ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଓଡ଼ିଶାରେ ଘରର ପୂର୍ବଜମାନଙ୍କୁ ବଡ଼ବଡ଼ିଆ ବା ବଡ଼ବଡ଼ୁଆ ବୋଲି କୁହାଯାଇଥାଏ । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ଆପଣାର ମୃତ ପୂର୍ବପୁରୁଷଗଣଙ୍କୁ ବଡ଼ବଡ଼ିଆ କୁହାଯାଏ । ଏହି ଗ୍ରନ୍ଥ ଅନୁସାରେ ବଡ଼ବଡ଼ିଆ ଶବ୍ଦର ଅନ୍ୟ ଏକ ଅର୍ଥ ହେଲା ହାଣ୍ଡିଶାଳରେ ରଚିତ ପୂର୍ବପୁରୁଷମାନଙ୍କର କଳ୍ପିତ ପ୍ରତିମା । ଦୀପାବଳୀ ବା କାର୍ତ୍ତିକ ମାସର ଅମାବାସ୍ୟା ଦିନ ଲୋକେ କାଉଁରିଆ କାଠି ଜାଳି ତାହାର ଆଲୋକକୁ ଆକାଶକୁ ଦେଖାନ୍ତି ଯାହାଦ୍ୱାରା ପିତୃପୁରୁଷଙ୍କ ପଥ ଆଲୋକିତ ହୁଏ ବୋଲି ବିଶ୍ୱାସ ରହିଛି ।
କାଳୀ ଦଶମହାବିଦ୍ୟା ମଧ୍ୟରୁ ଅନ୍ୟତମ ଓ ଦେବୀ ଦୁର୍ଗାଙ୍କର ଶକ୍ତିଶାଳୀ ସ୍ୱରୂପ। କାଳରୂପୀ ଶିବଙ୍କର ଶକ୍ତି କାଳୀ ନାମରେ ମଧ୍ୟ ପରିଚିତା । ଚଣ୍ଡାସୁର ବଧ ସମୟରେ ଏହାଙ୍କର ଉତ୍ପତ୍ତି, ଏ ରକ୍ତବୀଜର ରକ୍ତ ପାନ କରିଥିଲେ । ଦକ୍ଷଯଜ୍ଞ ସମୟରେ ସତୀ ଏହି ମୂର୍ତ୍ତି ଧାରଣ କରିଥିଲେ । ମା’ କାଳୀ ସ୍ୱରୂପରେ ଭୟଙ୍କର କୃଷ୍ଣକାୟା, ଚତୁର୍ଭୁଜା, ନଗ୍ନା, ଲୋଳଜିହ୍ୱା (ଲହକା ଜିଭ), ମୁଣ୍ଡମାଳାଧାରିଣୀ । ତାଙ୍କର ଗୋଟିଏ ହାତ ଛିନ୍ନ-ମସ୍ତକ (ନରମୁଣ୍ଡ ବା ଖପର) ଧାରିଣୀ, ଅନ୍ୟଟି ଖଡ୍ଗ (ଖଣ୍ଡା)ରେ ଶୋଭିତ, ତୃତୀୟଟି ତ୍ରିଶୁଳ ଧାରଣ କରି ପାପୀ ରାକ୍ଷସମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରେ ଏବଂ ଚତୁର୍ଥଟି ଭକ୍ତମାନଙ୍କୁ ଅଭୟ ମୁଦ୍ରାରେ ଆଶ୍ୱାସନା ଓ ଆଶୀର୍ବାଦ ଦେଇଥାଏ । ଭୀଷଣ ଭୟଙ୍କର ରୂପରେ ସେ ଶିବଙ୍କ ଉପରେ ଦଣ୍ଡାୟମାନା ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
"ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ , କୋଶଳ , କୋଙ୍ଗଦ , ଉଡ୍ର ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।
ଅର୍ଥଶାସ୍ତ୍ର ପ୍ରାଚୀନ ଭାରତର ଏକ ରଚନା । ଏହା ସଂସ୍କୃତ ଭାଷାରେ ଲିଖିତ ଏବଂ ଏଥିରେ ରାଜ୍ୟ ପରିଚାଳନା, ରାଜନୀତି, ସମରନୀତି ପରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ବର୍ଣ୍ଣିତ ହୋଇଛି । କୌଟିଲ୍ୟ ଏହି ଶାସ୍ତ୍ରର ରଚୟିତା । କୌଟିଲ୍ୟ ବିଷ୍ଣୁଗୁପ୍ତ ଓ ଚାଣକ୍ୟ ନାମରେ ମଧ୍ୟ ପ୍ରସିଦ୍ଧ । କେତେକ ମତାନୁସାରେ ଅନେକ ଶତାବ୍ଦୀ ଧରି ବିଭିନ୍ନ ଶ୍ଳୋକର ସମାହାରରେ ଏହି ଶାସ୍ତ୍ରର ରଚନା ହୋଇଛି ଏବଂ ଏହାର ମୁଖ୍ୟ ଶ୍ରେୟ ଚାଣକ୍ୟଙ୍କୁ ଦିଆଯାଇଛି । ତକ୍ଷଶିଳାର ମହାଜ୍ଞାନୀ ଚାଣକ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଗୁରୁ ଓ ଉପଦେଷ୍ଟା ଥିଲେ । କିନ୍ତୁ କେତେକ ଐତିହାସିକ ଏହି ତଥ୍ୟକୁ ଗ୍ରହଣ କରି ନାହାନ୍ତି।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଲିପି ଜଣେ ଓଡ଼ିଆ ଆଲବମ ଏବଂ କଥାଚିତ୍ର ଅଭିନେତ୍ରୀ । ମୁଁ ବିନା ଘୁଙ୍ଗୁରରେ ନାଚିବି ଆଲବମ୍ ଜରିଆରେ ଆଲବମ୍ ଦୁନିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ସେ ପାଖାପାଖି ୩୦୦୦ଟି ଆଲବମ୍ରେ ଅଭିନୟ କରିଥିଲେ । ୨୦୦୫ରେ ପ୍ରଶାନ୍ତ ନନ୍ଦ ଙ୍କ ନିର୍ଦ୍ଦେଶିତ ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରେ ଲିପି ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ Jayaprakash Mohanty ଙ୍କ ନିର୍ଦ୍ଦେଶିତ ବ୍ୟାଡ଼୍ ଗାର୍ଲ 'ତୁ ମୋରି ପାଇଁ' ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ପରେ Daddy, Galpa Nuhe Alpa Dinara, Mimansa ଭଳି ଚଳଚ୍ଚିତ୍ର ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି। ଲିପି ଅନୁଭବ ମହାନ୍ତି ଙ୍କ ଠାରୁ ଆରମ୍ଭ କରି ଆକାଶ ଦାସ ନାୟକ ଭଳି ବରିଷ୍ଠ କଳାକାର ଙ୍କ ସହିତ ଅଭିନୟ କରିଛନ୍ତି।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ମାର୍ଗଶୀର ମାସ ଚତୁର୍ଦ୍ଦଶୀ ତିଥିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ଦେବଦୀପାବଳି ଉତ୍ସବ ଅନୁଷ୍ଠିତ ହୋଇଥାଏ । ସାଧାରଣ ହିନ୍ଦୁମାନେ ଯେପରି କାର୍ତ୍ତିକ ଅମାବାସ୍ୟା ତିଥି, ଦୀପାବଳି ଦିନ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରି ଦୀପଦାନ କରିଥାନ୍ତି, ଠିକ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି ।
ମହାଳୟା (ଇଂରାଜୀ: Mahalaya, ମହାଳୟା ଅମାବାସ୍ୟା ନାମରେ ମଧ୍ୟ ଜଣା) ଭାରତର ରାଜ୍ୟ ଓଡ଼ିିିଶାର ଏକ ଧର୍ମଭିତ୍ତିକ ପର୍ବ । ଏହା ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକ ଶ୍ରାଦ୍ଧ କର୍ମ । ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ '''ମହାଳୟା ଶ୍ରାଦ୍ଧ''', '''ସାମ୍ବତ୍ସରିକ ଶ୍ରାଦ୍ଧ''' ବା '''ପାର୍ବଣ ଶ୍ରାଦ୍ଧ''' ବା '''ମଉଳା ଶ୍ରାଦ୍ଧ''' କୁହାଯାଏ ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ବିଶ୍ୱନାଥ କର, ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା, (୨୪ ଡିସେମ୍ବର ୧୮୬୪–୧୯ ଅକ୍ଟୋବର ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ, ବାଗ୍ମୀ ଥିଲେ । ସେ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ଥିଲେ ଓ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ତଥା ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ "ରାୟ ବାହାଦୁର" ଉପାଧୀ ପାଇ ତାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ ବିବିଧା ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ । ପୁସ୍ତକଟି ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ ଉତ୍କଳ ସାହିତ୍ୟରେ ପୂର୍ବରୁ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ମହାକାଳୀ (ସଂସ୍କୃତ: Mahākālī, Devanagari: महाकाली), କାଳ (ସମୟ) ଓ ମୃତ୍ୟୁର ଦେବୀ, ମହାନ ଦେବୀ, ମହାଦେବୀ। ତାଙ୍କୁ ଶିବଙ୍କର ସହଚରୀ ବୋଲି କୁହାଯାଏ। ସେ ହେଉଛନ୍ତି ଚିତ୍ ଶକ୍ତି, ବାସ୍ତବତା (ତଳେ ଦେଖନ୍ତୁ) ଏବଂ ଅସ୍ତିତ୍ୱର ଆଧାର। ସେ ହେଉଛନ୍ତି ମହାକାଳ (ସମୟ ବା ମୃତ୍ୟୁ) ଶିବଙ୍କର ପ୍ରକୃତିରୂପା (ସ୍ତ୍ରୀ-ରୂପା) ଶକ୍ତି। ସେ ସମୟାତୀତା, ଦେବୀ ଦୁର୍ଗାଙ୍କ କୋପ ସମ୍ଭୂତା, ତଥା ଆଦି ପରାଶକ୍ତି, ନୀଳାଭ କାନ୍ତିଯୁକ୍ତା। ମା କାଳୀଙ୍କର ଶ୍ରେଷ୍ଠତମ ରୂପ, ଯାହାଙ୍କୁ ହିନ୍ଦୁମାନେ ଦିବ୍ୟ ଜନନୀ ବୋଲି ପରିଗଣିତ କରିଥାନ୍ତି।
ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି । ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା । ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରାଯାଏ । ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ.
ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଗୋପାଳ ଛୋଟରାୟ (୨୦ ଅପ୍ରେଲ ୧୯୧୬ - ୨୨ ଜାନୁଆରୀ ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକସବୁ ଜୀବନ୍ତ । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ - ୧୬ ମାର୍ଚ୍ଚ ୨୦୨୫) ଜଣେ ଆଧୁନିକ ଓଡ଼ିଆ କବି ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ତାଙ୍କର ଜଣାଶୁଣା ରଚନା ମଧ୍ୟରେ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ଅନ୍ୟତମ । ସେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା ଏବଂ ଏହା ଇଂରାଜୀ ତଥା ଆଠଟି ଭାରତୀୟ ଭାଷାରେ ଅନୁଦିତ । ୧୯୯୨ ମସିହା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ମସିହା ଯାଏ କାର୍ଯ୍ୟକରିଥିଲେ ଓ ଚାକିରି ଶେଷ ବେଳକୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ୧୯୯୩ରୁ ୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ସ୍ନେହାଙ୍ଗିନୀ ଛୁରିଆ (ଜନ୍ମ: ୯ ଡିସେମ୍ବର ୧୯୬୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ୨୦୧୪ ଓଡ଼ିଶା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଅତାବିରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାର ୧୫ଶ ସଭାକୁ ନିର୍ବାଚିତ ହୋଇଥିଲେ । ସ୍ନେହାଙ୍ଗିନୀ ଓଡ଼ିଶା ବିଧାନ ସଭାର ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୪ରୁ ୨୦୧୭ ଯାଏଁ ସେ ରାଜ୍ୟ ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ ଏବଂ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଭାବରେ ସେ ୨୦୧୪ରୁ ଏବେଯାଏଁ କାର୍ଯ୍ୟ କରି ଆସୁଛନ୍ତି ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ଭାରତ ହେଉଛି ବିଶ୍ୱର ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର । ଗଣତନ୍ତ୍ରରେ ସରକାରର ୩ଟି ଅଙ୍ଗ ବା ଶାଖା ଥାଏ, ଯଥା ବ୍ୟବସ୍ଥାପକ ସଭା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା । ବ୍ୟବସ୍ଥାପକ ସଭା ଆଇନ ପ୍ରଣୟନ କରୁଥିବାବେଳେ କାର୍ଯ୍ୟପାଳିକା ଏହାକୁ କାର୍ଯ୍ୟକାରୀ କରେ । ସେହିପରି ବିଚାରବିଭାଗ ଏହି ଆଇନ ଗୁଡିକର ତର୍ଜମା, ବ୍ୟାଖ୍ୟା ଓ ସମୀକ୍ଷା କରେ ତଥା ଦୋଷୀକୁ ଦଣ୍ଡବିଧାନ କରେ ।
କୁମାରସ୍ୱାମୀ କାମରାଜ (K. Kamaraj) (୧୫ ଜୁଲାଇ ୧୯୦୩– ୨ ଅକ୍ଟୋବର ୧୯୭୫ )ଚାରି ବର୍ଷ ପାଇଁ (୧୯୬୪--୧୯୬୭) ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ । ନେହେରୁଙ୍କ ମୃତ୍ୟୁ ପରେ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଆସନ ଦେବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେ ୧୯୫୪ରୁ ୧୯୬୩ ମଧ୍ୟରେ ତାମିଲନାଡୁର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ରାଜ୍ୟରେ 9ଟି ଡ୍ୟାମ ତିଆରି କରି କୃଷକ ତଥା କୃଷିର ଉନ୍ନତି ପାଇଁ ଅନେକ କାର୍ଯ୍ୟ କରିଥିବା ଏହି ନେତା ଜଣକ ଅତ୍ୟନ୍ତ ସରଳ ଜୀବନଯାପନ କରୁଥିଲେ । ତାମିଲନାଡୁର ଅନ୍ୟତମ ସର୍ବୋତ୍ତମ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ପାଖରେ ସେ ପରିଚିତ ।
ଭୀମରାଓ ରାମଜୀ ଆମ୍ବେଦକର (୧୪ ଏପ୍ରିଲ ୧୮୯୧ - ୬ ଡିସେମ୍ବର ୧୯୫୬) ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ ଯିଏ ସମ୍ବିଧାନ ସଭା ବିତର୍କରୁ ଭାରତର ସମ୍ବିଧାନ ପ୍ରସ୍ତୁତ କରୁଥିବା କମିଟିର ନେତୃତ୍ୱ ନେଇଥିଲେ, ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ହିନ୍ଦୁ ଧର୍ମ ତ୍ୟାଗ କରିବା ପରେ ଦଳିତ ବୌଦ୍ଧ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ ।
ମ୍ୟାଲେରିଆ ରୋଗ ହୁଏ ଏକ ପ୍ରୋଟୋଜୋଆନ ପ୍ଲାଜମୋଡିଅମ ଟାଇପର ଏକ-କୋଷି ଅଣୁବୀକ୍ଷଣିକ ପରଜୀବୀଦ୍ୱାରା (protozoans, a type of single cell microorganism) ଯାହା ମଶା ବାହିତ ହୁଏ ଓ ମାନବ ତଥା ଅନ୍ୟାନ୍ୟ ପଶୁମାନଙ୍କୁ ଆକ୍ରମଣ କରେ । ଏହି ରୋଗରେ ସ୍ୱାଭାବିକ ଭାବେ ଜ୍ୱର, ଶରୀର ବେଆରାମ ଓ ଥକ୍କା ଲାଗେ, ବାନ୍ତି ଓ ମୁଣ୍ଡ ବଥା ହୁଏ । ରୋଗ ଗମ୍ଭୀର ହେଲେ କାମଳ ବା ଜଣ୍ଡିସ ହୁଏ, ବାତ ମାରେ ଓ କୋମା ହୋଇ ମୃତ୍ୟୁ ହୁଏ । ମଶା କାମଡ଼ିବାର ୧୦ରୁ ୧୫ ଦିନ ପରେ ମ୍ୟାଲେରିଆ ଆରମ୍ଭ ହୁଏ । ଉପଯୁକ୍ତ ଚିକିତ୍ସା ନ ହେଲେ ମାସାଧିକ କାଳ ପରେ ଏହି ରୋଗ ଲେଉଟେ । ଯେଉଁ ରୋଗୀ ଅଳ୍ପ ଦିନ ହେଲା ଭଲ ହୋଇଛି ତାକୁ ପୁନଃସଂକ୍ରମଣ ହେଲେ ଲକ୍ଷଣ ସ୍ୱଳ୍ପ ମାତ୍ରାରେ ଦେଖାଯାଏ । ପୁନଶ୍ଚ ସଂକ୍ରମିତ ନ ହେଲେ ଏହି ଆଂଶିକ ପ୍ରତିରୋଧ ଶକ୍ତି କିଛି ମାସ ବା ବର୍ଷ ପରେ କମିଯାଏ । ସାଧାରଣତଃ ଏହି ରୋଗ ସଂକ୍ରମିତ ମାଈ ଆନୋଫିଲିସ୍ ମଶା କାମୁଡ଼ିଲେ ତାହାର ଲାଳରେ ଥିବା ପରଜୀବୀ ଶୁଣ୍ଢ ମାଧ୍ୟମରେ ମଣିଷର ରକ୍ତରେ ପ୍ରବେଶ କରେ । ଏହି ପରଜୀବୀ ରକ୍ତରେ ପ୍ରବାହିତ ହୋଇ ଯକୃତରେ ପ୍ରବେଶ କରେ ଓ ସେଠାରେ ବଡ଼ ହୋଇ ପ୍ରଜନନ କରେ । ଅଧିକାଂଶ ମୃତ୍ୟୁ ପ୍ଲାଜ୍ମୋଡ଼ିଅମ୍ ଫାଲସିପ୍ୟାରମ ଯୋଗୁ ହୁଏ ଓ ପ୍ଲାଜ୍ମୋଡ଼ିଅମ୍ ଭାଇଭାକ୍ସ, ପ୍ଲାଜ୍ମୋଡ଼ିଅମ୍ ଓଭେଲ ଇତ୍ୟାଦି ପରଜୀବୀମାନଙ୍କଦ୍ୱରା ସାମାନ୍ୟ ଲକ୍ଷଣ ପ୍ରକାଶ ପାଏ । ମଣିଷ ଦେହରେ ପ୍ଲାଜ୍ମୋଡ଼ିଅମ୍ ନଲେସି (P. knowlesi) କ୍ୱଚିତ୍ ରୋଗ କରେ । ରୋଗୀର ରକ୍ତ ଫିଲ୍ମକୁ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରି ପରଜୀବୀ ମିଳିଲେ, କିମ୍ବା ମ୍ୟାଲେରିଆ ଆଣ୍ଟିଜେନ ଡିଟେକ୍ସନ୍ ଟେଷ୍ଟ (rapid diagnostic tests) କରି ଯୁକ୍ତାତ୍ମକ ଫଳ ମିଳିଲେ ରୋଗ ନିର୍ଣ୍ଣୟ କରାଯାଏ । ମ୍ୟାଲେରିଆ ପ୍ରବଣ ଇଲାକାରେ ପଲିମରେଜ ଚେନ ରିଆକ୍ସନ ପରୀକ୍ଷାଦ୍ୱାରା ମଶାର ଡି.ଏନ.ଏ ଚିହ୍ନଟ କରି ରୋଗ ନିର୍ଣ୍ଣୟ କରିବା ଜଟିଳତା ଓ ବହୁଳ ବ୍ୟୟସାପେକ୍ଷ ଯୋଗୁ ସମ୍ଭବ ହେଉନି । ମ୍ୟାଲେରିଆ ସଙ୍କଟ ଚାରି ଉପାୟରେ ରୋକି ହୁଏ: ମଶାରୀ ବ୍ୟବହାର କରି ମଶା କାମୁଡ଼ାରୁ ରକ୍ଷା ପାଇବା, ମଶାଦୂରକାରୀ ଔଷଧ ବ୍ୟବହାର କରିବା, ମଶାମାରୀ ଔଷଧ ସିଞ୍ଚି ତାଙ୍କୁ ମାରିବା ଓ ସ୍ଥିର ଜଳାଶୟକୁ ନିଷ୍କାସନ କରିବା । ମ୍ୟାଲେରିଆ ପ୍ରବଣ ଇଲାକାକୁ ଯାଉଥିବା ଲୋକଙ୍କୁ ଏହି ରୋଗରୁ ରକ୍ଷା କରିବା ନିମନ୍ତେ କେତେକ ମ୍ୟାଲେରିଆ ପ୍ରତିଷେଧକ ଔଷଧ ଦିଆଯାଏ । ଅତ୍ୟଧିକ ମ୍ୟାଲେରିଆ ହେଉଥିବା ଇଲାକାରେ ପ୍ରଥମ ତିନିମାସ ପରର ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ସଲ୍ଫାଡକ୍ସିନ/ପାଇରିମେଥାମିନ ବଟିକା ଦିଆଯାଏ । ଆବଶ୍ୟକ ହେଉଥିବା ଟିକା ବାହାରି ନାହିଁ, ଚେଷ୍ଟା ଚାଲିଛି । କେତେକ ମ୍ୟାଲେରିଆ ଦୂରକାରୀ ଔଷଧ ସହ ଆର୍ଟେମିସିନିନ ଦେବାକୁ ସୁପାରିସ କରାଯାଏ । ଦ୍ୱିତୀୟ ଧାଡ଼ିରେ ମେଫ୍ଲୋକ୍ୱିନ, ଲୁମେଫାଣ୍ଟ୍ରିନ କିମ୍ବା ସଲ୍ଫାଡକ୍ସିନ/ପାଇରିମେଥାମିନ ଦିଆଯାଏ । ଆର୍ଟେମିସିନିନ ନ ମିଳିଲେ କୁଇନାଇନ୍ ଓ ଡକ୍ସିସାଇକ୍ଲିନ ବ୍ୟବହାର କରାଯାଇ ପାରେ । ଔଷଧ ପ୍ରତିରୋଧ ସମସ୍ୟା ଯୋଗୁ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ମ୍ୟାଲେରିଆ ନିଶ୍ଚିତତା ପରୀକ୍ଷା କରିବା ଆବଶ୍ୟକ । ଅନେକ ଔଷଧର ପ୍ରତିରୋଧ ବାହାରିଲାଣି ଯଥା କ୍ଲୋରୋକ୍ୱିନ ପ୍ରତିରୋଧକାରୀ ଫ୍ୟାଲ୍ସିପ୍ୟାରମ ଓ ଦକ୍ଷିଣପୂର୍ବ ଏସିଆରେ ଆର୍ଟେମିସିନିନ ପ୍ରତିରୋଧ ଏକ ସମସ୍ୟା ସୃଷ୍ଟି କଲାଣି । ପ୍ଲାଜମୋଡିୟମର ପାଞ୍ଚଟି ପ୍ରଜାତି ମନୁଷ୍ୟମାନଙ୍କୁ ଆକ୍ରମଣ କରିପାରେ ତଥା ସଂକ୍ରାମକ ହୋଇଥାଏ । ଅତ୍ୟଧିକ ମାତ୍ରାରେ ମ୍ୟାଲେରିଆ କରାଉଥିବା ଜୀବାଣୁଟି ହେଲା ପି. ଫାଲସିପାରମ; କିନ୍ତୁ ପି. ଭିଭାକ୍ସ, ପି.
ମଲାଲା ୟୁସୁଫଜାଇ ପାକିସ୍ତାନର ଖାଇବର ପାଖନତୁଆ ପ୍ରଦେଶର ସ୍ୱାତ୍ ଜିଲ୍ଲାରେ୧୯୯୭ ମସିହା ଜୁଲାଇ ୧୨ତାରିଖରେ ଜନ୍ମ ହୋଇଥିଲେ ।ତାଙ୍କର ଡାକନାମ ଗୁଲ୍ ମାକାଇ । ପାକିସ୍ତାନର ଏହି ୧୫ ବଷୀୟ କୁନି ବାଳିକା ନିଜର ସାହାସୀ ମନୋଭାବ ତଥା ନିଜ ଅଞ୍ଚଳର ବାଳିକାମାନଙ୍କ ଶିକ୍ଷା ଅଧିକାର ପାଇଁ ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ଲଢେଇକରି ସାରା ବିଶ୍ୱରେ ପ୍ରସିଦ୍ଧି ପାଇଛି । ତାଙ୍କର ତ୍ୟାଗ ଓ ଅଦମ୍ୟ ସାହାସିକତା ପାଇଁ ୨୦୧୩ ନୋବେଲ ଶାନ୍ତି ପୁରସ୍କାର ମନୋନୟନରେ ତାର ନାମ ସ୍ଥାନ ପାଇଛି।ତାଙ୍କର ସାହସକୁ ସମଗ୍ର ବିଶ୍ୱ ସମ୍ମାନ ଦେଉଛି।
ଘାସିରାମ ମାଝି (୧୭ ଜୁଲାଇ ୧୯୨୪ - ୨୩ ଅପ୍ରେଲ ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସାତ ଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୭୧, ୧୯୭୭, ୧୯୮୫, ୧୯୯୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନୂଆପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ, ୫ମ, ୭ମ, ୯ମ, ୧୦ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬–୬ ଅପ୍ରେଲ ୧୯୯୪) ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଥିଲେ । ୧୯୩୦ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ ରଚନା କରିଥିଲେ । ତାଙ୍କର କେତେକ ଜଣାଶୁଣା ଉପନ୍ୟାସ ମଧ୍ୟରେ କା, ବାଲିରାଜା, ଶାସ୍ତି, ହା' ଅନ୍ନ, ଝଞ୍ଜା, ଶର୍ବରୀ, ତମସା ତୀରେ ଅନ୍ୟତମ । ୧୯୫୬ ମସିହାରେ ପ୍ରକାଶିତ ଉପନ୍ୟାସ କା ପାଇଁ ସେ ୧୯୫୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ସେ ସାହିତ୍ୟ ଏକାଡେମୀର ଫେଲୋ ମଧ୍ୟ ହୋଇଥିଲେ । ତାଙ୍କୁ "ଓଡ଼ିଶୀର ଅନ୍ୟତମ ଲୋକପ୍ରିୟ ଉପନ୍ୟାସକାର" ଭାବରେ ବିବେଚନା କରାଯାଏ । ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। । "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।। ଅଶୋକ ଖ୍ରୀ.
ଭାରତୀୟ ଜନତା ପାର୍ଟି (ବିଜେପି) ଭାରତର ଶାସକ ରାଜନୈତିକ ଦଳ । ଏହା ଭାରତୀୟ ଜାତୀୟ କଂଗ୍ରେସ ସହିତ ଭାରତର ଦୁଇଟି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ଅନ୍ୟତମ । ୨୦୧୯ ସୁଦ୍ଧା ଏହା ଜାତୀୟ ସଂସଦ ତଥା ରାଜ୍ୟସଭାରେ ପ୍ରତିନିଧିତ୍ୱ ଦୃଷ୍ଟିରୁ ଦେଶର ସର୍ବବୃହତ ରାଜନୈତିକ ଦଳ ଏବଂ ପ୍ରାଥମିକ ସଦସ୍ୟତା ଦୃଷ୍ଟିରୁ ଏହା ବିଶ୍ୱର ସର୍ବବୃହତ ଦଳ । ବିଜେପି ଏକ ଦକ୍ଷିଣପନ୍ଥୀ ଦଳ ଏବଂ ଏହାର ନୀତି ଐତିହାସିକ ଭାବରେ ହିନ୍ଦୁ ଜାତୀୟତାବାଦୀ ସ୍ଥିତିକୁ ପ୍ରତିଫଳିତ କରିଛି । ଏହାଠାରୁ ବେଶୀ ପୁରୁଣା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ସହିତ ଏହାର ଘନିଷ୍ଠ ଆଦର୍ଶ ଏବଂ ସାଂଗଠନିକ ସମ୍ବନ୍ଧ ରହିଛି ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ସୁନ୍ଦରଗଡ ପ୍ରଭୃତି ଜିଲ୍ଲାର କୁଡୁମୀ(ମହାନ୍ତ) ସଂପ୍ରଦାୟ ଅନ୍ୟାନ୍ୟ ପର୍ବପର୍ବାଣି ତୁଳନାରେ ବାନ୍ଧଣା ପର୍ବକୁ ବେଶୀ ଗୁରୁତ୍ୱ ଦେଇଥାନ୍ତି । ଦୀପାବଳି ଅବସରରେ ପାଳନ କରାଯାଉଥିବା ଏହି ପର୍ବ ସମୟରେ ଦୂରଦୂରାନ୍ତରେ କାମ କରୁଥିବା ଲୋକମାନେ ନିଶ୍ଚିନ୍ତ ଭାବେ ନିଜ ଘରକୁ ଫେରିଥାନ୍ତି । ପରିବାର ମେଳରେ ବେଶ ଆନନ୍ଦ ଉଲ୍ଲାସ ମଧ୍ୟରେ ବାନ୍ଧଣ ପର୍ବକୁ ପାଳନ କରିଥାନ୍ତି । ଏହି ପର୍ବ ଆସିବାର କିଛିଦିନ ପୂର୍ବରୁ ସେମାନେ ଘର ଲିପାପୋଛା କରିଥାନ୍ତି । ଦୀପାବଳିଠାରୁ ତିନିଦିନ ପର୍ଯ୍ୟନ୍ତ ଏହା ପାଳିତ ହୋଇଥାଏ । ସେଦିନ ସନ୍ଧ୍ୟାରୁ ଆରମ୍ଭ ହୁଏ ଗୋଠପୂଜା । ଅନ୍ୟଦିନ ଭଳି ସେଦିନ ମଧ୍ୟ ଗାଈଗୋରୁ ପଡ଼ିଆକୁ ଚରିବାକୁ ଯାଇଥାନ୍ତି । ମାତ୍ର ସନ୍ଧ୍ୟାରେ ସେମାନଙ୍କୁ ଘରକୁ ନ ଆଣି ନଈରେ ଗାଧୋଇ ଦେଇ ସିଧାସଳଖ ନିକଟସ୍ଥ ପଡ଼ିଆର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ନିଆଯାଏ । ଅରୁଆଚାଉଳ, ଧୂପ, ଦୀପ ଆଦି ନେଇ ପୂଜକ ବା ଦେହୁରି ସେଠାରେ ପହଞ୍ଚିବା ପରେ ପୂଜାକର୍ମ ଆରମ୍ଭ ହୁଏ । ଧର୍ମ ଗରୋୟା ତଥା ଗାଁର ଅନ୍ୟ ଦେବଦେବୀଙ୍କୁ ଆବାହନ କରିବା କୁକୁଡାବଳି ଦିଆଯାଏ । ପୂଜାସ୍ଥଳରେ ଏକ ଅଣ୍ଡା ରଖାଯାଇ ଏକାଠି ହୋଇଥିବା ଗୋରୁଗୋଠକୁ ଏକସଙ୍ଗେ ଘଉଡେଇ ଦିଆଯାଏ । ଯେଉଁ ଗୋରୁର ଖୁରା ବାଜି ଅଣ୍ଡାଟି ସଂପୂର୍ଣ୍ଣ ଭାବେ ଫାଟିଯାଏ ତା’ର ମାଲିକ ସେହି ବର୍ଷର ଭାଗ୍ୟବାନ ଲୋକ ବୋଲି ଗ୍ରହଣ କରାଯାଏ । ଏହାପରେ ଉପସ୍ଥିତ ଗ୍ରାମବାସୀ ମାଦଲ ବଜାଇ ନୃତ୍ୟ କରନ୍ତି । ସେଠାରେ ଆହୁରି ମଧ୍ୟ ଗୋରୁ ଘଉଡାଇବାରେ ବ୍ୟବହୃତ ବାଡିକୁ ଏକାଠି କରି ପୂଜା କରିବାର ପରମ୍ପରା ଅଛି । ଗାଁର ଲୋକେ ଭାଗ୍ୟବାନ କୁହାଯାଉଥିବା ଗୋରୁମାଲିକ ଏବଂ ଦେହୁରିକୁ କାନ୍ଧରେ ବସାଇ ଘରକୁ ନିଅନ୍ତି । ସନ୍ଧ୍ୟାରେ ମହିଳାମାନେ କ୍ଷୀର, ଚାଉଳଚୂନାର ପିଠା, ଘିଅଦୀପ ଇତ୍ୟାଦି ରଖି ଘରର ପ୍ରତ୍ୟେକ ଦୁଆର, ଖଳା, ତୁଳସୀଚଉରା ପ୍ରଭୃତି ପୂଜ କରିଥାନ୍ତି । ଅଣ୍ଡା ମାଡିଥିବା ବଳଦ ମାଲିକଙ୍କ ଘରୁ ମନଖୁସିରେ ଯାହାକିଛି ଖାଇସାରିବା ପରେ ସମସ୍ତେ ଗ୍ରାମର ପ୍ରଥମ ଭାଗରେ ଥିବା ଘରଠାରୁ ଆରମ୍ଭ କରନ୍ତି ଥିଙ୍ଗୁୱାନ । ଏହିଭଳି ସାରାରାତି ଜାଗରଣ ଗୀତ ଗାଇଗାଇ ଲୋକେ ମସଗୁଲ ହୁଅନ୍ତି । ପରଦିନ ସକାଳେ ଗ୍ରାମବାସୀ ଗାଁର ଶେଷସୀମାରୁ ପ୍ରଥମ ଭାଗକୁ ନାଚକରି ଆସନ୍ତି ଏବଂ ଗାଁ ଗୋରାମକୁ ନମସ୍କାର କରି ଘରକୁ ଚାଲିଯାଆନ୍ତି । ପର୍ବର ଦ୍ୱିତୀୟ ଦିନରେ ଆରମ୍ଭ ହୁଏ ଗୁହାଳ ପୂଜା । ଗାଧୋଇ ସାରି ପ୍ରତ୍ୟେକ ଘର ମାଲିକ ନିଜ ଗୁହାଳରେ ଅରୁଆ ଚାଉଳ, ଧୂପ, ଦୀପ, ସିନ୍ଦୂର, ଦୂବଘାସ, ଗେଣ୍ଡୁଫୁଲ ସମେତ ତିନୋଟି, ପାଞ୍ଚୋଟି, ସାତୋଟି କିମ୍ବା ନଅଟି ଭିନ୍ନଭିନ୍ନ ରଙ୍ଗର କୁକୁଡା ବଳି ଦେଇଥାନ୍ତି । ତା’ସହ କେତେକ ସ୍ଥାନରେ ହାଣ୍ଡିଆ, ରସି ପୂଜା କରିବା ବିଧି ରହିଛି । ବଡ଼ ଘରେ ବା ଠାକୁର ଘରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୂଜା କରାଯାଏ । ପିଠାପଣା, ମାଂସ ଖାଇ ଶିଶୁଠାରୁ ବୃଦ୍ଧ ସମସ୍ତେ ବେଶ ହସଖୁସିରେ ଏହି ପର୍ବକୁ ପାଳନ କରିଥାନ୍ତି । ଗୃହିଣୀମାନେ ସନ୍ଧ୍ୟାରେ ପାନିଆଲତା, ଚାଉଳ ଚୂନା, ଗୋବର, ଅପମାରଙ୍ଗ ଓ ସିନ୍ଦୂରରେ ଘରର ମୁଖ୍ୟ ପ୍ରବେଶ ପଥ ସମେତ ତୁଳସୀଚଉରା ଓ ଗୁହାଳ ଘରକୁ ଝୋଟିରେ ଚିତ୍ରିତ କରିଥାନ୍ତି । ଏହାକୁ ଚକପୁରା କହନ୍ତି । ତା’ପରେ ଆରମ୍ଭ ହୁଏ ଗାଈଗୋରୁଙ୍କ ଚୁମାନ ପର୍ବ । ଦୁବ, ମାଟି ବଇଠା, ନୂଆ ଧାନ କେଣ୍ଡା ଆଦିକୁ ଏକ ନୂଆକୁଲାରେ ନେଇ ନୂତନ ବସ୍ତ୍ର ପରିଧାନ କରି ଘରର ଗୃହିଣୀମାନେ ଗାଈଗୋରୁଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଶେଷଦିନଟିକୁ ଗ୍ରାମବାସୀମାନେ ବୁଢୀବାନ୍ଧଣା ଭାବେ ପାଳନ କରିଥାନ୍ତି । ଏହିଦିନରେ ଗୋଟିଏ ଖୁଣ୍ଟରେ ଗୋରୁକୁ ବନ୍ଧା ଯାଇ ବାଜା ବଜାଇ ନୃତ୍ୟଗୀତ କରାଯାଏ । ଏହାକୁ ଗୋରୁଖୁଣ୍ଟା ପର୍ବ କହନ୍ତି । ହିଂସ୍ର ଜୀବଜନ୍ତୁଙ୍କ କବଳରୁ ଗୋରୁମାନଙ୍କୁ ଆତ୍ମରକ୍ଷା କରିବାର କୌଶଳ ଶିଖାଇବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଉଥିବା ପୁରୁଖା ଲୋକଙ୍କ ମତ । କୁଡିମୀ-ମହାନ୍ତ ସଂପ୍ରଦାୟରେ ଏହାକୁ ହାତୀ ଲେଖନ ପରବ୍ ଭାବେ ଅଭିହିତ କରାଯାଏ ।
ବର୍ଷା ସିଂହ ବରିହା ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚରେ, ସେ ପଦ୍ମପୁରରୁ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ଓଡ଼ିଆ ଶବ୍ଦକୋଷ । ଏହା ସଂକଳନ କରିବାରେ ୩୦ରୁ ଅଧିକ ବର୍ଷ ସମୟ ଲାଗିଥିବା ବେଳେ ଏହା ୧୯୩୧ରୁ ୧୯୪୦ ଭିତରେ ୭ଟି ଖଣ୍ଡରେ ଓ ପ୍ରତି ଖଣ୍ଡ ଆକାରରେ ପାଖାପାଖି ରୟାଲ କ୍ୱାର୍ଟୋ ପୃଷ୍ଠା ଭାବରେ ପ୍ରକାଶିତ ହୋଇଥିଲା । ଏହାର ମୋଟ ପୃଷ୍ଠା ସଂଖ୍ୟା ୯,୫୦୦ ଓ ଏଥିରେ ୧୮୫,୦୦୦ ମୁଖ୍ୟଶବ୍ଦ ରହିଛି । ଏହାର ମୁଖ୍ୟ ସଂକଳକ ଥିଲେ ଗୋପାଳ ଚନ୍ଦ୍ର ପ୍ରହରାଜ ଓ ଉତ୍କଳ ସାହିତ୍ୟ ପ୍ରେସ ଏହାର ପ୍ରକାଶ ଓ ମୁଦ୍ରଣ କରିଥିଲେ । ତାଙ୍କ ସହ ତାଙ୍କର ମୁଖ୍ୟ ସହକର୍ମୀ ପୀତାମ୍ବରୀ ଦେବୀ ଓ ଅନ୍ୟାନ୍ୟ ସହକର୍ମୀମାନେ ଶବ୍ଦ ସଂଗ୍ରହ ଓ ସଂକଳନରେ ସାହାଯ୍ୟ କରିଥିଲେ । ବିଶ୍ୱନାଥ କର ଥିଲେ ଏହାର ପ୍ରକାଶକ । ଏହା ଥିଲା ପ୍ରଥମ ଓଡ଼ିଆ ଶବ୍ଦକୋଷ । ସଂକଳନ ସହ ପ୍ରହରାଜ ସର୍ବସାଧାରଣ ଅନୁଦାନ ସଂଗ୍ରହ ଓ ଛପା ଖର୍ଚ୍ଚ ମଧ୍ୟ ବହନ କରିଥିଲେ । ତତ୍କାଳୀନ ବଙ୍ଗ, ମାନ୍ଦ୍ରାଜ ପ୍ରଦେଶ, ଅନେକ ଓଡ଼ିଆ କଥିତ ଅଞ୍ଚଳର ଶାସକ ଓ ବ୍ରିଟିଶ ସରକାର ଏହି ଗ୍ରନ୍ଥାବଳୀ ପାଇଁ ପୃଷ୍ଠପୋଷକତା ଯୋଗାଇଥିଲେ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।