ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଲିପି ଜଣେ ଓଡ଼ିଆ ଆଲବମ ଏବଂ କଥାଚିତ୍ର ଅଭିନେତ୍ରୀ । ମୁଁ ବିନା ଘୁଙ୍ଗୁରରେ ନାଚିବି ଆଲବମ୍ ଜରିଆରେ ଆଲବମ୍ ଦୁନିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ସେ ପାଖାପାଖି ୩୦୦୦ଟି ଆଲବମ୍ରେ ଅଭିନୟ କରିଥିଲେ । ୨୦୦୫ରେ ପ୍ରଶାନ୍ତ ନନ୍ଦ ଙ୍କ ନିର୍ଦ୍ଦେଶିତ ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରେ ଲିପି ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ Jayaprakash Mohanty ଙ୍କ ନିର୍ଦ୍ଦେଶିତ ବ୍ୟାଡ଼୍ ଗାର୍ଲ 'ତୁ ମୋରି ପାଇଁ' ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ପରେ Daddy, Galpa Nuhe Alpa Dinara, Mimansa ଭଳି ଚଳଚ୍ଚିତ୍ର ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି। ଲିପି ଅନୁଭବ ମହାନ୍ତି ଙ୍କ ଠାରୁ ଆରମ୍ଭ କରି Akash Das Nayak ଭଳି ବରିଷ୍ଠ କଳାକାର ଙ୍କ ସହିତ ଅଭିନୟ କରିଛନ୍ତି।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଏକ ଇଣ୍ଡୋ-ଆର୍ଯ୍ୟ ଭାରତୀୟ ଭାଷା । ଏହା ଭାରତର ଓଡ଼ିଶାରେ ସର୍ବାଧିକ ବ୍ୟବହୃତ ଓ ମୁଖ୍ୟ ସ୍ଥାନୀୟ ଭାଷା ଏବଂ ୯୧.୮୫% ଲୋକଙ୍କଦ୍ୱାରା କଥିତ । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଜିନା ସାମଲ ଜଣେ ଓଡ଼ିଆ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନରେ ଧାରାବାହିକରେ ଅଭିନୟ କରନ୍ତି । ଜୀନା ଓଡ଼ିଆ କଥାଚିତ୍ର ଫେରିଆ ମୋ ସୁନା ଭଉଣୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରତି ଧାରାବାହିକ ତୁଳସୀ, ଅପା ଏବଂ ତରଙ୍ଗ ଟିଭିରେ ପ୍ରସାରିତ କେମିତି ଏ ବନ୍ଧନରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ଧାରାବାହିକ ସହ ଜିନା ଓଡ଼ିଆ ଆଧୁନିକ ଆଲବମ୍ ଏବଂ କିଛି କାର୍ଯ୍ୟକ୍ରମରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି । ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା । ଏପ୍ରିଲ ୧ ତାରିଖକୁ ଓଡ଼ିଶା ଦିବସ ଭାବେ ପାଳନ କରାଯାଏ । ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ.
ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ
ଭାରତ ଏକ ସଂଗଠିତ ଗଣରାଜ୍ୟ ଏହା ୨୮ଟି ରାଜ୍ୟ ଓ ଆଠଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହୋଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁନର୍ବାର ଜିଲ୍ଲା ଆଦିରେ ଉପବିଭାଜିତ ହୋଇଛନ୍ତି । .
ହୋ ଜନଜାତି ଭାରତର ଏକ ଅଷ୍ଟ୍ରୋଏସୀୟ ମୁଣ୍ଡା ଗୋଷ୍ଠୀ । ସେମାନେ ମୁଖ୍ୟତଃ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶାର କୋହ୍ଲଣ ଅଞ୍ଚଳରେ ମୁଖ୍ୟତଃ ବସବାସ କରନ୍ତି । ହୋ ଜନଜାତି ଉକ୍ତ ଅଞ୍ଚଳରେ ୨୦୧୧ ସୁଦ୍ଧା ମୋଟ ଅନୁସୂଚିତ ଜନଜାତି ଜନସଂଖ୍ୟାର ଯଥାକ୍ରମେ ପ୍ରାୟ ୧୦.୭% ଏବଂ ୭.୩% । ୨୦୦୧ ମସିହାରେ ଝାଡ଼ଖଣ୍ଡର ହୋ ଜନସଂଖ୍ୟା ପ୍ରାୟ ୭୦୦,୦୦୦ ଥିଲା ଏବଂ ଏହା ସାନ୍ତାଳ, କୁରୁଖ ଓ ମୁଣ୍ଡାମାନଙ୍କ ପରେ ଝାଡ଼ଖଣ୍ଡର ଚତୁର୍ଥ ସର୍ବାଧିକ ସଂଖ୍ୟକ ଅନୁସୂଚିତ ଜନଜାତି । ହୋ ଲୋକେ ପଡ଼ୋଶୀ ରାଜ୍ୟ ଓଡ଼ିଶା, ପଶ୍ଚିମ ବଙ୍ଗ ଓ ବିହାରର ଆଖପାଖ ଅଞ୍ଚଳରେ ବାସ କରନ୍ତି । ୨୦୦୧ ସୁଦ୍ଧା ସମୁଦାୟ ସଂଖ୍ୟା ୮୦୬,୯୨୧କୁ ବୃଦ୍ଧିପାଇଥିଲା । ସେମାନେ ବଙ୍ଗଳାଦେଶ ଓ ନେପାଳରେ ମଧ୍ୟ ବାସକରନ୍ତି ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଭୂମିକା ଦାଶ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ରୁମ୍କୁ ଝୁମାନା ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ଗପ ହେଲେ ବି ସତ ଚଳଚ୍ଚିତ୍ରରେ ମଧ୍ୟ ଜନେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍ର ୭ମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ନାୟିକା ଭାବରେ ଅଭିନୟ କରିଥିଲେ । ଭୂମିକା ଓଡ଼ିଶୀ ନୃତ୍ୟ ଶିକ୍ଷା କରିଛନ୍ତି ।
ମୁକ୍ତେଶ୍ୱର ଦେଉଳ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପର୍ଶୁରାମ ମନ୍ଦିରର ଅନତିଦୂରରେ ଅବସ୍ଥିତ । ଏହି ମନ୍ଦିରଟି ୯୫୦-୯୭୫ ମସିହା ମଧ୍ୟରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ଓଡ଼ିଶାରେ ହିନ୍ଦୁ ମନ୍ଦିର ଅନୁସନ୍ଧାନ ଏବଂ ଗବେଷଣାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ମନ୍ଦିରର କାରୁକାର୍ଯ୍ୟ ପ୍ରାଚୀନ ବିକାଶର ନିଦର୍ଶନ ଦେଇଥାଏ, ଏଥିରୁ ଏକ ଶତ ବର୍ଷ ଧରି ବିଭିନ୍ନ ପରୀକ୍ଷାନିରୀକ୍ଷାର ପ୍ରାରମ୍ଭ ହୋଇଥିବା ଅନୁମାନ କରାଯାଏ; ଯାହା ଭୁବନେଶ୍ୱରରେସ୍ଥିତ ରାଜାରାଣୀ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳେ । ଏହା ମଧ୍ୟ ସହରର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ଅଟେ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଗ୍ରେଟ୍ ବ୍ରିଟେନ୍ ଓ ଉତ୍ତର ଆୟାର୍ଲ୍ଯାଣ୍ଡ୍ର ଯୁକ୍ତରାଜ୍ୟ, ବା ସାଧାରଣ ଭାବେ ଯୁକ୍ତରାଜ୍ୟ ଇଉରୋପୀୟ ମୂଳ ଭୂଖଣ୍ଡର ପଶ୍ଚିମ ଉପକୂଳରେ ଅବସ୍ଥିତ ଏକ ସାର୍ବଭୌମ ରାଷ୍ଟ୍ର ବା ରାଷ୍ଟ୍ରସଂଘ । ଯୁକ୍ତରାଜ୍ୟ ମଧ୍ୟରେ ଗ୍ରେଟ ବ୍ରିଟେନ ଦ୍ୱୀପ, ଆୟରଲ୍ୟାଣ୍ଡ ଦ୍ୱୀପର ଉତ୍ତରପୂର୍ବ ଭାଗ ଏବଂ ଅନେକ ଛୋଟ ଦ୍ୱୀପ ଅନ୍ତର୍ଭୁକ୍ତ । ଉତ୍ତର ଆୟରଲ୍ୟାଣ୍ଡ୍ ଓ ଆୟରଲ୍ୟାାଣ୍ଡ୍ ସାଧାରଣତନ୍ତ୍ର ମଝିରେ ସ୍ଥଳ ସୀମା ରହିଛି । ଏହାଛଡ଼ା ଯୁକ୍ତରାଜ୍ୟକୁ ଆଟଲାଣ୍ଟିକ ମହାସାଗର ଘେରିରହିଛି । ଏହାର ପୂର୍ବରେ ଉତ୍ତର ସମୁଦ୍ର, ଦକ୍ଷିଣରେ ଇଂରାଜୀ ପ୍ରଣାଳୀ ଏବଂ ଦକ୍ଷିଣ-ପଶ୍ଚିମରେ କେଲଟିକ ସାଗର ରହିଛି । ଏହାର ବେଳା ବିଶ୍ୱର ୧୨ତମ ଦୀର୍ଘ ଉପକୂଳ । ଆଇରିସ ସାଗର ଗ୍ରେଟ ବ୍ରିଟେନ ଏବଂ ଆୟରଲ୍ୟାଣ୍ଡକୁ ଅଲଗା କରିଥାଏ । ଯୁକ୍ତରାଜ୍ୟର ମୋଟ କ୍ଷେତ୍ରଫଳ ୨,୪୦,୦୦୦ ବର୍ଗ କି.ମି.
ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର, ପଠାଣି ସାମନ୍ତ ନାମରେ ପରିଚିତ, ଜଣେ ଭାରତୀୟ ଜ୍ୟୋତିର୍ବିଦ, ଗଣିତଜ୍ଞ ଓ ବିଦ୍ୱାନ ଥିଲେ । ସେ ବାଉଁଶ ନଳୀ ସାହାଯ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ଗଣନା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବା ନିମନ୍ତେ ଜଣା। ସେ ନିଜ ଗବେଷଣା ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ରଚନା କରି ପ୍ରକାଶ କରିଥିଲେ । ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ନାମ ଏକ ପାଞ୍ଜି ପ୍ରଚଳିତ ।
ଅଞ୍ଜେଲିନା ଜୋଲି (; ଜନ୍ମ: ଅଞ୍ଜେଲିନା ଜୋଲି ଭୋଇଗତ୍, ୪ ଜୁନ୍ ୧୯୭୫) ଜଣେ ଆମେରିକୀୟ ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ନିର୍ମାତା । ସେ ଗୋଟିଏ ଆକାଡେମୀ ପୁରସ୍କାର, ଦୁଇଟି ଗିଲ୍ଡ ପୁରସ୍କାର ଏବଂ ତିନୋଟି ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ପାଇଛନ୍ତି । ଏଥିସହ ହଲିଉଡ୍ର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଆଭିନେତ୍ରୀମାନଙ୍କ ମଧ୍ଯରୁ ଆଞ୍ଜେଲିନା ଅନ୍ୟତମ । ଆଞ୍ଜେଲିନା ଜଣେ ଶିଶୁ କଳାକାର ଭାବରେ ତାଙ୍କର ବାପାଙ୍କର ସହ ୧୯୮୨ ମସିହରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଲୁକିନ୍ ଟୁ ଗେଟ୍ ଆଉଟ୍ । ଏହପରେ ତାଙ୍କର ଗୋଟିଏ ଦିଶନ୍ଧିପରେ ତାଙ୍କର ଅଭିନୟ ଆରମ୍ବ ହେଲା ୧୯୯୩ରୁ । ନାୟିକା ଭାବରେ ସେ ଏକ ସ୍ୱଳ୍ପ ବ୍ୟୟରେ ନିର୍ମିତ ଏକ ଚଳଚ୍ଚିତ୍ର କାଏବୋର୍ଗ ୨ ଜରିଆରେ ଅଭିନୟ ଆରମ୍ଭ କରିଥିଲେ । ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ହ୍ୟାକର୍ସ୍ ଚଳଚ୍ଚିତ୍ରରେ ତାଙ୍କୁ ଏକ ବଡ଼ ଭୂମିକରେ ସୁଯୋଗ ମିଳିଥିଲା ଏବଂ ସେଥିରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ଏହାପରେ ଆଞ୍ଜେଲିନା କିଛି ଆତ୍ମଜୀବନି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ର ଗୁଡ଼ିକ ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଥିଲେ । ୧୯୯୭ ମସିହାର ଜର୍ଜ ୱାଲେନ୍ସ ଏବଂ ୧୯୯୮ ମସିହାର ଜିଆ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ୧୯୯୯ ମସିହାରେ ଗାର୍ଲ ଇଣ୍ଟରପ୍ଟେଡ୍ରେ ଆଞ୍ଜେଲିନା ଅଭିନୟ କରିଥିଲେ ଏବଂ ଚଳଚ୍ଚିତ୍ର ପାଇଁ ତାଙ୍କୁ ଆକାଡ଼େମି ପୁରସ୍କାର ମିଳିଥିଲା । ଏଥିରେ ସେ ସହ-ଅଭିନେତ୍ରୀ ଭାବରେ ପୁରସ୍କାର ପାଇଥିଲେ ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ ଓ ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ବଲାଙ୍ଗିର ଜିଲ୍ଲା, ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହାର ଆୟତନ ୫,୧୬୫ ବର୍ଗ କିମି । ବଲାଙ୍ଗିର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଳ୍ଲାର ମୁଖ୍ୟ ଭାଗ ଗ୍ରାମାଞ୍ଚଳ । ମୁଖ୍ୟ ବଡ଼ ଓ ସାନ ସହର ଆଉ ଥାନା ଗୁଡ଼ିକ ହେଲା ବଲାଙ୍ଗୀର,, ପାଟଣାଗଡ଼, ଟିଟିଲାଗଡ,କଣ୍ଟାବାଞ୍ଜି, ଲୋଇସିଙ୍ଘା, ସଇଁତଳା, ବେଲପଡା, ଆଗଲପୁର, ଦେଓଗାଁ, ମୁରିବାହାଲ , ଗୁଡଭେଳା, ଖୋପ୍ରାଖୋଲ, ବଙ୍ଗୋମୁଣ୍ଡା, ତୁରେକେଲା,ତୁଷୁରା,ସିନ୍ଧେକେଲା, ଲାଠୋର, ଲରମ୍ଭା,
ଷ୍ଟିଭେନ ପଲ ଜବ୍ସ ((; ଫେବୃଆରୀ ୨୪, ୧୯୫୫ – ଅକ୍ଟୋବର ୫, ୨୦୧୧) ଜଣେ ଆମେରିକୀୟ କମ୍ପ୍ୟୁଟର ବିଜ୍ଞାନୀ ଥିଲେ । ସେ ଆପଲ କମ୍ପାନୀର ସହ ସ୍ଥାପକ ଓ ମୁଖ୍ୟ ଅଧ୍ୟକ୍ଷ ମଧ୍ୟ ଥିଲେ;pixar animation studios ର ମୁଖ୍ୟ ଅଧ୍ୟକ୍ଷ ; the Walt Disney companyର ନିୟଂତ୍ରକ ମଣ୍ଡଳିର ସଦସ୍ୟ ମଧ୍ୟ ଥିଲେ।ସେ NeXT.incର ଉଦ୍ଭାବକ ଓ ମୁଖ୍ୟ ଅଧକ୍ଷ ମଧ୍ୟ ଥିଲେ। ସେ ୧୯୭୦ micro computer revolutionର ଆଦିମ ଆବିଷକର୍ତା ଭାବେ ଜଣଶୁଣା। ତାଙ୍କ ଦେହାନ୍ତ ପରେ ତାଙ୍କ ଜୀବନୀ ଲେଖକ ତାଙ୍କୁ ବର୍ଣ୍ଣନା କରି ଲେଖିଛନ୍ତି ଯେ "ତାଙ୍କ ପରିବର୍ତ୍ତନ ପାଇଁ ଆବେଗ ଏବଂ ଉତ୍ସାହ" ତାଙ୍କୁ 6ଟି ବଡ଼ କମ୍ପାନୀରେ ପରିବର୍ତ୍ତନ ଆଣିବା ପାଇଁ ସହାୟକ ହୋଇଥିଲା।
ସୁରେନ୍ଦ୍ର ସାଏ (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।
ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ( ଏସବିଆଇ ) ହେଉଛି ଏକ ଭାରତୀୟ ବହୁରାଷ୍ଟ୍ରୀୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଆର୍ଥିକ ସେବା ବୈଧାନିକ ସଂସ୍ଥା ଯାହାର ମୁଖ୍ୟାଳୟ ମହାରାଷ୍ଟ୍ରର ମୁମ୍ବାଇରେ ରହିଛି । ଏସବିଆଇ ହେଉଛି ବିଶ୍ୱର ୪୩ ତମ ବୃହତ୍ତମ ବ୍ୟାଙ୍କ ଏବଂ ୨୦୨୦ରେ ବିଶ୍ୱର ସବୁଠାରୁ ବଡ ନିଗମଗୁଡ଼ିକ ମଧ୍ୟରେ ଫର୍ଚୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ୨୨୧ ତମ ସ୍ଥାନରେ ଅଛି, ଯାହା ତାଲିକାରେ ଏକମାତ୍ର ଭାରତୀୟ ବ୍ୟାଙ୍କ | ଏହା ଏକ ସାର୍ବଜନୀନ ରାଷ୍ଟ୍ରାୟତ୍ତ କ୍ଷେତ୍ରବ୍ୟାଙ୍କ ।
ସାନ୍ତାଳୀ ( ᱥᱟᱱᱛᱟᱲ) ଅଷ୍ଟ୍ରୋ-ଏସୀୟ ଭାଷା ସମୂହର ସାନ୍ତାଳ ଉପ-ପରିବାରର ଏକ ଭାଷା । ଏହା ହୋ ଓ ମୁଣ୍ଡାରି ଭାଷାସହିତ କେତେକାଂଶରେ ମିଶିଥାଏ । ଏହା ପାଖାପାଖି ୬୨ ଲକ୍ଷ ଲୋକଙ୍କ ଦେଇ କହାଯାଇଥାଏ । ଏହି ଭାଷା କହୁଥିବା ଅଧିକାଂଶ ଲୋକ ଭାରତର ଆସାମ, ଓଡ଼ିଶା, ଝାଡ଼ଖଣ୍ଡ, ତ୍ରିପୁରା, ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ୟରେ ବସବାସ କରିଥାଆନ୍ତି । ଏହି ଭାଷାର ଲିପି ଅଲ ଚିକି (ᱚᱞ ᱪᱤᱠᱤ); ତେବେ ଏହାର ସାକ୍ଷରତା ହାର ଖୁବ କମ (ହାରାହାରି ୧୦-୩୦ %) ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଉଚ୍ଚ ରକ୍ତଚାପ (ଇଂରାଜୀ ଭାଷାରେ ହାଇପର୍ଟେନ୍ସନ୍ ବା HTN ବା HT) ବା ଧମନୀ ଉଚ୍ଚ ରକ୍ତଚାପ ଏକ ସ୍ଥାୟୀ ଭେଷଜ ରୋଗ ଯେଉଁଥିରେ ରକ୍ତଚାପ ନିରନ୍ତର ବୃଦ୍ଧି ପାଇଥାଏ । ଏହି ରୋଗରେ ସାଧାରଣତଃ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ଦୀର୍ଘକାଳୀନ ଉଚ୍ଚ ରକ୍ତଚାପ ରହିଲେ କେତେକ ରୋଗ ସଙ୍କଟ ସୃଷ୍ଟି ହୁଏ ଯଥା:- କରୋନାରୀ ଧମନୀ ରୋଗ, ସ୍ଟ୍ରୋକ୍, ହୃଦ୍ଘାତ, ପ୍ରାନ୍ତୀୟ ରକ୍ତନଳୀ ରୋଗ, ଦୃଷ୍ଟିହାନୀ ଓ କ୍ରନିକ ବୃକ୍କ ରୋଗ । ଏହି ରୋଗଟି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ ଯଥା:- ପ୍ରାଥମିକ ବା ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ (primary or essential hypertension) ଓ ଗୌଣ ଉଚ୍ଚ ରକ୍ତଚାପ (secondary hypertension) । ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ ୯୦ରୁ ୯୫ % ଲୋକଙ୍କର ଅନିର୍ଦ୍ଦିଷ୍ଟ ଜୀବନଚର୍ଯ୍ୟା ଓ ଜେନେଟିକ କାରଣ ଯୋଗୁ ହୁଏ । ଜୀବନଚର୍ଯ୍ୟା କାରଣ ଯଥା:- ଅତ୍ୟଧିକ ଲୁଣ ଖାଇବା, ଅତ୍ୟଧିକ ଓଜନ ବୃଦ୍ଧି, ଧୂମ୍ରପାନ ଓ ଆଲକୋହୋଲ ସେବନ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । ବଳକା ୫ରୁ ୧୦% ରୋଗକୁ ସେକଣ୍ଡାରୀ ବା ଗୌଣ ଉଚ୍ଚ ରକ୍ତଚାପ ନାମିତ କରାଯାଏ ଯାହାର ନିର୍ଦ୍ଦିଷ୍ଟ କାରଣ ଥାଏ ଯେପରିକି କ୍ରନିକ ବୃକ୍କ ରୋଗ, ବୃକ୍କ ଧମନୀ ସ୍ଟେନୋସିସ୍, ଅନ୍ତସ୍ରାବୀ ଗ୍ରନ୍ଥୀ ରୋଗ ଓ ଜନ୍ମ ନିରୋଧ ବଟିକା ସେବନ । ଏହି ବୃଦ୍ଧି ଯୋଗୁ ହୃତ୍ପିଣ୍ଡକୁ ଅଧିକ କାର୍ଯ୍ୟ କରିବାକୁ ପଡ଼ିଥାଏ । ଦୁଇ ପ୍ରକାରର ମାପଦ୍ୱାରା ଉଚ୍ଚ ରକ୍ତଚାପ ଲେଖାଯାଏ, ଗୋଟିଏ ସିସ୍ଟୋଲିକ (ହୃତ୍ପିଣ୍ଡ ସଙ୍କୋଚନ ବେଳର ସର୍ବୋଚ୍ଚ) ଓ ଅନ୍ୟଟି ଡାୟାସ୍ଟୋଲିକ (ହୃତ୍ପିଣ୍ଡ ଶୀଥିଳ ବେଳର ସର୍ବନିମ୍ନ) । ବିଶ୍ରାମ ସମୟରେ ଗୋଟିଏ ସୁସ୍ଥ ଲୋକର ସିସ୍ଟୋଲିକ ଚାପ ୧୦୦ରୁ ୧୪୦ ମି.ମି.
ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧୀନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .
ଶାହାରୁଖ ଖାଁ (ଜନ୍ମ ୨ ନଭେମ୍ବର ୧୯୬୫) ଭାରତର ସିନେ ଜଗତର ଜଣେ ଅଭିନେତା ଓ ପ୍ରଯୋଜକ । ସାଧାରଣତଃ "କିଙ୍ଗ୍ ଖାନ", "ଏସ.ଆର.କେ", "କିଙ୍ଗ ଅଫ୍ ବଲିଉଡ଼" ତଥା "ବଲିଉଡ଼ ବାଦଶାହ" ଭାବରେ ସେ ଜଣାଶୁଣା । ୧୯୯୨ ମସିହାରେ "ଦିୱାନା" ଚଳଚ୍ଚିତ୍ର ଜରିଆରେ ପଦାର୍ପଣ କରିଥିବା ଶାହାରୁଖ ତା' ଆଗରୁ ଟେଲିଭିଜନରେ ଜଣେ ଶ୍ରେଷ୍ଠ ଧାରାବାହିକ ଅଭିନେତା ଭାବରେ ନାଁ କରିଥିଲେ । ଶାହାରୁଖ ୧୪ଟି ଫିଲ୍ମଫେୟାର୍ ପୁରସ୍କାର ବର୍ତ୍ତମାନ ସୁଦ୍ଧା ଜିତିଛନ୍ତି, ଯହିଁରୁ ୮ ଗୋଟି ଶ୍ରେଷ୍ଠ ଅଭିନେତା ବିଭାଗରେ ଅଛି, ତଥା ଏହା ଏକ ରେକର୍ଡ଼ ଦିଲ୍ଲିପ କୁମାରଙ୍କ ସହିତ ।
କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬–୬ ଅପ୍ରେଲ ୧୯୯୪) ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଥିଲେ । ୧୯୩୦ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ ରଚନା କରିଥିଲେ । ତାଙ୍କର କେତେକ ଜଣାଶୁଣା ଉପନ୍ୟାସ ମଧ୍ୟରେ କା, ବାଲିରାଜା, ଶାସ୍ତି, ହା' ଅନ୍ନ, ଝଞ୍ଜା, ଶର୍ବରୀ, ତମସା ତୀରେ ଅନ୍ୟତମ । ୧୯୫୬ ମସିହାରେ ପ୍ରକାଶିତ ଉପନ୍ୟାସ କା ପାଇଁ ସେ ୧୯୫୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ସେ ସାହିତ୍ୟ ଏକାଡେମୀର ଫେଲୋ ମଧ୍ୟ ହୋଇଥିଲେ । ତାଙ୍କୁ "ଓଡ଼ିଶୀର ଅନ୍ୟତମ ଲୋକପ୍ରିୟ ଉପନ୍ୟାସକାର" ଭାବରେ ବିବେଚନା କରାଯାଏ । ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ଶିବ ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ଦ୍ରୌପଦୀ ମୁର୍ମୁ (ଜନ୍ମ: ୨୦ ଜୁନ ୧୯୫୮) ଜଣେ ଭାରତୀୟ ରାଜନୀତିଜ୍ଞା ଓ ଭାରତର ୧୫ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି । ଭାରତର ରାଷ୍ଟ୍ରପତି ହେବାରେ ସେ ପ୍ରଥମ ଆଦିବାସୀ । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର (୨୦୦୦ ଏବଂ ୨୦୦୪ରେ) ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଝାଡ଼ଖଣ୍ଡର ରାଜ୍ୟପାଳ (୨୦୧୫-୨୦୨୧) ଭାବରେ କାର୍ଯ୍ୟ କରିଥିଲେ । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ବାଣିଜ୍ୟ ଏବଂ ଗମନାଗମନ ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟକରିଥିଲେ ।
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି ।
ଦିଲ୍ଲୀ ଆୟତନ ଅନୁସାରେ ଭାରତର ସବୁଠୁ ବଡ଼ ମହାନଗର ଓ ଜନସଂଖ୍ୟା ହିସାବରେ ଦ୍ୱିତୀୟ ବୃହତ ମହାନଗର ଏହା ପୃଥିବୀର ଅଷ୍ଟମ ବୃହତ ମହାନଗର । ୨୦୧୧ ଲୋକଗଣନା ଏଠାରେ ୧୬,୭୫୩,୨୩୫ ଜଣ ବାସିନ୍ଦା ଅଛନ୍ତି । ଏଠାକାର ଗ୍ରେଟର ନ୍ୟାସନାଲ କ୍ୟାପିଟାଲ ରିଜିଅନ ସହରାଞ୍ଚଳରେ ପାଖାପାଖି ୨୨.୨ ମିଲିଅନ ଲୋକ ବାସ କରନ୍ତି । ଦିଲ୍ଲୀ ନାମ ନ୍ୟାସନାଲ କ୍ୟାପିଟାଲ ରିଜିଅନ ପାଖାପାଖି ସହରାଞ୍ଚଳକୁ ଓ ଭାରତର ରାଜଧାନୀକୁ ମଧ୍ୟ ବୁଝାଇଥାଏ । ଯଦିଓ ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ଭଳି କାମ କରେ, ରାଜନୈତିକ ପ୍ରଶାସନ ଅନୁସାରେ ଏହା ଏକ ରାଜ୍ୟ ଭାବେ କାମ କରେ । ଏଠାରେ ବାକି ରାଜ୍ୟମାନଙ୍କ ପରି ନ୍ୟାୟପାଳିକା, ହାଇକୋର୍ଟ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଏକ ମନ୍ତ୍ରିମଣ୍ଡଳ କାମ କରିଥାଏ । ନୂଆଦିଲ୍ଲୀ, ମିଳିତ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦେଇ ଶାସିତ ହୋଇଥାଏ । ଏହା ନ୍ୟାସନାଲ କ୍ୟାପିଟାଲ ରିଜିଅନର ମଧ୍ୟ ରାଜଧାନୀ ।
ଡେଙ୍ଗୁ ଜ୍ୱର ଏକ ମଶା ବାହିତ (mosquito-borne ଗ୍ରୀଷ୍ମ ମଣ୍ଡଳୀୟ ରୋଗ (tropical disease) ଯାହା ଡେଙ୍ଗୁ ଭୁତାଣୁଦ୍ୱାରା (dengue virus) ହୁଏ । ଦେହରେ ସଂକ୍ରମଣ ପ୍ରବେଶ ପରେ ୩ରୁ ୧୪ ଦିନ ମଧ୍ୟରେ ଏହାର ଲକ୍ଷଣ ବାହାରେ । ଏହି ରୋଗରେ ଅଧିକ ଜ୍ୱର, ମୁଣ୍ଡ ବିନ୍ଧା, ବାନ୍ତି, ମାଂସପେଶୀ ଯନ୍ତ୍ରଣା (muscle|), ଗଣ୍ଠି ଯନ୍ତ୍ରଣା (joint pains) ଓ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଚର୍ମ ରାସ୍ (skin rash) ହୁଏ । ଏହା ୨/୩ ଦିନ ମଧ୍ୟରେ ଉପଶମ ହୋଇଯାଏ । ଅଳ୍ପ ଅନୁପାତରେ ଏହି ରୋଗ ସାଂଘାତିକ ହୋଇ ଡେଙ୍ଗୁ ରକ୍ତସ୍ରାବୀ ଜ୍ୱରରେ ପରିବର୍ତ୍ତିତ ହୋଇ ରକ୍ତସ୍ରାବ (bleeding), ସ୍ୱଳ୍ପ ପ୍ଲାଟେଲେଟ ସ୍ତର (low levels of blood platelets), ରକ୍ତ ପ୍ଲାଜ୍ମା (blood plasma) ଝରଣ (leak) ଓ ଶେଷରେ ଡେଙ୍ଗୁ ସିଣ୍ଡ୍ରୋମ ହୁଏ ଯେଉଁଥିରେ ଅତ୍ୟଧିକ ନିମ୍ନ ରକ୍ତଚାପ (dangerously low blood pressure) ହୁଏ ।
ଓଡ଼ିଶାର ହିନ୍ଦୁ ଧର୍ମର ବ୍ରାହ୍ମଣ ଜାତି ଉତ୍କଳ ବ୍ରାହ୍ମଣ ନାମରେ ଜଣା । ଏମାନେ ଏବେକାର ଓଡ଼ିଶା, ପଶ୍ଚିମ ବଙ୍ଗ, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ଓ ଝାଡ଼ଖଣ୍ଡରେ ବସବାସ କରିଥାନ୍ତି । ଏହି ବ୍ରାହ୍ମଣଗୋଷ୍ଠୀଗୁଡ଼ିକର ମାତୃଭାଷା ଓଡ଼ିଆ ତଥା ସମୁଦାୟ ଓଡ଼ିଆ ଜନସଂଖ୍ୟାର ୯% ଭାଗ ଏହିମାନେ ଅଧିକାର କରିଛନ୍ତି । ଏମାନଙ୍କ ଗୁଣସୂତ୍ର ବା କ୍ରୋମୋଜୋମ ଗୁଡ଼ିକ ମଧ୍ୟଏସିଆ ଓ ଉତ୍ତର ଭାରତର ଅନେକ ଜନଜାତି ସହ ମିଳିଥାଏ । କୁହାଯାଏ କି ପୁରାତନ ଯୁଗରେ କଳିଙ୍ଗ ଏକ ବ୍ରାହ୍ମଣ ବିହୀନ ସାମ୍ରାଜ୍ୟ ଥିଲ। । ପ୍ରଥମରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ଉତ୍ତର ଭାରତର ଗଙ୍ଗା ନଦୀ କୁଳରୁ ଅନେକ ବ୍ରାହ୍ମଣ କଳିଙ୍ଗ ରାଜାଙ୍କ ନିମନ୍ତ୍ରଣରେ କଳିଙ୍ଗ ପ୍ରଦେଶକୁ ଆସି ଯାଜପୁରର ବୈତରଣୀ ନଦୀ କୁଳରେ ବସବାସ କରିବା ଆରମ୍ଭ କଲେ । କାଳକ୍ରମେ ସେମାନେ ଓଡ଼ିଶାର ବାକି ଜାଗାମାନଙ୍କରେ ବାସ କରିବା ଆରମ୍ଭକଲେ। ଚୀନର ଦାର୍ଶନିକ ହୁଏନସାଂ ମଧ୍ୟ ତାଙ୍କ ଲେଖାରେ ଉତ୍କଳ ବ୍ରାହ୍ମଣମାନଙ୍କ ହୋମଯଜ୍ଞ ଓ ବୈତରଣୀ ନଦୀ କୁଳରୁ ଉଠୁଥିବା ହୋମ ଧୂଆଁ ବିଷୟରେ ବର୍ଣ୍ଣନା କରିଛନ୍ତି । ଉତ୍କଳ ବ୍ରାହ୍ମଣମାନଙ୍କର କିଛି ଉପନାମ ଦାଶ, ମିଶ୍ର, ରଥ, କର, ଆଚାର୍ଯ୍ୟ, ତ୍ରିପାଠୀ, ଷଡ଼ଙ୍ଗୀ, ଶର୍ମା, ଦାଶଶର୍ମା, ରଥଶର୍ମା, ନନ୍ଦ, ପଣ୍ଡା, ପାଢୀ, ପାଣି, ପାଣିଗ୍ରାହୀ, ପୁଜାପଣ୍ଡା, ବଡ଼ପଣ୍ଡା, ମହାପାତ୍ର, ଶତପଥୀ, ଓତା ଓ ହୋତା ଇତ୍ୟାଦି ।
ମଧ୍ୟ ଏସିଆ ଏସିଆ ମହାଦ୍ୱୀପର ମଧ୍ୟ ଭାଗ ଅଟେ । ଏହାର ପୂର୍ବରେ "ଚୀନ"ରୁ ପଶ୍ଚିମରେ "କୌସ୍ପିୟନ ସାଗର" ପର୍ଯ୍ୟନ୍ତ, ଏବଂ ଉତ୍ତରରେ "ୠସ"ରୁ ଦକ୍ଷିଣରେ "ଆଫଗାନିସ୍ତାନ" ପର୍ଯ୍ୟନ୍ତ ବିସ୍ତୃତ ଅଟେ । ଭୂବୈଜ୍ଞାନିକମାନଙ୍କଦ୍ୱାରା ମଧ୍ୟ ଏସିଆର ସମସ୍ତ ପରିଭାଷାରେ ଭୂତପୂର୍ବ ସୋବିୟତ ସଂଘର ପାଞ୍ଚଟି ଦେଶ ସର୍ବଦା ଗଣା ଯାଏ :- କାଜାଖସ୍ତାନ , କିରଗୀଜସ୍ତାନ , ତାଜିକିସ୍ତାନ , ତୁର୍କମେନିସ୍ତାନ , ଉଜବେକୀସ୍ତାନ । ଏହା ଛଡ଼ା ମଙ୍ଗୋଲିୟା , ଆଫଗାନିସ୍ତାନ , ଉତ୍ତର ପାକିସ୍ତାନ , ଭାରତର ଲଦାଖ ପ୍ରଦେଶ , ଚୀନର ଶିନଜିୟଙ୍ଗ , ତିବ୍ୱତ କ୍ଷେତ୍ର ଏବଂ ୠସର ସାଇବେରିୟ କ୍ଷେତ୍ରର ଦକ୍ଷିଣ ଭାଗକୁ ମଧ୍ୟ ପ୍ରାୟତଃ ମଧ୍ୟ ଏସିଆର ଅଂଶ ବୋଲି ବୁଝାଯାଏ ।
ଜ୍ୟୋତିଷଶାସ୍ତ୍ର ଏକ ଛଦ୍ମ ବିଜ୍ଞାନ ଅଟେ, ଯାହା ଖଗୋଳିୟ ପିଣ୍ଡର ଚଳଣୀ ଏବଂ ସାପେକ୍ଷ ସ୍ଥିତିର ଅଧ୍ୟୟନ କରି ମନୁଷ୍ୟ ସମ୍ବନ୍ଧୀୟ ବିଷୟ ଏବଂ ସାଂସାରିକ ଘଟଣା ସମ୍ବନ୍ଧରେ ଦିବ୍ୟ କଥାବସ୍ତୁର ଦାବି କରିଥାଏ । ଏହି ଶାସ୍ତ୍ରଦ୍ୱାରା ମନୁଷ୍ୟ ତଥା ପୃଥିବୀର ଗ୍ରହ ଏବଂ ତାରାମାନଙ୍କର ଶୁଭ ତଥା ଅଶୁଭ ପ୍ରଭାବର ଅଧ୍ୟୟନ କରାଯାଇ ପାରେ । ଜ୍ୟୋତିଷ ଶବ୍ଦର ଅର୍ଥ ଗ୍ରହ ତଥା ନକ୍ଷତ୍ରଦ୍ୱାରା ସମ୍ବନ୍ଧିତ ରଖୁଥିବା ବିଦ୍ୟା । ଯଦିଓ ଏହି ଶବ୍ଦରୁ ଗଣିତ (ସିଦ୍ଧାନ୍ତ) ଜ୍ୟୋତିଷର ମଧ୍ୟ ବୋଧ ହୋଇଥାଏ, ତଥାପି ସାଧାରଣ ଲୋକ ଜ୍ୟୋତିଷ ବିଦ୍ୟାଦ୍ୱାରା ଫଳିତ ବିଦ୍ୟାର ଅର୍ଥ ବୋଲି ଭାବି ନିଅନ୍ତି।
ଜ୍ୟୋତି ରଞ୍ଜନ ନାୟକ (ଜନ୍ମ: ୨୪ ଅକ୍ଟୋବର ୧୯୯୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୨୦୧୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଶ୍ରୀକାନ୍ତ ଗୌତମଙ୍କଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ମିଠା ମିଠା ଯୋଡ଼ିରେ ଭାଗ ନେଇ ବିଜେତା ହେବା ପରେ ଜ୍ୟୋତି ଓଡ଼ିଆ କଥାଚିତ୍ର ମିଠା ମିଠାରେ ନାୟକ ଭାବରେ ଅଭିନୟ କରିଥିଲେ, ମାତ୍ର ଏହି କଥାଚିତ୍ରଟି ମୁକ୍ତିଲାଭରେ ବିଳମ୍ବ ହୋଇଥିଲା । ଓଡ଼ିଆ କଥାଚିତ୍ର ଜଗତରେ ଜ୍ୟୋତିଙ୍କର ପ୍ରଥମ ମୁକ୍ତିଲାଭ ଚଳଚ୍ଚିତ୍ର ହେଉଛି ଦେଲେ ଧରା କଥା ସରେ । ଏହାପରେ ସେ ନିଝୁମ ରାତିର ସାଥୀ, ଦିଲ୍ କା ରାଜା, ତୁ ମୋ ହିରୋ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ପୁର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ଓଡ଼ିଆ ଶବ୍ଦକୋଷ । ଏହା ସଂକଳନ କରିବାରେ ୩୦ରୁ ଅଧିକ ବର୍ଷ ସମୟ ଲାଗିଥିବା ବେଳେ ଏହା ୧୯୩୧ରୁ ୧୯୪୦ ଭିତରେ ୭ଟି ଖଣ୍ଡରେ ଓ ପ୍ରତି ଖଣ୍ଡ ଆକାରରେ ପାଖାପାଖି ରୟାଲ କ୍ୱାର୍ଟୋ ପୃଷ୍ଠା ଭାବରେ ପ୍ରକାଶିତ ହୋଇଥିଲା । ଏହାର ମୋଟ ପୃଷ୍ଠା ସଂଖ୍ୟା ୯,୫୦୦ ଓ ଏଥିରେ ୧୮୫,୦୦୦ ମୁଖ୍ୟଶବ୍ଦ ରହିଛି । ଏହାର ମୁଖ୍ୟ ସଂକଳକ ଥିଲେ ଗୋପାଳ ଚନ୍ଦ୍ର ପ୍ରହରାଜ ଓ ଉତ୍କଳ ସାହିତ୍ୟ ପ୍ରେସ ଏହାର ପ୍ରକାଶ ଓ ମୁଦ୍ରଣ କରିଥିଲେ । ତାଙ୍କ ସହ ତାଙ୍କର ମୁଖ୍ୟ ସହକର୍ମୀ ପୀତାମ୍ବରୀ ଦେବୀ ଓ ଅନ୍ୟାନ୍ୟ ସହକର୍ମୀମାନେ ଶବ୍ଦ ସଂଗ୍ରହ ଓ ସଂକଳନରେ ସାହାଯ୍ୟ କରିଥିଲେ । ବିଶ୍ୱନାଥ କର ଥିଲେ ଏହାର ପ୍ରକାଶକ । ଏହା ଥିଲା ପ୍ରଥମ ଓଡ଼ିଆ ଶବ୍ଦକୋଷ । ସଂକଳନ ସହ ପ୍ରହରାଜ ସର୍ବସାଧାରଣ ଅନୁଦାନ ସଂଗ୍ରହ ଓ ଛପା ଖର୍ଚ୍ଚ ମଧ୍ୟ ବହନ କରିଥିଲେ । ତତ୍କାଳୀନ ବଙ୍ଗ, ମାନ୍ଦ୍ରାଜ ପ୍ରଦେଶ, ଅନେକ ଓଡ଼ିଆ କଥିତ ଅଞ୍ଚଳର ଶାସକ ଓ ବ୍ରିଟିଶ ସରକାର ଏହି ଗ୍ରନ୍ଥାବଳୀ ପାଇଁ ପୃଷ୍ଠପୋଷକତା ଯୋଗାଇଥିଲେ ।