ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଏକ ଇଣ୍ଡୋ-ଆର୍ଯ୍ୟ ଭାରତୀୟ ଭାଷା । ଏହା ଭାରତର ଓଡ଼ିଶାରେ ସର୍ବାଧିକ ବ୍ୟବହୃତ ଓ ମୁଖ୍ୟ ସ୍ଥାନୀୟ ଭାଷା ଏବଂ ୯୧.୮୫% ଲୋକଙ୍କଦ୍ୱାରା କଥିତ । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ - ୧୬ ମାର୍ଚ୍ଚ ୨୦୨୫) ଜଣେ ଆଧୁନିକ ଓଡ଼ିଆ କବି ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ତାଙ୍କର ଜଣାଶୁଣା ରଚନା ମଧ୍ୟରେ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ଅନ୍ୟତମ । ସେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା ଏବଂ ଏହା ଇଂରାଜୀ ତଥା ଆଠଟି ଭାରତୀୟ ଭାଷାରେ ଅନୁଦିତ । ୧୯୯୨ ମସିହା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ମସିହା ଯାଏ କାର୍ଯ୍ୟକରିଥିଲେ ଓ ଚାକିରି ଶେଷ ବେଳକୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ୧୯୯୩ରୁ ୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଯୀଶୁ ବା ଯୀଶୁ ଖୀଷ୍ଟ ବା ଯୀଶୁ ମସୀହ ହେଉଛନ୍ତି ଖ୍ରୀଷ୍ଟ ଧର୍ମର ପ୍ରବର୍ତକ ଓ ମୂଳ ବ୍ୟକ୍ତିତ୍ୟ | ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ଅନୁସାରେ ଯୀଶୁ ହେଉଛନ୍ତି ପରମେଶ୍ୱରଙ୍କ ପୁତ୍ର | ଯୀଶୁଙ୍କ ଜୀବନ ଏବଂ ଉପଦେଶ ବାଇବେଲର ନୁତନ ନିୟମରେ ବର୍ଣ୍ଣନା କରାଯାଇଛି। କାରଣ ସେ ହିଁ ଈଶ୍ୱରଙ୍କ ଅଦ୍ୱିତୀୟ ପୂତ୍ର ଅଟନ୍ତି । ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନୋଷ୍ଟ ନୋ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ।ଯୀୀଶୁ କହିଲେ ,ମୁଁ ପଥ, ସତ୍ୟ ଓ ଜୀବନ ;ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇ ପାରେ ନାହିଁ।
ଇସଲାମ (اَلْإِسْلَامُ - ଅଲ୍-ଇସ୍ଲାମ୍ - ଅର୍ଥାତ୍ ଈଶ୍ବରଙ୍କଠାରେ ସମର୍ପଣ) ଏକ ଏକେଶ୍ୱରବାଦୀ ଆବ୍ରାହମୀୟ ଧର୍ମ । ଏହାର ମୂଳ ଶିକ୍ଷା ହେଉଛି ଆଲ୍ଲା ଏକ ଏବଂ ଅଦ୍ୱିତୀୟ ତଥା ମହମ୍ମଦ ଈଶ୍ବରଙ୍କ ପୈଗମ୍ବର । ଇସଲାମ ଧର୍ମପନ୍ଥୀ ମୁସଲମାନ ଭାବେ ପରିଚିତ । ଏହାର ବିଶ୍ୱର ଦ୍ୱିତୀୟ ବୃହତ୍ତମ ଧର୍ମ ଏବଂ ଏଥିରେ ୧୮୦ କୋଟି ଲୋକ ଅଛନ୍ତି । ୪୯ଟି ଦେଶରେ ମୁସଲମାନମାନେ ସଂଖ୍ଯା ଗରିଷ୍ଠ ଅଛନ୍ତି । ଇସଲାମ ଶିକ୍ଷା ଦିଏ ଯେ - ଆଲ୍ଲା ଦୟାମୟ, ସର୍ବଶକ୍ତିମାନ ଏବଂ ଅଦ୍ୱିତୀୟ ତଥା ଭବିଷ୍ଯଦ୍ବକ୍ତା, ଗ୍ରନ୍ଥ ଏବଂ ପ୍ରାକୃତିକ ସଙ୍କେତଦ୍ୱାରା ମନୁଷ୍ଯମାନଙ୍କର ପଥପ୍ରଦର୍ଶନ କରିଥିଲେ । ଇସଲାମର ପ୍ରମୁଖ ଗ୍ରନ୍ଥ ହେଉଛି କୋରାନ - ଆଲ୍ଲାଙ୍କ ମୁଖ ନିଃସୃତ ବାଣୀ ତଥା ସୁନ୍ନାଃ - ପୈଗମ୍ବର ମହମ୍ମଦଙ୍କ ନୈତିକ ଶିକ୍ଷା ତଥା ଜୀବନୀ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ବିଦୁସ୍ମିତା ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ଓଡ଼ିଆ ଆଲବମ ଜଗତରେ ପ୍ରଥମେ ପ୍ରବେଶ କରିଥିଲେ । ଏହାପରେ ସେ ଓଡ଼ିଆ ଧାରାବାହିକ ଏବଂ କଥାଚିତ୍ରରେ ଅଭିନୟ କରିଥିଲେ । ବଧୂ ନୁହେଁ ମୁଁ ବନ୍ଧୁ ଚଳଚ୍ଚିତ୍ରରେ ସେ ନାୟିକା ଭାବରେ ଅଭିନୟ କରିଥିଲେ । ସାର୍ଥକ ଟିଭିରେ ପ୍ରସାରିତ ଧାରାବାହିକ ପରୀରେ ସେ ଅଭିନୟ କରିଥିଲେ । ସେ ଓଡ଼ିଆ କଥାଚିତ୍ରରେ ଆଇଟମ ନୃତ୍ୟ ପାଇଁ ଅଧିକ ପରିଚିତ । ଚକ୍ଲେଟ୍ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ଆଇଟମ୍ ନୃତ୍ୟ କରିଥିଲେ ।
ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ବର୍ଷା ସିଂହ ବରିହା ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚରେ, ସେ ପଦ୍ମପୁରରୁ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା)ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହାକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହାଯାଏ । ପ୍ରତ୍ୟେକ ବେଦର ନିଜସ୍ୱ ସଂହିତା,ବ୍ରାହ୍ମଣ,ଉପନିଷଦ,ଆରଣ୍ୟକ,ବେଦାଙ୍ଗ ଓ ଉପବେଦ ରହିଛି ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।
ଗୁରୁ ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ ଊନବିଂଶ ଓ ବିଂଶ ଶତାବ୍ଦୀର ଅଗ୍ରଗଣ୍ୟ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ, କଣ୍ଠଶିଳ୍ପୀ ଓ ଗବେଷକ ଥିଲେ । ଓଡ଼ିଶୀ ସଙ୍ଗୀତର ବିଭିନ୍ନ ପାରମ୍ପରିକ ବିଭାଗ ଯଥା : ଚଉପଦୀ, ଛାନ୍ଦ, ଚମ୍ପୂ, ଭଜନ, ଜଣାଣ, ସରିମାନ ଇତ୍ୟାଦିରେ ସେ ପ୍ରବୀଣ ଥିଲେ ଓ ଅନେକ ଶିଷ୍ୟଙ୍କୁ ଏହା ଶିକ୍ଷା ଦେଇଥିଲେ । ସେ ସୀତାର ବାଦନରେ ମଧ୍ୟ ଅଦ୍ଭୁତ ଦକ୍ଷତା ଅର୍ଜ୍ଜନ କରିଥିଲେ ।
ସିନ୍ଧୁ ଜଳ ଚୁକ୍ତି ବା ସିନ୍ଧୁ ଜଳ ବୁଝାମଣା (ଇଂରାଜୀରେ Indus Waters Treaty) ଭାରତ ଓ ପାକିସ୍ତାନ ମଧ୍ୟରେ ଜଳ ବିଭାଜନକୁ ଆଧାର କରି ହୋଇଥିବା ଏକ ଐତିହାସିକ ଚୁକ୍ତି । ବିଶ୍ୱବ୍ୟାଙ୍କର ମଧ୍ୟସ୍ତତାରେ ଭାରତରୁ ପାକିସ୍ତାନକୁ ପ୍ରବାହିତ ସିନ୍ଧୁ ନଦୀ ଓ ତାହାର ଉପନଦୀମାନଙ୍କ ଜଳକୁ ଉଭୟ ଦେଶ ମଧ୍ୟରେ ଆବଣ୍ଟିତ କରାଯାଇଥିଲା । ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖ ଦିନ ପାକିସ୍ତାନର କରାଚୀ ସହରରେ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାଁଙ୍କଦ୍ୱାରା ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
କବିସୂର୍ଯ୍ୟ ବଳଦେବ ରଥ (୧୭୮୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୮୯ ମସିହାରେ ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡି ରାଜ୍ୟର ବିଜୟନଗ୍ରଗଡ଼ରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ବ୍ରହ୍ମପୁର ଗଉଡ ସାହିରେ ପ୍ରାଣତ୍ୟାଗ କରିଥିଲେ ।
ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଭୁପୃଷ୍ଠ୍ଠରେ ଏକ ଚୁମ୍ବକୀୟ କ୍ଷେତ୍ର ଅନବରତ ପ୍ରଭାବୀ ରହିଛି । କାରଣ୍, ଆମ ପୃଥିବୀ ଏକ ବିରାଟ ଚୁମ୍ବକ ଭଳି କାର୍ଯ୍ୟ କରେ । ଏକଥା ବିଶଦ୍ ଭାବେ ବୁଝିବାପାଇଁଁ କଳ୍ପନା କରାଯାଇପାରେ ଯେ, ପୃଥିବୀ ମଧ୍ୟରେ ଏକ ବିରାଟ ଦଣ୍ଡ ଚୁମ୍ବକ ଉତ୍ତର-ଦକ୍ଷିଣ ଭାବରେ ପୃଥିବୀର କାଳ୍ପନିକ ମେରୁ ସହ ପ୍ରାୟ ୧୧ ଡିଗ୍ରୀ କୌଣିକ ଦୂରତ୍ୱରେ ରହିଛି । ତେବେ ଏହି କାଳ୍ପନିକ ଚୁମ୍ବକର ଉତ୍ତର ମେରୁ ପୃଥିବୀର ଭୌଗୋଳିକ ଦକ୍ଷିଣ ମେରୁ ନିକଟରେ ଏବଂ ଏହି କାଳ୍ପନିକ ଚୁମ୍ବକର ଦକ୍ଷିଣ ମେରୁ ପୃଥିବୀର ଭୌଗୋଳିକ ଉତ୍ତର ମେରୁ ନିକଟରେ ଅବସ୍ଥିତ । ଫଳରେ, ଏକ ଚୁମ୍ବକୀୟ କ୍ଷେତ୍ର ପୃଥିବୀର ଅଭ୍ୟନ୍ତରରୁ ଭୁପୃଷ୍ଠ ଉପରିସ୍ଥ ସୌର-ପବନ ସ୍ତର ପର୍ଯ୍ୟନ୍ତ ବ୍ୟାପି ଥିବାର ଜଣାଯାଏ । ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଭାବେ ପରିଚିତ । ଏହା ମଧ୍ୟ ଭୁ-ଚୁମ୍ବକୀୟ କ୍ଷେତ୍ର (Geomagnetic field) ନାମରେ ପରିଚିତ । ଭୁ-ଚୁମ୍ବକୀୟ କ୍ଷେତ୍ରର ଦିଗ ଏବଂ ଅବସ୍ଥିତି କାଳାନୁପାତରେ ଅତି ମନ୍ଥର ଗତିରେ ପରିବର୍ତ୍ତନ ହେବାର ନଜିର ରହିଛି ।
ବିଜୟ ମିଶ୍ର (୧୬ଜୁଲାଇ ୧୯୩୬ - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ । ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ଶିବ ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
ମୁସଲମାନମାନେ ଏକେଶ୍ୱରବାଦୀ ଇବ୍ରାହିମୀୟ ଧର୍ମସମ୍ପ୍ରଦାୟ ଇସଲାମ ଅନୁଗାମୀ । ମୁସଲମାନଙ୍କ ପବିତ୍ର ଧର୍ମଗ୍ରନ୍ଥ କୋରାନ ଓ ସେମାନଙ୍କ ମତରେ ଏହି କୋରାନ ବାସ୍ତବରେ ଆଲ୍ଲାଙ୍କ ମୁଖନିଃସୃତ ବାଣୀ ଯାହା ପୈଗମ୍ବର ମହମ୍ମଦଙ୍କ ସମ୍ମୁଖରେ ଉନ୍ମୋଚନ କରାଯାଇଥିଲା । ଅଧିକାଂଶ ମୁସଲମାନ ମହମ୍ମଦଙ୍କ ଜୀବନଶୈଳୀ ସୁନାଃ ତଥା ହଦିଥ (କିମ୍ବଦନ୍ତୀ) ମଧ୍ଯ ଅନୁସରଣ କରିଥାନ୍ତି । ମୁସଲମାନ ଏକ ଆରବୀ ଶବ୍ଦ ଓ ଏହାର ଅର୍ଥ ସମର୍ପକ ।
'ରବୀନ୍ଦ୍ରନାଥ ଠାକୁର ' ( (listen); Bengali pronunciation: [robind̪ro nat̪ʰ ʈʰakur]), (୧୮୬୧-୧୯୪୧) ଏକାଧାରରେ ଜଣେ କବି, ଚିତ୍ରଶିଳ୍ପୀ, ସଂଗୀତଜ୍ଞ, ଶିକ୍ଷାବିତ, ଗାଳ୍ପିକ ଓ ଦାର୍ଶନିକ ଥିଲେ । ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟକ ବୋଲି ଧରାଯାଏ । ଭାରତୀୟ ଭାଷା ଅନୁସାରେ ତାଙ୍କ ନାମ ରବିଦ୍ରନାଥ ଠାକୁର ଥିଲା । ତାଙ୍କୁ "ବଙ୍ଗଳାର ପକ୍ଷୀ" ବୋଲି ଆଖ୍ୟା ଦିଆଯାଇଥିଲା ।ଭାରତୀୟମାନଙ୍କ ମଧ୍ୟରେ ସେ ସର୍ବ ପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ । ଟାଗୋର ବହୁତ ଗଳ୍ପ, କବିତା, ଓ ନାଟକ ରଚନା କରିଥିଲେ ଓ ତା' ସହ ବହୁତ ଗୀତ ଓ ସଙ୍ଗୀତ ଲେଖିଥିଲେ । ରବୀନ୍ଦ୍ରନାଥଙ୍କ ୫୨ଟି କାବ୍ୟଗ୍ରନ୍ଥ, ୩୮ଟି ନାଟକ, ୧୩ଟି ଉପନ୍ୟାସ, ୩୬ଟି ପ୍ରବନ୍ଧ, ୯୬ କ୍ଷୁଦ୍ର ଗଳ୍ପ ଓ ୧୯୧୫ ସଙ୍ଗୀତ ପ୍ରକାଶିତ ହୋଇସାରିଛି । ରବୀନ୍ଦ୍ରନାଥଙ୍କ ରଚନା ବିଭିନ୍ନ ଭାଷାରେ ଅନୁବାଦିତ ହୋଇସାରିଛି । ଗୀତାଞ୍ଜଳିର ଲେଖକ ଓ ତାଙ୍କର ଗଭୀର ସମ୍ବେଦନଶୀଳ, ତାଜା, ସୁମଧୁର କବିତା; ୧୯୧୩ ମସିହାରେ ଗୀତାଞ୍ଜଳି କବିତାଗ୍ରନ୍ଥର ଇଂରାଜୀ ଅନୁବାଦ ପାଇଁ ସେ ନୋବେଲ ପୁରସ୍କାର ଲାଭ କରିଥିଲେ । ତାଙ୍କଦ୍ୱାରା ରଚିତ ସଂଗୀତ ୨ଟି ଦେଶ, ନିଜ ନିଜ ଦେଶର ଜାତୀୟ ସଂଗୀତ ଭାବେ ବାଛି ନେଇଛନ୍ତି: ଭାରତ "ଜନ ଗଣ ମନ" ଓ ବାଂଲାଦେଶ "ଆମର୍ ସୋନାର ବଙ୍ଗଲା" । ଶ୍ରୀଲଙ୍କାର ଜାତୀୟ ସଂଗୀତ ମଧ୍ୟ ଟାଗୋରଙ୍କଠାରୁ ପ୍ରେରଣା ଲାଭ କରିଥିଲା ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ବାରାକ ହୁସେନ ଓବାମା ( (listen); ଜନ୍ମ : ୪ ଅଗଷ୍ଟ ୧୯୬୧) ଯୁକ୍ତରାଷ୍ଟ୍ର ଆମେରିକାର ୪୪ତମ ରାଷ୍ଟ୍ରପତି ଏବଂ ପ୍ରଥମ ଆଫ୍ରିକୀୟ-ଆମେରିକୀୟ ରାଷ୍ଟ୍ରପତି । ତାଙ୍କର ଜନ୍ମ ହବାଇ ରାଜ୍ୟର ହନଲୁଲୁଠାରେ ହୋଇଥିଲା । ଓବାମା କଲମ୍ବିଆ ବିଶ୍ୱବିଦ୍ୟାଳୟ ଓ ହାବାର୍ଡ ଆଇନ ବିଦ୍ୟାଳୟରୁ ସ୍ନାତକୋତର ଡିଗ୍ରୀ ହାସଲ କରିଛନ୍ତି । ସେ ହାବାର୍ଡ ଆଇନ ବିଦ୍ୟାଳୟରେ ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ।
ମିଶର ( ଆରବୀ : مصر, ଅନୁବାଦିତ: ମିସ୍ର, ଇଂରାଜୀ : ଇଜିପ୍ଟ), ଆନୁଷ୍ଠାନିକ ଭାବରେ ମିଶର ଆରବ ଗଣତନ୍ତ୍ର ହେଉଛି ଏକ ଦେଶ ଯାହାକି ଉତ୍ତର ଆଫ୍ରିକାରେ ଅବସ୍ଥିତ ଥିବାବେଳେ ଏହାର ସାଇନା ଉପଦ୍ୱୀପ ଦକ୍ଷିଣ-ପଶ୍ଚିମ ଏସିଆ ପାଇଁ ଏକ ସ୍ଥଳ ସେତୁ ସୃଷ୍ଟି କରେ | ଇଜିପ୍ଟ ଏହିପରି ଏକ ଟ୍ରାନ୍ସକଣ୍ଟିନେଣ୍ଟାଲ୍ ଦେଶ ଏବଂ ଆଫ୍ରିକା, ଭୂମଧ୍ୟସାଗରୀୟ ଅଞ୍ଚଳ, ମଧ୍ୟ ପୂର୍ବ ଏବଂ ଇସଲାମ ଜଗତର ଏକ ପ୍ରମୁଖ ଶକ୍ତି | ଏହା 1002,000 ବର୍ଗ କିଲୋମିଟର କ୍ଷେତ୍ର ଧାରଣ କରିଥାଏ ଏବଂ ଉତ୍ତରରେ ମଧ୍ୟବର୍ତ୍ତୀ ସମୁଦ୍ର , ଉତ୍ତର -ପୂର୍ବରେ ଗାଜା ଷ୍ଟ୍ରିପ୍ ଏବଂ ଇସ୍ରାଏଲ , ପୂର୍ବରେ ଲାଲ ସାଗର , ଦକ୍ଷିଣରେ ସୁଦାନ୍ ଏବଂ ପଶ୍ଚିମରେ ଲିବିୟା ସହିତ ସୀମାବଦ୍ଧ |
ସିନ୍ଧୁ ନଦୀ(ଇଂରାଜୀରେ Indus River) ଏସିଆ ମହାଦେଶର ଦୀର୍ଘତମ ନଦୀମାନଙ୍କ ମଧ୍ୟରୁ ଅନ୍ୟତମ । ତିବ୍ବତ ମାଳଭୂମିରେ ମାନସରୋବର ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରୁ ଏହି ନଦୀର ଉତ୍ପତ୍ତି । ନିଜ ଉତ୍ପତ୍ତିସ୍ଥଳରୁ ବାହାରି ଏହି ନଦୀ ଲଦାଖ ଅଞ୍ଚଳ ଅତିକ୍ରମ କରି ଗିଲ୍ଗିଟ୍-ବାଲ୍ଟିସ୍ତାନରେ ହିନ୍ଦୁକୁଶ ପର୍ବତମାଳାର ଉପତ୍ୟକାରେ ପ୍ରବେଶ କରିଛି । ତାହା ପରେ ଏହା ଦକ୍ଷିଣମୁଖୀ ହୋଇ ପାକିସ୍ତାନରେ ପ୍ରବାହିତ ହୋଇ ବନ୍ଦର ନଗରୀ କରାଚୀ ନିକଟରେ ଆରବ ସାଗର ସହିତ ସମ୍ମିଳିତ ହୋଇଛି । ସିନ୍ଧୁ ନଦୀ ପାକିସ୍ତାନର ଦୀର୍ଘତମ ନଦୀ ଓ ଏହାକୁ ପାକିସ୍ତାନର ଜାତୀୟ ନଦୀ ବୋଲି କୁହାଯାଏ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ମଧ୍ୟ ଏସିଆ ଏସିଆ ମହାଦ୍ୱୀପର ମଧ୍ୟ ଭାଗ ଅଟେ । ଏହାର ପୂର୍ବରେ "ଚୀନ"ରୁ ପଶ୍ଚିମରେ "କୌସ୍ପିୟନ ସାଗର" ପର୍ଯ୍ୟନ୍ତ, ଏବଂ ଉତ୍ତରରେ "ୠସ"ରୁ ଦକ୍ଷିଣରେ "ଆଫଗାନିସ୍ତାନ" ପର୍ଯ୍ୟନ୍ତ ବିସ୍ତୃତ ଅଟେ । ଭୂବୈଜ୍ଞାନିକମାନଙ୍କଦ୍ୱାରା ମଧ୍ୟ ଏସିଆର ସମସ୍ତ ପରିଭାଷାରେ ଭୂତପୂର୍ବ ସୋବିୟତ ସଂଘର ପାଞ୍ଚଟି ଦେଶ ସର୍ବଦା ଗଣା ଯାଏ :- କାଜାଖସ୍ତାନ , କିରଗୀଜସ୍ତାନ , ତାଜିକିସ୍ତାନ , ତୁର୍କମେନିସ୍ତାନ , ଉଜବେକୀସ୍ତାନ । ଏହା ଛଡ଼ା ମଙ୍ଗୋଲିୟା , ଆଫଗାନିସ୍ତାନ , ଉତ୍ତର ପାକିସ୍ତାନ , ଭାରତର ଲଦାଖ ପ୍ରଦେଶ , ଚୀନର ଶିନଜିୟଙ୍ଗ , ତିବ୍ୱତ କ୍ଷେତ୍ର ଏବଂ ୠସର ସାଇବେରିୟ କ୍ଷେତ୍ରର ଦକ୍ଷିଣ ଭାଗକୁ ମଧ୍ୟ ପ୍ରାୟତଃ ମଧ୍ୟ ଏସିଆର ଅଂଶ ବୋଲି ବୁଝାଯାଏ ।
ସମ୍ବାଦ ଅନୁଗୋଳ, କଟକ, ବାଲେଶ୍ୱର, ଜୟପୁର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର ଓ ସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି । ଏହା ୪ ଅକ୍ଟୋବର ୧୯୮୪ ମସିହାରୁ ପ୍ରକାଶିତ ହୋଇଆସୁଅଛି । ସୁରେନ୍ଦ୍ର ମହାନ୍ତି ଥିଲେ ଏହି ଖବରକାଗଜର ପ୍ରଥମ ସମ୍ପାଦକ । 'ଅଫସେଟ ପ୍ରିଣ୍ଟିଙ୍ଗ',ଦ୍ୱାରା ସମ୍ବାଦ ଖବରକାଗଜ ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲା । ଏହା ବ୍ୟତିତ ସମ୍ବାଦ ଓଡ଼ିଶାରେ ପ୍ରଥମକରି ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଇତ୍ୟାଦି ଆରମ୍ଭ କରିଥିଲା ।
ବିକ୍ରମ ବାତ୍ରା ପରମ ବୀର ଚକ୍ର (୯ ସେପ୍ଟେମ୍ବର ୧୯୭୪ - ୭ ଜୁଲାଇ ୧୯୯୯) ଜଣେ ଭାରତୀୟ ସେନା ଅଧିକାରୀ ଥିଲେ । କାରଗିଲ ଯୁଦ୍ଧ ସମୟରେ କରିଥିବା କାର୍ଯ୍ୟ ପାଇଁ ତାଙ୍କୁ ସର୍ବୋଚ୍ଚ ଭାରତୀୟ ସାମରିକ ସମ୍ମାନ ଭାରତୀୟ ସମ୍ମାନ ପରମ ବୀର ଚକ୍ରପ୍ରଦାନ କରାଯାଇଥିଲା; ୭ ଜୁଲାଇ ୧୯୯୯ରେ, ଜମ୍ମୁ-କାଶ୍ମୀରର କାରଗିଲ ଜିଲ୍ଲାର ଏରିଆ ଲେଜ୍, ପଏଣ୍ଟ ୪୮୭୫ର ଆଖପାଖ ଅଞ୍ଚଳରେ ପାକିସ୍ତାନୀ ସେନ୍ୟଙ୍କ ସହିତ ଲଢ଼ି ଶହୀଦ ହୋଇଥିଲେ ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷଠାରୁ ତଥ୍ୟ (Data) ନିଏ, ସେସବୁକୁ ସାଇତି ରଖେ ଏବଂ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟକୁ ପ୍ରକ୍ରିୟାକରଣ କରି ଉତ୍ତର ଦିଏ ।ସଂରକ୍ଷିତ ଉତ୍ତର କମ୍ପ୍ୟୁଟର ( RAM memory)ରେ ରହିଥାଏ। ଏକ ସମୟରେ ଗାଣିତିକ ଏବଂ ତର୍କ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ ଓ ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ସମୁଦ୍ର ହେଉଛି ଲୁଣିଆ ପାଣିର ସମନ୍ୱୟ, ଯାହାକି ସ୍ଥଳଭାଗଦ୍ୱାରା ସମ୍ପୂର୍ଣ୍ଣ ଭାବେ କିମ୍ବା ଆଂଶିକ ଭାବେ ଆବଦ୍ଧ ହୋଇଥାଏ । ପୃଥିବୀର ପାଣିପାଗ, ଅଙ୍ଗାରକ ଚକ୍ର, ଯବକ୍ଷାରଯାନ ଓ ଜଳ ଚକ୍ରକୁ ସନ୍ତୁଳିତ ରଖିବାରେ ସମୁଦ୍ରର ଭୂମିକା ରାହିଅଛି । ପୃଥିବୀର ଏହି ସମୁଦ୍ରକୁ ପାଞ୍ଚଟି ମହାସାଗରରେ ବିଭକ୍ତ କରାଯାଇଛି । ସେଗୁଡିକ ହେଉଛି, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଆଟ୍ଲାଣ୍ଟିକ ମହାସାଗର, ଆରବ ମହାସାଗର, ଦକ୍ଷିଣ ମହାସାଗର ।
ଯକ୍ଷ୍ମା (ଟିବି) ଏକ ସଂକ୍ରମକ ରୋଗ ଯାହା ମାଇକୋବ୍ୟାକ୍ଟେରମ ଟ୍ୟୁବରକ୍ୟୁଲୋସିସଦ୍ୱାରା (MTB) ହୁଏ । ଯକ୍ଷ୍ମା ସାଧାରଣତଃ ଫୁସଫୁସକୁ ଆକ୍ରମଣ କଲେ ମଧ୍ୟ ଶରୀରର ଯେ କୌଣସି ଅଙ୍ଗରେ ଏହାଦ୍ୱାରା ରୋଗ ହୋଇପାରେ । ଅଧିକାଂଶ ସଂକ୍ରମଣରେ କୌଣସି ଲକ୍ଷଣ ହେଉ ନ ଥିବାରୁ ତାହାକୁ ପ୍ରଛନ୍ନ ଯକ୍ଷ୍ମା ଓ ଇଂରାଜୀ ଭାଷାରେ ଲେଟେଣ୍ଟ ଟ୍ୟୁବରକୁଲୋସିସ (latent tuberculosis) କୁହାଯାଏ । ଏହି ପ୍ରଛନ୍ନ ଯକ୍ଷ୍ମା ମଧ୍ୟରୁ ପ୍ରାୟ ୧୦% ସଂକ୍ରମଣ ସକ୍ରିୟ ରୋଗରେ ପରିଣତ ହୁଏ ଯାହାକୁ ଚିକିତ୍ସା ନ କଲେ ସେଥିରୁ ଅଧେ ଲୋକ ମୃତ୍ୟୁ ବରଣ କରନ୍ତି । ସକ୍ରିୟ ଫୁସଫୁସ ଯକ୍ଷ୍ମା ରୋଗରେ କ୍ରନିକ ବା ଦୀର୍ଘକାଳୀନ କାଶ ସହିତ ରକ୍ତ ମିଶ୍ରିତ ଖଙ୍କାର ପଡ଼େ, ଜ୍ୱର, ରାତ୍ରୀ ସ୍ୱେଦ ନିର୍ଗତ ଓ ଓଜନ ହ୍ରାସ ହୁଏ । ଓଜନ ହ୍ରାସ ହେଉଥିବାରୁ ଏହାକୁ କ୍ଷୟ ରୋଗ ନାମ ଦିଆଯାଇଥିଲା । ବିଭିନ୍ନ ଅଙ୍ଗର ସଂକ୍ରମଣରେ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ନେଲସନ ରୋଲିହ୍ହଲ୍ଲା ମଣ୍ଡେଲା (୧୮ ଜୁଲାଇ ୧୯୧୮ - ୫ ଡିସେମ୍ବର ୨୦୧୩) ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରମୁଖ୍ୟ (୧୯୯୪-୧୯୯୯) ଥିଲେ । ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣ ଶ୍ୱେତାଙ୍ଗ ବା କୃଷ୍ଣକାୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଶାସନକାଳ ମଧ୍ୟରେ ଅପାର୍ଥିଡ଼ ନୀତିର ପତନ ହୋଇଥିଲା ତଥା ଚାଲିଆସୁଥିବା ରଙ୍ଗଭେଦ, ଦାରିଦ୍ର୍ୟ, ସାମାଜିକ ଅସମାନତାକୁ ଦୂର କରିବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ରାଜନୈତିକ ଭାବେ ସେ ଗଣତାନ୍ତ୍ରିକ ସମାଜବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖିଥିଲେ ଏବଂ ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ୧୯୯୧ରୁ ୧୯୯୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଅନ୍ତର୍ଜାତୀୟ ପଦବୀ ଭାବେ "ନନ-ଆଲାଇନଡ ମୁଭମେଣ୍ଟ"ର ସାଧାରଣ-ସଚିବ ଭାବେ ୧୯୯୮-୧୯୯୯ ପାଇଁ କାର୍ଯ୍ୟରତ ଥିଲେ । ଯୋସା ସଂପ୍ରଦାୟର ଥେମ୍ବୁ ରାଜପରିବାରରେ ଜନ୍ମଗ୍ରହଣ କରି ମଣ୍ଡେଲା ଫୋର୍ଟ ହାରେ ବିଶ୍ୱ ବିଦ୍ୟାଳୟ ଓ ୱିଟୱାଟର୍ସରାଣ୍ଡ ବିଶ୍ୱବିଦ୍ୟାଳୟରେ ଆଇନ ଶିକ୍ଷା କରିଥିଲେ । ଜୋହାନ୍ସବର୍ଗରେ ରହିବା ସମୟରେ ଔପନିବେଶ ବିରୋଧୀ ରାଜନୀତିରେ ଅଂଶଗ୍ରହଣ କରି ଆଫ୍ରିକୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ ଓ ଏହାର ଯୁବ ସଂଘର ପ୍ରତିଷ୍ଠାତା ସଭ୍ୟ ଥିଲେ । ୧୯୪୮ରେ ନ୍ୟାସନାଲ ପାର୍ଟିର "ଆଫ୍ରିକାନ" ଜାତୀୟତାବାଦୀମାନେ ସରକାର ଗଠନ କରି କ୍ଷମତାକୁ ଆସିବା ପରେ ଅପାର୍ଥିଡ଼କୁ ନୀତିକୁ ପ୍ରାଧାନ୍ୟ ଦେଇଥିଲେ, ଏବଂ ସେହି ସମୟରେ ମଣ୍ଡେଲା ଜାତୀୟ କଂଗ୍ରେସଦ୍ୱାରା ୧୯୫୨ରେ ହୋଇଥିବା ଅସହଯୋଗ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରି ଟ୍ରାନ୍ସଭାଲ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ ଏବଂ ୧୯୫୫ରେ "ପିପୁଲ ଅଫ କଂଗ୍ରେସ"କୁ ଉଦବୋଧନ ଦେଇଥିଲେ । ଜଣେ ଓକିଲ ଭାବେ କାର୍ଯ୍ୟ କରୁଥିବା ସମୟରେ ସନ୍ଦେହଜନକ କାର୍ଯ୍ୟକଳାପ ପାଇଁ ଓ ଜାତୀୟ କଂଗ୍ରେସ ନେତା ଭାବେ ୧୯୫୫ରୁ ୧୯୬୧ ଯାଏଁ ଦେଶଦ୍ରୋହ ପାଇଁ ଅଭିଯୁକ୍ତ ହୋଇଥିଲେ ମଧ୍ୟ ଶେଷରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ । ଯଦିଓ ଆନ୍ଦୋଳନ ଆରମ୍ଭରେ ସେ ଅହିଂସା ନୀତିରେ ବିଶ୍ୱାସ ରଖିଥିଲେ; କିନ୍ତୁ ସାଉଥ ଆଫ୍ରିକାନ କମ୍ୟୁନିଷ୍ଟ ପାର୍ଟି ସହ ମିଶି ୧୯୬୧ରେ "ଉମଖୋଂତ ୱେ ସିଜୱେ" ନାମରେ ଏକ ସଶସ୍ତ୍ର ବାହିନୀ ଗଠନ କରି, ସରକାର ବିରୁଦ୍ଧରେ ବହୁ ବୋମାମାଡ଼ର ନେତୃତ୍ୱ ନେଇଥିଲେ । ୧୯୬୨ ମସିହାରେ ଗଣସଂହାର ଓ ଅନ୍ତର୍ଘାତୀ କାର୍ଯ୍ୟପାଇଁ ଦୋଷୀ ସାବ୍ୟସ୍ତ ହୋଇ ରିଭିନିଆ ଶୁଣାଣୀରେ ଆଜୀବନ କାରାବାସ ପାଇଁ ଦଣ୍ଡ ପାଇଥିଲେ । ରଙ୍ଗଭେଦ ନୀତି ଓ ଅପାର୍ଥିଡ଼ ବିରୋଧରେ ଲଢ଼ି ସେ ନିଜ ଜୀବନକାଳର ୨୭ ବର୍ଷ କାଳ ରୋବେନ ଦ୍ୱୀପର କାରାଗାର, ପୋଲ୍ସମୁର କାରାଗାର ଓ ଭିକ୍ଟର ଭର୍ଷ୍ଟର କାରାଗାରରେ କଟାଇଥିଲେ । ତାଙ୍କୁ ମୁକ୍ତ କରିବା ପାଇଁ ଆନ୍ତର୍ଜାତିକ ଚାପ ବଢ଼ିବାରୁ ୧୯୯୦ରେ ଛାଡ଼ ପାଇଥିଲେ । ଜାତୀୟ କଂଗ୍ରେସର ସଭାପତି ଥିବା ସମୟରେ ମଣ୍ଡେଲା ନିଜର ଆତ୍ମଜୀବନୀ ପ୍ରକାଶ କରିଥିଲେ ଓ ତତକାଳୀନ ରାଷ୍ଟ୍ରପତି ଏଫ.ଡବଲ୍ୟୁ.