ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ଜ୍ୟୋତି ରଞ୍ଜନ ନାୟକ (ଜନ୍ମ: ୨୪ ଅକ୍ଟୋବର ୧୯୯୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୨୦୧୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଶ୍ରୀକାନ୍ତ ଗୌତମଙ୍କଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ମିଠା ମିଠା ଯୋଡ଼ିରେ ଭାଗ ନେଇ ବିଜେତା ହେବା ପରେ ଜ୍ୟୋତି ଓଡ଼ିଆ କଥାଚିତ୍ର ମିଠା ମିଠାରେ ନାୟକ ଭାବରେ ଅଭିନୟ କରିଥିଲେ, ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭରେ ବିଳମ୍ବ ହୋଇଥିଲା । ଓଡ଼ିଆ କଥାଚିତ୍ର ଜଗତରେ ଜ୍ୟୋତିଙ୍କର ପ୍ରଥମ ମୁକ୍ତିଲାଭ ଚଳଚ୍ଚିତ୍ର ହେଉଛି ଦେଲେ ଧରା କଥା ସରେ । ଏହାପରେ ସେ ନିଝୁମ ରାତିର ସାଥୀ, ଦିଲ୍ କା ରାଜା, ତୁ ମୋ ହିରୋ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ଦ୍ୱାରା (SARS-CoV-2) ସୃଷ୍ଟି ହୋଇଥିବା ସଂକ୍ରାମକ ରୋଗ କରୋନାଭୂତାଣୁର ବିଶ୍ୱବ୍ୟାପୀ ମହାମାରୀ ୨୦୧୯ (କୋଭିଡ-୧୯/COVID-19) ପ୍ରଥମେ ୨୦୨୦ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାରେ ବ୍ୟାପିଥିବା କଥା ନିଶ୍ଚିତ ହୋଇଥିଲା । ପ୍ରଥମ ସଂକ୍ରମିତ ରୋଗୀ ଇଟାଲୀରୁ ନୂଆ ଦିଲ୍ଲୀ ଦେଇ ଫେରିଥିବା ଜଣେ ଓଡ଼ିଆ । ରୋଗ ଚିହ୍ନଟ ହେବା ପରେ ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇ ଅପ୍ରେଲ ୩ ତାରିଖ ଦିନ ସୁସ୍ଥ ହୋଇ ବାହାରିଥିଲେ । ଅପ୍ରେଲ ୪ ତାରିଖ ସୁଦ୍ଧା ଓଡ଼ିଶାର ମୋଟ ରୋଗୀ ସଂଖ୍ୟା ୨୦ ହୋଇଥିଲା । ଆଗରୁ ସମଗ୍ର ଭାରତରେ ୨୦୨୦ ଅପ୍ରେଲ ୨୪ରୁ ଅପ୍ରେଲ ୧୪ ଯାଏ ଲାଗୁ ହୋଇଥିବା ତାଲାବନ୍ଦ (ଲକଡାଉନ) ଭିତରେ କୋଭିଡ-୧୯ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଓଡ଼ିଶା ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅପ୍ରେଲ ୪ ତାରିଖ ଦିନ ନିଷ୍ପତ୍ତି ନେଇଥିଲେ ।
କୋଲୋଜିୟମ୍ (ଇଂରାଜୀରେ Colosseum ଏବଂ ଇଟାଲୀୟ ଭାଷାରେ କୋଲୋଜିଓ -Colosseo) ଇଟାଲୀର ରୋମ୍ ନଗରର କେନ୍ଦ୍ରରେସ୍ଥିତ ଏକ ବୃହତ୍ ଅଣ୍ଡାକୃତି ଆମ୍ପିଥିଏଟର ବା ରଙ୍ଗଭୂମି । ଏହା ଫ୍ଲାଭିଆନ୍ ଆମ୍ପିଥିଏଟର ନାମରେ ମଧ୍ୟ ବେଶ୍ ଜଣାଶୁଣା । ଟ୍ରାଭେର୍ଟାଇନ୍ ଚୂନପଥର, ଆଗ୍ନେୟ ଉଦ୍ଗୀରଣରୁ ସୃଷ୍ଟ ଟଫ୍ ପଥର, କାଠ ଓ କଂକ୍ରିଟ୍ ନିର୍ମିତ ଇଟାରେ ଏହି ରଙ୍ଗମଞ୍ଚ ଅଦ୍ୟାବଧି ବିଶ୍ୱରେ ନିର୍ମିତ ସର୍ବବୃହତ୍ ରଙ୍ଗମଞ୍ଚ । ରୋମାନ୍ ଫୋରମ୍ର ଠିକ୍ ପୂର୍ବ ପଟକୁ ଅଳ୍ପଦୂରରେ ଏହି ପ୍ରାଚୀନ ରଙ୍ଗମଞ୍ଚ ଅବସ୍ଥିତ । ଭେସ୍ପାସିଆନ୍ ରୋମ୍ର ସମ୍ରାଟ ଥିବାବେଳେ ଖ୍ରୀ. ୭୨ରେ ଏହାର ନିର୍ମାଣ କାର୍ଯ୍ୟ ପ୍ରାରମ୍ଭ ହୋଇଥିଲା ଓ ଭେସ୍ପାସିଆନ୍ଙ୍କ ଉତ୍ତରାଧିକାରୀ ଟାଇଟସ୍ଙ୍କ ଶାସନ କାଳରେ ଖ୍ରୀ. ୮୦ରେ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । ଖ୍ରୀ.
ଭାଷା ହେଉଛି ଯୋଗାଯୋଗର ଜଟିଳ ପ୍ରଣାଳୀକୁ ଶିଖିବା ଓ ବ୍ୟବହାର କରିବା ପାଇଁ ଥିବା ମନୁଷ୍ୟର ସାମର୍ଥ୍ୟ ଏବଂ ଗୋଟିଏ ଭାଷା ହେଉଛି ଏହି ଜଟିଳ ଯୋଗାଯୋଗ ପ୍ରଣାଳୀର ଏକ ଉଦାହରଣ । ପୃଥିବୀରେ ସର୍ବମୋଟ କେତେ ଭାଷା ଅଛି ଏକଥା ସଠିକ ଭାବେ କହିବା ସମ୍ଭବ ନୁହେଁ ଏବଂ ଏହି ସଂଖ୍ୟା ଭାଷା (language) ଓ ଲୋକଭାଷା (dialects) ମଧ୍ୟରେ ସୂକ୍ଷ୍ମ ପ୍ରଭେଦ ଉପରେ ନିର୍ଭର କରେ । ତଥାପି ଆକଳନ କରାଯାଇଛି ଯେ ଏହି ସଂଖ୍ୟା ୬୦୦୦ରୁ ୭୦୦୦ ହେବ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ମିଳିତ ଜାତିସଂଘ ଗୋଟିଏ ଅନ୍ତଃ -ସରକାରୀ ଅନୁଷ୍ଠାନ ଯାହା ଅନ୍ତର୍ଜାତିକ ସହଯୋଗକୁ ବିକଶିତ କରିଥାଏ । ପୂର୍ବରୁ ନିଷ୍କ୍ରିୟ ଥିବା ଥିବା କେତେକ ରାଷ୍ଟ୍ରର ଗୋଷ୍ଠୀକୁ ପରିବର୍ତିତ ରୂପ ଦେଇ ୨୪ ଅକ୍ଟୋବର ୧୯୪୫ରେ ମିଳିତ ଜାତିସଂଘର ସଂସ୍ଥାପନା ହେଇଥିଲା । ଦ୍ୱିତୀୟ ମହାସମର ପରେ ଯେମିତି ସେପରି ନ ହୁଏ ସେତେବେଳେ ୫୧ଟି ସଦସ୍ୟ ରାଷ୍ଟ୍ରକୁ ନେଇ ଗଠନ ହେଇଥିବା ମିଳିତ ଜାତିସଂଘରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୧୯୩ । ମିଳିତ ଜାତିସଂଘର ମୁଖ୍ୟ କାର୍ଜ୍ୟାଳୟ ନିଉୟର୍କ ସହରର ମାନହାଟ୍ଟନଠାରେ ଅବସ୍ଥିତ । ଏହା ବ୍ୟତୀତ ଜେନେଭା , ନାଇରୋବି ,ଏବଂ ଭିଏନାରେ ମଧ୍ୟ ମୁଖ୍ୟ କାର୍ଜ୍ୟାଳୟ ସବୁ ରହିଛି ।ଏହି ସଂଗଠନ ସଦସ୍ୟ ରାଷ୍ଟ୍ର ସମୂହଙ୍କ ସ୍ୱେଚ୍ଛାକୃତ ଏବଂ ଆତ୍ମ ନିର୍ଧାରିତ ଅନୁଦାନଦ୍ୱାରା ପରିଚାଳିତ ହୁଏ । ଏହାର ମୂଳ ଲକ୍ଷ୍ୟ ହେଲା ଅନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା , ମାନବିକ ଅଧିକାରର ଅଗ୍ରାଧିକାର , ସାମାଜିକ ଓ ଅର୍ଥନୈତିକ ସନ୍ତୁଳନ ରଖିବା , ପରିବେଶର ସୁରକ୍ଷା କରିବା ଓ ମରୁଡି ବା ପ୍ରକୃତିକ ଦୁର୍ବିପାକ ସମୟରେ ମାନବିକ ସାହାଯ୍ୟ ଯୋଗେଇଦେବା , ଓ ସାମରିକ ଦ୍ୱନ୍ଦର ସମାଧାନ କରିବା ।
କୋଷଶାସ୍ତ୍ରରେ କୋଷାଙ୍ଗ ବା କୋଷ ଅଙ୍ଗିକା, ଜୀବକୋଷରେ ଥିବା କାର୍ଯ୍ୟରତ କ୍ଷୁଦ୍ର ଗଠନାଦିକୁ ବୁଝାଏ । ଜୀବଶରୀରର ଅଙ୍ଗ ପରି କୋଷ ମଧ୍ଯରେ ରହୁଥିବାରୁ ଏପରି ନାମକରଣ କରାଯାଇଛି । କୋଷାଙ୍ଗଗୁଡ଼ିକ ନିଜସ୍ୱ ମେଦଦ୍ୱିସ୍ତରଦ୍ୱାରା ଘୋଡାଇ ହୋଇ ରହିଥାନ୍ତି (ଝିଲ୍ଲୀ ବିଶିଷ୍ଟ କୋଷାଙ୍ଗ)କିମ୍ବା କୌଣସି ଆବରଣ ବା ଝିଲ୍ଲୀ ବିନା ଉନ୍ମୁକ୍ତ ରହିଥାନ୍ତି (ଝିଲ୍ଲୀ ବିହୀନ କୋଷାଙ୍ଗ) । ଅଧିକାଂଶ କୋଷାଙ୍ଗ କୋଷ ମଧ୍ଯରେ ରହିଥାନ୍ତି, କିନ୍ତୁ କୂଟପାଦ ପରି କେତେକ କୋଷାଙ୍ଗ କୋଷ ବାହାରକୁ ବିସ୍ତାରିଥାନ୍ତି ।
ହୃତ୍ପିଣ୍ଡ ହେଉଛି ସମସ୍ତ ମେରୁଦଣ୍ଡୀ ପ୍ରାଣୀଙ୍କ ଶରୀରରେ ଥିବା ଏକ ମାଂସଳ ଅଙ୍ଗ ଯାହା ମାନବ ଓ ଅନ୍ୟ ପଶୁମାନଙ୍କ ଦେହରେ ଥାଏ ଓ ରକ୍ତ ସଞ୍ଚାଳନ ପ୍ରଣାଳୀରେ ଥିବା ରକ୍ତନଳୀ ଭିତରକୁ ରକ୍ତ ପମ୍ପ କରେ । ରକ୍ତ ଶରୀରକୁ ଅମ୍ଳଜାନ ଓ ପୋଷକ (nutrients) ଯୋଗାଏ ତଥା ବିପାକ ଜନିତ ବର୍ଜ୍ୟବସ୍ତୁ ନିଷ୍କାସନରେ ସାହାଯ୍ୟ କରେ । ଛାତିର ମେଡ଼ିଆସ୍ଟାଇନମ୍ର ମଧ୍ୟ କୋଠରୀରେ ଏହା ଅବସ୍ଥିତ । ଅତି ଶକ୍ତ ମାଂସପେଶୀରେ ଗଠିତ ଏହି ଅଙ୍ଗର ଆକାର ହାତମୁଠା ପରି । ଏହା ନିୟମିତ ସଙ୍କୁଚିତ ଓ ପ୍ରସାରିତ ହୋଇ ଶରୀରରେ ରକ୍ତ ସଞ୍ଚାଳନ କରେ ।
ଅଣଧର୍ମବାଦ କିମ୍ବା ଅଧର୍ମବାଦ ଧର୍ମର ଅନୁପସ୍ଥିତି, ପ୍ରତ୍ୟାଖ୍ୟାନ କିମ୍ବା ଏହା ପ୍ରତି ଉଦାସୀନତାକୁ ବୁଝାଏ । ପିଉ ରିସର୍ଚ୍ଚ ସେଣ୍ଟରର ୨୦୧୨ ମସିହାର ୨୩୦ଟି ଦେଶ ଏବଂ ଅଞ୍ଚଳ ଉପରେ ବିଶ୍ୱସ୍ତରୀୟ ଅଧ୍ୟୟନ ଅନୁସାରେ ବିଶ୍ୱର ୧୬% ଜନସଂଖ୍ୟା କୌଣସି ଧର୍ମ ସହିତ ଜଡ଼ିତ ନୁହଁନ୍ତି । ଧାର୍ମିକ ଭାବରେ ଚିହ୍ନଟ ହୋଇନଥିବା ଲୋକଙ୍କ ଜନସଂଖ୍ୟାକୁ ବେଳେବେଳେ "କିଛି ନୁହେଁ" (none) ବୋଲି କୁହାଯାଇଥାଏ ନିକଟ ବର୍ଷଗୁଡ଼ିକରେ ଯଥେଷ୍ଟ ବୃଦ୍ଧିପାଇଛି । ତେବେ ଏହାର ଭବିଷ୍ୟତ ଅଭିବୃଦ୍ଧି ଅନିଶ୍ଚିତ ।
ଆଖି ହେଉଛି ମଣିଷ ଓ ଅନ୍ୟ ପଶୁପକ୍ଷୀମାନଙ୍କ ଶରୀରରେ ଥିବା ଏକ ଅଙ୍ଗ । ଏହା ଦେଖିବାରେ ସାହାଯ୍ୟ କରିଥାଏ । ଆଖିର ଆଗ ପରଦା ବା କରନିଆ ଏକେବାରେ କାଚପରି ସଫା । ତା ପଛକୁ ଗୋଟାଏ କୋଠରୀ । ସେଥିରେ ପାଣି ଭଳି ଦ୍ରବ୍ୟ ଭରି ରହିଥାଏ । ତା ପଛକୁ ଗୋଟାଏ ମାଂସପେଶୀର ଗୋଲାକାର ପରଦା - ଆଇରିସ । ସେ ପରଦାର ଠିକ୍ ମଝିରେ ଫାଙ୍କଟାଏ ଥାଏ । ତାକୁ ପିଉପିଲ କୁହାଯାଏ । ଏହି ପିଉପିଲଟି ଠିକ୍ କେମେରାର ସର୍ଟର ଭଳି କାମ କରେ । ବେଶୀ ଆଲୁଅରେ ଛୋଟ ହୋଇଯାଏ ଓ କମ୍ ଆଲୁଅ ହେଲେ ମେଲା ହୋଇଯାଏ ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଆମ୍ଫୋଟେରିସିନ ବି (ଇଂରାଜୀ ଭାଷାରେ Amphotericin B) ଏକ କବକରୋଧୀ ଔଷଧ (antifungal medication) ଯାହା ସାଂଘାତିକ କବକ ସଂକ୍ରମଣ (fungal infection) ଓ ଲିସମାନିଆସିସ (leishmaniasis) ରୋଗମାନଙ୍କର ଚିକିତ୍ସା ନିମନ୍ତେ ଦିଆଯାଏ । ଆସପରଜିଲୋସିସ (aspergillosis), ବ୍ଲାସ୍ଟୋମାଇକୋସିସ (blastomycosis), କାଣ୍ଡିଡା ସଂକ୍ରମଣ (candida), କକସିଡିଓଇଡୋମାଇକୋସିସ (coccidioidomycosis) ଓ କ୍ରିପ୍ଟୋକକୋସିସ (cryptococcosis) ଇତ୍ୟାଦି କବକ ସଂକ୍ରମଣରେ ଏହି ଔଷଧ ଦିଆଯାଏ । କେତେକ ସଂକ୍ରମଣରେ ଏହା ସହିତ ଫ୍ଲୁସାଇଟୋସିନ (flucytosine) ଦିଆଯାଏ ।ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।
ଶ୍ରୀମଦ୍ଭଗବତ୍ଗୀତା (ବା ଗୀତା) (ସଂସ୍କୃତ: श्रीमद्भगवद्गीता) ହେଉଛି ମହାଭାରତର ଅଂଶ। ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା। ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଳୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି। ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେ ସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜ ଭାଷାରେ ଶ୍ଳୋକବଦ୍ଧ କରିଛନ୍ତି। ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକ ସଂଖ୍ୟା ୬୭ ଏବଂ ଧୃତରାଷ୍ଟ୍ରଙ୍କଦ୍ୱାରା ଗୋଟିଏ ଶ୍ଳୋକ କଥିତ। ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି।
ୱାଶିଂଟନ୍, ଡି.ସି., ୱାଶିଂଟନ୍ କିମ୍ବା ଡି.ସି ଭାବରେ ମଧ୍ୟ ଜଣାଶୁଣା, ଆମେରିକାର ରାଜଧାନୀ ଏବଂ ଫେଡେରାଲ୍ ଜିଲ୍ଲା ଅଟେ । ଏହା ପୋଟୋମାକ୍ ନଦୀର ପୂର୍ବ କୂଳରେ ଅବସ୍ଥିତ। ଏହି ସହର ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାଶିଂଟନଙ୍କ ନାମାନୁସାରେ ନାମିତ ହୋଇଛି । ଏହା ଆମେରିକାର ସର୍ବାଧିକ ପର୍ଯ୍ୟଟକ ଆସୁଥିବା ସହର ମଧ୍ୟରୁ ଅନ୍ୟତମ, ୨୦୧୬ ମସିହାରେ ବାର୍ଷିକ ୨ କୋଟିରୁ ଅଧିକ ପରିଦର୍ଶକ ଆସିଥିଲେ |
ବୈକଳ୍ପିକ ଚିକିତ୍ସା (ଇଂରାଜୀ ଭାଷାରେ Alternative medicine) ନାମ ପାଶ୍ଚାତ୍ୟ ଜଗତରେ ସେହି ସବୁ ଚିକିତ୍ସା ପଦ୍ଧତି ଗୁଡ଼ିକୁ କୁହାଯାଏ ଯାହା ପରମ୍ପରାଗତ ଚିକିତ୍ସା ପଦ୍ଧତି ଭିତରେ ରଖିବା ସମ୍ଭବ ନୁହେଁ, ବା “ଏମିତି ପଦ୍ଧତି ଯାହାକୁ ଏକ ସମାନ ରୂପରେ କେବେ ପ୍ରଭାବୀ ମାନନ୍ତି ନାହିଁ ।” ଏହାକୁ ପ୍ରାୟତଃ ସାକ୍ଷ୍ୟ ଆଧାରିତ ଚିକିତ୍ସା ପଦ୍ଧତି ରୂପରେ ଦେଖାଯାଏ ଏବଂ ଏଥିରେ ବୈଜ୍ଞାନିକ ଆଧାର ସ୍ଥାନରେ ଐତିହାସିକ ବା ସାଂସ୍କୃତିକ ଉପଚାର ପଦ୍ଧତିଗୁଡ଼ିକ ସାମିଲ ହୋଇଥାଏ । ଆମେରିକାର ନେସନାଲ ସେଣ୍ଟର ଫର କମ୍ପ୍ଲିମେଣ୍ଟାରୀ ଆଣ୍ଡ ଅଲ୍ଟରନେଟିଭ ମେଡିସିନରେ (National Center for Complementary and Alternative Medicine) (ଏନସୀସୀଏଏମ) (NCCAM) ଏମିତି ଉଦାହରଣର ଉଲ୍ଲେଖ ରହିଛି, ଯେଉଁଥିରେ ଅନ୍ୟ ପଦ୍ଧତି ଗୁଡ଼ିକର ଅତିରିକ୍ତ ପ୍ରାକୃତିକ ଚିକିତ୍ସା, ପାଦ-ଚିକିତ୍ସା (chiropractic), ଜଡ଼ି ବୁଟି ଚିକିତ୍ସା, ପାରମ୍ପରିକ ଚୀନା ଚିକିତ୍ସା ପଦ୍ଧତି, ଆୟୁର୍ବେଦ, ଧ୍ୟାନ, ଯୋଗ, ଜୈବ ପ୍ରତିପୁଷ୍ଟି, ସମ୍ମୋହନ, ହୋମିଓପାଥି, ଏକ୍ୟୁପଂକ୍ଚର ଏବଂ ପୋଷଣ-ଆଧାରିତ ଉପଚାର-ପଦ୍ଧତି ଗୁଡ଼ିକ ସାମିଲ ଅଟନ୍ତି । ଏହାକୁ ପ୍ରାୟତଃ ପୂରକ ଚିକିତ୍ସା ପଦ୍ଧତିହିସାବରେ ମାନ୍ୟତା ମିଳିଛି, ଯାହାର ସାମାନ୍ୟ ଅର୍ଥ ହେଉଛି, ମୁଖ୍ୟ ଧାରାରେ ଥିବା ଟେକନିକ ବା କୌଶଳର ସଂଯୋଗରେ ପ୍ରୟୋଗ କରା ଯାଉଥିବା ସମାନ ହସ୍ତକ୍ଷେପ, ଯେଉଁ ଗୁଡ଼ିକୁ ପୂରକ ତଥା ବୈକଳ୍ପିକ ଚିକିତ୍ସା ପଦ୍ଧତି ବା କେମ (CAM) ହିସାବରେ ପରିଗଣିତ କରାଯାଏ। ବୈକଳ୍ପିକ ଚିକିତ୍ସା ପଦ୍ଧତିର କିଛି ଅନୁସଂଧାନକର୍ତା ଏହି ସମୂହୀକରଣର ବିରୋଧ କରିଥାନ୍ତି ଏବଂ ଏଇ ବିଧିଗୁଡ଼ିକର ଭିତରେ ଫରକ ରଖିବା ପସଂଦ କରିଥାନ୍ତି, ତଥାପି ସେମାନେ କେମ (CAM) ଶବ୍ଦର ପ୍ରୟୋଗ କରିଥାନ୍ତି, ଯାହା ମାନକ ହୋଇ ସାରିଛି।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଏକ ଇଣ୍ଡୋ-ଆର୍ଯ୍ୟ ଭାରତୀୟ ଭାଷା । ଏହା ଭାରତର ଓଡ଼ିଶାରେ ସର୍ବାଧିକ ବ୍ୟବହୃତ ଓ ମୁଖ୍ୟ ସ୍ଥାନୀୟ ଭାଷା ଏବଂ ୯୧.୮୫% ଲୋକଙ୍କଦ୍ୱାରା କଥିତ । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଭଗବାନ ବିଷ୍ଣୁଙ୍କର ଦଶାବତାର କଥା ଶୁଣିଲେ ଓ ଓଡ଼ିଶୀ ନାଚର ଦଶ ଅବତାର ଭଙ୍ଗୀ ଦେଖିଲେ ବୁଝାପଡ଼େ ମଣିଷ କିପରି ଏ ପୃଥିବୀକୁ ଆସିଲା । ବିବର୍ତ୍ତନବାଦୀମାନେ କହନ୍ତି, ପୃଥିବୀଟା ବହୁ ପୁରାକାଳରେ ଖାଲି ବାଷ୍ପମୟ ଥିଲା । କ୍ରମେ କ୍ରମେ ସେ ବାଷ୍ପରାଶି ଶୀତଳ ହୋଇଯାଇ ନାନାପ୍ରକାର ପଦାର୍ଥ ଓ ରାସାୟନିକ ଦ୍ରବ୍ୟରେ ପରିଣତ ହେଲା । ପାଣି ମଧ୍ୟ ତିଆରି ହେଲା । ସେ ପାଣିରେ ପ୍ରଥମେ ଛୋଟ ଛୋଟ ଜୀବ ଉତ୍ପନ୍ନ ହେଲେ । ସେ ଛୋଟ ଛୋଟ ଜୀବ ନାନା ଘାତ ପ୍ରତିଘାତ ମଧ୍ୟରେ ଯାଇ ଆସ୍ତେ ଆସ୍ତେ ଉନ୍ନତ ଧରଣର ହେଲେ । ପରେ ମାଛମାନଙ୍କର ଆବିର୍ଭାବ ହେଲା । ସେ ମାଛମାନେ କ୍ରମେ କ୍ରମେ ଜଳରୁ ସ୍ଥଳଭାଗକୁ ଆସିଲେ । ତା ପରେ ନାନା ପ୍ରକାର ସରୀସୃପ ବା ସାପ ଜାତୀୟ ଓ ବେଙ୍ଗ ଜାତୀୟ ଜୀବ ସୃଷ୍ଟି ହେଲେ । ସେଥିରୁ କ୍ରମେ କ୍ରମେ ନାନା ପ୍ରକାର ଡାଇନୋସର ଓ ଅନ୍ୟାନ୍ୟ ପ୍ରକାରର ଜୀବ ସୃଷ୍ଟି ହୋଇ ଶେଷରେ ମାଙ୍କଡମାନଙ୍କର ଆବିର୍ଭାବ ହେଲା । ଏସବୁ ହେବାକୁ କୋଟି କୋଟି ବର୍ଷ ଲାଗିଥିଲା ବୋଲି ବୈଜ୍ଞାନିକମାନେ କହନ୍ତି । ତା ପରେ ଆସିଲା ମଣିଷ ।
ଉଚ୍ଚ ରକ୍ତଚାପ (ଇଂରାଜୀ ଭାଷାରେ ହାଇପର୍ଟେନ୍ସନ୍ ବା HTN ବା HT) ବା ଧମନୀ ଉଚ୍ଚ ରକ୍ତଚାପ ଏକ ସ୍ଥାୟୀ ଭେଷଜ ରୋଗ ଯେଉଁଥିରେ ରକ୍ତଚାପ ନିରନ୍ତର ବୃଦ୍ଧି ପାଇଥାଏ । ଏହି ରୋଗରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ଦୀର୍ଘକାଳୀନ ଉଚ୍ଚ ରକ୍ତଚାପ ରହିଲେ କେତେକ ରୋଗ ସଙ୍କଟ ସୃଷ୍ଟି ହୁଏ ଯଥା:- କରୋନାରୀ ଧମନୀ ରୋଗ, ସ୍ଟ୍ରୋକ୍, ହୃଦ୍ଘାତ, ପ୍ରାନ୍ତୀୟ ରକ୍ତନଳୀ ରୋଗ, ଦୃଷ୍ଟିହାନୀ ଓ କ୍ରନିକ ବୃକ୍କ ରୋଗ । ଏହି ରୋଗଟି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ ଯଥା:- ପ୍ରାଥମିକ ବା ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ (primary or essential hypertension) ଓ ଗୌଣ ଉଚ୍ଚ ରକ୍ତଚାପ (secondary hypertension) । ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ ୯୦ରୁ ୯୫ % ଲୋକଙ୍କର ଅନିର୍ଦ୍ଦିଷ୍ଟ ଜୀବନଚର୍ଯ୍ୟା ଓ ଜେନେଟିକ କାରଣ ଯୋଗୁ ହୁଏ । ଜୀବନଚର୍ଯ୍ୟା କାରଣ ଯଥା:- ଅତ୍ୟଧିକ ଲୁଣ ଖାଇବା, ଅତ୍ୟଧିକ ଓଜନ ବୃଦ୍ଧି, ଧୂମ୍ରପାନ ଓ ଆଲକୋହୋଲ ସେବନ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । ବଳକା ୫ରୁ ୧୦% ରୋଗକୁ ସେକଣ୍ଡାରୀ ବା ଗୌଣ ଉଚ୍ଚ ରକ୍ତଚାପ ନାମିତ କରାଯାଏ ଯାହାର ନିର୍ଦ୍ଦିଷ୍ଟ କାରଣ ଥାଏ ଯେପରିକି କ୍ରନିକ ବୃକ୍କ ରୋଗ, ବୃକ୍କ ଧମନୀ ସ୍ଟେନୋସିସ୍, ଅନ୍ତସ୍ରାବୀ ଗ୍ରନ୍ଥୀ ରୋଗ ଓ ଜନ୍ମ ନିରୋଧ ବଟିକା ସେବନ । ଏହି ବୃଦ୍ଧି ଯୋଗୁ ହୃତ୍ପିଣ୍ଡକୁ ଅଧିକ କାର୍ଯ୍ୟ କରିବାକୁ ପଡ଼ିଥାଏ । ଦୁଇ ପ୍ରକାରର ମାପଦ୍ୱାରା ଉଚ୍ଚ ରକ୍ତଚାପ ଲେଖାଯାଏ, ଗୋଟିଏ ସିସ୍ଟୋଲିକ (ହୃତ୍ପିଣ୍ଡ ସଙ୍କୋଚନ ବେଳର ସର୍ବୋଚ୍ଚ) ଓ ଅନ୍ୟଟି ଡାୟାସ୍ଟୋଲିକ (ହୃତ୍ପିଣ୍ଡ ଶୀଥିଳ ବେଳର ସର୍ବନିମ୍ନ) । ବିଶ୍ରାମ ସମୟରେ ଗୋଟିଏ ସୁସ୍ଥ ଲୋକର ସିସ୍ଟୋଲିକ ଚାପ ୧୦୦ରୁ ୧୪୦ ମି.ମି.
ଲିଥିୟମ (ଏହା ଗ୍ରୀକ ଶବ୍ଦ ଲିଥୋସ୍ / Lithosରୁ ଅସିଛିମାନେ 'ପଥର') ହେଉଛି ଏକ ନରମ, ରୂପା ଭଳି ଧଳା ଦେଖାଯାଉଥିବା ଧାତୁ ଯାହାର ପ୍ରତୀକ Li ଓ ପରମାଣୁ କ୍ରମାଙ୍କ ୩ । ଏହା ଏତେ ନରମ ଯେ ଏହାକୁ ଛୁରିଦ୍ୱାରା ମଧ୍ୟ କଟା ଯାଇପାରିବ । ଏହା ଅନ୍ୟ ଧାତୁ ଗୁଡ଼ିକ ମଧ୍ୟରେ ସବୁଠାରୁ ହାଲୁକା କିନ୍ତୁ ଏହା ସାନ୍ଧ୍ରତା (density) ଜଳର ଅର୍ଦ୍ଧେକ । ( ବିଗ୍ ବ୍ୟାଙ୍ଗ୍ର ପ୍ରଥମ କ୍ଷଣରେ ତିଆରି ତିନୋଟି ଧାତୁ ଭିତରୁ ଲିଥିୟମ ଅନ୍ୟତମ । ଅନ୍ୟଦୁଇଟି ହେଲେ ଉଦଜାନ ଓ ହିଲିଅମ - ଜୋତିର୍ବିଦଙ୍କ ଅନୁସାରେ ଏହି ଦୁଇଟି ମୌଳିକର ପରିମାଣ ଲିଥିୟମଠାରୁ ଅନେକ ଗୁଣରେ ଅଧିକ । )
ପ୍ରଦୂଷଣ ହେଉଛି ପ୍ରାକୃତିକ ପରିବେଶରେ ପ୍ରଦୂଷକ ପଦାର୍ଥର ପରିଚୟ, ଯାହା ସ୍ୱାଭାବିକ ପ୍ରକୃତିରେ ପ୍ରତିକୂଳ ପରିବର୍ତ୍ତନ ଆଣିଥାଏ । ପ୍ରଦୂଷଣ ରାସାୟନିକ ପଦାର୍ଥ ବା ଶକ୍ତିର ରୂପ ନେଇପାରେ, ଯେପରିକି ଶବ୍ଦ, ଉତ୍ତାପ କିମ୍ବା ଆଲୋକ । ପ୍ରଦୂଷଣ, ପ୍ରଦୂଷଣର ଉପାଦାନ, ବିଦେଶୀ ପଦାର୍ଥ/ଶକ୍ତି କିମ୍ବା ପ୍ରାକୃତିକ ଭାବରେ ଘଟୁଥିବା ପ୍ରଦୂଷକ ହୋଇପାରେ । ପ୍ରଦୂଷଣ ପ୍ରାୟତଃ ଏକ ନିର୍ଦ୍ଧିଷ୍ଟ ଉତ୍ସ କିମ୍ବା ବହୁ ଉତ୍ସଜନିତ ପ୍ରଦୂଷଣ ଭାବରେ ଶ୍ରେଣୀଭୁକ୍ତ ହୋଇଥାଏ । ୨୦୧୫ରେ, ପ୍ରଦୂଷଣରେ ବିଶ୍ୱରେ ୯ ନିୟୁତ ଲୋକ ପ୍ରାଣ ହରାଇଥିଲେ।
ଆଣ୍ଡିଜ ବା ଆଣ୍ଡିଜ୍ ପର୍ବତମାଳା (ଇଂରାଜୀରେ Andes ବା Andean Mountains, ସ୍ପେନୀୟ ଭାଷାରେ Cordillera de los Andes) ଦକ୍ଷିଣ ଆମେରିକା ମହାଦେଶରେ ଅବସ୍ଥିତ ଓ ବିଶ୍ୱର ଦୀର୍ଘତମ ପର୍ବତମାଳା ଭାବେ ଖ୍ୟାତ । ବିଶ୍ୱର ସର୍ବୋଚ୍ଚ ପର୍ବତମାଳାମାନଙ୍କ ବର୍ଗରେ ଆଣ୍ଡିଜ ହିମାଳୟ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ପର୍ବତମାଳା ପ୍ରାୟ ୭୦୦୦ କିଲୋମିଟର ଲମ୍ବା, ଏହାର ପ୍ରସ୍ଥ ୨୦୦ରୁ ୭୦୦ କିଲୋମିଟର ଏବଂ ଏହାର ହାରାହାରି ଉଚ୍ଚତା ୪୦୦୦ ମିଟର । ଆଣ୍ଡିଜ ପର୍ବତମାଳା ଦକ୍ଷିଣ ଆମେରିକାର ୭ଟି ଦେଶରେ ବ୍ୟାପି ରହିଛି ଏବଂ ଉତ୍ତରରୁ ଦକ୍ଷିଣକୁ ଏହି ସବୁ ଦେଶ ହେଲେ ଭେନେଜୁଏଲା, କଲମ୍ବିଆ, ଇକ୍ୱେଡର, ପେରୁ, ବଲିଭିଆ, ଚିଲି ଏବଂ ଆର୍ଜେଣ୍ଟିନା ।
ପ୍ରାଣୀ ସାଧାରଣତଃ ବହୁକୋଷିକା ବିଶିଷ୍ଟ ଏକ ୟୁକେରୀୟୋଟିକ (eukaryotic) ଜୀବ ଅଟନ୍ତି । ପ୍ରାଣୀମାନଙ୍କ ଅଧ୍ୟୟନକୁ ପ୍ରାଣୀ ବିଜ୍ଞାନ କୁହାଯାଏ । ଗଛଗୁଡ଼ିକ ଶକ୍ତି ପ୍ରାପ୍ତ କରିବା ପାଇଁ ସୂର୍ଯ୍ୟାଲୋକର ବ୍ୟବହାର କରିଥାନ୍ତି, କିନ୍ତୁ ପ୍ରାଣୀମାନେ ସେଭଳି କରିନଥାନ୍ତି । ପ୍ରାଣୀମାନେ ଅନ୍ୟ ଜୀବିତ ବସ୍ତୁଠାରୁ ଶକ୍ତି ପ୍ରାପ୍ତ କରିବାପାଇଁ ବିଭିନ୍ନ ଉପାୟର ବ୍ୟବହାର କରନ୍ତି । ସେମାନେ ସାଧାରଣତଃ ଅନ୍ୟ ଜୀବନ୍ତ ବସ୍ତୁକୁ ଖାଇଥାନ୍ତି । ପ୍ରାଣୀ କିମ୍ବା ଜନ୍ତୁ "ଆନିମାଲିଆ" (Animalia) କିମ୍ବା "ମେଟାଜୋଆ" (Metazoa) ଜଗତ (ଜୀବ ବିଜ୍ଞାନ)ର ବହୁକୋଷିକୀୟ ଜନ୍ତୁସମ ପୋଷଣ ପ୍ରଦର୍ଶନ କରୁଥିବା ଏବଂ ୟୁକେରୀୟୋଟିକ ଜୀବର ଏକ ମୁଖ୍ୟ ସମୂହ । ଜନ୍ମହେବା ପରେ ଯେପରି କୌଣସି ପ୍ରାଣୀ ବଡ଼ ହୁଏ, ତାହାର ଶାରୀରିକ ଯୋଜନା ନିର୍ଦ୍ଧାରିତ ରୂପେ ବିକଶିତ ହେବାରେ ଲାଗିଥାଏ । କିଛି ପ୍ରାଣୀ ଜୀବନରେ ଆଗକୁ ଯାଇ କାର୍ଯ୍ୟାନ୍ତରଣ /ରୂପାନ୍ତରଣ (metamorphosis) ପକ୍ରିୟାରେ ଅତିକ୍ରମ କରିଥାନ୍ତି । ଅଧିକାଂଶ ଜନ୍ତୁ ଗତିଶୀଳ ହୋଇଥାନ୍ତି, ଅର୍ଥାତ ସ୍ୱତନ୍ତ୍ର ରୂପେ ଗତି କରିପାରନ୍ତି ।
କୌଣସି ସୁ-ଗଠିତ ବୈଦୁତିକ ପରିପଥର ଯଦି ଉତ୍ପାଦ-ଅଗ୍ର ଥାଏ, ତେବେ ଏହି ଅଗ୍ରକୁ ଯୋଡ଼ା ହୋଇଥିବା ପରିପଥକୁ ଭାର କୁହାଯାଏ । (ଏହି ଶବ୍ଦ 'ଭାର', ପରିପଥଦ୍ୱାରା ବ୍ୟବହୃତ ଶକ୍ତିକୁ ମଧ୍ୟ ସୁଚେଇଥାଏ ।) ଭାର, ବୈଦୁତିକ ପରିପଥର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ ଯାହାର ଉତ୍ପାଦ ଗୁଡ଼ିକ ବିଦୂତ ବିଭବ କିମ୍ବା ବିଦ୍ୟୁତ ସ୍ରୋତଗୁଡ଼ିକ ଅଟେ, ଯେପରିକି ସେନ୍ସରଗୁଡ଼ିକ, ବିଦ୍ୟୁତ ବିଭବ ଉତ୍ସଗୁଡ଼ିକ, ଏବଂ ଅମ୍ପ୍ଲିଫାୟରଗୁଡ଼ିକ. ମୁଖ୍ୟ ଶକ୍ତି ନିର୍ଗମଦ୍ୱାରଗୁଡ଼ିକ ଏକ ସହଜ ଉଦାହରଣ ଯୋଗେଇଦେଇଥାଏ: ସେମାନେ ଏକ ନିର୍ଦ୍ଧିଷ୍ଟ ବିଦ୍ୟୁତ ବିଭାବାନ୍ତରରେ ଶକ୍ତି ଯୋଗେଇଥାନ୍ତି, with electrical appliances connected to the power circuit collectively making up the load.
ଆଦିବାସୀ ଭାଷା କୌଣସି ଅଞ୍ଚଳର ସ୍ଥାନୀୟ ଏବଂ ଆଦିମ ଅଧିବାସୀମାନଙ୍କଦ୍ୱାରା କଥିତ ଏକ ଭାଷା । ଏହି ଭାଷା ଭାଷାଗତ ଦୃଷ୍ଟିରୁ ଭିନ୍ନ ଏକ ସମ୍ପ୍ରଦାୟଦ୍ୱାରା କଥିତ ସ୍ଥାନୀୟ ଅଞ୍ଚଳରେ ଜନ୍ମିତ ହୋଇଥାଏ । ଆଦିବାସୀ ଭାଷା ଜାତୀୟ ଭାଷା ହୋଇଥାଇପାରେ (ଆଇମାରା ଭାଷା ବଲିଭିଆର ଏକ ସରକାରୀ ଭାଷା) ବା ହୋଇନଥାଇପାରେ । ଜାତୀୟ ଭାଷାଗୁଡ଼ିକ ଆଦିମ ଅଧିବାସୀମାନଙ୍କ ଭାଷା ହୋଇନଥାଇପାରେ ।
ଓଡ଼ିଶାର ହିନ୍ଦୁ ଧର୍ମର ବ୍ରାହ୍ମଣ ଜାତି ଉତ୍କଳ ବ୍ରାହ୍ମଣ ନାମରେ ଜଣା । ଏମାନେ ଏବେକାର ଓଡ଼ିଶା, ପଶ୍ଚିମ ବଙ୍ଗ, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ଝାଡ଼ଖଣ୍ଡରେ ବସବାସ କରିଥାନ୍ତି । ଏହି ବ୍ରାହ୍ମଣଗୋଷ୍ଠୀଗୁଡ଼ିକର ମାତୃଭାଷା ଓଡ଼ିଆ ତଥା ସମୁଦାୟ ଓଡ଼ିଆ ଜନସଂଖ୍ୟାର ୯% ଭାଗ ଏହିମାନେ ଅଧିକାର କରିଛନ୍ତି । ଏମାନଙ୍କ ଗୁଣସୂତ୍ର ବା କ୍ରୋମୋଜୋମ ଗୁଡ଼ିକ ମଧ୍ୟଏସିଆ ଓ ଉତ୍ତର ଭାରତର ଅନେକ ଜନଜାତି ସହ ମିଳିଥାଏ । କୁହାଯାଏ କି ପୁରାତନ ଯୁଗରେ କଳିଙ୍ଗ ଏକ ବ୍ରାହ୍ମଣ ବିହୀନ ସାମ୍ରାଜ୍ୟ ଥିଲ। । ପ୍ରଥମରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ଉତ୍ତର ଭାରତର ଗଙ୍ଗା ନଦୀ କୁଳରୁ ଅନେକ ବ୍ରାହ୍ମଣ କଳିଙ୍ଗ ରାଜାଙ୍କ ନିମନ୍ତ୍ରଣରେ କଳିଙ୍ଗ ପ୍ରଦେଶକୁ ଆସି ଯାଜପୁରର ବୈତରଣୀ ନଦୀ କୁଳରେ ବସବାସ କରିବା ଆରମ୍ଭ କଲେ । କାଳକ୍ରମେ ସେମାନେ ଓଡ଼ିଶାର ବାକି ଜାଗାମାନଙ୍କରେ ବାସ କରିବା ଆରମ୍ଭକଲେ। ଚୀନର ଦାର୍ଶନିକ ହୁଏନସାଂ ମଧ୍ୟ ତାଙ୍କ ଲେଖାରେ ଉତ୍କଳ ବ୍ରାହ୍ମଣମାନଙ୍କ ହୋମଯଜ୍ଞ ଓ ବୈତରଣୀ ନଦୀ କୁଳରୁ ଉଠୁଥିବା ହୋମ ଧୂଆଁ ବିଷୟରେ ବର୍ଣ୍ଣନା କରିଛନ୍ତି । ଉତ୍କଳ ବ୍ରାହ୍ମଣମାନଙ୍କର କିଛି ଉପନାମ ଦାଶ, ମିଶ୍ର, ରଥ, କର, ଆଚାର୍ଯ୍ୟ, ତ୍ରିପାଠୀ, ଷଡ଼ଙ୍ଗୀ, ଶର୍ମା, ଦାଶଶର୍ମା, ରଥଶର୍ମା, ନନ୍ଦ, ପଣ୍ଡା, ପାଢୀ, ପାଣି, ପାଣିଗ୍ରାହୀ, ପୁଜାପଣ୍ଡା, ବଡ଼ପଣ୍ଡା, ମହାପାତ୍ର, ଶତପଥୀ, ଓତା ଓ ହୋତା ଇତ୍ୟାଦି ।
ଆଲଜିମର ରୋଗ (ଇଂରାଜୀରେ Alzheimer's disease (AD), ବା ଆଲ୍ଜ୍ହେମର୍ ରୋଗ Alzheimer disease, ବା କେବଳ ଆଲ୍ଜ୍ହେମର୍ସ୍ Alzheimer's,) ଡିମେନ୍ସିଆର ୬୦ରୁ ୭୦ % ଭାଗ ଅଧିକାର କରିଥାଏ । ଏହା ଏକ ସ୍ନାୟୁ ଅପଜନନକାରୀ (degenerative) ରୋଗ ଯାହା ଧୀରେ ଆରମ୍ଭ ହୁଏ ଓ ସମୟକ୍ରମେ ଖରାପ ଦିଗକୁ ଗତି କରେ । ଏହାର ପ୍ରାଥମିକ ଲକ୍ଷଣ ମଧ୍ୟରେ ସଦ୍ୟ ଘଟଣାବଳୀ ପାଶୋରିବା (କ୍ଷଣସ୍ଥାୟୀ ସ୍ମୃତିଶକ୍ତି) ହ୍ରାସ ହେବା ଲକ୍ଷ କରାଯାଏ । ରୋଗ ଅଗ୍ରଗତି କରିବା ସଙ୍ଗେ ସଙ୍ଗେ ଅନ୍ୟ ଲକ୍ଷଣ ଯେପରିକି କଥାବାର୍ତ୍ତା ବା ଲିଖନ ଭିତ୍ତିକ ସମ୍ପର୍କରେ ଅବନତି, ସ୍ଥାନ କାଳ ପାତ୍ର ଅବସ୍ଥିତି ସମ୍ପର୍କରେ ଅବନତି, ସହଜରେ ହଜିଯିବା, ଅସ୍ଥିର ମାନସ, ପ୍ରେରଣାଶକ୍ତି ହାନୀ, ନିଜ ଯତ୍ନ ଅକ୍ଷମତା ଓ ଦୁର୍ବ୍ୟବହାର କରିବା ଦେଖାଯାଏ । ରୋଗ ଆହୁରି ଆଗେଇଲେ ପରିବାର ଓ ସମାଜରୁ ରୋଗୀ ଦୂରେଇଯାଏ । ଶାରୀରିକ କ୍ରିୟାହାନୀ ହୋଇ ଧୀରେ ମୃତ୍ୟୁ ହୁଏ । ରୋଗର ଅଗ୍ରଗତି ସର୍ବଦା ସମାନ ନ ହେଲେ ମଧ୍ୟ ଆୟୁଷ ୩ରୁ ୯ ବର୍ଷ ରହେ ।
କଟକ, କଟକ ଜିଲ୍ଲାର ମୁଖ୍ୟାଳୟ ହେବା ସହିତ ଓଡ଼ିଶାର ଉପ-ରାଜଧାନୀ ତଥା ତତ୍ ସହିତ ରାଜ୍ୟର ସର୍ବପୁରାତନ ନଗର ମଧ୍ୟ । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ତଥା ରାଜଧାନୀ ଭାବେ ପ୍ରତିଷ୍ଠିତ । ଏହି ସହର ପାଖରେ ଭୁବନେଶ୍ୱର, ପୁରୀ ଓ କୋଣାର୍କର ଅଛି । ୧୯୬୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
କମ୍ପ୍ୟୁଟରରେ ଯେଉଁ କି-ବୋର୍ଡ଼ ବ୍ୟବହାର ହୁଏ ତାହା ଦେଖିବାକୁ ପୁରା ଟାଇପ ରାଇଟରର କି-ବୋର୍ଡ଼ ଭଳି । କି-ବୋର୍ଡ଼କୁ ଓଡ଼ିଆରେ କୁଞ୍ଚିପଟା କୁହାଯାଇଥାଏ । ଏହାକୁ ସାଧାରଣତଃ "କ୍ୱେରଟି"(QWERTY) କି-ବୋର୍ଡ଼ କୁହାଯାଏ କାରଣ ଏହାର ଅକ୍ଷର କୁଞ୍ଚି ଗୁଡ଼ିକ ଇଂରାଜୀ ଅକ୍ଷର Q,W,E,R,T,Yରୁ ଆରମ୍ଭ ହଉଛି । କି-ବୋର୍ଡ଼ ଅନେକ ଗୁଡ଼ିଏ "କି"(Key) ବା କୁଞ୍ଚିର ସମାହାର । ଏହା କମ୍ପ୍ୟୁଟରକୁ ଯାନ୍ତ୍ରୀକ ଯକୃତ(Mechanical Lever) ଭାବେ ବୈଦ୍ୟୁତିକ ସୁଇଚ (Electronic Switch)ଦ୍ୱାରା ପରିକଳିତ କରେ । ଏହା ମୋଟ ଉପରେ କମ୍ପ୍ୟୁଟର ପାଇଁ ଏକ ନିବେଶକାରୀ (Input) ଉପକରଣ ଅଟେ ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ଶିବ ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
ଅପସଂବେଦନ ବା ପାରେସ୍ଥେସିଆ, ଇଂରାଜୀରେ ପିନ୍ ଏବଂ ଛୁଞ୍ଚି (pins and needles) ମଧ୍ୟ କୁହାଯାଏ, ରୋଗରେ ଝିମିଝିମି ଲାଗେ, ଜଳିବା କିମ୍ବା କାଲୁଆ ଅନୁଭବ ହୋଇପାରେ | ଅଳ୍ପ କେତେକ ରୋଗୀଙ୍କର ଥଣ୍ଡା କିମ୍ବା କିଛି ଗୋଟିଏ ଘୁଷୁରୁ ଥିବା (କ୍ରଲ୍) ଅନୁଭବ ପାଉଥିବା ବର୍ଣ୍ଣନା କରାଯାଇପାରେ | ଚର୍ମ ସ୍ପର୍ଶ ନକରି ଏହି ଲକ୍ଷଣମାନ ଘଟେ | ଏହା ଶରୀରର ଯେ କୌଣସି ସ୍ଥାନରେ ହୋଇପାରେ, ସାଧାରଣତଃ ବାହୁ ଏବଂ ଗୋଡ଼ ପ୍ରଭାବିତ ହୋଇଥାଏ | ଏହା ଏକ ସଂକ୍ଷିପ୍ତ କିମ୍ବା ଦୀର୍ଘ ସମୟ ଧରି ହୋଇପାରେ |
ଭାରତୀୟ ଜାତୀୟ କଂଗ୍ରେସ (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ଼ ରାଜନୈତିକ ଦଳ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା । ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ସରକାର ୟୁ.ପି.ଏ.
'ରବୀନ୍ଦ୍ରନାଥ ଠାକୁର ' ( (listen); Bengali pronunciation: [robind̪ro nat̪ʰ ʈʰakur]), (୧୮୬୧-୧୯୪୧) ଏକାଧାରରେ ଜଣେ କବି, ଚିତ୍ରଶିଳ୍ପୀ, ସଂଗୀତଜ୍ଞ, ଶିକ୍ଷାବିତ, ଗାଳ୍ପିକ ଓ ଦାର୍ଶନିକ ଥିଲେ । ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟକ ବୋଲି ଧରାଯାଏ । ଭାରତୀୟ ଭାଷା ଅନୁସାରେ ତାଙ୍କ ନାମ ରବିଦ୍ରନାଥ ଠାକୁର ଥିଲା । ତାଙ୍କୁ "ବଙ୍ଗଳାର ପକ୍ଷୀ" ବୋଲି ଆଖ୍ୟା ଦିଆଯାଇଥିଲା ।ଭାରତୀୟମାନଙ୍କ ମଧ୍ୟରେ ସେ ସର୍ବ ପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ । ଟାଗୋର ବହୁତ ଗଳ୍ପ, କବିତା, ଓ ନାଟକ ରଚନା କରିଥିଲେ ଓ ତା' ସହ ବହୁତ ଗୀତ ଓ ସଙ୍ଗୀତ ଲେଖିଥିଲେ । ରବୀନ୍ଦ୍ରନାଥଙ୍କ ୫୨ଟି କାବ୍ୟଗ୍ରନ୍ଥ, ୩୮ଟି ନାଟକ, ୧୩ଟି ଉପନ୍ୟାସ, ୩୬ଟି ପ୍ରବନ୍ଧ, ୯୬ କ୍ଷୁଦ୍ର ଗଳ୍ପ ଓ ୧୯୧୫ ସଙ୍ଗୀତ ପ୍ରକାଶିତ ହୋଇସାରିଛି । ରବୀନ୍ଦ୍ରନାଥଙ୍କ ରଚନା ବିଭିନ୍ନ ଭାଷାରେ ଅନୁବାଦିତ ହୋଇସାରିଛି । ଗୀତାଞ୍ଜଳିର ଲେଖକ ଓ ତାଙ୍କର ଗଭୀର ସମ୍ବେଦନଶୀଳ, ତାଜା, ସୁମଧୁର କବିତା; ୧୯୧୩ ମସିହାରେ ଗୀତାଞ୍ଜଳି କବିତାଗ୍ରନ୍ଥର ଇଂରାଜୀ ଅନୁବାଦ ପାଇଁ ସେ ନୋବେଲ ପୁରସ୍କାର ଲାଭ କରିଥିଲେ । ତାଙ୍କଦ୍ୱାରା ରଚିତ ସଂଗୀତ ୨ଟି ଦେଶ, ନିଜ ନିଜ ଦେଶର ଜାତୀୟ ସଂଗୀତ ଭାବେ ବାଛି ନେଇଛନ୍ତି: ଭାରତ "ଜନ ଗଣ ମନ" ଓ ବାଂଲାଦେଶ "ଆମର୍ ସୋନାର ବଙ୍ଗଲା" । ଶ୍ରୀଲଙ୍କାର ଜାତୀୟ ସଂଗୀତ ମଧ୍ୟ ଟାଗୋରଙ୍କଠାରୁ ପ୍ରେରଣା ଲାଭ କରିଥିଲା ।
ଘୂର୍ଣ୍ଣିବାତ୍ୟା, ପ୍ରତିଶବ୍ଦ ଘୂର୍ଣ୍ଣିବାତ, ଘୂର୍ଣ୍ଣିବାୟୁ, ଝଟିକାବର୍ତ୍ତ, ବାତାବର୍ତ୍ତ, ଚକ୍ରବାତ୍ୟା ବା ଖଣ୍ଡିଆଭୂତ (ଇଂରାଜୀ ଭାଷାର ମେଟିଓରୋଲୋଜି (meteorology) ଅନୁସାରେ cyclone) ଏକ ବିରାଟ ଧରଣର ବାୟୁ ପିଣ୍ଡ (air mass) ଯାହା ଶକ୍ତିଶାଳୀ କେନ୍ଦ୍ରୀୟ ବାୟୁମଣ୍ଡଳୀୟ ନିମ୍ନ (atmospheric pressure) ଚାପ ଚତୁର୍ଦ୍ଦିଗରେ ଘୂରିବୁଲେ । ଘୂର୍ଣ୍ଣିବାତ୍ୟାରେ ଏକ ନିମ୍ନଚାପ (low pressure) ବିଶିଷ୍ଟ କ୍ଷେତ୍ର ଚାରିପାଖରେ ଅନ୍ତଃଗାମୀ କୁଣ୍ଡଳାକାର ପବନ (wind) ଘୂରିବୁଲେ । ସବୁଠାରୁ ବଡ଼ ନିମ୍ନ-ଚାପ ସିସ୍ଟମକୁ ପୋଲାର ଭର୍ଟେକ୍ସ (polar vortices) ଓ ସବୁଠାରୁ ବଡ଼ ସିନୋପ୍ଟିକ ସ୍କେଲକୁ synoptic scale) ଏକ୍ସଟ୍ରାଟ୍ରପିକାଲ ଘୂର୍ଣ୍ଣିବାତ୍ୟା (extratropical cyclone) କୁହାଯାଏ । ମେସୋସାଇକ୍ଲୋନ (Mesocyclone), ଟର୍ନାଡୋ (tornado) ଓ ଡସ୍ଟ ଡେଭିଲ (dust devil) ଗୁଡ଼ିକ ମେସୋସ୍କେଲ ଅନ୍ତର୍ଭୁକ୍ତ ରହେ । ମଙ୍ଗଳ, ବୃହସ୍ପତି ଓ ନେପଚୁନ ଭଳି ଗ୍ରହମାନଙ୍କରେ ମଧ୍ୟ ଘୂର୍ଣ୍ଣିବାତ୍ୟା ହୁଏ । ଏହି ଘୁର୍ଣ୍ଣିବାତ୍ୟା ପ୍ରସ୍ତୁତି ଓ ଉତ୍କଟ ହେବାର ପ୍ରଣାଳୀକୁ ସାଇକ୍ଲୋଜେନେସିସ (Cyclogenesis) କୁହାଯାଏ । ବିଭିନ୍ନ ଜୋନ ସଙ୍କୁଚିତ ହୋଇ ଏକ ସମ୍ମୁଖଭାଗ (weather front) ପ୍ରସ୍ତୁତ ହୁଏ । ଏହାପରେ ଏକ୍ସଟ୍ରାଟ୍ରପିକାଲ ସାଇକ୍ଲୋନର ଥଣ୍ଡା ପବନ ପିଣ୍ଡ ଉଷୁମ ବାତ୍ୟା ଜୀବନଚକ୍ର ବନ୍ଦ ହୋଇ ଘନତ୍ୱ ବୃଦ୍ଧିପ୍ରାପ୍ତ ହୁଏ ।
ନାସ୍ତିକତା ଅଥବା ନାସ୍ତିକବାଦ ହେଉଛି ଏକ ସିଦ୍ଧାନ୍ତ ଯାହା କହେ "ଏ ଜଗତକୁ ସୃଷ୍ଟି ତଥା ନିୟନ୍ତ୍ରଣ କରୁଥିବା କୌଣସି ଶକ୍ତି ବା ତଥା କଥିତ ଈଶ୍ୱରଙ୍କ ଅସ୍ତିତ୍ୱ ସଂପର୍କରେ କୌଣସି ତର୍କ ସଂଗତ ସର୍ବମାନ୍ୟ ଆଧାର ନ ଥିବାରୁ ଈଶ୍ୱରଙ୍କ ଅସ୍ତିତ୍ୱ ବିଶ୍ୱାସ ଯୋଗ୍ୟ ନୁହେଁ" । ଈଶ୍ୱରଙ୍କ ଅସ୍ତିତ୍ୱରେ ବିଶ୍ୱାସ ନ କରୁଥିବା ବ୍ୟକ୍ତି ବିଶେଷ ହେଲେ ନାସ୍ତିକ ଏବଂ ନାସ୍ତିକ ଲୋକ ଈଶ୍ୱରଙ୍କ ଅସ୍ତିତ୍ୱ ସଂପର୍କରେ ସ୍ପଷ୍ଟ ପ୍ରମାଣ ନ ଥିବା କାରଣରୁ ଈଶ୍ୱର (ଭଗବାନ)ଙ୍କ ଅସ୍ତିତ୍ୱକୁ ମିଥ୍ୟା ବୋଲି ଗ୍ରହଣ କରିଥାନ୍ତି । ଅଧିକାଂଶ ନାସ୍ତିକ ବ୍ୟକ୍ତି କୌଣସି ଦେବୀ, ଦେବତା, ପରଲୌକିକ ଶକ୍ତି, ଧର୍ମ, ଆତ୍ମା ତଥା ପରମାତ୍ମା ଇତ୍ୟାଦି ବିଷୟ ମାନନ୍ତି ନାହିଁ । ହିନ୍ଦୁ ଦର୍ଶନ ମତରେ ଯେ କେହି ବେଦକୁ ଯଦି ମାନତି ନାହିଁ ସେମାନେ ମଧ୍ୟ ନାସ୍ତିକ ପଦବାଚ୍ୟ । ନାସ୍ତିକମାନେ ସାଧାରଣତଃ ସାଧାରଣ ଭାବେ ମାନିବା ଆପେକ୍ଷା ମାନିବା ପୂର୍ବରୁ ଈଶ୍ୱର କିମ୍ବା ବେଦ ଇତ୍ୟାଦି ବିଷୟରେ ପ୍ରମାଣ ଦେଖିବାକୁ ଚାହିଁଥାନ୍ତି । ଅନ୍ୟପକ୍ଷରେ ଆସ୍ତିକ, ଯିଏକି ଈଶ୍ୱର ବିଶ୍ୱାସୀ, କୌଣସି ପ୍ରମାଣର ଅପେକ୍ଷା ନ ରଖି ନିଜ ଜାତି, କୁଳ, ସଂପ୍ରଦାୟ ବା ମତ ଅନୁସ଼ାରେ କୌଣସି ନା କୌଣସି ଦେବା ଦେବୀଙ୍କ ମାଧ୍ୟମରେ ଈଶ୍ୱଙ୍କ ଅସ୍ତିତ୍ୱ ସଂପର୍କରେ ପ୍ରଗାଢ ଆସ୍ଥା ପ୍ରକଟ କରିଥାନ୍ତି । ସେମାନଙ୍କ ମତରେ, "ବିଶ୍ୱାସେ ମିଳନ୍ତି କୃଷ୍ଣ, ତର୍କେ ବହୁଦୂର" । ନାସ୍ତିକତା କିନ୍ତୁ ଏଭଳି ବିଶ୍ୱାସକୁ ଅନ୍ଧବିଶ୍ୱାସ ଆଖ୍ୟା ଦିଏ କାରଣ କୌଣସି ଦୁଇ ଧର୍ମ, ସଂପ୍ରଦାୟ କିମ୍ବା ମତରେ ଈଶ୍ୱରଙ୍କ ମାନ୍ୟତା ଏକ ପ୍ରକାର ନୁହେଁ । ଏହିପରି ଭାବେ ନାସ୍ତିକମାନଙ୍କ ମତରେ ନାସ୍ତିକତା କେବଳ ପ୍ରମାଣ ଏବଂ ବାସ୍ତବିକତା ଉପରେ ଆଧାରିତ; କୌଣସି ପ୍ରକାର ଋଢିବାଦୀ ବା ଅବାସ୍ତବ ଧାରଣା ଉପରେ ନୁହେଁ । ଏହାଛଡା ଈଶ୍ୱରଙ୍କ ଅସ୍ତିତ୍ୱ ସଂପର୍କରେ ବର୍ତ୍ତମାନ ସୁଦ୍ଧା ଯେତେସବୁ ପ୍ରମାଣ କିମ୍ବା ତର୍କ ରହିଛି ସେସବୁ ଈଶ୍ୱରଙ୍କ ଅସ୍ତିତ୍ୱ ଜାହିର କରିବା ନିମିତ୍ତ ପର୍ଯ୍ୟାପ୍ତ ନୁହେଁ ।
ମାନବ ମସ୍ତିଷ୍କ ସ୍ନାୟୁ ମଣ୍ଡଳର (nervous system) ଏକ କେନ୍ଦ୍ରୀୟ ଅଙ୍ଗ ଓ ମେରୁଦଣ୍ଡ (spinal cord) ସହିତ କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ ସୃଷ୍ଟି କରନ୍ତି । ମସ୍ତିଷ୍କକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ ଯଥା:- ପ୍ରମସ୍ତିଷ୍କ (cerebrum), ବ୍ରେନଷ୍ଟେମ (brainstem) ଓ ସେରିବେଲମ (cerebellum) । ମାନବ ଶରୀରର ଅଧିକାଂଶ କାର୍ଯ୍ୟ ଏହି ଅଙ୍ଗଦ୍ୱାରା ସମାହିତ ହୋଇଥାଏ; ସ୍ନାୟୁ ମାଧ୍ୟମରେ ଆସିଥିବା ବିଭିନ୍ନ ଖବରମାନଙ୍କର ପ୍ରୋସେସିଙ୍ଗ, ଇଣ୍ଟିଗ୍ରେଟିଙ୍ଗ ଓ ସ୍ପର୍ଶ ଅଙ୍ଗ ମାନଙ୍କଦ୍ୱାରା ଆସିଥିବା ବିଭିନ୍ନ ଖବରକୁ ନିୟନ୍ତ୍ରଣ କରାଯାଇଥାଏ ଓ ସେହି ଅନୁସାରେ କାର୍ଯ୍ୟ କରିବାକୁ ଶରୀରର ବିଭିନ୍ନ ସ୍ଥାନକୁ ଅନୁଦେଶ ବା ଇନସ୍ଟ୍ରକସନ ଦିଆଯାଏ । ମାନବ ମୁଣ୍ଡର (head) ଖପୁରୀ (skull bones) ଭିତରେ ଏହା ସୁରକ୍ଷିତ ହୋଇ ରହିଥାଏ ।
ଆରଏଚଓ (ଡି) ଇମ୍ମ୍ୟୁନ ଗ୍ଲୋବ୍ୟୁଲିନ
ଆରଏଚଓ(ଡି) ଇମ୍ମ୍ୟୁନ ଗ୍ଲୋବ୍ୟୁଲିନ (ଇଂରାଜୀ ଭାଷାରେ Rho(D) immune globulin) ଏକ ଔଷଧ ଯାହା ଆରଏଚ ନେଗେଟିଭ (Rh negative) ମାତାର ଆରଏଚ ଆଇସୋଇମ୍ମ୍ୟୁନାଇଜେସନର (Rh isoimmunization) ପ୍ରତିଷେଧ ଓ ଆରଏଚ ପଜିଟିଭ ଥିବା ଲୋକଙ୍କର ଇଡିଓପାଥିକ ଥ୍ରୋମ୍ବୋସାଇଟୋପେନିକ ପରପୁରା (idiopathic thrombocytopenic purpura ବା ITP)) ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ । ଏହା ଗର୍ଭାବସ୍ଥା ଓ ତା'ପରେ ଦିଆଯାଏ । ଆରଏଚ ନେଗେଟିଭ ଲୋକଙ୍କୁ ଆରଏଚ ପଜିଟିଭ ରକ୍ତ ଦେବାବେଳେ ମଧ୍ୟ ଏହା ଦିଆଯାଏ । ଏହା ମାଂସପେଶୀରେ ବା
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଗ୍ରାମ୍-ବିରୋଧୀ ବ୍ଯାକ୍ଟେରୀଆମାନେ, ବ୍ଯାକ୍ଟେରୀଆ ବର୍ଗୀକରଣ ପଦ୍ଧତି, ଗ୍ରାମ୍-ରଞ୍ଜନରେ ବ୍ଯବହୃତ କ୍ରିଷ୍ଟାଲ୍-ବାଇଗଣୀ ରଙ୍ଗରେ ରଙ୍ଗିଯାଆନ୍ତି ନାହିଁ। ତାଙ୍କର ବିଶିଷ୍ଟ ଗୁଣଟି ଏକ କୋଷାବରଣ ଅଟେ ଯାହା ଏକ ପତଳା ପେପ୍ଟିଡୋଗ୍ଲାଇକାନ୍ କୋଷଭିତ୍ତି ଏବଂ ଏହାକୁ ଦୁଇ ପାର୍ଶ୍ୱରୁ ଢାକିଥିବା ଅନ୍ତରର କୋଷଜୀବୀୟ ଝିଲ୍ଲୀ ଓ ବାହାରର ବ୍ଯାକ୍ଟେରୀୟ ବାହ୍ଯଝିଲ୍ଲୀଦ୍ୱାରା ଗଠିତ।