ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର, ପଠାଣି ସାମନ୍ତ ନାମରେ ପରିଚିତ, ଜଣେ ଭାରତୀୟ ଜ୍ୟୋତିର୍ବିଦ, ଗଣିତଜ୍ଞ ଓ ବିଦ୍ୱାନ ଥିଲେ । ସେ ବାଉଁଶ ନଳୀ ସାହାଯ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ଗଣନା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବା ନିମନ୍ତେ ଜଣା। ସେ ନିଜ ଗବେଷଣା ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ରଚନା କରି ପ୍ରକାଶ କରିଥିଲେ । ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ନାମ ଏକ ପାଞ୍ଜି ପ୍ରଚଳିତ ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ଭକ୍ତ ଚରଣ ଦାସ (୧୭୨୯-୧୮୧୩) ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ । ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଏକ ଇଣ୍ଡୋ-ଆର୍ଯ୍ୟ ଭାରତୀୟ ଭାଷା । ଏହା ଭାରତର ଓଡ଼ିଶାରେ ସର୍ବାଧିକ ବ୍ୟବହୃତ ଓ ମୁଖ୍ୟ ସ୍ଥାନୀୟ ଭାଷା ଏବଂ ୯୧.୮୫% ଲୋକଙ୍କଦ୍ୱାରା କଥିତ । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
କରଣମାନେ ମୁଖ୍ୟତଃ ଓଡ଼ିଶାରେ ବାସକରୁଥିବା ଏକ ଭାରତୀୟ ହିନ୍ଦୁ କ୍ଷତ୍ରିୟ ଜାତି । କରଣ ପଦବୀ ଏକ ବୃତ୍ତିଗତ ପଦବୀ ଥିଲା ଯାହା କଠୋର ହିନ୍ଦୁ ବର୍ଣ୍ଣ ଓ ଜାତିପ୍ରଥା ସାମାଜିକ ବିଭାଜନରେ ଉଚ୍ଚରେ ଥିବା କ୍ଷତ୍ରିୟ ଜାତିଦ୍ୱାରା ଦଖଲ କରାଯାଇଥିଲା । ସେମାନେ ଆନ୍ଧ୍ର ପ୍ରଦେଶର କେତେକ ସ୍ଥାନରେ କରଣମ ପଦବୀରେ ମଧ୍ୟ ରହିଥିଲେ ଓ ପଶ୍ଚିମବଙ୍ଗ ଏବଂ ବିହାରର କାୟସ୍ଥ ପରି ଓଡ଼ିଶାରେ ସମାନ ଭୂମିକା ଗ୍ରହଣ କରିଥିଲେ । ପାରମ୍ପାରିକ ଭାବରେ ସେମାନେ ଓଡ଼ିଆ ରାଜକୀୟ ରାଜ୍ୟଗୁଡ଼ିକର ଦରବାରରେ ସରକାରୀ ରେକର୍ଡ ରକ୍ଷକ ତଥା ଜମିଦାର, ଶିକ୍ଷକ, ରାଜା, ସୈନ୍ୟବାହିନୀରେ ମୁଖ୍ୟ ସେନାପତି ଓ ମନ୍ତ୍ରୀ ଆଦି ପଦବୀ ଅଧିକାର କରିଥିଲେ। ବର୍ତ୍ତମାନ ସମୟରେ ସେମାନେ ଏକ ରାଜନୈତିକ ପ୍ରଭାବଶାଳୀ ସମ୍ପ୍ରଦାୟ ଏବଂ ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଓଡ଼ିଶା ରାଜନୀତିରେ ନେତୃତ୍ତ୍ୱ ସ୍ଥାନ ଅଧିକାର କରିଛନ୍ତି ।
ନିସନ୍ଦେହରେ ଅଲିମ୍ପିକ ହିଁ ହେଉଛି ବିଶ୍ୱର ସର୍ବବୃହତ ତଥା ସର୍ବଶ୍ରେଷ୍ଠ କ୍ରୀଡ଼ା ମହୋତ୍ସବ । କ୍ରୀଡ଼ାର ଉତ୍କର୍ଷ,ପାରସ୍ପରିକ ପ୍ରତିଦ୍ୱନ୍ଦିତା,ଏହାର ଲୋକପ୍ରିୟତା ଆଦି ସମସ୍ତ ଦୃଷ୍ଟିକୋଣରୁ ଅଲିମ୍ପିକ କ୍ରୀଡ଼ା ବିଶ୍ୱର ଅନ୍ୟାନ୍ୟ ସମସ୍ତ ପ୍ରତିଯୋଗିତାଠାରୁ ରହିଛି ଅନେକ ଆଗରେ । ବିଶ୍ୱର ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରି ସଫଳତା ହାସଲ କରିବ । ଅର୍ଥ କ୍ରୀଡ଼ାଜଗତର ସର୍ବୋଚ୍ଚ ସୋପାନରେ ଉପନୀତ ହେବା । ସେଥିପାଇଁ ଅଲିମ୍ପିକ ପ୍ରତିଯୋଗିତାର ଆକର୍ଷଣ ସବୁ ସମୟରେ ଉନ୍ମାଦିତ କରିଆସିଛି ବିଶ୍ୱର ସମସ୍ତ ଦେଶର ପ୍ରତିଯୋଗୀମାନଙ୍କୁ । ତାହା ଗ୍ରୀଷ୍ମକାଳୀନ ଅଲିମ୍ପିକ ହେଉ ବା ଶୀତକାଳୀନ ଅଲିମ୍ପିକ, ଏହାର ରୋମାଞ୍ଚ,ଏହାର ଉତ୍ତେଜନା ସବୁବେଳେ ସମାନ ।.
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
{{Use British English|date=November 2011}} ଶ୍ରୀନିବାସ ରାମାନୁଜନ (pronunciation ) (୨୨ ଡିସେମ୍ବର ୧୮୮୭ – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ । ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ। ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ 'ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ। ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ?
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ଉତ୍କଳ ଦୀପିକା ବା ସଂକ୍ଷେପରେ ଦୀପିକା ଓଡ଼ିଶାରୁ ପ୍ରକାଶିତ ପ୍ରଥମ ଓଡ଼ିଆ ସମ୍ବାଦପତ୍ର । ଏହାର ପ୍ରତିଷ୍ଠାତା ଗୌରୀଶଙ୍କର ରାୟଙ୍କ ସମ୍ପାଦକତ୍ୱରେ ପତ୍ରିକାଟି ୪ ଅଗଷ୍ଟ ୧୮୬୬ ତାରିଖରେ ପ୍ରଥମେ ପ୍ରକାଶ ପାଇଥିଲା । ପ୍ରଥମେ ସାପ୍ତାହିକ ଆକାରରେ ପ୍ରକାଶିତ ପାଇ ପରେ ଏହା ଦୈନିକ ହୋଇଥିଲା । ଗୌରୀଶଙ୍କର ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ କଟକଠାରେ ପ୍ରତିଷ୍ଠିତ କଟକ ପ୍ରିଣ୍ଟିଂ କମ୍ପାନୀରୁ ଏହି ସମ୍ବାଦପତ୍ର ପ୍ରକାଶ ପାଉଥିଲା ।ଉତ୍କଳ ଦୀପିକା ତତ୍କାଳୀନ ଓଡ଼ିଶାକୁ ନୂଆ ସାମାଜିକ, ନୈତିକ ତଥା ରାଜନୈତିକ ଦିଗଦର୍ଶନ ଦେବା, ବାଲ୍ୟବିବାହ ଭଳି ପ୍ରଥାକୁ ବିରୋଧ କରିବା ଏବଂ ଓଡ଼ିଆମାନଙ୍କ ଦାବୀ ସରକାରଙ୍କ ପାଖରେ ଉପସ୍ଥାପନ କରିଥିଲା । ଗୌରୀଶଙ୍କର ନିଜ ଜୀବନର ଶେଷ ଯାଏ ଦୀପିକା ସମ୍ପାଦନା କରିଆସୁଥିଲେ । ଏହାର ସଫଳତା ଓଡ଼ିଶାରେ ସମ୍ବାଦପତ୍ର ପ୍ରକାଶନର ମୂଳଦୁଆ ପକାଇଥିଲା ।
ଭକ୍ତ ଚରଣ ଦାସ (ଜନ୍ମ: ୩ ଜୁନ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକ ସଭା ସଂସଦ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯, ୧୯୯୬ ଓ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଓଡ଼ିଶାର ସର୍ବ ପ୍ରାଚୀନ ରାଜଧାନୀ ଭାବେ ଏହାର ଯଶ କିର୍ତିତ । ବିଶେଷ କରି ଶୈଳୋଦ୍ଭବ, ମାଠର, ଭୌମକର ଏବଂ ସୋମବଂଶୀ ବା କେଶରୀମାନଙ୍କ ଶାସନ କାଳରେ ଏହି ଭୂଭାଗ ଓଡ଼ିଶାର ରାଜଧାନୀ ରୂପେ ଭାରତ ବର୍ଷରେ ଏକ ବିଖ୍ୟାତ ସହରର ମାନ୍ୟତା ଲାଭ କରିଥିଲା । ଦେବୀ ବିରଜାଙ୍କ ନାମାନୁସାରେ ଏହାର ପ୍ରାଚୀନ ନାମ ଥିଲା ବିରଜା । ପରବର୍ତୀ ସମୟ ସମୟରେ ଏହାର ନାମରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି । ଯଜ୍ଞପୁର, ଗୁହଦେବ ପାଟକ, ଯାଜନଗର, ଅଭିନବ ଯଯାତି ନଗର, ଯାଜିପୁର ଓ ଆଜିର ଯାଜପୁର ରୂପେ ଏହାର ନାମାନ୍ତର ଘଟିଅଛି । ଆଛତିଆ ଆରୋଡ଼ି ପର୍ଯ୍ୟନ୍ତ ଏହି ଭୂମଣ୍ଡଳ ବିସ୍ତୃତ ।
କୁଷ୍ଠ ଏକ ଦୀର୍ଘ ସ୍ଥାୟୀ ରୋଗ ଯାହାକୁ ଇଂରାଜୀରେ ଲେପ୍ରୋସି (Leprosy) ବା ହାନ୍ସେନ୍ ରୋଗ (Hansen’s disease ବା HD) କହନ୍ତି । ମାଇକୋବ୍ୟାକ୍ଟେରିଅମ ଲେପ୍ରି (Mycobacterium leprae) ଓ ମାଇକୋବ୍ୟାକ୍ଟେରିଅମ ଲେପ୍ରୋମାଟୋସିସ (Mycobacterium lepromatosis) ନାମକ ଦୁଇ ପ୍ରକାର ବ୍ୟାକ୍ଟେରିଆଦ୍ୱାରା ଏହି ରୋଗ ହୁଏ । ଏହି ରୋଗ ପ୍ରାରମ୍ଭରେ ଆଦୌ ଲକ୍ଷଣଯୁକ୍ତ ହୁଏ ନାହିଁ ଓ ୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ବିନା ଲକ୍ଷଣରେ ରହିପାରେ । ସ୍ନାୟୁ, ଚର୍ମ, ଶ୍ୱାସ ନଳୀ, ଚକ୍ଷୁ ଇତ୍ୟାଦିରେ ଏହି ରୋଗ ଗ୍ରାନୁଲୋମା ଆକାରରେ ଦେଖାଯାଏ । ରୋଗ ପ୍ରଭାବିତ ସ୍ଥାନରେ କୌଣସି ପେନ୍ ବା ଯନ୍ତ୍ରଣା ହୁଏ ନାହିଁ, ଏଣୁ ଉର୍ଦ୍ଧ୍ୱ ଓ ନିମ୍ନ ଅବୟବର ପ୍ରାନ୍ତ ଭାଗ (ପାଦ ଓ ହାତର ଆଙ୍ଗୁଳିମାନ) ପୁନଃ ପୁନଃ କ୍ଷତପ୍ରାପ୍ତ ହୋଇ କ୍ଷୟ ହୋଇଯାଏ । ଦୁର୍ବଳ ଲାଗେ ଓ ଦୃଷ୍ଟିଶକ୍ତି କମିଯାଏ । ବ୍ୟାକ୍ଟେରିଆ ସଂଖ୍ୟା ଅନୁଯାୟୀ କୁଷ୍ଠ ରୋଗର ପଶିବ୍ୟାସିଲାରି ଓ ମଲ୍ଟିବ୍ୟାସିଲାରି ନାମକ ମୁଖ୍ୟତଃ ଦୁଇ ପ୍ରକାର ଉପସ୍ଥାପନା ଦେଖାଯାଏ । ସ୍ୱଳ୍ପ ବର୍ଣ୍ଣକ (poor pigment) ଓ କାଲୁଆ ଚର୍ମ (numb skin) ଥିବା ଛଉ ଉପସ୍ଥିତି ଅନୁସାରେ ଏହି ଦୁଇ ପ୍ରକାର ରୋଗର ଭିନ୍ନତା ଜଣାଯାଏ । ପଶିବ୍ୟାସିଲାରିରେ ୫ ବା ୫ରୁ କମ ଓ ମଲ୍ଟିବ୍ୟାସିଲାରିରେ ୫ରୁ ଅଧିକ ଛଉ ଥାଏ । ଚର୍ମ ବାୟୋପ୍ସି ନେଇ ସେଥିରେ ଏସିଡ-ଫାଷ୍ଟ ବାସିଲାଇ ଉପସ୍ଥିତି ଦେଖି ବା ପଳିମରେଜ ଚେନ ରିଆକ୍ସନ (PCR)ଦ୍ୱାରା ଡି.ଏନ.ଏ.
କଟକ ପ୍ରିଣ୍ଟିଂ ପ୍ରେସ (Cuttack Printing Press) ୧୮୬୫ ମସିହାରେ କଟକରେ ପ୍ରତିଷ୍ଠିତ ଏକ ଛାପାଖାନା । ଓଡ଼ିଶା ମିଶନ ପ୍ରେସ ପରେ ଏହା ଓଡ଼ିଶାର ଦ୍ୱିତୀୟ ଓ ଅଣମିଶନାରୀ ଏବଂ ଓଡ଼ିଆଙ୍କ ପ୍ରତିଷ୍ଠିତ ପ୍ରଥମ ଛାପାଖାନା ଥିଲା । ବିଚିତ୍ରାନନ୍ଦ ଦାସ ଓ ଗୌରୀଶଙ୍କର ରାୟ କଟକର ଆଲାମଚାନ୍ଦ ବଜାରରେ ଏହି ଛାପାକଳର ସ୍ଥାପନା କରିଥିଲେ । ଢେଙ୍କାନାଳ ରାଜ୍ୟର ରାଜା ଭାଗିରଥୀ ମହେନ୍ଦ୍ର ବାହଦୁରଙ୍କ ସମେତ ଓଡ଼ିଶାର ଗଡ଼ଜାତ ରାଜାମାନେ ଏଥି ନିମନ୍ତେ ପାଣ୍ଠି ପ୍ରଦାନକରିଥିଲେ । ସ୍ଥାପନାର ବର୍ଷେ ପରେ ଏହାର ଏକ ପ୍ରମୁଖ ପ୍ରକାଶନ ରୂପେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଓ ସାହିତ୍ୟପତ୍ର ଉତ୍କଳ ଦୀପିକା ଏଠାରୁ ପ୍ରକାଶ ପାଇଥିଲା ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଇସଲାମ (اَلْإِسْلَامُ - ଅଲ୍-ଇସ୍ଲାମ୍ - ଅର୍ଥାତ୍ ଈଶ୍ବରଙ୍କଠାରେ ସମର୍ପଣ) ଏକ ଏକେଶ୍ୱରବାଦୀ ଆବ୍ରାହମୀୟ ଧର୍ମ । ଏହାର ମୂଳ ଶିକ୍ଷା ହେଉଛି ଆଲ୍ଲା ଏକ ଏବଂ ଅଦ୍ୱିତୀୟ ତଥା ମହମ୍ମଦ ଈଶ୍ବରଙ୍କ ପୈଗମ୍ବର । ଇସଲାମ ଧର୍ମପନ୍ଥୀ ମୁସଲମାନ ଭାବେ ପରିଚିତ । ଏହାର ବିଶ୍ୱର ଦ୍ୱିତୀୟ ବୃହତ୍ତମ ଧର୍ମ ଏବଂ ଏଥିରେ ୧୮୦ କୋଟି ଲୋକ ଅଛନ୍ତି । ୪୯ଟି ଦେଶରେ ମୁସଲମାନମାନେ ସଂଖ୍ଯା ଗରିଷ୍ଠ ଅଛନ୍ତି । ଇସଲାମ ଶିକ୍ଷା ଦିଏ ଯେ - ଆଲ୍ଲା ଦୟାମୟ, ସର୍ବଶକ୍ତିମାନ ଏବଂ ଅଦ୍ୱିତୀୟ ତଥା ଭବିଷ୍ଯଦ୍ବକ୍ତା, ଗ୍ରନ୍ଥ ଏବଂ ପ୍ରାକୃତିକ ସଙ୍କେତଦ୍ୱାରା ମନୁଷ୍ଯମାନଙ୍କର ପଥପ୍ରଦର୍ଶନ କରିଥିଲେ । ଇସଲାମର ପ୍ରମୁଖ ଗ୍ରନ୍ଥ ହେଉଛି କୋରାନ - ଆଲ୍ଲାଙ୍କ ମୁଖ ନିଃସୃତ ବାଣୀ ତଥା ସୁନ୍ନାଃ -
ଅମିତାଭ ବଚ୍ଚନ (ହିନ୍ଦୀ: अमिताभ बच्चन, ଉଚ୍ଚାରଣ [əmɪtaːbʱ bəttʃən]) ଜଣେ ଭାରତୀୟ ହିନ୍ଦୀ କଥାଚିତ୍ର ଅଭିନେତା ଓ ପ୍ରଯୋଜକ । ତାଙ୍କର ପୂରାନାମ ଅମିତାଭ ହରିବଂଶ ରାୟ ଶ୍ରୀବାସ୍ତବ ବଚ୍ଚନ । ସେ ୧୯୪୨ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଭାରତର ଉତ୍ତର ପ୍ରଦେଶଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୯ ମସିହା ନଭେମ୍ବର ମାସ ୭ ତାରିଖରେ ମୁକ୍ତିଲାଭ କରିଥିବା ସାତ୍ ହିନ୍ଦୁସ୍ତାନୀ ହେଉଛି ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର । ୧୯୭୦ ଦଶକର ପ୍ରଥମାର୍ଦ୍ଧରେ ଜଞ୍ଜିର୍ ଓ ଦିୱାର୍ ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ତାଙ୍କୁ ଲୋକପ୍ରିୟ କରାଇଥିଲା । ବଲିଉଡ୍ରେ ସେ ଅଭିନୟ କରିଥିବା ଚରିତ୍ରଗୁଡ଼ିକ ପାଇଁ ତାଙ୍କୁ ଭାରତର ପ୍ରଥମ ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଆଖ୍ୟା ମଧ୍ୟ ଦିଆଯାଇଛି । ହିନ୍ଦୀ ସିନେ ଜଗତରେ ସେ ବଲିଉଡ୍ର ଶେହେନ୍ଶାହ, ସୁପର୍ଷ୍ଟାର୍ ଅଫ୍ ଦ ମିଲେନିୟମ୍ ଓ ବିଗ୍ ବି ନାମରେ ବେଶ୍ ଜଣାଶୁଣା । ସେ ୪ ଦଶନ୍ଧୀରୁ ଅଧିକ ସମୟ ଧରି ପ୍ରାୟ ୧୮୦ଟି ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । ସେ କଭି କଭି ମେରେ ଦିଲ୍ ମେ (ଚଳଚ୍ଚିତ୍ର : କଭି କଭି), ଏକ୍ଲା ଚଲୋ ରେ (ଚଳଚ୍ଚିତ୍ର : କାହାନୀ), ବାତେଁ ହୱା ହେ ସାରି (ଚଳଚ୍ଚିତ୍ର : ଚିନି କମ୍), ନୂର୍ (ଚଳଚ୍ଚିତ୍ର : ଦିଲ୍ଲୀ ୬), ଚଲି ଚଲି (ଚଳଚ୍ଚିତ୍ର : ବାଗ୍ବାନ୍) ଓ ହୋରି ଖେଲେ (ଚଳଚ୍ଚିତ୍ର : ବାଗ୍ବାନ୍) ଭଳି ଅନେକ ଗୀତରେ ସେ କଣ୍ଠଦାନ ମଧ୍ୟ କରିଛନ୍ତି । ଭାରତୀୟ ସିନେ ଇତିହାସରେ ବଚ୍ଚନଙ୍କୁ ଜଣେ ମହାନ ଓ ପ୍ରଭାବଶାଳୀ ଅଭିନେତା ଭାବେ ଜଣାଯାଏ । ୧୯୭୦-୮୦ ଦଶକରେ ତାଙ୍କର ପ୍ରଭାବଶାଳୀ ଅଭିନୟ ପାଇଁ ଫ୍ରେଞ୍ଚ୍ ନିର୍ଦ୍ଦେଶକ ଫ୍ରାନ୍କୋଇସ୍ ଟ୍ରୁଫାଉଟ୍ ତାଙ୍କୁ ୱାନ୍-ମ୍ୟାନ୍-ଇଣ୍ଡଷ୍ଟ୍ରି ଆଖ୍ୟା ଦେଇଥିଲେ । ୧୯୮୦ ମସିହାରେ ବଚ୍ଚନଙ୍କୁ ଲୋକ ସଭାର ଜଣେ ସଦସ୍ୟ ରୂପେ ମନୋନୀତ କରାଯାଇଥିଲା । ୧୯୯୦ ମସିହାରେ ସେ ତାଙ୍କର ନିଜର ଚଳଚ୍ଚିତ୍ର ପ୍ରଯୋଜନାକାରୀ କମ୍ପାନୀ ଆରମ୍ଭ କରିଥିଲେ । ୧୯୯୭ ମସିହାରେ ପୁନର୍ବାର ମୃତ୍ୟୁଦାତା ଚଳଚ୍ଚିତ୍ର ଜରିଆରେ ସେ ଅଭିନୟ ଦୁନିଆକୁ ଫେରିଥିଲେ । ୨୦୦୦ ମସିହାରେ ସେ Who Wants to Be a Millionaire?ର ଭାରତୀୟ ସଂସ୍କରଣ କୌନ୍ ବନେଗା କରୋଡ଼୍ପତି?ର ସଞ୍ଚାଳକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୧୩ ମସିହାରେ ଦ ଗ୍ରେଟ୍ ଗ୍ୟାଟ୍ସ୍ବାୟ୍ ଚଳଚ୍ଚିତ୍ରରେ ମେୟର୍ ୱଲ୍ଫ୍ଶିମ୍ ନାମକ ଏକ ଅଣଭାରତୀୟ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ପାଇଁ ହଲିଉଡ୍ରେ ନିଜ ପାଦ ଥାପିଥିଲେ ।
ପଦ୍ମଶ୍ରୀ ଶ୍ୟାମାମଣି ଦେବୀ (ଜନ୍ମ : ୨୧ ଡିସେମ୍ବର ୧୯୩୮, ଶ୍ୟାମାମଣି ପଟ୍ଟନାୟକ) ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ । ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ ଯଥା ଓଡ଼ିଶୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ସେ ପଲ୍ଲୀ ଏବଂ ଆଧୁନିକ ଗୀତ ମଧ୍ୟ ଗାୟନ କରିଛନ୍ତି । ଓଡ଼ିଶୀ ସଙ୍ଗୀତର ଦୁଇଜଣ ପ୍ରମୁଖ ଗୁରୁ - ସିଂହାରୀ ଶ୍ୟାମସୁନ୍ଦର କର ଏବଂ ବାଳକୃଷ୍ଣ ଦାସଙ୍କଠୁ ସେ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିବାରୁ ତାଙ୍କ ଗାୟନ ଶୈଳୀରେ ଉଭୟଙ୍କ ଛାପ ରହିଛି । ଅନେକ ପାରମ୍ପରିକ ଓଡ଼ିଶୀ ଗୀତକୁ ରେକର୍ଡ଼ କରି ସେ ବେଶ ଜନାଦୃତ ହୋଇପାରିଛନ୍ତି ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ହୃଦ୍ଘାତ (ଇଂରାଜୀରେ ମାୟୋକାର୍ଡ଼ିଆଲ ଇନଫାର୍କସନ ବା ଏମ.ଆଇ. ଅଥବା ଆକ୍ୟୁଟ ମାୟୋକାର୍ଡ଼ିଆଲ ଇନଫାର୍କସନ ବା ଏ.ଏମ.ଆଇ., ବା ହାର୍ଟ ଆଟାକ୍ ଯଥାକ୍ରମେ Myocardial infarction (MI) or acute myocardial infarction (AMI), commonly known as a heart attack), ରୋଗ ହୁଏ ଯେତେବେଳେ ହୃତ୍ପିଣ୍ଡର ଗୋଟିଏ ଅଂଶକୁ ରକ୍ତ ସରବରାହ ବନ୍ଦ ହୋଇ ସେହି ସ୍ଥାନର ହୃତ୍ପିଣ୍ଡ ମାଂସପେଶୀ ମରିଯାଆନ୍ତି । ଏହାର ଅତି ସାଧାରଣ ଲକ୍ଷଣ: ଛାତି ଯନ୍ତ୍ରଣା ବା ଛାତି ବେଆରାମ ଯାହା କାନ୍ଧ, ବାହୁ, ପିଠି ଓ ହନୁ ହାଡ଼ ଆଡ଼କୁ ମାଡ଼ିଯାଏ । ଅଧିକାଂଶ ସମୟରେ ଏହି କଷ୍ଟ ଛାତି ମଝିରେ ବା ବାମ ପାଖରେ ହୁଏ ଓ କିଛି ମିନିଟରୁ ଅଧିକ ସମୟ ଧରି ରହେ । ଅନେକ ସମୟରେ ଏହା ଛାତି ଜ୍ୱଳନ ଭଳି ଲାଗେ । ଅନ୍ୟ ଲକ୍ଷଣ ମଧ୍ୟରେ ଛୋଟ ଶ୍ୱାସକ୍ରିୟା, ଓକାଳ, ଅଚେତ ଅନୁଭବ, ଥଣ୍ଡା ଝାଳ ଓ ଥକ୍କା ଲାଗିବା ଭଳି ଲାଗେ । ପ୍ରାୟ ୩୦ % ଲୋକଙ୍କର ଅସ୍ୱାଭାବିକ ଲକ୍ଷଣ ଥାଏ, ପୁରୁଷଙ୍କର ମହିଳାଙ୍କ ଅପେକ୍ଷା ଅଧିକ ଅସ୍ୱାଭାବିକ ଲକ୍ଷଣ ଦେଖାଯାଏ । ୭୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ୫ % ଲୋକଙ୍କର ସାମାନ୍ୟ ବା କୌଣସି ଲକ୍ଷଣ ନ ଥାଏ । ହୃଦ୍ଘାତ ଫଳରେ ହୃଦ୍ପାତ (heart failure), ଅନିୟମିତ ହୃତ ସ୍ପନ୍ଦନ ବା ହୃଦ୍ରୋଧ (cardiac arrest) ହୋଇପାରେ । ଅଧିକାଂଶ ହୃଦ୍ଘାତ କରୋନାରୀ ଧମନୀ ରୋଗ ଯୋଗୁ ହୁଏ । ସଙ୍କଟ ଦାୟକ ଅବସ୍ଥା ମଧ୍ୟରେ ଉଚ୍ଚ ରକ୍ତଚାପ, ଧୂମ୍ରପାନ, ଡାଏବେଟିସ ମେଲିଟସ, ବ୍ୟାୟାମ ଅଭାବ, ମୋଟାପଣ, ରକ୍ତରେ ଅଧିକ କୋଲେଷ୍ଟ୍ରଲ୍, ଦରିଦ୍ର ଖାଦ୍ୟ ଓ ଅତ୍ୟଧିକ ମଦ୍ୟପାନ ମୂଖ୍ୟ ଅଟେ । ରକ୍ତନଳୀରେ ଜମିଥିବା ଆଥେରୋସ୍କ୍ଲେରୋଟିକ ପ୍ଲେକ ଭାଙ୍ଗିଯାଇ କରୋନାରୀ ଧମନୀକୁ ସମ୍ପୁର୍ଣ୍ଣ ବନ୍ଦ କରିଦେଲେ ଏହି ରୋଗ ହୁଏ । କ୍ୱଚିତ, କୋକେନ ଖାଇବା ଯୋଗୁ, ମାନସିକ ଚାପ ଯୋଗୁ ଓ ଅତ୍ୟଧିକ ଥଣ୍ଡା ଯୋଗୁ, କରୋନାରି ଧମନୀର ସ୍ପାଜ୍ମ ହୋଇ ଏମ.ଆଇ. ରୋଗ ହୁଏ । ଇସିଜି, ରକ୍ତ ପରୀକ୍ଷା ଓ କରୋନାରୀ ଆଞ୍ଜିଓଗ୍ରାମ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଏସଟି ଉତ୍ଥାନ ଇସିଜି ସାହାଯ୍ୟରେ ଜଣାପଡ଼ିଲେ ଏମ ଆଇ ରୋଗ ନିଶ୍ଚିତ କରାଯାଏ । ସାଧାରଣତଃ ଟ୍ରୋପୋନିନ ଓ ବେଳେ ବେଳେ କ୍ରିଏଟିନ କାଇନେଜ ଏମ.ବି.
ସୁଧା ଚନ୍ଦ୍ରନ୍ ଜଣେ ନିପୁଣ ଭରତନାଟ୍ୟମ୍ ନୃତ୍ୟାଙ୍ଗନା ଏବଂ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ର କଳାକାର। ୧୯୮୧ ମସିହା ଜୁନ୍ ମାସରେ ନିଜ ପିତା-ମାତାଙ୍କ ସହ ଚେନ୍ନାଇରୁ କାର୍ରେ ଫେରୁଥିବା ସମୟରେ ତାମିଲନାଡ଼ୁର ତିରୁଚିନାପଲ୍ଲୀ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ସେ ନିଜର ଗୋଟିଏ ଗୋଡ଼ ହରାଇ ଥିଲେ। ସୁସ୍ଥ ହେବା ପରେ ସେ ଅଭିନୟ ପ୍ରତି ମନ ବଳାଇ ଥିଲେ। ସେ ମୁଖ୍ୟତଃ ନିଜଦ୍ୱାରା ଅଭିନୀତ କହିଁ କିସି ରୋଜ୍ରେ ରାମୋଲା ସିକନ୍ଦ୍ର ଚରିତ୍ର, ନାଗିନ୍ରେ ୟାମିନୀର ଚରିତ୍ର ଏବଂ ହମ୍ ପାଞ୍ଚ୍ (ଦ୍ୱିତୀୟ ଅଧ୍ୟାୟ)ରେ ଆନନ୍ଦର ପ୍ରଥମ ପତ୍ନୀର ଚରିତ୍ର ପାଇଁ ପରିଚିତ।
ସିରୋସିସ୍ ଏକ ପ୍ରକାର ରୋଗ ଯେଉଁଥିରେ ଦୀର୍ଘକାଳୀନ କ୍ଷତି ଯୋଗୁ ଯକୃତ ଭଲ ରୂପେ କାର୍ଯ୍ୟ କରିପାରେ ନାହିଁ । ସ୍ୱାଭାବିକ ଭାବରେ ରୋଗ ବର୍ଷ ବର୍ଷ ଧରି ଧୀରେ ବଢ଼ିଚାଲେ । ରୋଗ ଆରମ୍ଭରେ କୋଣସି ଲକ୍ଷଣ ପ୍ରକାଶ ପାଏନାହିଁ । ରୋଗ ଖରାପ ଦିଗକୁ ଗତି କଲେ ଦୁର୍ବଳ ଲାଗେ, ଗଲୁ କରେ, ଗୋଡ଼ ନିମ୍ନଭାଗ ଫୁଲିଯାଏ, ଚମ ହଳଦିଆ ହୁଏ, ସହଜରେ କ୍ଷତ ହୁଏ, ପେଟରେ ତରଳ ପଦାର୍ଥ ଜମିଯାଏ ଓ ପେଟ ବୁଢ଼ିଆଣି ବସା ପରି ଶିରାଳ ଦେଖାଯାଏ । ପେଟରେ ଜମିଥିବା ତରଳ ପଦାର୍ଥ ସ୍ୱତଃ ସଂକ୍ରମିତ ହୋଇଯାଇପାରେ । ଅନ୍ୟ ଜଟିଳତା ମଧ୍ୟରେ ହେପାଟିକ ଏନକେଫାଲୋପାଥି, ଏସୋଫେଗସରେ ଥିବା ସ୍ଫିତ ରକ୍ତନଳୀରୁ ରକ୍ତସ୍ରାବ ଓ କର୍କଟ ରୋଗ ହୋଇପାରେ । ହେପାଟିକ ଏନକେଫାଲୋପାଥି ହେଲେ ମାନସିକ ଦ୍ୱନ୍ଦ ହୁଏ ଓ ମୂର୍ଚ୍ଛା ହେବା ସମ୍ଭାବନା ରହେ ।
ଶାହାରୁଖ ଖାଁ (ଜନ୍ମ ୨ ନଭେମ୍ବର ୧୯୬୫) ଭାରତର ସିନେ ଜଗତର ଜଣେ ଅଭିନେତା ଓ ପ୍ରଯୋଜକ । ସାଧାରଣତଃ "କିଙ୍ଗ୍ ଖାନ", "ଏସ.ଆର.କେ", "କିଙ୍ଗ ଅଫ୍ ବଲିଉଡ଼" ତଥା "ବଲିଉଡ଼ ବାଦଶାହ" ଭାବରେ ସେ ଜଣାଶୁଣା । ୧୯୯୨ ମସିହାରେ "ଦିୱାନା" ଚଳଚ୍ଚିତ୍ର ଜରିଆରେ ପଦାର୍ପଣ କରିଥିବା ଶାହାରୁଖ ତା' ଆଗରୁ ଟେଲିଭିଜନରେ ଜଣେ ଶ୍ରେଷ୍ଠ ଧାରାବାହିକ ଅଭିନେତା ଭାବରେ ନାଁ କରିଥିଲେ । ଶାହାରୁଖ ୧୪ଟି ଫିଲ୍ମଫେୟାର୍ ପୁରସ୍କାର ବର୍ତ୍ତମାନ ସୁଦ୍ଧା ଜିତିଛନ୍ତି, ଯହିଁରୁ ୮ ଗୋଟି ଶ୍ରେଷ୍ଠ ଅଭିନେତା ବିଭାଗରେ ଅଛି, ତଥା ଏହା ଏକ ରେକର୍ଡ଼ ଦିଲ୍ଲିପ କୁମାରଙ୍କ ସହିତ ।
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ। ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ହରପ୍ପା ( Punjabi pronunciation: [ɦəɽəppaː] ; ଉର୍ଦ୍ଦୁ / Punjabi ) ପାକିସ୍ତାନର ପଞ୍ଜାବର ଏକ ପ୍ରତ୍ନତାତ୍ତ୍ୱିକ ସ୍ଥାନ, ସାହିୱାଲର ପ୍ରାୟ 24 km (15 mi) ପଶ୍ଚିମରେ ଏହି ସାଇଟ୍ ରବି ନଦୀର ପୂର୍ବ ପଥ ନିକଟରେ ଅବସ୍ଥିତ । ରବି ନଦୀ ନିକଟରେ ଅବସ୍ଥିତ ଏକ ଆଧୁନିକ ଗାଁରୁ ଏହାର ନାମକରଣ ହୋଇଛି । ରବି ନଦୀ ବର୍ତ୍ତମାନ 8 km (5.0 mi) ଉତ୍ତରରେ ଚାଲୁଛି । ହରପ୍ପାର ପ୍ରାଚୀନ ସ୍ଥାନଟି ବର୍ତ୍ତମାନର ହରପ୍ପା ଗାଁରୁ 1 km (0.62 mi)ରୁ କମ୍ ଦୂରରେ ଅବସ୍ଥିତ । ଯଦିଓ ଆଧୁନିକ ହରପ୍ପା ବ୍ରିଟିଶ ରାଜ ସମୟରୁ ଏକ ପୁରୁଣା ରେଳ ଷ୍ଟେସନ ଅଛି, ଏହା ଆଜି ୧୫,୦୦୦ ଲୋକଙ୍କ ଏକ ଛୋଟ ଛକ ସହର ଅଟେ ।
ବିଜୟ ମିଶ୍ର (୧୬ଜୁଲାଇ ୧୯୩୬ - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ । ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ଭାବେ ୧୯୬୬ରୁ ୧୯୭୭ ଯାଏଁ ଏବଂ ପରେ ୧୯୮୦ରୁ ୧୯୮୪ (ଇନ୍ଦିରା ଗାନ୍ଧୀଙ୍କ ହତ୍ୟା) ପର୍ଯ୍ୟନ୍ତ ସର୍ବାଧିକ ଦିନ ଦେଶର ସେବା କରିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକମାତ୍ର ସନ୍ତାନ । ୧୯୫୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୪ରେ ପିତାଙ୍କ ମୃତ୍ୟୁ ପରେ ପ୍ରଧାନ ମନ୍ତ୍ରୀ ପଦପାଇଁ ଦୌଡରେ ସାମିଲ ହେବାକୁ ମନାକରି ଲାଲ ବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ କ୍ୟାବିନେଟ ମନ୍ତ୍ରୀଭାବେ ଯୋଗ ଦେଇଥିଲେ । ଶାସ୍ତ୍ରୀଙ୍କ ମୃତ୍ୟୁପରେ, ୧୯୬୬ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସେ ତାଙ୍କ ବିରୋଧୀ ପ୍ରାର୍ଥୀ ମୋରାରଜୀ ଦେଶାଇଙ୍କୁ ପରାସ୍ତ କରି ଭାରତର ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ।
ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାଠାରେ ଏହି ପର୍ବ ପାଳନ କରାଯାଏ । ଦୂରଦୂରାନ୍ତରୁ ଅନେକ ଲୋକ ଏଇ ତିନିଦିନିଆଁ ମେଳାରେ ଭାଗ ନେବାକୁ ଆସିଥାନ୍ତି। ଏହିଦିନ ମହିମା ସନ୍ନ୍ୟାସୀମାନେ ମହିମା ଗୋସେଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଅନେକ ମହିମା ସନ୍ନ୍ୟାସୀ ଏହିଦିନ ବୈରାଗୀରୁ ଅପରା ସନ୍ନ୍ୟାସୀ ଭାବେ ଘୋଷିତ ହୁଅନ୍ତି ।ଏହି ମେଳା ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନରେ ଅନୁଷ୍ଠିତ ହୁଏ । ଏହାର ପାଞ୍ଚଦିନ ପୂର୍ବରୁ ତଥା ଦଶମୀ ତିଥିରୁ ମହିମାଗାଦିରେ ସନ୍ନ୍ୟାସୀଙ୍କର ସମାବେଶ ହୁଏ । ତ୍ରୟୋଦଶୀ ପାହାନ୍ତାରେ ମହିମା ମେଳା ଆରମ୍ଭ ହୁଏ ଏବଂ ଏହାକୁ ପାହାନ୍ତା ପୂର୍ଣ୍ଣମୀ ମଧ୍ୟ କୁହାଯାଏ । ଏହି ଉତ୍ସବରେ ବେଢା ପରିକ୍ରମା କାର୍ଯ୍ୟ ହୋଇଥାଏ । ବଳ୍କଳଧାରୀ ମହିମା ସମାଜ ତରଫରୁ ଯେଉଁ ସନ୍ନ୍ୟାସୀମାନେ ବଳ୍କଳ ପାଇବାକୁ ଯୋଗ୍ୟ ଏବଂ କୌପୀନଧାରୀ ସମାଜ ପକ୍ଷରୁ ଯେଉଁମାନେ ଆଡ଼ବନ୍ଧ ପାଇବା ପାଇଁ ମନୋନୀତ ହୁଅନ୍ତି ସେମାନଙ୍କୁ ତାହା ପ୍ରଦାନ କରାଯାଏ । ଏହି ଉତ୍ସବ ଦେଖିବା ପାଇଁ ସାଧାରଣ ଭକ୍ତଙ୍କୁ ଅନୁମତି ନଥାଏ । ତ୍ରୟୋଦଶୀ ସନ୍ଧ୍ୟାରେ କୌପୀନଧାରୀ ମହିମାସମାଜ ଏବଂ ବଳ୍କଳଧାରୀ ମହିମା ସମାଜର କର୍ମକର୍ତ୍ତାଗଣ ନିର୍ବାଚିତ ହୁଅନ୍ତି । ବିଭିନ୍ନ ଦେଶ ବୁଲି ସନ୍ନ୍ୟାସୀମାନେ ଆଦାୟ କରିଥିବା ଅର୍ଥ ଏବଂ ସାମଗ୍ରୀ ମହିମାଗାଦିର କର୍ମକର୍ତ୍ତାଙ୍କ ହାତରେ ଅର୍ପଣ କରନ୍ତି । ଚତୁର୍ଦ୍ଦଶୀ ଦିନ ଦିବା ଦୁଇଘଣ୍ଟା ସମୟରୁ ଉତ୍ସବ ପାଳନର ପ୍ରସ୍ତୁତି ହୁଏ । ଆକାଶରେ ପୂର୍ଣ୍ଣ ଚାନ୍ଦ । ମନ୍ଦିର ବେଢାରେ ବାଦ୍ୟନିନାଦ । ଲୋକାରଣ୍ୟ ହୁଏ ମହିମାପୀଠ । ମୁହୁର୍ମୁହଃ ଉଚ୍ଚାରିତ ହେଉଥାଏ ଅଲେଖ ମହିମା ଶବ୍ଦ । ଆକାଶର ପୂର୍ଣ୍ଣଚନ୍ଦ୍ର ଏବଂ ଘିଅ ଦୀପାଳିର ଆଲୋକ ମିଶି ଗାଦିମନ୍ଦିରର ଶ୍ରୀ ଯୋଗେଶ୍ୱର ମହିମାଙ୍କ ସ୍ମୃତିକୁ ଅବଲୋକନ କରୁଛନ୍ତି ଯେପରି । ମହିମା ଧର୍ମ ଏକ ସ୍ୱତନ୍ତ୍ର ଧର୍ମ ନୁହେଁ ,ଏହା ବିଶୁଦ୍ଧ ହିନ୍ଦୁ ଧର୍ମର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ । କେତେକ ସାହିତ୍ୟିକ ପଣ୍ଡିତ ମତ ଦିଅନ୍ତି ଯେ ମହିମା ଧର୍ମ ବୌଦ୍ଧ ଧର୍ମର ରୂପାନ୍ତର , କିନ୍ତୁ ତାହା ସମ୍ପୂର୍ଣ୍ଣ ଭୁଲ । କାରଣ ବୌଦ୍ଧ ଧର୍ମ ଓ ମହିମା ଧର୍ମର ଲକ୍ଷ୍ୟ ସମ୍ପୂର୍ଣ୍ଣ ଅଲଗା । ବୌଦ୍ଧ ଧର୍ମର ଲକ୍ଷ୍ୟ ନିର୍ବାଣ ପ୍ରାପ୍ତି ଏବଂ ମହିମା ଧର୍ମର ଲକ୍ଷ୍ୟ ବ୍ରହ୍ମଲାଭ । ମହିମା ଧର୍ମରେ ଦୁଇ ଶ୍ରେଣୀର ସନ୍ନ୍ୟାସୀ ଦୃଷ୍ଟିଗୋଚର ହୁଅନ୍ତି I ସେମାନେ ହେଲେ କୌପୀନଧାରୀ ଓ ବଳ୍କଳଧାରୀ । ଦୁଇଗୋଷ୍ଠି ସନ୍ନ୍ୟାସୀଙ୍କର ସୃଷ୍ଟିକର୍ତ୍ତା ନିଜେ ଯୋଗେଶ୍ୱର ମହିମାପ୍ରଭୁ । ସ୍ୱୟଂ ଯୋଗେଶ୍ୱର ମହିମାପ୍ରଭୁ ମହିମାଧର୍ମର ପ୍ରବର୍ତ୍ତକ । ତାଙ୍କର ଜନ୍ମସ୍ଥାନ, ଜନ୍ମକାଳ ଓ ପିତାମାତାଙ୍କ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ । ଯୋଗେଶ୍ୱର ମହିମାପ୍ରଭୁ ଅଯୋନିସମ୍ଭୂତ ବୋଲି ଜଣାଯାଏ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଗୌରୀଶଙ୍କର ରାୟ ଜଣେ ଓଡ଼ିଆ ଭାଷା ଆନ୍ଦୋଳନକାରୀ, ଲେଖକ ଓ ପ୍ରକାଶକ । ସେ ଉନବିଂଶ ଶତାବ୍ଦୀ ଓଡ଼ିଆ ନବଜାଗରଣର ପୁରୋଧା । ଗୌରୀଶଙ୍କର ଓଡ଼ିଶାବାସୀ ବଙ୍ଗାଳୀ ଓ ଉତ୍କଳ ସାହିତ୍ୟ ସମାଜର ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ହୋଇ ଓଡ଼ିଆ ଭାଷା ଆନ୍ଦୋଳନରେ ଭାଗନେଇଥିଲେ । ତାଙ୍କର ସମ୍ପାଦନାରେ ପ୍ରଥମ ଓଡ଼ିଆ ପତ୍ରିକା ଉତ୍କଳ ଦୀପିକା ପ୍ରକାଶିତ ହୋଇ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପିତ କରିବାର ଭୂମିକା ଗ୍ରହଣ କରିଥିଲା । ସେ କଟକ ଟାଉନ ହଲର ପ୍ରତିଷ୍ଠାତା ଥିଲେ ।
ଅଂକୋର୍ ୱାଟ୍ ବା ଅଂଗକୋର୍ ୱତ୍ ମନ୍ଦିର କାମ୍ବୋଡିଆ ବା କାମ୍ପୁଚିଆରେସ୍ଥିତ ୧୬୨.୬ ହେକ୍ଟର୍ (୧୬୨୬୦୦୦ ବର୍ଗ ମିଟର୍ ବା ୪୦୨ ଏକର୍) କ୍ଷେତ୍ରଫଳ ବିଶିଷ୍ଟ ବିଶ୍ୱର ସର୍ବବୃହତ ଧାର୍ମିକ ଐତିହ୍ୟ ସ୍ଥଳୀ । କ୍ଷ୍ମେର୍ ବା ଖମେର୍ ଭାଷାରେ ଏହାକୁ អង្គរវត្ត ଭାବେ ଲେଖାଯାଏ ଓ ଏହାର ଅର୍ଥ ହେଲା "ମନ୍ଦିର ରାଜଧାନୀ" । ହିନ୍ଦୁ ଭଗବାନ ବିଷ୍ଣୁଙ୍କ ନିମନ୍ତେ କ୍ଷ୍ମେର୍ ରାଜବଂଶୀୟ ରାଜା ଦ୍ୱିତୀୟ ସୂର୍ଯ୍ୟବର୍ମନଙ୍କ ଦ୍ୱାରା ଏହି ମନ୍ଦିର ନିର୍ମିତ ହୋଇଥିଲା କିନ୍ତୁ କାଳକ୍ରମେ ଦ୍ୱାଦଶ ଶତାବ୍ଦୀର ଶେଷ ଆଡକୁ ଏହା ଏକ ବୌଦ୍ଧ ମନ୍ଦିରରେ ପରିଣତ ହୋଇଥିଲା । ଦ୍ୱାଦଶ ଶତାବ୍ଦୀର ଆରମ୍ଭ ବେଳକୁ ରାଜା ଦ୍ୱିତୀୟ ସୂର୍ଯ୍ୟବର୍ମନ କ୍ଷ୍ମେର ସାମ୍ରାଜ୍ୟର ରାଜଧାନୀ ଯଶୋଧାରାପୁର (କ୍ଷ୍ମେର ଭାଷାରେ យសោធរបុរៈ, ବର୍ତ୍ତମାନ ସମୟରେ ଅଂକୋର୍ ନାମରେ ପରିଚିତ)ଠାରେ ଏହି ମନ୍ଦିରର ନିର୍ମାଣ କରିଥିଲେ । ଏହା ତାଙ୍କର ରାଜକୀୟ ମନ୍ଦିର ବା ଇଷ୍ଟଦେବଙ୍କ ମନ୍ଦିର ଓ ପୂଜାସ୍ଥଳୀ ଥିଲା । ପୂର୍ବ ରାଜାମାନଙ୍କଦ୍ୱାରା ଅନୁସୃତ ଶୈବ ପରମ୍ପରାର ପରିବର୍ତ୍ତେ ଏହି ମନ୍ଦିରଟିକୁ ଭଗବାନ ବିଷ୍ଣୁଙ୍କ ନିମନ୍ତେ ଉତ୍ସର୍ଗୀକୃତ କରାଯାଇଥିଲା । ଏହି ଅଞ୍ଚଳର ପ୍ରଚୀନ ମନ୍ଦିରମାନଙ୍କ ମଧ୍ୟରେ ଏହା ଉତ୍ତମ ରୂପେ ସଂରକ୍ଷିତ ଏବଂ ଏହାର ପ୍ରତିଷ୍ଠା ସମୟରୁ ଆରମ୍ଭ କରି ଏକ ଦୀର୍ଘକାଳ ପର୍ଯ୍ୟନ୍ତ ଏହା ଧାର୍ମିକ କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହି ମନ୍ଦିର କ୍ଷ୍ମେର ପାରମ୍ପରିକ ସ୍ଥାପତ୍ୟ କଳାର ସର୍ବଶ୍ରେଷ୍ଠ ନିଦର୍ଶନ । ବର୍ତ୍ତମାନ ସମୟରେ ଏହି ମନ୍ଦିର କାମ୍ପୁଚିଆର ଜାତୀୟ ପ୍ରତୀକଭାବେ ପରିଗଣିତ ହେଉଛି । ଏହି ମନ୍ଦିର କାମ୍ପୁଚିଆର ଜାତୀୟ ପତାକାରେ ମଧ୍ୟ ଦୃଶ୍ୟମାନ ଏବଂ କାମ୍ପୁଚିଆକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ସ୍ଥଳୀ ।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ମୟୁର କର୍ଷକ ବର୍ଗର ଏକ ପକ୍ଷୀ ବିଶେଷ । ମୟୂର ପ୍ରଜାତିର ପୁରୁଷପକ୍ଷୀକୁ ମୟୂର ଓ ସ୍ତ୍ରୀ ପକ୍ଷୀକୁ ମୟୂରୀ କୁହାଯାଏ । ମୟୂରର ଲାଞ୍ଜ ଖୁବ ବଡ଼ ହୋଇଥିବାରୁ ତାହାକୁ ଲୋକୋକ୍ତିରେ ଲଞ୍ଜା ମୟୁର ଏବଂ ମୟୂରୀର ଲାଞ୍ଜ ଛୋଟ ହେଇଥିବାରୁ ତାହାକୁ ଲାଣ୍ଡୀ ମୟୂର ବୋଲି ମଧ୍ୟ କୁହାଯାଏ । ମୟୂରର ଲାଞ୍ଜର ବଡ଼ ପକ୍ଷ ଓ କଣ୍ଠର କ୍ଷୁଦ୍ର ପର ନାନା ବର୍ଣ୍ଣରେ ରଞ୍ଜିତ । ମୟୂରୀର ପରର ରଙ୍ଗ ମୟୁର ତୁଳନାରେ ଅପେକ୍ଷା କୃତ ମ୍ଲାନ ହେଲେହେଁ ମୟୂର ପରି ମୟୂରୀ ମଧ୍ୟ ସମମାତ୍ରାରେ ଆକର୍ଷଣୀୟ । ଏଣୁ ଏହି ପକ୍ଷୀ ପ୍ରଜାତି କାଳେ କାଳେ ବିଶ୍ୱର ବିହଙ୍ଗ ବିବିଧତା ମଧ୍ୟରେ ପ୍ରମୁଖତା ପାଇଆସିଛି। । ଏହା ସଂସ୍କୃତ ମି ଧାତୁରୁ ଉର୍ ପ୍ରତ୍ୟୟଦ୍ୱାରା ନିଷ୍ପନ୍ନ । ମିର ଅର୍ଥ କ୍ଷେପଣକରିବା ବୋଲି ଭାଷାକୋଷ ଲେଖିଥିଲେହେଁ ଏହାର ପ୍ରକୃତ ଅର୍ଥ ମାରିପକାଇବା । ମୟୂରର ଏକ ବିଶେଷତ୍ୱ ହେଉଛି, ପ୍ରାଣନାଶକାରୀ ବିଷଧର ସର୍ପକୁ ସେ ମାରିପକାଏ । ସେଥିପାଇଁ ହିଁ ମି ଧାତୁର ଉର୍ ପ୍ରତ୍ୟୟ ଯୋଗରେ ମୟୁର ଶବ୍ଦର ସୃଷ୍ଟି ହୋଇଛି । ଭାଷାକୋଷ ଅନୁସାରେ ମୟୂରର ଅନ୍ୟନାମ କେକୀ, ଶିଖି, ଶିଖଣ୍ଡୀ ।
ଅନ୍ନପୂର୍ଣ୍ଣା ମହାରଣା (୧୯୧୭-୨୦୧୨) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ୧୯୧୭ ମସିହା ନଭେମ୍ବର ୩ ତାରିଖରେ କଟକର ବାଖରାବାଦଠାରେ ଜନ୍ମଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ବାପା ଗୋପବନ୍ଧୁ ଚୌଧୁରୀ ଓ ମା' ରମାଦେବୀ ଚୌଧୁରୀଙ୍କ ସଂଗ୍ରାମମୟ ଜୀବନର ଛିଟାପଡିଥିଲା ତାଙ୍କ ଉପରେ । ତାଙ୍କର ଶ୍ରଦ୍ଧାନାମ ଥିଲା "ଚୁନୁ" । ତେଣୁ ପରବର୍ତ୍ତୀ ସମୟରେ ସେ "ଚୁନୁଅପା" ନାମରେ ବେଶୀ ପରିଚିତ ହେଲେ । ଗୋପବନ୍ଧୁଙ୍କ ସପରିବାର ଗାନ୍ଧୀ-ନୀତି ଗ୍ରହଣ କରିଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଉପରେ ପିଲାଦିନରୁ ଏହାର ପ୍ରଭାବ ପଡ଼ିଥିଲା ଓ ଏହି ଆଦର୍ଶରେ ସେ ଆଜୀବନ ବଞ୍ଚିଥିଲେ । ଗୋପବନ୍ଧୁ ନିଜର ସନ୍ତାନଙ୍କୁ ସରକାରୀ ସ୍କୁଲରେ ପଢାଇବାକୁ ଇଚ୍ଛୁକ ନଥିବାରୁ, ଅନ୍ନପୂର୍ଣ୍ଣାଙ୍କ ଶିକ୍ଷା ଘର ମଧ୍ୟରେ ହୋଇଥିଲା ।
ଭାଷା ହେଉଛି ଯୋଗାଯୋଗର ଜଟିଳ ପ୍ରଣାଳୀକୁ ଶିଖିବା ଓ ବ୍ୟବହାର କରିବା ପାଇଁ ଥିବା ମନୁଷ୍ୟର ସାମର୍ଥ୍ୟ ଏବଂ ଗୋଟିଏ ଭାଷା ହେଉଛି ଏହି ଜଟିଳ ଯୋଗାଯୋଗ ପ୍ରଣାଳୀର ଏକ ଉଦାହରଣ । ପୃଥିବୀରେ ସର୍ବମୋଟ କେତେ ଭାଷା ଅଛି ଏକଥା ସଠିକ ଭାବେ କହିବା ସମ୍ଭବ ନୁହେଁ ଏବଂ ଏହି ସଂଖ୍ୟା ଭାଷା (language) ଓ ଲୋକଭାଷା (dialects) ମଧ୍ୟରେ ସୂକ୍ଷ୍ମ ପ୍ରଭେଦ ଉପରେ ନିର୍ଭର କରେ । ତଥାପି ଆକଳନ କରାଯାଇଛି ଯେ ଏହି ସଂଖ୍ୟା ୬୦୦୦ରୁ ୭୦୦୦ ହେବ ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ଜହ୍ନ ହେଉଛି ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଏବଂ ସୌରଜଗତର ପଞ୍ଚମ ବୃହତ ଉପଗ୍ରହ । ଜହ୍ନ ହେଉଛି ଏକମାତ୍ର ଉପଗ୍ରହ ଯେଉଁଥିରେ ମଣିଷର ପାଦ ପଡ଼ିପାରିଛି । ଏବେ ନାସା ବୈଜ୍ଞାନିକମାନେ ପୃଥିବୀ ପରିକ୍ରମା କରୁଥିବା ଏକ ଗ୍ରହାଣୁ ଠାବ କରିଛନ୍ତି। ଏହା ଆକାରରେ ଛୋଟ ଓ ପୃଥିବୀର ବହୁ ଦୂରରେ ଥିବାରୁ ଏହାକୁ ଏକ କ୍ଷୁଦ୍ର ଉପଗ୍ରହ ବୋଲି କୁହା ଯାଇପାରେ। ପୃଥିବୀରୁ ଚନ୍ଦ୍ରର ହାରାହାରି ଦୂରତା ୩୮୪,୪୦୦ କିମି ବା ୧.୨୮ଆଲୋକ-ସେକେଣ୍ଡ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ପ୍ଲୁଟୋ (ପ୍ରତୀକ: ଏବଂ ) ସୌରଜଗତର ଏକ ଅଂଶବିଶେଷ । 'ପ୍ଲୁଟୋ, ୧୩୪୩୪୦ପ୍ଲୁଟୋ, ଏରିଶ ପରେ ସୌରଜଗତର ଦ୍ୱିତୀୟ ବୃହତ୍ତମ ବିଶାଳ ବାମନ ଗ୍ରହ ଓ ଦଶମ ସୂର୍ଯ୍ୟ ଚାରିପଟେ ବୁଲୁଥିବା ଦଶମ ବୃହତ୍ତମ ମହାପିଣ୍ଡ । ଏହା ମୂଳତ ନବମ ଗ୍ରହ ଭାବରେ ନାମିତ ହୋଇଥିଲା, ପରେ ପ୍ଲୁଟୋ ଅନେକ ବିଶାଳ ପିଣ୍ଡ ନବଗଠିତ କୁଇପର ପଟି ଭିତରେ ଥିବା ଥିବା ଏକ ବାମନ ଗ୍ରହ ଓ ପ୍ଲୁଟୋଏଡ଼ ଭାବରେ ନାମିତ ହେଲା । ଅନେକ ବୈଜ୍ଞାନିକ ମତ ଦେଇଥିଲେ ଯେ ପ୍ଲୁଟୋକୁ ଏକ ଗ୍ରହର ଶ୍ରେଣୀରେ ନରଖି ଅନ୍ୟାନ୍ୟ ବାମନ ଗ୍ରହପୁଞ୍ଜ ଭିତରେ ରଖିବା ଉଚିତ । ୧୮ ଫେବୃଆରୀ ୧୯୩୦ରେ କ୍ଲାଏଡ଼ ଟମବଗଙ୍କଦ୍ୱାରା ପ୍ଳୁଟୋ ଆବିଷ୍କୃତ ହୋଇଥିଲା । ୨୪ ଅଗଷ୍ଟ ୨୦୦୬ରେ ଇଣ୍ଟରନ୍ୟାସନାଲ ଆଷ୍ଟ୍ରୋନୋମିକାଲ ୟୁନିଅନ (ଆଇ. ଏ.
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଦିଲ୍ଲୀ ଆୟତନ ଅନୁସାରେ ଭାରତର ସବୁଠୁ ବଡ଼ ମହାନଗର ଓ ଜନସଂଖ୍ୟା ହିସାବରେ ଦ୍ୱିତୀୟ ବୃହତ ମହାନଗର ଏହା ପୃଥିବୀର ଅଷ୍ଟମ ବୃହତ ମହାନଗର । ୨୦୧୧ ଲୋକଗଣନା ଏଠାରେ ୧୬,୭୫୩,୨୩୫ ଜଣ ବାସିନ୍ଦା ଅଛନ୍ତି । ଏଠାକାର ଗ୍ରେଟର ନ୍ୟାସନାଲ କ୍ୟାପିଟାଲ ରିଜିଅନ ସହରାଞ୍ଚଳରେ ପାଖାପାଖି ୨୨.୨ ମିଲିଅନ ଲୋକ ବାସ କରନ୍ତି । ଦିଲ୍ଲୀ ନାମ ନ୍ୟାସନାଲ କ୍ୟାପିଟାଲ ରିଜିଅନ ପାଖାପାଖି ସହରାଞ୍ଚଳକୁ ଓ ଭାରତର ରାଜଧାନୀକୁ ମଧ୍ୟ ବୁଝାଇଥାଏ । ଯଦିଓ ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ଭଳି କାମ କରେ, ରାଜନୈତିକ ପ୍ରଶାସନ ଅନୁସାରେ ଏହା ଏକ ରାଜ୍ୟ ଭାବେ କାମ କରେ । ଏଠାରେ ବାକି ରାଜ୍ୟମାନଙ୍କ ପରି ନ୍ୟାୟପାଳିକା, ହାଇକୋର୍ଟ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଏକ ମନ୍ତ୍ରିମଣ୍ଡଳ କାମ କରିଥାଏ । ନୂଆଦିଲ୍ଲୀ, ମିଳିତ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦେଇ ଶାସିତ ହୋଇଥାଏ । ଏହା ନ୍ୟାସନାଲ କ୍ୟାପିଟାଲ ରିଜିଅନର ମଧ୍ୟ ରାଜଧାନୀ ।
ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ
ଭାରତ ଏକ ସଂଗଠିତ ଗଣରାଜ୍ୟ ଏହା ୨୮ଟି ରାଜ୍ୟ ଓ ଆଠଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହୋଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁନର୍ବାର ଜିଲ୍ଲା ଆଦିରେ ଉପବିଭାଜିତ ହୋଇଛନ୍ତି । .
ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି । ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା । ଏପ୍ରିଲ ୧ ତାରିଖକୁ ଓଡ଼ିଶା ଦିବସ ଭାବେ ପାଳନ କରାଯାଏ । ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ.