ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଏକ ଇଣ୍ଡୋ-ଆର୍ଯ୍ୟ ଭାରତୀୟ ଭାଷା । ଏହା ଭାରତର ଓଡ଼ିଶାରେ ସର୍ବାଧିକ ବ୍ୟବହୃତ ଓ ମୁଖ୍ୟ ସ୍ଥାନୀୟ ଭାଷା ଏବଂ ୯୧.୮୫% ଲୋକଙ୍କ ଦ୍ୱାରା କଥିତ । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତିମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ ପ୍ରତିବର୍ଷ ୨୨ଟି ବେଶ ସମ୍ପନ୍ନ ହେଲା ବେଳେ ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ । ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶ ଓ ନାଗାର୍ଜୁନ ବେଶ । ଅନେକ ବର୍ଷ ଧରି ରଘୁନାଥ ବେଶ ଆଉହୋଇନଥିଲା ବେଳେ ୧୯୯୪ ମସିହା ପରେ ଆଉ ନାଗାର୍ଜୁନ ବେଶ ଯୋଗ ପଡ଼ିନାହିଁ । ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ନୃସିଂହ ବେଶ ଧାରଣ କରିଥାନ୍ତି । ପୁଣି ମହାପ୍ରଭୁମାନଙ୍କ ସବୁଯାକ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଧ ବେଶରେ ବଳଭଦ୍ର ମୂଖ୍ୟ ଭୂମିକା ଗ୍ରହଣ କରନ୍ତି । ଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ । ଯଥା : - ସୁନାବେଶ ପ୍ରାୟ ପାଞ୍ଚ ଥର ଓ ଶ୍ରାଦ୍ଧ ବେଶ ତିନିଥର ସଂପନ୍ନ ହୋଇଥାଏ ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଜଗତର ନାଥ ଶ୍ରୀ ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା ତଥା ସମଗ୍ର ବିଶ୍ୱରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ସନ୍ଥକବି ଭୀମ ଭୋଇ ଭୀମ ଭୋଇ (୧୮୫୦-୧୮୯୫ ) ରେଢ଼ାଖୋଲର ମଧୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ । ତାଙ୍କର ରଚନା ଗୁଡ଼ିକରେ ମାନବ ଧର୍ମ, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି । ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" କବିତା ଅନ୍ୟତମ । ତାଙ୍କ ସମସାମୟିକମାନଙ୍କ କବିତାସବୁ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବିଷୟରେ ହୋଇଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ବହିଗୁଡ଼ିକ ମଧ୍ୟରେ "ସ୍ତୁତିଚିନ୍ତାମଣି", "ହଲିଆ ଗୀତ", "ଡାଲଖାଈ", "ରସରକେଲି", "ଜାଇଫୁଲ", "ବ୍ରହ୍ମ ନିରୂପଣ ଗୀତା", "ଆଦିଅନ୍ତ ଗୀତା", "ଅଷ୍ଟକ ବିହାରୀ ଗୀତା", "ନିର୍ବେଦ ସାଧନା", "ଶ୍ରୁତିନିଷେଧ ଗୀତା", "ମନୁସଭାମଣ୍ଡଳ", "ଗୃହଧର୍ମ" ଓ "ମହିମାବିନୋଦ" । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ସୁରକ୍ଷିତ । ତାଙ୍କ ରଚିତ ବହିଗୁଡ଼ିକ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ (୧୫ ଅକ୍ଟୋବର ୧୯୩୧- ୨୭ ଜୁଲାଇ ୨୦୧୫), ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । କଲାମ ତାମିଲନାଡୁର ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି । ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର "ଭାରତ ରତ୍ନ"ରେ ସମ୍ମାନିତ କରା ଯାଇଥିଲା ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
{{Use British English|date=November 2011}} ଶ୍ରୀନିବାସ ରାମାନୁଜନ (pronunciation ) (୨୨ ଡିସେମ୍ବର ୧୮୮୭ – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ । ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ। ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ 'ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ। ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ?
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳ ର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଗୋପାଳ ଛୋଟରାୟ (୨୦ ଅପ୍ରେଲ ୧୯୧୬ - ୨୨ ଜାନୁଆରୀ ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକସବୁ ଜୀବନ୍ତ । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଓଡ଼ିଆ କବି ତଥା ଡାକ୍ତର, ଲେଖିକା, ଓ ଭାରତୀୟ ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ବରାହମିହିର (ସନ ୫୦୫- ସନ ୫୮୭) ହେଉଛନ୍ତି ଜଣେ ମହାନ୍ ଭାରତୀୟ ଗଣିତଜ୍ଞ, ଜ୍ୟୋତିର୍ବିଦ ଓ ଖଗୋଳ ବିଜ୍ଞାନୀ। ସେ କେବଳ ବରାହ ବା ମିହିର ଭାବେ ମଧ୍ୟ ପରିଚିତ। ତାଙ୍କର ଜନ୍ମ ଉଜ୍ଜୟିନୀରେ ହୋଇଥିଲା ।ପିତା ଆଦିତ୍ୟଦାସଙ୍କଠାରୁ ପାରମ୍ପାରିକ ଗଣିତ ଏବଂ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରି ସେଥିରେ ଅନେକ ସଂସ୍କାର ଆଣିଥିଲେ। ଗୁପ୍ତ ସାମ୍ରାଜ୍ୟର ବିକ୍ରମାଦିତ୍ୟ(ଚନ୍ଦ୍ରଗୁପ୍ତ-୨ୟ)ଙ୍କ ରାଜସଭାରେ ସେ ନବରତ୍ନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ମୋହନ ଚରଣ ମାଝୀ ([mohɔnɔ t͡ʃɔɾɔɳɔ mad͡ʒʱi] (listen)) (ଜନ୍ମ: ୬ ଜାନୁଆରୀ ୧୯୭୨) ଜଣେ ଭାରତୀୟ ରାଜନେତା ଏବଂ ଓଡ଼ିଶାର ୧୫ଶ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଟନ୍ତି । ସେ ଭାରତୀୟ ଜନତା ପାର୍ଟିରୁ ଜଣେ ବିଧାୟକ ଭାବରେ ୨୦୦୦, ୨୦୦୯ ଓ ୨୦୧୯ ଓ ୨୦୨୪ ମସିହାରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ ଓ ୧୬ଶ ଓ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଭାରତୀୟ ଜାତୀୟ କଂଗ୍ରେସ (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ଼ ରାଜନୈତିକ ଦଳ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା । ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ସରକାର ୟୁ.ପି.ଏ.
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବିମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
ହଳଧର ନାଗ ଜଣେ ଭାରତୀୟ କୋଶଳୀ-ସମ୍ବଲପୁରୀ-ଭାଷୀ ଲୋକକବି, ଲେଖକ ଓ ରାମକଥା ଗାୟକ । ଜଣେ ଲୋକ କବି ଭାବରେ ସେ ପ୍ରାରମ୍ଭିକ ଜୀବନରେ ଭଜନ, ରସରକେଲି, ଡାଲଖାଇ, ସଜନୀ ଆଦି ପାରମ୍ପରିକ ସମ୍ବଲପୁରୀ ଗୀତ ରଚନା କରିଥିଲେ ଓ ସେସବୁ ସ୍ଥାନୀୟ ଦଣ୍ଡ ନାଟରେ ପରିବେଷଣ କରାଯାଉଥିଲା । ମହାସତୀ ଉର୍ମିଳା, ଆଛିଆ, ତାରା ମନ୍ଦୋଦରୀ, ବଛର, ସିରି ସମଲାଇ, ବୀର ସୁରେନ୍ଦ୍ର ସାଏ, କରମସାଣୀ, ରସିଆ କବି, ପ୍ରେମ ପ୍ରଧାନ ଆଦି ତାଙ୍କର ଉଲ୍ଲେଖନୀୟ ରଚନା । ତାଙ୍କର ସାହିତ୍ୟ ରଚନା ନିମନ୍ତେ ସେ ୨୦୧୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ପାଇଥିଲେ । ୨୦୧୬ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ ଓ ୨୦୨୦ ମସିହାରେ ତାଙ୍କ ନାମରେ ପଦ୍ମଶ୍ରୀ ହଳଧର ନାଗ ସାଧନା କୁଟୀର ଓ ସଂଗ୍ରହାଳୟ ଉଦ୍ଘାଟନ କରିଥିଲେ । ତାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଡକ୍ଟରେଟ ସମ୍ମାନ ପ୍ରଦାନ କରାଥିଲେ । ତାଙ୍କ ରଚନାବଳୀ ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଅନୂଦିତ ହୋଇଛି । ତାଙ୍କ ନାମରେ ଜନ୍ମଭୂମି ବରଗଡ଼ ଜିଲ୍ଲାର ଘେଁସଠାରେ ଏକ କୋଶଳୀ ଭାଷା ଓ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ସ୍ଥାପିତ ହୋଇଥିଲା ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଏହା ଏକ କପୋତ ଶ୍ରେଣୀୟ ପକ୍ଷୀ । ଅପାଳିତ ଅବସ୍ଥାରେ ଏମାନେ ଘରର ଚାଳରେ ଦେଉଳର ଖୋଲରେ ଓ ପର୍ବତ ଖୋଲରେ ରହନ୍ତି । ଗୃହପାଳିତ ପାରାମାନେ ଧଳା, କଳା, ନାଲି ଆଦି ନାନା ରଙ୍ଗର ହୁଅନ୍ତି ଏମାନଙ୍କର ଶଦ୍ଦକୁ ଘୁମୁରିବା କହନ୍ତି ଏମାନଙ୍କର ଧ୍ୱନି 'ଚକ୍ ବକୂମ୍ କୀମ୍' । ଏମାନେ ଘମୁରିଲା ବେଳେ ବେକ ଫୁଲାନ୍ତି । ଏମାନେ ବହୁ ଉଚ୍ଚରେ ଉଡ଼ି ପାରନ୍ତି ଓ ଉଡ଼ିବା ସମୟରେ ଲୋଟଣି ପାରାମାନେ ବନ୍ଧ ଭାଙ୍ଗନ୍ତି । ଇଉରୋପ ଆଦି ଦେଶରେ ଏମାନଙ୍କ ଗୋଡ଼ରେ ଚିଠି ବାନ୍ଧି ଦେଇ ଉଡ଼ାଇ ଦେଲେ ଏମାନେ ଦୂର ଦେଶରେ ଅଭିପ୍ରେତ ସ୍ଥାନରେ ଯାଇ ପହଞ୍ଚିବାଦ୍ୱାରା ଦୂରବାସୀମାନେ ସମ୍ବାଦ ପାଆନ୍ତି । ପାରାମାନଙ୍କ ଉଡ଼ିବା ଦେଖିବା ପାଇଁ ଲୋକେ ସଉକିରେ ପାରା ପାଳନ୍ତି ଏମାନଙ୍କର ଦୃଷ୍ଟିଶକ୍ତି ଅତି ପ୍ରଖର ଏମାନେ ଉପରକୁ ୧/୨: ମାଇଲ ଉଚ୍ଚକୁ ଉଠି ମେଘରେ ଅଦୃଶ୍ୟ ହୋଇ ଯାଆନ୍ତି ଭୂଇଁରେ ସୋରିଷ ବୁଣି ଦେଲେ ଏମାନେ ବହୁ ଉଚ୍ଚରୁ ତାହା ଦେଖି ଖୁଣ୍ଟି ପାରନ୍ତି ।
ଗୋଲୋକ ବିହାରୀ ଧଳ (୧୫ ଡିସେମ୍ବର ୧୯୨୧- ୨୪ ଜୁନ ୧୯୭୪) ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଜଣେ ଭାଷାତତ୍ତ୍ୱବିତ, ପ୍ରଫେସର, ଧ୍ୱନି ତତ୍ତ୍ୱବିତ୍, ଅନୁବାଦକ, ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ଜଣେ ପ୍ରାବନ୍ଧିକ ଭାବେ ସେ ବିଭିନ୍ନ ଗଠନମୂଳକ ମୂକ୍ୟବୋଧ ତଥା ଓଡ଼ିଶାର ସମାଜ, ଶିକ୍ଷା, ସଂସ୍କୃତି ଓ ପରମ୍ପରା ଉପରେ ପ୍ରବନ୍ଧମାନ ରଚନା କରୁଥିଲେ । ଭାରତର ଜାତୀୟ ଜୀବନର ତ୍ରୁଟିବିଚ୍ୟୁତି ଉପରେ ତାଙ୍କର କିଛି ପ୍ରବନ୍ଧ ରଚିତ । ତାଙ୍କ ପ୍ରବନ୍ଧମାନ ସରଳ, ସଂକ୍ଷିପ୍ତ ଓ ଇଙ୍ଗିତଧର୍ମୀ ।
କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬–୬ ଅପ୍ରେଲ ୧୯୯୪) ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଥିଲେ । ୧୯୩୦ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ ରଚନା କରିଥିଲେ । ତାଙ୍କର କେତେକ ଜଣାଶୁଣା ଉପନ୍ୟାସ ମଧ୍ୟରେ କା, ବାଲିରାଜା, ଶାସ୍ତି, ହା' ଅନ୍ନ, ଝଞ୍ଜା, ଶର୍ବରୀ, ତମସା ତୀରେ ଅନ୍ୟତମ । ୧୯୫୬ ମସିହାରେ ପ୍ରକାଶିତ ଉପନ୍ୟାସ କା ପାଇଁ ସେ ୧୯୫୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ସେ ସାହିତ୍ୟ ଏକାଡେମୀର ଫେଲୋ ମଧ୍ୟ ହୋଇଥିଲେ । ତାଙ୍କୁ "ଓଡ଼ିଶୀର ଅନ୍ୟତମ ଲୋକପ୍ରିୟ ଉପନ୍ୟାସକାର" ଭାବରେ ବିବେଚନା କରାଯାଏ । ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ଓଡ଼ିଆ ଶବ୍ଦକୋଷ । ଏହା ସଂକଳନ କରିବାରେ ୩୦ରୁ ଅଧିକ ବର୍ଷ ସମୟ ଲାଗିଥିବା ବେଳେ ଏହା ୧୯୩୧ରୁ ୧୯୪୦ ଭିତରେ ୭ଟି ଖଣ୍ଡରେ ଓ ପ୍ରତି ଖଣ୍ଡ ଆକାରରେ ପାଖାପାଖି ରୟାଲ କ୍ୱାର୍ଟୋ ପୃଷ୍ଠା ଭାବରେ ପ୍ରକାଶିତ ହୋଇଥିଲା । ଏହାର ମୋଟ ପୃଷ୍ଠା ସଂଖ୍ୟା ୯,୫୦୦ ଓ ଏଥିରେ ୧୮୫,୦୦୦ ମୁଖ୍ୟଶବ୍ଦ ରହିଛି । ଏହାର ମୁଖ୍ୟ ସଂକଳକ ଥିଲେ ଗୋପାଳ ଚନ୍ଦ୍ର ପ୍ରହରାଜ ଓ ଉତ୍କଳ ସାହିତ୍ୟ ପ୍ରେସ ଏହାର ପ୍ରକାଶ ଓ ମୁଦ୍ରଣ କରିଥିଲେ । ତାଙ୍କ ସହ ତାଙ୍କର ମୁଖ୍ୟ ସହକର୍ମୀ ପୀତାମ୍ବରୀ ଦେବୀ ଓ ଅନ୍ୟାନ୍ୟ ସହକର୍ମୀମାନେ ଶବ୍ଦ ସଂଗ୍ରହ ଓ ସଂକଳନରେ ସାହାଯ୍ୟ କରିଥିଲେ । ବିଶ୍ୱନାଥ କର ଥିଲେ ଏହାର ପ୍ରକାଶକ । ଏହା ଥିଲା ପ୍ରଥମ ଓଡ଼ିଆ ଶବ୍ଦକୋଷ । ସଂକଳନ ସହ ପ୍ରହରାଜ ସର୍ବସାଧାରଣ ଅନୁଦାନ ସଂଗ୍ରହ ଓ ଛପା ଖର୍ଚ୍ଚ ମଧ୍ୟ ବହନ କରିଥିଲେ । ତତ୍କାଳୀନ ବଙ୍ଗ, ମାନ୍ଦ୍ରାଜ ପ୍ରଦେଶ, ଅନେକ ଓଡ଼ିଆ କଥିତ ଅଞ୍ଚଳର ଶାସକ ଓ ବ୍ରିଟିଶ ସରକାର ଏହି ଗ୍ରନ୍ଥାବଳୀ ପାଇଁ ପୃଷ୍ଠପୋଷକତା ଯୋଗାଇଥିଲେ ।
ରାମାୟଣ ବାଲ୍ମୀକି ପ୍ରଣୀତ ରାମଚରିତ ବର୍ଣ୍ଣନାତ୍ମକ ସଂସ୍କୃତ ମହାକାବ୍ୟ । ବାଲ୍ମୀକିକୃତ ରାମାୟଣ ୭କାଣ୍ଡରେ (ଭାଗରେ) ବିଭକ୍ତ । ଅଯୋଧ୍ୟା ଓ ଦଶରଥଙ୍କ ବିବରଣ ସରଜୁ ନଦୀ କୂଳରେ ଅବସ୍ଥିତ ଅଯୋଧ୍ୟା ନଗରୀ ହେଉଛି କୋଶଳ ରାଜ୍ୟର ରାଜଧାନୀ । କୋଶଳ ନରେଶ ରାଜା ଦଶରଥଙ୍କ ରାଜତ୍ୱ କାଳରେ ପ୍ରଜାଗଣ ଅତ୍ୟନ୍ତ ସୁଖରେ କାଳାତିପାତ କରୁଥିଲେ । ରାଜା ଦଶରଥଙ୍କ ତିନି ରାଣୀ ଥିଲେ କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରା । ଦଶରଥଙ୍କ ପୁତ୍ରେଷ୍ଟି ଯାଗ ବହୁଦିନ ଧରି ରାଜା ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଶ୍ୟଷୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରିଦ୍ୱାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ । ରାମ ଜନ୍ମ ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ ରାମ, ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ ଲକ୍ଷ୍ମଣ ଓ ଶତୃଘ୍ନ ଜନ୍ମ ଗ୍ରହଣ କଲେ । ପୁରାଣ କହେ, ରାକ୍ଷସରୂପି ରାବଣ ଦେବଗଣଙ୍କୁ ଅତ୍ୟାଚାର କରୁଥିଲା ଏବଂ ରାବଣର ମୃତ୍ୟୁ ମାନବଦ୍ୱାରା ନିଶ୍ଚିତ ଥିଲା । ତେଣୁ ରାବଣ ବଧ ନିମନ୍ତେ ମର୍ତ୍ତ୍ୟରେ ମାନବ ଅବତାର ଧାରଣ କରିବାକୁ ଭଗବାନ ବିଷ୍ଣୁ ଇଚ୍ଛା ପ୍ରକଟ କରନ୍ତେ, ତାଙ୍କରି ଅଂଶରୁ ଭଗବାନଙ୍କ ଗୁଣ ସଂପନ୍ନ ଚାରିପୁଅ ଦଶରଥଙ୍କ କୋଳ ମଣ୍ଡନ କଲେ । ସମୟକ୍ରମେ ଚାରିପୁଅ ଶାସ୍ତ୍ର ଅଧ୍ୟୟନ ସହ ଶସ୍ତ୍ର ବିଦ୍ୟାରେ ନିପୁଣତା ହାସଲ କଲେ । ରାମଙ୍କୁ ହୋଇଥାଏ ୧୬ ବର୍ଷ ବୟସ । ଋଷି ବିଶ୍ୱାମିତ୍ର ଦିନେ ରାଜା ଦଶରଥଙ୍କ ଦରବାରକୁ ଆସିଲେ । ବଣରେ ଯଜ୍ଞନଷ୍ଟ କରୁଥିବା ଅସୁର ଗଣଙ୍କୁ ନିପାତ କରିବା ପାଇଁ ସହାୟତା ସ୍ୱରୂପ ସେ ରାଜା ଦଶରଥଙ୍କୁ ପୁତ୍ର ରାମଙ୍କୁ ମାଗିଲେ । ଭ୍ରାତା ଲକ୍ଷ୍ମଣ ରାମଙ୍କୁ ଅନୁସରଣ କରିବାକୁ ଇଚ୍ଛା ପ୍ରକଟ କରନ୍ତେ ରାଜାଙ୍କ ସମ୍ମତି କ୍ରମେ ଋଷି ରାମ ଓ ଲକ୍ଷ୍ମଣଙ୍କୁ ଧରି ବଣକୁ ଚାଲିଗଲେ । ସମୟ କ୍ରମେ ରାମ ଓ ଲକ୍ଷ୍ମଣ ଋଷି ବିଶ୍ୱାମିତ୍ରଙ୍କଠାରୁ ବହୁ ଶସ୍ତ୍ର ବିଦ୍ୟା ସହିତ ବିଭିନ୍ନ ଦୈବୀ ଅସ୍ତ୍ର ମଧ୍ୟ ଲାଭ କଲେ ଏବଂ ଋଷିଙ୍କ ହୋମରେ ବିଘ୍ନ ସୃଷ୍ଟି କରୁଥିବା ଅସୁରମାନଙ୍କୁ ନିପାତ କରିବାକୁ ଲାଗିଲେ । ରାମଙ୍କଦ୍ୱାରା ହରଧନୁ ଭଙ୍ଗ ଓ ସୀତାଙ୍କ ସହ ବିବାହ ରାଜା ଜନକ ହେଉଛନ୍ତି ମିଥିଳା ନରେଶ । ଦିନେ ଜମି କର୍ଷଣ କରୁ କରୁ ରାଜା ଭୂମି ତଳୁ ଝିଅଟିଏ ପାଇ ରାଜାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଝିଅଟିକୁ ବିଧାତାଙ୍କ ବିଚିତ୍ର ଉପହାର ମନେ କରି ରାଜା ତା ନାଁ ରଖିଲେ ସୀତା । ସଂସ୍କୃତରେ ସୀତା ଶବ୍ଦର ଅର୍ଥ ଭୂମିରେ ସୃଷ୍ଟି ହୋଇଥିବା ଏକ ଫାଟ ବା ସରୁ ଗାତ । ସୀତା ଜନକ ନନ୍ଦିନୀ ଭାବେ ପାଳିତ ହେଲେ । ସୀତାଙ୍କୁ ବିବାହଯୋଗ୍ୟା ଦେଖି ରାଜା ଜନକ ଏକ ସ୍ୱୟଂବର ଆୟୋଜନ କରିବାକୁ ମନସ୍ଥ କଲେ । ସ୍ୱୟମ୍ବର ସହିତ ରାଜା ଏକ ପ୍ରତିଯୋଗିତାର ଆୟୋଜନ କଲେ । ଶିବଙ୍କ ଦୟାରୁ ରାଜା ଏକ ଧନୁ (ଶିବଧନୁ) ପ୍ରାପ୍ତ ହୋଇଥିଲେ । ରାଜା ଘୋଷଣା କଲେ, ଯେ କେହି ଶିବଧନୁର ଗୁଣରେ ତୀର ଯୋଖି ପାରିବ ତାଙ୍କୁ ହିଁ ସୀତା ପତି ରୂପେ ବରଣ କରିବେ । ଖବର ପାଇ ଋଷି ବିଶ୍ୱାମିତ୍ର ରାମ ଓ ଲକ୍ଷ୍ମଣଙ୍କୁ ଧରି ସ୍ୱୟଂବର ସ୍ଥଳରେ ପହଞ୍ଚିଲେ । ଋଷି ଜାଣିଥିଲେ ଯେ କେବଳ ରାମ ହିଁ ଶିବଧନୁରେ ଗୁଣ ଚଢ଼ାଇ ପାରିବେ । ରାମ ଯେତେବେଳେ ଶିବଧନୁରେ ଗୁଣ ଚଢ଼ାଇ ଟଂକାର କରନ୍ତେ, ଶିବଧନୁ ଭାଙ୍ଗି ଚୁରମାର ହୋଇଗଲା । ତତ୍ପରେ ସ୍ୱୟଂବରରେ ସୀତା ରାମଙ୍କୁ ବରଣ କଲେ ଏବଂ ଉର୍ମିଳା ଲକ୍ଷ୍ମଣଙ୍କୁ ବରଣ କଲେ । ରାମଙ୍କ ବିବାହ ପରବର୍ତ୍ତୀ ସମୟରେ ଭରତ ମାଣ୍ଡବୀଙ୍କୁ ଏବଂ ଶତୃଘ୍ନ ଶୃତକୀରଟିଙ୍କୁ ବିବାହ କଲେ । ଏହିପରି ଭାବରେ ରାଜା ଜନକଙ୍କ ପୁତ୍ରୀ ଓ ରାଜା ଦଶରଥଙ୍କ ପୁତ୍ରମାନଙ୍କ ବିବାହ ମହା ଆଡମ୍ବରରେ ସମାହିତ ହେବା ପରେ ସମସ୍ତେ ଅଯୋଧ୍ୟାକୁ ଫେରିଲେ । ରାମ ସୀତାଙ୍କର ବିବାହର କିଛି କାଳ ପରେ ବୃଦ୍ଧ ଦଶରଥ ରାମଙ୍କ ହାତରେ ରାଜ୍ୟଭାର ସମର୍ପି ଦେବାକୁ ଇଚ୍ଛା ପ୍ରକଟ କଲେ । ଏ ଖବର ଜାଣି କୋଶଳର ପ୍ରଜା ତଥା ରାଜାଙ୍କ ପାରିଷଦ ବୃନ୍ଦ ଅତ୍ୟନ୍ତ ଆନନ୍ଦିତ ହେଲେ । ହେଲେ ଏକଥା ଶୁଣି କୈକେୟୀଙ୍କ ଦାସୀ ମନ୍ଥରା କୈକେୟୀଙ୍କୁ କୁମନ୍ତ୍ରଣା ଦେବାକୁ ଆରମ୍ଭ କଲେ । ମନ୍ଥରା କଥାରେ କୈକେୟୀ ରାଜା ଦଶରଥଙ୍କୁ ଏକଦା ପ୍ରତିଜ୍ଞା କରିଥିବା ଦୁଇଟି ବର ପ୍ରଦାନ କରିବା ଛଳରେ ଏହି ଦୁଇ ବର ମାଗିଲେ ଯେ, ରାମ ବାର ବର୍ଷ ପାଇଁ ବନବାସ କରିବାକୁ ଯିବେ ଓ ତାଙ୍କ ପୁତ୍ର ଭରତ ରାଜା ହେବେ । ରାଜା ଦଶରଥ ଅତିଶୟ ଦୁଃଖରେ ତାଙ୍କ ସତ୍ୟ ରକ୍ଷା କଲେ । ପିତୃସତ୍ୟ ପାଳନ ନିମନ୍ତେ ବନଗମନ ରାମ କିନ୍ତୁ ଧୀର ଚିତ୍ତରେ ପିତୃ-ସତ୍ୟ ପାଳନ ନିମନ୍ତେ କିଞ୍ଚିତେ ଦୁଃଖ ପ୍ରକାଶ କଲେ ନାହିଁ । ରାମଙ୍କର ଏହି ମହନୀୟତା ହିଁ ସାରା ରାମାୟଣରେ ଅନେକ ରୂପରେ ପ୍ରକାଶିତ ହୋଇଛି । ରାମଙ୍କର ଶତ ବାରଣ ସତ୍ତ୍ୱେ, ବନବାସ ବେଳେ ରାମଙ୍କର ଅନୁସରଣ କରିବା ପାଇଁ ଦେବୀ ସୀତା ଏବଂ ଭ୍ରାତା ଲକ୍ଷ୍ମଣ ଇଚ୍ଛା ପ୍ରକାଶ କଲେ । ରାମଙ୍କର ବାରଣର ଉତ୍ତରରେ ସୀତା କହନ୍ତି, ଆପଣଙ୍କ ପାଦ ଯେଉଁ ବନପ୍ରଦେଶରେ ପଡ଼ିବ ତାହା ମୋ ପାଇଁ ହେବ ଅଯୋଧ୍ୟା ଆଉ ଆପଣଙ୍କ ବିନା ଅଯୋଧ୍ୟା ମଧ୍ୟ ମୋ ପାଇଁ ନର୍କ ସଦୃଶ । ଇତି ମଧ୍ୟରେ ଭରତ, ଯିଏ କି ମାତୁଳଙ୍କ ଗୃହକୁ ବୁଲି ଯାଇଥିଲେ, ଏ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କଲେ । ରାଜା ହେବାର ସୁଯୋଗ ପରିତ୍ୟାଗ କରି ସେ ଭ୍ରାତା ରାମଙ୍କୁ ଦେଖା କରିବା ପାଈଁ ସେ ବନ ଗମନ କରି ରାମଙ୍କୁ ଦେଖା କଲେ । ରାମଙ୍କୁ ବହୁତ ଅନୁନୟ ବିନୟ ପୂର୍ବକ ଫେରିଆସିବାକୁ ଏବଂ ରାଜ୍ୟ ଭାର ଗ୍ରହଣ କରିବାକୁ ଆକୁଳ ପ୍ରାର୍ଥନା କଲେ । କିନ୍ତୁ ରାମ ପିତୃ-ସତ୍ୟ ପାଳନ ନିମନ୍ତେ ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ବନବାସ ପୂର୍ବରୁ ରାଜ୍ୟକୁ ଫେରିବାକୁ ମନା କରିଦେଲେ । ତେବେ ଏକ ବିରଳ ଭ୍ରାତୃ ଭକ୍ତିର ଉଦାହରଣସ୍ୱରୂପ ଭରତ ଭ୍ରାତା ରାମଙ୍କ କଠଉ ଯୋଡିକ ମସ୍ତକରେ ଧାରଣ ପୂର୍ବକ ଫେରି ଆସିଲେ ଏବଂ ସିଂହାସନରେ ରାମଙ୍କ କଠଉ ସ୍ଥାପନ ପୂର୍ବକ ରାମଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କରିବାକୁ ଲାଗିଲେ । ଦଶରଥଙ୍କ ମୃତ୍ୟୁ ପ୍ରିୟପୁତ୍ର ରାମଙ୍କର ବନବାସ ଜନିତ ବିଚ୍ଛେଦ ଦୁଃଖ ସହ୍ୟ କରି ନ ପାରି ରାଜା ଦଶରଥ ଅଚିରେ ପ୍ରାଣତ୍ୟାଗ କରନ୍ତି । ରାମ, ଲକ୍ଷ୍ମଣ ଓ ସୀତାଙ୍କର ଦଣ୍ଡକାରଣ୍ୟରେ ସ୍ଥିତି ରାମ, ସୀତା ଏବଂ ଲକ୍ଷ୍ମଣ ଏହି ବନବାସ ସମୟରେ ଗୋଦାବରୀ ନଦୀ ତଟରେ ଗମନ କରି ପଞ୍ଚବଟୀଠାରେ ଏକ କୁଟୀର ନିର୍ମାଣ ପୂର୍ବକ ଅବସ୍ଥାନ କଲେ । ସେହି ସମୟରେ ଋଷିମାନଙ୍କର ଅନୁରୋଧ କ୍ରମେ ସେମାନେ ଅନେକ ରାକ୍ଷସଙ୍କୁ ବଧ କରିଥିଲେ । ବିରାଧ ରାକ୍ଷସ ଏମାନଙ୍କ ମଧ୍ୟରେ ପ୍ରଥମ ଥିଲା । ଖରଦୂଷଣ ବଧ ଏହି ସମୟରେ ପଞ୍ଚବଟୀଠାରେ ସୂର୍ପଣଖା, ଯିଏକି ରାବଣର ଭଗିନୀ ଥିଲା, ପହଞ୍ଚି ଲକ୍ଷ୍ମଣଙ୍କୁ ବଧ କରିବାକୁ ମାୟା ବିସ୍ତାର କରିଥିଲା । ହେଲେ ରାମଙ୍କ ଆଦେଶରେ ଲକ୍ଷ୍ମଣ ସୂର୍ପଣଖାର ନାସା ଚ୍ଛେଦନ କରିଥିଲେ । ଇତ୍ୟବସରରେ ରାମ ଓ ଲକ୍ଷ୍ମଣ ଖର, ଦୁଃଷଣ ଆଦି ଅନେକ ରାକ୍ଷସଙ୍କୁ ବଧ କରି ଋଷିମାନଙ୍କର କଷ୍ଟ ଦୂର କରିଥିଲେ । ରାବଣ ଏ ଖବର ପାଇ ରାମ ଲକ୍ଷ୍ମଣଙ୍କୁ ନିପାତ କରିବାପାଇଁ ମାରୀଚ ରାକ୍ଷସ ସହାୟତାରେ ଏକ ଯୋଜନା କଲା । ସୀତା କୁଟୀରରେ ଥିବା ବେଳେ ମାୟାବୀ ମାରୀଚ ଏକ ହେମ ହରିଣୀର ରୂପ ଧାରଣ କରି ସୀତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଲା । ରାବଣଦ୍ୱାରା ସୀତା ହରଣ ସୀତାଙ୍କ ଅନୁରୋଧ କ୍ରମେ ରାମ ଲକ୍ଷ୍ମଣଙ୍କୁ ସୀତାଙ୍କ ରକ୍ଷାର ଦାୟିତ୍ୱ ଦେଇ ମାୟା ମୃଗର ଅନୁସରଣପୂର୍ବକ ବନ ମଧ୍ୟକୁ ଚାଲିଗଲେ । ମାୟାବୀ ରାକ୍ଷସର ଚିତ୍କାରରେ ବିହ୍ୱଳିତ ହୋଇ ସୀତା ଲକ୍ଷଣଙ୍କୁ ରାମଙ୍କ ସହାୟତା ନିମନ୍ତେ ଯିବାକୁ କହିଲେ । ଲକ୍ଷ୍ମଣ କିନ୍ତୁ ରାକ୍ଷସ ମାୟା ବୁଝିପାରି ଦେବୀ ସୀତାଙ୍କୁ ଏକାକିନୀ ଛାଡ଼ି ଯିବାକୁ ମନା କଲେ । ହେଲେ ଦେବୀ ସୀତାଙ୍କ ଆଦେଶ କ୍ରମେ ଲକ୍ଷ୍ମଣ ଅନୋନ୍ୟପାୟ ହୋଇ ସୀତାଙ୍କୁ ଏକାକିନୀ ଛାଡ଼ି ରାମଙ୍କ ସନ୍ଧାନରେ ଚାଲିଗଲେ । ହେଲେ ଯିବା ଆଗରୁ କୁଟୀର ସମ୍ମୁଖରେ ତିନିଟି ଗାର ଟାଣି କୌଣସି ପରିସ୍ଥିତିରେ ମଧ୍ୟ ସେହି ତିନି ଗାର ନ ଡେଇଁବାକୁ ପରାମର୍ଶ ଦେଇ ଗଲେ । ସୀତାଙ୍କୁ ଏକାକିନୀ ଦେଖି ଦୁଷ୍ଟ ରାବଣ ଏକ ସନ୍ୟାସୀ ବେଶରେ କୁଟୀର ସମ୍ମୁଖରେ ହାଜର ହେଲା । ରାବଣ ମାୟାରେ ଦେବୀ ସୀତା ଭିକ୍ଷା ଦେବା ବେଳେ ସେହି ତିନି ଗାର ଡେଇଁବାକ୍ଷଣି ସେ ବଳପୂର୍ବକ ସୀତାଙ୍କୁ ହରଣ କରି ଲଙ୍କାକୁ ନେଇଗଲା । ସୀତା ହରଣର ପ୍ରଥମ ସୋପାନରେ ଜଟାୟୁ ଦେବୀ ସୀତାଙ୍କୁ ରକ୍ଷା କରିବାକୁ ଯାଇ ରାବଣ ସହ ସଂଗ୍ରାମରେ କ୍ଷତାକ୍ତ ହୋଇପଡ଼ିଲା । ଇତିମଧ୍ୟରେ ରାବଣ ସୀତାଙ୍କୁ ନେଇ ଲଙ୍କାସ୍ଥିତ ଅଶୋକ ବନରେ ରଖିଲା । ଜଟାୟୁଠାରୁ ସୀତାହରଣ ଖବର ପାଇ ରାମ ଓ ଲକ୍ଷ୍ମଣ ସୀତାଙ୍କ ସନ୍ଧାନରେ ବାହାରି ପଡ଼ିଲେ । ପଥରେ କବନ୍ଧ ନାମକ ଅସୁର ସହ ଭେଟ ହେବାପରେ କବନ୍ଧର ଅନୁରୋଧକ୍ରମେ ରାମ ଓ ଲକ୍ଷ୍ମଣ ସୁଗ୍ରୀବ ସହ ବନ୍ଧୁତା ସ୍ଥାପନ କରିବା ନିମନ୍ତେ ତାଙ୍କ ସନ୍ଧାନରେ ଚାଲିଲେ । ସୁଗ୍ରୀବଙ୍କ ସଙ୍ଗେ ଶ୍ରୀରାମଙ୍କ ବନ୍ଧୁତା ସ୍ଥାପନ ଇତି ମଧ୍ୟରେ ରାମ ଓ ଲକ୍ଷ୍ମଣ ପମ୍ପା ସରୋବର ନିକଟରେ ପହଞ୍ଚିଲେ । ପଥରେ ରାମ ଶବରୀର ଭକ୍ତିପୂର୍ଣ୍ଣ ଆତିଥ୍ୟ ଗ୍ରହଣ କରିଥିଲେ । ତତ୍ପରେ ସୁଗ୍ରୀବଙ୍କ ସନ୍ଧାନରେ ଦୁଇଭାଇ ଋଷ୍ୟମୁଖ ପର୍ବତ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ସୁଗ୍ରୀବ ସେଠାରେ ରାମଲକ୍ଷ୍ମଣ ଦୁଇ ଭାଇଙ୍କୁ ଦେଖି ପ୍ରମାଦ ଗଣିଲା । ବାଳୀଙ୍କଦ୍ୱାରା ପ୍ରେରିତ ହୋଇ ସୁଗ୍ରୀବଙ୍କୁ ବଧ କରିବା ଉଦ୍ଦେଶ୍ୟରେ ଆସିଥାଇପାରନ୍ତି ଭାବି ଭୟଭୀତ ହେଲା । ତେବେ ସୁଗ୍ରୀବଙ୍କ ତରଫରୁ ତାଙ୍କ ମନ୍ତ୍ରୀ ହନୁମାନ ରାମ ଲକ୍ଷ୍ମଣଙ୍କୁ ଦେଖାକରି ସୁଗ୍ରୀବଙ୍କ ବିଷୟରେ କହିଲେ ଏବଂ ସୁଗ୍ରୀବଙ୍କ ସହ ରାମ ଲକ୍ଷ୍ମଣଙ୍କ ସାକ୍ଷତ କରାଇଲେ । ସେଠାରେ ବିଶ୍ରାମ ନେବାପରେ ସୁଗ୍ରୀବଙ୍କ ସହ ତାଙ୍କର ଦେଖା ହେଲା । ସୁଗ୍ରୀବଙ୍କ ଭାଇ ବାଳୀ ଇତିମଧ୍ୟରେ ସୁଗ୍ରୀବଙ୍କୁ ତଡ଼ିଦେଇ ନିଜେ କିଷ୍କିନ୍ଧ୍ୟାର ରାଜା ହୋଇଥିଲେ ଏବଂ ସୁଗ୍ରୀବଙ୍କ ସ୍ତ୍ରୀଙ୍କୁ ବଳପୂର୍ବକ ନେଇ ରାଣୀକରି ରଖିଥିଲେ । ସୁଗ୍ରୀବଙ୍କ ସହ ବନ୍ଧୁତା ସ୍ଥାପନ କଲାପରେ ରାମ ଆଶ୍ୱାସନା ଦେଲେ ଯେ ସେ ସୁଗ୍ରୀବଙ୍କୁ ତାଙ୍କ ରାଜ୍ୟ ଓ ସ୍ତ୍ରୀ ଫେରିପାଇବାରେ ସହାୟତା କରିବେ । ପ୍ରତିବଦଳରେ ସୁଗ୍ରୀବ ରାମଙ୍କୁ ସୀତାଙ୍କ ଉଦ୍ଧାରରେ ବାନର ସେନା ସହ ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଲେ । କିନ୍ତୁ ସମୟକ୍ରମେ ସୁଗ୍ରୀବ ତାଙ୍କ ପ୍ରତିଜ୍ଞା ଭୁଲିଯିବା ଦେଖି ତାରା, ସୁଗ୍ରୀବଙ୍କ ଦ୍ୱିତୀୟ ପତ୍ନୀ, ସୁଗ୍ରୀବଙ୍କୁ ଏ କଥା ମନେ ପକାଇଦେଇ ଲକ୍ଷ୍ମଣଙ୍କ କ୍ରୋଧରୁ ବଞ୍ଚିତ କରିପାରିଥିଲେ । ସୁଗ୍ରୀବ ତାଙ୍କର ସମସ୍ତ ବାନର ପାରିଷଦମାନଙ୍କୁ ଚାରି ଦିଗକୁ ପ୍ରେରଣ କରି ସୀତାଙ୍କ ସନ୍ଧାନ ନେବାକୁ ଆଦେଶ ଦେଲେ । ପୂର୍ବ, ପଶ୍ଚିମ ଏବଂ ଉତ୍ତର ଦିଗକୁ ଯାଇଥିବା ଦଳ ଖାଲି ହାତରେ ଫେରି ଆସିଲେ । ହେଲେ, ଅଙ୍ଗଦ ଓ ହନୁମାନ ଦକ୍ଷିଣ ଦିଗରୁ ସୂଚନା ଆଣିଲେ କି ସୀତାଙ୍କୁ ରାବଣ ହରଣ କରି ବେଇ ଲଙ୍କାରେ ବନ୍ଦୀ କରି ରଖିଛି। ଶ୍ରୀରାମଙ୍କଦ୍ୱାରା ବାଳୀବଧ ରାମଙ୍କ ଆଦେଶମତେ ସୁଗ୍ରୀବ ବାଳୀଙ୍କୁ ଯୁଦ୍ଧ ପାଇଁ ଆମନ୍ତ୍ରଣ କଲେ । ପ୍ରଥମ ଯୁଦ୍ଧରେ ରାମ, ବାଳୀ ଓ ସୁଗ୍ରୀଙ୍କ ରୁପ ଏବଂ ଯୁଦ୍ଧ କୌଶଳରେ ଅଦ୍ଭୁତ ସାମଞ୍ଜସ୍ୟ ଦେଖି ଦ୍ୱନ୍ଦରେ ପଡ଼ିଗଲେ ଏବଂ ବାଳୀଙ୍କୁ ବଧ କରି ପାରିଲେ ନାହିଁ । ପରାଜିତ ସୁଗ୍ରୀବ ଅତ୍ୟନ୍ତ ଦୁଃଖରେ ରାମଙ୍କୁ କହିଲେ, "ପ୍ରଭୁ, ଆପଣ ଯଦି ବାଳୀ ବଧ ଚାହାଁନ୍ତିନି, ତେବେ ମୁଁ କଦାପି ବାଳୀଙ୍କୁ ଯୁଦ୍ଧପାଇଁ ଆମନ୍ତ୍ରଣ କରି ନଥାନ୍ତି" । ରାମ କିନ୍ତୁ କହିଲେ, "ତୁମ ଦୁଇ ଭାଇଙ୍କ ମଧ୍ୟରେ ଏତେ ସାମଞ୍ଜସ୍ୟ ଥିଲା ଯେ ମୁଁ ବାଳୀଙ୍କୁ ଠିକଭାବେ ଚିହ୍ନଟ କରି ପାରି ନ ଥିଲି" । ଏହା ପରେ ରାମ ଓ ଲକ୍ଷ୍ମଣ ସୁଗ୍ରୀବଙ୍କୁ ପୁଣି ବୁଝାଇ ଆଉଥରେ ଯୁଦ୍ଧରେ ଅବତ୍ତୀର୍ଣ୍ଣ ହେବା ନିମନ୍ତେ ପରାମର୍ଶ ଦେଲେ । ଏଇଥର କିନ୍ତୁ ବାଳୀଙ୍କୁ ସହଜରେ ଚିହ୍ନଟ କରିବାପାଇଁ ସୁଗ୍ରୀଙ୍କ ଗଳାରେ ଏକ ଫୁଲମାଳା ଗଳାଇଦେଲେ । ଦୁହିଁଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଯୁଦ୍ଧରେ ସୁଗ୍ରୀବଙ୍କ ପରାଜୟ ନିକଟ ହେବାର ଦେଖି, ରାମ ତାଙ୍କ ପ୍ରତିଜ୍ଞା ରକ୍ଷା ପୂର୍ବକ ବାଳୀକୁ ଶରବିଦ୍ଧ କରି ବଧ କଲେ । ସୁଗ୍ରୀବକୁ କିଷ୍କିନ୍ଧ୍ୟାର ରାଜା କରି ସୀତାଙ୍କ ସନ୍ଧାନରେ ପୁଣି ବ୍ୟାପୃତ ହେଲେ । ହନୁମାନଙ୍କ ଲଙ୍କା ଗମନ, ସୀତାଠାବ ଓ ଲଙ୍କା ଦହନ ସୁଗ୍ରୀବ କୃତଜ୍ଞତା ସହ ପ୍ରଭୁ ଶ୍ରୀରାମଙ୍କୁ କହିଲେ, ଏ ବିଶାଳ ବାନର ସେନା ବର୍ତ୍ତମାନ ଆପଣଙ୍କ ସେବାରେ ପ୍ରସ୍ତୁତ । ସେ ବାନର ସେନାର ଚାରିଟି ଦଳ ପ୍ରସ୍ତୁତ କରି ସେମାନଙ୍କୁ ଚାରିଦିଗକୁ ପ୍ରେରଣ କଲେ । ତତ୍ପରେ ସୁଗ୍ରୀବ ହନୁମାନଙ୍କୁ ଡାକି କହିଲେ, ହେ ବାୟୁପୁତ୍ର, ତୁମ ଅସାଧାରଣ ବୀରତ୍ୱ ଯୋଗୁଁ ରାମଚନ୍ଦ୍ରଙ୍କ ଏହି କାର୍ଯ୍ୟ ନିମିତ୍ତ ଆପଣ ହିଁ ଏକମାତ୍ର ଯୋଗ୍ୟ । ଅତଏବ ତୁମେ ପ୍ରଭୁ ରାମଙ୍କର ଏହି ସେବାରେ ନିଜକୁ ନିୟୋଜିତ କରି ଦେବୀ ସୀତାଙ୍କ ସନ୍ଧାନରେ ଯାଅ । ରାମଙ୍କ ଆଦେଶ ଅନୁସାରେ ସୁଗ୍ରୀବ ବିନତା ଏବଂ ତାଙ୍କ ଦଳଙ୍କୁ ପୂର୍ବ ଦିଗକୁ, ସୁଷେଣଙ୍କ ସହ ତାଙ୍କ ଦଳକୁ ପଶ୍ଚିମକୁ, ଶତବଳିଙ୍କୁ ଉତ୍ତର ଏବଂ ହନୁମାନ ତଥା ଅଙ୍ଗଦଙ୍କୁ ଦକ୍ଷିଣ ଦିଗକୁ ପ୍ରେରଣ କଲେ । ରାମ ତାଙ୍କ ମୁଦ୍ରିକାଟିକୁ ହନୁମାନଙ୍କ ହାତରେ ଦେଇ କହିଲେ, ସୀତାଙ୍କ ସନ୍ଧାନ କରି ଏହି ମୁଦ୍ରିକା ଦେଖାଇଲେ ସେ ଜାଣିବେ ଯେ ତୁମେ ରାମଙ୍କ ଦୂତ ଏବଂ ସୀତାଙ୍କ ସନ୍ଧାନରେ ଆସିଅଛ । ବାନରମାନେ ଚାରିଦିଦରେ ତନ୍ନ ତନ୍ନ କରି ସୀତାଙ୍କ ସନ୍ଧାନ କରିବାକୁ ଲାଗିଲେ । ହନୁମାନ ଏବଂ ଅଙ୍ଗଦ ବିନ୍ଧ୍ୟ ପର୍ବତର ସମସ୍ତ ଗୁମ୍ଫାରେ ସୀତାଙ୍କ ସନ୍ଧାନ ନେଲେ । ପଥରେ ନାଗମାତା ସୁରସା ହନୁମାନଙ୍କୁ ଭକ୍ଷଣ କରିବା ନିମିତ୍ତ ତାଙ୍କ ପଥ ଓଗାଳିଲା । ହେଲେ ହନୁମାନ ଅତି ଚତୁରତାର ସହିତ ନିଜକୁ ଅତି କ୍ଷୁଦ୍ରକାୟ କରି ତାଙ୍କ ମୁଖରେ ପ୍ରବେଶ କଲେ ଓ ହଠାତ୍ ବାହାରି ଆସିଲେ । ଏଥିରେ ସୁରସା ପ୍ରୀତ ହୋଇ ହନୁମାନଙ୍କୁ କାର୍ଯ୍ୟସିଦ୍ଧି ନିମନ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ । ଏଥୁଅନ୍ତେ ହନୁମାନ ସମୁଦ୍ର ଉପର ଦେଇ ଉଡ଼ିଯାଆନ୍ତେ ଲକ୍ଷ୍ୟ କଲେ ଯେ, ଏକ ରାକ୍ଷସୀ ହନୁମାନଙ୍କ ସମୁଦ୍ରରେ ପଡୁଥିବା ଛାୟାକୁ ଧରି ତାଙ୍କ ଗତିରେ ବାଧା ଉପୁଜାଉଛି । ହନୁମାନ ଏକାବେଳକେ ରାକ୍ଷସୀର ମୁଖ ଦ୍ୱାର ଦେଇ ଉଦରକୁ ପ୍ରବେଶ କରି ତାର ଉଦର ବିଦୀର୍ଣ୍ଣ କରି ବାହାରି ଆସିଲେ । ରାକ୍ଷସୀ ମୃତ୍ୟୁଲାଭ କରି ସମୁଦ୍ରମଧ୍ୟରେ ଲୀନ ହୋଇଗଲା । ଶ୍ରୀରାମଚନ୍ଦ୍ରଙ୍କ ନିକଟରେ ସୀତାଙ୍କ ସମ୍ବାଦ ଆନୟନ ହନୁମାନ ସମୁଦ୍ର ପାର ହୋଇ ଲଙ୍କାଗଡରେ ପ୍ରବେଶ କଲେ । ଲଙ୍କାର ଅଶୋକ ବନରେ ହନୁମାନ ଦେବୀ ସୀତାଙ୍କୁ ଚିନ୍ତାଗ୍ରସ୍ତ ଦେଖି ନିଜର ପରିଚୟ ଦେଲେ ଏବଂ ମାତା ସୀତାଙ୍କୁ ସାନ୍ତ୍ୱନା ଦେଇ ଅଶୋକ ବାଟିକାକୁ ଭାଙ୍ଗିବାକୁ ଲାଗିଲେ । ପରିଶେଷରେ ସେ ଜାଣିଶୁଣି ରାବଣଙ୍କ ଅନୁଚରଙ୍କଦ୍ୱାରା ଧରାପଡ଼ିଲେ । ରାକ୍ଷସ ଅନୁଚରଙ୍କଦ୍ୱାରା ଦଣ୍ଡିତ ହୋଇ, ଅଶୋକବନ ବ୍ୟତୀତ, ସମସ୍ତ ଲଙ୍କା ଗଡରେ ନିଆଁ ଲଗାଇଦେଲେ ଏବଂ ସୀତାଙ୍କ ସନ୍ଧାନ ଦେବା ପାଇଁ ରାମଙ୍କ ନିକଟକୁ ଫେରି ଆସିଲେ । ରାମ ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ଓ ରାବଣ ବଧ ଜାମ୍ବବନ୍ତଙ୍କ ଆଦେଶ ପ୍ରକାରେ ନଳ ଓ ନୀଳ ଦୁଇ ଭାଇ ବାନର ସେନା ସହାୟତାରେ ମହୋଦଧିରେ ସେତୁବନ୍ଧ ବାନ୍ଧିଲେ । ଶ୍ରୀରାମ ସେଠାରେ ଶ୍ରୀ ରାମେଶ୍ୱରଙ୍କ ସ୍ଥାପନା କରି ଭଗବାନ ଶଙ୍କରଙ୍କ ପୂଜା କଲେ ଏବଂ ସେତୁ ବନ୍ଧରେ ବାନର ସେନା ସହ ସମୁଦ୍ର ପାରି ହୋଇ ଲଙ୍କା ଗଡରେ ପ୍ରବେଶ କଲେ । ସମୁଦ୍ର ପାରି ହୋଇ ଶ୍ରୀରାମ ସେଠାରେ ଡେରା ପକାଇଲେ । ଏ କଥା ଜାଣିପାରି ରାବଣ ଅତ୍ୟନ୍ତ ବ୍ୟାକୁଳ ହୋଇଉଠିଲେ । ରାଣୀ ମନ୍ଦୋଦରୀ ରାମଙ୍କ ସଙ୍ଗେ ଶତ୍ରୁତା ନ କରିବା ପାଇଁଁ ବୁଝାଇବା ପରେ ମଧ୍ୟ ରାବଣର ଅହଂକାର ଗଲା ନାହିଁଁ । ଏପଟେ ଶ୍ରୀରାମ ନିଜର ବାନର ସେନା ସହିତ ସୁବଳୟ ପର୍ବତ ଉପରେ ଅବସ୍ଥାନ କରିବାକୁ ଲାଗିଲେ । ଅଙ୍ଗଦ ରାମଙ୍କ ଦୂତ ହୋଇ ଲଙ୍କାରେ ରାବଣଙ୍କ ପାଖକୁ ଗଲେ ଏବଂ ତାଙ୍କୁ ଶ୍ରୀରାମଙ୍କ ଶରଣ ନେବାକୁ ପରାମର୍ଶ ଦେଲେ । କିନ୍ତୁ ରାବଣ ମାନିଲେ ନାହିଁଁ । ଶାନ୍ତିର ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଯିବା ପରେ ଯୁଦ୍ଧ ଆରମ୍ଭ ହୋଇଗଲା । ଲକ୍ଷ୍ମଣ ଏବଂ ମେଘନାଦଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା । ଶକ୍ତିବାଣର ପ୍ରହାରରେ ଲକ୍ଷ୍ମଣ ମୁର୍ଚ୍ଛା ହୋଇଗଲେ । ତାଙ୍କର ଚିକିତ୍ସା ପାଇଁଁ ହନୁମାନ ଶୁଶେଣ ବୈଦ୍ୟଙ୍କୁ ଆଣିଲେ ଏବଂ ସଂଜୀବନୀ ଆଣିବାକୁ ଗଲେ । ଗୁପ୍ତଚରଙ୍କଠାରୁ ସଂଦେଶ ପାଇ ରାବଣ ହନୁମାନଙ୍କ କାର୍ଯ୍ୟରେ ବାଧା ଦେବା ନିମିତ୍ତ କାଳନେମୀକୁ ପ୍ରେରଣ କଲେ । କିନ୍ତୁ ହନୁମାନ କାଳନେମୀକୁ ବଦ୍ଧ କରିଦେଲେ । ଔଷଧୀ ବୃକ୍ଷ ସଂଜୀବନୀ ଚିହ୍ନଟ କରି ନ ପାରି ହନୁମାନ ପୁରା ଗନ୍ଧମାର୍ଦନ ପର୍ବତକୁ ଉଠାଇ ଆଣିଲେ । ପଥରେ ରାଜା ଭରତ ହନୁମାନଙ୍କୁ କେହି ଜଣେ ରାକ୍ଷସ ମନେ କରି ବାଣ ପ୍ରୟୋଗ କରି ମୁର୍ଚ୍ଛିତ କରିଦେଲେ, ହେଲେ ସତ୍ୟ ଜାଣିବା ପରେ ଆଉ ଏକ ବାଣରେ ବସାଇ ତାଙ୍କୁ ଲଙ୍କା ପଠାଇ ଦେଲେ । ଏପଟେ ଔଷଧି ଆସିବାରେ ବିଳମ୍ବ ହେବାର ଦେଖି ରାମ ପ୍ରଳାପ କରିବାକୁ ଲାଗିଲେ । ତେବେ ଠିକ ସମୟରେ ହନୁମାନ ଔଷଧି ବୃକ୍ଷ ସହ ପହଞ୍ଚି ଯିବାରେ ସୁଷେଣ ଔଷଧି ପ୍ରୟୋଗ କରି ଲକ୍ଷ୍ମଣଙ୍କୁ ସୁସ୍ଥ କରିଦେଲେ । ଇତି ମଧ୍ୟରେ ରାବଣ ଯୁଦ୍ଧ ନିମିତ୍ତ କୁମ୍ଭକର୍ଣ୍ଣଙ୍କୁ ନିଦ୍ରାରୁ ଉଠାଇଲେ । କୁମ୍ଭକର୍ଣ୍ଣ ମଧ୍ୟ ପ୍ରଥମେ ରାବଣଙ୍କୁ ରାମଙ୍କ ସହ ଯୁଦ୍ଧ ନ କରିବାକୁ ବ୍ୟର୍ଥ ପରାମର୍ଶ ଦେଲେ । ଯୁଦ୍ଧରେ କୁମ୍ଭକର୍ଣ୍ଣ ରାମଙ୍କ ହାତରେ ପରମଗତି ପ୍ରାପ୍ତ ହେଲେ । ଯୁଦ୍ଧରେ ଲକ୍ଷ୍ମଣଙ୍କ ହାତରେ ମେଘନାଦଙ୍କର ବଦ୍ଧ ହେଲା । ରାମ ଓ ରାବଣ ମଧ୍ୟରେ ଘୋର ଯୁଦ୍ଧ ହେଲା ଏବଂ ପରିଶେଷରେ ରାମଙ୍କ ହାତରେ ରାବଣଙ୍କ ନିଧନ ହେଲା । ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାଗମନ ବିଭୀଷଣଙ୍କୁ ଲଙ୍କାର ରାଜପଦରେ ବିଭୂଷିତ କରି, ଲକ୍ଷ୍ମଣ ଓ ବାନର ସେନାଙ୍କ ସହିତ ରାମ ପୁଷ୍ପକ ବିମାନରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ । ଅଯୋଧ୍ୟାରେ ରାଜତ୍ୱ ଉତ୍ତରା କାଣ୍ଡ ହେଉଛି ରାମାୟଣର ଉପସଂହାର । ସୀତା, ଲକ୍ଷ୍ମଣ ଓ ସମସ୍ତ ବାନରସେନାଙ୍କ ସହ ରାମ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କଲେ । ରାମଙ୍କ ଭବ୍ୟ ସ୍ୱାଗତ କରାଗଲା । ଭରତ ଙ୍କ ସହିତ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଗଲା । ବେଦ ଓ ଶିବ ସ୍ତୁତି ଉଚ୍ଚାରଣ ସହିତ ରାମଙ୍କ ରାଜ୍ୟାଭିଷେକ ହେଲା । ରାମ ପ୍ରଜାମାନଙ୍କୁ ଉପଦେଶ ଦେଲେ ଏବଂ ପ୍ରଜାମାନେ କୃତଜ୍ଞତା ଜ୍ଞାପନ କଲେ । ଚାରି ଭାଇଙ୍କର ଦୁଇଟି ଲେଖାଏ ପୁତ୍ର ସନ୍ତାନ ହେଲା । ଆଦର୍ଶ ରାମରାଜ୍ୟ ପ୍ରତିଷ୍ଠା ହେଲା । ଉପୋରକ୍ତ କଥା ସହିତ ଗୋସ୍ୱାମୀ ତୁଳସୀଦାସ ତାଙ୍କ ଉତ୍ତରାକାଣ୍ଡରେ ଶ୍ରୀରାମ-ବଶିଷ୍ଠ ସମ୍ବାଦ, ନାରଦଙ୍କର ଅଯୋଧ୍ୟା ଆସି ରାମଚନ୍ଦ୍ରଙ୍କ ସ୍ତୁତି ଗାନ ଓ ଶିବ ପାର୍ବତୀ ସଂବାଦ, ଗରୁଡ ମୋହ, ଗରୁଡଙ୍କର କାକଭୁଷଣ୍ଡିଙ୍କଠାରୁ ରାମକଥା ଏବଂ ରାମ ମହିମା ଶ୍ରବଣ ଇତ୍ୟାଦି ବର୍ଣ୍ଣନା କରିଅଛନ୍ତି । ସୀତା ବନବାସ ରାମଚନ୍ଦ୍ରଙ୍କ ଅଶ୍ୱମେଧ ଯଞ୍ଜ ଲବକୁଶଙ୍କ ରାମାୟଣ ଗାନ ସୀତା ଓ ରାମଙ୍କ ଦେହତ୍ୟାଗ ବିଚିତ୍ର ରାମାୟଣ ବା ବିଶି ରାମାୟଣ: ବିଶ୍ୱନାଥ ଖୁଣ୍ଟିଆ ସୁଚିତ୍ର ରାମାୟଣ: ହରିହର ସୁଚିତ୍ର ରାମାୟଣ : ବନମାଳୀ ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣ ବା ଓଡ଼ିଆ ରାମାୟଣ: ବଳରାମ ଦାସ କୃଷ୍ଣ ରାମାୟଣ: କୃଷ୍ଣ ଚରଣ ପଟ୍ଟନାୟକ କେଶବ ରାମାୟଣ: କେଶବ ପଟ୍ଟନାୟକ ରାମଚନ୍ଦ୍ର ବିହାର: ଚିନ୍ତାମଣୀ ରଘୁନାଥ ବିଳାସ: ଧନଞ୍ଜୟ ଭଞ୍ଜ ବୈଦେହୀଶ ବିଳାସ: ଉପେନ୍ଦ୍ର ଭଞ୍ଜ ରାମରସାମୃତ ସିନ୍ଧୁ: କାହ୍ନୁ ଦାଶ ରାମରସାମୃତ: ରାମ ଦାସ ରାମଲୀଳା: ପୀତାମ୍ବର ରାଜେନ୍ଦ୍ର ବାଳ ରାମାୟଣ: ବଳରାମ ଦାସ ରାମଲୀଳା : ବୈଶ୍ୟ ସଦାଶିବ ରାମଲୀଳା : ରଘୁନାଥ ଦାସ ରାମଲୀଳା : ବିକ୍ରମ ନରେନ୍ଦ୍ର ରାମଲୀଳା : ପଦ୍ମନାଭ Illustrated manuscript by Maharana Jagat Singh at British Library Archived 2012-01-01 at the Wayback Machine. An excellent verse translation by Ralph T. H. Griffith at the Project Gutenberg (ଇଂରାଜୀ) A very good condensed verse translation Archived 2021-03-05 at the Wayback Machine. by Romesh Chunder Dutt sponsored by the Liberty Fund (ଇଂରାଜୀ) Word to Word Translation of Valmiki Ramayanam with Sanskrit Text and Audio Online book: Rāmāyaṇa - Retold by Kṛṣṇa Dharma Site with Valmiki Ramayana Text with Meaning Archived 2007-01-13 at the Wayback Machine.
ହେପାଟାଇଟିସ (ଇଂରାଜୀରେ Hepatitis) ଏକ ରୋଗ ଗୋଷ୍ଠୀ ଯେଉଁଥିରେ ଯକୃତର ପ୍ରଦାହ (inflammation) ହୁଏ । କେତେକ ଲୋକଙ୍କର କୌଣସି ଲକ୍ଷଣ ନ ଥାଏ ଓ ଅନ୍ୟ ପକ୍ଷରେ ଅନ୍ୟମାନଙ୍କର କାମଳ, ଆନୋରେକ୍ସିଆ ବା ଅରୁଚି (poor appetite), ବାନ୍ତି, ଥକ୍କା ଲାଗିବା (feel tired), ପେଟ ଯନ୍ତ୍ରଣା (abdominal pain) ବା ତରଳ ଝାଡ଼ା ହୁଏ । ହେପାଟାଇଟିସ ଏକ ସାମୟିକ ରୋଗ ବା ଦୀର୍ଘକାଳୀନ କ୍ରନିକ ରୋଗ (long term) ହୋଇପାରେ । ଆକ୍ୟୁଟ ହେପାଟାଇଟିସ ସ୍ୱତଃ ଉପଶମ ହୋଇପାରେ, ଏହା ପ୍ରଗତିଶୀଳ ହୋଇ କ୍ରନିକ ହେପାଟାଇଟିସ ହୋଇପାରେ ବା କ୍ୱଚିତ ଆକ୍ୟୁଟ ଯକୃତ ଫେଲ (acute liver failure) ହୋଇପାରେ । କ୍ରନିକ ହେପାଟାଇଟିସ ସମୟକ୍ରମେ ପ୍ରଗତି କରି ସିରୋସିସ୍, ଯକୃତ ଫେଲ (liver failure) ବା ଯକୃତ କର୍କଟ ରୋଗରେ ପରିବର୍ତ୍ତିତ ହୋଇପାରେ ।
ତପସ୍ୱିନୀ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କଦ୍ୱାରା ରଚିତ ଏକ କାବ୍ୟ ସଙ୍କଳନ । ଏହାର ରଚନା ୧୯୧୩ ମସିହାରେ ସମାପ୍ତ ହୋଇଥିଲା ଏବଂ ୧୯୧୪ ମସିହାରେ ପ୍ରକାଶିତ ହୋଇଥିଲା । ଏଗାରଟି ସର୍ଗରେ ସମୃଦ୍ଧ ଏହି କାବ୍ୟଗ୍ରନ୍ଥଟିରେ ରାମ ଓ ସୀତାଙ୍କର ଜୀବନ ଓ ଆଦର୍ଶ ବର୍ଣ୍ଣନା କରାଯାଇଛି । 'କରୁଣ ରସ'ରେ ଏହି କାବ୍ୟଟି ରଚିତ । ପ୍ରଣବ ରଞ୍ଜନ ଭୂୟାଁ, ପୁସ୍ତକଟିକୁ ଇଂରାଜୀରେ ଅନୁବାଦ କରିଛନ୍ତି ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ଶିବ ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
କ୍ରିଏଟିଭ କମନ୍ସ(ସିସି) ଏକ ଆମେରିକୀୟ ଅଣଲାଭକାରୀ ସଂସ୍ଥା ଯାହା ରଚନାତ୍ମକ କାମକୁ ଆଇନଗତ ଭାବେ ବାଣ୍ଟିବା ଓ ବ୍ୟବହାର କରିବାରେ ସାହାୟତା କରେ । ଏହି ସଂସ୍ଥା କପିରାଇଟ ଲାଇସେନ୍ସ ରୂପରେ କ୍ରିଏଟିଭ କମନ୍ସ ଲାଇସେନ୍ସ ବା ସିସି ଲାଇସେନ୍ସ ପ୍ରକାଶିତ କରିଛି ଯାହା ନିଶୁଳ୍କ ଭାବେ ବ୍ୟବହାର କରିହେବ। ଏହି ଲାଇସେନ୍ସ ସ୍ରଷ୍ଠାକୁ କିଛି ଅଧିକାର ରଖିବାରେ ସାହାୟତା କରେ । ସହଜରେ ବ୍ୟବହାରକାରୀକୁ ଲାଇସେନ୍ସ ବିଷୟରେ ବୁଝେଇବା ପାଇଁ କିଛି ପ୍ରତୀକ ମଧ୍ୟ ବ୍ୟବହାର କରାଯାଏ । କ୍ରିଏଟିଭ କମନ୍ସ କପିରାଇଟର ଅନ୍ୟ ରୁପ ନୁହଁ କିନ୍ତୁ ତା ଉପରେ ଆଧାରିତ ଅଟେ ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ଅଭିମନ୍ୟୁ ସାମନ୍ତସିଂହାର (୨୩ ଫେବୃଆରୀ ୧୭୬୦, ଅନ୍ୟମତ ୧୭୫୭ - ୧୫ ଜୁନ ୧୮୦୬) ଯାଜପୁର ଜିଲ୍ଲାର ବାଲିଆଠାରେ ଜନ୍ମିତ ଜଣେ ରୀତିଯୁଗୀୟ ଓଡ଼ିଆ କବି ଓ ଓଡ଼ିଶୀ ସଙ୍ଗୀତକାର ଅଟନ୍ତି। ତରୁଣ ବୟସରେ ସେ ବାଘ ଗୀତ, ଚଢ଼ାଇ ଗୀତ ଆଦି ରଚନା କରି ଓଡ଼ିଆ ଲୋକ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି। ବିଦଗ୍ଧ ଚିନ୍ତାମଣି ତାଙ୍କ ଶ୍ରେଷ୍ଠ କୃତି।
ବିଜୟ ମିଶ୍ର (୧୬ଜୁଲାଇ ୧୯୩୬ - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ । ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ବିଶ୍ୱନାଥ କର, ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା, (୨୪ ଡିସେମ୍ବର ୧୮୬୪–୧୯ ଅକ୍ଟୋବର ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ, ବାଗ୍ମୀ ଥିଲେ । ସେ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ଥିଲେ ଓ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ତଥା ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ "ରାୟ ବାହାଦୁର" ଉପାଧୀ ପାଇ ତାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ ବିବିଧା ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ । ପୁସ୍ତକଟି ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ ଉତ୍କଳ ସାହିତ୍ୟରେ ପୂର୍ବରୁ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
ଇରା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମିତ ଜଣେ ଓଡ଼ିଆ ପ୍ରଚ୍ଛଦପଟ ଗାୟିକା । ଇରା ମହାନ୍ତିଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି । ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତି । ବେଶ୍ ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ମେଲୋଡି ମଞ୍ଚରୁ ଆରମ୍ଭ କରିଥିଲେ ଗୀତ ଗାଇବା । ପରେ ସେ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ । ସମସ୍ତଙ୍କ ପାଖରେ ସେ ମେଲୋଡ଼ି କୁଇନ୍ ଭାବେର ବେଶ୍ ଜଣାଶୁଣା । ଏହା ଛଡ଼ା ସେ ଓଡ଼ିଶାର ବୁଲ୍ବୁଲ୍ ବୋଲି ମଧ୍ୟ ପ୍ରସିଦ୍ଧ । ଏବେ ସଂଗୀତ ସହ ସକ୍ରିୟ ରହିବା ସହ ସଂଗୀତ ସାଧନା ଜାରି ରଖିଛନ୍ତି ।
ପଣ୍ଡିତ ସଦାଶିବ ରଥଶର୍ମା (୧୯୧୭-୨ ଅପ୍ରେଲ ୧୯୮୯) ପୁରୀରେ ଜନ୍ମିତ ଜଣେ ପାରମ୍ପରିକ ପଣ୍ଡିତ ଓ ବିଦ୍ୱାନ୍ ଅଟନ୍ତି । ସେ ପୁରୀ ସହରରେ ୧୯୧୭ ମସିହା ମହାଶିବରାତ୍ରି ତିଥିରେ ଜନ୍ମଲାଭ କରିଥିଲେ । ପିତା ରାମଚନ୍ଦ୍ର ରଥଶର୍ମା ଓଡ଼ିଶାର ପ୍ରଖ୍ୟାତ ବିଦ୍ୱାନ୍ ଓ ତନ୍ତ୍ର ସାଧକ ଭାବେ ପରିଚିତ ଥିଲେ । ନିଜ ବିଦ୍ୱତ୍ତା ଓ ପାଣ୍ଡିତ୍ୟ ଯୋଗୁଁ ଏବଂ ଜଗନ୍ନାଥ ପରମ୍ପରାର ପ୍ରଚାର ପ୍ରସାରରେ ଉଲେଖନୀୟ ଅବଦାନ ଯୋଗୁଁ ରଥଶର୍ମା ପଦ୍ମଶ୍ରୀ ପୁରସ୍କାର ମଣ୍ଡିତ ହୋଇଥିଲେ । ୧୯୮୯ ମସିହା ୨ ଅପ୍ରେଲ ପାପନାଶିନୀ ଏକାଦଶୀ ତିଥିରେ ୭୧ ବର୍ଷ ବୟସରେ ପଣ୍ଡିତ ରଥଶର୍ମାଙ୍କ ଦେହାନ୍ତ ହୋଇଥିଲା ।
ଭାରତର ସ୍ୱାଧୀନତା ଦିବସ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । ରାଜଧାନୀ ଦିଲ୍ଲୀରେ ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିମନ୍ତେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି ଯାହା ଦେଶସାରା ଟି.ଭି.ରେ ଦେଖାଯାଇଥାଏ । ଏହି ଅଭିଭାଷଣରେ ସେ ଦେଶର ପ୍ରଗତି, ଅସୁବିଧା ଓ ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥାନ୍ତି ।
ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କୁ ହିନ୍ଦୁଧର୍ମ ବିଶ୍ୱାସରେ ସୃଷ୍ଟି,ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ ।ମହେଶ୍ୱର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ଦେବଦେବ ମହାଦେବ-ସତ୍ୟ, ଶିବ, ସୁନ୍ଦର ଆଶୁବର ପ୍ରଦାନକାରୀ ଆଶୁତୋଷ । ସେ ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ । ସାଗର ମନ୍ଥନରୁ ଜାତ ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ସେହି ବିଷ ନିଜେ ପାନ କରିଦେବାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ । ତେଣୁ ତାଙ୍କର ନାମ ନୀଳକଣ୍ଠ ମୃତ୍ୟୁଞ୍ଜୟ ।
ଭାରତ , ସରକାରୀ ଭାବରେ ଭାରତୀୟ ସାଧାରଣ ତନ୍ତ୍ର ଭାବରେ ପରିଚିତ , ଏକ ଦକ୍ଷିଣ ଏସିୟ ଦେଶ । ଏଥିରେ 29ଟି ରାଜ୍ୟ ସହ 7ଟି ଯୁନିଅନ ଟେରିଟରୀ ରହିଛି ।[୧] ଭାରତର ଜାତୀୟ ଜନ୍ତୁ , ଜାତୀୟ ପକ୍ଷୀ ଇତ୍ୟାଦି ରହିଛି । ଭାରତରେ ବହୁତ ପ୍ରକାର ବିରଳ ପ୍ରଜାତି ସହ ସାଧାରଣ ପକ୍ଷୀ ରହିଥାନ୍ତି । ଦେଶର ବିଭିନ୍ନ ଅଞ୍ଚଳରେ ଭିନ୍ନ ପ୍ରକାର ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାଏ । ନିମ୍ମରେ ଏକ ତାଲିକାକୁ ଅନୁଧ୍ୟାନ କଲେ ଭିନ୍ନ ଅଞ୍ଚଳରେ ରହୁଥିବା ପକ୍ଷୀ ମାନଙ୍କ ବିଷୟରେ ବିଷଦ ଭାବରେ ଜାଣି ହୁଏ ।
କହ୍ନେଇଲାଲ ଦାସ, ଲେଖନୀନାମ କନ୍ହେଇଲାଲ ଦାସ ନାମରେ ଜଣା, (୨୭ ଜୁନ ୧୯୪୭ - ୨୭ ଜୁଲାଇ ୧୯୭୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗାଳ୍ପିକ ଥିଲେ । ତାଙ୍କର ପ୍ରଥମ ଗପ ବିବର୍ତ୍ତନବାଦ ୧୯୬୮ରେ ଓ ଶେଷ ଗପ ଧୃତରାଷ୍ଟ୍ରର ଆଖି ୧୯୭୫ରେ ପ୍ରକାଶ ପାଇଥିଲା । ଜୀବନକାଳ ମଧ୍ୟରେ ତାଙ୍କର କୌଣସି ପୁସ୍ତକ ଛପାଯାଇ ପାରିନଥିଲା ଓ ମୃତ୍ୟୁ ପରେ ଜୀବନ ଯନ୍ତ୍ରଣା ଓ ଯାହା ଯେମିତି ହୁଏ ଏବଂ କନ୍ହେଇ କଥାଘର ନାମକ ଦୁଇଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଥିଲା ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ନୂଆଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହି ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପାଳନ ପରଦିନ "ନୂଆଖାଇ ବାସି" ପାଳନ ହୁଏ ଓ ଏହିଦିନ ବଳକା ନୂଆନ୍ନ, କ୍ଷୀରି-ପିଠା ଖିଆହେବା ସହ ମାଂସ ରନ୍ଧାଯାଇଥାଏ । ବାସି ପରଦିନ "ତିଆସି" ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ମାଂସ ସମେତ ବିଭିନ୍ନ ଖାଦ୍ୟ ଓ ମଦ ଖିଆପିଆ ଓ ପାରମ୍ପାରିକ ଖେଳ (ଯଥା ଡୁଡୁ, ଖୋଖୋ, ବାଡ଼ି-ଖିଚା, କୁସ୍ତି) ଖେଳି ସମୟ ଅତିବାହିତ କରିଥାନ୍ତି ।
ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି । ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା । ଏପ୍ରିଲ ୧ ତାରିଖକୁ ଓଡ଼ିଶା ଦିବସ ଭାବେ ପାଳନ କରାଯାଏ । ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ.
ଉଇକିଖବର ଉଇକିପିଡ଼ିଆ ଫାଉଣ୍ଡେସନର ମୁକ୍ତ ସାମଗ୍ରୀ ସମାଚାର ସ୍ତ୍ରୋତ ଉଇକି ଏବଂ ଏକ ଉଇକିମିଡ଼ିଆ ପ୍ରଯୋଜନାର ସହଯୋଗୀ ପତ୍ରକାରିତା ମାଧ୍ୟମରେ କମକରିଥାଏ । ଉଇକିପିଡ଼ିଆର ସହ-ସଂସ୍ଥାପକ "ଜିମି ୱେଲ୍ସ" ଉଇକିଖବରକୁ ଉଇକିପିଡ଼ିଆରୁ ଅଲଗା କରିଥିଲେ, ଉଇକିଖବରରେ ପ୍ରତ୍ୟେକକାହାଣୀକୁ ଏକ ବିଶ୍ୱକୋଷ ଲେଖାର ଏକ ସମାଚାର କାହାଣୀ ରୂପେ ଲେଖାଯାଇଥାଏ । ଉଇକିଖବରରେ ନାଗରିକ ପତ୍ରକାରିତା, ମିଡ଼ିଆ ଏବଂ ଓମି ନ୍ୟୁଜ ପରି ଅନ୍ୟ ପ୍ରୟାସରେ ପତ୍ରକାରିତାକୁ ସ୍ୱୀକାର କରାଯାଏ । ଉଇକିମିଡ଼ିଆ ଫାଉଣ୍ଡେସନର ଅଧିକାଂଶ ପରିଯୋଜନାର ବିପରୀତ, ଉଇକିଖବରର ମୂଳ ରିପୋର୍ଟ ଏବଂ ସାକ୍ଷାତକାର ରୂପେ ଅନୁମତି ଦେଇଥାଏ ।