ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
"ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ରଘୁନାଥ ମହାପାତ୍ର (୨୩ ମାର୍ଚ୍ଚ ୧୯୪୩ - ୦୯ ମଇ ୨୦୨୧) ଜଣେ ଓଡ଼ିଆ ପଥର ଶିଳ୍ପୀ ଓ ସ୍ଥପତି ଥିଲେ । ତାଙ୍କ ପଥର ଶିଳ୍ପକଳା ନିମନ୍ତେ ୧୯୭୬ ମସିହାରେ ତାଙ୍କ ଭାରତ ସରକାର ୨୩ ବର୍ଷ ବୟସରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିଲେ । ସେ ଭୁବନେଶ୍ୱର ଉପକଣ୍ଠରେ ଥିବା "ଶିଳ୍ପୀ ଗ୍ରାମ" ଓ "ରଘୁନାଥ କ୍ରାଫ୍ଟସ୍"ର ପ୍ରତିଷ୍ଠାତା ଥିଲେ । ପୁରାତନ ଶୈଳୀରେ ନୂତନ ଭାବେ ନିର୍ମିତ ତାରାତାରିଣୀ ମନ୍ଦିରର ମୁଖ୍ୟ ସ୍ଥପତି ଭାବେ କାର୍ଯ୍ୟ କରିବା ସହ ସାରା ଭାରତରେ ଅନେକ ପ୍ରମୁଖ ମନ୍ଦିର ନିର୍ମାଣ କରିଥିଲେ ।
ବିଜୟ ମିଶ୍ର (୧୬ଜୁଲାଇ ୧୯୩୬ - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ । ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ , କୋଶଳ , କୋଙ୍ଗଦ , ଉଡ୍ର ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ ଓ ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଓଡ଼ିଶାରେ ଘରର ପୂର୍ବଜମାନଙ୍କୁ ବଡ଼ବଡ଼ିଆ ବା ବଡ଼ବଡ଼ୁଆ ବୋଲି କୁହାଯାଇଥାଏ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ଆପଣାର ମୃତ ପୂର୍ବପୁରୁଷଗଣଙ୍କୁ ବଡ଼ବଡ଼ିଆ କୁହାଯାଏ । ଏହି ଗ୍ରନ୍ଥ ଅନୁସାରେ ବଡ଼ବଡ଼ିଆ ଶବ୍ଦର ଅନ୍ୟ ଏକ ଅର୍ଥ ହେଲା ହାଣ୍ଡିଶାଳରେ ରଚିତ ପୂର୍ବପୁରୁଷମାନଙ୍କର କଳ୍ପିତ ପ୍ରତିମା । ଦୀପାବଳୀ ବା କାର୍ତ୍ତିକ ମାସର ଅମାବାସ୍ୟା ଦିନ ଲୋକେ କାଉଁରିଆ କାଠି ଜାଳି ତାହାର ଆଲୋକକୁ ଆକାଶକୁ ଦେଖାନ୍ତି ଯାହାଦ୍ୱାରା ପିତୃପୁରୁଷଙ୍କ ପଥ ଆଲୋକିତ ହୁଏ ବୋଲି ବିଶ୍ୱାସ ରହିଛି ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ
ଭାରତ ଏକ ସଂଗଠିତ ଗଣରାଜ୍ୟ ଏହା ୨୮ଟି ରାଜ୍ୟ ଓ ଆଠଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହୋଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁନର୍ବାର ଜିଲ୍ଲା ଆଦିରେ ଉପବିଭାଜିତ ହୋଇଛନ୍ତି । .
କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬–୬ ଅପ୍ରେଲ ୧୯୯୪) ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଥିଲେ । ୧୯୩୦ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ ରଚନା କରିଥିଲେ । ତାଙ୍କର କେତେକ ଜଣାଶୁଣା ଉପନ୍ୟାସ ମଧ୍ୟରେ କା, ବାଲିରାଜା, ଶାସ୍ତି, ହା' ଅନ୍ନ, ଝଞ୍ଜା, ଶର୍ବରୀ, ତମସା ତୀରେ ଅନ୍ୟତମ । ୧୯୫୬ ମସିହାରେ ପ୍ରକାଶିତ ଉପନ୍ୟାସ କା ପାଇଁ ସେ ୧୯୫୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ସେ ସାହିତ୍ୟ ଏକାଡେମୀର ଫେଲୋ ମଧ୍ୟ ହୋଇଥିଲେ । ତାଙ୍କୁ "ଓଡ଼ିଶୀର ଅନ୍ୟତମ ଲୋକପ୍ରିୟ ଉପନ୍ୟାସକାର" ଭାବରେ ବିବେଚନା କରାଯାଏ । ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।
ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏକ ସାରସ୍ୱତ ସମ୍ମାନ ଯାହା ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ସାହିତ୍ୟର ଜଣେ ସାହିତ୍ୟିକଙ୍କ ସମଗ୍ର ରଚନାବଳୀ ପାଇଁ ପ୍ରଦାନ କରାଯାଇଥାଏ । ଏହା ଏକାଡେମୀଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ସାରସ୍ୱତ ସମ୍ମାନ । ଏହା ପଞ୍ଚଦଶ ଶତାବ୍ଦୀର ଓଡ଼ିଆ କବି ଓ ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କ ନାମରେ ନାମିତ । ପୁରସ୍କାର ବିଜେତାଙ୍କୁ ମାନପତ୍ର, ଉପଢୌକନ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଏ । ୧୯୯୩ରୁ ପ୍ରବର୍ତ୍ତିତ ଏହି ସମ୍ମାନର ପ୍ରଥମ ପ୍ରାପକ ହେଉଛନ୍ତି ଓଡ଼ିଆ କବି ରାଧାମୋହନ ଗଡ଼ନାୟକ ।
ଗୁରୁ ପ୍ରସାଦ ମହାନ୍ତି (୧୬ ଜୁଲାଇ ୧୯୨୪ - ୨୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮) ଆଦି ଅନ୍ୟତମ । ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଗୁରୁ ପ୍ରସାଦ ମହାନ୍ତିଙ୍କ ସମ୍ପର୍କରେ ଗବେଷକ ଓ ସାହିତ୍ୟିକ ଡକ୍ଟର ସନ୍ତୋଷ କୁମାର ନାୟକ କହନ୍ତି, "ଓଡ଼ିଆ କବିତା କ୍ଷେତ୍ରରେ ନବ୍ୟ-ଆଧୁନିକତାର ପ୍ରକୃତ ପ୍ରବର୍ତ୍ତକ ହେଉଛନ୍ତି କବି ମେଜର ଗୁରୁ ପ୍ରସାଦ ମହାନ୍ତି । ସେ ଏକାଧାରରେ ଜଣେ ମେଜର୍ (ଏନ୍.ସି.ସି.
ଓଡ଼ିଶା ସରକାର, ଓଡ଼ିଶା ଓ ଓଡ଼ିଶାର ଅନ୍ତର୍ଗତ ୩୦ଟି ଜିଲ୍ଲାର ଶାସନ କାର୍ଯ୍ୟ ପରିଚାଳନା କରନ୍ତି । ଭାରତର ଅନ୍ୟ ରାଜ୍ୟ ଗୁଡ଼ିକ ଭଳି ରାଜ୍ୟପାଳ ରାଜ୍ୟର ପ୍ରଶାସନିକ ମୁଖ୍ୟ ଅଟନ୍ତି ଓ ସେ କେନ୍ଦ୍ର ସରକାରଙ୍କ ପରାମର୍ଶରେ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି । ତାଙ୍କର ପଦବୀ ମୁଖ୍ୟତଃ ଆନୁଷ୍ଠାନିକ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ସରକାରର ମୁଖ୍ୟ ଏବଂ ଅଧିକାଂଶ କାର୍ଯ୍ୟନିର୍ବାହୀ କ୍ଷମତା ତାଙ୍କ ଉପରେ ନ୍ୟସ୍ତ । ଭୁବନେଶ୍ୱର ହେଉଛି ଓଡ଼ିଶାର ରାଜଧାନୀ ଏବଂ ଏଥିରେ ବିଧାନ ସଭା (ବିଧାନ ସଭା) ଏବଂ ସଚିବାଳୟ ରହିଛନ୍ତି । କଟକଠାରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ଅବସ୍ଥିତ ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।
ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ। ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ରତି ରଞ୍ଜନ ମିଶ୍ର (୧ ଅକ୍ଟୋବର ୧୯୫୨–୧୯ ମଇ ୨୦୦୫) ଜଣେ ଭାରତୀୟ ଓଡ଼ିଆ ନାଟ୍ୟକାର ଓ ଆକାଶବାଣୀ କଟକର ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ ଥିଲେ । ସେ ୧୯୫୨ ମସିହାରେ, କେନ୍ଦୁଝର ଜିଲ୍ଲାର ଭୋଳାନୂଆଁ ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ପଦ୍ମନାଭ ମିଶ୍ର ଓ ମାତାଙ୍କ ନାମ ସୁଷମା ମିଶ୍ର ଥିଲା । ପିଲାଟି ଦିନରୁ ନାଟକ ପ୍ରତି ତାଙ୍କର ରୂଚି ରହିଥିଲା ଓ ସେ ୧୯୭୪ ମସିହାରେ ସେ ନାଟକ ରଚନା ଆରମ୍ଭ କରିଥିଲେ । ୧୯୭୭ ମସିହାରେ ସେ ଦୂରଦର୍ଶନ କେନ୍ଦ୍ର, କଟକରେ ଜଣେ ପ୍ରଯୋଜନା ସହକାରୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ୧୯୮୦ ମସିହାରେ, ସେ ଆକାଶବାଣୀ କଟକର ପ୍ରୋଗ୍ରାମ ଏକଜିକ୍ୟୁଟିଭ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ରତି ରଞ୍ଜନ, ପ୍ରାୟ ପଚାଶରୁ ଅଧିକ ନାଟକ ରଚନା କରିଥିଲେ ।
ଛ ମାଣ ଆଠ ଗୁଣ୍ଠ ୧୮୯୭ ମସିହାରେ ଫକୀର ମୋହନ ସେନାପତିଙ୍କ ରଚିତ ଏକ ଓଡ଼ିଆ ଉପନ୍ୟାସ । ଏହା ପ୍ରଥମେ ଏକ ଧାରାବାହିକ ଭାବରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଫକୀର ମୋହନ ଏହାକୁ "ଧୂର୍ଜଟୀ" ଛଦ୍ମନାମରେ ପ୍ରକାଶ କରାଇଥିଲେ । ସେତେବେଳର ଓଡ଼ିଶାର ସାଧାରଣ ଜୀବନ ଉପରେ ଆଧାରିତ ଏହା ଏକ ବାସ୍ତବଧର୍ମୀ ଉପନ୍ୟାସ ଥିଲା । ୧୯୮୬ରେ ପାର୍ବତୀ ଘୋଷ ଏହି ଉପନ୍ୟାସକୁ ଆଧାର କରି ସମାନ ନାମରେ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।
ଗୁଆ ଗଛ ଲମ୍ବା, ଉଚ୍ଚ ଓ ଏକ ଚିରହରିତ୍ ବୃକ୍ଷ । ଗଛର ଶୀର୍ଷରେ ମୁକୁଟ ସଦୃଶ୍ୟ ପତ୍ରଗୁଡ଼ିକ ରହିଥାଏ । ଏହା ଏକ ଶାଖାବିହୀନ ଉଦ୍ଭିଦ । ପତ୍ରର ତଳଭାଗରେ ଏକ ପ୍ରକାର ଆବରଣ ରହିଥାଏ । ଫଳଗୁଡ଼ିକ ଝୁଲି ହୋଇ ରହିଥାଏ । ଫଳ ୩.୮ରୁ ୫ ସେଣ୍ଟିମିଟର ଲମ୍ବ । ଏସବୁ ଦେଖିବାକୁ ଚିକ୍କଣ ଓ ନାରଙ୍ଗୀ ରଙ୍ଗର ହୋଇଥାଏ । ପାଚିଲେ ଅଳ୍ପ ଧୂସରିଆ ମିଶା ନାରଙ୍ଗୀ ରଙ୍ଗ ପାଲଟିଯାଏ । ଫଳରେ ରହିଥିବା ମଞ୍ଜିକୁ ଗୁଆ କହନ୍ତି । ଏହା ଔଷଧାଗାରରେ ବ୍ୟବହୃତ ହୋଇଥାଏ । ଗୁଆ ଗଛର ଫୁଲ, ଫଳ, ମୂଳ, ମଧ୍ୟସ୍ଥିତ ମଞ୍ଜପତ୍ର, କତା ଓ ବାହୁଙ୍ଗାକୁ ମଧ୍ୟ ଔଷଧ ରୂପେ ବ୍ୟବହାର କରାଯାଏ ।
ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ବିଶ୍ୱନାଥ କର, ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା, (୨୪ ଡିସେମ୍ବର ୧୮୬୪–୧୯ ଅକ୍ଟୋବର ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ, ବାଗ୍ମୀ ଥିଲେ । ସେ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ଥିଲେ ଓ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ତଥା ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ "ରାୟ ବାହାଦୁର" ଉପାଧୀ ପାଇ ତାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ ବିବିଧା ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ । ପୁସ୍ତକଟି ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ ଉତ୍କଳ ସାହିତ୍ୟରେ ପୂର୍ବରୁ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଚିନ୍ତାମଣି ମହାନ୍ତି (୧୬ ମାର୍ଚ୍ଚ ୧୮୬୭–୧୭ ଡିସେମ୍ବର ୧୯୪୩) ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ କବି, ଲେଖକ ଓ ଶିକ୍ଷକ ଥିଲେ । ସେ ତତ୍କାଳୀନ ଉତ୍କଳର ବିଭିନ୍ନ ସ୍ଥାନ ବୁଲି ସ୍ଥାନୀୟ ପ୍ରକୃତି ଓ ସାମାଜିକ ଜୀବନ ଆଦି ଅଧ୍ୟୟନ କରିଥିଲେ ଓ ତାହା ଆଧାରରେ ଓଡ଼ିଆରେ କାବ୍ୟକବିତା ରଚନା କରିଥିଲେ । ତାଙ୍କ ସାହିତ୍ୟରେ ରାଧାନାଥ ରାୟଙ୍କ ପ୍ରଭାବ ବହୁ ଭାବରେ ରହିଛି । ତାଙ୍କ ବିଶିଷ୍ଟ ରଚନାଗୁଡ଼ିକ ମଧ୍ୟରୁ ମହେନ୍ଦ୍ରଗିରି ଅନ୍ୟତମ ଏବଂ ସେଥିରେ ରାଧାନାଥଙ୍କ ଚିଲିକା ଖଣ୍ଡକାବ୍ୟର ପ୍ରଭାବ ରହିଛି । ତାହା ବାଦ ସେ ସୁରଙ୍ଗୀ, ଉଦ୍ୟାନଖଣ୍ଡ, ବିକ୍ରମାଦିତ୍ୟ, ମୁକୁନ୍ଦଦେବ ଓ ସୁଭଦ୍ରା ଆଦି କାବ୍ୟଗ୍ରନ୍ଥ, ପତ୍ର-ପୁଷ୍ପ ଛୋଟ କବିତାସଂଗ୍ରହ, ଏବଂ ଓଡ଼ିଶାର ସାମାଜିକ ସଂସ୍କାର ଉପରେ ଆଧାରିତ ଶନିସପ୍ତା ଓ ଟଙ୍କାଗଛ ଆଦି ଉପନ୍ୟାସ । ବିଶିଷ୍ଟ ଲେଖକ ଓ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ମହାନ୍ତି ତାଙ୍କ ପୁଅ ।
ଓଡ଼ିଆ: ଓଡ଼ିଶା ସାହିତ୍ୟ ଏକାଡେମି ଏକ ସ୍ୱୟଂଶାସିତ ସାହିତ୍ୟିକ ଅନୁଷ୍ଠାନ । ଏହା ଓଡ଼ିଶା ସରକାର ୧୯୫୭ ମସିହାରେ ଗଠନ କରିଥିଲେ। । ଏହାର ଲକ୍ଷ୍ୟ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରୋତ୍ସାହନ , ସାହିତ୍ୟ ସମ୍ବନ୍ଧୀୟ କ୍ରିୟାକଳାପଦ୍ୱାରା ଓଡ଼ିଶାର ସାଂସ୍କୃତିକ ଐକ୍ୟ ସୁଦୃଢ କରିବା । ୧୯୭୦ ମସିହା ଜୁଲାଇ ୨୫ ତାରିଖରେ ସାହିତ୍ୟ ଏକାଡେମୀର ସମ୍ବିଧାନ ପ୍ରଣୟନ କରାଯାଇଥିଲା ଓ ଏହାକୁ ସ୍ୱୟଂଶାସିତ ସଂଗଠନର ମର୍ଯ୍ୟଦା ଦିଆ ଯାଇଥିଲା ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ଘାସିରାମ ମାଝି (୧୭ ଜୁଲାଇ ୧୯୨୪ - ୨୩ ଅପ୍ରେଲ ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସାତ ଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୭୧, ୧୯୭୭, ୧୯୮୫, ୧୯୯୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନୂଆପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ, ୫ମ, ୭ମ, ୯ମ, ୧୦ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଇରା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମିତ ଜଣେ ଓଡ଼ିଆ ପ୍ରଚ୍ଛଦପଟ ଗାୟିକା । ଇରା ମହାନ୍ତିଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି । ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତି । ବେଶ୍ ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ମେଲୋଡି ମଞ୍ଚରୁ ଆରମ୍ଭ କରିଥିଲେ ଗୀତ ଗାଇବା । ପରେ ସେ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ । ସମସ୍ତଙ୍କ ପାଖରେ ସେ ମେଲୋଡ଼ି କୁଇନ୍ ଭାବେର ବେଶ୍ ଜଣାଶୁଣା । ଏହା ଛଡ଼ା ସେ ଓଡ଼ିଶାର ବୁଲ୍ବୁଲ୍ ବୋଲି ମଧ୍ୟ ପ୍ରସିଦ୍ଧ । ଏବେ ସଂଗୀତ ସହ ସକ୍ରିୟ ରହିବା ସହ ସଂଗୀତ ସାଧନା ଜାରି ରଖିଛନ୍ତି ।
କାଳୀ ଦଶମହାବିଦ୍ୟା ମଧ୍ୟରୁ ଅନ୍ୟତମ ଓ ଦେବୀ ଦୁର୍ଗାଙ୍କର ଶକ୍ତିଶାଳୀ ସ୍ୱରୂପ। କାଳରୂପୀ ଶିବଙ୍କର ଶକ୍ତି କାଳୀ ନାମରେ ମଧ୍ୟ ପରିଚିତା । ଚଣ୍ଡାସୁର ବଧ ସମୟରେ ଏହାଙ୍କର ଉତ୍ପତ୍ତି, ଏ ରକ୍ତବୀଜର ରକ୍ତ ପାନ କରିଥିଲେ । ଦକ୍ଷଯଜ୍ଞ ସମୟରେ ସତୀ ଏହି ମୂର୍ତ୍ତି ଧାରଣ କରିଥିଲେ । ମା’ କାଳୀ ସ୍ୱରୂପରେ ଭୟଙ୍କର କୃଷ୍ଣକାୟା, ଚତୁର୍ଭୁଜା, ନଗ୍ନା, ଲୋଳଜିହ୍ୱା (ଲହକା ଜିଭ), ମୁଣ୍ଡମାଳାଧାରିଣୀ । ତାଙ୍କର ଗୋଟିଏ ହାତ ଛିନ୍ନ-ମସ୍ତକ (ନରମୁଣ୍ଡ ବା ଖପର) ଧାରିଣୀ, ଅନ୍ୟଟି ଖଡ୍ଗ (ଖଣ୍ଡା)ରେ ଶୋଭିତ, ତୃତୀୟଟି ତ୍ରିଶୁଳ ଧାରଣ କରି ପାପୀ ରାକ୍ଷସମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରେ ଏବଂ ଚତୁର୍ଥଟି ଭକ୍ତମାନଙ୍କୁ ଅଭୟ ମୁଦ୍ରାରେ ଆଶ୍ୱାସନା ଓ ଆଶୀର୍ବାଦ ଦେଇଥାଏ । ଭୀଷଣ ଭୟଙ୍କର ରୂପରେ ସେ ଶିବଙ୍କ ଉପରେ ଦଣ୍ଡାୟମାନା ।
ବାଲିଯାତ୍ରା (ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା)ଏକ ଓଡ଼ିଆ ପର୍ବ । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ ।
ପାର୍ବତୀ ହିନ୍ଦୁ ଦେବୀ ଭାବରେ ପୁଜ୍ୟ।ମହାଦେବ ଶିବଙ୍କ ସ୍ତ୍ରୀ ଓ ମହାଦେବୀ ଭାବରେ ପ୍ରଖ୍ୟାତ । ପାର୍ବତୀଙ୍କ ମାତାଙ୍କ ନାମ ମେନକା । ସେ ହିମାଳୟଙ୍କ ପୁତ୍ରି ଓ ଗଣେଶ ଓ କାର୍ତ୍ତିକେୟଙ୍କ ମାତା । ଉମା, ଗୌରୀ, ଅମ୍ବିକା, ଭବାନୀ ନାମରେ ମଧ୍ୟ ସେ ପୂଜାପାଇଥାନ୍ତି । ପାର୍ବତୀଙ୍କ ଜନ୍ମ ହୋଇଥିବା ଶୁଣି ଦେବର୍ଷି ନାରଦ ହିମାଳୟଙ୍କ ଘରକୁ ଆସିଥିଲେ । ହିମାଳୟ ପଚାରିବାରୁନାରଦ ହିମାଳୟଙ୍କୁ ପାର୍ବତୀଙ୍କ ବିଷୟରେ କହିଥିଲେ ଯେ,ଆପଣଙ୍କ କନ୍ୟା ସର୍ବ ସୁଲକ୍ଷଣା ଓ ତାଙ୍କର ବିବାହ ଭଗବାନ ଶିବଙ୍କ ସହ ହେବ । କିନ୍ତୁ ମହାଦେବଙ୍କୁ ପତି ରୂପରେ ପାଇବାକୁ ତୁମ ପୁତ୍ରିଙ୍କୁ ଘୋର ତପସ୍ୟା କରିବାକୁ ପଡ଼ିବ।
ଭାରତୀୟ ଲୋଟଣୀ, ଭଦଭଦଳିଆ ଚଢ଼େଇ ଓଡ଼ିଶାର ଗର୍ବ ଓ ସଙ୍କେତ ଅଟେ । ଏହାକୁ ଓଡ଼ିଶାର ରାଜ୍ୟ ପକ୍ଷୀ (State Bird of Odisha) ଭାବେ ଘୋଷଣା କରାଯାଇଅଛି । ଏହି ପକ୍ଷୀ ମୁଖ୍ୟତଃ ଭାରତୀୟ ଉପମହାଦେଶରେ ଦେଖିବାକୁ ମିଳିଥାଏ । ଏହାଛଡା ଥାଇଲାଣ୍ଡ ଓ ଇରାକରେ ମଧ୍ୟ ଏମାନେ ଦେଖା ଯାଆନ୍ତି । ଭାରତର ଅନେକ ରାଜ୍ୟ ଏହି ପକ୍ଷୀକୁ ସେମାନଙ୍କର ରାଜ୍ୟ ପକ୍ଷୀ ଭାବେ ଘୋଷଣା କରିଛନ୍ତି ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
ବିନାୟକ ଦାମୋଦର ସାବରକର, ମରାଠୀ ଉଚ୍ଚାରଣ: [ʋinaːjək saːʋəɾkəɾɾ]; ୨୮ ମଇ ୧୮୮୩ - ୨୬ ଫେବୃଆରୀ ୧୯୬୬) ଜଣେ ଭାରତୀୟ ରାଜନୀତିଜ୍ଞ, ସମାଜସେବୀ ଓ ଲେଖକ ଥିଲେ । ସାବରକର ୧୯୨୨ ମସିହାରେ ରତ୍ନଗିରିରେ ଜେଲରେ ଥିବା ବେଳେ ହିନ୍ଦୁତ୍ୱର ହିନ୍ଦୁ ଜାତୀୟତାବାଦୀ ରାଜନୈତିକ ଆଦର୍ଶ ବିକାଶ କରିଥିଲେ । ସେ ହିନ୍ଦୁ ମହାସଭାରେ ଜଣେ ଅଗ୍ରଣୀ ବ୍ୟକ୍ତିତ୍ୱ ଥିଲେ । ସେ ତାଙ୍କ ଆତ୍ମଜୀବନୀ ଲେଖିବା ପରଠାରୁ ସମ୍ମାନଜନକ ଉପସର୍ଗ 'ବୀର' (ଅର୍ଥାତ ସାହସୀ) ବ୍ୟବହାର କରିବା ଆରମ୍ଭ କରିଥିଲେ । ସାବରକର ହିନ୍ଦୁ ମହାସଭାରେ ଯୋଗ ଦେଇ ହିନ୍ଦୁତ୍ୱ (ହିନ୍ଦୁତ୍ୱ) ଶବ୍ଦକୁ ଲୋକପ୍ରିୟ କରି ଭାରତର ସାରସ୍ୱରୂପ ଏକ ସାମୂହିକ "ହିନ୍ଦୁ" ପରିଚୟ ସୃଷ୍ଟି କରିଥିଲେ । ସାବରକର ଜଣେ ନାସ୍ତିକ ଥିଲେ ।
ଜାପାନର ପ୍ରଶାସନିକ ଆଦେଶ ଦ୍ୱାରା ନିର୍ଦ୍ଦେଶିତ ସହର
ପ୍ରଶାସନ ଆଦେଶଦ୍ୱାରା ନିର୍ଦ୍ଦେଶିତ ସହର (ସେଇରେଇ ଶିତେଇ ତୋଶୀ; 政令指定都市) ବା ନିର୍ଦ୍ଦେଶିତ ସହର (ଶିତେଇ ତୋଶୀ; 指定都市) ବା ପ୍ରଶାସନିକ ଆଦେଶପ୍ରାପ୍ତ ସହର (ସେଇରେଇ ତୋଶୀ; 政令市), ହେଉଛି ଏକ ଜାପାନୀ ସହର ଯାହାର ଜନସଂଖ୍ୟା ୫,୦୦,୦୦୦ରୁ ଅଧିକ ଥିବ ଏବଂ ଯାହାକୁ ଜାପାନୀ କ୍ଯାବିନେଟ ନିର୍ଦ୍ଦେଶ ଦେଇଥିବ । ଜାପାନୀ ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମର ଧାରା ୨୫୨ ବିଭାଗ ୧୯ରେ ଏଥିପାଇଁ ନିୟମ ଉଲ୍ଲେଖ ଅଛି ।
ପ୍ରାଣବନ୍ଧୁ କର (୧ ଡିସେମ୍ବର ୧୯୧୪ - ୩୦ ମାର୍ଚ୍ଚ ୧୯୯୮) ଜଣେ ଅଧ୍ୟାପକ, ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ତାଙ୍କ ରଚିତ କେତେକ ଜଣାଶୁଣା ରଚନା ମଧ୍ୟରେ ଅଶାନ୍ତ, ଶ୍ୱେତପଦ୍ମା ଆଦି ନାଟକ, ଦୂରପାହାଡ଼ ଓ ପେଟୁ ଏକାଙ୍କିକା, ଷଣ୍ଢ ଲଢେଇ ଓ ସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟର ଓ ଫତୁରାନନ୍ଦଙ୍କ ନାକଟା ଚିତ୍ରକରର ନାଟ୍ୟରୂପ ଦେଇଥିଲେ । ତାଙ୍କର ଅଶାନ୍ତ ନାଟକ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସ୍ନାୟୁ ସଂହାର ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ଶ୍ରୀ ଅରବିନ୍ଦ (ବଙ୍ଗାଳୀ - শ্রী অরবিন্দ - Sri Ôrobindo) ହେଉଛନ୍ତି ଏକାଧାରରେ ଜଣେ ଯୋଗୀ, ଗୁରୁ, କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ, ଦାର୍ଶନିକ ତଥା କବି । ସେ ୧୫ ଅଗଷ୍ଟ ୧୮୭୨ ମସିହାରେ ଇଂରେଜ ଶାସନାଧୀନ ଭାରତର କଲିକତା ନଗରରେ ଭୂମିଷ୍ଠ ହୋଇଥିଲେ । ମାନବ ଜାତିର ପୂର୍ଣାଙ୍ଗ ଅଭ୍ୟୁଦୟ ସମ୍ବନ୍ଧରେ ନିଜର ଦର୍ଶନ ବିକଶିତ ହେବା ଆଗରୁ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ସେ ଜଣେ ମହାନ ନେତା ହିସାବରେ ପରିଚିତ ହୋଇ ଅଛନ୍ତି। ସେ ସଶସ୍ତ୍ର ସଂଗ୍ରାମରେ ବିଶ୍ୱାସୀ ଥିଲେ । ଶ୍ରୀ ଅରବିନ୍ଦଙ୍କ ଦର୍ଶନର ମୂଳ ତତ୍ତ୍ୱ ହେଉଛି ସାଧାରଣ ମାନବ ଜୀବନକୁ ଦିବ୍ୟ ଜୀବନରେ ରୂପାନ୍ତରଣ କରିବା । ସେ କହିଛନ୍ତି, ‘ମଣିଷ ହେଉଛି ଏକ ବିକାଶୋନ୍ମୁଖୀ ସତ୍ତା। ସେ ପୂର୍ଣ ବିକଶିତ ନୁହେଁ। ମାନସରୁ ଅତିମାନସ ପର୍ଯ୍ୟନ୍ତ ବିକାଶ ହେଉଛି ବିଶ୍ୱ ଚେତନା ଉତ୍ତରଣର ପରବର୍ତ୍ତୀ ମାଇଲ ଖୁଣ୍ଟ । ଆଉ ଏହା ଅତି ଆବଶ୍ୟକ କାରଣ ଏହା ହେଉଛି ଅନ୍ତରାତ୍ମାର ମୂଳ ଉଦ୍ଦେଶ୍ୟ ଓ ନୈସର୍ଗିକ ନିୟମ।’ ଏହିପରି ଭାବରେ ଶ୍ରୀ ଅରବିନ୍ଦ ‘ମୁକ୍ତି’କୁ ଏକ ଭିନ୍ନ ରୂପରେ ପ୍ରତି ପାଦନ କରିଛନ୍ତି, ଯାହା ବୈୟକ୍ତିକ ନୁହେଁ ବରଂ ସାମଗ୍ରିକ, ସମ୍ପୂର୍ଣ୍ଣ ମାନବ ସମାଜର ଉତ୍ତରଣରେ ବିଶ୍ୱାସୀ। ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ, ଧର୍ମ, ସାହିତ୍ୟ ଓ ମନୋବିଜ୍ଞାନର ସମନ୍ୱୟ ଶ୍ରୀ ଅରବିନ୍ଦଙ୍କ ଲେଖାରେ ଦେଖିବାକୁ ମିଳେ। ଶ୍ରୀ ଅରବିନ୍ଦଙ୍କ କୃତି ଭିତରେ ଦର୍ଶନ, କାବ୍ୟ, ବେଦ, ଉପନିଷଦ ଏବଂ ଗୀତା ଆଦିର ଅନୁବାଦ ଓ ଟୀକା, ନାଟକ, ସାମାଜିକ, ରାଜନୈତିକ ଓ ଐତିହାସିକ ସମାଲୋଚନା, ଆଧ୍ୟାତ୍ମିକ ଲେଖା, ପତ୍ର ପତ୍ରିକା ଓ ପତ୍ରାବଳୀ ଆଦି ଅନ୍ତର୍ଭୁକ୍ତ। ତାଙ୍କର ସାହିତ୍ୟିକ ସୃଷ୍ଟି ଦର୍ଶନ, କାବ୍ୟ ଓ ନାଟକୀୟତାରେ ଏକ ମଧୁର ସମନ୍ୱୟରେ ସୁଗଠିତ ଯାହା କିଞ୍ଚିତ୍ ଜଟିଳ, ଓ ସହଜରେ ବୋଧଗମ୍ୟ ନୁହେଁ। ତାଙ୍କର କତିପୟ ରଚନା ବଳି ନିମ୍ନରେ ପ୍ରଦତ୍ତ ହେଲା। ଦ ଲାଇଫ ଡିଭାଇନ The Life Divine (1940), ଦ ହ୍ୟୁମାନ ସାଇକଲ The Human Cycle (1949), ଦ ଆଇଡିଆଲ ଅଫ ହ୍ୟୁମାନ ୟୁନିଟି The Ideal of Human Unity (1949), ଅନ ଦି ବେଦ On the Veda (1956), କଲେକ୍ଟେଡ ପଏମସ ଏଣ୍ଡ ପ୍ଲେଜCollected Poems and Plays (1942), ଏସେଜ ଅନ ଦି ଗୀତାEssays on the Gita (1928), ଦ ସିନ୍ଥେସିସ ଅନ ଯୋଗ The Synthesis of Yoga (1948), and ସାବିତ୍ରୀ : ଏ ଲିଜେଣ୍ଡ ଏଣ୍ଡ ଏ ସିମ୍ବଲ Savitri: A Legend and a Symbol (1950).
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଗୋପବନ୍ଧୁ ଦାସଙ୍କଦ୍ୱାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଛୁରିଅନା ବକୁଳବନରୁ ତାଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ଏହା ଏକ ସଙ୍ଗେ କଟକ, ବାଲେଶ୍ୱର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ୱାରା ପରିଚାଳିତ ହେଉଛି । ତପନ କୁମାର ମିଶ୍ର ଏବେ ସମାଜର ସମ୍ପାଦକ ଏବଂ ରାଜେନ୍ଦ୍ର ଜେନା ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ବାଘା ଯତୀନ (ଯତୀନ୍ଦ୍ରନାଥ ମୁଖୋପାଧ୍ୟାୟ) (୭ ଡିସେମ୍ବର ୧୮୭୯-୧୦ ସେପ୍ଟେମ୍ବର ୧୯୧୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଫିରିଙ୍ଗିମାନଙ୍କ ବିରୋଧରେ ଲଢ଼ାଇ କରି ଦେଶ ପାଇଁ ପ୍ରାଣବଳି ଦେଇଥିଲେ । ବାଲେଶ୍ୱର-ହଳଦୀପଦା ରାସ୍ତାରେ ଥିବା ଚଷାଖଣ୍ଡ ଗାଁରେ ତାଙ୍କର ଜନ୍ମ ହୋଇଥିଲା । ଏଠାରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମିତ । ସବୁ ବର୍ଷ ସେପ୍ଟେମ୍ବର ୧୦ ତାରିଖରେ ଏଠାକାର ଲୋକମାନେ ତାଙ୍କର ସ୍ମାରକୀ ପାଳନ କରିଥାନ୍ତି ।
ଓଡ଼ିଶୀ ଭାରତରେ ପ୍ରଚଳିତ ଓ ଓଡ଼ିଶାରୁ ଆରମ୍ଭ ହୋଇଥିବା ଏକ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରମ୍ପରା । ଏଥିରେ ଅନ୍ତର୍ଭୁକ୍ତ ଓଡ଼ିଶୀ ନୃତ୍ୟକୁ ଭାରତ ସରକାର ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତକୁ ଓଡ଼ିଶା ସରକାର ଶାସ୍ତ୍ରୀୟ ସଙ୍ଗୀତ ତାଲିକାଭୁକ୍ତ କରିଛନ୍ତି । ଓଡ଼ିଶା ତତ୍କାଳୀନ କଳିଙ୍ଗର ଅଂଶ ଥିଲା ଓ ଖାରବେଳଙ୍କ ସମୟରେ ଖୋଦିତ ରାଣୀଗୁମ୍ଫା, ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ବର୍ତ୍ତମାନର ଓଡ଼ିଶୀ ନୃତ୍ୟର ସହ ସମ୍ବନ୍ଧ ଦର୍ଶାଇଥାଏ । ପ୍ରଥମ ଖ୍ରୀଷ୍ଟପୂର୍ବ କାଳରେ ଆଧୁନିକ ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଓ ଉଦୟଗିରିଠାରେ ଓଡ଼ିଶୀ ଏକ ଉନ୍ନତ ନୃତ୍ୟକଳାରେ ପରିଣତ ହୋଇସାରିଥିଲା । ଭରତ ତାଙ୍କ ରଚିତ ନାଟ୍ୟ ଶାସ୍ତ୍ରରେ କଳିଙ୍ଗ ନୃତ୍ୟ ଶୈଳୀରେ ଓଡ଼ିଶୀ ନୃତ୍ୟ ବାବଦରେ ବର୍ଣ୍ଣନା କରି ଏହାର ନାମ ଓଡ୍ର-ମାଗଧି ବୋଲି ଉଲ୍ଲେଖ କରିଥିଲେ । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର, ବୈତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର, ଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅ ଆଦି ନୃତ୍ୟ ପରମ୍ପରାଦ୍ୱାରା ପରିବେଷିତ ହୋଇଆସୁଛି । ଭାରତ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମକରଣ କରାଗଲା ଓ ୧୯୬୪ ମସିହାରେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ପାଇଲା । ଏହି ପଦଃକ୍ଷେପ ପଛରେ ମୁଖ୍ୟତଃ ନୃତ୍ୟଗୁରୁ କାଳୀଚରଣ ପଟ୍ଟନାୟକ, ପଙ୍କଜ ଚରଣ ଦାସ, ଦେବ ପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ରଙ୍କ ଭୂମିକା ଅନ୍ୟତମ । ଏହି ନୃତ୍ୟରେ ପଖଉଜ, ବେହେଲା, ଗିନି, ଝାଞ୍ଜ ଓ ବଂଶୀ ଆଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ ।