ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ରକ୍ତ ହେଉଛି ଏକ ପ୍ରକାର ସଂଯୋଜକ ତନ୍ତୁ । ଏହାର ଅନ୍ତର୍ଗତ ଜୀବକୋଷଗୁଡ଼ିକୁ ରକ୍ତ କୋଷ ବା ରକ୍ତକଣିକା (Blood Corpuscles) କୁହାଯାଏ। ଏହି କଣିକାଗୁଡ଼ିକ ରକ୍ତରେ ଏକ ତରଳ ପଦାର୍ଥରେ ଭାସୁଥାନ୍ତି, ସେହି ତରଳ ପଦାର୍ଥକୁ ପ୍ରଲସି (plasma) କୁହାଯାଏ । ତେଣୁ ସାଧାରଣ ଭାବରେ ବୁଝିବାକୁ ଗଲେ ରକ୍ତ ହେଉଛି ମୁଖ୍ୟତଃ ପ୍ରଲସି ଓ ରକ୍ତ କଣିକାର ସମଷ୍ଟି । ରକ୍ତ ଏକ ଅଠାଳିଆ ତରଳ ପଦାର୍ଥ ଯାହାର ସ୍ୱାଦ ଲୁଣିଆ ଓ ଗନ୍ଧ ଆଇଁଷିଣିଆ । ଏହାର ରଙ୍ଗ ଲାଲ ହୋଇଥିଲେ ମଧ୍ୟ କେତେକ ପରିସ୍ଥିତିରେ ଏହାର ରଙ୍ଗରେ ପାର୍ଥକ୍ୟ ଦେଖାଯାଇଥାଏ । ଅଣୁବୀକ୍ଷଣ ସାହାଯ୍ୟରେ ରକ୍ତକୁ ପରୀକ୍ଷା କଲେ ସେଥିରେ ଥିବା କଣିକାଗୁଡ଼ିକ ଦେଖାଯାନ୍ତି।
ୟୁଟୁବ ଏକ ଆମେରିକୀୟ ୱେବସାଇଟ, ଯେଉଁଠାରେ ଭିଡିଓକୁ ଅପଲୋଡ କରି ଅନ୍ୟମାନଙ୍କ ସହିତ ସେୟାର କରାଯାଏ । ଏହା ଫେବୃଆରୀ ୨୦୦୫ ମସିହାରେ ପେପାଲ୍ କଂପାନୀର କିଛି ପୂର୍ବତନ କର୍ମଚାରୀଙ୍କଦ୍ୱାରା ଆରମ୍ଭ ହୋଇଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ସାନ୍ ବ୍ରୁନୋ, କାଳିଫର୍ନିଆରେ ଅବସ୍ଥିତ । ୨୦୦୬ ମସିହାରେ ଏହାକୁ ଗୁଗୁଲ କିଣିନେଇଥିଲା । ଗୁଗୁଲ୍ ସର୍ଚ୍ଚ ପରେ ଏହା ହେଉଛି ୨ୟ ୱେବ୍ସାଇଟ୍ ଯେଉଁଠିକୁ ଅଧିକ ଲୋକ ବ୍ୟବହାର କରନ୍ତି । ମଇ ୨୦୧୯ର ଏକ ରିପୋର୍ଟ ଅନୁସାରେ, ୟୁଟ୍ୟୁବ୍ରେ ପ୍ରତି ମିନିଟ୍ରେ ୫୦୦ ଘଣ୍ଟାରୁ ଅଧିକ ଭିଡିଓ ଅପଲୋଡ଼ କରାଯାଉଥିଲା ।
ବଙ୍ଗଳା ଉଇକିପିଡ଼ିଆ ବା ବାଂଲା ଉଇକିପିଡ଼ିଆ (ବଙ୍ଗଳା: বাংলা উইকিপিডিয়া) ହେଉଛି ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିପିଡ଼ିଆର ବଙ୍ଗଳା ଭାଷା ସଂସ୍କରଣ, ଯାହାକି ଏକ ମାଗଣା ଅନଲାଇନ୍ ଏନ୍ସାଇକ୍ଲୋପିଡ଼ିଆ । ଜାନୁଆରୀ ୨୭, ୨୦୦୪ରେ ଆରମ୍ଭ ହୋଇଥିବା ଏହି ଉଇକିପିଡ଼ିଆ ଅକ୍ଟୋବର ୨୦୦୬ରେ ୧୦,୦୦୦ ପ୍ରସଙ୍ଗ ଅତିକ୍ରମ କରି ଦ୍ୱିତୀୟ ଦକ୍ଷିଣ-ଏସୀୟ ଭାଷୀ ଉଇକିପିଡ଼ିଆ ହୋଇଥିଲା । ୨୫ ଡିସେମ୍ବର, ୨୦୨୦ରେ ଏହି ଉଇକିପିଡ଼ିଆରେ ୧ ଲକ୍ଷରୁ ଅଧିକ ପ୍ରସଙ୍ଗ ଅଧିକ ଲେଖାଯାଇଥିଲା । ୨୦୧୮ ମସିହାରେ, ବଙ୍ଗାଳୀ ଉଇକିପିଡ଼ିଆକୁ ବିଶ୍ୱସ୍ତରୀରେ ୧ କୋଟି ୯୦ ଲକ୍ଷରୁ ଅଧିକ ଥର ଖୋଲାଯାଇଥିବା ଖୋଲାଯାଇଥିଲା । ହାରାହାରି, ଏହି ସାଇଟ୍ ଦିନକୁ ୫ଲକ୍ଷରୁ ଅଧିକ ଥର ଦେଖାଯାଉଥିଲା ।ଜୁନ୍ ୨୦୨୦ ସୁଦ୍ଧା, ବଙ୍ଗାଳୀ ଉଇକିପିଡ଼ିଆ ହେଉଛି ଏକମାତ୍ର ଅନଲାଇନ୍ ମାଗଣା ଏନସାଇକ୍ଲୋପିଡ଼ିଆ ଯାହାକି ବଙ୍ଗଳା ଭାଷାରେ ଲେଖାଯାଇଛି । ଏହା ମଧ୍ୟ ଇଣ୍ଟରନେଟରେ ସବୁଠାରୁ ବଡ଼ ବଙ୍ଗୀୟ ବିଷୟବସ୍ତୁ ସମ୍ବନ୍ଧୀୟ ସାଇଟ ମଧ୍ୟରୁ ଅନ୍ୟତମ । ବଙ୍ଗାଳୀ ଉଇକିପିଡ଼ିଆର ମୋବାଇଲ୍ ସଂସ୍କରଣ ୨୦୧୦ ମସିହାରେ ଉନ୍ମୋଚନ ହୋଇଥିଲା ।ଏହି ଉଇକିପିଡ଼ିଆରେ ବଙ୍ଗାଳୀ ସ୍କ୍ରିପ୍ଟ ଟୁଲ୍ ପାଇଁ ଏକ ଫୋନେଟିକ୍ ଲାଟିନ୍ କି-ବୋର୍ଡ଼ ଅଛି, ଯାହାଦ୍ୱାରା କୌଣସି ସଫ୍ଟୱେର୍ ଡାଉନଲୋଡ୍ ନକରି ଲାଟିନ୍ ବର୍ଣ୍ଣମାଳାର କି-ପ୍ୟାଡ୍ ବ୍ୟବହାର କରି ସିଧାସଳଖ ବଙ୍ଗଳା ଟାଇପ୍ କରାଯାଇପାରିବ । ଏହି ଉଇକିପିଡ଼ିଆ ଗୋଷ୍ଠୀଦ୍ୱାରା ଉଇକିବାର୍ତ୍ତା ନାମକ ଏକ ସମ୍ବାଦ ପ୍ରକାଶ ପାଉଛି ।
୧୯୧୯ ମସିହା ଜୁନ୍ ୨୮ ତାରିଖରେ ଭର୍ସାଇଠାରେ ଜର୍ମାନୀ ସହିତ ମୁଖ୍ୟ ସନ୍ଧିପତ୍ର ସ୍ବାକ୍ଷରିତ ହୋଇଥିଲା ।ଏହା ଭାର୍ସାଇ ସନ୍ଧି ନାମରେ ଖ୍ୟାତ କେହି ସନ୍ଧି ଥିଲା ଏକ ଆଦେଶିତ ସନ୍ଧି ବା ନିର୍ଦ୍ଦେଶିତ ସନ୍ଧି ।ଏହା ଦୁଇ ପକ୍ଷ ମଧ୍ୟରେ ଆଲୋଚିତ ବା ସ୍ଥିରୀକୃତ ସନ୍ଧି ନ ଥିଲା। ଜର୍ମାନୀକୁ ପୁନଃ ଆକ୍ରମଣର ଭୟ ଦେଖାଇ ଏହି ସନ୍ଧିପତ୍ରରେ ସ୍ବାକ୍ଷର କରିବାକୁ ବାଧ୍ୟ କରାଯାଇଥିଲା । ଶନ୍ତିଚୁକ୍ତିର ସର୍ତ୍ତ ଅନୁସାରେ ଜର୍ମାନୀ ଓ ତାହାର ବନ୍ଧୁ ରାଷ୍ଟ୍ରମାନଙ୍କୁ ଆକ୍ରମଣକାରୀ ବୋଲି ଘୋଷଣା କରାଗଲା। ଜର୍ମାନୀର ସମସ୍ତ ଉପନିବେଶଗୁଡ଼ିକ ବିଜୟୀ ରାଷ୍ଟ୍ରମାନଙ୍କ ମଧ୍ୟରେ ବାଣ୍ଟି ଦିଆଗଲା | ଏହାଦ୍ୱାରା ତାର ସୀମା ସଂକୁଚିତ ହୋଇଗଲା | ଆଲସେସ୍ ଲୋରେନ୍ ଅଞ୍ଚଳକୁ ଜର୍ମାନୀଠାରୁ ନିଆଯାଇ ଫ୍ରାନ୍ସକୁ ଦିଆଗଲା। ସାର୍ ଅଞ୍ଚଳରେ ଥିବା ଜର୍ମାନୀର ସମସ୍ତ କୋଇଲା ଓ ଲୁହା ଖଣିକୁ ୧୫ ବର୍ଷ ଭୋଗ ଦଖଲ କରିବାର ସୁଯୋଗ ଫ୍ରାନ୍ସକୁ ଦିଆଗଲା। ରାଇନ୍ ନଦୀ ଉପତ୍ୟକାରେ ଥିବା ଜର୍ମାନୀର ସମସ୍ତ ସୈନ୍ୟଦଳକୁ ପ୍ରତ୍ୟାହାର କରିନିଆଗଲା। ଜର୍ମାନୀର ସୈନ୍ୟ ବଳକୁ ହ୍ରାସ କରାଯାଇ ଏକ ଲକ୍ଷରେ ସୀମିତ କରାଗଲା। ସେ ଆକାଶବାହିନୀ ଓ ନୌବାହିନୀ ରଖିପାରିବ ନାହିଁ ବୋଲି ସର୍ତ୍ତ ରଖାଗଲା। ଯୁଦ୍ଧର କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ କରିବା ବାବଦକୁ ଜର୍ମାନୀ ୬୫୦ କୋଟି ପାଉଣ୍ଡ ଦେବ ବୋଲି ଧାର୍ଯ୍ୟ କରାଗଲା।
ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କୁ ହିନ୍ଦୁଧର୍ମ ବିଶ୍ୱାସରେ ସୃଷ୍ଟି,ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ ।ମହେଶ୍ୱର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ଦେବଦେବ ମହାଦେବ-ସତ୍ୟ, ଶିବ, ସୁନ୍ଦର ଆଶୁବର ପ୍ରଦାନକାରୀ ଆଶୁତୋଷ । ସେ ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ । ସାଗର ମନ୍ଥନରୁ ଜାତ ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ସେହି ବିଷ ନିଜେ ପାନ କରିଦେବାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ । ତେଣୁ ତାଙ୍କର ନାମ ନୀଳକଣ୍ଠ ମୃତ୍ୟୁଞ୍ଜୟ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଉପବାସ ଶବ୍ଦକୁ ଲୋକେ ଉପାସ ବୋଲି କହିଥାନ୍ତି । ଆଂଶିକ ଖାଦ୍ୟ ଗ୍ରହଣ କରିବା କିମ୍ବା ଖାଦ୍ୟ ଗ୍ରହଣ କରିବା ଅନିଚ୍ଛାକୁ ଉପବାସ କୁହାଯାଏ । ଏହା ସାଧାରଣତଃ ୨୪ ଘଣ୍ଟା ପାଇଁ କିମ୍ବା ସାମୟିକ ଭାବେ ଅତିକମରେ ୧୨ ଘଣ୍ଟାରୁ ଆରମ୍ଭ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ପାଳନ କରାଯିବାର ଦେଖାଯାଏ । ଜଳ ଉପବାସରେ କେବଳ ଜଳ ଗ୍ରହଣ କରାଯାଏ । ପ୍ରାୟ ସମସ୍ତ ଧର୍ମର ଲୋକେ ବିଭିନ୍ନ ନାମରେ ଏହାକୁ ପାଳନ୍ତି । ଖାଦ୍ୟଭାବରୁ ମଧ୍ୟ ଅନେକ ଲୋକ ଉପାସେ ରହନ୍ତି ।ଧର୍ମପ୍ରାଣ ବ୍ୟକ୍ତିମାନେ ଏହାକୁ ଅତି ନିଷ୍ଠାର ସହ ପାଳନ କରନ୍ତି ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ହରିହର ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
ଧର୍ମ ହେଉଛି ନିର୍ଦ୍ଦିଷ୍ଟ ଆଚରଣ ଏବଂ ଅଭ୍ୟାସ, ବିଶ୍ୱ ଦୃଷ୍ଟିକୋଣ, ଦିବ୍ଯଗ୍ରନ୍ଥ, ତୀର୍ଥ, ଭବିଷ୍ୟବାଣୀ, ନୈତିକତା ଇତ୍ଯାଦି ଯାହା ମାନବକୁ ଆଲୌକିକ, ଆଧ୍ୟୟନିକ କିମ୍ବା ଆଧ୍ୟାତ୍ମିକ ଉପାଦାନ ସହିତ ଜଡ଼ିତ କରୁଥିବା ସାମାଜିକ-ସାଂସ୍କୃତିକ ବ୍ୟବସ୍ଥା । ତେବେ ସ୍ପଷ୍ଟ ଭାବରେ ଧର୍ମର ସଜ୍ଞା ଉପରେ ଏପର୍ଯ୍ୟନ୍ତ କୌଣସି ଅଧ୍ୟୟନପ୍ରସୂତ ସହମତି ନାହିଁ ।ଭିନ୍ନ ଭିନ୍ନ ଧର୍ମରେ ଦିବ୍ୟ, ପବିତ୍ର ବସ୍ତୁ, ବିଶ୍ୱାସ, ଅଲୌକିକ ଜୀବ କିମ୍ବା ଅଲୌକିକ ଜୀବନ କିମ୍ବା "ଅବଶିଷ୍ଟ ଜୀବନ ପାଇଁ ମାନଦଣ୍ଡ ଏବଂ ଶକ୍ତି ପ୍ରଦାନ କରିବା ଭଳି କିଛି ଚିରନ୍ତନତା ଏବଂ ଅପାର୍ଥିବତା" ଆଦି ବିଷୟ ରହିଥାଇପାରେ କିମ୍ବା ନଥାଇପାରେ । ଧାର୍ମିକ ଅଭ୍ୟାସଗୁଡ଼ିକ ଭିତରେ ରୀତିନିତି, ଧର୍ମୋପଦେଶ, (ଦେବତା ଏବଂ/କିମ୍ବା ସନ୍ଥମାନଙ୍କ ପ୍ରତି) ସ୍ମାରକ କିମ୍ବା ଅତ୍ୟଧିକ ସମ୍ମାନ , ବଳିଦାନ, ପର୍ବ, ଭୋଜି, ପ୍ରଣାମ, ଆରମ୍ଭ, ଅନ୍ତିମକ୍ରିୟା, ବିବାହ କାର୍ଯ୍ୟ, ଧ୍ୟାନ, ପ୍ରାର୍ଥନା, ସଂଗୀତ, କଳା, ନୃତ୍ୟ, ଜନ ସେବା କିମ୍ବା ମାନବ ସଂସ୍କୃତିର ଅନ୍ୟ ଦିଗ ଅନ୍ତର୍ଭୁକ୍ତ ହୋଇପାରେ । ଧର୍ମଗୁଡ଼ିକରେ ବିଭିନ୍ନ ପରାଭୌତିକ କାହାଣୀସବୁ ରହିଛି । ଏସବୁ ପବିତ୍ର ଶାସ୍ତ୍ର, ପ୍ରତୀକ ଏବଂ ପବିତ୍ର ସ୍ଥାନମାନଙ୍କରେ ସଂରକ୍ଷିତ ହୋଇ ରହେ ଏବଂ ତାହାର ଉଦ୍ଦେଶ୍ୟ ସାଧାରଣତଃ ଜୀବନକୁ ଅର୍ଥପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ହୋଇଥାଏ । ଧର୍ମରେ ଥିବା ସାଙ୍କେତିକ କାହାଣୀସବୁକୁ ବେଳେବେଳେ ଅନୁଗାମୀମାନେ ସତ୍ୟ ବୋଲି କହିଥାନ୍ତି । ଏସବୁର ଉଦ୍ଦେଶ୍ୟ ଜୀବନର ଉତ୍ପତ୍ତି, ବ୍ରହ୍ମାଣ୍ଡ ଏବଂ ଅନ୍ୟାନ୍ୟ ଜିନିଷର ବ୍ୟାଖ୍ୟା କରିବା । ପାରମ୍ପରିକ ଭାବେ କାରଣ ରହିତ ବିଶ୍ୱାସକୁ ଧାର୍ମିକ ବିଶ୍ୱାସର ଉତ୍ସ ଭାବେ ବିବେଚନା କରାଯାଇଛି ।ବିଶ୍ୱରେ ପ୍ରାୟ ୧୦,୦୦୦ରୁ ଅଧିକ ଧର୍ମ ରହିଛି । ବିଶ୍ୱ ଜନସଂଖ୍ୟାର ୮୪ ଭାଗ ଲୋକ ଖ୍ରୀଷ୍ଟ, ହିନ୍ଦୁ, ଇସ୍ଲାମ, ବୌଦ୍ଧ ତଥା ଲୋକପ୍ରଥା ସହ ଯୋଡି ହୋଇଛନ୍ତି । ଅବଶିଷ୍ଟ ଲୋକମାନେ ନିଜକୁ କୌଣସି ନିର୍ଦ୍ଦିଷ୍ଟ ଧର୍ମର ବୋଲି ଭାବନ୍ତି ନାହିଁ କିମ୍ବା ସେମାନେ ନିଜକୁ ନାସ୍ତିକ ବୋଲି ମାନନ୍ତି ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
କରୋନାଭୂତାଣୁ ରୋଗ ୨୦୧୯ ବା (କୋଭିଡ-୧୯) (କରୋନା, କରୋନାଭାଇରସ, କୋଭିଡ ଆଦି ନାମରେ ମଧ୍ୟ ଜଣା) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ ଦ୍ୱାରା(SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । ପ୍ରଥମ କରି ଚୀନର ଉହାନଠାରେ ୨୦୧୯ ଡିସେମ୍ବରରେ ଏହା ବାବଦରେ ଜଣା ପଡ଼ିଥିଲା । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ନାହିଦ ସିଦ୍ଦିକି (ଜନ୍ମ ୧୯୫୬ ) କଥକ ନୃତ୍ୟର ଜଣେ ପ୍ରଦର୍ଶକ ଅଟନ୍ତି । ସେ ଦୁଇଜଣ ମହାନ ଶିକ୍ଷକଙ୍କ ଶିଷ୍ୟ ହୋଇଛନ୍ତି: ମହାରାଜ କଥକ (ପାକିସ୍ଥାନ) ଏବଂ ବିରଜୁ ମହାରାଜ (ଭାରତ) ।ନିଷ୍ଠାପରତା ଦ୍ୱାରା ସେ କେବଳ ଜଣେ ପ୍ରଫୁଲ୍ଲ କଳାକାରଙ୍କ ସୁନାମ ଅର୍ଜନ କରିନାହାଁନ୍ତି ବରଂ ଏକତରଫା ଭାବରେ ଗୁଣବତ୍ତାର ଏକ ମାନକ, ସୌନ୍ଦର୍ଯ୍ୟର ଏକ ବିଶୋଧିତ ସମ୍ବେଦନଶୀଳତା ଏବଂ ବୈଷୟିକ ଜ୍ଞାନ କୌଶଳର ଏକ ଜଟିଳ ପ୍ରଣାଳୀ ପ୍ରତିଷ୍ଠା କରିଛନ୍ତି ଯାହା ସମଗ୍ର ବିଶ୍ୱରେ ବହୁ ପ୍ରଶଂସା ଲାଭ କରିଛି । ସେ ନିଜର ଶୈଳୀ, କୌଶଳ, ଏବଂ ଅଭିବ୍ୟକ୍ତି ଯୋଗଦାନ ପାଇଁ ସ୍ୱୀକୃତିପ୍ରାପ୍ତ, ଯାହା ଇସଲାମ ଏବଂ ସୁଫି ନୈତିକତା, ସମ୍ବେଦନଶୀଳତା ଏବଂ ଚରମ ଏକତା ପାଇଁ ଲାଳାୟିତ । ସିଦ୍ଦିକ ସର୍ବଦା ବିଶ୍ୱରେ ପ୍ରମୁଖ ସ୍ଥାନ, ପର୍ବପର୍ବାଣୀ ଏବଂ ଟେଲିଭିଜନରେ ପ୍ରଦର୍ଶନ କରୁଥିବାବେଳେ ନିଜ ଶିଳ୍ପକୁ ସର୍ବଦା ବିକଶିତ କରିଥାନ୍ତି ।ସେ ପାକିସ୍ତାନର ପ୍ରାଇଡ୍ ଅଫ୍ ପରଫର୍ମାନ୍ସ, ବ୍ରିଟେନର ବ୍ରିଟିଶ ସାଂସ୍କୃତିକ ପୁରସ୍କାର ଏବଂ ଆନ୍ତର୍ଜାତୀୟ ନୃତ୍ୟ ପୁରସ୍କାର ସମେତ ଅନେକ ପୁରସ୍କାର ପାଇଛନ୍ତି ।
ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାରଙ୍କ ରାଜତ୍ୱ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ୱାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚକର ବିଭୀଷିକା ବର୍ଣ୍ଣିତ ହୋଇଛି । ଏହି ଯୁଦ୍ଧରେ ଏକଲକ୍ଷ ଲୋକ ନୀହତ ହୋଇଥିଲେ । ଦେଢ଼ଲକ୍ଷ ଲୋକ ବନ୍ଦୀହୋଇ ଦେଶାନ୍ତରକୁ ପ୍ରେରିତ ହୋଇଥିଲେ ଏବଂ ପ୍ରାୟ ସେହି ସଂଖ୍ୟକ ବ୍ୟକ୍ତି ଯୁଦ୍ଧ ପର ଅବସ୍ଥାରେ ଆହାତ , ରୋଗାକ୍ରାନ୍ତ କିମ୍ବା ବୁଭୁକ୍ଷୁ ହୋଇ ମୃତ୍ୟୁମୂଖରେ ପଡ଼ିଥିଲେ । କଳିଙ୍ଗ ଯୁଦ୍ଧ ବୌଦ୍ଧ ଧର୍ମ ତଥା ପୃଥିବୀର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । ଏହି ଯୁଦ୍ଧର ଦାରୁଣ ପରିଣତି ଅଶୋକଙ୍କ ମନରେ ଗଭୀର ଦୁଃଖ ଓ ଅନୁତାପ ଜାତ କରିଥିଲା । ହିଂସା ପ୍ରଣୋଦିତ ତରବାରିର ଜୟ ଜୟ ନୁହେଁ, ମାନବ-ହୃଦୟକୁ ଜୟ କରିବା ହିଁ ପ୍ରକୃତ ଜୟ ବୋଲି ଅନୁଭବ କରି ଅଶୋକ ଅସ୍ତ୍ର ପରିତ୍ୟାଗ କଲେ । ଉପଗୁପ୍ତ ନାମକ ଜଣେ ବୌଦ୍ଧ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସି ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହା ପରେ ସତ୍ୟ ଓ ଅହିଂସା ବଳରେ ସେ ମାନବ ହୃଦୟକୁ ଜୟ କରିବା ପାଇଁ ଆତ୍ମ ନିୟୋଗ କଲେ । ସେ ନିଜ ବିଜୟ ପରେ ସୁନ୍ଦର ଭାବେ ଗଢ଼ି ତୋଳିଲେ ଓ ନିଜ ସାମ୍ରାଜ୍ୟରେ ମିଶେଇ ଥିଲେ।
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବିମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
କଳାମଣ୍ଡଳମ କଲ୍ୟାଣିକୁଟ୍ଟୀ ଆମ୍ମା(୧୯୧୫-୧୯୯୯) ଦକ୍ଷିଣ ଭାରତର କେରଳର ଜଣେ ଯୁଗାନ୍ତକାରୀ ମୋହିନୀୟାଟ୍ଟମ ନୃତ୍ୟଶିଳ୍ପୀ ଥିଲେ । ସେ ରାଜ୍ୟର ମାଲାପୁରମ ଜିଲ୍ଲାର ଥିରୁନାଭାୟାର ମୂଳ ବାସିନ୍ଦା ଅଟନ୍ତି । ସେ ମୋହିନୀୟାଟ୍ଟମର ନିକଟ ବିଲୁପ୍ତ ରାଜ୍ୟରୁ ଏକ ମୁଖ୍ୟ ସ୍ରୋତ ଭାରତୀୟ ଶାସ୍ତ୍ରୀୟ ନୃତ୍ୟରେ ପୁନରୁତ୍ଥାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ଏହାକୁ ଆନୁଷ୍ଠାନିକ ଗଠନ ଏବଂ ଅଳଙ୍କାରରେ ପରିଣତ କରିଥିଲେ ।କେରଳ କଳାମଣ୍ଡଳମର ପ୍ରାରମ୍ଭିକ ବ୍ୟାଚ ଛାତ୍ରମାନଙ୍କ ମଧ୍ୟରୁ କଲ୍ୟାଣିକୁଟ୍ଟୀ ଆମ୍ମା ସ୍ୱର୍ଗତ କଥକଲି ମାଷ୍ଟର ପଦ୍ମଶ୍ରୀ କଳାମଣ୍ଡଳମ କୃଷ୍ଣନ ନାୟାରଙ୍କୁ ବିବାହ କରିଥିଲେ । କଲ୍ୟାଣିକୁଟ୍ଟୀ ଆମ୍ମା ଲେଖିଥିବା ଦୁଇଟି ପୁସ୍ତକ ମଧ୍ୟରୁ “ମୋହିନିୟତମ୍ - ଇତିହାସ ଏବଂ ନୃତ୍ୟ ସଂରଚନା” ମୋହିନୀଟ୍ଟମ ଉପରେ ଏକ ବିସ୍ତୃତ ଏବଂ କେବଳ ପ୍ରାମାଣିକ ଡକ୍ୟୁମେଣ୍ଟେସନ ଭାବରେ ବିବେଚନା କରାଯାଏ ।କଲ୍ୟାଣିକୁଟ୍ଟୀ ଆମ୍ମା ଉଭୟ କେରଳ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ କେନ୍ଦ୍ରୀୟ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ । ସେ ୧୨ ମଇ ୧୯୯୯ ରେ ତ୍ରିପୁଣିଥୁରା (ଯେଉଁଠାରେ ଏହି ଦମ୍ପତି ସ୍ଥିର ହୋଇଥିଲେ) ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ତାଙ୍କ ପୁଅ ଜଣେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଅଭିନେତା ହୋଇଥିବାବେଳେ ନାତୁଣୀ ସ୍ମିଥା ରାଜନ ଜଣେ ଜଣାଶୁଣା ମୋହିନୀୟାଟ୍ଟମ କଳାକାର ଥିଲେ । ସେ ପ୍ରସିଦ୍ଧ କବି ଭାଲାଥୋଲ ନାରାୟଣ ମେନନଙ୍କଠାରୁ କାବ୍ୟତ୍ରି ପୁରସ୍କାର ଗ୍ରହଣ କରିଥିଲେ ।
ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକ ପ୍ରଶାସନିକ ରାଜ୍ୟ । ଏହାର ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଏବଂ ପୂର୍ବରେ ବଙ୍ଗୋପ ସାଗର ରହିଛି । ରାଜ୍ୟର ପଶ୍ଚିମ ଓ ଉତ୍ତରାଂଶ ଛୋଟନାଗପୁର ମାଳଭୂମିର ଅଂଶବିଶେଷ । ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମହାନଦୀ, ବ୍ରାହ୍ମଣୀଓ ବୈତରଣୀ ନଦୀ ପ୍ରଭୃତିର ମୁହାଣରେ ଉର୍ବର ପଟୁମୃତ୍ତିକା ଯୁକ୍ତ ସମତଳ ଭୂମି ଦେଖାଯାଏ । ଏହି ସମତଳ ଭୂମିରେ ମୂଖ୍ୟତଃ ଧାନଚାଷ କରାଯାଏ ।
ସୀମା କେରମଣୀ (ଉର୍ଦ୍ଦୁ: شیما کرمانی; ଜନ୍ମ ୧୬ ଜାନୁଆରୀ ୧୯୫୧) ଜଣେ ପାକିସ୍ତାନୀ ନୃତ୍ୟଶିଳ୍ପୀ ତଥା ସମାଜସେବୀ ଅଟନ୍ତି । ସେ ତେହେରିକ୍-ଇ-ନିସୱାନ୍ ସାଂସ୍କୃତିକ ଆକ୍ସନ ଗ୍ରୁପ (ମହିଳା ଆନ୍ଦୋଳନ) ର ପ୍ରତିଷ୍ଠାତା ଅଟନ୍ତି । ସେ ମଧ୍ୟ ଭରତନାଟ୍ୟମ ନୃତ୍ୟର ଜଣେ ପ୍ରଦର୍ଶକ ଅଟନ୍ତି । ସେ ପାକିସ୍ଥାନର କରାଚିରେ ଅବସ୍ଥିତ ଜଣେ ଜଣାଶୁଣା ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ, କୋରିଓଗ୍ରାଫର, ନୃତ୍ୟ ଗୁରୁ, ଥିଏଟର ଅଭ୍ୟାସକାରୀ, ଅଭିନେତା, ନିର୍ଦ୍ଦେଶକ, ନିର୍ମାତା ଏବଂ ଟିଭି ଅଭିନେତା ଅଟନ୍ତି । ସେ ସଂସ୍କୃତି, ମହିଳା ଅଧିକାର, ଏବଂ ଶାନ୍ତି ପ୍ରସଙ୍ଗରେ ଓକିଲାତି କରିଥିଲେ ।
ସୁରେନ୍ଦ୍ର ନାଥ ଜେନା (୧୦ ଅକ୍ଟୋବର ୧୯୨୪ - ୮ ଅକ୍ଟୋବର ୨୦୦୭) ଅନେକ ରଚନା ସହିତ ଏକ ସମ୍ପୂର୍ଣ୍ଣ ଓଡ଼ିଶୀ ନୃତ୍ୟ ଶୈଳୀ ସୃଷ୍ଟି କରିଥିଲେ । ଏହି ନୃତ୍ୟ ଶୈଳୀରେ ଭାରତୀୟ ସଂସ୍କୃତିର ବିଭିନ୍ନ ଦିଗ ଯଥା ମନ୍ଦିର ମୂର୍ତ୍ତି, ପ୍ରାଚୀନ ନୃତ୍ୟ, ସଂସ୍କୃତ ଏବଂ ଭାଷା ସାହିତ୍ୟ, ଯୋଗ, ପାରମ୍ପାରିକ ଚିତ୍ର, ପାଣ୍ଡୁଲିପି ଏବଂ ଦର୍ଶନ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ରଚନାଗୁଡ଼ିକର ସମ୍ପୂର୍ଣ୍ଣ ସଂଗୀତ ଏବଂ ନୃତ୍ୟ କୋରିଓଗ୍ରାଫି ଜେନା ନିଜେ କରିଥିଲେ ।
ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ (୭ ନଭେମ୍ବର ୧୮୮୮ - ୨୧ ନଭେମ୍ବର ୧୯୭୦) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଥିଲେ । ୧୯୩୦ ମସିହାରେ ଆଲୋକ ପ୍ରତିସରଣ ଉପରେ ଗବେଷଣା (ରମଣ ପ୍ରଭାବ) ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ଆବିଷ୍କାର କରିଥିଲେ ଯେ ଆଲୋକ ରଶ୍ମି ଯେତେବେଳେ ଗୋଟିଏ ସ୍ୱଚ୍ଛ ପଦାର୍ଥ ଦେଇ ଅତିିିିକ୍ରମ କରେ , କିଛି ଆଲୋକ ରଶ୍ମି ବିଚ୍ଛୁରିତ ହୋଇଯାନ୍ତି ଏବଂ ତାଙ୍କର ଦୈର୍ଘ୍ୟ ଓ ବିସ୍ତୃତିରେ ପରିବର୍ତ୍ତନ ହୁଏ ।ଏହି ପ୍ରତ୍ୟକ୍ଷ ଭାବେ ପରିପ୍ରକାଶ ଘଟଣାକୁ ରମଣ ବିିିିଚ୍ଛୁରଣ କୁହାଯାଏ, ଯାହାକି ରମଣ ପ୍ରଭାବଦ୍ୱାରା ହୋଇଥାଏ । ୧୯୫୪ରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଅମଜାଦ ଅଲି ଖାନ (ଜନ୍ମ ୯ ଅକ୍ଟୋବର ୧୯୪୫) ଜଣେ ଭାରତୀୟ ଶାସ୍ତ୍ରୀୟ ସରୋଦ ବାଦକ ଅଟନ୍ତି, ଯାହା ତାଙ୍କର ସ୍ୱଚ୍ଛ ଏବଂ ଦ୍ରୁତ ଇଖରା ଟାନ୍ସ ପାଇଁ ଜଣାଶୁଣା । ଖାନ ଏକ ଶାସ୍ତ୍ରୀୟ ସଂଗୀତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୬୦ ଦଶକରୁ ଆନ୍ତର୍ଜାତୀୟ ସ୍ତରରେ ଅଭିନୟ କରିଥିଲେ । ତାଙ୍କୁ ୨୦୦୧ ମସିହାରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼଼଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼଼଼ଦେଉଳ ଏବଂ ବଡ଼଼଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ଗୋଲୋକ ବିହାରୀ ଧଳ (୧୫ ଡିସେମ୍ବର ୧୯୨୧- ୨୪ ଜୁନ ୧୯୭୪) ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଜଣେ ଭାଷାତତ୍ତ୍ୱବିତ, ପ୍ରଫେସର, ଧ୍ୱନି ତତ୍ତ୍ୱବିତ୍, ଅନୁବାଦକ, ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ଜଣେ ପ୍ରାବନ୍ଧିକ ଭାବେ ସେ ବିଭିନ୍ନ ଗଠନମୂଳକ ମୂକ୍ୟବୋଧ ତଥା ଓଡ଼ିଶାର ସମାଜ, ଶିକ୍ଷା, ସଂସ୍କୃତି ଓ ପରମ୍ପରା ଉପରେ ପ୍ରବନ୍ଧମାନ ରଚନା କରୁଥିଲେ । ଭାରତର ଜାତୀୟ ଜୀବନର ତ୍ରୁଟିବିଚ୍ୟୁତି ଉପରେ ତାଙ୍କର କିଛି ପ୍ରବନ୍ଧ ରଚିତ । ତାଙ୍କ ପ୍ରବନ୍ଧମାନ ସରଳ, ସଂକ୍ଷିପ୍ତ ଓ ଇଙ୍ଗିତଧର୍ମୀ ।
ପାରମ୍ପରିକ ଭାରତୀୟ ସମାଜରେ , ମହାଲିଙ୍ଗ ଭଗବାନ ମହାଦେବ (ଶିବ)ଙ୍କର ଶକ୍ତି ଏବଂ ଅସ୍ଫୁଟର ଏକ ପ୍ରତୀକ ଅଟେ । ମହା ଶିବଲିଙ୍ଗର ଅର୍ଥ ହେଉଛି ଭଗବାନ ଶିବ (ମହାଦେବ)ଙ୍କ ଆଦି-ଅନାଦୀ ସ୍ୱରୂପ । ଶୂନ୍ୟ , ଆକାଶ , ଅନନ୍ତ ବ୍ରହ୍ମାଣ୍ଡ ଏବଂ ନିରାକାର ପରମ ପୁରୁଷଙ୍କ ପ୍ରତୀକ ହୋଇଥିବାରୁ ଏହାକୁ ଲିଙ୍ଗ କୁହାଗଲା । ସ୍କନ୍ଧ ପୁରାଣରେ କୁହାଯାଇଛି , ଆକାଶ ସ୍ୱୟଂ ଲିଙ୍ଗ ଅଟେ । ଧରତୀ ତାହାର ପୀଠ କିମ୍ବା ଆଧାର ଅଟେ ଏବଂ ସମସ୍ତ ଅନନ୍ତ ଶୂନ୍ୟରୁ ଜନ୍ମ ହୋଇଛନ୍ତି , ସେଥିରେ ଲୟ ହେବା କାରଣରୁ ତାହାଙ୍କୁ ଲିଙ୍ଗ କୁହାଗଲା । ବାତାବରଣ ସହିତ ଘୁରୁଥିବା ପୃଥିବୀ କିମ୍ବା ଅନନ୍ତ ବ୍ରହ୍ମାଣ୍ଡ (ବ୍ରହ୍ମାଣ୍ଡ ଗତିମାନ ଅଟେ)ର ଅକ୍ଷ/ଘୁରୀ (axis) ହିଁ ଲିଙ୍ଗ ଅଟେ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ମେଘନାଦ ସାହା (୬ ଅକ୍ଟୋବର ୧୮୯୩ – ୧୬ ଫେବୃଆରୀ ୧୯୫୬) ଜଣେ ପ୍ରସିଦ୍ଧ ଭାରତୀୟ ପଦାର୍ଥ ବିଜ୍ଞାନୀ। ସେ ସାହା ସମିକରଣର ପ୍ରତିପାଦନ ପାଇଁ ପ୍ରସିଦ୍ଧ ଥିଲେ । ଏହା ସମୀକରଣ ତାରୋରେ ଭୌତିକ ଏବଂ ରାସାୟନିକ ସ୍ଥିତିର ବ୍ୟାଖ୍ୟା କରିଥାଏ । ତାଙ୍କ ଅଧ୍ୟକ୍ଷତାରେ ଗଠିତ ବିଦ୍ୱାନଙ୍କ ଏକ ସମିତି "ଭାରତର ରାଷ୍ଟ୍ରୀୟ ପଞ୍ଚାଗ"ର ମଧ୍ୟ ସଂଶୋଧନ କଲେ , ଯାହା ୨୨ ମାର୍ଚ୍ଚ , ୧୯୫୭ରେ ଲାଗୁ କରାଗଲା । ସେ "ସାହା ନାଭିକୀୟ ଭୌତିକ ସଂସ୍ଥାନ" ତଥା "ଇଣ୍ଡିଆନ ଏସୋସିଏସନ ଫର୍ ଦି କଲଟିଭେସନ ଅଫ୍ ସାଇନ୍ସ" ନାମକ ଦୁଇ ମହତ୍ତ୍ୱପୂର୍ଣ୍ଣ ସଂସ୍ଥାର ସ୍ଥାପନ କରିଥିଲେ । ସେ ଜଣେ ବୈଜ୍ଞାନିକ ସ୍ୱାଧୀନ ଭାବେ ଲଢ଼ି ଲୋକ ସଭାର ସଦସ୍ୟ ହୋଇ ପରମାଣୁ ଶକ୍ତି ଉତ୍ପାଦନ ପାଇଁ ଓ ଦେଶକୁ ପରମାଣୁ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବି କରାଇବା ନିମନ୍ତେ ପ୍ରୟାସ କରିଥିଲେ ।
ଓମ୍ (ॐ, ওঁ, ଓଁ ) କିମ୍ବା ଓଁକାରର ନାମନ୍ତର ପ୍ରଣବ ଅଟେ । ଏହା ଈଶ୍ୱରର ବାଚକ ଅଟେ । ଈଶ୍ୱରଙ୍କ ସହିତ ଓଁକାରର ବାଚ୍ୟ-ବାଚକ-ଭାବ ସମ୍ବନ୍ଧ ନିତ୍ୟ ଅଟେ, ସାଙ୍କେତିକ ନୁହେଁ । ସଙ୍କେତ ନିତ୍ୟ କିମ୍ବା ସ୍ୱାଭାବିକ ସମ୍ବନ୍ଧକୁ ପ୍ରକଟ କରିଥାଏ। ସୃଷ୍ଟିର ଆଦିରେ ସର୍ବପ୍ରଥମ ଓଁକାର ରୂପୀ ପ୍ରାଣବର ହିଁ ସ୍ଫୁରଣ ହୋଇଥାଏ । ତଦାନନ୍ତର ସାତ କୋଟି ମନ୍ତ୍ରର ଆବିର୍ଭାବ ହୋଇଥାଏ । ଏହି ମନ୍ତ୍ରର ବାଚ୍ୟ ଆତ୍ମାର ଦେବତା ରୂପେ ପ୍ରସିଦ୍ଧ ହୋଇଥାଏ । ଏହି ଦେବତା ମାୟା ଉପରେ ବିଦ୍ୟମାନ ମାୟା ସୃଷ୍ଟିର ନିୟନ୍ତ୍ରଣ କରିଥାଏ । ଏଥିରୁ ଅଧା ଶୁଦ୍ଧ ମାୟାଜଗତରେ କାର୍ଯ୍ୟ କରିଥାଏ ଏବଂ ଶେଷ ଅଧା ଅଶୁଦ୍ଧ କିମ୍ବା ମଳିନ ମାୟା ଜଗତରେ । ଏହି ଏକ ଶବ୍ଦକୁ ବ୍ରହ୍ମାଣ୍ଡର ଭୌତିକ ବଚନ ମାନନ୍ତି, 16 ଶ୍ଳୋକରେ ଏହାର ମହିମା ବର୍ଣ୍ଣିତ ହୋଇଥାଏ ।
ଦୁର୍ଗା (ସଂସ୍କୃତ: दुर्गा, ଅସଂଲିବ: Durgā) ହିନ୍ଦୁ ଧର୍ମର ଏକ ପ୍ରମୁଖ ଦେବୀ । ସେ ଦେବୀଙ୍କ ଏକ ମୁଖ୍ୟ ଦିଗ ଭାବରେ ପୂଜା ପାଆନ୍ତି ଏବଂ ଲୋକପ୍ରିୟ ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଅନ୍ୟତମ ଭାବେ ସମ୍ମାନୀତ । ସେ ସୁରକ୍ଷା, ଶକ୍ତି, ମାତୃତ୍ୱ, ବିନାଶ ଏବଂ ଯୁଦ୍ଧ ସହ ଜଡ଼ିତ । ତାଙ୍କର କିମ୍ବଦନ୍ତୀ ଶାନ୍ତି, ସମୃଦ୍ଧି ଏବଂ ଧର୍ମପ୍ରତି ବିପଦ ସୃଷ୍ଟି କରୁଥିବା ମନ୍ଦ ଏବଂ ଭୂତ ଶକ୍ତିର ମୁକାବିଲା ସମ୍ବନ୍ଧିତ । ଦୁର୍ଗା ନିର୍ଯାତିତଙ୍କ ମୁକ୍ତି ପାଇଁ ଦୁଷ୍ଟମାନଙ୍କ ବିରୁଦ୍ଧରେ ନିଜର ଦିବ୍ୟ କ୍ରୋଧ ପ୍ରକାଶ କରୁଥିବା ଏବଂ ସୃଷ୍ଟିକୁ ସଶକ୍ତ କରିବା ପାଇଁ ବିନାଶ କରୁଥିବା ବିଶ୍ୱାସ କରାଯାଏ ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ଦ୍ରୌପଦୀ ମୁର୍ମୁ (ଜନ୍ମ: ୨୦ ଜୁନ ୧୯୫୮) ଜଣେ ଭାରତୀୟ ରାଜନୀତିଜ୍ଞା ଓ ଭାରତର ୧୫ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି । ଭାରତର ରାଷ୍ଟ୍ରପତି ହେବାରେ ସେ ପ୍ରଥମ ଆଦିବାସୀ । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର (୨୦୦୦ ଏବଂ ୨୦୦୪ରେ) ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଝାଡ଼ଖଣ୍ଡର ରାଜ୍ୟପାଳ (୨୦୧୫-୨୦୨୧) ଭାବରେ କାର୍ଯ୍ୟ କରିଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ବାଣିଜ୍ୟ ଏବଂ ଗମନାଗମନ ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟକରିଥିଲେ ।
ଷ୍ଟିଭେନ ପଲ ଜବ୍ସ ((; ଫେବୃଆରୀ ୨୪, ୧୯୫୫ – ଅକ୍ଟୋବର ୫, ୨୦୧୧) ଜଣେ ଆମେରିକୀୟ କମ୍ପ୍ୟୁଟର ବିଜ୍ଞାନୀ ଥିଲେ । ସେ ଆପଲ କମ୍ପାନୀର ସହ ସ୍ଥାପକ ଓ ମୁଖ୍ୟ ଅଧ୍ୟକ୍ଷ ମଧ୍ୟ ଥିଲେ;pixar animation studios ର ମୁଖ୍ୟ ଅଧ୍ୟକ୍ଷ ; the Walt Disney companyର ନିୟଂତ୍ରକ ମଣ୍ଡଳିର ସଦସ୍ୟ ମଧ୍ୟ ଥିଲେ।ସେ NeXT.incର ଉଦ୍ଭାବକ ଓ ମୁଖ୍ୟ ଅଧକ୍ଷ ମଧ୍ୟ ଥିଲେ। ସେ ୧୯୭୦ micro computer revolutionର ଆଦିମ ଆବିଷକର୍ତା ଭାବେ ଜଣଶୁଣା। ତାଙ୍କ ଦେହାନ୍ତ ପରେ ତାଙ୍କ ଜୀବନୀ ଲେଖକ ତାଙ୍କୁ ବର୍ଣ୍ଣନା କରି ଲେଖିଛନ୍ତି ଯେ "ତାଙ୍କ ପରିବର୍ତ୍ତନ ପାଇଁ ଆବେଗ ଏବଂ ଉତ୍ସାହ" ତାଙ୍କୁ 6ଟି ବଡ଼ କମ୍ପାନୀରେ ପରିବର୍ତ୍ତନ ଆଣିବା ପାଇଁ ସହାୟକ ହୋଇଥିଲା।
ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏହାର ଦୂରତା ସଦର ମହକୁମାରୁ ପ୍ରାୟ ୮୦ କି.ମି ହେବ । ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତରାଞ୍ଚଳରେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଥିବାବେଳେ ଦକ୍ଷିଣରେ ରହିଛି ହରିଶଙ୍କର । ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ୱତନ୍ତ୍ରତା ରହିଛି । ହରିଶଙ୍କର ମନ୍ଦିର ଏବଂ ନୃସିଂହନାଥ ମନ୍ଦିର ମଧ୍ୟରେ ଅବସ୍ଥିତ ମାଳଭୂମିରେ ବୌଦ୍ଧ ଧର୍ମାଲମ୍ବୀଙ୍କଦ୍ୱାରା ନିର୍ମାଣ କରାଯାଇଥିବା ଧ୍ୱସ୍ତବିଧ୍ୱସ୍ତ ଏକ ପ୍ରାଚୀନ ପରିମଳଗିରି ବିଶ୍ୱବିଦ୍ୟାଳୟ ରହିଛି ।
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ୱାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ୱାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ ।
ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ ।
ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏକ ସାରସ୍ୱତ ସମ୍ମାନ ଯାହା ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ସାହିତ୍ୟର ଜଣେ ସାହିତ୍ୟିକଙ୍କ ସମଗ୍ର ରଚନାବଳୀ ପାଇଁ ପ୍ରଦାନ କରାଯାଇଥାଏ । ଏହା ଏକାଡେମୀଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ସାରସ୍ୱତ ସମ୍ମାନ । ଏହା ପଞ୍ଚଦଶ ଶତାବ୍ଦୀର ଓଡ଼ିଆ କବି ଓ ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କ ନାମରେ ନାମିତ । ପୁରସ୍କାର ବିଜେତାଙ୍କୁ ମାନପତ୍ର, ଉପଢୌକନ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଏ । ୧୯୯୩ରୁ ପ୍ରବର୍ତ୍ତିତ ଏହି ସମ୍ମାନର ପ୍ରଥମ ପ୍ରାପକ ହେଉଛନ୍ତି ଓଡ଼ିଆ କବି ରାଧାମୋହନ ଗଡ଼ନାୟକ ।
{{Infobox person | name = ଚାଣକ୍ୟ | image = Chanakya.jpg | image_size = | alt = | caption = An artist's imagination of Chanakya | birth_date = c. 370 BCE | birth_place =ଜନ୍ମ ସ୍ଥାନ ବିବାଦୀୟ , କେତେକଙ୍କ ମତରେ ପାଟଳୀପୁତ୍ର, ତକ୍ଷଶିଳା ଏବଂ ଦକ୍ଷିଣ ଭାରତ | death_date = c. 283 BCE | death_place = ପାଟଳୀପୁତ୍ର | other_names = କୈଟିଲ୍ୟ, ବିଷ୍ଣୁଗୁପ୍ତ | alma_mater = ତକ୍ଷଶିଳା | occupation = Professor and royal advisor | known_for = Foundation of the ମୌର୍ଯ୍ୟ ସାମ୍ରାଜ୍ୟ | notable_works = ଅର୍ଥଶାସ୍ତ୍ର (authorship disputed), ଚାଣକ୍ୟ ନୀତି | influences = | influenced = | footnotes = କୌଟିଲ୍ୟ (ଖ୍ରୀ.ପୂ.
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭା ଦ୍ବାରା ନିର୍ମିତ) । ଏହା ଲୋକଙ୍କ ଦ୍ବାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।
ଯୋଗ (ଇଂରାଜୀ:Yoga (; ସଂସ୍କୃତ: योग, Listen) ପ୍ରାଚୀନ ଭାରତରେ ପ୍ରାୟ ୬୦୦୦ ବର୍ଷ ପୂର୍ବେ ବିକଶିତ ହୋଇଥିବା ଶରୀର,ମନ ଓ ଆତ୍ମାକୁ ସଂଯମ କରିବାର ଏକ ଆଧ୍ୟାତ୍ମିକ ପଦ୍ଧତି । ଯୋଗର ଅନେକ ଅନେକ ଶାଖା ଓ ଅଭ୍ୟାସ ରହିଛି । ଏହାର ହିନ୍ଦୁଧର୍ମ, ବୌଦ୍ଧଧର୍ମ ଓ ଜୈନଧର୍ମରେ ବିଭିନ୍ନ ସାଧନା ମାର୍ଗ ରହିଛି । ଯୋଗର ବହୁ ଶାଖା ମଧ୍ୟରେ ରାଜଯୋଗ ଓ ହଠଯୋଗ ବିଶେଷ ପ୍ରସିଦ୍ଧ ।
'ରବୀନ୍ଦ୍ରନାଥ ଠାକୁର ' ( (listen); ଛାଞ୍ଚ:IPA-bn), (୧୮୬୧-୧୯୪୧) ଏକାଧାରରେ ଜଣେ କବି, ଚିତ୍ରଶିଳ୍ପୀ, ସଂଗୀତଜ୍ଞ, ଶିକ୍ଷାବିତ, ଗାଳ୍ପିକ ଓ ଦାର୍ଶନିକ ଥିଲେ । ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟକ ବୋଲି ଧରାଯାଏ । ଭାରତୀୟ ଭାଷା ଅନୁସାରେ ତାଙ୍କ ନାମ ରବିଦ୍ରନାଥ ଠାକୁର ଥିଲା । ତାଙ୍କୁ "ବଙ୍ଗଳାର ପକ୍ଷୀ" ବୋଲି ଆଖ୍ୟା ଦିଆଯାଇଥିଲା ।ଭାରତୀୟମାନଙ୍କ ମଧ୍ୟରେ ସେ ସର୍ବ ପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ । ଟାଗୋର ବହୁତ ଗଳ୍ପ, କବିତା, ଓ ନାଟକ ରଚନା କରିଥିଲେ ଓ ତା' ସହ ବହୁତ ଗୀତ ଓ ସଙ୍ଗୀତ ଲେଖିଥିଲେ । ରବୀନ୍ଦ୍ରନାଥଙ୍କ ୫୨ଟି କାବ୍ୟଗ୍ରନ୍ଥ, ୩୮ଟି ନାଟକ, ୧୩ଟି ଉପନ୍ୟାସ, ୩୬ଟି ପ୍ରବନ୍ଧ, ୯୬ କ୍ଷୁଦ୍ର ଗଳ୍ପ ଓ ୧୯୧୫ ସଙ୍ଗୀତ ପ୍ରକାଶିତ ହୋଇସାରିଛି । ରବୀନ୍ଦ୍ରନାଥଙ୍କ ରଚନା ବିଭିନ୍ନ ଭାଷାରେ ଅନୁବାଦିତ ହୋଇସାରିଛି । ଗୀତାଞ୍ଜଳିର ଲେଖକ ଓ ତାଙ୍କର ଗଭୀର ସମ୍ବେଦନଶୀଳ, ତାଜା, ସୁମଧୁର କବିତା; ୧୯୧୩ ମସିହାରେ ଗୀତାଞ୍ଜଳି କବିତାଗ୍ରନ୍ଥର ଇଂରାଜୀ ଅନୁବାଦ ପାଇଁ ସେ ନୋବେଲ ପୁରସ୍କାର ଲାଭ କରିଥିଲେ । ତାଙ୍କଦ୍ୱାରା ରଚିତ ସଂଗୀତ ୨ଟି ଦେଶ, ନିଜ ନିଜ ଦେଶର ଜାତୀୟ ସଂଗୀତ ଭାବେ ବାଛି ନେଇଛନ୍ତି: ଭାରତ "ଜନ ଗଣ ମନ" ଓ ବାଂଲାଦେଶ "ଆମର୍ ସୋନାର ବଙ୍ଗଲା" । ଶ୍ରୀଲଙ୍କାର ଜାତୀୟ ସଂଗୀତ ମଧ୍ୟ ଟାଗୋରଙ୍କଠାରୁ ପ୍ରେରଣା ଲାଭ କରିଥିଲା । ଗୋଟେ ପିରାଲୀ ବ୍ରାହ୍ମଣ କଲିକତାର ପୈତୃକ ସମ୍ଭ୍ରାନ୍ତ ଶ୍ରେଣୀର ଲୋକ ଜେସର ସହର ସହ ସମ୍ପର୍କିତ, ସେ ଯେତେବେଳେ ୮ବର୍ଷ ବୟସର ହେଇଥିଲେ ସେତେବେଳେ ସେ ଲେଖା ଆରମ୍ଭ କରିଥିଲେ । ଷୋହଳ ବର୍ଷ ବୟସରେ, ସେ ଭାନୁସିଂହ ନାମକ ଛଦ୍ମ ନାମ ଉପଯୋଗ କରି ନିଜର କବିତାକୁ ଉନ୍ମୋଚନ କରିଥିଲେ । ସେହି କବିତାଗୁଡିକୁ ସାହିତ୍ୟିକ ମହଲରୁ ଅନେକ ପ୍ରଶଂସା କରାଯାଇଥିଲା । ଅନୁବାଦରେ ତାଙ୍କ କବିତା ଅଧ୍ୟତ୍ମିକ ଓ ସୁଲଳିତ ଥିଲା ,କିନ୍ତୁ ତାଙ୍କର ରୁଚିପୂର୍ଣ ଗଳ୍ପ ଓ ସୁମଧୁର କବିତା ବହୁତ ସମୟ ପର୍ଯ୍ୟନ୍ତ ବଙ୍ଗଳା ବାହାରେ ଜଣା ନ ଥିଲା ।୧୮୭୭ ମସିହାରେ ସେ ନିଜେ ଛୋଟ ଗଳ୍ପ ଓ ନାଟକ ନିଜ ନାମରେ ପ୍ରକାଶନ କରି ଥିଲେ । ସେ ଜଣେ ମାନବବାଦୀ, ଭୌମିକତା, ଅନ୍ତରାଷ୍ଟ୍ରୀୟବେଦୀ ଥିଲେ । ସେ ବ୍ରିଟିଶ ଶାସନର ନିନ୍ଦା ଓ ଭାରତର ସ୍ୱଧୀନ ପାଇଁ ଓକିଲାତି କରୁଥିଲେ । ବଙ୍ଗଳା ପୁନଃଜାଗରଣ ର ପ୍ରତିବାଦକ ରୂପରେ ,ସେ ଚିତ୍ର, ଚିତ୍ରାଙ୍କନ , ୧୦୦ ବହି, କିଛି ୨୦୦୦ ସଂଖ୍ୟକ କବିତା, ଇଚ୍ଛାପତ୍ର ସାମିଲ ଥିଲା, ତାଙ୍କଦ୍ୱାରା ବିଶ୍ୱ ଭାରତୀୟ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା ।
{{Use British English|date=November 2011}} ଶ୍ରୀନିବାସ ରାମାନୁଜନ (pronunciation ) (୨୨ ଡିସେମ୍ବର ୧୮୮୭ – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ । ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ। ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ 'ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ। ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ?
ପୁରୀରେ ଲୋକନାଥ ମନ୍ଦିର ଅବସ୍ଥିତ । ଲୋକନାଥଙ୍କ ବିଜେ ପ୍ରତିମା 'ଭଣ୍ଡାର ଲୋକନାଥ' ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ । ଏଠାରେ ବର୍ଷସାରା ଲୋକନାଥଙ୍କ ଶ୍ରୀଲିଙ୍ଗ ପାଣି ଭିତରେ ବୁଡ଼ି ରହିଥାନ୍ତି । ଜଳବିହାରୀ ଶ୍ରୀଲୋକନାଥଙ୍କ ଲିଙ୍ଗରୁ ବର୍ଷସାରା ଜଳ ନିର୍ଗମ ହୋଇ ମନ୍ଦିର ଗମ୍ଭିରାକୁ ପରିପୂର୍ଣ୍ଣ କରିଦେଇଥାଏ । ଶ୍ରୀକ୍ଷେତ୍ରେ ବିଜେ ବାବା ଶ୍ରୀଲୋକନାଥଙ୍କ ଶକ୍ତି ବିଜେ କରିଥିବା ଗର୍ଭଗୃହରୁ ପଙ୍କୋଦ୍ଧାର ଏକାଦଶୀରେ ପଙ୍କୋଦ୍ଧାର ହୋଇଥାଏ । ବର୍ଷସାରା ପ୍ରଭୁଙ୍କ ଲିଙ୍ଗ ଉପରେ ଲାଗି କରାଯାଇଥିବା ଫୁଲ, ବେଲପତ୍ର, ଛାଚି, କଦଳୀ ଓ ଜମି ଯାଇଥିବା ପଙ୍କ ଏହି ଅବସରରେ ବାହାର କରାଯାଇଥାଏ । ସେବାୟତମାନେ ଗମ୍ଭିରାରୁ ପଙ୍କ ଓ ପୂଜା ସାମଗ୍ରୀକୁ ଉଦ୍ଧାର କରିବା ପରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିଥାନ୍ତି । ବର୍ଷକରେ ଦିନେ ଶ୍ରଦ୍ଧାଳୁମାନେ ଶ୍ରୀଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ।
ଛତ୍ରପତି ଶିବାଜୀ ରାଜ ଭୋଁସଲେ ପଶ୍ଚିମ ଭାରତର ମରାଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ । ମହାରାଷ୍ଟ୍ରରାଜ୍ୟର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ ୧୬୩୦ରେ) ଶିବାଜୀ ଜନ୍ମଗ୍ରହଣ କରିଥିଲେ । ଶିବାଜୀଙ୍କ ପିତାଙ୍କ ନାମ ସାହାଜୀ ଭୋଁସଲା ଓ ମାତାଙ୍କ ନାମ ଜିଜାବାଈ । ସାହାଜୀ ପ୍ରଥମେ ଆହମ୍ମଦନଗରର ସୁଲତାନଙ୍କ ପାଖରେ ଚାକିରୀ କରି ପୁନା (ପୁଣେ) ଜାୟଗିରି ପାଇଥିଲେ । ଆହମ୍ମଦନଗରର ପତନ ପରେ ସାହାଜୀ ବିଜାପୁର ସୁଲତାନଙ୍କ ପାଖରେ ଚାକିରୀ କଲେ । ସାହାଜୀ ପୁନାରୁ ଦୂରରେ ରହି ଚାକିରୀ କରିବାରୁ ଶିବାଜୀ ପିଲାଦିନରେ ମାତାଙ୍କ ପାଖରେ ରହି ବିଦ୍ୟାଶିକ୍ଷା ଲାଭ କରିଥିଲେ । ନିଜ ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁ ଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ସଂକଳ୍ପ କରିଥିଲେ ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଖରେ ବିଭିନ୍ନ ପ୍ରକାର ଅନ୍ନବ୍ୟଞ୍ଜନ ଭୋଗ ହୋଇସାରି ବିମଳାଙ୍କ ନିକଟରେ ସମର୍ପଣ କରାଯିବା ପରେ ତାହାକୁ ମହାପ୍ରସାଦ (ଅବଢ଼ା ନାମରେ ମଧ୍ୟ ଜଣା) କୁହାଯାଏ । ଏହା ଅବଢ଼ା (ଏହା ବଢ଼ା ନହୋଇ ଗୋଟା କୁଡୁଆରେ ଠାକୁରମାନଙ୍କୁ ଅର୍ପଣ କରାଯାଉଥିବାକୁ ଏହାକୁ ଅବଢ଼ା (ବଢ଼ା ହୋଇନଥିବା) କୁହାଯାଇଥାଏ । ଅବଢ଼ା ନିର୍ମାଲ୍ୟ, ମାହାର୍ଦ୍ଦ ଓ କୈବଲ୍ୟ ନାମରେ ମଧ୍ୟ ଜଣା । କୈବଲ୍ୟ ଓ ଅବଢ଼ା ମଧ୍ୟରେ ପାର୍ଥକ୍ୟ ହେଉଛି, କୈବଲ୍ୟକୁ ଦୁଇ ଆଙ୍ଗୁଠିରେ ଅର୍ଥାତ କଣିକାଏ ଖାଇବାକୁ ହୁଏ; କିନ୍ତୁ ଅବଢ଼ା ମନମୁତାବକ ପେଟପୁରା ଖିଆଯାଏ ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।