ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ । ପ୍ରତି ରଥରେ ୩ହାଣ୍ଡି ହିସାବରେ ମୋଟ ୯ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ । ଏହି ୯ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରାଯାଇଥାଏ । ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
କବିସୂର୍ଯ୍ୟ ବଳଦେବ ରଥ (୧୭୮୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୮୯ ମସିହାରେ ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡି ରାଜ୍ୟର ବିଜୟନଗ୍ରଗଡ଼ରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ବ୍ରହ୍ମପୁର ଗଉଡ ସାହିରେ ପ୍ରାଣତ୍ୟାଗ କରିଥିଲେ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଏକ ଇଣ୍ଡୋ-ଆର୍ଯ୍ୟ ଭାରତୀୟ ଭାଷା । ଏହା ଭାରତର ଓଡ଼ିଶାରେ ସର୍ବାଧିକ ବ୍ୟବହୃତ ଓ ମୁଖ୍ୟ ସ୍ଥାନୀୟ ଭାଷା ଏବଂ ୯୧.୮୫% ଲୋକଙ୍କଦ୍ୱାରା କଥିତ । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ । ପ୍ରତ୍ୟେକ ବର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତିନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।
ବିଜୟ ମିଶ୍ର (୧୬ଜୁଲାଇ ୧୯୩୬ - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ । ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
କଳାପାହାଡ଼ ନାମରେ ବଙ୍ଗଳାର ମୋଗଲ ଶାସକ ସୁଲତାନ ସୁଲେମାନ କିର୍ରାନିଙ୍କର (Sulaiman Karrani) ଜଣେ ସେନାପତିଙ୍କୁ ଡକାଯାଉଥିଲା । କେତେକ ଐତିହାସିକ ତଥ୍ୟରୁ ଜଣାଯାଏ, ସେ କଳିଙ୍ଗ-ଉତ୍କଳର ଶେଷ ସମ୍ରାଟ ମୁକୁନ୍ଦଦେବଙ୍କର ହିନ୍ଦୁ (ଓଡ଼ିଆ)ସେନାପତି ଥିଲେ, ଜାତିରେ କାୟସ୍ଥ ଥିଲେ ଓ ତାଙ୍କର ନାମ ରାଜିବ ଲୋଚନ ରାୟ ଥିଲା । ଧର୍ମ ପରିବର୍ତ୍ତନ କରି ସେ ମୁସଲମାନ ହେଲେ। ସେଖ୍ କବିର ବାତିନିଙ୍କର ମତରେ କଳାପାହାଡ଼ ଆଫଗାନ ଲୋକ ଥିଲେ । ଲୋକମୁଖରେ ସେ କଳାପାହାଡ଼ ନାମରେ ପରିଚିତ ଥିଲେ । ଓଡ଼ିଶାର କେତେକ ସ୍ଥାନ ସେ ବଙ୍ଗଳାର ଆଫଗାନ ଶାସକଙ୍କ ନିମନ୍ତେ ଦଖଲ କରିଥିଲେ ।କଳା ପାହାଡ ବହୁତ ନିଷ୍ଠୁର ଥିଲେ ସେ ଆକବରଙ୍କ ବାପାଙ୍କ ମାଉସୀ ପୁଅର ପୁଅ ଥିଲେ
ଗୌରୀଶଙ୍କର ରାୟ ଜଣେ ଓଡ଼ିଆ ଭାଷା ଆନ୍ଦୋଳନକାରୀ, ଲେଖକ ଓ ପ୍ରକାଶକ । ସେ ଉନବିଂଶ ଶତାବ୍ଦୀ ଓଡ଼ିଆ ନବଜାଗରଣର ପୁରୋଧା । ଗୌରୀଶଙ୍କର ଓଡ଼ିଶାବାସୀ ବଙ୍ଗାଳୀ ଓ ଉତ୍କଳ ସାହିତ୍ୟ ସମାଜର ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ହୋଇ ଓଡ଼ିଆ ଭାଷା ଆନ୍ଦୋଳନରେ ଭାଗନେଇଥିଲେ । ତାଙ୍କର ସମ୍ପାଦନାରେ ପ୍ରଥମ ଓଡ଼ିଆ ପତ୍ରିକା ଉତ୍କଳ ଦୀପିକା ପ୍ରକାଶିତ ହୋଇ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପିତ କରିବାର ଭୂମିକା ଗ୍ରହଣ କରିଥିଲା । ସେ କଟକ ଟାଉନ ହଲର ପ୍ରତିଷ୍ଠାତା ଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଗୋପାଳ ଛୋଟରାୟ (୨୦ ଅପ୍ରେଲ ୧୯୧୬ - ୨୨ ଜାନୁଆରୀ ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକସବୁ ଜୀବନ୍ତ । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
ଭକ୍ତ ଚରଣ ଦାସ (୧୭୨୯-୧୮୧୩) ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ । ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଗୋଟିଏ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
ରଥ ପୁରୀରେ ରଥ ଯାତ୍ରା ସମୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହକୁ ଗୁଣ୍ଡିଚା ମନ୍ଦିରକୁ ନେବା ପାଇଁ ବ୍ୟବହୃତ କାଠତିଆରି ଯାନ । ତିନିଗୋଟି ରଥରେ ପୁଷ୍ୟାନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ବିଗ୍ରହମାନ ରଥରେ ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରି ସେଠାରେ ସପ୍ତାହକାଳ ଅବସ୍ଥାନ ପରେ ଦଶମୀ ଦିନ ବଡ଼ ଦେଉଳକୁ ବାହୁଡ଼ନ୍ତି । ଗୁଣ୍ଡିଚା ମନ୍ଦିରକୁ ଯିବା ଦିନକୁ ରଥଯାତ୍ରା ବା ଗୁଣ୍ଡିଚା ଫେରିବା ଦିନକୁ ବାହୁଡ଼ା ଯାତ୍ରା ବୋଲାଯାଏ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ସେ ଆନୁମାନିକ ୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦,୦୦୦ ପଦ୍ୟାବଳୀ ସେ ରଚନା କରିଯାଇଛନ୍ତି । ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଆୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ତାଙ୍କୁ ଓଡ଼ିଶାର ପୁରପଲ୍ଳୀରେ 'ମହାପୁରୁଷ' ଭାବେ ଲୋକେ ଅଭିହିତ କରନ୍ତି ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହା ଜୁଲାଇ ୭ ତାରିଖରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହୋଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ.
ଲିପି ଜଣେ ଓଡ଼ିଆ ଆଲବମ ଏବଂ କଥାଚିତ୍ର ଅଭିନେତ୍ରୀ । ମୁଁ ବିନା ଘୁଙ୍ଗୁରରେ ନାଚିବି ଆଲବମ୍ ଜରିଆରେ ଆଲବମ୍ ଦୁନିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ସେ ପାଖାପାଖି ୩୦୦୦ଟି ଆଲବମ୍ରେ ଅଭିନୟ କରିଥିଲେ । ୨୦୦୫ରେ ପ୍ରଶାନ୍ତ ନନ୍ଦ ଙ୍କ ନିର୍ଦ୍ଦେଶିତ ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରେ ଲିପି ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ Jayaprakash Mohanty ଙ୍କ ନିର୍ଦ୍ଦେଶିତ ବ୍ୟାଡ଼୍ ଗାର୍ଲ 'ତୁ ମୋରି ପାଇଁ' ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ପରେ Daddy, Galpa Nuhe Alpa Dinara, Mimansa ଭଳି ଚଳଚ୍ଚିତ୍ର ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି। ଲିପି ଅନୁଭବ ମହାନ୍ତି ଙ୍କ ଠାରୁ ଆରମ୍ଭ କରି Akash Das Nayak ଭଳି ବରିଷ୍ଠ କଳାକାର ଙ୍କ ସହିତ ଅଭିନୟ କରିଛନ୍ତି।
ଦେବକୁଣ୍ଡ (ଦେବାଦେବୀଙ୍କର ସ୍ନାନକୁଣ୍ଡ) ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉଦଳା ନିକଟସ୍ଥ ଥିବା ଏକ ପ୍ରାକୃତିକ ମନୋହର ସ୍ଥାନ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜଳପ୍ରପାତ ପାଇଁ ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଏଠାକାସମୀବୃକ୍ଷର ଆକର୍ଷଣ ଅନନ୍ୟ । ବାରିପଦାଠାରୁ ଦେବକୁଣ୍ଡର ଦୂରତା ୬୦ କି.ମି ଓ ବାଲେଶ୍ୱରଠାରୁ ୮୫ କି.ମି । ଦେବକୁଣ୍ଡ ଶିମିଳିପାଳ ଅଭୟାରଣ୍ୟରେ ଅବସ୍ଥିତ । ଏହା ନିକଟକୁ ଯିବାକୁ ହେଲେ ଉଦଳାରୁ ବୃନ୍ଦାଗଡ଼ିଛକ-ବୃନ୍ଦାଗଡ଼ି ଛକରୁ ପଶ୍ଚିମକୁ ଗଲେ କୁଣ୍ଡାବାଇ ପଞ୍ଚାୟତ ନିକଟରେ ଏକ ଫରେଷ୍ଟ ଗେଟ୍ ରାସ୍ତା ଦେଇ ଦେବକୁଣ୍ଡକୁ ଯିବାକୁ ହୁଏ । ଦେବକୁଣ୍ଡ ନାମଟିର ବିଶେଷତ୍ୱ ଏହି ଯେ ବୋଧହୁଏ ସ୍ୱର୍ଗର ଦେବାଦେବୀମାନେ ମର୍ତ୍ତ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଓହ୍ଲାଇ ଆସନ୍ତି ଏହି ଦେବକୁଣ୍ଡକୁ । ସେଥିପାଇଁଏ ସ୍ଥାନଟିର ନାମ ଦେବକୁଣ୍ଡ ।
ବିଶ୍ୱନାଥ କର, ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା, (୨୪ ଡିସେମ୍ବର ୧୮୬୪–୧୯ ଅକ୍ଟୋବର ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ, ବାଗ୍ମୀ ଥିଲେ । ସେ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ଥିଲେ ଓ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ତଥା ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ "ରାୟ ବାହାଦୁର" ଉପାଧୀ ପାଇ ତାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ ବିବିଧା ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ । ପୁସ୍ତକଟି ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ ଉତ୍କଳ ସାହିତ୍ୟରେ ପୂର୍ବରୁ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଏହା ଏକ କପୋତ ଶ୍ରେଣୀୟ ପକ୍ଷୀ । ଅପାଳିତ ଅବସ୍ଥାରେ ଏମାନେ ଘରର ଚାଳରେ ଦେଉଳର ଖୋଲରେ ଓ ପର୍ବତ ଖୋଲରେ ରହନ୍ତି । ଗୃହପାଳିତ ପାରାମାନେ ଧଳା, କଳା, ନାଲି ଆଦି ନାନା ରଙ୍ଗର ହୁଅନ୍ତି ଏମାନଙ୍କର ଶଦ୍ଦକୁ ଘୁମୁରିବା କହନ୍ତି ଏମାନଙ୍କର ଧ୍ୱନି 'ଚକ୍ ବକୂମ୍ କୀମ୍' । ଏମାନେ ଘମୁରିଲା ବେଳେ ବେକ ଫୁଲାନ୍ତି । ଏମାନେ ବହୁ ଉଚ୍ଚରେ ଉଡ଼ି ପାରନ୍ତି ଓ ଉଡ଼ିବା ସମୟରେ ଲୋଟଣି ପାରାମାନେ ବନ୍ଧ ଭାଙ୍ଗନ୍ତି । ଇଉରୋପ ଆଦି ଦେଶରେ ଏମାନଙ୍କ ଗୋଡ଼ରେ ଚିଠି ବାନ୍ଧି ଦେଇ ଉଡ଼ାଇ ଦେଲେ ଏମାନେ ଦୂର ଦେଶରେ ଅଭିପ୍ରେତ ସ୍ଥାନରେ ଯାଇ ପହଞ୍ଚିବାଦ୍ୱାରା ଦୂରବାସୀମାନେ ସମ୍ବାଦ ପାଆନ୍ତି । ପାରାମାନଙ୍କ ଉଡ଼ିବା ଦେଖିବା ପାଇଁ ଲୋକେ ସଉକିରେ ପାରା ପାଳନ୍ତି ଏମାନଙ୍କର ଦୃଷ୍ଟିଶକ୍ତି ଅତି ପ୍ରଖର ଏମାନେ ଉପରକୁ ୧/୨: ମାଇଲ ଉଚ୍ଚକୁ ଉଠି ମେଘରେ ଅଦୃଶ୍ୟ ହୋଇ ଯାଆନ୍ତି ଭୂଇଁରେ ସୋରିଷ ବୁଣି ଦେଲେ ଏମାନେ ବହୁ ଉଚ୍ଚରୁ ତାହା ଦେଖି ଖୁଣ୍ଟି ପାରନ୍ତି ।
ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ - ୧୬ ମାର୍ଚ୍ଚ ୨୦୨୫) ଜଣେ ଆଧୁନିକ ଓଡ଼ିଆ କବି ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ତାଙ୍କର ଜଣାଶୁଣା ରଚନା ମଧ୍ୟରେ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ଅନ୍ୟତମ । ସେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା ଏବଂ ଏହା ଇଂରାଜୀ ତଥା ଆଠଟି ଭାରତୀୟ ଭାଷାରେ ଅନୁଦିତ । ୧୯୯୨ ମସିହା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ମସିହା ଯାଏ କାର୍ଯ୍ୟକରିଥିଲେ ଓ ଚାକିରି ଶେଷ ବେଳକୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ୧୯୯୩ରୁ ୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ରେବତୀ ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଏହା ସେହି ବର୍ଷ ଅକ୍ଟୋବର ମାସରେ ଉତ୍କଳ ସାହିତ୍ୟ ପତ୍ରିକାର ଦ୍ୱିତୀୟ ବର୍ଷ ଦଶମ ସଂଖ୍ୟା କାର୍ତ୍ତିକ ୧୩୦୬ରେ ପ୍ରଥମେ ପ୍ରକାଶ ପାଇଥିଲା । ଫକୀର ମୋହନ ଏହି ପତ୍ରିକାରେ ଶ୍ରୀ ଧୁର୍ଜଟି ନାମରେ ଏହି ଗଳ୍ପଟି ଲେଖିଥିଲେ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି । ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଥିଲା । ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢ଼ିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଛି ।
ନିମୋଥୋରାକ୍ସ (ଇଂରାଜୀ ଭାଷାରେ pneumothorax) ନାମ ଦିଆଯାଏ ଯେତେବେଳେ ପ୍ଲୁରା ଅଭ୍ୟନ୍ତରରେ (pleural space) ଅସାଧାରଣ ବାୟୁ ସଂଗୃହିତ ହୋଇ ଛାତି କାନ୍ଥ (chest wall) ଓ ଫୁସଫୁସ ସଂଯୋଜନ ଦୂର ହୋଇଯାଏ । ଲକ୍ଷଣ: ହଠାତ୍ ଛାତିର ଏକ ପାଖରେ ତୀବ୍ର ଯନ୍ତ୍ରଣା ଆରମ୍ଭ ହୋଇ ରୋଗୀ ଅଣନିଶ୍ୱାସୀ (shortness of breath) ହୋଇଯାଏ । ଅଳ୍ପ କେତେକ କେଶ୍ରେ ନଷ୍ଟ ହୋଇଥିବା ତନ୍ତୁ ସ୍ଥାନରେ ଗୋଟିଏ ଏକ ପାଖିଆ ଭଲ୍ଭ ତିଆରି ହୋଇଯିବାଦ୍ୱାରା ଏକ ଅବସ୍ଥା ଉପୁଜେ ଯାହାକୁ ଟେନସନ ନିମୋଥୋରାକ୍ସ କୁହାଯାଏ । ଫୁସଫୁସର ଏହି ଅବସ୍ଥା ଫଳରେ କ୍ରମାଗତ ଅମ୍ଳଜାନ ଅଭାବ (oxygen shortage) ହୁଏ ଓ ନିମ୍ନ ରକ୍ତଚାପ (low blood pressure) ସୃଷ୍ଟି ହୁଏ । ତୁରନ୍ତ ସଫଳ ଚିକିତ୍ସା ନ ପାଇଲେ ରୋଗୀର ମୃତ୍ୟୁ ହୋଇପାରେ । ଛାତିର ଉଭୟ ପାର୍ଶ୍ୱ କ୍ୱଚିତ ଏହି ରୋଗଦ୍ୱାରା ଆକ୍ତାନ୍ତ ହୋଇପାରେ । ଏହି ରୋଗକୁ ସଂକୁଚିତ ଫୁସଫୁସ (collapsed lung) ମଧ୍ୟ କୁହାଯାଏ ଯଦିଓ ଏହି ନାମ ଅନ୍ୟ ଏକ ରୋଗକୁ ବୁଝାଏ ଯାହାର ପ୍ରକୃତ ନାମ ଆଟେଲେକ୍ଟାସିସ (atelectasis) ।
ମାଣବସା ଗୁରୁବାର ଓଷା (ମାଣବସା ଓ ମାଣ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।
ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ଓଡ଼ିଶା ସରକାର, ଓଡ଼ିଶା ଓ ଓଡ଼ିଶାର ଅନ୍ତର୍ଗତ ୩୦ଟି ଜିଲ୍ଲାର ଶାସନ କାର୍ଯ୍ୟ ପରିଚାଳନା କରନ୍ତି । ଭାରତର ଅନ୍ୟ ରାଜ୍ୟ ଗୁଡ଼ିକ ଭଳି ରାଜ୍ୟପାଳ ରାଜ୍ୟର ପ୍ରଶାସନିକ ମୁଖ୍ୟ ଅଟନ୍ତି ଓ ସେ କେନ୍ଦ୍ର ସରକାରଙ୍କ ପରାମର୍ଶରେ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି । ତାଙ୍କର ପଦବୀ ମୁଖ୍ୟତଃ ଆନୁଷ୍ଠାନିକ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ସରକାରର ମୁଖ୍ୟ ଏବଂ ଅଧିକାଂଶ କାର୍ଯ୍ୟନିର୍ବାହୀ କ୍ଷମତା ତାଙ୍କ ଉପରେ ନ୍ୟସ୍ତ । ଭୁବନେଶ୍ୱର ହେଉଛି ଓଡ଼ିଶାର ରାଜଧାନୀ ଏବଂ ଏଥିରେ ବିଧାନ ସଭା (ବିଧାନ ସଭା) ଏବଂ ସଚିବାଳୟ ରହିଛନ୍ତି । କଟକଠାରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ଅବସ୍ଥିତ ।
ଗୁରୁ ପ୍ରସାଦ ମହାନ୍ତି (୧୬ ଜୁଲାଇ ୧୯୨୪ - ୨୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮) ଆଦି ଅନ୍ୟତମ । ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । କବି ଗୁରୁ ପ୍ରସାଦ ମହାନ୍ତିଙ୍କ ସମ୍ପର୍କରେ ସର୍ବାଧିକ ଓ ସର୍ବୋତ୍ତମ ଗବେଷଣା ଓ ସମାଲୋଚନା କରିଥିବା ଏକବିଂଶ ଶତାବ୍ଦୀର ବିଶିଷ୍ଟ ସମାଲୋଚକ, ଗବେଷକ ଓ ସାହିତ୍ୟିକ ଡକ୍ଟର ସନ୍ତୋଷ କୁମାର ନାୟକ କହନ୍ତି, "ଓଡ଼ିଆ କବିତା କ୍ଷେତ୍ରରେ ନବ୍ୟ-ଆଧୁନିକତାର ପ୍ରକୃତ ପ୍ରବର୍ତ୍ତକ ହେଉଛନ୍ତି କବି ମେଜର ଗୁରୁ ପ୍ରସାଦ ମହାନ୍ତି । ସେ ଏକାଧାରରେ ଜଣେ ମେଜର୍ (ଏନ୍.ସି.ସି.
ଇରା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମିତ ଜଣେ ଓଡ଼ିଆ ପ୍ରଚ୍ଛଦପଟ ଗାୟିକା । ଇରା ମହାନ୍ତିଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି । ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତି । ବେଶ୍ ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ମେଲୋଡି ମଞ୍ଚରୁ ଆରମ୍ଭ କରିଥିଲେ ଗୀତ ଗାଇବା । ପରେ ସେ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ । ସମସ୍ତଙ୍କ ପାଖରେ ସେ ମେଲୋଡ଼ି କୁଇନ୍ ଭାବେର ବେଶ୍ ଜଣାଶୁଣା । ଏହା ଛଡ଼ା ସେ ଓଡ଼ିଶାର ବୁଲ୍ବୁଲ୍ ବୋଲି ମଧ୍ୟ ପ୍ରସିଦ୍ଧ । ଏବେ ସଂଗୀତ ସହ ସକ୍ରିୟ ରହିବା ସହ ସଂଗୀତ ସାଧନା ଜାରି ରଖିଛନ୍ତି ।
'ରବୀନ୍ଦ୍ରନାଥ ଠାକୁର ' ( (listen); Bengali pronunciation: [robind̪ro nat̪ʰ ʈʰakur]), (୧୮୬୧-୧୯୪୧) ଏକାଧାରରେ ଜଣେ କବି, ଚିତ୍ରଶିଳ୍ପୀ, ସଂଗୀତଜ୍ଞ, ଶିକ୍ଷାବିତ, ଗାଳ୍ପିକ ଓ ଦାର୍ଶନିକ ଥିଲେ । ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟକ ବୋଲି ଧରାଯାଏ । ଭାରତୀୟ ଭାଷା ଅନୁସାରେ ତାଙ୍କ ନାମ ରବିଦ୍ରନାଥ ଠାକୁର ଥିଲା । ତାଙ୍କୁ "ବଙ୍ଗଳାର ପକ୍ଷୀ" ବୋଲି ଆଖ୍ୟା ଦିଆଯାଇଥିଲା ।ଭାରତୀୟମାନଙ୍କ ମଧ୍ୟରେ ସେ ସର୍ବ ପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ । ଟାଗୋର ବହୁତ ଗଳ୍ପ, କବିତା, ଓ ନାଟକ ରଚନା କରିଥିଲେ ଓ ତା' ସହ ବହୁତ ଗୀତ ଓ ସଙ୍ଗୀତ ଲେଖିଥିଲେ । ରବୀନ୍ଦ୍ରନାଥଙ୍କ ୫୨ଟି କାବ୍ୟଗ୍ରନ୍ଥ, ୩୮ଟି ନାଟକ, ୧୩ଟି ଉପନ୍ୟାସ, ୩୬ଟି ପ୍ରବନ୍ଧ, ୯୬ କ୍ଷୁଦ୍ର ଗଳ୍ପ ଓ ୧୯୧୫ ସଙ୍ଗୀତ ପ୍ରକାଶିତ ହୋଇସାରିଛି । ରବୀନ୍ଦ୍ରନାଥଙ୍କ ରଚନା ବିଭିନ୍ନ ଭାଷାରେ ଅନୁବାଦିତ ହୋଇସାରିଛି । ଗୀତାଞ୍ଜଳିର ଲେଖକ ଓ ତାଙ୍କର ଗଭୀର ସମ୍ବେଦନଶୀଳ, ତାଜା, ସୁମଧୁର କବିତା; ୧୯୧୩ ମସିହାରେ ଗୀତାଞ୍ଜଳି କବିତାଗ୍ରନ୍ଥର ଇଂରାଜୀ ଅନୁବାଦ ପାଇଁ ସେ ନୋବେଲ ପୁରସ୍କାର ଲାଭ କରିଥିଲେ । ତାଙ୍କଦ୍ୱାରା ରଚିତ ସଂଗୀତ ୨ଟି ଦେଶ, ନିଜ ନିଜ ଦେଶର ଜାତୀୟ ସଂଗୀତ ଭାବେ ବାଛି ନେଇଛନ୍ତି: ଭାରତ "ଜନ ଗଣ ମନ" ଓ ବାଂଲାଦେଶ "ଆମର୍ ସୋନାର ବଙ୍ଗଲା" । ଶ୍ରୀଲଙ୍କାର ଜାତୀୟ ସଂଗୀତ ମଧ୍ୟ ଟାଗୋରଙ୍କଠାରୁ ପ୍ରେରଣା ଲାଭ କରିଥିଲା ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ ଓ ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଗଜପତି ବୀରକିଶୋର ଦେବ (୨ ଜୁଲାଇ ୧୯୨୯ - ୮ ଜୁଲାଇ ୧୯୭୦) ପୁରୀର ଗଜପତି ମହାରାଜା ଥିଲେ । ସେ ଓଡ଼ିଶା ରାଜନୀତିରେ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ବୀରକିଶୋର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖୋର୍ଦ୍ଧା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ବିଟ କଏନ ଏକ ଗୁପ୍ତ ମୁଦ୍ରା ବା ଅଦୃଶ୍ୟ କ୍ୟାଶ ଅଟେ । ଏହାକୁ ଅନଲାଇନ ୱାଲେଟ ମଧ୍ୟ କୁହାଯାଏ । ଅନଲାଇନରେ ଦ୍ରବ୍ୟ କ୍ରୟ ପାଇଁ ଏହାକୁ ବ୍ୟବହାର କରାଯାଏ । ସାଂଖିକ ଦେଣନେଣ ( ଡିଜିଟାଲ ପେମେଣ୍ଟ )ର ଏହା ଏକ ମାଧ୍ୟମ ଅଟେ । ବିଟ କଏନଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରୁ ସିଧାସଳଖ କିଣାବିକା କରାଯାଇ ପାରେ । ଏକ ଅଜ୍ଞାତ ପ୍ରୋଗ୍ରାମର କିମ୍ବା ସତୋଶୀ ନାକାମୋତୋ ନାମକ ଏକ ପ୍ରୋଗ୍ରାମର ଗୋଷ୍ଠୀଦ୍ୱାରା ଉଦ୍ଭାବିତ ହୋଇଥିଲା । ଏହାକୁ ଓପନ ସୋର୍ସରେ ୨୦୦୯ ମସିହାରେ ଛଡ଼ାଯାଇଥିଲା ।
ଦେବସ୍ନାନ ପୂର୍ଣ୍ଣିମା ପରଦିନଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜରରେ ପୀଡ଼ିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତିନାହିଁ । ଏହି କାଳକୁ ଅଣସର ବା ଅନବସର କୁହାଯାଏ । ଦେବସ୍ନାନ ପୂର୍ଣ୍ଣିମା ଦିନ ଦେବସ୍ନାନ ମଣ୍ଡପରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କ ପ୍ରତିମା ଉପରେ ସୁନାକୂଅର ଅଧିବାସ ହୋଇ ରହିଥିବା ୧୦୮ ଗରା ଜଳ ଢଳାହୋଇ ସ୍ନାନ କରାଯାଏ । ଲଗାତର ୨୧ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପଖେଳିବା ପରେ ଶ୍ରୀଜୀଉମାନେ ୧୦୮ ଗରା ଜଳରେ ସ୍ନାନ କରିବାରୁ ତାଙ୍କୁ ଜ୍ୱର ହୋଇଛି ବୋଲି ଯାତ୍ରୀମାନଙ୍କୁ କୁହାଯାଏ । ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ (ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନ) ନିଅନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ । ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି । ବର୍ଷକ ବାର ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା ୧୧ମାସ ଏବଂ ଦଇତାମାନଙ୍କ ସେବା ଏକ ମାସ । ଏହା ଆଷାଢ଼ କୃଷ୍ଣ ପ୍ରତିପଦାରୁ ନୀଳାଦ୍ରୀ ବିଜେ ଯାଏଁ ଚଉଦଦିନ ଧରି କରାଯାଇଥାଏ ।
ପ୍ରଫୁଲ୍ଲ କୁମାର ରଥ ( ଜନ୍ମ : ୧୭ ଫେବୃଆରୀ ୧୯୩୫) ଜଣେ ଓଡ଼ିଆ ନାଟ୍ୟକାର । ୧୯୮୪ ମସିହାରେ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଓ ୧୯୯୭ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ । କିଛି ଓଡ଼ିଆ ଚଳଚ୍ଚିତ୍ରରେ ସେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ୩୨ ବେଶ ମଧ୍ୟରୁ ପ୍ରତିବର୍ଷ ୩୦ଟି ବେଶ ସମ୍ପନ୍ନ ହେଲା ବେଳେ ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ । ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶ ଓ ନାଗାର୍ଜୁନ ବେଶ । ଅନେକ ବର୍ଷ ଧରି ରଘୁନାଥ ବେଶ ଆଉହୋଇନଥିଲା ବେଳେ ୨୦୨୧ ମସିହା ପରେ ଆଉ ନାଗାର୍ଜୁନ ବେଶ ଯୋଗ ପଡ଼ିନାହିଁ । ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ଶିବ, ରାମ-କୃଷ୍ଣାଦି ରୂପ ଧାରଣ କରିଥାନ୍ତି । ପୁଣି ମହାପ୍ରଭୁମାନଙ୍କ ସବୁଯାକ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଦ୍ଧ ଓ ହରିହର ବେଶରେ ବଳଭଦ୍ର ମୂଖ୍ୟ ଭୂମିକା ଗ୍ରହଣ କରନ୍ତି । ଜଗନ୍ନାଥଙ୍କ ମୂଖ୍ୟ ୩୨ ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ । ଯଥା: - ସୁନାବେଶ ପାଞ୍ଚଥର ଓ ଶ୍ରାଦ୍ଧ ବେଶ ତିନିଦିନ, ଝୁଲଣ ସନ୍ଧ୍ୟା ବେଶ ସାତଦିନ, ଚନ୍ଦନଲାଗି ବେଶ ବୟାଳିଶ ଦିନ, ରାଧାଦାମୋଦର ବେଶ ଏକମାସ ଏବଂ ତିନୋଟି ବେଶ ପ୍ରତ୍ୟହ ସଂପନ୍ନ ହୋଇଥାଏ ।