ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
୨୦୧୪ ମସିହା ମାର୍ଚ୍ଚ ୧୧ରେ ଓଡ଼ିଆଭାଷାକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଥିଲେ । ତେଣୁ ପ୍ରତିବର୍ଷ ମାର୍ଚ୍ଚ ୧୧ ତାରିଖରେ ରାଜ୍ୟ ବ୍ୟାପୀ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଶାସ୍ତ୍ରୀୟ ଭାଷା ଉପଦେଷ୍ଟା କମିଟିର ବୈଠକରେ ଏକ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ଓଡ଼ିଆ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସଂସ୍କୃତି ବିଭାଗ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଥିଲା ।ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ ଅବସରରେ ଜିଲ୍ଲା ଓ ରାଜ୍ୟସ୍ତରରେ ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଏ । ଓଡ଼ିଆ ଭାଷା, ଆମର ଅସ୍ମିତା ଏବଂ ଓଡ଼ିଆ ଭାଷାର ଶାସ୍ତ୍ରୀୟତାକୁ ପ୍ରତିପାଦନ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ସହିତ ଜିଲ୍ଲା ଓ ରାଜ୍ୟସ୍ତରରେ ସଭାସମିତି ଆୟୋଜନ, ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ ଇତ୍ୟାଦିର କାର୍ଯ୍ୟକ୍ରମ ଆୟୋଜନ ହୁଏ । ଏପରି ଆୟୋଜନ ଫଳରେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ବାବଦରେ ଓଡ଼ିଶାବାସୀ ବିଶେଷ ଭାବରେ ସଚେତନ ହେବା ସହିତ ରାଜ୍ୟରେ ଓଡ଼ିଆ ପ୍ରଚଳନର ବ୍ୟାପକତା ପ୍ରତି ଉତ୍ସାହଜନକ ପରିବେଶ ସୃଷ୍ଟି କରିବାର ପ୍ରୟାସ କରାଯାଏ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ପିଣ୍ଟୁ ନନ୍ଦ (୭ ଜୁଲାଇ ୧୯୭୭ - ୧ ମାର୍ଚ୍ଚ ୨୦୨୩), ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ସେ ୧୯୯୬ରେ କୋଇଲି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ରଙ୍ଗ୍ ନମ୍ବର, ବାହୁଡ଼ିବେ ମୋ ଜଗା ବଳିଆ, ଓଃ ମାଇଁ ଲଭ୍, ଆଇ ଲଭ୍ ୟୁ, ଆଇ ଲଭ୍ ମାଇଁ ଇଣ୍ଡିଆ, ପ୍ରେମ ରୋଗୀ, ଜୟ ଜଗନ୍ନାଥ, ନନ୍ଦିନୀ ଆଇ ଲଭ୍ ୟୁ, ମିତରେ ମିତ, ମୁଁ କ'ଣ ଏତେ ଖରାପ, ସ୍ୱୟଂସିଦ୍ଧା, ପହିଲି ରଜ, ପ୍ରେମ ଅଢ଼େଇ ଅକ୍ଷର, ଦୋସ୍ତି, ଶପଥ, ଗୁଡ୍ ବୟ, ଲଭ୍ ମାଷ୍ଟର, ହରି ଓମ ହର, ଡାହା ବାଳୁଙ୍ଗା, ସୁନାପିଲା- ଟିକେ ସ୍କୃ ଢିଲା ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ପିଣ୍ଟୁ ଓଡ଼ିଆ ଧାରାବାହିକ ଶଙ୍ଖା ସିନ୍ଦୂର ଆଦିରେ ଅଭିନୟ କରିଥିଲେ । ଏଥିସହ ସେ ଗୃହଲକ୍ଷ୍ମୀ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ ।
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ଓଡ଼ିଆ ଶବ୍ଦକୋଷ । ଏହା ସଂକଳନ କରିବାରେ ୩୦ରୁ ଅଧିକ ବର୍ଷ ସମୟ ଲାଗିଥିବା ବେଳେ ଏହା ୧୯୩୧ରୁ ୧୯୪୦ ଭିତରେ ୭ଟି ଖଣ୍ଡରେ ଓ ପ୍ରତି ଖଣ୍ଡ ଆକାରରେ ପାଖାପାଖି ରୟାଲ କ୍ୱାର୍ଟୋ ପୃଷ୍ଠା ଭାବରେ ପ୍ରକାଶିତ ହୋଇଥିଲା । ଏହାର ମୋଟ ପୃଷ୍ଠା ସଂଖ୍ୟା ୯,୫୦୦ ଓ ଏଥିରେ ୧୮୫,୦୦୦ ମୁଖ୍ୟଶବ୍ଦ ରହିଛି । ଏହାର ମୁଖ୍ୟ ସଂକଳକ ଥିଲେ ଗୋପାଳ ଚନ୍ଦ୍ର ପ୍ରହରାଜ ଓ ଉତ୍କଳ ସାହିତ୍ୟ ପ୍ରେସ ଏହାର ପ୍ରକାଶ ଓ ମୁଦ୍ରଣ କରିଥିଲେ । ତାଙ୍କ ସହ ତାଙ୍କର ମୁଖ୍ୟ ସହକର୍ମୀ ପୀତାମ୍ବରୀ ଦେବୀ ଓ ଅନ୍ୟାନ୍ୟ ସହକର୍ମୀମାନେ ଶବ୍ଦ ସଂଗ୍ରହ ଓ ସଂକଳନରେ ସାହାଯ୍ୟ କରିଥିଲେ । ବିଶ୍ୱନାଥ କର ଥିଲେ ଏହାର ପ୍ରକାଶକ । ଏହା ଥିଲା ପ୍ରଥମ ଓଡ଼ିଆ ଶବ୍ଦକୋଷ । ସଂକଳନ ସହ ପ୍ରହରାଜ ସର୍ବସାଧାରଣ ଅନୁଦାନ ସଂଗ୍ରହ ଓ ଛପା ଖର୍ଚ୍ଚ ମଧ୍ୟ ବହନ କରିଥିଲେ । ତତ୍କାଳୀନ ବଙ୍ଗ, ମାନ୍ଦ୍ରାଜ ପ୍ରଦେଶ, ଅନେକ ଓଡ଼ିଆ କଥିତ ଅଞ୍ଚଳର ଶାସକ ଓ ବ୍ରିଟିଶ ସରକାର ଏହି ଗ୍ରନ୍ଥାବଳୀ ପାଇଁ ପୃଷ୍ଠପୋଷକତା ଯୋଗାଇଥିଲେ ।
ସାର୍ ନିକୋଲାସ୍ ଜର୍ଜ ୱିଣ୍ଟନ୍ (ଜନ୍ମ ୱର୍ଟାଇମ୍ ; ୧୯ ମଇ ୧୯୦୯ - ୧ ଜୁଲାଇ ୨୦୧୫) ଜଣେ ବ୍ରିଟିଶ ମାନବିକତାବାଦୀ ଥିଲେ ଯିଏ କି ନାଜି ଜର୍ମାନୀ ଦ୍ୱାରା ହତ୍ୟା ହେବାର ଆଶଙ୍କା ଥିବା ପିଲାମାନଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ | ବିଂଶ ଶତାବ୍ଦୀର ପ୍ରାରମ୍ଭରେ ବ୍ରିଟେନକୁ ଯାଇଥିବା ଜର୍ମାନ-ଯିହୁଦୀ ପିତାମାତାଙ୍କଠାରୁ ଜନ୍ମ ହୋଇଥିବା ୱିଣ୍ଟନ୍ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଚେକୋସ୍ଲୋଭାକିଆ ରୁ ୬୬୯ ପିଲାଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ । ଚେକୋସ୍ଲୋଭାକିଆକୁ ଏକ ସଂକ୍ଷିପ୍ତ ଗସ୍ତରେ ଯାଇଥିବା ସମୟରେ ସେ ଉଦ୍ଧାର ଆବଶ୍ୟକ କରୁଥିବା ପିଲାମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲେ ଏବଂ ବ୍ରିଟେନକୁ ଫେରିବା ପରେ ସେ ପିଲାମାନଙ୍କୁ ବ୍ରିଟେନକୁ ଆଣିବା ଏବଂ ସେମାନଙ୍କ ପାଇଁ ଘର ଓ ପ୍ରାୟୋଜକ ଖୋଜିବା ପାଇଁ ଆଇନଗତ ଆବଶ୍ୟକତା ପୂରଣ କରିବାରେ କାର୍ଯ୍ୟ କରିଥିଲେ। ଏହି ଅପରେସନ୍ ପରେ ସେ ଚେକ କିଣ୍ଡରଟ୍ରାନ୍ସପୋର୍ଟ ଭାବରେ ପରିଚିତ ହୋଇଥିଲେ | ("ଶିଶୁ ପରିବହନ" ପାଇଁ ଜର୍ମାନ) |
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ପାର୍ଥ ସାରଥୀ ରାୟ ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର ଏବଂ କ୍ଷୁଦ୍ର ଚଳଚ୍ଚିତ୍ରରେ କାର୍ଯ୍ୟ କରନ୍ତି । ୨୦୧୦ ମସିହାରେ ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ୨୦୧୩ ମସିହାର ନଈ ସେପାରୀ କନକ ଗୋରୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମଭ କରିଥିଲେ । ୨୦୧୮ ମସିହାରେ ହେଲୋ ଆରସୀ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି
ଅନୁସୂଚିତ ଜାତି ଭାରତୀୟ ସମ୍ବିଧାନର ଅନୁସୂଚିତ ଧାରା ଅନୁସାରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ବୁଝାଏ । ଜାତିଗତ ଦୃଷ୍ଟିରୁ ଦଳିତ ଓ ହରିଜନ ଆଦି ନାମ ମଧ୍ୟ ଅନୁସୂଚିତ ଜାତି ପାଇଁ ବ୍ୟବହାର କରାଯାଏ ।
ରୋହିତ ଗୁରୁନାଥ ଶର୍ମା (ଜନ୍ମ ୩୦ ଏପ୍ରିଲ ୧୯୮୭) ଜଣେ ଭାରତୀୟ ଆନ୍ତର୍ଜାତୀୟ କ୍ରିକେଟର ତଥା ଭାରତୀୟ ପୁରୁଷ କ୍ରିକେଟ ଦଳର ଅଧିନାୟକ ଅଟନ୍ତି । ଜଣେ ଶ୍ରେଷ୍ଠ ଭାରତୀୟ ଓପନର ବ୍ୟାଟ୍ସମ୍ୟାନ୍ ହିସାବରେ ସେ ଖୁବ୍ ପରିଚିତ। ସେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ହିସାବରେ ଭାରତୀୟ ଆନ୍ତର୍ଜାତୀୟ ଦଳ ଓ ଆଇପିଏଲ ପାଇଁ ମୁମ୍ବାଇ ଇଣ୍ଡିଆନସ୍ ପାଇଁ ମ୍ୟାଚ୍ ଖେଳନ୍ତି। ରୋହିତ ମଧ୍ୟ ମୁମ୍ବାଇ ଇଣ୍ଡିଆନସ୍ ର ଅଧିନାୟକ ହିସାବରେ ରହିଆସିଛନ୍ତି ଏବଂ ତାଙ୍କ ନେତୃତ୍ଵରେ ଦଳ ୫ ଟି ଟାଇଟଲ୍ ଜିତିଛି, ଯାହାକି ଅନ୍ୟ କୌଣସି ଦଳ ଠାରୁ ସର୍ବାଧିକ। ଏକ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ ରେ ଏକମାତ୍ର ଖେଳାଳି ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର (୨୬୪) ଏବଂ ତିନି ଦ୍ୱିଶତକ ହାସଲ କରିଛନ୍ତି। ତାଙ୍କର କ୍ରିକେଟ ପ୍ରତି ଅବଦାନ ପାଇଁ ତାଙ୍କୁ ୨୦୧୫ ରେ ଅର୍ଜୁନ ପୁରସ୍କାର ଓ ୨୦୨୦ ରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ରେ ସମ୍ମାନିତ କରାଯାଇଛି।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ପୀତାମ୍ବର ତରାଇ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି । କବିତା ବ୍ୟତିତ ଶିଶୁସାହିତ୍ୟରେ ମଧ୍ୟ ସେ ଲେଖନି ଚାଳନା କରିଛନ୍ତି । ପୀତାମ୍ବର ୧୯୫୯ ମସିହା ଦିପାବଳୀ ଦିନ, ଜଗତ୍ସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଳକ ଅନ୍ତର୍ଗତ ସମୁଦ୍ର ସନ୍ନିକଟ ମଙ୍ଗରାଜପୁର ଗାଁର ଏକ କୈବର୍ତ୍ତ ପଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ଜୀବନର ସୁଖଦୁଃଖ ତାଙ୍କ କବିତାରେ ସ୍ଥାନ ପାଇଛି । ବିଶେଷତଃ ଦଳିତ, ଅବହେଳିତ, ବିସ୍ଥାପିତ ଜନଜୀବନକୁ ନେଇ ତାଙ୍କର କବିତା ପରିପୂର୍ଣ୍ଣ ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ ।
ଚନ୍ଦନ ବୋଡ଼ା ବା ଚନ୍ଦ୍ର ବୋଡ଼ା ବା ମହାମଣ୍ଡଳ ସାପ (ଇଂରାଜୀ ଭାଷାରେ Russell's viper, ଜୀବବିଜ୍ଞାନ ନାମ Daboia russelii) ହେଉଛି ଭାଇପରିଡାଏ ପରିବାରର ଏକ ବିଷାକ୍ତ ସାପ । ଏସିଆ ମହାଦେଶର ଭାରତୀୟ ଉପମହାଦେଶ, ଦକ୍ଷିଣ-ପୂର୍ବ ଏସିଆ, ଚୀନ ଓ ତାଇୱାନରେ ଏହି ସାପ ଦେଖିବାକୁ ମିଳନ୍ତି । ଏହି ସାପର ଇଂରାଜୀ ନାମ ସ୍କଟ୍ ସର୍ପବିଜ୍ଞାନୀ ପ୍ୟାଟ୍ରିକ୍ ରସେଲ୍ଙ୍କ (୧୭୨୬-୧୮୦୫) ନାମାନୁସାରେ ରଖାଯାଇଛି । ରସେଲ୍ ଭାରତର ବହୁ ସାପଙ୍କ ଜୀବବିଜ୍ଞାନ ବିବରଣୀ ପ୍ରଦାନ କରିଥିଲେ । ଚନ୍ଦନ ବୋଡ଼ା ପ୍ରଜାତିର ହିନ୍ଦୀ ଶବ୍ଦର ଅର୍ଥ ହେଲା – “ଲୁଚି ରହିଥିବା” ବା “ଲୁକ୍କାୟିତ ବିଚରଣ କରୁଥିବା” । ଚନ୍ଦନ ବୋଡ଼ାର ଇଂରାଜୀ ଭାଷାରେ ରହିଥିବା ଆଉ ଏକ ସ୍ଥାନୀୟ ନାମ ହେଲା ଚେନ୍ ଭାଇପର୍ (chain viper) । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ହଳଦିଆ ଦେହରେ ତିନି ଧାଡ଼ି ବଡ଼ ବଡ଼ କଳା ଗୋଲ ଚିହ୍ନଥିବା ଭୟାନକ ବିଷଧର ସାପକୁ ଚନ୍ଦନବୋଡ଼ା ବା ଚନ୍ଦ୍ର ବୋଡ଼ା କୁହାଯାଏ । ଦେହରେ ଚନ୍ଦ୍ର ପରି ଚିହ୍ନ ରହିଥିବାରୁ ବଙ୍ଗଳା ଭାଷାରେ ମଧ୍ୟ ଏହି ସାପକୁ ଚନ୍ଦ୍ରୋବୋଡ଼ା ବୋଲି କୁହାଯାଏ । ମରାଠୀ ଭାଷାରେ ଏହି ସାପ ଘୋଣସ ନାମରେ ପରିଚିତ । ଭାରତରେ ଯେଉଁ ୪ ସାପଙ୍କ ଯୋଗୁଁ ସର୍ବାଧିକ ସାପକାମୁଡ଼ା ଦୁର୍ଘଟଣା ଘଟେ, ତା’ ମଧ୍ୟରେ ଚନ୍ଦନ ବୋଡ଼ା ଅନ୍ୟତମ । ନିଜ ଭୌଗୋଳିକ ବ୍ୟାପକତା, ଆକ୍ରମଣାତ୍ମକ ସ୍ୱଭାବ, ଜନବସତିପୂର୍ଣ୍ଣ ଅଞ୍ଚଳରେ ବାସ କରିବା ଇତ୍ୟାଦି କାରଣରୁ ଚନ୍ଦନ ବୋଡ଼ା ଅନ୍ୟ ବିଷାକ୍ତ ସାପଙ୍କ ତୁଳନାରେ ଅଧିକ ମାରାତ୍ମକ ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ଓଡ଼ିଶାରେ ଫଗୁ ଦଶମୀରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ । ଏହାର ଗୁରୁତ୍ୱ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ । ପୃଥିବୀରେ ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ। ଦ୍ୱାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ ଶତାନନ୍ଦଙ୍କ ରଚିତ ଶତାନନ୍ଦ ସଂଗ୍ରହରେ ଦୋଳଯାତ୍ରା ସଂପର୍କରେ ବିଭିନ୍ନ ବର୍ଣ୍ଣନାରୁ ସ୍ପଷ୍ଟ ଅନୁମିତ ହୁଏ ଯେ ଅତି କମରେ ଦୀର୍ଘ ଆଠଶହ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳିତ ହୋଇ ଆସୁଛି । ସାଧାରଣତଃ ଏହି ଯାତ୍ରା ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇ ରଜଦୋଳ ବା ପଞ୍ଚୁଦୋଳ ନାମରେ ନାମିତ ହୋଇଥାଏ । କେତେକ ସ୍ଥାନରେ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚଦୋଳ ଭାବେ ଯାତ୍ରା ପାଳନ କରାଯିବାବେଳେ ଆଉ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ । ଯେଉଁ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ, ସେଠାରେ ଛଅଦୋଳ ଏବଂ ଯେଉଁଠି ନଅଦିନ ପର୍ଯ୍ୟନ୍ତ ପାଳନ କରାଯାଇପାରେ ସେଠାରେ ଏହାକୁ ନବଦୋଳ ବୋଲି କୁହାଯାଏ। ଅନେକ ସ୍ଥାନରେ ସାତଦିନ ଓ ଦଶଦିନ ଧରି ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଭାରତୀୟ ସଂସ୍କୃତି ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।
ଜଗନ୍ନାଥ ମନ୍ଦିର (ବଡ଼଼଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼଼଼ଦେଉଳ ଏବଂ ବଡ଼଼଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ଏହି ଲେଖାଟି ଗୋଦାବରୀଶ ମହାପାତ୍ରଙ୍କ ଲିଖିତ କାହାଣୀ ମାଗୁଣିର ଶଗଡ଼ ବାବଦରେ । ଅନ୍ୟ ବ୍ୟବହାର ନିମନ୍ତେ ମାଗୁଣିର ଶଗଡ଼ (କଥାଚିତ୍ର) ଦେଖନ୍ତୁ ।ମାଗୁଣିର ଶଗଡ଼ ଗୋଦାବରୀଶ ମହାପାତ୍ରଙ୍କ ରଚିତ ଏକ ଓଡ଼ିଆ ଉପନ୍ୟାସ । ଗାଁକୁ ମଟର ଚାଳିତ ବସ ଆସିବା ଯୋଗୁ ଶଗଡ଼ ଚାଳକ ମାଗୁଣିର ଅବସ୍ଥା କିପରି ହୁଏ, ଏହି ବିଷୟବସ୍ତୁକୁ ନେଇ ଉପନ୍ୟାସଟି ଲିଖିତ । ଏହି କାହାଣୀକୁ ନେଇ ୨୦୦୧ ମସିହାରେ ପ୍ରଫୁଲ୍ଲ ମହାନ୍ତି ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଦୁର୍ଗାଷ୍ଟମୀ ବା ମହାଷ୍ଟମୀ ଏକ ପବିତ୍ର ଦିବସ ଯାହା ପାଞ୍ଚଦିନିଆ ଦୁର୍ଗା ପୂଜା ଅବସରରେ ମା ଦୂର୍ଗାଙ୍କୁ ଭକ୍ତି ଓ ସମ୍ମାନ ଜଣେଇବାକୁ ପାଳନ କରାଯାଏ । ପରମ୍ପରା ଅନୁସାରେ ପ୍ରତି ହିନ୍ଦୁ ଗୃହରେ ଦୂର୍ଗା ପୂଜା ଦଶ ଦିନ ଧରି ପାଳନ କରିବା କଥା କିନ୍ତୁ ଦୂର୍ଗା ମଣ୍ଡପରେ ଏହା ଷଷ୍ଠୀ (Shashthi) ଦିବସଠାରୁ ପାଞ୍ଚ ଦିନ ପାଳନ କରାଯାଉଛି । ଭାରତରେ ଏହି ଦିନ ଅନେକ ସ୍ଥାନରେ ଲୋକମାନେ ଉପବାସ ପାଳନ କରନ୍ତି । ସୁନ୍ଦର ପୋଷାକ ପିନ୍ଧି ଲୋକମାନେ ଏକତ୍ରିତ ହୋଇ ଗରବା ନୃତ୍ୟ କରନ୍ତି । ଦେବୀଙ୍କର ଅସ୍ତ୍ରସବୁ ଏହି ଦିନ ପୂଜା କରାଯାଉଥିବାରୁ ଏହି ଦିବସକୁ ‘ଅସ୍ତ୍ର ପୂଜା’ ଦିବସ ମଧ୍ୟ କୁହାଯାଏ । ଅନେକ ସ୍ଥାନରେ ଅସ୍ତ୍ର ବ୍ୟବହାର କରି ମାର୍ଶାଲ କଳା ପ୍ରଦର୍ଶନ କରୁଥିବାରୁ ଏହି ଦିବସକୁ ବୀର ଅଷ୍ଟମୀ ମଧ୍ୟ କୁହାଯାଏ ।
ମାଦଳା ପାଞ୍ଜି ମତେ ୫୦୦ରୁ ୧୭୩୩ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୨୩୩ ବର୍ଷ ଧରି କ୍ରମାଗତ ଭାବେ ଆଫଗାନୀ ଓ ମୋଗଲମାନଙ୍କଦ୍ୱାରା ୧୭ଥର ପୁରୀ ଜଗନ୍ନାଥ ମନ୍ଦିର ଉପରେ ବହୁବାର ଆକ୍ରମଣ କରାଯାଇଥିଲା । ହିନ୍ଦୁମାନଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ବିଗ୍ରହକୁ ଧ୍ୱଂସ ନ କରିବା ପର୍ଯ୍ୟନ୍ତ ଓଡ଼ିଶାକୁ ଜୟକରିବା ଅସମ୍ଭବ ବୋଲି ସମସ୍ତ ମୁସଲିମ ଆକ୍ରମଣକାରୀ ଧରିନେଇଥିଲେ ଏହି ବିଧର୍ମୀ ଯବନମାନଙ୍କ ଆକ୍ରମଣରୁ ଶ୍ରୀବିଗ୍ରହମାନଙ୍କୁ ରକ୍ଷାକରିବା ଲାଗି କେତେବେଳେ ଦୋବନ୍ଧା ବାଟେ ଡଙ୍ଗାରେ ରଖି ଚିଲିକା ଗର୍ଭକୁ ଆଉ କେତେବେଳେ ଚଉଦୋଳାରେ ବୁହାଇ ଦକ୍ଷିଣ ଓଡ଼ିଶାର ଘଞ୍ଚ ଜଙ୍ଗଲ ମଧ୍ୟକୁ ଶ୍ରୀବିଗ୍ରହମାନଙ୍କୁ ନିଆଯାଉଥିଲା ଏଥିପାଇଁ ଜଗନ୍ନାଥଙ୍କ ସେବକମାନଙ୍କ ମଧ୍ୟରେ ଚାପ ଦଳେଇ ଅରିଆ ସେବକ ନାମରେ ଗୋଟିଏ ସ୍ୱତନ୍ତ୍ର ବୃତ୍ତିଭୋଗୀ ସେବକ ଗୋଷ୍ଠୀକୁ ସୃଷ୍ଟି କରାଯାଇ ନିଯୁକ୍ତି ଦିଆଯାଇଥିଲା । ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣର ଆଭାସ ମିଳିବା ମାତ୍ରେ ତତ୍କ୍ଷଣାତ୍ ଚାପ ଦଳେଇ ଓ ଅରିଆ ସେବକମାନେ ଶ୍ରୀ ବିଗ୍ରହମାନଙ୍କୁ ଚାପରେ ଧରି ଚିଲିକା ଗର୍ଭକୁ ବୋହି ନେଇଯାଉଥିଲେ ଏଥିପାଇଁ ବର୍ଷସାରା ମାଣିକପାଟଣା ଓ ଖାଲିକାପାଟଣା ମୁହାଣଠାରେ ବୋଇତ, ଚାପ ଓ ଡଙ୍ଗାମାନ ସଦାସର୍ବଦା ପ୍ରସ୍ତୁତ ହୋଇ ରହୁଥିଲା ।
ଗୀତଗୋବିନ୍ଦ କବି ଜୟଦେବଙ୍କଦ୍ୱାରା ସଂସ୍କୃତ ଭାଷାରେ ରଚିତ ଦ୍ୱାଦଶ ଶତାବ୍ଦୀର ଏକ କାବ୍ୟ । ଦ୍ୱାଦଶ ସର୍ଗ ବିଶିଷ୍ଟ ଏହି କାବ୍ୟଟି ରାଧାକୃଷ୍ଣଙ୍କ ରାସଲୀଳା ଉପରେ ପର୍ଯ୍ୟବସିତ । ବୈଷ୍ଣବ ଭକ୍ତି ମାର୍ଗ ଉପରେ ଗୀତଗୋବିନ୍ଦ କାବ୍ୟର ବିଶେଷ ପ୍ରଭାବ ପଡିଛି । କାନ୍ତ କୋମଳ ପଦାବଳୀ, ମଧୁର ଶବ୍ଦ ସଂଯୋଜନା, ଭକ୍ତି ଭାବରେ ପୂର୍ଣ୍ଣ ବିଷୟ ନିମନ୍ତେ ଗୀତଗୋବିନ୍ଦର ସଂସ୍କୃତ ସାହିତ୍ୟରେ ଏକ ବିଶେଷ ସ୍ଥାନ ରହିଚି । ପ୍ରସିଦ୍ଧ ଦଶାବତାର ବର୍ଣ୍ଣନା ଓ ସ୍ତୋତ୍ର ଏହି କାବ୍ୟର ପ୍ରଥମ ସର୍ଗରେ ରହିଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଧ୍ୟ ଗୀତଗୋବିନ୍ଦର ଏକ ପ୍ରଧାନ ସ୍ଥାନ ରହିଛି।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ ଓଡ଼ିଶାର ଲାଦରପାଲି ଗ୍ରାମରେ ସ୍ଥିତ ଥିବା ଏକ ବିଦ୍ୟାଳୟ । ଏଠାରେ ନର୍ସରୀରୁ ଦଶମ ଶ୍ରେଣୀ ଯାଏ ପଢ଼ାଯାଏ । ୨୦୨୩ ମସିହାରେ ଏଠାରେ ୮୯୫ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୩୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ । ସ୍କୁଲରେ ୨୫ ଗୋଟି ଶ୍ରେଣୀଗୃହ ସମେତ ଏକ ପାଠାଗାର କକ୍ଷ, ବିଜ୍ଞାନଗାର କକ୍ଷ ଏବଂ ବାଳକ ବାଳିକା ପାଇଁ ଶୌଚାଳୟ ଆଦି ରହିଛି। ସ୍କୁଲଟି ଶ୍ରୀ ମା ଓ ଶ୍ରୀ ଅରବିନ୍ଦଙ୍କ ଦର୍ଶନରେ ପ୍ରଭାବିତ ।
ଫାଲଗୁନ ଚୈତ୍ର ୨୦୨୩ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏହି ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଛନ୍ତି ଶକ୍ତି ଜଗଦେବ ଓ ବାବୁଶାନ୍ ମହାନ୍ତି । ସୁଲଗ୍ନା ମହାନ୍ତି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ପ୍ରଣବ ପ୍ରସନ୍ନ ରଥ ଏହାର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶିଶିର କୁମାର ସାହୁ ଓ ପୀନାକୀ ସିଂହ ।ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପାର୍ଥସାରଥୀ ରାୟ ଓ ବିଏମ୍ ବୈଶାଳୀ । ଅନନ୍ୟା ମିଶ୍ର, ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ, ଭାସ୍ୱତୀ ବସୁ, ପ୍ରଣବ ପ୍ରସନ୍ନ ରଥ, ଚନ୍ଦନ ବିଶ୍ୱାଳ, ମନୀଷା ମଞ୍ଜରୀ ମିଶ୍ର, କୈଳାଶ ପାଣିଗ୍ରାହୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧ - ୨୩ ଅଗଷ୍ଟ ୧୯୩୮) ଜଣେ ଓଡ଼ିଆ କବି ଥିଲେ । ତାଙ୍କର ଜନ୍ମ ବସ୍ତର ଦେଶୀୟ ରାଜ୍ୟରେ ହୋଇଥିଲା । ବସ୍ତର ଓଡ଼ିଆଭାଷୀ ଅଞ୍ଚଳ । ହେଲେ ତାହା ଓଡ଼ିଶାରେ ନାହିଁ । ତାଙ୍କ ପିତା ଦାନିଏଲ୍ ସାବତ ଜଣେ ଡାକ୍ତର ହିସାବରେ ବ୍ରହ୍ମଦେଶରେ ରହୁଥିଲେ । ଏକାଧାରରେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । କୁନ୍ତଳା ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ମାଢି ପ୍ରଦାହ ବା ଜିଞ୍ଜିଭାଇଟିସ (ଇଂରାଜୀ ଭାଷାରେ Gingivitis) ରୋଗରେ ମାଢିର କୌଣସି ତନ୍ତୁ ନଷ୍ଟ ହୁଏନି । ଏହାର ଲକ୍ଷଣରେ ମାଢି ଲାଲ୍ ଦେଖାଯାଏ, ଫୁଲିଯାଏ ଓ ସହଜରେ ସେଥିରୁ ରକ୍ତସ୍ରାବ ହୁଏ । ସାଧାରଣତଃ ଏଥିରେ କୌଣସି ଯନ୍ତ୍ରଣା ହୁଏ ନାହିଁ । ରୋଗ ଜଟିଳ ହେଲେ ମଧ୍ୟରେ ପେରିଓଡୋଣ୍ଟାଇଟିସ୍ ଏବଂ ଦାନ୍ତ କ୍ଷୟ ହୋଇ ନଷ୍ଟ ହୋଇଯାଇପାରେ। ଏହାର ସବୁଠାରୁ ସାଧାରଣ କାରଣ ହେଉଛି ଦାନ୍ତରେ ଲାଗିଥିବା ଜୀବାଣୁ ଝିଲ୍ଲି ବା ପ୍ଲେକ । ଅନ୍ୟାନ୍ୟ କାରଣ ମଧ୍ୟରେ ଭିଟାମିନ୍ 'ସି'ର ଅଭାବ, ଗର୍ଭଧାରଣ ଏବଂ କେତେକ ଔଷଧ ଯେପରିକି ଫେନିଟଏନ ଏବଂ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର ଅନ୍ତର୍ଭୁକ୍ତ ଥାଏ । ଅନ୍ୟାନ୍ୟ ବିପଦ କାରଣଗୁଡ଼ିକ ହେଉଛି ଧୂମପାନ ଏବଂ ଶୁଖିଲା ପାଟି । ରୋଗ ନିର୍ଣ୍ଣୟ ସାଧାରଣତଃ ଦାନ୍ତ ପରୀକ୍ଷା ଦ୍ୱାରା ହୋଇଥାଏ । ଏହା ପେରିଓଡୋଣ୍ଟାଲ ରୋଗର ଏକ ମୃଦୁ ରୂପ ।ଏହି ରୋଗର ଚିକିତ୍ସାରେ ପାଟି ସ୍ୱଚ୍ଛ ରଖିବା ଏବଂ ଭଲ ଭାବରେ ଦାନ୍ତ ସଫା କରିବାକୁ ହୁଏ । ଗୁରୁତର ପରିସ୍ଥିତିରେ ଆଣ୍ଟିବାୟୋଟିକ୍ କିମ୍ବା ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ। ଉପଯୁକ୍ତ ଚିକିତ୍ସାରେ ଫଳାଫଳ ସାଧାରଣତଃ ଭଲ ହୁଏ ।ମାଢି ପ୍ରଦାହ ବା ଜିଞ୍ଜିଭାଇଟିସ ହେଉଛି ପେରିଓଡୋଣ୍ଟାଲ ରୋଗର ସବୁଠାରୁ ସାଧାରଣ ପ୍ରକାର ରୋଗ । ଏହି ରୋଗରେ ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । ଉଭୟ ଶିଶୁ ଏବଂ ବୟସ୍କମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି । ଅନ୍ତତଃ ପକ୍ଷେ ଖ୍ରୀଷ୍ଟପୂର୍ବ ୪୦୦ରୁ ହିପୋକ୍ରାଟସ୍ ଏହି ରୋଗର ବର୍ଣ୍ଣନା କରିଥିଲେ ।
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭା ଦ୍ବାରା ନିର୍ମିତ) । ଏହା ଲୋକଙ୍କ ଦ୍ବାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।
ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ
ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ବା ଏସ.ସି.ବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଓଡ଼ିଶାର ତଥା ସମଗ୍ର ପୂର୍ବ ଭାରତର ଏକ ପୁରାତନ ଓ ଅଗ୍ରଣୀ ଭେଷଜ ମହାବିଦ୍ୟାଳୟ। ଏହା କଟକ ସହରର ମଙ୍ଗଳବାଗ ଅଞ୍ଚଳରେ ୮୭.୩୨ ଏକର ପରିମିତ ପରିସରରେ ଅବସ୍ଥିତ। ମୟୂରଭଞ୍ଜର ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଙ୍କ ଉଦ୍ୟମ ଓ ଅର୍ଥ ସହାୟତା ଯୋଗୁଁ ଏହା ପ୍ରତିଷ୍ଠା ହୋଇଥିବାରୁ, ଏହି ମହାବିଦ୍ୟାଳୟଟି ତାଙ୍କ ନାମରେ ନାମିତ ହୋଇଛି ।
ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି । ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା । ଏପ୍ରିଲ ୧ ତାରିଖକୁ ଓଡ଼ିଶା ଦିବସ ଭାବେ ପାଳନ କରାଯାଏ । ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ.
ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣି ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଏ ପି ଜେ ଅବଦୁଲ କଲାମ ପ୍ଲାନେଟୋରିଆମ ,ବୁର୍ଲା
ଡକ୍ଟର ଏ ପି ଜେ ଅବଦୁଲ କଲାମ, ପ୍ଲାନେଟୋରିଆମ ଏବଂ ସାଇନ୍ସ ପାର୍କ ବୁର୍ଲା, ସମ୍ବଲପୁର,ଓଡ଼ିଶା, ସମ୍ବଲପୁର ଜ୍ୟୋତି ବିହାର ଇଉନିଭର୍ଶିଟି ଠାରୁ କିଛି ଦୂରରେ ଅବସ୍ଥିତ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
{{Use British English|date=November 2011}} ଶ୍ରୀନିବାସ ରାମାନୁଜନ (pronunciation ) (୨୨ ଡିସେମ୍ବର ୧୮୮୭ – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ । ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ। ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ 'ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ। ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ?
ହିନ୍ଦୁ ମହାକାବ୍ୟ ମହାଭାରତର ଏକ ଚରିତ୍ର ଉଲୁପୀ ନାଗରାଜ ବାସୁକି ଏବଂ ରାଜମାତା ବିଷବାହିନୀଙ୍କ ପୋଷ୍ୟ କନ୍ୟା ଥିଲେ । ପାଣ୍ଡବଙ୍କ ରାଜଧାନୀ ଇନ୍ଦ୍ରପ୍ରସ୍ଥ ପ୍ରତିଷ୍ଠା ପରେ ଯେତେବେଳେ ଅର୍ଜୁନ ରାଜା ଯୁଧିଷ୍ଠିରଙ୍କ ରାଜଦୂତ ଭାବେ ଅନ୍ୟାନ୍ୟ ରାଜ୍ୟ ସହ ମୈତ୍ରୀ ଅଭିଯାନ ଆରମ୍ଭ କରିଥିଲେ, ସେ ପ୍ରଥମେ ନାଗଲୋକ ଯିବାକୁ ସ୍ଥିର କଲେ ଏବଂ ସେଠାରେ ଉଲୁପୀଙ୍କ ସହ ତାଙ୍କର ଭେଟ ହୋଇଥିଲା । ଅର୍ଜୁନଙ୍କୁ ଦେଖି ଉଲୁପି ମୁଗ୍ଧ ହୋଇଗଲେ ଏବଂ ସେ ତାଙ୍କୁ ପାତାଳଲୋକକୁ ନେଇ ତାଙ୍କୁ ବିବାହ କରିବାକୁ ଅନୁରୋଧ କରିଥିଲେ । ତାଙ୍କର ଇଚ୍ଛା ପୂରଣ ହେବା ପରେ, ସେ ଅର୍ଜୁନଙ୍କୁ ସମସ୍ତ ଜଳଚରଙ୍କ ରାଜା ହେବାର ସୁଯୋଗ ଦେଇଥିଲେ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଫ୍ୟାନ୍ ବିଙ୍ଗବିଙ୍ଗ୍ (ଚାଇନିଜ୍: 范冰冰, ଜନ୍ମ 16 ସେପ୍ଟେମ୍ବର 1981) ଜଣେ ଚାଇନାର ଅଭିନେତ୍ରୀ। 2013 ରୁ 2017 ପର୍ଯ୍ୟନ୍ତ ସେ ଫୋର୍ବସ୍ ଚାଇନା ସେଲିବ୍ରିଟି 100 ତାଲିକାରେ ସର୍ବାଧିକ ବେତନ ପ୍ରାପ୍ତ ସେଲିବ୍ରିଟି ଭାବରେ ଅନ୍ତର୍ଭୁକ୍ତ ହୋଇଥିଲେ। 2017 ରେ ପ୍ରକାଶିତ 200 ଟି ଟାଇମ୍ ମାଗାଜିନର 100 ଟି ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ତାଙ୍କ ନାମ ଅନ୍ତର୍ଭୁକ୍ତ ଥିଲା |
ତନ୍ତ୍ର ହିନ୍ଦୁ ସମାଜରେ ପ୍ରଚଳିତ ଉପାସନା ପଦ୍ଧତିର ଏକ ଅଂଶ ବିଶେଷ । ତନ୍ତ୍ରର ଶାବ୍ଦିକ ଉଦ୍ଭବ ହେଲା ତନୋତି ତ୍ରାୟତି ତନ୍ତ୍ର (तनोति त्रायति तन्त्र)ରୁ ଯାହାର ଅଭିପ୍ରାୟ ହେଉଛି ବିସ୍ତାର ଓ ମୁକ୍ତି। ଏଠାରେ ତନ୍ତ୍ର ଶବ୍ଦର ଅଭିପ୍ରାୟ ଗୂଢ଼ ସାଧନା । ଶିବ ଓ ଶକ୍ତିଙ୍କ ଉପାସନାକୁ ତନ୍ତ୍ର ଶାସ୍ତ୍ର ବୋଲି କୁହାଯାଏ। ତନ୍ତ୍ର ଶାସ୍ତ୍ର ମତରେ ଏହି ଜଗତ ହେଲା ଶିବ ଓ ଶକ୍ତିଙ୍କ ଦିବ୍ୟ ଲୀଳା । ହିନ୍ଦୁ,ବୌଦ୍ଧ ଓ ଜୈନ ଧର୍ମରେ ତନ୍ତ୍ର ପରମ୍ପରା ଦେଖିବାକୁ ମିଳିଥାଏ ।
ସୌଭାଗ୍ୟବନ୍ତ ମହାରଣା, (ଜନ୍ମ: ୧୫ ଅଗଷ୍ଟ ୧୯୫୧) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ଓ ଅନୁବାଦକ । ସେ ୧୯୫୧ ମସିହା ଅଗଷ୍ଟ ୧୫ତାରିଖରେ ବଲାଙ୍ଗୀରଠାରେ ଜନ୍ମଗ୍ରହଣ କରିଥିଲେ । ୧୯୭୫ମସିହାରୁ ଲେଖାଲେଖି କରୁଥିବା ସୌଭାଗ୍ୟବନ୍ତଙ୍କର ଏଯାବତ ୯ଟି ଓଡ଼ିଆ ଓ ଗୋଟିଏ ହିନ୍ଦୀ କବିତା ପୁସ୍ତକ ପ୍ରକାଶ ପାଇସାରିଛି ଓ ବହୁ ଭାରତୀୟ ଭାଷାରେ ଅନୁବାଦିତ ମଧ୍ୟ ହୋଇସାରିଛି । ତାଙ୍କର ପ୍ରଥମ କବିତା ସଂକଳନ "ସାଗୁଆ କ୍ଷେତର ସହର" ୧୯୮୮ ମସିହାରେ ପ୍ରକାଶିତ ହୋଇଥିଲା । ପତ୍ରପତ୍ରିକାରେ ମଧ୍ୟ ତାଙ୍କର କବିତାଗୁଡ଼ିକ ନିୟମିତ ପ୍ରକାଶିତ ହୋଇଥାଏ । ଅନୁବାଦ ସାହିତ୍ୟରେ ସକ୍ରିୟ ସୌଭାଗ୍ୟବନ୍ତ, ସଚ୍ଚି ରାଉତରାୟ, ରାଜେନ୍ଦ୍ର କିଶୋର ପଣ୍ଡା, ପ୍ରତିଭା ଶତପଥୀ, ମନୋରମା ବିଶ୍ୱାଳ ମହାପାତ୍ର, ଗୁରୁ ପ୍ରସାଦ ମହାନ୍ତି, ଜଗନ୍ନାଥ ପ୍ରସାଦ ଦାସ ଆଦି ଓଡ଼ିଆ କବିମାନଙ୍କର ଲେଖାକୁ ଇଂରାଜୀରେ ଅନୁବାଦିତ କରିଛନ୍ତି । "ଭାରତୀୟ ଜୀବନ ବିମା ନିଗମ"ରୁ ଅବସର ଗ୍ରହଣ କରି ସେ ସମ୍ବଲପୁରରେ ବସବାସ କରୁଛନ୍ତି ।