ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ଭୀମରାଓ ରାମଜୀ ଆମ୍ବେଦକର (୧୪ ଏପ୍ରିଲ ୧୮୯୧ - ୬ ଡିସେମ୍ବର ୧୯୫୬) ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ ଯିଏ ସମ୍ବିଧାନ ସଭା ବିତର୍କରୁ ଭାରତର ସମ୍ବିଧାନ ପ୍ରସ୍ତୁତ କରୁଥିବା କମିଟିର ନେତୃତ୍ୱ ନେଇଥିଲେ, ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ହିନ୍ଦୁ ଧର୍ମ ତ୍ୟାଗ କରିବା ପରେ ଦଳିତ ବୌଦ୍ଧ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ଶିବ ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲାହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଭାରତୀୟ ସଂସ୍କୃତି ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।
ଦ୍ରୌପଦୀ ମୁର୍ମୁ (ଜନ୍ମ: ୨୦ ଜୁନ ୧୯୫୮) ଜଣେ ଭାରତୀୟ ରାଜନୀତିଜ୍ଞା ଓ ଭାରତର ୧୫ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି । ଭାରତର ରାଷ୍ଟ୍ରପତି ହେବାରେ ସେ ପ୍ରଥମ ଆଦିବାସୀ । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର (୨୦୦୦ ଏବଂ ୨୦୦୪ରେ) ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଝାଡ଼ଖଣ୍ଡର ରାଜ୍ୟପାଳ (୨୦୧୫-୨୦୨୧) ଭାବରେ କାର୍ଯ୍ୟ କରିଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ବାଣିଜ୍ୟ ଏବଂ ଗମନାଗମନ ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟକରିଥିଲେ ।
ମହମ୍ମଦ ଶାହାବୁଦ୍ଦିନ (ଜନ୍ମ ୧୦ ଡିସେମ୍ବର ୧୯୪୯), ମୂଳତଃ ଚୁପୁ ନାମରେ ଜଣାଶୁଣା, ବାଂଲାଦେଶର ୧୬ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି । ସେ ମଧ୍ୟ ଜଣେ ଆଇନଜୀବୀ, ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ରାଜନେତା ଭାବେ ଜଣାଶୁଣା । ସେ ୨୦୨୩ ରାଷ୍ଟ୍ରପତି ନିର୍ବାଚନରେ ଶାସକ ଆୱାମୀ ଲିଗ୍ ସମର୍ଥନରେ ମନୋନୀତ ହୋଇଥିଲେ । ତାଙ୍କ ଅଧ୍ୟକ୍ଷତା ପୂର୍ବରୁ ଶାହାବୁଦ୍ଦିନ ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ଜିଲ୍ଲା ତଥା ଦୌରା ବିଚାରପତି ଏବଂ ଦୁର୍ନୀତି ନିବାରଣ ଆୟୋଗର କମିଶନର ଭାବରେ କାର୍ଯ୍ୟ କରିଥିଲେ ।
ପ୍ରଣବ ମୁଖାର୍ଜୀ (୧୧ ଡିସେମ୍ବର ୧୯୩୧ - ୩୧ ଅଗଷ୍ଟ ୨୦୨୦) ଭାରତର ୧୩ଶ ରାଷ୍ଟ୍ରପତି ଭାବେ ଜୁଲାଇ ୨୦୧୨ରୁ ୨୦୧୭ ଯାଏଁ କାର୍ଯ୍ୟଭାରରେ ସମ୍ଭାଳିଥିଲେ । ୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୁମି ଜିଲ୍ଲାର ଏକ ମଫସଲ ଗ୍ରାମ ମିରାଟିଠାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ।ତାଙ୍କ ବାପା ନାମ କଦମ କିଙ୍କର ମୁଖାର୍ଜୀ ଏବଂ ମାଆଙ୍କ ନାମ ରାଜଲକ୍ଷୀ । ପ୍ରଣବ କଲିକତା ବିଶ୍ୱବିଦ୍ୟାଳୟରୁ ଇତିହାସ ଏବଂ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ଏବଂ ଆଇନ ଡିଗ୍ରୀ ହାସଲ କରିଛନ୍ତି ।ତେବେ ସେ ପ୍ରଥମେ କଲିକତାର ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲରେ ଜଣେ କିରାଣି ଭାବେ କାମ କରୁଥିଲେ ।ପରେ ସେ କଲିକତାସ୍ଥିତ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନ୍ଷ୍ଟିଚ୍ୟୁଟର ଅଧକ୍ଷଭାବେ ନିଯୁକ୍ତି ପାଇଥିଲେ ।ଏହାପରେ ସେ ସାମ୍ବାଦିକତା ଏବଂ ଓକିଲାତିକୁ ନିଜର ପେଶାରୂପେ କିଛି ଦିନ ଆପଣେଇଥିଲେ ।
ଅଳେଇଚ ଏକ ଭାରତୀୟ ମସଲା । ଅଳେଇଚର ଜନ୍ମ ସ୍ଥାନ ଭାରତ ଓ ଶ୍ରୀଲଙ୍କା । କିନ୍ତୁ ଅନ୍ୟ ଦେଶ ଯଥା ଗୁଏଟମାଲା, ମେକ୍ସିକୋ, ଇଣ୍ଡୋନେସିଆ ଓ ଦକ୍ଷିଣ ଏସିଆର କେତେକ ଅଞ୍ଚଳରେ ମଧ୍ୟ ଚାଷ କରାଯାଏ ଭାରତର ଦକ୍ଷିଣ ଭାଗରେ ସର୍ବାଧିକ ଦେଖିବାକୁ ମିଳେ । ମଈଶୂର, କୁର୍ଗ, ବ୍ୱେନାଡ୍, ଟ୍ରଭାଙ୍କୋର ଓ କୋଚିନ୍ର ଆର୍ଦ୍ର ବନ ଏହା ପାଇଁ ଅନୁକୁଳ ଅଟେ । ଅଳେଇଚ ପାଚିବା ଆଗରୁ ଅମଳ କରାଯାଇ ଖରାରେ ଶୁଖାଯାଏ । ଆଧୁନିକ ପଦ୍ଧତିରେ ଡ୍ରାଇଂ ମେସିନ ବ୍ୟବହାର କରା ଯାଉଛି । ଅଳେଇଚର ଚୋପା ଯେତେ ସବୁଜ ହେବ ସେତେ ଭଲ ବୋଲି ଜଣାଯାଏ । ଥରେ ଅଳେଇଚର ଚୋପା ବାହାରି ଗଲେ,ଏହାର ସୁଗନ୍ଧ ନଷ୍ଟ ହୋଇଯାଏ । ତେଣୁ ସାଧାରଣତଃ ଏହାକୁ ରୋଷେଇ ପୂର୍ବରୁ ଚୋପାରୁ ଅଲଗା କରାଯାଏ । ଏହାର ମୁଲ୍ୟ ବଜାରରେ ବହୁତ ଅଧିକ ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓଡ଼ିଶାର କଟକରେ ଅବସ୍ଥିତ ଏକ ଭାରତୀୟ ରାଜ୍ୟସ୍ତରୀୟ ଉଚ୍ଚନ୍ୟାୟାଳୟ । ଏହା ୧୯୪୮ ଜୁଲାଇ ୨୬ ଦିନ ପ୍ରତିଷ୍ଠିତ ହୋଇଥିଲା । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମଞ୍ଜୁରିପ୍ରାପ୍ତ ମୋଟ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା ଯାହା ପରବର୍ତ୍ତୀ ସମୟରେ ନୋଟିଫିକେସନ ତା ୨।୨।୨୦୨୨ଦ୍ୱାରା ୩୩କୁ ବୃଦ୍ଧି ପାଇଛି ।୨୦୨୪ ମସିହା ଡିସେମ୍ବର ମାସ ସୁଦ୍ଧା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୧୯ ଜଣ ବିଚାରପତି କର୍ତ୍ତବ୍ୟରତ ।
ବିଶ୍ୱନାଥ କର, ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା, (୨୪ ଡିସେମ୍ବର ୧୮୬୪–୧୯ ଅକ୍ଟୋବର ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ, ବାଗ୍ମୀ ଥିଲେ । ସେ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ଥିଲେ ଓ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ତଥା ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ "ରାୟ ବାହାଦୁର" ଉପାଧୀ ପାଇ ତାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ ବିବିଧା ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ । ପୁସ୍ତକଟି ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ ଉତ୍କଳ ସାହିତ୍ୟରେ ପୂର୍ବରୁ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
କରଣମାନେ ମୁଖ୍ୟତଃ ଓଡ଼ିଶାରେ ବାସକରୁଥିବା ଏକ ଭାରତୀୟ ହିନ୍ଦୁ କ୍ଷତ୍ରିୟ ଜାତି । କରଣ ପଦବୀ ଏକ ବୃତ୍ତିଗତ ପଦବୀ ଥିଲା ଯାହା କଠୋର ହିନ୍ଦୁ ବର୍ଣ୍ଣ ଓ ଜାତିପ୍ରଥା ସାମାଜିକ ବିଭାଜନରେ ଉଚ୍ଚରେ ଥିବା କ୍ଷତ୍ରିୟ ଜାତିଦ୍ୱାରା ଦଖଲ କରାଯାଇଥିଲା । ସେମାନେ ଆନ୍ଧ୍ର ପ୍ରଦେଶର କେତେକ ସ୍ଥାନରେ କରଣମ ପଦବୀରେ ମଧ୍ୟ ରହିଥିଲେ ଓ ପଶ୍ଚିମବଙ୍ଗ ଏବଂ ବିହାରର କାୟସ୍ଥ ପରି ଓଡ଼ିଶାରେ ସମାନ ଭୂମିକା ଗ୍ରହଣ କରିଥିଲେ । ପାରମ୍ପାରିକ ଭାବରେ ସେମାନେ ଓଡ଼ିଆ ରାଜକୀୟ ରାଜ୍ୟଗୁଡ଼ିକର ଦରବାରରେ ସରକାରୀ ରେକର୍ଡ ରକ୍ଷକ ତଥା ଜମିଦାର, ଶିକ୍ଷକ, ରାଜା, ସୈନ୍ୟବାହିନୀରେ ମୁଖ୍ୟ ସେନାପତି ଓ ମନ୍ତ୍ରୀ ଆଦି ପଦବୀ ଅଧିକାର କରିଥିଲେ। ବର୍ତ୍ତମାନ ସମୟରେ ସେମାନେ ଏକ ରାଜନୈତିକ ପ୍ରଭାବଶାଳୀ ସମ୍ପ୍ରଦାୟ ଏବଂ ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଓଡ଼ିଶା ରାଜନୀତିରେ ନେତୃତ୍ତ୍ୱ ସ୍ଥାନ ଅଧିକାର କରିଛନ୍ତି ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଜାନକୀ ବଲ୍ଲଭ ପଟ୍ଟନାୟକ (୩ ଜାନୁଆରୀ ୧୯୨୭ - ୨୧ ଅପ୍ରେଲ ୨୦୧୫) ଜଣେ ରାଜନୀତିଜ୍ଞ, ବାଗ୍ମୀ, ସାମ୍ବାଦିକ ଓ ଲେଖକ ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଆସାମର ରାଜ୍ୟପାଳ, ତିରୁପତି ରାଷ୍ଟ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳାଧିପତି, ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ । ସେ ରାଜନେତା ଜୟନ୍ତୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ । ରାଜନେତା ଓ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ଜ୍ୱାଇଁ ଓ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ତାଙ୍କ ନାତୁଣୀ । ସେ 'ଇଷ୍ଟର୍ଣ୍ଣ ଟାଇମ୍ସ' ଖବରକାଗଜରୁ ସାମ୍ବାଦିକ ଭାବେ ନିଜର କର୍ମଜୀବନ ଆରମ୍ଭ କରି ପରେ ତାହାର ସମ୍ପାଦକ ହୋଇଥିଲେ । ସେ ଓଡ଼ିଆ ଦୈନିକ ପ୍ରଜାତନ୍ତ୍ରର ମଧ୍ୟ ସମ୍ପାଦକ ହୋଇ ୧୯୬୭ ପର୍ଯ୍ୟନ୍ତ ସେହି ଭାରରେ ଥିଲେ । ୧୯୬୭ ମସିହାରେ ସେ ପୌରୁଷ ପତ୍ରିକା ପ୍ରତିଷ୍ଠା କରି ତାହାର ସମ୍ପାଦକ ଥିଲେ ।
ଯୀଶୁ ବା ଯୀଶୁ ଖୀଷ୍ଟ ବା ଯୀଶୁ ମସୀହ ହେଉଛନ୍ତି ଖ୍ରୀଷ୍ଟ ଧର୍ମର ପ୍ରବର୍ତକ ଓ ମୂଳ ବ୍ୟକ୍ତିତ୍ୟ | ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ଅନୁସାରେ ଯୀଶୁ ହେଉଛନ୍ତି ପରମେଶ୍ୱରଙ୍କ ପୁତ୍ର | ଯୀଶୁଙ୍କ ଜୀବନ ଏବଂ ଉପଦେଶ ବାଇବେଲର ନୁତନ ନିୟମରେ ବର୍ଣ୍ଣନା କରାଯାଇଛି। କାରଣ ସେ ହିଁ ଈଶ୍ୱରଙ୍କ ଅଦ୍ୱିତୀୟ ପୂତ୍ର ଅଟନ୍ତି । ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନୋଷ୍ଟ ନୋ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ।ଯୀୀଶୁ କହିଲେ ,ମୁଁ ପଥ, ସତ୍ୟ ଓ ଜୀବନ ;ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇ ପାରେ ନାହିଁ।
ଶାହରୁଖ୍ ଖାନ୍ - ଭାରତର ମୁମ୍ବାଇ ଫିଲ୍ମ୍ ଜଗତର ଜଣେ ସର୍ବଶ୍ରେଷ୍ଠ କଳାକାର ତଥା ବିଶ୍ବର ଜଣେ ନାମକରା ଅଭିନେତା । ବିଶ୍ବର ସବୁଠାରୁ ବଡ ଫିଲ୍ମ୍ ଅଭିନେତା ଭାବରେ ସିଏ ଜଣାଶୁଣା । ସାଧାରଣତଃ କିଙ୍ଗ ଖାନ, ଏସ.ଆର.କେ ତଥା "ବଲିଉଡ୍ ବାଦଶାହ୍" ଭାବରେ ଜଣାଶୁଣା ଏହି ମହାନ୍ ଅଭିନେତା ଜଣକ ଭାରତର ଚଳଚ୍ଚିତ୍ର ଜଗତକୁ ସମଗ୍ର ପୃଥିବୀରେ ପ୍ରସିଦ୍ଧ କରିବାରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି । ୧୯୯୨ ମସିହାରେ "ଦିବାନା" ଚଳଚ୍ଚିତ୍ର ଜରିଆରେ ପଦାର୍ପଣ କରିଥିବା ଖାନ୍ ତା' ଆଗରୁ ଟେଲିଭିଜନରେ ଜଣେ ଶ୍ରେଷ୍ଠ ଧାରାବାହିକ ଅଭିନେତା ଭାବରେ ନାଁ କରିଥିଲେ । ଶାହରୁଖ୍ ୧୪ଟି ଫିଲ୍ମ୍-ଫେଯାର୍ ପୁରସ୍କାର ବର୍ତ୍ତମାନ ସୁଦ୍ଧା ଜିତିଛନ୍ତି, ଯହିଁରୁ ୮ ଗୋଟି ଶ୍ରେଷ୍ଠ ଅଭିନେତା ବିଭାଗରେ ଅଛି, ତଥା ଏହା ଏକ ରେକର୍ଡ୍ । ଖାନ୍ ଅଭିନୀତ କେତେଗୋଟି ପ୍ରମୁଖ ଚଳଚ୍ଚିତ୍ର ଭିତରୁ ଡର୍, ବାଜିଗର୍, ଅନ୍ଜାମ୍, ରାଜୁ ବନ୍ ଗୟା ଜେନ୍ଟଲ୍-ମାନ୍, କରନ୍-ଅର୍ଜୁନ୍, କୋଇଲା, ପରଦେଶ୍, ଦିଲ୍ ତୋ ପାଗଲ୍ ହୈ, ବାଦଶାହ୍, ହେ ରାମ୍, ଦିଲ୍ବାଲେ ଦୁଲ୍ହନିଆ ଲେ ଜାଏନ୍ଗେ, କୁଛ୍ କୁଛ୍ ହୋତା ହେ, ଦେବଦାସ୍, ମହୋବ୍ବତେ, ଅଶୋକା, କଲ୍ ହୋ ନା ହୋ, ମୈ ହୁଁ ନା, ବୀର୍-ଜାରା, ସ୍ବଦେଶ୍, ପହେଲି, କଭି ଅଲ୍ଭିଦା ନା କହ୍ ନା, ଡନ୍, ଚକ୍ ଦେ ଇନ୍ଡିଆ, ଓଁ ଶାନ୍ତି ଓଁ, ରବ୍ ନେ ବନା ଦି ଜୋଡି, ବିଲ୍ଲୁ, ମାଇ ନେମ୍ ଇଜ୍ ଖାନ୍ ଆଦି ବହୁତ ଜନାଦୃତି ଲାଭ କରିଛନ୍ତି । ଏବେ ତାଙ୍କର ନୂତନ ଫିଲ୍ମ୍ ଭାବେ "ରା.୧" ଓ "ଡନ୍-୨" ଆସିବାର ଅଛି । ବର୍ତ୍ତମାନ ସୁଦ୍ଧା ଖାନ୍ ଭାରତର ତଥା ବିଶ୍ବର ଜଣେ ଅପ୍ରତିଦ୍ବନ୍ଦୀ ଅଭିନେତା ଭାବରେ ଅନେକ ସମାଲୋଚକ ତଥା ଜନସାଧାରଣ ସାଦରେ ସ୍ବୀକାର କରିଛନ୍ତି । ସେ ଭାରତ ସରକାରଙ୍କ ଦ୍ବାରା ପଦ୍ମଶ୍ରୀ ଉପାଧିରେ ଭୁଷିତ ହୋଇଛନ୍ତି । ତାଙ୍କୁ ଫ୍ରନ୍ସ୍, ମାଲୟସିଆ, ଦକ୍ଷିଣ କୋରିଆ ତଥା ବିଶ୍ବର ବିଭିନ୍ନ ଦେଶ ସମ୍ମାନ ଦେଇ ତାଙ୍କର ତଥା ଭାରତର ଚଳଚ୍ଚିତ୍ର ଜଗତର ନାମ ସମୁଜ୍ଜ୍ବଳ କରିଛନ୍ତି । ଲନ୍ଡନର ପ୍ରସିଦ୍ଧ ମାଡାମ୍ ଟୁସାଡ୍ ତଥା ବିଶ୍ବର ବିଭିନ୍ନ ସ୍ଥାନରେ ତାଙ୍କ ମହମ ପ୍ରତିମୁର୍ତ୍ତି ସ୍ଥାପନା କରାଯାଇଛି। ବିଶ୍ବ ଚଳଚ୍ଚିତ୍ର ଜଗତରେ ତାଙ୍କ ଅବିଶ୍ବସନୀୟ ପ୍ରଭାବ ପାଇଁ ତାଙ୍କୁ ନିକଟରେ ଆମେରିକାର ପ୍ରସିଦ୍ଧ "ନ୍ବୁଜ-ଉଇକ" ପତ୍ରିକା ପୃଥିବୀର ପ୍ରଥମ ୫୦ଜଣ ଶକ୍ତିଶାଳୀ ଲୋକଙ୍କ ଭିତରେ ସ୍ଥାନ ଦେଇଛି। ସେହିପରି ଆମେରିକାର ଜର୍ଜ୍-ଟାଉନ୍ ଇଉନିଭର୍ସିଟି ତାଙ୍କୁ ବିଶ୍ବର ୫୦୦ ପ୍ରଭାବଶାଳୀ ମୁସଲିମ୍ ମାନଙ୍କ ତାଲିକାରେ ସାମିଲ୍ କରିଥିଲା। ତାଙ୍କ ପତ୍ନୀଙ୍କ ନାଁ ଗୌରୀ ଖାନ୍। ତାଙ୍କର ଆର୍ଯନ୍ ଆଉ ଶୁହାନା ନାମରେ ଗୋଟିଏ ପୁଅ ଆଉ ଗୋଟିଏ ଝିଅ ଅଛନ୍ତି। ଶାହରୁଖ୍ ଖାନ୍ ଏକାଧାରରେ ଜଣେ ଅଭିନେତା, ଜଣେ ପ୍ରଯୋଜକ, ଜଣେ ନିର୍ଦ୍ଦେଶକ ତଥା ଜଣେ କ୍ରିକେଟ୍ ମାଲିକ (ତାଙ୍କ ଦଳର ନାମ ହେଲା କୋଲକାତା ନାଇଟ୍ ରାଇଡର୍ସ୍) ଭାବରେ ଜନମାନସରେ ଆନ୍ଦୋଳନ ସୃଷ୍ଟି କରିଛନ୍ତି । ଭାରତ ତଥା ସମଗ୍ର ବିଶ୍ବର ଅନେକ ନୂତନ ଓ ଅଧୁନାତନ କଳାକାରମାନେ ଶାହରୁଖ୍ ଖାନ୍ଙ୍କୁ ନିଜର ଦକ୍ଷତାର ମାପକାଠି ହିସାବରେ ଗ୍ରହଣ କରି ତାଙ୍କ ପ୍ରବାଦତ୍ବରେ ସାମିଲ୍ ହୋଇଛନ୍ତି । ବର୍ତ୍ତମାନ ସେ କେବଳ ଜଣେ ଅଭିନେତା ହିସାବରେ ନୁହେ, ସମଗ୍ତ ବିଶ୍ବରେ ଭାରତର ଜଣେ ପ୍ରତିମୁଖ ଭାବରେ ଅନ୍ନେକ ସ୍ଥାନରେ ଗୃହିତ ହେଉଛନ୍ତି ।
ପ୍ରତିଭା ଶତପଥୀ (ଜନ୍ମ: ୧୮ ଜାନୁଆରୀ ୧୯୪୫) ଜଣେ ଓଡ଼ିଆ କବି । ପ୍ରତିଭା କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜୀବନର ପ୍ରଥମ ପାଞ୍ଚ ବର୍ଷ କୋରାପୁଟରେ ବିତିଥିଲା । ସେ ଭଲ ବିଦ୍ୟାଳୟରୁ ପାଠ ପଢ଼ିବା ପାଇଁ, ତାଙ୍କ ପରିବାର ସତ୍ୟଭାମାପୁରକୁ ଚାଲିଆସିଥିଲେ । ପିଲାବେଳେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ସେ କଲେଜ ଶିକ୍ଷାଲାଭ କରିଥିଲେ । ବିବାହ କରିସାରିବା ପରେ ୧୯୬୭ ମସିହାରେ ସେ ସ୍ନାତକୋତ୍ତର ଓ ୧୯୮୦ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଥିଲେ ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ଚାର୍ଲସ୍ ଡାରଉଇନ୍ ହେଉଛନ୍ତି ବିଶ୍ୱବିଖ୍ୟାତ ପ୍ରକୃତିବାଦୀ ଏବଂ ଭୂତତ୍ତ୍ୱବିଜ୍ଞାନୀ | “ବିବର୍ତ୍ତନବାଦ"ର ପୁରୋଧା ଭାବେ ସେ ଅଶେଷ ଖ୍ୟାତ | ସେ ପ୍ରଥମେ ପ୍ରମାଣିତ କରିଥିଲେ ଯେ ପୃଥିବୀର ପ୍ରତ୍ୟେକ ଶ୍ରେଣୀର ପ୍ରାଣୀର ପୁର୍ବଜ ହେଉଛନ୍ତି ଏକ ଅର୍ଥାତ ପ୍ରତ୍ୟେକ ପ୍ରାଣୀର ସୃଷ୍ଟି ଗୋଟିଏ ପ୍ରାଣୀରୁ ହୋଇଛି | ଯୁଗ୍ମ ଭାବେ ଡାରଉଇନ୍ ଏବଂ ଆଲଫ୍ରେଡ୍ ରସେଲ୍ ୱାଲେସ ଏକ ବୈଜ୍ଞାନିକ ମତପୋଷଣ କରିଥିଲେ ଯେଉଁଥିରେ ସେ ଦର୍ଶାଇ ଥିଲେ ଯେ ବିବର୍ତ୍ତନବାଦର ଶାଖା ପ୍ରଶାଖାର ନିମନ୍ତେ "ପ୍ରାକୃତିକ ଚୟନ(ନାଚୁରାଲ୍ ସିଲେକ୍ସନ୍ )" ଦାୟୀ |୧୮୫୯ ମସିହାରେ ସେ ଏକ ପୁସ୍ତକ ପ୍ରକାଶ କରିଥିଲେ ଯାହାର ନାମ ଥିଲା "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ '| ଏହି ପୁସ୍ତକଟି ବୈଜ୍ଞାନିକ ସମୁଦାୟ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲା | ୧୮୭୦ ମସିହା ସୁଦ୍ଧା ବିବର୍ତ୍ତନବାଦକୁ ସମସ୍ତେ ଆପଣେଇପାରିଥିଲେ | ଡାରଉଇନଙ୍କ ବୈଜ୍ଞାନିକ ମତ ପ୍ରାଣୀ ବିଜ୍ଞାନକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଥିଲା | ଏହା ମଧ୍ୟ ଜୀବନର ବିବିଧତାକୁ ଅନେକ ପରିମାଣରେ ବୁଝାଇବାରେ ସକ୍ଷମ ହୋଇପାରିଥିଲା |
ଲରେନ୍ସ ଲାରି ପେଜ (୨୬/0୩/୧୯୭୩) ଜଣେ ଆମେରିକାର କମ୍ପ୍ୟୁଟର ବିଜ୍ଞାନୀ ଓ ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର ଗୁଗଲ ଓ ଆଲ୍ଫାବେଟ ଆଇ.ଏନ.ସିର ଉଦ୍ଭାବକ ।୧୯୯୬ରେ ଷ୍ଟାନ୍ଫୋର୍ଡ଼୍ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ର ଲାରି ପେଜ୍ ଓ ସର୍ଜି ବ୍ରିନ୍ଙ୍କଦ୍ୱାରା ଗୁଗଲ ଆରମ୍ଭ ହୋଇଥିଲା । କାଲିଫର୍ନିଆର ମେନ୍ଲୋ ପାର୍କରେ ଥିବା ଜଣେ ବନ୍ଧୁଙ୍କ ଗ୍ୟାରେଜ୍ରେ ୭ ସେପ୍ଟେମ୍ବର, ୧୯୯୮ରେ ଗୁଗଲ କମ୍ପାନୀରେ ପରିଣତ ହେଲା । ୧୯୯୯ ଫେବୃଆରୀରେ କାଲିଫର୍ନିଆର ପାଲୋ ଆଲ୍ଟୋକୁ କମ୍ପାନୀ ସ୍ଥାନାନ୍ତରିତ ହେଲା । ଏହାର ବର୍ଷେ ପରେ 'ଗୁଗଲ୍ପ୍ଲେକ୍ସ' ନାମକ ସ୍ଥାନକୁ ଏହା ଅଣାଗଲା । ସେପ୍ଟେମ୍ବର ୨୦୦୧ରେ ଗୁଗଲର ପୃଷ୍ଟା ତଉଲ (PageRank) ପଦ୍ଧତିକୁ ଆମେରିକୀୟ ପେଟେଣ୍ଟ ମିଳିଲା । ଜୁଲାଇ ୨୦୧୫ରେ ସେ ଆଲ୍ଫାବେଟ୍ ଇନ୍ସ୍ର ସି.ଇ.ଓ ହେଲେ । ପେଜ୍ XPRIZE ସଙ୍ଗଠନର ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୦୪ରେ National Academy of Engineeringର ମୁଖ୍ୟ ସଦସ୍ୟ ଭାବେ ନିର୍ବାଚିତ ହେଲେ । ପେଜ୍ ୨୦୦୪ରେ ମାର୍କୋନୀ ପୁରସ୍କାର ଜିତିଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ସୁଇଜରଲ୍ୟାଣ୍ଡ / ସ୍ୱିଜରଲ୍ୟାଣ୍ଡ ବା ସ୍ୱିସ୍ ସଂଘରାଜ୍ୟ ଇଉରୋପର ଏକ ସଂଘୀୟ ଗଣତାନ୍ତ୍ରିକ ଦେଶ । ସ୍ୱିଜରଲ୍ୟାଣ୍ଡ ଦେଶ ୨୬ଟି ସଂଘରାଜ୍ୟ ବା କ୍ୟାଣ୍ଟନରେ ବିଭକ୍ତ ଓ ବର୍ନ୍ (ଇଂରାଜୀରେ Bern) ଏହି ଦେଶର ରାଜଧାନୀ । ପଶ୍ଚିମ ଇଉରୋପର କେନ୍ଦ୍ରରେ ସ୍ୱିଜରଲ୍ୟାଣ୍ଡ ଅବସ୍ଥିତ । ସ୍ୱିଜରଲ୍ୟାଣ୍ଡକୁ ଦକ୍ଷିଣ ପଟେ ଇଟାଲି, ପଶ୍ଚିମ ପଟେ ଫ୍ରାଂସ୍, ଉତ୍ତର ପଟେ ଜର୍ମାନୀ ଓ ପୂର୍ବପଟେ ଅଷ୍ଟ୍ରିଆ ଏବଂ ଲିଖଟେନଷ୍ଟାଇନ୍ ଘେରି ରହିଛନ୍ତି । ଚାରିପଟୁ ସ୍ଥଳଭାଗଦ୍ୱାରା ପରିବେଷ୍ଟ ଏହି ଦେଶର କ୍ଷେତ୍ରଫଳ ପ୍ରାୟ ୪୧୨୮୫ ବର୍ଗ କିଲୋମିଟର୍ (୧୫୯୪୦ ବର୍ଗ ମାଇଲ୍) । ଭୌଗୋଳିକ ଦୃଷ୍ଟିକୋଣରୁ ଏହାର ଭୂଭାଗ ଆଲ୍ପସ୍ ପର୍ବତଶ୍ରେଣୀ, ସ୍ୱିସ୍ ଉଚ୍ଚ-ସମଭୂମି ଓ ଜୁରା ପର୍ବତାଞ୍ଚଳଦ୍ୱାରା ଶୋଭିତ । ଆଲ୍ପସ୍ ପର୍ବତଶ୍ରେଣୀ ଏହି ଦେଶର ଅଧିକାଂଶ ଭାଗ ଅଧିକାର କରିଥିବା ବେଳେ ଏହାର ଉଚ୍ଚ ସମତଳ ଭୂମିରେ ପ୍ରାୟ ୮୦ ଲକ୍ଷ ସ୍ୱିସ୍ (ଇଂରାଜୀରେ Swiss) ନାଗରିକ ବସବାସ କରିଥାନ୍ତି । ଏହି ଉଚ୍ଚ ସମତଳ ଭୂମିରେ ଅନେକ ପ୍ରମୁଖ ନଗର ଗଢ଼ି ଉଠିଛି । ବିଶ୍ୱ ଅର୍ଥନୀତିର ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ଜୁରିକ୍ ଓ ଜେନିଭା ତନ୍ମଧ୍ୟରୁ ଅନ୍ୟତମ ।
ଉଇଲିୟମ୍ ହେନେରୀ ବିଲ୍ ଗେଟ୍ସ୍ ୩ (ଜନ୍ମ ଅକ୍ଟୋବର୍ ୨୮, ୧୯୫୫) ଜଣେ ଆମେରିକୀୟ ବ୍ୟବସାୟୀ,ନିବେଶକ ଏବଂ ପ୍ରୋଗ୍ରାମର୍ । ୧୯୭୫ ମସିହାରେ ଗେଟ୍ସ୍ ଏବଂ ପଉଲ୍ ଆଲେନ୍ ମାଇକ୍ରୋସଫ୍ଟର ଆବିଷ୍କାର କରିଥିଲେ ଯାହାକି ବିଶ୍ୱର ସର୍ବବୃହତ୍ ପିସି ସଫ୍ଟୱେୟର୍ କମ୍ପାନୀ ଅଟେ । ମାଇକ୍ରୋସଫ୍ଟରେ କାମ କରୁଥିବା ସମୟରେ ସେ ଚେୟାରମ୍ୟାନ୍, ସିଇଓ ଏବଂ ମୁଖ୍ୟ ସଫ୍ଟୱେୟର୍ ଆର୍କିଟେକ୍ଟ୍ ଏବଂ ୨୦୧୪ ମେ ମାସ ପର୍ଯ୍ୟନ୍ତ ସର୍ବବୃହତ୍ ଅଂଶର ଅଧିକାରୀ ଥିଲେ । ଗେଟସ୍ ବିଭିନ୍ନ ପୁସ୍ତକର ଲେଖକ ଏବଂ ଉପଲେଖକ ଅଟନ୍ତି ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଏକ ଇଣ୍ଡୋ-ଆର୍ଯ୍ୟ ଭାରତୀୟ ଭାଷା । ଏହା ଭାରତର ଓଡ଼ିଶାରେ ସର୍ବାଧିକ ବ୍ୟବହୃତ ଓ ମୁଖ୍ୟ ସ୍ଥାନୀୟ ଭାଷା ଏବଂ ୯୧.୮୫% ଲୋକଙ୍କଦ୍ୱାରା କଥିତ । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ନାଗଭୂଷଣ ପଟ୍ଟନାୟକ (୨୭ ନଭେମ୍ବର ୧୯୩୪ - ୦୯ ଅକ୍ଟୋବର ୧୯୯୮) ଓଡ଼ିଶାର ଜଣେ କମ୍ୟୁନିଷ୍ଟ ନେତା ଥିଲେ । ରାୟଗଡା ଜିଲ୍ଲାର ପଦ୍ମପୁରଠାରେ ଏକ ମଧ୍ୟବିତ୍ତ ପରିବାରରେ ସେ ୨୭ ନଭେମ୍ବର ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ଶ୍ରୀ ରାମମୂର୍ତ୍ତି ପଟ୍ଟନାୟକ ଓ ମାତା ଶ୍ରୀମତୀ ରାଜଲକ୍ଷ୍ମୀ ପଟ୍ଟନାୟକ । ପରବର୍ତ୍ତୀ ସମୟରେ ସେ ନକ୍ସଲବାଡ଼ି ଆନ୍ଦୋଳନରେ ଯୋଗ ଦେଲେ । ସିପିଆଇ(ଏମ-ଏଲ)ର ଅନ୍ୟତମ ସଂସ୍ଥାପକ ସଭ୍ୟ ତଥା ଜଣେ ଆଗଧାଡ଼ିର ନେତା ହିସାବରେ ସେ ଜୀବନର ଶେଷ ପର୍ଯ୍ୟନ୍ତ ରହିଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ମୟୁର କର୍ଷକ ବର୍ଗର ଏକ ପକ୍ଷୀ ବିଶେଷ । ମୟୂର ପ୍ରଜାତିର ପୁରୁଷପକ୍ଷୀକୁ ମୟୂର ଓ ସ୍ତ୍ରୀ ପକ୍ଷୀକୁ ମୟୂରୀ କୁହାଯାଏ । ମୟୂରର ଲାଞ୍ଜ ଖୁବ ବଡ଼ ହୋଇଥିବାରୁ ତାହାକୁ ଲୋକୋକ୍ତିରେ ଲଞ୍ଜା ମୟୁର ଏବଂ ମୟୂରୀର ଲାଞ୍ଜ ଛୋଟ ହେଇଥିବାରୁ ତାହାକୁ ଲାଣ୍ଡୀ ମୟୂର ବୋଲି ମଧ୍ୟ କୁହାଯାଏ । ମୟୂରର ଲାଞ୍ଜର ବଡ଼ ପକ୍ଷ ଓ କଣ୍ଠର କ୍ଷୁଦ୍ର ପର ନାନା ବର୍ଣ୍ଣରେ ରଞ୍ଜିତ । ମୟୂରୀର ପରର ରଙ୍ଗ ମୟୁର ତୁଳନାରେ ଅପେକ୍ଷା କୃତ ମ୍ଲାନ ହେଲେହେଁ ମୟୂର ପରି ମୟୂରୀ ମଧ୍ୟ ସମମାତ୍ରାରେ ଆକର୍ଷଣୀୟ । ଏଣୁ ଏହି ପକ୍ଷୀ ପ୍ରଜାତି କାଳେ କାଳେ ବିଶ୍ୱର ବିହଙ୍ଗ ବିବିଧତା ମଧ୍ୟରେ ପ୍ରମୁଖତା ପାଇଆସିଛି। । ଏହା ସଂସ୍କୃତ ମି ଧାତୁରୁ ଉର୍ ପ୍ରତ୍ୟୟଦ୍ୱାରା ନିଷ୍ପନ୍ନ । ମିର ଅର୍ଥ କ୍ଷେପଣକରିବା ବୋଲି ଭାଷାକୋଷ ଲେଖିଥିଲେହେଁ ଏହାର ପ୍ରକୃତ ଅର୍ଥ ମାରିପକାଇବା । ମୟୂରର ଏକ ବିଶେଷତ୍ୱ ହେଉଛି, ପ୍ରାଣନାଶକାରୀ ବିଷଧର ସର୍ପକୁ ସେ ମାରିପକାଏ । ସେଥିପାଇଁ ହିଁ ମି ଧାତୁର ଉର୍ ପ୍ରତ୍ୟୟ ଯୋଗରେ ମୟୁର ଶବ୍ଦର ସୃଷ୍ଟି ହୋଇଛି । ଭାଷାକୋଷ ଅନୁସାରେ ମୟୂରର ଅନ୍ୟନାମ କେକୀ, ଶିଖି, ଶିଖଣ୍ଡୀ ।
ଦାରା ସିଂହ (୧୯ ନଭେମ୍ବର ୧୯୨୮ – ୧୨ ଜୁଲାଇ ୨୦୧୨), ଭାରତର ଜଣେ ମଲ୍ଲଯୋଦ୍ଧା ଓ କଥାଚିତ୍ର ଅଭିନେତା ଥିଲେ । ତାଙ୍କ ଜନ୍ମ ସ୍ଥାନ ପଞ୍ଜାବର ଅମୃତସର ଜିଲ୍ଲାର ଏକ ଛୋଟ ଗାଁ ଧର୍ମଛକ ।ତାଙ୍କ ବାପାଙ୍କ ନା ସୁରତ ସିଂହ ରାନ୍ଧୱା ଓ ମାଆଙ୍କ ନାମ ବଲୱନ୍ତ କୈର । ସେ ୧୯୬୨ ମସିହାରେ ହିନ୍ଦୀ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ସେ ଭାରତୀୟ ଜନତା ପାର୍ଟୀଦ୍ୱାରା ରାଜ୍ୟସଭାର ସଦସ୍ୟ (୨୦୦୩-୨୦୦୯) ଭାବେ ମନୋନୀତ ହୋଇଥିଲେ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ନିରଞ୍ଜନ ପଟ୍ଟନାୟକ (ଜନ୍ମ: ୧ ଜୁନ ୧୯୪୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ନିରଞ୍ଜନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ଚାରିଥର କାର୍ଯ୍ୟ କରିଥିଲେ । ୧୯୮୦, ୧୯୮୫, ୧୯୯୫ ଓ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାମଚନ୍ଦ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ, ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଭାରତର ପଶ୍ଚିମ କୂଳରେସ୍ଥିତ ମୁମ୍ବାଇ (ପୂର୍ବ ନାମ ବମ୍ବେ), ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ରାଜଧାନୀ । ଏହାର ଆନୁମାନିକ ଜନସଂଖ୍ୟା ୩ କୋଟି ୨୧ ଲକ୍ଷ, ଯାହାକି ଦେଶର ସର୍ବାଧିକ ଜନସଂଖ୍ୟା ଥିବା ସହର । ଏହାର ଉତ୍ପତ୍ତି ଲାଭାରୁ ନିର୍ଗତ ୭ଟି ଛୋଟ ଛୋଟ ଦ୍ୱୀପପୁଞ୍ଜକୁ ମିଶାଇ ହୋଇଛି, ଯାହା ମୂଳ ଭାରତୀୟ ଭୂଖଣ୍ଡକୁ ଏକ ପୋଲଦ୍ୱାରା ଯୋଡି ହୋଇଛି। ମୁମ୍ବାଇ ବନ୍ଦର ଭାରତର ସର୍ବଶ୍ରେଷ୍ଠ ସାମୁଦ୍ରିକ ବନ୍ଦର । ମୁମ୍ବାଇର ଉପକୂଳରେ ଫାଟ ଥିବାରୁ ଏହାର ପୋତାଶ୍ରୟ ପ୍ରକୃତିକ ଓ ସୁରକ୍ଷିତ । ଇଉରୋପ, ଆଫ୍ରିକା, ଆମେରିକା ଆଦି ପାଶ୍ଚାତ୍ୟ ଦେଶରୁ ଜଳମାର୍ଗ କିମ୍ବା ଆକାଶମାର୍ଗରୁ ଆସୁଥିବା ଯାତ୍ରୀ ସର୍ବପ୍ରଥମେ ମୁମ୍ବାଇ ଆସୁଥିବାରୁ, ମୁମ୍ବାଇକୁ ଭାରତର ପ୍ରବେଶଦ୍ୱାର ମଧ୍ୟ କୁହାଯାଏ।
ପ୍ରବହମାନ ଜଳର ଯାନ୍ତ୍ରିକ ଶକ୍ତି ବା ଗଚ୍ଛିତ ଜଳର ସ୍ଥିତିଜ ଶକ୍ତି ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ ହେଲେ ତାହାକୁ ଜଳ ବିଦ୍ୟୁତ୍ । ଏକ ଆକଳନ ଅନୁସାରେ ୨୦୧୫ରେ ବିଶ୍ୱରେ ଉତ୍ପାଦିତ ସମସ୍ତ ବିଦ୍ୟୁତ୍ ଶକ୍ତିର ପ୍ରାୟ ୧୬.୬% ଏବଂ ନବୀକରଣୀୟ ଉତ୍ସରୁ ଜାତ ବିଦ୍ୟୁତ୍ ଶକ୍ତିର ପ୍ରାୟ ୭୦% ଅଂଶ ଜଳ ବିଦ୍ୟୁତରୁ ମିଳିଥାଏ । ଏହି ପରିମାଣ ପ୍ରତି ବର୍ଷ ହାରାହାରି ୩.୧% ହିସାବରେ ଏହା ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ୨୦୧୩ର ଏକ ଗଣନା ଅନୁସାରେ ବିଶ୍ୱର ପ୍ରାୟ ୧୫୦ଟି ଦେଶରେ ଜଳ ବିଦ୍ୟୁତ୍ ଉତ୍ପାଦନ କରାଯାଏ । ସମଗ୍ର ଜଳ ବିଦ୍ୟୁତର ପ୍ରାୟ ୩୩% ଏସିଆର ପ୍ରଶାନ୍ତ ମହାସାଗର ତଟବର୍ତ୍ତୀ ଦେଶମାନଙ୍କରୁ ମିଳେ । ତନ୍ମଧ୍ୟରୁ ଜଳ-ବିଦ୍ୟୁତ୍ ଉତ୍ପାଦନରେ ଚୀନ ପ୍ରଥମ ।
କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬–୬ ଅପ୍ରେଲ ୧୯୯୪) ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଥିଲେ । ୧୯୩୦ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ ରଚନା କରିଥିଲେ । ତାଙ୍କର କେତେକ ଜଣାଶୁଣା ଉପନ୍ୟାସ ମଧ୍ୟରେ କା, ବାଲିରାଜା, ଶାସ୍ତି, ହା' ଅନ୍ନ, ଝଞ୍ଜା, ଶର୍ବରୀ, ତମସା ତୀରେ ଅନ୍ୟତମ । ୧୯୫୬ ମସିହାରେ ପ୍ରକାଶିତ ଉପନ୍ୟାସ କା ପାଇଁ ସେ ୧୯୫୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ସେ ସାହିତ୍ୟ ଏକାଡେମୀର ଫେଲୋ ମଧ୍ୟ ହୋଇଥିଲେ । ତାଙ୍କୁ "ଓଡ଼ିଶୀର ଅନ୍ୟତମ ଲୋକପ୍ରିୟ ଉପନ୍ୟାସକାର" ଭାବରେ ବିବେଚନା କରାଯାଏ । ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଧ୍ରୁବୀୟ ଜ୍ୟୋତି (ଈଂରାଜୀରେ aurora ବା polar lights ବା northern lights ବା southern lights) ଆକାଶରେ ଦୃଶ୍ୟମାନ ହେଉଥିବା ଏକ ପ୍ରକାରର ପ୍ରାକୃତିକ ଜ୍ୟୋତି । ଏହା ମୁଖ୍ୟତଃ କୁମେରୁ ବୃତ୍ତ/କୁମେରୁ ଓ ସୁମେରୁ ବୃତ୍ତ/ସୁମେରୁ ପରି ଉଚ୍ଚ ଅକ୍ଷାଂଶ ଅଞ୍ଚଳରେ ଦେଖାଯାଇଥାଏ । ଉତ୍ତର ଗୋଲାର୍ଦ୍ଧର ଧ୍ରୁବୀୟ ଜ୍ୟୋତିକୁ ଈଂରାଜୀରେ "ଔରୋରା ବୋରିଆଲିସ୍" (aurora borealis) ଓ ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁବୀୟ ଜ୍ୟୋତିକୁ “ଔରୋରା ଅଷ୍ଟ୍ରାଲିସ୍” (aurora australis) ବୋଲି କୁହାଯାଏ ।
ପ୍ରେମ ବିବାହ ଶବ୍ଦଟି ସାଧାରଣତଃ ଦକ୍ଷିଣ ଏସିଆ, ଖାସ କରି ଭାରତ,ପାକିସ୍ତାନ,ବଙ୍ଗଳାଦେଶ ଓ ଶ୍ରୀଲଙ୍କାରେ ବର୍ଣ୍ଣିତ ଅଟେ । ଏହା ଏପରି ଏକ ବିବାହ ଅଟେ ଯେଉଁଠାରେ ପୁଅ ଏବଂ ଝିଅ ନିଜ ଇଚ୍ଛାରେ ନିଜ ମନପସନ୍ଦ ସାଥି ସହିତ ପରିବାରର ସହମତି କିମ୍ବା ବିନା ସହମତିରେ ବିବାହ କରିଥାନ୍ତି । ପ୍ରେମ ବିବାହର କୌଣସି ସ୍ପଷ୍ଟ ପରିଭାଷା ନାହିଁ । ଏହା ସାଧାରଣତଃ ଏକ ବିବାହର ବର୍ଣ୍ଣନା କରିବା ପାଇଁ ଉପ୍ୟୋଗ କରାଯାଏ ଯାହା ଯୁଗଳର ଏକମାତ୍ର ନିର୍ଣ୍ଣୟ ଅଟେ ।
ଇରା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମିତ ଜଣେ ଓଡ଼ିଆ ପ୍ରଚ୍ଛଦପଟ ଗାୟିକା । ଇରା ମହାନ୍ତିଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି । ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତି । ବେଶ୍ ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ମେଲୋଡି ମଞ୍ଚରୁ ଆରମ୍ଭ କରିଥିଲେ ଗୀତ ଗାଇବା । ପରେ ସେ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ । ସମସ୍ତଙ୍କ ପାଖରେ ସେ ମେଲୋଡ଼ି କୁଇନ୍ ଭାବେର ବେଶ୍ ଜଣାଶୁଣା । ଏହା ଛଡ଼ା ସେ ଓଡ଼ିଶାର ବୁଲ୍ବୁଲ୍ ବୋଲି ମଧ୍ୟ ପ୍ରସିଦ୍ଧ । ଏବେ ସଂଗୀତ ସହ ସକ୍ରିୟ ରହିବା ସହ ସଂଗୀତ ସାଧନା ଜାରି ରଖିଛନ୍ତି ।
ବନ୍ଦେ ମାତରମ ଏକ ରାଷ୍ଟ୍ର ଭକ୍ତି କବିତା ଯାହା ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କଦ୍ୱାରା ୧୮୮୨ ମସିହାରେ ଆନନ୍ଦ ମଠ ଉପନ୍ୟାସରେ ଲେଖାଯାଇଥିଲା । ଏହା ସଂସ୍କୃତ ଓ ବଙ୍ଗଳା ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା ଦୁର୍ଗାଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ ରବୀନ୍ଦ୍ରନାଥ ଠାକୁର ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।