ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ବିଦ୍ୟୁତ୍-ଚୁମ୍ବକତ୍ୱ ବା ବିଦ୍ୟୁତ୍-ଚୁମ୍ବକୀୟ ପ୍ରଭାବ ଭୌତିକ ବିଜ୍ଞାନର ଏକ ପ୍ରମୁଖ ଶାଖା । ବିଦ୍ୟୁତ୍-ଚୁମ୍ବକୀୟ ବଳ ଓ ତାହାର ପ୍ରଭାବର ଅନୁଶୀଳନ ଏହି ଶାଖାର ଭିତ୍ତିଭୂମି । ବୈଦ୍ୟୁତିକ ଚାର୍ଜ୍ ବହନ କରୁଥିବା ବସ୍ତୁମାନଙ୍କ ମଧ୍ୟରେ ବଳ ସୃଷ୍ଟି ହୁଏ, ତାହାକୁ ବିଦ୍ୟୁତ୍-ଚୁମ୍ବକୀୟ ବଳ ବୋଲି କୁହାଯାଏ । ବିଦ୍ୟୁତ୍-ଚୁମ୍ବକୀୟ ବଳ, ବିଦ୍ୟୁତ୍-ଚୁମ୍ବକୀୟ କ୍ଷେତ୍ର (ବୈଦ୍ୟୁତିକ କ୍ଷେତ୍ର, ଚୁମ୍ବକୀୟ କ୍ଷେତ୍ର, ଆଲୋକ) ସହିତ ଓତଃପ୍ରୋତ ଭାବେ ଜଡ଼ିତ । ଆଧୁନିକ ଭୌତିକ ବିଜ୍ଞାନରେ ବିଦ୍ୟୁତ୍-ଚୁମ୍ବକୀୟ ବଳକୁ ପାରମାଣବିକ ବସ୍ତୁ (ଈଂରାଜୀରେ Atomic Particles)ଙ୍କ ମଧ୍ୟରେ ଥିବା ଏକ ମୌଳିକ ପାରସ୍ପରିକ ବଳ ଭାବେ ଗଣନା କରାଯାଏ । ସାଧାରଣତଃ ପାରମାଣବିକ ବସ୍ତୁମାନଙ୍କ ମଧ୍ୟରେ ଥିବା ୪ଟି ମୌଳିକ ପାରସ୍ପରିକ ବଳ ହେଲା: ଶକ୍ତିଶାଳୀ ବଳ (ଈଂରାଜୀରେ Strong Force), ଶକ୍ତିହୀନ ବଳ (ଈଂରାଜୀରେ Weak Force), ମହାକର୍ଷଣୀୟ (ଈଂରାଜୀରେ Gravitational) ଏବଂ ବିଦ୍ୟୁତ୍-ଚୁମ୍ବକତ୍ୱ (ଈଂରାଜୀରେ Electro-Magnetic) । ବିଦ୍ୟୁତ୍-ଚୁମ୍ବକତ୍ୱକୁ ବିଦ୍ୟୁତ୍-ଚୁମ୍ବକୀୟ ବଳ (ଲୋରେଞ୍ଜ୍ ବଳ)ର ପ୍ରଭାବଦ୍ୱାରା ପରିପ୍ରକାଶ କରାଯାଏ । ବିଦ୍ୟୁତ୍-ଚୁମ୍ବକୀୟ ବଳରେ ବୈଦ୍ୟୁତିକ ବଳ ଓ ଚୁମ୍ବକତ୍ୱ ସମାହିତ ।
ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
କମ୍ପ୍ୟୁଟର ବିଜ୍ଞାନ କହିଲେ କମ୍ପ୍ୟୁଟର ସମ୍ପର୍କିତ ବିଭିନ୍ନ ତଥା ସ୍ୱତନ୍ତ୍ର ଗଣନା ଗୁଡିକର ସଠିକ ମୂଲ୍ୟାୟନ ଓ ଏହାର ବାସ୍ତବିକ ବ୍ୟବହାରର ଅଧ୍ୟୟନକୁ ବୁଝାଏ । ଏହା ଆମକୁ କମ୍ପ୍ୟୁଟରର ଗଠନ , କାର୍ଯ୍ୟ ଦକ୍ଷତା , ସାମର୍ଥ୍ୟ , ବାହ୍ୟ ଯନ୍ତ୍ରପାତି ଓ ଏହାର ବ୍ୟବହାରକାରୀଙ୍କ ସହ ଯୋଗାଯୋଗ ପଦ୍ଧତି ଗୁଡିକର ସହଜ ପ୍ରଣାଳୀ ଓ ଉପଯୋଗିତା ବିଷୟରେ ଅବଗତ କରାଇଥାଏ ।ଏହାଦ୍ୱାରା କମ୍ପ୍ୟୁଟର ସହ ଜଡ଼ିତ ହାର୍ଡୱେର ଯନ୍ତ୍ରାଂଶ ଓ ସେଥିରେ ଚାଲୁଥିବା ସଫ୍ଟୱେର ପ୍ରୋଗ୍ରାମଗୁଡିକର ଉଦ୍ଦେଶ୍ୟ ଓ ସଠିକ ଭାବେ ବ୍ୟବହାର କରିବାର ପ୍ରଣାଳୀ ବିଷୟରେ ଧାରଣାହୋଇଥାଏ । ଏହାର ଅନେକ ଉପ-ବିଭାଗ ମଧ୍ୟ ରହିଛି, ଯେପରିକି ପ୍ରୋଗ୍ରାମିଂ , ମନୁଷ୍ୟ ଓ କମ୍ପ୍ୟୁଟର ଆଦାନ ପ୍ରଦାନ, ନେଟୱର୍କିଂ, କୂତ୍ରିମ ବୁଦ୍ଧିମତ୍ତା, ସଫ୍ଟୱେର ଇଞ୍ଜିନିୟରିଂ, ସୁରକ୍ଷା ଇତ୍ୟାଦି ଇତ୍ୟାଦି । କମ୍ପ୍ୟୁଟର ବିଜ୍ଞାନୀ ଓ କମ୍ପ୍ୟୁଟର ବିଜ୍ଞାନର ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ସହିତ ଜଡ଼ିତ ଥିବା ତତ୍ତ୍ୱ ପରିସଙ୍ଖ୍ୟାନ ଓ ନୂତନ ଉପକରଣ ଅଥବା ଉପାୟର ରୂପାନ୍ତରଣ ଉପରେ ଗବେଷଣା କରିଥାନ୍ତି ।
ବର୍ଷଣ (Precipitation) ଏକ ପ୍ରାକୃତିକ ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ଜଳ କଠିନ କିମ୍ବା ତରଳ ଅବସ୍ଥାରେ ଭୂପୃଷ୍ଠରେ ପଡ଼ିଥାଏ । ମେଘରେ ଥିବା ଜଳକଣା ବା ତୁଷାରକଣାଗୁଡ଼ିକ ଏତେ କ୍ଷୁଦ୍ର ଯେ ବହୁଦିନ ଧରି ଆକାଶରେ ଭାସି ବୁଲିଲେ ମଧ୍ୟ ତଳକୁ ଶୀଘ୍ର ଖସିପଡ଼ିବାର ସମ୍ଭାବନା ନ ଥାଏ । ଏହି ଜଳକଣା କିମ୍ବା ତୁଷାରକଣାଗୁଡ଼ିକ ଅଧିକ ଘନୀଭୂତ ହେଲେ ସେମାନଙ୍କର ଆକାର ବୃଦ୍ଧି ପାଇ ଓଜନିଆ ହେବା ଯୋଗୁଁ ସେଗୁଡ଼ିକ ତଳେ ଖସିପଡ଼ିଥାଏ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ପ୍ରାକୃତିକ ଭାବେ ମିଳୁଥିବା ଅଧିକାଂଶ ସମସ୍ଥାନିକ ଗୁଡ଼ିକ ସ୍ଥାୟୀ ଅଟନ୍ତି । ଓଜନିଆ ମୌଳିକ ଯଥା ଥାଲିଅମ୍ (Z=୮୧), ସୀସା (Z=୮୨) ଓ ବିସ୍ମଥ୍ (Z=୮୩) ଗୁଡ଼ିକର 'କିଛି' ସମସ୍ଥାନିକ ଏବଂ ପୋଲୋନିଅମ୍ (Z=୮୪)ଠାରୁ ଆରମ୍ଭ କରି ତା'ଠାରୁ ଆହୁରି ଅଧିକ ଓଜନିଆ ମୌଳିକ ଗୁଡ଼ିକର 'ସମସ୍ତ' ସମସ୍ଥାନିକ ସ୍ଥାୟୀ ନୁହନ୍ତି (ନିଉକ୍ଲିଅନ୍ ପିଛା ବନ୍ଧନ ଶକ୍ତି ବହୁତ ଦୁର୍ବଳ) ଓ ଏକ ସ୍ଥାୟୀ ନାଭିରେ ପରିଣତ ହେବା ପର୍ଯ୍ୟନ୍ତ ବିକିରଣ କରିଚାଲନ୍ତି । ଏହି ସ୍ୱତଃସ୍ଫୁର୍ତ ବିକିରଣ (Spontaneous disintegration) ପ୍ରକ୍ରିୟାକୁ ତେଜସ୍କ୍ରିୟ କ୍ଷୟ (English: Radioactive decay) କୁହାଯାଏ ।
ଲାଇସର୍ଜିକ ଏସିଡ ଡାଇଏଥିଲାମାଇଡ (ଇଂରାଜୀ ଭାଷାରେ Lysergic acid diethylamide/ LSD, ଅନ୍ୟ ଡାକ ନାମ ଏସିଡ/ acid) ଏକ ହାଲୁସିନୋଜେନ (hallucinogen) ସୃଷ୍ଟିକାରୀ ଔଷଧ । ଏହାର ପ୍ରଭାବରେ ଭାବନା, ଅନୁଭବ ଓ ପରିବେଶ ବିଷୟରେ ମନରେ ପରିବର୍ତ୍ତନ ସୃଷ୍ଟି ହୁଏ । ଏହାର ବ୍ୟବହାରକାରୀମାନେ ପ୍ରକୃତରେ ନଥିବା ଦୃଶ୍ୟ ଦେଖନ୍ତି ଓ ନଥିବା ଶବ୍ଦ ଶୁଣନ୍ତି ଯାହାକୁ ହାଲୁସିନେସନ (see or hear things that do not exist|) କୁହାଯାଏ । ଏହି କ୍ଷେତ୍ରରେ ଆଖି ପିତୁଳା ବଡ଼ ହୋଇଯାଏ (Dilated pupils), ରକ୍ତଚାପ ବୃଦ୍ଧି ହୁଏ ଓ ଶରୀର ଉତ୍ତାପ ବଢ଼ିଯାଏ । ଏହି ପ୍ରଭାବ ପ୍ରାୟ ୧/୨ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିପାରେ । ମୁଖ୍ୟତଃ ଏହା ମନୋରଞ୍ଜନ (recreational drug) ଓ ଆଧ୍ୟାତ୍ମିକ (spiritual reasons) କାରଣ ନିମନ୍ତେ ବ୍ୟବହାର କରାଯାଏ ।
ସାଧାରଣ ଆପେକ୍ଷିକ ତତ୍ତ୍ୱ (ଇଂରାଜୀରେ General Theory of Relativity), ମାଧ୍ୟାକର୍ଷଣ/ମହାକର୍ଷଣର ପ୍ରଭାବ ଉପରେ ପର୍ଯ୍ୟବସିତ ଏକ ଜ୍ୟାମିତିକ ତତ୍ତ୍ୱ । ଏହାକୁ ପ୍ରସିଦ୍ଧ ଭୌତିକ ବିଜ୍ଞାନୀ ଆଲବର୍ଟ୍ ଆଇନଷ୍ଟାଇନ ୧୯୧୫ ମସିହାରେ ସର୍ବ ପ୍ରଥମେ ପ୍ରକାଶ କରିଥିଲେ । ଭୌତିକ ବିଜ୍ଞାନୀମାନଙ୍କ ପାଇଁ ଏହି ତତ୍ତ୍ୱ ମାଧ୍ୟାକର୍ଷଣ/ମହାକର୍ଷଣର ଏକ ଆଧୁନିକ ଉପସ୍ଥାପନା । ଏହି ତତ୍ତ୍ୱ ଆଇନଷ୍ଟାଇନଙ୍କଦ୍ୱାରା ପୂର୍ବରୁ ପ୍ରକାଶିତ ବିଶେଷ ଆପେକ୍ଷିକ ତତ୍ତ୍ୱ ଏବଂ ପ୍ରଖ୍ୟାତ ବ୍ରିଟିଶ୍ ବୈଜ୍ଞାନିକ ସାର୍ ଆଇଜାକ୍ ନିଉଟନଙ୍କଦ୍ୱାରା ଆବିଷ୍କୃତ ମାଧ୍ୟାକର୍ଷଣ/ମହାକର୍ଷଣ ନିୟମକୁ ଏକସୂତ୍ରରେ ସଂଯୋଗ କରୁଥିବାରୁ ଭୌତିକ ବିଜ୍ଞାନର ଏକ ଅତି ବଳିଷ୍ଠ ତତ୍ତ୍ୱ । ଏହି ତତ୍ତ୍ୱ ଅନୁସାରେ ମାଧ୍ୟାକର୍ଷଣ ଏକ ଶକ୍ତି ନୁହେଁ, ବରଂ ଜାଗତିକ ମହାବସ୍ତୁମାନେ ଅବସ୍ଥାନ କରୁଥିବା ସ୍ଥାନ-କାଳର ଏକ ଜ୍ୟାମିତିକ ପ୍ରକୃତି ବା ପ୍ରବୃତ୍ତି । ଅତ୍ୟଧିକ ବସ୍ତୁତ୍ୱବିଶିଷ୍ଟ ଏକ ମହାବସ୍ତୁଦ୍ୱାରା ସ୍ଥାନ-କାଳର ପ୍ରକୃତି ପ୍ରଭାବିତ ହୋଇଥାଏ । ସେମାନଙ୍କ ପ୍ରଭାବରେ ସ୍ଥାନ-କାଳର ପଟ୍ଟରେ/ପୃଷ୍ଠରେ ବକ୍ରାକୃତି ଦେଖାଯାଏ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଏକ ବାଦ୍ୟ ଯନ୍ତ୍ରର ନିର୍ମାଣ କିମ୍ବା ବ୍ୟବହାର ସଙ୍ଗୀତର ଧ୍ୱନି ବାହାର କରିବା ନିମନ୍ତେ ବ୍ୟବହାର କରାଯାଇଥାଏ । ମୋଟାମୋଟି ଭାବେ କୌଣସି ଧ୍ୱନି ସୃଷ୍ଟିକରୁଥିବା ବସ୍ତୁକୁ ବାଦ୍ୟଯନ୍ତ୍ର କୁହାଯାଇପାରେ । ବାଦ୍ୟଯନ୍ତ୍ରର ଇତିହାସ ମାନବ ସଂସ୍କୃତିର ଆରମ୍ଭରୁ ବୋଲି ଗଣାଯାଇଥାଏ । ଏହାର ଶୈକ୍ଷଣିକ ଅଧ୍ୟୟନକୁ ଇଂରାଜୀରେ "ଅର୍ଗାନୋଲୋଜି" କୁହାଯାଏ । ସଙ୍ଗୀତ-ବାଦ୍ୟ ରୂପରେ ଏକ ବାଦିତ ଯନ୍ତ୍ରର ତିଥି ଏବଂ ଉତ୍ପତ୍ତି ୬୭,୦୦୦ ବର୍ଷ ପୁରୁଣା ବୋଲି କୁହାଯାଏ । କେତେକଙ୍କ ମତରେ ବଂଶୀର ବୟସ ପାଖାପାଖି ୩୭,୦୦୦ ବର୍ଷ । ତେବେ ସଜ୍ଞା ନିରୂପଣର ଆଞ୍ଚଳିକତା ଓ ତିଆରି ଲାଗୁଥିବା ବସ୍ତୁର ଆପେକ୍ଷିକ ଅସ୍ଥାୟୀ ଅବସ୍ଥା ସକାଶେ ବାଦ୍ୟଯନ୍ତ୍ରର ପ୍ରକୃତ ବୟସ ଆକଳନ କରିବା ସମ୍ଭବପର ହୋଇପାରିନାହିଁ । ଅନେକ ପୁରୁଣା ବାଦ୍ୟଯନ୍ତ୍ର ଜୀବଯନ୍ତୁଙ୍କ ଚମଡ଼ା ଓ ହାଡ଼, କାଠ ଓ ଅନ୍ୟାନ୍ୟ କାଳକ୍ରମେ ନଷ୍ଟ ହୋଇଯାଉଥିବା ବସ୍ତୁରେ ତିଆରି ହେଉଥିଲା ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ଏକକୋଷୀ ଜୀବ, ମାତ୍ର ଗୋଟିଏ କୋଷରେ ଗଢ଼ା ହୋଇଥାଏ। ଏକକୋଷୀମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି, ଯଥା - ପ୍ରାକ୍-ନ୍ଯଷ୍ଟୀୟକ ଏବଂ ସୁନ୍ଯଷ୍ଟୀୟକ। ସମସ୍ତ ପ୍ରାକ୍-ନ୍ଯଷ୍ଟୀୟକମାନେ ଏକକୋଷୀ ଏବଂ ବ୍ଯାକ୍ଟେରୀଆ ଓ ଆର୍କିଆ ଏହିପରି ଦୁଇ ଶ୍ରେଣୀରେ ବିଭକ୍ତ। ଏକକୋଷୀ ସୁନ୍ଯଷ୍ଟୀୟକମାନେ ହେଉଛନ୍ତି ପ୍ରାକ୍ଜୀବ, ଏକକୋଷୀ ଶୈବାଳ, ଏକକୋଷୀ କବକ, ଇତ୍ଯାଦି। ଏକକୋଷୀ ଜୀବମାନଙ୍କୁ ସର୍ବପୂରାତନ ଜୀବରୂପ ଭାବରେ ବିବେଚନା କରାଯାଏ, ପ୍ରାକ୍କୋଷର ଆନୁମାନିକ ଉତ୍ପତ୍ତି ପ୍ରାୟ ୩.୮ରୁ ୪ ବୃନ୍ଦ-ବର୍ଷ-ପୂର୍ବେ ହୋଇଥିଲା।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ରକ୍ତ ହେଉଛି ଏକ ପ୍ରକାର ସଂଯୋଜକ ତନ୍ତୁ । ଏହାର ଅନ୍ତର୍ଗତ ଜୀବକୋଷଗୁଡ଼ିକୁ ରକ୍ତ କୋଷ ବା ରକ୍ତକଣିକା (Blood Corpuscles) କୁହାଯାଏ। ଏହି କଣିକାଗୁଡ଼ିକ ରକ୍ତରେ ଏକ ତରଳ ପଦାର୍ଥରେ ଭାସୁଥାନ୍ତି, ସେହି ତରଳ ପଦାର୍ଥକୁ ପ୍ରଲସି (plasma) କୁହାଯାଏ । ତେଣୁ ସାଧାରଣ ଭାବରେ ବୁଝିବାକୁ ଗଲେ ରକ୍ତ ହେଉଛି ମୁଖ୍ୟତଃ ପ୍ରଲସି ଓ ରକ୍ତ କଣିକାର ସମଷ୍ଟି । ରକ୍ତ ଏକ ଅଠାଳିଆ ତରଳ ପଦାର୍ଥ ଯାହାର ସ୍ୱାଦ ଲୁଣିଆ ଓ ଗନ୍ଧ ଆଇଁଷିଣିଆ । ଏହାର ରଙ୍ଗ ଲାଲ ହୋଇଥିଲେ ମଧ୍ୟ କେତେକ ପରିସ୍ଥିତିରେ ଏହାର ରଙ୍ଗରେ ପାର୍ଥକ୍ୟ ଦେଖାଯାଇଥାଏ । ଅଣୁବୀକ୍ଷଣ ସାହାଯ୍ୟରେ ରକ୍ତକୁ ପରୀକ୍ଷା କଲେ ସେଥିରେ ଥିବା କଣିକାଗୁଡ଼ିକ ଦେଖାଯାନ୍ତି।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଏକ ଇଣ୍ଡୋ-ଆର୍ଯ୍ୟ ଭାରତୀୟ ଭାଷା । ଏହା ଭାରତର ଓଡ଼ିଶାରେ ସର୍ବାଧିକ ବ୍ୟବହୃତ ଓ ମୁଖ୍ୟ ସ୍ଥାନୀୟ ଭାଷା ଏବଂ ୯୧.୮୫% ଲୋକଙ୍କଦ୍ୱାରା କଥିତ । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଲିପି ଜଣେ ଓଡ଼ିଆ ଆଲବମ ଏବଂ କଥାଚିତ୍ର ଅଭିନେତ୍ରୀ । ମୁଁ ବିନା ଘୁଙ୍ଗୁରରେ ନାଚିବି ଆଲବମ୍ ଜରିଆରେ ଆଲବମ୍ ଦୁନିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ସେ ପାଖାପାଖି ୩୦୦୦ଟି ଆଲବମ୍ରେ ଅଭିନୟ କରିଥିଲେ । ୨୦୦୫ରେ ପ୍ରଶାନ୍ତ ନନ୍ଦ ଙ୍କ ନିର୍ଦ୍ଦେଶିତ ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରେ ଲିପି ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ Jayaprakash Mohanty ଙ୍କ ନିର୍ଦ୍ଦେଶିତ ବ୍ୟାଡ଼୍ ଗାର୍ଲ 'ତୁ ମୋରି ପାଇଁ' ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ପରେ Daddy, Galpa Nuhe Alpa Dinara, Mimansa ଭଳି ଚଳଚ୍ଚିତ୍ର ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି। ଲିପି ଅନୁଭବ ମହାନ୍ତି ଙ୍କ ଠାରୁ ଆରମ୍ଭ କରି Akash Das Nayak ଭଳି ବରିଷ୍ଠ କଳାକାର ଙ୍କ ସହିତ ଅଭିନୟ କରିଛନ୍ତି।
ଗ୍ରେଟ୍ ବ୍ରିଟେନ୍ ଓ ଉତ୍ତର ଆୟାର୍ଲ୍ଯାଣ୍ଡ୍ର ଯୁକ୍ତରାଜ୍ୟ, ବା ସାଧାରଣ ଭାବେ ଯୁକ୍ତରାଜ୍ୟ ଇଉରୋପୀୟ ମୂଳ ଭୂଖଣ୍ଡର ପଶ୍ଚିମ ଉପକୂଳରେ ଅବସ୍ଥିତ ଏକ ସାର୍ବଭୌମ ରାଷ୍ଟ୍ର ବା ରାଷ୍ଟ୍ରସଂଘ । ଯୁକ୍ତରାଜ୍ୟ ମଧ୍ୟରେ ଗ୍ରେଟ ବ୍ରିଟେନ ଦ୍ୱୀପ, ଆୟରଲ୍ୟାଣ୍ଡ ଦ୍ୱୀପର ଉତ୍ତରପୂର୍ବ ଭାଗ ଏବଂ ଅନେକ ଛୋଟ ଦ୍ୱୀପ ଅନ୍ତର୍ଭୁକ୍ତ । ଉତ୍ତର ଆୟରଲ୍ୟାଣ୍ଡ୍ ଓ ଆୟରଲ୍ୟାାଣ୍ଡ୍ ସାଧାରଣତନ୍ତ୍ର ମଝିରେ ସ୍ଥଳ ସୀମା ରହିଛି । ଏହାଛଡ଼ା ଯୁକ୍ତରାଜ୍ୟକୁ ଆଟଲାଣ୍ଟିକ ମହାସାଗର ଘେରିରହିଛି । ଏହାର ପୂର୍ବରେ ଉତ୍ତର ସମୁଦ୍ର, ଦକ୍ଷିଣରେ ଇଂରାଜୀ ପ୍ରଣାଳୀ ଏବଂ ଦକ୍ଷିଣ-ପଶ୍ଚିମରେ କେଲଟିକ ସାଗର ରହିଛି । ଏହାର ବେଳା ବିଶ୍ୱର ୧୨ତମ ଦୀର୍ଘ ଉପକୂଳ । ଆଇରିସ ସାଗର ଗ୍ରେଟ ବ୍ରିଟେନ ଏବଂ ଆୟରଲ୍ୟାଣ୍ଡକୁ ଅଲଗା କରିଥାଏ । ଯୁକ୍ତରାଜ୍ୟର ମୋଟ କ୍ଷେତ୍ରଫଳ ୨,୪୦,୦୦୦ ବର୍ଗ କି.ମି.
ମହାବିସ୍ଫୋଟ ସିଦ୍ଧାନ୍ତ ବା ବିଗ୍ ବେଂଗ୍ ସିଦ୍ଧାନ୍ତ (ଈଂରାଜୀରେ Big Bang Theory) ବ୍ରହ୍ମାଣ୍ଡର ସୃଷ୍ଟି ଓ ଗଠନ ସମ୍ପର୍କିତ ବୈଜ୍ଞାନିକ ମଡେଲ୍ ଦର୍ଶାଉଥିବା ସିଦ୍ଧାନ୍ତ । ବହୁ ପୁରାତନ କାଳରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରହ୍ମାଣ୍ଡର ବିବର୍ତ୍ତନ ଏହି ମଡେଲ୍ ବା ସିଦ୍ଧାନ୍ତରେ ଦର୍ଶିତ । ଏକ ଉତ୍ତପ୍ତ ଓ ଘନ ଅବସ୍ଥାରୁ କିପରି ବ୍ରହ୍ମାଣ୍ଡର ପ୍ରସାରଣ ଘଟିଲା, ହବ୍ୱଲ୍ଙ୍କ ନିୟମ, ଆଲୋକ କଣିକା, ବ୍ରହ୍ମାଣ୍ଡର ଗଠନ ଇତ୍ୟାଦି ବିଷୟରେ ମହାବିସ୍ଫୋଟ ସିଦ୍ଧାନ୍ତ ସମ୍ୟକ୍ ଧାରଣା ଦେଇଥାଏ । ଅତ୍ୟନ୍ତ ଘନ କ୍ଷେତ୍ରରେ ପଦାର୍ଥ ବିଜ୍ଞାନର ସମସ୍ତ ନିୟମ ମହାକର୍ଷଣୀୟ ଏକକତ୍ୱ (gravitational singularity) ପ୍ରାପ୍ତ କରନ୍ତି ଯାହା ମହାବିସ୍ଫୋଟ ଘଟିଥିବା ଅବସ୍ଥା ଆଡ଼କୁ ଇଙ୍ଗିତ କରିଥାଏ । ଏକକତ୍ୱରୁ ବ୍ରହ୍ମାଣ୍ଡ ସୃଷ୍ଟି ହେଲା ନା ବର୍ତ୍ତମାନ ସମୟରେ ଏହି ମହାଜାଗତିକ ପ୍ରକ୍ରିୟା ବୁଝିବାକୁ ଆମ ପାଖରେ ଯଥେଷ୍ଟ ଜ୍ଞାନ ନାହିଁ – ତାହା ପଦାର୍ଥ ବିଜ୍ଞାନୀମାନଙ୍କୁ ମଧ୍ୟ ଅଜଣା । ବର୍ତ୍ତମାନ ବ୍ରହ୍ମାଣ୍ଡର ପ୍ରସାରଣ ହାରରୁ ମହାବିସ୍ଫୋଟ ପ୍ରାୟ ୧୩୮୦ କୋଟି ବର୍ଷ ପୂର୍ବେ ହୋଇଥିବା ଅନୁମାନ କରାଯାଏ । ତେଣୁ ଆମ ବ୍ରହ୍ମାଣ୍ଡର ବୟସ ମଧ୍ୟ ୧୩୮୦ କୋଟି ବର୍ଷ ବୋଲି କୁହାଯାଏ । ପ୍ରାରମ୍ଭିକ ବିସ୍ଫୋରଣ ପରେ ବ୍ରହ୍ମାଣ୍ଡ ଶୀତଳ ହେବାକୁ ଲାଗିଲା ଏବଂ ପ୍ରଥମେ ଅବପରମାଣବିକ କଣିକା ଓ ପରେ ଅଣୁ-ପରମାଣୁ ଇତ୍ୟାଦିର ଗଠନ ସମ୍ଭବପର ହୋଇପାରିଲା । ଏପରି ବିଭିନ୍ନ ମୌଳିକ ଉପାଦାନର କଣିକାମାନ ମହାକର୍ଷଣୀୟ ପ୍ରଭାବରେ ଆସି ନକ୍ଷତ୍ର ଏବଂ ଆକାଶଗଙ୍ଗା ଆଦି ଗଠିତ ହେଲା ଯାହା ଆଜି ପର୍ଯ୍ୟନ୍ତ ଆମେ ଦେଖି ପାରୁଛେ । ପ୍ରଥମେ ୧୯୨୭ ମସିହାରେ ଜର୍ଜ୍ ଲେମୈଟର୍ (Georges Lemaître) ନାମକ ଜଣେ ପାଦ୍ରୀ କହିଥିଲେ ଯେ ଅତୀତରେ ଖୋଜିଲେ ବର୍ତ୍ତମାନ ସମୟରେ ପ୍ରସାରଣ ହେଉଥିବା ବ୍ରହ୍ମାଣ୍ଡର ଉତ୍ସ ଏକକତ୍ୱ ଥିଲା ବୋଲି ଜଣା ପଡ଼ିବ ଏବଂ ସେବେଠାରୁ ବୈଜ୍ଞାନିକମାନେ ତାଙ୍କର ଏହି ଉକ୍ତିକୁ ନିଜ ଗବେଷଣାର ଆଧାର ଭୂମି ନେଇ କାମ ଆରମ୍ଭ କରିଥିଲେ । ତେବେ ଏହି ତତ୍ତ୍ୱ ଓ ସ୍ଥିତାବସ୍ଥା ସିଦ୍ଧାନ୍ତ (Steady State Theory) ସମ୍ପର୍କରେ ବୈଜ୍ଞାନିକମାନଙ୍କ ମତ ବିଭାଜିତ ଥିଲା । କାରଣ କିଛି ବୈଜ୍ଞାନିକ ମହାବିସ୍ଫୋଟ ଓ ଅନ୍ୟ କିଛି ସ୍ଥିତାବସ୍ଥା ତତ୍ତ୍ୱର ସମର୍ଥନ କରୁଥିଲେ । ତେବେ ମହାବିସ୍ଫୋଟର ଅନେକ ବୈଜ୍ଞାନିକ ପ୍ରମାଣ ମିଳିବା ପରେ ବର୍ତ୍ତମାନ ଏହି ସିଦ୍ଧାନ୍ତ ସମସ୍ତଙ୍କଦ୍ୱାରା ଗୃହୀତ ହୋଇଛି । ୧୯୨୯ ମସିହାରେ ମହାଜାଗତିକ ଲୋହିତ ବିସ୍ଥାପନ ପରୀକ୍ଷଣରୁ ଏଡ୍ୱିନ୍ ହବ୍ୱଲ୍ ନିରୂପଣ କରି କହିଲେ ଯେ ଆକାଶଗଙ୍ଗାମାନେ କ୍ରମଶଃ ପରସ୍ପରଠାରୁ ଦୂରକୁ ଯାଉଛନ୍ତି ଓ ବ୍ରହ୍ମାଣ୍ତ କ୍ରମଶଃ ପ୍ରସାରିତ ହେଉଥିବା ଯୁକ୍ତି ପାଇଁ ଏହା ପ୍ରମାଣ ଯୋଗାଇଲା । ମହାବିସ୍ଫୋଟ ସିଦ୍ଧାନ୍ତ ଅନୁଯାୟୀ ବ୍ରହ୍ମାଣ୍ଡର ସୃଷ୍ଟି ବେଳକୁ ପୃଷ୍ଠରେ ବିକିରଣ ରହିଥିଲା; ତେଣୁ ୧୯୬୪ ମସିହାରେ ଖଗୋଳୀୟ ସୂକ୍ଷ୍ମତରଙ୍ଗ ପୃଷ୍ଠ ବିକିରଣ (cosmic microwave background radiation) ଆବିଷ୍କୃତ ହେବା ପରେ ମହାବିସ୍ଫୋଟ ମଡେଲ୍ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଲା । ବର୍ତ୍ତମାନ ସମୟରେ ଦେଖାଯାଇଥିବା ସୁପର୍ନୋଭା ଲୋହିତ ବିସ୍ଥାପନରୁ ଏହି ପ୍ରସାରଣ କ୍ରମେ ତ୍ୱରାନ୍ୱିତ ହୋଇ ଚାଲିଛି ଓ ଏଥିରେ କୃଷ୍ଣ ଶକ୍ତି (dark energy)ର ଭୂମିକା ରହିଛି ବୋଲି ଅନୁମାନ କରାଯାଏ । ପଦାର୍ଥ ବିଜ୍ଞାନର ବିଭିନ୍ନ ନିୟମର ପ୍ରୟୋଗ କରି ବ୍ରହ୍ମାଣ୍ଡର ସୃଷ୍ଟି ତଥା ଅତୀତର ବିଭିନ୍ନ ସମୟର ଅବସ୍ଥା (ଘନତା, ତାପମାତ୍ରା,..
ଜ୍ୟୋତି ରଞ୍ଜନ ନାୟକ (ଜନ୍ମ: ୨୪ ଅକ୍ଟୋବର ୧୯୯୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୨୦୧୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଶ୍ରୀକାନ୍ତ ଗୌତମଙ୍କଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ମିଠା ମିଠା ଯୋଡ଼ିରେ ଭାଗ ନେଇ ବିଜେତା ହେବା ପରେ ଜ୍ୟୋତି ଓଡ଼ିଆ କଥାଚିତ୍ର ମିଠା ମିଠାରେ ନାୟକ ଭାବରେ ଅଭିନୟ କରିଥିଲେ, ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭରେ ବିଳମ୍ବ ହୋଇଥିଲା । ଓଡ଼ିଆ କଥାଚିତ୍ର ଜଗତରେ ଜ୍ୟୋତିଙ୍କର ପ୍ରଥମ ମୁକ୍ତିଲାଭ ଚଳଚ୍ଚିତ୍ର ହେଉଛି ଦେଲେ ଧରା କଥା ସରେ । ଏହାପରେ ସେ ନିଝୁମ ରାତିର ସାଥୀ, ଦିଲ୍ କା ରାଜା, ତୁ ମୋ ହିରୋ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।
ତରଙ୍ଗ ଉତ୍ସ ଓ ଦେଖଣାହାରୀ ବା ଶ୍ରୋତା ମଧ୍ୟରେ ଆପେକ୍ଷିକ ଗତି ରହିଥିଲେ ତରଙ୍ଗର ଦୈର୍ଘ୍ୟ ବା ଆବୃତ୍ତିରେ ପରିବର୍ତ୍ତନ ଘଟି ଯେଉଁ ପ୍ରଭାବ ଅନୁଭୂତ ହୁଏ ତାହାକୁ ଡୋପ୍ଲର୍ ପ୍ରଭାବ (ଈଂରାଜୀରେ Doppler Effect) ବା ଡୋପ୍ଲର୍ ବିସ୍ଥାପନ (ଈଂରାଜୀରେ Doppler Shift) କୁହାଯାଏ । ଅଷ୍ଟ୍ରିଆ ଦେଶର ପଦାର୍ଥ ବିଜ୍ଞାନୀ ଖ୍ରୀଷ୍ଟିୟାନ୍ ଡୋପ୍ଲର୍ ୧୮୪୨ ମସିହାରେ ଏହି ପ୍ରଭାବ ବିଷୟରେ ପ୍ରଥମେ ବୈଜ୍ଞାନିକ ବର୍ଣ୍ଣନା ଦେଇଥିବାରୁ ଏହାର ଏପରି ନାମକରଣ ହୋଇଛି ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ୟେମେନ (ଆରବୀ: اليَمَن ଅଲ-ୟେମେନ), ଆନୁଷ୍ଠାନିକ ଭାବେ "ୟେମେନ ଗଣରାଜ୍ୟ" ବା "Republic of Yemen" (ଆରବୀ: الجمهورية اليمنية ଅଲ-ଜାମହୁରିଆ ଅଲ-ୟେମେନ) ନାମରେ ପରିଚିତ ମଧ୍ୟ-ପୂର୍ବ ଏସିଆର ଏହି ଦେଶ, ଆରବ ଉପଦ୍ୱୀପର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ପ୍ରାୟ ଦୁଇ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ଉତ୍ତରରେ ସାଉଦି ଆରବ, ପଶ୍ଚିମରେ ଲୋହିତ ସାଗର, ଦକ୍ଷିଣରେ ଆରବ ସାଗର ଏବଂ ପୂର୍ବରେ ଓମାନ ଅବସ୍ଥିତ । ୟେମେନର ଭୌଗୋଳିକ ପରିସର ମଧ୍ୟରେ ୨୦୦ରୁ ଅଧିକ ଦ୍ୱୀପ ଅନ୍ତର୍ଭୁକ୍ତ, ଯେଉଁଥିରୁ ସୋକୋଟ୍ରା ଦ୍ୱୀପ ସର୍ବ ବୃହତ ଅଟେ ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ବୈଶାଖ ମାସର ପୂର୍ଣ୍ଣମୀ ତିଥିରେ ବୁଦ୍ଧ ଜୟନ୍ତୀ ପାଳିତ ହୁଏ। ତେଣୁ ଏହି ପୂର୍ଣ୍ଣିମାକୁ ବୌଦ୍ଧ ପୂର୍ଣ୍ଣିମା କୁହାଯାଏ। ବୌଦ୍ଧ ଧର୍ମରେ ପର୍ବପର୍ବାଣି ଓ ଆଡମ୍ବର କମ୍ ଥିଲେ ହେଁ ଉପାସନା, ଆରାଧନା, ଧ୍ୟାନ ଓ ସାଧନା ଆଦି ଆଚରଣବିଧି ପାଇଁ ବର୍ଷର ବାରଟିଯାକ ପୂର୍ଣ୍ଣିମା ତିଥି ଅତ୍ୟନ୍ତ ପୁଣ୍ୟ ଦିବସ। ବୌଦ୍ଧ ଧର୍ମାବଲମ୍ବୀମାନେ ପ୍ରତ୍ୟେକ ପୂର୍ଣ୍ଣିମା ତିଥିରେ ପ୍ରାର୍ଥନା ଓ ଧ୍ୟାନ ବ୍ୟତୀତ ସ୍ୱତନ୍ତ୍ର ଉପାସନା ପର୍ଯ୍ୟନ୍ତ ଉପବାସ ରହିଥାନ୍ତି।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଷ୍ଟିଭେନ ପଲ ଜବ୍ସ ((; ଫେବୃଆରୀ ୨୪, ୧୯୫୫ – ଅକ୍ଟୋବର ୫, ୨୦୧୧) ଜଣେ ଆମେରିକୀୟ କମ୍ପ୍ୟୁଟର ବିଜ୍ଞାନୀ ଥିଲେ । ସେ ଆପଲ କମ୍ପାନୀର ସହ ସ୍ଥାପକ ଓ ମୁଖ୍ୟ ଅଧ୍ୟକ୍ଷ ମଧ୍ୟ ଥିଲେ;pixar animation studios ର ମୁଖ୍ୟ ଅଧ୍ୟକ୍ଷ ; the Walt Disney companyର ନିୟଂତ୍ରକ ମଣ୍ଡଳିର ସଦସ୍ୟ ମଧ୍ୟ ଥିଲେ।ସେ NeXT.incର ଉଦ୍ଭାବକ ଓ ମୁଖ୍ୟ ଅଧକ୍ଷ ମଧ୍ୟ ଥିଲେ। ସେ ୧୯୭୦ micro computer revolutionର ଆଦିମ ଆବିଷକର୍ତା ଭାବେ ଜଣଶୁଣା। ତାଙ୍କ ଦେହାନ୍ତ ପରେ ତାଙ୍କ ଜୀବନୀ ଲେଖକ ତାଙ୍କୁ ବର୍ଣ୍ଣନା କରି ଲେଖିଛନ୍ତି ଯେ "ତାଙ୍କ ପରିବର୍ତ୍ତନ ପାଇଁ ଆବେଗ ଏବଂ ଉତ୍ସାହ" ତାଙ୍କୁ 6ଟି ବଡ଼ କମ୍ପାନୀରେ ପରିବର୍ତ୍ତନ ଆଣିବା ପାଇଁ ସହାୟକ ହୋଇଥିଲା।
'ରବୀନ୍ଦ୍ରନାଥ ଠାକୁର ' ( (listen); Bengali pronunciation: [robind̪ro nat̪ʰ ʈʰakur]), (୧୮୬୧-୧୯୪୧) ଏକାଧାରରେ ଜଣେ କବି, ଚିତ୍ରଶିଳ୍ପୀ, ସଂଗୀତଜ୍ଞ, ଶିକ୍ଷାବିତ, ଗାଳ୍ପିକ ଓ ଦାର୍ଶନିକ ଥିଲେ । ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟକ ବୋଲି ଧରାଯାଏ । ଭାରତୀୟ ଭାଷା ଅନୁସାରେ ତାଙ୍କ ନାମ ରବିଦ୍ରନାଥ ଠାକୁର ଥିଲା । ତାଙ୍କୁ "ବଙ୍ଗଳାର ପକ୍ଷୀ" ବୋଲି ଆଖ୍ୟା ଦିଆଯାଇଥିଲା ।ଭାରତୀୟମାନଙ୍କ ମଧ୍ୟରେ ସେ ସର୍ବ ପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ । ଟାଗୋର ବହୁତ ଗଳ୍ପ, କବିତା, ଓ ନାଟକ ରଚନା କରିଥିଲେ ଓ ତା' ସହ ବହୁତ ଗୀତ ଓ ସଙ୍ଗୀତ ଲେଖିଥିଲେ । ରବୀନ୍ଦ୍ରନାଥଙ୍କ ୫୨ଟି କାବ୍ୟଗ୍ରନ୍ଥ, ୩୮ଟି ନାଟକ, ୧୩ଟି ଉପନ୍ୟାସ, ୩୬ଟି ପ୍ରବନ୍ଧ, ୯୬ କ୍ଷୁଦ୍ର ଗଳ୍ପ ଓ ୧୯୧୫ ସଙ୍ଗୀତ ପ୍ରକାଶିତ ହୋଇସାରିଛି । ରବୀନ୍ଦ୍ରନାଥଙ୍କ ରଚନା ବିଭିନ୍ନ ଭାଷାରେ ଅନୁବାଦିତ ହୋଇସାରିଛି । ଗୀତାଞ୍ଜଳିର ଲେଖକ ଓ ତାଙ୍କର ଗଭୀର ସମ୍ବେଦନଶୀଳ, ତାଜା, ସୁମଧୁର କବିତା; ୧୯୧୩ ମସିହାରେ ଗୀତାଞ୍ଜଳି କବିତାଗ୍ରନ୍ଥର ଇଂରାଜୀ ଅନୁବାଦ ପାଇଁ ସେ ନୋବେଲ ପୁରସ୍କାର ଲାଭ କରିଥିଲେ । ତାଙ୍କଦ୍ୱାରା ରଚିତ ସଂଗୀତ ୨ଟି ଦେଶ, ନିଜ ନିଜ ଦେଶର ଜାତୀୟ ସଂଗୀତ ଭାବେ ବାଛି ନେଇଛନ୍ତି: ଭାରତ "ଜନ ଗଣ ମନ" ଓ ବାଂଲାଦେଶ "ଆମର୍ ସୋନାର ବଙ୍ଗଲା" । ଶ୍ରୀଲଙ୍କାର ଜାତୀୟ ସଂଗୀତ ମଧ୍ୟ ଟାଗୋରଙ୍କଠାରୁ ପ୍ରେରଣା ଲାଭ କରିଥିଲା ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ୟୁରୋପ ଏକ ମହାଦେଶ । ଏହା ପୃଥିବୀର ୨% ସ୍ଥାନ ଅଧିକାର କରିଛି । ଏସିଆ ଓ ଆଫ୍ରିକା ପରେ ଏହା ପୃଥିବୀର ତୃତୀୟ ଜନବହୁଳ ମହାଦେଶ ।ଏହା ଆଫ୍ରୋ-ୟୁରାସିଆର ମାଳଦ୍ୱୀପ ଭୂମି ଉଭୟ ଆଫ୍ରିକା ଏବଂ ଏସିଆ ସହିତ ଅଂଶୀଦାର କରେ | ଏହା ଉତ୍ତରରେ ଆର୍କଟିକ୍ ମହାସାଗର, ପଶ୍ଚିମରେ ଆଟଲାଣ୍ଟିକ୍ ମହାସାଗର, ଦକ୍ଷିଣରେ ଭୂମଧ୍ୟସାଗର ଏବଂ ପୂର୍ବରେ ଏସିଆ ସୀମାବର୍ତ୍ତୀ ଅଟେ | ୟୁରୋପକୁ ସାଧାରଣତଃ ଉରାଲ ପର୍ବତ, ଉରାଲ ନଦୀ, କାସପିନ୍ ସାଗର, ବୃହତ୍ କାଉକସ୍, କଳା ସାଗର ଏବଂ ତୁର୍କୀ ଷ୍ଟ୍ରାଇଟର ଜଳପଥଦ୍ୱାରା ଏସିଆଠାରୁ ପୃଥକ ଭାବରେ ବିବେଚନା କରାଯାଏ |
ଲେଖା ଚାଲିଛି... ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ବା କୁତ୍ରିମ ମସ୍ତିଷ୍କ ଜାଲ ହେଉଛି ଏକ କୁତ୍ରିମ ମସ୍ତିଷ୍କ ଯାହା ମନୁଷ୍ୟର ମସ୍ତିଷ୍କର ଅନୁସରଣ କରି ତିଆରି କରାହୋଇଛି । ଏହି ପ୍ରକାରର ଆଲଗୋରିଦମ ନିଜେ ନିଜେ ଦିଆଯାଇଥିବା ଚିନ୍ହିତ ତଥ୍ୟରୁ ଶିଖିଥାଏ, ଏହାକୁ ପ୍ରୋଗ୍ରାମ ବା ନିୟମ ଦେଇ ଶିଖେଇବାକୁ ପଡ଼ିନଥାଏ । ଉଦାହରଣ ସ୍ୱରୂପ ଯଦି ଆମେ ଏହି ନ୍ୟୁରାଲ ନେଟୱର୍କକୁ ଗୁଡ଼ିଏ ବିଲେଇ ଛବି ଦେଇ ଶଖିବାକୁ କହିବା କି ଏହି ସବୁ ବିଲେଇ, ତେବେ ଏହା ଅନ୍ୟ ଏକ ନୂଆ ବିଲେଇ ଛବି ଆଣି ଏହାକୁ ଦେଲେ ଏହି ନ୍ୟୁରାଲ ନେଟୱର୍କ ଜାଣିପାରେକି ସେହି ଛବିଟିର ବିଲେଇ ଅଛି । ପ୍ରଥମେ ଏ.ଏନ.ଏନ.
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଲିଉକେମିଆ (ଆମେରିକିୟ ଇଂରାଜୀରେ Leukemia ଓ ଇଂଲିସ ଇଂରାଜୀରେ leukaemia) ଏକ କର୍କଟ ଦଳର ନାମ ଯାହା ଅସ୍ଥିମଜ୍ଜାରେ ଆରମ୍ଭ ହୁଏ ଓ ଏହା ଯୋଗୁ ଶ୍ୱେତ ରକ୍ତ କଣିକା ସଂଖ୍ୟ ବଢ଼ିଯାଏ । ଏହି ରକ୍ତ କଣିକାଗୁଡ଼ିକ ସମ୍ପୁର୍ଣ୍ଣଭାବେ ତିଆରି ହୋଇ ନ ଥାଆନ୍ତି, ତେଣୁ ଏମାନଙ୍କର ନାମ ପ୍ରିକର୍ସର ଜୀବକୋଷ ବା ବ୍ଲାଷ୍ଟ ଜୀବକୋଷ ବା ଲିଉକେମିଆ ଜୀବକୋଷ ଦିଆଯାଇଥାଏ । ରକ୍ତସ୍ରାବ ଅସୁବିଧା, ଥକ୍କାଣ ଓ ଜ୍ୱର ହୁଏ ତଥା ସଂକ୍ରମଣ ସଂକଟ ଅଧିକ ରହେ । ସାଧାରଣ ରକ୍ତ କଣିକା ଅଭାବ ହେତୁ ଏହ ଲକ୍ଷଣ ସମୂହ ପ୍ରକାଶ ପାଏ । ରକ୍ତ ପରୀକ୍ଷା ଓ ଅସ୍ଥି ମଜ୍ଜା ବାୟୋପ୍ସିଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ । ଲିଉକେମିଆର ନିର୍ଦ୍ଦିଷ୍ଟ କାରଣ ଅଜଣା ଥିଲେ ମଧ୍ୟ ଜେନେଟିକ ଓ ପରିବେଶ ପ୍ରଭାବ ଯୋଗୁ ଏହା ହେବା ବିଶ୍ୱାସ କରାଯାଏ । ଏହାର ସଙ୍କଟ ସୃଷ୍ଟିକାରୀ ଅବସ୍ଥା ମଧ୍ୟରେ ଧୁମ୍ରପାନ, ଆୟୋନାଇଜିଙ୍ଗ ରାଡିଏସନ, କେତେକ ରାସାୟନିକ ଦ୍ରବ୍ୟ ଯେପରିକି ବେଞ୍ଜିନ, ପୂର୍ବ ପ୍ରଦତ୍ତ କେମୋଥେରାପି ଓ ଡାଉନ ସିଣ୍ଡ୍ରୋମ ଉଲ୍ଲେଖ୍ଯୋଗ୍ୟ । ଲିଉକେମିଆ ଇତିହାସ ଥିବା ପରିବାରର ସଦସ୍ୟମାନଙ୍କର ଅଧିକ ସଙ୍କଟ ଥାଏ । ମୂଖ୍ୟତଃ ଚାରି ପ୍ରକାର ଲିଉକେମିଆ ଦେଖାଯାଏ; ଆକ୍ୟୁଟ ଲୋମ୍ଫୋବ୍ଳାସ୍ଟିକ ଲିଉକେମିଆ ବା ଏ.ଏଲ.ଏଲ., ଆକ୍ୟୁଟ ମାୟେଲଏଡ ଲିଉକେମିଆ ବା ଏ.ଏମ.ଏଲ., କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ ସି.ଏଲ.ଏଲ. ଓ କ୍ରନିକ ମାୟେଲଏଡ ଲିଉକେମିଆ ବା ସି.ଏମ.ଏଲ. ସହିତ କେତେକ ବିରଲ ଟାଇପର ଲିଉକେମିଆ ମଧ୍ୟ ଦେଖାଯାଏ । ଲିଉକେମିଆ ଏକ ବଡ଼ ଅର୍ବୁଦ ଦଳର ଏକ ଅଂଶ ଯାହା ରକ୍ତ, ଅସ୍ଥି ମଜ୍ଜା, ଲିମ୍ଫାଟିକ ସିସ୍ଟମକୁ ନେଇ ଗଢ଼ା ଓ ଯାହାର ନାମ ହେମାଟୋପଏଟିକ ଓ ଲିମ୍ଫଏଡ ସିସ୍ଟମ । କେମୋଥେରାପି, ରାଡିଏସନ ଥେରାପି, ଟାର୍ଗେଟେଡ ଥେରାପି ଓ ଅସ୍ଥି ମଜ୍ଜା ଟ୍ରାନ୍ସପ୍ଲାଣ୍ଟର ମିଳିତ ପଦ୍ଧତିକୁ ନେଇ ଏହାର ଚିକିତ୍ସା କରାଯାଏ । ଅଳ୍ପ କେତେକ ଲିଉକେମିଆରେ 'ଦେଖା ଓ ଅପେକ୍ଷା' ଚିକିତ୍ସା କରାଯାଏ । ରକ୍ତ କିମ୍ବା ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ ସହ ଯନ୍ତ୍ରଣା ଚିକିତ୍ସା ଆବଶ୍ୟକ ହୁଏ । ପାଲିଏଟିଭ ଯତ୍ନ ସହ ବା ବିହୁନେ ଅନ୍ୟ ଚିକିତ୍ସା ଦରକାର ହୋଇପାରେ । ରୋଗୀର ବୟସ ଓ ଲିଉକେମିଆ ଟାଇପ ଉପରେ ଚିକିତ୍ସା ସଫଳତା ନିର୍ଭର କରେ । ବିକଶିତ ଦେଶମାନଙ୍କରେ ଫଳାଫଳ ଉନ୍ନତି କରୁଛି । ହାରାହାରି ପାଞ୍ଚବର୍ଷିଆ ଆୟୁଷ ହାର ଆମେରିକାରେ ୫୭ % । ପନ୍ଦର ବର୍ଷରୁ କମ ପିଲାଙ୍କର ପାଞ୍ଚବର୍ଷିଆ ଆୟୁଷ ହାର ଲିଉକେମିଆର ଟାଇପ ନେଇ ୬୦ରୁ ୮୫ %ରୁ ଅଧିକ ହୋଇପାରେ । ଆକ୍ୟୁଟ ଲିଉକେମିଆରୁ ଲୋକ ପାଞ୍ଚ ବର୍ଷ ରୋଗମୁକ୍ତ ହୋଇଥିଲେ ଏହା ଆଉଥରେ ହେବା ସମ୍ଭାବନା କମ । ସନ ୨୦୧୨ରେ ୩୫୨,୦୦୦ ଲୋକଙ୍କୁ ଲିଉକେମିଆ ହୋଇ ୨୬୫,୦୦୦ ମୃତ୍ୟୁ ହୋଇଥିଲା । ପିଲାଙ୍କର କର୍କଟ ମଧ୍ୟରେ ଏହା ଅତି ସାଧାରଣ ଓ ଦୁଇ ତୃତୀୟାଂସ ପିଲା ଏ.ଏଲ.ଏଲ.
କଟକ, କଟକ ଜିଲ୍ଲାର ମୁଖ୍ୟାଳୟ ହେବା ସହିତ ଓଡ଼ିଶାର ଉପ-ରାଜଧାନୀ ତଥା ତତ୍ ସହିତ ରାଜ୍ୟର ସର୍ବପୁରାତନ ନଗର ମଧ୍ୟ । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ତଥା ରାଜଧାନୀ ଭାବେ ପ୍ରତିଷ୍ଠିତ । ଏହି ସହର ପାଖରେ ଭୁବନେଶ୍ୱର, ପୁରୀ ଓ କୋଣାର୍କର ଅଛି । ୧୯୬୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ଗିନି ପିଗ ବା ଗୃହପାଳିତ ଗିନି ପିଗ ବା କାଭି ବା ଗୃହପାଳିତ କାଭି ଏକ ଜାତୀୟ କୃନ୍ତକ ବା କର୍ତ୍ତଦନ୍ତୀ ମୂଷା ଜାତୀୟ ଜୀବ, ଫ୍ୟାମିଲି କ୍ୟାଭିଡିଆ (en:Caviidae) ଓ ଜେନସ କ୍ୟାଭିଆ (Cavia) । ତାଙ୍କର ନାମ ଗିନି ପିଗ ହୋଇଥିଲେ ମଧ୍ୟ ସେମାନଙ୍କରେ ଗିନି (Guinea) ଦେଶ ବା ପିଗ (pig) ଜନ୍ତୁମାନଙ୍କ ସହିତ କୌଣସି ସମ୍ପର୍କ ନଥାଏ । ସେମାନେ ପ୍ରଥମେ ଦକ୍ଷିଣ ଆମେରିକାର ଆଣ୍ଡେସରେ (Andes) ଥିଲେ ଓ ବାୟୋକେମିଷ୍ଟ୍ରି (biochemistry) ଓ ହାଇବ୍ରିଡ (hybridization) ଅନୁଶୀଳନରୁ ଜଣାଯାଏ ଯେ ସେମାନେ କାଭି ଜାତିର ମୋଣ୍ଟାନାର ସମ୍ପର୍କୀୟ ଗିନି ପିଗର (C. tschudii) ବଂଶଧର, ତେଣୁ ଆରମ୍ଭରେ ସେମାନେ ପ୍ରାକୃତିକ ବଣୁଆ ନଥିଲେ । ସେମାନେ ପ୍ରଥମରୁ ଖାଦ୍ୟ ନିମନ୍ତେ ଗୃହପାଳିତ କରାଯାଉଥିଲା ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ସ୍କ୍ରୋଡିଙ୍ଗରଙ୍କ ବିରାଡ଼ି ହେଉଛି ଏକ ଚିନ୍ତନ ପରୀକ୍ଷା, ବେଳେବେଳେ ଏକ ବିରୋଧାଭାସ ପରି ବର୍ଣ୍ଣନା କରା ହୁଏ। ଏହାକୁ ୧୯୩୫ରେ ଅଷ୍ଟ୍ରିଆନ୍-ଆଇରିସ୍ ପଦାର୍ଥ ବୈଜ୍ଞାନିକ ଏରୱିନ୍ ସ୍କ୍ରୋଡିଙ୍ଗର୍ ଆଲବର୍ଟ ଆଇନଷ୍ଟାଇନ୍ଙ୍କ ସହ ଆଲୋଚନା ସମୟରେ ପ୍ରସ୍ତୁତ କରିଥିଲେ । ପ୍ରତିଦିନର ବସ୍ତୁରେ ପ୍ରୟୋଗ କରାଯାଉଥିବା କ୍ୱାଣ୍ଟମ୍ ମେକାନିକ୍ସର କୋପେନହଗେନ୍ ବ୍ୟାଖ୍ୟାର ସମସ୍ୟା ଭାବରେ ସେ ଯାହା ଦେଖିଲେ ତାହା ବର୍ଣ୍ଣନା କରେ । ଦୃଶ୍ୟଟି ଏକ କାଲ୍ପନିକ ବିରାଡ଼ିକୁ ଉପସ୍ଥାପନ କରେ ଯାହା ଏକକାଳୀନ ଉଭୟ ଜୀବନ୍ତ ଏବଂ ମୃତ ହୋଇପାରେ । ଏହି ଅବସ୍ଥା କ୍ୱାଣ୍ଟମ୍ ସୁପରପୋଜିସନ୍ ଭାବରେ ଜଣାଶୁଣା ଓ ଏହା ଏକ ଅନିୟମିତ ଉପପରମାଣବିକ (ସବଆଟୋମିକ) ଘଟଣା ସହିତ ସଂଯୁକ୍ତ ହେବାର ଫଳାଫଳ । ସେହି ଘଟଣା ଘଟିଥାଇପାରେ କିମ୍ବା ନ ଥାଇପାରେ ।
ଗାଲିଲିଓଙ୍କ ଜନ୍ମ , ପିସାଠାରେ (ଫେବ୍ରୁୟାରୀ ୧୫ , ୧୫୬୪) ହେଇଥିଲା । (ଠିକ ସେହି ବର୍ଷ ୱିଲିୟମ ସେକ୍ସପିଅରଙ୍କ ମଧ୍ୟ ଜନ୍ମ ହୋଇଥିଲା) ଗାଲିଲିଓ ନିଜ ଛଅ ଭାଇ ଓ ଭଉଣୀଙ୍କ ଭିତରେ ବଡ଼ ଥିଲେ । ଗାଲିଲିଓଙ୍କ ପିତା, ଭିନସେଞ୍ଜୋ ଗାଲିଲି (Vincenzo Galilei), ଇଟାଲୀର ପିସାଠାରେ ପଶମ ବ୍ୟବସାୟ କରୁଥିଲେ । ସମ୍ଭ୍ରାନ୍ତ ବଂଶରେ ଜନ୍ମ ହୋଇ ସୁଦ୍ଧା, ଆର୍ଥିକ ଅନଟନ ଯୋଗୁଁ ତାଙ୍କ ପିତା କୁଳ ଗୌରବ ରକ୍ଷାକରି ନପାରି ସଙ୍ଗୀତ ରଚନା କରି ପରିବାର ପରିପୋଷଣ କରୁଥାନ୍ତି । ଶେଷରେ ସେ ବ୍ୟବସାୟରେ ପଶିଲେ । ଗାଲିଲିଓ ସେତେବେଳେ ଛୋଟପିଲା ହୋଇଥିଲେ ମଧ୍ୟ ସଙ୍ଗୀତକୁ ଆଦରି ନେଲେ । ବଂଶୀ ବଜାଇ ଓ ଗୀତଗାଇ ସେ ସମସ୍ତଙ୍କୁ ମୁଗ୍ଧ କରି ଦେଉଥିଲେ । ସେ ଚିତ୍ର ଅଙ୍କିବାରେ ପାରଦର୍ଶୀ ଥିଲେ । ପିଲାଙ୍କ ପାଇଁ ଖେଳଣା ଓ କଣ୍ଢେଇ ମଧ୍ୟ ତିଆରି କରୁଥିଲେ । ଯିଏ ଦେଖୁଥିଲା ତାଙ୍କ ହାତର ପ୍ରଶଂସା ନକରି ରହିପାରୁନଥିଲା ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷଠାରୁ ତଥ୍ୟ (Data) ନିଏ, ସେସବୁକୁ ସାଇତି ରଖେ ଏବଂ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟକୁ ପ୍ରକ୍ରିୟାକରଣ କରି ଉତ୍ତର ଦିଏ ।ସଂରକ୍ଷିତ ଉତ୍ତର କମ୍ପ୍ୟୁଟର ( RAM memory)ରେ ରହିଥାଏ। ଏକ ସମୟରେ ଗାଣିତିକ ଏବଂ ତର୍କ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ଭୂମିକା ଦାଶ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ରୁମ୍କୁ ଝୁମାନା ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ଗପ ହେଲେ ବି ସତ ଚଳଚ୍ଚିତ୍ରରେ ମଧ୍ୟ ଜନେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍ର ୭ମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ନାୟିକା ଭାବରେ ଅଭିନୟ କରିଥିଲେ । ଭୂମିକା ଓଡ଼ିଶୀ ନୃତ୍ୟ ଶିକ୍ଷା କରିଛନ୍ତି ।
ତିନ୍ ମୂର୍ତ୍ତୀ ଭବନ ହେଉଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପୂର୍ବତନ ବାସଗୃହ । ଏହା ଦିଲ୍ଲୀଠାରେ ଅବସ୍ଥିତ । ୧୯୬୪ ମସିହା ମଇ ମାସ ୨୭ ତାରିଖରେ ଜବାହରଲାଲ ନେହେରୁଙ୍କ ମୃତ୍ୟୁ ହୋଇଥିଲା । ନିଜ ମୃତ୍ୟୁ ପର୍ଯ୍ୟନ୍ତ ଦୀର୍ଘ ୧୬ ବର୍ଷ ଧରି ସେ ଏହି ବାସଭବନରେ ରହିଆସୁଥିଲେ । କନଟ୍ ପ୍ଲେସ୍ (Connaught Place)ର ନକ୍ସା ପ୍ରସ୍ତୁତ କରିଥିବା ବ୍ରିଟିଶ୍ ସ୍ଥପତି ରବର୍ଟ୍ ଟର୍ ରସେଲ୍ ଏହି ଭବନଟିର ପରିକଳ୍ପନା କରିଥିଲେ । ଏହି ଭବନ ୧୯୩୦ ମସିହାରେ ଭାରତୀୟ ବ୍ରଟିଶ୍ ସେନାବାହିନୀର ମୁଖ୍ୟ କମାଣ୍ଡର୍ ବା କମାଣ୍ଡର୍-ଇନ୍-ଚିଫ୍ଙ୍କ ରହିବା ପାଇଁ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ତିନ୍ ମୂର୍ତ୍ତୀ ଭବନ ନେହେରୁ ସ୍ମାରକ ସଂଗ୍ରହାଳୟ ଏବଂ ପୁସ୍ତକାଳୟ (Nehru Memorial Museum and Library ବା NMML) ଭାବେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ଏହା ସଂସ୍କୃତି ମନ୍ତ୍ରଣାଳୟ (ଭାରତ) ଅଧିନରେ ଅଛି ଓ ପ୍ରଫେସର୍ ଲୋକେଶ ଚନ୍ଦ୍ର ବର୍ତ୍ତମାନ ଏହାର ଶାସନ ପରିଷଦ (Executive Council)ର ଅଧ୍ୟକ୍ଷ ଅଛନ୍ତି । ୧୯୬୪ ମସିହାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ଡା.
ଦୁର୍ଗାଚରଣ ମହାନ୍ତି (୧୯୧୨-୧୯୮୫) ଓଡ଼ିଶାର କୋଣାର୍କ ନିକଟବର୍ତ୍ତି ଗୋପ ଥାନା ଅନ୍ତର୍ଗତ ବୀରତୁଙ୍ଗ ଗ୍ରାମରେ ୧୯୧୨ ମସିହା କାର୍ତ୍ତିକ ଶୁକ୍ଳ ତ୍ରୋୟଦଶୀ ତିଥିରେ ଜନ୍ମଗ୍ରହଣ କରିଥିଲେ | ଓଡ଼ିଶାର ସାହିତ୍ଯ ଏକାଡେମୀ ତରଫରୁ ତାଙ୍କ ଲିଖିତ 'ଭଗବାନ ଶଙ୍କରାଚାର୍ୟ' ପୁସ୍ତକ ୧୯୫୭-୫୮ରେ ପ୍ରଥମ ପୁରସ୍କାରପ୍ରାପ୍ତ ହୋଇଥିଲା | ସଦଗୁରୁ ନିଗମାନନ୍ଦଙ୍କ ଏକନିଷ୍ଠ ଶିଷ୍ଯ ଭାବରେ ସେ ବିଶେଷ ପରିଚିତ| ଠାକୁର ନିଗମାନନ୍ଦଙ୍କ ପ୍ରତିଷ୍ଠାନ 'ନୀଳାଚଳ ସାରସ୍ୱତ ସଙ୍ଘ' ପୁରୀର ସେ ସମ୍ପାଦକ/ପରିଚାଳକ ଥିଲେ | ଠାକୁର ନିଗମାନନ୍ଦଙ୍କ ସ୍ୱରଚିତ ବିଖ୍ଯାତ ଗ୍ରନ୍ଥ ବ୍ରହ୍ମଚର୍ୟ ସାଧନ, ଯୋଗୀଗୁରୁ , ତାନ୍ତ୍ରିକ ଗୁରୁ, ଜ୍ଞାନୀଗୁରୁ ଓ ପ୍ରେମିକଗୁରୁ ପ୍ରଭୁତି ପୁସ୍ତକାବଳୀ ବଙ୍ଗଳା ଭାଷାରୁ ଓଡ଼ିଆରେ ସେ ଅନୁବାଦ କରିଛନ୍ତି | ଏହା ବ୍ଯତିତ ନିଜ ଗ୍ରାମ ବୀରତୁଙ୍ଗର ଭଲ୍ଯୁଣ୍ଟର ଆସୋସିଏନ୍ର ସେ ସଭାପତି ଥିଲେ | ତାଙ୍କର ପ୍ରଚେଷ୍ଟାରେ ବୀରତୁଙ୍ଗ ଗ୍ରାମରେ ସାରସ୍ୱତ ବିଦ୍ଯାପୀଠ ସ୍ଥାପିତ ହୋଇପାରିଛି |
ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।
ୟାଓଇ (; (ଜାପାନୀ: やおい) ଛାଞ୍ଚ:IPA-ja), ବୋଏଜ୍ ଲଭ୍ ବା ବୋଇଜ ରବୁ (ボーイズ ラブ) ବା ବିଏଲ (ビーエル: ବିଏର), ହେଉଛି ଜାପାନରେ ଉତ୍ପନ୍ନ କାଳ୍ପନିକ ମିଡିଆର ଏକ ବର୍ଗ ଯେଉଁଥିରେ ପୁରୁଷ ଚରିତ୍ରଙ୍କ ମଧ୍ଯରେ ସମଲିଙ୍ଗୀ ସମ୍ବନ୍ଧର ପରିକଳ୍ପନା କରାଯାଇ ଥାଏ । ସାଧାରଣତଃ ଏହା ନାରୀଙ୍କଦ୍ୱାରା ନାରୀଙ୍କ ପାଇଁ ତିଆରି କରାଯାଇ ଥାଏ । ଏହା ସମଲିଙ୍ଗୀ ଓ ଉଭୟଲିଙ୍ଗୀ ପୁରୁଷଙ୍କ ପ୍ରତି ନିର୍ଦ୍ଦେଶିତ ମିଡିଆଠାରୁ ଭିନ୍ନ; ଯେପରିକି ବାରା । କିନ୍ତୁ ଏହାପ୍ରତି ପୁରୁଷ ପାଠକମାନେ ମଧ୍ଯ ଆକର୍ଷିତ ହୋଇ ପାରନ୍ତି ଏବଂ ଏଗୁଡିକୁ ପୁରୁଷ ରଚତାମାନେ ମଧ୍ଯ ତିଆରି ପାରନ୍ତି । ଏହା ଅଧିନରେ ବହୁ ପ୍ରକାରର ମିଡିଆ ରହିଛି, ଯେପରିକି ମାଙ୍ଗା, ଆନିମେ, ଡ୍ରାମା ସିଡି, ଉପନ୍ୟାସ, ଖେଳ, ଫିଲ୍ମ ଏବଂ ଫାନ ପ୍ରଡକ୍ସନ ଆଦି ମିଡିଆ ରହିଛି । "ବୋଏଜ୍ ଲଭ୍" ଏବଂ ଏହାର ସଂକ୍ଷିପ୍ତ ରୂପ "ବିଏଲ", ଉଭୟ ଏହି ପ୍ରକାରର ମିଡିଆ ପାଇଁ ଜାତିଗତ ପଦ ରୂପେ ବ୍ଯବହୃତ ହୁଏ ।
ନରସିଂହ (नरसिंह - Narasiṃha) ବା ନୃସିଂହ (नृसिंह, Nṛsiṃha), ହେଉଛନ୍ତି ଏକାଧାରରେ ନର ଓ ସିଂହ। ଶ୍ରୀମଦ୍ଭାଗବତ, ସ୍କନ୍ଧ ପୁରାଣ ଏବଂ ଗୀତ ଗୋବିନ୍ଦରେ ବର୍ଣ୍ଣିତ ଦଶ ଅବତାର ଭିତରୁ ସତ୍ୟ ଯୁଗୀୟ ଚତୁର୍ଥ ଅବତାର ହେଲେ ନରସିଂହ। ନିଜ ଭକ୍ତ ପ୍ରହ୍ଲାଦର ମାନ ରକ୍ଷା କରିବାକୁ, ଭକ୍ତର ବଚନ "ଭଗବାନ ସବୁ ଜାଗାରେ ଅଛନ୍ତି"କୁ ସତ୍ୟ ପ୍ରମାଣିତ କରିବାକୁ ଓ ଦୁଷ୍ଟ ଅସୁର ହିରଣ୍ୟକଶିପୁର ବଧ କରିବାକୁ ଭୀଷଣକାୟ ନୃସିଂହ ରୂପରେ ସେ ଖମ୍ବରୁ ପ୍ରକଟ ହୋଇଥିଲେ ଓ ନିଜର ତୀକ୍ଷ୍ଣ ନଖପଂକ୍ତିରେ ହିରଣ୍ୟକଶିପୁର ବକ୍ଷକୁ ଚିରି ତାକୁ ହତ୍ୟା କରିଥିଲେ।
ସୂଚୀ ସରିୟା ଚିକିତ୍ସା ବିଜ୍ଞାନ ଓ ମେସିନ ଲର୍ନିଙ୍ଗ ଉପଯୋଗରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଔଷଧ ପ୍ରସ୍ତୁତ କରିବା କ୍ଷେତ୍ରରେ ଗବେଷଣା କରୁଥିବା ଜଣେ ଭାରତୀୟ ବୈଜ୍ଞାନିକ । ବର୍ତ୍ତମାନ ସେ ମେରୀଲ୍ୟାଣ୍ଡସ୍ଥିତ ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ରେ, ସହକାରୀ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି । ସେ ନିଜର ଗବେଷଣା ଓ ଅଧ୍ୟାପନା ସମ୍ପର୍କିତ କାମ ପାଇଁ "ବିଗ ଡାଟା" ଟେକ୍ନୋଲୋଜି ଓ ସମ୍ପର୍କିତ ତଥ୍ୟାବଳୀ ବ୍ୟବହାର କରିଥାନ୍ତି । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ଉପଯୁକ୍ତ ବ୍ୟବହାର ଓ ଗବେଷଣା ପାଇଁ ତାଙ୍କୁ "ବିଶ୍ୱ ଅର୍ଥନୈତିକ ସଂସ୍ଥାନ" ବା "World Economic Forum"ଦ୍ୱାରା "ୟଙ୍ଗ ଗ୍ଲୋବାଲ ଲିଡର" (Young Global Leader) ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ବୈଜ୍ଞାନିକ ।
ଗୁଗଲ ନାଓ ଏକ ବୁଦ୍ଧିମାନ୍ ନିଜସ୍ୱ ସହଜ୍ୟକାରି ଆପ୍ । ଗୁଗଲ ନାଓ ସେବା ଏବେ ଗୁଗୁଲ୍ ସର୍ଚ୍ରେ ଜଡ଼ିତ ହୋଇ ରହୁଛି । ଏବଂ ଗୁଗୁଲ୍ ସର୍ଚ୍ଟି ଆନଡ୍ରଏଡ୍ ଓ ଆଇ.ଓ.ଏସ୍ରେ ଉପଲବ୍ଧ ମଧ୍ୟ ହେଉଛି । ଏହା ପରେ ମଧ୍ୟ ନିଜସ୍ୱ କମ୍ପ୍ୟୁଟରରେ ଥିବା ଗୁଗୁଲ୍ କ୍ରୋମ୍ ନାମକ ଏକ ବେବ୍ ବ୍ରାଉଜରରେ ଗୁଗଲ ନାଓର ସୁବିଧା ମିଳୁଛି । ଗୁଗଲ ନାଓ ସ୍ୱଭାବିକ ଭାଷାର ଏକ ୟୁଜର୍ ଇନ୍ଟର୍ଫେସରୁ ସାହାଯ୍ୟ ନେଉଛି । ଏବଂ ଏହି ୟୁଜର୍ ଇନ୍ଟର୍ଫେସରୁ ସାହାଯ୍ୟ ନେଇ ସେ ପ୍ରଶ୍ନର ଉତ୍ତର ଦେଉଛି, ସପାରିଶ ବା ମତ ଦଉଛି ଓ ବେବ୍ରେ ଖୋଜି ଫଳାଫଳ ଦେଖାଉଛି । ଗୁଗଲ ନାଓ ଯେ ଖାଲି ପ୍ରଷ୍ନର ଉତ୍ତର ଦେଉଛି ଏହା ନୁହେ କିନ୍ତୁ ସେ ୟୁଜର୍ର ମନପସନ୍ଦର ଜିନିସର ତାଲିକା ରଖୁଛି ଏବଂ ତାକୁ ୟୁଜର୍କୁ ଦେଖାଉଚି । ୟୁଜର୍ ଜଣକ ତାଙ୍କର ନିଜସ୍ୱ ଇନ୍ଟରେସ୍ଟ ହିସାବରେ ତାଲିକା ଗଠନ କରିପାରିବେ ଓ ଗୁଗଲ ନାଓକୁ ସେହି ବିସୟରେ ଅଧୁନାତନ କରୁଚି । ସେ ୟୁଜରଙ୍କ ଇନ୍ଟରେସ୍ଟ ଅନୁସାରେ ମଧ୍ୟ ପୁର୍ବାନୁମାନ କରିପାରୁଛି ।