ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ସରସ୍ୱତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ଛାତ୍ରଛାତ୍ରୀମାନେ ପୂଜାମଣ୍ଡପକୁ ଅତି ମନୋରମ ଭାବେ ସଜାଇ ଥାଆନ୍ତି । ମାତା ସରସ୍ୱତୀଙ୍କର ପୂଜା ଓ ପୁଷ୍ପାଞ୍ଜଳୀ ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ରଖିଥାନ୍ତି । ଏଇ ଦିନ ପିଲାମାନେ ଦେବୀ ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ସେମାନଙ୍କର ପାଠ୍ୟପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥାନ୍ତି ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଗାଲିଲିଓଙ୍କ ଜନ୍ମ , ପିସାଠାରେ (ଫେବ୍ରୁୟାରୀ ୧୫ , ୧୫୬୪) ହେଇଥିଲା । (ଠିକ ସେହି ବର୍ଷ ୱିଲିୟମ ସେକ୍ସପିଅରଙ୍କ ମଧ୍ୟ ଜନ୍ମ ହୋଇଥିଲା) ଗାଲିଲିଓ ନିଜ ଛଅ ଭାଇ ଓ ଭଉଣୀଙ୍କ ଭିତରେ ବଡ ଥିଲେ । ଗାଲିଲିଓଙ୍କ ପିତା, ଭିନସେଞ୍ଜୋ ଗାଲିଲି (Vincenzo Galilei), ଇଟାଲୀର ପିସାଠାରେ ପଶମ ବ୍ୟବସାୟ କରୁଥିଲେ । ସମ୍ଭ୍ରାନ୍ତ ବଂଶରେ ଜନ୍ମ ହୋଇ ସୁଦ୍ଧା, ଆର୍ଥିକ ଅନଟନ ଯୋଗୁଁ ତାଙ୍କ ପିତା କୁଳ ଗୌରବ ରକ୍ଷାକରି ନପାରି ସଙ୍ଗୀତ ରଚନା କରି ପରିବାର ପରିପୋଷଣ କରୁଥାନ୍ତି । ଶେଷରେ ସେ ବ୍ୟବସାୟରେ ପଶିଲେ । ଗାଲିଲିଓ ସେତେବେଳେ ଛୋଟପିଲା ହୋଇଥିଲେ ମଧ୍ୟ ସଙ୍ଗୀତକୁ ଆଦରି ନେଲେ । ବଂଶୀ ବଜାଇ ଓ ଗୀତଗାଇ ସେ ସମସ୍ତଙ୍କୁ ମୁଗ୍ଧ କରି ଦେଉଥିଲେ । ସେ ଚିତ୍ର ଅଙ୍କିବାରେ ପାରଦର୍ଶୀ ଥିଲେ । ପିଲାଙ୍କ ପାଇଁ ଖେଳଣା ଓ କଣ୍ଢେଇ ମଧ୍ୟ ତିଆରି କରୁଥିଲେ । ଯିଏ ଦେଖୁଥିଲା ତାଙ୍କ ହାତର ପ୍ରଶଂସା ନକରି ରହିପାରୁନଥିଲା ।
ଶ୍ରୀନିବାସ ରାମାନୁଜନ (pronunciation ) (୨୨ ଡିସେମ୍ବର ୧୮୮୭ – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ । ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ। ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ 'ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ। ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ?
ଚାର୍ଲସ୍ ଡାରଉଇନ୍ ହେଉଛନ୍ତି ବିଶ୍ୱବିଖ୍ୟାତ ପ୍ରକୃତିବାଦୀ ଏବଂ ଭୂତତ୍ତ୍ୱବିଜ୍ଞାନୀ | “ବିବର୍ତ୍ତନବାଦ"ର ପୁରୋଧା ଭାବେ ସେ ଅଶେଷ ଖ୍ୟାତ | ସେ ପ୍ରଥମେ ପ୍ରମାଣିତ କରିଥିଲେ ଯେ ପୃଥିବୀର ପ୍ରତ୍ୟେକ ଶ୍ରେଣୀର ପ୍ରାଣୀର ପୁର୍ବଜ ହେଉଛନ୍ତି ଏକ ଅର୍ଥାତ ପ୍ରତ୍ୟେକ ପ୍ରାଣୀର ସୃଷ୍ଟି ଗୋଟିଏ ପ୍ରାଣୀରୁ ହୋଇଅଛି | ଯୁଗ୍ମ ଭାବେ ଡାରଉଇନ୍ ଏବଂ ଆଲଫ୍ରେଡ୍ ରସେଲ୍ ୱାଲେସ ଏକ ବୈଜ୍ଞାନିକ ମତପୋଷଣ କରିଥିଲେ ଯେଉଁଥିରେ ସେ ଦର୍ଶାଇ ଥିଲେ ଯେ ବିବର୍ତ୍ତନବାଦର ଶାଖା ପ୍ରଶାଖାର ନିମନ୍ତେ "ପ୍ରାକୃତିକ ଚୟନ(ନାଚୁରାଲ୍ ସିଲେକ୍ସନ୍ )" ଦାୟୀ |୧୮୫୯ ମସିହାରେ ସେ ଏକ ପୁସ୍ତକ ପ୍ରକାଶ କରିଥିଲେ ଯାହାର ନାମ ଥିଲା "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ '| ଏହି ପୁସ୍ତକଟି ବୈଜ୍ଞାନିକ ସମୁଦାୟ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲା | ୧୮୭୦ ମସିହା ସୁଦ୍ଧା ବିବର୍ତ୍ତନବାଦକୁ ସମସ୍ତେ ଆପଣେଇପାରିଥିଲେ | ଡାରଉଇନଙ୍କ ବୈଜ୍ଞାନିକ ମତ ପ୍ରାଣୀ ବିଜ୍ଞାନକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଥିଲା | ଏହା ମଧ୍ୟ ଜୀବନର ବିବିଧତାକୁ ଅନେକ ପରିମାଣରେ ବୁଝାଇବାରେ ସକ୍ଷମ ହୋଇପାରିଥିଲା |
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଭଞ୍ଜ ବୀର ସୁନାରାମ ସୋରେନ (୪ ଫେବୃଆରୀ ୧୯୧୮–୧୯ ଜୁଲାଇ ୧୯୮୮) ଜଣେ ଭାରତୀୟ ରାଜନେତା, ଆଦିବାସୀ ରାଜନୈତିକ କର୍ମୀ ଓ ସମାଜ ସଂସ୍କାରକ ଥିଲେ । ସେ ଓଡ଼ିଶାର ପ୍ରଥମ ସାନ୍ତାଳ ଓ ପ୍ରଥମ ଆଦିବାସୀ ମନ୍ତ୍ରୀ ଥିଲେ । ସେ ଓଡ଼ିଶାର ବହଳଦା (ବିଧାନସଭା ନିର୍ବାଚନ ମଣ୍ଡଳୀ)ରୁ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇ ପରେ ମନ୍ତ୍ରୀ ହୋଇଥିଲେ । ସେ ଜଣେ କବି, ସଙ୍ଗୀତକାର ଓ ମୃଦଙ୍ଗ ବାଦକ ମଧ୍ୟ ଥିଲେ । ତାଙ୍କର କେତେକ ଉଲ୍ଲେଖନୀୟ ସାନ୍ତାଳୀ ରଚନାବଳୀ ମଧ୍ୟରେ "ଭଞ୍ଜ କଙ୍କା କୁଙ୍କି", "ଆଦିବାସୀ ର ଆନ୍ଦର", "ସିବିଲ ସେରେଞ୍ଜ" ଓ "ଯାତ୍ରା ପଟ ବାଗି ଗିରା" ଆଦି ଅନ୍ୟତମ ।ଲେଖକ ଜୟରାମ ଟୁଡ଼ୁ ତାଙ୍କ ଜୀବନୀ ଉପରେ ସାନ୍ତାଳୀରେ ଏକ ଆତ୍ମଜୀବନୀମୂଳକ ପୁସ୍ତକ "ଭଞ୍ଜ କୁଲ୍ ଭୁର୍କା: ଇପିଲ ସୁନାରାମ ସୋରେନ" ରଚନା କରି ୨୦୨୦ ମସିହାରେ କେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ସଂସାରରେ ଅନେକ ପ୍ରକାରର ବନସ୍ପତି ରହିଅଛି । ସେ ସବୁକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ପ୍ରକାର ବନସ୍ପତି ଜାଳେଣି, ସାର ବା କେତେକ ଉପକରଣ ତିଆରି କାମରେ ଲାଗେ, ଦ୍ୱିତୀୟ ପ୍ରକାର ବନସ୍ପତି ମଣିଷ ଓ ଇତର ପ୍ରାଣୀମାନଙ୍କର ଖାଦ୍ୟ ହୋଇଥାଏ ଓ ଆଉ କିଛି ଗଛଲତା ବିଭିନ୍ନ ପ୍ରକାର ରୋଗର ନିରାମୟ ଓ ନିରାକରଣରେ ବ୍ୟବହୃତ ହୋଇଥାଏ । ତେବେ ଏମିତି ଅନେକ ବନସ୍ପତି ରହିଛି ଯାହାର ଏକାଧିକ ଉପଯୋଗ ରହିଥାଏ । ନିମ୍ନସ୍ଥ ତାଲିକାରେ ଥିବା ଗଛଲତା ଗୁଡିକର ଅଂଶବିଶେଷକୁ ଔଷଧ ଭାବେ ଉପଯୋଗ କରାଯାଇଥାଏ ।
କବିସୂର୍ଯ୍ଯ ବଳଦେବ ରଥ (୧୭୮୯ - ୧୮୪୫) ଜଣେ ଭାରତୀୟ ଓଡ଼ିଆ କବି ଥିଲେ ଓ ସେ କବିସୂର୍ଯ୍ୟ ନାମରେ ପରିଚିତ ଥିଲେ । ସେ ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡି ଗଡ଼ରେ ଜନ୍ମ ନେଇଥିଲେ । ଓଡ଼ିଆ ରୀତି ଯୁଗର ଜଣେ ପ୍ରସିଦ୍ଧ କବି ଓ ସଙ୍ଗୀତକାର ଭାବରେ ସେ ଓଡ଼ିଆ କବିତା, ଚମ୍ପୂ ଆଦିର ରଚନା କରି ସ୍ୱରସଂଯୋଜନା ମଧ୍ୟ କରିଥିଲେ । ସେ ଗଞ୍ଜାମ ଜିଲ୍ଲାର ଜଣାଶୁଣା ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା । ସେ ଅନେକ ଢୁମ୍ପା ଗୀତ ମଧ୍ୟ ରଚନା କରିଥିଲେ । ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ସେ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ତପନ କୁମାର ପ୍ରଧାନ ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ କବି, ଲେଖକ, ଅନୁବାଦକ, ପ୍ରଶାସକ ଓ ବ୍ୟଙ୍ଗକାର । ସେ ମୁଖ୍ୟତଃ ଇଂରାଜୀ, ଓଡ଼ିଆ ଓ ହିନ୍ଦୀରେ କବିତା ଓ ଗଦ୍ୟ ରଚନା କରନ୍ତି । ତାଙ୍କର କଳାହାଣ୍ଡି କବିତାର ଇଂରାଜୀ ଅନୁବାଦ ନିମନ୍ତେ ୨୦୦୭ ମସିହାରେ ଡାଃ ପ୍ରଧାନ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ସୁବର୍ଣ୍ଣ ଜୟନ୍ତୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତାଂକ ରଚନାବଳୀ ମୁଖ୍ଯତଃ ଭ୍ରଷ୍ଟାଚାର ନିବାରଣ, ମାନବାଧିକାର ଓ ସର୍ବଧର୍ମ ସମନ୍ୱୟ ଉପରେ କେନ୍ଦ୍ରିତ।
ଦୁର୍ଗା (ସଂସ୍କୃତ: दुर्गा, ଅସଂଲିବ: Durgā) ହିନ୍ଦୁ ଧର୍ମର ଏକ ପ୍ରମୁଖ ଦେବୀ । ସେ ଦେବୀଙ୍କ ଏକ ମୁଖ୍ୟ ଦିଗ ଭାବରେ ପୂଜା ପାଆନ୍ତି ଏବଂ ଲୋକପ୍ରିୟ ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଅନ୍ୟତମ ଭାବେ ସମ୍ମାନୀତ । ସେ ସୁରକ୍ଷା, ଶକ୍ତି, ମାତୃତ୍ୱ, ବିନାଶ ଏବଂ ଯୁଦ୍ଧ ସହ ଜଡ଼ିତ । ତାଙ୍କର କିମ୍ବଦନ୍ତୀ ଶାନ୍ତି, ସମୃଦ୍ଧି ଏବଂ ଧର୍ମପ୍ରତି ବିପଦ ସୃଷ୍ଟି କରୁଥିବା ମନ୍ଦ ଏବଂ ଭୂତ ଶକ୍ତିର ମୁକାବିଲା ସମ୍ବନ୍ଧିତ । ଦୁର୍ଗା ନିର୍ଯାତିତଙ୍କ ମୁକ୍ତି ପାଇଁ ଦୁଷ୍ଟମାନଙ୍କ ବିରୁଦ୍ଧରେ ନିଜର ଦିବ୍ୟ କ୍ରୋଧ ପ୍ରକାଶ କରୁଥିବା ଏବଂ ସୃଷ୍ଟିକୁ ସଶକ୍ତ କରିବା ପାଇଁ ବିନାଶ କରୁଥିବା ବିଶ୍ୱାସ କରାଯାଏ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବି ମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
ସାହିତ୍ୟ ଏକାଡେମୀ ଭାରତର ରାଷ୍ଟ୍ରୀୟ ସାହିତ୍ୟ ସଂସ୍ଥା । ଭାରତର ବିଭିନ୍ନ ପ୍ରାନ୍ତର ବିବିଧ ଭାଷା ସାହିତ୍ୟର ବିକାଶ ପାଇଁ ଏହା ହେଉଛି ସର୍ବୋଚ୍ଚ ସଂସ୍ଥା । ଏହା ୧୯୫୪ ମସିହା ମାର୍ଚ୍ଚ ୧୩ ତାରିଖରେ ସ୍ଥାପିତ ହୋଇଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀର ରବୀନ୍ଦ୍ର ଭବନରେ ଅବସ୍ଥିତ । ଯଦ୍ଦ୍ୟପି ସାହିତ୍ୟ ଏକାଡେମୀ ଭାରତ ସରକାରଙ୍କ ଠାରୁ ଅନୁଦାନ ପାଇଥାଏ, ଏହା ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧcode: pi is deprecated ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭା ଦ୍ବାରା ନିର୍ମିତ) । ଏହା ଲୋକଙ୍କ ଦ୍ବାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।
ଶ୍ରୀ ଅରବିନ୍ଦ (ବଙ୍ଗାଳୀ - শ্রী অরবিন্দ - Sri Ôrobindo) ହେଉଛନ୍ତି ଏକାଧାରରେ ଜଣେ ଯୋଗୀ, ଗୁରୁ, କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ, ଦାର୍ଶନିକ ତଥା କବି । ସେ ୧୫ ଅଗଷ୍ଟ ୧୮୭୨ ମସିହାରେ ଇଂରେଜ ଶାସନାଧୀନ ଭାରତର କଲିକତା ନଗରରେ ଭୂମିଷ୍ଠ ହୋଇଥିଲେ । ମାନବ ଜାତିର ପୂର୍ଣାଙ୍ଗ ଅଭ୍ୟୁଦୟ ସମ୍ବନ୍ଧରେ ନିଜର ଦର୍ଶନ ବିକଶିତ ହେବା ଆଗରୁ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ସେ ଜଣେ ମହାନ ନେତା ହିସାବରେ ପରିଚିତ ହୋଇ ଅଛନ୍ତି। ସେ ସଶସ୍ତ୍ର ସଂଗ୍ରାମରେ ବିଶ୍ୱାସୀ ଥିଲେ । ଶ୍ରୀ ଅରବିନ୍ଦଙ୍କ ଦର୍ଶନର ମୂଳ ତତ୍ୱ ହେଉଛି ସାଧାରଣ ମାନବ ଜୀବନକୁ ଦିବ୍ୟ ଜୀବନରେ ରୂପାନ୍ତରଣ କରିବା । ସେ କହିଛନ୍ତି, ‘ମଣିଷ ହେଉଛି ଏକ ବିକାଶୋନ୍ମୁଖୀ ସତ୍ତା। ସେ ପୂର୍ଣ ବିକଶିତ ନୁହେଁ। ମାନସରୁ ଅତିମାନସ ପର୍ଯ୍ୟନ୍ତ ବିକାଶ ହେଉଛି ବିଶ୍ୱ ଚେତନା ଉତ୍ତରଣର ପରବର୍ତୀ ମାଇଲ ଖୁଣ୍ଟ । ଆଉ ଏହା ଅତି ଆବଶ୍ୟକ କାରଣ ଏହା ହେଉଛି ଅନ୍ତରାତ୍ମାର ମୂଳ ଉଦ୍ଦେଶ୍ୟ ଓ ନୈସର୍ଗିକ ନିୟମ।’ ଏହିପରି ଭାବରେ ଶ୍ରୀ ଅରବିନ୍ଦ ‘ମୁକ୍ତି’କୁ ଏକ ଭିନ୍ନ ରୂପରେ ପ୍ରତି ପାଦନ କରିଛନ୍ତି, ଯାହା ବୈୟକ୍ତିକ ନୁହେଁ ବରଂ ସାମଗ୍ରିକ, ସମ୍ପୂର୍ଣ ମାନବ ସମାଜର ଉତ୍ତରଣରେ ବିଶ୍ୱାସୀ। ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ, ଧର୍ମ, ସାହିତ୍ୟ ଓ ମନୋବିଜ୍ଞାନର ସମନ୍ୱୟ ଶ୍ରୀ ଅରବିନ୍ଦଙ୍କ ଲେଖାରେ ଦେଖିବାକୁ ମିଳେ। ଶ୍ରୀ ଅରବିନ୍ଦଙ୍କ କୃତି ଭିତରେ ଦର୍ଶନ, କାବ୍ୟ, ବେଦ, ଉପନିଷଦ ଏବଂ ଗୀତା ଆଦିର ଅନୁବାଦ ଓ ଟୀକା, ନାଟକ, ସାମାଜିକ, ରାଜନୈତିକ ଓ ଐତିହାସିକ ସମାଲୋଚନା, ଆଧ୍ୟାତ୍ମିକ ଲେଖା, ପତ୍ର ପତ୍ରିକା ଓ ପତ୍ରାବଳୀ ଆଦି ଅନ୍ତର୍ଭୁକ୍ତ। ତାଙ୍କର ସାହିତ୍ୟିକ ସୃଷ୍ଟି ଦର୍ଶନ, କାବ୍ୟ ଓ ନାଟକୀୟତାରେ ଏକ ମଧୁର ସମନ୍ୱୟରେ ସୁଗଠିତ ଯାହା କିଞ୍ଚିତ୍ ଜଟିଳ, ଓ ସହଜରେ ବୋଧଗମ୍ୟ ନୁହେଁ। ତାଙ୍କର କତିପୟ ରଚନା ବଳି ନିମ୍ନରେ ପ୍ରଦତ୍ତ ହେଲା। ଦ ଲାଇଫ ଡିଭାଇନ The Life Divine (1940), ଦ ହ୍ୟୁମାନ ସାଇକଲ The Human Cycle (1949), ଦ ଆଇଡିଆଲ ଅଫ ହ୍ୟୁମାନ ୟୁନିଟି The Ideal of Human Unity (1949), ଅନ ଦି ବେଦ On the Veda (1956), କଲେକ୍ଟେଡ ପଏମସ ଏଣ୍ଡ ପ୍ଲେଜCollected Poems and Plays (1942), ଏସେଜ ଅନ ଦି ଗୀତାEssays on the Gita (1928), ଦ ସିନ୍ଥେସିସ ଅନ ଯୋଗ The Synthesis of Yoga (1948), and ସାବିତ୍ରୀ : ଏ ଲିଜେଣ୍ଡ ଏଣ୍ଡ ଏ ସିମ୍ବଲ Savitri: A Legend and a Symbol (1950).
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଭୁବନେଶ୍ୱର ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଅଛି ।ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ ।
ଅନିମା ଚୌଧୁରୀ (ଜନ୍ମ ୨୮ ଫେବ୍ରୁଆରୀ ୧୯୫୩) ଭାରତର ଉତ୍ତର ପୂର୍ବ ଜିଲ୍ଲା ଆସାମର ଜଣେ ଗାୟିକା । ତାଙ୍କର ସଙ୍ଗୀତ ଜୀବନ ଚାରି ଦଶକ ଧରି ରହିଥିଲା ଯାହା ଲୋକ କଳା ଓ ଆଧୁନିକ ଆସାମୀ ସଂଗୀତ ଉପରେ ପର୍ଯ୍ୟବେଶିତ ଥିଲା । ତାଙ୍କୁ ସ୍ଥାନୀୟ ଓ ରାଜ୍ୟ ତରଫରୁ ସଙ୍ଗୀତ ଓ ସାଂସ୍କୃତିକ ମାନ୍ୟତା ମିଳିଛି ଓ "ଲୁଇତ କୁୱାରୀ" ତଥା "ଜନ ଦିମାଲି" ଉପାଧି ମିଳିଛି । 'ଦିଖୌ ନଏର ପରୋରେ', 'ଲୋଗ ଦିୟାର କୋଥା' ଓ 'ଏ ପ୍ରାନ ଗୋପାଲ' ଗୀତମାନ ଗାଇ ସେ ଅତି ଜନପ୍ରିୟ ହୋଇଥିଲେ ।
ଶାଗ ଏକ ଗୁଳ୍ମ ବା ଲତାର ପତ୍ର ଅଟେ । ଏହାକୁ ଶାକ ମଧ୍ୟ କୁହାଯାଏ । ଶାଗକୁ ମୁଖ୍ୟତଃ ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଏହାକୁ ଭାଜି, ଖରଡ଼ି ବା ତରକାରି କରି ସାଧାରଣତଃ ଭାତ ସହିତ ଖିଆଯାଇଥାଏ । କେତେକ ସ୍ଥାନରେ ଏହାକୁ ରୁଟି ସହିତ ମଧ୍ୟ ଖାଇଥାନ୍ତି । ମୁଖ୍ୟତଃ ଏହା ଭଜାଯାଇଥାଏ, କିନ୍ତୁ କେତେକ ପ୍ରକାର ଶାଗ ଡାଲି ସହିତ ବା ଅନ୍ୟାନ୍ୟ ରନ୍ଧନ ସାମଗ୍ରୀ ସହିତ ତରଳ ବା ତରକାରୀ ଆକାରରେ ପ୍ରସ୍ତୁତ କରାଯାଇଥାଏ । ଏହା ମଧ୍ୟ ଜଗନ୍ନାଥଙ୍କ ମହାପ୍ରସାଦରେ ବ୍ୟବହାର କରାଯାଇଥାଏ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଝଙ୍କାର ଏକ ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା । ଦେଶ ସ୍ୱାଧୀନତା ପରବର୍ତ୍ତୀ ସମୟରେ, ଓଡ଼ିଆ ଲେଖକମାନଙ୍କୁ ପ୍ରୟୋଗାତ୍ମକ ସାହିତ୍ୟ ଲେଖିବାର ଏକ ମାଧ୍ୟମ ପ୍ରଦାନ କରିବାକୁ ଚେଷ୍ଟା କରିଥିଲା । ଏହା ୧୯୪୯ ମସିହା ପଣା ସଂକ୍ରାନ୍ତି ଦିନ ପ୍ରଥମେ ପ୍ରକାଶିତ ହୋଇଥିଲା । ଏହା ପ୍ରଜାତନ୍ତ୍ର ପ୍ରେସ କଟକରୁ ପ୍ରକାଶ ପାଉଥିଲା । ହରେକୃଷ୍ଣ ମହତାବ ଏହି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ ।
ଓମ୍ (ॐ, ওঁ, ଓଁ ) କିମ୍ବା ଓଁକାରର ନାମନ୍ତର ପ୍ରଣବ ଅଟେ । ଏହା ଈଶ୍ୱରର ବାଚକ ଅଟେ । ଈଶ୍ୱରଙ୍କ ସହିତ ଓଁକାରର ବାଚ୍ୟ-ବାଚକ-ଭାବ ସମ୍ବନ୍ଧ ନିତ୍ୟ ଅଟେ, ସାଙ୍କେତିକ ନୁହେଁ । ସଙ୍କେତ ନିତ୍ୟ କିମ୍ବା ସ୍ୱାଭାବିକ ସମ୍ବନ୍ଧକୁ ପ୍ରକଟ କରିଥାଏ। ସୃଷ୍ଟିର ଆଦିରେ ସର୍ବପ୍ରଥମ ଓଁକାର ରୂପୀ ପ୍ରାଣବର ହିଁ ସ୍ଫୁରଣ ହୋଇଥାଏ । ତଦାନନ୍ତର ସାତ କୋଟି ମନ୍ତ୍ରର ଆବିର୍ଭାବ ହୋଇଥାଏ । ଏହି ମନ୍ତ୍ରର ବାଚ୍ୟ ଆତ୍ମାର ଦେବତା ରୂପେ ପ୍ରସିଦ୍ଧ ହୋଇଥାଏ । ଏହି ଦେବତା ମାୟା ଉପରେ ବିଦ୍ୟମାନ ମାୟା ସୃଷ୍ଟିର ନିୟନ୍ତ୍ରଣ କରିଥାଏ । ଏଥିରୁ ଅଧା ଶୁଦ୍ଧ ମାୟାଜଗତରେ କାର୍ଯ୍ୟ କରିଥାଏ ଏବଂ ଶେଷ ଅଧା ଅଶୁଦ୍ଧ କିମ୍ବା ମଳିନ ମାୟା ଜଗତରେ । ଏହି ଏକ ଶବ୍ଦକୁ ବ୍ରହ୍ମାଣ୍ଡର ଭୌତିକ ବଚନ ମାନନ୍ତି, 16 ଶ୍ଳୋକରେ ଏହାର ମହିମା ବର୍ଣ୍ଣିତ ହୋଇଥାଏ ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
କଳମ ବା କଳମ ଶାଗ ହେଉଛି ଏକ ସପୁସ୍ପକ ଗୁଳ୍ମଜାତୀୟ ବର୍ଷଜୀବୀ ଉଦ୍ଭିଦ, ଯାହା ମୁଖ୍ୟତଃ ପାଣିରେ ଅଥବା ସନ୍ତସନ୍ତିଆ ଜାଗାରେ ବଢ଼ିଥାଏ। କଳମ ଦୁଇ ପ୍ରକାର ହୋଇଥାଏ, ଗୋଟିଏ ହେଲା କଳମ ଶାଗ - ଶାଗ ଭାବେ ବ୍ୟବହାର କରାଯାଉଥିବା ଛୋଟ ଛୋଟ ପତ୍ର ଯୁକ୍ତ କଳମ ଓ ଅନ୍ୟଟି ହେଲା ବିଲ ହୁଡ଼ାରେ ବାଡ଼ ଭାବେ ଲଗା ଯାଉଥିବା ବିଲ କଳମ, ଯାହାର ପତ୍ର ଅପେକ୍ଷାକୃତ ବଡ଼ ଆକାରର ହୋଇଥାଏ ଓ ଗଛ ଅଧିକ ଉଚ୍ଚ ଓ ସବଳ କାଣ୍ଡଯୁକ୍ତ ହୋଇଥାଏ। ଉଭୟ ଗଛର କାଣ୍ଡ ପୋଲା ହୋଇଥାଏ।
ଗରୁଡ ଗୋଟିଏ ପକ୍ଷୀ ଜାତିର ପ୍ରାଣୀ । ହିନ୍ଦୁ ଓ ବୌଦ୍ଧ ଧର୍ମଗ୍ରନ୍ଥରେ ଗରୁଡ ବିଷୟରେ ଅନେକ କିଛି ଲେଖା ଥିବାର ଜଣାପଡେ । ହିନ୍ଦୁ ଧର୍ମ ଅନୁଯାୟୀ, ଗରୁଡ ବିଷ୍ଣୁଙ୍କ ବାହାନ ରୂପେ ଜଣାଶୁଣା । ହିନ୍ଦୁ ଶାସ୍ତ୍ରରେ ବର୍ଣିତ ବିଷ୍ଣୁଙ୍କ ବାହନ ଗରୁଡଙ୍କୁ ଦେବତା ରୂପେ ମଧ୍ୟ ପୂଜା କରାଯାଏ । ଗରୁଡ ସର୍ପଜାତୀୟ ପ୍ରାଣୀ ତଥା ନାଗ ସାପ ଜାତୀୟ ପ୍ରାଣୀର ଗୋଟିଏ ପରମ ଶତୃ ଭବେ ପରିଚିତ। ଗରୁଡ ବିଭିନ୍ନ ନାମରେ ଜଣାଶୁଣା ଯଥା:- ଚିରାଗ, ଗଗନେଶ୍ୱର, କାମାୟୁଷ, କାଶ୍ୟପି,ଖଗେଶ୍ୱର, ସୁଧାହରା, ତାରକ୍ଷ ଇତ୍ୟାଦି । ଭାଗବତ ଗୀତାରେ ବର୍ଣିତ ତଥ୍ୟ ଅନୁଯାୟୀ, କୁରୁକ୍ଷେତ୍ର ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ଗରୁଡଙ୍କୁ ପକ୍ଷୀରାଜ ବୋଲି ଆଖ୍ୟା ଦେଇଥିଲେ ।ଯଦିଓ ଆଜିର ଯୁଗରେ ବିରଳପ୍ରାୟ ଏହି ପ୍ରାଣୀ ଦେଖିବାକୁ ମିଳେନାହିଁ ତଥାପି ଅନେକାଂଶ ସ୍ଥାନରେ ଛଞ୍ଚାଣ ଓ ଅମରପକ୍ଷୀକୁ ଗରୁଡ ଜାତୀୟ ପ୍ରାଣୀ ବୋଲି ପ୍ରସ୍ତୁତ କରାଯାଇଥାଏ । ଅନେକ ଧର୍ମଗ୍ରନ୍ଥରେ ଏହାକୁ ଏକ କାଳ୍ପନିକ ଜୀବରୂପେ ଚିତ୍ରଣ କରାଯାଇଛି । ହିନ୍ଦୁଧର୍ମ ଗ୍ରନ୍ଥ ଓ ପୁରାଣ ଇତ୍ୟଦିରେ ଗରୁଡକୁ ଏକ ଭିନ୍ନ ଜାତୀୟ ମନୁଷ୍ୟ ଓ ପକ୍ଷୀର ଏକ ମିଶ୍ରଣ ପ୍ରାଣୀ ଭାବରେ ଚିତ୍ରଣ କରାଯାଇଛି । ଗରୁଡର କର୍ମ ଓ ଚରିତ୍ରକୁ ହିନ୍ଦୁ ଓ ବୌଦ୍ଧ ଧର୍ମ ଗ୍ରନ୍ଥରେ ଅତି ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି । ହିନ୍ଦୁ ଧର୍ମଗ୍ରନ୍ଥ ମହାଭାରତରେ ଗରୁଡର ଜନ୍ମ ଓ କର୍ମ ବିଷୟରେ ସବିଶେଷ ବ୍ୟାଖ୍ୟା କରାଯାଇଛି । ଉକ୍ତ ଗ୍ରନ୍ଥରେ ଥିବା ବର୍ଣ୍ଣନା ଅନୁଯାୟୀ କାଶ୍ୟପ ୠଷିଙ୍କୁ ଗରୁଡଙ୍କ ପିତା ଭାବେ ବର୍ଣ୍ଣନା କରାଯାଇଛି । ପ୍ରଜାପତି ଦକ୍ଷଙ୍କ ଦୁଇ କନ୍ୟା ବିନତା ଏବଂ କଦରୁଙ୍କୁ ସେ ବିବାହ କରିଥିଲେ । କାଶ୍ୟପ ଋଷି ନିଜର ଦୁଇ ପତ୍ନୀଙ୍କୁ ସେମାନଙ୍କ ଇଚ୍ଛା ମୁତାବକ, ବିନତାଙ୍କୁ ଦୁଇଟି ପୁତ୍ର ଓ କଦୁରୁଙ୍କୁ ଶହେଗୋଟି ସର୍ପ ଜାତୀୟ ପୁତ୍ର ପ୍ରାପ୍ତ ନିମନ୍ତେ ବରଦାନ କରିଥିଲେ । ଫଳସ୍ୱରୁପ ବିନତାଙ୍କ ଗର୍ଭରୁ ଯେଉଁ ଶିଶୁଟି ଜନ୍ମ ଲାଭ କଲା ସେ ଦେଖିବାକୁ ଉଭୟ ମନୁଷ୍ୟ ଓ ପକ୍ଷୀ ଜାତୀୟ ମିଶ୍ରଣ ପ୍ରାଣୀ ସ୍ୱରୁପ ଏକ ବିରଳ ଶିଶୁ ଥିଲା, ଏବଂ ଯାହାକୁ ଗରୁଡ ଗରୁଡ ନାମରେ ନାମକରଣ କରାଯାଇଥିଲା ।ଗରୁଡ ଭଗବାନ ବିଷ୍ଣୁଙ୍କ ବାହାନ ହୋଇଥିବା ଯୋଗୁଁ ହିନ୍ଦୁଧର୍ମର ବୈଷ୍ଣବ ଧର୍ମାନୁଷ୍ଠାନ ଓ ମନ୍ଦିର ସମ୍ମୁଖରେ ଗରୁଡ ସ୍ତମ୍ବ ଅଥବା ଗରୁଡ ପ୍ରତିମୁର୍ତ୍ତି ପୂଜାପାଇଥାଏ । ଏପରିକି ମହାଭାରତରେ ବର୍ଣିତ ତଥ୍ୟ ଅନୁଯାୟୀ ଗୁରୁ ଦ୍ରୋଣାଚାର୍ଯ୍ୟ ନିଜର ସେନାବାହିନୀକୁ ଗରୁଡ ସେନା ନାମରେ ନାମିତ କରିଥିଲେ ଓ ପ୍ରଭୁ ଶ୍ରୀକୃଷ୍ଣ ନିଜର ନନ୍ଦିଘୋଷ ରଥର ପତାକରେ ଗରୁଡ ଚିହ୍ନକୁ ସ୍ଥାନ ଦେଇଥିଲେ । ପୁରୀ ରଥ ଯାତ୍ରା ସମୟରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପତାକରେ ମଧ୍ୟ ଗରୁଡ ଚିହ୍ନ ପ୍ରତୀୟମାନ ହୁଏ ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଏହି ୪ଟି ଦିଗ ଓ ଅଗ୍ନି, ବାୟୁ, ନୈଋତ ଓ ଐଶାନ୍ୟ, ଏହି ୪ଟି ବିଦିକ୍ ବା ଦିକ୍କୋଣ ବା ବିଦିଗ ଏବଂ ଉର୍ଦ୍ଧ୍ୱ ଓ ନିମ୍ନ, ଏରୂପେ ୧୦ଟିକୁ ଦିକ୍ ବା ଦିଗ ବୋଲାଯାଏ । ସୂର୍ଯ୍ୟଙ୍କର ଯେଉଁ ଦିଗରେ ଉଦୟ ହୁଏ ତାହା ପୂର୍ବ ଦିଗ । ପୂର୍ବ ଆଡ଼କୁ ମୁହଁ କରି ଠିଆ ହେଲେ ମନୁଷ୍ୟର ମୁହଁ ପୂର୍ବକୁ, ପିଠି ପଶ୍ଚିମକୁ, ଡାହାଣ (ଦକ୍ଷିଣ) ହାତ ଦକ୍ଷିଣକୁ ଓ ବାମ ହାତ ଉତ୍ତରକୁ ରହେ; ମୁଣ୍ଡ ଉପର ଆଡ଼ ଉର୍ଦ୍ଧ୍ୱ ଓ ଗୋଡ଼ ତଳ ଆଡ଼ ଅଧଃ । ନକ୍ସା ଆଦିର ଉପର ପାଖ ଉତ୍ତର ଦିଗ ଓ ତଳ ପାଖ ଦକ୍ଷିଣ ଦିଗ ଓ ନକ୍ସାକୁ ଚାହିଁବା ଲୋକର ଡାହାଣ ହାତ ପାଖ ନକ୍ସାର ପୂର୍ବ ଦିଗ ଓ ବାମ ହାତ ପାଖ ପଶ୍ଚିମ ଦିଗ ବୋଲି କଳ୍ପିତ ହୁଏ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଟାଇଓଗୁଆନିନ (ଇଂରାଜୀ ଭାଷାରେ Tioguanine, ଅନ୍ୟ ନାମ ଥାଇଓଗୁଆନିନ ବା ୬-ଥାଇଓଗୁଆନିନ ବା ୬-ଟିଜି) ଏକ ଔଷଧ ଯାହା ଆକ୍ୟୁଟ ମାୟେଲଏଡ ଲିଉକେମିଆ (acute myeloid leukemia ବା AML), ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ (acute lymphocytic leukemia ବା ALL) ଓ କ୍ରନିକ ମାୟେଲଏଡ ଲିଉକେମିଆ (chronic myeloid leukemia ବା CML) ରୋଗମାନଙ୍କ ଚିକିତ୍ସାରେ ବ୍ୟବହାର କରାଯାଏ । ଦୀର୍ଘକାଳୀନ ବ୍ୟବହାର ସୁପାରିସ କରାଯାଏନାହିଁ । ଏହା ପାଟିରେ ଦିଆଯାଏ ।ଟାଇଓଗୁଆନିନର ପାର୍ଶ୍ୱ ପ୍ରତିକ୍ରିୟାରେ ସାଧାରଣତଃ ଅସ୍ଥିମଜ୍ଜା ଦମନ (bone marrow suppression), ଯକୃତ ସମସ୍ୟା (liver problems) ଓ ପାଟି ପ୍ରଦାହ (inflammation of the mouth) ଆଦି ରୋଗ ହୋଇପାରେ । ଏହି ଔଷଧ ରୋଗୀ ବ୍ୟବହାର କଲାବେଳେ ତାହାର ଯକୃତ ଏଞ୍ଜାଇମ (liver enzymes) ପ୍ରତି ସପ୍ତାହରେ ଚେକ କରିବା ଆବଶ୍ୟକ । ଥାଇଓପ୍ୟୁରିନ ଏସ-ମିଥାଇଲଟ୍ରାନ୍ସଫରେଜର (thiopurine S-methyltransferase) ଜେନେଟିକ ଅଭାବ ଥିବା ଲୋକମାନଙ୍କର ଏହି ରୋଗ ସଙ୍କଟ ଅଧିକ ଥାଏ । ଔଷଧ ନେଉଥିବା ମହିଳା ଓ ପୁରୁଷ, ଉଭୟ ଗର୍ଭାବସ୍ଥା ନହେବା ନିମନ୍ତେ ଚେଷ୍ଟିତ ହେବା ଉଚିତ । ଏହା ଏକ ଆଣ୍ଟିମେଟାବୋଲାଇଟ (antimetabolite) ଶ୍ରେଣୀର ଏକ ଔଷଧ । ଏହା ଗୁଆନିନର (guanine) ଏକ ପ୍ୟୁରିନ ଆନାଲଗ (purine analogue) ଯାହା ଡିଏନଏ (DNA) ଓ ଆରଏନଏକୁ (RNA) ଭାଙ୍ଗିଦେଇ କାର୍ଯ୍ୟକ୍ଷମ ହୁଏ । ସନ ୧୯୪୯ ଓ ୧୯୫୧ ମଧ୍ୟରେ ଟାଇଓଗୁଆନିନ ଆବିଷ୍କୃତ ହୋଇଥିଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ବିକାଶଶୀଳ ଦେଶମାନଙ୍କରେ (developing world) ସନ ୨୦୧୪ରେ ଏହି ଔଷଧର ଏକ ୪୦ ମି:ଗ୍ରା: ବଟିକାର କ୍ରୟ ମୂଲ୍ୟ ୭.୦୭ ଆମେରିକୀୟ ଡଲାର ଥିଲା । ଇଂଲଣ୍ଡରେ ଏହି ପରିମାଣ ବଟିକାର ମୂଲ୍ୟ ୪.୧୪ ପାଉଣ୍ଡ ।
ଅରବିନ୍ଦ ରାୟ (ଜନ୍ମ: ୧୯୬୪) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ । ୨୦୧୦ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ବାଟ ବସାଘର" ପାଇଁ ଏହି ପୁରସ୍କାର ଲାଭ କରିଥିଲେ । କ୍ଷୁଦ୍ରଗଳ୍ପ ବ୍ୟତିତ ଉପନ୍ୟାସ ଓ ଶିଶୁ ସାହିତ୍ୟରେ ମଧ୍ୟ ସେ ନିଜ ଲେଖନୀ ଚାଳନା କରିଥାନ୍ତି । ବୃତ୍ତିରେ ସେ ଜଣେ ସରକାରୀ କର୍ମଚାରୀ ଅଟନ୍ତି । ତାଙ୍କ ଧର୍ମପତ୍ନୀ "ଲିଲି ଦାସ" ମଧ୍ୟ ଜଣେ ସାହିତ୍ୟିକ ଅଟନ୍ତି ।
ସ୍ତନ୍ୟପାୟୀ (English: Mammalcode: en is deprecated ; ଶ୍ରେଣୀ Mammalia ) ସମୂହର ପ୍ରାଣୀମାନେ (ନାରୀ) ନିଜ ନବଜାତ ଶିଶୁକୁ ସ୍ତନ୍ୟ ପାନ କରାଇଥାନ୍ତି । ମହିଳାମାନଙ୍କ କ୍ଷେତ୍ରରେ ସ୍ତନ ଗ୍ରନ୍ଥି ଦେଖାଯାଇଥାଏ, ଯାହାକି ସରୀସୃପ କିମ୍ବା ପକ୍ଷୀମାନଙ୍କ କ୍ଷେତ୍ରରେ ଦେଖାଯାଇନଥାଏ । ସ୍ତନ୍ୟପାୟୀ ସମୂହର ଚାରି କୋଠରି ବିଶିଷ୍ଟ ହୃତପିଣ୍ଡ ରହିଥାଏ ଓ ମସ୍ତିସ୍କ ଗଠନ ଅପେକ୍ଷାକୃତ ଉନ୍ନତ ହୋଇଥାଏ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ସାବିତ୍ରିବାଇ ଜ୍ୟୋତି ରାଓ ଫୁଲେ (୩ ଜାନୁୟାରୀ ୧୮୩୧ - ୧୦ ମାର୍ଚ୍ଚ ୧୮୯୭) ଜଣେ ଭାରତୀୟ ଶିକ୍ଷିକା, ସମାଜ ସୁଧାରିକା ଏବଂ କବୟତ୍ରୀ ଥିଲେ। ବ୍ରିଟିଶ ଶାସନ ସମୟରେ ସେ ତାଙ୍କ ସ୍ୱାମୀ ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେଙ୍କ ସହିତ ମିଶି ନାରୀମାନଙ୍କ ଅଧିକାର ଏବଂ ଶିକ୍ଷା ପାଇଁ କାର୍ଯ୍ୟ କରିଥିଲେ । ସାବିତ୍ରୀବାଇ ଭରତର ପ୍ରଥମ ବାଳିକା ବିଦ୍ୟାଳୟରେ ପ୍ରଥମ ମହିଳା ଶିକ୍ଷୟିତ୍ରୀ ଥିଲେ । ତାଙ୍କୁ ଲୋକେ ଆଧୁନିକ ମରାଠୀ କାବ୍ୟର ଅଗ୍ରଦୂତ ଭାବେ ମାନନ୍ତି ।
ସତ୍ୟପ୍ରିୟ ମହାଳିକ (ଜନ୍ମ: ୧୯୬୨) ଜଣେ ଓଡ଼ିଆ ଲେଖକ । ସେ ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ଲେଖନ୍ତି । ଜଣେ ଖବରକାଗଜ ସ୍ତମ୍ଭକାର ଭାବରେ ମଧ୍ୟ ସେ ପରିଚିତ । ୨୦୧୧ ମସିହାରେ ନିଜ ଉପନ୍ୟାସ "ଶୂନ୍ୟକାଳ" ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ବୃତ୍ତିରେ ସେ ଜଣେ ଅଧ୍ୟାପକ ଓ ବର୍ତ୍ତମାନ ଝାଡ଼ଖଣ୍ଡର ବହରାଗୋଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଅବସ୍ଥାପିତ ।