ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ପିଣ୍ଟୁ ନନ୍ଦ (୭ ଜୁଲାଇ ୧୯୭୭ - ୧ ମାର୍ଚ୍ଚ ୨୦୨୩), ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ସେ ୧୯୯୬ରେ କୋଇଲି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ରଙ୍ଗ୍ ନମ୍ବର, ବାହୁଡ଼ିବେ ମୋ ଜଗା ବଳିଆ, ଓଃ ମାଇଁ ଲଭ୍, ଆଇ ଲଭ୍ ୟୁ, ଆଇ ଲଭ୍ ମାଇଁ ଇଣ୍ଡିଆ, ପ୍ରେମ ରୋଗୀ, ଜୟ ଜଗନ୍ନାଥ, ନନ୍ଦିନୀ ଆଇ ଲଭ୍ ୟୁ, ମିତରେ ମିତ, ମୁଁ କ'ଣ ଏତେ ଖରାପ, ସ୍ୱୟଂସିଦ୍ଧା, ପହିଲି ରଜ, ପ୍ରେମ ଅଢ଼େଇ ଅକ୍ଷର, ଦୋସ୍ତି, ଶପଥ, ଗୁଡ୍ ବୟ, ଲଭ୍ ମାଷ୍ଟର, ହରି ଓମ ହର, ଡାହା ବାଳୁଙ୍ଗା, ସୁନାପିଲା- ଟିକେ ସ୍କୃ ଢିଲା ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ପିଣ୍ଟୁ ଓଡ଼ିଆ ଧାରାବାହିକ ଶଙ୍ଖା ସିନ୍ଦୂର ଆଦିରେ ଅଭିନୟ କରିଥିଲେ । ଏଥିସହ ସେ ଗୃହଲକ୍ଷ୍ମୀ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
{{Use British English|date=November 2011}} ଶ୍ରୀନିବାସ ରାମାନୁଜନ (pronunciation ) (୨୨ ଡିସେମ୍ବର ୧୮୮୭ – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ । ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ। ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ 'ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ। ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ?
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଓଡ଼ିଶାରେ ଫଗୁ ଦଶମୀରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ । ଏହାର ଗୁରୁତ୍ୱ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ । ପୃଥିବୀରେ ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ। ଦ୍ୱାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ ଶତାନନ୍ଦଙ୍କ ରଚିତ ଶତାନନ୍ଦ ସଂଗ୍ରହରେ ଦୋଳଯାତ୍ରା ସଂପର୍କରେ ବିଭିନ୍ନ ବର୍ଣ୍ଣନାରୁ ସ୍ପଷ୍ଟ ଅନୁମିତ ହୁଏ ଯେ ଅତି କମରେ ଦୀର୍ଘ ଆଠଶହ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳିତ ହୋଇ ଆସୁଛି । ସାଧାରଣତଃ ଏହି ଯାତ୍ରା ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇ ରଜଦୋଳ ବା ପଞ୍ଚୁଦୋଳ ନାମରେ ନାମିତ ହୋଇଥାଏ । କେତେକ ସ୍ଥାନରେ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚଦୋଳ ଭାବେ ଯାତ୍ରା ପାଳନ କରାଯିବାବେଳେ ଆଉ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ । ଯେଉଁ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ, ସେଠାରେ ଛଅଦୋଳ ଏବଂ ଯେଉଁଠି ନଅଦିନ ପର୍ଯ୍ୟନ୍ତ ପାଳନ କରାଯାଇପାରେ ସେଠାରେ ଏହାକୁ ନବଦୋଳ ବୋଲି କୁହାଯାଏ। ଅନେକ ସ୍ଥାନରେ ସାତଦିନ ଓ ଦଶଦିନ ଧରି ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଗଉଡ଼ ନାଚ ବା ବାଡ଼ିଖେଳ ବା ଲଉଡ଼ି ଖେଳ ଓଡ଼ିଶାର ଯାଦବ (ଗୋପାଳ) ସମ୍ପ୍ରଦାୟଙ୍କର ପାରମ୍ପରିକ ନୃତ୍ୟ। କେତକ ସ୍ଥାନରେ ଏହାକୁ ଦାଣ୍ଡି ଖେଳ ମଧ୍ୟ କୁହାଯାଏ । ସାରା ଓଡ଼ିଶାର ଗୋପାଳ ସଂପ୍ରଦାୟ ଏହାକୁ ପାଳନ କରିଥାନ୍ତି । ଏହା ଓଡ଼ିଶାର ଏକ ପାରମ୍ପରିକ ଲୋକ କଳା । ଏହା ଯାଦବ ବହୁଳ ଉତ୍ତର ପ୍ରଦେଶରେ ମଧ୍ୟ ଦେଖାଯାଏ ନାହିଁ । କିପରି ଏକ ଭିନ୍ନ ସାମରିକ ଖେଳ ଓଡ଼ିଶାରେ ପ୍ରଚଳିତ ଥିଲା ଏବେ ବି ଏହାର ପୃଷ୍ଠଭୂମି ଅନେକଙ୍କୁ ଅଗୋଚର । ଗୋପାଳ ବା ଯାଦବ ପୁରୁଷମାନେ ନିଜର ଶକ୍ତି, ପରାକ୍ରମ ତଥା ବାଡିର ଅନନ୍ୟ କଳାକୈାଶଳ ପ୍ରଦର୍ଶନକୁ ବାଡ଼ିଖେଳ ବା ଲଉଡ଼ି ଖେଳ କୁହାଯାଏ । ଏହା ଧର୍ମଭିତ୍ତିକ, ରଣକୌଶଳ ପ୍ରଦର୍ଶନ କରାଯାଉଥିବା ଏକ ଲୋକନୃତ୍ୟ ।
ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ନାୟିକା ଥିଲେ । ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ । ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ, ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ଆୟତ କରିବା ଆଦି କଳାରେ ସେ ପାରଙ୍ଗମ ଥିଲେ ।
ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭା ଦ୍ବାରା ନିର୍ମିତ) । ଏହା ଲୋକଙ୍କ ଦ୍ବାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଶ୍ରୀମଦଭଗବତଗୀତା ବା ଗୀତା ହେଉଛି ମହାଭାରତର ଅଂଶ । ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା । ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି । ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଳୋକବଦ୍ଧ କରିଛନ୍ତି । ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କଦ୍ୱାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି ।
ଜଗନ୍ନାଥ ମନ୍ଦିର (ବଡ଼଼଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼଼଼ଦେଉଳ ଏବଂ ବଡ଼଼଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି । ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା । ଏପ୍ରିଲ ୧ ତାରିଖକୁ ଓଡ଼ିଶା ଦିବସ ଭାବେ ପାଳନ କରାଯାଏ । ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ.
ମାନବ ଇମ୍ମ୍ୟୁନାଭାବ ଭୁତାଣୁ ସଂକ୍ରମଣ ଓ ଅର୍ଜିତ ଇମ୍ମ୍ୟୁନାଭାବ ସିଣ୍ଡ୍ରୋମ (HIV and AIDS) ଏକ ବିସ୍ତୃତ ଶ୍ରେଣୀର ଭୁତାଣୁ ଜନିତ ସଂକ୍ରମଣ ଯାହା ମାନବ ଇମ୍ମ୍ୟୁନାଭାବ ଭୁତାଣୁଦ୍ୱାରା ହୁଏ । ରୋଗ ଆରମ୍ଭ ସମୟରେ ଲକ୍ଷଣ ଜଣାଯାଇ ନ ପାରେ ବା ସାମାନ୍ୟ ଇନ୍ଫ୍ଲୁଏଞ୍ଜା ରୋଗ ଭଳି ଲକ୍ଷଣ ପ୍ରକାଶ ପାଏ । ଏହା ପଶ୍ଚାତ ବହୁତ ଦିନ ଧରି କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସମୟକ୍ରମେ ଇମ୍ମ୍ୟୁନିଟି ବିଭାଗକୁ ଦୁର୍ବଳ କରିଦେବା ଫଳରେ ଯକ୍ଷ୍ମା ତଥା ଅନ୍ୟାନ୍ୟ ସଂକ୍ରମଣ ଓ ଅର୍ବୁଦ ଦେଖାଯାଏ ଯାହା ଇମ୍ମ୍ୟୁନିଟି ଥିବା ଲୋକଙ୍କଠାରେ ଦେଖାଯାଏ ନାହିଁ । ବିଳମ୍ବିତ ଲକ୍ଷଣ ବାହାରିଲେ ଏଡସ୍ କୁହାଯାଏ । ଏହି ସମୟରେ ଓଜନ ହ୍ରାସ ହୁଏ ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣ (୭ ନଭେମ୍ବର ୧୮୮୮ - ୨୧ ନଭେମ୍ବର ୧୯୭୦) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଥିଲେ । ୧୯୩୦ ମସିହାରେ ଆଲୋକ ପ୍ରତିସରଣ ଉପରେ ଗବେଷଣା (ରମଣ ପ୍ରଭାବ) ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ଆବିଷ୍କାର କରିଥିଲେ ଯେ ଆଲୋକ ରଶ୍ମି ଯେତେବେଳେ ଗୋଟିଏ ସ୍ୱଚ୍ଛ ପଦାର୍ଥ ଦେଇ ଅତିିିିକ୍ରମ କରେ , କିଛି ଆଲୋକ ରଶ୍ମି ବିଚ୍ଛୁରିତ ହୋଇଯାନ୍ତି ଏବଂ ତାଙ୍କର ଦୈର୍ଘ୍ୟ ଓ ବିସ୍ତୃତିରେ ପରିବର୍ତ୍ତନ ହୁଏ ।ଏହି ପ୍ରତ୍ୟକ୍ଷ ଭାବେ ପରିପ୍ରକାଶ ଘଟଣାକୁ ରମଣ ବିିିିଚ୍ଛୁରଣ କୁହାଯାଏ, ଯାହାକି ରମଣ ପ୍ରଭାବଦ୍ୱାରା ହୋଇଥାଏ । ୧୯୫୪ରେ ଭାରତ ସରକାର ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ।
ପ୍ରାଣବନ୍ଧୁ କର (୧ ଡିସେମ୍ବର ୧୯୧୪ - ୩୦ ମାର୍ଚ୍ଚ ୧୯୯୮) ଜଣେ ଅଧ୍ୟାପକ, ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ତାଙ୍କ ରଚିତ କେତେକ ଜଣାଶୁଣା ରଚନା ମଧ୍ୟରେ ଅଶାନ୍ତ, ଶ୍ୱେତପଦ୍ମା ଆଦି ନାଟକ, ଦୂରପାହାଡ଼ ଓ ପେଟୁ ଏକାଙ୍କିକା, ଷଣ୍ଢ ଲଢେଇ ଓ ସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟର ଓ ଫତୁରାନନ୍ଦଙ୍କ ନାକଟା ଚିତ୍ରକରର ନାଟ୍ୟରୂପ ଦେଇଥିଲେ । ତାଙ୍କର ଅଶାନ୍ତ ନାଟକ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସ୍ନାୟୁ ସଂହାର ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ବରାହମିହିର (ସନ ୫୦୫- ସନ ୫୮୭) ହେଉଛନ୍ତି ଜଣେ ମହାନ୍ ଭାରତୀୟ ଗଣିତଜ୍ଞ, ଜ୍ୟୋତିର୍ବିଦ ଓ ଖଗୋଳ ବିଜ୍ଞାନୀ। ସେ କେବଳ ବରାହ ବା ମିହିର ଭାବେ ମଧ୍ୟ ପରିଚିତ। ତାଙ୍କର ଜନ୍ମ ଉଜ୍ଜୟିନୀରେ ହୋଇଥିଲା ।ପିତା ଆଦିତ୍ୟଦାସଙ୍କଠାରୁ ପାରମ୍ପାରିକ ଗଣିତ ଏବଂ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରି ସେଥିରେ ଅନେକ ସଂସ୍କାର ଆଣିଥିଲେ। ଗୁପ୍ତ ସାମ୍ରାଜ୍ୟର ବିକ୍ରମାଦିତ୍ୟ(ଚନ୍ଦ୍ରଗୁପ୍ତ-୨ୟ)ଙ୍କ ରାଜସଭାରେ ସେ ନବରତ୍ନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ଗୋପାଳ ଛୋଟରାୟ (୨୦ ଅପ୍ରେଲ ୧୯୧୬ - ୨୨ ଜାନୁଆରୀ ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକସବୁ ଜୀବନ୍ତ । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ବିଜୟ ମିଶ୍ର (୧୬ଜୁଲାଇ ୧୯୩୬ - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ । ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ସେ ଆନୁମାନିକ ୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦,୦୦୦ ପଦ୍ୟାବଳୀ ସେ ରଚନା କରିଯାଇଛନ୍ତି । ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଆୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ତାଙ୍କୁ ଓଡ଼ିଶାର ପୁରପଲ୍ଳୀରେ 'ମହାପୁରୁଷ' ଭାବେ ଲୋକେ ଅଭିହିତ କରନ୍ତି ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଭାରତୀୟ ସଂସ୍କୃତି ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।
ଗୋଲୋକ ବିହାରୀ ଧଳ (୧୫ ଡିସେମ୍ବର ୧୯୨୧- ୨୪ ଜୁନ ୧୯୭୪) ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଜଣେ ଭାଷାତତ୍ତ୍ୱବିତ, ପ୍ରଫେସର, ଧ୍ୱନି ତତ୍ତ୍ୱବିତ୍, ଅନୁବାଦକ, ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ଜଣେ ପ୍ରାବନ୍ଧିକ ଭାବେ ସେ ବିଭିନ୍ନ ଗଠନମୂଳକ ମୂକ୍ୟବୋଧ ତଥା ଓଡ଼ିଶାର ସମାଜ, ଶିକ୍ଷା, ସଂସ୍କୃତି ଓ ପରମ୍ପରା ଉପରେ ପ୍ରବନ୍ଧମାନ ରଚନା କରୁଥିଲେ । ଭାରତର ଜାତୀୟ ଜୀବନର ତ୍ରୁଟିବିଚ୍ୟୁତି ଉପରେ ତାଙ୍କର କିଛି ପ୍ରବନ୍ଧ ରଚିତ । ତାଙ୍କ ପ୍ରବନ୍ଧମାନ ସରଳ, ସଂକ୍ଷିପ୍ତ ଓ ଇଙ୍ଗିତଧର୍ମୀ ।
ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ଭାଷା ହେଉଛି ଯୋଗାଯୋଗର ଜଟିଳ ପ୍ରଣାଳୀକୁ ଶିଖିବା ଓ ବ୍ୟବହାର କରିବା ପାଇଁ ଥିବା ମନୁଷ୍ୟର ସାମର୍ଥ୍ୟ ଏବଂ ଗୋଟିଏ ଭାଷା ହେଉଛି ଏହି ଜଟିଳ ଯୋଗାଯୋଗ ପ୍ରଣାଳୀର ଏକ ଉଦାହରଣ । ପୃଥିବୀରେ ସର୍ବମୋଟ କେତେ ଭାଷା ଅଛି ଏକଥା ସଠିକ ଭାବେ କହିବା ସମ୍ଭବ ନୁହେଁ ଏବଂ ଏହି ସଂଖ୍ୟା ଭାଷା (language) ଓ ଲୋକଭାଷା (dialects) ମଧ୍ୟରେ ସୂକ୍ଷ୍ମ ପ୍ରଭେଦ ଉପରେ ନିର୍ଭର କରେ । ତଥାପି ଆକଳନ କରାଯାଇଛି ଯେ ଏହି ସଂଖ୍ୟା ୬୦୦୦ରୁ ୭୦୦୦ ହେବ ।
ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ (୧୫ ଅକ୍ଟୋବର ୧୯୩୧- ୨୭ ଜୁଲାଇ ୨୦୧୫), ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । କଲାମ ତାମିଲନାଡୁର ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି । ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର "ଭାରତ ରତ୍ନ"ରେ ସମ୍ମାନିତ କରା ଯାଇଥିଲା ।
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ରେବତୀ ହେଉଛି ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି । ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ଫକୀରମୋହନଙ୍କ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଛି । ୧୮୯୮ ମସିହାରେ ତାଙ୍କ ରଚିତ 'ରେବତୀ' ବହୁତ ଜନପ୍ରିୟତା ଲାଭ କରିଥିଲା ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢ଼ିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଛି ।
ବିଶ୍ୱନାଥ କର (ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା) - (୧୮୬୪ - ୧୯୩୪) ଜଣେ ଓଡ଼ିଆ ସମାଜ ସଂସ୍କାରକ, ସଂପାଦକ, ପ୍ରାବନ୍ଧକ, ବାଗ୍ମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ 'ଉତ୍କଳ ସାହିତ୍ୟ' ପତ୍ରିକାର ସମ୍ପାଦକ ଥିଲେ । ସେ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ଓ ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ ସେ "ରାୟ ବାହାଦୁର" ଉପାଧୀ ପ୍ରାପ୍ତ ହୋଇ ତାହାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ 'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେ । 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧ - ୨୩ ଅଗଷ୍ଟ ୧୯୩୮) ଜଣେ ଓଡ଼ିଆ କବି ଥିଲେ । ତାଙ୍କର ଜନ୍ମ ବସ୍ତର ଦେଶୀୟ ରାଜ୍ୟରେ ହୋଇଥିଲା । ବସ୍ତର ଓଡ଼ିଆଭାଷୀ ଅଞ୍ଚଳ । ହେଲେ ତାହା ଓଡ଼ିଶାରେ ନାହିଁ । ତାଙ୍କ ପିତା ଦାନିଏଲ୍ ସାବତ ଜଣେ ଡାକ୍ତର ହିସାବରେ ବ୍ରହ୍ମଦେଶରେ ରହୁଥିଲେ । ଏକାଧାରରେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । କୁନ୍ତଳା ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
{{Infobox person | name = ଚାଣକ୍ୟ | image = Chanakya.jpg | image_size = | alt = | caption = An artist's imagination of Chanakya | birth_date = c. 370 BCE | birth_place =ଜନ୍ମ ସ୍ଥାନ ବିବାଦୀୟ , କେତେକଙ୍କ ମତରେ ପାଟଳୀପୁତ୍ର, ତକ୍ଷଶିଳା ଏବଂ ଦକ୍ଷିଣ ଭାରତ | death_date = c. 283 BCE | death_place = ପାଟଳୀପୁତ୍ର | other_names = କୈଟିଲ୍ୟ, ବିଷ୍ଣୁଗୁପ୍ତ | alma_mater = ତକ୍ଷଶିଳା | occupation = Professor and royal advisor | known_for = Foundation of the ମୌର୍ଯ୍ୟ ସାମ୍ରାଜ୍ୟ | notable_works = ଅର୍ଥଶାସ୍ତ୍ର (authorship disputed), ଚାଣକ୍ୟ ନୀତି | influences = | influenced = | footnotes = କୌଟିଲ୍ୟ (ଖ୍ରୀ.ପୂ.
ବିନୋଦ ଚନ୍ଦ୍ର ନାୟକ (୨ ସେପ୍ଟେମ୍ବର ୧୯୧୯ - ୧୫ ନଭେମ୍ବର ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ଗତାନୁଗତିକ ଧାରାରୁ ବାହାରି ଆଧୁନିକତା ସଙ୍ଗେ ରୋମାଣ୍ଟିକ ଚିନ୍ତାଧାରାର ସମ୍ମିଶ୍ରଣ ତାଙ୍କ କବିତାର ବିଶେଷତା ଥିଲା । କବିତା ସଂକଳନ ସରୀସୃପ ପାଇଁ ସେ ୧୯୭୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତାଙ୍କ କବିତା ସାରା ଦେଶରେ ଆଦୃତ ହୋଇଛି ଓ ବହୁ ଭାଷାରେ ଅନୁବାଦିତ ହୋଇଛି । ତାଙ୍କର କୃତି ସମୂହ ଉପରେ ଅନେକ ବିଦ୍ୟାର୍ଥୀ ଉଚ୍ଚତର ଗବେଷଣା କରି ଡକ୍ଟରେଟ ଉପାଧି ପାଇଛନ୍ତି ।
ସଂସ୍କୃତ (, संस्कृत-, saṃskṛta-, ସାଧାରଣତଃ संस्कृतम्, saṃskṛitam) ବିଶ୍ବର ଏକ ପୁରାତନ ତଥା ଭାରତରେ ପ୍ରଚଳିତ ଏକ ଶାସ୍ତ୍ରୀୟ ଭାଷା । ଏହା ଭାରୋପୀୟ ଭାଷା ପରିବାରର ଏକ ଆର୍ଯ୍ୟ ଭାଷା । ଏହାର ପୂର୍ବବର୍ତ୍ତୀ ଭାଷାଗୁଡ଼ିକ ପ୍ରାକ୍ତନ ତାମ୍ର ଯୁଗରେ ଉତ୍ତର-ପଶ୍ଚିମରୁ ବିସ୍ତାର ଲାଭ କଲାପରେ ଏହା ଦକ୍ଷିଣ ଏସିଆରେ ବ୍ୟାପୀଥିଲା । ସଂସ୍କୃତ ହିନ୍ଦୁ ଧର୍ମର ପବିତ୍ର ଭାଷା ଓ ଶାସ୍ତ୍ରୀୟ ହିନ୍ଦୁ ଦର୍ଶନ ଶାସ୍ତ୍ରରେ, ବୌଦ୍ଧ ଏବଂ ଜୈନ ଧର୍ମର ଐତିହାସିକ ପାଠ୍ୟରେ ବ୍ୟବହାର ହୋଇଥିଲା । ଏହା ପ୍ରାଚୀନ ଏବଂ ମଧ୍ୟଯୁଗୀୟ ଦକ୍ଷିଣ ଏସିଆରେ ଏକ ସଂଯୋଗ ଭାଷା ଥିଲା ଏବଂ ପ୍ରାରମ୍ଭିକ ମଧ୍ୟଯୁଗୀୟ ଯୁଗରେ ଦକ୍ଷିଣ ପୂର୍ବ ଏସିଆ, ପୂର୍ବ ଏସିଆ ଏବଂ ମଧ୍ୟ ଏସିଆକୁ ହିନ୍ଦୁ ଏବଂ ବୌଦ୍ଧ ସଂସ୍କୃତି ବ୍ୟାପିବା ପରେ ଏହା ଧର୍ମ ଏବଂ ଉଚ୍ଚ ସଂସ୍କୃତିର ଭାଷା ଏବଂ ଏହି କ୍ଷେତ୍ରରେ ରାଜନୈତିକ ଉଚ୍ଚବର୍ଗଙ୍କ ଭାଷାରେ ପରିଣତ ହୋଇଥିଲା । ଫଳରେ ବିଶେଷ କରି ବିଭିନ୍ନ ଦକ୍ଷିଣ ଏସିଆ, ଦକ୍ଷିଣପୂର୍ବ ଏସିଆ ଏବଂ ପୂର୍ବ ଏସିଆର ଭାଷାଗୁଡ଼ିକର ଔପଚାରିକ ଏବଂ ପରିବର୍ତ୍ତିତ ଶବ୍ଦାବଳୀ ଉପରେ ସଂସ୍କୃତ ସ୍ଥାୟୀ ପ୍ରଭାବ ପକାଇଥିଲା ।ସଂସ୍କୃତ ସାଧାରଣତଃ ଅନେକ ପୁରୁଣା ଇଣ୍ଡୋ-ଆର୍ଯ୍ୟ ଭାଷା ପ୍ରକାରକୁ ସୂଚାଏ । ଏହାର ସବୁଠାରୁ ପୁରୁଣା ହେଉଛି ଋକବେଦରେ ମିଳୁଥିବା ବୈଦିକ ସଂସ୍କୃତ । ତାହା ଖ୍ରୀ.ପୂ. ୧୫୦୦ ମସିହାରୁ ଖ୍ରୀ.ପୂ. ୧୨୦୦ ମସିହା ମଧ୍ୟରେ ରଚନା କରାଯାଇଥିବା ୧,୦୨୮ଟି ଶ୍ଳୋକକୁ ନେଇ ଗଠିତ ଓ ଏସବୁକୁ ବର୍ତ୍ତମାନର ଉତ୍ତର ପାକିସ୍ତାନ ଓ ଆଫଗାନିସ୍ତାନରୁ ଉତ୍ତର ଭାରତର ଆଡ଼କୁ ପୂର୍ବମୁଖୀ ହୋଇ ପ୍ରବାସ କରୁଥିବା ଇଣ୍ଡୋ-ଆର୍ଯ୍ୟ ଜନଜାତିମାନେ ରଚନା କରିଥିଲେ । ବୈଦିକ ସଂସ୍କୃତ ଭାରତୀୟ ଉପମହାଦେଶର ପୂର୍ବବର୍ତ୍ତୀ ପ୍ରାଚୀନ ଭାଷାମାନଙ୍କ ସହ ଆଦାନ ପ୍ରଦାନ କରିବା ବେଳେ ପ୍ରଥମ କରି ଭେଟିଥିବା ଗଛ ଏବଂ ପଶୁମାନଙ୍କ ନାମ ମଧ୍ୟ ଆହରଣ କରିଥିଲା । ଏହା ବ୍ୟତୀତ ପ୍ରାଚୀନ ଦ୍ରାବିଡ଼ ଭାଷାଗୋଷ୍ଠୀ ସଂସ୍କୃତର ଧ୍ୱନିବିଜ୍ଞାନ ଏବଂ ଗଠନକୁ ପ୍ରଭାବିତ କରିଥିଲେ । "ସଂସ୍କୃତ" ମଧ୍ୟ ଅତି ସାଧାରଣ ଭାବେ ଶାସ୍ତ୍ରୀୟ ସଂସ୍କୃତକୁ ସୂଚାଏ । ଶାସ୍ତ୍ରୀୟ ସଂସ୍କୃତ ଏକ ୧ମ ମସିହାର ମଧ୍ୟଭାଗରେ ଉତ୍ପନ୍ନ ହୋଇଥିବା ଏବଂ ପ୍ରାଚୀନ ବ୍ୟାକରଣଗୁଡ଼ିକ ମଧ୍ୟରେ ସବୁଠାରୁ ବ୍ୟାପକ ଭାବେ ପାଣିନୀଙ୍କ ଅଷ୍ଟାଧ୍ୟାୟୀଦ୍ୱାରା ("ଆଠଟି ଅଧ୍ୟାୟ") ମାନକୀକରଣ ହୋଇଥିଲା । କାଳିଦାସ ସଂସ୍କୃତ ଭାଷାର ସର୍ବଶ୍ରେଷ୍ଠ ନାଟ୍ୟକାର ଓ ସେ ଶାସ୍ତ୍ରୀୟ ସଂସ୍କୃତରେ ଲେଖୁଥିଲେ । ଆଧୁନିକ ଗଣିତର ମୂଳଦୁଆ ପ୍ରଥମେ ଶାସ୍ତ୍ରୀୟ ସଂସ୍କୃତରେ ବର୍ଣ୍ଣନା କରାଯାଇଥିଲା । ତେବେ ସଂସ୍କୃତରେ ରଚିତ ଦୁଇ ପ୍ରମୁଖ ମହାକାବ୍ୟ ମହାଭାରତ ଏବଂ ରାମୟଣ ବିଭିନ୍ନ ମୌଖିକ କାହାଣୀ ବର୍ଣ୍ଣନା ଶୈଳୀରେ ରଚିତ ଓ ଏହି ସଂସ୍କୃତକୁ ମହାକାବ୍ୟ ସଂସ୍କୃତ କୁହାଯାଉଥିଲା । ଏହା ଉତ୍ତର ଭାରତରେ ଖ୍ରୀ.ପୂ.
ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
ଶରତ ଚନ୍ଦ୍ର ପ୍ରଧାନ (୫ ମଇ ୧୯୩୪ – ୭ ଜାନୁଆରୀ ୨୦୨୩) ଜଣେ ଅଧ୍ୟାପକ ତଥା ଓଡ଼ିଆ କବି, ପ୍ରାବନ୍ଧିକ ଓ ସମାଲୋଚକ ଥିଲେ । ସେ ମୁଖ୍ୟତଃ ଲୋକ ଲୋକ ସଂସ୍କୃତିକୁ ଭିତ୍ତି କରି ସାହିତ୍ୟ ରଚନା କରିଥିଲେ । "ଯଯାତି" ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ପ୍ରଜାତନ୍ତ୍ର ପ୍ରଚାର ସମିତିର "ବିଷୁବ ପୁରସ୍କାର", ଗଙ୍ଗାଧର ରଥ ଫାଉଣ୍ଡେସନର "ସାହିତ୍ୟ ଭାରତୀ" ପୁରସ୍କାର ଏବଂ "ଓଡ଼ିଆ ଗବେଷଣା ପରିଷଦ"ର "କ୍ଷେତ୍ରବାସୀ ସାହିତ୍ୟବିଦ୍ୟା ପୁରସ୍କାର" ସେ ପାଇଥିବା ଅନ୍ୟ କେତୋଟି ପ୍ରମୁଖ ପୁରସ୍କାର । ତାଙ୍କର ଆତ୍ମଜୀବନୀର ନାମ "ସାହିତ୍ୟର ସେବାୟତ" ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।