ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ସର୍ଦ୍ଦାର ବଲ୍ଲଭଭାଇ ପଟେଲ(୩୧ ଅକ୍ଟୋବର ୧୮୭୫-୧୫ ଡିସେମ୍ବର ୧୯୫୦) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଓକିଲ, ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ଥିଲା । ସ୍ୱାଧୀନ ଭାରତର ସେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ତାଙ୍କର ଅବଦାନ ନିମିତ୍ତ ତାଙ୍କୁ "ଲୌହ ମାନବ" ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି । ୩୧ ଅକ୍ଟୋବର ୨୦୧୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ଏକ ୧୮୨ ମିଟର ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ । ଏହାକୁ ଏକତାର ପ୍ରତିମୂର୍ତ୍ତି ଭାବରେ ସମ୍ବୋଧନ କରାଯାଉଛି । ଏହା ଉଦଘାଟନ ସମୟରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଥିଲା ।
ଡିସ୍ହାଇଡ୍ରୋସିସ (ଇଂରାଜୀ ଭାଷାରେ Dyshidrosis ଏକ ପ୍ରକାର ଚର୍ମ ପ୍ରଦାହ ରୋଗ (dermatitis); ଏଥିରେ ପାପୁଲି ଓ ପାଦ ତଳିପାରେ ଗଲୁକାରୀ ଫୋଟକା ହୁଏ । ଫୋଟକା ଆକାର ୧ରୁ ୨ ମିମି ହୋଇଥାଏ ଓ ୩ ସପ୍ତାହରେ ଉପଶମ ହୋଇଯାଏ । ସାଧାରଣତଃ ଫୋଟକା ଲାଲ ଦେଖାଯାଏ ନାହିଁ । ଫୋଟକାଗୁଡ଼ିକ କିନ୍ତୁ ବାରମ୍ବାର ହୁଏ । ବାରମ୍ବାର ଫୋଟକା ହେବାଦ୍ୱାରା ଚମ ମୋଟା (skin thickening) ହୁଏ ବା ଫାଟିଯାଏ ।ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ରୋଗ ସୃଷ୍ଟି କରିବାରେ ଆଲର୍ଜେନ, ଶାରୀରିକ ତଥା ମାନସିକ ଚାପ (stress), ବାରମ୍ଭାର ହସ୍ତ ପ୍ରକ୍ଷାଳନ ଓ ଧାତୁଦ୍ରବ୍ୟମାନଙ୍କର ଟ୍ରିଗର ଭୂମିକା ଥାଏ । ଏହି ରୋଗକୁ ଦେଖି ଓ ଲକ୍ଷଣ ଶୁଣି ସହଜରେ ରୋଗ ନିର୍ଣ୍ଣୟ କରିହୁଏ । ଏ ରୋଗ ନିର୍ଣ୍ଣୟ ନିମନ୍ତେ ଆଲର୍ଜି ପରୀକ୍ଷା (Allergy testing) ଓ ଅନ୍ୟାନ୍ୟ ରୋଗ ଅନୁପସ୍ଥିତି ଦେଖିବା ନିମନ୍ତେ ଜୀବାଣୁ କଲଚର (culture) କରାଯାଏ । ଅନୁରୂପ ଲକ୍ଷଣ ଦେଖାଯାଉଥିବା ଅନ୍ୟ ରୋଗମାନଙ୍କ ନାମ: ପୁସ୍ଚୁଲାର ସୋରିଆସିସ (pustular psoriasis|) ଓ କାଛୁ ।ଏହି ରୋଗସୃଷ୍ଟିକାରୀ ଟ୍ରିଗରମାନଙ୍କଠାରୁ ଦୂରରେ ରହିଲେ ରୋଗ ସମ୍ଭାବନା ରହିବ ନାହିଁ । କର୍ଟିକୋସ୍ଟିରଏଡ କ୍ରିମ (steroid cream) ଲଗେଇ ଏହାର ଚିକିତ୍ସା କରାଯାଏ । ପ୍ରଥମ ଏକ ବା ଦୁଇ ସପ୍ତାହ ନିମନ୍ତେ ଉଚ୍ଚ କ୍ଷମତା ସମ୍ପନ୍ନ କ୍ରିମ ଆବଶ୍ୟକ ହୋଇପାରେ । ଗଲୁ ନିବାରଣ ନିମନ୍ତେ ଆଣ୍ଟିହିସ୍ଟାମିନ (Antihistamines) ଦିଆଯାଏ । ଏହି ଚିକିତ୍ସା ଯଥେଷ୍ଟ ନ ହେଲେ ଟାକ୍ରୋଲିମସ୍ (tacrolimus) ନାମକ ସ୍ଟିରଏଡ ବଟିକା ଦିଆଯାଇପାରେ ବା ସୋରାଲେନ ପ୍ଲସ ଅଲଟ୍ରାଭାଓଲେଟ ଏ (psoralen plus ultraviolet A)/ PUVA) ଚିକିତ୍ସା କରାଯାଏ ।ସ୍ୱିଡେନ (Sweden) ଦେଶରେ ପ୍ରତି ୨,୦୦୦ ଲୋକରେ ଜଣକୁ ଏହି ରୋଗ ହୁଏ । ପୁରୁଷ ଓ ମହିଳାମାନେ ସମ ଭାବରେ ଆକ୍ରାନ୍ତ ହୁଅନ୍ତି । ଏହି ରୋଗ ବିଷୟ ପ୍ରଥମେ ୧୮୭୩ ମସିହାରେ ଲିଖିତ ହୋଇଥିଲା । ପୂର୍ବରୁ ଏହି ରୋଗ ଝାଳ ଅଭାବରୁ ହେଉଥିବାର ବିଶ୍ୱାସ ଥିବା ଯୋଗୁ ଏହି ରୋଗର ଡିସ୍ହାଇଡ୍ରୋଟିକ ଅର୍ଥ 'ଝାଳ କଷ୍ଟ' ନାମକରଣ ହୋଇଥିଲା ।
ୱିଲହେମ କନରାଡ ରଣ୍ଟଜେନ (Wilhelm Conrad Röntgen: ୨୭ ମାର୍ଚ୍ଚ ୧୮୪୫ରୁ ୧୦ ଫେବୃଆରୀ) ଜର୍ମାନୀ ଦେଶର ଜଣେ ପଦାର୍ଥ ବିଜ୍ଞାନୀ ଥିଲେ । ସେ ୮ ନଭେମ୍ବର ୧୮୯୫ ମସିହାରେ ଗୋଟିଏ ଇଲେକ୍ଟ୍ରୋମ୍ୟାଗନେଟିକ ୱେଭଲେନ୍ଥ ଆବିଷ୍କାର କଲେ ଯାହା ଅଧୁନା ଏକ୍ସ- ରେ (X-rays or Röntgen rays) ନାମରେ ପରିଚିତ ଓ ଏଥି ନିମନ୍ତେ ୧୯୦୧ ମସିହାରେ ପଦାର୍ଥ ବିଜ୍ଞାନରେ ତାଙ୍କୁ ପ୍ରଥମ ନୋବେଲ ପୁରସ୍କାର ମିଳିଥିଲା । ତାଙ୍କୁ ସମ୍ମାନ ଜଣେଇ ଆଇ.ୟୁ.ପି.ଏ.ସି.
ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ଦେଶିୟ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ବଲ୍ଲଭଭାଇ ପଟେଲଙ୍କ ଅବଦାନ ନିମିତ୍ତ ତାଙ୍କୁ "ଲୌହ ମାନବ" ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି ।ଭାରତ ଗୃହ ମନ୍ତ୍ରଣାଳୟଦ୍ୱାରା ରାଷ୍ଟ୍ରୀୟ ଏକତା ଦିବସ ପାଇଁ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ "ଜାତୀୟ ଏକତା ଦିବସ ହେଉଛି ଆମ ଦେଶର ଅନ୍ତର୍ନିହିତ ଶକ୍ତିକୁ ସ୍ଥିରତା ସହିତ ପୁନଃ ସଂଯୋଗ କରିବାର ଏକ ସୁଯୋଗ । ପୁଣି ଏହା ଆମ ଦେଶର ଏକତା ତଥା ଅଖଣ୍ଡତା ପ୍ରତି ପ୍ରକୃତ ତଥା ସମ୍ଭାବ୍ୟ ବିପଦର ସାମନା କରିବାକୁ ଆମକୁ ସାହସ ଯୋଗାଇବା ସହ ଆମର ଦେଶପାଇଁ ସୁରକ୍ଷା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।"
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଜଗତର ନାଥ ଶ୍ରୀ ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଭାରତୀୟ ସଂସ୍କୃତି ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧ - ୨୩ ଅଗଷ୍ଟ ୧୯୩୮) ଜଣେ ଓଡ଼ିଆ କବି ଥିଲେ । ତାଙ୍କର ଜନ୍ମ ବସ୍ତର ଦେଶୀୟ ରାଜ୍ୟରେ ହୋଇଥିଲା । ବସ୍ତର ଓଡ଼ିଆଭାଷୀ ଅଞ୍ଚଳ । ହେଲେ ତାହା ଓଡ଼ିଶାରେ ନାହିଁ । ତାଙ୍କ ପିତା ଦାନିଏଲ୍ ସାବତ ଜଣେ ଡାକ୍ତର ହିସାବରେ ବ୍ରହ୍ମଦେଶରେ ରହୁଥିଲେ । ଏକାଧାରରେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । କୁନ୍ତଳା ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ଭାବେ ୧୯୬୬ରୁ ୧୯୭୭ ଯାଏଁ ଏବଂ ପରେ ୧୯୮୦ରୁ ୧୯୮୪ (ଇନ୍ଦିରା ଗାନ୍ଧୀଙ୍କ ହତ୍ୟା) ପର୍ଯ୍ୟନ୍ତ ସର୍ବାଧିକ ଦିନ ଦେଶର ସେବା କରିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକମାତ୍ର ସନ୍ତାନ । ୧୯୫୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୪ରେ ପିତାଙ୍କ ମୃତ୍ୟୁ ପରେ ପ୍ରଧାନ ମନ୍ତ୍ରୀ ପଦପାଇଁ ଦୌଡରେ ସାମିଲ ହେବାକୁ ମନାକରି ଲାଲ ବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ କ୍ୟାବିନେଟ ମନ୍ତ୍ରୀଭାବେ ଯୋଗ ଦେଇଥିଲେ । ଶାସ୍ତ୍ରୀଙ୍କ ମୃତ୍ୟୁପରେ, ୧୯୬୬ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସେ ତାଙ୍କ ବିରୋଧୀ ପ୍ରାର୍ଥୀ ମୋରାରଜୀ ଦେଶାଇଙ୍କୁ ପରାସ୍ତ କରି ଭାରତର ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ।
ଅବନୀ କୁମାର ବରାଳ(୩ ମେ ୧୯୨୫-୭ ନଭେମ୍ବର ୨୦୧୩) ଓଡ଼ିଶାର ଶିକ୍ଷାବିଦ ଓ ଶିକ୍ଷକ ସଂଘ ନେତା ଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ)ର ରାଜ୍ୟ ସମ୍ପାଦକ ଭାବେ ଦୀର୍ଘକାଳ ଦାୟିତ୍ୱ ତୁଲାଇଥିଲେ ।ଅବନୀ ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଳକ ଅନ୍ତର୍ଗତ ହଳଦିଆପଡା ଗ୍ରାମରେ ୧୯୨୫, ମେ ୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଓ କଟକରେ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ଶିକ୍ଷା ସମାପ୍ତି ପରେ ସେ ଖୋର୍ଦ୍ଧାର ପ୍ରାଣନାଥ ମହାବିଦ୍ୟାଳୟରେ ଅଧ୍ୟାପନା ବୃତ୍ତିରେ ଯୋଗଦେଇଥିଲେ । ୧୯୯୪ମେ ମାସରେ ସେଠାରୁ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ । ତାଙ୍କର ମହାବିଦ୍ୟାଳୟ ଅଧ୍ୟୟନ ବେଳରୁ ତାଙ୍କ ସାଂଗଠନିକ ଦକ୍ଷତା ଓ ନେତୃତ୍ୱର ପ୍ରକାଶିତ ହୋଇଥିଲା । ବାମପନ୍ଥୀ ଆଦର୍ଶରେ ଉଦ୍ବୁଦ୍ଧ ହୋଇ ସେ ଅଖିଳ ଭାରତୀୟ ଛାତ୍ର ସଂଘ, ଗଣତାନ୍ତ୍ରିକ ଯୁବ ସଂଘ ଓ ଇସ୍କସ୍ ଭଳି ସଙ୍ଗଠନରେ ସାମିଲ ହୋଇଥିଲେ । କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର 'ନୂଆ ଦୁନିଆ'ର ପ୍ରତିଷ୍ଠାତା ସମ୍ପାଦକ ଭାବେ ସାମ୍ୟବାଦୀ ଆଦର୍ଶର ପ୍ରଚାର କରାଇଥିଲେ । ତାଙ୍କ ନେତୃତ୍ୱରେ ଶିକ୍ଷକ ମହାସଂଘ ଗଠନ କରାଯାଇଥିଲା । ମହାସଂଘର ଛତାତଳେ ଅନେକ ଆନ୍ଦୋଳନାତ୍ମକ ପଦକ୍ଷେପଦ୍ୱାରା ଶିକ୍ଷକ ସମାଜର ଅନେକ ସମସ୍ୟାର ସମାଧାନ କରାଇଥିଲେ । ସର୍ବଭାରତୀୟସ୍ତରରେ ଜଣେ ଆଗଧାଡ଼ିର ଶିକ୍ଷକ ନେତା ଭାବେ ତାଙ୍କର ପରିଚିତ ଥିଲେ । ବିଶ୍ୱ ଶିକ୍ଷକ ମହାସଂଘର ସେ ଉପସଭାପତି ପଦ ମଣ୍ଡନ କରିଥିଲେ । ବିଶ୍ୱଦରବାରରେ ସେ ଶିକ୍ଷା ଓ ଶିକ୍ଷକ ଆନ୍ଦୋଳନ ସମ୍ପର୍କିତ ବହୁ ସମ୍ମିଳନୀକୁ ଭାରତର ପ୍ରତିନିଧିତ୍ୱ କରିଥିଲେ । ରାଜ୍ୟରେ ଶିକ୍ଷା ସଂସ୍କାର ଓ ଶିକ୍ଷକ କର୍ମଚାରୀଙ୍କ ସ୍ୱାର୍ଥରକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ରହିଛି । ବିଭିନ୍ନ ଗଣମାଧ୍ୟମରେ ସ୍ତମ୍ଭକାର ଭାବେ ଓ ଦୁଇ ଡଜନରୁ ଅଧିକ ପୁସ୍ତକ ରଚନା ସାହିତ୍ୟ ଜଗତରେ ବିଶେଷ ଖ୍ୟାତି ରହିଛି । ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହା ବ୍ୟତୀତ ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ବୀରେନ୍ଦ୍ର ସାମନ୍ତରାୟ(ଜନ୍ମ : ୧୯୪୬ ଜୁଲାଇ ୧୧), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ । ସେ ଶ୍ରୀ ବନଫୁଲ ନାମରେ ମଧ୍ୟ ସାହିତ୍ୟ ରଚନା କରନ୍ତି । ୨୦୧୯ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ଓ ୧୯୯୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ) ଲାଭ କରିଥିଲେ । ଏଯାବତ ତାଙ୍କର ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇ ସାରିଛି । ଟୁଉକୁ ମୂଷି ନାମରେ ଏକ ଶିଶୁପତ୍ରିକା ସେ କ୍ରମାଗତ ୨୫ବର୍ଷ ଧରି ପ୍ରକାଶ କରିଥିଲେ । ନିଜ ପୈତୃକ ଘରେ ସେ ଏକ ଶିଶୁ ସାହିତ୍ୟ ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ଓ ୨୦୦୪ ମସିହାରେ ଅବସର ଗ୍ରହଣ କରି ସାରିଛନ୍ତି ।
ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭାଦ୍ୱାରା ନିର୍ମିତ) । ଏହା ଲୋକଙ୍କଦ୍ୱାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।
ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏକ ସାରସ୍ୱତ ସମ୍ମାନ ଯାହା ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ସାହିତ୍ୟର ଜଣେ ସାହିତ୍ୟିକଙ୍କ ସମଗ୍ର ରଚନାବଳୀ ପାଇଁ ପ୍ରଦାନ କରାଯାଇଥାଏ । ଏହା ଏକାଡେମୀଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ସାରସ୍ୱତ ସମ୍ମାନ । ଏହା ପଞ୍ଚଦଶ ଶତାବ୍ଦୀର ଓଡ଼ିଆ କବି ଓ ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କ ନାମରେ ନାମିତ । ପୁରସ୍କାର ବିଜେତାଙ୍କୁ ମାନପତ୍ର, ଉପଢୌକନ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଏ । ୧୯୯୩ରୁ ପ୍ରବର୍ତ୍ତିତ ଏହି ସମ୍ମାନର ପ୍ରଥମ ପ୍ରାପକ ହେଉଛନ୍ତି ଓଡ଼ିଆ କବି ରାଧାମୋହନ ଗଡ଼ନାୟକ ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ଲକ୍ଷ୍ମୀନାରାୟଣ ମହାରଣା ଜଣେ ଓଡ଼ିଆ ଚିତ୍ରକାର, ସେ ଲତା ମଙ୍ଗେସକରଙ୍କ ଅବିକଳ ଚେହେରାକୁ ନିଜ ତୂଳୀରେ ଆଙ୍କି ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ।କୌଣସି ତାଲିମ ନେଇ ନାହାନ୍ତି କି କୌଣସି ଡ୍ରଇଁ ଶିକ୍ଷକ ତାଙ୍କ ହାତଧରି ଶିଖାଇ ନାହାନ୍ତି। ତଥାପି ତାଙ୍କର ନିଜର ଇଛାଶକ୍ତି ତାଙ୍କୁ ଚିତ୍ର ଆଙ୍କିବାରେ ସଫଳତା ଆଣିଦେଇଛି। ତାଙ୍କ ସାମ୍ନାରେ ଠିଆ ହେଉଥିବା ଲୋକଙ୍କ ମୁହଁର ଅବିକଳ ଚିତ୍ର ହେଉ କି ଟିଭି, ଖବର କାଗଜରୁ ଦେଖୁ ମହାପୁରୁଷ, ଜଣାଶୁଣା ନେତା ଓ ସେଲିବ୍ରିଟି ମାନଙ୍କର ହେଉ କି ସାଧାରଣ ଜନତା ସେ ତାଙ୍କର ଅବିକଳ ଚିତ୍ର ପେନସିଲ କଳାରେ ଫୁଟାଇ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ଏକତାର ପ୍ରତିମୂର୍ତ୍ତି (English: Statue of Unity) ହେଉଛି ଭାରତର ସ୍ୱାଧୀନତା ସଂଗ୍ରାମୀ ବଲ୍ଲଭ ଭାଇ ପଟେଲଙ୍କର (୧୮୭୫-୧୯୫୦) ଗୁଜରାଟର ନର୍ମଦା ଜିଲ୍ଲାରେ ଥିବା ଏକ ପ୍ରତିମୂର୍ତ୍ତି । ଏହି ୧୮୨ ମିଟର (୫୯୭ ଫୁଟ) ଉଚ୍ଚ ପ୍ରତିମୂର୍ତ୍ତି ବର୍ତ୍ତମାନ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଅଟେ । ପଟେଲଜୀ ସ୍ୱାଧୀନ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ପ୍ରତିମୂର୍ତ୍ତିଟି ସର୍ଦାର ସରୋବର ଡ୍ୟାମ ବା ନର୍ମଦା ଡ୍ୟାମ ଆଡ଼କୁ ମୁହଁ କରି ଏକ ନଦୀ ଟାପୁ ଉପରେ ନିର୍ମିତ୍ତ ହୋଇଛି । ଏହା ବଡୋଦରାର ଦକ୍ଷିଣ-ପୂର୍ବରେ ରାଜପି୍ପଲା ନିକଟରେ ଅବସ୍ଥିତ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ଗୋପାଳ ଛୋଟରାୟ (୨୦ ଅପ୍ରେଲ ୧୯୧୬ - ୨୨ ଜାନୁଆରୀ ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକସବୁ ଜୀବନ୍ତ । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ ।
କଙ୍ଗନା ରାଣାବତ (ଜନ୍ମ: ୨୩ ମାର୍ଚ୍ଚ ୧୯୮୭) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । କଙ୍ଗନା ୩ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ୪ଟି ଭିନ୍ନ ଭିନ୍ନ ବିଭାବର ଫିଲ୍ମଫେୟାର ପୁରସ୍କାର ପାଇଥିଲେ । ହିମାଚଳ ପ୍ରଦେଶର ଭମ୍ବଳାଠାରେ ଜନ୍ମିତ କଙ୍ଗନା ଛୋଟବେଳୁ ତାଙ୍କ ପିତାମାତାଙ୍କ କଥାନୁସାରେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ । ମାତ୍ର ପରେ ସେ ତାଙ୍କ ପଥ ନିଜେ ବାଛିଥିଲେ ଏବଂ ଦିଲ୍ଲୀ ଯାଇଥିଲେ । ସେଠାରେ ସେ ଜଣେ ମଡେଲ ଭାବରେ କିଛିଦିନ କାମ କରିଥିଲେ । ଏହପରେ ନିର୍ଦ୍ଦେଶକ ଅରବିନ୍ଦ ଗୌରଙ୍କ ଅଧିନରେ ପ୍ରଶିକ୍ଷଣ ନେବା ପରେ କଙ୍ଗନା ୨୦୦୬ରେ ହିନ୍ଦୀ କଥାଚିତ୍ର ଗ୍ୟାଙ୍ଗଷ୍ଟାରରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା । ଏହାପରେ ସେ ଓ ଲମ୍ହା, ଲାଇଫ୍ ଇନ୍ ଏ ମେଟ୍ରୋ, ଫ୍ୟାସନ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଫ୍ୟାସନ ଚଳଚ୍ଚିତ୍ର ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଫିଲ୍ମଫେୟାରରେ ଶ୍ରେଷ୍ଠ ସହକାରୀ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ରାଜନୀତି ବିଜ୍ଞାନରେ ବିଭିନ୍ନ ଉପବିଭାଗ ରହିଛି ଯଥା ତୁଳନାତ୍ମକ ରାଜନୀତି, ରାଜନୀତିକ ଅର୍ଥନୀତି, ଅନ୍ତର୍ଜାତୀୟ ସମ୍ପର୍କ, ରାଜନୀତିକ ତତ୍ତ୍ୱ, ସାଧାରଣ ପ୍ରଶାସନ, ଜନନୀତି ଏବଂ ରାଜନୀତିକ ପଦ୍ଧତି । ଅଧିକନ୍ତୁ ରାଜନୀତି ବିଜ୍ଞାନ ଅର୍ଥନୀତି, ଆଇନ, ସମାଜ ବିଜ୍ଞାନ, ଇତିହାସ, ଦର୍ଶନ, ଭୂଗୋଳ, ମନୋବିଜ୍ଞାନ/ମାନସିକ ରୋଗ, ଆନ୍ଥ୍ରୋପୋଲୋଜି ଏବଂ ସ୍ନାୟୁବିଜ୍ଞାନ ସହିତ ଜଡ଼ିତ ଓ ଏବଂ ସେସବୁରୁ ଉଦ୍ଧୃତ ।
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ୱ ଓ ଧାର୍ମିକ ଗୁରୁତ୍ତ୍ୱ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
ରତ୍ନାକର ଚଇନି( ୨୫ ଅଗଷ୍ଟ ୧୯୪୫ - ୧୮ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ ଓ ସମାଲୋଚକ ଥିଲେ । ଲେଖନୀ ଚାଳନା ସହ ଜଣେ ସାହିତ୍ୟ ସଂଗଠକ ଓ ଶିକ୍ଷାବିତ ଭାବେ ସେ ନିଜକୁ ପ୍ରତିଷ୍ଠିତ କରିଥିଲେ । ୨୦୧୦ ମସିହାରେ ସଂସ୍କାର ଭାରତୀ ଓ ଉତ୍କଳ ସାହିତ୍ୟ ସମାଜର ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ । ତାଙ୍କର ଏଯାବତ ୧୧୧ ଖଣ୍ଡ ପୁସ୍ତକ ପ୍ରକାଶ ପାଇସାରିଛି ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
ଦୟାନନ୍ଦ ସରସ୍ୱତୀ (ଖ୍ରୀ.ଅ ୧୮୨୪ - ୧୮୮୩) ଥିଲେ ଜଣେ ଲେଖକ, ସମାଜ ସଂସ୍କାରକ ଓ ଆର୍ଯ୍ୟ ସମାଜର ସଂସ୍ଥାପକ । ଦୟାନନ୍ଦ ସଂସ୍କୃତ ଓ ହିନ୍ଦୀ ଭାଷାରେ ପ୍ରଭାବଶାଳୀ ବକ୍ତା ଭାବେ ପରିଚିତ । ସେ କହୁଥିଲେ ମୃତ ବ୍ୟକ୍ତିକୁ ଶ୍ରାଦ୍ଧ ତର୍ପଣ ନଦେଇ ଜୀବିତ ପିତାମାତା ଓ ବୃଦ୍ଧ ବ୍ୟକ୍ତିକୁ ସେବା କରିବା ହେଲା ପିତୃଯଜ୍ଞ । ଫଳିତ ଜ୍ୟୋତିଷ, ସାମୁଦ୍ରିକ ବିଦ୍ୟା, ହସ୍ତରେଖା ଆଦି ଅଯଥାର୍ଥ ଓ ଅନାବଶ୍ୟକ କାମ । ଲୈାକିକ ବ୍ୟବହାରରେ ସାଧୁତା, ଯଥାର୍ଥ କର୍ମସାଧନା, କର୍ତ୍ତବ୍ୟ ପ୍ରତି ନିଷ୍ଠା ବଳରେ ପ୍ରାଣୀ ଫଳପ୍ରାପ୍ତ ହୁଅନ୍ତି ପ୍ରତିମା ପୂଜାଦେଇ ନୁହେଁ । ତାଙ୍କର ଉପଲବ୍ଧ ସତ୍ୟକୁ ପ୍ରତିପାଦିତ କରିବାକୁ ଯାଇ ସେ ଅପୌତ୍ତଳିକତା ଓ ନିଚ୍ଛକ ବୈଦିକ ସତ୍ୟର ଆଲୋଚନା ପାଇଁ ଆର୍ଯ୍ୟ ସମାଜ ସ୍ଥାପନ କରିଥିଲେ । ଆର୍ଯ୍ୟ ସମାଜ ଜରିଆରେ ଶିକ୍ଷାର ପ୍ରସାର କରାଇ ନାରୀକୁ ପୁରୁଷ ସହ ସମାନ ଅଧିକାର ଦେବାର ଯୁକ୍ତି ସେ ଦର୍ଶାଇଥିଲେ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। । "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।। ଅଶୋକ ଖ୍ରୀ.
କନକ ଦୂର୍ଗା ମନ୍ଦିର , ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ଅବସ୍ଥିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର । ଏହି ମନ୍ଦିର କ୍ରୀଷ୍ଣା ନଦୀ ଟିରରେ ଥିବା ଇନ୍ଦ୍ରକେଳାଦ୍ରି ପାହାଡ ଉପରେ ରହିଛି । କାଳିକା ପୁରାଣ , ଦୁର୍ଗ ସପ୍ତଷ୍ଠୀ ଓ ଅନ୍ଯାନ୍ଯ ବୈଦିକ ସାହିତ୍ୟରେ ଇନ୍ଦ୍ରକେଳାଦ୍ରିସ୍ଥିତ କନକ ଦୁର୍ଗ ମନ୍ଦିର ବିଷୟରେ ଉଲ୍ଲେଖ ରହିଛି । ଏଥିରେ ଆରାଧ୍ୟା ଦେବୀଙ୍କୁ ତୃତୀୟ କଳ୍ପରେ ସ୍ୱୟଂଭୂ ( ନିଜେ ଉତ୍ଥିତ ହୋଇଥିବା ) ହେଇଥିବା ଉଲ୍ଲେଖ ରହିଛି ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବିମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
ଚନ୍ଦ୍ରଯାନ-୩ (ସଂସ୍କୃତ: चन्द्रयान-3) ହେଉଛି ଭାରତୀୟ ମହାକାଶ ଗବେଷଣା ସଂଗଠନ, ଇସ୍ରୋଦ୍ୱାରା ତୃତୀୟ ଚନ୍ଦ୍ର ଅନୁସନ୍ଧାନ ଅଭିଯାନ । ଏଥିରେ ଚନ୍ଦ୍ରଯାନ-୨ ଭଳି ଲ୍ୟାଣ୍ଡର ଓ ରୋଭର ରହିଥିଲେ ହେଁ ଏଥିରେ ପରିକ୍ରମଣକାରୀ (ଅର୍ବିଟର) ନାହିଁ । ଏହାର ପ୍ରୋପଲ୍ସନ୍ ମଡ୍ୟୁଲ୍ ଏକ ଯୋଗାଯୋଗ ରିଲେ ସାଟେଲାଇଟ୍ ଭଳି ଆଚରଣ କରେ । ମହାକାଶଯାନ ୧୦୦ କିଲୋମିଟର ଚନ୍ଦ୍ର କକ୍ଷପଥରେ ରହିବା ପର୍ଯ୍ୟନ୍ତ ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଏବଂ ରୋଭର ବହନ କରିଥାଏ ।ଚନ୍ଦ୍ରଯାନ-୨ ପରେ ସଫ୍ଟ ଲ୍ୟାଣ୍ଡିଂ ଗାଇଡେନ୍ସ ସଫ୍ଟୱେୟାରରେ ଶେଷ ମୁହୂର୍ତ୍ତରେ ସଫ୍ଟ ଲ୍ୟାଣ୍ଡିଂ ଗାଇଡେନ୍ସ ସଫ୍ଟୱେୟାରରେ ତ୍ରୁଟି ଯୋଗୁଁ ସଫଳ କକ୍ଷପଥ ପ୍ରବେଶ ପରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ପ୍ରୟାସ ବିଫଳ ହେବା ପରେ ଆଉ ଏକ ଚନ୍ଦ୍ର ଅଭିଯାନ ପ୍ରସ୍ତାବ ଦିଆଯାଇଥିଲା। ଏହି ଅଭିଯାନକ୍ରମେ ୨୦୨୪ ମସିହାରେ ଜହ୍ନର ଦକ୍ଷିଣ ମେରୁରେ ରୋଭର (ଚନ୍ଦ୍ର ଉପରେ ବୁଲାବୁଲି କରି ତାହାର ମାଟିର ନମୁନା ସଂଗ୍ରହ କରିବା) ଏବଂ ଏକ ଲ୍ୟାଣ୍ଡର (ଚନ୍ଦ୍ର ଉପରେ ଓଲ୍ହାଇବା) ପଠାଯାଇ ନିରୀକ୍ଷଣ କରାଯିବ ।ଏହି ଅଭିଯାନଟି ନୂତନ ଭୂମି ଅନୁଧ୍ୟାନ ସହିତ ଜଡ଼ିତ କଳାକୌଶଳ ଯଥା ଯାନ ପରିବହନ ଏବଂ କିଛି ଶହ କିଲୋଗ୍ରାମ ଓଜନର ଆସବାବପତ୍ର ସହିତ ମେରୁ ସ୍ଥାନରେ କିପରି ଦୀର୍ଘସ୍ଥାୟୀ ରାତ୍ରଯାପନ ହୋଇପାରିବ ତାହା ଉପରେ ଅଧିକ ଅନୁଧ୍ୟାନ କରିବ । ସମ୍ଭାବିତ ପାଣିର ଖୋଜା, ନମୁନା ସଂଗ୍ରହ ଏବଂ ତଦନ୍ତ ମୁଖ୍ୟତଃ ଏହି ଅଭିଯାନର ଲକ୍ଷ୍ୟ ହୋଇପାରେ । ଅନ୍ୟାନ୍ୟ ଅନ୍ତରୀକ୍ଷ ସଂସ୍ଥାଗୁଡ଼ିକରୁ ପେଲୋଡ ବା ଆସବାବପତ୍ର ନେବାକୁ ପ୍ରସ୍ତାବ ଦିଆଯିବ ।୧୪ ଜୁଲାଇ ୨୦୨୩ ତାରିଖରେ ଚନ୍ଦ୍ରଯାନ-୩କୁ ସଫଳତାର ସହିତ ଏଲଭିଏମ୩ ଏମ୪ ରକେଟଦ୍ୱାରା କକ୍ଷପଥରେ ସ୍ଥାପନ କରାଯାଇଥିଲା । ଲ୍ୟାଣ୍ଡର ଓ ରୋଭର ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳ ନିକଟରେ ଅବତରଣ କରିଥିଲେ। ୨୩ ଅଗଷ୍ଟ ୨୦୨୩, ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ପ୍ରାୟ ୫ଟା ୪୫ ମିନିଟରେ ଏହି ଅବତରଣ ଘଟିଥିଲା ଏବଂ ସେହି ଦିନ ସନ୍ଧ୍ୟା ପ୍ରାୟ ୬.୦୨ ମିନିଟରେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରିଥିଲା, ଯାହା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ସଫଳତାର ସହ ମହାକାଶଯାନ ଅବତରଣ କରିବାରେ ପ୍ରଥମ ଦେଶ ଏବଂ ଚନ୍ଦ୍ରରେ ଧୀର ଅବତରଣ (soft landing) କରିଥିବା ଚତୁର୍ଥ ଦେଶ ଥିଲା।
ଗୋଲୋକ ବିହାରୀ ଧଳ (୧୫ ଡିସେମ୍ବର ୧୯୨୧- ୨୪ ଜୁନ ୧୯୭୪) ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଜଣେ ଭାଷାତତ୍ତ୍ୱବିତ, ପ୍ରଫେସର, ଧ୍ୱନି ତତ୍ତ୍ୱବିତ୍, ଅନୁବାଦକ, ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ଜଣେ ପ୍ରାବନ୍ଧିକ ଭାବେ ସେ ବିଭିନ୍ନ ଗଠନମୂଳକ ମୂକ୍ୟବୋଧ ତଥା ଓଡ଼ିଶାର ସମାଜ, ଶିକ୍ଷା, ସଂସ୍କୃତି ଓ ପରମ୍ପରା ଉପରେ ପ୍ରବନ୍ଧମାନ ରଚନା କରୁଥିଲେ । ଭାରତର ଜାତୀୟ ଜୀବନର ତ୍ରୁଟିବିଚ୍ୟୁତି ଉପରେ ତାଙ୍କର କିଛି ପ୍ରବନ୍ଧ ରଚିତ । ତାଙ୍କ ପ୍ରବନ୍ଧମାନ ସରଳ, ସଂକ୍ଷିପ୍ତ ଓ ଇଙ୍ଗିତଧର୍ମୀ ।
ଓଡ଼ିଶାରେ ବିଭିନ୍ନ ସମୟରେ ଓଡ଼ିଆ ଭାଷା ପାଇଁ ହୋଇଥିବା ଆନ୍ଦୋଳନଗୁଡ଼ିକ ସାମୁହିକ ଭାବେ ଓଡ଼ିଆ ଭାଷା ଆନ୍ଦୋଳନ ଭାବେ ଜଣା । ଆଧୁନିକ ଇତିହାସରେ ଏହା ପ୍ରଥମେ ୧୮୬୬ ବ୍ରିଟିଶ ଶାସନ କାଳରେ ଆରମ୍ଭ ହୋଇ ୧୯୦୩ ମସିହାରେ ଏକ ବିଶାଳ ଆନ୍ଦୋଳନର ରୂପ ନେଇଥିଲା । ଏହାର ପରିଣତି ସ୍ୱରୂପ ୧୯୩୬ ମସିହାରେ ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲା ।୧୯୫୪ ଓଡ଼ିଶା ରାଜଭାଷା ଆଇନ ଅନୁସାରେ ଓଡ଼ିଶାରେ ଓଡ଼ିଆ ରାଜଭାଷା ଭାବେ ବ୍ୟବହାର ହେବାର ନିୟମ ଗୃହୀତ ହୋଇଥିଲା। ୧୯୫୪ ମସିହାରେ ଓଡ଼ିଶା ବିଧାନ ସଭାରେ ପ୍ରଣୀତ ହେବା ପରେ ୧୯୬୬, ୧୯୬୮, ୧୯୮୫, ୧୯୯୫ ଓ ୨୦୧୨ ମସିହାର ଏହି ଆଇନକୁ କାର୍ଯ୍ୟକାରୀ କରିବା ନିମନ୍ତେ କିଛି ଆଦେଶନାମା ଜାରି ହୋଇଥିଲା। ୧୯୮୫ ଓ ୧୯୯୫ ମସିହାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହା କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲେ। । ପରେ ଓଡ଼ିଆ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଦ୍ୱିତୀୟ ରାଜଭାଷାର ସ୍ୱୀକୃତି ପାଇବା ପରେ ଓଡ଼ିଆ ଭାଷା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ଶିକ୍ଷା, ଆଇନ ଓ ଶାସନର ଭାଷା ହେବାର ସୁଯୋଗ ମିଳିଲା ।
ସଂସାରରେ ଅନେକ ପ୍ରକାରର ବନସ୍ପତି ରହିଛି । ସେ ସବୁକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ପ୍ରକାର ବନସ୍ପତି ଜାଳେଣି, ସାର ବା କେତେକ ଉପକରଣ ତିଆରି କାମରେ ଲାଗେ, ଦ୍ୱିତୀୟ ପ୍ରକାର ବନସ୍ପତି ମଣିଷ ଓ ଇତର ପ୍ରାଣୀମାନଙ୍କର ଖାଦ୍ୟ ହୋଇଥାଏ ଓ ଆଉ କିଛି ଗଛଲତା ବିଭିନ୍ନ ପ୍ରକାର ରୋଗର ନିରାମୟ ଓ ନିରାକରଣରେ ବ୍ୟବହୃତ ହୋଇଥାଏ । ତେବେ ଏମିତି ଅନେକ ବନସ୍ପତି ରହିଛି ଯାହାର ଏକାଧିକ ଉପଯୋଗ ରହିଥାଏ । ନିମ୍ନସ୍ଥ ତାଲିକାରେ ଥିବା ଗଛଲତା ଗୁଡିକର ଅଂଶବିଶେଷକୁ ଔଷଧ ଭାବେ ଉପଯୋଗ କରାଯାଇଥାଏ ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ଶିବ ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହା ଜୁଲାଇ ୭ ତାରିଖରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହୋଇଛି lଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ.
ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣି ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।
କ୍ୟୁ.ଆର.କୋଡ଼ (QR code: Quick Response code) ମାଟ୍ରିକ୍ସ ବାରକୋଡ଼ ନିମନ୍ତେ ଏକ ଟ୍ରେଡ ମାର୍କ ଯାହା ଜାପାନରେ ପ୍ରଥମେ ଅଟୋମୋଟିଭ ଇଣ୍ଡସ୍ଟ୍ରି ନିମନ୍ତେ ଡିଜାଇନ କରାଯାଇଥିଲା । ଏହା ମେସିନ ପଢ଼ିପାରିବା ଭଳି ଏକ ଅପ୍ଟିକାଲ ଲେବେଲ ଯେଉଁଥିରେ କୌଣସି ନିର୍ଦ୍ଦିଷ୍ଟ ବିଷୟର ବିବରଣୀ ଥାଏ ଯାହା ସହ ଏହା ସଂଯୁକ୍ତ ଥାଏ । ଏହି କୋଡ଼ ଚାରି ପ୍ରକାର (ନ୍ୟୁମେରିକ, ଆଲଫାନ୍ୟୁମେରିକ, ବାଇଟ/ବାଇନାରି ଓ କାଞ୍ଜି) ସ୍ଟାଣ୍ଡାର୍ଡ ଏନକୋଡିଙ୍ଗ ମୋଡଦ୍ୱାରା ଡାଟା ଷ୍ଟୋର କରିବାକୁ ବ୍ୟବହାର କରେ ।
କବିସୂର୍ଯ୍ୟ ବଳଦେବ ରଥ (୧୭୮୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୮୯ ମସିହାରେ ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡି ଗଡ଼ରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକ ପ୍ରଶାସନିକ ରାଜ୍ୟ । ଏହାର ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଏବଂ ପୂର୍ବରେ ବଙ୍ଗୋପ ସାଗର ରହିଛି । ରାଜ୍ୟର ପଶ୍ଚିମ ଓ ଉତ୍ତରାଂଶ ଛୋଟନାଗପୁର ମାଳଭୂମିର ଅଂଶବିଶେଷ । ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମହାନଦୀ, ବ୍ରାହ୍ମଣୀଓ ବୈତରଣୀ ନଦୀ ପ୍ରଭୃତିର ମୁହାଣରେ ଉର୍ବର ପଟୁମୃତ୍ତିକା ଯୁକ୍ତ ସମତଳ ଭୂମି ଦେଖାଯାଏ । ଏହି ସମତଳ ଭୂମିରେ ମୂଖ୍ୟତଃ ଧାନଚାଷ କରାଯାଏ ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ନୂଆଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହି ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପାଳନ ପରଦିନ "ନୂଆଖାଇ ବାସି" ପାଳନ ହୁଏ ଓ ଏହିଦିନ ବଳକା ନୂଆନ୍ନ, କ୍ଷୀରି-ପିଠା ଖିଆହେବା ସହ ମାଂସ ରନ୍ଧାଯାଇଥାଏ । ବାସି ପରଦିନ "ତିଆସି" ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ମାଂସ ସମେତ ବିଭିନ୍ନ ଖାଦ୍ୟ ଓ ମଦ ଖିଆପିଆ ଓ ପାରମ୍ପାରିକ ଖେଳ (ଯଥା ଡୁଡୁ, ଖୋଖୋ, ବାଡ଼ି-ଖିଚା, କୁସ୍ତି) ଖେଳି ସମୟ ଅତିବାହିତ କରିଥାନ୍ତି ।
ଜ୍ଞାନପୀଠ ପୁରସ୍କାର ଭାରତୀୟ ଜ୍ଞାନପୀଠ ସଂସ୍ଥାଦ୍ୱାରା ଦିଆଯାଉଥିବା ଭାରତର ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ।ସାହିତ୍ୟ ଅକାଦେମୀ ଫେଲୋସିପ ସହିତ ଏହା ଦେଶର ଦୁଇ ସର୍ବୋଚ୍ଚ ସାହିତ୍ୟ ପୁରସ୍କାର । ଏହା ୧୯୬୧ ମସିହାରେ ଆରମ୍ଭ ହୋଇଥିଲା । ଏହାର ଅନୁମୋଦିତ ଯୋଗ୍ୟତା ଅନୁସାରେ କେବଳ ୨୨ ଗୋଟି ସମ୍ବିଧାନ-ସ୍ୱୀକୃତ ଭାଷାରେ ଲେଖୁଥିବା ଭାରତୀୟ ନାଗରିକଗଣ ଏହି ପୁରସ୍କାର ପାଇପାରିବେ । ଟାଇମ୍ସ ଅଫ ଇଣ୍ଡିଆ ଖବରକାଗଜର ପ୍ରକାଶକ ସାହୁ ଜୈନ ପରିବାରଙ୍କଦ୍ୱାରା ପ୍ରତିଷ୍ଠିତ ଏହି ପୁରସ୍କାର ଭାରତୀୟ ଜ୍ଞାନପୀଠ ସଂସ୍ଥାଦ୍ୱାରା ଦିଆଯାଇଥାଏ ।
ସନ୍ଥକବି ଭୀମ ଭୋଇ ଭୀମ ଭୋଇ (୧୮୫୦-୧୮୯୫ ) ରେଢ଼ାଖୋଲର ମଧୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ । ତାଙ୍କର ରଚନା ଗୁଡ଼ିକରେ ମାନବ ଧର୍ମ, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି । ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" କବିତା ଅନ୍ୟତମ । ତାଙ୍କ ସମସାମୟିକମାନଙ୍କ କବିତାସବୁ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବିଷୟରେ ହୋଇଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ବହିଗୁଡ଼ିକ ମଧ୍ୟରେ "ସ୍ତୁତିଚିନ୍ତାମଣି", "ହଲିଆ ଗୀତ", "ଡାଲଖାଈ", "ରସରକେଲି", "ଜାଇଫୁଲ", "ବ୍ରହ୍ମ ନିରୂପଣ ଗୀତା", "ଆଦିଅନ୍ତ ଗୀତା", "ଅଷ୍ଟକ ବିହାରୀ ଗୀତା", "ନିର୍ବେଦ ସାଧନା", "ଶ୍ରୁତିନିଷେଧ ଗୀତା", "ମନୁସଭାମଣ୍ଡଳ", "ଗୃହଧର୍ମ" ଓ "ମହିମାବିନୋଦ" । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ସୁରକ୍ଷିତ । ତାଙ୍କ ରଚିତ ବହିଗୁଡ଼ିକ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାରଙ୍କ ରାଜତ୍ୱ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ୱାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚକର ବିଭୀଷିକା ବର୍ଣ୍ଣିତ ହୋଇଛି । ଏହି ଯୁଦ୍ଧରେ ଏକଲକ୍ଷ ଲୋକ ନୀହତ ହୋଇଥିଲେ । ଦେଢ଼ଲକ୍ଷ ଲୋକ ବନ୍ଦୀହୋଇ ଦେଶାନ୍ତରକୁ ପ୍ରେରିତ ହୋଇଥିଲେ ଏବଂ ପ୍ରାୟ ସେହି ସଂଖ୍ୟକ ବ୍ୟକ୍ତି ଯୁଦ୍ଧ ପର ଅବସ୍ଥାରେ ଆହାତ , ରୋଗାକ୍ରାନ୍ତ କିମ୍ବା ବୁଭୁକ୍ଷୁ ହୋଇ ମୃତ୍ୟୁମୂଖରେ ପଡ଼ିଥିଲେ । କଳିଙ୍ଗ ଯୁଦ୍ଧ ବୌଦ୍ଧ ଧର୍ମ ତଥା ପୃଥିବୀର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । ଏହି ଯୁଦ୍ଧର ଦାରୁଣ ପରିଣତି ଅଶୋକଙ୍କ ମନରେ ଗଭୀର ଦୁଃଖ ଓ ଅନୁତାପ ଜାତ କରିଥିଲା । ହିଂସା ପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ, ମାନବ-ହୃଦୟକୁ ଜୟ କରିବା ହିଁ ପ୍ରକୃତ ଜୟ ବୋଲି ଅନୁଭବ କରି ଅଶୋକ ଅସ୍ତ୍ର ପରିତ୍ୟାଗ କଲେ । ଉପଗୁପ୍ତ ନାମକ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସି ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହା ପରେ ସତ୍ୟ ଓ ଅହିଂସା ବଳରେ ସେ ମାନବ ହୃଦୟକୁ ଜୟ କରିବା ପାଇଁ ଆତ୍ମ ନିୟୋଗ କଲେ । ସେ ନିଜ ବିଜୟ ପରେ ସୁନ୍ଦର ଭାବେ ଗଢ଼ି ତୋଳିଲେ ଓ ନିଜ ସାମ୍ରାଜ୍ୟରେ ମିଶେଇ ଥିଲେ।
ନରେନ୍ଦ୍ର ଦାମୋଦରଦାସ ମୋଦୀ (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୦) ଭାରତର ୧୫ମ ପ୍ରଧାନମନ୍ତ୍ରୀ । ସେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ। ସେ ୨୦୧୪ ଲୋକ ସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ ଏବଂ ଉତ୍ତର ପ୍ରଦେଶ ଓ ଗୁଜରାଟରୁ ଯଥାକ୍ରମେ ବାରଣାସୀ ଓ ଭଦୋଦରାରୁ ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ନେତା ଲାଲ କୃଷ୍ଣ ଆଡ଼ଭାନୀଙ୍କଦ୍ୱାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା । ୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସ୍ତଫା ଦେବାପରେ ସେ ମୂଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନ ସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ । ସେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ବିବାଦୀୟ ବ୍ୟକ୍ତି। ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ସେ ସ୍ୱେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହିଥିବା ସୈନିକମାନଙ୍କୁ ସେବା ଯୋଗାଇ ଦେଇଥିଲେ। ୧୯୬୭ରେ ସେ ଗୁଜରାଟରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଭରି ରହିଥିଲା ଏବଂ ସେ ଲୋକମାନଙ୍କର ଭାବାବେଗକୁ ଭଲ ଭାବରେ ବୁଝିପାରୁଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଯୋଗ ଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗୁଜରାଟର ବିଭିନ୍ନ ସାମାଜିକ-ରାଜନୈତିକ ଘଟଣାଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ।