ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଭୂତାଣୁ ଏକ ସଂକ୍ରାମଣ କାରକ ଯାହା କେବଳ ଜୀବନ୍ତ କୋଷ ଭିତରେ ସ୍ୱପ୍ରତିରୂପଣ କରିଥାଏ । ଏହା ପ୍ରାଣୀ ବୃକ୍ଷଠାରୁ ଆରମ୍ଭ କରି ବୀଜାଣୁ ତଥା ଆର୍କିଆ ପରି ଅଣୁଜୀବ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜୀବନ ରୂପକୁ ସଂକ୍ରମଣ କରିପାରେ ।ସନ ୧୮୯୨ରେ ଡିମିଟ୍ରି ଇଭାନୋଭସ୍କି (Dmitri Ivanovsky) ଲେଖିଥିବା ଆଲେଖ୍ୟରେ ଅଣ-ଜୀବାଣୁ ରୋଗସୃଷ୍ଟିକାରକ ଗୁଡ଼ିକ ଟୋବାକୋ ଗଛକୁ ସଂକ୍ରମଣ କରିବା ଓ ସନ ୧୮୯୮ରେ ମାର୍ଟିନସ ବିଜେରିଙ୍କ (Martinus Beijerinck) ଟୋବାକୋ ମୋଜାଇକ ଭୁତାଣୁ ଆବିଷ୍କାର ପର୍ଯ୍ୟନ୍ତ ପ୍ରାୟ ୫୦୦ ପ୍ରଜାତିର ଭୁତାଣୁମାନଙ୍କର ସବିଶେଷ ବର୍ଣ୍ଣନା କରାଯାଇଥିଲେ ମଧ୍ୟ ନିୟୁତ ନିୟୁତ ପ୍ରଜାତିର ଭୁତାଣୁ ଅଛନ୍ତି । ପୃଥିବୀର ପ୍ରତ୍ୟେକ ଇକୋସିସ୍ଟମରେ ସର୍ବାଧିକ ସଂଖ୍ୟାରେ ଏହି ଭୁତାଣୁ ବିଦ୍ୟମାନ ଅଛନ୍ତି । ଭୁତାଣୁ ଅନୁଶୀଳନକୁ ଭାଇରୋଲୋଜି (virology) କୁହାଯାଏ ଯାହା ମାଇକ୍ରୋବାୟୋଲୋଜିର (microbiology) ଏକ ଶାଖା ।
ଆମ୍ପିସିଲିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ଗୁଡ଼ିଏ ଜୀବାଣୁ ଜନିତ ସଂକ୍ରମଣକୁ ପ୍ରତିରୋଧ ଓ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । ଶ୍ୱାସକ୍ରିୟା ନଳୀ ସଂକ୍ରମଣ, ପରିସ୍ରା ନଳୀ ସଂକ୍ରମଣ, ମେନିଞ୍ଜାଇଟିସ, ସାଲମୋନେଲା ସଂକ୍ରମଣ ଓ ଏଣ୍ଡୋକାର୍ଡ଼ାଇଟିସ ଇତ୍ୟାଦି ରୋଗମାନଙ୍କ ଚିକିତ୍ସା ଆମ୍ପିସିଲିନ ସାହାଯ୍ୟରେ କରାଯାଏ । ନବଜାତ ଶିଶୁର ଗ୍ରୁପ ବି ସ୍ଟ୍ରେପ୍ଟୋକୋକାଲ ସଂକ୍ରମଣ ପ୍ରତିରୋଧ ନିମନ୍ତେ ମଧ୍ୟ ଦିଆଯାଏ । ଏହା ପାଟିବାଟେ ତଥା ମାଂସପେଶୀ ଓ ଶୀରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ଭୂତାଣୁ ନିମନ୍ତେ ଏହା ଆବଶ୍ୟକ ନୁହେଁ ।
ଆତ୍ମହତ୍ୟାର ଏହାର ଅର୍ଥ ସ୍ୱେଚ୍ଛାରେ ନିଜକୁ ହତ୍ୟା କରିବା ଓ ଏହାକୁ ସୁଇସାଇଡ (ଇଂରାଜୀ ଭାଷାରେ suicide) ମଧ୍ୟ କୁହାଯାଏ ।. ଏହାର ସଙ୍କଟ ଜନକ ଅବସ୍ଥାମାନଙ୍କ ନାମ ମାନସିକ ବେମାରୀ ଅବସାଦ, ସିଜୋଫ୍ରେନିଆ, ମଦ୍ୟାତ୍ୟୟ, ନିଶା ଦ୍ରବ୍ୟ ସେବନ, ବାଇପୋଲାର ଡିଜଅଡର ଇତ୍ୟାଦି । ଅନ୍ୟ କାରକମାନଙ୍କ ନାମ ଚାପ ଜନିତ ଆବେଗ ଯାହା ଅର୍ଥନୈତିକ ସମସ୍ୟା, ସମ୍ପର୍କ ସମସ୍ୟା ବା ଭୟ । ପୂର୍ବରୁ ଆତ୍ମହତ୍ୟା ଚେଷ୍ଟା ଥିଲେ ଭବିଷ୍ୟତ ସଙ୍କଟ ଅଧିକ ରହେ । ବର୍ଡର ଲାଇନ ପର୍ସନାଲିଟି ଡିଜ୍ଅର୍ଡର ଓ ମ୍ୟାନିକ୍ ଡିପ୍ରେସନ ଯୋଗୁ ହତାଶା ହୁଏ ଓ ଏହାଦ୍ୱାରା ଆତ୍ମହତ୍ୟା ହୁଏ । ଆତ୍ମହତ୍ୟା ପ୍ରତିରୋଧ ନିମନ୍ତେ ଆଗ୍ନେୟାସ୍ତ୍ର ଓ ବିଷ ଅପହଞ୍ଚ, ମାନସିକ ବେମାରୀର ଚିକିତ୍ସା, ଡ୍ରଗ ଅପବ୍ୟବହାର, ଅର୍ଥନୀତିରେ ସୁଧାର ଓ ମିଡିଆ ରିପୋର୍ଟ ଅତି ଆବଶ୍ୟକ । ସାଧାରଣତଃ କ୍ରାଇସିସ୍ ହଟ୍ ଲାଇନ (ଫୋନ୍ ଯୋଗେ ପରାମର୍ଶ) ବ୍ୟବହାର କରାଯାଉଥିଲେ ମଧ୍ୟ ଏହାର କାର୍ଯ୍ୟକାରୀତା ବିଷୟରେ ପ୍ରମାଣ ବିଶେଷ ନାହିଁ ।ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାର ଆତ୍ମହତ୍ୟା ଦେଖାଯାଏ । ସାଧାରଣତଃ ବେକ ଝୁଲେଇବା (Hanging), ପୋକମରା ଔଷଧ ସେବନ ଓ ଆଗ୍ନେୟାସ୍ତ୍ରଦ୍ୱାରା ଏହା ସମ୍ଭବ ହୁଏ । ପ୍ରତିବର୍ଷ ପ୍ରାୟ ୮୦୦,୦୦୦ରୁ ଏକ ନିୟୁତ ଲୋକ ଏହି ଭାବରେ ମରନ୍ତି ଓ ଏହା ପୃଥିବୀରେ ମୃତ୍ୟୁର ଦଶମ କାରଣ ରୂପେ ପରିଚିତ । ପୁରୁଷ ଆତ୍ମହତ୍ୟା ସଂଖ୍ୟା ମହିଳାଙ୍କ ଅପେକ୍ଷା ୩ରୁ ୪ ଗୁଣ ଅଧିକ । ସନ ୧୯୯୦ରେ ୭୧୨,୦୦୦ ଆତ୍ମହତ୍ୟା ମୃତ୍ୟୁ ହୋଇଥବା ବେଳେ ୨୦୧୩ରେ ୮୪୨,୦୦୦ ମୃତ୍ୟୁ ହୋଇଥିଲା । ୧୦ରୁ ୨୦ ନିୟୁତ ଆତ୍ମଘାତୀ ଚେଷ୍ଟା ପ୍ରତି ବର୍ଷ ହୁଏ ଯାହା ଫଳପ୍ରଦ ହୋଇପାରି ନ ଥାଏ । ଯୁବକମାନେ ମହିଳାମାନଙ୍କ ଅପେକ୍ଷା ୩ରୁ ୪ ଗୁଣ ଅଧିକ ଆତ୍ମହତ୍ୟା ଚେଷ୍ଟା କରନ୍ତି । ଅଣ-ମାରାତ୍ମକ ଆତ୍ମହତ୍ୟା ପ୍ରଚେଷ୍ଟଦ୍ୱାରା ଆଘାତ ଓ ଦୀର୍ଘସ୍ଥାୟୀ ଅକ୍ଷମତା ଦେଖାଯାଏ । ୧୫-୨୯ ବର୍ଷ ବୟସ୍କଙ୍କ ମଧ୍ୟରେ ଆତ୍ମହତ୍ୟା ହିଁ ମୃତ୍ୟୁର ଦ୍ୱିତୀୟ ବଡ଼ କାରଣ ବୋଲି ମଙ୍ଗଳବାର, ୧୧ ସେପ୍ଟେମ୍ବର ୨୦୧୮ ମିଳିତ ଜାତିସଂଘ ନିଜର ଏକ ରିପୋର୍ଟରେ ଉଲ୍ଲେଖ କରିଥିଲା। ଲାନ୍ସେଟ୍ ପବ୍ଲିକ୍ ହେଲ୍ଥ ଜର୍ନାଲ୍ରେ ‘ଦି ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜିଜ୍ ଷ୍ଟଡିଜ୍ ୧୯୯୦-୨୦୧୬’ ଶୀଷର୍କରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶ୍ୱବ୍ୟାପୀ ଘଟୁଥିବା ଆତ୍ମହତ୍ୟାର ୩୭% ପୁରୁଷ କେବଳ ଭାରତୀୟ ଏବଂ ୨୪% ମହିଳା ଚରମ ପଦକ୍ଷେପ ନେଇଥାନ୍ତି । ୧୫-୩୯ ବର୍ଷ ବୟସ୍କଙ୍କ ଆତ୍ମହତ୍ୟାରେ ଭାରତ ବିଶ୍ୱସ୍ତରରେ ତୃତୀୟ । ୧୯୯୦ରୁ ୨୦୧୬ ମଧ୍ୟରେ ଦେଶରେ ଆତ୍ମହତ୍ୟା ଜନିତ ମୃତ୍ୟୁସଂଖ୍ୟା ୪୦% ବଢ଼ିଛି । କେବଳ ୨୦୧୬ରେ ଭାରତରେ ୨,୩୦,୩୧୪ ଲୋକ ଆତ୍ମହତ୍ୟା କରିଛନ୍ତି । କର୍ନାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ଉଭୟ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ଆତ୍ମହତ୍ୟା ହାର ସବୁଠାରୁ ଅଧିକ । କେରଳ, ଛତିଶଗଡ଼ରେ ଅଧିକ ପୁରୁଷ ଆମହତ୍ୟା କରିଥାନ୍ତି । ଭାରତରେ ପ୍ରତି ୧ଲକ୍ଷରେ ୧୫% ମହିଳା ଆତ୍ମହତ୍ୟା କରିଥାନ୍ତି।କେତେକ ଚିନ୍ତାଧାରା ଆତ୍ମହତ୍ୟା ପ୍ରରୋଚନା କରେ ଯଥା: ସମ୍ମାନ (Honour), ଧର୍ମ ଓ ଜୀବନର ମୂଲ୍ୟବୋଧ । ଆବ୍ରାହମ ଧର୍ମ ଅନୁଯାୟୀ ଜୀବନ ପବିତ୍ର, ତେଣୁ ଏହାକୁ ତ୍ୟାଗ କରିବା ପ୍ରଭୁଙ୍କ ପ୍ରତି ଅପରାଧ କରିବା ସଙ୍ଗେ ସମାନ । ଜାପାନର ସମୁରାଇ ଯୁଗରେ ଏହା (ସେପୁକୁ ବା ଆତ୍ମହତ୍ୟା) ଭୁଲର ପ୍ରାୟଶ୍ଚିତ କିମ୍ବା ପ୍ରତିବାଦ ରୁପେ ଗଣା ହେଉଥିଲା ।. ଆଇନ ବହିର୍ଭୂତ ସତୀ ଦାହ ପ୍ରଥାରେ ବିଧବାମାନେ ସ୍ୱଇଛାରେ ବା ପରିବାରର ପ୍ରରୋଚନାରେ ନିଜକୁ ଚିତାରେ ବିସର୍ଜନ କରୁଥିଲେ ।ପଶ୍ଚିମ ଦେଶମାନଙ୍କରେ ଆଗେ ଆତ୍ମହତ୍ୟା ଚେଷ୍ଟା ଦଣ୍ଡନୀୟ ଅପରାଧ ଥିଲା କିନ୍ତୁ ଏବେ ଅଧିକାଂଶ ଦେଶରେ ତାହା ନାହିଁ ।.
ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ ବା (ପିସିଓଏସ) ବା ହାଇପରଆଣ୍ଡ୍ରୋଜେନିକ ଆନଓଭ୍ୟୁଲେସନ (ଏଚଏ) (ଇଂରାଜୀରେ polycystic ovary syndrome (PCOS), ବା hyperandrogenic anovulation (HA), ବା ସ୍ଟେଇନ ଲେଭେନଥାଲ ସିଣ୍ଡ୍ରୋମ (Stein–Leventhal syndrome), ଏକ ଲକ୍ଷଣ ସେଟ ଯାହା ହରମୋନ ଅସମତୁଲତା ଯୋଗୁ ମହିଳାମାନଙ୍କର ହୁଏ । ଏହାର ଲକ୍ଷଣ ସମୂହ: ଆଦୌ ଋତୁଚକ୍ର ନ ହେବା ବା ଅନିୟମିତ ଋତୁଚକ୍ର ହେବା, ଅତ୍ୟଧିକ ଋତୁସ୍ରାବ, ଦେହରେ ବା ମୁହଁରେ ଅତ୍ୟଧିକ ବାଳ ବଢ଼ିବା, ପେଲଭିସରେ ଯନ୍ତ୍ରଣା, ମୁଖବ୍ରଣ, ଗର୍ଭାଧାନ ଅସୁବିଧା ଓ ଚର୍ମରେ ମୋଟା, କଳା ଭେଲଭେଟ ଭଳି ପ୍ୟାଚ ହୁଏ । ଏହା ସହ ସଂମ୍ପୃକ୍ତ ରୋଗମାନଙ୍କର ନାମ: ଟାଇପ ୨ ଡାଏବେଟିସ, ମୋଟାପଣ, ଅବସ୍ଟ୍ରକ୍ଟିଭ ସ୍ଲିପ ଆପନିଆ, ହୃଦରୋଗ, ମିଜାଜ ବିକାର ଓ ଏଣ୍ଡୋମେଟ୍ରିଆଲ କର୍କଟ । ପିସିଓଏସ ରୋଗ ଉଭୟ ଜେନେଟିକ ଓ ପରିବେଶ ପ୍ରଭାବ ଯୋଗୁ ହୁଏ । ସଙ୍କଟଦାୟୀ କାରକଙ୍କ ନାମ: ମୋଟାପଣ, ସ୍ୱଳ୍ପ ବ୍ୟାୟାମ ଓ ପରିବାରରେ କୌଣସି ଜଣକର ଏହି ରୋଗ ଥିବା ଇତିହାସ । ଡିମ୍ବ କ୍ଷରଣ, ଉଚ୍ଚ ଆଣ୍ଡ୍ରୋଜେନ ସ୍ତର ଓ ଓଭାରିଆନ ସିସ୍ଟ ମଧ୍ୟରୁ ଦୁଇଟି ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଅଲଟ୍ରାସାଉଣ୍ଡରେ ଏହି ରୋଗ ଚିହ୍ନଟ ହୁଏ । ଏକା ଭଳି ଲକ୍ଷଣ ଦେଖାଯାଉଥିବା ଅନ୍ୟ ରୋଗମାନଙ୍କର ନାମ: ଆଡ୍ରେନାଲ ହାଇପରପ୍ଲାସିଆ, ହାଇପୋଥାଇରଏଡିଜମ, ହାଇପରପ୍ରୋଲାକ୍ଟିନେମିଆ । ପିସିଓଏସ ରୋଗ ଆରୋଗ୍ୟ ହୁଏ ନାହିଁ । ଓଜନ ହ୍ରାସ ଓ ବ୍ୟାୟାମ ଭଳି ଜୀବନ ଧାରା ବଦଳେଇ ଚିକିତ୍ସା କରାଯାଏ । ଜନ୍ମ ନିରୋଧ ବଟିକା ବ୍ୟବସ୍ଥା କଲେ ଋତୁସ୍ରାବରେ ଉନ୍ନତି ହୁଏ, ଅଧିକ ବାଳ କମିଯାଏ ଓ ମୁଖ ବ୍ରଣ କମିଯାଏ । ମେଟଫର୍ମିନ ଓ ଆଣ୍ଡ୍ରୋଜେନ ଦେଲେ ସାହାଯ୍ୟକାରୀ ହୁଏ । ଅନ୍ୟାନ୍ୟ ମୁଖ ବ୍ରଣ ଚିକିତ୍ସା, ବାଳ ଦୂର କରିବା ପଦ୍ଧତି ବ୍ୟବହାର କଲେ ଉପକାର ମିଳେ । ପ୍ରଜନନ କ୍ଷମତା ବୃଦ୍ଧି ନିମନ୍ତେ ଓଜନ ହ୍ରାସ, କ୍ଲୋମିଫେନ କିମ୍ବା ମେଟଫର୍ମିନ ଦିଆଯାଏ । ଶରୀର ବହିସ୍ଥ ଡିମ୍ବଶୁକ୍ରାଣୁ ନିଷିକ୍ତ କରିବାଦ୍ୱାରା ସନ୍ତାନ ଜନ୍ମ ସମ୍ଭବ ହୋଇପାରେ । ମହିଳାମାନଙ୍କର ୧୮ରୁ ୪୪ ବର୍ଷ ବୟସ ମଧ୍ୟରେ ପିସିଓଏସ ସର୍ବାଧିକ ଅନ୍ତଃସ୍ରାବୀ ରୋଗ ଭାବରେ ଜଣାଶୁଣା । ଏହି ବୟସ ମଧ୍ୟରେ ୫ %ରୁ ୧୦ % ମହିଳା ଏହାର ଶିକାର ହୁଅନ୍ତି । ଏହା ପ୍ରଜନନ ଅକ୍ଷମତାର ଏକ ମୂଖ୍ୟ କାରଣ । ସନ ୧୭୨୧ରେ ଇଟାଲିରେ ଏହି ରୋଗର ସବୁଠାରୁ ପୁରାତନ ବର୍ଣ୍ଣନା ଦେଖିବାକୁ ମିଳେ ।
ଚାର୍ଲସ୍ ଡାରଉଇନ୍ ହେଉଛନ୍ତି ବିଶ୍ୱବିଖ୍ୟାତ ପ୍ରକୃତିବାଦୀ ଏବଂ ଭୂତତ୍ତ୍ୱବିଜ୍ଞାନୀ | “ବିବର୍ତ୍ତନବାଦ"ର ପୁରୋଧା ଭାବେ ସେ ଅଶେଷ ଖ୍ୟାତ | ସେ ପ୍ରଥମେ ପ୍ରମାଣିତ କରିଥିଲେ ଯେ ପୃଥିବୀର ପ୍ରତ୍ୟେକ ଶ୍ରେଣୀର ପ୍ରାଣୀର ପୁର୍ବଜ ହେଉଛନ୍ତି ଏକ ଅର୍ଥାତ ପ୍ରତ୍ୟେକ ପ୍ରାଣୀର ସୃଷ୍ଟି ଗୋଟିଏ ପ୍ରାଣୀରୁ ହୋଇଛି | ଯୁଗ୍ମ ଭାବେ ଡାରଉଇନ୍ ଏବଂ ଆଲଫ୍ରେଡ୍ ରସେଲ୍ ୱାଲେସ ଏକ ବୈଜ୍ଞାନିକ ମତପୋଷଣ କରିଥିଲେ ଯେଉଁଥିରେ ସେ ଦର୍ଶାଇ ଥିଲେ ଯେ ବିବର୍ତ୍ତନବାଦର ଶାଖା ପ୍ରଶାଖାର ନିମନ୍ତେ "ପ୍ରାକୃତିକ ଚୟନ(ନାଚୁରାଲ୍ ସିଲେକ୍ସନ୍ )" ଦାୟୀ |୧୮୫୯ ମସିହାରେ ସେ ଏକ ପୁସ୍ତକ ପ୍ରକାଶ କରିଥିଲେ ଯାହାର ନାମ ଥିଲା "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ '| ଏହି ପୁସ୍ତକଟି ବୈଜ୍ଞାନିକ ସମୁଦାୟ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲା | ୧୮୭୦ ମସିହା ସୁଦ୍ଧା ବିବର୍ତ୍ତନବାଦକୁ ସମସ୍ତେ ଆପଣେଇପାରିଥିଲେ | ଡାରଉଇନଙ୍କ ବୈଜ୍ଞାନିକ ମତ ପ୍ରାଣୀ ବିଜ୍ଞାନକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଥିଲା | ଏହା ମଧ୍ୟ ଜୀବନର ବିବିଧତାକୁ ଅନେକ ପରିମାଣରେ ବୁଝାଇବାରେ ସକ୍ଷମ ହୋଇପାରିଥିଲା |
ଆୟୋନିକା ପୌଲ (ଜନ୍ମ: 23 ସେପ୍ଟେମ୍ବର 1992; ମୁମ୍ବାଇ) ଜଣେ ଭାରତୀୟ ମହିଳା ବନ୍ଧୁକ ଚାଳକ ଅଟନ୍ତି , ଯିଏ କମନବ୍ଲେଥ ଗେମ, ଗ୍ଲାସ୍ଗୋରେ 10 ମିଟର ଏୟାର ରାଇଫଲ୍ସ ଶୁଟିଂ ଇଭେଣ୍ଟରେ ଜିତି ଭାରତକୁ ରଜତ ପଦକ ଦେଇଥିଲେ । ସେ ସ୍ଲୋଭେନିଆରେ ଆଇ.ଏସ.ଏସ.ଏଫ ୱାର୍ଲଡ କପ 2014ରେ ବ୍ରୋଞ୍ଜ ଜିତିଥିଲେ । 2016 ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏସିଆନ ଓଲିଓମ୍ପିକ କ୍ୱାଲିଫାଇ ପ୍ରତିଯୋଗିତାରେ ସିଲଭର ମେଡାଲ ଜିତିଥିଲେ । ପରେ ସେ ଏନଜିଓ ମାଧ୍ୟମରେ ରିଓ ପାଇଁ ଓଲିଓମ୍ପିକ ଗୋଲ୍ଡର ଅନୁସନ୍ଧାନ କରିଥିଲେ । ସେ ମୁମ୍ବାଇର ଚେମ୍ବୁରଠାରେ ଅବସ୍ଥିତ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିଲେ । ସେ ପାନଭେଲସ୍ଥିତ ପିଲାଇ ବୈଷୟିକ ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିଲେ ଓ ବର୍ତ୍ତମାନ ଇଲେକ୍ଟ୍ରୋନିକସ୍ ଇଞ୍ଜିନିୟରିଂରେ ସ୍ନାତ୍ତକୋତ୍ତର ପଢ଼ୁଛନ୍ତି । ଆୟୋନିକା ପଲ୍ ଦିନେ ଦକ୍ଷ ସନ୍ତରଣକାରୀ ଥିଲେ ମାତ୍ର ଧୀରେ ଧୀରେ ବନ୍ଧୁକଚାଳନା ପ୍ରତି ତାଙ୍କର ଇଚ୍ଛା ବଢ଼ିଥିଲା । ଆୟୋନିକା ପଲ୍ ରିଓ ଅଲିମ୍ପିକ୍ସ ୨୦୧୬କୁ ମନୋନୀତ ହୋଇଥିଲେ, ମାତ୍ର ସେ ୫୧ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୪୭ତମ ସ୍ଥାନରେ ରହିଥିଲେ ।
ନୂଆଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହି ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପାଳନ ପରଦିନ "ନୂଆଖାଇ ବାସି" ପାଳନ ହୁଏ ଓ ଏହିଦିନ ବଳକା ନୂଆନ୍ନ, କ୍ଷୀରି-ପିଠା ଖିଆହେବା ସହ ମାଂସ ରନ୍ଧାଯାଇଥାଏ । ବାସି ପରଦିନ "ତିଆସି" ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ମାଂସ ସମେତ ବିଭିନ୍ନ ଖାଦ୍ୟ ଓ ମଦ ଖିଆପିଆ ଓ ପାରମ୍ପାରିକ ଖେଳ (ଯଥା ଡୁଡୁ, ଖୋଖୋ, ବାଡ଼ି-ଖିଚା, କୁସ୍ତି) ଖେଳି ସମୟ ଅତିବାହିତ କରିଥାନ୍ତି ।
ଷଠି ଓଷା (ଷଠି ବ୍ରତ ଓ ଷଷ୍ଠୀ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ ପାରମ୍ପାରିକ ଓଷା । ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ, ଜନ୍ମଦା,ଦେବସେନା ବାଳକଦା ବୋଲି କୁହାଯାଏ । ଷୋଡ଼ଶ ମାତୃକା (ଗୌରୀ ମେଧା ସଚୀ ଆଦି) ମଧ୍ୟରେ ତାଙ୍କୁ ଦେବସେନା ନାମରେ ପୂଜା କରାଯାଏ। ଗାଁରେ ମା'ମାନେ ତାଙ୍କୁ ପୂଜା କରିଥାନ୍ତି । ଷଠି ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା'ମାନେ ପୂଜିଥାନ୍ତି ।ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ (ଗଣେଶ ପୂଜାର ଦୁଇ ଦିନ ପରେ), ଷଠି ଓଷା ପାଳନ ହୁଏ । ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠି ଦୁସେଇ ପୂଜା ହୁଏ, ତା'ଠୁଁ ଟିକେ ଅଲଗା ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଅପରେଟିଙ୍ଗ ସିଷ୍ଟମ କଂପ୍ଯୁଟରର ବିଭିନ୍ନ ରିସୋର୍ସ ଯେପରିକି ମେମୋରୀ, ସି.ପି.ଇଉ., ଅନ୍ୟାନ୍ୟ ହାର୍ଡୱେର ଇତ୍ୟାଦିଙ୍କୁ ସଠିକ ଭାବେ ପରିଚାଳନା କରି ଏକ କଂପ୍ଯୁଟରକୁ ସମ୍ପୂର୍ଣଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟକରେ । ଏହା ବିଭିନ୍ନ ପ୍ରୋଗ୍ରାମ, ହାର୍ଡୱେର ମଧ୍ୟରେ ତାଳ ମେଳ ରକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ରିସୋର୍ସ ପ୍ରଦାନ କରେ, ଯାହାଦ୍ବାରା କଂପ୍ୟୁଟରଟି ସୁରୁଖୁରରେ କାର୍ଯ୍ୟ କରିପାରେ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଜାଭା ହେଉଛି ଏକ class based object oriented ପ୍ରୋଗ୍ରାମିଂଗ ଭାଷା। ଏହି ଭାଷା ମୁଖ୍ୟତଃ Applicationକୁ "write once run anywhere"(WORA) ଉପଯୁକ୍ତ କରିବା ପାଇଁ ଉନ୍ନତ କରାଯାଇଛି।"write once run anywhere"ର ଅର୍ଥ, compile ହୋଇଥିବା ଜାଭା codeକୁ ଅନ୍ୟ ଯେ କୌଣସି platformରେ ପୁନର୍ବାର compile ନକରି ମଧ୍ୟ ସିଧାସଳଖ run କଲେ ଏହା run ହୋଇପାରିବ। ଜାଭା Applicationଗୁଡ଼ିକ compile ହେଲାପରେ ଏହା bytecodeକୁ ପରିଣତ ହୋଇଥାଏ ଏବଂ ଏହି bytecode ଯେକୌଣସି କମ୍ପ୍ୟୁଟର OSର JVM(Java Virtual Machine)ରେ run ହୋଇପାରିବ। ୯୦ ଲକ୍ଷ developerଙ୍କ ମତ ଅନୁସାରେ ଜାଭା ୨୦୧୬ ମସିହା ବେଳକୁ ଅତ୍ୟନ୍ତ ଲୋକପ୍ରିୟ ପ୍ରୋଗ୍ରାମିଂ ଭାଷାରେ ପରିଣତ ହୋଇସାରିଥିଲା ଏବଂ ମୁଖ୍ୟତଃ client-server web application ପାଇଁ ଏହାର ବହୁଳ ବ୍ୟବହାର ମଧ୍ୟ ଆରମ୍ଭ ହୋଇସାରିଥିଲା। ଜାଭାକୁ Sun Microsystemsରେ କାର୍ଯରତ ଜେମ୍ସ ଗସଲିଙ୍ଗ ଉନ୍ନତ କରିଥିଲେ ଓ ୧୯୯୫ରେ release କରିଥିଲେ (ବର୍ତ୍ତମାନ Sun Microsystems, Oracle Corporation ଅକ୍ତିଆରରେ ଅଛି)। ଜାଭା ପ୍ରୋଗ୍ରାମିଂ ଭାଷାର ଅନେକ syntaxଗୁଡ଼ିକ ସି (ପ୍ରୋଗ୍ରାମିଂ ଭାଷା) ଓ C++ ପ୍ରୋଗ୍ରାମିଂ ଭାଷାରୁ ଆସିଛି।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ନଈ ସେପାରୀ କନକ ଗୋରୀ, ୨୦୧୩ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ମହାନ୍ତି । ଅନନ୍ୟା ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଅଧିନରେ ଏହି ଚଳଚ୍ଚିତ୍ରଟିର ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଅଜୟ ମହାନ୍ତି ଏବଂ ସଂଳାପ ରଚନା କରିଥିଲେ ଦେବ ପ୍ରସାଦ ଦାସ । ପଙ୍କଜ ପାଢ଼ୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣି ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।
ଭାରତୀୟ ସଂସ୍କୃତି ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।
ଚନ୍ଦ୍ରଯାନ-୩ (ସଂସ୍କୃତ: चन्द्रयान-3) ହେଉଛି ଭାରତୀୟ ମହାକାଶ ଗବେଷଣା ସଂଗଠନ, ଇସ୍ରୋଦ୍ୱାରା ତୃତୀୟ ଚନ୍ଦ୍ର ଅନୁସନ୍ଧାନ ଅଭିଯାନ । ଏଥିରେ ଚନ୍ଦ୍ରଯାନ-୨ ଭଳି ଲ୍ୟାଣ୍ଡର ଓ ରୋଭର ରହିଥିଲେ ହେଁ ଏଥିରେ ପରିକ୍ରମଣକାରୀ (ଅର୍ବିଟର) ନାହିଁ । ଏହାର ପ୍ରୋପଲ୍ସନ୍ ମଡ୍ୟୁଲ୍ ଏକ ଯୋଗାଯୋଗ ରିଲେ ସାଟେଲାଇଟ୍ ଭଳି ଆଚରଣ କରେ । ମହାକାଶଯାନ ୧୦୦ କିଲୋମିଟର ଚନ୍ଦ୍ର କକ୍ଷପଥରେ ରହିବା ପର୍ଯ୍ୟନ୍ତ ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଏବଂ ରୋଭର ବହନ କରିଥାଏ ।ଚନ୍ଦ୍ରଯାନ-୨ ପରେ ସଫ୍ଟ ଲ୍ୟାଣ୍ଡିଂ ଗାଇଡେନ୍ସ ସଫ୍ଟୱେୟାରରେ ଶେଷ ମୁହୂର୍ତ୍ତରେ ସଫ୍ଟ ଲ୍ୟାଣ୍ଡିଂ ଗାଇଡେନ୍ସ ସଫ୍ଟୱେୟାରରେ ତ୍ରୁଟି ଯୋଗୁଁ ସଫଳ କକ୍ଷପଥ ପ୍ରବେଶ ପରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ପ୍ରୟାସ ବିଫଳ ହେବା ପରେ ଆଉ ଏକ ଚନ୍ଦ୍ର ଅଭିଯାନ ପ୍ରସ୍ତାବ ଦିଆଯାଇଥିଲା। ଏହି ଅଭିଯାନକ୍ରମେ ୨୦୨୪ ମସିହାରେ ଜହ୍ନର ଦକ୍ଷିଣ ମେରୁରେ ରୋଭର (ଚନ୍ଦ୍ର ଉପରେ ବୁଲାବୁଲି କରି ତାହାର ମାଟିର ନମୁନା ସଂଗ୍ରହ କରିବା) ଏବଂ ଏକ ଲ୍ୟାଣ୍ଡର (ଚନ୍ଦ୍ର ଉପରେ ଓଲ୍ହାଇବା) ପଠାଯାଇ ନିରୀକ୍ଷଣ କରାଯିବ ।ଏହି ଅଭିଯାନଟି ନୂତନ ଭୂମି ଅନୁଧ୍ୟାନ ସହିତ ଜଡ଼ିତ କଳାକୌଶଳ ଯଥା ଯାନ ପରିବହନ ଏବଂ କିଛି ଶହ କିଲୋଗ୍ରାମ ଓଜନର ଆସବାବପତ୍ର ସହିତ ମେରୁ ସ୍ଥାନରେ କିପରି ଦୀର୍ଘସ୍ଥାୟୀ ରାତ୍ରଯାପନ ହୋଇପାରିବ ତାହା ଉପରେ ଅଧିକ ଅନୁଧ୍ୟାନ କରିବ । ସମ୍ଭାବିତ ପାଣିର ଖୋଜା, ନମୁନା ସଂଗ୍ରହ ଏବଂ ତଦନ୍ତ ମୁଖ୍ୟତଃ ଏହି ଅଭିଯାନର ଲକ୍ଷ୍ୟ ହୋଇପାରେ । ଅନ୍ୟାନ୍ୟ ଅନ୍ତରୀକ୍ଷ ସଂସ୍ଥାଗୁଡ଼ିକରୁ ପେଲୋଡ ବା ଆସବାବପତ୍ର ନେବାକୁ ପ୍ରସ୍ତାବ ଦିଆଯିବ ।୧୪ ଜୁଲାଇ ୨୦୨୩ ତାରିଖରେ ଚନ୍ଦ୍ରଯାନ-୩କୁ ସଫଳତାର ସହିତ ଏଲଭିଏମ୩ ଏମ୪ ରକେଟଦ୍ୱାରା କକ୍ଷପଥରେ ସ୍ଥାପନ କରାଯାଇଥିଲା । ଲ୍ୟାଣ୍ଡର ଓ ରୋଭର ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳ ନିକଟରେ ଅବତରଣ କରିଥିଲେ। ୨୩ ଅଗଷ୍ଟ ୨୦୨୩, ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ପ୍ରାୟ ୫ଟା ୪୫ ମିନିଟରେ ଏହି ଅବତରଣ ଘଟିଥିଲା ଏବଂ ସେହି ଦିନ ସନ୍ଧ୍ୟା ପ୍ରାୟ ୬.୦୨ ମିନିଟରେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରିଥିଲା, ଯାହା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ସଫଳତାର ସହ ମହାକାଶଯାନ ଅବତରଣ କରିବାରେ ପ୍ରଥମ ଦେଶ ଏବଂ ଚନ୍ଦ୍ରରେ ଧୀର ଅବତରଣ (soft landing) କରିଥିବା ଚତୁର୍ଥ ଦେଶ ଥିଲା।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ନାୟିକା ଥିଲେ । ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ । ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ, ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ଆୟତ କରିବା ଆଦି କଳାରେ ସେ ପାରଙ୍ଗମ ଥିଲେ ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ଡେଙ୍ଗୁ ଜ୍ୱର ଏକ ମଶା ବାହିତ (mosquito-borne ଗ୍ରୀଷ୍ମ ମଣ୍ଡଳୀୟ ରୋଗ (tropical disease) ଯାହା ଡେଙ୍ଗୁ ଭୁତାଣୁଦ୍ୱାରା (dengue virus) ହୁଏ । ଦେହରେ ସଂକ୍ରମଣ ପ୍ରବେଶ ପରେ ୩ରୁ ୧୪ ଦିନ ମଧ୍ୟରେ ଏହାର ଲକ୍ଷଣ ବାହାରେ । ଏହି ରୋଗରେ ଅଧିକ ଜ୍ୱର, ମୁଣ୍ଡ ବିନ୍ଧା, ବାନ୍ତି, ମାଂସପେଶୀ ଯନ୍ତ୍ରଣା (muscle|), ଗଣ୍ଠି ଯନ୍ତ୍ରଣା (joint pains) ଓ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଚର୍ମ ରାସ୍ (skin rash) ହୁଏ । ଏହା ୨/୩ ଦିନ ମଧ୍ୟରେ ଉପଶମ ହୋଇଯାଏ । ଅଳ୍ପ ଅନୁପାତରେ ଏହି ରୋଗ ସାଂଘାତିକ ହୋଇ ଡେଙ୍ଗୁ ରକ୍ତସ୍ରାବୀ ଜ୍ୱରରେ ପରିବର୍ତ୍ତିତ ହୋଇ ରକ୍ତସ୍ରାବ (bleeding), ସ୍ୱଳ୍ପ ପ୍ଲାଟେଲେଟ ସ୍ତର (low levels of blood platelets), ରକ୍ତ ପ୍ଲାଜ୍ମା (blood plasma) ଝରଣ (leak) ଓ ଶେଷରେ ଡେଙ୍ଗୁ ସିଣ୍ଡ୍ରୋମ ହୁଏ ଯେଉଁଥିରେ ଅତ୍ୟଧିକ ନିମ୍ନ ରକ୍ତଚାପ (dangerously low blood pressure) ହୁଏ । ଡେଙ୍ଗୁ ରୋଗ ଅନେକ ପ୍ରକାରର ଏଡିସ (Aedes) ଜାତିର ମଶା (mosquito) ବିଶେଷତଃ ଏ ଇଜିପ୍ଟିଦ୍ୱାରା (A. aegypti) ମୂଖ୍ୟତଃ ସୃଷ୍ଟି ହୁଏ । ପାଞ୍ଚ ପ୍ରକାରର ଏହି ଭୁତାଣୁ ଅଛନ୍ତି; ସେଥିମଧ୍ୟରୁ ଗୋଟିଏ ପ୍ରକାରର ଭୁତାଣୁଦ୍ୱାରା ସଂକ୍ରମିତ ହେଲେ ସେହି ପ୍ରକାର ଭୁତାଣୁ ନିମନ୍ତେ ଜୀବନବ୍ୟାପୀ ଇମ୍ମ୍ୟୁନିଟି (immunity) ହୁଏ, ଅନ୍ୟ ପ୍ରକାର ଭୁତାଣୁ ନିମନ୍ତେ ସ୍ୱଳ୍ପକାଳୀନ ଇମ୍ମ୍ୟୁନିଟି ରହେ । ଅନ୍ୟ ପ୍ରକାର ଭୁତାଣୁଦ୍ୱାରା ସଂକ୍ରମିତ ହେଲେ ସାଂଘାତିକ ଜଟିଳତା ସୃଷ୍ଟି ହେବା ସମ୍ଭାବନା ଥାଏ । ରୋଗ ନିଶ୍ଚିତ କରିବା ନିମନ୍ତେ ଅନେକ ପ୍ରକାରର ପରୀକ୍ଷା ଅଛି, ସେମାନଙ୍କ ମଧ୍ୟରୁ ଭୁତାଣୁ ଆଣ୍ଟିବଡି (antibodies) ଓ ଭୁତାଣୁର ଅରଏନଏ (RNA) ଅନୁସନ୍ଧାନ କରି ପାଇଲେ ନିଶ୍ଚିତ ହୋଇଯାଏ । ଗୋଟିଏ ନୂଆ ଡେଙ୍ଗୁ ଜ୍ୱର ଟିକା (vaccine for dengue fever) ବ୍ୟବହାର ନିମନ୍ତେ ତିନୋଟି ଦେଶରେ ଅନୁମୋଦନ ଲାଭ କରିଛି । ମଶାଙ୍କର ରହିବା ସ୍ଥାନ କମେଇ ଓ କାମୁଡ଼ିବାକୁ ନ ଦେଇ ଏହି ରୋଗ ପ୍ରତିରୋଧ କରିହେବ । ସ୍ଥିର ଜଳ ନିଷ୍କାସନ କରି ଓ ଦେହକୁ ଲୁଗାରେ ଆବୃତ କରି ଏହା ସମ୍ଭବପର କରିହେବ । ମଧ୍ୟମ ଓ ସାମାନ୍ୟ ଧରଣର ରୋଗ ପାଇଁ ସାହାଯ୍ୟକାରୀ ଚିକିତ୍ସା ଓ ତରଳ ପଦାର୍ଥ ପାଟିରେ ବା ଶିରାଭ୍ୟନ୍ତରରେ (intravenously) ଦିଆଯାଏ । ସାଂଘାତିକ ରୋଗରେ ରକ୍ତ ପରିଦାନ (blood transfusion) ଦରକାର ହୁଏ । ପ୍ରତି ବର୍ଷ ପ୍ରାୟ ୫ ଲକ୍ଷ ଲୋକଙ୍କର ଆଡମିଶନ ଆବଶ୍ୟକ ହୁଏ । ନନ୍ସ୍ଟିରଏଡାଲ ଆଣ୍ଟି-ଇନଫ୍ଲାମେଟରି ଡ୍ରଗ (nonsteroidal anti-inflammatory drug) ଯୋଗୁ ଅଧିକ ରକ୍ତସ୍ରାବ ଅଧିକ ହେଉଥିବାରୁ ତା ବଦଳରେ ଆଇବୁପ୍ରୋଫେନ ଔଷଧ ବ୍ୟବହାର କରିବାକୁ ସୁପାରିସ କରାଯାଉଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଡେଙ୍ଗୁ ଏକ ପୃଥିବୀବ୍ୟାପି ସମସ୍ୟା ହୋଇ ଠିଆ ହୋଇଛି ଓ ପ୍ରାୟ ୧୧୦ଟି ଦେଶରେ ଏହା ସ୍ଥାନୀକ ରୋଗ (endemic) ହୋଇ ରହିଛି । ପ୍ରତି ବର୍ଷ ପ୍ରାୟ ୫୦ରୁ ୫୨୮ ନିୟୁତ ଲୋକ ସଂକ୍ରମିତ ହେଉଛନ୍ତି ଓ ତାଙ୍କ ମଧ୍ୟରୁ ୧୦୦୦୦ରୁ ୨୦,୦୦୦ ଲୋକ ମରୁଛନ୍ତି । ସନ ୧୭୭୯ରୁ ଏହି ରୋଗ ବିଷୟରେ ବର୍ଣ୍ଣନା ଲିଖିତ ଅଛି । ବିଂଶ ଶତାବ୍ଦୀ ପ୍ରାରମ୍ଭରୁ ଏହି ରୋଗର କାରଣ ଓ ସଞ୍ଚାର ବିଷୟ ମଣିଷ ଜାଣିଛି । ମଶା ନିଶ୍ଚିହ୍ନ କରିବା ସହିତ ଭୁତାଣୁ ନିମନ୍ତେ ଔଷଧ ତିଆରି କାମ ଚାଲିଛି । ଏହାକୁ ଉପେକ୍ଷା କରାଯାଇଥିବା ଟ୍ରପିକାଲ ରୋଗ (neglected tropical disease) ଭାବରେ ବର୍ଗୀକରଣ କରାଯାଇଛି ।
ଷଷ୍ଠୀ, ଦୁର୍ଗା ବା ପ୍ରକୃତିଙ୍କ ଷଷ୍ଠୀ କଳା ଓ ସ୍କନ୍ଧ ଭାର୍ଯ୍ୟା; ଏ ଷୋଡ଼ଶ ମାତୃକାଙ୍କ ମଧ୍ୟରେ ପ୍ରଧାନ ଦେବୀ ଅଟନ୍ତି ଏହାଙ୍କର ଅନ୍ୟ ନାମ ଦେବସେନା । ଏହାଙ୍କ ପ୍ରସାଦରେ ପୁତ୍ରପୌତ୍ରାଦି ଲାଭ ହୁଏ ଏ ଜଗତର ଶିଶୁମାନଙ୍କର ପାଳିକା ଓ ରକ୍ଷାକାରିଣୀ ପିଲା ଜନ୍ମର 'ଷଠି' ଓ 'ଏକୋଇଶା' ଦିନ ଏହାଙ୍କ ପୂଜା କରାଯାଏ । ଅପୁତ୍ର ବ୍ୟକ୍ତି ଏକବର୍ଷ ଷଷ୍ଠୀଦେବୀଙ୍କ ସ୍ତବ ଶ୍ରବଣ କଲେ ପୁତ୍ରଲାଭ କରେ ଓ ରୁଗ୍ଣ ସନ୍ତାନ ନୀରୋଗ ହୁଏ । ସନ୍ତାନବତୀ ରମଣୀମାନଙ୍କର ପ୍ରତିମାସର ଶୁକ୍ଳ ଷଷ୍ଠୀରେ ନିଜ ନିଜର ସନ୍ତାନଙ୍କ ମଙ୍ଗଳାର୍ଥ ଷଷ୍ଠୀ ବ୍ରତ କରିବା ବିଧେୟ ।ଶାସ୍ତ୍ରରେ ମତେ ୟେ, ଏ ଭର୍ତ୍ତାଙ୍କ ଚକ୍ଷୁରେ ସୁନ୍ଦରୀ ଓ ଯୁବତୀ ରୂପ ଧାରଣ କରନ୍ତି ଏବଂ ଶିଶୁମାନଙ୍କ ରକ୍ଷିକାରୂପେ ମାତୃରୂପା, ଦୟାରୂପା, ରକ୍ଷଣରୂପା, ବୃଦ୍ଧ ରୂପା ଓ ଯୋଗିନୀରୂପା ହୁଅନ୍ତି ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକଗୁଡ଼ିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଚକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ ଓ ଅନ୍ତର୍ଲକ୍ଷ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ ,ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି ।
ରାଧା (ହିନ୍ଦୀରେ राधा, ରୋମାନ ଲିପିରେ ଉଚ୍ଚାରଣଗତ ଦୃଷ୍ଟିରୁ ମୂଳ ସଂସ୍କୃତ ଶବ୍ଦ Rādhā), ଯିଏ ରାଧାରାଣୀ, ରାଧିକା, ରାଧୀକାରାଣୀ ବା ଶ୍ରୀମତୀ ରୂପେ ହିନ୍ଦୁଧର୍ମର ବୈଷ୍ଣବମାନଙ୍କଦ୍ୱାରା ପୂଜିତା, ବ୍ରହ୍ମ ବୈବର୍ତ ପୁରାଣ ଓ ଗୀତ ଗୋବିନ୍ଦ ଅନୁସାରେ ସିଏ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ବାଳସଖି, ପ୍ରେମିକା। ରାଧା ପ୍ରାୟ ସର୍ବଦା କୃଷ୍ଣଙ୍କ ସହିତ ପୂଜିତା ହୋଇଥାନ୍ତି। ଗୌଡ଼ୀୟ ବୈଷ୍ଣବମାନଙ୍କ ମତରେ ସେ ହେଉଛନ୍ତି ଆଦିଶକ୍ତି। ନିମ୍ବାର୍କ ସମ୍ପ୍ରଦାୟର ବୈଷ୍ଣବମାନଙ୍କର ମଧ୍ୟ ମୂଖ୍ୟ ଆରାଧିତା ଦେବୀ ହେଉଛନ୍ତି ରାଧା। ନିମ୍ବାର୍କ ଋଷି, ଯିଏ ନିମ୍ବାର୍କ ସମ୍ପ୍ରଦାୟ ପ୍ରତିଷ୍ଠା କରିଥିଲେ, ତାଙ୍କ ମତରେ ରାଧା ଓ କୃଷ୍ଣଙ୍କର ମିଳିତ ସତ୍ତା ହେଉଛି ସତ୍ୟର ପ୍ରତୀକ। କୃଷ୍ଣଙ୍କ ସହିତ ରାଧାଙ୍କର ଅପ୍ରାକୃତ ପ୍ରେମର ବର୍ଣ୍ଣନା ବ୍ରହ୍ମ ବୈବର୍ତ ପୁରାଣ, ଗର୍ଗ ସଂହିତା ଓ ବୃହଦ୍ ଗୌତମୀୟ ତନ୍ତ୍ରରେ ଦେଖିବାକୁ ମିଳେ।
ଭକ୍ତ ଚରଣ ଦାସ (୧୭୨୯-୧୮୧୩) ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ । ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବିମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ (୧୫ ଅକ୍ଟୋବର ୧୯୩୧- ୨୭ ଜୁଲାଇ ୨୦୧୫), ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । କଲାମ ତାମିଲନାଡୁର ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି । ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର "ଭାରତ ରତ୍ନ"ରେ ସମ୍ମାନିତ କରା ଯାଇଥିଲା ।
ରାଜନୀତି ବିଜ୍ଞାନରେ ବିଭିନ୍ନ ଉପବିଭାଗ ରହିଛି ଯଥା ତୁଳନାତ୍ମକ ରାଜନୀତି, ରାଜନୀତିକ ଅର୍ଥନୀତି, ଅନ୍ତର୍ଜାତୀୟ ସମ୍ପର୍କ, ରାଜନୀତିକ ତତ୍ତ୍ୱ, ସାଧାରଣ ପ୍ରଶାସନ, ଜନନୀତି ଏବଂ ରାଜନୀତିକ ପଦ୍ଧତି । ଅଧିକନ୍ତୁ ରାଜନୀତି ବିଜ୍ଞାନ ଅର୍ଥନୀତି, ଆଇନ, ସମାଜ ବିଜ୍ଞାନ, ଇତିହାସ, ଦର୍ଶନ, ଭୂଗୋଳ, ମନୋବିଜ୍ଞାନ/ମାନସିକ ରୋଗ, ଆନ୍ଥ୍ରୋପୋଲୋଜି ଏବଂ ସ୍ନାୟୁବିଜ୍ଞାନ ସହିତ ଜଡ଼ିତ ଓ ଏବଂ ସେସବୁରୁ ଉଦ୍ଧୃତ ।
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ୱ ଓ ଧାର୍ମିକ ଗୁରୁତ୍ତ୍ୱ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
କୁମୁଦିନୀ ଦେବୀ ଜଣେ ଭାରତୀୟ କବି ଓ ଓଡ଼ିଶୀ ଗାୟିକା ଥିଲେ, ଓ ସେ ଓଡ଼ିଶାର ପ୍ରଥମ ରେକର୍ଡ଼ ହୋଇଥିବା ମହିଳା କଣ୍ଠଶିଳ୍ପୀ । ୧୯୦୬ ମସିହାରେ ସେ ବୋଲିଥିବା ଏକ ଗୀତ ଗ୍ରାମୋଫୋନ ଜରିଆରେ ରେକର୍ଡ଼ ହୋଇଥିଲା । ସେ ଆକାଶବାଣୀ କଟକର ଜଣେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଥିଲେ ଓ ସେଠାରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରୁଥିଲେ । ଓଡ଼ିଶାରେ ମଞ୍ଚ ନାଟକର ପ୍ରାରମ୍ଭରେ ପୁରୁଷପ୍ରଧାନ ପରିବେଶରେ କଣ୍ଠସଂଗୀତ ଗାନ କରିବାରେ ଅଳ୍ପ କେତେଜଣ ନାରୀ କଣ୍ଠଶିଳ୍ପୀଙ୍କ ମଧ୍ୟରୁ ସେ ଅନ୍ୟତମ । ଲକ୍ଷ୍ମୀକାନ୍ତ ମହାପାତ୍ର ତାଙ୍କର ବଡ଼ ଭାଇ ଥିଲେ ।
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
ଗୋପାଳ ଛୋଟରାୟ (୨୦ ଅପ୍ରେଲ ୧୯୧୬ - ୨୨ ଜାନୁଆରୀ ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକସବୁ ଜୀବନ୍ତ । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
ପ୍ରୀତି ବନ୍ଧନ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନରେନ୍ଦ୍ର କୁମାର ପାତ୍ର ଓ ପ୍ରଶାନ୍ତ କୁମାର ନାୟକ । ଅଭିଜିତ ସିନ୍ଦେ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଓ ସଂଳାପ ଲେଖିଥିଲେ ସୁନୀଲ । ନିର୍ଦ୍ଦେଶକ ରାସେଶ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ, ତମନ୍ନା ବ୍ୟାସ ଓ ତୃପ୍ତି । ପୃଥ୍ୱୀରାଜ ନାୟକ, ପୁଷ୍ପା ପଣ୍ଡା, ଭୂପତି ତ୍ରିପାଠୀ, କେଦାର ମିଶ୍ର, ଥିନ୍, ଅଳକା ଶତପଥୀ, ପ୍ରଶାନ୍ତ ନାୟକ, ନୂପୁର ଘୋଷ, ସସ୍ମିତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।ଏହି କଥାଚିତ୍ରଟି ୨୦୨୩ ମସିହାର ମଇ ୨୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।
ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।ଅନେକ ବିଶେଷତ୍ୱ ମଧ୍ୟରୁ ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସହଜରେ ଚିହ୍ନା ପଡ଼ନ୍ତି । ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହନ କରାଯାଏ । ତାଙ୍କୁ ପଞ୍ଚଦେବତାମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ।
ବିଜୟ ମିଶ୍ର (୧୬ଜୁଲାଇ ୧୯୩୬ - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ । ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ବେଙ୍ଗ ଏକ ଉଭୟଚର ପ୍ରାଣୀ ଅଟେ ଯିଏ ଜଳ ଓ ସ୍ଥଳ ଉଭୟ ସ୍ଥାନରେ ରହିପାରେ । ଏହା ଏକ ଶୀତରକ୍ତୀ ପ୍ରାଣୀ ଅଟେ ଅର୍ଥାତ ଏହାର ଶରୀରର ତାପମାନ ବାତାବରଣ ତାପମାନ ଅନୁଶାରେ ଛାଲିଥାଏ । ଶିତକାଳରେ ଥଣ୍ଡାରୁ ବଞ୍ଚିବା ପାଇଁ ବର୍ଷାପାଣିରେ ଜମିରହିଥିବା କାଦୁଅ ଆଦି ସ୍ଥାନରେ ଦୁଇ ଫୁଟ ଭିତର ପର୍ଯ୍ୟନ୍ତ ଖୋଳି ସେଠାରେ ବାସ କରିଥାଏ, ଏହା ସହିତ କିଛି ଖାଦ୍ୟ ମଧ୍ୟ ଖାଇ ନଥାଏ । ଏହି ପକ୍ରୀୟାକୁ ଶୀତନିଦ୍ରା କିମ୍ବା "ଶୀତସୁଷୁପ୍ତାବସ୍ଥା" କୁହାଯାଏ । ଏହିପ୍ରକାର କ୍ରୀୟା ଗରମ ଦିନେ ମଧ୍ୟ ହୋଇଥାଏ । ଗ୍ରୀଷ୍ମକାଳରେ ଏହି ପକ୍ରୀୟାକୁ ଗ୍ରୀଷ୍ମୀୟ ଅବସ୍ଥା କିମ୍ବା "ଗ୍ରୀଷ୍ମସୁଷୁପ୍ତାବସ୍ଥା" କୁହାଯାଏ ।
ପ୍ରାଣବନ୍ଧୁ କର (୧ ଡିସେମ୍ବର ୧୯୧୪ - ୩୦ ମାର୍ଚ୍ଚ ୧୯୯୮) ଜଣେ ଅଧ୍ୟାପକ, ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ତାଙ୍କ ରଚିତ କେତେକ ଜଣାଶୁଣା ରଚନା ମଧ୍ୟରେ ଅଶାନ୍ତ, ଶ୍ୱେତପଦ୍ମା ଆଦି ନାଟକ, ଦୂରପାହାଡ଼ ଓ ପେଟୁ ଏକାଙ୍କିକା, ଷଣ୍ଢ ଲଢେଇ ଓ ସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟର ଓ ଫତୁରାନନ୍ଦଙ୍କ ନାକଟା ଚିତ୍ରକରର ନାଟ୍ୟରୂପ ଦେଇଥିଲେ । ତାଙ୍କର ଅଶାନ୍ତ ନାଟକ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସ୍ନାୟୁ ସଂହାର ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।
ଗୀତଗୋବିନ୍ଦ କବି ଜୟଦେବଙ୍କଦ୍ୱାରା ସଂସ୍କୃତ ଭାଷାରେ ରଚିତ ଦ୍ୱାଦଶ ଶତାବ୍ଦୀର ଏକ କାବ୍ୟ । ଦ୍ୱାଦଶ ସର୍ଗ ବିଶିଷ୍ଟ ଏହି କାବ୍ୟଟି ରାଧାକୃଷ୍ଣଙ୍କ ରାସଲୀଳା ଉପରେ ପର୍ଯ୍ୟବସିତ । ବୈଷ୍ଣବ ଭକ୍ତି ମାର୍ଗ ଉପରେ ଗୀତଗୋବିନ୍ଦ କାବ୍ୟର ବିଶେଷ ପ୍ରଭାବ ପଡିଛି । କାନ୍ତ କୋମଳ ପଦାବଳୀ, ମଧୁର ଶବ୍ଦ ସଂଯୋଜନା, ଭକ୍ତି ଭାବରେ ପୂର୍ଣ୍ଣ ବିଷୟ ନିମନ୍ତେ ଗୀତଗୋବିନ୍ଦର ସଂସ୍କୃତ ସାହିତ୍ୟରେ ଏକ ବିଶେଷ ସ୍ଥାନ ରହିଚି । ପ୍ରସିଦ୍ଧ ଦଶାବତାର ବର୍ଣ୍ଣନା ଓ ସ୍ତୋତ୍ର ଏହି କାବ୍ୟର ପ୍ରଥମ ସର୍ଗରେ ରହିଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଧ୍ୟ ଗୀତଗୋବିନ୍ଦର ଏକ ପ୍ରଧାନ ସ୍ଥାନ ରହିଛି।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ବିଶ୍ୱଜିତ ଦାସ (୧୯୩୬-୨୦୦୪) ଜଣେ ଖ୍ୟାତନାମା ଓଡ଼ିଆ ନାଟ୍ୟକାର ଥିଲେ । ସେ ପ୍ରିୟତମା ଓ ନିଝୁମ ରାତିର ସାଥୀ କଥାଚିତ୍ରର ନିର୍ଦ୍ଦେଶନା ଦେବା ସହ ଗୌରୀ, ନାଗଫାସ, ଅହଲ୍ୟା, କାବେରୀ ଓ ତୁଣ୍ଡବାଇଦ ଆଦି କଥାଚିତ୍ରର ସଂଳାପ ରଚନା କରିଥିଲେ । ଏଥି ସହିତ ସେ କେତୋଟି ବିଦେଶୀ ଭାଷାର ନାଟକକୁ ଓଡ଼ିଆରେ ଅନୁବାଦ ମଧ୍ୟ କରିଥିଲେ । ୧୯୬୪ ମସିହାରେ 'ସଂକେତ' ନାମକ ଏକ ନାଟ୍ୟ ଅନୁଷ୍ଠାନ ଗଠନ କରିଥିଲେ ।
ଜଗତର ନାଥ ଶ୍ରୀ ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
କଣ୍ଡୋମ (ଇଂରାଜୀ ଭାଷାରେ condom) ଏକ ମୁଣି ଆକାରର ଏକ ପ୍ରତିବନ୍ଧ ଉପକରଣ (barrier device) ଯାହା ଯୌନ ସମ୍ଭୋଗ (sexual intercourse) ସମୟରେ ଗର୍ଭାଧାନ ସମ୍ଭାବନା ଓ ଯୌନସଞ୍ଚାରିତ ସଂକ୍ରମଣ (sexually transmitted infection ବା STIs) ରୋକିବା ନିମନ୍ତେ ବ୍ୟବହାର କରାଯାଏ । ଏଥି ନିମନ୍ତେ ଉଭୟ ପୁରୁଷ ଓ ମହିଳା କଣ୍ଡୋମ (female condom) ମିଳେ । ସଠିକ ଭାବରେ ପ୍ରତ୍ୟେକ ନାରୀ-ପୁରୁଷ ସମ୍ଭୋଗ ସମୟରେ ପୁରୁଷ ସାଥୀ କଣ୍ଡୋମ ବ୍ୟବହାର କଲେ ମାତ୍ର ୨% ଗର୍ଭାଧାନ ହାର ହୁଏ । କିନ୍ତୁ ସାଧାରଣ ବ୍ୟବହାରରେ ଏହି ହାର ପ୍ରାୟ ବାର୍ଷିକ ୧୮% ହୁଏ । କଣ୍ଡୋମ ବ୍ୟବହାର କଲେ ଗନରିଆ, କ୍ଲାମିଡିଆ (chlamydia), ଟ୍ରାଇକୋମୋନିଆସିସ୍, ହେପାଟାଇଟିସ ବି ଓ ଏଚଆଇଭି/ଏଡସ ଇତ୍ୟାଦି ରୋଗ ସଙ୍କଟ ଅନେକ ପରିମାଣରେ କମିଯାଏ । କିଛି ପରିମାଣରେ ସୁରକ୍ଷା ମିଳୁଥିବା ଅନ୍ୟ କେତେକ ରୋଗମାନଙ୍କ ନାମ ଜେନିଟାଲ ହର୍ପିସ (genital herpes), ହ୍ୟୁମାନ ପାପିଲୋମା ଭୁତାଣୁ (human papillomavirus ବା HPV) ଓ ସିଫିଲିସ୍ ।ସମ୍ଭୋଗ ପୂର୍ବରୁ ଉତ୍ଥିଥ ପୁରୁଷାଙ୍ଗ (erect penis) ଉପରେ ପୁରୁଷ କଣ୍ଡୋମ ଗୁଡ଼େଇ ଦେବାଫଳରେ ମହିଳା ଯୌନାଙ୍ଗରେ ବୀର୍ଯ୍ୟ ପ୍ରବେଶକୁ ଅବରୋଧ କରେ । ପୁରୁଷ କଣ୍ଡୋମ ଲେଟେକ୍ସରୁ (latex) ଓ ସ୍ୱଳ୍ପ ମାତ୍ରାରେ ପଲିୟୁରିଥେନ (polyurethane) ବା ମେଣ୍ଢାଛୁଆ ଅନ୍ତନଳୀରୁ ତିଆରି ହୁଏ ।
ପ୍ରମିଳା ମଲ୍ଲିକ (ଜନ୍ମ: ୪ ମାର୍ଚ୍ଚ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ୧୯୯୦ ମସିହାରେ ସେ ଓଡ଼ିଶା ବିଧାନ ସଭାର ୧୦ମ ସଭାକୁ ଜନତା ଦଳର ପ୍ରତିନିଧି ଭାବରେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ପୁଣିଥରେ ୨୦୦୦ ମସିହା ଓଡ଼ିଶା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ସେହି ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ଲଗାତାର ୨୦୦୪ ମସିହାରେ ୧୩ଶ, ୨୦୦୯ ମସିହାରେ ୧୪ଶ ଏବଂ ୨୦୧୪ ମିସିହାରେ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପ୍ରମିଳା ପ୍ରଥମଥର ପାଇଁ ୨୦୦୪ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ । ସେ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଥିଲେ ।
ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପ୍ରଥମ ମହିଳାମାନଙ୍କ ତାଲିକା
ଏହା ସମୟ କ୍ରମେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଓଡ଼ିଶାର ପ୍ରଥମ ମହିଳାମାନଙ୍କ ତାଲିକା ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ନାଗୋୟା (名古屋) ଜାପାନର ଚୂବୁ କ୍ଷେତ୍ରର ସବୁଠାରୁ ବଡ଼ ସହର ଅଟେ । ଏହା ଜାପାନର ତୃତୀୟ ନିଗମ ସହର ଓ ଚତୁର୍ଥ ସବୁଠାରୁ ଅଧିକ ଜନସଂଖ୍ୟା ଯୁକ୍ତ କ୍ଷେତ୍ର ଅଟେ । ଏହା ପ୍ରଶାନ୍ତ ମହାସାଗରର କେନ୍ଦ୍ରୀୟ ହୋନଂଶୁରେସ୍ଥିତ । ଏହା ଆଇଚି ପ୍ରାନ୍ତର ରାଜଧାନୀ ଏବଂ ଟୋକିଓ, ଓସାକା, କୋବୋ, ୟୋକୋହାମା, ଚୀବା ଓ କିତାକ୍ୟୁଶୁ ସହିତ ଜାପାନର ପ୍ରମୂଖ ବନ୍ଦର ମଧ୍ୟରୁ ଏକ ଅଟେ । ଏହା ଜାପାନର ତୃତୀୟ ସବୁଠାରୁ ମହାନଗରୀୟ କ୍ଷେତ୍ରର କେନ୍ଦ୍ର ମଧ୍ୟ ଅଟେ, ଯେପରି ଚୁକ୍ୟୋ ମହାନଗରୀୟ କ୍ଷେତ୍ର ରୂପେ ଜଣାଯାଇଥାଏ । ୨୦୧୫ ପର୍ଯ୍ୟନ୍ତ, ଚୁକ୍ୟୋ ମହାନଗରୀୟ କ୍ଷେତ୍ରର 9.10 ମିଲିୟନ ଲୋକମାନଙ୍କ ମଧ୍ୟରୁ 2.28 ମିଲିୟନ ଲୋକ ଏହି ସହରରେ ରହିଥାନ୍ତି ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ପ୍ରାଧିକରଣ । ଏହା ପୃଥିବୀର ଛଅଟି ବଡ଼ ସରକାରୀ ମହାକାଶ ପ୍ରାଧିକରଣ ମଧ୍ୟରୁ ଅନ୍ୟତମ ଯଥା: ଆମେରିକାର ନାସା (NASA), ଋଷିଆର RKA, ଇଉରୋପର ଇସା (ESA), ଚୀନର ସିନସଏ (CNSA) ଓ ଜାପାନର JAXA । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା - ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ ।ଏହା ୧୯୬୯ରେ ପ୍ରତିଷ୍ଠା ହୋଇଥିଲା । ଭାରତୀୟ ରାଷ୍ଟ୍ରୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସମିତି (INCOSPAR) ବଦଳରେ ସ୍ଥାପିତ ହୋଇଥିଲା । ଇସ୍ରୋ ମୁଖ୍ୟ କାର୍ଯାଳୟ ବାଙ୍ଗାଲୋରଠାରେ ଅବସ୍ଥିତ । ଏହା ଭାରତ ସରକାରଙ୍କ ମହାକାଶ ବିଭାଗ ଅନ୍ତର୍ଗତ ଅଟେ, ଯାହାକି ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଅଛି । ଇସ୍ରୋକୁ ପ୍ରତିଷ୍ଠା କରିବାରେ ଡକ୍ଟର ବିକ୍ରମ ଅମ୍ବାଲାଲ୍ ସରାଭାଇଙ୍କର ଉଲ୍ଲେଖନୀୟ ଯୋଗଦାନ ଓ ଆପ୍ରାଣ ପ୍ରଚେଷ୍ଟା ଯୋଁଗୁ ତାଙ୍କୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବୋଲି କୁହାଯାଏ ।
ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
କୋଣାର୍କ ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ସହର । ଏଠାରେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ସ୍ଥାପିତ ସୂର୍ଯ୍ୟ ମନ୍ଦିର ଅବସ୍ଥିତ । ପୁରୀ ସହରଠାରୁ ୩୨ କି.ମି. ଦୂରତାରେ ବଙ୍ଗୋପସାଗର କୂଳରେ ଅବସ୍ଥିତ । ଏହା ସ୍ୱର୍ଣ୍ଣ ତ୍ରିଭୁଜର ଗୋଟିଏ ସୀମାରେ ଅବସ୍ଥିତ । ଏହା ବ୍ଲାକ ପାଗୋଡା ନାମରେ ମଧ୍ୟ ବିଶ୍ୱ ବିଖ୍ୟାତ । କୋଣାର୍କ ଅର୍କ କ୍ଷେତ୍ର ନାମରେ ପୁରାଣ ପ୍ରସିଦ୍ଧ । ଏହା ମିତ୍ରବନ ଭାବେ ମଧ୍ୟ ପରିଚିତ ଥିଲା| ଏହି ସ୍ଥାନ ଭୁବନେଶ୍ୱରଠାରୁ ୬୫ କି.ମି.
ଚନ୍ଦ୍ରଯାନ-୨ ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଥିଲା । ଚନ୍ଦ୍ରଯାନ-୧ର ସଫଳତା ପରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋଦ୍ୱାରା ଏହି ମିଶନର ପରିକଳ୍ପନା କରାଯାଇଥିଲା । ଚନ୍ଦ୍ରଯାନ-୨ ଅଭିଯାନରେ ଇସ୍ରୋକୁ ୯୫ ପ୍ରତିଶତ ସଫଳତା ମିଳିଥିଲା ।ଏହାର ପୂର୍ବବର୍ତ୍ତୀ ଅଭିଯାନ ଚନ୍ଦ୍ରଯାନ-୧ ପରି ଚନ୍ଦ୍ରଯାନ-୨ ସାଇଣ୍ଟିଫିକ୍ ପେଲୋଡ୍ ସହିତ ଏକ ମୁନ୍-ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରିଥିଲା । ଯୋଜନା ମୁତାବକ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପରେ, ପ୍ରଜ୍ଞାନ ରୋଭରକୁ ନେଇ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଏକ ଅପେକ୍ଷାକୃତ ଉଚ୍ଚ ମଇଦାନରେ ଅବତରଣ କରିବାକୁ ଚେଷ୍ଟା କରିଥିଲା । ଚନ୍ଦ୍ର ଭୂମିପୃଷ୍ଠକୁ ଅବତରଣ କରିବାବେଳେ ବିକ୍ରମ ଲ୍ୟାଣ୍ଡରଟି ନିର୍ଦ୍ଧାରିତ କକ୍ଷପଥରୁ ବିଚ୍ୟୁତ ହୋଇଥିଲା ଏବଂ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚତାରେ ଥିବା ସମୟରେ ଇସ୍ରୋ ସହ ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ଅର୍ବିଟର ଜରିଆରେ ପ୍ରାପ୍ତ ଥର୍ମାଲ୍ ଅପଟିକାଲ ଚିତ୍ରକୁ ଅନୁଧ୍ୟାନ କରି ବିକ୍ରମ ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଙ୍ଗ୍ କରିଛି ବୋଲି ବୋଲି ଇସ୍ରୋ ମୂଖ୍ୟ କେ.
ବରାହମିହିର (ସନ ୫୦୫- ସନ ୫୮୭) ହେଉଛନ୍ତି ଜଣେ ମହାନ୍ ଭାରତୀୟ ଗଣିତଜ୍ଞ, ଜ୍ୟୋତିର୍ବିଦ ଓ ଖଗୋଳ ବିଜ୍ଞାନୀ। ସେ କେବଳ ବରାହ ବା ମିହିର ଭାବେ ମଧ୍ୟ ପରିଚିତ। ତାଙ୍କର ଜନ୍ମ ଉଜ୍ଜୟିନୀରେ ହୋଇଥିଲା ।ପିତା ଆଦିତ୍ୟଦାସଙ୍କଠାରୁ ପାରମ୍ପାରିକ ଗଣିତ ଏବଂ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରି ସେଥିରେ ଅନେକ ସଂସ୍କାର ଆଣିଥିଲେ। ଗୁପ୍ତ ସାମ୍ରାଜ୍ୟର ବିକ୍ରମାଦିତ୍ୟ(ଚନ୍ଦ୍ରଗୁପ୍ତ-୨ୟ)ଙ୍କ ରାଜସଭାରେ ସେ ନବରତ୍ନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।