୬, ୧୯୬୮ ନଭେମ୍ବର ୩, ୧୯୬୭ ନଭେମ୍ବର ୧୬ ଓ ୧୯୬୬ ନଭେମ୍ବର ୨୬ରେ ପାଳିତ ହୋଇଥିଲା । ପରବର୍ତ୍ତୀ ନାଗାର୍ଜୁନ ବେଶ ୨୭ ନଭେମ୍ବର ୨୦୨୦, ଶୁକ୍ରବାର କାର୍ତ୍ତିକ ଶୁକ୍ଳ ମଳ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେବ ।ପୁରୀରେ ଅଧିଷ୍ଠିତ ସିଦ୍ଧ ମହାବୀରଙ୍କୁ ମଧ୍ଯ ମାର୍ଗଶିର ମାସ କୃଷ୍ଣ ପଞ୍ଚମୀରେ (ପଞ୍ଚତୀର୍ଥ ଦିନ) ଓ ବୈଶାଖ, ମେଷ ପଣା ସଂକ୍ରାନ୍ତି ଦିନ ନାଗା ବେଶରେ ସଜାଇ ଦିଆଯାଏ । ପୁରୀର ସାହି ଯାତର ପରମ୍ପରା ସହ ବାଲ୍ମିକୀ ରାମାୟଣର ପର୍ଶୁରାମଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ସାଦୃଶ୍ଯ ରହି ଥିବାରୁ ତାହା ରାମାନନ୍ଦଙ୍କ ପ୍ରଭାବରେ ଆରମ୍ଭ ହେଇଛି ବୋଲି ଅନୁମାନ କରାଯାଉଛି । ଏହି ବେଶରେ ଜଗନ୍ନାଥଙ୍କ ମୁଖରେ ବିଶେଷ ସାହିଯାତ ନାଗା ଶୈଳୀର ଦାଢ଼ି ରହିବା ବିଶେଷ ଉଲ୍ଲେଖଯୋଗ୍ୟ ।
ଗୀତଗୋବିନ୍ଦ କବି ଜୟଦେବଙ୍କଦ୍ୱାରା ସଂସ୍କୃତ ଭାଷାରେ ରଚିତ ଦ୍ୱାଦଶ ଶତାବ୍ଦୀର ଏକ କାବ୍ୟ । ଦ୍ୱାଦଶ ସର୍ଗ ବିଶିଷ୍ଟ ଏହି କାବ୍ୟଟି ରାଧାକୃଷ୍ଣଙ୍କ ରାସଲୀଳା ଉପରେ ପର୍ଯ୍ୟବେସିତ । ବୈଷ୍ଣବ ଭକ୍ତି ମାର୍ଗ ଉପରେ ଗୀତଗୋବିନ୍ଦ କାବ୍ୟର ବିଶେଷ ପ୍ରଭାବ ପଡିଛି । କାନ୍ତ କୋମଳ ପଦାବଳୀ, ମଧୁର ଶବ୍ଦ ସଂଯୋଜନା, ଭକ୍ତି ଭାବରେ ପୂର୍ଣ୍ଣ ବିଷୟ ନିମନ୍ତେ ଗୀତଗୋବିନ୍ଦର ସଂସ୍କୃତ ସାହିତ୍ୟରେ ଏକ ବିଶେଷ ସ୍ଥାନ ରହିଚି । ପ୍ରସିଦ୍ଧ ଦଶାବତାର ବର୍ଣ୍ଣନା ଓ ସ୍ତୋତ୍ର ଏହି କାବ୍ୟର ପ୍ରଥମ ସର୍ଗରେ ରହିଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଧ୍ୟ ଗୀତଗୋବିନ୍ଦର ଏକ ପ୍ରଧାନ ସ୍ଥାନ ରହିଛି।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ (୧୫ ଅକ୍ଟୋବର ୧୯୩୧- ୨୭ ଜୁଲାଇ ୨୦୧୫), ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । କଲାମ ତାମିଲନାଡୁର ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି । ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର "ଭାରତ ରତ୍ନ"ରେ ସମ୍ମାନିତ କରା ଯାଇଥିଲା ।
ବୀଣାପାଣି ମହାନ୍ତି (ଜନ୍ମ: ୧୧ ନଭେମ୍ବର ୧୯୩୬) ଜଣେ ଓଡ଼ିଆ ଗାଳ୍ପିକା । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ ଓ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ଗୋଲୋକ ବିହାରୀ ଧଳ (୧୫ ଡିସେମ୍ବର ୧୯୨୧- ୨୪ ଜୁନ ୧୯୭୪) ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଜଣେ ଭାଷାତତ୍ତ୍ୱବିତ, ପ୍ରଫେସର, ଧ୍ୱନି ତତ୍ତ୍ୱବିତ୍, ଅନୁବାଦକ, ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ଜଣେ ପ୍ରାବନ୍ଧିକ ଭାବେ ସେ ବିଭିନ୍ନ ଗଠନମୂଳକ ମୂକ୍ୟବୋଧ ତଥା ଓଡ଼ିଶାର ସମାଜ, ଶିକ୍ଷା, ସଂସ୍କୃତି ଓ ପରମ୍ପରା ଉପରେ ପ୍ରବନ୍ଧମାନ ରଚନା କରୁଥିଲେ । ଭାରତର ଜାତୀୟ ଜୀବନର ତ୍ରୁଟିବିଚ୍ୟୁତି ଉପରେ ତାଙ୍କର କିଛି ପ୍ରବନ୍ଧ ରଚିତ । ତାଙ୍କ ପ୍ରବନ୍ଧମାନ ସରଳ, ସଂକ୍ଷିପ୍ତ ଓ ଇଙ୍ଗିତଧର୍ମୀ ।
ଗୋପାଳ ଛୋଟରାୟ (୨୦ ଅପ୍ରେଲ ୧୯୧୬ - ୨୨ ଜାନୁଆରୀ ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକ ସବୁ ଜୀବନ୍ତ । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହଯାଏ । ପ୍ରତ୍ୟେକ ବେଦର ନିଜସ୍ୱ ସଂହିତା,ବ୍ରାହ୍ମଣ,ଉପନିଷଦ,ଆରଣ୍ୟକ,ବେଦାଙ୍ଗ ଓ ଉପବେଦ ରହିଛି ।