ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ମାଣବସା ଗୁରୁବାର ଓଷା (ମାଣବସା ଓ ମାଣ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।
ସର୍ଦ୍ଦାର ବଲ୍ଲଭଭାଇ ପଟେଲ(୩୧ ଅକ୍ଟୋବର ୧୮୭୫-୧୫ ଡିସେମ୍ବର ୧୯୫୦) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଓକିଲ, ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ଥିଲା । ସ୍ୱାଧୀନ ଭାରତର ସେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ତାଙ୍କର ଅବଦାନ ନିମିତ୍ତ ତାଙ୍କୁ "ଲୌହ ମାନବ" ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି । ୩୧ ଅକ୍ଟୋବର ୨୦୧୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ଏକ ୧୮୨ ମିଟର ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ । ଏହାକୁ ଏକତାର ପ୍ରତିମୂର୍ତ୍ତି ଭାବରେ ସମ୍ବୋଧନ କରାଯାଉଛି । ଏହା ଉଦଘାଟନ ସମୟରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଥିଲା ।
ଭୀମରାଓ ରାମଜୀ ଆମ୍ବେଦକର (୧୪ ଏପ୍ରିଲ ୧୮୯୧ - ୬ ଡିସେମ୍ବର ୧୯୫୬) ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ ଯିଏ ସମ୍ବିଧାନ ସଭା ବିତର୍କରୁ ଭାରତର ସମ୍ବିଧାନ ପ୍ରସ୍ତୁତ କରୁଥିବା କମିଟିର ନେତୃତ୍ୱ ନେଇଥିଲେ, ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ହିନ୍ଦୁ ଧର୍ମ ତ୍ୟାଗ କରିବା ପରେ ଦଳିତ ବୌଦ୍ଧ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ ।
"ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ , କୋଶଳ , କୋଙ୍ଗଦ , ଉଡ୍ର ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।
ପଣ୍ଡିତ ଭୀମସେନ ଜୋଶୀ (4 February 1922 – 24 January 2011) କର୍ଣ୍ଣାଟକରେ ଜନ୍ମିତ ଜଣେ ପ୍ରସିଦ୍ଧ ହିନ୍ଦୁସ୍ଥାନୀ ଶୈଳୀର ଶାସ୍ତ୍ରୀୟ ସଂଗୀତ ଗାୟକ । ଖୟାଲୀ ରାଗର ତଥା ଭକ୍ତି ସଂଗୀତ ଗାନ କ୍ଷେତ୍ରରେ ସେ ଜଣେ ପ୍ରମୁଖ ଗାୟକ । ୧୯୯୮ରେ ସେ କଳା, ସଂଗୀତ ଓ ନାଟକ କ୍ଷେତ୍ରରେ ସଂଗୀତ ନାଟକ ଏକାଡେମୀଦ୍ୱାରା ସଂଗୀତ ନାଟକ ଏକାଡେମୀ ଫେଲୋଶିପଦ୍ୱାରା ସମ୍ମାନିତ ହୋଇଥିଲେ । ପରେ ପରେ ୨୦୦୯ ମସିହାରେ ସେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନଦ୍ୱାରା ସମ୍ମାନିତ ହୋଇଥିଲେ ।
ଭୀମ ସିଂ ( ୧୩ ନଭେମ୍ବର ୧୯୩୪ - ୨୧ ଅଗଷ୍ଟ ୨୦୧୦) ଓଡ଼ିଆ ନାଟକ , ଆକାଶବାଣୀ, ଦୂରଦର୍ଶନ ଓ କଥାଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା । ଅଭିନେତା ଓ ସହକାରୀ/ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ ଓଡ଼ିଶାର ବିଶିଷ୍ଟ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ସହ ବହୁ ଓଡ଼ିଆ କଥାଚିତ୍ରରେ କାମ କରିଥିଲେ । ଚିତ୍ରନାଟ୍ୟ, ସଂଳାପ ଲିଖନ କ୍ଷେତ୍ରରେ ସେ ବହୁତ ଫିଲ୍ମ ସହିତ ସଂଶ୍ଳିଷ୍ଟ ଥିଲେ । ଏତତ ବ୍ୟତୀତ ସେ ବହୁ ପ୍ରାମଣିକ (documentary) ଚଳଚ୍ଚିତ୍ର ପାଣ୍ଡୁଲିପି ଲେଖିବା ସହ ଓଡ଼ିଆ ନାଟକ, ସଂଗୀତ, ଭକ୍ତିକଥା, ଲୋକ ପରମ୍ପରା ସମ୍ପର୍କରେ ବହୁ ଉଚ୍ଚକୋଟିର ପ୍ରବନ୍ଧ ମାନ ଲେଖିଛନ୍ତି । ୨୦୦୮ରେ ତାଙ୍କ ସଂକଳିତ "ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ" ଓଡ଼ିଆ ସିନେମା ବିଶେଷ କରି ପୁରୁଣା ସିନେମାର ଏକ ଜ୍ଞାନକୋଷ ।
ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ - ୧୬ ମାର୍ଚ୍ଚ ୨୦୨୫) ଜଣେ ଆଧୁନିକ ଓଡ଼ିଆ କବି ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ତାଙ୍କର ଜଣାଶୁଣା ରଚନା ମଧ୍ୟରେ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ଅନ୍ୟତମ । ସେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା ଏବଂ ଏହା ଇଂରାଜୀ ତଥା ଆଠଟି ଭାରତୀୟ ଭାଷାରେ ଅନୁଦିତ । ୧୯୯୨ ମସିହା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ମସିହା ଯାଏ କାର୍ଯ୍ୟକରିଥିଲେ ଓ ଚାକିରି ଶେଷ ବେଳକୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ୧୯୯୩ରୁ ୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ (୧୭୮୪ - ୧୮୬୨) ଅଷ୍ଟାଦଶ ଶତାବ୍ଦୀର ଜଣେ ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତକାର କବି । ସେ ପ୍ରାଚୀନ ଉତ୍କଳୀୟ ସଙ୍ଗୀତ ଅନୁସରଣରେ ବହୁସଂଖ୍ୟକ ଓଡ଼ିଶୀ ପ୍ରବନ୍ଧ, ଛାନ୍ଦ, ଚଉତିଶା, ଭଜନ ଓ ଜଣାଣ, କୋଇଲି, ଚଉତିଶା ଆଦି ରଚନା କରିଛନ୍ତି । 'ଉଠିଲୁ ଏଡ଼େ ବେଗି କାହିଁକି ରେ', 'ଅନୁସରିତ ପ୍ରଭୋ କାଳଯାକ ଗଲା ସରିତ', 'ସଙ୍ଗିନୀରେ ରାସ ରଙ୍ଗିନୀରେ' ଇତ୍ୟାଦି ଗୋପାଳକୃଷ୍ଣଙ୍କ ଅସଂଖ୍ୟ ଗୀତଗୁଡ଼ିକ ଅଦ୍ୟାବଧି ଓଡ଼ିଶାର ଗ୍ରାମେ ଗ୍ରାମେ ଲୋକମୁଖରେ ଶୁଣାଯାଏ । ତାଙ୍କ କବିତାଗୁଡ଼ିକ ସଂଗୃହିତ ହୋଇ ରଚନାବଳୀ ବା ଗ୍ରନ୍ଥାବଳୀ ଭାବେ ଅନେକବାର ପ୍ରକାଶିତ ହୋଇଛି ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ବିଜୟ ମିଶ୍ର (୧୬ଜୁଲାଇ ୧୯୩୬ - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ । ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ଅସୀମା ପଣ୍ଡା ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ସେ ମୁଖ୍ୟତଃ ଓଡ଼ିଆ ଏବଂ ସମ୍ବଲପୁରୀ ଗୀତ ଗାଆନ୍ତି । ଅସୀମା ଓଡ଼ିଆ ଆଲବମ୍, ଭଜନ ଓ କଥାଚିତ୍ର ଜଗତରେ ଜଣେ ଜଣାଶୁଣା ଗାୟିକା । ଅସୀମା ପଣ୍ଡା ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଗୀତ ଗାଇବା ଆରମ୍ଭ କରିଥିଲେ । ଓଡ଼ିଆ କଥାଚିତ୍ର ହରି ଓମ୍ ହରିରେ ସେ ପ୍ରଥମଥର ପାଇଁ ଓଡ଼ିଆ କଥାଚିତ୍ର ପାଇଁ ଗୀତ ଗାଇଥିଲେ ଏବଂ ଏହାପରେ ଗଞ୍ଜା ଲଢ଼େଇ, ୱାନ୍ ୱେ ଟ୍ରାଫିକ୍, ଗଞ୍ଜା ଲଢ଼େଇ, ଆଶିକ୍, ତୁ କହିବୁ ନା ମୁଁ, ତୁ ମୋର ସପନ ରାଣୀ, ପ୍ରେମର ନିଶା ନିଆରା ନିଆରା, ମୁଁ ପରଦେଶୀ ଚଢ଼େଇ, ତୁ ମୋ ସୁନା ଚଢ଼େଇ, ଫ୍ରମ୍ ମି ଟୁ ୟୁ, ଟାଇଗର, ଲଭ୍ ଟୁଇଷ୍ଟ, ମୁଁ ଖାଣ୍ଟି ଓଡ଼ିଆ ଝିଅ, ତୋ ପ୍ରେମରେ ପଡ଼ିଲା ପରେ, ଏମିତି ବି ହେଇପାରେ, ଅଭିମାନ, ମୁଇଁ ଦିୱାନା ତୁଇ ଦିୱାନୀ, ତୁ ମୋ ହିରୋ, ଅଦୃଶ୍ୟମ୍, ବାପା ତମେ ଭାରି ଦୁଷ୍ଟ, ଦେଲେ ଧରା କଥା ସରେ, ସୀତାରାମଙ୍କ ବାହାଘର କଳିଯୁଗରେ, ସେଲଫିସ୍ ଦିଲ୍, ଏକ୍ସକ୍ୟୁଜ ମି, ଲୋକାଲ ଟୋକା ଲଭ୍ ଚୋଖା, ପ୍ୟାର ଅଲଗା ପ୍ରକାର, ଲଭ୍ ଏକ୍ସପ୍ରେସ୍, ଟିକେ ଅନାଡ଼ି ପୂରା ଖିଲାଡ଼ି, ନାୟକର ନାଁ ଦେବଦାସ, ମିଠା ମିଠା, ଲୈଲା ଓ ଲୈଲା, ହାପି ଲକି, ହେଲୋ- ଇନ୍ ଲଭ୍, ଟୋକାଟା ଫସିଗଲା, ଯୋଗୀ, ବିଶ୍ୱରୂପ ଆଦି କଥାଚିତ୍ରରେ କଣ୍ଠଦାନ କରିଥିଲେ । ଅସୀମା ଓଡ଼ିଆ କଥାଚିତ୍ର ବ୍ୟତୀତ ବିଭିନ୍ନ ଆଲବମ୍ ଗୀତ ଏବଂ ଭଜନରେ କଣ୍ଠଦାନ କରିଛନ୍ତି । ପ୍ରାର୍ଥନା ଟିଭିରେ ପ୍ରସାରିତ ଭଜନ ଅନ୍ତାକ୍ଷରୀ, ପ୍ରାର୍ଥନା ମଞ୍ଚ ଭଳି କାର୍ଯକ୍ରମରେ ଭଜନ ପରିବେଷଣ କରନ୍ତି ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
ଗୁରୁ ପ୍ରସାଦ ମହାନ୍ତି (୧୬ ଜୁଲାଇ ୧୯୨୪ - ୨୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮) ଆଦି ଅନ୍ୟତମ । ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଗୁରୁ ପ୍ରସାଦ ମହାନ୍ତିଙ୍କ ସମ୍ପର୍କରେ ଗବେଷକ ଓ ସାହିତ୍ୟିକ ଡକ୍ଟର ସନ୍ତୋଷ କୁମାର ନାୟକ କହନ୍ତି, "ଓଡ଼ିଆ କବିତା କ୍ଷେତ୍ରରେ ନବ୍ୟ-ଆଧୁନିକତାର ପ୍ରକୃତ ପ୍ରବର୍ତ୍ତକ ହେଉଛନ୍ତି କବି ମେଜର ଗୁରୁ ପ୍ରସାଦ ମହାନ୍ତି । ସେ ଏକାଧାରରେ ଜଣେ ମେଜର୍ (ଏନ୍.ସି.ସି.
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ଇରା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମିତ ଜଣେ ଓଡ଼ିଆ ପ୍ରଚ୍ଛଦପଟ ଗାୟିକା । ଇରା ମହାନ୍ତିଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି । ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତି । ବେଶ୍ ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ମେଲୋଡି ମଞ୍ଚରୁ ଆରମ୍ଭ କରିଥିଲେ ଗୀତ ଗାଇବା । ପରେ ସେ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ । ସମସ୍ତଙ୍କ ପାଖରେ ସେ ମେଲୋଡ଼ି କୁଇନ୍ ଭାବେର ବେଶ୍ ଜଣାଶୁଣା । ଏହା ଛଡ଼ା ସେ ଓଡ଼ିଶାର ବୁଲ୍ବୁଲ୍ ବୋଲି ମଧ୍ୟ ପ୍ରସିଦ୍ଧ । ଏବେ ସଂଗୀତ ସହ ସକ୍ରିୟ ରହିବା ସହ ସଂଗୀତ ସାଧନା ଜାରି ରଖିଛନ୍ତି ।
ହ୍ୟୁମାନ ସାଗର (୨୫ ନଭେମ୍ବର ୧୯୯୦–୧୭ ନଭେମ୍ବର ୨୦୨୫) ଜଣେ ଓଡ଼ିଆ କଥାଚିତ୍ର ପ୍ରଚ୍ଛଦପଟ୍ଟ ଗାୟକ ଥିଲେ । ତାଙ୍କୁ ସ୍ଥାନୀୟ ଅଧିବାସୀ ଓଡ଼ିଶାର ଅରିଜିତ ସିଂହ କହି ମଧ୍ୟ ସମ୍ବୋଧନ କରିଥାନ୍ତି । ୨୦୧୨ ମସିହାରେ, ତରଙ୍ଗ ଚ୍ୟାନେଲରେ ପ୍ରସାରିତ ରିୟଲିଟି ସୋ ଭଏସ ଅଫ ଓଡ଼ିଶା ସିଜନ-୨ରେ ଜିତିକରି ସେ ଲୋକଲୋଚନକୁ ଆସିଥିଲେ । ସଂଗୀତ ପ୍ରତି ତାଙ୍କର ନିଶା ଯୋଗୁଁ ସେ ଡାକ୍ତରୀ ପାଠପଢ଼ା ଅଧାରୁ ଛାଡିଦେଇଥିଲେ ।
ମାନବ ଇମ୍ମ୍ୟୁନାଭାବ ଭୁତାଣୁ ସଂକ୍ରମଣ ଓ ଅର୍ଜିତ ଇମ୍ମ୍ୟୁନାଭାବ ସିଣ୍ଡ୍ରୋମ (HIV and AIDS) ଏକ ବିସ୍ତୃତ ଶ୍ରେଣୀର ଭୁତାଣୁ ଜନିତ ସଂକ୍ରମଣ ଯାହା ମାନବ ଇମ୍ମ୍ୟୁନାଭାବ ଭୁତାଣୁଦ୍ୱାରା ହୁଏ । ରୋଗ ଆରମ୍ଭ ସମୟରେ ଲକ୍ଷଣ ଜଣାଯାଇ ନ ପାରେ ବା ସାମାନ୍ୟ ଇନ୍ଫ୍ଲୁଏଞ୍ଜା ରୋଗ ଭଳି ଲକ୍ଷଣ ପ୍ରକାଶ ପାଏ । ଏହା ପଶ୍ଚାତ ବହୁତ ଦିନ ଧରି କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସମୟକ୍ରମେ ଇମ୍ମ୍ୟୁନିଟି ବିଭାଗକୁ ଦୁର୍ବଳ କରିଦେବା ଫଳରେ ଯକ୍ଷ୍ମା ତଥା ଅନ୍ୟାନ୍ୟ ସଂକ୍ରମଣ ଓ ଅର୍ବୁଦ ଦେଖାଯାଏ ଯାହା ଇମ୍ମ୍ୟୁନିଟି ଥିବା ଲୋକଙ୍କଠାରେ ଦେଖାଯାଏ ନାହିଁ । ବିଳମ୍ବିତ ଲକ୍ଷଣ ବାହାରିଲେ ଏଡସ୍ କୁହାଯାଏ । ଏହି ସମୟରେ ଓଜନ ହ୍ରାସ ହୁଏ ।
ବନମାଳୀ ଦାସ (୧୭୨୦-୧୭୯୩) ଅଷ୍ଟାଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ଭକ୍ତକବି ଓ ଓଡ଼ିଶୀ ସଙ୍ଗୀତକାର ଥିଲେ । "ଦୀନବନ୍ଧୁ ଦଇତାରୀ" , "କେଡେ ଛନ୍ଦ ଜାଣେ ଲୋ ସହି" , ଜଗନ୍ନାଥ କିଛି ମାଗୁ ନାହିଁ ତୋତେ"ମଣିମା ହେ ଏତିକି ମାଗୁଣି ମୋର" ଇତ୍ୟାଦି ତାଙ୍କର ଅନେକ ଜଣାଶୁଣା ରଚନା ଓ ଓଡ଼ିଶୀ ସଙ୍ଗୀତରେ ବ୍ୟବହୃତ । ତାଙ୍କ ଲୋକପ୍ରିୟ ଗୀତସବୁ ପର୍ବପର୍ବାଣି, ଜନସମାଗମ ସ୍ଥଳ ଓ ଓଡ଼ିଶୀ ସଙ୍ଗୀତରେ ବୋଲାଯାଇଥାଏ । ସେ ମଧ୍ୟଯୁଗୀୟ ଓଡ଼ିଆ ଭକ୍ତି-ସାହିତ୍ୟର ଆଦି କବି ଭାବେ ଜଣା । ପ୍ରାରମ୍ଭିକ ଭାବେ କେବଳ ପ୍ରେମ କାବ୍ୟ ରଚନା ଆରମ୍ଭ କରିଥିଲେ ମଧ୍ୟ ପରେ ତାଙ୍କ ରଚନାଗୁଡ଼ିକ ଅଧିକ ଲୋକାଦୃତି ଲାଭ କରିଥିଲା ଓ ସେ ନିଜ ସମକାଳୀନ କବିମାନଙ୍କ ମଧ୍ୟରେ ଜଣାଶୁଣା ଥିଲେ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଭୈରବୀ ଦଶ ମହାବିଦ୍ୟାଙ୍କ ମଧ୍ୟରୁ ଅନ୍ୟତମ । ଭୈରବୀ ହେଉଛନ୍ତି ସେହିଦେବୀ ଯେ ସାଧକକୁ ସମସ୍ତ ଚିନ୍ତାରୁ ମୁକ୍ତି ଦିଅନ୍ତି । ‘ଭ’ରୁ ଭରଣ(ସଂରକ୍ଷଣ), ‘ର’ରୁ ରକ୍ଷଣ(ସୃଷ୍ଟି) ଓ ‘ବ’ରୁ ବମନ(ମୁକ୍ତି) । ଦେବୀଙ୍କ ଶରୀରର ବର୍ଣ୍ଣ ଉଦୟ ସୂର୍ଯ୍ୟ ସମ । ଗଳାରେ ମୁଣ୍ଡମାଳ ଶୋଭିତ ,ସେ ପୁସ୍ତକ, ଜପମାଳା, ଅଭୟ ଓ ବରଦ ମୁଦ୍ରା ଧାରଣ କରନ୍ତି ।ଦେବୀ ତ୍ରିନେତ୍ରା ଓ କପାଳରେ ଚନ୍ଦ୍ର ଧାରଣ କରନ୍ତି । ସେ ଚଣ୍ଡମୁଣ୍ଡ ନିପାତିନୀ କାଳୀ ସ୍ୱରୂପା, ଦେବୀ ଶ୍ୟାମବର୍ଣ୍ଣା । ଭୈରବୀ ପ୍ରତ୍ୟେକ ମନୁଷ୍ୟ ଭିତରେ ଥିବା ଚେତନାର ରୂପ । ସେ ସମସ୍ତ ପ୍ରକାର ଆକାଙ୍କ୍ଷାର ପ୍ରତୀକ ଏବଂ ଯୋଗଦ୍ୱାରା ଏହାର ନିୟନ୍ତ୍ରଣ ଜ୍ଞାନ ପ୍ରଦାୟନୀ। ଭୈରବୀ ଅତ୍ୟନ୍ତ ଶକ୍ତିଶାଳୀ, ସେ ସମସ୍ତଙ୍କ ମଧ୍ୟରେ କୁଣ୍ଡଳୀନୀ ରୂପେ ଅବସ୍ଥିତ । ତାଙ୍କୁ ବିନା ଜ୍ଞାନ ଓ ସାଧନାରେ ଜାଗ୍ରତ କରିବାକୁ ଚେଷ୍ଠା କରିବା ନିଜପାଇଁ କ୍ଷତିକାରୀ । ମା’ଙ୍କ ସଂରକ୍ଷଣରେ ମନୁଷ୍ୟ ସବୁ ନକରାତ୍ମକତା ଓ ଅଜ୍ଞାନତା ଦୂର ହୋଇ ସିଦ୍ଧି ପ୍ରାପ୍ତିହୁଏ । ତେଣୁ ତାଙ୍କୁ ସକଳ ସିଦ୍ଧି ଭୈରବୀ ମଧ୍ୟ କୁହାଯାଏ । ସ୍ୱର୍ଗୀୟ ଦିବ୍ୟ ଜ୍ଞାନାଲୋକରେ ଆଲୋକିତ ପ୍ରାଣୀ ଆଧ୍ୟାତ୍ମିକ ଚମକରେ ଉଦ୍ଭାସିତ ହେବାପରେ ସମସ୍ତ ବାଧା ବନ୍ଧନ ତୁଟେଇ ବ୍ରହ୍ମାଣ୍ଡର ଅନନ୍ତ ଅସୀମତା ସହିତ ଏକାକାର ହୋଇଯାଏ ।
ପ୍ରାଣବନ୍ଧୁ କର (୧ ଡିସେମ୍ବର ୧୯୧୪ - ୩୦ ମାର୍ଚ୍ଚ ୧୯୯୮) ଜଣେ ଅଧ୍ୟାପକ, ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ତାଙ୍କ ରଚିତ କେତେକ ଜଣାଶୁଣା ରଚନା ମଧ୍ୟରେ ଅଶାନ୍ତ, ଶ୍ୱେତପଦ୍ମା ଆଦି ନାଟକ, ଦୂରପାହାଡ଼ ଓ ପେଟୁ ଏକାଙ୍କିକା, ଷଣ୍ଢ ଲଢେଇ ଓ ସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟର ଓ ଫତୁରାନନ୍ଦଙ୍କ ନାକଟା ଚିତ୍ରକରର ନାଟ୍ୟରୂପ ଦେଇଥିଲେ । ତାଙ୍କର ଅଶାନ୍ତ ନାଟକ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସ୍ନାୟୁ ସଂହାର ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
କଳିଙ୍ଗ ସ୍ଥାପତ୍ୟ କଳା ଅଧୁନାତନ ଓଡ଼ିଶା ଓ ଆନ୍ଧ୍ରର ଉତ୍ତରରେ ବ୍ୟାପିଥିବା କଳିଙ୍ଗରେ ଜନ୍ମ ନେଇଥିବା ଏକ ପୁରାତନ ସ୍ଥାପତ୍ୟ କଳା । ଏହି ସ୍ଥାପତ୍ୟ କଳାରେ ନିର୍ମିତ ଦେଉଳ ମୁଖ୍ୟତ ରେଖ, ପୀଢ଼ ଓ ଖାକରା ଶୈଳୀର ହୋଇଥାଏ । ରେଖ ଓ ପୀଢ଼ ଶୈଳୀର ମନ୍ଦିର ବିଷ୍ଣୁ, ଶିବ ଓ ସୂର୍ଯ୍ୟ ମନ୍ଦିର ହୋଇଥିବା ବେଳେ ଖାକରା ବା ବଇତାଳ ଶୈଳୀର ମନ୍ଦିର ଚାମୁଣ୍ଡା, ଭୈରବୀ ଓ ଦୁର୍ଗା ଉପାସନା ପୀଠ ହୋଇଥାଏ । ରେଖ ଓ ଖାକରା ଦେଉଳ ମନ୍ଦିରର ମୁଖ୍ୟ ଉପାସନା ସ୍ଥଳ ହୋଇଥିବା ବେଳେ ପୀଢ଼ ଦେଉଳ ନାଟ୍ୟ ଓ ଭୋଗ ନୈବେଦ୍ୟ ନିମନ୍ତେ ଗଢ଼ାହୋଇଥାଏ ।
ନ’ ଅଙ୍କ ଦୁର୍ଭିକ୍ଷ ପୁରୀର ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ରାଜତ୍ୱର ନବମ ବର୍ଷ ବା ନଅ ଅଙ୍କରେ (୧୮୬୬-୬୭ ମସିହା) ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ହୋଇଥିଲା । ଏଭଳି ଭୟାବହ ଦୁର୍ଭିକ୍ଷର ଇତିହାସରେ କୌଣସି ପଟାନ୍ତର ନାହିଁ । ଭାରତର ପୂର୍ବାଞ୍ଚଳ ମାନ୍ଦ୍ରାଜର ଉତ୍ତରକୁ ୧,୮୦,୦୦୦ ମାଇଲ ବ୍ୟାପୀ ସ୍ଥାନରେ ୪୭,୫୦୦,୦୦୦ ଲୋକ ଦୁର୍ଭିକ୍ଷର ଶିକାର ହୋଇଥିଲେ ଯାହା ମଧ୍ୟରେ ଓଡ଼ିଶା ଥିଲା । ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଥିବାର କାରଣ ମଧ୍ୟରୁ ଏହା ଦେଶର ଅନ୍ୟାନ୍ୟ ସ୍ଥାନଠାରୁ ଗମନାଗମନ ପଥ ନ ଥିବାରୁ ଅଲଗା ହୋଇ ରହିଥିଲା
ଅଗ୍ନିପୁରାଣ (Sanskrit: अग्नि पुराण, Agni Purāṇa) ହିନ୍ଦୁ ଧର୍ମର ଅଷ୍ଟାଦଶ ପୁରାଣ ମଧ୍ୟରୁ ଅନ୍ୟତମ । ହିନ୍ଦୁ ପୁରାଣ ସାହିତ୍ୟରେ ନିଜର ବିସ୍ତୃତ ଦୃଷ୍ଟିଭଙ୍ଗୀ ଓ ବିପୁଳ ଜ୍ଞାନଭଣ୍ଡାର ନିମନ୍ତେ ଏହାର ବିଶିଷ୍ଟ ସ୍ଥାନ ରହିଛି । ବିଷୟର ବିବିଧତା ଓ ଲୋକଉପଯୋଗୀତାର ଦୃଷ୍ଟିରୁ ଏହି ପୁରାଣର ବିଶେଷ ମହତ୍ତ୍ୱ ରହିଛି। ଅନେକ ବିଦ୍ଵାନ୍ମାନେ ବିଷୟବସ୍ତୁ ଆଧାରରେ ଏହାକୁ ‘ଭାରତୀୟ ସଂସ୍କୃତିର ବିଶ୍ୱକୋଷ’ ବୋଲି କହିଛନ୍ତି । ଅଗ୍ନିପୁରାଣରେ ତ୍ରିଦେବ—ବ୍ରହ୍ମା, ବିଷ୍ଣୁ ଓ ଶିବ ଏବଂ ସୂର୍ଯ୍ୟଙ୍କ ପୂଜା-ଉପାସନାର ବର୍ଣ୍ଣନା ମିଳେ । ଏଠାରେ ପରା-ଅପରା ବିଦ୍ୟାଙ୍କ ବର୍ଣ୍ଣନା, ମହାଭାରତର ସମସ୍ତ ପର୍ବର ସଂକ୍ଷିପ୍ତ କଥା, ରାମାୟଣର ସଂକ୍ଷିପ୍ତ କଥା, ମତ୍ସ୍ୟ, କୂର୍ମ ଆଦି ଅଵତାରମାନଙ୍କ କଥା, ସୃଷ୍ଟି ବର୍ଣ୍ଣନା, ଦୀକ୍ଷା-ବିଧି, ବାସ୍ତୁ-ପୂଜା, ବିଭିନ୍ନ ଦେବତାଙ୍କ ମନ୍ତ୍ର ଆଦି ଅନେକ ଉପଯୋଗୀ ବିଷୟର ଅତ୍ୟନ୍ତ ସୁନ୍ଦର ଉପସ୍ଥାପନା ରହିଛି।
ବିଶ୍ୱନାଥ କର, ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା, (୨୪ ଡିସେମ୍ବର ୧୮୬୪–୧୯ ଅକ୍ଟୋବର ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ, ବାଗ୍ମୀ ଥିଲେ । ସେ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ଥିଲେ ଓ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ତଥା ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ "ରାୟ ବାହାଦୁର" ଉପାଧୀ ପାଇ ତାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ ବିବିଧା ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ । ପୁସ୍ତକଟି ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ ଉତ୍କଳ ସାହିତ୍ୟରେ ପୂର୍ବରୁ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି । ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା । ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରାଯାଏ । ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ.
ବାସନ୍ତୀ ଏକ ଭାରତୀୟ-ଓଡ଼ିଆ ଉପନ୍ୟାସ । ଏହା ଓଡ଼ିଆ ସାହିତ୍ୟର ସବୁଜ ଯୁଗରେ ଲେଖାଯାଇଥିଲା । ଏହା ଓଡ଼ିଆ ସାହିତ୍ୟର ପ୍ରଥମ ଓ ଏକମାତ୍ର ସମବାୟ ଉପନ୍ୟାସ ଯାହା ୯ ଜଣ ଲେଖକଙ୍କଦ୍ୱାରା ମିଳିତ ଭାବେ ଲେଖା ଯାଇଥିଲା । ଏହି ଉପନ୍ୟାସଟି ପ୍ରଥମେ ୧୯୨୫ରୁ ୧୯୨୭ ମସିହା ମଧ୍ୟରେ ଉତ୍କଳ ସାହିତ୍ୟ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶ ପାଇଥିଲା । ପରେ ଏହା ୧୯୩୧ ମସିହାରେ ଏକ ବହି ରୂପରେ ପ୍ରକାଶ ପାଇଥିଲା । ୧୯୬୮ ମସିହାରେ ଏହାର ଏକ ସଂଶୋଧିତ ସଂସ୍କରଣ ମଧ୍ୟ ପ୍ରକାଶ ପାଇଥିଲା । ୨୦୧୯ ମସିହାରେ ଉପନ୍ୟାସଟି ଇଂରାଜୀକୁ ଅନୂଦିତ ହୋଇ ବାସନ୍ତୀ : ରାଇଟିଂ ଦି ନିୟୁ ୱିମେନ୍ (Basanti: Writing the New Woman) ନାମରେ ପ୍ରକାଶିତ ହୋଇଥିଲା । ଅନୁବାଦକ ଥିଲେ ହିମାଂଶୁ ମହାପାତ୍ର ଓ ପଲ୍ ସେଣ୍ଟ-ପିୟର ।
କବିସୂର୍ଯ୍ୟ ବଳଦେବ ରଥ (୧୭୭୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୭୯ ମସିହାରେ ଗଞ୍ଜାମ ଜିଲ୍ଲା ଆଠଗଡ଼ ରାଜ୍ୟର ତ୍ରିପୁରାରୀ ଓତାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ବ୍ରହ୍ମପୁର ଗଉଡ ସାହିରେ ପ୍ରାଣତ୍ୟାଗ କରିଥିଲେ ।
ମାର୍ଗଶିର ଶୁକ୍ଳଷଷ୍ଠୀଠାରୁ ମାଘ ଶୁକ୍ଲପଞ୍ଚମୀ ଯାଏଁ ମଧ୍ୟାହ୍ନ ଧୂପ ଓ ଦୈନନ୍ଦିନ ଅବକାଶ ପରେ ଶ୍ରୀଜୀଉମାନଙ୍କର ଘୋଡ଼ବେଶ ଓ ମାଘ ଶୁକ୍ଳ ଷଷ୍ଠୀଠାରୁ ଫଗୁ ଦଶମୀ ଯାଏଁ ଜାମାଲାଗି ବା ଠିଆଘୋଡ଼ ବେଶ କରାଯାଇଥାଏ । ଘୋଡ଼ଲାଗି ବେଶ ଓ ଜାମାଲାଗି ବେଶ ମଧ୍ୟରେ ଫରକ ହେଲା, ଅଧିକ ଶୀତ ପଡ଼ିଥିବା ବେଳେ ମହାପ୍ରଭୁ ଦେହମୁଣ୍ଡ ସଂପୂର୍ଣ୍ଣ ଘୋଡାଇ ହେବା ପରି ବେଶ ପିନ୍ଧିଥାଆନ୍ତି ଓ ଶୀତ କମିଗଲେ ଜାମାଲାଗି ବେଶ ହୋଇଥାଆନ୍ତି । ମାର୍ଗଶିର ଷଷ୍ଠୀଠାରୁ ଘୋଡ଼ଲାଗି ଆରମ୍ଭ ହୋଇ ମାଘ ବସନ୍ତ ପଞ୍ଚମୀ ଯାଏଁ ଏମିତି ୬୦ ଦିନ ପର୍ଯ୍ୟନ୍ତ ଚାଲୁ ରହେ । ବସନ୍ତ ଷଷ୍ଠୀଠାରୁ ଫଗୁ ଦଶମୀ ପର୍ଯ୍ୟନ୍ତ ୩୫ ଦିନ ଲାଗି ମହାପ୍ରଭୁ ଜାମାଲାଗି ବା ଠିଆଘୋଡ଼ ବେଶରେ ଭୂଷିତ ହୁଅନ୍ତି ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ ଓ ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ। ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ରେବତୀ ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଏହା ସେହି ବର୍ଷ ଅକ୍ଟୋବର ମାସରେ ଉତ୍କଳ ସାହିତ୍ୟ ପତ୍ରିକାର ଦ୍ୱିତୀୟ ବର୍ଷ ଦଶମ ସଂଖ୍ୟା କାର୍ତ୍ତିକ ୧୩୦୬ରେ ପ୍ରଥମେ ପ୍ରକାଶ ପାଇଥିଲା । ଫକୀର ମୋହନ ଏହି ପତ୍ରିକାରେ ଶ୍ରୀ ଧୁର୍ଜଟି ନାମରେ ଏହି ଗଳ୍ପଟି ଲେଖିଥିଲେ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି । ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଥିଲା । ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢ଼ିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଅଛି ।
ଦାସିଆ ବାଉରୀ ଶ୍ରୀ ଜଗନ୍ନାଥଙ୍କ ଜଣେ ପରମ ଭକ୍ତ । କେତେକ ଐତିହାସିକ ଓ ପୌରାଣିକ ତଥ୍ୟରୁ ଯାହା ଜଣାଯାଏ, ୧୫୦୦ ଶତାବ୍ଦୀ ବେଳକୁ ପୁରୀ ଜିଲ୍ଲାର ପିପିଲି ଅଞ୍ଚଳସ୍ଥ ବାଲିଗାଁରେ ଗୋଟିଏ ଗରୀବ ତନ୍ତୀ ପରିବାରରେ ଦାସିଆ ବାଉରୀ ଜନ୍ମଗ୍ରହଣ କରିଥିଲେ । ବାଲି ଗ୍ରାମର ଖଦାଳ ସାହିରେ ସେ ନିଜ ପରିବାର ସହ ବସବାସ କରୁଥିଲେ ।ବାଲ୍ୟ କାଳରୁ ହିଁ ସେ ଜଣେ ଜଗନ୍ନାଥ ପ୍ରେମୀ ଥିଲେ । ନିଜ ପରିବାରର ପାରମ୍ପରିକ ବୁଣାକାର ବୃତ୍ତି ବ୍ୟତୀତ, ଜଗନ୍ନାଥ ଭଜନ ଓ ଜଣାଣ ଲେଖିବାରେ ମଧ୍ୟ ତାଙ୍କର ରୁଚିଥିଲା । ଏହା ବ୍ୟତୀତ ସେ ଭାଗବତ, ଚଉତିସା ଓ ଭକ୍ତି ମାଳିକା ଭଳି ଗ୍ରନ୍ଥ ମଧ୍ୟ ରଚନା କରିଥିଲେ ।
ଘୂର୍ଣ୍ଣିବାତ୍ୟା, ପ୍ରତିଶବ୍ଦ ଘୂର୍ଣ୍ଣିବାତ, ଘୂର୍ଣ୍ଣିବାୟୁ, ଝଟିକାବର୍ତ୍ତ, ବାତାବର୍ତ୍ତ, ଚକ୍ରବାତ୍ୟା ବା ଖଣ୍ଡିଆଭୂତ (ଇଂରାଜୀ ଭାଷାର ମେଟିଓରୋଲୋଜି (meteorology) ଅନୁସାରେ cyclone) ଏକ ବିରାଟ ଧରଣର ବାୟୁ ପିଣ୍ଡ (air mass) ଯାହା ଶକ୍ତିଶାଳୀ କେନ୍ଦ୍ରୀୟ ବାୟୁମଣ୍ଡଳୀୟ ନିମ୍ନ (atmospheric pressure) ଚାପ ଚତୁର୍ଦ୍ଦିଗରେ ଘୂରିବୁଲେ । ଘୂର୍ଣ୍ଣିବାତ୍ୟାରେ ଏକ ନିମ୍ନଚାପ (low pressure) ବିଶିଷ୍ଟ କ୍ଷେତ୍ର ଚାରିପାଖରେ ଅନ୍ତଃଗାମୀ କୁଣ୍ଡଳାକାର ପବନ (wind) ଘୂରିବୁଲେ । ସବୁଠାରୁ ବଡ଼ ନିମ୍ନ-ଚାପ ସିସ୍ଟମକୁ ପୋଲାର ଭର୍ଟେକ୍ସ (polar vortices) ଓ ସବୁଠାରୁ ବଡ଼ ସିନୋପ୍ଟିକ ସ୍କେଲକୁ synoptic scale) ଏକ୍ସଟ୍ରାଟ୍ରପିକାଲ ଘୂର୍ଣ୍ଣିବାତ୍ୟା (extratropical cyclone) କୁହାଯାଏ । ମେସୋସାଇକ୍ଲୋନ (Mesocyclone), ଟର୍ନାଡୋ (tornado) ଓ ଡସ୍ଟ ଡେଭିଲ (dust devil) ଗୁଡ଼ିକ ମେସୋସ୍କେଲ ଅନ୍ତର୍ଭୁକ୍ତ ରହେ । ମଙ୍ଗଳ, ବୃହସ୍ପତି ଓ ନେପଚୁନ ଭଳି ଗ୍ରହମାନଙ୍କରେ ମଧ୍ୟ ଘୂର୍ଣ୍ଣିବାତ୍ୟା ହୁଏ । ଏହି ଘୁର୍ଣ୍ଣିବାତ୍ୟା ପ୍ରସ୍ତୁତି ଓ ଉତ୍କଟ ହେବାର ପ୍ରଣାଳୀକୁ ସାଇକ୍ଲୋଜେନେସିସ (Cyclogenesis) କୁହାଯାଏ । ବିଭିନ୍ନ ଜୋନ ସଙ୍କୁଚିତ ହୋଇ ଏକ ସମ୍ମୁଖଭାଗ (weather front) ପ୍ରସ୍ତୁତ ହୁଏ । ଏହାପରେ ଏକ୍ସଟ୍ରାଟ୍ରପିକାଲ ସାଇକ୍ଲୋନର ଥଣ୍ଡା ପବନ ପିଣ୍ଡ ଉଷୁମ ବାତ୍ୟା ଜୀବନଚକ୍ର ବନ୍ଦ ହୋଇ ଘନତ୍ୱ ବୃଦ୍ଧିପ୍ରାପ୍ତ ହୁଏ ।
ଭକ୍ତ ଚରଣ ଦାସ (୧୭୨୯-୧୮୧୩) ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ । ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଗୋଟିଏ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
ବିନୋଦ ଚନ୍ଦ୍ର ନାୟକ (୨ ସେପ୍ଟେମ୍ବର ୧୯୧୯ - ୧୫ ନଭେମ୍ବର ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ଗତାନୁଗତିକ ଧାରାରୁ ବାହାରି ଆଧୁନିକତା ସଙ୍ଗେ ରୋମାଣ୍ଟିକ ଚିନ୍ତାଧାରାର ସମ୍ମିଶ୍ରଣ ତାଙ୍କ କବିତାର ବିଶେଷତା ଥିଲା । କବିତା ସଂକଳନ ସରୀସୃପ ପାଇଁ ସେ ୧୯୭୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତାଙ୍କ କବିତା ସାରା ଦେଶରେ ଆଦୃତ ହୋଇଛି ଓ ବହୁ ଭାଷାରେ ଅନୁବାଦିତ ହୋଇଛି । ତାଙ୍କର କୃତି ସମୂହ ଉପରେ ଅନେକ ବିଦ୍ୟାର୍ଥୀ ଉଚ୍ଚତର ଗବେଷଣା କରି ଡକ୍ଟରେଟ ଉପାଧି ପାଇଛନ୍ତି ।
ଲକ୍ଷ୍ମୀ ନାରାୟଣ ମହାରଣା (ଜନ୍ମ ମାର୍ଚ୍ଚ ୧୮, ୨୦୦୪) ଜଣେ ଭାରତୀୟ ସ୍ଵ-ଶିକ୍ଷିତ କଳାକାର ଏବଂ ଶିଳ୍ପୀ । ସେ ଓଡ଼ିଶାର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବାଉଁଶୁଳି ଗ୍ରାମର ଅଟନ୍ତି । ସେ ତାଙ୍କର "ବାସ୍ତବବାଦୀ ପେନ୍ସିଲ୍ ପ୍ରତିକୃତି (Realistic pencil portraits)" ପାଇଁ ଜଣାଶୁଣା । ସେ ଜଳ ରଙ୍ଗ ଏବଂ ପ୍ରତିମୂର୍ତ୍ତି ଉପରେ ମଧ୍ୟ କାମ କରନ୍ତି । ତାଙ୍କ କାର୍ଯ୍ୟ ଆଞ୍ଚଳିକ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି ।
ମିଳିମିଳା (ଇଂରାଜୀରେ ମିଜିଲ୍ସ ବା ରୁବିଓଲା ବା ରେଡ ମିଜିଲ୍ସ ଯଥାକ୍ରମେ measles, morbilli, rubeola, or red measles), ଏକ ଅତୀବ ସଂକ୍ରାମକ ରୋଗ ଯାହା ମିଳିମିଳା ଭୁତାଣୁଦ୍ୱାରା ହୁଏ । ପ୍ରାରମ୍ଭିକ ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜ୍ୱର (ଅଧିକାଂଶ ସମୟରେ ୪୦୦ସେ.ରୁ ଅଧିକ), କାଶ, ନାକରୁ ପାଣି ବୋହିବା ଓ ଆଖି ଲାଲ ଦେଖାଯାଏ । ଏହି ଲକ୍ଷଣ ସମୂହ ଆରମ୍ଭ ହେବାର ୨ ଦିନ ପରେ ପାଟିର ଭିତର ପାଖରେ ଧଳା ଦାଗ ଦେଖାଯାଏ ଯାହାକୁ କପଲିକ ଦାଗ/Koplik's spots କୁହାଯାଏ । ସାଧାରଣତଃ ଗୋଟିଏ ଚେପଟା ଲାଲ ଦାଗ (ରାସ) ମୁହଁରେ ଆରମ୍ଭ ହୁଏ ଓ ୩ରୁ ୫ ଦିନ ମଧ୍ୟରେ ସାରା ଦେହକୁ ମାଡ଼ିଯାଏ । ଗୋଟିଏ ରୋଗୀ ସଂସ୍ପର୍ଶରେ ଆସିବାର ୧୦ରୁ ୧୨ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭ରୁ ୧୦ ପର୍ଯ୍ୟନ୍ତ ରହେ । ପ୍ରାୟ ୩୦ % କେଶ ଜଟିଳ ହୁଏ ଓ ତରଳ ଝାଡ଼ା, ଅନ୍ଧତ୍ୱ, ମସ୍ତିଷ୍କ ପ୍ରଦାହ ଓ ନିମୋନିଆ ଆଦି ହୁଏ । ରୁବେଲା ବା ଜର୍ମାନ ମିଳିମିଳା (German measles) ଓ ରୋଜିଓଲା (Roseola) ଦୁଇଟି ଭିନ୍ନ ରୋଗ ।
ଚନ୍ଦ୍ରଯାନ-୩ (ସଂସ୍କୃତ: चन्द्रयान-3) ହେଉଛି ଭାରତୀୟ ମହାକାଶ ଗବେଷଣା ସଂଗଠନ, ଇସ୍ରୋଦ୍ୱାରା ତୃତୀୟ ଚନ୍ଦ୍ର ଅନୁସନ୍ଧାନ ଅଭିଯାନ । ଏଥିରେ ଚନ୍ଦ୍ରଯାନ-୨ ଭଳି ଲ୍ୟାଣ୍ଡର ଓ ରୋଭର ରହିଥିଲେ ହେଁ ଏଥିରେ ପରିକ୍ରମଣକାରୀ (ଅର୍ବିଟର) ନାହିଁ । ଏହାର ପ୍ରୋପଲ୍ସନ୍ ମଡ୍ୟୁଲ୍ ଏକ ଯୋଗାଯୋଗ ରିଲେ ସାଟେଲାଇଟ୍ ଭଳି ଆଚରଣ କରେ । ମହାକାଶଯାନ ୧୦୦ କିଲୋମିଟର ଚନ୍ଦ୍ର କକ୍ଷପଥରେ ରହିବା ପର୍ଯ୍ୟନ୍ତ ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଏବଂ ରୋଭର ବହନ କରିଥାଏ ।