ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
"ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ବନ୍ଦେ ମାତରମ ଏକ ରାଷ୍ଟ୍ର ଭକ୍ତି କବିତା ଯାହା ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କଦ୍ୱାରା ୧୮୮୨ ମସିହାରେ ଆନନ୍ଦ ମଠ ଉପନ୍ୟାସରେ ଲେଖାଯାଇଥିଲା । ଏହା ସଂସ୍କୃତ ଓ ବଙ୍ଗଳା ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା ଦୁର୍ଗାଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ ରବୀନ୍ଦ୍ରନାଥ ଠାକୁର ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ - ୧୬ ମାର୍ଚ୍ଚ ୨୦୨୫) ଜଣେ ଆଧୁନିକ ଓଡ଼ିଆ କବି ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ତାଙ୍କର ଜଣାଶୁଣା ରଚନା ମଧ୍ୟରେ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ଅନ୍ୟତମ । ସେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା ଏବଂ ଏହା ଇଂରାଜୀ ତଥା ଆଠଟି ଭାରତୀୟ ଭାଷାରେ ଅନୁଦିତ । ୧୯୯୨ ମସିହା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ମସିହା ଯାଏ କାର୍ଯ୍ୟକରିଥିଲେ ଓ ଚାକିରି ଶେଷ ବେଳକୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ୧୯୯୩ରୁ ୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ପୌଷ ପୂର୍ଣ୍ଣିମା କୃଷି ସମ୍ବନ୍ଧିତ ଏକ ସାମାଜିକ ପର୍ବ, ବ୍ରତ ବା ଓଷାପୂଜାର ଉପାଖ୍ୟାନ ଏହା ସହ ଜଡ଼ିତ ନଥାଏ । ପ୍ରଥମ ପାଚିଲା ଧାନକୁ ନେଇ ଓଡ଼ିଶାରେ ନୂଆଁଖାଇ ପାଳିତ ହେଲା ପରି ଫସଲ ଅମଳ ହେବା ପରେ ପୌଷ ମାସର ପୂର୍ଣ୍ଣିମାକୁ ପୁଷ୍ପୁନି ବା ଛେର୍ଛେରା ଭାବେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଏକ ଗଣପର୍ବ ରୂପେ ପାଳନ କରାଯାଏ । ପୂର୍ଣ୍ଣମୀ ରାତିସାରା ପଶ୍ଚିମ ଓଡ଼ିଶାର ଗାଁମାନଙ୍କରେ ନୃତ୍ୟ-ଗୀତର ଆସର ଜମିଥାଏ । ଏପ୍ରକାର ଆନନ୍ଦ ଉଲ୍ଲାସରେ ଆବାଳ ବୃଦ୍ଧବନିତା ଅଂଶୀଦାର ଥାଆନ୍ତି ।
ଜାନକୀ ବଲ୍ଲଭ ପଟ୍ଟନାୟକ (୩ ଜାନୁଆରୀ ୧୯୨୭ - ୨୧ ଅପ୍ରେଲ ୨୦୧୫) ଜଣେ ରାଜନୀତିଜ୍ଞ, ବାଗ୍ମୀ, ସାମ୍ବାଦିକ ଓ ଲେଖକ ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଆସାମର ରାଜ୍ୟପାଳ, ତିରୁପତି ରାଷ୍ଟ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳାଧିପତି, ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ । ସେ ରାଜନେତା ଜୟନ୍ତୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ । ରାଜନେତା ଓ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କ ଜ୍ୱାଇଁ ଓ ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ତାଙ୍କ ନାତୁଣୀ । ସେ 'ଇଷ୍ଟର୍ଣ୍ଣ ଟାଇମ୍ସ' ଖବରକାଗଜରୁ ସାମ୍ବାଦିକ ଭାବେ ନିଜର କର୍ମଜୀବନ ଆରମ୍ଭ କରି ପରେ ତାହାର ସମ୍ପାଦକ ହୋଇଥିଲେ । ସେ ଓଡ଼ିଆ ଦୈନିକ ପ୍ରଜାତନ୍ତ୍ରର ମଧ୍ୟ ସମ୍ପାଦକ ହୋଇ ୧୯୬୭ ପର୍ଯ୍ୟନ୍ତ ସେହି ଭାରରେ ଥିଲେ । ୧୯୬୭ ମସିହାରେ ସେ ପୌରୁଷ ପତ୍ରିକା ପ୍ରତିଷ୍ଠା କରି ତାହାର ସମ୍ପାଦକ ଥିଲେ ।
ସାବିତ୍ରିବାଈ ଜ୍ୟୋତି ରାଓ ଫୁଲେ (୩ ଜାନୁଆରୀ ୧୮୩୧ - ୧୦ ମାର୍ଚ୍ଚ ୧୮୯୭) ଜଣେ ଭାରତୀୟ ଶିକ୍ଷିକା, ସମାଜ ସୁଧାରିକା ଏବଂ କବୟତ୍ରୀ ଥିଲେ। ବ୍ରିଟିଶ ଶାସନ ସମୟରେ ସେ ତାଙ୍କ ସ୍ୱାମୀ ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେଙ୍କ ସହିତ ମିଶି ନାରୀମାନଙ୍କ ଅଧିକାର ଏବଂ ଶିକ୍ଷା ପାଇଁ କାର୍ଯ୍ୟ କରିଥିଲେ । ସାବିତ୍ରୀବାଈ ଭରତର ପ୍ରଥମ ବାଳିକା ବିଦ୍ୟାଳୟରେ ପ୍ରଥମ ମହିଳା ଶିକ୍ଷୟିତ୍ରୀ ଥିଲେ । ତାଙ୍କୁ ଲୋକେ ଆଧୁନିକ ମରାଠୀ କାବ୍ୟର ଅଗ୍ରଦୂତ ଭାବେ ମାନନ୍ତି ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ , କୋଶଳ , କୋଙ୍ଗଦ , ଉଡ୍ର ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ। ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ସାରଦା ପ୍ରସନ୍ନ ନାୟକ (୧୩ ଡିସେମ୍ବର ୧୯୨୬ – ୯ ସେପ୍ଟେମ୍ବର ୨୦୨୦) ଜଣେ ଓଡ଼ିଆ କଥାଚିତ୍ର ଗୀତିକାର ଓ ନିର୍ଦ୍ଦେଶକ ଥିଲେ । ସେ ୧୯୫୬ ମସିହାରେ ଭକ୍ତକବି ଜୟଦେବ ଚଳଚ୍ଚିତ୍ରରୁ ସହନିର୍ଦ୍ଦେଶକ ଭାବରେ ନିଜ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ର ବ୍ୟତୀତ ସେ ରେଡ଼ିଓ ଓ ଦୂରଦର୍ଶନରେ ମଧ୍ୟ ସକ୍ରିୟ ରହିଆସିଥିଲେ । ସେ ତାଙ୍କ ନିର୍ମିତ ଚଳଚ୍ଚିତ୍ର କା, ସ୍ତ୍ରୀ ଓ ସଂସାରରେ ପାରଦର୍ଶିତା ପାଇଁ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲେ । ୨୦୧୩ ମସିହାରେ ଓଡ଼ିଶା ସରକାର ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପ୍ରଦାନ କରିଥିଲେ ।
କେଶବ କୋଇଲି ଏକ ଓଡ଼ିଆ କୋଇଲି ବା ପଦାବଳୀ । ଏହା ୧୩ଶ ଶତକରେ ପୁରାତନ କବି ମାର୍କଣ୍ଡ ଦାସ ରଚନା କରିଥିଲେ । ଏହାକୁ ଓଡ଼ିଆରେ ରଚିତ ପ୍ରଥମ ମାନକ ସାହିତ୍ୟ ରଚନା ବୋଲି ଗଣନା କରାଯାଏ । ଏହି ଚଉତିଶାରେ "କ"ରୁ ଆରମ୍ଭ ହୋଇ "କ୍ଷ" ଯାଏଁ ଚଉତିରିଶ ଗୋଟି ପଦାବଳୀ ରହିଛି । ପରେ ଜଗନ୍ନାଥ ଦାସ ଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରି ଅର୍ଥ କୋଇଲି ରଚନା କରିଥିଲେ । ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣା ଶିଶୁ ବେଦ ଓ ସପ୍ତାଙ୍ଗ ସାରଳା ଦାସଙ୍କ ପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଇରା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମିତ ଜଣେ ଓଡ଼ିଆ ପ୍ରଚ୍ଛଦପଟ ଗାୟିକା । ଇରା ମହାନ୍ତିଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି । ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତି । ବେଶ୍ ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ମେଲୋଡି ମଞ୍ଚରୁ ଆରମ୍ଭ କରିଥିଲେ ଗୀତ ଗାଇବା । ପରେ ସେ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ । ସମସ୍ତଙ୍କ ପାଖରେ ସେ ମେଲୋଡ଼ି କୁଇନ୍ ଭାବେର ବେଶ୍ ଜଣାଶୁଣା । ଏହା ଛଡ଼ା ସେ ଓଡ଼ିଶାର ବୁଲ୍ବୁଲ୍ ବୋଲି ମଧ୍ୟ ପ୍ରସିଦ୍ଧ । ଏବେ ସଂଗୀତ ସହ ସକ୍ରିୟ ରହିବା ସହ ସଂଗୀତ ସାଧନା ଜାରି ରଖିଛନ୍ତି ।
ହଳଧର ନାଗ ଜଣେ ଭାରତୀୟ କୋଶଳୀ-ସମ୍ବଲପୁରୀ-ଭାଷୀ ଲୋକକବି, ଲେଖକ ଓ ରାମକଥା ଗାୟକ । ଜଣେ ଲୋକ କବି ଭାବରେ ସେ ପ୍ରାରମ୍ଭିକ ଜୀବନରେ ଭଜନ, ରସରକେଲି, ଡାଲଖାଇ, ସଜନୀ ଆଦି ପାରମ୍ପରିକ ସମ୍ବଲପୁରୀ ଗୀତ ରଚନା କରିଥିଲେ ଓ ସେସବୁ ସ୍ଥାନୀୟ ଦଣ୍ଡ ନାଟରେ ପରିବେଷଣ କରାଯାଉଥିଲା । ମହାସତୀ ଉର୍ମିଳା, ଆଛିଆ, ତାରା ମନ୍ଦୋଦରୀ, ବଛର, ସିରି ସମଲାଇ, ବୀର ସୁରେନ୍ଦ୍ର ସାଏ, କରମସାଣୀ, ରସିଆ କବି, ପ୍ରେମ ପ୍ରଧାନ ଆଦି ତାଙ୍କର ଉଲ୍ଲେଖନୀୟ ରଚନା । ତାଙ୍କର ସାହିତ୍ୟ ରଚନା ନିମନ୍ତେ ସେ ୨୦୧୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ପାଇଥିଲେ । ୨୦୧୬ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ ଓ ୨୦୨୦ ମସିହାରେ ତାଙ୍କ ନାମରେ ପଦ୍ମଶ୍ରୀ ହଳଧର ନାଗ ସାଧନା କୁଟୀର ଓ ସଂଗ୍ରହାଳୟ ଉଦ୍ଘାଟନ କରିଥିଲେ । ତାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଡକ୍ଟରେଟ ସମ୍ମାନ ପ୍ରଦାନ କରାଥିଲେ । ତାଙ୍କ ରଚନାବଳୀ ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଅନୂଦିତ ହୋଇଛି । ତାଙ୍କ ନାମରେ ଜନ୍ମଭୂମି ବରଗଡ଼ ଜିଲ୍ଲାର ଘେଁସଠାରେ ଏକ କୋଶଳୀ ଭାଷା ଓ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ସ୍ଥାପିତ ହୋଇଥିଲା ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ବ୍ୟାଡ଼ମିଣ୍ଟନ ଏକ ରେକେଟ ଖେଳ । ଏହି ଖେଳକୁ ଏକ ଜାଲି ଉପରେ ରେକେଟଦ୍ୱାରା ପରଯୁକ୍ତ କକ୍କୁ ମାରି ଖେଳାଯାଏ । ଏହି ଖେଳର ନିୟମ ହେଉଛି ସିଙ୍ଗଲସ୍ (ଗୋଟିଏ ଦଳ ପ୍ରତି ଗୋଟିଏ ଖେଳାଳୀ) ଓ ଡବଲସ୍ (ଗୋଟିଏ ଦଳ ପ୍ରତି ଦୁଇଟି ଖେଳାଳୀ) । ଏହି ଖେଳ ସାଧାରଣତଃ ଘର ବାହାରେ ଖେଳାଯାଏ । ନିୟମ ଅନୁଯାୟୀ ଏହି ଖେଳ ଏକ ୟାର୍ଡ଼ ଆୟତାକର କ୍ଷେତ୍ରରେ ଖେଳାଯାଏ । ପରଯୁକ୍ତ କକ୍କୁ ରେକେଟରେ ମାରି ବିପରୀତ ଦଳ ପଟେ ଜମିରେ ଏବଂ ନିର୍ଦ୍ଧାରିତ ସୀମା ରେଖା ମଧ୍ୟରେ ପକାଇ ପାରିଲେ ଏକ ପଏଣ୍ଟ ହିସାବ କରାଯାଏ ।
ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି । ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା । ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରାଯାଏ । ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ.
ପ୍ରାଣବନ୍ଧୁ କର (୧ ଡିସେମ୍ବର ୧୯୧୪ - ୩୦ ମାର୍ଚ୍ଚ ୧୯୯୮) ଜଣେ ଅଧ୍ୟାପକ, ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ତାଙ୍କ ରଚିତ କେତେକ ଜଣାଶୁଣା ରଚନା ମଧ୍ୟରେ ଅଶାନ୍ତ, ଶ୍ୱେତପଦ୍ମା ଆଦି ନାଟକ, ଦୂରପାହାଡ଼ ଓ ପେଟୁ ଏକାଙ୍କିକା, ଷଣ୍ଢ ଲଢେଇ ଓ ସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟର ଓ ଫତୁରାନନ୍ଦଙ୍କ ନାକଟା ଚିତ୍ରକରର ନାଟ୍ୟରୂପ ଦେଇଥିଲେ । ତାଙ୍କର ଅଶାନ୍ତ ନାଟକ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସ୍ନାୟୁ ସଂହାର ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ପାଳିତ ହେଉଥିବା ପବପର୍ବାଣିରେ ଏଥିପାଇଁ ଗାଉଁଲୀ ଢଗ ରହିଛି ଯଥା-""ଅଇଲା ଚିତୋଉ ନାନୀ/ ବାରଓଷା ପର୍ବ ସଙ୍ଗରେ ଘେନି, ଶମ୍ବର ଦଶମୀ ଅଲଣାଦାଉ/ ସବୁ ଓଷା ବାର ଏଇଠି ଥାଉ ।"
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ । ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି । ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ । ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ ।
ଗୁରୁ ପ୍ରସାଦ ମହାନ୍ତି (୧୬ ଜୁଲାଇ ୧୯୨୪ - ୨୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮) ଆଦି ଅନ୍ୟତମ । ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଗୁରୁ ପ୍ରସାଦ ମହାନ୍ତିଙ୍କ ସମ୍ପର୍କରେ ଗବେଷକ ଓ ସାହିତ୍ୟିକ ଡକ୍ଟର ସନ୍ତୋଷ କୁମାର ନାୟକ କହନ୍ତି, "ଓଡ଼ିଆ କବିତା କ୍ଷେତ୍ରରେ ନବ୍ୟ-ଆଧୁନିକତାର ପ୍ରକୃତ ପ୍ରବର୍ତ୍ତକ ହେଉଛନ୍ତି କବି ମେଜର ଗୁରୁ ପ୍ରସାଦ ମହାନ୍ତି । ସେ ଏକାଧାରରେ ଜଣେ ମେଜର୍ (ଏନ୍.ସି.ସି.
ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ରାଜେନ୍ଦ୍ର କିଶୋର ପଣ୍ଡା ( ୨୪ ଜୁନ ୧୯୪୪ - ୨୪ ଅକ୍ଟୋବର ୨୦୨୫) ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଓଡ଼ିଆ କବି ଓ ଲେଖକ ଥିଲେ । ସେ ୧୯୬୭ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଭାରତୀୟ ପ୍ରଶାସନିକ ସେବାରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ସେ ତାଙ୍କ ରଚନା ଶୈଳକଳ୍ପ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏହା ବ୍ୟତୀତ ତାଙ୍କର ବିଭିନ୍ନ ରଚନା ଓ ଓଡ଼ିଆ ସାହିତ୍ୟକୁ ଅବଦାନ ନିମନ୍ତେ ୨୦୨୧ରେ ସାରଳା ସମ୍ମାନ, ୨୦୧୨ରେ ଗଙ୍ଗାଧର ଜାତୀୟ ସମ୍ମାନ, ୨୦୦୪ରେ ଉଭୟ ବିଷୁବ ପୁରସ୍କାର ଓ ସାହିତ୍ୟ ଭାରତୀ ସମ୍ମାନ, ୧୯୯୪ରେ ଝଙ୍କାର ପୁରସ୍କାର ଆଦିରେ ସମ୍ମାନୀତ ହୋଇଥିଲେ । ସେ ୧୬ଟି କବିତା ସଂକଳନ ପ୍ରକାଶ କରିଥିଲେ। ସେଗୁଡ଼ିକ ଭିତରୁ ଶତ୍ରଦ୍ରୁ ଅନେକ, ନିଜ ପାଇଁ ନାନାବାୟା, ଚଉକାଠରେ ଚିରକାଳ, ଶୈଳକଳ୍ପ, ବହୁବ୍ରୀହି ଆଦି ପ୍ରମୁଖ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ସେ ଆନୁମାନିକ ୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦,୦୦୦ ପଦ୍ୟାବଳୀ ସେ ରଚନା କରିଯାଇଛନ୍ତି । ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଆୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ତାଙ୍କୁ ଓଡ଼ିଶାର ପୁରପଲ୍ଳୀରେ 'ମହାପୁରୁଷ' ଭାବେ ଲୋକେ ଅଭିହିତ କରନ୍ତି ।
ଅକ୍ଷୟ କୁମାର ଆଚାର୍ଯ୍ୟ (ଜନ୍ମ: ୨୬ ଜୁଲାଇ ୧୯୪୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ଜଣେ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଓଡ଼ିଶା ବିଧାନ ସଭାର ସେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଗୋପାଳ ଛୋଟରାୟ (୨୦ ଅପ୍ରେଲ ୧୯୧୬ - ୨୨ ଜାନୁଆରୀ ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକସବୁ ଜୀବନ୍ତ । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। । "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।। ଅଶୋକ ଖ୍ରୀ.
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ପ୍ରାଧିକରଣ । ଏହା ପୃଥିବୀର ଛଅଟି ବଡ଼ ସରକାରୀ ମହାକାଶ ପ୍ରାଧିକରଣ ମଧ୍ୟରୁ ଅନ୍ୟତମ ଯଥା: ଆମେରିକାର ନାସା (NASA), ଋଷିଆର RKA, ଇଉରୋପର ଇସା (ESA), ଚୀନର ସିନସଏ (CNSA) ଓ ଜାପାନର JAXA । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା - ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ ।
ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।
ବରଗଛ ହେଉଛି ଭାରତର ଜାତୀୟ ବୃକ୍ଷ। ଏହାକୁ ବଟବୃକ୍ଷ ବୋଲି କୁହାଯାଏ। ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କଦ୍ୱାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲା ପରେ ଏହାର ଡ଼ାଳରୁ ଓହଳ ବାହାରି ମାଟିରେ ଲାଗିଯାଏ, ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ । ଆଗକାଳରେ ପ୍ରତିଟି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବରଗଛ ରହୁଥିଲା । ରଜ ପର୍ବରେ ପିଲାଏ ଏଥିରେ ଦୋଳି ଖେଳନ୍ତି । ଗାଁର ଲୋକେ ପୁଣ୍ୟ ହେବ ଭାବି ବରଗଛ ଓ ପିପଲ୍ ଗଛ ବାହାଘର କରିଥାନ୍ତି ।
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ପୁଷ୍ୟା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ପୌଷ ବା ପୁଷ ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ମାର୍ଗଶିର ଓ ପରବର୍ତ୍ତୀ ମାସ ମାଘ । ପୌଷ ଓ ଏହାର ପରବର୍ତ୍ତୀ ମାସ ମାଘ ଶୀତ ଋତୁ । ଏହା ଓଡ଼ିଆ ହିନ୍ଦୁମାନଙ୍କର ନବମ ଚାନ୍ଦ୍ରମାନ ମାସ। ଏଇ ମାସରେ ଯିଏ ମରିଥିବ, ସିଏ ତାଙ୍କ ସମ୍ପର୍କୀୟଙ୍କୁ ଭୂତ ହେଇ ହଇରାଣ କରିବ। ଏଇ ମାସରେ ବାହାଘର, ବ୍ରତଘର, ବାଣିଜ୍ୟ, ଗୃହ ପ୍ରତିଷ୍ଠା ଆଦି ଶୁଭକାର୍ଯ୍ୟ ଭାଙ୍ଗିଯାଏ।
ମାଟିର ମଣିଷ, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଏକ ଉପନ୍ୟାସ ଅଟେ । ୧୯୩୧ ମସିହାରେ ଏହି ଉପନ୍ୟାସଟିର ପ୍ରଥମ ମୁଦ୍ରଣ କରାଯାଇଥିଲା ଏବଂ ୧୯୭୬ ସୁଦ୍ଧା ଏହା ବତିଶ ଥର ମୁଦ୍ରିତ ହୋଇଥିଲା । ୧୯୭୬ ପରଠାରୁ ଦୀର୍ଘ ତିନି ଦଶନ୍ଧି ଧରି ଏହାର ପୁନଃମୁଦ୍ରଣ ହୋଇପାରିନଥିଲା । ପରେ ୨୦୦୪ ମସିହାରେ କାଳିନ୍ଦୀଚରଣଙ୍କ ପୁତ୍ର ତୁଷାରରଞ୍ଜନ ପାଣିଗ୍ରାହୀଙ୍କ ଅନୁମତି କ୍ରମେ ପୁଣି ଥରେ ଏହାର ଏକ ସଚିତ୍ର ସଂସ୍କରଣ ପ୍ରକାଶିତ ହୋଇଥିଲା । ମାଟିର ମଣିଷ ଉପନ୍ୟାସରେ ସିଲହୋଏଟ୍ ଧରଣର ଚିତ୍ର ସ୍ଥାନ ପାଇଛି (ଏହି ଧରଣର ଛବିରେ ରଙ୍ଗ ବା ବସ୍ତୁର ବହୁଳତା ନଥାଏ) । ମାଟିର ମଣିଷ ଉପନ୍ୟାସ ପାଇଁ ଗୋପାଳ ଚରଣ କାନୁନ୍ଗୋ ଏହି ଚିତ୍ର ଗୁଡ଼ିକ ଆଙ୍କିଥିଲେ । ୧୯୫୯ ସଂସ୍କରଣ ସମୟରେ ଏହି ଉପନ୍ୟାସର ମୂଲ୍ୟ ମାତ୍ର ଏକ ଟଙ୍କା ଚାରି ଅଣା ବା ୧.୨୫ ନୂଆପଇସା ଥିଲା । ସେତେବେଳେ ଏହା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦଦ୍ୱାରା ଅଷ୍ଟମ ଶ୍ରେଣୀର ଅତିରିକ୍ତ ସାହିତ୍ୟ ରୂପେ ଅନୁମୋଦିତ ହୋଇଥିଲା । ମାଟିର ମଣିଷ ଉପନ୍ୟାସ ବିଷୟରେ କହିବାପାଇଁ ଯାଇ ଉପନ୍ୟାସର ଉତ୍ସର୍ଗ ପୃଷ୍ଠାରେ କାଳିନ୍ଦୀ ଚରଣ ଲେଖିଛନ୍ତି: ଦୁନିଆର ହାଟେ କୋଟି ହୀରା ନୀଳା ମଣି-ମାଣିକର ତୁଲ, ମାଟିର ପିତୁଳା ଗଢ଼ି ରଖିଦେଲି କିଏ ପଚାରିବ ମୂଲ !
ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ (୧୫ ଅକ୍ଟୋବର ୧୯୩୧- ୨୭ ଜୁଲାଇ ୨୦୧୫), ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । କଲାମ ତାମିଲନାଡୁର ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି । ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର "ଭାରତ ରତ୍ନ"ରେ ସମ୍ମାନିତ କରା ଯାଇଥିଲା ।