ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟ ମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।
ବ୍ୟାଙ୍କ ହେଉଛି ଏକ ଆର୍ଥିକ ସଂସ୍ଥା ଯାହା ଜନସାଧାରଣଙ୍କ ଠାରୁ ଜମା ଗ୍ରହଣ କରି ଋଣ ପ୍ରଦାନ କରିଥାଏ । କମ୍ ସୁଧ ହାରରେ ଜମା ଗ୍ରହଣ କରି ଅଧିକ ହାରରେ ଋଣ ଦେଇ ବ୍ୟାଙ୍କମାନେ ବ୍ୟବସାୟ କରିଥାଆନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ହେଉଛି ଦେଶରେ ବ୍ୟାଙ୍କ ମାନଙ୍କର ନିୟାମକ । ଜମା, ଋଣର ସୁଧହାର ସମେତ ଅନ୍ୟାନ୍ୟ ଅନେକ ନିୟମ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଣୟନ କରିଥାଏ ।
ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭା ଦ୍ବାରା ନିର୍ମିତ) । ଏହା ଲୋକଙ୍କ ଦ୍ବାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଭାରତର ସ୍ୱାଧୀନତା ଦିବସ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । ରାଜଧାନୀ ଦିଲ୍ଲୀରେ ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିମନ୍ତେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି ଯାହା ଦେଶସାରା ଟି.ଭି.ରେ ଦେଖାଯାଇଥାଏ । ଏହି ଅଭିଭାଷଣରେ ସେ ଦେଶର ପ୍ରଗତି, ଅସୁବିଧା ଓ ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥାନ୍ତି ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଗାଲିଲିଓଙ୍କ ଜନ୍ମ , ପିସାଠାରେ (ଫେବ୍ରୁୟାରୀ ୧୫ , ୧୫୬୪) ହେଇଥିଲା । (ଠିକ ସେହି ବର୍ଷ ୱିଲିୟମ ସେକ୍ସପିଅରଙ୍କ ମଧ୍ୟ ଜନ୍ମ ହୋଇଥିଲା) ଗାଲିଲିଓ ନିଜ ଛଅ ଭାଇ ଓ ଭଉଣୀଙ୍କ ଭିତରେ ବଡ ଥିଲେ । ଗାଲିଲିଓଙ୍କ ପିତା, ଭିନସେଞ୍ଜୋ ଗାଲିଲି (Vincenzo Galilei), ଇଟାଲୀର ପିସାଠାରେ ପଶମ ବ୍ୟବସାୟ କରୁଥିଲେ । ସମ୍ଭ୍ରାନ୍ତ ବଂଶରେ ଜନ୍ମ ହୋଇ ସୁଦ୍ଧା, ଆର୍ଥିକ ଅନଟନ ଯୋଗୁଁ ତାଙ୍କ ପିତା କୁଳ ଗୌରବ ରକ୍ଷାକରି ନପାରି ସଙ୍ଗୀତ ରଚନା କରି ପରିବାର ପରିପୋଷଣ କରୁଥାନ୍ତି । ଶେଷରେ ସେ ବ୍ୟବସାୟରେ ପଶିଲେ । ଗାଲିଲିଓ ସେତେବେଳେ ଛୋଟପିଲା ହୋଇଥିଲେ ମଧ୍ୟ ସଙ୍ଗୀତକୁ ଆଦରି ନେଲେ । ବଂଶୀ ବଜାଇ ଓ ଗୀତଗାଇ ସେ ସମସ୍ତଙ୍କୁ ମୁଗ୍ଧ କରି ଦେଉଥିଲେ । ସେ ଚିତ୍ର ଅଙ୍କିବାରେ ପାରଦର୍ଶୀ ଥିଲେ । ପିଲାଙ୍କ ପାଇଁ ଖେଳଣା ଓ କଣ୍ଢେଇ ମଧ୍ୟ ତିଆରି କରୁଥିଲେ । ଯିଏ ଦେଖୁଥିଲା ତାଙ୍କ ହାତର ପ୍ରଶଂସା ନକରି ରହିପାରୁନଥିଲା ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ଶ୍ରୀ ଅରବିନ୍ଦ (ବଙ୍ଗାଳୀ - শ্রী অরবিন্দ - Sri Ôrobindo) ହେଉଛନ୍ତି ଏକାଧାରରେ ଜଣେ ଯୋଗୀ, ଗୁରୁ, କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ, ଦାର୍ଶନିକ ତଥା କବି । ସେ ୧୫ ଅଗଷ୍ଟ ୧୮୭୨ ମସିହାରେ ଇଂରେଜ ଶାସନାଧୀନ ଭାରତର କଲିକତା ନଗରରେ ଭୂମିଷ୍ଠ ହୋଇଥିଲେ । ମାନବ ଜାତିର ପୂର୍ଣାଙ୍ଗ ଅଭ୍ୟୁଦୟ ସମ୍ବନ୍ଧରେ ନିଜର ଦର୍ଶନ ବିକଶିତ ହେବା ଆଗରୁ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ସେ ଜଣେ ମହାନ ନେତା ହିସାବରେ ପରିଚିତ ହୋଇ ଅଛନ୍ତି। ସେ ସଶସ୍ତ୍ର ସଂଗ୍ରାମରେ ବିଶ୍ୱାସୀ ଥିଲେ । ଶ୍ରୀ ଅରବିନ୍ଦଙ୍କ ଦର୍ଶନର ମୂଳ ତତ୍ୱ ହେଉଛି ସାଧାରଣ ମାନବ ଜୀବନକୁ ଦିବ୍ୟ ଜୀବନରେ ରୂପାନ୍ତରଣ କରିବା । ସେ କହିଛନ୍ତି, ‘ମଣିଷ ହେଉଛି ଏକ ବିକାଶୋନ୍ମୁଖୀ ସତ୍ତା। ସେ ପୂର୍ଣ ବିକଶିତ ନୁହେଁ। ମାନସରୁ ଅତିମାନସ ପର୍ଯ୍ୟନ୍ତ ବିକାଶ ହେଉଛି ବିଶ୍ୱ ଚେତନା ଉତ୍ତରଣର ପରବର୍ତୀ ମାଇଲ ଖୁଣ୍ଟ । ଆଉ ଏହା ଅତି ଆବଶ୍ୟକ କାରଣ ଏହା ହେଉଛି ଅନ୍ତରାତ୍ମାର ମୂଳ ଉଦ୍ଦେଶ୍ୟ ଓ ନୈସର୍ଗିକ ନିୟମ।’ ଏହିପରି ଭାବରେ ଶ୍ରୀ ଅରବିନ୍ଦ ‘ମୁକ୍ତି’କୁ ଏକ ଭିନ୍ନ ରୂପରେ ପ୍ରତି ପାଦନ କରିଛନ୍ତି, ଯାହା ବୈୟକ୍ତିକ ନୁହେଁ ବରଂ ସାମଗ୍ରିକ, ସମ୍ପୂର୍ଣ ମାନବ ସମାଜର ଉତ୍ତରଣରେ ବିଶ୍ୱାସୀ। ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ, ଧର୍ମ, ସାହିତ୍ୟ ଓ ମନୋବିଜ୍ଞାନର ସମନ୍ୱୟ ଶ୍ରୀ ଅରବିନ୍ଦଙ୍କ ଲେଖାରେ ଦେଖିବାକୁ ମିଳେ। ଶ୍ରୀ ଅରବିନ୍ଦଙ୍କ କୃତି ଭିତରେ ଦର୍ଶନ, କାବ୍ୟ, ବେଦ, ଉପନିଷଦ ଏବଂ ଗୀତା ଆଦିର ଅନୁବାଦ ଓ ଟୀକା, ନାଟକ, ସାମାଜିକ, ରାଜନୈତିକ ଓ ଐତିହାସିକ ସମାଲୋଚନା, ଆଧ୍ୟାତ୍ମିକ ଲେଖା, ପତ୍ର ପତ୍ରିକା ଓ ପତ୍ରାବଳୀ ଆଦି ଅନ୍ତର୍ଭୁକ୍ତ। ତାଙ୍କର ସାହିତ୍ୟିକ ସୃଷ୍ଟି ଦର୍ଶନ, କାବ୍ୟ ଓ ନାଟକୀୟତାରେ ଏକ ମଧୁର ସମନ୍ୱୟରେ ସୁଗଠିତ ଯାହା କିଞ୍ଚିତ୍ ଜଟିଳ, ଓ ସହଜରେ ବୋଧଗମ୍ୟ ନୁହେଁ। ତାଙ୍କର କତିପୟ ରଚନା ବଳି ନିମ୍ନରେ ପ୍ରଦତ୍ତ ହେଲା। ଦ ଲାଇଫ ଡିଭାଇନ The Life Divine (1940), ଦ ହ୍ୟୁମାନ ସାଇକଲ The Human Cycle (1949), ଦ ଆଇଡିଆଲ ଅଫ ହ୍ୟୁମାନ ୟୁନିଟି The Ideal of Human Unity (1949), ଅନ ଦି ବେଦ On the Veda (1956), କଲେକ୍ଟେଡ ପଏମସ ଏଣ୍ଡ ପ୍ଲେଜCollected Poems and Plays (1942), ଏସେଜ ଅନ ଦି ଗୀତାEssays on the Gita (1928), ଦ ସିନ୍ଥେସିସ ଅନ ଯୋଗ The Synthesis of Yoga (1948), and ସାବିତ୍ରୀ : ଏ ଲିଜେଣ୍ଡ ଏଣ୍ଡ ଏ ସିମ୍ବଲ Savitri: A Legend and a Symbol (1950).
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ
ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ ବର୍ଣ୍ଣନା କଲାବେଳେ କେତେକ ପ୍ରଧାନ ବ୍ୟବସ୍ଥା ପ୍ରତି ଦୃଷ୍ଟିଦେବାକୁ ହୁଏ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଏକ କମ୍ପ୍ୟୁଟର ମନିଟର ହେଉଛି ଏକ ଦୃଶ୍ୟ ପ୍ରଦର୍ଶନ କମ୍ପ୍ୟୁଟର ଉପକରଣ (ଆଉଟପୁଟ୍ ଡିଭାଇସ୍) ଯାହା ଚିତ୍ରକଳା କିମ୍ବା ପାଠ୍ୟ ମାଧ୍ୟମରେ ସୂଚନା ପ୍ରଦର୍ଶନ କରେ । ଏକ ମନିଟର ସାଧାରଣତଃ ଏକ ଦୃଶ୍ୟପଟ୍ଟ ଉପକରଣ (ଭିଜୁଆଲ୍ ଡିସପ୍ଲେ), କିଛି ବୈଦ୍ୟୁତିକ ତାରର ସର୍କିଟ, କେସିଙ୍ଗ୍ ଏବଂ ବିଦ୍ୟୁତ୍ ଯୋଗାଣକୁ ନେଇ ଗଠିତ । କମ୍ପ୍ୟୁଟରରେ କରାଯାଉଥିବା କାମର ଫଳାଫଳ ବା ଆଉଟପୁଟ୍ ଏହି ମନିଟରରେ ଦେଖାଯାଇଥାଏ ଏବଂ କମ୍ପ୍ୟୁଟରକୁ ଦିଆଯାଉଥିବା ନିର୍ଦ୍ଦେଶର ଫଳାଫଳ ମଧ୍ୟ ଏଥିରେ ଦେଖାଯାଇଥାଏ । ଆଧୁନିକ ମନିଟରରେ ଥିବା ଦୃଶ୍ୟପଟ୍ଟ ଉପକରଣ (ଡିସପ୍ଲେ ଡିଭାଇସ୍) ସାଧାରଣତ ଏଲଇଡି ଆଲୋକ (TFT-LCD) ସଂଯୋଜିତ ଥିବ ଏକ ପତଳା ଚଳଚ୍ଚିତ୍ର ଟ୍ରାନଜିଷ୍ଟର ତରଳ ସ୍ଫଟିକ୍ ପ୍ରଦର୍ଶନ ଉପକରଣ । ପୂର୍ବରୁ ବ୍ୟବହାର କରାଯାଉଥିବା ମନିଟରଗୁଡିକରେ ଏକ କ୍ୟାଥୋଡ୍ ରଶ୍ମୀ ଟ୍ୟୁବ୍ (CRT) ଏବଂ କିଛି ପ୍ଲାଜମା (ଗ୍ୟାସ୍-ପ୍ଲାଜମା ମଧ୍ୟ କୁହାଯାଏ) ଦୃଶ୍ୟପଟ୍ଟ ବ୍ୟବହାର କରାଯାଉଥିଲା । ତେବେ VGA, ଡିଜିଟାଲ୍ ଭିଜୁଆଲ୍ ଇଣ୍ଟରଫେସ୍ (DVI), HDMI, ଡିସପ୍ଲେ ପୋର୍ଟ, USB-C, ଲୋ-ଭୋଲଟେଜ୍ ଡିଫେରିଏଲ୍ ସିଗନାଲ୍ (LVDS) କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ଷମ ସଂଯୋଜକ ଏବଂ ସିଗନାଲ୍ ମାଧ୍ୟମରେ ମନିଟରଗୁଡ଼ିକ କମ୍ପ୍ୟୁଟର ସହିତ ସଂଯୁକ୍ତ ହୋଇଥାଏ ।ମୂଳତଃ ତଥ୍ୟ (ଡ଼ାଟା) ପ୍ରକ୍ରିୟାକରଣ ପାଇଁ କମ୍ପ୍ୟୁଟର ମନିଟର ବ୍ୟବହାର କରାଯାଉଥିବାବେଳେ ଟେଲିଭିଜନ୍ ସେଟର ମନିଟର ମନୋରଞ୍ଜନ ପାଇଁ ବ୍ୟବହୃତ ହେଉଥିଲା । ୧୯୮୦ ଦଶକରୁ କମ୍ପ୍ୟୁଟରଗୁଡିକ (ଏବଂ ସେମାନଙ୍କର ମନିଟରଗୁଡିକ) ଉଭୟ ତଥ୍ୟ (ଡାଟା) ପ୍ରକ୍ରିୟାକରଣ ଏବଂ ମନୋରଞ୍ଜନ ପାଇଁ ବ୍ୟବହୃତ ହୋଇଥିବାବେଳେ ଟେଲିଭିଜନଗୁଡ଼ିକରେ କିଛି କମ୍ପ୍ୟୁଟର ଜନିତ କାର୍ଯ୍ୟକ୍ରମ ମଧ୍ୟ ଉପଲବ୍ଧ ହୋଇପାରୁଛି । ଟେଲିଭିଜନ ଭଳି କମ୍ପ୍ୟୁଟରର ମନିଟର ବି କଳା-ଧଳା ଏବଂ ରଙ୍ଗିନ ହୁଏ ଏବଂ ବିଭିନ୍ନ ସାଇଜର ବି ହୁଏ । ଅଧୁନା ଟେଲିଭିଜନ ଏବଂ କମ୍ପ୍ୟୁଟର ମନିଟରର ସାଧାରଣ ଆକାରର ଅନୁପାତ ୪:୩ ରୁ ବୃଦ୍ଧି ହୋଇ ୧୬:୧୦ ଓ ୧୬:୯ କୁ ବଦଳିଛି ।
ତରାଜୁ, ନିକିତି, ତୁଳା ବା ଦଣ୍ଡି ହେଉଛି କୌଣସି ସ୍ଥୂଳ ପଦାର୍ଥର ଓଜନ ମାପକ ଯନ୍ତ୍ର ବିଶେଷ । ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର ହେବା ସହିତ ଘରୋଇ କାମରେ ଯଥା ରୋଷେଇ ଘରେ, ଦେହର ଓଜନ ମାପିବା ଆଦିରେ ମଧ୍ୟ ଏହାର ବ୍ୟବହାର ହୋଇଥାଏ । ନ୍ୟାୟର ପ୍ରତୀକ ଭାବରେ ଦର୍ଶିତ ନାରୀମୂର୍ତ୍ତି ଆଖିରେ ଅନ୍ଧପୋଟଳି ବାନ୍ଧି ହାତରେ ଏକ ଦୁଇ ପଲା ବିଶିଷ୍ଟ ତରାଜୁ ଧରିଥିବାର ଦେଖାଯାଏ ଯାହା ନିରପେକ୍ଷତାକୁ ଦର୍ଶାଇଥାଏ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧcode: pi is deprecated ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
କମ୍ପ୍ୟୁଟର ବିଜ୍ଞାନ କହିଲେ କମ୍ପ୍ୟୁଟର ସମ୍ପର୍କିତ ବିଭିନ୍ନ ତଥା ସ୍ୱତନ୍ତ୍ର ଗଣନା ଗୁଡିକର ସଠିକ ମୂଲ୍ୟାୟନ ଓ ଏହାର ବାସ୍ତବିକ ବ୍ୟବହାରର ଅଧ୍ୟୟନକୁ ବୁଝାଏ । ଏହା ଆମକୁ କମ୍ପ୍ୟୁଟରର ଗଠନ , କାର୍ଯ୍ୟ ଦକ୍ଷତା , ସାମର୍ଥ୍ୟ , ବାହ୍ୟ ଯନ୍ତ୍ରପାତି ଓ ଏହାର ବ୍ୟବହାରକାରୀଙ୍କ ସହ ଯୋଗାଯୋଗ ପଦ୍ଧତି ଗୁଡିକର ସହଜ ପ୍ରଣାଳୀ ଓ ଉପଯୋଗିତା ବିଷୟରେ ଅବଗତ କରାଇଥାଏ ।ଏହାଦ୍ୱାରା କମ୍ପ୍ୟୁଟର ସହ ଜଡିତ ହାର୍ଡୱେର ଯନ୍ତ୍ରାଂଶ ଓ ସେଥିରେ ଚାଲୁଥିବା ସଫ୍ଟୱେର ପ୍ରୋଗ୍ରାମଗୁଡିକର ଉଦ୍ଦେଶ୍ୟ ଓ ସଠିକ ଭାବେ ବ୍ୟବହାର କରିବାର ପ୍ରଣାଳୀ ବିଷୟରେ ଧାରଣାହୋଇଥାଏ । ଏହାର ଅନେକ ଉପ-ବିଭାଗ ମଧ୍ୟ ରହିଛି, ଯେପରିକି ପ୍ରୋଗ୍ରାମିଂ , ମନୁଷ୍ୟ ଓ କମ୍ପ୍ୟୁଟର ଆଦାନ ପ୍ରଦାନ, ନେଟୱର୍କିଂ, କୂତ୍ରିମ ବୁଦ୍ଧିମତ୍ତା, ସଫ୍ଟୱେର ଇଞ୍ଜିନିୟରିଂ, ସୁରକ୍ଷା ଇତ୍ୟାଦି ଇତ୍ୟାଦି । କମ୍ପ୍ୟୁଟର ବିଜ୍ଞାନୀ ଓ କମ୍ପ୍ୟୁଟର ବିଜ୍ଞାନର ଛାତ୍ରଛାତ୍ରୀ ମାନେ କମ୍ପ୍ୟୁଟର ସହିତ ଜଡିତ ଥିବା ତତ୍ୱ ପରିସଙ୍ଖ୍ୟାନ ଓ ନୂତନ ଉପକରଣ ଅଥବା ଉପାୟର ରୂପାନ୍ତରଣ ଉପରେ ଗବେଷଣା କରିଥାନ୍ତି ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଭାରତୀୟ ସଂସ୍କୃତି ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।
ରାମକୃଷ୍ଣ ପରମହଂସ(ବଙ୍ଗଳା: রামকৃষ্ণ পরমহংস) (୧୮ ଫେବୃଆରୀ,୧୮୩୬-୧୬ ଅଗଷ୍ଟ,୧୮୮୬) ପୂର୍ବନାମ ଗଦାଧର ଚଟ୍ଟୋପାଧ୍ୟାୟ । ଉନବିଂଶ ଶତାବ୍ଦୀର ବିଖ୍ୟାତ ଯୋଗୀ,ଦାର୍ଶନିକ ଓ ହିନ୍ଦୁ ଧର୍ମଗୁରୁ । ତାଙ୍କ ପ୍ରଚାରିତ ଧର୍ମୀୟ ଚିନ୍ତାଧାରାରେ ରାମକୃଷ୍ଣ ମିଶନର ପ୍ରତିଷ୍ଠା କରିଥିଲେ ତାଙ୍କର ପ୍ରଧାନ ଶିଷ୍ୟ ସ୍ୱାମୀ ବିବେକାନନ୍ଦ । ଉନବିଂଶ ଶତାବ୍ଦୀର ହିନ୍ଦୁ ନବଜାଗରଣରେ ଉଭୟଙ୍କର ଦାନ ଅତୁଳନୀୟ ।
ନରସିଂହ ପ୍ରସାଦ ଗୁରୁ ଜଣେ ଭାରତୀୟ ସମ୍ବଲପୁରୀ-ଭାଷୀ ଲେଖକ । ସେ ଓଡ଼ିଶାର ବଲାଙ୍ଗିର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବିଭିନ୍ନ ଉଲ୍ଲେଖନୀୟ ରଚନା ମଧ୍ୟରେ ୭୦୦ ପୃଷ୍ଠା ସମ୍ବଳିତ ଓ ୧୭,୩୦୦ ଶବ୍ଦବିଶିଷ୍ଟ କୋଶଳୀ-ଓଡ଼ିଆ ଅଭିଧାନ (୨୦୧୬), କୁରେ ଫୁଲର ଝୁମ୍ପା, ତୀର୍ଥ ମାଟି (୧୯୬୭), କୁଆଁତାରା: କେତୋଟି ସମ୍ବଲପୁରୀ ପଲ୍ଲୀକବିତାର ସମାବେଶ (୧୯୬୫) ଆଦି ଅନ୍ୟତମ । ସେ ୨୦୨୨ ମସିହାରେ ଭାରତ ସରକାରଙ୍କଠାରୁ ସମ୍ବଲପୁରୀ (କୋଶଳୀ) ସାହିତ୍ୟ ଓ ଗବେଷଣା ନିମନ୍ତେ ୯୨ ବର୍ଷ ବୟସରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
ଓଡ଼ିଶାରେ ବିଭିନ୍ନ ସମୟରେ ଓଡ଼ିଆ ଭାଷା ପାଇଁ ହୋଇଥିବା ଆନ୍ଦୋଳନଗୁଡ଼ିକ ସାମୁହିକ ଭାବେ ଓଡ଼ିଆ ଭାଷା ଆନ୍ଦୋଳନ ଭାବେ ଜଣା । ଆଧୁନିକ ଇତିହାସରେ ଏହା ପ୍ରଥମେ ୧୮୬୬ ବ୍ରିଟିଶ ଶାସନ କାଳରେ ଆରମ୍ଭ ହୋଇ ୧୯୦୩ ମସିହାରେ ଏକ ବିଶାଳ ଆନ୍ଦୋଳନର ରୂପ ନେଇଥିଲା । ଏହାର ପରିଣତି ସ୍ୱରୂପ ୧୯୩୬ ମସିହାରେ ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲା ।୧୯୫୪ ଓଡ଼ିଶା ରାଜଭାଷା ଆଇନ ଅନୁସାରେ ଓଡ଼ିଶାରେ ଓଡ଼ିଆ ରାଜଭାଷା ଭାବେ ବ୍ୟବହାର ହେବାର ନିୟମ ଗୃହୀତ ହୋଇଥିଲା। ୧୯୫୪ ମସିହାରେ ଓଡ଼ିଶା ବିଧାନ ସଭାରେ ପ୍ରଣୀତ ହେବା ପରେ ୧୯୬୬, ୧୯୬୮, ୧୯୮୫, ୧୯୯୫ ଓ ୨୦୧୨ ମସିହାର ଏହି ଆଇନକୁ କାର୍ଯ୍ୟକାରୀ କରିବା ନିମନ୍ତେ କିଛି ଆଦେଶନାମା ଜାରି ହୋଇଥିଲା। ୧୯୮୫ ଓ ୧୯୯୫ ମସିହାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲେ। । ପରେ ଓଡ଼ିଆ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଦ୍ୱିତୀୟ ରାଜଭାଷାର ସ୍ୱୀକୃତି ପାଇବା ପରେ ଓଡ଼ିଆ ଭାଷା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ଶିକ୍ଷା, ଆଇନ ଓ ଶାସନର ଭାଷା ହେବାର ସୁଯୋଗ ମିଳିଲା ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ (୧୫ ଅକ୍ଟୋବର ୧୯୩୧- ୨୭ ଜୁଲାଇ ୨୦୧୫), ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । କଲାମ ତାମିଲନାଡୁର ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି । ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର "ଭାରତ ରତ୍ନ"ରେ ସମ୍ମାନିତ କରା ଯାଇଥିଲା ।
ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷ ଠାରୁ ତଥ୍ୟ (Data) ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟକୁ ବ୍ୟବହାର କରି ଉତ୍ତର ଦିଏ ।ସଂରକ୍ଷିତ ଉତ୍ତର କମ୍ପ୍ୟୁଟର (memory)ରେ ରହିଥାଏ। ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ବିଜୟ ମିଶ୍ର (୧୬ଜୁଲାଇ ୧୯୩୬ - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ । ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ପଦ୍ମଶ୍ରୀ ଶ୍ୟାମାମଣି ଦେବୀ (ଜନ୍ମ : ୨୧ ଡିସେମ୍ବର ୧୯୩୮, ଶ୍ୟାମାମଣି ପଟ୍ଟନାୟକ) ପାରମ୍ପରିକ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ । ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ ଯଥା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ସେ ପଲ୍ଲୀ ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଗାୟନ କରିଛନ୍ତି । ଓଡ଼ିଶୀ ସଙ୍ଗୀତର ଦୁଇଜଣ ପ୍ରମୁଖ ଗୁରୁ - ସିଂହାରୀ ଶ୍ୟାମସୁନ୍ଦର କର ଏବଂ ବାଳକୃଷ୍ଣ ଦାସଙ୍କଠୁ ସେ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିବାରୁ ତାଙ୍କ ଗାୟନ ଶୈଳୀରେ ଉଭୟଙ୍କ ଛାପ ରହିଅଛି । ଶ୍ୟାମାମଣି ଦେବୀ ଅନେକ ପାରମ୍ପରିକ ଓଡ଼ିଶୀ ଗୀତକୁ ରେକର୍ଡ଼ କରିଛନ୍ତି ଓ ତଦ୍ଦ୍ୱାରା ବେଶ ଜନାଦୃତ ହୋଇପାରିଛନ୍ତି ।
ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS-CoV-2) ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।ଓଡ଼ିଶା ୨୦୨୦ ମାର୍ଚ୍ଚ ମାସ ଆରମ୍ଭରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତି ହେବା ଆରମ୍ଭ କରିଥିଲା । ଏହି ମହାମାରୀର ପରିଚାଳନା ପାଇଁ ଓଡ଼ିଶା ସରକାର ଓଡ଼ିଶା କୋଭିଡ-୧୯ ନିୟମାବଳୀ, ୨୦୨୦ ଲାଗୁକରିବା ସହ ଏହି ଉଦ୍ଦେଶ୍ୟରେ ଗଠିତ କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ଭାବେ ସୁବ୍ରତ ବାଗଚୀଙ୍କୁ ନିଯୁକ୍ତି ଦେଇଥିଲେ ।ଏହାଛଡା କରୋନା ସଂକ୍ରମଣ ଏବଂ ତଜ୍ଜନିତ ତାଲାବନ୍ଦ ଭଳି ଅଭାବନୀୟ ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆମଦାନି ତଥା ରପ୍ତାନୀ ନିୟନ୍ତ୍ରଣ କରିବା ସହ ଲକଡାଉନ ବା ସଟଡାଉନ ଭଳି ପରିସ୍ଥିତିରେ ଆଇନ ଉଲ୍ଲଙ୍ଘନକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନକୁ ଆଇନ ସମ୍ମତ କରିବା ନିମିତ୍ତ ଓଡ଼ିଶା ସରକାରଙ୍କଦ୍ୱାରା ପ୍ରଣୀତ "The Epidemic Diseases (Amendment) Ordinance, 2020" ଅଧ୍ୟାଦେଶ ଏପ୍ରିଲ ୭ ତାରିଖରେ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିଛି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା (ସିଏଚଏସଇ (ଓ) ଭାବେ ସଂକ୍ଷିପ୍ତରେ ଲିଖିତ) ଭାରତର ଓଡ଼ିଶା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସରକାରୀ ଏବଂ ଘରୋଇ ବିଦ୍ୟାଳୟ ଓ କଲେଜ ପାଇଁ ଉଚ୍ଚ ମାଧ୍ୟମିକ (୧୧ଶ ଓ ୧୨ଶ ଶ୍ରେଣୀ ପାଠ୍ୟକ୍ରମ) ପ୍ରଦାନ କରୁଥିବା ଏକ ଶିକ୍ଷା ବୋର୍ଡ । ଏହା ଭୁବନେଶ୍ୱରରେ ଅବସ୍ଥିତ ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଓଡ଼ିଆ ବାହାଘର ବଂଶ ରକ୍ଷା ଓ ସମାଜ ରକ୍ଷା ସକାଶେ ପୁରୁଷ ଓ ସ୍ତ୍ରୀର ମିଳନ ବା ପରିଣୟ ବିବାହ ଭାବେ ପରିଚିତ । ଏହା ପରସ୍ପର ସହ ଉପଯୁକ୍ତ ମେଳ ଖାଉଥିବା ଦୁଇଟି ଭିନ୍ନ ବ୍ୟକ୍ତିବିଶେଷଙ୍କୁ ନେଇ ସମ୍ପନ୍ନ ହୋଇଥାଏ । ଓଡ଼ିଆ ବାହାଘର ମୂଖ୍ୟତଃ ଓଡ଼ିଆ ହିନ୍ଦୁମାନଙ୍କ ମଧ୍ୟରେ ଘଟିଥାଏ । ଓଡ଼ିଆ ବାହାଘରର ବହୁତ ରୀତି ଓ ପରମ୍ପରା ଅଛି। ପାରମ୍ପରିକ ଦୃଷ୍ଟିରୁ ଏହା ସଂସ୍କୃତ ଏବଂ ଓଡ଼ିଆ ଭାଷାରେ ବୋଲା ଯାଉଥିବା ମନ୍ତ୍ରକୁ ନେଇ ପରିଚାଳିତ ହେଇଥାଏ । ଏହାର ପ୍ରସ୍ତୁତି କେବଳ ବାହାଘର ଦିନ ନୁହେଁ, ବରଂ ବହୁଦିନ ପୂର୍ବରୁ ଚାଲିଥାଏ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବି ମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
ରାମାନୁଜ ଆଚାର୍ଯ୍ୟ (୧୦୧୭ - ୧୧୩୭ ଖ୍ରୀ.ଅ) ଜଣେ ହିନ୍ଦୁ ଧର୍ମବିତ, ଦାର୍ଶନିକ ଏବଂ ଶ୍ରୀବୈଷ୍ଣବ ପରମ୍ପରାର ସର୍ବପ୍ରଧାନ ବାଖ୍ୟାକାର ଥିଲେ । ସେ ଏକ ତାମିଲ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମସ୍ଥାନ ତାମିଲନାଡୁର ଏକ ଗାଁ ଶ୍ରୀପେରୁମ୍ବୁଦୁରରେ । ତାଙ୍କ ଦାର୍ଶନିକ ମତବାଦ ଭକ୍ତି-ଆନ୍ଦୋଳନ ପାଇଁ ପ୍ରଭାବଶାଳୀ ହୋଇଥିଲା । ରାମାନୁଜଙ୍କ ଗୁରୁ ଯାଦବ ପ୍ରକାଶ ଅଦ୍ୱୈତ ବେଦାନ୍ତ ପରମ୍ପରାର ପଣ୍ଡିତ ଥିଲେ । ଶ୍ରୀ ବୈଷ୍ଣବ ପରମ୍ପରା ମତାନୁସାରେ ରାମାନୁଜ ନିଜ ଗୁରୁଙ୍କ ସହ ଏକମତ ନହୋଇ ନାଥମୁନୀ ଓ ଯମୁନାଚାର୍ଯ୍ୟଙ୍କ ଭଲି ଅଲ୍ୱାର ସନ୍ଥ ମାନଙ୍କୁ ଅନୁସରଣ କରିଥିଲେ । ବିଶିଷ୍ଟାଦ୍ୱୈତବାଦ ବେଦାନ୍ତ ପରମ୍ପରାର ରାମାନୁଜ ସର୍ବପ୍ରଧାନ ବାଖ୍ୟାକାର ଭାବେ ପ୍ରସିଦ୍ଧ । ସେ ବ୍ରହ୍ମସୂତ୍ର ଓ ଭଗବତ-ଗୀତାର ବାଖ୍ୟା ଏହି ମତାନୁସାରେ କରିଥିଲେ । ତାଙ୍କଦ୍ୱାରା ପ୍ରଣୀତ ବିଶିଷ୍ଟାଦ୍ୱୈତବାଦ, ମାଧବାଚାର୍ଯ୍ୟଙ୍କ ଦ୍ୱୈତବାଦ ଓ ଆଦି ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତ ବେଦାନ୍ତ ସହ ଅନ୍ୟତମ ପ୍ରଭାବଶାଳୀ ଭାରତୀୟ ଦାର୍ଶନିକ ଚିନ୍ତାଧାରା ଅଟେ । ସେ ଜ୍ଞାନ ଓ ମୋକ୍ଷ ପାଇଁ ଭକ୍ତିର ଆବଶ୍ୟକତା ପ୍ରତିପାଦନ କରିଥିଲେ । ତାଙ୍କ ମତାନୁସାରେ ଜୀବାତ୍ମା ଓ ବ୍ରହ୍ମ ମଧ୍ୟରେ ବିଭେଦ ରହିଛି ଏବଂ ଜୀବାତ୍ମା ଓ ଜଗତ ବ୍ରହ୍ମଙ୍କ ଉପରେ ନିର୍ଭରଶୀଳ । ମାତ୍ର ଜୀବାତ୍ମା ଏକ ଅଟେ ଓ ଏହା ମୋକ୍ଷଦ୍ୱାରା ପରମାତ୍ମାଙ୍କ ସହ ଏକ ହେବାକୁ ଯୋଗ୍ୟ ।
ଭରତୀୟ ଜାତୀୟ କଂଗ୍ରେସ (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ ରାଜନୈତିକ ଦଳ ଅଟେ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା । ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ ଅଟେ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ସରକାର ୟୁ.ପି.ଏ.
ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର
ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର ବିଶ୍ୱର ସର୍ବଶ୍ରେଷ୍ଠ ଏକ ବାର୍ଷିକ ପୁରସ୍କାର ଯାହାକି ରୋୟାଲ ସ୍ୱିଡିଶ ସାଇନ୍ସ ଏକାଡେମୀ ବା ରାଜକୀୟ ସ୍ୱିଡିନ ବିଜ୍ଞାନ ଅକାଦମୀଦ୍ୱାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେସନ ତରଫରୁ ଭୌତିକ ବିଜ୍ଞାନରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ୱର ପ୍ରତିଭାସଂପନ୍ନ ବ୍ୟକ୍ତି ବିଶେଷଙ୍କୁ ଦିଆଯାଏ । ୧୮୯୫ ମସିହାରେ ପ୍ରତିଷ୍ଠିତ ତଥା ଆଲଫ୍ରେଡ ନୋବେଲଙ୍କଦ୍ୱାରା ସ୍ଥାପିତ ନୋବେଲ ଫାଉଣ୍ଡେସନଦ୍ୱାରା ପାଞ୍ଚୋଟି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଦିଆଯାଉଥୁବା ପୁରସ୍କାର ଗୁଡିକ ମଧ୍ୟରେ ଅନ୍ୟତମ ଏହି ପୁରସ୍କାର ୧୯୦୧ ମସିହାରୁ ଦିଆଯାଇଆସୁଛି । ପଦାର୍ଥ ବିଜ୍ଞାନ ଛଡା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଯଥା ଶାନ୍ତି, ଚିକିତ୍ସା ବିଜ୍ଞାନ, ସାହିତ୍ୟ, ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଯେ କୈଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ ।
ଛତ୍ରପତି ଶିବାଜୀ ରାଜ ଭୋଁସଲେ ପଶ୍ଚିମ ଭାରତର ମରାଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ । ମହାରାଷ୍ଟ୍ରରାଜ୍ୟର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ ୧୬୩୦ରେ) ଶିବାଜୀ ଜନ୍ମଗ୍ରହଣ କରିଥିଲେ । ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ । ସାହାଜୀ ପ୍ରଥମେ ଆହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରୀ କରି ପୁନା (ପୁଣେ) ଜାୟଗିରି ପାଇଥିଲେ । ଆହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ । ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମାତାଙ୍କ ପାଖରେ ରହି ବିଦ୍ୟାଶିକ୍ଷା ଲାଭ କରିଥିଲେ । ନିଜ ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁ ଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ସଂକଳ୍ପ କରିଥିଲେ ।
ଭୁବନେଶ୍ୱର ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଅଛି ।ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ ।
ଅନିଲ ଦାଶ ( ; ଜନ୍ମ ସେପ୍ଟେମ୍ବର ୫, ୧୯୭୫) ଜଣେ ଆମେରିକୀୟ ଟେକ୍ନୋଲୋଜି କାର୍ଯ୍ୟନିର୍ବାହୀ, ଉଦ୍ୟୋଗୀ ଏବଂ ଲେଖକ । ସେ ଏକ ସଫ୍ଟୱେର୍ ଡେଭଲପମେଣ୍ଟ ଷ୍ଟାର୍ଟଅପ୍ କମ୍ପାନୀ ଗ୍ଲିଚ୍ (ପୂର୍ବରୁ ଫୋଗ୍ କ୍ରିକ୍ ସଫ୍ଟୱେର୍) ର ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଅଟନ୍ତି । ସେ କେଭିନ୍ ମ୍ୟାକକଏଙ୍କ ସହଯୋଗରେ ନନ୍ ଫଞ୍ଜିବଲ୍ ଟୋକେନ(ଏନ୍ଏଫ୍ଟି)ର ପ୍ରଥମ କାର୍ଯ୍ୟକାରିତା କାରବାର କରିଥିଲେ । ସେ ଓଡ଼ିଆ ପିତାମାତାଙ୍କଠାରୁ ଜନ୍ମିତ ।