ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS-CoV-2) ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ମେଟାବୋଲିଜିମ (/məˈtæbəlɪzəm/, from ଗ୍ରୀକ: μεταβολή metabolē, "ବଦଳ") ଜୀବ ମାନଙ୍କରେ ଜୀବନ ନିର୍ବାହକାରୀ ରସାୟନିକ ପ୍ରତିକ୍ରିୟା ସମୂହ ଅଟେ। ଏହାର ତିନୋଟି ମୁଖ୍ୟ ଉଦ୍ଦେଶ୍ୟ ହେଲା: ଜୀବ-କୋଷ ମାନଙ୍କରେ ପ୍ରକ୍ରିୟା ଚାଲିବା ନିମନ୍ତେ ଖାଦ୍ୟରୁ ଶକ୍ତିରେ ରୁପାନ୍ତରଣ: ଖାଦ୍ୟରୁ ପ୍ରୋଟିନ, ଲିପିଡ, ନ୍ୟୁକ୍ଲିକ ଏସିଡ, ଓ କାର୍ବୋହାଇଡ୍ରେଟ୍ସ୍ ପାଇଁ ମୂଳଦୁଆ ତିଆରି; ଏବଂ ନାଇଟ୍ରୋଜିନସ ଅପଶିଷ୍ଟର ବିଲୋପନ। ଏହି ଏଞ୍ଜାଇମ୍ ଉତ୍ପ୍ରେରିତ ପ୍ରକ୍ରିୟା ଗୁଡି଼କ ଜୀବମାନଙ୍କୁ ବଢି଼ବା, ତାଙ୍କ ବଂଶ ବୃଦ୍ଧି, ଓ ବାତାବରଣ ପ୍ରତି ତାଙ୍କ ପ୍ରତିକ୍ରିୟାରେ ସାହାଯ୍ୟ କରନ୍ତି।
ପୃଥିବୀର ଅତି ସାଧାରଣ ତରଳ ହେଉଛି ଜଳ । ପୃଥିବୀର ପ୍ରାୟ ୭୧.୪% ଜଳପୂର୍ଣ୍ଣ ଅଟେ । ବିଶୁଦ୍ଧ ଜଳର ଗନ୍ଧ, ସ୍ୱାଦ ଓ ରଙ୍ଗ ନାହିଁ । ହ୍ରଦ, ନଦୀ ଓ ମହାସାଗର ଆଦିରେ ଜଳ ଥାଏ । ଆକାଶରେ ବାଦଲରୁ ବର୍ଷା ରୂପରେ ଜଳ ତଳକୁ ପଡେ । ଜଳ ଅତି ଥଣ୍ଡା ହେଲେ ବରଫରେ ପରିଣତ ହୁଏ । ଘନିଭୂତ ବର୍ଷା ତୁଷାରପାତରେ ପରିଣତ ହଏ । ଜଳ ଅତି ଗରମ ହେଲେ ଏହା ବାଷ୍ପରେ ପରିଣତ ହୁଏ । ଜୀବନ ପାଇଁ ଜଳ ଅତି ଜରୁରୀ । କିନ୍ତୁ ଜଣାଯାଏ ଯେ ୨୦୨୫ ସୁଦ୍ଧା ବିଶ୍ୱର ଅର୍ଦ୍ଧାଧିକ ଲୋକେ ଯଥେଷ୍ଟ ଜଳ ପାଇବେ ନାହିଁ । ହାଇଡ୍ରୋଫିଲିକ ଆଧାରରେ ଜଳ ଏକ ତରଳ ସ୍ଫଟିକ ଅବସ୍ଥାରେ ରହିଥାଏ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଜାଭା ହେଉଛି ଏକ class based object oriented ପ୍ରୋଗ୍ରାମିଂଗ ଭାଷା। ଏହି ଭାଷା ମୁଖ୍ୟତଃ Applicationକୁ "write once run anywhere"(WORA) ଉପଯୁକ୍ତ କରିବା ପାଇଁ ଉନ୍ନତ କରାଯାଇଛି।"write once run anywhere"ର ଅର୍ଥ, compile ହୋଇଥିବା ଜାଭା codeକୁ ଅନ୍ୟ ଯେ କୌଣସି platformରେ ପୁନର୍ବାର compile ନକରି ମଧ୍ୟ ସିଧାସଳଖ run କଲେ ଏହା run ହୋଇପାରିବ। ଜାଭା Applicationଗୁଡ଼ିକ compile ହେଲାପରେ ଏହା bytecodeକୁ ପରିଣତ ହୋଇଥାଏ ଏବଂ ଏହି bytecode ଯେକୌଣସି କମ୍ପ୍ୟୁଟର OSର JVM(Java Virtual Machine)ରେ run ହୋଇପାରିବ। ୯୦ ଲକ୍ଷ developerଙ୍କ ମତ ଅନୁସାରେ ଜାଭା ୨୦୧୬ ମସିହା ବେଳକୁ ଅତ୍ୟନ୍ତ ଲୋକପ୍ରିୟ ପ୍ରୋଗ୍ରାମିଂ ଭାଷାରେ ପରିଣତ ହୋଇସାରିଥିଲା ଏବଂ ମୁଖ୍ୟତଃ client-server web application ପାଇଁ ଏହାର ବହୁଳ ବ୍ୟବହାର ମଧ୍ୟ ଆରମ୍ଭ ହୋଇସାରିଥିଲା। ଜାଭାକୁ Sun Microsystemsରେ କାର୍ଯରତ ଜେମ୍ସ ଗସଲିଙ୍ଗ ଉନ୍ନତ କରିଥିଲେ ଓ ୧୯୯୫ରେ release କରିଥିଲେ (ବର୍ତ୍ତମାନ Sun Microsystems, Oracle Corporation ଅକ୍ତିଆରରେ ଅଛି)। ଜାଭା ପ୍ରୋଗ୍ରାମିଂ ଭାଷାର ଅନେକ syntaxଗୁଡ଼ିକ ସି (ପ୍ରୋଗ୍ରାମିଂ ଭାଷା) ଓ C++ ପ୍ରୋଗ୍ରାମିଂ ଭାଷାରୁ ଆସିଛି।
ଉଇକିଡାଟା ସମ୍ମିଳିତ ଭାବେ ପ୍ରସ୍ତୁତ ବଦଳଯୋଗ୍ୟ ଏକ ଜ୍ଞାନ ଭଣ୍ଡାର ଯାହା ଉଇକିମିଡ଼ିଆ ସଂସ୍ଥାଦ୍ୱାରା ପରିଚାଳିତ ହେଉଅଛି । ଏହାର ଲକ୍ଷ୍ୟ ହେଉଛି କେତେକ ତଥ୍ୟ ନେଇ ଗୋଟିଏ ସାଧାରଣ ସ୍ରୋତ ତିଆରି କରିବା ଯାହା ଉଇକିମିଡ଼ିଆର ପରିକଳ୍ପନା ଯେପରି ଉଇକିପିଡ଼ିଆରେ ବ୍ୟବହୃଉତ ହେଇପାରିବ । ଉଇକିଡାଟା ଉଇକିକମନ୍ସ ଭଳି ଏକ ଉଇକିମିଡ଼ିଆ ପ୍ରକଳ୍ପ । ଉଇକିକମନ୍ସ୍ ଯେପରି ଛବି, ଭିଡିଓ, ଓ ଅନ୍ୟାନ୍ୟ ମିଡ଼ିଆ ଫାଇଲ୍ ପାଇଁ ଷ୍ଟୋରେଜ ପ୍ରଦାନ କରେ ସେହିପରି ଉଇକିଡାଟା କେତେକ ତଥ୍ୟ ପାଇଁ ଷ୍ଟୋରେଜ୍ ପ୍ରଦାନ କରେ । ଉଇକିଡାଟା ଉଇକିବେସ୍ଦ୍ୱାରା ତାର ସାମର୍ଥ୍ୟ ପାଇଛି ।
ରୋମୀୟ ସାମ୍ରାଜ୍ୟ (Imperium Rōmānum (ଲାଟିନ୍); ଇମ୍ପେରିଅମ ରୋମାନମ, Βασιλεία τῶν Ῥωμαίων (କୋଇନେ ଗ୍ରୀକ୍); ବାସିଲେଇଆ ତୋନ୍ ରୋମାଇଓନ), ପ୍ରାଚୀନ ରୋମର ସାଧାରଣତନ୍ତ୍ର ପରବର୍ତ୍ତୀ ପର୍ଯ୍ୟାୟ ଅଟେ । ଏକ ରାଜ୍ଯ ହିସାବରେ, ଏହା ଭୂମଧ୍ଯସାଗର ଚାରିପଟେ, ଉତ୍ତର ଆଫ୍ରିକାରେ ଏବଂ ପଶ୍ଚିମ ଏସିଆରେ ସୁବିସ୍ତୃତ ଅଞ୍ଚଳ ନିଜ ଅଧିନରେ ରଖିଥିଲା । ସାମ୍ରାଜ୍ୟର ସର୍ବେସର୍ବା ଏହାର ସମ୍ରାଟମାନେ ଥିଲେ । କାଇଜର ଅଗଷ୍ଟସଙ୍କ ସିଂହାସନ ଆରୋହଣଠାରୁ ତୃତୀୟ ଶତାବ୍ଦୀର ସାମରିକ ଅରାଜକତା, ଏହା ଏକ ପ୍ରଥମତନ୍ତ୍ର ହୋଇ ରହିଥିଲା, ଯାହାର ମାତୃଦେଶ ଇଟାଲୀ ଏବଂ ଏକମାତ୍ର ରାଜଧାନୀ ରୋମରେ ଅବସ୍ଥିତ ଥିଲା । ସାମରିକ ଅରାଜକତା ପରେ, ଏକାଧିକ ସମ୍ରାଟଙ୍କଦ୍ୱାରା ସାମ୍ରାଜ୍ୟର ଶାସନ ହେଲା । ଏହି ସମ୍ରାଟମାନେ ମିଳିତ ଭାବରେ ପଶ୍ଚିମ ରୋମୀୟ ସାମ୍ରାଜ୍ଯ ଓ ପୂର୍ବ ରୋମୀୟ ସାମ୍ରାଜ୍ଯ (ବାଇଜାଣ୍ଟୀୟ ସାମ୍ରାଜ୍ଯ)ର ଶାସନ କଲେ । ଖ୍ରୀ.ଅ.
ୟୁରୋପ ଏକ ମହାଦେଶ । ଏହା ପୃଥିବୀର ୨% ସ୍ଥାନ ଅଧିକାର କରିଛି । ଏସିଆ ଓ ଆଫ୍ରିକା ପରେ ଏହା ପୃଥିବୀର ତୃତୀୟ ଜନବହୁଳ ମହାଦେଶ ।ଏହା ଆଫ୍ରୋ-ୟୁରାସିଆର ମାଳଦ୍ୱୀପ ଭୂମି ଉଭୟ ଆଫ୍ରିକା ଏବଂ ଏସିଆ ସହିତ ଅଂଶୀଦାର କରେ | ଏହା ଉତ୍ତରରେ ଆର୍କଟିକ୍ ମହାସାଗର, ପଶ୍ଚିମରେ ଆଟଲାଣ୍ଟିକ୍ ମହାସାଗର, ଦକ୍ଷିଣରେ ଭୂମଧ୍ୟସାଗର ଏବଂ ପୂର୍ବରେ ଏସିଆ ସୀମାବର୍ତ୍ତୀ ଅଟେ | ୟୁରୋପକୁ ସାଧାରଣତଃ ଉରାଲ ପର୍ବତ, ଉରାଲ ନଦୀ, କାସପିନ୍ ସାଗର, ବୃହତ୍ କାଉକସ୍, କଳା ସାଗର ଏବଂ ତୁର୍କୀ ଷ୍ଟ୍ରାଇଟର ଜଳପଥଦ୍ୱାରା ଏସିଆଠାରୁ ପୃଥକ ଭାବରେ ବିବେଚନା କରାଯାଏ |
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷଠାରୁ ତଥ୍ୟ (Data) ନିଏ, ସେସବୁକୁ ସାଇତି ରଖେ ଏବଂ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟକୁ ପ୍ରକ୍ରିୟାକରଣ କରି ଉତ୍ତର ଦିଏ ।ସଂରକ୍ଷିତ ଉତ୍ତର କମ୍ପ୍ୟୁଟର ( RAM memory)ରେ ରହିଥାଏ। ଏକ ସମୟରେ ଗାଣିତିକ ଏବଂ ତର୍କ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ଜହ୍ନ ହେଉଛି ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଏବଂ ସୌରଜଗତର ପଞ୍ଚମ ବୃହତ ଉପଗ୍ରହ । ଜହ୍ନ ହେଉଛି ଏକମାତ୍ର ଉପଗ୍ରହ ଯେଉଁଥିରେ ମଣିଷର ପାଦ ପଡ଼ିପାରିଛି । ଏବେ ନାସା ବୈଜ୍ଞାନିକମାନେ ପୃଥିବୀ ପରିକ୍ରମା କରୁଥିବା ଏକ ଗ୍ରହାଣୁ ଠାବ କରିଛନ୍ତି। ଏହା ଆକାରରେ ଛୋଟ ଓ ପୃଥିବୀର ବହୁ ଦୂରରେ ଥିବାରୁ ଏହାକୁ ଏକ କ୍ଷୁଦ୍ର ଉପଗ୍ରହ ବୋଲି କୁହା ଯାଇପାରେ। ପୃଥିବୀରୁ ଚନ୍ଦ୍ରର ହାରାହାରି ଦୂରତା ୩୮୪,୪୦୦ କିମି ବା ୧.୨୮ଆଲୋକ-ସେକେଣ୍ଡ।
ମଧୁମେହ (ଇଂରାଜୀରେ Diabetes mellitus, ସଂକ୍ଷେପରେ DM, ଡାଏବେଟିସ ନାମରେ ପରିଚିତ) ରୋଗ ମେଟାବୋଲିକ ରୋଗମାନଙ୍କ ଏକ ଦଳକୁ ନିର୍ଦ୍ଦେଶ କରାଏ ଯେଉଁଥିରେ ରକ୍ତଶର୍କରା ସ୍ତର ଉଚ୍ଚ ଥାଏ ଅନେକ ଦିନ ପର୍ଯ୍ୟନ୍ତ । ଉଚ୍ଚ ସ୍ତରର ରକ୍ତଶର୍କରା ଥିବାର ଲକ୍ଷଣମାନ: ପଲିୟୁରିଆ ବା ଘନ ଘନ ପରିସ୍ରା ହୁଏ, ପଲିଡିପ୍ସିଆ ବା ଅଧିକ ଶୋଷ ହୁଏ ଓ ପଲିଫେଜିଆ ବା ଅଧିକ ଭୋକ ହୁଏ । ଚିକିତ୍ସିତ ନ ହେଲେ ଏହି ରୋଗର ଅନେକ ଜଟିଳତା ସୃଷ୍ଟି ହୁଏ । ସେଗୁଡ଼ିକ ନାମ - ଡାଏବେଟିକ କିଟୋଏସିଡୋସିସ ଓ ନନ୍କିଟୋଟିକ ହାଇପରଅସମୋଲାର କୋମା ବା ସାଧାରଣରେ ପରିଚିତ କୋମା । ସାଂଘାତିକ ଦୀର୍ଘକାଳୀନ ଜଟିଳତା ଗୁଡ଼ିକର ନାମ - ହୃତ୍ପିଣ୍ଡରକ୍ତନଳୀ ରୋଗ, ସ୍ଟ୍ରୋକ୍, ବୃକ୍କ ଫେଲ୍, ପାଦ ଘାଆ ଓ ଡାଏବେଟିସ ଜନିତ ରେଟିନୋପାଥି
ବାତ ବ୍ୟାଧିରେ ମସ୍ତିଷ୍କରେ ଅସ୍ୱାଭାବିକ ଓ ଅତ୍ୟଧିକ ସ୍ନାୟୁ ସକ୍ରିୟ ହୁଅନ୍ତି | ଏହାର ବାହ୍ୟ ପ୍ରଭାବରେ ଶରୀରରେ ଅନିୟନ୍ତ୍ରିତ କମ୍ପନ ସହିତ ଚେତାଶୂନ୍ୟତା ଦେଖାଯାଏ ଯାହାକୁ ଇଂରାଜୀରେ ଟୋନିକ-କ୍ଲିନିକ ସିଜର ବା ବାତ କୁହାଯାଏ ବା ଶରୀରର କେବଳ ଏକ ଅଂଶ କମ୍ପନ ପ୍ରଭାବିତ ହୁଏ ତଥା ସାମୟିକ ଚେତନାହାନୀ ହୋଇପାରେ | ଅଧିକାଂଶ ସମୟ ଏହି ଘଟଣାଗୁଡ଼ିକ ୨ ମିନିଟରୁ କମ୍ ରହିଥାଏ ଏବଂ ସ୍ୱାଭାବିକ ଅବସ୍ଥାକୁ ଫେରିବା ପାଇଁ କିଛି ସମୟ ଲାଗେ | ମୂତ୍ରାଶୟ ନିୟନ୍ତ୍ରଣ ରହେନି |
ମାଲେସିଆ ଦକ୍ଷିଣ ପୂର୍ବ ଏସିଆର ଏକ ଦେଶ | ଏହା ଏକ ସଂଘୀୟ ରାଷ୍ଟ୍ର ଯେଉଁଥିରେ ୧୩ଟି ରାଜ୍ୟ ଅଛି | ଦକ୍ଷିଣ ଚୀନ ସାଗରଦ୍ୱାରା ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି | ଏହାର ମୁଖ୍ୟ ଭାଗ ମାଳୟ ଉପଦ୍ୱୀପରେ ଅଛି | ଏହାର ପଶ୍ଚିମ ଉପକୂଳରେ ମାଲାକା ଜଳପଥ ଏବଂ ପୂର୍ବ ଉପକୂଳରେ ଦକ୍ଷିଣ ଚୀନ ସାଗର ଅବସ୍ଥିତ| ଏହି ଦେଶର ଅନ୍ୟ ଅଂଶ, ବେଳେବେଳେ ପୂର୍ବ ମାଲେସିଆ ଭାବରେ ଜଣାଶୁଣା, ଦକ୍ଷିଣ ଚୀନ ସାଗରର ବୋର୍ନିଓ ଦ୍ୱୀପର ଉତ୍ତର ଭାଗରେ | ମାଳୟ ଉପଦ୍ୱୀପରେ ଥିବା କୁଆଲାଲମ୍ପୁର ଏହାର ରାଜଧାନୀ | ସଂଘୀୟ ରାଜଧାନୀ ନିକଟରେ ପୁତ୍ରଜୟାକୁ ସ୍ଥାନାନ୍ତରିତ ହୋଇଛି, ଯାହାକି ଏକ ନୂତନ ଭାବରେ ନିର୍ମିତ ସହର ଯାହାକି ପ୍ରଶାସନ ପାଇଁ ସ୍ୱତନ୍ତ୍ର ଭାବରେ ପରିକଳ୍ପିତ |
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଭୁଟାନ ଦକ୍ଷିଣ ଏସିଆ ମହାଦେଶର ଭୁ-ପରିବେଷ୍ଟିତ ଏକ ଦେଶ। ଏହା ହିମାଳୟର ପୂର୍ବ ପାର୍ଶ୍ୱରେ ଅବସ୍ଥିତ।ଏହାର ଉତ୍ତରକୁ ଚୀନର ସ୍ୱାୟତ୍ତ ଅଞ୍ଚଳ ତିବେତ,ଭାରତର ସିକ୍କିମ ରାଜ୍ୟ,ପଶ୍ଚିମକୁ ତିବେତ୍ର ଚୁମ୍ବି,ପୂର୍ବକୁ ଭାରତର ଅରୁଣାଞ୍ଚଳ ପ୍ରଦେଶ ଓ ଦକ୍ଷିଣକୁ ଭାରତର ଆସାମ ଘେରି ରହିଛି। ଭୂଟାନ ଦକ୍ଷିଣ ଏସିଆରେ ଅବସ୍ଥିତ ଓ ମାଲଦିଭେସ ପରେ ଏହା ଦ୍ୱିତୀୟ ଅଳ୍ପ ଜନାକୀର୍ଣ୍ଣ ଦେଶ।ଥିମ୍ପୁ ଏହାର ରାଜ୍ୟ ଓ ବୃହତ୍ତମ ସହର ଅଟେ ଯେଉଁଠାରେକି ଫୁଣ୍ଟସୋଲିଙ୍ଗ ଏହାର ଅର୍ଥନୈତିକ କ୍ଷେତ୍ର। ଏହା ତା'ର ଇତିହାସରେ କେବେ ମଧ୍ୟ ଉପନିବେଶ ସ୍ଥାପନ କରିପାରିନାହିଁ। ଭୁଟାନ ଶବ୍ଦ ସଂସ୍କୃତ ଶବ୍ଦ "ଭୁ-ଉଥାନ"ରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି "ଉଚ୍ଚ ଭୂମି"।
ଉଦ୍ବେଗ (English: anxiety) ହେଉଛି ଏକ ମନର ଭାବ ଯାହାକି ମନରେ ଆଭ୍ୟନ୍ତରୀଣ ଅଶାନ୍ତି ସୃଷ୍ଟି କରିଥାଏ, ବହୁ ସମୟରେ ଏଥିସହ ଘାବରେଇ ଯିବା ଭଳି ବ୍ୟବହାର ମଧ୍ୟ ଯଥା ଆଗ ପଛ ହେବା, ଦୈହିକ ଅଭିଯୋଗ ଓ ସବୁବେଳେ ଚିନ୍ତାକରିବା ସ୍ଥତିରେ ରହିବ ଆଦି ହୋଇପାରେ । ଆଗକୁ ଘଟିବାକୁ ଥିବା ଘଟଣାଗୁଡିକ ବିଷୟରେ ଚିନ୍ତା କରିବାର ଏହା ଏକ ଖରାପ ଭାବନା, ଯଥା କେଉଁ ନିଜର ବ୍ୟକ୍ତିଙ୍କର ମୃତ୍ୟୁ ଇତ୍ୟାଦି । ଉଦ୍ବେଗ ଓ ଡର ସମାନ ଭାବନା ନୁହନ୍ତି । ଡର ହେଉଛି ସଙ୍ଗେ ସଙ୍ଗେ ଘଟିଥିବା ଘଟଣାର ଏକ ପ୍ରତିକ୍ରିୟା, କିନ୍ତୁ ଉଦ୍ବେଗ ହେଉଛି ଭବିଷ୍ୟତରେ ଘଟିବାକୁ ଥିବା ଆଶଙ୍କିତ ଘଟଣା । ଉଦ୍ବେଗ ଏକ ସମ୍ପୂର୍ଣ୍ଣ ପ୍ରାକୃତିକ ଭାବନା ଅଟେ, କିନ୍ତୁ ଯଦି ଏହା ବାରମ୍ବାର ହେଉଛି ତେବେ ଏହା ଉଦ୍ବେଗ ଅବ୍ୟବସ୍ଥା ରୂପ ନେଇପାରେ ।
ଭାରତୀୟ ସଂଖ୍ୟା ପ୍ରଣାଳୀରେ ଗଣିତର ଚାରୋଟି ମୌଳିକ କ୍ରିୟା ମଧ୍ୟରୁ ଗୁଣନ ଅନ୍ୟତମ । ଅନ୍ୟ ଚିନୋଟି ହେଲେ; ମିଶାଣ, ଫେଡାଣ ଓ ହରଣ । ପ୍ରକାରାନ୍ତରେ, ଗୁଣନ ପ୍ରକ୍ରିୟାରେ ସେହି ସଂଖ୍ୟାକୁ ବାରମ୍ବାର ଯୋଗ କରାଯାଏ । ଗାଣିତିକ ସଂକେତରେ ଏହି ପ୍ରକ୍ରିୟା × ଚିହ୍ନଦ୍ୱାରା (କଂପ୍ୟୁଟର ପଦ୍ଧତିରେ ∗ ଦ୍ୱାରା) ପ୍ରକାଶିତ । ଉଦାହରଣ ସ୍ୱରୂପ, ୩+୩+୩+୩(୪ ଥର ଯୋଗ)କୁ ୩ × ୪ = ୧୨ ଆକାରରେ ପ୍ରକାଶ କରାଯାଏ । ଅତିକମରେ ଦୁଇଟି ରାଶି ମଧ୍ୟରେ ଗୁଣନ କଲାବେଳେ ପ୍ରଥମେ ଗୁଣକ ଏବଂ ପରେ ଗୁଣ୍ୟକୁ ଲେଖାଯାଏ । ଯେପରିକି, ୩ × ୪= ୧୨ ରେ, ୩ ହେଉଛି ଗୁଣକ, ୪ ହେଉଛି ଗୁଣ୍ୟ ଏବଂ ୧୨ ହେଉଛି ଗୁଣଫଳ ।
ନଦୀ ହେଉଛି ଏକ ସ୍ୱତ ପ୍ରବାହିତ ଜଳବାହକ ,ଯେଉଁଥିରେ ସାଧାରଣତଃ ମିଠାଜଳ, ସମୁଦ୍ର କିମ୍ବା ଆଉ ଏକ ନଦୀରେ ଯାଇ ମିଶିଥାଏ ।ବେଳେ ବେଳେ ନଦୀ ଭୂମି ଭିତରେ ପ୍ରବାହିତ ହୋଇ ବସି ଯାଇଥାଏ । ନଦୀର କୌଣସି ପ୍ରକୃତ ସଂଜ୍ଞା ନଥାଏ । ଭୌଗଳିକ ଅବସ୍ଥିତି ନେଇ ଛୋଟ ଛୋଟ ନଦୀର ନାମ କାରଣ କର ଯାଇଥାଏ । ଉଦାହରଣ ସ୍ୱରୂପ ରନ ଆମେରିକାରେ , ବର୍ନ ସ୍କଟଲାଣ୍ଡରେ,ବେକ ଉତ୍ତର ଇଂଲଣ୍ଡଠାରେ । ନଦୀ ଜଳଚକ୍ରର ଏକ ଅଂଶ ଅଟେ ।
ଧାତୁ ଭଳି କୌଣସି ଏକ ପଦାର୍ଥ ଉପରେ ପ୍ରଜ୍ଜ୍ୱଳିତ ତୀବ୍ର ଆଲୋକରଶ୍ମୀ ପକାଇଲେ, ସେଥିରୁ ଇଲେକ୍ଟ୍ରନ୍ ବିକିରଣ/ନିର୍ଗତ ହୁଏ । ଏହାକୁ ଆଲୋକ-ବୈଦ୍ୟୁତିକ ପ୍ରଭାବ (ଈଂରାଜୀରେ Photoelectric Effect) କୁହାଯାଏ । ଏହି ପ୍ରକ୍ରିୟାରେ ନିର୍ଗତ ଇଲେକ୍ଟ୍ରନ୍ମାନଙ୍କୁ “ଫୋଟୋ-ଇଲେକ୍ଟ୍ରନ୍” କୁହାଯାଏ । ଏହି ପ୍ରଭାବ ବିଦ୍ୟୁତ୍ ସମ୍ବନ୍ଧୀୟ ରସାୟନ ବିଜ୍ଞାନ ଓ ଭୌତିକ ବିଜ୍ଞାନରେ ଖୁବ୍ ଜଣାଶୁଣା ।
ସ୍ପେନ, (ଅଧିକାରିକ ଭାବେ ସ୍ପେନର ରାଜତନ୍ତ୍ର) ମୁଖ୍ୟତଃ ଦକ୍ଷିଣ-ପୂର୍ବ ଇଉରୋପରେ ଥିବା ଏକ ଦେଶ। ଏହା ପ୍ରାୟତଃ ଇବେରିୟ ପ୍ରାୟଦ୍ୱୀପରେ ଅବସ୍ଥିତ ଏବଂ ଏହାର ଦୁଇଟି ଆଫ୍ରିକୀୟ ପରୀକ୍ଷେତ୍ର ଅଛି (ଯଥା କେଉଟା ଏବଂ ମେଇଆ) । ଏହାର ଏକ ଦ୍ୱୀପକୁଞ୍ଜ (କନାରୀ ଦ୍ବୀପ) ଆଫ୍ରିକୀୟ ତଟଠାରୁ ୧୦୦ କିମି ଦୂରତାରେ ଅବସ୍ଥିତ ଏବଂ ଅନ୍ୟ ଏକ ଦ୍ୱୀପକୁଞ୍ଜ (ବାଲେଆରିକ ଦ୍ବୀପ) ମଧ୍ୟ ସାଗରରେ ଅବସ୍ଥିତ । ଏହା ହେଉଛି ଏକ ମାତ୍ର ଇଉରୋପୀୟ ଦେଶ ଯିଏ ଆଫ୍ରିକା ସହିତ ଏକ ଭୌତିକ ସୀମା ଭାଗ କରେ । ଅଲବୋରାନ ସାଗରରେ ଅବସ୍ଥିତ ଅନେକ ଦ୍ବୀପ ମଧ୍ୟ ଏହି ଦେଶର ଅଂଶ ଅଟନ୍ତି । ସ୍ପେନର ମୁଖ୍ୟଭୂମି ଉତ୍ତରରେ ଫ୍ରାନ୍ସ , ପଶ୍ଚିମରେ ପର୍ତ୍ତୁଗାଲ ଏବଂ ଦକ୍ଷିଣରେ ଇଂଲଣ୍ଡ ସହିତ ଭୌତିକ ସୀମା ଭାଗ କରେ । ଏହା ଦକ୍ଷିଣ ଏବଂ ପୂର୍ବରେ ଭୂମଧ୍ୟ ସାଗରଦ୍ୱାରା ଘେରି ହୋଇ ଅଛି କେବଳ ଗୋଟେ ଛୋଟ ଭୂମି ସୀମାକୁ ଛାଡି଼ଦେଲେ (ଜିବ୍ରାଲଟାର) ଯାହାକି ଏକ ଇଂରେଜ କ୍ଷେତ୍ର ।
ଜଳବାୟୁ (ଇଂରାଜୀ ଭାଷାରେ Climate) କହିଲେ ଦୀର୍ଘ ୩୦ ବର୍ଷର ସ୍ୱାଭାବିକ ପାଣିପାଗର ହାରାହାରି ପରିସଂଖ୍ୟାନକୁ ବୁଝାଏ । ବାୟୁମଣ୍ଡଳର ଚାପ, ଆର୍ଦ୍ରତା, ଉତ୍ତାପ, ଆର୍ଦ୍ରତା, ପବନ ଓ ପ୍ରେସିପିଟେସନକୁ ହିସାବକୁ ନେଇ ଏହି ଜଳବାୟୁ ବିଷୟରେ ପୁର୍ବାନୁମାନ କରାଯାଏ । ବ୍ୟାପକ ଅର୍ଥରେ ସମୁଦ୍ର ଓ ପୃଥିବୀରେ ଥିବା ବରଫକୁ ଜଳବାୟୁ ମଣ୍ଡଳର (climate system) ଅଂଶ ଭାବରେ ହିସାବକୁ ନେଲେ ଯାହା ବୁଝାଏ ତାହାକୁ ଜଳବାୟୁ କୁହାଯାଏ । କୌଣସି ସ୍ଥାନର ଜଳବାୟୁ ତାହାର ଦ୍ରାଘିମା, ଇଲାକା (terrain), ଉଚ୍ଚତା (altitude), ଜଳ ଭଣ୍ଡାର (water bodies) ଓ ତାହାର ସ୍ରୋତ ଅନୁସାରେ ପ୍ରଭାବିତ ହୁଏ ।
ଗତି ରୋଗ, (ଇଂରାଜୀ ଭାଷାରେ motion sickness) ପ୍ରକୃତ ଏବଂ ଆକାଙ୍କ୍ଷିତ ଗତି ମଧ୍ୟରେ ପାର୍ଥକ୍ୟ ହେତୁ ହୁଏ | ସାଧାରଣତଃ ଅଇ, ବାନ୍ତି, ଥଣ୍ଡା ଝାଳ, ମୁଣ୍ଡବିନ୍ଧା, ନିଦ୍ରାଳୁ, ହାଇ, ଅରୁଚି ଏବଂ ଅଧିକ ଲାଳ ବୋହିବା ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ | କ୍ୱଚିତ ଜଟିଳ ହେଲେ ନିର୍ଜଳନ, ଇଲେକ୍ଟ୍ରୋଲାଇଟ ସମସ୍ୟା କିମ୍ବା ଏକ ଗ୍ରାସନଳୀର ନିମ୍ନ ଭାଗ ଚିରିଯିବା ଦେଖାଯାଏ |
ନିତିଦିନିଆ ଜୀବନରେ ପ୍ରଚୀନ ପଦାର୍ଥ ବିଜ୍ଞାନ ଅନୁଯାୟୀ, ଯେ କୌଣସି ଏକ ବସ୍ତୁ ଯାହାର ବସ୍ତୁତ୍ୱ ଥାଏ ଏବଂ ସ୍ଥାନ ଅଧିକାର କରେ, ତାହାକୁ ପଦାର୍ଥ କୁହାଯାଏ । ଏଥିରେ ପରମାଣୁ ଓ ଏହାଦ୍ୱାରା ଗଠିତ ଯେକୌଣସି ବସ୍ତୁ ଅନ୍ତର୍ଭୁକ୍ତ ଥାଏ, ମାତ୍ର କୌଣସି ପ୍ରକାରର ଶକ୍ତି ତଥା ତରଙ୍ଗ ଯଥା: ଆଲୋକ କିମ୍ବା ଧ୍ୱନି ନୁହେ । ମାତ୍ର ସାଧାରଣତଃ (ଆଧୁନିକ) ପଦାର୍ଥ ବିଜ୍ଞାନରେ, ପଦାର୍ଥ ଏକ ମୂଳ ଧାରଣା ନୁହେ, କାରଣ ଏହାର ଏକ ସର୍ବସାଧାରଣ ଅର୍ଥ ହେଉଛି ଭ୍ରାନ୍ତିଜନକ (elusive): ପରମାଣୁର ପ୍ରାଥମିକ ତତ୍ତ୍ୱ ବ୍ୟକ୍ତିଗତ ଭାବେ ସ୍ଥାନ ନ ନେଇପାରେ, ମାତ୍ର ବସ୍ତୁତ୍ୱହୀନ ଅଣୁ ଏକାଠି ହୋଇ ଏକ ବସ୍ତୁ ଗଠନ କରିପାରନ୍ତି, ଯାହାର କି ବସ୍ତୁତ୍ୱ ଥାଏ (ଯେତେବେଳେ ଏହା ସ୍ଥିର ଥାଏ ।
ପ୍ରବହମାନ ଜଳର ଯାନ୍ତ୍ରିକ ଶକ୍ତି ବା ଗଚ୍ଛିତ ଜଳର ସ୍ଥିତିଜ ଶକ୍ତି ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ ହେଲେ ତାହାକୁ ଜଳ ବିଦ୍ୟୁତ୍ । ଏକ ଆକଳନ ଅନୁସାରେ ୨୦୧୫ରେ ବିଶ୍ୱରେ ଉତ୍ପାଦିତ ସମସ୍ତ ବିଦ୍ୟୁତ୍ ଶକ୍ତିର ପ୍ରାୟ ୧୬.୬% ଏବଂ ନବୀକରଣୀୟ ଉତ୍ସରୁ ଜାତ ବିଦ୍ୟୁତ୍ ଶକ୍ତିର ପ୍ରାୟ ୭୦% ଅଂଶ ଜଳ ବିଦ୍ୟୁତରୁ ମିଳିଥାଏ । ଏହି ପରିମାଣ ପ୍ରତି ବର୍ଷ ହାରାହାରି ୩.୧% ହିସାବରେ ଏହା ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ୨୦୧୩ର ଏକ ଗଣନା ଅନୁସାରେ ବିଶ୍ୱର ପ୍ରାୟ ୧୫୦ଟି ଦେଶରେ ଜଳ ବିଦ୍ୟୁତ୍ ଉତ୍ପାଦନ କରାଯାଏ । ସମଗ୍ର ଜଳ ବିଦ୍ୟୁତର ପ୍ରାୟ ୩୩% ଏସିଆର ପ୍ରଶାନ୍ତ ମହାସାଗର ତଟବର୍ତ୍ତୀ ଦେଶମାନଙ୍କରୁ ମିଳେ । ତନ୍ମଧ୍ୟରୁ ଜଳ-ବିଦ୍ୟୁତ୍ ଉତ୍ପାଦନରେ ଚୀନ ପ୍ରଥମ ।
ଭୂମିକମ୍ପ ଏକ ପ୍ରକୃତିକ ଦୁର୍ବିପାକ ଅଟେ । ଇଂରାଜୀରେ ଏହାକୁ earthquake, quake, tremor ବା temblor କୁହାଯାଏ । ପୃଥିବୀ ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ (seismic wave) ସୃଷ୍ଟି ହୁଏ । ଭୂଗର୍ଭସ୍ଥ ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁ ସାଧାରଣତଃ ଭୂମିକମ୍ପ ହୁଏ । ସେଠାରେ ଥିବା ଦୁଇଟି ଶିଳା ବା ପ୍ଲେଟ ପରଷ୍ପର ସହ ଘସି ହୋଇ ସାମାନ୍ୟ ଲାଖିଯାଆନ୍ତି । ସେଗୁଡ଼ିକ ପରଷ୍ପରକୁ ଠେଲୁଥାଆନ୍ତି । ବେଳେ ବେଳେ ଚାପ ଅତ୍ୟାଧିକ ହେଲେ ସେଗୁଡ଼ିକ ଭାଙ୍ଗିଯାଏ ଓ ଭୂମିକମ୍ପ ହୁଏ । ଏହି ସମୟରେ ମଧ୍ୟ ଶିଳା ସ୍ତର ଘୁଞ୍ଚୁଥାଏ । ଆଉଥରେ ଯେତେବେଳେ ଦୁଇ ସ୍ତର ଲାଖିଯାଆନ୍ତି ସେତେବେଳେ ଏହା ବନ୍ଦ ହୁଏ । ଏହି ଚାପଗ୍ରସ୍ତ ସ୍ଥାନର ଠିକ୍ ଉପରକୁ ଥିବା ଭୂପୃଷ୍ଠକୁ ଏପିସେଣ୍ଟର କୁହାଯାଏ । ଭୂମିକମ୍ପର ଆବୃତ୍ତି, ଆକାର ଓ ଟାଇପକୁ ସିସ୍ମିସିଟି, ସିସ୍ମିଜିମ୍ କିମ୍ବା ସିସ୍ମିକ କ୍ରିୟା କୁହାଯାଏ ।
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ୱାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ୱାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ ।
ପଦାର୍ଥ ବିଜ୍ଞାନ ହେଉଛି ପ୍ରାକୃତିକ ବିଜ୍ଞାନ ଯାହା ପଦାର୍ଥ, ଏହାର ମୌଲିକ ଉପାଦାନ, ସ୍ଥାନ ଏବଂ ସମୟ ମାଧ୍ୟମରେ ଏହାର ଗତି, ଆଚରଣ ଏବଂ ଶକ୍ତି ସମ୍ବନ୍ଧୀୟ ବିଷୟରେ ଅଧ୍ୟୟନ କରେ | ପଦାର୍ଥ ବିଜ୍ଞାନ ହେଉଛି ଅନ୍ୟତମ ମୌଳିକ ବୈଜ୍ଞାନିକ ଶାସ୍ତ୍ର, ଏହାର ମୂଳ ଲକ୍ଷ୍ୟ ହେଉଛି ବ୍ରହ୍ମାଣ୍ଡ କିପରି ବ୍ୟବହାର କରେ ତାହା ବୁଝିବା। ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ବିଶେଷଜ୍ଞଥିବା ଜଣେ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନୀ କୁହାଯାଏ।
ଚୀନର ବିଶାଳ ପ୍ରାଚୀର ବା ଚୀନର ସୁଦୀର୍ଘ ପ୍ରାଚୀର (ଇଂରାଜୀରେ Great Wall of China) ଅନେକଗୁଡ଼ିଏ ସ୍ଥାନରେ ନିର୍ମିତ ଦୁର୍ଗ ପ୍ରାଚୀର ସଦୃଶ ଅଂଶକୁ ସଂଯୋଜିତ କରି ଗଠିତ । ପଥର, ଇଟା, ପୋଡ଼ାମାଟି, କାଠ ଓ ଅନ୍ୟାନ୍ୟ ପଦାର୍ଥ ବ୍ୟବହାର କରି ପୂର୍ବ-ପଶ୍ଚିମ ଦିଗରେ ଏହି ବିଶାଳ କାନ୍ଥର ନିର୍ମାଣ କରାଯାଇଥିଲା । ପ୍ରାଚୀନ ଚୀନର ଉତ୍ତର ପଟୁ ହେଉଥିବା ବିଦେଶୀ ଶତ୍ରୁଙ୍କ ଆକ୍ରମଣରୁ ଦେଶର ରକ୍ଷା କରିବା ହିଁ ଏହି କାନ୍ଥ ନିର୍ମାଣ କରିବାର ମୂଳ ଉଦ୍ଦେଶ୍ୟ ଥିଲା । ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀରୁ ନିର୍ମିତ ହୋଇଥିବା ଅନେକ ଛୋଟ ଛୋଟ କାନ୍ଥକୁ ପରବର୍ତ୍ତୀ ସମୟରେ ଯୋଡ଼ି ଏକ ବିଶାଳ ଓ ମଜବୁତ୍ ପ୍ରାଚୀର ପ୍ରସ୍ତୁତ କରାଗଲା । ବିଶେଷ କରି ଖ୍ରୀଷ୍ଟପୂର୍ବ ୨୨୦-୨୦୬ ବେଳକୁ ଚୀନର ପ୍ରଥମ ସମ୍ରାଟ ଚିନ୍ ଶି ହୁଆଂଗ୍ଙ୍କ ଶାସନ କାଳରେ ନିର୍ମିତ ଅଂଶ ପ୍ରସିଦ୍ଧ କିନ୍ତୁ ବର୍ତ୍ତମାନ ଏହି ଅଂଶର କେବଳ କିଛି ଅବଶେଷ ରହିଛି । ଅନେକ ରାଜବଂଶ ଏହି ପ୍ରାଚୀରର ପ୍ରସାରଣ, ମରାମତି ଓ ଦୃଢୀକରଣରେ ଯୋଗଦାନ କରିଥିଲେ ; ତେବେ ମିଂଗ୍ ରାଜବଂଶର ଶାସନ ସମୟରେ (ଖ୍ରୀଷ୍ଟାବ୍ଦ ୧୩୬୮-୧୬୪୪) ନିର୍ମିତ କାନ୍ଥର ଅଧିକାଂଶ ଭାଗ ଭଲ ଅବସ୍ଥାରେ ରହିଛି । ସୁରକ୍ଷା ବ୍ୟତୀତ ସୀମାରେଖା ନିର୍ଦ୍ଧାରଣ, ରେଶମ ସଡ଼କରେ କର ଆଦାୟ, ବାଣିଜ୍ୟ ନିୟନ୍ତ୍ରଣ ଓ ଆପ୍ରବାସ ନିୟନ୍ତ୍ରଣ କରିବାରେ ମଧ୍ୟ ଏହି ପ୍ରାଚୀର ସହାୟକ ହୋଇଥିଲା । ସୈନ୍ୟ ଛାଉଣୀ, ପହରାରେ ସହାୟତା ପାଇଁ ମୀନାର, ଆଲୁଅ ବା ଧୁଆଁ ସହାୟତାରେ ପ୍ରାଚୀରର ଏକ ସ୍ଥାନରୁ ବହୁ ଦୂରରେ ରହିଥିବା ଅନ୍ୟ ଅଂଶକୁ ସତର୍କ ସୂଚନା ଇତ୍ୟାଦିର ସୁବ୍ୟବସ୍ଥା କରାଯିବା ଫଳରେ ପ୍ରାଚୀରର ସୁରକ୍ଷା କ୍ଷମତା ବୃଦ୍ଧି ପାଇଥିଲା । ଏତତ୍ ବ୍ୟତୀତ ବିଶାଳ ପ୍ରାଚୀରର ଛାତଟି ପ୍ରଶସ୍ତ ହୋଇଥିବାରୁ ଶସ୍ତ୍ର, ସୈନ୍ୟ, ଗୁଳିଗୋଳା, ଖାଦ୍ୟ ସାମଗ୍ରୀ ପରିବହନ ଓ ଯାତାୟତ ପାଇଁ ଖୁବ୍ ସୁବିଧା ହେଉଥିଲା । ଚୀନର ବିଶାଳ ପ୍ରାଚୀର ଆଭ୍ୟନ୍ତରୀଣ ମଂଗୋଲିଆର ଦକ୍ଷିଣ ସୀମାକୁ ସଂଲଗ୍ନ ହୋଇ ପୂର୍ବରେ ଡାନଡୋଂଗଠାରୁ ପଶ୍ଚିମରେ ଲୋପ୍ ହ୍ରଦ ପର୍ଯ୍ୟନ୍ତ ବ୍ୟାପ୍ତ । ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରୁ ମିଂଗ୍ ସମୟରେ ନିର୍ମିତ ପ୍ରାଚୀର ପ୍ରାୟ ୮୮୫୦ କି.ମି. ଦୀର୍ଘ ଥିଲା ବୋଲି ଜଣାପଡ଼ିଛି । ମିଂଗ୍ ପ୍ରାଚୀରର ୬୨୫୯ କି.ମି. ମନୁଷ୍ୟକୃତ କାନ୍ଥ, ୩୫୯ କି.ମି.
ମୂର୍ଚ୍ଛା ( SING-kə-pee ବା ଅଚେତନ ବା ଚୈତନ୍ୟ ଲୋପ) ଶବ୍ଦର ସଂଜ୍ଞା: ସ୍ୱଳ୍ପ ସମୟ ନିମନ୍ତେ ଚେତନ ଓ ମାଂସପେଶୀ ଶକ୍ତିର ତ୍ୱରିତ ହାନୀ ହୁଏ, ଅଳ୍ପ ସମୟ ନିମନ୍ତେ ରହେ ଓ ସ୍ୱୟଂ ପୁନରୁଦ୍ଧାର ହୁଏ । ନିମ୍ନ ରକ୍ତଚାପ ଯୋଗୁ ସମୁଦାୟ ମସ୍ତିଷ୍କକୁ ରକ୍ତ ସରବରାହ କମିଯିବା ହେତୁ ଏହା ହୁଏ । କେତେକ କ୍ଷେତ୍ରରେ ଚେତନ ଶୂନ୍ୟତା ପୂର୍ବରୁ ପ୍ରାକ୍ ଲକ୍ଷଣ (prodromal symptom) ଦେଖାଯାଏ । ମୁଣ୍ଡ ହାଲୁକା ଜଣାଯିବା, ଝାଳ ବୋହିବା, ଚମ ଶେତା ଦେଖାଯିବା, ଧୁଆଁଳିଆ ଦୃଷ୍ଟି, ଅଇ, ବାନ୍ତି ଓ ଦେହ ଉଷୁମ ଲାଗିବା ଇତ୍ୟାଦି ପ୍ରାକ୍ ଲକ୍ଷଣ ଦେଖାଯାଏ । ଏହା ସହ ପେଶୀ ସଙ୍କୋଚନ-ପ୍ରସାରଣ ହୋଇପାରେ । ସମ୍ପୁର୍ଣ୍ଣ ଅଚେତ ନ ହେଲେ ପ୍ରାକ୍ମୂର୍ଚ୍ଛା (presycope) କୁହାଯାଏ । ପ୍ରାକ୍ ମୂର୍ଚ୍ଛାର ଚିକିତ୍ସା ଠିକ୍ ମୂର୍ଚ୍ଛା ଚିକିତ୍ସା ଭଳି କରିବାକୁ ହୁଏ ।
ବାୟୁ ଓ ତା ମଧ୍ୟରେ ଥିବା ଗ୍ୟାସର (gases) ଅଧିକ ପରିମାଣର ପ୍ରବାହକୁ ପବନ କୁହାଯାଏ । ପୃଥିବୀର ଭୁପୃଷ୍ଠରେ ପବନ ବୋହିବା ଅର୍ଥ ବାୟୁର ଅଧିକ ପରିମାଣର ଚଳନକୁ ବୁଝାଏ । ଅନ୍ତରୀକ୍ଷରେ (outer space) ସୋଲାର ପବନ ଅର୍ଥ ଗ୍ୟାସ ବା ସୂର୍ଯ୍ୟରୁ ଆସୁଥିବା ଚାର୍ଜ ହୋଇଥିବା କଣିକା, ପ୍ଲାନେଟାରୀ ପବନ ଅର୍ଥ ଗ୍ରହର ବାୟୁମଣ୍ଡଳରୁ ହାଲୁକା ରାସାୟନିକ ଏଲିମେଣ୍ଟର ଅନ୍ତରୀକ୍ଷକୁ ପ୍ରବାହ । ପବନର ସ୍ପାସିଆଲ ସ୍କେଲ (spatial scale), ବେଗ, ତାକୁ ସୃଷ୍ଟିକରୁଥିବା ବଳ, ସୃଷ୍ଟିର ସ୍ଥାନ ଓ ପ୍ରଭାବ ଇତ୍ୟାଦିକୁ ନେଇ ପବନର ବର୍ଗୀକରଣ କରାଯାଏ । ସୌର ମଣ୍ଡଳରେ ନେପଚ୍ୟୁନ (Neptune) ଓ ଶନି (Saturn) ଗ୍ରହରେ ସର୍ବାଧିକ ଜୋରରେ ପବନ ପ୍ରବାହିତ ହୁଏ । ପବନ ବୋହୁଥିଲେ ତାହାର ଭେଲୋସିଟି ପବନ ବେଗ (velocity (wind speed)), ସେଥିରେ ଥିବା ଗ୍ୟାସମାନଙ୍କର ଘନତ୍ୱ ଓ ପବନର ଶକ୍ତି (wind energy) ପରିମାଣ ହିସାବକୁ ଆସେ । ପବନ ମାଧମରେ ମଞ୍ଜି ଓ ଛୋଟ ପକ୍ଷୀମାନେ ହଜାର ହଜାର ମାଇଲ ପର୍ଯ୍ୟନ୍ତ ସ୍ଥାନାନ୍ତର ହୋଇପାଅନ୍ତି ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦାଦ୍ୱୟ τέχνη, techne, "କଳା, କୌଶଳ, ହାତର ଚମତ୍କାରିତା"; ଏବଂ -λογία, -logia "ଅଧ୍ୟୟନ"ରୁ ଅସିଛି । ଏହା ବ୍ୟବହାରିକ ବିଜ୍ଞାନକୁ ସୁଚାଇଥାଏ । କୌଣସି ସମସ୍ୟାର ସମାଧାନ, ପୂର୍ବରୁ ପ୍ରଚଳିତ ସମାଧାନର ଉନ୍ନତି କିମ୍ବା ଜୀବନ ଧାରଣ ମାନରେ ଉନ୍ନତି ପାଇଁ କୌଣସି ଏକ ଯନ୍ତ୍ର, ଉପକରଣ, କଳା କିମ୍ବା କୌଶଳର ଗଠନ, ପରିବର୍ତ୍ତନ, ବ୍ୟବହାର ଓ ଜ୍ଞାନ ଆହରଣକୁ ଆମେ ପ୍ରଯୁକ୍ତି ବିଦ୍ୟା କହିଥାଉ ।
ଭାରତୀୟ ସଂଖ୍ୟା ପ୍ରଣାଳୀରେ ଗଣିତର ଚାରୋଟି ମୌଳିକ କ୍ରିୟା ମଧ୍ୟରୁ ହରଣ ଅନ୍ୟତମ । ଅନ୍ୟ ତିନୋଟି ହେଲେ; ମିଶାଣ, ଫେଡାଣ ଓ ଗୁଣନ । ପ୍ରକାରାନ୍ତରେ, ହରଣ ପ୍ରକ୍ରିୟାରେ ମୂଳ ସଂଖ୍ୟାରୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ବାରମ୍ବାର ଫେଡାଣ କରାଯାଏ । ଗାଣିତିକ ସଂକେତରେ ଏହି ପ୍ରକ୍ରିୟା ÷ ଚିହ୍ନଦ୍ୱାରା (କଂପ୍ୟୁଟର ପଦ୍ଧତିରେ / ଦ୍ୱାରା) ପ୍ରକାଶିତ । ଉଦାହରଣ ସ୍ୱରୂପ, ୧୨ ÷ ୩ = ୪ (ଏଠାରେ ୧୨ରୁ ୩କୁ ବାରମ୍ବାର ଫେଡିଦିଆଗଲା । ଦୁଇଟି ରାଶି ମଧ୍ୟରେ ହରଣ କଲାବେଳେ ପ୍ରଥମେ ଭାଜ୍ୟ ଏବଂ ପରେ ଭାଜକକୁ ଲେଖାଯାଏ । ଯେପରିକି, ୧୨ ÷ ୩= ୪ ରେ, ୧୨ ହେଉଛି ଭାଜ୍ୟ, ୩ ହେଉଛି ଭାଜକ ଏବଂ ୪ ହେଉଛି ଭାଗଫଳ ।
ବିପ୍ଳବୀ ଧରଣୀଧର ଭୂୟାଁ (୧୮୬୪-୧୯୧୪) ଓଡ଼ିଶାର ଜଣେ ସୁନାମଧନ୍ୟ ବିପ୍ଳବୀ ଥିଲେ । ୧୮୯୧ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଯେଉଁ ପ୍ରଜାମେଳି ହୋଇଥିଲା, ତାହାର ନେତୃତ୍ୱ ନେଇଥିଲେ ବିପ୍ଳବୀ ଧରଣୀଧର । ଏହି ବିଦ୍ରୋହ କେନ୍ଦୁଝର ରାଜ୍ୟର ନିର୍ଦ୍ଦିଷ୍ଟ ସୀମା ଓ ସମ୍ପୃକ୍ତ ଅଞ୍ଚଳର ଆଦିବାସୀ ସଂପ୍ରଦାୟ ମଧ୍ୟରେ ସୀମିତ ଥିଲେ ମଧ୍ୟ ସମଗ୍ର ଓଡ଼ିଶା ଏପରିକି ସାରା ଭାରତବର୍ଷରେ ଚହଳ ପକାଇଥିଲା । ତାଙ୍କର ସ୍ମୃତିରେ କେନ୍ଦୁଝରର ଧରଣୀଧର ମହାବିଦ୍ୟାଳୟର ନାମକରଣ ହୋଇଛି ।
ସୂର୍ଯ୍ୟ କିମ୍ବା କୌଣସି ଅନ୍ୟ ତାରାମାନଙ୍କ ଚାରିପଟେ ପରିକ୍ରମା କରୁଥିବା ଖଗୋଳ ପିଣ୍ଡକୁ ଗ୍ରହ କୁହାଯାଏ । ଅନ୍ତରାଷ୍ଟ୍ରୀୟ ଖଗୋଲୀୟ ସଂଘ ଅନୁସାରେ ଆମ ସୌର ମଣ୍ଡଳରେ ଆଠୋଟି ଗ୍ରହ ରହିଛି : ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ, ନେପଚୁନ । ଏହାର ଅତିରିକ୍ତ ତିନୋଟି ବାମନ ଗ୍ରହ ରହିଛି : ସୀରୀସ, ପ୍ଲୁଟୋ, ଏରୀସ । ପ୍ରାଚୀନ ଖଗୋଲୀୟ ଶାସ୍ତ୍ରୀମାନେ ତାରା ଏବଂ ଗ୍ରହ ମାନଙ୍କ ମଧ୍ୟରେ ଅନ୍ତର ଏହି ପ୍ରକାର କରିଥିଲେ : ରାତିରେ ଆକାଶରେ ଚମକୁଥିବା ଅଧିକତର ପିଣ୍ଡ ସର୍ବଦା ପୂର୍ବ ପାର୍ଶ୍ୱରୁ ଉଦୟ ହୋଇ ପଶ୍ଚିମ ପଟେ ଅସ୍ତ ହୋଇଥାନ୍ତି । ଏହି ପିଣ୍ଡମାନଙ୍କ ନିଜ ନିଜ ମଧ୍ୟରେ କୌଣସି ପରିବର୍ତ୍ତନ ହୁଏନାହିଁ । ଏହି ପିଣ୍ଡମାନଙ୍କୁ ତାରା କୁହାଯାଏ । କିନ୍ତୁ ଏପରି କିଛି ପିଣ୍ଡ ଅଛନ୍ତି ଯାହା ଅନ୍ୟ ପିଣ୍ଡ ମାନଙ୍କ ସାପେକ୍ଷରେ କେବେକେବେ ଆଗକୁ ଯାଆନ୍ତି ଏବଂ କେବେ କେବେ ପଛକୁ ଯାଆନ୍ତି - ଏହାର ଅର୍ଥ ଏମାନେ କେବଳ ଘୁରିଥାନ୍ତି । Planet ଏକ ଲାଟିନ୍ ଶଦ୍ଦ ଅଟେ, ଯାହାର ଅର୍ଥ ଏପଟ ସେପଟ ହୋଇ ବୁଲିବା । ଏଥିପାଇଁ ଏହି ପିଣ୍ଡର ନାମ Planet (ଗ୍ରହ) ଅଟେ । ଶନି ଗ୍ରହର ପରବର୍ତ୍ତୀ ଗ୍ରହକୁ ବିନା ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖାଯାଇ ପାରିବ ନାହିଁ । ଏଥିପାଇଁ ପ୍ରାଚୀନ ବୈଜ୍ଞାନିକ ମାନଙ୍କୁ କେବଳ ୫ଟି ଗ୍ରହ ବାବଦରେ ଜ୍ଞାତ ଥିଲା ଏବଂ ପୃଥିବୀକୁ ସେ ସମୟରେ ଗ୍ରହ ବୋଲି ମାନି ନ'ଥାନ୍ତି ।
ଯୋଗ ଯାହାକି ପ୍ରାୟତଃ ଯୁକ୍ତ ଚିହ୍ନଦ୍ୱାରା ଲେଖାଯାଏ, ଗଣିତର ଚାରୋଟି ମୌଳିକ କ୍ରିୟା ମଧ୍ୟରୁ ଗୋଟିଏ; ଅନ୍ୟଗୁଡ଼ିକ ହେଲା ବିୟୋଗ, ଗୁଣନ ଏବଂ ହରଣ । ଦୁଇଟି ସଂଖ୍ୟାକୁ ମିଶାଇଲେ ତାହାର ମିଶାଣ ଫଳକୁ ହିଁ ଯୋଗ କୁହାଯାଏ । ଯେପରିକି ଡାହାଣପଟ ଛବିରେ ଦୁଇଟି ଏବଂ ତିନୋଟି ସେଉ ଅଛି, ସବୁ ସେଓକୁ ମିଶାଇଲେ ସମୁଦାୟ ପାଞ୍ଚଟି ସେଉ ହେବ । ଯେପରିକି ଗାଣିତିକ ଭାଷାରେ ୩ + ୨ = ୫
ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକ ପ୍ରଶାସନିକ ରାଜ୍ୟ । ଏହାର ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଏବଂ ପୂର୍ବରେ ବଙ୍ଗୋପ ସାଗର ରହିଛି । ରାଜ୍ୟର ପଶ୍ଚିମ ଓ ଉତ୍ତରାଂଶ ଛୋଟନାଗପୁର ମାଳଭୂମିର ଅଂଶବିଶେଷ । ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମହାନଦୀ, ବ୍ରାହ୍ମଣୀଓ ବୈତରଣୀ ନଦୀ ପ୍ରଭୃତିର ମୁହାଣରେ ଉର୍ବର ପଟୁମୃତ୍ତିକା ଯୁକ୍ତ ସମତଳ ଭୂମି ଦେଖାଯାଏ । ଏହି ସମତଳ ଭୂମିରେ ମୂଖ୍ୟତଃ ଧାନଚାଷ କରାଯାଏ ।
ପୃଥିବୀର ବାୟୁମଣ୍ଡଳ, ସାଧାରଣତଃ ବାୟୁ ନାମରେ ପରିଚିତ, ଏକ ଗ୍ୟାସ୍ମାନଙ୍କ ସମାହାର ଯାହା ପୃଥିବୀ ଗ୍ରହକୁ ଘେରି ରହିଛି ଓ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବଳରେ ଆକର୍ଷିତ ହୋଇ ରହିଛି । ଏହି ବାୟୁମଣ୍ଡଳ ପୃଥିବୀର ଜୀବମାନଙ୍କୁ ଅତିବାଇଗିଣୀ ରଶ୍ମୀ ସୌର ରାଡିଏସନକୁ (ultraviolet solar radiation) ଅବଶୋଷଣ କରି ସୁରକ୍ଷା ଦିଏ, ଏହାର ବାହ୍ୟ ଭାଗକୁ ଉଷୁମ ରଖେ ଓ ଦିବାରାତ୍ରୀର ଚରମ ଉତ୍ତାପକୁ (ଦୈନନ୍ଦିନ ଉତ୍ତାପ ପରିବର୍ତ୍ତନ) କମେଇ ଦିଏ ।
ଜ୍ୟୋତିଷଶାସ୍ତ୍ର ଏକ ଛଦ୍ମ ବିଜ୍ଞାନ ଅଟେ, ଯାହା ଖଗୋଳିୟ ପିଣ୍ଡର ଚଳଣୀ ଏବଂ ସାପେକ୍ଷ ସ୍ଥିତିର ଅଧ୍ୟୟନ କରି ମନୁଷ୍ୟ ସମ୍ବନ୍ଧୀୟ ବିଷୟ ଏବଂ ସାଂସାରିକ ଘଟଣା ସମ୍ବନ୍ଧରେ ଦିବ୍ୟ କଥାବସ୍ତୁର ଦାବି କରିଥାଏ । ଏହି ଶାସ୍ତ୍ରଦ୍ୱାରା ମନୁଷ୍ୟ ତଥା ପୃଥିବୀର ଗ୍ରହ ଏବଂ ତାରାମାନଙ୍କର ଶୁଭ ତଥା ଅଶୁଭ ପ୍ରଭାବର ଅଧ୍ୟୟନ କରାଯାଇ ପାରେ । ଜ୍ୟୋତିଷ ଶବ୍ଦର ଅର୍ଥ ଗ୍ରହ ତଥା ନକ୍ଷତ୍ରଦ୍ୱାରା ସମ୍ବନ୍ଧିତ ରଖୁଥିବା ବିଦ୍ୟା । ଯଦିଓ ଏହି ଶବ୍ଦରୁ ଗଣିତ (ସିଦ୍ଧାନ୍ତ) ଜ୍ୟୋତିଷର ମଧ୍ୟ ବୋଧ ହୋଇଥାଏ, ତଥାପି ସାଧାରଣ ଲୋକ ଜ୍ୟୋତିଷ ବିଦ୍ୟାଦ୍ୱାରା ଫଳିତ ବିଦ୍ୟାର ଅର୍ଥ ବୋଲି ଭାବି ନିଅନ୍ତି।
ସାର ମହମ୍ମଦ ଇକବାଲ (ଏକବାଲ) (ଉର୍ଦ୍ଦୁ: محمد اقبال) (ନଭେମ୍ବର 9, 1877 - 21 ଏପ୍ରିଲ, 1938) ଅବିଭାଜିତ ଭାରତର ଜଣେ ପ୍ରସିଦ୍ଧ କବି, ନେତା ଓ ଦାର୍ଶନିକ ଥିଲେ। ପାକିସ୍ତାନ ଆନ୍ଦୋଳନକୁ ପ୍ରେରଣା ଦେବାର ସମସ୍ତ ଶ୍ରେୟ ତାଙ୍କୁ ଯାଇଥାଏ। ଉର୍ଦ୍ଦୁ ଓ ପାରସୀ ଭାଷାରେ ସେ ଅନେକ କବିତା (ଶାୟରୀ) ରଚନା କରିଛନ୍ତି, ଯାହାକୁ ଆଧୁନିକ ଯୁଗର ସର୍ବଶ୍ରେଷ୍ଠ ଶାୟରୀର ମାନ୍ୟତା ମିଳିଛି। ଉର୍ଦ୍ଦୁ ସାହିତ୍ୟରେ ତାଙ୍କୁ ସବୁଠାରୁ ପ୍ରଭାବ ଶାଳୀ ବ୍ୟକ୍ତି ବୋଲି ପରିଗଣିତ କରାଯାଏ।
ମୂଳଭୂତ ଗଣିତରେ ସଂଖ୍ୟା ରେଖା ହେଉଛି ଏକ ମାନକ ଚିହ୍ନିତ ଜ୍ୟାମିତିକ ସରଳ ରେଖାଚିତ୍ର ଯେଉଁଥିରେ ବାସ୍ତବ ସଂଖ୍ୟା ଜଗତର ସମସ୍ତ ସଂଖ୍ୟାକୁ ଚିହ୍ନିତ କରାଯାଇପାରିବ । ଏହି ଜ୍ୟାମିତିକ ସଂଖ୍ୟା ରେଖା ଉପରିସ୍ଥ ପ୍ରତ୍ୟେକ ବିନ୍ଦୁ ଗୋଟିଏ ଗୋଟିଏ ବାସ୍ତବ ସଂଖ୍ୟାକୁ ଚିହ୍ନଟ ବା ପ୍ରକାଶ କରିଥାଏ । ଚିତ୍ରରେ କେବଳ ଧନାତ୍ମକ ୯ ଏବଂ ଋଣାତ୍ମକ ୯ ମଧ୍ୟବର୍ତ୍ତୀ ସଂଖ୍ୟା ସବୁ ଦର୍ଶାଯାଇଥିଲେ ବି ସଂଖ୍ୟାରେଖାରେ ସମସ୍ତ ବାସ୍ତବ ସଂଖ୍ୟା ଯଥା; ପୂର୍ଣ୍ଣସଂଖ୍ୟା (ଧନାତ୍ମକ ଏବଂ ଋଣାତ୍ମକ ), ଗଣନ ସଂଖ୍ୟା, ପରିମେୟ ସଂଖ୍ୟା, ଅପରିମେୟ ସଂଖ୍ୟା ଇତ୍ୟାଦି ସମସ୍ତ ବାସ୍ତବ ସଂଖ୍ୟା ଚିହ୍ନଟ କରାଯାଇପାରିବ । ଅର୍ଥାତ ସଂଖ୍ୟାରେଖା ଉପରିସ୍ଥ ପ୍ରତ୍ୟେକ ବିନ୍ଦୁ କୌଣସି ନା କୌଣସି ବାସ୍ତବ ସଂଖ୍ୟାକୁ ପ୍ରକାଶ କରେ ।
ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା)ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
ଆରମ୍ଭରୁ ମଣିଷର ପେଟକୁ ମୁଠାଏ ଦାନା ମିଳି ଗଲେ ବେଶ୍ ଆରାମରେ ଦିନଟା ସରୁଥିଲା । ଧୀରେ ଧୀରେ ଆଧୁନିକତା ନାମରେ ମଣିଷର ଅଭାବ ବଢ଼ି ବଢ଼ି ଚ଼ାଲିଲା । ନିଜର ଅସରନ୍ତି ଅଭାବକୁ ପୂରଣ କରିବାକୁ ଯାଇ ଯେଉଁ ସବୁ ପ୍ରୟାସ ଆରମ୍ଭ ହେଲା, ତା' ଭିତରୁ ଶିଳ୍ପବିପ୍ଳବ ଅନ୍ୟତମ । କିନ୍ତୁ, ମଣିଷର ଜାଣତରେ ହେଉ ବା ଅଜାଣତରେ ଏହି ବିପ୍ଳବ ଆମର ସନ୍ତୁଳିତ ପରିବେଶକୁ ନଷ୍ଟ କରିବାକୁ ଆରମ୍ଭକଲା । କେତେକ ଅଞ୍ଚଳରେ ଗଛଲତା ଆପେ ମରିବାକୁ ଲାଗିଲେ, ମାଟିର ଉର୍ବରତା କମିଗଲା, ମାଛଗୁଡ଼ିକ ଆପେ ଆପେ ମରିବାକୁ ଲାଗିଲେ ଓ ଏମିତି କେତେ କଅଣ । ଗବେଷଣାରୁ ଜଣା ପଡ଼ିଲା ଯେ ଏହି ପ୍ରକାରର କ୍ଷୟକ୍ଷତି ପାଇଁ ଏକ ବିଶେଷ ଜାତିର ବୃଷ୍ଟି ହିଁ ଦାୟୀ । ବର୍ତ୍ତମାନ ସେହି ବୃଷ୍ଟିକୁ 'ଅମ୍ଳବୃଷ୍ଟି' (ଏସିଡ୍ ରେନ୍) ବୋଲି କୁହାଯାଉଛି । ୧୮୭୨ ମସିହାରେ ରବର୍ଟ ଆଙ୍ଗୁସ୍ ସ୍ମିଥ୍ ନାମକ ଜଣେ ଇଂରେଜ ଜଳବାୟୁ ବିଶେଷଜ୍ଞଙ୍କଦ୍ୱାରା 'ଏସିଡ୍ ରେନ୍' ଶବ୍ଦର ଆରମ୍ଭ ହୋଇଥିଲା । ମାଞ୍ଚେଷ୍ଟର୍ (ଇଂଲଣ୍ଡ) ଅଞ୍ଚଳରେ ହେଇଥିବା କ୍ଷୟକାରୀ ବୃଷ୍ଟିର ବର୍ଣ୍ଣନା କରିବା ପରିପ୍ରେକ୍ଷୀରେ ଏହି ଶବ୍ଦର ବ୍ୟବହାର କରାଯାଇଥିଲା ।