ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଚଇତି ଘୋଡ଼ା ନାଚ (ଘୋଡ଼ା ନାଚ, ଚଇତାଳି ଘୋଡ଼ା ନାଟ ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ପାରମ୍ପରିକ ଲୋକନୃତ୍ୟ । ଏହା ମୁଖ୍ୟତଃ ଓଡ଼ିଶାର ଉପକୂଳ ଅଞ୍ଚଳରେ କେଉଟମାନଙ୍କଦ୍ୱାରା ଆରମ୍ଭ ହୋଇ ସେହି ଅଞ୍ଚଳମାନଙ୍କରେ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ପରିବେଷିତ ହୋଇଥାଏ । କେଉଟମାନେ ବାଉଁଶ ବତାରେ ଘୋଡ଼ାର ପାଦହୀନ ଦେହ ଓ ବେକ ଆକାରର ଗୋଟିଏ ଥାଟ ତିଆରି କରି ତା ଉପରେ ଲୁଗା ଆଦି ଘୋଡ଼ାନ୍ତି ଓ ବେକ ଉପରେ ଘୋଡ଼ାମୁହଁ ପରି ଚିତ୍ରିତ ମୁଖାଟିଏ ଲଗାନ୍ତି ଉକ୍ତ ଚଇତିଘୋଡ଼ାର ପିଠିରେ ଗୋଟିଏ କଣା ଥାଏ ସେହି କଣାବାଟେ ମନୁଷ୍ୟ ଅଣ୍ଟା ପର୍ଯ୍ୟନ୍ତ ପଶି କରି ଭୂମିରେ ଠିଆହୁଏ ଓ ଘୋଡ଼ାରୂପର ଆଗରୁ ଓ ପଛରୁ ଡ଼ୋରି ଲଟକା ଯାଏ ମନୁଷ୍ୟର ଅଣ୍ଟାଠାରୁ ନିମ୍ନ ଅଂଶ ଘୋଡ଼ା ଭିତରେ ଲୁଚି ଥାଏ ଓ ଅଣ୍ଟାଠାରୁ ଉପର ଅଂଶ ଘୋଡ଼ା ଭିତରେ ବସିବା ପରି ଅନୁମିତ ହୁଏ । ଏ ବ୍ୟକ୍ତି ନାଚିବା ସଙ୍ଗେ ସଙ୍ଗେ ଘୋଡ଼ା ମଧ୍ୟ ନାଚେ ଘୋଡ଼ାର ମୁହଁଆଡ଼େ ଲଗାମପରି କନାଡ଼ୋରି ବନ୍ଧା ହୋଇଥାଏ ଉକ୍ତ ଡ଼ୋରିକୁ ନାଚିବାବାଲା ଧରି ଘୋଡ଼ାର ଲଗାମ ଧରିବାର ଅଭିନୟ କରେ କେଉଟମାନେ ଏହି ପର୍ବ ଉପଲକ୍ଷରେ ଚଢ଼େଇବା ଓ ଚଢ଼ଉଣୀ ବେଶ ହୋଇ ନାଚନ୍ତି ଓ ଗୀତ ବୋଲନ୍ତି ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ , କୋଶଳ , କୋଙ୍ଗଦ , ଉଡ୍ର ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
"ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣି ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
କବିସୂର୍ଯ୍ୟ ବଳଦେବ ରଥ (୧୭୭୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୭୯ ମସିହାରେ ଗଞ୍ଜାମ ଜିଲ୍ଲା ଆଠଗଡ଼(ଅଷ୍ଟଦୁର୍ଗ) ରାଜ୍ୟର ତ୍ରିପୁରାରୀ ଓତାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ବ୍ରହ୍ମପୁର ଗଉଡ ସାହିରେ ପ୍ରାଣତ୍ୟାଗ କରିଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।
ପର୍ଶୁରାମ କୁଣ୍ଡ ହିନ୍ଦୁମାନଙ୍କର ଏକ ତୀର୍ଥସ୍ଥଳୀ ଯାହା ବ୍ରହ୍ମପୁତ୍ର ଉପତ୍ୟକାର ଲୋହିତ ନଦୀ ପାଖରେ ଅବସ୍ଥିତ । ଏହା ଭାରତର ଅରୁଣାଚଳ ପ୍ରଦେଶର ଲୋହିତ ଜିଲ୍ଲାରେ ଥିବା ତେଜୁର ୨୧ କିମି ଉତ୍ତର ଦିଗରେ ଅବସ୍ଥିତ । ଏହି ସ୍ଥାନ ଋଷି ପର୍ଶୁରାମଙ୍କୁ ସମର୍ପିତ ଏକ ସ୍ଥାନ ଯେଉଁଠାକୁ ନେପାଳ, ଭାରତ, ମଣିପୁର ଓ ଆସାମରୁ ଅସଂଖ୍ୟ ତୀର୍ଥଯାତ୍ରୀ ଆସନ୍ତି । ଜାନୁଆରୀ ମାସରେ ଅନୁଷ୍ଠିତ ମକରସଂକ୍ରାନ୍ତି ଦିନ ସେଠାରେ ୭୦,୦୦୦ରୁ ଅଧିକ ଲୋକ, ସାଧୁ ଓ ଭକ୍ତମାନେ ସେଠାରେ ଥିବା ପବିତ୍ର ଜଳରେ ଅବଗାହନ କରନ୍ତି ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଭାରତୀୟ ଜାତୀୟ କଂଗ୍ରେସ (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ଼ ରାଜନୈତିକ ଦଳ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା । ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ସରକାର ୟୁ.ପି.ଏ.
ପରଶୁରାମ (ସଂସ୍କୃତ: परशुराम, IAST: Paraśurāma, ଜଣେ ପରଶୁଧାରୀ ରାମ) ହିନ୍ଦୁ ଧର୍ମରେ ବିଷ୍ଣୁଙ୍କର ଷଷ୍ଠ ଅବତାର । ପୁରାଣ ଅନୁସାରେ ସେ ଜଣେ ଚିରଞ୍ଜୀବୀ ଓ ସେ କଳି ଯୁଗ ଶେଷରେ ବିଷ୍ଣୁଙ୍କ ଦଶମ ଏବଂ ଶେଷ ଅବତାର କଳ୍କୀଙ୍କର ଗୁରୁ ଭାବେ ଅବତରିବେ । ସେ ଆକ୍ରମଣ, ଯୁଦ୍ଧ ଓ ବୀରତ୍ୱ ପ୍ରଦର୍ଶନ ସହ ଶାନ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ଭଳି ଅନେକ ଗୁଣ ଧାରଣ କରିଥିଲେ । ଯେତେବେଳେ ପୃଥିବୀରେ ଅତ୍ୟଧିକ ପାପ ବୃଦ୍ଧି ହେଲା, ସେତେବେଳେ ବିଷ୍ଣୁଙ୍କର ପୃଥିବୀ ପୃଷ୍ଠରେ ପର୍ଶୁରାମ ଅବତାର ନେବା ପାଇଁ ପୂର୍ବରୁ ଭବିଷ୍ୟବାଣୀ କରାଯାଇଥିଲା । ଅସ୍ତ୍ରଶସ୍ତ୍ର ଓ କ୍ଷମତା ଯୋଗୁଁ କ୍ଷତ୍ରିୟମାନେ ସେମାନଙ୍କର କ୍ଷମତାର ଅପବ୍ୟବହାର କରିବା, ଅନ୍ୟର ଜିନିଷକୁ ବଳପୂର୍ବକ ଗ୍ରହଣ କରିବା ଏବଂ ଲୋକଙ୍କୁ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲେ । ପର୍ଶୁରାମ ଏହି କ୍ଷତ୍ରୀୟ ଯୋଦ୍ଧାମାନଙ୍କୁ ବିନାଶ କରି ବ୍ରହ୍ମାଣ୍ଡର ସନ୍ତୁଳନ ରକ୍ଷା କଲେ ।
ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ - ୧୬ ମାର୍ଚ୍ଚ ୨୦୨୫) ଜଣେ ଆଧୁନିକ ଓଡ଼ିଆ କବି ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ତାଙ୍କର ଜଣାଶୁଣା ରଚନା ମଧ୍ୟରେ କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ସାତଟି କବିତା ସଂକଳନ ଅନ୍ୟତମ । ସେ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇଥିଲେ । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା ଏବଂ ଏହା ଇଂରାଜୀ ତଥା ଆଠଟି ଭାରତୀୟ ଭାଷାରେ ଅନୁଦିତ । ୧୯୯୨ ମସିହା ପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ୧୯୯୨ ମସିହା ଯାଏ କାର୍ଯ୍ୟକରିଥିଲେ ଓ ଚାକିରି ଶେଷ ବେଳକୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ୧୯୯୩ରୁ ୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ । ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
କ୍ରିସ୍ମସ୍ ଟ୍ରି ବା କ୍ରିସ୍ମସ୍ ଗଛ ବା ବଡ଼ଦିନ ଗଛ (ଇଂରାଜୀରେ Christmas tree) ଏକ କୋନାକାର ଗଛ ଯାହାକୁ ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସୁସଜ୍ଜିତ କରିଥାନ୍ତି । ପାଇନ୍ ଜାତୀୟ କୌଣସି ଗଛର ଅଂଶ ବା କୃତ୍ରିମ ଗଛକୁ ବଡ଼ଦିନ ଉପଲକ୍ଷେ ସଜାଇବାର ପ୍ରଥା ଉତ୍ତର ୟୁରୋପରୁ ଆରମ୍ଭ ହୋଇଥିଲା । ମଧ୍ୟଯୁଗୀୟ ଲିଭୋନିଆରେ (ବର୍ତ୍ତମାନ ସମୟର ଇଷ୍ଟୋନିଆ ଓ ଲାଟ୍ଭିଆ) ଏହି ପ୍ରଥା ଜନ୍ମ ହୋଇଥିଲା ଏବଂ ଆଧୁନିକ ଯୁଗର ପ୍ରାରମ୍ଭରୁ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟିୟାନ୍ମାନେ ଏହି ସଜ୍ଜିତ ଗଛ ଘରକୁ ଆଣୁଥିଲେ ବା ଗଛକୁ ଘରକୁ ଆଣି ସଜାଉଥିଲେ । ପରେ ଏହି ପ୍ରଥାର ଲୋକପ୍ରିୟତା ଜର୍ମାନୀର ଲୁଥେରାନ୍ ଅଞ୍ଚଳକୁ ଅତିକ୍ରମ କରି ଅନ୍ୟ ପ୍ରାନ୍ତକୁ ବ୍ୟାପି ଯାଇଥିଲା । କ୍ରମଶଃ ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ବଲ୍ଟିକ୍ ସାଗରତଟସ୍ଥ ଦେଶଗୁଡ଼ିକର ସମ୍ଭ୍ରାନ୍ତ ପରିବାରମାନଙ୍କରେ କ୍ରିସ୍ମସ୍ ଗଛ ପ୍ରଥା ପ୍ରଚଳିତ ହେବାକୁ ଲାଗିଲା ।
ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟରାଶି ଗମନକୁ ସଂକ୍ରାନ୍ତି କହନ୍ତି । ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କ୍ଷୟବୃଦ୍ଧି ସହିତ ଚାନ୍ଦମାନ ଓ ସଂକ୍ରାନ୍ତି କଳାରେ ସୌରମାନ ମାସ ଆମର ପଞ୍ଜିକାରେ ଅନ୍ତର୍ଭୁକ୍ତ । ଅମାବାସ୍ୟା ଓ ପୂର୍ଣ୍ଣିମା ଚନ୍ଦ୍ର ଦର୍ଶନ ଯୋଗୁଁ ପ୍ରତ୍ୟକ୍ଷରେ ଉପଲବ୍ଧ କରିହୁଏ; କିନ୍ତୁ ସୂର୍ଯ୍ୟଙ୍କ ଗତି ଯୋଗୁଁ ଦିନ ରାତି ଏବଂ ଋତୁମାନଙ୍କର ପରିବର୍ତ୍ତନ ହୁଏ । ପ୍ରତି ଇଂରାଜୀ ମାସର ତା୧୩ରିଖଠାରୁ ତା୧୫ରିଖ ମଧ୍ୟରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିବା ଯୋଗୁଁ ସୂର୍ଯ୍ୟଙ୍କର ସଂକ୍ରମଣ କ୍ରିୟା ବା ସଂକ୍ରାନ୍ତି ହୁଏ । ତେଣୁ ସୂର୍ଯ୍ୟଙ୍କ ଅୟନ କ୍ରମେ ସେହି ସଂକ୍ରାନ୍ତିଗୁଡିକ ନାମିତ ହୋଇଥାନ୍ତି ।
ସୋନାଲି ଏ ସଜନାନୀ (ଜନ୍ମ ୧ ମଇ ୧୯୮୯) ଜଣେ ଭାରତୀଯ଼ ଅଭିନେତ୍ରୀ ଏବଂ ସୌନ୍ଦର୍ଯ୍ୟ଼ ପ୍ରତିଯୋଗିତାର ଟାଇଟଲ୍ଧାରୀ ଯିଏ ମିସ୍ ଇଣ୍ଟରନ୍ଯ଼ାସନାଲ ୨୦୦୬ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ଶୀର୍ଷ ୧୨ ସ୍ଥାନ ପାଇଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଲଭ୍ ରଞ୍ଜନ ନିର୍ଦ୍ଦେଶିତ ୨୦୧୧ର ପ୍ଯ଼ାର୍ କା ପଞ୍ଚନାମା। ସେ ରାଯ଼ୋ ଏସ୍ ବଖିର୍ତାଙ୍କ ବିପକ୍ଷରେ ବିକ୍ରାନ୍ତ ଚୌଧୁରୀ ଭୂମିକାରେ ଅଭିନଯ଼ କରିଥିଲେ। ସୋନାଲିଙ୍କୁ ପ୍ଯ଼ାର କା ପଞ୍ଚନାମା ୨ ଏବଂ ୱେଡିଙ୍ଗ ପୁଲ୍ୱରେ ମଧ୍ଯ଼ ଦେଖିବାକୁ ମିଳିଥିଲା, ଉଭଯ଼ ଗୋଟିଏ ଦିନରେ (୧୬ ଅକ୍ଟୋବର) ମୁକ୍ତିଲାଭ କରିଥିଲେ। ନିକଟରେ ତାଙ୍କୁ ସଲମାନ ଖାନ ସହ 'ଥମ୍ସ ଅପ୍ "ର ଏକ ବିଜ୍ଞାପନରେ ଦେଖିବାକୁ ମିଳିଥିଲା।
ପୂର୍ବ ଉପକୂଳରେ ଅବସ୍ଥିତ ଭାରତର ୨୮ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଅଛନ୍ତି । ଓଡ଼ିଆ ଓଡ଼ିଶାର ସରକାରୀ ଓ ବହୁଳତମ କଥିତ ଭାଷା ଏବଂ ୨୦୦୧ ଜନଗଣନା ଅନୁସାରେ ୩.୩୨ କୋଟି (୩୩.୨ ନିୟୁତ) ଲୋକ ଏଥିରେ କଥାହୁଅନ୍ତି । ଆଧୁନିକ ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ୧ ତରିଖରେ ବ୍ରିଟିଶ ଶାସିତ ଭାରତର ଏକ ପ୍ରଦେଶ ଭାବରେ ମୁଖ୍ୟତଃ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା । ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରାଯାଏ । ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ହୋଇଥିଲା । ଖ୍ରୀ.ପୂ.
ମାଳତୀ ଚୌଧୁରୀ (୨୬ ଜୁଲାଇ ୧୯୦୪ - ୧୫ ମାର୍ଚ୍ଚ ୧୯୯୮) ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ମାଳତୀ ୨୬ ଜୁଲାଇ ୧୯୦୪ରେ ଏକ ବ୍ରାହ୍ମ ପରିବାରରେ ବାପା ବାରିଷ୍ଟର କୁମୁଦ ନାଥ ସେନ ଓ ମାଆ ସ୍ନେହଲତା ସେନଙ୍କଠାରୁ ଜନ୍ମ ନେଇଥିଲେ । ୨.୫ ବର୍ଷ ବୟସରେ ବାପାଙ୍କୁ ହରାଇ ସେ ମାଆଙ୍କ ଦେଇ ପରିପାଳିତ ହୋଇଥିଲେ । ବିଶ୍ୱକବି ରବିନ୍ଦ୍ରନାଥ ତାଙ୍କୁ ସ୍ନେହରେ ମିନୁ ଓ ଗାନ୍ଧୀଜୀ ତାଙ୍କୁ ତୁଫାନୀ ନାମରେ ଡାକୁଥିଲା ବେଳେ ସେ ଓଡ଼ିଶାବାସୀଙ୍କ ଆଦରଣୀୟ ନୂମା (ନୂଆ ମା) ଭାବେ ପରିଚିତ ଥିଲେ । ସ୍ୱାଧୀନତା ସଂଗ୍ରାମର ପ୍ରଜାମଣ୍ଡଳ ଆନ୍ଦୋଳନରେ ସେ ଏତେ ମାତ୍ରାରେ ଜଡ଼ିତ ଥିଲେ ଇଂରେଜ ସରକାର ତାଙ୍କୁ "ଜୋଆନ୍ ଅଫ୍ ଆର୍କ" ନାମେର ସମ୍ବୋଧନ କରୁଥିଲେ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
କ୍ରନିକ ଅବ୍ଷ୍ଟ୍ରକ୍ଟିଭ୍ ପଲ୍ମୋନାରି ଡିଜିଜ
କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ପଲ୍ମୋନାରି ଡିଜିଜ (ସି.ଓ.ପି.ଡି.) (ଓଡ଼ିଆରେ- ଫୁସଫୁସ ବାଧା ସୃଷ୍ଟିକାରୀ ଦୀର୍ଘସ୍ଥାୟୀ ରୋଗ), ରୋଗର ଅନ୍ୟ ଇଂରାଜୀ ନାମ କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ଲଙ୍ଗ ଡିଜିଜ (ସି.ଓ.ଏ.ଡି.), କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ଏୟାର୍ୱେ ଡିଜିଜ୍ (ସି.ଓ.ଏ.ଡି), ଯାହା ଏକ ପ୍ରକାର ଫୁସଫୁସ ରୋଗ ଯେଉଁଥିରେ ଫୁସଫୁସର ଶ୍ୱାସକ୍ରିୟାରେ ଦୀର୍ଘସ୍ଥାୟୀ ବାଧା ହୁଏ । ଧୁମ୍ରପାନ ଏହି ରୋଗର ଏକ ସାଧାରଣ କାରଣ ହେଲେ ମଧ୍ୟ ବାୟୁ ପ୍ରଦୂଷଣ ଓ ଜେନେଟିକ୍ସ ଏହାର ଛୋଟ କାରଣ ଥାଏ ।. ବିକାଶଶୀଳ ରାଷ୍ଟ୍ରମାନଙ୍କରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ମଧ୍ୟରେ ରନ୍ଧା ଘରେ ବାୟୁ ଚଳାଚଳର ଅଭାବ ଥାଏ । ଦୀର୍ଘ ଦିନ ଧରି ଏହି ଉଦ୍ଦୀପକ ବସ୍ତୁ ପ୍ରଶ୍ୱାସରେ ଫୁସଫୁସ ଅଭ୍ୟନ୍ତରକୁ ଗଲେ ସେଠାରେ ପ୍ରଦାହ ସୃଷ୍ଟି ହୋଇ ଛୋଟ ଛୋଟ ବାୟୁ ନଳୀ ଆହୁରି ସରୁ ହୋଇଯାଏ ଓ ଫୁସଫୁସ ତନ୍ତୁ ନଷ୍ଟ ହୋଇଯାଏ ଯାହାକୁ ଏମ୍ଫିସେମା କୁହାଯାଏ । ଫୁସଫୁସ କାର୍ଯ୍ୟ ପରୀକ୍ଷାଦ୍ୱାରା (Pulmonry function test) ଫୁସଫୁସରେ କମ ବାୟୁ ପ୍ରବାହ ହେଉଥିବା ଜଣାପଡିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।.
ଭାରତୀୟ ଜାତୀୟ ଫୁଟବଲ ଦଳ ଅନ୍ତର୍ଜାତୀୟ ଫୁଟବଲରେ ଭାରତର ପ୍ରତିନିଧିତ୍ୱ କରେ ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍ଏଫ୍)ଦ୍ୱାରା ପରିଚାଳିତ ହୁଏ । ଏହା ଫିଫାର ଅଧୀନରେ ଅଛି । ଏସିଆରେ ଏସୀୟ ଫୁଟ୍ ବଲ୍ ମହାସଂଘ (ଏଏଫ୍ ସି) ଏବଂ ଦକ୍ଷିଣ ଏସିଆରେ ଦକ୍ଷିଣ ଏସୀୟ ଫୁଟ୍ ବଲ୍ ମହାସଂଘ (ସାଫ୍)ଦ୍ୱାରା ଏହା ପରିଚାଳିତ ହେଉଛି - ଯାହା ଉଭୟ ଭାରତୀୟ ଦଳର ତଦାରଖ କାରୀ ସଂସ୍ଥା ଏଆଇଏଫ୍ଏଫଦ୍ୱାରା ମିଳିତ ଭାବେ ସ୍ଥାପିତ ହୋଇଥିଲା।
ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମୀୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ନାଟକର ସୃଷ୍ଟି କେବେ ଓ କିଭଳି ହେଲା ତାହା ରହସ୍ୟମୟ । ତେବେ ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକଗୁଡ଼ିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରାଯାଇ ନପାରେ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ,ପାଣିନି,କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଟକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ଗୁଡିକର ବର୍ହିଲକ୍ଷ୍ୟ ଓ ଅନ୍ତର୍ଲକ୍ଷ୍ୟ ହେଉଛି ଶିକ୍ଷା ପ୍ରଦାନ । ଜନଜୀବନର କାହାଣୀକୁ ବା ଲୋକବୃତ୍ତକୁ ବିଶ୍ୱସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଅନ୍ୟ ଏକ ଲକ୍ଷ୍ୟ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପୀର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ ଶିବ ଓ ମଙ୍ଗଳର ଜୟଗାନପାଇଁ ଆହ୍ୱାନ ଦେଇଥାନ୍ତି ।
ଚନ୍ଦ୍ରପକ୍ଷର ଏକାଦଶ ଦିବସ - ଚନ୍ଦ୍ରର ଏକାଦଶ କଳାର ହ୍ରାସ ବା ବୃଦ୍ଧିଜନିତ ତିଥି । କୃଷ୍ଣପକ୍ଷର ଏକାଦଶୀକୁ କୃଷ୍ଣା ଏକାଦଶୀ ଓ ଶୁକ୍ଳପକ୍ଷର ଏକାଦଶୀକୁ ଶୁକ୍ଳା ଏକାଦଶୀ କୁହାଯାଇଥାଏ । ଏକାଦଶୀ ତିଥିରେ କେତେକ ବିଶେଷ ନକ୍ଷତ୍ରର ସଂଯୋଗ ଘଟିଲେ ତାହାକୁ ଜୟା-ବିଜୟା-ଜୟନ୍ତୀ ଓ ପାପନାଶିନୀ କହାଯାଏ । ତେବେ ୨୪ ଏକାଦଶୀର ନାମ ରହିଛି । ସେଗୁଡିକ ହେଲା ଉତ୍ପନ୍ନା, ମୋକ୍ଷଦା, ସଫଳା, ପୁତ୍ରଦା, ଷଟ୍ତିଳା, ଜୟା (ଭୌମୀ), ବିଜୟା, ଆମଳକୀ(ଅଅଁଳା) , ପାପମୋଚନୀ, କାମଦା, ବରୁଥିନୀ, ମୋହିନୀ, ଅପରା, ନିର୍ଜଳା ଅଥବା ଭୀମସେନୀ, ଯୋଗିନୀ, ହରିଶୟନୀ (ପଦ୍ମା), କାମିକା (କାମଦା), ପୁତ୍ରଦା, ଅଜା, ପଦ୍ମା (ପୁତ୍ରଦା), ଇନ୍ଦିରା, ପାପଙ୍କୁଶା, ରମ୍ଭା ଓ ପ୍ରବୋଧିନୀ ।
ଭୀମରାଓ ରାମଜୀ ଆମ୍ବେଦକର (୧୪ ଏପ୍ରିଲ ୧୮୯୧ - ୬ ଡିସେମ୍ବର ୧୯୫୬) ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ ଯିଏ ସମ୍ବିଧାନ ସଭା ବିତର୍କରୁ ଭାରତର ସମ୍ବିଧାନ ପ୍ରସ୍ତୁତ କରୁଥିବା କମିଟିର ନେତୃତ୍ୱ ନେଇଥିଲେ, ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ହିନ୍ଦୁ ଧର୍ମ ତ୍ୟାଗ କରିବା ପରେ ଦଳିତ ବୌଦ୍ଧ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ସେ ଆନୁମାନିକ ୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦,୦୦୦ ପଦ୍ୟାବଳୀ ସେ ରଚନା କରିଯାଇଛନ୍ତି । ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଆୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ତାଙ୍କୁ ଓଡ଼ିଶାର ପୁରପଲ୍ଳୀରେ 'ମହାପୁରୁଷ' ଭାବେ ଲୋକେ ଅଭିହିତ କରନ୍ତି ।
ବିଜୟ ମିଶ୍ର (୧୬ଜୁଲାଇ ୧୯୩୬ - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ । ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ବ୍ରାହ୍ମ ସମାଜ ରାଜା ରାମମୋହନ ରାୟଙ୍କଦ୍ୱାରା ୧୮୨୮ ମସିହା ଅଗଷ୍ଟ ୨୦ ତାରିଖରେ ପ୍ରତିଷ୍ଠିତ ଏକ ଧାର୍ମିକ ଅନୁଷ୍ଠାନ। ବ୍ରହ୍ମ ସମାଜ ଥିଲା ରାଜା ରାମମୋହନ ରାୟଙ୍କର ଏକ ଅନବଦ୍ୟ ସୃଷ୍ଟି। ଏହି ଅନୁଷ୍ଠାନ ମାଧ୍ୟମରେ ହିଁ ସେ ଜନସାଧାରଣମାନଙ୍କୁ ତାଙ୍କ ବାଣୀ ପ୍ରଚାର କରିଥିଲେ। ଆଧ୍ୟତ୍ମିକତା, ସହିଷ୍ଣୁତା ଓ ସର୍ବ ଧର୍ମସମନ୍ୱୟ ଥିଲା ବ୍ରାହ୍ମ ସମାଜର ଆଦର୍ଶ। ରାମସେ ମେକଡୋନାଲଡଙ୍କ ଭାଷାରେ ବ୍ରାହ୍ମ ସମାଜ ହିନ୍ଦୁ ଧର୍ମକୁ ପରିତ୍ୟାଗ ନକରି ପାଶ୍ଚାତ୍ୟ ଜଗତର ଧର୍ମ ବିଶ୍ୱାସ ପ୍ରତି ଉଦାର ଓ ସହାନୁଭୂତି ସମ୍ପନ୍ନ ହେବାକୁ ଚେଷ୍ଟା କରୁଥିଲା। ଏହି ସମାଜଦ୍ୱାରା ରାମମୋହନ ହିନ୍ଦୁ ଧର୍ମର ରକ୍ଷଣଶୀଳତାକୁ ଦୂର କରିବା ନିମନ୍ତେ ଚେଷ୍ଟା କରି କେତେକାଂଶରେ କୃତକାର୍ଯ୍ୟ ହୋଇଥିଲେ। ବାସ୍ତବପକ୍ଷେ ଭାରତୀୟମାନଙ୍କ ମନରେ ସ୍ୱାଧୀନ ଚିନ୍ତାଧାରା ଓ ଦୁଃସାହାସିକ ମନୋଭାବର ବୀଜ ବପନ କରିବାରେ ସାହାଯ୍ୟ କରିଥିଲା ବ୍ରହ୍ମ ସମାଜ। ପରେ ପରେ ଏହି ବୀଜ ଏକ ବିରାଟ ବୃକ୍ଷରେ ପରିଣତ ହୋଇ ସ୍ୱାଧୀନତା ଲାଭ ନିମନ୍ତେ ସଂଗ୍ରାମ କରିବାକୁ ଭାରତୀୟମାନଙ୍କୁ ପ୍ରୋତ୍ସାହିତ କରିଥିଲା। ଏହା ଏକ ପ୍ରଭାବଶାଳୀ ଧାର୍ମିକ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ଥିଲା, ଯାହା ଆଧୁନିକ ଭାରତ ନିର୍ମାଣର ବିଶ୍ୱାସଯୋଗ୍ୟ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧୀନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .
ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ
ଭାରତ ଏକ ସଂଗଠିତ ଗଣରାଜ୍ୟ ଏହା ୨୮ଟି ରାଜ୍ୟ ଓ ଆଠଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହୋଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁନର୍ବାର ଜିଲ୍ଲା ଆଦିରେ ଉପବିଭାଜିତ ହୋଇଛନ୍ତି । .
ଅଜନ୍ତା ଗୁମ୍ଫା (ଇଂରାଜୀରେ Ajanta Caves,ମରାଠୀ ଭାଷାରେ अजिंठा लेणी - ଅର୍ଥାତ୍ ଅଜିଣ୍ଠା ଗୁମ୍ଫା) ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ମଧ୍ୟରେ ଭାରତରେ ନିର୍ମିତ ପ୍ରାୟ ୩୦ଟି ବୌଦ୍ଧ ଗୁମ୍ଫାକୁ ବୁଝାଇଥାଏ । ଏହି ଗୁମ୍ଫାଗୁଡ଼ିକ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ । ଏହି ଗୁମ୍ଫାମାନଙ୍କରେ ପ୍ରସ୍ତରକୁ କାଟି ନିର୍ମିତ ମୂର୍ତ୍ତି ସହିତ ଗୁମ୍ଫା କାନ୍ଥ ଓ ଛାତରେ ବହୁ ସୁନ୍ଦର ଚିତ୍ର ମଧ୍ୟ ଦେଖିବାକୁ ମିଳେ । ମୂର୍ତ୍ତିଗୁଡ଼ିକ ପ୍ରାଚୀନ ଭାରତୀୟ ସ୍ଥାପତ୍ୟ କଳାର ଜୀବନ୍ତ ଦୃଷ୍ଟାନ୍ତ ଏବଂ ଚିତ୍ରଗୁଡ଼ିକରେ ଭାବଭଙ୍ଗୀ ଅତି ନିଖୁଣ ଭାବରେ ପ୍ରକାଶିତ । ୟୁନେସ୍କୋ (UNESCO) ଅନୁସାରେ ଭାରତୀୟ କଳାକୁ ପ୍ରଭାବିତ କରିଥିବା ବୌଦ୍ଧ ଧାର୍ମିକ କଳାର ଏକ ଶ୍ରେଷ୍ଠ ଉଦାହରଣ ହେଉଛି ଅଜନ୍ତା । ଏହି ଗୁମ୍ଫାଗୁଡ଼ିକ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ନିର୍ମିତ ହୋଇଥିଲା । ପ୍ରଥମ ନିର୍ମାଣ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିଲା । ଦ୍ୱିତୀୟ ନିର୍ମାଣ ପାରମ୍ପରିକ ଲେଖା ଅନୁସାରେ ଖ୍ରୀ. ୪୦୦-୬୫୦ ମଧ୍ୟରେ ଓ ନୂତନ ଗବେଷକଙ୍କ ମତରେ ଖ୍ରୀ.
ଭାରତୀୟ ସଂସ୍କୃତି ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।
ନେଲସନ ରୋଲିହ୍ହଲ୍ଲା ମଣ୍ଡେଲା (୧୮ ଜୁଲାଇ ୧୯୧୮ - ୫ ଡିସେମ୍ବର ୨୦୧୩) ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରମୁଖ୍ୟ (୧୯୯୪-୧୯୯୯) ଥିଲେ । ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣ ଶ୍ୱେତାଙ୍ଗ ବା କୃଷ୍ଣକାୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଶାସନକାଳ ମଧ୍ୟରେ ଅପାର୍ଥିଡ଼ ନୀତିର ପତନ ହୋଇଥିଲା ତଥା ଚାଲିଆସୁଥିବା ରଙ୍ଗଭେଦ, ଦାରିଦ୍ର୍ୟ, ସାମାଜିକ ଅସମାନତାକୁ ଦୂର କରିବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ରାଜନୈତିକ ଭାବେ ସେ ଗଣତାନ୍ତ୍ରିକ ସମାଜବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖିଥିଲେ ଏବଂ ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ୧୯୯୧ରୁ ୧୯୯୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଅନ୍ତର୍ଜାତୀୟ ପଦବୀ ଭାବେ "ନନ-ଆଲାଇନଡ ମୁଭମେଣ୍ଟ"ର ସାଧାରଣ-ସଚିବ ଭାବେ ୧୯୯୮-୧୯୯୯ ପାଇଁ କାର୍ଯ୍ୟରତ ଥିଲେ । ଯୋସା ସଂପ୍ରଦାୟର ଥେମ୍ବୁ ରାଜପରିବାରରେ ଜନ୍ମଗ୍ରହଣ କରି ମଣ୍ଡେଲା ଫୋର୍ଟ ହାରେ ବିଶ୍ୱ ବିଦ୍ୟାଳୟ ଓ ୱିଟୱାଟର୍ସରାଣ୍ଡ ବିଶ୍ୱବିଦ୍ୟାଳୟରେ ଆଇନ ଶିକ୍ଷା କରିଥିଲେ । ଜୋହାନ୍ସବର୍ଗରେ ରହିବା ସମୟରେ ଔପନିବେଶ ବିରୋଧୀ ରାଜନୀତିରେ ଅଂଶଗ୍ରହଣ କରି ଆଫ୍ରିକୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ ଓ ଏହାର ଯୁବ ସଂଘର ପ୍ରତିଷ୍ଠାତା ସଭ୍ୟ ଥିଲେ । ୧୯୪୮ରେ ନ୍ୟାସନାଲ ପାର୍ଟିର "ଆଫ୍ରିକାନ" ଜାତୀୟତାବାଦୀମାନେ ସରକାର ଗଠନ କରି କ୍ଷମତାକୁ ଆସିବା ପରେ ଅପାର୍ଥିଡ଼କୁ ନୀତିକୁ ପ୍ରାଧାନ୍ୟ ଦେଇଥିଲେ, ଏବଂ ସେହି ସମୟରେ ମଣ୍ଡେଲା ଜାତୀୟ କଂଗ୍ରେସଦ୍ୱାରା ୧୯୫୨ରେ ହୋଇଥିବା ଅସହଯୋଗ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରି ଟ୍ରାନ୍ସଭାଲ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ ଏବଂ ୧୯୫୫ରେ "ପିପୁଲ ଅଫ କଂଗ୍ରେସ"କୁ ଉଦବୋଧନ ଦେଇଥିଲେ । ଜଣେ ଓକିଲ ଭାବେ କାର୍ଯ୍ୟ କରୁଥିବା ସମୟରେ ସନ୍ଦେହଜନକ କାର୍ଯ୍ୟକଳାପ ପାଇଁ ଓ ଜାତୀୟ କଂଗ୍ରେସ ନେତା ଭାବେ ୧୯୫୫ରୁ ୧୯୬୧ ଯାଏଁ ଦେଶଦ୍ରୋହ ପାଇଁ ଅଭିଯୁକ୍ତ ହୋଇଥିଲେ ମଧ୍ୟ ଶେଷରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ । ଯଦିଓ ଆନ୍ଦୋଳନ ଆରମ୍ଭରେ ସେ ଅହିଂସା ନୀତିରେ ବିଶ୍ୱାସ ରଖିଥିଲେ; କିନ୍ତୁ ସାଉଥ ଆଫ୍ରିକାନ କମ୍ୟୁନିଷ୍ଟ ପାର୍ଟି ସହ ମିଶି ୧୯୬୧ରେ "ଉମଖୋଂତ ୱେ ସିଜୱେ" ନାମରେ ଏକ ସଶସ୍ତ୍ର ବାହିନୀ ଗଠନ କରି, ସରକାର ବିରୁଦ୍ଧରେ ବହୁ ବୋମାମାଡ଼ର ନେତୃତ୍ୱ ନେଇଥିଲେ । ୧୯୬୨ ମସିହାରେ ଗଣସଂହାର ଓ ଅନ୍ତର୍ଘାତୀ କାର୍ଯ୍ୟପାଇଁ ଦୋଷୀ ସାବ୍ୟସ୍ତ ହୋଇ ରିଭିନିଆ ଶୁଣାଣୀରେ ଆଜୀବନ କାରାବାସ ପାଇଁ ଦଣ୍ଡ ପାଇଥିଲେ । ରଙ୍ଗଭେଦ ନୀତି ଓ ଅପାର୍ଥିଡ଼ ବିରୋଧରେ ଲଢ଼ି ସେ ନିଜ ଜୀବନକାଳର ୨୭ ବର୍ଷ କାଳ ରୋବେନ ଦ୍ୱୀପର କାରାଗାର, ପୋଲ୍ସମୁର କାରାଗାର ଓ ଭିକ୍ଟର ଭର୍ଷ୍ଟର କାରାଗାରରେ କଟାଇଥିଲେ । ତାଙ୍କୁ ମୁକ୍ତ କରିବା ପାଇଁ ଆନ୍ତର୍ଜାତିକ ଚାପ ବଢ଼ିବାରୁ ୧୯୯୦ରେ ଛାଡ଼ ପାଇଥିଲେ । ଜାତୀୟ କଂଗ୍ରେସର ସଭାପତି ଥିବା ସମୟରେ ମଣ୍ଡେଲା ନିଜର ଆତ୍ମଜୀବନୀ ପ୍ରକାଶ କରିଥିଲେ ଓ ତତକାଳୀନ ରାଷ୍ଟ୍ରପତି ଏଫ.ଡବଲ୍ୟୁ.
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ରାଜେନ୍ଦ୍ର କିଶୋର ପଣ୍ଡା ( ୨୪ ଜୁନ ୧୯୪୪ - ୨୪ ଅକ୍ଟୋବର ୨୦୨୫) ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଓଡ଼ିଆ କବି ଓ ଲେଖକ ଥିଲେ । ସେ ୧୯୬୭ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଭାରତୀୟ ପ୍ରଶାସନିକ ସେବାରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ସେ ତାଙ୍କ ରଚନା ଶୈଳକଳ୍ପ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏହା ବ୍ୟତୀତ ତାଙ୍କର ବିଭିନ୍ନ ରଚନା ଓ ଓଡ଼ିଆ ସାହିତ୍ୟକୁ ଅବଦାନ ନିମନ୍ତେ ୨୦୨୧ରେ ସାରଳା ସମ୍ମାନ, ୨୦୧୨ରେ ଗଙ୍ଗାଧର ଜାତୀୟ ସମ୍ମାନ, ୨୦୦୪ରେ ଉଭୟ ବିଷୁବ ପୁରସ୍କାର ଓ ସାହିତ୍ୟ ଭାରତୀ ସମ୍ମାନ, ୧୯୯୪ରେ ଝଙ୍କାର ପୁରସ୍କାର ଆଦିରେ ସମ୍ମାନୀତ ହୋଇଥିଲେ । ସେ ୧୬ଟି କବିତା ସଂକଳନ ପ୍ରକାଶ କରିଥିଲେ। ସେଗୁଡ଼ିକ ଭିତରୁ ଶତ୍ରଦ୍ରୁ ଅନେକ, ନିଜ ପାଇଁ ନାନାବାୟା, ଚଉକାଠରେ ଚିରକାଳ, ଶୈଳକଳ୍ପ, ବହୁବ୍ରୀହି ଆଦି ପ୍ରମୁଖ ।
ଓଡ଼ିଆ ଭାଗବତ ୧୪ଶ ଶତାବ୍ଦୀରେ ଜଗନ୍ନାଥ ଦାସଙ୍କ ରଚିତ ଏକ ଓଡ଼ିଆ ପଦ୍ୟାବଳୀ । ପ୍ରଥମେ ଏହା ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ସେହି ପୋଥିମାନଙ୍କୁ ଏକାଠି କରି ଛପା ବହି ଆକାରରେ ପ୍ରକାଶକରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଭାଗବତ ଟୁଙ୍ଗି, ଭାଗବତ ଗାଦି ବା ଭାଗବତ ଗୋସାଇଁ ଆଦିରେ ସାମୁହିକ ପଠନ ପାଇଁ ରହିଥିଲା । ସେଠାରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ପରେ ଏହା ଓଡ଼ିଆ ଘରମାନଙ୍କରେ ସାମୁହିକ ବଦଳରେ ଏକକ ଭାବେ ବୋଲାଯାଇଥାଏ । ଜଗନ୍ନାଥଙ୍କ ପାଖରେ ମଧ୍ୟ ଭାଗବତ ପଢ଼ାଯାଏ । ଭାଗବତ ଓଡ଼ିଆ ହିନ୍ଦୁ ଘରେ ସନ୍ତାନ ଜନ୍ମହେବା ପରେ ଏନ୍ତୁଡ଼ିଶାଳରେ ଏବଂ ମୁମୂର୍ଷୁର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ ଓ ହଇଜା ଆଦି ରୋଗ ଓ ଗ୍ରାମର ଅନିଷ୍ଟ ଦୂର ପାଇଁ ଭାଗବତ ପାଠ କରାଯାଉଥିଲା । ଭାଗବତ ବାର ସ୍କନ୍ଧରେ ବିଭକ୍ତ ଏବଂ ପ୍ରତି ସ୍କନ୍ଧରେ ଦଶରୁ ତିରିଶଟି ଅଧ୍ୟାୟ ରହିଛି । ପ୍ରତିଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପାଠ କଲେ ଏହା ଠିକ ଏକ ବର୍ଷ ବା ୩୬୫ ଦିନରେ ସରିଥାଏ ।
ସୁନୀଲ ଛେତ୍ରୀ (ଜନ୍ମ ୩ ଅଗଷ୍ଟ ୧୯୮୪) ଜଣେ ଭାରତୀୟ ପେଷାଦାର ଫୁଟବଲ ଖେଳାଳି । ସେ ଜଣେ ଫରୱାର୍ଡ ଭାବରେ ଖେଳନ୍ତି ଏବଂ ଉଭୟ ଇଣ୍ଡିଆନ୍ ସୁପର ଲିଗ୍ କ୍ଲବ ବେଙ୍ଗାଲୁରୁ ଏବଂ ଭାରତୀୟ ଜାତୀୟ ଦଳର ଅଧିନାୟକ । ସେ ତାଙ୍କ ଲିଙ୍କ୍ ଅପ୍ ଖେଳ, ଗୋଲ ସ୍କୋରିଂ ଦକ୍ଷତା ଏବଂ ନେତୃତ୍ୱ ପାଇଁ ଜଣାଶୁଣା । ସକ୍ରିୟ ଖେଳାଳିଙ୍କ ମଧ୍ୟରେ ସେ ତୃତୀୟ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ହାସଲକାରୀ, କେବଳ ଖ୍ରୀଷ୍ଟିଆନୋ ରୋନାଲ୍ଡୋ ଏବଂ ଲିଓନେଲ ମେସିଙ୍କ ପରେ ଚତୁର୍ଥ ଏବଂ ଭାରତୀୟ ଜାତୀୟ ଦଳର ସର୍ବକାଳୀନ ଶ୍ରେଷ୍ଠ ଗୋଲ ହାସଲକାରୀ ମଧ୍ୟ ଅଟନ୍ତି । ଦେଶ ପାଇଁ ତାଙ୍କର ଅବଦାନ ପାଇଁ ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଫୁଟବଲର ମାନଙ୍କ ମଧ୍ୟରୁ ଅନ୍ୟତମ ଭାବରେ ବିବେଚନା କରାଯାଏ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ବିନ୍ଦୁ ନାନୁଭାଇ ଦେସାଇ (ଜନ୍ମ ୧୭ ଏପ୍ରିଲ ୧୯୪୧) ଜଣେ ଭାରତୀୟ ପୂର୍ବତନ ଅଭିନେତ୍ରୀ, ଯିଏ “ବିନ୍ଦୁ” ନାମରେ ପରିଚିତ ଏବଂ ୧୯୭୦ ଦଶକରେ ବହୁତ ଲୋକପ୍ରିୟ ଥିଲେ। ସେ ଚାରି ଦଶକ ଧରି ଚାଲିଥିବା ଅଭିନୟ ଜୀବନରେ ୧୬୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ ସାତଥର ଫିଲ୍ମଫେୟାର ପୁରସ୍କାର ପାଇଁ ନାମାଙ୍କନ ପାଇଥିଲେ। ସେ ବିଶେଷକରି ୧୯୭୦ ମସିହାର କାଟି ପତଙ୍ଗ ଚଳଚ୍ଚିତ୍ରରେ “ଶବନମ” ଭୂମିକା ପାଇଁ ଏବଂ ପ୍ରେମ ଚୋପ୍ରାଙ୍କ ବିପରୀତ ତାଙ୍କର ଅନେକ ଚଳଚ୍ଚିତ୍ର ପାଇଁ ସ୍ମରଣୀୟ ଅଟନ୍ତି।
ବିକ୍ରମ ବାତ୍ରା ପରମ ବୀର ଚକ୍ର (୯ ସେପ୍ଟେମ୍ବର ୧୯୭୪ - ୭ ଜୁଲାଇ ୧୯୯୯) ଜଣେ ଭାରତୀୟ ସେନା ଅଧିକାରୀ ଥିଲେ । କାରଗିଲ ଯୁଦ୍ଧ ସମୟରେ କରିଥିବା କାର୍ଯ୍ୟ ପାଇଁ ତାଙ୍କୁ ସର୍ବୋଚ୍ଚ ଭାରତୀୟ ସାମରିକ ସମ୍ମାନ ଭାରତୀୟ ସମ୍ମାନ ପରମ ବୀର ଚକ୍ରପ୍ରଦାନ କରାଯାଇଥିଲା; ୭ ଜୁଲାଇ ୧୯୯୯ରେ, ଜମ୍ମୁ-କାଶ୍ମୀରର କାରଗିଲ ଜିଲ୍ଲାର ଏରିଆ ଲେଜ୍, ପଏଣ୍ଟ ୪୮୭୫ର ଆଖପାଖ ଅଞ୍ଚଳରେ ପାକିସ୍ତାନୀ ସେନ୍ୟଙ୍କ ସହିତ ଲଢ଼ି ଶହୀଦ ହୋଇଥିଲେ ।
ଗୁରୁ ପ୍ରସାଦ ମହାନ୍ତି (୧୬ ଜୁଲାଇ ୧୯୨୪ - ୨୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮) ଆଦି ଅନ୍ୟତମ । ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଗୁରୁ ପ୍ରସାଦ ମହାନ୍ତିଙ୍କ ସମ୍ପର୍କରେ ଗବେଷକ ଓ ସାହିତ୍ୟିକ ଡକ୍ଟର ସନ୍ତୋଷ କୁମାର ନାୟକ କହନ୍ତି, "ଓଡ଼ିଆ କବିତା କ୍ଷେତ୍ରରେ ନବ୍ୟ-ଆଧୁନିକତାର ପ୍ରକୃତ ପ୍ରବର୍ତ୍ତକ ହେଉଛନ୍ତି କବି ମେଜର ଗୁରୁ ପ୍ରସାଦ ମହାନ୍ତି । ସେ ଏକାଧାରରେ ଜଣେ ମେଜର୍ (ଏନ୍.ସି.ସି.
ବନମାଳୀ ଦାସ (୧୭୨୦-୧୭୯୩) ଅଷ୍ଟାଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ଭକ୍ତକବି ଓ ଓଡ଼ିଶୀ ସଙ୍ଗୀତକାର ଥିଲେ । "ଦୀନବନ୍ଧୁ ଦଇତାରୀ" , "କେଡେ ଛନ୍ଦ ଜାଣେ ଲୋ ସହି" , ଜଗନ୍ନାଥ କିଛି ମାଗୁ ନାହିଁ ତୋତେ"ମଣିମା ହେ ଏତିକି ମାଗୁଣି ମୋର" ଇତ୍ୟାଦି ତାଙ୍କର ଅନେକ ଜଣାଶୁଣା ରଚନା ଓ ଓଡ଼ିଶୀ ସଙ୍ଗୀତରେ ବ୍ୟବହୃତ । ତାଙ୍କ ଲୋକପ୍ରିୟ ଗୀତସବୁ ପର୍ବପର୍ବାଣି, ଜନସମାଗମ ସ୍ଥଳ ଓ ଓଡ଼ିଶୀ ସଙ୍ଗୀତରେ ବୋଲାଯାଇଥାଏ । ସେ ମଧ୍ୟଯୁଗୀୟ ଓଡ଼ିଆ ଭକ୍ତି-ସାହିତ୍ୟର ଆଦି କବି ଭାବେ ଜଣା । ପ୍ରାରମ୍ଭିକ ଭାବେ କେବଳ ପ୍ରେମ କାବ୍ୟ ରଚନା ଆରମ୍ଭ କରିଥିଲେ ମଧ୍ୟ ପରେ ତାଙ୍କ ରଚନାଗୁଡ଼ିକ ଅଧିକ ଲୋକାଦୃତି ଲାଭ କରିଥିଲା ଓ ସେ ନିଜ ସମକାଳୀନ କବିମାନଙ୍କ ମଧ୍ୟରେ ଜଣାଶୁଣା ଥିଲେ ।
ଛ ମାଣ ଆଠ ଗୁଣ୍ଠ ୧୮୯୭ ମସିହାରେ ଫକୀର ମୋହନ ସେନାପତିଙ୍କ ରଚିତ ଏକ ଓଡ଼ିଆ ଉପନ୍ୟାସ । ଏହା ପ୍ରଥମେ ଏକ ଧାରାବାହିକ ଭାବରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଫକୀର ମୋହନ ଏହାକୁ "ଧୂର୍ଜଟୀ" ଛଦ୍ମନାମରେ ପ୍ରକାଶ କରାଇଥିଲେ । ସେତେବେଳର ଓଡ଼ିଶାର ସାଧାରଣ ଜୀବନ ଉପରେ ଆଧାରିତ ଏହା ଏକ ବାସ୍ତବଧର୍ମୀ ଉପନ୍ୟାସ ଥିଲା । ୧୯୮୬ରେ ପାର୍ବତୀ ଘୋଷ ଏହି ଉପନ୍ୟାସକୁ ଆଧାର କରି ସମାନ ନାମରେ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।