ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ବୀରେନ ମିତ୍ର (୨୬ ନଭେମ୍ବର ୧୯୧୭–୨୫ ମଇ ୧୯୭୮), ଜଣେ ଓଡ଼ିଆ ରାଜନୈତିକ ନେତା ଓ ସମାଜ ସଂସ୍କାରକ ଥିଲେ । ସେ ୨ ଅକ୍ଟୋବର୧୯୬୩ଠାରୁ ୨୧ ଫେବୃଆରୀ୧୯୬୫ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ସେ ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶା ବିଧାନ ସଭାକୁ କଟକ ସଦରରୁ କଂଗ୍ରେସ ପ୍ରାଥୀ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୩ ମସିହାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ୧୯୬୫ ମସିହାରେ ଇସ୍ତଫା ଦେଇଥିଲେ ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତିମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲୋକାଉଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ବିଟ କଏନ ଏକ ଗୁପ୍ତ ମୁଦ୍ରା ବା ଅଦୃଶ୍ୟ କ୍ୟାଶ ଅଟେ । ଏହାକୁ ଅନଲାଇନ ୱାଲେଟ ମଧ୍ୟ କୁହାଯାଏ । ଅନଲାଇନରେ ଦ୍ରବ୍ୟ କ୍ରୟ ପାଇଁ ଏହାକୁ ବ୍ୟବହାର କରାଯାଏ । ସାଂଖିକ ଦେଣନେଣ ( ଡିଜିଟାଲ ପେମେଣ୍ଟ )ର ଏହା ଏକ ମାଧ୍ୟମ ଅଟେ । ବିଟ କଏନଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରୁ ସିଧାସଳଖ କିଣାବିକା କରାଯାଇ ପାରେ । ଏକ ଅଜ୍ଞାତ ପ୍ରୋଗ୍ରାମର କିମ୍ବା ସତୋଶୀ ନାକାମୋତୋ ନାମକ ଏକ ପ୍ରୋଗ୍ରାମର ଗୋଷ୍ଠୀଦ୍ୱାରା ଉଦ୍ଭାବିତ ହୋଇଥିଲା । ଏହାକୁ ଓପନ ସୋର୍ସରେ ୨୦୦୯ ମସିହାରେ ଛଡ଼ାଯାଇଥିଲା ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳ ର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
ବ୍ୟାଡ଼ମିଣ୍ଟନ ଏକ ରେକେଟ ଖେଳ । ଏହି ଖେଳକୁ ଏକ ଜାଲି ଉପରେ ରେକେଟଦ୍ୱାରା ପରଯୁକ୍ତ କକ୍କୁ ମାରି ଖେଳାଯାଏ । ଏହି ଖେଳର ନିୟମ ହେଉଛି ସିଙ୍ଗଲସ୍ (ଗୋଟିଏ ଦଳ ପ୍ରତି ଗୋଟିଏ ଖେଳାଳୀ) ଓ ଡବଲସ୍ (ଗୋଟିଏ ଦଳ ପ୍ରତି ଦୁଇଟି ଖେଳାଳୀ) । ଏହି ଖେଳ ସାଧାରଣତଃ ଘର ବାହାରେ ଖେଳାଯାଏ । ନିୟମ ଅନୁଯାୟୀ ଏହି ଖେଳ ଏକ ୟାର୍ଡ଼ ଆୟତାକର କ୍ଷେତ୍ରରେ ଖେଳାଯାଏ । ପରଯୁକ୍ତ କକ୍କୁ ରେକେଟରେ ମାରି ବିପରୀତ ଦଳ ପଟେ ଜମିରେ ଏବଂ ନିର୍ଦ୍ଧାରିତ ସୀମା ରେଖା ମଧ୍ୟରେ ପକାଇ ପାରିଲେ ଏକ ପଏଣ୍ଟ ହିସାବ କରାଯାଏ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଏକ ଇଣ୍ଡୋ-ଆର୍ଯ୍ୟ ଭାରତୀୟ ଭାଷା । ଏହା ଭାରତର ଓଡ଼ିଶାରେ ସର୍ବାଧିକ ବ୍ୟବହୃତ ଓ ମୁଖ୍ୟ ସ୍ଥାନୀୟ ଭାଷା ଏବଂ ୯୧.୮୫% ଲୋକଙ୍କ ଦ୍ୱାରା କଥିତ । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ (ଇଂରାଜୀରେ Malignant tumour) ରୋଗ ଯେଉଁଥିରେ ଜୀବକୋଷମାନଙ୍କର ଅସ୍ୱଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ୱବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ । ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ (Benign tumour) ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ । ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ । କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ (Tumor) ସୃଷ୍ଟି କରିଥାଏ ।
ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ( ଏସବିଆଇ ) ହେଉଛି ଏକ ଭାରତୀୟ ବହୁରାଷ୍ଟ୍ରୀୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଆର୍ଥିକ ସେବା ବୈଧାନିକ ସଂସ୍ଥା ଯାହାର ମୁଖ୍ୟାଳୟ ମହାରାଷ୍ଟ୍ରର ମୁମ୍ବାଇରେ ରହିଛି । ଏସବିଆଇ ହେଉଛି ବିଶ୍ୱର ୪୩ ତମ ବୃହତ୍ତମ ବ୍ୟାଙ୍କ ଏବଂ ୨୦୨୦ରେ ବିଶ୍ୱର ସବୁଠାରୁ ବଡ ନିଗମଗୁଡ଼ିକ ମଧ୍ୟରେ ଫର୍ଚୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ୨୨୧ ତମ ସ୍ଥାନରେ ଅଛି, ଯାହା ତାଲିକାରେ ଏକମାତ୍ର ଭାରତୀୟ ବ୍ୟାଙ୍କ | ଏହା ଏକ ସାର୍ବଜନୀନ ରାଷ୍ଟ୍ରାୟତ୍ତ କ୍ଷେତ୍ରବ୍ୟାଙ୍କ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ସଂସାରରେ ଅନେକ ପ୍ରକାରର ବନସ୍ପତି ରହିଛି । ସେ ସବୁକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ପ୍ରକାର ବନସ୍ପତି ଜାଳେଣି, ସାର ବା କେତେକ ଉପକରଣ ତିଆରି କାମରେ ଲାଗେ, ଦ୍ୱିତୀୟ ପ୍ରକାର ବନସ୍ପତି ମଣିଷ ଓ ଇତର ପ୍ରାଣୀମାନଙ୍କର ଖାଦ୍ୟ ହୋଇଥାଏ ଓ ଆଉ କିଛି ଗଛଲତା ବିଭିନ୍ନ ପ୍ରକାର ରୋଗର ନିରାମୟ ଓ ନିରାକରଣରେ ବ୍ୟବହୃତ ହୋଇଥାଏ । ତେବେ ଏମିତି ଅନେକ ବନସ୍ପତି ରହିଛି ଯାହାର ଏକାଧିକ ଉପଯୋଗ ରହିଥାଏ । ନିମ୍ନସ୍ଥ ତାଲିକାରେ ଥିବା ଗଛଲତା ଗୁଡିକର ଅଂଶବିଶେଷକୁ ଔଷଧ ଭାବେ ଉପଯୋଗ କରାଯାଇଥାଏ ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
କଟକ, କଟକ ଜିଲ୍ଲାର ମୁଖ୍ୟାଳୟ ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ତଥା ରାଜଧାନୀ ଭାବେ ପ୍ରତିଷ୍ଠିତ । ଏହି ସହର ପାଖରେ ଭୁବନେଶ୍ୱର, ପୁରୀ ଓ କୋଣାର୍କର ଅଛି । ୧୯୬୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷଠାରୁ ତଥ୍ୟ (Data) ନିଏ, ସେସବୁକୁ ସାଇତି ରଖେ ଏବଂ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟକୁ ପ୍ରକ୍ରିୟାକରଣ କରି ଉତ୍ତର ଦିଏ ।ସଂରକ୍ଷିତ ଉତ୍ତର କମ୍ପ୍ୟୁଟର ( RAM memory)ରେ ରହିଥାଏ। ଏକ ସମୟରେ ଗାଣିତିକ ଏବଂ ତର୍କ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ଭାରତୀୟ ସଂସ୍କୃତି ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।
ଜ୍ୱର, (ଇଂରାଜୀ ଭାଷାରେ ଫିଭର ବା ପାଇରେକଶିଆ ଯଥାକ୍ରମେ Fever ବା pyrexia), ରୋଗର ସଂଜ୍ଞା: ଦେହର ଉତ୍ତାପ ସାଧାରଣ ତାପମାନରୁ ବୃଦ୍ଧି ପାଇଲେ ଜ୍ୱର ନାମ ଦିଆଯାଏ । ଶରୀରର ସାଧାରଣ ତାପମାନର ସର୍ବାଧିକ ମାନ ଉପରେ ମତୈକ୍ୟ ନାହିଁ ଓ ଏହାକୁ ୩୭.୫ରୁ ୩୮.୩ ସେ (୯୯.୫ରୁ ୧୦୦.୯) ମଧ୍ୟରେ ଧରାଯାଏ । ନିର୍ଦ୍ଧାରିତ ତାପମାତ୍ରାରୁ ଉତ୍ତାପ ଅଧିକ ହେଲେ ମାଂସପେଶୀ ସଂକୋଚନ ଅଧିକ ହୋଇ ଶୀତ ଅନୁଭବ ହୁଏ । ଏହାଦ୍ୱାରା ଅଧିକ ଉତ୍ତାପ ସୃଷ୍ଟି ହୁଏ ଓ ଉତ୍ତାପ ସଂରକ୍ଷଣ ଚେଷ୍ଟା ହୁଏ । ବର୍ଦ୍ଧିତ ଉତ୍ତାପ କମିବାକୁ ଆରମ୍ଭ ହେଲେ ଦେହକୁ ଉଷୁମ ଲାଗେ, ଲାଲ ଦେଖାଯାଏ ଝାଳ ବାହାରେ । କ୍ୱଚିତ ଜ୍ୱରଦ୍ୱାରା ଜ୍ୱରବାତ ସୃଷ୍ଟି ହୁଏ । ଏହା ଯୁବପିଲାଙ୍କର ଅଧିକ ହୁଏ । ସ୍ୱାଭାବିକ ଭାବେ ଜ୍ୱର ୪୧ରୁ ୪୨ °ସେ (୧୦୫.୮ରୁ ୧୦୭.୬ ଫା)ରୁ ଅଧିକ ହୁଏ ନାହିଁ ।
ମୋହନ ଚରଣ ମାଝୀ ([mohɔnɔ t͡ʃɔɾɔɳɔ mad͡ʒʱi] (listen)) (ଜନ୍ମ: ୬ ଜାନୁଆରୀ ୧୯୭୨) ଜଣେ ଭାରତୀୟ ରାଜନେତା ଏବଂ ଓଡ଼ିଶାର ୧୫ଶ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଟନ୍ତି । ସେ ଭାରତୀୟ ଜନତା ପାର୍ଟିରୁ ଜଣେ ବିଧାୟକ ଭାବରେ ୨୦୦୦, ୨୦୦୯ ଓ ୨୦୧୯ ଓ ୨୦୨୪ ମସିହାରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ ଓ ୧୬ଶ ଓ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
କମ୍ପ୍ୟୁଟର ବିଜ୍ଞାନ କହିଲେ କମ୍ପ୍ୟୁଟର ସମ୍ପର୍କିତ ବିଭିନ୍ନ ତଥା ସ୍ୱତନ୍ତ୍ର ଗଣନା ଗୁଡିକର ସଠିକ ମୂଲ୍ୟାୟନ ଓ ଏହାର ବାସ୍ତବିକ ବ୍ୟବହାରର ଅଧ୍ୟୟନକୁ ବୁଝାଏ । ଏହା ଆମକୁ କମ୍ପ୍ୟୁଟରର ଗଠନ , କାର୍ଯ୍ୟ ଦକ୍ଷତା , ସାମର୍ଥ୍ୟ , ବାହ୍ୟ ଯନ୍ତ୍ରପାତି ଓ ଏହାର ବ୍ୟବହାରକାରୀଙ୍କ ସହ ଯୋଗାଯୋଗ ପଦ୍ଧତି ଗୁଡିକର ସହଜ ପ୍ରଣାଳୀ ଓ ଉପଯୋଗିତା ବିଷୟରେ ଅବଗତ କରାଇଥାଏ ।ଏହାଦ୍ୱାରା କମ୍ପ୍ୟୁଟର ସହ ଜଡ଼ିତ ହାର୍ଡୱେର ଯନ୍ତ୍ରାଂଶ ଓ ସେଥିରେ ଚାଲୁଥିବା ସଫ୍ଟୱେର ପ୍ରୋଗ୍ରାମଗୁଡିକର ଉଦ୍ଦେଶ୍ୟ ଓ ସଠିକ ଭାବେ ବ୍ୟବହାର କରିବାର ପ୍ରଣାଳୀ ବିଷୟରେ ଧାରଣାହୋଇଥାଏ । ଏହାର ଅନେକ ଉପ-ବିଭାଗ ମଧ୍ୟ ରହିଛି, ଯେପରିକି ପ୍ରୋଗ୍ରାମିଂ , ମନୁଷ୍ୟ ଓ କମ୍ପ୍ୟୁଟର ଆଦାନ ପ୍ରଦାନ, ନେଟୱର୍କିଂ, କୂତ୍ରିମ ବୁଦ୍ଧିମତ୍ତା, ସଫ୍ଟୱେର ଇଞ୍ଜିନିୟରିଂ, ସୁରକ୍ଷା ଇତ୍ୟାଦି ଇତ୍ୟାଦି । କମ୍ପ୍ୟୁଟର ବିଜ୍ଞାନୀ ଓ କମ୍ପ୍ୟୁଟର ବିଜ୍ଞାନର ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ସହିତ ଜଡ଼ିତ ଥିବା ତତ୍ତ୍ୱ ପରିସଙ୍ଖ୍ୟାନ ଓ ନୂତନ ଉପକରଣ ଅଥବା ଉପାୟର ରୂପାନ୍ତରଣ ଉପରେ ଗବେଷଣା କରିଥାନ୍ତି ।
ସନ୍ଥକବି ଭୀମ ଭୋଇ (୧୮୫୦-୧୮୯୫ ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଓଡ଼ିଆ କବି ତଥା ଡାକ୍ତର, ଲେଖିକା, ଓ ଭାରତୀୟ ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଉଇଲିୟମ୍ ହେନେରୀ ବିଲ୍ ଗେଟ୍ସ୍ ୩ (ଜନ୍ମ ଅକ୍ଟୋବର୍ ୨୮, ୧୯୫୫) ଜଣେ ଆମେରିକୀୟ ବ୍ୟବସାୟୀ,ନିବେଶକ ଏବଂ ପ୍ରୋଗ୍ରାମର୍ । ୧୯୭୫ ମସିହାରେ ଗେଟ୍ସ୍ ଏବଂ ପଉଲ୍ ଆଲେନ୍ ମାଇକ୍ରୋସଫ୍ଟର ଆବିଷ୍କାର କରିଥିଲେ ଯାହାକି ବିଶ୍ୱର ସର୍ବବୃହତ୍ ପିସି ସଫ୍ଟୱେୟର୍ କମ୍ପାନୀ ଅଟେ । ମାଇକ୍ରୋସଫ୍ଟରେ କାମ କରୁଥିବା ସମୟରେ ସେ ଚେୟାରମ୍ୟାନ୍, ସିଇଓ ଏବଂ ମୁଖ୍ୟ ସଫ୍ଟୱେୟର୍ ଆର୍କିଟେକ୍ଟ୍ ଏବଂ ୨୦୧୪ ମେ ମାସ ପର୍ଯ୍ୟନ୍ତ ସର୍ବବୃହତ୍ ଅଂଶର ଅଧିକାରୀ ଥିଲେ । ଗେଟସ୍ ବିଭିନ୍ନ ପୁସ୍ତକର ଲେଖକ ଏବଂ ଉପଲେଖକ ଅଟନ୍ତି ।
ଜିଭ ପାଟି ତଳେ ଏକ ମାଂସପେସୀ ଯାହା ଖାଦ୍ୟ ଚୋବାଇବା ଏବଂ ଖାଇବାରେ ସାହାଯ୍ୟ କରେ , ଏହା ଆମର ସ୍ୱାଦ ଅନୁଭବ କରିବାର ପ୍ରଧାନ ଅଙ୍ଗ ଅଟେ , କାରଣ ଜିଭ ସ୍ୱାଦ ଅନୁଭବ କରିବାର ପ୍ରାଥମିକ ଅଙ୍ଗ, ଜିଭର ଉପର ସ୍ତର ପେପିଲା (papillae-ଶରୀର ଉପରେ ବା ଭିତରେ ବାହାରିଥିବା ଚୁଚକ ଭଳି ଏକ କ୍ଷଦ୍ର ଉଦଗତ ଅଶଂ ) ଏବଂ ସ୍ୱାଦ କଢ଼ି (taste buds)ମାନଙ୍କଦ୍ୱାରା ଆଚ୍ଛାଦିତ । ଜିଭର ଦ୍ୱିତୀୟ କାର୍ଯ୍ୟ ହେଲା ସ୍ୱର ନିୟନ୍ତ୍ରଣ କରିବା ,ଏହା ବହୁତ sensitive(ସୂଖ୍ମ ପାର୍ଥକ୍ଯ ସଙ୍ଗେସଙ୍ଗେ ପହଂଚାଏ) ଏବଂ ଲାଳଦ୍ୱାରା ସାମାନ୍ୟ ଆର୍ଦ୍ର ରହିଥାଏ । ଏଥି ସହିତ ଏହାକୁ ଏପଟେ -ସେପଟେ ବୁଲେଇବା ପାଇଂ ଏଥିରେ ବହୁତ ଗୁଡିଏ ସ୍ନାୟୁ (ସୂଖ୍ମ ଶିରା ବା ସୂଖ୍ମ ତନ୍ତୁ) ଓ ରକ୍ତ ବାହୀକା ଅବସ୍ଥିତ । ଏତତ୍ ବ୍ୟତିତ ଜିଭ ଦାନ୍ତ ସଫା କରିବାର ପ୍ରାଥମିକ ମାଧ୍ୟମ ଅଟେ ।
ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (Direct Benefit Transfer) ସଂକ୍ଷେପରେ DBT ଭାରତ ସରକାରଙ୍କଦ୍ୱାରା ୧ ଜାନୁଆରୀ ୨୦୧୩ ମସିହାରେ ଉଦ୍ଘାଟିତ ହୋଇଥିଲା । ଏହା ସବସିଡ଼ ସ୍ଥାନାନ୍ତରଣ ବ୍ୟବସ୍ଥାର ପରିବର୍ତ୍ତନ ଆଣିବାକୁ ଏକ ପଦକ୍ଷେପ । ଏହି ଯୋଜନା ମାଧ୍ୟମରେ ହିତାଧିକାରୀ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସରକାରଙ୍କଠାରୁ ମିଳୁଥିବା ସବସିଡ଼ ସିଧା ପାଇପାରିବେ । ବ୍ୟାଙ୍କ ଆକାଉଣ୍ଟରେ ଏହି ସବସିଡ଼ ଜମା ଫଳରେ ଅନେକାଂଶରେ ବାଟମାରଣା ଏବଂ ବିଳମ୍ବ ଆଦି ସମସ୍ୟାମାନଙ୍କୁ ରୋକାଯାଇପାରିବ ବୋଲି ଆଶା କରାଯାଏ ।
ଦୁର୍ଗା (ସଂସ୍କୃତ: दुर्गा, ଅସଂଲିବ: Durgā) ହିନ୍ଦୁ ଧର୍ମର ଏକ ପ୍ରମୁଖ ଦେବୀ । ସେ ଦେବୀଙ୍କ ଏକ ମୁଖ୍ୟ ଦିଗ ଭାବରେ ପୂଜା ପାଆନ୍ତି ଏବଂ ଲୋକପ୍ରିୟ ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଅନ୍ୟତମ ଭାବେ ସମ୍ମାନୀତ । ସେ ସୁରକ୍ଷା, ଶକ୍ତି, ମାତୃତ୍ୱ, ବିନାଶ ଏବଂ ଯୁଦ୍ଧ ସହ ଜଡ଼ିତ । ତାଙ୍କର କିମ୍ବଦନ୍ତୀ ଶାନ୍ତି, ସମୃଦ୍ଧି ଏବଂ ଧର୍ମପ୍ରତି ବିପଦ ସୃଷ୍ଟି କରୁଥିବା ମନ୍ଦ ଏବଂ ଭୂତ ଶକ୍ତିର ମୁକାବିଲା ସମ୍ବନ୍ଧିତ । ଦୁର୍ଗା ନିର୍ଯାତିତଙ୍କ ମୁକ୍ତି ପାଇଁ ଦୁଷ୍ଟମାନଙ୍କ ବିରୁଦ୍ଧରେ ନିଜର ଦିବ୍ୟ କ୍ରୋଧ ପ୍ରକାଶ କରୁଥିବା ଏବଂ ସୃଷ୍ଟିକୁ ସଶକ୍ତ କରିବା ପାଇଁ ବିନାଶ କରୁଥିବା ବିଶ୍ୱାସ କରାଯାଏ ।
ଜାନକୀ ବଲ୍ଲଭ ପଟ୍ଟନାୟକ (୩ ଜାନୁଆରୀ ୧୯୨୭ - ୨୧ ଅପ୍ରେଲ ୨୦୧୫) ଜଣେ ରାଜନୀତିଜ୍ଞ, ବାଗ୍ମୀ, ସାମ୍ବାଦିକ ଓ ଲେଖକ ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଆସାମର ରାଜ୍ୟପାଳ, ତିରୁପତି ରାଷ୍ଟ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳାଧିପତି, ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ । ସେ ରାଜନେତା ଜୟନ୍ତୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ । ରାଜନେତା ଓ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ଜ୍ୱାଇଁ ଓ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ତାଙ୍କ ନାତୁଣୀ । ସେ 'ଇଷ୍ଟର୍ଣ୍ଣ ଟାଇମ୍ସ' ଖବରକାଗଜରୁ ସାମ୍ବାଦିକ ଭାବେ ନିଜର କର୍ମଜୀବନ ଆରମ୍ଭ କରି ପରେ ତାହାର ସମ୍ପାଦକ ହୋଇଥିଲେ । ସେ ଓଡ଼ିଆ ଦୈନିକ ପ୍ରଜାତନ୍ତ୍ରର ମଧ୍ୟ ସମ୍ପାଦକ ହୋଇ ୧୯୬୭ ପର୍ଯ୍ୟନ୍ତ ସେହି ଭାରରେ ଥିଲେ । ୧୯୬୭ ମସିହାରେ ସେ ପୌରୁଷ ପତ୍ରିକା ପ୍ରତିଷ୍ଠା କରି ତାହାର ସମ୍ପାଦକ ଥିଲେ ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ ।
ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି । ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା । ଏପ୍ରିଲ ୧ ତାରିଖକୁ ଓଡ଼ିଶା ଦିବସ ଭାବେ ପାଳନ କରାଯାଏ । ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ.
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
କୋଲୋଜିୟମ୍ (ଈଂରାଜୀରେ Colosseum ଏବଂ ଇଟାଲୀୟ ଭାଷାରେ କୋଲୋଜିଓ -Colosseo) ଇଟାଲୀର ରୋମ୍ ନଗରର କେନ୍ଦ୍ରରେସ୍ଥିତ ଏକ ବୃହତ୍ ଅଣ୍ଡାକୃତି ଆମ୍ପିଥିଏଟର ବା ରଙ୍ଗଭୂମି । ଏହା ଫ୍ଲାଭିଆନ୍ ଆମ୍ପିଥିଏଟର ନାମରେ ମଧ୍ୟ ବେଶ୍ ଜଣାଶୁଣା । ଟ୍ରାଭେର୍ଟାଇନ୍ ଚୂନପଥର, ଆଗ୍ନେୟ ଉଦ୍ଗୀରଣରୁ ସୃଷ୍ଟ ଟଫ୍ ପଥର, କାଠ ଓ କଂକ୍ରିଟ୍ ନିର୍ମିତ ଇଟାରେ ଏହି ରଙ୍ଗମଞ୍ଚ ଅଦ୍ୟାବଧି ବିଶ୍ୱରେ ନିର୍ମିତ ସର୍ବବୃହତ୍ ରଙ୍ଗମଞ୍ଚ । ରୋମାନ୍ ଫୋରମ୍ର ଠିକ୍ ପୂର୍ବ ପଟକୁ ଅଳ୍ପଦୂରରେ ଏହି ପ୍ରାଚୀନ ରଙ୍ଗମଞ୍ଚ ଅବସ୍ଥିତ । ଭେସ୍ପାସିଆନ୍ ରୋମ୍ର ସମ୍ରାଟ ଥିବାବେଳେ ଖ୍ରୀ. ୭୨ରେ ଏହାର ନିର୍ମାଣ କାର୍ଯ୍ୟ ପ୍ରାରମ୍ଭ ହୋଇଥିଲା ଓ ଭେସ୍ପାସିଆନ୍ଙ୍କ ଉତ୍ତରାଧିକାରୀ ଟାଇଟସ୍ଙ୍କ ଶାସନ କାଳରେ ଖ୍ରୀ. ୮୦ରେ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । ଖ୍ରୀ.
ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ।ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହୋଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି - ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।
ସରଳା ଦେବୀ (୧୯ ଅଗଷ୍ଟ ୧୯୦୪ - ୪ ଅକ୍ଟୋବର ୧୯୮୬ ) ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଲେଖିକା ଥିଲେ । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଇଂରେଜ ସରକାର ଅଧୀନରେ ଥିବା ବେଳେ ଭାରତରେ, ନାରୀମାନଙ୍କର ସାମାଜିକ ଓ ରାଜନୈତିକ ଅଧିକାର ପାଇଁ ଆନ୍ଦୋଳନ ଦେଖା ଦେଇଥିଲା । ଫଳରେ ନାରୀ ଶିକ୍ଷାର ପ୍ରସାର ଓ ପ୍ରଚାର ଘଟିଥିଲା । ସେହି ସମୟରେ ଏହାର ପ୍ରଭାବ ଓଡ଼ିଶାର ନାରୀ ମାନଙ୍କ ଉପରେ ମଧ୍ୟ ପଡ଼ିଥିଲା । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରମାଦେବୀ, ମାଳତୀ ଚୌଧୁରୀ, ଗୋଦାବରୀ ଦେବୀ ପ୍ରମୁଖଙ୍କ ସହ ବହୁ ଓଡ଼ିଆ ନାରୀ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ ସରଳା ଦେବୀ ଅଗ୍ରଗଣ୍ୟ ଥିଲେ । ପ୍ରଥମ ଓଡ଼ିଆ ମହିଳା ଭାବେ ସେ ସତ୍ୟାଗ୍ରହ ଆନ୍ଦୋଳନରେ ଭାଗନେଇଥିଲେ । ସେ ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହରେ ଭାଗନେଇଥିଲେ ।
ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣି ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।
ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ନାୟିକା ଥିଲେ । ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ । ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ, ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ଆୟତ କରିବା ଆଦି କଳାରେ ସେ ପାରଙ୍ଗମ ଥିଲେ ।