ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
{{Use British English|date=November 2011}} ଶ୍ରୀନିବାସ ରାମାନୁଜନ (pronunciation ) (୨୨ ଡିସେମ୍ବର ୧୮୮୭ – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ । ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ। ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ 'ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ। ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ?
ସିରୋଲିମସ, ଯାହାକୁ ରାପାମାଇସିନ ମଧ୍ୟ କୁହାଯାଏ, ଔଷଧ ଯାହା ମୁଖ୍ୟତଃ ଅଙ୍ଗ ପ୍ରତିରୋପଣ ପ୍ରତ୍ୟାଖ୍ୟାନ ରୋକିବା ପାଇଁ ଓ ଲୋମ୍ଫଞ୍ଜିଓଲିଓମାୟୋମାଟୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ବୃକ୍କ ପ୍ରତିରୋପଣ ପାଇଁ ଏହା ଏକ ଦ୍ୱିତୀୟ ଧାଡିର ଚିକିତ୍ସା । ଏହା ପାଟିରେ ଦିଆଯାଏ ।ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଜ୍ୱର, ଖରାପ କ୍ଷତ ଆରୋଗ୍ୟ, ମଧୁମେହ, ମୂତ୍ରରେ ପୁଷ୍ଟିସାର, ରାସ ଏବଂ ଫୁଲା ହୋଇପାରେ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲିମ୍ଫୋମା, ଆନାଫାଇଲକ୍ସିସ୍, ଆଞ୍ଜିଓଇଡିମା, ବୃକ୍କ ସମସ୍ୟା, ଏବଂ ପ୍ରଗତିଶୀଳ ମଲ୍ଟିଫୋକାଲ୍ ଲ୍ୟୁକୋଏନସେଫାଲୋପାଥି ଅନ୍ତର୍ଭୁକ୍ତ ହୋଇପାରେ । ଏହା ଏକ ଏମଟଓଆର (mTOR) ପ୍ରତିବନ୍ଧକ ଏବଂଟି ଜୀବକୋଷ ଏବଂ ବି ଜୀବକୋଷଗୁଡ଼ିକର ସକ୍ରିୟତା ହ୍ରାସ କରି କାର୍ଯ୍ୟ କରେ ।୧୯୭୨ ମସିହାରେ ସିରୋଲିମସ ପୃଥକୀକରଣ ହୋଇଥିଲା ଏବଂ ୧୯୯୯ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୧ରେ ୟୁରୋପରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା । ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ଏକ ମାସର ଚିକିତ୍ସାରେ ୨୦୨୧ ସୁଦ୍ଧା ଦିନକୁ ୨ମିଗ୍ରାର ମୂଲ୍ୟ ପ୍ରାୟ ୨୨୫ ଡଲାର ଥିଲା । ଯୁକ୍ତରାଜ୍ୟରେ ଏହି ରାଶି ମୂଲ୍ୟ £୧୭୨ ଖର୍ଚ୍ଚ ହୁଏ । ଏହା ରାପାମୁନ ନାମରେ ବିକ୍ରି ହୁଏ ।
ସଂସ୍କୃତ (, संस्कृत-, saṃskṛta-, ସାଧାରଣତଃ संस्कृतम्, saṃskṛitam) ବିଶ୍ବର ଏକ ପୁରାତନ ତଥା ଭାରତରେ ପ୍ରଚଳିତ ଏକ ଶାସ୍ତ୍ରୀୟ ଭାଷା । ଏହା ଭାରୋପୀୟ ଭାଷା ପରିବାରର ଏକ ଆର୍ଯ୍ୟ ଭାଷା । ଏହାର ପୂର୍ବବର୍ତ୍ତୀ ଭାଷାଗୁଡ଼ିକ ପ୍ରାକ୍ତନ ତାମ୍ର ଯୁଗରେ ଉତ୍ତର-ପଶ୍ଚିମରୁ ବିସ୍ତାର ଲାଭ କଲାପରେ ଏହା ଦକ୍ଷିଣ ଏସିଆରେ ବ୍ୟାପୀଥିଲା । ସଂସ୍କୃତ ହିନ୍ଦୁ ଧର୍ମର ପବିତ୍ର ଭାଷା ଓ ଶାସ୍ତ୍ରୀୟ ହିନ୍ଦୁ ଦର୍ଶନ ଶାସ୍ତ୍ରରେ, ବୌଦ୍ଧ ଏବଂ ଜୈନ ଧର୍ମର ଐତିହାସିକ ପାଠ୍ୟରେ ବ୍ୟବହାର ହୋଇଥିଲା । ଏହା ପ୍ରାଚୀନ ଏବଂ ମଧ୍ୟଯୁଗୀୟ ଦକ୍ଷିଣ ଏସିଆରେ ଏକ ସଂଯୋଗ ଭାଷା ଥିଲା ଏବଂ ପ୍ରାରମ୍ଭିକ ମଧ୍ୟଯୁଗୀୟ ଯୁଗରେ ଦକ୍ଷିଣ ପୂର୍ବ ଏସିଆ, ପୂର୍ବ ଏସିଆ ଏବଂ ମଧ୍ୟ ଏସିଆକୁ ହିନ୍ଦୁ ଏବଂ ବୌଦ୍ଧ ସଂସ୍କୃତି ବ୍ୟାପିବା ପରେ ଏହା ଧର୍ମ ଏବଂ ଉଚ୍ଚ ସଂସ୍କୃତିର ଭାଷା ଏବଂ ଏହି କ୍ଷେତ୍ରରେ ରାଜନୈତିକ ଉଚ୍ଚବର୍ଗଙ୍କ ଭାଷାରେ ପରିଣତ ହୋଇଥିଲା । ଫଳରେ ବିଶେଷ କରି ବିଭିନ୍ନ ଦକ୍ଷିଣ ଏସିଆ, ଦକ୍ଷିଣପୂର୍ବ ଏସିଆ ଏବଂ ପୂର୍ବ ଏସିଆର ଭାଷାଗୁଡ଼ିକର ଔପଚାରିକ ଏବଂ ପରିବର୍ତ୍ତିତ ଶବ୍ଦାବଳୀ ଉପରେ ସଂସ୍କୃତ ସ୍ଥାୟୀ ପ୍ରଭାବ ପକାଇଥିଲା ।ସଂସ୍କୃତ ସାଧାରଣତଃ ଅନେକ ପୁରୁଣା ଇଣ୍ଡୋ-ଆର୍ଯ୍ୟ ଭାଷା ପ୍ରକାରକୁ ସୂଚାଏ । ଏହାର ସବୁଠାରୁ ପୁରୁଣା ହେଉଛି ଋକବେଦରେ ମିଳୁଥିବା ବୈଦିକ ସଂସ୍କୃତ । ତାହା ଖ୍ରୀ.ପୂ. ୧୫୦୦ ମସିହାରୁ ଖ୍ରୀ.ପୂ. ୧୨୦୦ ମସିହା ମଧ୍ୟରେ ରଚନା କରାଯାଇଥିବା ୧,୦୨୮ଟି ଶ୍ଳୋକକୁ ନେଇ ଗଠିତ ଓ ଏସବୁକୁ ବର୍ତ୍ତମାନର ଉତ୍ତର ପାକିସ୍ତାନ ଓ ଆଫଗାନିସ୍ତାନରୁ ଉତ୍ତର ଭାରତର ଆଡ଼କୁ ପୂର୍ବମୁଖୀ ହୋଇ ପ୍ରବାସ କରୁଥିବା ଇଣ୍ଡୋ-ଆର୍ଯ୍ୟ ଜନଜାତିମାନେ ରଚନା କରିଥିଲେ । ବୈଦିକ ସଂସ୍କୃତ ଭାରତୀୟ ଉପମହାଦେଶର ପୂର୍ବବର୍ତ୍ତୀ ପ୍ରାଚୀନ ଭାଷାମାନଙ୍କ ସହ ଆଦାନ ପ୍ରଦାନ କରିବା ବେଳେ ପ୍ରଥମ କରି ଭେଟିଥିବା ଗଛ ଏବଂ ପଶୁମାନଙ୍କ ନାମ ମଧ୍ୟ ଆହରଣ କରିଥିଲା । ଏହା ବ୍ୟତୀତ ପ୍ରାଚୀନ ଦ୍ରାବିଡ଼ ଭାଷାଗୋଷ୍ଠୀ ସଂସ୍କୃତର ଧ୍ୱନିବିଜ୍ଞାନ ଏବଂ ଗଠନକୁ ପ୍ରଭାବିତ କରିଥିଲେ । "ସଂସ୍କୃତ" ମଧ୍ୟ ଅତି ସାଧାରଣ ଭାବେ ଶାସ୍ତ୍ରୀୟ ସଂସ୍କୃତକୁ ସୂଚାଏ । ଶାସ୍ତ୍ରୀୟ ସଂସ୍କୃତ ଏକ ୧ମ ମସିହାର ମଧ୍ୟଭାଗରେ ଉତ୍ପନ୍ନ ହୋଇଥିବା ଏବଂ ପ୍ରାଚୀନ ବ୍ୟାକରଣଗୁଡ଼ିକ ମଧ୍ୟରେ ସବୁଠାରୁ ବ୍ୟାପକ ଭାବେ ପାଣିନୀଙ୍କ ଅଷ୍ଟାଧ୍ୟାୟୀଦ୍ୱାରା ("ଆଠଟି ଅଧ୍ୟାୟ") ମାନକୀକରଣ ହୋଇଥିଲା । କାଳିଦାସ ସଂସ୍କୃତ ଭାଷାର ସର୍ବଶ୍ରେଷ୍ଠ ନାଟ୍ୟକାର ଓ ସେ ଶାସ୍ତ୍ରୀୟ ସଂସ୍କୃତରେ ଲେଖୁଥିଲେ । ଆଧୁନିକ ଗଣିତର ମୂଳଦୁଆ ପ୍ରଥମେ ଶାସ୍ତ୍ରୀୟ ସଂସ୍କୃତରେ ବର୍ଣ୍ଣନା କରାଯାଇଥିଲା । ତେବେ ସଂସ୍କୃତରେ ରଚିତ ଦୁଇ ପ୍ରମୁଖ ମହାକାବ୍ୟ ମହାଭାରତ ଏବଂ ରାମୟଣ ବିଭିନ୍ନ ମୌଖିକ କାହାଣୀ ବର୍ଣ୍ଣନା ଶୈଳୀରେ ରଚିତ ଓ ଏହି ସଂସ୍କୃତକୁ ମହାକାବ୍ୟ ସଂସ୍କୃତ କୁହାଯାଉଥିଲା । ଏହା ଉତ୍ତର ଭାରତରେ ଖ୍ରୀ.ପୂ.
ଡାଇନୋସର ଗୁଡ଼ିକ ହେଉଛନ୍ତି ଡାଇନୋସୋରିଆ Cladeର ଏକ ବିବିଧ ପ୍ରାଣୀ ପ୍ରଜାତି । ସେମାନେ ପ୍ରଥମେ ଟ୍ରାଇଆସିକ (Triassic) ଯୁଗରେ ଦେଖାଯାଉଥିଲେ , ପାଖାପାଖି ୨୩୦ ନିୟୁତ ବର୍ଷ ପୂର୍ବେ । ଜୁରାସିକ ଯୁଗର ଆରମ୍ଭରୁ (୨୦୦ ନିୟୁତ ବର୍ଷ ପୂର୍ବେ), କ୍ରେଟାସିଅସ ଯୁଗର ଶେଷ ପର୍ଯ୍ୟନ୍ତ (୬୫.୫ ନିୟୁତ ବର୍ଷ ପୂର୍ବେ) ସେମାନେ ସବୁଠାରୁ ପ୍ରଭାବଶାଳି ସ୍ଥଳଚର ଥିଲେ । Cretaceous-Paleogene extinction event ଯୋଗୁଁ ମେସୋଜୋଇକ ଯୁଗର ଶେଷ ବେଳକୁ ଅଧିକାଂଶ ଅଧିକାଂଶ ଡାଇନୋସର ପ୍ରଜାତି ବିଲୁପ୍ତ ହୋଇସାରିଥିଲେ । ଜୀବାଶ୍ମ ରେକଡ଼ ଅନୁଧ୍ୟାନରୁ ଜଣାଯାଏ ଯେ, ପକ୍ଷୀମାନଙ୍କର ଉଦ୍ଭବ ଜୁରାସିକ ଯୁଗରେ ଥେରୋପୋଡ଼ (theropod) ଡାଇନୋସରମାନଙ୍କଠାରୁ ହୋଇଥିଲା ଏବଂ ଆଧୁନିକ ଶ୍ରେଣୀବଭାଗ ବ୍ୟବସ୍ଥାରେ ସେମାନଙ୍କୁ ଡାଇନୋସରମାନଙ୍କ ଏକ ଉପ-ବିଭାଗର ମାନ୍ୟତା ଦିଆଯାଇଥାଏ । କିଛି ପକ୍ଷୀ ୬୫ ନିୟୁତ ବର୍ଷ ପୂର୍ବେ ହୋଇଥିବା ଏହି ବିଲୁପ୍ତ ପ୍ରକ୍ରିୟାରୁ ବର୍ତ୍ତି ଯାଇଥିଲେ ଓ ସେମାନଙ୍କ ବଂଶଧରମାନେ ଡାଇନୋସରଙ୍କ ପିଢୀକୁ ଆଜି ପର୍ଯ୍ୟନ୍ତ ନେଇ ଆସିଛନ୍ତି ।
ୱିଣ୍ଡୋଜ ୮.୧ (କୋଡ଼ନାମ ବ୍ଲୁ) ଏକ ଉନ୍ନୟନ ଅଟେ ମାଇକ୍ରୋସଫ୍ଟର ୱିଣ୍ଡୋଜ ୮ ସଂଚାଳନ ପ୍ରଣାଳୀ ପାଇଁ। ଏହା ବ୍ୟବହାରକର୍ତ୍ତା ମାନଙ୍କ ପାଇଁ ୧୭ ଅକ୍ଟୋବର ୨୦୧୩ ରେ ରିଲିଜ ହୋଇଥିଲା, ଯାହାକି ତା'ର ପୂର୍ବଜ ଠାରୁ ଏକ ବର୍ଷ ପର । ୱିଣ୍ଡୋଜ ୮.୧ରେ ସ୍ଟାର୍ଟ୍ ସ୍କ୍ରୀନ୍ ଫେରି ଆସିଯାଇଥିଲା । ଏହା ସହିତ ୱାନ୍-ଡ୍ରାଇଭ ଓ ଇଣ୍ଟର୍ନେଟ୍ ଏକ୍ସପ୍ଲୋରର୍ ୧୧ ମଧ୍ୟ ଉନ୍ନତ ହୋଇ ଅସିଥିଲେ ।
ନିଉରୋବ୍ଲାସ୍ଟୋମା (Neuroblastoma ବା NB) ଏକ ପ୍ରକାର କର୍କଟ ରୋଗ ଯାହା କେତେକ ପ୍ରକାର ସ୍ନାୟୁ ତନ୍ତୁରୁ (nerve tissue) ଜାତ ହୁଏ । ଏହା ଆଡ୍ରେନାଲ ଗ୍ରନ୍ଥିରୁ (adrenal gland) ଅନେକ ସମୟରେ ବାହାରେ କିନ୍ତୁ ବେକ, ଛାତି, ପେଟ ଓ ମେରୁଦଣ୍ଡରୁ ବାହାରିପାରେ । ଏହି ରୋଗର ଲକ୍ଷଣ: ହାଡ଼ ଯନ୍ତ୍ରଣା (bone pain), ପେଟ, ଛାତି ଓ ବେକରେ ଗୋଲା କିମ୍ବା ଚର୍ମ ତଳେ ଗୋଟିଏ ନୀଳ ରଙ୍ଗର ଗୋଲା ଦେଖାଯାଏ ।ବେଳେବେଳେ ପିତାମାତାଙ୍କର ଜିନର ମ୍ୟୁଟେସନ ହୋଇ ପିଲାଙ୍କର ବଂଶାନୁକ୍ରମିକ ନିଉରୋବ୍ଲାସ୍ଟୋମା ରୋଗ ହୁଏ । ପରିବେଶର ପ୍ରଭାବ ଥିବା ଜଣାଯାଇନାହିଁ । ରୋଗାକ୍ରାନ୍ତ ସ୍ଥାନରେ ଥିବା ତନ୍ତୁରୁ କିଛି ଅଂଶ ନେଇ ତନ୍ତୁ ବାୟୋପ୍ସି (tissue biopsy) କରି ରୋଗ ନିର୍ଣ୍ଣୟ କରାଯାଏ । ଗର୍ଭାବସ୍ଥାରେ ବେଳେବେଳେ ଅଲଟ୍ରାସାଉଣ୍ଡ (ultrasound) କରି ଏହି ଜାଣିହୁଏ । ରୋଗ ନିର୍ଣ୍ଣୟ କଲା ସମୟରେ ସାଧାରଣତଃ ଏହି କର୍କଟ ମେଟାସ୍ଟାସିସ (spread) ବା ବ୍ୟାପିଯାଇଥିବା ଦେଖାଯାଏ । ରୋଗୀର ବୟସ, କର୍କଟ ସ୍ଟେଜ (cancer stage) ଓ କିଭଳି ଦେଖାଯାଉଛି, ତାହା ଉପରେ ରୋଗଟି ନିମ୍ନ, ମଧ୍ୟମ ବା ଉଚ୍ଚ ସଙ୍କଟର ହୋଇଥିବା ଜଣାଯାଏ । ସଙ୍କଟ ଦଳ (risk group) ଅନୁସାରେ ଚିକିତ୍ସାର ଫଳାଫଳ ନିର୍ଦ୍ଧାରଣ କରିହୁଏ । ଚିକିତ୍ସା ମଧ୍ୟରେ ପର୍ଯ୍ୟବେକ୍ଷଣ, ଅପରେଶନ, ରାଡିଏସନ ଥେରାପି (radiation), କେମୋଥେରାପି (chemotherapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (stem cell transplantation) ଇତ୍ୟାଦି ବ୍ୟବହାର କରାଯାଏ । ସ୍ୱଳ୍ପ ସଙ୍କଟାପନ୍ନ କେଶକୁ ପର୍ଯ୍ୟବେକ୍ଷଣ ବା ଅପରେଶନ କଲେ ଫଳାଫଳ ଭଲ ରହେ । ଉଚ୍ଚ ସଙ୍କଟାପନ୍ନ କେଶରେ ଉତ୍ତମ ଚିକିତ୍ସା ସତ୍ତ୍ୱେ ଦୀର୍ଘକାଳୀନ ଆୟୁଷ ୪୦%ରୁ କମ ରହେ । ଶିଶୁମାନଙ୍କ କ୍ଷେତ୍ରରେ ଲିଉକେମିଆ ଓ ମସ୍ତିଷ୍କ ଅର୍ବୁଦ ରୋଗ ପରେ ନିଉରୋବ୍ଲାସ୍ଟୋମା ସବୁଠାରୁ ସାଧାରଣ କର୍କଟ ରୋଗ । ପ୍ରତି ୭ ହଜାର ପିଲାରେ ଜଣେ ଏହି ରୋଗଦ୍ୱାରା ଜୀବନରେ କେବେହେଲେ ଆକ୍ରାନ୍ତ ହୁଏ । ପ୍ରାୟ ୯୦% ପିଲାଙ୍କ ନିଉରୋବ୍ଲାସ୍ଟୋମା ୫ ବର୍ଷ ବୟସ ମଧ୍ୟରେ ହୁଏ, ଏହା ବଡ଼ ମଣିଷଙ୍କୁ କ୍ୱଚିତ ହୁଏ । ପିଲାଙ୍କର କର୍କଟ ରୋଗ ଜନିତ ମୃତ୍ୟୁର ୧୫% ନିଉରୋବ୍ଲାସ୍ଟୋମା ଯୋଗୁ ହୁଏ । ସନ ୧୮୦୦ରେ ଏହି ରୋଗ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।
ଲିଓ ଟଲଷ୍ଟୟ (୯ ସେପ୍ଟେମ୍ବର ୧୮୨୮-୨୦ ନଭେମ୍ବର ୧୯୧୦) ଉନ୍ନବିଂଶ ଶତାବ୍ଦୀର ସର୍ବାଧିକ ସମ୍ମାନିତ ଲେଖକମାନଙ୍କ ମଧ୍ୟରେ ଅନ୍ୟତମ । ଋଷର ଏକ ସଂପନ୍ନ ପରିବାରରେ ତାଙ୍କ ଜନ୍ମ । ଋଷରେ ସେ ସୈନ୍ୟବାହିନୀରେ ଯୋଗ ଦେଇ ସେ କ୍ରିମିୟା ଯୁଦ୍ଧରେ(୧୮୫୫) ଭାଗନେଇଥିଲେ, ତେବେ ତତ ପରବର୍ଷ ସେ ସେନାବାହିନୀ ତ୍ୟାଗକରି ଫେରିଆସିଲେ । ସେନାବାହିନୀରେ ଯୋଗ ଦେବା ପୂର୍ବରୁ ହିଁ ତାଙ୍କ ଭିତରେ ସାହିତ୍ୟ ପ୍ରତି ଋଚି ବୃଦ୍ଧି ପାଇଥିଲା । ତାଙ୍କ ରଚନା ମଧ୍ୟରେ ଯୁଦ୍ଧ ଏବଂ ଶାନ୍ତି (୧୮୬୫-୬୯) ତଥା ଆନ୍ନା କରେନୀନା (୧୮୭୫-୧୮୭୭) ସାହିତ୍ୟ ଜଗତରେ କ୍ଳାସିକାଲ ରଚନା ଭାବେ ସ୍ୱୀକୃତ ହୋଇସାରିଛି ।
କ୍ରନ୍ ରୋଗ ବା ସିଣ୍ଡ୍ରୋମ୍ ବା ରିଜିଓନାଲ ଏଣ୍ଟେରାଇଟିସ (ଇଂରାଜୀରେ ଯଥା କ୍ରମେ Crohn's disease or Crohn syndrome or regional enteritis) ଏକ ଖାଦ୍ୟନଳୀ ପ୍ରଦାହ ସୃଷ୍ଟିକାରୀ ରୋଗ (inflammatory bowel disease ବା IBD) ଯାହା ପାଟିରୁ ଆରମ୍ଭ କରି ମଳଦ୍ୱାର ପର୍ଯ୍ୟନ୍ତ ଯେ କୌଣସି ସ୍ଥାନରେ ହୋଇପାରିବ । ଏହାର ଲକ୍ଷଣ ଗୁଡ଼ିକ - ପେଟରେ ଯନ୍ତ୍ରଣା, ତରଳ ଝାଡ଼ା, ଜ୍ୱର ଓ ଓଜନ ହ୍ରାସ । ଅନ୍ୟ ଲକ୍ଷଣ ସମୂହ - ଆନିମିଆ, ଚର୍ମ ରାସ୍, ଗଣ୍ଠି ଯନ୍ତ୍ରଣା, ଚକ୍ଷୁ ପ୍ରଦାହ (inflammation of the eye) ଓ ଥକ୍କାଣ । ଚର୍ମ ରାସ୍ର ଅନ୍ୟ କାରଣ ପାୟୋଡର୍ମା ଗ୍ୟାଙ୍ଗ୍ରିନୋସମ କିମ୍ବା ଏରିଦେମା ନୋଡୋସମ ହୋଇପାରେ । ଖାଦ୍ୟନଳୀ ଅବରୋଧ ସାଧାରଣତଃ ଦେଖାଯାଏ ଓ ଏହି ରୋଗରେ ଖାଦ୍ୟନଳୀ କର୍କଟ ହେବା ସଙ୍କଟ ଥାଏ ।
ହିନ୍ଦୁ-ଆର୍ଯ୍ୟ ଭାଷା କିମ୍ବା ଇଣ୍ଡିକ ଭାଷାରେ ଭାରତୀୟ ଉପ-ମହାଦ୍ୱୀପର ପ୍ରମୁଖ ଭାଷା ପରିବାର ଅଟେ । ସେହି ଇଣ୍ଡୋ-ଇରାନୀ ଭାଷାର ଏକ ଶାଖାର ନିର୍ମାଣ କରିଥାନ୍ତି , ସ୍ୱୟଂ ଇଣ୍ଡୋ-ୟୁରୋପୀୟନ ଭାଷା ପରିବାରର ଏକ ଶାଖା ହୋଇଥାଏ । ଇଣ୍ଡୋ-ଆର୍ଯ୍ୟ ବକ୍ତା ମାନଙ୍କ ସମ୍ବନ୍ଧରେ ଅଧାରୁ ଅଧିକ ଇଣ୍ଡୋ-ୟୁରୋପୀୟ ସ୍ପିକର ଏବଂ ଅଧାରୁ ଅଧିକ ଇଣ୍ଡୋ-ୟୁରୋପୀୟ ଭାଷା ଏଥନୋଲାଗଦ୍ୱାରା ମାନ୍ୟତା ପ୍ରାପ୍ତ ହୋଇଛି । ମୁଖ୍ୟରୂପେ ଦକ୍ଷିଣ ଏସିଆରେ ଭାଷା କୁହାଯାଏ, କିନ୍ତୁ ଇଣ୍ଡୋ-ଆର୍ଯ୍ୟନ ଭାଷା ୟୁରୋପ ଏବଂ ମଧ୍ୟ ପୂର୍ବରେ କୁହାଯିବ ।
ଗ୍ଲୁକୋଜ-୬-ଫସଫେଟ ଡିହାଇଡ୍ରୋଜେନେଜ ଅଭାବ
ଗ୍ଲୁକୋଜ-୬-ଫସଫେଟ ଡିହାଇଡ୍ରୋଜେନେଜ ଅଭାବ ବା ଜି୬ପିଡିଡି (ଇଂରାଜୀ ଭାଷାରେ Glucose-6-phosphate dehydrogenase deficiency/ G6PDD) ରୋଗରେ ଆଜନ୍ମ ମେଟାବିଲିଜମ ଦୋଷ (inborn error of metabolism) ରହିବାରୁ ଲୋହିତ ରକ୍ତ କଣିକାମାନ ଭାଙ୍ଗିଯାଆନ୍ତି (red blood cell breakdown) । ଏହି ବେମାରୀ ଥାଇ ମଧ୍ୟ କେତେକ ଲୋକଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । କୌଣସି ନିର୍ଦ୍ଦିଷ୍ଟ ଟ୍ରିଗର ପାଇଲେ କାମଳ, ଗାଢ଼ ପରିସ୍ରା, ଅଣନିଶ୍ୱାସୀ (shortness of breath) ଓ ଥକ୍କା ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ କେଶ୍ରେ ଆନିମିଆ ଓ ନବଜାତ କାମଳ (newborn jaundice) ହୁଏ । କେତେକ ରୋଗୀଙ୍କର କେବେ ହେଲେ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ ।ଏହା ଏକ ଏକ୍ସ-ଲିଙ୍କଡ ରିସେସିଭ (X-linked recessive) ବେମାରୀ ଯେଉଁଥିରେ ତୃଟିପୁର୍ଣ୍ଣ ଗ୍ଲୁକୋଜ-୬-ଫସଫେଟ ଡିହାଇଡ୍ରୋଜେନେଜ (glucose-6-phosphate dehydrogenase) ଏଞ୍ଜାଇମ ତିଆରି ହୁଏ । ସଂକ୍ରମଣ (infections), କେତେକ ଔଷଧ, ଚାପ, ଫ୍ଲାଭା ବିନସ (fava beans) ଭଳି ଖାଦ୍ୟ ଯୋଗୁ ରୋଗର ଟ୍ରିଗର ହୋଇ ଲୋହିତ ରକ୍ତ କଣିକାମାନ ନଷ୍ଟ ହୋଇଯାଆନ୍ତି । ନିର୍ଦ୍ଦଷ୍ଟ ମ୍ୟୁଟେସନ (mutation) ଅନୁସାରେ ରୋଗ ସାଂଘାତିକ ହୁଏ ।
ବାତ ବ୍ୟାଧିରେ ମସ୍ତିଷ୍କରେ ଅସ୍ୱାଭାବିକ ଓ ଅତ୍ୟଧିକ ସ୍ନାୟୁ ସକ୍ରିୟ ହୁଅନ୍ତି | ଏହାର ବାହ୍ୟ ପ୍ରଭାବରେ ଶରୀରରେ ଅନିୟନ୍ତ୍ରିତ କମ୍ପନ ସହିତ ଚେତାଶୂନ୍ୟତା ଦେଖାଯାଏ ଯାହାକୁ ଇଂରାଜୀରେ ଟୋନିକ-କ୍ଲିନିକ ସିଜର ବା ବାତ କୁହାଯାଏ ବା ଶରୀରର କେବଳ ଏକ ଅଂଶ କମ୍ପନ ପ୍ରଭାବିତ ହୁଏ ତଥା ସାମୟିକ ଚେତନାହାନୀ ହୋଇପାରେ | ଅଧିକାଂଶ ସମୟ ଏହି ଘଟଣାଗୁଡ଼ିକ ୨ ମିନିଟରୁ କମ୍ ରହିଥାଏ ଏବଂ ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ କିଛି ସମୟ ଲାଗେ | ମୂତ୍ରାଶୟ ନିୟନ୍ତ୍ରଣ ରହେନି | ଉତ୍ତେଜନା ବା ଅଣଉତ୍ତେଜନାରୁ ବାତ ହୋଇପାରେ | ନିମ୍ନ ରକ୍ତ ଶର୍କରା, ଆଲକୋହୋଲ ଉଇଥଡ୍ରୟାଲ ସିଣ୍ଡ୍ରୋମ, ଅଳ୍ପ ସୋଡିୟମ୍ ରକ୍ତତା, ଜ୍ୱର, ମସ୍ତିଷ୍କ ସଂକ୍ରମଣ କିମ୍ବା କନ୍କସନ ଭଳି ଏକ ଅସ୍ଥାୟୀ ଘଟଣା ହେତୁ ଉତ୍ତେଜିତ ବାତ ହୁଏ | ଚାପ କିମ୍ବା ନିଦ୍ରା ଅଭାବରୁ ଅଣଉତ୍ତେଜିତ ବାତ ହୋଇପାରେ | ମସ୍ତିଷ୍କର ରୋଗ, ଯେଉଁଠାରେ ଅତି କମରେ ଗୋଟିଏ ବାତ ଏବଂ ଅଧିକ ସମୟ ଧରି ବାତ ହେବାର ଆଶଙ୍କା ରହିଥାଏ, ଏହାକୁ ସାମୂହିକ ଭାବରେ ଅପସ୍ମାର କୁହାଯାଏ | ଅନେକ ସମୟରେ ମୂର୍ଚ୍ଛା, ଅଣଏପିଲେପ୍ଟିକ ସାଇକୋଜେନିକ ଘଟଣା ଓ କମ୍ପନ ହେଲେ ଅପସ୍ମାର ବାତ ସଦୃଶ ଦେଖାଯାଏ କିନ୍ତୁ ତାହା ପ୍ରକୃତରେ ବାତ ନୁହେଁ । ଅଳ୍ପ ସମୟରୁ ଅଧିକ କାଳ ଧରି ଚାଲିଥିବା ବାତ ଏକ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରେ | ପାଞ୍ଚ ମିନିଟରୁ ଅଧିକ ସମୟ ଧରି ଚାଲିଥିବା ବାତକୁ ସାଂଘାତିକ ଅପସ୍ମାର ବା ସ୍ଟାଟସ ଏପିଲେପ୍ଟିକସ୍ ଭାବରେ ଗ୍ରହଣ କରାଯିବା ଉଚିତ୍ | ଇଲେକ୍ଟ୍ରୋଏନସେଫାଲୋଗ୍ରାମ (ଇଇଜି/ EEG) କିମ୍ବା ମସ୍ତିଷ୍କ ଇମେଜିଙ୍ଗରେ ଏକ ନିର୍ଦ୍ଦିଷ୍ଟ ସମସ୍ୟା ନ ମିଳିବା ପର୍ଯ୍ୟନ୍ତ ଏହା ନିମନ୍ତେ ଦୀର୍ଘକାଳୀନ ଚିକିତ୍ସା ଆବଶ୍ୟକ ହୁଏ ନାହିଁ | ଗୋଟିଏ ବାତ ହେବା ପରେ ଏହାର ଅନୁଶୀଳନ କାର୍ଯ୍ୟ ବାହ୍ୟରୋଗୀ ଭାବରେ ଶେଷ କରିବା ନିରାପଦ ଅଟେ | ଅନେକ ଲୋକଙ୍କର ପ୍ରଥମ ବାତ ପରି ଜଣାଯାଉଥିଲେ ମଧ୍ୟ ପୂର୍ବରୁ ଘଟିଥିବା ଅନ୍ୟାନ୍ୟ ଛୋଟ ଛୋଟ ବାତ ହୋଇପାରେ | ପ୍ରାୟ ୧୦% ଲୋକ ଅତି କମରେ ଥରେ ଏପିଲିପଟିକ୍ ଆକ୍ରାନ୍ତ ହୋଇଥାଆନ୍ତି | ବର୍ଷକୁ ପ୍ରତି ୧୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୩.୫ ଜଣଙ୍କର ଉତ୍ତେଜିତ ବାତ ହେଉଥିବାବେଳେ ବର୍ଷକୁ ପ୍ରତି ୧୦,୦୦୦ ଲୋକଙ୍କର ୪.୨ ଅଣଉତ୍ତେଜିତ ବାତ ହୁଏ। ଗୋଟିଏ ବାତ ହେବା ପରେ, ଦ୍ୱିତୀୟ ଥର ଅନୁଭବ କରିବାର ସମ୍ଭାବନା ପ୍ରାୟ ୫୦% ଥାଏ | ଯେ କୌଣସି ସମୟରେ ଜନସଂଖ୍ୟାର ପ୍ରାୟ ୧% ଲୋକଙ୍କୁ ଅପସ୍ମାର ପ୍ରଭାବିତ କରିଥାଏ ଏବଂ ପ୍ରାୟ ୪% ଲୋକ ସମୟ ସମୟରେ ପ୍ରଭାବିତ ହୁଅନ୍ତି । ଅପସ୍ମାରରେ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୮୦% ଲୋକ ବିକାଶଶୀଳ ଦେଶମାନଙ୍କରେ ବାସ କରନ୍ତି। ଅନେକ ସ୍ଥାନରେ ରୋଗୀ ଲୋକମାନେ ଏକ ନିର୍ଦ୍ଦିଷ୍ଟ ସମୟ ଧରି ବାତ ନହେବା ପର୍ଯ୍ୟନ୍ତ ଗାଡି ଚଳାଇବା ବନ୍ଦ କରିବା ଆବଶ୍ୟକ କରନ୍ତି |
ମେକ୍ସିକୀୟ ପେସୋ (ଚିହ୍ନ: $, ISO 4217 କୋଡ଼: MXN) ହେଉଛି ମେକ୍ସିକୋର ମୁଦ୍ରା । ମେକ୍ସିକୀୟ ପେସୋ ଓ ଡଲାର ମୁଦ୍ରା ଉଭୟର ଉତ୍ପତ୍ତି ୧୫ଶ-୧୯ଶ ଶତାବ୍ଦୀ ବେଳେ ବ୍ୟବହୃତ ସ୍ପେନୀୟ ପେସୋ (ଯାହାକୁ ସ୍ପେନୀୟ ଡଲାର ମଧ୍ୟ କୁହାଯାଉଥିଲା)ରୁ ଏବଂ ଉଭୟ ମୁଦ୍ରା ସମାନ ଚିହ୍ନ ବ୍ୟବହାର କରନ୍ତି । ମେକ୍ସିକୀୟ ପେସୋ ପୃଥିବୀର ଅଷ୍ଟମ ସର୍ବାଧିକ ବିପଣିତ ମୁଦ୍ରା ଓ ଦକ୍ଷିଣ ଆମେରିକାର ସର୍ବାଧିକ । ପ୍ରତି ପେସୋ ୧୦୦ ସେଣ୍ଟାଭୋସ୍ରେ ବିଭକ୍ତ ଯାହାର ଚିହ୍ନ "¢" ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧ - ୨୩ ଅଗଷ୍ଟ ୧୯୩୮) ଜଣେ ଓଡ଼ିଆ କବି ଥିଲେ । ତାଙ୍କର ଜନ୍ମ ବସ୍ତର ଦେଶୀୟ ରାଜ୍ୟରେ ହୋଇଥିଲା । ବସ୍ତର ଓଡ଼ିଆଭାଷୀ ଅଞ୍ଚଳ । ହେଲେ ତାହା ଓଡ଼ିଶାରେ ନାହିଁ । ତାଙ୍କ ପିତା ଦାନିଏଲ୍ ସାବତ ଜଣେ ଡାକ୍ତର ହିସାବରେ ବ୍ରହ୍ମଦେଶରେ ରହୁଥିଲେ । ଏକାଧାରରେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । କୁନ୍ତଳା ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ମାଣବସା ଗୁରୁବାର ଓଷା (ମାଣବସା ଓ ମାଣ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।
ଆଶୁତୋଷ ପରିଡ଼ା (ଜନ୍ମ : ୧୯୪୬) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି । ୧୯୯୦ମସିହାରେ, ନିଜ କବିତା ସଂକଳନ "ଈପସିତ କ୍ରୋଧ" ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ । ତାଙ୍କ କବିତା ଭାରତର ଅନ୍ୟଭାଷାମାନଙ୍କରେ ଅନୁବାଦିତ ହୋଇଛି । ବୃତ୍ତିରେ ସେ ଜଣେ ବୈଜ୍ଞାନିକ । ଭୁବନେଶ୍ୱରସ୍ଥିତ ଖଣିଜ ଏବଂ ପଦାର୍ଥ ପ୍ରୌଦ୍ଯୋଗିକୀ ସଂସ୍ଥାରେ ସେ ଜଣେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ।
ବରାହମିହିର (ସନ ୫୦୫- ସନ ୫୮୭) ହେଉଛନ୍ତି ଜଣେ ମହାନ୍ ଭାରତୀୟ ଗଣିତଜ୍ଞ, ଜ୍ୟୋତିର୍ବିଦ ଓ ଖଗୋଳ ବିଜ୍ଞାନୀ। ସେ କେବଳ ବରାହ ବା ମିହିର ଭାବେ ମଧ୍ୟ ପରିଚିତ। ତାଙ୍କର ଜନ୍ମ ଉଜ୍ଜୟିନୀରେ ହୋଇଥିଲା ।ପିତା ଆଦିତ୍ୟଦାସଙ୍କଠାରୁ ପାରମ୍ପାରିକ ଗଣିତ ଏବଂ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରି ସେଥିରେ ଅନେକ ସଂସ୍କାର ଆଣିଥିଲେ। ଗୁପ୍ତ ସାମ୍ରାଜ୍ୟର ବିକ୍ରମାଦିତ୍ୟ(ଚନ୍ଦ୍ରଗୁପ୍ତ-୨ୟ)ଙ୍କ ରାଜସଭାରେ ସେ ନବରତ୍ନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ସନ୍ଥକବି ଭୀମ ଭୋଇ ଭୀମ ଭୋଇ (୧୮୫୦-୧୮୯୫ ) ରେଢ଼ାଖୋଲର ମଧୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ । ତାଙ୍କର ରଚନା ଗୁଡ଼ିକରେ ମାନବ ଧର୍ମ, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି । ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" କବିତା ଅନ୍ୟତମ । ତାଙ୍କ ସମସାମୟିକମାନଙ୍କ କବିତାସବୁ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବିଷୟରେ ହୋଇଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ବହିଗୁଡ଼ିକ ମଧ୍ୟରେ "ସ୍ତୁତିଚିନ୍ତାମଣି", "ହଲିଆ ଗୀତ", "ଡାଲଖାଈ", "ରସରକେଲି", "ଜାଇଫୁଲ", "ବ୍ରହ୍ମ ନିରୂପଣ ଗୀତା", "ଆଦିଅନ୍ତ ଗୀତା", "ଅଷ୍ଟକ ବିହାରୀ ଗୀତା", "ନିର୍ବେଦ ସାଧନା", "ଶ୍ରୁତିନିଷେଧ ଗୀତା", "ମନୁସଭାମଣ୍ଡଳ", "ଗୃହଧର୍ମ" ଓ "ମହିମାବିନୋଦ" । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ସୁରକ୍ଷିତ । ତାଙ୍କ ରଚିତ ବହିଗୁଡ଼ିକ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
କନକ ଦୂର୍ଗା ମନ୍ଦିର , ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ଅବସ୍ଥିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର । ଏହି ମନ୍ଦିର କ୍ରୀଷ୍ଣା ନଦୀ ଟିରରେ ଥିବା ଇନ୍ଦ୍ରକେଳାଦ୍ରି ପାହାଡ ଉପରେ ରହିଛି । କାଳିକା ପୁରାଣ , ଦୁର୍ଗ ସପ୍ତଷ୍ଠୀ ଓ ଅନ୍ଯାନ୍ଯ ବୈଦିକ ସାହିତ୍ୟରେ ଇନ୍ଦ୍ରକେଳାଦ୍ରିସ୍ଥିତ କନକ ଦୁର୍ଗ ମନ୍ଦିର ବିଷୟରେ ଉଲ୍ଲେଖ ରହିଛି । ଏଥିରେ ଆରାଧ୍ୟା ଦେବୀଙ୍କୁ ତୃତୀୟ କଳ୍ପରେ ସ୍ୱୟଂଭୂ ( ନିଜେ ଉତ୍ଥିତ ହୋଇଥିବା ) ହେଇଥିବା ଉଲ୍ଲେଖ ରହିଛି ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଚନ୍ଦ୍ରଯାନ-୩ (ସଂସ୍କୃତ: चन्द्रयान-3) ହେଉଛି ଭାରତୀୟ ମହାକାଶ ଗବେଷଣା ସଂଗଠନ, ଇସ୍ରୋଦ୍ୱାରା ତୃତୀୟ ଚନ୍ଦ୍ର ଅନୁସନ୍ଧାନ ଅଭିଯାନ । ଏଥିରେ ଚନ୍ଦ୍ରଯାନ-୨ ଭଳି ଲ୍ୟାଣ୍ଡର ଓ ରୋଭର ରହିଥିଲେ ହେଁ ଏଥିରେ ପରିକ୍ରମଣକାରୀ (ଅର୍ବିଟର) ନାହିଁ । ଏହାର ପ୍ରୋପଲ୍ସନ୍ ମଡ୍ୟୁଲ୍ ଏକ ଯୋଗାଯୋଗ ରିଲେ ସାଟେଲାଇଟ୍ ଭଳି ଆଚରଣ କରେ । ମହାକାଶଯାନ ୧୦୦ କିଲୋମିଟର ଚନ୍ଦ୍ର କକ୍ଷପଥରେ ରହିବା ପର୍ଯ୍ୟନ୍ତ ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଏବଂ ରୋଭର ବହନ କରିଥାଏ ।ଚନ୍ଦ୍ରଯାନ-୨ ପରେ ସଫ୍ଟ ଲ୍ୟାଣ୍ଡିଂ ଗାଇଡେନ୍ସ ସଫ୍ଟୱେୟାରରେ ଶେଷ ମୁହୂର୍ତ୍ତରେ ସଫ୍ଟ ଲ୍ୟାଣ୍ଡିଂ ଗାଇଡେନ୍ସ ସଫ୍ଟୱେୟାରରେ ତ୍ରୁଟି ଯୋଗୁଁ ସଫଳ କକ୍ଷପଥ ପ୍ରବେଶ ପରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ପ୍ରୟାସ ବିଫଳ ହେବା ପରେ ଆଉ ଏକ ଚନ୍ଦ୍ର ଅଭିଯାନ ପ୍ରସ୍ତାବ ଦିଆଯାଇଥିଲା। ଏହି ଅଭିଯାନକ୍ରମେ ୨୦୨୪ ମସିହାରେ ଜହ୍ନର ଦକ୍ଷିଣ ମେରୁରେ ରୋଭର (ଚନ୍ଦ୍ର ଉପରେ ବୁଲାବୁଲି କରି ତାହାର ମାଟିର ନମୁନା ସଂଗ୍ରହ କରିବା) ଏବଂ ଏକ ଲ୍ୟାଣ୍ଡର (ଚନ୍ଦ୍ର ଉପରେ ଓଲ୍ହାଇବା) ପଠାଯାଇ ନିରୀକ୍ଷଣ କରାଯିବ ।ଏହି ଅଭିଯାନଟି ନୂତନ ଭୂମି ଅନୁଧ୍ୟାନ ସହିତ ଜଡ଼ିତ କଳାକୌଶଳ ଯଥା ଯାନ ପରିବହନ ଏବଂ କିଛି ଶହ କିଲୋଗ୍ରାମ ଓଜନର ଆସବାବପତ୍ର ସହିତ ମେରୁ ସ୍ଥାନରେ କିପରି ଦୀର୍ଘସ୍ଥାୟୀ ରାତ୍ରଯାପନ ହୋଇପାରିବ ତାହା ଉପରେ ଅଧିକ ଅନୁଧ୍ୟାନ କରିବ । ସମ୍ଭାବିତ ପାଣିର ଖୋଜା, ନମୁନା ସଂଗ୍ରହ ଏବଂ ତଦନ୍ତ ମୁଖ୍ୟତଃ ଏହି ଅଭିଯାନର ଲକ୍ଷ୍ୟ ହୋଇପାରେ । ଅନ୍ୟାନ୍ୟ ଅନ୍ତରୀକ୍ଷ ସଂସ୍ଥାଗୁଡ଼ିକରୁ ପେଲୋଡ ବା ଆସବାବପତ୍ର ନେବାକୁ ପ୍ରସ୍ତାବ ଦିଆଯିବ ।୧୪ ଜୁଲାଇ ୨୦୨୩ ତାରିଖରେ ଚନ୍ଦ୍ରଯାନ-୩କୁ ସଫଳତାର ସହିତ ଏଲଭିଏମ୩ ଏମ୪ ରକେଟଦ୍ୱାରା କକ୍ଷପଥରେ ସ୍ଥାପନ କରାଯାଇଥିଲା । ଲ୍ୟାଣ୍ଡର ଓ ରୋଭର ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳ ନିକଟରେ ଅବତରଣ କରିଥିଲେ। ୨୩ ଅଗଷ୍ଟ ୨୦୨୩, ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ପ୍ରାୟ ୫ଟା ୪୫ ମିନିଟରେ ଏହି ଅବତରଣ ଘଟିଥିଲା ଏବଂ ସେହି ଦିନ ସନ୍ଧ୍ୟା ପ୍ରାୟ ୬.୦୨ ମିନିଟରେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରିଥିଲା, ଯାହା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ସଫଳତାର ସହ ମହାକାଶଯାନ ଅବତରଣ କରିବାରେ ପ୍ରଥମ ଦେଶ ଏବଂ ଚନ୍ଦ୍ରରେ ଧୀର ଅବତରଣ (soft landing) କରିଥିବା ଚତୁର୍ଥ ଦେଶ ଥିଲା।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ଜଗତର ନାଥ ଶ୍ରୀ ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ପାତାଳୀ ଶ୍ରୀକ୍ଷେତ୍ର ସୋନପୁର ଜିଲ୍ଲା ତଥା ଓଡ଼ିଶାର ଏକ ପ୍ରସିଦ୍ଧ ଐତିହାସିକ ମହତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ । ବିଶ୍ୱାସ କରାଯାଏ ଯେ, ଏଠାରେ ଥିବା ଗୁମ୍ଫାରେ ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର ୧୪୪ ବର୍ଷ ପାତାଳି ହୋଇ ରହିଥିଲେ। ଏହା ସୋନପୁର ଜିଲ୍ଲାର ସଦର ମହକୁମା ଉତ୍ତର ପଶ୍ଚିମ ଦିଗ କୋଟ ସମଲାଇ ଗ୍ରାମ ନିକଟ ତ୍ରିକୂଟ ପାହାଡ଼ରେ ଅବସ୍ଥିତ । ଏହା ସୋନପୁର ଜିଲ୍ଲାର ବୀରମହାରାଜପୁର ସବଡିଭିଜନ ଅନ୍ତର୍ଗତ । ଚାରିଆଡ଼େ ପାହାଡ଼ ଘେରି ହୋଇ ରହିଥିବାରୁ ଏହା ଏକ ଉପତ୍ୟକା ଭଳି ମନେ ହୁ ଏ । ଶତ୍ରୁ ସେ ସ୍ଥାନକୁ ଯିବାକୁ ହେଲେ ଅତିକ୍ରମ କରିବାକୁ ପଡ଼େ ଅନେକ ପ୍ରାକୃତିକ ପ୍ରତିବନ୍ଧକ । ତତ୍କାଳୀନ ସୋନପୁର ରାଜାଙ୍କ ରାଣୀ ଏହି ସ୍ଥାନକୁ ଅତ୍ୟନ୍ତ ନିରାପଦ ମଣି ସେଇ ପାହାଡ଼ ଦେହରେ ଗୁମ୍ଫାମାନ ନିର୍ମାଣ କରିଥିଲେ ଓ ଯବନ ଶତ୍ରୁମାନଙ୍କ ଭୟରୁ ରକ୍ଷା ପାଇବା ପାଇଁ ବିପଦ ସମୟରେ ପରିବାରର ଲୋକେ ଏଠାରେ ଆଶ୍ରୟ ନେଉଥିଲେ । ଅନେକେ ବିଶ୍ୱାସ କରନ୍ତି ଏହି ଗୁମ୍ଫାମାନଙ୍କରେ ଅନେକ ଧନରତ୍ନ ଲୁକ୍କାୟିତ ଅବସ୍ଥାରେ ଅଛି । ସେଇ ଗୁମ୍ଫାଗୁଡ଼ିକରେ ମୁନିଋଷିମାନେ ରହି ପୂଜା କରିଆସୁଛନ୍ତି । ସେଇ ପାହାଡ଼କୁ ଲାଗି ରହିଛି ଧୋଇଆ ବନ୍ଧ ପାହାଡ଼ । ସେଇ ପାହାଡ଼ରେ ମଧ୍ୟ ଅନେକ ଗୁମ୍ଫା ଦେଖାଯାଏ । ତ୍ରିକୂଟ ପାହାଡ଼ର ଠିକ୍ ପଶ୍ଚିମ ଦିଗକୁ ଅଛି ଚନ୍ଦନ ଖୋଲ । ଏହି ଖୋଲ ନିକଟରେ ଥିବା ଗୋଟିଏ ବଡ଼ ଆମ୍ବଗଛ ମୂଳରୁ ଝରଣାଟିଏ ବାହାରିଛି । ଏହି ସ୍ଥାନର ମାଟି ଚନ୍ଦନ ଭଳିଆ ବାସ୍ନା ହେଉଥିବାରୁ ଏହାକୁ ଚନ୍ଦନ ଖୋଲ ବୋଲି ଲୋକମାନେ କହନ୍ତି । ସେଇ ଚନ୍ଦନ ଖୋଲ ନିକଟରେ ଅଛି ତାଳ ଖୋଲ । ଏଠାରେ ପଥରର ଏକ ବଡ଼ ମଣ୍ଡପ ରହିଛି । ଏହି ମଣ୍ଡପରେ ଏକ ସଙ୍ଗେ ୩୦/୪୦ ଜଣ ବସି ପାରିବେ । କୁହାଯାଏ ଯେ ଏଠାରେ ପାତାଳୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭଜନ କୀର୍ତ୍ତନ କରାଯାଇଥିଲା । ସେଇ ପାହାଡ଼ରେ ଥିବା ଗୁମ୍ଫାଗୁଡ଼ିକୁ ସ୍ଥାନୀୟ ଲୋକମାନେ ବିଭିନ୍ନ ନାମରେ ନାମକରଣ କରିଛନ୍ତି, ଯଥା- ମାଧବ ଗୁମ୍ଫା ଧନା ଗୁମ୍ଫା, ରାଣୀ ଖୋଲଗୁମ୍ଫା, ଦାରୁକୋଣ ଗୁମ୍ଫା ଇତ୍ୟାଦି । ଦାରୁକୋଣ ଗୁମ୍ଫାରେ ହିଁ ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କୁ ପାତାଳୀ କରାଯାଇଥିଲା ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହା ଜୁଲାଇ ୭ ତାରିଖରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହୋଇଛି lଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ.
ଚମ୍ପା ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଶ୍ୱେତଚମ୍ପା, କନକଚମ୍ପା ଭେଦରେ ଏହା ଦୁଇ ପ୍ରକାରର । ଏହା ଛଡ଼ା ଗୋବରି ଚମ୍ପା, ଜହୁରି ଚମ୍ପା, ଚିନିଚମ୍ପା ବା ଚେଣିଚମ୍ପା, ଦୋଳିଚମ୍ପା, ଭୁଇଁ ଚମ୍ପା, ସୁଲତାନୀ ଚମ୍ପା ଓ କାଠଚମ୍ପା ପରି ଅନେକ ପ୍ରକାରର ଚମ୍ପା ରହିଛି। ହେଲେ ଏଗୁଡ଼ିକ ଚମ୍ପକ ଜାତିର ନୁହେଁ । ଏଥି ମଧ୍ୟରେ ଶ୍ୱେତ ଓ କନକଚମ୍ପା ପ୍ରଧାନ । କନକଚମ୍ପା ଏମାନଙ୍କ ଭିତରେ ଶ୍ରେଷ୍ଠ, ଏହାର ଫୁଲ ହଳଦିଆ ରଙ୍ଗର ଓ ସୁଗନ୍ଧଯୁକ୍ତ । ଚମ୍ପାଫୁଲ ଭିତରେ ଥିବା କେଶରରେ ଅତି ଛୋଟ ଛୋଟ ପୋକ ରହିଥାନ୍ତି। ଏହାକୁ ଶୁଙ୍ଘିଲାମାତ୍ରେ ସେମାନେ ନାସା ପଥକୁ ଯାଇ କ୍ଷତ ଜନ୍ମାନ୍ତି । ଫଳରେ ପୀନସ ରୋଗର ସୂତ୍ରପାତ ହୁଏ । ତେଣୁ ଚମ୍ପା ଫୁଲକୁ ଶୁଙ୍ଘିବା ନିଷେଧ। ନାଗଚମ୍ପା ନାମରେ ଆଉ ଏକ ପ୍ରକାର ଚମ୍ପା ମଧ୍ୟ ରହିଛି ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ରେବତୀ ହେଉଛି ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଏହା ୧୮୯୮ ମସିହା ଅକ୍ଟୋବର ମାସରେ ଉତ୍କଳ ସାହିତ୍ୟ ପତ୍ରିକାର ଦ୍ୱିତୀୟ ବର୍ଷ ଦଶମ ସଂଖ୍ୟା କାର୍ତ୍ତିକ ୧୩୦୬ରେ ପ୍ରଥମେ ପ୍ରକାଶ ପାଇଥିଲା । ଫକୀର ମୋହନ ଏହି ପତ୍ରିକାରେ ଶ୍ରୀ ଧୁର୍ଜଟି ନାମରେ ଏହି ଗଳ୍ପଟି ଲେଖିଥିଲେ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି । ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ଫକୀରମୋହନଙ୍କ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଛି । ୧୮୯୮ ମସିହାରେ ତାଙ୍କ ରଚିତ 'ରେବତୀ' ବହୁତ ଜନପ୍ରିୟତା ଲାଭ କରିଥିଲା ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢ଼ିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଛି ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବିମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
କଲେରା ମାନବ କ୍ଷୁଦ୍ର ଅନ୍ତନଳୀରେ ଜୀବାଣୁ ଭିବ୍ରିଓ କଲେରିର କେତେକ ପ୍ରଜାତିଦ୍ୱାରା ହେଉଥିବା ରୋଗର ନାମ । ଓଡ଼ିଆରେ ଏହାକୁ ବିସୂଚିକା, ଓଲାଉଠା, ମହାମାରୀ ଓ ହଇଜା ନାମ ମଧ୍ୟ ଦିଆଯାଇଛି । ଏହାର ଲକ୍ଷଣ: ସାମାନ୍ୟରୁ ଗମ୍ଭୀର ଧରଣର ହୋଇପାରେ, କିଛି ବି ନ ହୋଇପାରେ । ସ୍ୱାଭାବିକ ଲକ୍ଷଣ ମଧ୍ୟରେ ବହୁତ ପରିମାଣର ପାଣିଭଳି ତରଳ ଝାଡ଼ା କିଛି ଦିନ ହୁଏ । ବାନ୍ତି ଓ ମାଂସପେଶୀ କ୍ରାମ୍ପ ହୋଇପାରେ । ଅତ୍ୟଧିକ ତରଳ ଝାଡ଼ା ହେଲେ କିଛି ଘଣ୍ଟା ମଧ୍ୟରେ ଗମ୍ଭୀର ନିର୍ଜଳନ ଓ ଇଲେକ୍ଟ୍ରୋଲାଇଟ ଅସନ୍ତୁଳନ ହୁଏ । ଏହାଦ୍ୱାରା ଆଖି କୋଟରଗତ ହୁଏ, ଚର୍ମ ଥଣ୍ଡା ହୁଏ ତଥା ଇଲାସ୍ଟିସିଟି କମିଯାଏ ଏବଂ ହାତ ଓ ପାଦର ଚର୍ମ କୁଞ୍ଚିତ ହୋଇଯାଏ । ନିର୍ଜଳନ ଯୋଗୁ ଚର୍ମ ନୀଳ ହୋଇଯାଏ ଯାହାକୁ ସ୍ୟାନୋସିସ (cyanosis) କୁହାଯାଏ । ଜୀବାଣୁ ପ୍ରବେଶ ପରଠାରୁ ୨ ଘଣ୍ଟାରୁ ୫ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ । ଅନେକ ପ୍ରକାର ଭିବ୍ରିଓ କଲେରି ଜୀବାଣୁର ପ୍ରଜାତିଦ୍ୱାରା କଲେରା ରୋଗ ହୁଏ; କେତେକ ପ୍ରଜାତି ଅନ୍ୟ ପ୍ରଜାତି ଅପେକ୍ଷା ଗମ୍ଭୀର ଧରଣର ରୋଗ କରନ୍ତି । ଅଧିକାଂଶ କ୍ଷେତ୍ରରେ ଜଳ ଓ ଖାଦ୍ୟରେ ଜୀବାଣୁ ମିଶ୍ରିତ ମଳ ଅପମିଶ୍ରିତ ଥିଲେ ଏହି ରୋଗ ବ୍ୟାପେ । ଉତ୍ତମରୁପେ ରନ୍ଧାଯାଇନଥିବା ସାମୁଦ୍ରିକ ଖାଦ୍ୟ ଏହି ରୋଗର ସାଧାରଣ ଉତ୍ସ । ମାନବ ଏକମାତ୍ର ପ୍ରାଣୀ ଯାହାକୁ ଏହି ରୋଗ ହୁଏ । ଅପରିଚ୍ଛନତା, ଅଶୁଦ୍ଧ ପାନୀୟ ଜଳ ଓ ଦାରିଦ୍ର୍ୟ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । ମଳ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ଶୀଘ୍ର ନିର୍ଣ୍ଣୟ ନିମନ୍ତେ ଡିପସ୍ଟକ ପରୀକ୍ଷା ମିଳୁଛି କିନ୍ତୁ ଏହା ସଠିକ ନୁହେଁ । ଉନ୍ନତ ପରିଚ୍ଛନ୍ନତା ଓ ବିଶୁଦ୍ଧ ଜଳ ଯୋଗାଣଦ୍ୱାରା ଏହି ରୋଗ ପ୍ରତିରୋଧ କରାଯାଇପାରିବ । କଲେରା ଟିକା ପାଟିରେ ଦିଆହୋଇଥିଲେ ପ୍ରାୟ ୬ମାସ ଧରି ସୁରକ୍ଷା ଦିଏ । ଏହାଦ୍ୱାରା ତରଳ ଝାଡ଼ା କରାଉଥିବା ଅନ୍ୟ ଏକ ଜୀବାଣୁ ଇ.
ପୌରାଣିକ ମତେ ହନୁମାନ ସୁଗ୍ରୀବଙ୍କ ଭଣଜା ଓ ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତଭାବେ ପରିଚିତ । ଏହାଙ୍କ ମାତାଙ୍କ ନାମ ଅଞ୍ଜନା; ଏ ବାୟୁଦେବତାଙ୍କ ପୁତ୍ର । ଏ ପ୍ରଥମେ ବାଳିଙ୍କର ସେନାପତି ଥିଲେ, ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ଏ ସୁଗ୍ରୀବଙ୍କର ପାରିଷଦ ହେଲେ ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ଏ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଦକ୍ଷିଣକୁ ଯାଇ ଲଙ୍କାରେ ଅଶୋକବନରେ ସୀତାଙ୍କୁ ଠାବ କରି, ତାଙ୍କୁ ଶ୍ରୀରାମଙ୍କ ସଂବାଦ ଦେଇ, ତାଙ୍କଠାରୁ ଲେଉଟ ସଂବାଦ ଓ ସଂଙ୍କେତ ଆଣି ଶ୍ରୀରାମଙ୍କୁ ଦେଇଥିଲେ । ଏ ଅତ୍ୟନ୍ତ ବଳଶାଳୀ ଥିଲେ ଓ ଭାରତବର୍ଷରୁ ଲଙ୍କାକୁ ଡେଇଁଥିଲେ ଲକ୍ଷ୍ମଣଙ୍କ ଶକ୍ତିଭେଦ ହେବାରୁ ଏ ଅମରଔଷଧି ଆଣିବାକୁ ଯାଇ ଗନ୍ଧମାର୍ଦ୍ଦନ ପର୍ବତକୁ ଉପାଡ଼ି ନିଜ ମୁଣ୍ଡରେ ବୋହି ଲଙ୍କାକୁ ଆଣିବାରୁ ଲକ୍ଷ୍ମଣଙ୍କର ପ୍ରାଣରକ୍ଷା ହେଲା । ଏ ରାବଣଙ୍କ ରାକ୍ଷସ ସେନା ସଙ୍ଗେ ଖୁବ୍ ବୀରତା ସହକାରେ ୟୁଦ୍ଧ କରି ଥିଲେ ରାମଚନ୍ଦ୍ର ଦେହ ତ୍ୟାଗ କରିବା ସମଯରେ ଏହାଙ୍କୁ ଅମରବର ଦେଇଥିଲେ । କଥିତ ଅଛି ଯେ, ଲଙ୍କା ପୋଡ଼ିବା ପରେ ହନୁମାନ୍ ନିଜ ଲାଙ୍ଗୁଡ଼ରେ ଜଳୁଥିବା ନିଆଁକୁ ହାତରେ ଓ ଗୋଡ଼ରେ ମଳି ଲିଭାଇ ଦେଇ ସେହି କରତଳକୁ ମୁଁହରେ ବୋଳି ଦେବାରୁ ତାଙ୍କ ମୁହଁ କଳା ପଡ଼ିଗଲା ଓ ତଦବଧି ତାଙ୍କ ବଂଶଧରମାନେ (ହନୁମାଙ୍କଡ଼) ମୁହଁପୋଡ଼ା ବାନ୍ଦର ହେଲେ । ଦ୍ୱାପର ଯୁଗରେ ଭୀମଙ୍କ ସଙ୍ଗେ ଗନ୍ଧମାର୍ଦ୍ଦନ ପର୍ବତରେ ଏହାଙ୍କର ଭେଟ ହୋଇଥିଲା । ହିନ୍ଦୁମାନେ ଏହାଙ୍କୁ 'ମହାବୀର' ଠାକୁର ରୁପରେ ପୁଜା କରନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ ପ୍ରତିବର୍ଷ ୨୨ଟି ବେଶ ସମ୍ପନ୍ନ ହେଲା ବେଳେ ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ । ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶ ଓ ନାଗାର୍ଜୁନ ବେଶ । ଅନେକ ବର୍ଷ ଧରି ରଘୁନାଥ ବେଶ ଆଉହୋଇନଥିଲା ବେଳେ ୧୯୯୪ ମସିହା ପରେ ଆଉ ନାଗାର୍ଜୁନ ବେଶ ଯୋଗ ପଡ଼ିନାହିଁ । ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ନୃସିଂହ ବେଶ ଧାରଣ କରିଥାନ୍ତି । ପୁଣି ମହାପ୍ରଭୁମାନଙ୍କ ସବୁଯାକ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଧ ବେଶରେ ବଳଭଦ୍ର ମୂଖ୍ୟ ଭୂମିକା ଗ୍ରହଣ କରନ୍ତି । ଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ । ଯଥା : - ସୁନାବେଶ ପ୍ରାୟ ପାଞ୍ଚ ଥର ଓ ଶ୍ରାଦ୍ଧ ବେଶ ତିନିଥର ସଂପନ୍ନ ହୋଇଥାଏ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାରଙ୍କ ରାଜତ୍ୱ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ୱାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚକର ବିଭୀଷିକା ବର୍ଣ୍ଣିତ ହୋଇଛି । ଏହି ଯୁଦ୍ଧରେ ଏକଲକ୍ଷ ଲୋକ ନୀହତ ହୋଇଥିଲେ । ଦେଢ଼ଲକ୍ଷ ଲୋକ ବନ୍ଦୀହୋଇ ଦେଶାନ୍ତରକୁ ପ୍ରେରିତ ହୋଇଥିଲେ ଏବଂ ପ୍ରାୟ ସେହି ସଂଖ୍ୟକ ବ୍ୟକ୍ତି ଯୁଦ୍ଧ ପର ଅବସ୍ଥାରେ ଆହାତ , ରୋଗାକ୍ରାନ୍ତ କିମ୍ବା ବୁଭୁକ୍ଷୁ ହୋଇ ମୃତ୍ୟୁମୂଖରେ ପଡ଼ିଥିଲେ । କଳିଙ୍ଗ ଯୁଦ୍ଧ ବୌଦ୍ଧ ଧର୍ମ ତଥା ପୃଥିବୀର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । ଏହି ଯୁଦ୍ଧର ଦାରୁଣ ପରିଣତି ଅଶୋକଙ୍କ ମନରେ ଗଭୀର ଦୁଃଖ ଓ ଅନୁତାପ ଜାତ କରିଥିଲା । ହିଂସା ପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ, ମାନବ-ହୃଦୟକୁ ଜୟ କରିବା ହିଁ ପ୍ରକୃତ ଜୟ ବୋଲି ଅନୁଭବ କରି ଅଶୋକ ଅସ୍ତ୍ର ପରିତ୍ୟାଗ କଲେ । ଉପଗୁପ୍ତ ନାମକ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସି ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହା ପରେ ସତ୍ୟ ଓ ଅହିଂସା ବଳରେ ସେ ମାନବ ହୃଦୟକୁ ଜୟ କରିବା ପାଇଁ ଆତ୍ମ ନିୟୋଗ କଲେ । ସେ ନିଜ ବିଜୟ ପରେ ସୁନ୍ଦର ଭାବେ ଗଢ଼ି ତୋଳିଲେ ଓ ନିଜ ସାମ୍ରାଜ୍ୟରେ ମିଶେଇ ଥିଲେ।
ସଂସାରରେ ଅନେକ ପ୍ରକାରର ବନସ୍ପତି ରହିଛି । ସେ ସବୁକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ପ୍ରକାର ବନସ୍ପତି ଜାଳେଣି, ସାର ବା କେତେକ ଉପକରଣ ତିଆରି କାମରେ ଲାଗେ, ଦ୍ୱିତୀୟ ପ୍ରକାର ବନସ୍ପତି ମଣିଷ ଓ ଇତର ପ୍ରାଣୀମାନଙ୍କର ଖାଦ୍ୟ ହୋଇଥାଏ ଓ ଆଉ କିଛି ଗଛଲତା ବିଭିନ୍ନ ପ୍ରକାର ରୋଗର ନିରାମୟ ଓ ନିରାକରଣରେ ବ୍ୟବହୃତ ହୋଇଥାଏ । ତେବେ ଏମିତି ଅନେକ ବନସ୍ପତି ରହିଛି ଯାହାର ଏକାଧିକ ଉପଯୋଗ ରହିଥାଏ । ନିମ୍ନସ୍ଥ ତାଲିକାରେ ଥିବା ଗଛଲତା ଗୁଡିକର ଅଂଶବିଶେଷକୁ ଔଷଧ ଭାବେ ଉପଯୋଗ କରାଯାଇଥାଏ ।
ବିଶ୍ୱନାଥ କର (ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା) - (୧୮୬୪ - ୧୯୩୪) ଜଣେ ଓଡ଼ିଆ ସମାଜ ସଂସ୍କାରକ, ସଂପାଦକ, ପ୍ରାବନ୍ଧକ, ବାଗ୍ମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ 'ଉତ୍କଳ ସାହିତ୍ୟ' ପତ୍ରିକାର ସମ୍ପାଦକ ଥିଲେ । ସେ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ଓ ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ ସେ "ରାୟ ବାହାଦୁର" ଉପାଧୀ ପ୍ରାପ୍ତ ହୋଇ ତାହାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ 'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେ । 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
ଛ ମାଣ ଆଠ ଗୁଣ୍ଠ ହେଉଛି ଫକୀର ମୋହନ ସେନାପତିଙ୍କର ଲିଖିତ ଉପନ୍ୟାସ। ୧୮୯୭ରେ ପ୍ରଥମେ ଏହା ଧାରାବାହିକ ଭାବରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଫକୀର ମୋହନ ଏହାକୁ ଧୂର୍ଜଟି ଛଦ୍ମନାମରେ ପ୍ରକାଶ କରାଇଥିଲେ। ସେତେବେଳର ସାଧାରଣ ଜୀବନ ଉପରେ ଆଧାରିତ ଏହା ଏକ ବାସ୍ତବଧର୍ମୀ ଉପନ୍ୟାସ ଥିଲା। ଏପରିକି କିଛି ଲୋକ ଏହି କାହାଣୀକୁ ସତ ବୋଲି ମଧ୍ୟ ବିଚାର କରୁଥିଲେ। ୧୯୮୬ରେ ପାର୍ବତୀ ଘୋଷ ଉପନ୍ୟାସକୁ ଆଧାର କରି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ।
ଭାରତୀୟ ସଂସ୍କୃତି ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।
ଯକ୍ଷ୍ମା (ଟିବି) ଏକ ସଂକ୍ରମକ ରୋଗ ଯାହା ମାଇକୋବ୍ୟାକ୍ଟେରମ ଟ୍ୟୁବରକ୍ୟୁଲୋସିସଦ୍ୱାରା (MTB) ହୁଏ । ଯକ୍ଷ୍ମା ସାଧାରଣତଃ ଫୁସଫୁସକୁ ଆକ୍ରମଣ କଲେ ମଧ୍ୟ ଶରୀରର ଯେ କୌଣସି ଅଙ୍ଗରେ ଏହାଦ୍ୱାରା ରୋଗ ହୋଇପାରେ । ଅଧିକାଂଶ ସଂକ୍ରମଣରେ କୌଣସି ଲକ୍ଷଣ ହେଉ ନ ଥିବାରୁ ତାହାକୁ ପ୍ରଛନ୍ନ ଯକ୍ଷ୍ମା ଓ ଇଂରାଜୀ ଭାଷାରେ ଲେଟେଣ୍ଟ ଟ୍ୟୁବରକୁଲୋସିସ (latent tuberculosis) କୁହାଯାଏ । ଏହି ପ୍ରଛନ୍ନ ଯକ୍ଷ୍ମା ମଧ୍ୟରୁ ପ୍ରାୟ ୧୦% ସଂକ୍ରମଣ ସକ୍ରିୟ ରୋଗରେ ପରିଣତ ହୁଏ ଯାହାକୁ ଚିକିତ୍ସା ନ କଲେ ସେଥିରୁ ଅଧେ ଲୋକ ମୃତ୍ୟୁ ବରଣ କରନ୍ତି । ସକ୍ରିୟ ଫୁସଫୁସ ଯକ୍ଷ୍ମା ରୋଗରେ କ୍ରନିକ ବା ଦୀର୍ଘକାଳୀନ କାଶ ସହିତ ରକ୍ତ ମିଶ୍ରିତ ଖଙ୍କାର ପଡ଼େ, ଜ୍ୱର, ରାତ୍ରୀ ସ୍ୱେଦ ନିର୍ଗତ ଓ ଓଜନ ହ୍ରାସ ହୁଏ । ଓଜନ ହ୍ରାସ ହେଉଥିବାରୁ ଏହାକୁ କ୍ଷୟ ରୋଗ ନାମ ଦିଆଯାଇଥିଲା । ବିଭିନ୍ନ ଅଙ୍ଗର ସଂକ୍ରମଣରେ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।ଯକ୍ଷ୍ମା ଏକ ବାୟୁ ମାଧ୍ୟମରେ ବ୍ୟାପେ ଓ ଫୁସଫୁସ ଯକ୍ଷ୍ମା ରୋଗୀ କାଶିଲେ, ଛିଙ୍କିଲେ, ଛେପ ପକେଇଲେ ବା କଥା କହିଲେ ଏହାର ଜୀବାଣୁ ଦେହରୁ ବାହାରି ବାୟୁ ମାଧ୍ୟମରେ ବ୍ୟାପିଯାଏ । ପ୍ରଛନ୍ନ ଯକ୍ଷ୍ମା ରୋଗ ବ୍ୟାପେ ନାହିଁ । ଏଚଆଇଭି/ଏଆଇଡିଏସ ଦେହରେ ଥିଲେ ବା ଅତ୍ୟଧିକ ଦୂମ୍ରପାନ କରୁଥିଲେ ଏହି ରୋଗ ଅଧିକ ହେବା ସମ୍ଭାବନା ରହେ । ଛାତି ଏକ୍ସ-ରେ ଓ ଦେହର ତରଳ ପଦାର୍ଥକୁ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖି ବା ଅଣୁଜୀବ କଲଚର କରି ରୋଗ ନିର୍ଣ୍ଣୟ କରାଯାଏ । ମାଣ୍ଟୁକ୍ସ ପରୀକ୍ଷା ଓ ରକ୍ତ ପରୀକ୍ଷା ଉପରେ ପ୍ରଛନ୍ନ ଯକ୍ଷ୍ମା ରୋଗ ନିର୍ଣ୍ଣୟ ନିର୍ଭର କରେ । ଅଧିକ ସଙ୍କଟାପନ୍ନ କେଶ୍ରେ ଯକ୍ଷ୍ମା ପ୍ରତିଷେଧ ନିମନ୍ତେ ସ୍କ୍ରୀନିଙ୍ଗ, ଆଶୁ ଚିହ୍ନଟ ତଥା ଚିକିତ୍ସା ଓ ବିସିଜି ଟିକାକରଣ କରାଯାଏ । ଘରେ, କାର୍ଯ୍ୟସ୍ଥାନରେ ଓ ସାମାଜିକ ମିଳନ ସ୍ଥାନରେ ସକ୍ରିୟ ରୋଗୀ ଥିଲେ ଏହି ରୋଗ ସଙ୍କଟ ଅଧିକ ହୁଏ । ଅଧିକ ସମୟ ନିମନ୍ତେ ଏକାଧିକ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ । ଆଣ୍ଟିବାୟୋଟିକ ପ୍ରତିରୋଧ ଏକ ବର୍ଦ୍ଧିଷ୍ଣୁ ସମସ୍ୟା ରୂପେ ଠିଆ ହେଉଛି ।ପୃଥିବୀରେ ଏକ ତୃତୀୟାଂଶ ଲୋକଙ୍କର ଯକ୍ଷ୍ମା ରୋଗ ଥିବା ବିଶ୍ୱାସ କରାଯାଏ । ପ୍ରତିବର୍ଷ ଲୋକ ସଂଖ୍ୟାର ପ୍ରାୟ ୧% ଲୋକଙ୍କର ନୂଆ ରୋଗ ହୁଏ । ସନ ୨୦୧୪ରେ ୯.୬ ନିୟୁତ ଲୋକଙ୍କର ଯକ୍ଷ୍ମା ହୋଇ ପ୍ରାୟ ୧.୫ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିଲା । ମୋଟ ମୃତ୍ୟୁ ସଂଖ୍ୟାର ୯୫% ବିକାଶଶୀଳ ଦେଶମାନଙ୍କରେ ହୁଏ । ସନ ୨୦୦୦ ପରଠାରୁ ଏହି ରୋଗୀସଂଖା ବଢ଼ିଚାଲିଛି । ଏସିଆ ଓ ଆଫ୍ରିକାର ୮୦% ଲୋକ ଓ ଯୁକ୍ତରାଷ୍ଟ୍ର ଆମେରିକାର ୫ରୁ ୧୦% ଲୋକ ଟ୍ୟୁବରକୁଲିନ ପରୀକ୍ଷାର ପଜିଟିଭ ହୁଏ । ପୁରାକାଳରୁ ମାନବଙ୍କର ଦେହରେ ଯକ୍ଷ୍ମା ହେଉଥିବା ଜଣାଯାଏ । ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଯୋଗୁ ଜୀବାଣୁ ଦେହରେ ପ୍ରବେଶ କଲେ ମଧ୍ୟ ମରି ଯାଆନ୍ତି । କେତେକ କାରଣ ଯେପରିକି ଏଚ.ଆଇ.ଭି ସଂକ୍ରମଣ ରୋଗ ଯୋଗୁ ପ୍ରତିରୋଧକ ଶକ୍ତି କମିଯାଇ ରୋଗ ସଙ୍କଟ ସୃଷ୍ଟି ହୁଏ । ଅଧୁନା ଯକ୍ଷ୍ମା ରୋଗର ଅଧିକ ସଂକ୍ରମଣର ଏହା ଏକ ପ୍ରଧାନ, ଉଲ୍ଲେଖ ଯୋଗ୍ୟ ଓ ଚିନ୍ତା ଉଦ୍ରେକକାରୀ କାରଣ ।
ଯୀଶୁ ବା ଯୀଶୁ ଖୀଷ୍ଟ ବା ଯୀଶୁ ମସୀହ ହେଉଛନ୍ତି ଖ୍ରୀଷ୍ଟ ଧର୍ମର ପ୍ରବର୍ତକ ଓ ମୂଳ ବ୍ୟକ୍ତିତ୍ୟ | ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ଅନୁସାରେ ଯୀଶୁ ହେଉଛନ୍ତି ପରମେଶ୍ୱରଙ୍କ ପୁତ୍ର | ଯୀଶୁଙ୍କ ଜୀବନ ଏବଂ ଉପଦେଶ ବାଇବେଲର ନୁତନ ନିୟମରେ ବର୍ଣ୍ଣନା କରାଯାଇଛି। କାରଣ ସେ ହିଁ ଈଶ୍ୱରଙ୍କ ଅଦ୍ୱିତୀୟ ପୂତ୍ର ଅଟନ୍ତି । ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନୋଷ୍ଟ ନୋ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ।ଯୀୀଶୁ କହିଲେ ,ମୁଁ ପଥ, ସତ୍ୟ ଓ ଜୀବନ ;ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇ ପାରେ ନାହିଁ।