ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।
ପରଶୁରାମ (ସଂସ୍କୃତ: परशुराम, IAST: Paraśurāma, ଜଣେ ପରଶୁଧାରୀ ରାମ) ହିନ୍ଦୁ ଧର୍ମରେ ବିଷ୍ଣୁଙ୍କର ଷଷ୍ଠ ଅବତାର । ପୁରାଣ ଅନୁସାରେ ସେ ଜଣେ ଚିରଞ୍ଜୀବୀ ଓ ସେ କଳି ଯୁଗ ଶେଷରେ ବିଷ୍ଣୁଙ୍କ ଦଶମ ଏବଂ ଶେଷ ଅବତାର କଳ୍କୀଙ୍କର ଗୁରୁ ଭାବେ ଅବତରିବେ । ସେ ଆକ୍ରମଣ, ଯୁଦ୍ଧ ଓ ବୀରତ୍ୱ ପ୍ରଦର୍ଶନ ସହ ଶାନ୍ତି, ଜ୍ଞାନ ଏବଂ ଧୈର୍ଯ୍ୟ ଭଳି ଅନେକ ଗୁଣ ଧାରଣ କରିଥିଲେ । ଯେତେବେଳେ ପୃଥିବୀରେ ଅତ୍ୟଧିକ ପାପ ବୃଦ୍ଧି ହେଲା, ସେତେବେଳେ ବିଷ୍ଣୁଙ୍କର ପୃଥିବୀ ପୃଷ୍ଠରେ ପର୍ଶୁରାମ ଅବତାର ନେବା ପାଇଁ ପୂର୍ବରୁ ଭବିଷ୍ୟବାଣୀ କରାଯାଇଥିଲା । ଅସ୍ତ୍ରଶସ୍ତ୍ର ଓ କ୍ଷମତା ଯୋଗୁଁ କ୍ଷତ୍ରିୟମାନେ ସେମାନଙ୍କର କ୍ଷମତାର ଅପବ୍ୟବହାର କରିବା, ଅନ୍ୟର ଜିନିଷକୁ ବଳପୂର୍ବକ ଗ୍ରହଣ କରିବା ଏବଂ ଲୋକଙ୍କୁ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲେ । ପର୍ଶୁରାମ ଏହି କ୍ଷତ୍ରୀୟ ଯୋଦ୍ଧାମାନଙ୍କୁ ବିନାଶ କରି ବ୍ରହ୍ମାଣ୍ଡର ସନ୍ତୁଳନ ରକ୍ଷା କଲେ ।
କବିସୂର୍ଯ୍ୟ ବଳଦେବ ରଥ (୧୭୭୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୭୯ ମସିହାରେ ଗଞ୍ଜାମ ଜିଲ୍ଲା ଆଠଗଡ଼(ଅଷ୍ଟଦୁର୍ଗ) ରାଜ୍ୟର ତ୍ରିପୁରାରୀ ଓତାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ବ୍ରହ୍ମପୁର ଗଉଡ ସାହିରେ ପ୍ରାଣତ୍ୟାଗ କରିଥିଲେ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ବାଞ୍ଛାନିଧି ମହାନ୍ତି (୨୦ ଅପ୍ରେଲ ୧୮୯୭ – ୧୯ ଅପ୍ରେଲ ୧୯୩୮) ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ କବି ଥିଲେ । ତାଙ୍କ ଜୀବନର ଦୁଇଟି ଲକ୍ଷ୍ୟ ଥିଲା; ପ୍ରଥମଟି ହେଲା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଦ୍ୱିତୀୟଟି ହେଲା ସାମ୍ରାଜ୍ୟବାଦୀ ଫିରିଙ୍ଗି ଶାସନର ଅବସାନ । ସେ ସ୍ୱାଧୀନତା ଆନ୍ଦୋଳନ ପାଇଁ ଅନେକ ଦେଶାତ୍ମବୋଧକ ଗୀତ ରଚନା କରି ନିଜେ ଗାନ କରିଥିଲେ, ଫଳରେ ଆଖପାଖରେ ଲୋକମାନେ ତାଙ୍କ ଗୀତ, କବିତା ଆଦିଦ୍ୱାରା ଆକୃଷ୍ଟ ହୋଇ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ଅସହଯୋଗ ଆନ୍ଦୋଳନ ସମୟରେ ତାଙ୍କର ସଙ୍ଗୀତ କଂଗ୍ରେସ ଭାବ ପ୍ରଚାର କରିବାରେ ବହୁତ ସାହାଯ୍ୟ କରିଥିଲା । ତାଙ୍କ ରଚିତ ଦୁଃଖିନୀ କନିକା ଗୀତଟି ଜନାଦୃତ । ସେ ଜାତୀୟତାଭରା ଗୀତ ଗାଇ ଗାଇ ଗାଁ ଗାଁରେ ବୁଲୁଥିବାରୁ ତାଙ୍କୁ ଜାତୀୟ କବି ବୋଲି ପରିଚୟ ମିଳିଥିଲା । ସାଙ୍ଗେ ସାଙ୍ଗେ ଗୀତ ଲେଖି ବାଟେଘାଟେ ଗାଉଥିଲେ ବୋଲି ତାଙ୍କୁ ମଧ୍ୟ ଚାରଣ କବି କୁହାଯାଉଥିଲା ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ଗୀତଗୋବିନ୍ଦ କବି ଜୟଦେବଙ୍କଦ୍ୱାରା ସଂସ୍କୃତ ଭାଷାରେ ରଚିତ ଦ୍ୱାଦଶ ଶତାବ୍ଦୀର ଏକ କାବ୍ୟ । ଦ୍ୱାଦଶ ସର୍ଗ ବିଶିଷ୍ଟ ଏହି କାବ୍ୟଟି ରାଧାକୃଷ୍ଣଙ୍କ ରାସଲୀଳା ଉପରେ ପର୍ଯ୍ୟବସିତ । ବୈଷ୍ଣବ ଭକ୍ତି ମାର୍ଗ ଉପରେ ଗୀତଗୋବିନ୍ଦ କାବ୍ୟର ବିଶେଷ ପ୍ରଭାବ ପଡିଛି । କାନ୍ତ କୋମଳ ପଦାବଳୀ, ମଧୁର ଶବ୍ଦ ସଂଯୋଜନା, ଭକ୍ତି ଭାବରେ ପୂର୍ଣ୍ଣ ବିଷୟ ନିମନ୍ତେ ଗୀତଗୋବିନ୍ଦର ସଂସ୍କୃତ ସାହିତ୍ୟରେ ଏକ ବିଶେଷ ସ୍ଥାନ ରହିଚି । ପ୍ରସିଦ୍ଧ ଦଶାବତାର ବର୍ଣ୍ଣନା ଓ ସ୍ତୋତ୍ର ଏହି କାବ୍ୟର ପ୍ରଥମ ସର୍ଗରେ ରହିଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଧ୍ୟ ଗୀତଗୋବିନ୍ଦର ଏକ ପ୍ରଧାନ ସ୍ଥାନ ରହିଛି।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଭୀମରାଓ ରାମଜୀ ଆମ୍ବେଦକର (୧୪ ଏପ୍ରିଲ ୧୮୯୧ - ୬ ଡିସେମ୍ବର ୧୯୫୬) ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ ଯିଏ ସମ୍ବିଧାନ ସଭା ବିତର୍କରୁ ଭାରତର ସମ୍ବିଧାନ ପ୍ରସ୍ତୁତ କରୁଥିବା କମିଟିର ନେତୃତ୍ୱ ନେଇଥିଲେ, ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ହିନ୍ଦୁ ଧର୍ମ ତ୍ୟାଗ କରିବା ପରେ ଦଳିତ ବୌଦ୍ଧ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
"ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଓଡ଼ିଶା ( ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ , କୋଶଳ , କୋଙ୍ଗଦ , ଉଡ୍ର ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ଢେଙ୍କାନାଳର କପିଳାସ ଶିବ ମନ୍ଦିର । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଓଡ଼ିଆ ଉଇକିପିଡ଼ିଆ (orwiki ନାମରେ ମଧ୍ୟ ଜଣା) ଉଇକିପିଡ଼ିଆର ଓଡ଼ିଆ ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା । ଏହା ୨୦ଟି ଭାରତୀୟ ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ । ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।
ଭଞ୍ଜ କିଶୋର ପଟ୍ଟନାୟକ(୧୩ ନଭେମ୍ବର ୧୯୨୨ - ୨୭ ନଭେମ୍ବର ୧୯୯୯) ଜଣେ ଓଡ଼ିଆ ନାଟ୍ୟକାର ଥିଲେ । ସ୍ୱାଧୀନତା ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ଜଣେ ଅଗ୍ରଣୀ ନାଟ୍ୟକାର ଥିଲେ । ସେ ୩୫ଟି ନାଟକ, ୮ଟି ଏକାଙ୍କିକା, ୪ଟି କ୍ଷୁଦ୍ରଗଳ୍ପ ପୁସ୍ତକ, କବିତା ଓ "ମରୁପଥୀକ" ନାମରେ ଏକ ଉପନ୍ୟାସ ରଚନା କରିଥିଲେ । ତାଙ୍କର ୧୨ଟି ନାଟକ ବେତାର ଓ ଦୂରଦର୍ଶନରେ ମଧ୍ୟ ପ୍ରସାରିତ ହୋଇଛି । "ଅଗ୍ନି-ପରୀକ୍ଷା" ନାଟକ ପାଇଁ ସେ ୧୯୫୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । "ଜୀବନର ଜୟଯାତ୍ରା" ତାଙ୍କର ଆତ୍ମଜୀବନୀ ।
କରୋନାଭୂତାଣୁ ରୋଗ ୨୦୧୯ ବା (କୋଭିଡ-୧୯) (କରୋନା, କରୋନାଭାଇରସ, କୋଭିଡ ଆଦି ନାମରେ ମଧ୍ୟ ଜଣା) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ ଦ୍ୱାରା(SARS କରୋନାଭାଇରସ ୨ କିମ୍ବା SARS-CoV-2) ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । ପ୍ରଥମ କରି ଚୀନର ଉହାନଠାରେ ୨୦୧୯ ଡିସେମ୍ବରରେ ଏହା ବାବଦରେ ଜଣା ପଡ଼ିଥିଲା । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ । ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ । ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ଭାରତୀୟ ଜନତା ପାର୍ଟି (ବିଜେପି) ଭାରତର ଶାସକ ରାଜନୈତିକ ଦଳ । ଏହା ଭାରତୀୟ ଜାତୀୟ କଂଗ୍ରେସ ସହିତ ଭାରତର ଦୁଇଟି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ଅନ୍ୟତମ । ୨୦୧୯ ସୁଦ୍ଧା ଏହା ଜାତୀୟ ସଂସଦ ତଥା ରାଜ୍ୟସଭାରେ ପ୍ରତିନିଧିତ୍ୱ ଦୃଷ୍ଟିରୁ ଦେଶର ସର୍ବବୃହତ ରାଜନୈତିକ ଦଳ ଏବଂ ପ୍ରାଥମିକ ସଦସ୍ୟତା ଦୃଷ୍ଟିରୁ ଏହା ବିଶ୍ୱର ସର୍ବବୃହତ ଦଳ । ବିଜେପି ଏକ ଦକ୍ଷିଣପନ୍ଥୀ ଦଳ ଏବଂ ଏହାର ନୀତି ଐତିହାସିକ ଭାବରେ ହିନ୍ଦୁ ଜାତୀୟତାବାଦୀ ସ୍ଥିତିକୁ ପ୍ରତିଫଳିତ କରିଛି । ଏହାଠାରୁ ବେଶୀ ପୁରୁଣା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ସହିତ ଏହାର ଘନିଷ୍ଠ ଆଦର୍ଶ ଏବଂ ସାଂଗଠନିକ ସମ୍ବନ୍ଧ ରହିଛି ।
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ। ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଗୌରହରି ଦାସ (ଜନ୍ମ: ୯ ଅକ୍ଟୋବର ୧୯୬୦) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ସ୍ତମ୍ଭକାର । ଇତିମଧ୍ୟରେ ତାଙ୍କର ପ୍ରାୟ ପଚାଶ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି । ସଂପ୍ରତି ସେ ଓଡ଼ିଆ ଖବରକାଗଜ ସମ୍ବାଦର ସାହିତ୍ୟ ସମ୍ପାଦକ ଏବଂ କଥା ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରନ୍ତି । ସେ "ସମ୍ବାଦ ସ୍କୁଲ୍ ଅଫ୍ ମିଡିଆ ଆଣ୍ଡ କଲ୍ଚର" ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ । ପୂର୍ବରୁ ସେ କେନ୍ଦ୍ର ସାହିତ୍ୟ ଅକାଦେମିର ଓଡ଼ିଆ ଭାଷା ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା ଏହାର କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ଥିଲେ । ତାଙ୍କର ସାହିତ୍ୟ ରଚନା ନିମନ୍ତେ ଅନ୍ୟାନ୍ୟ ପୁରସ୍କାର ଓ ସମ୍ମାନ ସମେତ ସେ ସେ ୨୦୧୨ ମସିହାରେ "କଣ୍ଟା ଓ ଅନ୍ୟାନ ଗଳ୍ପ" ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୦୧ରେ "ନିଜ ସାଙ୍ଗେ ନିଜର ଲଢ଼େଇ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କର "ବାଘ ଓ ଅନ୍ୟାନ୍ୟ ଗଳ୍ପ" ଗଳ୍ପସଂକଳନ ନିମନ୍ତ ସେ ୨୦୨୨ ମସିହାରେ ଶାରଳା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ।
ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଜୀବାଣୁ (ଇଂରାଜୀ ଭାଷାରେ Bacteria ( (); ବିଶେଷ୍ୟ ବ୍ୟାକ୍ଟେରିଆ, ଏକବଚନ ବ୍ୟାକ୍ଟେରିଅମ)) ଏକ ପ୍ରକାର ଜୀବକୋଷ । ଏହା ଏକ ବିରାଟ ପ୍ରୋକାରିଓଟିକ ଅଣୁଜୀବମାନଙ୍କର ସମଷ୍ଟି । ସ୍ୱଭାବିକ ଭାବରେ ଏମାନଙ୍କର ଦୈର୍ଘ୍ୟ ଅଳ୍ପ କେତେକ ମାଇକ୍ରୋମିଟ ହୋଇଥାଏ ଓ ବାସିଲସ ବା କୋକସ ହେଉ, ସେମାନଙ୍କର ସାଧାରଣ ଜୀବକୋଷର ଆକୃତି ଥାଏ । ପୃଥିବୀ ପୃଷ୍ଠରେ ଜୀବାଣୁ ପ୍ରଥମେ ସୃଷ୍ଟି ହୋଇଥିଲେ ଓ ଏବେ ସୁଦ୍ଧ ପ୍ରତ୍ୟେକ ବାସସ୍ଥାନରେ ଏମାନଙ୍କୁ ଦେଖିବାକୁ ମିଳେ । ଏମାନେ ମାଟିରେ, ଜଳରେ, ଉଷ୍ଣପ୍ରସ୍ରବଣରେ , ତେଜସ୍କ୍ରିୟ-ବର୍ଜ୍ଯବସ୍ତୁରେ ରହନ୍ତି, ଭୂ-ପୃଷ୍ଠର ଗଭୀର ଜୈବମଣ୍ଡଳରେ ମଧ୍ୟ ରହନ୍ତି । ପ୍ରାଣୀ ଓ ଉଦ୍ଭିଦମାନଙ୍କ ସହିତ ପରଜୀବୀ ସମ୍ପର୍କ ରଖି ମଧ୍ୟ ରହନ୍ତି । ଅଧିକାଂଶ ଜୀବାଣୁଙ୍କର ପରିଚୟ ଅଜ୍ଞାତ ଥିଲେ ମଧ୍ୟ ପ୍ରାୟ ୨୭% ଜୀବାଣୁଙ୍କୁ ପରୀକ୍ଷାଗାରରେ ରଖି ବୃଦ୍ଧି କରାଯାଇ ପାରୁଛି । ଜୀବାଣୁମାନଙ୍କ ଅନୁଶୀଳନ କରାଯାଉଥିବା ବିଜ୍ଞାନକୁ ଜୀବାଣୁ ବିଜ୍ଞାନ ଯାହା ଅଣୁଜୀବ ବିଜ୍ଞାନର ଏକ ଶାଖା ।
ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣ (ଇଂରାଜୀରେ sexually transmitted infections ବା STI), ଅନ୍ୟ ନାମ ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ (STD) ଓ ଭେନେରିଆଲ ରୋଗ ଇଂରାଜୀରେ venereal diseases (VD); ଅନେକ ପ୍ରକାର ସଂକ୍ରାମକ ରୋଗକୁ ବୁଝାଏ ଯାହା ମନୁଷ୍ୟର ଯୌନକ୍ରିୟାଦ୍ୱାରା (ମୁଖ୍ୟତଃ ଯୋନୀପଥ ଯୌନ ସଙ୍ଗମ, ମଳଦ୍ୱାର ସଙ୍ଗମ ଓ ମୁଖ ସଙ୍ଗମ) ସଞ୍ଚାରିତ ହୁଏ । ଅଧିକାଂଶ ରୋଗ ଆରମ୍ଭରୁ କୌଣସି ଲକ୍ଷଣ ଦେଖାନ୍ତି ନାହିଁ । ତେଣୁ ରୋଗ ଅନ୍ୟ ସୁସ୍ଥ ଲୋକମାନଙ୍କୁ ସଂକ୍ରମିତ ହେବା ସମ୍ଭାବନା ଅଧିକ ରହେ । ଏହାର ଲକ୍ଷଣ ଓ ଚିହ୍ନ ମଧ୍ୟରେ ଯୋନୀପଥ ବିସର୍ଜନ, ପୁଲିଙ୍ଗ ବିସର୍ଜନ, ଯୌନାଙ୍ଗ ଓ ଏହା ଚାରପାଖରେ ଘାଆ ଓ ବସ୍ତିଦେଶରେ ଯନ୍ତ୍ରଣା ହୁଏ । ଜନ୍ମ ପୂର୍ବରୁ ଓ ଜନ୍ମ ସମୟରେ ଏହି ରୋଗ ସଂକ୍ରମିତ ହେଲେ ଫଳାଫଳ ଖରାପ ହୁଏ । କେତେକ ରୋଗରେ ମହିଳାମାନେ ଗର୍ଭବତୀ ହୋଇପାରନ୍ତି ନାହିଁ । .
ମାସ ଶବ୍ଦ ସଂସ୍କୃତ ମସ (ଚନ୍ଦ୍ର) ଶବ୍ଦରୁ ଉତ୍ପନ୍ନ । ଓଡ଼ିଆ ପଞ୍ଜିକାରେ ୧୨ ମାସ ଥାଏ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଲୋକେ ସୌର ମାସକୁ ମାନନ୍ତି। ଅନ୍ୟ ଆଡ଼େ ଚାନ୍ଦ୍ରମାନ ମାସ ମନା ଯାଏ। ଚାନ୍ଦ୍ରମାନ ମାସର ଅନ୍ତ ପୂର୍ଣ୍ଣିମାରେ ହୁଏ। ସୌର ମାସର ଅନ୍ତ ସଂକ୍ରାନ୍ତି ପୂର୍ବଦିନ ହୁଏ। ସୌର ପାଞ୍ଜି ଅନୁସାରେ ପଣା (ମେଷ) ସଂକ୍ରାନ୍ତି ଓଡ଼ିଆ ନବବର୍ଷ। ଚାନ୍ଦ୍ରମାନ ପାଞ୍ଜି ଅନୁସାରେ ବୈଶାଖ କୃଷ୍ଣ ପ୍ରତିପଦ ଓଡ଼ିଆ ନବବର୍ଷ।
ନରେନ୍ଦ୍ର ଦାମୋଦର ଦାସ ମୋଦୀ (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୦) ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ୨୦୧୪ ମସିହାରୁ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ମୋଦୀ ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ବାରଣାସୀର ସାଂସଦ ଥିଲେ । ସେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଦକ୍ଷିଣପନ୍ଥୀ ହିନ୍ଦୁ ଜାତୀୟତାବାଦୀ ଅର୍ଦ୍ଧସାମରିକ ସ୍ୱେଚ୍ଛାସେବୀ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସଦସ୍ୟ । ସେ ଭାରତୀୟ ଜାତୀୟ କଂଗ୍ରେସ ବାହାରେ ସର୍ବାଧିକ କାଳ ଧରି ଥିବା ପ୍ରଧାନମନ୍ତ୍ରୀ ।
ବିଶାଖା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ବୈଶାଖ (ବଇଶାଖ ନାମରେ ମଧ୍ୟ ଜଣା) କୁହାଯାଏ । ବୈଶାଖ ଶାଳିବାହନ ଶକାବ୍ଦର ପ୍ରଥମ ମାସ । ବୈଶାଖ ଓଡ଼ିଆ ହିନ୍ଦୁମାନଙ୍କର ପ୍ରଥମ ଚାନ୍ଦ୍ରମାନ ମାସ । ଏ ମାସ ଚୈତ୍ର ପୂର୍ଣ୍ଣିମା ପର ଦିନଠାରୁ ଆରମ୍ଭ ହୁଏ; ଏହାର ପୂର୍ବବର୍ତ୍ତୀ ମାସ ଚୈତ୍ର ଓ ପରବର୍ତ୍ତୀ ମାସ ଜ୍ୟୈଷ୍ଠ । ଏହି ମାସ ଓ ଏହାର ପରବର୍ତ୍ତୀ ମାସ ଗ୍ରୀଷ୍ମ ଋତୁ । ହିନ୍ଦୁମାନଙ୍କର ଏହା ଏକ ଧର୍ମ ମାସ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତିମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭାଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲକଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬–୬ ଅପ୍ରେଲ ୧୯୯୪) ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଥିଲେ । ୧୯୩୦ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ ରଚନା କରିଥିଲେ । ତାଙ୍କର କେତେକ ଜଣାଶୁଣା ଉପନ୍ୟାସ ମଧ୍ୟରେ କା, ବାଲିରାଜା, ଶାସ୍ତି, ହା' ଅନ୍ନ, ଝଞ୍ଜା, ଶର୍ବରୀ, ତମସା ତୀରେ ଅନ୍ୟତମ । ୧୯୫୬ ମସିହାରେ ପ୍ରକାଶିତ ଉପନ୍ୟାସ କା ପାଇଁ ସେ ୧୯୫୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ସେ ସାହିତ୍ୟ ଏକାଡେମୀର ଫେଲୋ ମଧ୍ୟ ହୋଇଥିଲେ । ତାଙ୍କୁ "ଓଡ଼ିଶୀର ଅନ୍ୟତମ ଲୋକପ୍ରିୟ ଉପନ୍ୟାସକାର" ଭାବରେ ବିବେଚନା କରାଯାଏ । ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।
ଲିଓନେଲ୍ ମେସି ଆର୍ଜେଣ୍ଟିନାର ବିଶ୍ୱପ୍ରସିଦ୍ଧ ପେଶାଦାର୍ ଫୁଟବଲ୍ ତାରକା ।ସେ ଆର୍ଜେଣ୍ଟିନା ଜାତୀୟ ଫୁଟବଲ୍ ଦଳ ଓ ସ୍ପାନିସ୍ ଲା ଲିଗା ଦଳ ବାର୍ସୀଲୋନାରୁ ଖେଳନ୍ତି। ଅନେକ ମେସିଙ୍କୁ ବିଶ୍ୱର ଜଣେ ଭଲ ଫୁଟବଲ୍ ଖେଳାଳୀର ମାନ୍ୟତା ଦିଅନ୍ତି ।ସେ ବିଶ୍ୱର ଏକମାତ୍ର ଖେଳାଳୀ ଭାବେ ୫ଟି ବାଲାନ୍ ଡି ଓର୍ ପୁରସ୍କାର ପାଇଛନ୍ତି ।ସେ ୩ଟି ଇଉରୋପିଆନ୍ ସୁନା ବୁଟ୍ ଜିତିଛନ୍ତି ।
ରତ୍ନାକର ଚଇନି( ୨୫ ଅଗଷ୍ଟ ୧୯୪୫ - ୧୮ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ ଓ ସମାଲୋଚକ ଥିଲେ । ଲେଖନୀ ଚାଳନା ସହ ଜଣେ ସାହିତ୍ୟ ସଂଗଠକ ଓ ଶିକ୍ଷାବିତ ଭାବେ ସେ ନିଜକୁ ପ୍ରତିଷ୍ଠିତ କରିଥିଲେ । ୨୦୧୦ ମସିହାରେ ସଂସ୍କାର ଭାରତୀ ଓ ଉତ୍କଳ ସାହିତ୍ୟ ସମାଜର ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ । ତାଙ୍କର ଏଯାବତ ୧୧୧ ଖଣ୍ଡ ପୁସ୍ତକ ପ୍ରକାଶ ପାଇସାରିଛି ।
ଡୋନାଲ୍ଡ ଟ୍ରମ୍ପ ଯୁକ୍ତରାଷ୍ଟ୍ର ଆମେରିକାର ୪୫ତମ ରାଷ୍ଟ୍ରପତି ଭାବରେ ୨୦-୧-୨୦୧୭ରୁ ଚାରି ବର୍ଷ ନିମଂତେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଆମେରିକାର ରିପବ୍ଲିକାନ ରାଜନୈତିକ ଦଳ ତରଫରୁ ୨୦୧୬ ନଭେମ୍ବର ରାଷ୍ଟ୍ରପତି ନିର୍ବାଚନ ଲଢି ସେ ହରାଇଥିଲେ ଡେମୋକ୍ରାଟ ଦଳର ହିଲାରି କ୍ଲିଣ୍ଟନଙ୍କୁ । ଏହା ପରେ, ୨୦୨୪ ମସିହାରେ ଡୋନାଲ୍ଡ ଟ୍ରମ୍ପ କମଳା ହାରିସଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ ଏବଂ ସେହି ନିର୍ବାଚନରେ ବିଜୟୀ ହୋଇ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଥିଲେ। ଡୋନାଲ୍ଡ ଟ୍ରମ୍ପ ୨୦ ଜାନୁଆରୀ ୨୦୨୫ ଠାରୁ ୪୭ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଛନ୍ତି ।
ଫୁଲ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଗୋଲାପ । ଗୋଲାପ ହେଉଛି ବର୍ଷବ୍ୟାପୀ ବଞ୍ଚିପାରୁଥିବା ଏକ ଦୀର୍ଘସ୍ଥାୟୀ ପୁଷ୍ପ ଉଦ୍ଭିଦ ।ଏହା ରୋଜା ପ୍ରଜାତିର ଏବଂ ରୋଜାସି ପରିବାର ଅନ୍ତର୍ଭୁକ୍ତ । ୧୦୦ଟି ସମଜାତୀୟ ଗୋଲାପ ବର୍ଗ ମଧ୍ୟରେ କେବଳ ରଙ୍ଗର ଭିନ୍ନତା ଦେଖିବାକୁ ମିଳେ । ରୋଜ୍ର ନାମକରଣ ଫରାସୀ ଭାଷାରୁ ହୋଇଛି, ଯାହାକି ମୂଳ ଲାଟିନ୍ ଭାଷାର ରୋଜା ଶବ୍ଦରୁ ଉଦ୍ଭବ ।ରୋଜା ଶବ୍ଦ ଗ୍ରୀକ ଭାଷାର ରୋଡିୟମରୁ ଆସିଥିବାର ଜଣାଯାଏ । ଗୋଲାପର ସୌନ୍ଦର୍ଯ୍ୟ ଓ ସୌରଭ ବିଶ୍ୱର ସବୁଆଡେ ବ୍ୟାପକ ଭାବେ ଆଦୃତି ଲାଭ କରାଇଛି । ଅଧିକାଂଶ ଗୋଲାପର ଉତ୍ପତ୍ତି ଏସିଆରୁ ହୋଇଛି ।
ଅକ୍ଷି ତୃତୀୟା ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ । କାର୍ତ୍ତିକ ଚନ୍ଦ୍ର ରଥ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ବାବୁଲାଲ ଦୋଶୀ ଓ ସୁଶିଲ ମୂଖାର୍ଜୀଙ୍କ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟି ଛାୟାବାଣୀ ପ୍ରତିଷ୍ଠାନଦ୍ୱାରା ନିର୍ମାଣ କରାଯାଇଥିଲା । ସଙ୍ଗୀତକାର ରାଖାଲ ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ପାବଲୋ ରୁଇଜ୍ ପିକାସୋ (୨୫ ଅକ୍ଟୋବର ୧୮୮୧ -୦୮ ଏପ୍ରିଲ ୧୯୭୩) ଏକାଧାରରେ ଜଣେ ଚିତ୍ରଶିଳ୍ପୀ, ମୂର୍ତ୍ତିକାର, ମୁଦ୍ରଣକାରୀ, ସେରାମିକ୍ ଶିଳ୍ପୀ ତଥା ଥିଏଟର ଡିଜାଇନର୍ ଥିଲେ । ସ୍ପେନୀୟ ହେଲେ ମଧ୍ୟ ବଡ଼ ହେବାପରେ ସେ ତାଙ୍କର ଅଧିକାଂଶ ସମୟ ଫ୍ରାନ୍ସରେ ବିତାଇଥିଲେ | ବିଂଶ ଶତାବ୍ଦୀର ପ୍ରଭାବଶାଳୀ କଳାକାର ମଧ୍ୟରେ ସେ ଥିଲେ ଅନ୍ୟତମ । ଜ୍ୟାମିତିକ ଶୈଳୀର ଚିତ୍ର ଅଙ୍କନ (କ୍ୟୁବିଜିମ୍) , ମୂର୍ତ୍ତି ଖୋଦେଇ ଢଙ୍ଗର ଉଦ୍ଭାବନ, କୋଲାଜ୍ କଳାକୃତିର ସହ-ଉଦ୍ଭାବନ ଏବଂ ବିଭିନ୍ନ ପ୍ରକାରର ସ୍ୱତନ୍ତ୍ର ଶୈଳୀର ସୃଜନୀର ବିକାଶ ଓ ଅନୁସନ୍ଧାନ ପାଇଁ ସେ ଜଣାଶୁଣା | ତାଙ୍କର ପ୍ରସିଦ୍ଧ କାର୍ଯ୍ୟଗୁଡ଼ିକ ମଧ୍ୟରୁ କିଛି ହେଲା ପ୍ରୋଟୋ-କ୍ୟୁବିଷ୍ଟ ଲି ଡେମୋଜେଲ୍ସ୍ ଡି’ଆଭିଗନନ୍ (୧୯୦୭), ଯୁଦ୍ଧ ବିରୋଧୀ ଚିତ୍ର ଗୁଏର୍ନିକା (୧୯୩୭), ସ୍ପେନର ଗୃହଯୁଦ୍ଧ ସମୟରେ ଜର୍ମାନ ଏବଂ ଇଟାଲୀ ବାୟୁସେନାଦ୍ୱାରା ଗୁଏର୍ନିକା ବିସ୍ଫୋରଣ ହେବାର ନାଟକୀୟ ଚିତ୍ରଣ ।
କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ସମ୍ପନ୍ନ ଅର୍ବୁଦ (ଇଂରାଜୀରେ Malignant tumour) ରୋଗ ଯେଉଁଥିରେ ଜୀବକୋଷମାନଙ୍କର ଅସ୍ୱଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ୱବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ । ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ (Benign tumour) ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ । ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ । କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ (Tumor) ସୃଷ୍ଟି କରିଥାଏ ।
ସିଫିଲିସ୍ ଏକ ଯୌନସଞ୍ଚାରିତ ସଂକ୍ରମଣ ରୋଗ ଯାହା ଟ୍ରେପୋନେମା ପାଲିଡମ୍ (ପାଲିଡମ୍ ଉପସ୍ପେସି) ନାମକ ଜୀବାଣୁଦ୍ୱାରା ହୁଏ । ସଞ୍ଚାରଣର ପ୍ରାଥମିକ ପଥ ହେଲା ଯୌନ ସ୍ପର୍ଶ; ଏହା ଗର୍ଭାବସ୍ଥାରେ ମାଆଠାରୁ ଫିଟସ୍ ବା ଗର୍ଭସ୍ଥ ଶିଶୁକୁ ସଞ୍ଚାରିତ ହୋଇ ଜନ୍ମଗତ ସିଫିଲିସ୍ ହୁଏ । ସମ୍ପର୍କୀୟ ଟ୍ରେପୋନେମା ପାଲିଡମ୍ ଯୋଗୁ ୟଜ୍ ରୋଗ (ପର୍ଟେନ୍ୟୁ ଉପବିଭାଗ) ଓ ବେଜେଲ ରୋଗ (ଏଣ୍ଡେମିକମ୍) ମଧ୍ୟ ହୁଏ । ଏହି ରୋଗର ଚିହ୍ନ ଓ ଲକ୍ଷଣ ସମୂହ ରୋଗର ଚାରୋଟି ପାବଚ୍ଛ ବା ସ୍ଟେଜ୍ (ପ୍ରାଇମେରି, ସେକଣ୍ଡାରି, ଲେଟେଣ୍ଟ ଓ ଟର୍ସିଆରି) ଉପରେ ଥିବା ଅବସ୍ଥା ଉପରେ ନିର୍ଭର କରେ । ପ୍ରଥମ ସ୍ଟେଜରେ ଗୋଟିଏ ସାଙ୍କର ଦେଖାଯାଏ ଯେଉଁଥିରେ ଗୋଟିଏ ଟାଣ, ଯନ୍ତ୍ରଣାବିହୀନ ଓ ଗଲୁ ନ ହେଉଥିବା ଚର୍ମ ଘାଆ ଦେଖାଯାଏ, କିନ୍ତୁ ଅନେକ ଗୁଡ଼ିଏ ଘାଆ ମଧ୍ୟ ଦେଖାଯାଏ । ଏହା ପୁରୁଷ ଯୌନାଙ୍ଗରେ, ମହିଳାଙ୍କ ପ୍ରଜନନ ପଥରେ,ପାଟିରେ ଓ ମଳଦ୍ୱାରରେ ହୁଏ । ପ୍ରଥମ ଜୀବାଣୁ ସଂସ୍ପର୍ଶରେ ଆସିବାର ୨୧ ଦିନ ପରେ ଏହି ରୋଗ ଆରମ୍ଭ ହୁଏ ଓ ଚିକିତ୍ସା ବିହୁନେ ୪ରୁ ୮ ସପ୍ତାହ ମଧ୍ୟରେ ଉପଶମ ହୋଇଯାଏ । ଦ୍ୱିତୀୟକ ବା ସେକେଣ୍ଡାରି ସିଫିଲିସ୍ରେ (secondary syphillis) ରାସ୍ ହୁଏ ଓ ଏହା ପାପୁଲି ଓ ପାଦରେ ହୁଏ । ପାଟି ଓ ଯୋନୀ ମଧ୍ୟରେ ଦେଖାଯାଏ । ଲୁକ୍କାୟିତ ସିଫିଲିସ୍ରେ (latent syphillis) କୌଣସି ଲକ୍ଷଣ ଦେଖାଯାଏ ନାହିଁ ଓ ଏହା ବର୍ଷ ବର୍ଷ ଧରି ରହିଥାଏ । ତୃତୀୟକ ବା ଟର୍ସିଆରି ସିଫିଲିସ୍ରେ (tertiary syphillis) ଗମାସମୂହ (ନରମ ଅଣ-କର୍କଟ ବୃଦ୍ଧି),ସ୍ନାୟୁ ରୋଗ କିମ୍ବା ହୃଦ୍ ରୋଗ ହୁଏ । ଏହି ରୋଗ ବିରାଟ ଅନୁକରଣୀୟ ରୋଗ ("the great imitator") ନାମରେ ମଧ୍ୟ ପରିଚିତ କାରଣ ଏହା ଅନିୟମିତ ଓ ଅନ୍ୟ ରୋଗମାନଙ୍କର ବିବିଧ ଲକ୍ଷଣ ଦେଖାଏ ।
ଇରା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମିତ ଜଣେ ଓଡ଼ିଆ ପ୍ରଚ୍ଛଦପଟ ଗାୟିକା । ଇରା ମହାନ୍ତିଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି । ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତି । ବେଶ୍ ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ମେଲୋଡି ମଞ୍ଚରୁ ଆରମ୍ଭ କରିଥିଲେ ଗୀତ ଗାଇବା । ପରେ ସେ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ । ସମସ୍ତଙ୍କ ପାଖରେ ସେ ମେଲୋଡ଼ି କୁଇନ୍ ଭାବେର ବେଶ୍ ଜଣାଶୁଣା । ଏହା ଛଡ଼ା ସେ ଓଡ଼ିଶାର ବୁଲ୍ବୁଲ୍ ବୋଲି ମଧ୍ୟ ପ୍ରସିଦ୍ଧ । ଏବେ ସଂଗୀତ ସହ ସକ୍ରିୟ ରହିବା ସହ ସଂଗୀତ ସାଧନା ଜାରି ରଖିଛନ୍ତି ।
ଚନ୍ଦ୍ରଶେଖର ନନ୍ଦ (୧୮୬୮-୧୯୩୨) ଜଣେ ଓଡ଼ିଆ ଗାଳ୍ପିକ । ତାଙ୍କ ଗଳ୍ପପୁସ୍ତକ ଚିତ୍ରକୁ ପ୍ରଥମ ଓଡ଼ିଆ ଗଳ୍ପ ବହିର ମାନ୍ୟତା ଦିଆଯାଏ । ଗଳ୍ପ ବ୍ୟତିତ ସେ ଓଡ଼ିଆ ସାହିତ୍ୟର ଅନ୍ୟ ବିଭବ ଯଥା ପ୍ରବନ୍ଧ, ଉପନ୍ୟାସ, କବିତାରେ ମଧ୍ୟ ଲେଖନି ଚାଳନା କରିଥିଲେ । ସେ ଅନେକ ପାଠ୍ୟ ପୁସ୍ତକ ମଧ୍ୟ ରଚନା କରିଥିଲେ । ସେ ଫକୀର ମୋହନ ସେନାପତି ଓ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମସାମୟିକ ଥିଲେ ।