ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ପାକ୍ଲିଟାକ୍ସେଲ (ଇଂରାଜୀ ଭାଷାରେ Paclitaxel ବା PTX, ବିକ୍ରୟ ନାମ ଟାକ୍ସୋଲ/Taxol) ଏକ କେମୋଥେରାପି ଔଷଧ (chemotherapy medication) ଯାହା ଅନେକ ପ୍ରକାରର କର୍କଟ ରୋଗମାନଙ୍କ ଚିକିତ୍ସାରେ ବ୍ୟବହାର କରାଯାଏ । ଏହି ରୋଗମାନଙ୍କର ନାମ ଯଥାକ୍ରମେ ଓଭାରି କର୍କଟ, ସ୍ତନ କର୍କଟ, ଫୁସଫୁସ କର୍କଟ, କାପୋସି ସାର୍କୋମା (Kaposi sarcoma), ଗର୍ଭାଶୟ ଗ୍ରୀବା କର୍କଟ, ଓ ଅଗ୍ନାଶୟ କର୍କଟ । ଏହି ଔଷଧ ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ । ଏହାର ଅନ୍ୟ ଏକ ପ୍ରୋଟିନ-ବାଉଣ୍ଡ ପାସିଟାକ୍ସେଲ ଫର୍ମୁଲେସନ (albumin bound formulation) ମଧ୍ୟ ଅଛି ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଧର୍ମେନ୍ଦ୍ର ପ୍ରଧାନ ଜଣେ ଭାରତୀୟ ରାଜନେତା ଓ ନୃତତ୍ତ୍ୱବିତ । ବର୍ତ୍ତମାନ ଏନଡିଏ ସରକାରଙ୍କ ଅଧୀନରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଏବଂ ଇସ୍ପାତ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଅବସ୍ଥାପିତ ହୋଇଛନ୍ତି । ଏହା ପୂର୍ବରୁ ମୋଦିଙ୍କ ପ୍ରଥମ ମନ୍ତ୍ରାଳୟରେ ୪ ସେପ୍ଟେମ୍ବର ୨୦୧୭ରୁ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଥିଲେ । ସେ ମାର୍ଚ୍ଚ ୨୦୧୨ରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୮ ଏପ୍ରିଲ ୩ରେ ଦ୍ୱିତୀୟ ଥର ପାଇଁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଆଲେମଟୁଜୁମାବ, ଦୁଇ ବିକ୍ରୟ ନାମ କ୍ୟାମ୍ପାଥ ଏବଂ ଲେମଟ୍ରାଡା, ଔଷଧ ଯାହା କ୍ରନିକ୍ ଲିମ୍ଫୋସାଇଟିକ୍ ଲ୍ୟୁକେମିଆ (ସିଏଲଏଲ/ CLL) ଏବଂ ମଲ୍ଟିପ୍ଲ ସ୍କ୍ଲେରୋସିସ୍ ରୋଗମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ସିଏଲଏଲରେ ଏହା ଉଭୟ ପ୍ରଥମ ଲାଇନ୍ ଏବଂ ଦ୍ୱିତୀୟ ଲାଇନ୍ ଚିକିତ୍ସା ଭାବରେ ବ୍ୟବହୃତ ହେଇଛି | ମଲ୍ଟିପ୍ଲ ସ୍କ୍ଲେରୋସିସ୍ରେ ଅନ୍ୟ ଚିକିତ୍ସା କାମ ନ କଲେ ପରାମର୍ଶ ଦିଆଯାଏ । ଏହା ଶିରାରେ କିମ୍ବା ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।
ପାଣିପାଗ (ଇଂରାଜୀ ଭାଷାରେ Weather) ବାୟୁମଣ୍ଡଳର (atmosphere) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରୁ ପାଗ କେତେ ଡିଗ୍ରୀ ଗରମ ବା ଥଣ୍ଡା, ଓଦା ବା ଶୁଷ୍କ, ଶାନ୍ତ ବା ତୋଫାନୀ, ପରିଷ୍କାର ବା ମେଘୁଆ ରହିବ, ତାହାର ବର୍ଣ୍ଣନା ମିଳେ । ଅଧିକାଂଶ ପାଗ ପରିବର୍ତ୍ତନ ବାୟୁମଣ୍ଡଳର ସ୍ଟ୍ରାଟୋସ୍ଫିଅରର (stratosphere) ଠିକ୍ ତଳ ଭାଗରେ ଥିବା ଟ୍ରୋଫୋସ୍ଫିଅରରେ (troposphere) ହୁଏ । ଦୈନନ୍ଦିନ ଉତ୍ତାପ ଓ ପ୍ରେସିପିଟେସନ (precipitation) କାର୍ଯ୍ୟକଳାପକୁ ପାଣିପାଗ କୁହାଯାଏ ଓ ଦୀର୍ଘ ସମୟରେ ପାଗର ହାରାହାରି ଅବସ୍ଥାକୁ ଜଳବାୟୁ (climate) କୁହାଯାଏ । ନିର୍ଦ୍ଧିଷ୍ଟ ଭାବରେ କୌଣସି ବିଷୟର ଅବତାରଣା ନଥିଲେ ପାଣିପାଗକୁ ପୃଥିବୀର (Earth) ପାଣିପାଗ ବୁଝାଏ ।
ମଲ୍ଟିପ୍ଲସ୍କ୍ଲେରୋସିସ ବା ଏମଏସ (ରୋଗର ଅନ୍ୟ ନାମ ଡିସ୍ସେମିନେଟେଡ ସ୍କ୍ଲେରୋସିସ ଓ ଏନକେଫାଲାଇଟିସ ଡିସ୍ସେମିନାଟା) ରୋଗରେ ମସ୍ତିସ୍କ ଓ ମେରୁଦଣ୍ଡରେ ଥିବା ସ୍ନାୟୁ କୋଷର ଇନ୍ସୁଲେଟିଙ୍ଗ ଆବରଣ ନଷ୍ଟ ହୋଇଯାଏ । ଏହି ଫଳରେ ଆବରଣ ନଷ୍ଟ ହୁଏ ଓ ସ୍ନାୟୁ ମଣ୍ଡଳ ସମ୍ପର୍କ ସ୍ଥାପନ ନ ହୋଇ ପାରି ଅନେକ ପ୍ରକାର ଚିହ୍ନ ଓ ଲକ୍ଷଣ ପ୍ରକାଶ ପାଏ । ଏହାଯୋଗୁ ଶାରୀରିକ, ମାନସିକ ଓ ସ୍ନାୟୁ ଜନିତ ଚିହ୍ନ ଓ ଲକ୍ଷଣମାନ ଦେଖାଯାଏ । ଦ୍ୱିତ ଦୃଷ୍ଟି, ଗୋଟିଏ ଆଖରେ ଅନ୍ଧତ୍ୱ ବା କଣାଦୋଷ, ଦୂର୍ବଳ ମାଂସପେଶୀ ସ୍ପର୍ଷ ସମସ୍ୟା ଓ ସମନ୍ୱୟ ଅଭାବ ଭଳି ଲକ୍ଷଣମାନ ଦେଖାଯାଏ ।ଏହି ରୋଗ ବିଭିନ୍ନ ପ୍ରକାର ଦେଖାଯାଏ, ନୂଆ ଲକ୍ଷଣ ଏକାନ୍ତ ଭାବରେ ଆସେ ବା ସମୟକ୍ରମେ ବୃଦ୍ଧି ହୁଏ ।
ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
{{Use British English|date=November 2011}} ଶ୍ରୀନିବାସ ରାମାନୁଜନ () (୨୨ ଡିସେମ୍ବର ୧୮୮୭ – ୨୬ ଅପ୍ରେଲ ୧୯୨୦) ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ । ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ। ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ 'ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜର ପ୍ରଫେସର ଜି.ଏଚ୍. ହାର୍ଡ଼ି। ଗଣିତରେ ଦିବ୍ୟଦୃଷ୍ଟି ଲାଭ କରିଥିବା ରାମାନୁଜଙ୍କ ସହିତ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଗଣିତ କଷୁଥିବା ପ୍ରଫେସର ହାର୍ଡିଙ୍କର ସାକ୍ଷାତ ହେବା ପରେ, ଗଣିତ ଜଗତରେ ଏକ ବିପ୍ଳବର ସୂତ୍ରପାତ ହୋଇଥିଲା। ”ଗୁଣ ଚିହ୍ନେ ଗୁଣିଆ"ପରି ରାମାନୁଜଙ୍କ ଗୁଣକୁ ହାର୍ଡି ହିଁ ଚିହ୍ନିପାରିଥିଲେ। ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ?
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
"ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ଦୀପା ସାହୁ (୨୫ ଅକ୍ଟୋବର ୧୯୮୫ - ୨୭ ଜୁଲାଇ ୨୦୨୦) ଜଣେ ଓଡ଼ିଆ ଅଭିନେତ୍ରୀ ଥିଲେ । ସେ ମୁଖ୍ୟତଃ ଓଡ଼ିଆ ଆଲବମ୍, ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ ଅଭିନୟ କରୁଥିଲେ । ଦୀପା ୨୦୦୩ ମସିହାରେ ନାରୀ ଆଖିରେ ନିଆଁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଧର୍ମର ହେବ ଜୟ, କଲେଜ ଟାଇମ ଭଳି କଥାଚିତ୍ରରେ ଅଭିନୟ କରିଥିଲେ । ସେ ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ତୋର ଲମ୍ବା ବେଣୀ, କୃଷ୍ଣ ଚୂଡ଼ା ରଙ୍ଗର ନାଲି ଓଢ଼ଣୀ, ଏକଡ଼ା ଏକଡ଼ା ରା ଭଳି ଲୋକପ୍ରିୟ ଓଡ଼ିଆ ଆଲବମ୍ରେ ଅଭିନୟ କରିଥିଲେ । ୨୦୨୦ ମସିହାରେ କର୍କଟ ରୋଗରେ ପୀଡ଼ିତ ହୋଇ ସେ ମୃତ୍ୟୁବରଣ କରିଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ପ୍ରତିଭା ଶତପଥୀ (ଜନ୍ମ: ୧୮ ଜାନୁଆରୀ ୧୯୪୫) ଜଣେ ଓଡ଼ିଆ କବି । ପ୍ରତିଭା କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜୀବନର ପ୍ରଥମ ପାଞ୍ଚ ବର୍ଷ କୋରାପୁଟରେ ବିତିଥିଲା । ସେ ଭଲ ବିଦ୍ୟାଳୟରୁ ପାଠ ପଢ଼ିବା ପାଇଁ, ତାଙ୍କ ପରିବାର ସତ୍ୟଭାମାପୁରକୁ ଚାଲିଆସିଥିଲେ । ପିଲାବେଳେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ସେ କଲେଜ ଶିକ୍ଷାଲାଭ କରିଥିଲେ । ବିବାହ କରିସାରିବା ପରେ ୧୯୬୭ ମସିହାରେ ସେ ସ୍ନାତକୋତ୍ତର ଓ ୧୯୮୦ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ହାସଲ କରିଥିଲେ । ବୃତ୍ତିରେ ସେ ଥିଲେ ଜଣେ ପ୍ରାଧ୍ୟାପିକା ।
ଭେଷଜ ବିଜ୍ଞାନରେ, କୋମା (ଗ୍ରୀକ ଶବ୍ଦ κῶμα koma, ଅର୍ଥ ଗଭୀର ନିଦ୍ରା) ଏକ ୬ ଘଣ୍ଟାରୁ ଅଧିକ ଅଚେତନ ଅବସ୍ଥା ଯେଉଁଠାରୁ ଜଣେ ଲୋକକୁ ଉଠେଇ ହୁଏନି, ପୀଡ଼ା ଦାୟକ ଉଦ୍ଦୀପନା, ଆଲୋକ ଓ ଶବ୍ଦ ପ୍ରୟୋଗ କଲେ ମଧ୍ୟ ବିଚଳିତ ହୁଏନି; ନିଦ୍ରା ଓ ଜାଗ୍ରତ ଚକ୍ର ଅଭାବ ଥାଏ ଓ କୌଣସି ସ୍ୱେଚ୍ଛାକୃତ କର୍ମ କରିପାରେନି. କୋମାରେ ଥିବା ଅବସ୍ଥାକୁ କୋମାଟୋଜ କହନ୍ତି । କୋମାଟୋଜ ରୋଗୀ କିଛି ଅନୁଭବ କରିପାରେ ନାହିଁ, କହିପାରେ ନାହିଁ, ଶୁଣିପାରେ ନାହିଁ ଓ ଚଳତ୍ଶକ୍ତିହୀନ ହୁଏ । ଚେତନ ଅବସ୍ଥାରେ ରହିବା ନିମନ୍ତେ ଦୁଇଟି ସ୍ନାୟବିକ ଅଂଶକ ଆବଶ୍ୟକ । ପ୍ରଥାମଟି ଗ୍ରେ ମ୍ୟାଟର ଯାହା ସେରେବ୍ରାଲ କର୍ଟେକ୍ସର ବାହ୍ୟ ସ୍ତର । ଦ୍ୱିତୀୟଟି ରେଟିକ୍ୟୁଲାର ଆକ୍ଟିଭେଟିଙ୍ଗ ସିସ୍ଟମ ଯାହା ବ୍ରେନ ସ୍ଟେମ(RAS) ଭିତରେ ଥାଏ । ଏହି ଦୁଇଟିରୁ ଯେ କୌଣସି ଗୋଟିଏ ଆଘାତପ୍ରାପ୍ତ ହେଲେ କୋମା ହେବ । ଗ୍ରେ ମ୍ୟାଟରରେ ସ୍ନାୟୁମାନଙ୍କର ନ୍ୟୁକ୍ଲିଅସ ଥାଏ । ଆର.ଏ.ଏସ.
ଓଡ଼ିଶା, ହେଉଛି ପୂର୍ବ ଭାରତରେ ଅବସ୍ଥିତ ଭାରତର ଏକ ରାଜ୍ୟ । ଆୟତନ ଦୃଷ୍ଟିରୁ ଏହା ଅଷ୍ଟମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ୪ କୋଟି ୧୦ ଲକ୍ଷରୁ ଅଧିକ ଅଧିବାସୀଙ୍କ ସହିତ ଏହା ଏକାଦଶ ବୃହତ୍ତମ ରାଜ୍ୟ । ଏହି ରାଜ୍ୟରେ ଭାରତର ତୃତୀୟ ସର୍ବାଧିକ ଅନୁସୂଚିତ ଜନଜାତି ବାସ କରନ୍ତି । ଏହାର ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ବଙ୍ଗୋପସାଗର କୂଳରେ ଓଡ଼ିଶାର ୪୮୫ କି.ମି.
ଓଡ଼ିଶାର ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ମାଳଭୂମିରେ ମାରାଗୁଡ଼ା ଉପତ୍ୟକା ଅବସ୍ଥିତ । ମାରାଗୁଡ଼ାର ଭୌଗୋଳିକ ଅବସ୍ଥିତି ହେଲା ୮୨.୨୮' ପୂର୍ବ ଦ୍ରାଘିମା ଓ ୨୦.୪୩' ଉତ୍ତର ଅକ୍ଷାଂଶ । ମଗଧ, ଛତିଶଗଡ଼, ଡେକାନ୍ ମାଳଭୂମି ଓ ଓଡ଼ିଶାର ଐତିହାସିକ ତଥା ସାଂସ୍କୃତିକ ମିଳନସ୍ଥଳରେ ମାରାଗୁଡ଼ା ଗଢ଼ି ଉଠିଥିଲା । ମାରାଗୁଡ଼ାର ଉତ୍ତର ପଟକୁ ଅମରକଣ୍ଟକ ମାଳଭୂମି ଅବସ୍ଥିତ । ମାରାଗୁଡ଼ା ଉପତ୍ୟକାରେ ପ୍ରବାହିତ ଜଙ୍କ ନଦୀ କୂଳରେ ଏହି ନଗର ସଭ୍ୟତାର ବିକାଶ ଘଟିଥିଲା ।
କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬–୬ ଅପ୍ରେଲ ୧୯୯୪) ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଥିଲେ । ୧୯୩୦ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ ରଚନା କରିଥିଲେ । ତାଙ୍କର କେତେକ ଜଣାଶୁଣା ଉପନ୍ୟାସ ମଧ୍ୟରେ କା, ବାଲିରାଜା, ଶାସ୍ତି, ହା' ଅନ୍ନ, ଝଞ୍ଜା, ଶର୍ବରୀ, ତମସା ତୀରେ ଅନ୍ୟତମ । ୧୯୫୬ ମସିହାରେ ପ୍ରକାଶିତ ଉପନ୍ୟାସ କା ପାଇଁ ସେ ୧୯୫୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ସେ ସାହିତ୍ୟ ଏକାଡେମୀର ଫେଲୋ ମଧ୍ୟ ହୋଇଥିଲେ । ତାଙ୍କୁ "ଓଡ଼ିଶୀର ଅନ୍ୟତମ ଲୋକପ୍ରିୟ ଉପନ୍ୟାସକାର" ଭାବରେ ବିବେଚନା କରାଯାଏ । ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।
ମୋତିସମ ଲିଙ୍ଗ ପାପ୍ୟୁଲ (ଇଂରାଜୀ ଭାଷାରେ pearly penile papules (PPPs) ରୋଗରେ ସାଧାରଣଃ ଲିଙ୍ଗରେ ଛୋଟ ଫୁଲା ହୋଇପାରେ । ଲିଙ୍ଗ ମୁଣ୍ଡ ଚାରି ପାଖରେ ୧ରୁ ୪ ମିମି ମଧ୍ୟରେ ଆକାର, ଧଳା କିମ୍ବା ମାଂସ ରଙ୍ଗର, ଚିକ୍କଣ ଏବଂ ଅର୍ଦ୍ଧ ଗୋଲାକାର ହୋଇଥାଏ ଏବଂ ବେଳେବେଳେ ଏକ ବା ଅନେକ ଧାଡିରେ ଲିଙ୍ଗରେ ଦେଖାଯାଏ । ଜଣେ କୃଷ୍ଣକାୟ ଲୋକଙ୍କଠାରେ ସେ ଗୁଡ଼ିକ ସାଧାରଣତଃ ଧଳା ଦେଖାଯାଏ । ସେଗୁଡ଼ିକ ଯନ୍ତ୍ରଣାହୀନ, କର୍କଟ ରୋଗହୀନ ଏବଂ ବିପଦାହୀନ ହୁଅନ୍ତି ।
ସୋନମ ୱାଙ୍ଗଚୁକ (୧ ସେପ୍ଟେମ୍ବର ୧୯୬୬ – ) ଲଦାଖର ଜଣେ ଇଞ୍ଜିନିୟର ଓ ଶିକ୍ଷା ସଂସ୍କାରକ। ସେ ଲଦାଖର ଶିକ୍ଷାମୂଳକ ଓ ସାଂସ୍କୃତିକ ଆନ୍ଦୋଳନର ସ୍ଥାପକ ଭାବେ ପରିଚିତ । ସୌର ଶାକ୍ତିରେ ଚାଲୁଥିବା SECMOL କ୍ୟାମ୍ପସର ଆକୃତି ତିଆରି କରିବା ପାଇଁ ମଧ୍ୟ ସେ ପରିଚିତ । ସେ ରାନ୍ଧିବା, ଆଲୋକ କିମ୍ବା ତାପ ପାଇଁ କୌଣସି ଜୀବାଶ୍ମ ଇନ୍ଧନ ବ୍ୟବହାର କରନ୍ତି ନାହିଁ। ୱାଙ୍ଗଚୁକଙ୍କୁ ୨୦୧୬ ମସିହାରେ ଲସ୍ ଏଞ୍ଜେଲସ୍ରେ ‘ରୋଲେକ୍ସ ଅୱାର୍ଡ ଫର୍ ଏଣ୍ଟରପ୍ରାଇଜ’ ପ୍ରଦାନ କରାଯାଇଥିଲା । ବିଶ୍ୱସ୍ତରରେ ପ୍ରତିଷ୍ଠିତ ଏହି ପୁରସ୍କାର ଏପର୍ଯ୍ୟନ୍ତ କେବଳ ୧୪୦ ଜଣଙ୍କୁ ମିଳିଛି । ୧୯୯୪ ମସିହାରେ ‘ଅପରେସନ୍ ନ୍ୟୁ ହୋପ୍’ ଆରମ୍ଭ ହେବା ସମୟରେ ସେ ସରକାରୀ ଓ ଗ୍ରାମୀଣ ସମୁଦାୟମାନଙ୍କ ମଧ୍ୟରେ ସହଯୋଗ ସୃଷ୍ଟି କରିଥିଲେ। ସେ ‘ବରଫ ସ୍ତୂପ’ ପ୍ରଯୁକ୍ତିର ଆବିଷ୍କାର କରିଥିଲେ, ଯାହା ଦ୍ୱାରା କୃତ୍ରିମ ହିମନଦୀ ତିଆରି ହୁଏ । ଏଥିରେ ଶଙ୍କୁଆକାର ବରଫ ଗଠନ ମାଧ୍ୟମରେ ଶୀତକାଳରେ ପାଣି ସଞ୍ଚୟ କରାଯାଏ ।
ଆସାଇଟିସ ବା ଜଳୋଦର (ଇଂରାଜୀ ଭାଷାରେ Ascites) ରୋଗ ନାମ ଦିଆଯାଏ ଯେତେବେଳେ ଉଦର (abdomen) ଭିତରେ ତରଳ ପଦାର୍ଥ (fluid) ଜମିଯାଏ । ପ୍ରାୟ ୨୫ ମି:ଲି:ରୁ ଅଧିକ ତରଳ ପଦାର୍ଥ ପେରିଟୋନିଆଲ କାଭିଟିରେ ରହିଲେ ଏହି ରୋଗ ଜଣାଯାଏ । ଉଦର ଆକାର ବୃଦ୍ଧି, ଓଜନ ବୃଦ୍ଧି, ଉଦର ବେଆରାମ ଓ ଅଣନିଶ୍ୱାସୀ (shortness of breath) ଆଦି ଲକ୍ଷଣ ଦେଖାଯାଏ । ରୋଗ ଜଟିଳ ହେଲେ ସ୍ପୋଣ୍ଟାନିଅସ ବ୍ୟାକ୍ଟେରିଆଲ ପେରିଟୋନାଇଟିସ (Spontaneous bacterial peritonitis) ହୋଇପାରେ ।
ନାରାୟଣ ସାହୁ (ଜନ୍ମ ୨୫ ନଭେମ୍ବର ୧୯୫୫) ଜଣେ ଓଡ଼ିଆ ଅଧ୍ୟାପକ ଓ ନାଟ୍ୟକାର । ଏଯାବତ ତାଙ୍କର ୨୦ରୁ ଉର୍ଦ୍ଧ ନାଟକ ପ୍ରକାଶିତ ହୋଇସାରିଛି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟାପନା କରିଛନ୍ତି । ତାଙ୍କର ନାଟକ ଆଶ୍ରା ଖୋଜି ବୁଲୁଥିବା ଇଶ୍ୱର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଆକାଶବାଣୀ ନାଟ୍ୟକାର ପୁରସ୍କାର, ଝଙ୍କାର ନାଟକ ପୁରସ୍କାର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର, ପଠାଣି ସାମନ୍ତ ନାମରେ ପରିଚିତ, ଜଣେ ଭାରତୀୟ ଜ୍ୟୋତିର୍ବିଦ, ଗଣିତଜ୍ଞ ଓ ବିଦ୍ୱାନ ଥିଲେ । ସେ ବାଉଁଶ ନଳୀ ସାହାଯ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ଗଣନା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବା ନିମନ୍ତେ ଜଣା। ସେ ନିଜ ଗବେଷଣା ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ ରଚନା କରି ପ୍ରକାଶ କରିଥିଲେ । ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ନାମ ଏକ ପାଞ୍ଜି ପ୍ରଚଳିତ ।
'ରବୀନ୍ଦ୍ରନାଥ ଠାକୁର ' ( (); Bengali pronunciation: [robind̪ro nat̪ʰ ʈʰakur]), (୧୮୬୧-୧୯୪୧) ଏକାଧାରରେ ଜଣେ କବି, ଚିତ୍ରଶିଳ୍ପୀ, ସଂଗୀତଜ୍ଞ, ଶିକ୍ଷାବିତ, ଗାଳ୍ପିକ ଓ ଦାର୍ଶନିକ ଥିଲେ । ତାଙ୍କୁ ବଙ୍ଗଳା ଭାଷାର ସର୍ବଶ୍ରେଷ୍ଠ ସାହିତ୍ୟକ ବୋଲି ଧରାଯାଏ । ଭାରତୀୟ ଭାଷା ଅନୁସାରେ ତାଙ୍କ ନାମ ରବିଦ୍ରନାଥ ଠାକୁର ଥିଲା । ତାଙ୍କୁ "ବଙ୍ଗଳାର ପକ୍ଷୀ" ବୋଲି ଆଖ୍ୟା ଦିଆଯାଇଥିଲା ।ଭାରତୀୟମାନଙ୍କ ମଧ୍ୟରେ ସେ ସର୍ବ ପ୍ରଥମେ ନୋବେଲ ପୁରସ୍କାର ଲାଭ କରିଥିଲେ । ଟାଗୋର ବହୁତ ଗଳ୍ପ, କବିତା, ଓ ନାଟକ ରଚନା କରିଥିଲେ ଓ ତା' ସହ ବହୁତ ଗୀତ ଓ ସଙ୍ଗୀତ ଲେଖିଥିଲେ । ରବୀନ୍ଦ୍ରନାଥଙ୍କ ୫୨ଟି କାବ୍ୟଗ୍ରନ୍ଥ, ୩୮ଟି ନାଟକ, ୧୩ଟି ଉପନ୍ୟାସ, ୩୬ଟି ପ୍ରବନ୍ଧ, ୯୬ କ୍ଷୁଦ୍ର ଗଳ୍ପ ଓ ୧୯୧୫ ସଙ୍ଗୀତ ପ୍ରକାଶିତ ହୋଇସାରିଛି । ରବୀନ୍ଦ୍ରନାଥଙ୍କ ରଚନା ବିଭିନ୍ନ ଭାଷାରେ ଅନୁବାଦିତ ହୋଇସାରିଛି । ଗୀତାଞ୍ଜଳିର ଲେଖକ ଓ ତାଙ୍କର ଗଭୀର ସମ୍ବେଦନଶୀଳ, ତାଜା, ସୁମଧୁର କବିତା; ୧୯୧୩ ମସିହାରେ ଗୀତାଞ୍ଜଳି କବିତାଗ୍ରନ୍ଥର ଇଂରାଜୀ ଅନୁବାଦ ପାଇଁ ସେ ନୋବେଲ ପୁରସ୍କାର ଲାଭ କରିଥିଲେ । ତାଙ୍କଦ୍ୱାରା ରଚିତ ସଂଗୀତ ୨ଟି ଦେଶ, ନିଜ ନିଜ ଦେଶର ଜାତୀୟ ସଂଗୀତ ଭାବେ ବାଛି ନେଇଛନ୍ତି: ଭାରତ "ଜନ ଗଣ ମନ" ଓ ବାଂଲାଦେଶ "ଆମର୍ ସୋନାର ବଙ୍ଗଲା" । ଶ୍ରୀଲଙ୍କାର ଜାତୀୟ ସଂଗୀତ ମଧ୍ୟ ଟାଗୋରଙ୍କଠାରୁ ପ୍ରେରଣା ଲାଭ କରିଥିଲା ।
ଇରା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମିତ ଜଣେ ଓଡ଼ିଆ ପ୍ରଚ୍ଛଦପଟ ଗାୟିକା । ଇରା ମହାନ୍ତିଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି । ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତି । ବେଶ୍ ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ମେଲୋଡି ମଞ୍ଚରୁ ଆରମ୍ଭ କରିଥିଲେ ଗୀତ ଗାଇବା । ପରେ ସେ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ । ସମସ୍ତଙ୍କ ପାଖରେ ସେ ମେଲୋଡ଼ି କୁଇନ୍ ଭାବେର ବେଶ୍ ଜଣାଶୁଣା । ଏହା ଛଡ଼ା ସେ ଓଡ଼ିଶାର ବୁଲ୍ବୁଲ୍ ବୋଲି ମଧ୍ୟ ପ୍ରସିଦ୍ଧ । ଏବେ ସଂଗୀତ ସହ ସକ୍ରିୟ ରହିବା ସହ ସଂଗୀତ ସାଧନା ଜାରି ରଖିଛନ୍ତି ।
ମହାତ୍ମା ଗାନ୍ଧୀଙ୍କୁ ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ବିରଳା ଭବନଠାରେ (ବର୍ତ୍ତମାନର ନୂଆଦିଲ୍ଲୀର ଗାନ୍ଧୀ ସ୍ମୃତି) ଗୁପ୍ତ ଭାବରେ ହତ୍ୟା କରାଯାଇଥିଲା । ସେଠାରେ ଗାନ୍ଧୀ ତାଙ୍କ ପରିବାର ଓ ଅନୁଗାମୀମାନଙ୍କ ସହ ପ୍ରାର୍ଥନା ସଭାରେ ଥିବାବେଳେ ହିନ୍ଦୁ ମହାସଭାର ରାଷ୍ଟ୍ରବାଦୀ ନାଥୁରାମ ବିନାୟକ ଗଡସେ ତାଙ୍କ ଛାତିକୁ ଅତି ନିକଟରୁ ୩ଥର ଗୁଳି ଚଳାଇଥିଲେ । ପରେ ତାଙ୍କୁ ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରହଣିସ୍ଥଳ ବିରଳା ଭବନକୁ ନିଆଯାଇଥିଲା ।
ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ସଂକ୍ଷେପରେ "ଆରଏସଏସ") ଏକ ଭାରତୀୟ ଦକ୍ଷିଣପନ୍ଥୀ, ହିନ୍ଦୁ ଜାତୀୟତାବାଦୀ, ଅର୍ଦ୍ଧସାମରିକ ସ୍ୱେଚ୍ଛାସେବୀ ସଂଗଠନ । ଆରଏସଏସ ହେଉଛି ସଂଘ ପରିବାରର ନାମକ ଏକ ବୃହତ ସଂସ୍ଥାସମୂହର ମୂଳ ସଂଗଠନ ଏବଂ ତାହା ଭାରତୀୟ ସମାଜର ସମସ୍ତ ଦିଗରେ ଉପସ୍ଥିତି ରହିଛି । ଆରଏସଏସ ୧୯୨୫ ସେପ୍ଟେମ୍ବର ୨୭ରେ ସ୍ଥାପିତ ହୋଇଥିଲା । ୨୦୧୪ ବେଳକୁ ଏହାର ସଦସ୍ୟତା ଥିଲା ୫୦-୬୦ ଲକ୍ଷ (୫-୬ ନିୟୁତ) ।
ମହାରାଜା ବିକ୍ରମ ଦେବ ଚତୁର୍ଥ କିମ୍ବା ବିକ୍ରମ ଦେଓ ବର୍ମା (୨୮ ଜୁନ ୧୮୬୯ – ୧୪ ଏପ୍ରିଲ ୧୯୫୧) ବ୍ରିଟିଶ ଭାରତର ଜୟପୁର ଏଷ୍ଟେଟର ଶେଷ ଜମିନ୍ଦାର ଥିଲେ। ସେ କଳା ଓ ସାହିତ୍ୟର ଏକ ମହାନ ପ୍ରୋତ୍ସାହକ ଥିବା ସହ ଜଣେ ଲେଖକ ଏବଂ କୁଶଳ ନାଟ୍ୟକାର ମଧ୍ୟ ଥିଲେ। ସେ ଜଣେ ପ୍ରଶାସକ ଭାବେ ମଧ୍ୟ ପରିଚିତ ଥିଲେ ଏବଂ ୧୯୧୪ ମସିହାରେ ତତକାଳୀନ ମାଦ୍ରାସ ସରକାର ତରଫରୁ ବିଶାଖାପାଟଣାର ମାଜିଷ୍ଟ୍ରେଟ୍ ଭାବେ କାମ କରିଥିଲେ। ଓଡ଼ିଶା ରାଜ୍ୟର ସୀମା ନିର୍ଦ୍ଧାରଣରେ ସେ ମଧ୍ୟ ସକ୍ରିୟ ଭାଗ ନେଇଥିଲେ।
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତିମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭାଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତିକୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ ହଲକଷ୍ଟ ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା ଓ ଏଥିରେ ୫ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ ।
ଗୁଜରାଟ ( Gujarat [ˈɡudʒəɾɑt] ()) ଭାରତର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ଥିବା ଏକ ରାଜ୍ୟ । ଏହାର ସମୁଦ୍ରତଟ 1,600 km (990 mi) ଓ ତାହାର ଅଧିକାଂଶ ଭାଗ କାଠିଆୱାଡ଼ ଉପଦ୍ୱୀପରେ ଅବସ୍ଥିତ । ଗୁଜରାଟର ମୋଟ ଜନସଂଖ୍ୟା ୬୦ ମିଲିଅନ । ଭାରତର ପଶ୍ଚିମରେ ଥିବା ଗୁଜରାଟର ପଶ୍ଚିମରେ ଆରବ ସାଗର ଉତ୍ତରରେ ସିନ୍ଧ (ପାକିସ୍ତାନ), ଉତ୍ତରପୂର୍ବରେ ରାଜସ୍ଥାନ, ପୂର୍ବରେ ମଧ୍ୟ ପ୍ରଦେଶ ଏବଂ ଦକ୍ଷିଣ ପୂର୍ବରେ ମହାରାଷ୍ଟ୍ର ରାଜ୍ୟ ତଥା ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହବେଳୀ କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ଗୁଜରାଟର ରାଜଧାନୀ ଗାନ୍ଧୀନଗର । ଅମଦାବାଦ ଗୁଜରାଟର ଏକମାତ୍ର ମହାନଗରୀ । ଗୁଜରାଟ ରାଜ୍ୟର ନାମ "ଗୁଜ୍ଜର"ରୁ ଆସିଛି ।
ବନ୍ଦେ ମାତରମ ଏକ ରାଷ୍ଟ୍ର ଭକ୍ତି କବିତା ଯାହା ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କଦ୍ୱାରା ୧୮୮୨ ମସିହାରେ ଆନନ୍ଦ ମଠ ଉପନ୍ୟାସରେ ଲେଖାଯାଇଥିଲା । ଏହା ସଂସ୍କୃତ ଓ ବଙ୍ଗଳା ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା ଦୁର୍ଗାଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ ରବୀନ୍ଦ୍ରନାଥ ଠାକୁର ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।
ଯକ୍ଷ୍ମା (ଟିବି) ଏକ ସଂକ୍ରମକ ରୋଗ ଯାହା ମାଇକୋବ୍ୟାକ୍ଟେରମ ଟ୍ୟୁବରକ୍ୟୁଲୋସିସଦ୍ୱାରା (MTB) ହୁଏ । ଯକ୍ଷ୍ମା ସାଧାରଣତଃ ଫୁସଫୁସକୁ ଆକ୍ରମଣ କଲେ ମଧ୍ୟ ଶରୀରର ଯେ କୌଣସି ଅଙ୍ଗରେ ଏହାଦ୍ୱାରା ରୋଗ ହୋଇପାରେ । ଅଧିକାଂଶ ସଂକ୍ରମଣରେ କୌଣସି ଲକ୍ଷଣ ହେଉ ନ ଥିବାରୁ ତାହାକୁ ପ୍ରଛନ୍ନ ଯକ୍ଷ୍ମା ଓ ଇଂରାଜୀ ଭାଷାରେ ଲେଟେଣ୍ଟ ଟ୍ୟୁବରକୁଲୋସିସ (latent tuberculosis) କୁହାଯାଏ । ଏହି ପ୍ରଛନ୍ନ ଯକ୍ଷ୍ମା ମଧ୍ୟରୁ ପ୍ରାୟ ୧୦% ସଂକ୍ରମଣ ସକ୍ରିୟ ରୋଗରେ ପରିଣତ ହୁଏ ଯାହାକୁ ଚିକିତ୍ସା ନ କଲେ ସେଥିରୁ ଅଧେ ଲୋକ ମୃତ୍ୟୁ ବରଣ କରନ୍ତି । ସକ୍ରିୟ ଫୁସଫୁସ ଯକ୍ଷ୍ମା ରୋଗରେ କ୍ରନିକ ବା ଦୀର୍ଘକାଳୀନ କାଶ ସହିତ ରକ୍ତ ମିଶ୍ରିତ ଖଙ୍କାର ପଡ଼େ, ଜ୍ୱର, ରାତ୍ରୀ ସ୍ୱେଦ ନିର୍ଗତ ଓ ଓଜନ ହ୍ରାସ ହୁଏ । ଓଜନ ହ୍ରାସ ହେଉଥିବାରୁ ଏହାକୁ କ୍ଷୟ ରୋଗ ନାମ ଦିଆଯାଇଥିଲା । ବିଭିନ୍ନ ଅଙ୍ଗର ସଂକ୍ରମଣରେ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ବାଘ ବା ବ୍ୟାଘ୍ର (ଇଂରାଜୀରେ Tiger, ସାନ୍ତାଳୀରେ ᱛᱟᱹᱨᱩᱵ, ସମ୍ବଲପୁରୀରେ ବାଘ୍, ହିନ୍ଦୀରେ बाघ, ଜୀବବିଜ୍ଞାନ ନାମ Panthera tigris) ବିରାଡି ପ୍ରଜାତିର ସର୍ବବୃହତ ଜୀବପ୍ରଜାତି । ଏହାର ଈଷତ୍ ହଳଦିିଆ ବା କମଳା ରଙ୍ଗର ଚମଡ଼ାରେ କଳା ରଙ୍ଗର ପଟା ପଟା ଦାଗ ଥାଏ ଓ ପେଟଟି ଧଳା ରଙ୍ଗର ହୋଇଥାଏ । ବାଘ, ସିଂହ, କଲରାପତରିଆ ବାଘ, ଜାଗୁଆର ଓ ହିମ କଲରାପତ୍ରିଆ ବାଘ ଇତ୍ୟାଦି ଜୀବ ପାନ୍ଥେରା ପ୍ରଜାତି ଭାବେ ପରିଗଣିତ ହୋଇଥାନ୍ତି । ବାଘ ନିଜ ପରିବାସର ଖାଦ୍ୟଶୃଙ୍ଖଳର ସର୍ବୋଚ୍ଚତମ ମାଂସାସୀ ଜୀବ । ଗୋରୁ ଓ ହରିଣ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏହାର ମୁଖ୍ୟ ଶିକାର । ବାଘମାନେ ମୁଖ୍ୟତଃ ଏକାକୀ ଜୀବନଯାପନ କରନ୍ତି, କେବଳ କେତେକ ପରିସ୍ଥିତିରେ କିଛି ବାଘମାନଙ୍କୁ ଏକାଠି ମିଳିମିଶି ରହୁଥିବା ଦେଖାଯାଏ । ବାଘମାନେ ସାଧାରଣତଃ ନିଜର ଏକ ଶିକାର କ୍ଷେତ୍ର ନିର୍ଦ୍ଧାରଣ କରି ତାହାର ନିୟନ୍ତ୍ରଣ କରନ୍ତି । ଶିକାରର ଚାହିଦା ମେଣ୍ଟାଇ ପାରୁଥିବା ଏକ ବିରାଟ ଅଞ୍ଚଳକୁ ସାଧାରଣତଃ ବାଘମାନେ ନିଜର ପରିବାସ ବା ଶିକାର କ୍ଷେତ୍ର ରୂପେ ଚୟନ କରିଥାନ୍ତି । ଅନେକ କାରଣରୁ ପୃଥିବୀର କେତେକ ଦେଶରେ ମନୁଷ୍ୟ ଓ ବାଘ ମୁହାଁମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।
ଗଜପତି ଜିଲ୍ଲା ହେଉଛି ଭାରତର ଓଡ଼ିଶା ରାଜ୍ୟର ଦକ୍ଷିଣାଞ୍ଚଳରେ ଅବସ୍ଥିତ ଏକ ପ୍ରଶାସନିକ ଜିଲ୍ଲା। ୧୯୯୨ ମସିହା ଅକ୍ଟୋବର ୨ ତାରିଖରେ ଏହାକୁ ପୂର୍ବତନ ଗଞ୍ଜାମ ଜିଲ୍ଲାରୁ ଅଲଗା କରି ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦିଆଯାଇଥିଲା। ୨୦୧୧ ଜନଗଣନା ଅନୁଯାୟୀ, ଓଡ଼ିଶାର ୩୦ଟି ଜିଲ୍ଲା ମଧ୍ୟରେ ଏହା ଦେବଗଡ଼ ଏବଂ ବୌଦ୍ଧ ପରେ ତୃତୀୟ ସର୍ବନିମ୍ନ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲା ଅଟେ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରଧାନ ସେବକ ଅଟନ୍ତି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଠାକୁର ରାଜା ଭାବେ ସମସ୍ତଙ୍କ ପାଖେ ପରିଚିତ । ତାଙ୍କୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ବିବେଚନା କରାଯାଏ l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଜନ୍ମ ୧୯୫୩ ମସିହାରେ ପୁରୀରେ ହେଇଥିଲା । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ପିତୃଦେବ ଗଜପତି ବୀରକିଶୋର ଦେବ ଓ ମାତୃଦେବୀ ସୂର୍ଯ୍ୟମଣି ପାଟମହାଦେଈ । ସେ ୧୯୭୦ ମସିହା ଜୁଲାଇ ୭ ତାରିଖରେ ରାଜପଦରେ ଅଭିଷିକ୍ତ ହୋଇଥିଲେ । ଗଜପତି ମହାରାଜା ଭାବେ ଅଭିଷିକ୍ତ ହେବାପୂର୍ବରୁ ତାଙ୍କ ନାମ ଥିଲା ଜେନାମଣି କାମାର୍ଣ୍ଣବ ଦେବ । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଶୁଭପରିଣୟ ଜାମ୍ମୁର ରାଜଜେମା ବିନୀତା ଚତକଙ୍କ ସହିତ ୧୯୭୮ ମସିହରେ ହେଇଥିଲା । ଗଜପତିଙ୍କ ସହ ଶୁଭପରିଣୟ ପରେ ଗଜପତି ବଂଶ ପରମ୍ପରା ଅନୁସାରେ ମହାରାଜାଙ୍କ ଧର୍ମପତ୍ନୀଙ୍କ ନାମ ପରିବର୍ତ୍ତନ ହୋଇ ଲୀଳାବତୀ ପାଟମହାଦେଈ ହୋଇଛି l ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅଟନ୍ତି । ସେ ରାୟପୁରର ରାଜକୁମାର କଲେଜରୁ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଓ ଦିଲ୍ଲୀର ସେଣ୍ଟଷ୍ଟିଫେନସ କଲେଜରୁ ଇତିହାସରେ ସ୍ନାତକ (ସମ୍ମାନ) ଶିକ୍ଷା ଲାଭ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଲ.ଏଲ.ବି .ଶିକ୍ଷା ସମାପ୍ତପରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ଏଲ.ଏଲ.ଏମ.
ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ । ପ୍ରତ୍ୟେକ ବର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତିନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ।
ହରପ୍ପା ( Punjabi pronunciation: [ɦəɽəppaː] ; ଉର୍ଦ୍ଦୁ / Punjabi ) ପାକିସ୍ତାନର ପଞ୍ଜାବର ଏକ ପ୍ରତ୍ନତାତ୍ତ୍ୱିକ ସ୍ଥାନ, ସାହିୱାଲର ପ୍ରାୟ 24 km (15 mi) ପଶ୍ଚିମରେ ଏହି ସାଇଟ୍ ରବି ନଦୀର ପୂର୍ବ ପଥ ନିକଟରେ ଅବସ୍ଥିତ । ରବି ନଦୀ ନିକଟରେ ଅବସ୍ଥିତ ଏକ ଆଧୁନିକ ଗାଁରୁ ଏହାର ନାମକରଣ ହୋଇଛି । ରବି ନଦୀ ବର୍ତ୍ତମାନ 8 km (5.0 mi) ଉତ୍ତରରେ ଚାଲୁଛି । ହରପ୍ପାର ପ୍ରାଚୀନ ସ୍ଥାନଟି ବର୍ତ୍ତମାନର ହରପ୍ପା ଗାଁରୁ 1 km (0.62 mi)ରୁ କମ୍ ଦୂରରେ ଅବସ୍ଥିତ । ଯଦିଓ ଆଧୁନିକ ହରପ୍ପା ବ୍ରିଟିଶ ରାଜ ସମୟରୁ ଏକ ପୁରୁଣା ରେଳ ଷ୍ଟେସନ ଅଛି, ଏହା ଆଜି ୧୫,୦୦୦ ଲୋକଙ୍କ ଏକ ଛୋଟ ଛକ ସହର ଅଟେ ।
ତରୁଣକାନ୍ତି ମିଶ୍ର(ଜନ୍ମ : ୦୨ ଅଗଷ୍ଟ ୧୯୫୦) ଜଣେ ଓଡ଼ିଆ ଗାଳ୍ପିକ ଅଟନ୍ତି । ତାଙ୍କର ୧୫ରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇସାରିଛି । ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ପୁରସ୍କାର ଭଳି ବହୁ ପୁରସ୍କାର ଲାଭ କରିଛନ୍ତି । ବୃତ୍ତିରେ ସେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟକରି ସେବାନିବୃତ ହୋଇସାରିଛନ୍ତି । ପରେ ସେ ଓଡ଼ିଶାର ସୂଚନା କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ନ’ ଅଙ୍କ ଦୁର୍ଭିକ୍ଷ ପୁରୀର ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ରାଜତ୍ୱର ନବମ ବର୍ଷ ବା ନଅ ଅଙ୍କରେ (୧୮୬୬-୬୭ ମସିହା) ଓଡ଼ିଶାର ଉପକୂଳବର୍ତ୍ତି ଅଞ୍ଚଳରେ ହୋଇଥିଲା । ଏଭଳି ଭୟାବହ ଦୁର୍ଭିକ୍ଷର ଇତିହାସରେ କୌଣସି ପଟାନ୍ତର ନାହିଁ । ଭାରତର ପୂର୍ବାଞ୍ଚଳ ମାନ୍ଦ୍ରାଜର ଉତ୍ତରକୁ ୧,୮୦,୦୦୦ ମାଇଲ ବ୍ୟାପୀ ସ୍ଥାନରେ ୪୭,୫୦୦,୦୦୦ ଲୋକ ଦୁର୍ଭିକ୍ଷର ଶିକାର ହୋଇଥିଲେ ଯାହା ମଧ୍ୟରେ ଓଡ଼ିଶା ଥିଲା । ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଥିବାର କାରଣ ମଧ୍ୟରୁ ଏହା ଦେଶର ଅନ୍ୟାନ୍ୟ ସ୍ଥାନଠାରୁ ଗମନାଗମନ ପଥ ନ ଥିବାରୁ ଅଲଗା ହୋଇ ରହିଥିଲା
ଥାଇରଏଡ ବା ଥାଇରଏଡ ଗ୍ରନ୍ଥି ଏକ ଅନ୍ତସ୍ରାବୀ ଗ୍ରନ୍ଥି ଯାହାର ଦୁଇଟି ଲୋବ (lobes) ଥାଏ ଓ ଏହି ଲୋବଦ୍ୱୟ ପରଷ୍ପର ସହିତ ଇସଥମସ ସାହାଯ୍ୟରେ ସଂଯୁକ୍ତ ହୋଇ ବେକରେ ଥିବା ଆଡାମ ଆପଲ (Adam's apple) ତଳକୁ ଥାଏ । ଥାଇରଏଡ ଗ୍ରନ୍ଥିରୁ ଥାଇରକ୍ସିନ/ଟି୪ ଓ ଟ୍ରାଇଆୟୋଡୋଥାଇରୋନିନ/ଟି୩ (thyroxine/T4 and triiodothyronine/T3) ନାମକ ଦୁଇଟି ଥାଇରଏଡ ହରମୋନ ଓ କ୍ୟାଲସିଟୋନିନ ନାମକ ଏକ ତୃତୀୟ ହରମୋନ ବାହାରେ । ଥାଇରଏଡ ହରମୋନ ମୂଖ୍ୟତଃ ଦେହର ବିଏମଆର ଓ ପ୍ରୋଟିନ ବାୟୋସିନଥେସିସ ନିୟନ୍ତ୍ରଣ କରିବା ସହିତ ଶରୀରବିକାଶକୁ ନିୟନ୍ତ୍ରଣ ମଧ୍ୟ କରନ୍ତି । ଦେହର କ୍ୟାଲସିଅମ ନିୟନ୍ତ୍ରଣ କରିବାରେ କ୍ୟାଲସିଟୋନିନର ଏକ ମୂଖ୍ୟ ଭୂମିକା ଥାଏ ।