ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।
ସାମୂହିକ ଭାବେ କିଛି ବ୍ୟକ୍ତିବିଶେଷ ଅଥବା ଅନୁଷ୍ଠାନ ଏକ ମହତ କାର୍ଯ୍ୟ ସମ୍ପାଦନ ଏବଂ ଏହାର ବୃହତ୍ତର ଲକ୍ଷ୍ୟ ପୂରଣ କରିବାକୁ ଏକ ପ୍ରକାର ଉଦ୍ୟମ ବଜାୟ ରଖିବାକୁ ସାମାଜିକ ଆନ୍ଦୋଳନ (ସୋସିଆଲ ମୁଭମେଣ୍ଟ) କୁହାଯାଏ । ଆନ୍ଦୋଳନକୁ ସଂମ୍ପୂର୍ଣ କରିବାର ପ୍ରୟାସ ଏହାର ସଦସ୍ୟମାନଙ୍କଠାରେ ଏକ ପ୍ରକାର ନିଶା ଦେଖାଯାଇଥାଏ । ଦାବିଗୁଡିକ ସମୟୋପଯୋଗୀ ହୋଇଥିଲେ ସାମାଜିକ ଆନ୍ଦୋଳନର ଫଳାଫଳ ପ୍ରାୟତଃ ବାଞ୍ଛନୀୟ ହୋଇଥାଏ । ୨୦୧୬ ସମୟରେ ଦେଖାଯାଉଥିବା ସାମାଜିକ ଆନ୍ଦୋଳନଗୁଡିକ ହେଲା ଶ୍ରମିକ ସଙ୍ଗଠନ ଆନ୍ଦୋଳନ , ଓଡ଼ିଆ ଭାଷା ସାହିତ୍ୟ ଆନ୍ଦୋଳନ, ନୟାଗଡ଼ ଚାଷୀ ଆନ୍ଦୋଳନ, ମହାନଦୀ ଜଳ ବଞ୍ଚାଅ ଆନ୍ଦୋଳନ, ଭବିଷ୍ୟତ ପାଇଁ ଖଣି ଓ ପାଣି ଆନ୍ଦୋଳନ ଓ ନାରୀ ନିର୍ଯ୍ୟାତନା ବିରୋଧୀ ଆନ୍ଦୋଳନ ।
କେଶା ରୋଜ୍ ସେବେର୍ତ୍ ( KESH-Ə-_-ROHZ-_; (ଜନ୍ମ" ୧ ମାର୍ଚ୍ଚ ୧୯୮୭); ଜଣେ ଆମରିକାର କଣ୍ଠଶିଳ୍ପୀ, ଗୀତିକାର ଏବଂ ଅଭିନେତ୍ରୀ, ଯିଏକି କେଶା ଭାବରେ ପରିଚିତା । ୨୦୦୫ରେ ମାତ୍ର ୧୮ ବର୍ଷ ବୟସରେ କେଶା କେମୋସବେ ରେକର୍ଡ଼ସ୍ ପାଇଁ କାମ କରିବା ଆରମ୍ଭ କରିଥିଲେ ଏବଂ ଏକ ରାଜିନାମା ସ୍ୱାକ୍ଷର କରିଥିଲେ । ୨୦୦୯ର ପ୍ରଥମ ଭାଗରେ କେଶାଙ୍କୁ ତାଙ୍କର ପ୍ରଥମ ବଡ଼ ସଫଳତା ମିଳିଥିଲା । ଯେତେବେଳେ ସେ ଆମେରିକାର ରାପର୍ ଫ୍ଲୋ ରିଡାଙ୍କ ସହ ଏକ ଗୀତ ରାଇଟ୍ ରାଉଣ୍ଡରେ କାର୍ଯ୍ୟ କରିଥିଲେ, ସେତେବେଳେ କେଶା ଅଧିକ ଲୋକପ୍ରିୟତା ପାଇଥିଲେ ।କେଶାଙ୍କର ଗୀତ ଏବଂ ତାଙ୍କ ପାଇଁ ତାଙ୍କର ପ୍ରଥମ ଆଲବମ୍ ଆନିମାଲ୍ ୨୦୦୯ ଏବଂ ୨୦୧୦ରେ ଅନେକ ଦେଶରେ ବହୁଳ ସଫଳତା ପାଇଥିଲା । ଏହା ପରେପରେ ସେ ଆଉ ତିନୋଟି ଆଲବମ୍ରେ ଏକା ହିଁ କାମ କରିଥିଲେ । ଏହି ଆଲବମ୍ଗୁଡ଼ିକ ହେଲା ଟିକ୍ ଟକ୍, ଉଇ ଆର୍ ହୁ ଉଇ ଆର୍ ଏବଂ ଟିମ୍ବର୍ । ଟିମ୍ବର୍ରେ ପିଟ୍ବୁଲ୍ ମଧ୍ୟ କାର୍ଯ୍ୟ କରିଥିଲେ । ଏକା ସମୟରେ ସେ ଅନ୍ୟ କଳାକାରମାନଙ୍କ ପାଇଁ ଗୀତ ଲେଖିଥିଲେ ଏବଂ ନିଜର ଆଲବମ୍ରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ବ୍ରିଟେନୀ ସ୍ପିୟରସ୍ଙ୍କ ପାଇଁ ଟିଲ୍ ଦ ୱାରଲ୍ଡ ଏଣ୍ଡସ୍। ୨୦୧୨ରେ ତାଙ୍କର ୨ୟ ଷ୍ଟୁଡ଼ିଓ ଆଲବମ୍ ୱାରିଅର୍ ମୁକ୍ତିଲାଭ କରିଥିଲା । ଏହାପରେ ଲଗାତାର ଆଠଟି ଆଲବମ୍ ସଫଳ ହୋଇଥିଲା । ତାଙ୍କର ଆଲବମ୍ ଟିକ୍ ଟକ୍ ସେତେବେଳେ ସବୁଠାରୁ ଅଧିକ ବିକ୍ରି ହୋଇଥିଲା । ଏହି ଆଲବମ୍ଟି ସାରା ବିଶ୍ୱରେ ୧୬.୫ କୋଟିରୁ ଅଧିକ ବିକ୍ରି ହୋଇଥିଲା ।୨୦୧୩ ମସିହାରୁ କେଶା ଏବଂ ତାଙ୍କର ପୂର୍ବତନ ପ୍ରଯୋଜକ ଡ.
ଭଗବାନ ବିଷ୍ଣୁଙ୍କର ଦଶାବତାର କଥା ଶୁଣିଲେ ଓ ଓଡ଼ିଶୀ ନାଚର ଦଶ ଅବତାର ଭଙ୍ଗୀ ଦେଖିଲେ ବୁଝାପଡ଼େ ମଣିଷ କିପରି ଏ ପୃଥିବୀକୁ ଆସିଲା । ବିବର୍ତ୍ତନବାଦୀମାନେ କହନ୍ତି, ପୃଥିବୀଟା ବହୁ ପୁରାକାଳରେ ଖାଲି ବାଷ୍ପମୟ ଥିଲା । କ୍ରମେ କ୍ରମେ ସେ ବାଷ୍ପରାଶି ଶୀତଳ ହୋଇଯାଇ ନାନାପ୍ରକାର ପଦାର୍ଥ ଓ ରାସାୟନିକ ଦ୍ରବ୍ୟରେ ପରିଣତ ହେଲା । ପାଣି ମଧ୍ୟ ତିଆରି ହେଲା । ସେ ପାଣିରେ ପ୍ରଥମେ ଛୋଟ ଛୋଟ ଜୀବ ଉତ୍ପନ୍ନ ହେଲେ । ସେ ଛୋଟ ଛୋଟ ଜୀବ ନାନା ଘାତ ପ୍ରତିଘାତ ମଧ୍ୟରେ ଯାଇ ଆସ୍ତେ ଆସ୍ତେ ଉନ୍ନତ ଧରଣର ହେଲେ । ପରେ ମାଛମାନଙ୍କର ଆବିର୍ଭାବ ହେଲା । ସେ ମାଛମାନେ କ୍ରମେ କ୍ରମେ ଜଳରୁ ସ୍ଥଳଭାଗକୁ ଆସିଲେ । ତା ପରେ ନାନା ପ୍ରକାର ସରୀସୃପ ବା ସାପ ଜାତୀୟ ଓ ବେଙ୍ଗ ଜାତୀୟ ଜୀବ ସୃଷ୍ଟି ହେଲେ । ସେଥିରୁ କ୍ରମେ କ୍ରମେ ନାନା ପ୍ରକାର ଡାଇନୋସର ଓ ଅନ୍ୟାନ୍ୟ ପ୍ରକାରର ଜୀବ ସୃଷ୍ଟି ହୋଇ ଶେଷରେ ମାଙ୍କଡମାନଙ୍କର ଆବିର୍ଭାବ ହେଲା । ଏସବୁ ହେବାକୁ କୋଟି କୋଟି ବର୍ଷ ଲାଗିଥିଲା ବୋଲି ବୈଜ୍ଞାନିକମାନେ କହନ୍ତି । ତା ପରେ ଆସିଲା ମଣିଷ ।
ପୋକେମୋନ ଗୋ ଏକ ନୂତନ ଭିଡିଓ ରିଆଲିଟି ଖେଳ ଯାହା ନିଆଣ୍ଟିକ ଦ୍ୱାରା, ମୋବାଇଲ ପାଇଁ ତିଆରି ହୋଇଛି ଏବଂ ୨୦୧୬ ଜୁଲାଇ ମାସ ୬ ତାରିଖରୁ ବିଶ୍ୱର ଅନେକ ରାଷ୍ଟ୍ରରେ ଉପଲବ୍ଧ ମଧ୍ୟ ହୋଇଛି । । ଏହି ଖେଳଟି ପୋକେମୋନ ଗୋ ପ୍ଲସ୍ ସହିତ ପ୍ରକାଶିତ ହେବ । ପୋକେମୋନ ଗୋ ପ୍ଲସ୍ ଏକ ଛୋଟ ପିନ୍ଧିହେଉଥିବା ଯନ୍ତ୍ର ଯାହା ନିଣ୍ଟେଣ୍ଡୋଦ୍ୱାରା ତିଆରି ହୋଇଛି । ଏହା ବ୍ଲୁଟୁଥ୍ଦ୍ୱାରା ବ୍ୟବହାରକାରୀମାନଙ୍କୁ ଏକ ସୂଚନା ପଠାଇଥାଏ ଯେବେ କୌଣସି ପୋକେମୋନ ବ୍ୟବହାରକାରୀଙ୍କ ପାଖରେ ଥାଏ । ଏହା ସୂଚନା ଦେବା ପାଇଁ ଏକ ଏଲ.ଇ.ଡ଼ି ଓ ଲାଇଟ ରମ୍ବଲର ବ୍ୟବହାର କରେ । ଏହି ଖେଳଟି ବ୍ୟବହାରକାରୀମାନଙ୍କୁ ପୋକେମୋନ ସାଇତିବା ପାଇଁ, ସେମାନଙ୍କ ଲଢେଇ କରିବା ପାଇଁ, ତାଙ୍କୁ ଶିଖେଇବା ପାଇଁ ଓ ଅବାସ୍ତବ ପୋକେମୋନମାନଙ୍କଦ୍ୱାରା ବ୍ୟାପାର କରିବାର ସୁଯୋଗ ଦିଏ । ଏହି ଖେଳକୁ ଖେଳିବାପାଇଁ କୌଣସି ମୁଦ୍ରା ଦେବାକୁ ପଡେ ନାହିଁ ଓ ଏହି ଖେଳ ମଧ୍ୟରୁ ଖେଳ ଜଡ଼ିତ ଜିନିଷ କିଣିବାର ସହଯୋଗ ମଧ୍ୟ ମିଳିଥାଏ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା)ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷଠାରୁ ତଥ୍ୟ (Data) ନିଏ, ସେସବୁକୁ ସାଇତି ରଖେ ଆଉ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟକୁ ବ୍ୟବହାର କରି ଉତ୍ତର ଦିଏ ।ସଂରକ୍ଷିତ ଉତ୍ତର କମ୍ପ୍ୟୁଟର (memory)ରେ ରହିଥାଏ। ଏକ ସମୟରେ ଗାଣିତିକ ଏବଂ ଲଜିକ୍ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଗୀତଗୋବିନ୍ଦ କବି ଜୟଦେବଙ୍କଦ୍ୱାରା ସଂସ୍କୃତ ଭାଷାରେ ରଚିତ ଦ୍ୱାଦଶ ଶତାବ୍ଦୀର ଏକ କାବ୍ୟ । ଦ୍ୱାଦଶ ସର୍ଗ ବିଶିଷ୍ଟ ଏହି କାବ୍ୟଟି ରାଧାକୃଷ୍ଣଙ୍କ ରାସଲୀଳା ଉପରେ ପର୍ଯ୍ୟବସିତ । ବୈଷ୍ଣବ ଭକ୍ତି ମାର୍ଗ ଉପରେ ଗୀତଗୋବିନ୍ଦ କାବ୍ୟର ବିଶେଷ ପ୍ରଭାବ ପଡିଛି । କାନ୍ତ କୋମଳ ପଦାବଳୀ, ମଧୁର ଶବ୍ଦ ସଂଯୋଜନା, ଭକ୍ତି ଭାବରେ ପୂର୍ଣ୍ଣ ବିଷୟ ନିମନ୍ତେ ଗୀତଗୋବିନ୍ଦର ସଂସ୍କୃତ ସାହିତ୍ୟରେ ଏକ ବିଶେଷ ସ୍ଥାନ ରହିଚି । ପ୍ରସିଦ୍ଧ ଦଶାବତାର ବର୍ଣ୍ଣନା ଓ ସ୍ତୋତ୍ର ଏହି କାବ୍ୟର ପ୍ରଥମ ସର୍ଗରେ ରହିଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଧ୍ୟ ଗୀତଗୋବିନ୍ଦର ଏକ ପ୍ରଧାନ ସ୍ଥାନ ରହିଛି।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ଦୟାନନ୍ଦ ସରସ୍ୱତୀ (ଖ୍ରୀ.ଅ ୧୮୨୪ - ୧୮୮୩) ଥିଲେ ଜଣେ ଲେଖକ, ସମାଜ ସଂସ୍କାରକ ଓ ଆର୍ଯ୍ୟ ସମାଜର ସଂସ୍ଥାପକ । ଦୟାନନ୍ଦ ସଂସ୍କୃତ ଓ ହିନ୍ଦୀ ଭାଷାରେ ପ୍ରଭାବଶାଳୀ ବକ୍ତା ଭାବେ ପରିଚିତ । ସେ କହୁଥିଲେ ମୃତ ବ୍ୟକ୍ତିକୁ ଶ୍ରାଦ୍ଧ ତର୍ପଣ ନଦେଇ ଜୀବିତ ପିତାମାତା ଓ ବୃଦ୍ଧ ବ୍ୟକ୍ତିକୁ ସେବା କରିବା ହେଲା ପିତୃଯଜ୍ଞ । ଫଳିତ ଜ୍ୟୋତିଷ, ସାମୁଦ୍ରିକ ବିଦ୍ୟା, ହସ୍ତରେଖା ଆଦି ଅଯଥାର୍ଥ ଓ ଅନାବଶ୍ୟକ କାମ । ଲୈାକିକ ବ୍ୟବହାରରେ ସାଧୁତା, ଯଥାର୍ଥ କର୍ମସାଧନା, କର୍ତ୍ତବ୍ୟ ପ୍ରତି ନିଷ୍ଠା ବଳରେ ପ୍ରାଣୀ ଫଳପ୍ରାପ୍ତ ହୁଅନ୍ତି ପ୍ରତିମା ପୂଜାଦେଇ ନୁହେଁ । ତାଙ୍କର ଉପଲବ୍ଧ ସତ୍ୟକୁ ପ୍ରତିପାଦିତ କରିବାକୁ ଯାଇ ସେ ଅପୌତ୍ତଳିକତା ଓ ନିଚ୍ଛକ ବୈଦିକ ସତ୍ୟର ଆଲୋଚନା ପାଇଁ ଆର୍ଯ୍ୟ ସମାଜ ସ୍ଥାପନ କରିଥିଲେ । ଆର୍ଯ୍ୟ ସମାଜ ଜରିଆରେ ଶିକ୍ଷାର ପ୍ରସାର କରାଇ ନାରୀକୁ ପୁରୁଷ ସହ ସମାନ ଅଧିକାର ଦେବାର ଯୁକ୍ତି ସେ ଦର୍ଶାଇଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼଼଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼଼଼ଦେଉଳ ଏବଂ ବଡ଼଼଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ନାରାୟଣ ସାହୁ (ଜନ୍ମ ୨୫ ନଭେମ୍ବର ୧୯୫୫) ଜଣେ ଓଡ଼ିଆ ଅଧ୍ୟାପକ ଓ ନାଟ୍ୟକାର । ଏଯାବତ ତାଙ୍କର ୨୦ରୁ ଉର୍ଦ୍ଧ ନାଟକ ପ୍ରକାଶିତ ହୋଇସାରିଛି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟାପନା କରିଛନ୍ତି । ତାଙ୍କର ନାଟକ ଆଶ୍ରା ଖୋଜି ବୁଲୁଥିବା ଇଶ୍ୱର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଆକାଶବାଣୀ ନାଟ୍ୟକାର ପୁରସ୍କାର, ଝଙ୍କାର ନାଟକ ପୁରସ୍କାର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଫାଶୀ (ଇଂରାଜୀ ଭାଷା)ରେ ହ୍ୟାଙ୍ଗିଙ୍ଗ/hanging), କୌଣସି ପଦାର୍ଥଦ୍ୱାରା ଫାଶ କରି ମଣିଷ ବେକରେ ଗୁଡ଼େଇ ଶରୀରକୁ ମୃତ୍ୟୁ ହେବା ପର୍ଯ୍ୟନ୍ତ ଝୁଲେଇ ରଖିବାକୁ ବୁଝାଏ । ପୂର୍ବରୁ ଶରୀରକୁ କେବଳ ଝୁଲେଇ ରଖି ମୃତ୍ୟୁ ଦଣ୍ଡ ଦେବାକୁ ଫାଶୀ କୁହାଯାଉଥିଲା ଯେପରି କ୍ରୁଶବିଦ୍ଧ । ମଧ୍ୟ ଯୁଗରୁ ଫାଶୀ ଏକ ସାଧାରଣ ଏକ ମୃତ୍ୟୁ ଦଣ୍ଡ ଭାବରେ ପ୍ରଚଳିତ ହୋଇଆସୁଛି । ଇଂରାଜୀ ଭାଷାରେ କେବଳ ଝୁଲେଇବାକୁ ମଧ୍ୟ ହ୍ୟାଙ୍ଗ କୁହାଯାଏ ଯାହାର ଭୂତ କାଳ ଶବ୍ଦ ହଙ୍ଗ, କିନ୍ତୁ ମୃତ୍ୟୁ ଦଣ୍ଡ ହିସାବରେ ଏହାର ଅତୀତ କାଳ ଶବ୍ଦ ହ୍ୟାଙ୍ଗ୍ଡ୍ ହୁଏ ।ଆତ୍ମହତ୍ୟା ନିମନ୍ତେ ମଧ୍ୟ ନିଜକୁ ଫାଶୀ ଦିଅନ୍ତି ଯାହା ଫଳରେ ଚେତାଶୂନ୍ୟ ହେବା ପରେ ମୃତ୍ୟୁ ହୁଏ । ସମ୍ପୁର୍ଣ୍ଣ ଝୁଲେଇବା ସମ୍ଭବ ନ ହେଲେ ଆଂଶିକ ଝୁଲେଇବାଦ୍ୱାର ମଧ୍ୟ ଫାଶୀ ହୋଇପାରେ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ସେ ଆନୁମାନିକ ୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦,୦୦୦ ପଦ୍ୟାବଳୀ ସେ ରଚନା କରିଯାଇଛନ୍ତି । ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଆୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ତାଙ୍କୁ ଓଡ଼ିଶାର ପୁରପଲ୍ଳୀରେ 'ମହାପୁରୁଷ' ଭାବେ ଲୋକେ ଅଭିହିତ କରନ୍ତି ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ମହିମା ଧର୍ମ (ପୂରା ନାମ "ସତ୍ୟ ମହିମା ଅଲେଖ ଧର୍ମ") ମୁଖ୍ୟତଃ ଓଡ଼ିଶା ଓ ଏହାର ଆଖପାଖ ରାଜ୍ୟମାନଙ୍କରେ ପ୍ରଚଳିତ ଏକ ଅଦ୍ୱୈତ ସାମାଜିକ-ଧର୍ମଧାରା । ଏହା ଉନବିଂଶ ଶତାବ୍ଦୀରେ ସମାଜର ନିମ୍ନ ଜାତି ଭାବେ ଜଣା ଜାତିର ଲୋକଙ୍କଦ୍ୱାରା ବ୍ରାହ୍ମଣବାଦର ବିରୋଧରେ ଏକ ନୂତନ ଆନ୍ଦୋଳନ ଭାବେ ଆରମ୍ଭ ହୋଇଥିଲା । ଏଥିରେ ମୂର୍ତ୍ତି ପୂଜାକୁ ବିରୋଧ କରି ଶୂନ୍ୟ ନିରାକାର ବ୍ରହ୍ମବାଦରେ ବିଶ୍ୱାସ କରାଯାଏ । ଏହା ପୃଥିବୀର କନିଷ୍ଟତମ ଧର୍ମ ଭାବେ ଜଣା । ଏଥିରେ ବୌଦ୍ଧ ଓ ଜୈନ ଧର୍ମ ତଥା ଅଦ୍ୱେତ ବେଦାନ୍ତର ପ୍ରଭାବ ପଡ଼ିଛି । ଏହା ହିନ୍ଦୁ ସମାଜର ପୌତଳିକତା, ଜାତିବାଦ ଓ ବାହ୍ୟ ଉପଚାର ଆଦି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲା ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ ।
ଅହଲ୍ୟା ହେଉଛନ୍ତି ହିନ୍ଦୁ ପୁରାଣରେ ବର୍ଣ୍ଣିତ ଏକ ମହିଳା ଚରିତ୍ର, ଯିଏ ଋଷି ଗୌତମଙ୍କ ପତ୍ନୀ ଥିଲେ । ତାଙ୍କ କାହାଣୀ ରାମାୟଣ ଏବଂ ପରେ ରାମକଥାରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥିଲା । କାହାଣୀ ଅନୁଯାୟୀ ସେ ହେଉଛନ୍ତି ଋଷି ଗୌତମଙ୍କ ପତ୍ନୀ ଏବଂ ବ୍ରହ୍ମାଙ୍କ ମାନସ କନ୍ୟା । ସୃଷ୍ଟି କର୍ତ୍ତା ବ୍ରହ୍ମା ଅହଲ୍ୟାଙ୍କୁ ସବୁଠାରୁ ସୁନ୍ଦର ମହିଳା ଭାବେ ଗଢିଥିଲେ । ତେଣୁ ସମସ୍ତ ଦେବତା ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ତେବେ ଅହଲ୍ୟାଙ୍କ ବିବାହ ପାଇଁ ବ୍ରହ୍ମା ଏକ ସର୍ତ୍ତ ରଖିଥିଲେ । ସର୍ତ୍ତଟି ହେଉଛି ଯେ ଯିଏ ତ୍ରିଲୋକ ପରିଭ୍ରମଣ କରି ପ୍ରଥମେ ଫେରିଆସିବ ତାଙ୍କୁ ହିଁ ଅହଲ୍ୟା ବରଣ ମାଳା ପ୍ରଦାନ କରିବେ । ଦେବରାଜ ଇନ୍ଦ୍ର ପ୍ରଥମେ ତାଙ୍କର ସମସ୍ତ ଚମତ୍କାର ଶକ୍ତି ପ୍ରୟୋଗ କରି ତ୍ରିଲୋକ ପରିଭ୍ରମଣ କରିଆସିଲେ । କିନ୍ତୁ ଏହି ସମୟରେ ନାରଦ ବ୍ରହ୍ମାଙ୍କୁ କହିଥିଲେ ଯେ ଋଷି ଗୌତମ ଇନ୍ଦ୍ରଙ୍କ ପୂର୍ବରୁ ତ୍ରିଲୋକ ପରିଭ୍ରମଣ କରିଛନ୍ତି । ନାରଦ ବ୍ରହ୍ମାଙ୍କୁ କହିଥିଲେ ଯେ ତାଙ୍କର ଦୈନିକ ପୂଜାକ୍ରମରେ ଋଷି ଗୌତମ ଗୋମାତାଙ୍କୁ ପରିକ୍ରମଣ କଲାବେଲେ ଗୋମାତା ଏକ ବାଛୁରୀ ଜନ୍ମ ଦେଇଥିଲେ । ବେଦାନୁସାର ଏହି ସମୟରେ ଗୋମାତାଙ୍କୁ ପରିକ୍ରମା କରିବା ତ୍ରିଲୋକ ପରିକ୍ରମା ସହିତ ସମାନ । ଅହଲ୍ୟା ଏହିପରି ଭାବେ ଅତ୍ରି ଋଷିଙ୍କ ପୁତ୍ର ଗୌତମଙ୍କୁ ବିବାହ କରିଥିଲେ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
କରୋନାଭୂତାଣୁ ରୋଗ ୨୦୧୯ ବା (କୋଭିଡ-୧୯) (କରୋନା, କରୋନାଭାଇରସ, କୋଭିଡ ଆଦି ନାମରେ ମଧ୍ୟ ଜଣା) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ ଦ୍ୱାରା(SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । ପ୍ରଥମ କରି ଚୀନର ଉହାନଠାରେ ୨୦୧୯ ଡିସେମ୍ବରରେ ଏହା ବାବଦରେ ଜଣା ପଡ଼ିଥିଲା । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ । ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ । ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ । ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ହରିହର ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
କବିସୂର୍ଯ୍ୟ ବଳଦେବ ରଥ (୧୭୮୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୮୯ ମସିହାରେ ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡି ଗଡ଼ରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ବିଶାଖା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ବୈଶାଖ (ବଇଶାଖ ନାମରେ ମଧ୍ୟ ଜଣା) କୁହାଯାଏ । ବୈଶାଖ ଶାଳିବାହନ ଶକାବ୍ଦର ପ୍ରଥମ ମାସ । ବୈଶାଖ ଓଡ଼ିଆ ହିନ୍ଦୁମାନଙ୍କର ପ୍ରଥମ ଚାନ୍ଦ୍ରମାନ ମାସ । ଏ ମାସ ପଣା ସଙ୍କ୍ରାନ୍ତିଠାରୁ ଆରମ୍ଭ ହୁଏ; ଏହାର ପୂର୍ବବର୍ତ୍ତୀ ମାସ ଚୈତ୍ର ଓ ପରବର୍ତ୍ତୀ ମାସ ଜ୍ୟୈଷ୍ଠ । ଏହି ମାସ ଓ ଏହାର ପରବର୍ତ୍ତୀ ମାସ ଗ୍ରୀଷ୍ମ ଋତୁ । ହିନ୍ଦୁମାନଙ୍କର ଏହା ଏକ ଧର୍ମ ମାସ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧୀନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .
ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହାକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହାଯାଏ । ପ୍ରତ୍ୟେକ ବେଦର ନିଜସ୍ୱ ସଂହିତା,ବ୍ରାହ୍ମଣ,ଉପନିଷଦ,ଆରଣ୍ୟକ,ବେଦାଙ୍ଗ ଓ ଉପବେଦ ରହିଛି ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ବିଷ୍ଣୁ (ସଂସ୍କୃତରେ विष्णु) ହିନ୍ଦୁଧର୍ମରେ ବୈଷ୍ଣବମାନଙ୍କର ତଥା ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ସ୍ମାର୍ତ୍ତ ସମ୍ପ୍ରଦାୟର ପ୍ରମୁଖ ଦେବତା । କେହି କେହି ତାଙ୍କୁ ପଞ୍ଚ ଦେବତାଙ୍କ ଭିତରେ ଜଣେ ବୋଲି କହିଥାନ୍ତି । ବିଷ୍ଣୁ ସହସ୍ରନାମ ଅନୁସାରେ ବିଷ୍ଣୁ ହେଉଛନ୍ତି ପରମାତ୍ମା । ସେ ସର୍ବତ୍ର ବିରାଜିତ ଓ ସ୍ଥାବର ଜଙ୍ଗମ ଜୀବ ଓ ନିର୍ଜିବାଦିର ମୂଳ ତତ୍ତ୍ୱ । ସେ ହେଉଛନ୍ତି କାଳାତୀତ ଅର୍ଥାତ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରୁ ଉର୍ଦ୍ଧ୍ୱରେ । ତ୍ରିଦେବଙ୍କ ଭିତରେ ସେ ହେଉଛନ୍ତି ସୃଷ୍ଟିର ପାଳନକର୍ତ୍ତା । ତାଙ୍କର ଅନ୍ୟନାମ ନାରାୟଣ ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ । ପ୍ରତ୍ୟେକ ପର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତୋନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ।
ଗୋପାଳ ଛୋଟରାୟ (୨୦ ଅପ୍ରେଲ ୧୯୧୬ - ୨୨ ଜାନୁଆରୀ ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକସବୁ ଜୀବନ୍ତ । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
ବରାହମିହିର (ସନ ୫୦୫- ସନ ୫୮୭) ହେଉଛନ୍ତି ଜଣେ ମହାନ୍ ଭାରତୀୟ ଗଣିତଜ୍ଞ, ଜ୍ୟୋତିର୍ବିଦ ଓ ଖଗୋଳ ବିଜ୍ଞାନୀ। ସେ କେବଳ ବରାହ ବା ମିହିର ଭାବେ ମଧ୍ୟ ପରିଚିତ। ତାଙ୍କର ଜନ୍ମ ଉଜ୍ଜୟିନୀରେ ହୋଇଥିଲା ।ପିତା ଆଦିତ୍ୟଦାସଙ୍କଠାରୁ ପାରମ୍ପାରିକ ଗଣିତ ଏବଂ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରି ସେଥିରେ ଅନେକ ସଂସ୍କାର ଆଣିଥିଲେ। ଗୁପ୍ତ ସାମ୍ରାଜ୍ୟର ବିକ୍ରମାଦିତ୍ୟ(ଚନ୍ଦ୍ରଗୁପ୍ତ-୨ୟ)ଙ୍କ ରାଜସଭାରେ ସେ ନବରତ୍ନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ପରଶୁରାମ (ସଂସ୍କୃତ: परशुराम, IAST: Paraśurāma, ଜଣେ ପରଶୁଧାରୀ ରାମ) ହିନ୍ଦୁ ଧର୍ମରେ ବିଷ୍ଣୁଙ୍କର ଷଷ୍ଠ ଅବତାର । ପୁରାଣ ଅନୁସାରେ ସେ ଜଣେ ଚିରଞ୍ଜୀବୀ ଓ ସେ କଳି ଯୁଗ ଶେଷରେ ବିଷ୍ଣୁଙ୍କ ଦଶମ ଏବଂ ଶେଷ ଅବତାର କଳ୍କୀଙ୍କର ଗୁରୁ ଭାବେ ଅବତରିବେ । ସେ ଆକ୍ରମଣ, ଯୁଦ୍ଧ ଓ ବୀରତ୍ୱ ପ୍ରଦର୍ଶନ ସହ ଶାନ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ଭଳି ଅନେକ ଗୁଣ ଧାରଣ କରିଥିଲେ । ଯେତେବେଳେ ପୃଥିବୀରେ ଅତ୍ୟଧିକ ପାପ ବୃଦ୍ଧି ହେଲା, ସେତେବେଳେ ବିଷ୍ଣୁଙ୍କର ପୃଥିବୀ ପୃଷ୍ଠରେ ପର୍ଶୁରାମ ଅବତାର ନେବା ପାଇଁ ପୂର୍ବରୁ ଭବିଷ୍ୟବାଣୀ କରାଯାଇଥିଲା । ଅସ୍ତ୍ରଶସ୍ତ୍ର ଓ କ୍ଷମତା ଯୋଗୁଁ କ୍ଷତ୍ରିୟମାନେ ସେମାନଙ୍କର କ୍ଷମତାର ଅପବ୍ୟବହାର କରିବା, ଅନ୍ୟର ଜିନିଷକୁ ବଳପୂର୍ବକ ଗ୍ରହଣ କରିବା ଏବଂ ଲୋକଙ୍କୁ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲେ । ପର୍ଶୁରାମ ଏହି କ୍ଷତ୍ରୀୟ ଯୋଦ୍ଧାମାନଙ୍କୁ ବିନାଶ କରି ବ୍ରହ୍ମାଣ୍ଡର ସନ୍ତୁଳନ ରକ୍ଷା କଲେ ।
ଜୈନବାଦ (' ଜୈନ ଧର୍ମ) ଏକ ଭାରତୀୟ ଧର୍ମ ଯେଉଁଥିରେ ଜୀବମାନଙ୍କ ପ୍ରତି ଦୟା ଓ ଅହିଂସା ଉପରେ ଧର୍ମ ପଥର ଅବତାରଣା କରାଯାଇଅଛି । ଏହାର ଦର୍ଶନ ଓ ବିଶ୍ୱାସ ମୋକ୍ଷ ନିମନ୍ତେ ଆତ୍ନ୍ମାର ଗତି ପାଇଁ ମଣିଷର ଚେଷ୍ଟା ସମ୍ପର୍କରେ ଗୁରୁତ୍ତ୍ୱ ଆରୋପ କରିଥାଏ । ଯେଉଁ ଆତ୍ମା ନିଜର ଅନ୍ତରର ଶତ୍ରୁମାନଙ୍କର ବିନାଶ କରି ମହାରୂପ ଧାରଣ କରିଅଛି ତାହାଙ୍କୁ ତୀର୍ଥଙ୍କର ବା ଜୀନ କୁହାଯାଇଥାଏ । ପୁରାଣ ମତେ ଜୈନବାଦ ଆହୁରି ମଧ୍ୟ ଶ୍ରମଣ "ଆତ୍ମ-ନିର୍ଭରଶୀଲ" ଧର୍ମ ବା ନିଗଣ୍ଠ (ଗଣ୍ଠି ବା ବନ୍ଧନ ନଥିବା)ର ଧର୍ମକୁ ବୁଝାଇଥାଏ ।
ଓଡ଼ିଶାର ହିନ୍ଦୁ ଧର୍ମର ବ୍ରାହ୍ମଣ ଜାତି ଉତ୍କଳ ବ୍ରାହ୍ମଣ ନାମରେ ଜଣା । ଏମାନେ ଏବେକାର ଓଡ଼ିଶା, ପଶ୍ଚିମ ବଙ୍ଗ, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ଝାଡ଼ଖଣ୍ଡରେ ବସବାସ କରିଥାନ୍ତି । ଏହି ବ୍ରାହ୍ମଣଗୋଷ୍ଠୀଗୁଡ଼ିକର ମାତୃଭାଷା ଓଡ଼ିଆ ତଥା ସମୁଦାୟ ଓଡ଼ିଆ ଜନସଂଖ୍ୟାର ୯% ଭାଗ ଏହିମାନେ ଅଧିକାର କରିଛନ୍ତି । ଏମାନଙ୍କ ଗୁଣସୂତ୍ର ବା କ୍ରୋମୋଜୋମ ଗୁଡ଼ିକ ମଧ୍ୟଏସିଆ ଓ ଉତ୍ତର ଭାରତର ଅନେକ ଜନଜାତି ସହ ମିଳିଥାଏ । କୁହାଯାଏ କି ପୁରାତନ ଯୁଗରେ କଳିଙ୍ଗ ଏକ ବ୍ରାହ୍ମଣ ବିହୀନ ସାମ୍ରାଜ୍ୟ ଥିଲ। । ପ୍ରଥମରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ଉତ୍ତର ଭାରତର ଗଙ୍ଗା ନଦୀ କୁଳରୁ ଅନେକ ବ୍ରାହ୍ମଣ କଳିଙ୍ଗ ରାଜାଙ୍କ ନିମନ୍ତ୍ରଣରେ କଳିଙ୍ଗ ପ୍ରଦେଶକୁ ଆସି ଯାଜପୁରର ବୈତରଣୀ ନଦୀ କୁଳରେ ବସବାସ କରିବା ଆରମ୍ଭ କଲେ । କାଳକ୍ରମେ ସେମାନେ ଓଡ଼ିଶାର ବାକି ଜାଗାମାନଙ୍କରେ ବାସ କରିବା ଆରମ୍ଭକଲେ। ଚୀନର ଦାର୍ଶନିକ ହୁଏନସାଂ ମଧ୍ୟ ତାଙ୍କ ଲେଖାରେ ଉତ୍କଳ ବ୍ରାହ୍ମଣମାନଙ୍କ ହୋମଯଜ୍ଞ ଓ ବୈତରଣୀ ନଦୀ କୁଳରୁ ଉଠୁଥିବା ହୋମ ଧୂଆଁ ବିଷୟରେ ବର୍ଣ୍ଣନା କରିଛନ୍ତି । ଉତ୍କଳ ବ୍ରାହ୍ମଣମାନଙ୍କର କିଛି ଉପନାମ ଦାଶ, ମିଶ୍ର, ରଥ, କର, ଆଚାର୍ଯ୍ୟ, ତ୍ରିପାଠୀ, ଷଡ଼ଙ୍ଗୀ, ଶର୍ମା, ଦାଶଶର୍ମା, ରଥଶର୍ମା, ନନ୍ଦ, ପଣ୍ଡା, ପାଢୀ, ପାଣି, ପାଣିଗ୍ରାହୀ, ପୁଜାପଣ୍ଡା, ବଡ଼ପଣ୍ଡା, ମହାପାତ୍ର, ଶତପଥୀ, ଓତା ଓ ହୋତା ଇତ୍ୟାଦି ।
ସନ୍ଥକବି ଭୀମ ଭୋଇ ଭୀମ ଭୋଇ (୧୮୫୦-୧୮୯୫ ) ରେଢ଼ାଖୋଲର ମଧୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ । ତାଙ୍କର ରଚନା ଗୁଡ଼ିକରେ ମାନବ ଧର୍ମ, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି । ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" କବିତା ଅନ୍ୟତମ । ତାଙ୍କ ସମସାମୟିକମାନଙ୍କ କବିତାସବୁ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବିଷୟରେ ହୋଇଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ବହିଗୁଡ଼ିକ ମଧ୍ୟରେ "ସ୍ତୁତିଚିନ୍ତାମଣି", "ହଲିଆ ଗୀତ", "ଡାଲଖାଈ", "ରସରକେଲି", "ଜାଇଫୁଲ", "ବ୍ରହ୍ମ ନିରୂପଣ ଗୀତା", "ଆଦିଅନ୍ତ ଗୀତା", "ଅଷ୍ଟକ ବିହାରୀ ଗୀତା", "ନିର୍ବେଦ ସାଧନା", "ଶ୍ରୁତିନିଷେଧ ଗୀତା", "ମନୁସଭାମଣ୍ଡଳ", "ଗୃହଧର୍ମ" ଓ "ମହିମାବିନୋଦ" । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ସୁରକ୍ଷିତ । ତାଙ୍କ ରଚିତ ବହିଗୁଡ଼ିକ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ବିଷ୍ଣୁ (ଦେବନାଗରୀ : विष्णु) ହିନ୍ଦୁଧର୍ମରେ ବୈଷ୍ଣବମାନଙ୍କର ତଥା ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରତିଷ୍ଠିତ ସ୍ମାର୍ତ୍ତ ସମ୍ପ୍ରଦାୟର ପ୍ରମୁଖ ଦେବତା । କେହି କେହି ତାଙ୍କୁ ପଞ୍ଚ ଦେବତାଙ୍କ ଭିତରେ ଜଣେ ବୋଲି କହିଥାନ୍ତି। ବିଷ୍ଣୁ ସହସ୍ରନାମ ଅନୁସାରେ ବିଷ୍ଣୁ ହେଉଛନ୍ତି ପରମାତ୍ମା। ସେ ସର୍ବତ୍ର ବିରାଜିତ ଓ ସ୍ଥାବର ଜଙ୍ଗମ ଜୀବ ଓ ନିର୍ଜିବାଦିର ମୂଳ ତତ୍ତ୍ୱ। ସେ ହେଉଛନ୍ତି କାଳାତୀତ ଅର୍ଥାତ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତରୁ ଉର୍ଦ୍ଧ୍ୱରେ। ତ୍ରିଦେବଙ୍କ ଭିତରେ ସେ ହେଉଛନ୍ତି ସୃଷ୍ଟିର ପାଳନକର୍ତ୍ତା। ତାଙ୍କର ଅନ୍ୟନାମ ନାରାୟଣ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ବେଦାନ୍ତ ବା ଉତ୍ତର ମିମାଂସା ପାରମ୍ପରିକ ବୈଦିକ ଷଡଦର୍ଶନ ମଧ୍ୟରୁ ଗୋଟିଏ । ବେଦର ଅନ୍ତିମ ଭାଗକୁ ବେଦାନ୍ତ ବୋଲି କୁହାଯାଏ ଏବଂ ଏହା ଉପନିଷଦମାନଙ୍କୁ ବୁଝାଏ । ବେଦାନ୍ତ ଶବ୍ଦ ମଧ୍ୟ ହିନ୍ଦୁ ଦର୍ଶନର ତିନି ମୂଳ ଗ୍ରନ୍ଥ ପ୍ରଧାନ ଉପନିଷଦ ସମୂହ, ବ୍ରହ୍ମସୂତ୍ର ଓ ଭଗବତ ଗୀତା ଉପରେ ଆଧାରିତ ବିଭିନ୍ନ ଦାର୍ଶନିକ ପରମ୍ପରାକୁ ବୁଝାଏ । ବିଭିନ୍ନ ଦଶ ଅଷ୍ଟମ ଶତାବ୍ଦୀ ବେଳକୁ ଏହି ଶବ୍ଦର ପ୍ରୋୟୋଗ ଆତ୍ମ ସାକ୍ଷାତ୍କାର ବା ବ୍ରହ୍ମଙ୍କୁ ଜାଣିବାର ପ୍ରଣାଳୀ ନିମନ୍ତେ କରାଗଲା । ବେଦାନ୍ତ ଦର୍ଶନକୁ ଉତ୍ତର ମୀମାଂସା ମଧ୍ୟ କୁହାଯାଏ ।
ଆମ୍ବ ହେଉଛି ଭାରତର ଜାତୀୟ ଫଳ ।ଭାରତୀୟ ସଂସ୍କୃତି ସହ ଓତୋପ୍ରୋତ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭକାର୍ଯ୍ୟରେ ଆମ୍ଭ ପତ୍ରକୁ ଖୋଜା ପଡ଼ିଥାଏ, କଳସ ବସିବାଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ । କଞ୍ଚା ଓ ପାଚିଲା ଆମ୍ବ ଖାଦ୍ୟ ରୂପେ ବ୍ୟବହୃତ ହୁଏ । ଭାରତୀୟ ଚିତ୍ରକଳାରେ ଆମ୍ବକଷି ଡିଜାଇନ ବହୁଳ ଭାବରେ ଆଦୃତ । କାଶ୍ମୀର ଓ ପାରସ୍ୟ ଚିତ୍ରକଳାରେ ମଧ୍ୟ ଆମ୍ବକଷିର ମହତ୍ତ୍ୱ ରହିଛି । ଆମ୍ବର ମଧୁର ସ୍ୱାଦର ଆକର୍ଷଣରୁ ସାଧାରଣ ମଣିଷ ସମତେ ବହୁ ମନୀଷୀ ଯଥା ପ୍ରାଚୀନ କବି କାଳିଦାସ, ଗ୍ରୀକ ବୀର ଆଲେକଜାଣ୍ଡାର ଏବଂ ମହାନ ବୌଦ୍ଧ ସନ୍ନ୍ୟାସୀ ହୁଏନ ସାଂ କେହିବି ବାଦ ପଡ଼ିନାହାନ୍ତି । ଏହା ଭାରତର ପ୍ରତ୍ୟେକ ରାଜ୍ୟରେ ଦେଖିବାକୁ ମିଳେ। ଆମ୍ବ କଞ୍ଚା ଥିଲେ ଖାଇବାକୁ ଖଟା ଲାଗେ ଓ ପାଚିଲା ପରେ ସୁଆଦିଆ ଲାଗେ ।
ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ।ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହୋଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।
ମହର୍ଷି ଯାସ୍କ ନିରୁକ୍ତ ଗ୍ରନ୍ଥରେ ଦେବତାମାନଙ୍କୁ ସାଧାରଣତଃ ତିନିଭାଗରେ ବିଭକ୍ତ କରିଛନ୍ତି । ସେମାନେ ପୃଥିବୀ ସ୍ଥାନୀୟ ଦେବତା, ଅନ୍ତରୀକ୍ଷ ସ୍ଥାନୀୟ ଦେବତା ଓ ଦ୍ୟୁସ୍ଥାନୀୟ ଦେବତା ଭାବେ ପରିଚିତ । ପୃଥିବୀ, ଅଗ୍ନି, ସୋମ, ବୃହସ୍ପତି, ନଦୀ ଆଦି ପୃଥିବୀ ସ୍ଥାନୀୟ ଦେବତା ଭାବେ ସ୍ୱୀକୃତ । ଇନ୍ଦ୍ର, ଅପାମ, ନପାତ, ରୁଦ୍ର, ବାୟୁ ପର୍ଯ୍ୟନ, ମାତରିଶ୍ୱା ଆଦି ଅନ୍ତରୀକ୍ଷ ସ୍ଥାନୀୟ ଦେବତା ଭାବେ ଗୃହୀତ । ଦୌସ, ବରୁଣ, ମିତ୍ର, ସୂର୍ଯ୍ୟ, ସବିତୃ, ପୂଷନ୍, ବିଷ୍ଣୁ, ଆଦିତ୍ୟ, ଉଷମ୍ ଓ ଅଶ୍ୱିନୀ କୁମାର ପ୍ରମୁଖ ଦୌସ୍ଥାନୀୟ (ଦ୍ୟୁସ୍ଥାନୀୟ) ଦେବତା ଅଟନ୍ତି । ଏହା ବ୍ୟତୀତ ବିଶ୍ୱକର୍ମା, ତ୍ୱଷ୍ଟା, ପ୍ରଜାପତି, ମନ୍ୟୁ, ଶ୍ରଦ୍ଧା ଆଦି କେତେକ କାଳ୍ପନିକ ଦେବତାଭାବେ ଗୃହୀତ ହୋଇଥାନ୍ତି ।