ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ବିଶ୍ୱ ଏଡ୍ସ ଦିବସ, ଡିସେମ୍ବର ୧ରେ ପ୍ରତିବର୍ଷ ପାଳିତ ହୋଇଥାଏ । ଏହା ଏଡ୍ସ (AIDS)ର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ପାଳନ କରାଯାଇଥାଏ । ସରକାରୀ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏହି ଦିନଟିକୁ ଏଡ୍ସ ବାବଦରେ ଭାଷଣ ଦେଇ ଜନସଚେତନତା ତିଆରି କରି ପାଳନ କରିଥାନ୍ତି । ୧୯୯୫ଠାରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଏହାକୁ ସରକାରୀ ତାଲିକାଭୁକ୍ତ କରିଥିଲେ । ବାକି ଦେଶରେ ମଧ୍ୟ ଏହି ଦିନ ଏଡ୍ସ ଦିବସ ପାଳନ କରାଯାଇଥାଏ ।
ମାନବ ଇମ୍ମ୍ୟୁନାଭାବ ଭୁତାଣୁ ସଂକ୍ରମଣ ଓ ଅର୍ଜିତ ଇମ୍ମ୍ୟୁନାଭାବ ସିଣ୍ଡ୍ରୋମ (HIV and AIDS) ଏକ ବିସ୍ତୃତ ଶ୍ରେଣୀର ଭୁତାଣୁ ଜନିତ ସଂକ୍ରମଣ ଯାହା ମାନବ ଇମ୍ମ୍ୟୁନାଭାବ ଭୁତାଣୁଦ୍ୱାରା ହୁଏ । ରୋଗ ଆରମ୍ଭ ସମୟରେ ଲକ୍ଷଣ ଜଣାଯାଇ ନ ପାରେ ବା ସାମାନ୍ୟ ଇନ୍ଫ୍ଲୁଏଞ୍ଜା ରୋଗ ଭଳି ଲକ୍ଷଣ ପ୍ରକାଶ ପାଏ । ଏହା ପଶ୍ଚାତ ବହୁତ ଦିନ ଧରି କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସମୟକ୍ରମେ ଇମ୍ମ୍ୟୁନିଟି ବିଭାଗକୁ ଦୁର୍ବଳ କରିଦେବା ଫଳରେ ଯକ୍ଷ୍ମା ତଥା ଅନ୍ୟାନ୍ୟ ସଂକ୍ରମଣ ଓ ଅର୍ବୁଦ ଦେଖାଯାଏ ଯାହା ଇମ୍ମ୍ୟୁନିଟି ଥିବା ଲୋକଙ୍କଠାରେ ଦେଖାଯାଏ ନାହିଁ । ବିଳମ୍ବିତ ଲକ୍ଷଣ ବାହାରିଲେ ଏଡସ୍ କୁହାଯାଏ । ଏହି ସମୟରେ ଓଜନ ହ୍ରାସ ହୁଏ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
"ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରି ଏକ ବଡ଼ ଧରଣର ବିପ୍ଲବ ଆରମ୍ଭ କରିଥିଲେ । ୨୫ ବର୍ଷ ବୟସର ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ୍ଦ ଯୋଡ଼ିସାରିଥିଲେ । ସେ ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ - ୧୬ ମାର୍ଚ୍ଚ ୨୦୨୫) ଜଣେ ଆଧୁନିକ ଓଡ଼ିଆ କବି ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ତାଙ୍କର ଜଣାଶୁଣା ରଚନା ମଧ୍ୟରେ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ଅନ୍ୟତମ । ସେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା ଏବଂ ଏହା ଇଂରାଜୀ ତଥା ଆଠଟି ଭାରତୀୟ ଭାଷାରେ ଅନୁଦିତ । ୧୯୯୨ ମସିହା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ମସିହା ଯାଏ କାର୍ଯ୍ୟକରିଥିଲେ ଓ ଚାକିରି ଶେଷ ବେଳକୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ୧୯୯୩ରୁ ୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
କବିସୂର୍ଯ୍ୟ ବଳଦେବ ରଥ (୧୭୭୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୭୯ ମସିହାରେ ଗଞ୍ଜାମ ଜିଲ୍ଲା ଆଠଗଡ଼(ଅଷ୍ଟଦୁର୍ଗ) ରାଜ୍ୟର ତ୍ରିପୁରାରୀ ଓତାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ବ୍ରହ୍ମପୁର ଗଉଡ ସାହିରେ ପ୍ରାଣତ୍ୟାଗ କରିଥିଲେ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ , କୋଶଳ , କୋଙ୍ଗଦ , ଉଡ୍ର ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ରେବତୀ ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଏହା ସେହି ବର୍ଷ ଅକ୍ଟୋବର ମାସରେ ଉତ୍କଳ ସାହିତ୍ୟ ପତ୍ରିକାର ଦ୍ୱିତୀୟ ବର୍ଷ ଦଶମ ସଂଖ୍ୟା କାର୍ତ୍ତିକ ୧୩୦୬ରେ ପ୍ରଥମେ ପ୍ରକାଶ ପାଇଥିଲା । ଫକୀର ମୋହନ ଏହି ପତ୍ରିକାରେ ଶ୍ରୀ ଧୁର୍ଜଟି ନାମରେ ଏହି ଗଳ୍ପଟି ଲେଖିଥିଲେ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି । ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଥିଲା । ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢ଼ିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଅଛି ।
ଭୀମରାଓ ରାମଜୀ ଆମ୍ବେଦକର (୧୪ ଏପ୍ରିଲ ୧୮୯୧ - ୬ ଡିସେମ୍ବର ୧୯୫୬) ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ ଯିଏ ସମ୍ବିଧାନ ସଭା ବିତର୍କରୁ ଭାରତର ସମ୍ବିଧାନ ପ୍ରସ୍ତୁତ କରୁଥିବା କମିଟିର ନେତୃତ୍ୱ ନେଇଥିଲେ, ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ହିନ୍ଦୁ ଧର୍ମ ତ୍ୟାଗ କରିବା ପରେ ଦଳିତ ବୌଦ୍ଧ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ଗୁରୁ ପ୍ରସାଦ ମହାନ୍ତି (୧୬ ଜୁଲାଇ ୧୯୨୪ - ୨୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮) ଆଦି ଅନ୍ୟତମ । ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଗୁରୁ ପ୍ରସାଦ ମହାନ୍ତିଙ୍କ ସମ୍ପର୍କରେ ଗବେଷକ ଓ ସାହିତ୍ୟିକ ଡକ୍ଟର ସନ୍ତୋଷ କୁମାର ନାୟକ କହନ୍ତି, "ଓଡ଼ିଆ କବିତା କ୍ଷେତ୍ରରେ ନବ୍ୟ-ଆଧୁନିକତାର ପ୍ରକୃତ ପ୍ରବର୍ତ୍ତକ ହେଉଛନ୍ତି କବି ମେଜର ଗୁରୁ ପ୍ରସାଦ ମହାନ୍ତି । ସେ ଏକାଧାରରେ ଜଣେ ମେଜର୍ (ଏନ୍.ସି.ସି.
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ ଓ ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଭକ୍ତ ଚରଣ ଦାସ (୧୭୨୯-୧୮୧୩) ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ । ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଗୋଟିଏ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
ଇଲେକ୍ଟ୍ରୋନିକ କମର୍ସ (ସାଧାରଣତ ଇ-କମର୍ସ (e-commerce ବା e-comm) ଭାବେ ଜଣାଶୁଣା) ଅଥବା ଇଲେକ୍ଟ୍ରୋନିକ ବିପଣନ ଇଣ୍ଟରନେଟ କିମ୍ବା ଅନ୍ୟାନ୍ୟ କମ୍ପ୍ୟୁଟର ନେଟୱର୍କ ଜରିଆରେ କୌଣସି ଉତ୍ପାଦର କିଣାବିକାକୁ ବୁଝାଇଥାଏ । ଇଲେକ୍ଟ୍ରୋନିକ ଇ-କମର୍ସ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର, ସପ୍ଲାଇ ଚେନ ମାନେଜମେଣ୍ଟ, ଇଣ୍ଟରନେଟ ମାର୍କେଟିଂ, ଅନଲାଇନ ଟ୍ରାଞ୍ଜେକସନ ପ୍ରସେସିଂ, ଇଲେକ୍ଟ୍ରୋନିକ ଡାଟା ଇଣ୍ଟରଚେଞ୍ଜ (EDI), ଇନଭେଣ୍ଟରି ମାନେଜମେଣ୍ଟ ସିଷ୍ଟମ ଆଉ ସ୍ୱୟଂଚାଳିତ ଡାଟା କଲେକସନ ସିଷ୍ଟମ ଆଦି ଟେକନୋଲୋଜିର ବ୍ୟବହାର କରିଥାଏ । ଯଦିଓ ଏହା ଅନେକ ଗୁଡିଏ ଟେକନୋଲୋଜି ଯଥା; ଇ-ମେଲ, ମୋବାଇଲ ଉପକରଣ ଓ ଟେଲିଫୋନ ଆଦିର ବ୍ୟବହାର କରିଥାଏ ତେବେ ଆଧୁନିକ ଇଲେକ୍ଟ୍ରୋନିକ କମର୍ସ ସାଧାରଣତ ୱାର୍ଲଡ଼ ୱାଇଡ଼ ୱେବ ବ୍ୟବହାର କରି ଅର୍ଥ-ପରିବହନ (ଟ୍ରାଞ୍ଜେକସନ)ର ଜୀବନକାଳ ବ୍ୟବହାର କରିଥାଏ ।
ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। । "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।। ଅଶୋକ ଖ୍ରୀ.
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ପଣ୍ଡିତ ବାଇକୋଳି ମହାପାତ୍ର (୧୬ ଡିସେମ୍ବର ୧୯୦୮ - ୨୦ ଡିସେମ୍ବର ୧୯୭୭) ଏକାଧାରରେ ଜଣେ ସାହିତ୍ୟିକ, ଐତିହାସିକ, ଶିକ୍ଷାବିତ୍ ଓ ସଂଗଠକ ଥିଲେ । ସେ ଗଞ୍ଜାମ ଜିଲ୍ଲାର ଖଲିକୋଟ ଅନ୍ତର୍ଗତ ବାଲୁଙ୍କେଶ୍ୱର ଶାସନରେ ୧୯୦୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଅଗ୍ରଜମାନେ ଅକାଳରେ ମରି ଯାଉଥିବାରୁ ତାଙ୍କ ପିତାମାତା ଅପମୃତ୍ୟୁ ଟଳାଇବା ଉଦ୍ଦେଶ୍ୟରେ ତାଙ୍କର ନାମ ବାଇକୋଳି (ବିଷାକ୍ତ କୋଳି) ରଖିଥିଲେ।
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ୱ ଓ ଧାର୍ମିକ ଗୁରୁତ୍ତ୍ୱ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
ଦ୍ରୌପଦୀ ମୁର୍ମୁ (ଜନ୍ମ: ୨୦ ଜୁନ ୧୯୫୮) ଜଣେ ଭାରତୀୟ ରାଜନୀତିଜ୍ଞା ଓ ଭାରତର ୧୫ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି । ଭାରତର ରାଷ୍ଟ୍ରପତି ହେବାରେ ସେ ପ୍ରଥମ ଆଦିବାସୀ । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର (୨୦୦୦ ଏବଂ ୨୦୦୪ରେ) ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଝାଡ଼ଖଣ୍ଡର ରାଜ୍ୟପାଳ (୨୦୧୫-୨୦୨୧) ଭାବରେ କାର୍ଯ୍ୟ କରିଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ବାଣିଜ୍ୟ ଏବଂ ଗମନାଗମନ ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟକରିଥିଲେ ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ସର୍ଦ୍ଦାର ବଲ୍ଲଭଭାଇ ପଟେଲ(୩୧ ଅକ୍ଟୋବର ୧୮୭୫-୧୫ ଡିସେମ୍ବର ୧୯୫୦) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଓକିଲ, ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ଥିଲା । ସ୍ୱାଧୀନ ଭାରତର ସେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ତାଙ୍କର ଅବଦାନ ନିମିତ୍ତ ତାଙ୍କୁ "ଲୌହ ମାନବ" ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି । ୩୧ ଅକ୍ଟୋବର ୨୦୧୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ଏକ ୧୮୨ ମିଟର ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ । ଏହାକୁ ଏକତାର ପ୍ରତିମୂର୍ତ୍ତି ଭାବରେ ସମ୍ବୋଧନ କରାଯାଉଛି । ଏହା ଉଦଘାଟନ ସମୟରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଥିଲା ।
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି।
ବିନୋଦ ଚନ୍ଦ୍ର ନାୟକ (୨ ସେପ୍ଟେମ୍ବର ୧୯୧୯ - ୧୫ ନଭେମ୍ବର ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ଗତାନୁଗତିକ ଧାରାରୁ ବାହାରି ଆଧୁନିକତା ସଙ୍ଗେ ରୋମାଣ୍ଟିକ ଚିନ୍ତାଧାରାର ସମ୍ମିଶ୍ରଣ ତାଙ୍କ କବିତାର ବିଶେଷତା ଥିଲା । କବିତା ସଂକଳନ ସରୀସୃପ ପାଇଁ ସେ ୧୯୭୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତାଙ୍କ କବିତା ସାରା ଦେଶରେ ଆଦୃତ ହୋଇଛି ଓ ବହୁ ଭାଷାରେ ଅନୁବାଦିତ ହୋଇଛି । ତାଙ୍କର କୃତି ସମୂହ ଉପରେ ଅନେକ ବିଦ୍ୟାର୍ଥୀ ଉଚ୍ଚତର ଗବେଷଣା କରି ଡକ୍ଟରେଟ ଉପାଧି ପାଇଛନ୍ତି ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତିମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲକଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ଜ୍ୟୋତିଷଶାସ୍ତ୍ର ଏକ ଛଦ୍ମ ବିଜ୍ଞାନ ଅଟେ, ଯାହା ଖଗୋଳିୟ ପିଣ୍ଡର ଚଳଣୀ ଏବଂ ସାପେକ୍ଷ ସ୍ଥିତିର ଅଧ୍ୟୟନ କରି ମନୁଷ୍ୟ ସମ୍ବନ୍ଧୀୟ ବିଷୟ ଏବଂ ସାଂସାରିକ ଘଟଣା ସମ୍ବନ୍ଧରେ ଦିବ୍ୟ କଥାବସ୍ତୁର ଦାବି କରିଥାଏ । ଏହି ଶାସ୍ତ୍ରଦ୍ୱାରା ମନୁଷ୍ୟ ତଥା ପୃଥିବୀର ଗ୍ରହ ଏବଂ ତାରାମାନଙ୍କର ଶୁଭ ତଥା ଅଶୁଭ ପ୍ରଭାବର ଅଧ୍ୟୟନ କରାଯାଇ ପାରେ । ଜ୍ୟୋତିଷ ଶବ୍ଦର ଅର୍ଥ ଗ୍ରହ ତଥା ନକ୍ଷତ୍ରଦ୍ୱାରା ସମ୍ବନ୍ଧିତ ରଖୁଥିବା ବିଦ୍ୟା । ଯଦିଓ ଏହି ଶବ୍ଦରୁ ଗଣିତ (ସିଦ୍ଧାନ୍ତ) ଜ୍ୟୋତିଷର ମଧ୍ୟ ବୋଧ ହୋଇଥାଏ, ତଥାପି ସାଧାରଣ ଲୋକ ଜ୍ୟୋତିଷ ବିଦ୍ୟାଦ୍ୱାରା ଫଳିତ ବିଦ୍ୟାର ଅର୍ଥ ବୋଲି ଭାବି ନିଅନ୍ତି।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ପ୍ରାଣବନ୍ଧୁ କର (୧ ଡିସେମ୍ବର ୧୯୧୪ - ୩୦ ମାର୍ଚ୍ଚ ୧୯୯୮) ଜଣେ ଅଧ୍ୟାପକ, ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ତାଙ୍କ ରଚିତ କେତେକ ଜଣାଶୁଣା ରଚନା ମଧ୍ୟରେ ଅଶାନ୍ତ, ଶ୍ୱେତପଦ୍ମା ଆଦି ନାଟକ, ଦୂରପାହାଡ଼ ଓ ପେଟୁ ଏକାଙ୍କିକା, ଷଣ୍ଢ ଲଢେଇ ଓ ସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟର ଓ ଫତୁରାନନ୍ଦଙ୍କ ନାକଟା ଚିତ୍ରକରର ନାଟ୍ୟରୂପ ଦେଇଥିଲେ । ତାଙ୍କର ଅଶାନ୍ତ ନାଟକ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସ୍ନାୟୁ ସଂହାର ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି । ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା । ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରାଯାଏ । ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ.
ବିଜୟ ମିଶ୍ର (୧୬ଜୁଲାଇ ୧୯୩୬ - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ । ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ହ୍ୟୁମାନ ସାଗର (୨୫ ନଭେମ୍ବର ୧୯୯୦–୧୭ ନଭେମ୍ବର ୨୦୨୫) ଜଣେ ଓଡ଼ିଆ କଥାଚିତ୍ର ପ୍ରଚ୍ଛଦପଟ୍ଟ ଗାୟକ ଥିଲେ । ତାଙ୍କୁ ସ୍ଥାନୀୟ ଅଧିବାସୀ ଓଡ଼ିଶାର ଅରିଜିତ ସିଂହ କହି ମଧ୍ୟ ସମ୍ବୋଧନ କରିଥାନ୍ତି । ୨୦୧୨ ମସିହାରେ, ତରଙ୍ଗ ଚ୍ୟାନେଲରେ ପ୍ରସାରିତ ରିୟଲିଟି ସୋ ଭଏସ ଅଫ ଓଡ଼ିଶା ସିଜନ-୨ରେ ଜିତିକରି ସେ ଲୋକଲୋଚନକୁ ଆସିଥିଲେ । ସଂଗୀତ ପ୍ରତି ତାଙ୍କର ନିଶା ଯୋଗୁଁ ସେ ଡାକ୍ତରୀ ପାଠପଢ଼ା ଅଧାରୁ ଛାଡିଦେଇଥିଲେ ।
ସୁର୍ଯ୍ୟ କାନ୍ତ (ଜନ୍ମ ୧୦ ଫେବୃଆରୀ ୧୯୬୨) ଜଣେ ଭାରତୀୟ ବିଚାରପତି ଯିଏ ୨୪ ନଭେମ୍ବର ୨୦୨୫ରୁ ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ବିଚାରପତି ହିସାବରେ ନିୟୁକ୍ତି ପୁର୍ବରୁ, କାନ୍ତ ଜଣେ ବରିଷ୍ଠ ଓକିଲ ଥିଲେ ଏବଂ ହରିୟାଣାର ଆଡ୍ଭୋକେଟ୍ ଜେନେରାଲ୍ ଭାବେ ମଧ୍ୟ କାମ କରିଥିଲେ । ସେ ରାଞ୍ଚୀ ସ୍ଥିତ ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ଷ୍ଟଡି ଆଣ୍ଡ ରିସର୍ଚ୍ଚ ଇନ୍ ଲ’ର ଭିଜିଟର୍ ମଧ୍ୟ ଅଟନ୍ତି । ଏତଦ୍ବ୍ୟତୀତ, ସେ ନ୍ୟାସନାଲ୍ ଲିଗାଲ୍ ସର୍ଭିସେସ୍ ଅଥରିଟିର ଏକ୍ସ-ଅଫିସିଓ ପ୍ୟାଟ୍ରନ୍-ଇନ୍-ଚିଫ୍ ମଧ୍ୟ ଅଟନ୍ତି ।
ବ୍ରହ୍ମବୈବର୍ତ୍ତ ପୁରାଣ (ସଂସ୍କୃତ: ब्रह्मवैवर्त पुराण; Brahmavaivarta Purāṇa) ହେଉଛି ଏକ ବିଶାଳ ସଂସ୍କୃତ ଗ୍ରନ୍ଥ ଓ ହିନ୍ଦୁଧର୍ମର ଅଷ୍ଟାଦଶ ପୁରାଣ (ମହାପୁରାଣ) ମଧ୍ୟରୁ ଗୋଟିଏ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଷ୍ଣବ ଗ୍ରନ୍ଥ । ଏହି ପୁରାଣ ମୁଖ୍ୟତଃ ହିନ୍ଦୁଦେବୀ ରାଧା ଓ ଦେବ କୃଷ୍ଣଙ୍କୁ କେନ୍ଦ୍ର କରି ରଚିତ । ଅଷ୍ଟାଦଶ ପୁରାଣ ମଧ୍ୟରେ ପ୍ରାଚୀନତମ ପୁରାଣ ଭାବେ ଏହାର ମହତ୍ତ୍ଵ ରହିଛି ।
ଓଡ଼ିଶା ସରକାର, ଓଡ଼ିଶା ଓ ଓଡ଼ିଶାର ଅନ୍ତର୍ଗତ ୩୦ଟି ଜିଲ୍ଲାର ଶାସନ କାର୍ଯ୍ୟ ପରିଚାଳନା କରନ୍ତି । ଭାରତର ଅନ୍ୟ ରାଜ୍ୟ ଗୁଡ଼ିକ ଭଳି ରାଜ୍ୟପାଳ ରାଜ୍ୟର ପ୍ରଶାସନିକ ମୁଖ୍ୟ ଅଟନ୍ତି ଓ ସେ କେନ୍ଦ୍ର ସରକାରଙ୍କ ପରାମର୍ଶରେ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି । ତାଙ୍କର ପଦବୀ ମୁଖ୍ୟତଃ ଆନୁଷ୍ଠାନିକ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ସରକାରର ମୁଖ୍ୟ ଏବଂ ଅଧିକାଂଶ କାର୍ଯ୍ୟନିର୍ବାହୀ କ୍ଷମତା ତାଙ୍କ ଉପରେ ନ୍ୟସ୍ତ । ଭୁବନେଶ୍ୱର ହେଉଛି ଓଡ଼ିଶାର ରାଜଧାନୀ ଏବଂ ଏଥିରେ ବିଧାନ ସଭା (ବିଧାନ ସଭା) ଏବଂ ସଚିବାଳୟ ରହିଛନ୍ତି । କଟକଠାରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ଅବସ୍ଥିତ ।
ପ୍ୟାରୀମୋହନ ଆଚାର୍ଯ୍ୟ (୫ ଅଗଷ୍ଟ ୧୮୫୧ - ୨୮ ଡିସେମ୍ବର ୧୮୮୧) ଜଣେ ଭାରତୀୟ ଐତିହାସିକ ଓ ସମ୍ପାଦକ ଥିଲେ । ପ୍ୟାରୀମୋହନ ୨୦ ବର୍ଷ ବୟସରୁ ମଧୁସୂଦନ ରାଓ ଓ ଗୋବିନ୍ଦ ରଥଙ୍କ ସହିତ ମିଶି ଓଡ଼ିଆରେ ଉତ୍କଳ ପୁତ୍ର ନାମକ ସମ୍ବାଦପତ୍ର ଆରମ୍ଭ କରି ସେ ତାହାର ପ୍ରକାଶକ ଓ ସମ୍ପାଦକ ମଧ୍ୟ ଥିଲେ । ସେ ନିଜ ଉଦ୍ୟମରେ କଟକରେ ଏକ ବେସରକାରୀ ସ୍କୁଲର ପ୍ରତିଷ୍ଠା କଲେ ଯାହା ପରବର୍ତ୍ତୀ ସମୟରେ ପ୍ୟାରୀମୋହନ ଏକାଡେମୀରେ ପରିଣତ ହୋଇଥିଲା । ଉତ୍କଳରେ ଇତିହାସ ଲିଖନର ଅଭାବ ଦେଖି ସେ ପୁରାତନ ରାଜକୀୟ ନଥି ଓ ମାଦଳା ପାଞ୍ଜି ଆଦି ଉପରେ ଗବେଷଣା କରି ଗୋଟିଏ ଓଡ଼ିଆ ଇତିହାସ ସଂକଳନ କରିଥିଲେ ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ପ୍ରାଧିକରଣ । ଏହା ପୃଥିବୀର ଛଅଟି ବଡ଼ ସରକାରୀ ମହାକାଶ ପ୍ରାଧିକରଣ ମଧ୍ୟରୁ ଅନ୍ୟତମ ଯଥା: ଆମେରିକାର ନାସା (NASA), ଋଷିଆର RKA, ଇଉରୋପର ଇସା (ESA), ଚୀନର ସିନସଏ (CNSA) ଓ ଜାପାନର JAXA । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା - ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ ।
ମାଦଳା ପାଞ୍ଜି ଓଡ଼ିଶାରେ ରାଜତ୍ୱ କରୁଥିବା ବିଭିନ୍ନ ରାଜବଂଶର ଏକ ଇତିହାସ ପୋଥି ତଥା ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ପାଖରେ ପୂଜିତ । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀଠାରୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଇତିବୃତ୍ତ ଏଥିରୁ ମିଳିଥାଏ । ରାଜା ଓ ମନ୍ଦିରର ଇତିହାସ ଲେଖିବାପାଇଁ ସଙ୍କଳ୍ପ କରିଥିବା ଲିଖନକାରମାନେ ମଝିରେ ମଝିରେ ବିଭିନ୍ନ କିମ୍ବଦନ୍ତୀ ପ୍ରୟୋଗ କରିବାରେ ଗ୍ରନ୍ଥଟି ସାହିତ୍ୟିକ ମର୍ଯ୍ୟାଦା ଲାଭ କରିପାରିଛି । ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶରେ ଉଭୟ ଭାଷା ଓ ଶୈଳୀ ଦୃଷ୍ଟିରୁ ମାଦଳାପାଞ୍ଜିର ସ୍ଥାନ ସ୍ୱତନ୍ତ୍ର ।