ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ମାଳତୀ ଚୌଧୁରୀ (୨୬ ଜୁଲାଇ ୧୯୦୪ - ୧୫ ମାର୍ଚ୍ଚ ୧୯୯୮) ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ମାଳତୀ ୨୬ ଜୁଲାଇ ୧୯୦୪ରେ ଏକ ବ୍ରାହ୍ମ ପରିବାରରେ ବାପା ବାରିଷ୍ଟର କୁମୁଦ ନାଥ ସେନ ଓ ମାଆ ସ୍ନେହଲତା ସେନଙ୍କଠାରୁ ଜନ୍ମ ନେଇଥିଲେ । ୨.୫ ବର୍ଷ ବୟସରେ ବାପାଙ୍କୁ ହରାଇ ସେ ମାଆଙ୍କ ଦେଇ ପରିପାଳିତ ହୋଇଥିଲେ । ବିଶ୍ୱକବି ରବିନ୍ଦ୍ରନାଥ ତାଙ୍କୁ ସ୍ନେହରେ ମିନୁ ଓ ଗାନ୍ଧୀଜୀ ତାଙ୍କୁ ତୁଫାନୀ ନାମରେ ଡାକୁଥିଲା ବେଳେ ସେ ଓଡ଼ିଶାବାସୀଙ୍କ ଆଦରଣୀୟ ନୂମା (ନୂଆ ମା) ଭାବେ ପରିଚିତ ଥିଲେ । ସ୍ୱାଧୀନତା ସଂଗ୍ରାମର ପ୍ରଜାମଣ୍ଡଳ ଆନ୍ଦୋଳନରେ ସେ ଏତେ ମାତ୍ରାରେ ଜଡ଼ିତ ଥିଲେ ଇଂରେଜ ସରକାର ତାଙ୍କୁ "ଜୋଆନ୍ ଅଫ୍ ଆର୍କ" ନାମେର ସମ୍ବୋଧନ କରୁଥିଲେ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ରୂପମତୀ (ଇଂରାଜୀ ଭାଷାରେ Rani Roopmati) ଜଣେ କବୟିତ୍ରୀ ଥିଲେ ଯିଏ ମାଲୱା ସୁଲତାନ 'ବାଜ ବାହାଦୂର'ଙ୍କ ପତ୍ନୀ ଥଲେ । ମାଲୱା ଲୋକକଥାରେ ସୁଲତାନ ଓ ରୂପମତୀଙ୍କର ପ୍ରେମ ବିଷୟରେ ମୁଖ୍ୟତଃ ଚର୍ଚ୍ଚା ହୋଇଥାଏ । ରୂପମତୀଙ୍କର ଅଲୌକିକ ସୌନ୍ଦର୍ଯ୍ୟ ବିଷୟ ଶୁଣି ମାଣ୍ଡୁ (Mandu) ବିଜୟ କରିବାକୁ ଆଦମ ଖାନ ପ୍ରଲୋଭିତ ହୋଇଥିଲା । ଆଦମ ଖାନ ବିଜୟ ପଥରେ ବାହାରିଲେ ଓ ଫୋର୍ଟରେ ବାଜ ବାହାଦୂର ଅହିତ ସାକ୍ଷାତ ହେଲା । ବାଜ ବାହାଦୂରଙ୍କର ଗୋଟିଏ ଛୋଟ ସୈନ୍ୟ ବାହିନୀ ଥିଲା । ତେଣୁ ସେ ଅକ୍ଳେଶରେ ହାରିଗଲେ । ରୂପମତୀ ବିଷ ଖାଇ ଆତ୍ମହତ୍ୟା କଲେ । ଏହିପରି ଭାବରେ ଏକ ସଙ୍ଗୀତମୟ, କାବ୍ୟିକ, ପ୍ରେମର ଯୁଦ୍ଧ ହୋଇ ଅବଶେଷରେ ମୃତ୍ୟୁ ହୋଇଗଲା । ଏହି ପ୍ରେମ କାହାଣୀକୁ ଅନେକ ଲୋକକଥା କହନ୍ତି କିନ୍ତୁ ବହୁତ ଲୋକ ଏହାକୁ ସତ୍ୟ କାହାଣୀ କହନ୍ତି ।
ରବୀନ୍ଦ୍ର ମୋହନ ଦାସ (୧୨ ଫେବୃଆରୀ ୧୯୧୨ - ୧୦ ଜାନୁଆରୀ ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୫୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯାଥକ୍ରମେ ୨ୟ ଓଡ଼ିଶା ବିଧାନ ସଭା ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଭକ୍ତ ଚରଣ ଦାସ (୧୭୨୯-୧୮୧୩) ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ । ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଗୋଟିଏ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଓଡ଼ିଶା, ହେଉଛି ପୂର୍ବ ଭାରତରେ ଅବସ୍ଥିତ ଭାରତର ଏକ ରାଜ୍ୟ । ଆୟତନ ଦୃଷ୍ଟିରୁ ଏହା ଅଷ୍ଟମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ୪ କୋଟି ୧୦ ଲକ୍ଷରୁ ଅଧିକ ଅଧିବାସୀଙ୍କ ସହିତ ଏହା ଏକାଦଶ ବୃହତ୍ତମ ରାଜ୍ୟ । ଏହି ରାଜ୍ୟରେ ଭାରତର ତୃତୀୟ ସର୍ବାଧିକ ଅନୁସୂଚିତ ଜନଜାତି ବାସ କରନ୍ତି । ଏହାର ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ବଙ୍ଗୋପସାଗର କୂଳରେ ଓଡ଼ିଶାର ୪୮୫ କି.ମି.
"ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ପ୍ରାଣବନ୍ଧୁ କର (୧ ଡିସେମ୍ବର ୧୯୧୪ - ୩୦ ମାର୍ଚ୍ଚ ୧୯୯୮) ଜଣେ ଅଧ୍ୟାପକ, ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ତାଙ୍କ ରଚିତ କେତେକ ଜଣାଶୁଣା ରଚନା ମଧ୍ୟରେ ଅଶାନ୍ତ, ଶ୍ୱେତପଦ୍ମା ଆଦି ନାଟକ, ଦୂରପାହାଡ଼ ଓ ପେଟୁ ଏକାଙ୍କିକା, ଷଣ୍ଢ ଲଢେଇ ଓ ସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟର ଓ ଫତୁରାନନ୍ଦଙ୍କ ନାକଟା ଚିତ୍ରକରର ନାଟ୍ୟରୂପ ଦେଇଥିଲେ । ତାଙ୍କର ଅଶାନ୍ତ ନାଟକ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସ୍ନାୟୁ ସଂହାର ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ ଓ ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଗୋପାଳ ଚନ୍ଦ୍ର ପ୍ରହରାଜ (୨୭ ସେପ୍ଟେମ୍ବର ୧୮୭୪-୧୬ ମଇ ୧୯୪୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଭାଷାବିଦ୍, ଲେଖକ, ବିଶ୍ୱକୋଷକାର ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ହୋଇଥିଲା । ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
ଅଭିମନ୍ୟୁ ସାମନ୍ତସିଂହାର (୨୩ ଫେବୃଆରୀ ୧୭୬୦, ଅନ୍ୟମତ ୧୭୫୭ - ୧୫ ଜୁନ ୧୮୦୬) ଯାଜପୁର ଜିଲ୍ଲାର ବାଲିଆଠାରେ ଜନ୍ମିତ ଜଣେ ରୀତିଯୁଗୀୟ ଓଡ଼ିଆ କବି ଓ ଓଡ଼ିଶୀ ସଙ୍ଗୀତକାର ଅଟନ୍ତି। ତରୁଣ ବୟସରେ ସେ ବାଘ ଗୀତ, ଚଢ଼ାଇ ଗୀତ ଆଦି ରଚନା କରି ଓଡ଼ିଆ ଲୋକ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି। ବିଦଗ୍ଧ ଚିନ୍ତାମଣି ତାଙ୍କ ଶ୍ରେଷ୍ଠ କୃତି।
ଅନୁଗୋଳ (ଅନୁଗୁଳ ନାମରେ ମଧ୍ୟ ଜଣାଶୁଣା) ହେଉଛି ଭାରତୀୟ ରାଜ୍ୟ ଓଡ଼ିଶାର ଅନୁଗୋଳ ଜିଲ୍ଲାର ଗୋଟିଏ ସହର , ପୌରପାଳିକା ଏବଂ ସଦରମହକୁମା । ଅନୁଗୁଳର ହାରାହାରି ଉଚ୍ଚତା ସମୁଦ୍ର ପତ୍ତନଠାରୁ ୧୯୫ ମିଟର (୬୪୦ ଫୁଟ) ଏବଂ ମୋଟ କ୍ଷେତ୍ରଫଳ ୬୨୩୨ ବର୍ଗ କିଲୋମିଟର । ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ (JSPL) ଦ୍ୱାରା ପରିଚାଳିତ ଅନୁଗୁଳ ଇସ୍ପାତ କାରଖାନା ଏକ ପ୍ରମୁଖ ସମନ୍ୱିତ ଇସ୍ପାତ ସୁବିଧା ଏବଂ ଦେଶର ସର୍ବବୃହତ ଇସ୍ପାତ କାରଖାନା ଭାବରେ ଜଣାଶୁଣା । ଏହି ସହରକୁ ଶୈଳଶ୍ରୀକ୍ଷେତ୍ର ମଧ୍ୟ କୁହାଯାଏ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ସେ ଆନୁମାନିକ ୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦,୦୦୦ ପଦ୍ୟାବଳୀ ସେ ରଚନା କରିଯାଇଛନ୍ତି । ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଆୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ତାଙ୍କୁ ଓଡ଼ିଶାର ପୁରପଲ୍ଳୀରେ 'ମହାପୁରୁଷ' ଭାବେ ଲୋକେ ଅଭିହିତ କରନ୍ତି ।
ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ପିଣ୍ଟୁ ନନ୍ଦ (୭ ଜୁଲାଇ ୧୯୭୭ - ୧ ମାର୍ଚ୍ଚ ୨୦୨୩), ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ସେ ୧୯୯୬ରେ କୋଇଲି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ରଙ୍ଗ୍ ନମ୍ବର, ବାହୁଡ଼ିବେ ମୋ ଜଗା ବଳିଆ, ଓଃ ମାଇଁ ଲଭ୍, ଆଇ ଲଭ୍ ୟୁ, ଆଇ ଲଭ୍ ମାଇଁ ଇଣ୍ଡିଆ, ପ୍ରେମ ରୋଗୀ, ଜୟ ଜଗନ୍ନାଥ, ନନ୍ଦିନୀ ଆଇ ଲଭ୍ ୟୁ, ମିତରେ ମିତ, ମୁଁ କ'ଣ ଏତେ ଖରାପ, ସ୍ୱୟଂସିଦ୍ଧା, ପହିଲି ରଜ, ପ୍ରେମ ଅଢ଼େଇ ଅକ୍ଷର, ଦୋସ୍ତି, ଶପଥ, ଗୁଡ୍ ବୟ, ଲଭ୍ ମାଷ୍ଟର, ହରି ଓମ ହର, ଡାହା ବାଳୁଙ୍ଗା, ସୁନାପିଲା- ଟିକେ ସ୍କୃ ଢିଲା ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ପିଣ୍ଟୁ ଓଡ଼ିଆ ଧାରାବାହିକ ଶଙ୍ଖା ସିନ୍ଦୂର ଆଦିରେ ଅଭିନୟ କରିଥିଲେ । ଏଥିସହ ସେ ଗୃହଲକ୍ଷ୍ମୀ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା
ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଭାରତର ଏକ ରାଜ୍ୟ ଓଡ଼ିଶା ସରକାରଙ୍କ ମୁଖ୍ୟ । ଭାରତର ସମ୍ବିଧାନ ଅନୁଯାୟୀ, ରାଜ୍ୟର ରାଜ୍ୟପାଳ ହେଉଛନ୍ତି ନାମମାତ୍ର ମୁଖ୍ୟ, କିନ୍ତୁ ପ୍ରକୃତ କାର୍ଯ୍ୟନିର୍ବାହୀ କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ହାତରେ ନ୍ୟସ୍ତ ଥାଏ । ଓଡ଼ିଶା ବିଧାନ ସଭା ନିର୍ବାଚନ ପରେ, ରାଜ୍ୟପାଳ ସାଧାରଣତଃ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳ (କିମ୍ବା ମେଣ୍ଟ)କୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଥାନ୍ତି । ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରନ୍ତି, ଯାହାଙ୍କ ମନ୍ତ୍ରୀପରିଷଦ ବିଧାନସଭା ପ୍ରତି ସାମୂହିକ ଭାବେ ଉତ୍ତରଦାୟୀ ରହିଥାନ୍ତି । ବିଧାନସଭାରେ ଆସ୍ଥା ଥିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷ ପାଇଁ ରହିଥାଏ ଏବଂ ଏହି ପଦବୀ ପାଇଁ କୌଣସି କାର୍ଯ୍ୟକାଳ ସୀମା ବା ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ମୁଖ୍ୟମନ୍ତ୍ରୀ ବିଧାନସଭାରେ ଗୃହର ନେତା ଭାବରେ ମଧ୍ୟ କାର୍ଯ୍ୟ କରନ୍ତି ।
ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ରତ୍ନାକର ଚଇନି( ୨୫ ଅଗଷ୍ଟ ୧୯୪୫ - ୧୮ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ ଓ ସମାଲୋଚକ ଥିଲେ । ଲେଖନୀ ଚାଳନା ସହ ଜଣେ ସାହିତ୍ୟ ସଂଗଠକ ଓ ଶିକ୍ଷାବିତ ଭାବେ ସେ ନିଜକୁ ପ୍ରତିଷ୍ଠିତ କରିଥିଲେ । ୨୦୧୦ ମସିହାରେ ସଂସ୍କାର ଭାରତୀ ଓ ଉତ୍କଳ ସାହିତ୍ୟ ସମାଜର ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ । ତାଙ୍କର ଏଯାବତ ୧୧୧ ଖଣ୍ଡ ପୁସ୍ତକ ପ୍ରକାଶ ପାଇସାରିଛି ।
(m 1988-present)ସନ୍ତାନSneha, Nagarjunଶ୍ରୀପ୍ରିୟା , ଜଣେ ଭାରତୀୟ ମହିଳା ଅଭିନେତ୍ରୀ ତଥା ଫିଲ୍ମ ନିର୍ଦ୍ଦେଶିକା । ସେ ୧୯୭୦ -୧୯୮୦ ଦଶକରେ ଦକ୍ଷିଣ ଭାରତୀୟ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ ତଥା ଫିଲ୍ମ ନିର୍ଦ୍ଦେଶନା କାର୍ଯ୍ୟ ମଧ୍ୟ କରୁଥିଲେ । ସେ ପ୍ରାୟ ୩୦୦ରୁ ଅଧିକ ଫିଲ୍ମରେ କରହୟ କରିଛନ୍ତି । ଏହା ମଧ୍ୟରୁ ୨୦୦ଟି ତାମିଲ ଫିଲ୍ମ ଭିନ୍ନ ଅନ୍ୟ ଦକ୍ଷିଣ ଭାରତୀୟ ଭାଷାରେ ଫିଲ୍ମ କରିଛନ୍ତି । ସେ ୨୦୧୪ ମସିହାରେ " ଦୃଶ୍ୟାମ " ନାମକ ତାମିଲ ଫିଲ୍ମ ସହ ଅନେକତାମିଲ ଓ ତେଲୁଗୁ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ।
କବିସୂର୍ଯ୍ୟ ବଳଦେବ ରଥ (୧୭୭୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୭୯ ମସିହାରେ ଗଞ୍ଜାମ ଜିଲ୍ଲା ଆଠଗଡ଼(ଅଷ୍ଟଦୁର୍ଗ) ରାଜ୍ୟର ତ୍ରିପୁରାରୀ ଓତାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ବ୍ରହ୍ମପୁର ଗଉଡ ସାହିରେ ପ୍ରାଣତ୍ୟାଗ କରିଥିଲେ ।
କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬–୬ ଅପ୍ରେଲ ୧୯୯୪) ଜଣେ ଭାରତୀୟ ଓଡ଼ିଆ ଔପନ୍ୟାସିକ ଥିଲେ । ୧୯୩୦ରୁ ୧୯୮୫ ପର୍ଯ୍ୟନ୍ତ ଛଅ ଦଶନ୍ଧିର ସାହିତ୍ୟ ରଚନା କାଳ ମଧ୍ୟରେ ସେ ୫୬ଟି ଉପନ୍ୟାସ ରଚନା କରିଥିଲେ । ତାଙ୍କର କେତେକ ଜଣାଶୁଣା ଉପନ୍ୟାସ ମଧ୍ୟରେ କା, ବାଲିରାଜା, ଶାସ୍ତି, ହା' ଅନ୍ନ, ଝଞ୍ଜା, ଶର୍ବରୀ, ତମସା ତୀରେ ଅନ୍ୟତମ । ୧୯୫୬ ମସିହାରେ ପ୍ରକାଶିତ ଉପନ୍ୟାସ କା ପାଇଁ ସେ ୧୯୫୮ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ ସେ ସାହିତ୍ୟ ଏକାଡେମୀର ଫେଲୋ ମଧ୍ୟ ହୋଇଥିଲେ । ତାଙ୍କୁ "ଓଡ଼ିଶୀର ଅନ୍ୟତମ ଲୋକପ୍ରିୟ ଉପନ୍ୟାସକାର" ଭାବରେ ବିବେଚନା କରାଯାଏ । ପ୍ରସିଦ୍ଧ ସାହିତ୍ୟିକ ଗୋପୀନାଥ ମହାନ୍ତି ଥିଲେ ତାଙ୍କର ସାନ ଭାଇ । ୧୯୯୪ ମସିହା ଏପ୍ରିଲ ୬ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
ମହାତ୍ମା ଗାନ୍ଧୀଙ୍କୁ ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ବିରଳା ଭବନଠାରେ (ବର୍ତ୍ତମାନର ନୂଆଦିଲ୍ଲୀର ଗାନ୍ଧୀ ସ୍ମୃତି) ଗୁପ୍ତ ଭାବରେ ହତ୍ୟା କରାଯାଇଥିଲା । ସେଠାରେ ଗାନ୍ଧୀ ତାଙ୍କ ପରିବାର ଓ ଅନୁଗାମୀମାନଙ୍କ ସହ ପ୍ରାର୍ଥନା ସଭାରେ ଥିବାବେଳେ ହିନ୍ଦୁ ମହାସଭାର ରାଷ୍ଟ୍ରବାଦୀ ନାଥୁରାମ ବିନାୟକ ଗଡସେ ତାଙ୍କ ଛାତିକୁ ଅତି ନିକଟରୁ ୩ଥର ଗୁଳି ଚଳାଇଥିଲେ । ପରେ ତାଙ୍କୁ ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରହଣିସ୍ଥଳ ବିରଳା ଭବନକୁ ନିଆଯାଇଥିଲା ।
ଆବୋନ ଭାଷା (ଆବୋ, ଆବୋଙ୍ଗ, ବା’ବାନ) ହେଉଛି ନାଇଜର–କଙ୍ଗୋ ଭାଷା ପରିବାରର ଏକ ଅଳ୍ପସଂଖ୍ୟକ ଭାଷା, ଯାହା ପ୍ରାୟତଃ ନାଇଜେରିଆର ଟାରାବା ରାଜ୍ୟରେ କଥିତ। ଏହି ଭାଷାକୁ କହୁଥିବା ଲୋକମାନେ ବା’ବାନ ଜାତିଗତ ଗୋଷ୍ଠୀର ସଦସ୍ୟ। ୧୯୭୩ ମସିହାର ତଥ୍ୟ ଅନୁଯାୟୀ, ଏହି ଭାଷାର ପ୍ରାୟ ୧,୦୦୦ ଜଣ ମାତୃଭାଷୀ ବକ୍ତା ଥିଲେ, ଯାହା ଏହାକୁ ଏକ ସଙ୍କଟାପନ୍ନ ଭାଷା ଭାବେ ପରିଚିତ କରେ। ISO 639-3 କୋଡ୍ ‘abo’ ଏବଂ ଗ୍ଲୋଟୋଲୋଗ୍ କୋଡ୍ ‘abon1238’ ଦ୍ୱାରା ଏହି ଭାଷା ଚିହ୍ନଟ ହୋଇଛି।
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ହୀରାକୁଦ ନଦୀବନ୍ଧ, ମହାନଦୀ ତଟରେ ଅବସ୍ଥିତଥିବା ଓଡ଼ିଶାର ସବୁଠୁ ବଡ଼ ନଦୀବନ୍ଧ ଓ ଜଳ ପରିଯୋଜନା । ଏଠାରୁ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇ ସାରା ଓଡ଼ିଶାକୁ ବିତରଣ କରାଯାଏ । ଏହା କୃଷି ଜଳସେଚନରେ ମଧ୍ୟ ସାହାଯ୍ୟ କରେ । ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନକୁ ଦୃଷ୍ଟିରେ ରଖି ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୯୫୭ରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ନଦୀବନ୍ଧ ଯୋଜନାରେ ସମୁଦାୟ ୮୪,୯୯୪ ବର୍ଗ କି.ମି. ଅଞ୍ଚଳରୁ ଜଳ ସଂଗୃହିତ ହେଉଥିବାବେଳେ ସେଥିରୁ ୬୭,୧୬୮ ବର୍ଗ କି.ମି.
ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପର୍ଶୁରାମଷ୍ଟମୀ ପାଳନ କରାଯାଏ । ଏହିଦିନ ଭଗବାନ ପର୍ଶୁରାମ ଜନ୍ମଗ୍ରହଣ କରିଥିଲେ । ଦ୍ୱାପର ଯୁଗରେ ପର୍ଶୁରାମ ଭୀଷ୍ମ କର୍ଣ୍ଣଙ୍କ ଭଳି ମହାରଥୀଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା ଦେଇଥିଲେ । ଓଡ଼ିଶାର ଦକ୍ଷିଣାଞ୍ଚଳରେ ମାଆମାନେ ପୁତ୍ରର ଶୁଭକାମନା କରି ପର୍ଶୁରାମଷ୍ଟମୀ ବ୍ରତ ପାଳନ କରନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଘରେ ଅବସ୍ଥାନ କରୁଥିବା ସମୟରେ ଏହି ବ୍ରତ ପାଳନ କରାଯାଏ । ଉପବାସ ରହି ଭଗବାନ ପର୍ଶୁରାମଙ୍କୁ ପୂଜାର୍ଚ୍ଚନା କରାଯାଏ । ଚିରଞ୍ଜିବୀ ପର୍ଶୁରାମ ଏବେ ମହେନ୍ଦ୍ରଗିରିରେ ଅବସ୍ଥାନ କରୁଛନ୍ତି ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି । ତେଣୁ କେହି କେହି ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ମହେନ୍ଦ୍ରଗିରିକୁ ଯାଇ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ନିକଟରେ ପୂଜାର୍ଚ୍ଚନା କରନ୍ତି ।
ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ଓଡ଼ିଶାରେ ବିଭିନ୍ନ ସମୟରେ ଓଡ଼ିଆ ଭାଷାର ସାମୁହିକ ବ୍ୟବହାର ପାଇଁ ହୋଇଥିବା ଆନ୍ଦୋଳନଗୁଡ଼ିକ ଓଡ଼ିଆ ଭାଷା ଆନ୍ଦୋଳନ ନାମରେ ଜଣା । ଆଧୁନିକ ଇତିହାସରେ ଏହା ପ୍ରଥମେ ୧୮୬୬ ବ୍ରିଟିଶ ଶାସନ କାଳରେ ଆରମ୍ଭ ହୋଇ ୧୯୦୩ ମସିହାରେ ଏକ ବିଶାଳ ଆନ୍ଦୋଳନର ରୂପ ନେଇଥିଲା । ଏହାର ପରିଣତି ସ୍ୱରୂପ ୧୯୩୬ ମସିହାରେ ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲା ।
ଧର୍ମପଦ, କୋଣାର୍କ ମନ୍ଦିରର ମୁଣ୍ଡି ମାରି ପ୍ରାଣ ବଳି ଦେଇଥିଲେ । ସେ ଓଡ଼ିଆ ସ୍ଥପତି ବିଶୁ ମହାରଣାଙ୍କ ପୁତ୍ର ଥିଲେ । ଯେତେବେଳେ ରାଜା ନରସିଂହ ଦେବ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ୧୨୦୦ କାରିଗରଙ୍କୁ ନେଇ ମନ୍ଦିର ନିର୍ମାଣ କଲେ, ମନ୍ଦିରର ଶୃଙ୍ଗ ପର୍ଯ୍ୟନ୍ତ କାମ ସରିଗଲା ପରେ ତାହାର ମୁଣ୍ଡି ମାରିବା କମ କେହି କରିପାରିଲେନି । ମନ୍ଦିର ଅସମ୍ପୂର୍ଣ ହେଇ ରହିଯିବାର ଆଶଙ୍କା ସୃଷ୍ଟି ହେଲା । ସେତେବେଳେ ମୁଖ୍ୟ ସ୍ଥପତି ବିଶୁ ମହାରଣାଙ୍କ ୧୨ ବର୍ଷର ପୁଅ ଧର୍ମପଦ ନିଜେ ମନ୍ଦିର ଉପରକୁ ଚଢି ନିଜର ବୁଦ୍ଧି ବଳରେ ମନ୍ଦିରର ମୁଣ୍ଡି ମାରିବାରେ ସଫଳ ହେଲେ ଓ ସେଇ କଥାକୁ ଗୋପନ ରଖିବାକୁ ସାଗରକୁ ଲମ୍ଫ ପ୍ରଦାନ କରି ନିଜର ପ୍ରାଣବଳି ଦେଲେ ।
ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ପୁରୀର ପବିତ୍ର ନରେନ୍ଦ୍ର ପୁଷ୍କରିଣୀଠାରୁ ବାମପାର୍ଶ୍ୱ ପୁରୀ-ସାତପଡ଼ା ରାସ୍ତାରେଜାତୀୟ ରାଜପଥ-୨୦୩(କ)ରେ ୨୦ କି.ମି ଗଲେ ବ୍ରହ୍ମଗିରି । ପାଞ୍ଚ ଏକର ପରିମିତ ଜାଗାରେ କେତକୀ, ବଉଳ ଓ ନାରିକେଳ ଜଙ୍ଗଲ ପରିବେଶ ମଧ୍ୟରେ ୫୦ଫୁଟ ୫ଇଞ୍ଚ ଉଚ୍ଚତା ବିଶିଷ୍ଟ ଶ୍ରୀଅଲାରନାଥଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ଚତୁଃପାର୍ଶ୍ୱରେ ଶ୍ରୀଚୈତନ୍ୟ ମନ୍ଦିର, ଶିବ ମନ୍ଦିର ଓ ବିଭିନ୍ନ ଠାକୁରାଣୀଙ୍କ ମନ୍ଦିର, ନବଗ୍ରହ ପ୍ରସ୍ତର, ନାଟମନ୍ଦିର, ପ୍ରାର୍ଥନା ଗୃହ, ଭୋଗମଣ୍ଡପ, ମୁଖଶାଳା, ତଥା ଯଜ୍ଞ ମଣ୍ଡପ ଅବସ୍ଥିତ । ରଥଯାତ୍ରା ପୂର୍ବରୁ ପ୍ରଥମେ ପଡେ ସ୍ନାନଯାତ୍ରା । ଏହି ମହାସ୍ନାନ ପରେ ଶ୍ରୀଜୀଉମାନେ ଲୌକିକ ମତରେ ଭୀଷଣ ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ଘରେ ପଡ଼ିରହନ୍ତି । ଅଣସରର ତାଳତାଟି ଭିତରେ ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ସେମାନଙ୍କର ସେବାଶୁଶ୍ରୁଷା କରନ୍ତି । ସେହି ସମୟରେ ଭକ୍ତମାନେ ଦୀର୍ଘ ୧୫ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି । ତେଣୁ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗିରହିଥାଏ । ଏହା କୌଣସି ପର୍ଯ୍ୟଟନସ୍ଥଳୀ ନହେଲେ ବି କୃଷ୍ଣଭକ୍ତମାନଙ୍କ ପାଇଁ ଏକ ପ୍ରସିଦ୍ଧ ସ୍ଥାନ । କାରଣ ଭଗବାନ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ।
ରେବତୀ ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଏହା ସେହି ବର୍ଷ ଅକ୍ଟୋବର ମାସରେ ଉତ୍କଳ ସାହିତ୍ୟ ପତ୍ରିକାର ଦ୍ୱିତୀୟ ବର୍ଷ ଦଶମ ସଂଖ୍ୟା କାର୍ତ୍ତିକ ୧୩ ୧୯୦୬ରେ ପ୍ରଥମେ ପ୍ରକାଶ ପାଇଥିଲା । ଫକୀର ମୋହନ ଏହି ପତ୍ରିକାରେ ଶ୍ରୀ ଧୁର୍ଜଟି ନାମରେ ଏହି ଗଳ୍ପଟି ଲେଖିଥିଲେ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି । ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଥିଲା । ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢ଼ିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଅଛି ।
ଦେବସ୍ନାନ ପୂର୍ଣ୍ଣିମା ପରଦିନଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜରରେ ପୀଡ଼ିତ ହୋଇ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତିନାହିଁ । ଏହି କାଳକୁ ଅଣସର ବା ଅନବସର କୁହାଯାଏ । ଦେବସ୍ନାନ ପୂର୍ଣ୍ଣିମା ଦିନ ଦେବସ୍ନାନ ମଣ୍ଡପରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କ ପ୍ରତିମା ଉପରେ ସୁନାକୂଅର ଅଧିବାସ ହୋଇ ରହିଥିବା ୧୦୮ ଗରା ଜଳ ଢଳାହୋଇ ସ୍ନାନ କରାଯାଏ । ଲଗାତର ୨୧ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପଖେଳିବା ପରେ ଶ୍ରୀଜୀଉମାନେ ୧୦୮ ଗରା ଜଳରେ ସ୍ନାନ କରିବାରୁ ତାଙ୍କୁ ଜ୍ୱର ହୋଇଛି ବୋଲି ଯାତ୍ରୀମାନଙ୍କୁ କୁହାଯାଏ । ଜ୍ୱର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରମାନଙ୍କୁ ଅଣସର ଘରକୁ (ଜଗନ୍ନାଥ ମନ୍ଦିରର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନ) ନିଅନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପାରିକ ଉପଚାର କରାଯାଏ । ଅଣସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି । ବର୍ଷକ ବାର ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା ୧୧ମାସ ଏବଂ ଦଇତାମାନଙ୍କ ସେବା ଏକ ମାସ । ଏହା ଆଷାଢ଼ କୃଷ୍ଣ ପ୍ରତିପଦାରୁ ନୀଳାଦ୍ରୀ ବିଜେ ଯାଏଁ ଚଉଦଦିନ ଧରି କରାଯାଇଥାଏ ।
ତିତ୍ଲି ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାତ କୁମାର ପ୍ରଧାନ ଓ ଶିଶିର ଚନ୍ଦ୍ର ଦାସ । ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଏସ୍.କେ. ମୂରଲୀଧରନ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତୁଷାର କେ.
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ। ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ସରଳା ଦେବୀ (୯ ଅଗଷ୍ଟ ୧୯୦୪ - ୪ ଅକ୍ଟୋବର ୧୯୮୬ ) ଜଣେ ଭାରତୀୟ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଓ ଲେଖିକା ଥିଲେ । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ବ୍ରିଟିଶ ସରକାର ଅଧୀନରେ ଥିବା ବେଳେ ଭାରତରେ ନାରୀମାନଙ୍କର ସାମାଜିକ ଓ ରାଜନୈତିକ ଅଧିକାର ପାଇଁ ଆନ୍ଦୋଳନ ଆରମ୍ଭ ହେବା ସହ ନାରୀ ଶିକ୍ଷାର ପ୍ରଚାର ପ୍ରସାର ହୋଇଥିଲା । ସେହି ସମୟରେ ଏହାର ପ୍ରଭାବରେ ଓଡ଼ିଶାର ନାରୀନେତ୍ରୀ ରମାଦେବୀ, ମାଳତୀ ଚୌଧୁରୀ, ଗୋଦାବରୀ ଦେବୀ ପ୍ରମୁଖଙ୍କ ସହ ସେ ଭାରତର ସ୍ୱାଧୀନତା ଓ ନାରୀ ସ୍ୱାଧୀନତା ପାଇଁ ଲଢ଼ିଥିଲେ । ସେ ସତ୍ୟାଗ୍ରହରେ ଭାଗନେଇଥିବା ପ୍ରଥମ ଓଡ଼ିଆ ମହିଳା । ଇଞ୍ଚୁଡ଼ିଠାରେସେ ଲବଣ ସତ୍ୟାଗ୍ରହରେ ଭାଗନେଇଥିଲେ । ସ୍ୱାଧୀନତା ଆନ୍ଦୋଳନର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ ଜେଲଦଣ୍ଡ ଭୋଗ କରିଥିଲେ ।
ବିଜୟନଗରମ ଜିଲ୍ଲା ହେଉଛି ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ଉତ୍ତର-ଆନ୍ଧ୍ର ଅଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା, ଯାହାର ମୁଖ୍ୟାଳୟ ବିଜୟନଗରମଠାରେ ରହିଛି । ଏହି ଜିଲ୍ଲା ଦିନେ ପ୍ରାଚୀନ କଳିଙ୍ଗର ଏକ ଅଂଶ ଥିଲା । ସାରିପିଲ୍ଲୀ ଡିବ୍ବିଲିଙ୍ଗେଶ୍ଵର ମନ୍ଦିର ଏବଂ ଜୟତୀ ମଲ୍ଲିକାର୍ଜୁନ ମନ୍ଦିର ହେଉଛି ଏହି ଜିଲ୍ଲାରେ ପ୍ରାଚୀନ ପୂର୍ବ ଗଙ୍ଗ ବଂଶ ଦ୍ଵାରା ନିର୍ମିତ କୀର୍ତ୍ତିରାଜିର ସର୍ବୋତ୍କୃଷ୍ଟ ଉଦାହରଣ । ଏହି ଜିଲ୍ଲାର ପୂର୍ବରେ ଶ୍ରୀକାକୁଲମ ଜିଲ୍ଲା, ଉତ୍ତରରେ ପାର୍ବତୀପୁରମ ମାନ୍ୟମ, ଦକ୍ଷିଣରେ ବିଶାଖାପଟ୍ଟନମ, ଅନାକାପଲ୍ଲୀ, ଦକ୍ଷିଣ-ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ ଅଲ୍ଲୁରୀ ସୀତାରାମ ରାଜୁ ଜିଲ୍ଲା ଅବସ୍ଥିତ ।
ପରଜା ଗୋପୀନାଥ ମହାନ୍ତିଙ୍କ ରଚିତ ଏକ ଭାରତୀୟ ଓଡ଼ିଆ ଉପନ୍ୟାସ । ଏହାର ମୁଖ୍ୟ ବିଭାବ ହେଲା ବାସ୍ତବବାଦୀ ଉପନ୍ୟାସ । ବିଂଶ ଶତାବ୍ଦୀର ମଧ୍ୟଭାଗରେ ଏହିପରି ଉପନ୍ୟାସର ଚାହିଦା ଫ୍ରାନସ ତଥା ୟୁରୋପର ଅନ୍ୟାନ୍ୟ ପ୍ରାନ୍ତରେ ବହୁତ ପରିଲକ୍ଷିତ ହେଉଥିଲା । ଏହା ବିଭିନ୍ନ ଭାରତୀୟ ଭାଷାରେ ତଥା ଇଂରାଜୀରେ ମଧ୍ୟ ଅନୁବାଦିତ ହୋଇସରିଛି । ଇଂରାଜୀରେ ଏହାର ଅନୁବାଦ କରିଥିଲେ ପ୍ରଫେସର ବିକ୍ରମ ଦାସ ।
ଠାକୁର ଅଛନ୍ତି ଚଉ ବାହାକୁ, ୧୯୯୦ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦିଲ୍ଲୀପ ମିଶ୍ର ଓ ବିଶ୍ୱନାଥ ମିଶ୍ର । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିଶ୍ୱନାଥ ମିଶ୍ର । ରମେଶ ପାଣିଗ୍ରାହୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଜୟ ଭାସ୍କର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।