ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
"ସ୍ବଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରିଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ ଓ ଏହା ଦକ୍ଷିଣ ଏସିଆରେ ପାଳନ କରାଯାଏ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ । ତେବେ ଅନ୍ୟ ରାଜ୍ୟମାନଙ୍କରେ ଏହି ଶ୍ରାବଣ ପୂର୍ଣ୍ଣିମାର ପର୍ବ ଭିନ୍ନ ରୀତିରେ ପାଳିତ ହେଇଆସୁଛି । ଗୁଜରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଆଦି ସ୍ଥାନରେ ଶ୍ରାବଣ ପୂର୍ଣ୍ଣିମା ନାରିକେଳ ପୂର୍ଣ୍ଣିମା ଭାବେ ପାଳିତ ହେଇଥାଏ । ଏହି ଦିନ ସମୂଦ୍ର ଦେବତା ବରୁଣଙ୍କୁ ନାରିକେଳ ବା ନଡ଼ିଆ ପ୍ରଦାନ କରାଯାଏ । ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ୱ ରଖେ । ଗୁଜରାଟରେ ଏହି ଦିନ ପବିତ୍ରୋପନ ମଧ୍ୟ ପାଳିତ ହୋଇଥାଏ । ଶ୍ରାବଣର ପ୍ରତି ସୋମବାର ଶିବ ମନ୍ଦିରରେ ଜଳଲାଗି ସହ ପୂର୍ଣ୍ଣମୀରେ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହେଇଥାଏ । ଉତ୍ତର ଭାରତରେ ଏହି ପର୍ବ କାଜରି ପୂର୍ଣ୍ଣିମା ଭାବେ ଜଣାଶୁଣା । ଭଲ ଫସଲ ଉତ୍ପାଦନ ପାଇଁ ଏହି ଦିନ ଦେବୀଙ୍କୁ ପୂଜା କରାଯାଇଥାଏ । ତେବେ ଏହା ସବୁ ସ୍ଥାନରେ ନୁହେଁ, ସ୍ଥାନୀୟ ଭାବେ ପାଳିତ ହୋଇଥାଏ । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର କେତେକ ସ୍ଥାନରେ ଏହା ପାଳିତ ହେଇଥାଏ । ତେବେ ଦକ୍ଷିଣ ଭାରତରେ ଏହି ତିଥିକୁ ଅବନୀ ଅୱିଟ୍ଟମ୍ ପାଳନ କରାଯାଇଥାଏ । ଏହାକୁ ଓଡ଼ିଶାର ବ୍ରାହ୍ମଣଶାସନରେ ଶ୍ରାବଣୀ ବେଦଉପାକର୍ମ ମଧ୍ୟ କୁହାଯାଏ । ବ୍ରାହ୍ମଣମାନେ ଏହିଦିନ ପବିତ୍ର ବୁଡ଼ ପକାଇ ଶ୍ଲୋକ ଉଚ୍ଚାରଣ ସହ ଯଜ୍ଞୋପବୀତ ଧାରଣ କରିଥାନ୍ତି ।[୧] Archived 2019-10-21 at the Wayback Machine.
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଗୋପାଳ ଛୋଟରାୟ (୨୦ ଅପ୍ରେଲ ୧୯୧୬ - ୨୨ ଜାନୁଆରୀ ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକସବୁ ଜୀବନ୍ତ । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ଓଡ଼ିଶା, ହେଉଛି ପୂର୍ବ ଭାରତରେ ଅବସ୍ଥିତ ଭାରତର ଏକ ରାଜ୍ୟ । ଆୟତନ ଦୃଷ୍ଟିରୁ ଏହା ଅଷ୍ଟମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ୪ କୋଟି ୧୦ ଲକ୍ଷରୁ ଅଧିକ ଅଧିବାସୀଙ୍କ ସହିତ ଏହା ଏକାଦଶ ବୃହତ୍ତମ ରାଜ୍ୟ । ଏହି ରାଜ୍ୟରେ ଭାରତର ତୃତୀୟ ସର୍ବାଧିକ ଅନୁସୂଚିତ ଜନଜାତି ବାସ କରନ୍ତି । ଏହାର ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ବଙ୍ଗୋପସାଗର କୂଳରେ ଓଡ଼ିଶାର ୪୮୫ କି.ମି.
ତପସ୍ୱିନୀ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କଦ୍ୱାରା ରଚିତ ଏକ କାବ୍ୟ ସଙ୍କଳନ । ଏହାର ରଚନା ୧୯୧୩ ମସିହାରେ ସମାପ୍ତ ହୋଇଥିଲା ଏବଂ ୧୯୧୪ ମସିହାରେ ପ୍ରକାଶିତ ହୋଇଥିଲା । ଏଗାରଟି ସର୍ଗରେ ସମୃଦ୍ଧ ଏହି କାବ୍ୟ ଗ୍ରନ୍ଥଟିରେ ରାମ ଓ ସୀତାଙ୍କର ଜୀବନ ଓ ଆଦର୍ଶ ବର୍ଣ୍ଣନା କରାଯାଇଛି । 'କରୁଣ ରସ'ରେ ଏହି କାବ୍ୟଟି ରଚିତ । ପ୍ରଣବ ରଞ୍ଜନ ଭୂୟାଁ, ପୁସ୍ତକଟିକୁ ଇଂରାଜୀରେ ଅନୁବାଦ କରିଛନ୍ତି ।
ଓଡ଼ିଆ ହେଉଛି ଏକ ଶାସ୍ତ୍ରୀୟ ଭାରତୀୟ-ଆର୍ଯ୍ୟ ଭାଷା ଯାହା ଭାରତୀୟ ରାଜ୍ୟ ଓଡ଼ିଶାରେ କଥିତ ହୋଇଥାଏ । ଏହା ଓଡ଼ିଶାରେ ସରକାରୀ ଭାଷା , ଯେଉଁଠାରେ ସ୍ଥାନୀୟ ଭାଷାଭାଷୀମାନେ ଜନସଂଖ୍ୟାର ୮୨% ଅଟନ୍ତି , ଏବଂ ଏହା ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର କିଛି ଅଂଶରେ ମଧ୍ୟ କଥିତ ହୁଏ । ଓଡ଼ିଆ ଭାରତର ସରକାରୀ ଭାଷାମାନଙ୍କ ମଧ୍ୟରୁ ଗୋଟିଏ ; ଏହା ଓଡ଼ିଶାର ସରକାରୀ ଭାଷା ଏବଂ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଦ୍ୱିତୀୟ ସରକାରୀ ଭାଷା। ଓଡ଼ିଆ ଭାଷାର ବିଭିନ୍ନ ଉପଭାଷା ଅଛି , ଯଥା: ବାଲେଶ୍ୱରୀ ଓଡ଼ିଆ (ଉତ୍ତରାଞ୍ଚଳୀୟ ଉପଭାଷା) , କଟକୀ , ଢେଙ୍କାନାଳିଆ , ଅନୁଗୁଳିଆ (ମଧ୍ୟାଞ୍ଚଳୀୟ ଉପଭାଷା) , ଗଞ୍ଜାମୀ ଓଡ଼ିଆ (ଦକ୍ଷିଣାଞ୍ଚଳୀୟ ଉପଭାଷା), ସୁନ୍ଦରଗଡ଼ି ଓଡ଼ିଆ (ଉତ୍ତର-ପଶ୍ଚିମାଞ୍ଚଳୀୟ ଉପଭାଷା) , ସମ୍ବଲପୁରୀ ଓଡ଼ିଆ (ପଶ୍ଚିମାଞ୍ଚଳୀୟ ଉପଭାଷା) , ଦେଶିଆ (ଦକ୍ଷିଣ-ପଶ୍ଚିମାଞ୍ଚଳୀୟ ଉପଭାଷା) ଏବଂ ଓଡ଼ିଶାର ଆଦିବାସୀ ଗୋଷ୍ଠୀମାନେ ଯେଉଁମାନେ ଓଡ଼ିଆ ଭାଷା ଗ୍ରହଣ କରିଛନ୍ତି ସେମାନଙ୍କ ଦ୍ୱାରା କଥିତ ଆଦିବାସୀ ସମ୍ପ୍ରଦାୟର ଉପଭାଷା ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧–୨୩ ଅଗଷ୍ଟ ୧୯୩୮) ଜଣେ ଭାରତୀୟ ଡାକ୍ତର ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ-ଭାଷୀ କବି ଓ ଲେଖିକା ଥିଲେ । ସେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖକ, ଔପନ୍ୟାସିକ, କବି ଓ ସମ୍ପାଦକ ଥିଲେ । ତାଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟ ମଧ୍ୟ ରଚନା କରିଥିଲେ । ସେ ଭାରତ ସରକାରଙ୍କଠାରୁ ସେ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ପାଇବା ସହ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି, ସରସ୍ୱତୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏବଂ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) ଜଣେ ଭାରତୀୟ ରାଜନେତା, ଓଡ଼ିଆ ଲେଖକ ଓ ସାମ୍ବାଦିକ ଥିଲେ । ସେ ତାଙ୍କର ସାମ୍ବାଦିକତା ତଥା ସାହିତ୍ୟ ରଚନା, ସମାଲୋଚନା ଏବଂ ସ୍ତମ୍ଭରଚନା ନିମନ୍ତେ ଜଣାଶୁଣା । ସେ ତାଙ୍କରକୁଳବୃଦ୍ଧ ଉପନ୍ୟାସ ପୁସ୍ତକ ନିମନ୍ତେ ୧୯୮୦ ମସିହାରେ ଶାରଳା ପୁରସ୍କାର, ନୀଳଶୈଳ ଉପନ୍ୟାସ ନିମନ୍ତେ ୧୯୬୯ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ତାଙ୍କ ଆତ୍ମଜୀବନୀ ପଥ ଓ ପୃଥିବୀ ନିମନ୍ତେ ୧୯୮୭ରେ, ଏବଂ ସବୁଜ ପତ୍ର ଓ ଧୂସର ଗୋଲାପ ନିମନ୍ତେ ୧୯୫୯ରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଦ୍ୟ ରାଜନୈତିକ ଜୀବନରେ ଗଣତନ୍ତ୍ର ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦନା ସମେତ ସେ ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ ଏବଂ ଜନତା ଓ କଳିଙ୍ଗ ଆଦି ପ୍ରକାଶନର ସମ୍ପାଦନା କରିଥିଲେ । ଜଣେ ରାଜନୈତିଜ୍ଞ ଭାବେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟି ଏବଂ ଗଣତନ୍ତ୍ର ପରିଷଦ ସହ ଜଡ଼ିତ ଥିଲେ ଏବଂ ୧୯୫୨ରୁ ୧୯୫୭ ଯାଏ ରାଜ୍ୟ ସଭା ତଥା ୧୯୫୭ରୁ ୧୯୬୨ ଏବଂ ଆଉ ଥରେ ୧୯୭୮ରୁ ୧୯୮୪ ଯାଏ ଲୋକ ସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ପାଣିପାଗ (ଇଂରାଜୀ ଭାଷାରେ Weather) ବାୟୁମଣ୍ଡଳର (atmosphere) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରୁ ପାଗ କେତେ ଡିଗ୍ରୀ ଗରମ ବା ଥଣ୍ଡା, ଓଦା ବା ଶୁଷ୍କ, ଶାନ୍ତ ବା ତୋଫାନୀ, ପରିଷ୍କାର ବା ମେଘୁଆ ରହିବ, ତାହାର ବର୍ଣ୍ଣନା ମିଳେ । ଅଧିକାଂଶ ପାଗ ପରିବର୍ତ୍ତନ ବାୟୁମଣ୍ଡଳର ସ୍ଟ୍ରାଟୋସ୍ଫିଅରର (stratosphere) ଠିକ୍ ତଳ ଭାଗରେ ଥିବା ଟ୍ରୋଫୋସ୍ଫିଅରରେ (troposphere) ହୁଏ । ଦୈନନ୍ଦିନ ଉତ୍ତାପ ଓ ପ୍ରେସିପିଟେସନ (precipitation) କାର୍ଯ୍ୟକଳାପକୁ ପାଣିପାଗ କୁହାଯାଏ ଓ ଦୀର୍ଘ ସମୟରେ ପାଗର ହାରାହାରି ଅବସ୍ଥାକୁ ଜଳବାୟୁ (climate) କୁହାଯାଏ । ନିର୍ଦ୍ଧିଷ୍ଟ ଭାବରେ କୌଣସି ବିଷୟର ଅବତାରଣା ନଥିଲେ ପାଣିପାଗକୁ ପୃଥିବୀର (Earth) ପାଣିପାଗ ବୁଝାଏ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ସନ୍ଥକବି ଭୀମ ଭୋଇ (୧୮୫୦ମଧୁପୁର -୧୮୯୫ ଖଲିଆପାଲି ) ଜଣେ ପୁରାତନ ଓଡ଼ିଆ କବି ଓ ସମାଜ ସଂସ୍କାରକ ଥିଲେ । ସେ ନିଜ ରଚନାରେ ମାନବତା, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ସେ ମହିମା ଧର୍ମକୁ ଜନାଦୃତ କରିବାରେ ନେତୃତ୍ୱ ନେଇଥିଲେ ଓ ତାଙ୍କ ରଚନାରେ ମହିମା ଦର୍ଶନ ପ୍ରତିଫଳିତ ହୋଇଥିବାରୁ ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତା ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" ଅନ୍ୟତମ । ତାଙ୍କ ସମସାମୟିକମାନେ କବିତାରେ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବର୍ଣ୍ଣା କରିଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଏବଂ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନା ନିମନ୍ତେ ଛାନ୍ଦ, ଚଉପଦୀ ଓ ଚଉତିଶାମାନ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ପୋଥିଗୁଡ଼ିକ ମଧ୍ୟରେ ସ୍ତୁତିଚିନ୍ତାମଣି, ହଳିଆ ଗୀତ, ଡାଲଖାଈ, ରସରକେଲି, ଯାଇଫୁଲ, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ଅଷ୍ଟକ ବିହାରୀ ଗୀତା, ନିର୍ବେଦ ସାଧନା, ଶ୍ରୁତିନିଷେଧ ଗୀତା, ମନୁସଭାମଣ୍ଡଳ, ଗୃହଧର୍ମ ଓ ମହିମାବିନୋଦ ଆଦି ଅନ୍ୟତମ । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ରଖାଯାଇଛି । ତାଙ୍କ ରଚିତ ପାଣ୍ଡୁଲିପିସବୁ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ମାନବ ଇମ୍ମ୍ୟୁନାଭାବ ଭୁତାଣୁ ସଂକ୍ରମଣ ଓ ଅର୍ଜିତ ଇମ୍ମ୍ୟୁନାଭାବ ସିଣ୍ଡ୍ରୋମ (HIV and AIDS) ଏକ ବିସ୍ତୃତ ଶ୍ରେଣୀର ଭୁତାଣୁ ଜନିତ ସଂକ୍ରମଣ ଯାହା ମାନବ ଇମ୍ମ୍ୟୁନାଭାବ ଭୁତାଣୁଦ୍ୱାରା ହୁଏ । ରୋଗ ଆରମ୍ଭ ସମୟରେ ଲକ୍ଷଣ ଜଣାଯାଇ ନ ପାରେ ବା ସାମାନ୍ୟ ଇନ୍ଫ୍ଲୁଏଞ୍ଜା ରୋଗ ଭଳି ଲକ୍ଷଣ ପ୍ରକାଶ ପାଏ । ଏହା ପଶ୍ଚାତ ବହୁତ ଦିନ ଧରି କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସମୟକ୍ରମେ ଇମ୍ମ୍ୟୁନିଟି ବିଭାଗକୁ ଦୁର୍ବଳ କରିଦେବା ଫଳରେ ଯକ୍ଷ୍ମା ତଥା ଅନ୍ୟାନ୍ୟ ସଂକ୍ରମଣ ଓ ଅର୍ବୁଦ ଦେଖାଯାଏ ଯାହା ଇମ୍ମ୍ୟୁନିଟି ଥିବା ଲୋକଙ୍କଠାରେ ଦେଖାଯାଏ ନାହିଁ । ବିଳମ୍ବିତ ଲକ୍ଷଣ ବାହାରିଲେ ଏଡସ୍ କୁହାଯାଏ । ଏହି ସମୟରେ ଓଜନ ହ୍ରାସ ହୁଏ ।
ନୂଆଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହି ଦିନ ପ୍ରତି ଗ୍ରାମର ପରିବାର ମାନେ ନିଜ ନିଜ ଘରେ ନୂଆଁ ଧାନ୍ କେ ଗଛ ରୁ ସଗ୍ରହ କରି ଢ଼ିଙ୍କି ରେ କୁଟି ତାକୁ ଭାଜି ଗୁଡ଼ ମିଶାଇ ଚୁରା କୁଣା ବନେଇ କରି ପ୍ରସାଦ ଲାଗିଥାଏ ଇଷ୍ଟଦେବୀ ମାଁ ସମଲେଶ୍ଵରୀ ଙ୍କଠାରେ କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପାଳନ ପରଦିନ "ନୂଆଖାଇ ବାସି" ପାଳନ ହୁଏ ଓ ଏହିଦିନ ବଳକା ନୂଆନ୍ନ, କ୍ଷୀରି-ପିଠା ଖିଆହେବା ସହ ମାଂସ ରନ୍ଧାଯାଇଥାଏ । ବାସି ପରଦିନ "ତିଆସି" ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ମାଂସ ସମେତ ବିଭିନ୍ନ ଖାଦ୍ୟ ଓ ମଦ ଖିଆପିଆ ଓ ପାରମ୍ପାରିକ ଖେଳ (ଯଥା ଡୁଡୁ, ଖୋଖୋ, ବାଡ଼ି-ଖିଚା, କୁସ୍ତି) ଖେଳି ସମୟ ଅତିବାହିତ କରିଥାନ୍ତି ।
କିଶୋର କୁମାର(୪ ଅଗଷ୍ଟ ୧୯୨୯-୧୩ ଅକ୍ଟୋବର ୧୯୮୭) ଭାରତୀୟ ବଲିଉଡର ଏକ ଧାରରେ ଜଣେ ବିଶିଷ୍ଟ କଣ୍ଠଶିଳ୍ପୀ,ଲେଖକ,ପ୍ରଜଯୋକ,ନିର୍ଦ୍ଦେଶକ,ଫିଲ୍ମ ଲେଖକ ଥିଲେ । ହିନ୍ଦୀ ଭାଷା ବ୍ୟତୀତ ସେ ବଙ୍ଗାଳୀ, ଗୁଜରାଟୀ, କାନାଡା, ଭୋଜପୁରୀ, ମାଲୟାଲମ, ଓଡ଼ିଆ ଓ ଉର୍ଦ୍ଦୁ ଭାଷାରେ ମଧ୍ୟ କଣ୍ଠ ଦାନ କରିଛନ୍ତି । ୮ ଥର ସେ ଫିଲ୍ମ ଫେୟାର ଜିତି ରେକର୍ଡ ସୃଷ୍ଟି କରିଥିଲେ ଯାହା ଆଜି ପର୍ଜନ୍ତ୍ୟ ମଧ୍ୟ ରେକର୍ଡ କେହି ଭାଙ୍ଗି ପାରି ନାହାନ୍ତି । ମଧ୍ୟପ୍ରଦେଶ ସରକାରଙ୍କଠାରୁ ସେ ଲତା ମଙ୍ଗେସ୍କର ଆୱାର୍ଡ ପାଇଥିଲେ ଓ ସେହି ବର୍ଷଠାରୁ ମଧ୍ୟପ୍ରଦେଶ ସରକାର ଏକ ନୂଆ ପୁରସ୍କାର ଘୋଷଣା କରିଥିଲା ଯାହାର ନାମ ଥିଲା କିଶୋର କୁମାର ଆୱାର୍ଡ ।
ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକ ପ୍ରଶାସନିକ ରାଜ୍ୟ । ଏହାର ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଏବଂ ପୂର୍ବରେ ବଙ୍ଗୋପ ସାଗର ରହିଛି । ରାଜ୍ୟର ପଶ୍ଚିମ ଓ ଉତ୍ତରାଂଶ ଛୋଟନାଗପୁର ମାଳଭୂମିର ଅଂଶବିଶେଷ । ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମହାନଦୀ, ବ୍ରାହ୍ମଣୀଓ ବୈତରଣୀ ନଦୀ ପ୍ରଭୃତିର ମୁହାଣରେ ଉର୍ବର ପଟୁମୃତ୍ତିକା ଯୁକ୍ତ ସମତଳ ଭୂମି ଦେଖାଯାଏ । ଏହି ସମତଳ ଭୂମିରେ ମୂଖ୍ୟତଃ ଧାନଚାଷ କରାଯାଏ ।
ଚନ୍ଦ୍ରଶେଖର ନନ୍ଦ (୧୮୬୮-୧୯୩୨) ଜଣେ ଓଡ଼ିଆ ଗାଳ୍ପିକ । ତାଙ୍କ ଗଳ୍ପପୁସ୍ତକ ଚିତ୍ରକୁ ପ୍ରଥମ ଓଡ଼ିଆ ଗଳ୍ପ ବହିର ମାନ୍ୟତା ଦିଆଯାଏ । ଗଳ୍ପ ବ୍ୟତିତ ସେ ଓଡ଼ିଆ ସାହିତ୍ୟର ଅନ୍ୟ ବିଭବ ଯଥା ପ୍ରବନ୍ଧ, ଉପନ୍ୟାସ, କବିତାରେ ମଧ୍ୟ ଲେଖନି ଚାଳନା କରିଥିଲେ । ସେ ଅନେକ ପାଠ୍ୟ ପୁସ୍ତକ ମଧ୍ୟ ରଚନା କରିଥିଲେ । ସେ ଫକୀର ମୋହନ ସେନାପତି ଓ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମସାମୟିକ ଥିଲେ ।
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ। ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ଭୁବନେଶ୍ୱର ଓଡ଼ିଶାର ରାଜଧାନୀ । ଭୁବନେଶ୍ୱରକୁ ୧୯୬୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ସ୍ଥାପିତ ହେଲା । ଏହି ନଗର, ଯାହାକି ଏକ ଗାଁ ଥିଲା, ପାଖାପାଖି ଦୁଇହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ । ମନ୍ଦିରଗୁଡ଼ିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଛି ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓଡ଼ିଶାର କଟକରେ ଅବସ୍ଥିତ ଏକ ଭାରତୀୟ ରାଜ୍ୟସ୍ତରୀୟ ଉଚ୍ଚନ୍ୟାୟାଳୟ । ଏହା ୧୯୪୮ ଜୁଲାଇ ୨୬ ଦିନ ପ୍ରତିଷ୍ଠିତ ହୋଇଥିଲା । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମଞ୍ଜୁରିପ୍ରାପ୍ତ ମୋଟ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା ଯାହା ପରବର୍ତ୍ତୀ ସମୟରେ ନୋଟିଫିକେସନ ତା ୨।୨।୨୦୨୨ଦ୍ୱାରା ୩୩କୁ ବୃଦ୍ଧି ପାଇଛି ।୨୧ ଜୁଲାଇ ୨୦୨୫ ସୁଦ୍ଧା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୨୦ ଜଣ ବିଚାରପତି କର୍ତ୍ତବ୍ୟରତ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଗୋବିନ୍ଦ ଅରୁନ୍ ଆହୁଜା (ଜନ୍ମ ୨୧ ଡିସେମ୍ବର ୧୯୬୩), ଗୋବିନ୍ଦା ନାମରେ ଲୋକପ୍ରିୟ ଅଟନ୍ତି।ସେ ଜଣେ ହିନ୍ଦୀ ଚ୍ଚଳଚ୍ଚିତ୍ର ଅଭିନେତା, ମିଳନାନ୍ତ ନାଟ୍ୟକାର ଓ ପୂର୍ବୋକ୍ତ ରାଜନେତା ଅଟନ୍ତି।ତାଙ୍କ ନୃତ୍ୟର ଦକ୍ଷତା ଯୋଗୁଁ ସେ ବେଶ୍ ଜଣାଶୁଣା। ଗୋବିନ୍ଦା ୧୨ଟି ଫିଲ୍ମ ଫେୟାର ଆୱାର୍ଡ, ଗୋଟିଏ ଫିଲ୍ମ ଫେୟାର ସ୍ପେସିଆଲ ଆୱାର୍ଡ,ଗୋଟିଏ ଫିଲ୍ମ ଫେୟାର ଆୱାର୍ଡ ଫର୍ ବେଷ୍ଟ କମିଡ଼ିଆନ୍ ଓ ଚାରଟି ଜ଼ି ସିନେ ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ। ଏହି ଅଭିନେତା ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଭାରତର ସାଂସଦ ହୋଇ ରହିଆସିଥିଲେ।୧୯୮୬ ମସିହାର ଇଲଜାମ ଚ୍ଚଳଚ୍ଚିତ୍ର ଗୋବିନ୍ଦାଙ୍କ ପ୍ରଥମ ଚ୍ଚଳଚ୍ଚିତ୍ର ଓ ସେ ପ୍ରାୟ ୧୬୫ଟି ଚ୍ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି।୧୯୯୯ ମସିହା ଜୁନ ମାସରେ ବିବିସି ନ୍ୟୁଜ୍ ଅନଲାଇନର ପୋଲରେ ସେ ଦଶମ ଗ୍ରେଟେଷ୍ଟ ଷ୍ଟାର ଅଫ ଦ ଷ୍ଟେଜ ରୂପେ ମନୋନୀତ ହୋଇଥିଲେ।
ଓଡ଼ିଶାରେ ବିଭିନ୍ନ ସମୟରେ ଓଡ଼ିଆ ଭାଷାର ସାମୁହିକ ବ୍ୟବହାର ପାଇଁ ହୋଇଥିବା ଆନ୍ଦୋଳନଗୁଡ଼ିକ ଓଡ଼ିଆ ଭାଷା ଆନ୍ଦୋଳନ ନାମରେ ଜଣା । ଆଧୁନିକ ଇତିହାସରେ ଏହା ପ୍ରଥମେ ୧୮୬୬ ବ୍ରିଟିଶ ଶାସନ କାଳରେ ଆରମ୍ଭ ହୋଇ ୧୯୦୩ ମସିହାରେ ଏକ ବିଶାଳ ଆନ୍ଦୋଳନର ରୂପ ନେଇଥିଲା । ଏହାର ପରିଣତି ସ୍ୱରୂପ ୧୯୩୬ ମସିହାରେ ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲା ।
କେଶବ କୋଇଲି ଏକ ଓଡ଼ିଆ କୋଇଲି ବା ପଦାବଳୀ । ଏହା ୧୩ଶ ଶତକରେ ପୁରାତନ କବି ମାର୍କଣ୍ଡ ଦାସ ରଚନା କରିଥିଲେ । ଏହାକୁ ଓଡ଼ିଆରେ ରଚିତ ପ୍ରଥମ ମାନକ ସାହିତ୍ୟ ରଚନା ବୋଲି ଗଣନା କରାଯାଏ । ଏହି ଚଉତିଶାରେ "କ"ରୁ ଆରମ୍ଭ ହୋଇ "କ୍ଷ" ଯାଏଁ ଚଉତିରିଶ ଗୋଟି ପଦାବଳୀ ରହିଛି । ପରେ ଜଗନ୍ନାଥ ଦାସ ଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରି ଅର୍ଥ କୋଇଲି ରଚନା କରିଥିଲେ । ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣା ଶିଶୁ ବେଦ ଓ ସପ୍ତାଙ୍ଗ ସାରଳା ଦାସଙ୍କ ପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି ।
ରତ୍ନାକର ଚଇନି( ୨୫ ଅଗଷ୍ଟ ୧୯୪୫ - ୧୮ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ ଓ ସମାଲୋଚକ ଥିଲେ । ଲେଖନୀ ଚାଳନା ସହ ଜଣେ ସାହିତ୍ୟ ସଂଗଠକ ଓ ଶିକ୍ଷାବିତ ଭାବେ ସେ ନିଜକୁ ପ୍ରତିଷ୍ଠିତ କରିଥିଲେ । ୨୦୧୦ ମସିହାରେ ସଂସ୍କାର ଭାରତୀ ଓ ଉତ୍କଳ ସାହିତ୍ୟ ସମାଜର ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ । ତାଙ୍କର ଏଯାବତ ୧୧୧ ଖଣ୍ଡ ପୁସ୍ତକ ପ୍ରକାଶ ପାଇସାରିଛି ।
ଖୁଦୁରୁକୁଣୀ ଓଷା ଓଡ଼ିଶାର ଏକ ପାରମ୍ପାରିକ ଓଷା । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହାକୁ କୁଆଁରୀ ଓଡ଼ିଆ ଝିଅମାନେ ପାଳନ କରିଥାନ୍ତି । ଏଥିରେ ଖୁଦୁରୁକୁଣୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣୀଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।
ଆମାଣ୍ଟାଡାଇନ, (ଇଂରାଜୀ ଭାଷାରେ Amantadine) ଏକ ଔଷଧ ଯାହା ଅନ୍ୟମାନଙ୍କ ମଧ୍ୟରେ ଗୋକୋଭ୍ରି ବ୍ରାଣ୍ଡ ନାମରେ ବିକ୍ରି ହୁଏ ଓ ଏହା ପାର୍କିନସନ ରୋଗ ତଥା ଆଣ୍ଟିସାକୋଟିକ ଔଷଧ ସହିତ ସଂପୃକ୍ତ ହେଉଥିବା ଚଳପ୍ରଚଳ ବେମାରୀର ଚିକିତ୍ସା ନିମନ୍ତେ ଦିଆଯାଏ | ଏହା ବ୍ୟତୀତ ପୋଷ୍ଟ ହର୍ପେଟିକ ନିଉରାଲଜିଆ ଓ ଅନ୍ୟାନ୍ୟ ବ୍ୟବହାରରେ ମଲ୍ଟିପ୍ଲ ସ୍କ୍ଲେରୋସିସ୍ର ଥକ୍କାଣ ନିମନ୍ତେ ମଧ୍ୟ ଦିଆଯାଏ | ପୂର୍ବରୁ ଏହା ଟାଇପ ଏ ଇନ୍ଫ୍ଲୁଏଞ୍ଜା ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବହୃତ ହେଉଥିଲା; ୨୦୦୫ ମସିହାରେ ଏହାର ପ୍ରତିରୋଧ ବିକଶିତ ହେବା ଲକ୍ଷ କରାଯିବା ପରେ ଏହାର ବ୍ୟବହାର ଆଉ ସୁପାରିଶ କରାଯାଉ ନାହିଁ | ଏହା ପାଟି ବାଟେ ନିଆଯାଏ |
ଯକ୍ଷ୍ମା (ଟିବି) ଏକ ସଂକ୍ରମକ ରୋଗ ଯାହା ମାଇକୋବ୍ୟାକ୍ଟେରମ ଟ୍ୟୁବରକ୍ୟୁଲୋସିସଦ୍ୱାରା (MTB) ହୁଏ । ଯକ୍ଷ୍ମା ସାଧାରଣତଃ ଫୁସଫୁସକୁ ଆକ୍ରମଣ କଲେ ମଧ୍ୟ ଶରୀରର ଯେ କୌଣସି ଅଙ୍ଗରେ ଏହାଦ୍ୱାରା ରୋଗ ହୋଇପାରେ । ଅଧିକାଂଶ ସଂକ୍ରମଣରେ କୌଣସି ଲକ୍ଷଣ ହେଉ ନ ଥିବାରୁ ତାହାକୁ ପ୍ରଛନ୍ନ ଯକ୍ଷ୍ମା ଓ ଇଂରାଜୀ ଭାଷାରେ ଲେଟେଣ୍ଟ ଟ୍ୟୁବରକୁଲୋସିସ (latent tuberculosis) କୁହାଯାଏ । ଏହି ପ୍ରଛନ୍ନ ଯକ୍ଷ୍ମା ମଧ୍ୟରୁ ପ୍ରାୟ ୧୦% ସଂକ୍ରମଣ ସକ୍ରିୟ ରୋଗରେ ପରିଣତ ହୁଏ ଯାହାକୁ ଚିକିତ୍ସା ନ କଲେ ସେଥିରୁ ଅଧେ ଲୋକ ମୃତ୍ୟୁ ବରଣ କରନ୍ତି । ସକ୍ରିୟ ଫୁସଫୁସ ଯକ୍ଷ୍ମା ରୋଗରେ କ୍ରନିକ ବା ଦୀର୍ଘକାଳୀନ କାଶ ସହିତ ରକ୍ତ ମିଶ୍ରିତ ଖଙ୍କାର ପଡ଼େ, ଜ୍ୱର, ରାତ୍ରୀ ସ୍ୱେଦ ନିର୍ଗତ ଓ ଓଜନ ହ୍ରାସ ହୁଏ । ଓଜନ ହ୍ରାସ ହେଉଥିବାରୁ ଏହାକୁ କ୍ଷୟ ରୋଗ ନାମ ଦିଆଯାଇଥିଲା । ବିଭିନ୍ନ ଅଙ୍ଗର ସଂକ୍ରମଣରେ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।
ଗୋପୀନାଥ ନନ୍ଦ ( ୨୧ ଅଗଷ୍ଟ ୧୮୬୯ - ୧୨ ଜାନୁଆରୀ ୧୯୨୪), ଗୋପୀନାଥ ନନ୍ଦ ଶର୍ମା ନାମରେ ମଧ୍ୟ ପରିଚିତ, ଜଣେ ଓଡ଼ିଆ ଭାଷା-ତତ୍ତ୍ୱବିଦ୍, ଅଭିଧାନ ସଂକଳକ, ନାଟ୍ୟକାର ଓ ଲେଖକ ଥିଲେ । ସେ ଥିଲେ ୧୯୧୬ ମସିହାରେ ପ୍ରକାଶିତ ଶବ୍ଦତତ୍ତ୍ୱବୋଧ ଅଭିଧାନର ସଂକଳକ ଥିଲେ । ତାଙ୍କର ଏହି ଅବଦାନ ନିମନ୍ତେ ସେ କାଇଜର-ଇ-ହିନ୍ଦ ଉପାଧି ପାଇଥିଲେ ଓ "ଓଡ଼ିଶାର ପାଣିନୀ" ନାମରେ ସୁପରିଚିତ ଥିଲେ ।
ଅସୀମା ପଣ୍ଡା ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ସେ ମୁଖ୍ୟତଃ ଓଡ଼ିଆ ଏବଂ ସମ୍ବଲପୁରୀ ଗୀତ ଗାଆନ୍ତି । ଅସୀମା ଓଡ଼ିଆ ଆଲବମ୍, ଭଜନ ଓ କଥାଚିତ୍ର ଜଗତରେ ଜଣେ ଜଣାଶୁଣା ଗାୟିକା । ଅସୀମା ପଣ୍ଡା ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଗୀତ ଗାଇବା ଆରମ୍ଭ କରିଥିଲେ । ଓଡ଼ିଆ କଥାଚିତ୍ର ହରି ଓମ୍ ହରିରେ ସେ ପ୍ରଥମଥର ପାଇଁ ଓଡ଼ିଆ କଥାଚିତ୍ର ପାଇଁ ଗୀତ ଗାଇଥିଲେ ଏବଂ ଏହାପରେ ଗଞ୍ଜା ଲଢ଼େଇ, ୱାନ୍ ୱେ ଟ୍ରାଫିକ୍, ଗଞ୍ଜା ଲଢ଼େଇ, ଆଶିକ୍, ତୁ କହିବୁ ନା ମୁଁ, ତୁ ମୋର ସପନ ରାଣୀ, ପ୍ରେମର ନିଶା ନିଆରା ନିଆରା, ମୁଁ ପରଦେଶୀ ଚଢ଼େଇ, ତୁ ମୋ ସୁନା ଚଢ଼େଇ, ଫ୍ରମ୍ ମି ଟୁ ୟୁ, ଟାଇଗର, ଲଭ୍ ଟୁଇଷ୍ଟ, ମୁଁ ଖାଣ୍ଟି ଓଡ଼ିଆ ଝିଅ, ତୋ ପ୍ରେମରେ ପଡ଼ିଲା ପରେ, ଏମିତି ବି ହେଇପାରେ, ଅଭିମାନ, ମୁଇଁ ଦିୱାନା ତୁଇ ଦିୱାନୀ, ତୁ ମୋ ହିରୋ, ଅଦୃଶ୍ୟମ୍, ବାପା ତମେ ଭାରି ଦୁଷ୍ଟ, ଦେଲେ ଧରା କଥା ସରେ, ସୀତାରାମଙ୍କ ବାହାଘର କଳିଯୁଗରେ, ସେଲଫିସ୍ ଦିଲ୍, ଏକ୍ସକ୍ୟୁଜ ମି, ଲୋକାଲ ଟୋକା ଲଭ୍ ଚୋଖା, ପ୍ୟାର ଅଲଗା ପ୍ରକାର, ଲଭ୍ ଏକ୍ସପ୍ରେସ୍, ଟିକେ ଅନାଡ଼ି ପୂରା ଖିଲାଡ଼ି, ନାୟକର ନାଁ ଦେବଦାସ, ମିଠା ମିଠା, ଲୈଲା ଓ ଲୈଲା, ହାପି ଲକି, ହେଲୋ- ଇନ୍ ଲଭ୍, ଟୋକାଟା ଫସିଗଲା, ଯୋଗୀ, ବିଶ୍ୱରୂପ ଆଦି କଥାଚିତ୍ରରେ କଣ୍ଠଦାନ କରିଥିଲେ । ଅସୀମା ଓଡ଼ିଆ କଥାଚିତ୍ର ବ୍ୟତୀତ ବିଭିନ୍ନ ଆଲବମ୍ ଗୀତ ଏବଂ ଭଜନରେ କଣ୍ଠଦାନ କରିଛନ୍ତି । ପ୍ରାର୍ଥନା ଟିଭିରେ ପ୍ରସାରିତ ଭଜନ ଅନ୍ତାକ୍ଷରୀ, ପ୍ରାର୍ଥନା ମଞ୍ଚ ଭଳି କାର୍ଯକ୍ରମରେ ଭଜନ ପରିବେଷଣ କରନ୍ତି ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ସନ୍ଥ ନାମଦେବ (୧୨୭୦–୧୩୫୦)) ମହାରାଷ୍ଟ୍ରର ହିଙ୍ଗୋଲୀ ଜିଲ୍ଲାର ନରସି ବ୍ରାହ୍ମଣୀ ଗ୍ରାମରେ ୧୨୭୦ ଖ୍ରୀଷ୍ଟାବ୍ଦର ଅକ୍ଟୋବର ମାସର ୨୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦାମସୋଟ, ଜଣେ ଦରଜୀ ଥିଲେ, ଏବଂ ମାତାଙ୍କ ନାମ ଗୋଣାଇ ଦେବୀ । ନାମଦେବଙ୍କୁ ବିସୋବା ଖେଚର ଦୀକ୍ଷା ଦେଇଥିଲେ । ଦୀକ୍ଷା ପୂର୍ବରୁ ନାମଦେବ ପଣ୍ଡରପୁରର ବିଠ୍ଠଲ ଭଗବାନ ମୂର୍ତ୍ତିରେ ମାତ୍ର ଭଗବାନଙ୍କ ଦର୍ଶନ କରୁଥିଲେ, କିନ୍ତୁ ଖେଚରଙ୍କ ସଂସ୍ପର୍ଶରେ ଆସିବା ପରେ ସେ ସମଗ୍ର ବ୍ରହ୍ମାଣ୍ଡରେ ବିଠଲଙ୍କ ଅନୁଭୂତି କରିବାକୁ ଲାଗିଲେ ।
ଚନ୍ଦନ ବୋଡ଼ା ବା ଚନ୍ଦ୍ର ବୋଡ଼ା ବା ମହାମଣ୍ଡଳ ସାପ (ଇଂରାଜୀ ଭାଷାରେ Russell's viper, ଜୀବବିଜ୍ଞାନ ନାମ Daboia russelii) ହେଉଛି ଭାଇପରିଡାଏ ପରିବାରର ଏକ ବିଷାକ୍ତ ସାପ । ଏସିଆ ମହାଦେଶର ଭାରତୀୟ ଉପମହାଦେଶ, ଦକ୍ଷିଣ-ପୂର୍ବ ଏସିଆ, ଚୀନ ଓ ତାଇୱାନରେ ଏହି ସାପ ଦେଖିବାକୁ ମିଳନ୍ତି । ଏହି ସାପର ଇଂରାଜୀ ନାମ ସ୍କଟ୍ ସର୍ପବିଜ୍ଞାନୀ ପ୍ୟାଟ୍ରିକ୍ ରସେଲ୍ଙ୍କ (୧୭୨୬-୧୮୦୫) ନାମାନୁସାରେ ରଖାଯାଇଛି । ରସେଲ୍ ଭାରତର ବହୁ ସାପଙ୍କ ଜୀବବିଜ୍ଞାନ ବିବରଣୀ ପ୍ରଦାନ କରିଥିଲେ । ଚନ୍ଦନ ବୋଡ଼ା ପ୍ରଜାତିର ହିନ୍ଦୀ ଶବ୍ଦର ଅର୍ଥ ହେଲା – “ଲୁଚି ରହିଥିବା” ବା “ଲୁକ୍କାୟିତ ବିଚରଣ କରୁଥିବା” । ଚନ୍ଦନ ବୋଡ଼ାର ଇଂରାଜୀ ଭାଷାରେ ରହିଥିବା ଆଉ ଏକ ସ୍ଥାନୀୟ ନାମ ହେଲା ଚେନ୍ ଭାଇପର୍ (chain viper) । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ହଳଦିଆ ଦେହରେ ତିନି ଧାଡ଼ି ବଡ଼ ବଡ଼ କଳା ଗୋଲ ଚିହ୍ନଥିବା ଭୟାନକ ବିଷଧର ସାପକୁ ଚନ୍ଦନବୋଡ଼ା ବା ଚନ୍ଦ୍ର ବୋଡ଼ା କୁହାଯାଏ । ଦେହରେ ଚନ୍ଦ୍ର ପରି ଚିହ୍ନ ରହିଥିବାରୁ ବଙ୍ଗଳା ଭାଷାରେ ମଧ୍ୟ ଏହି ସାପକୁ ଚନ୍ଦ୍ରୋବୋଡ଼ା ବୋଲି କୁହାଯାଏ । ମରାଠୀ ଭାଷାରେ ଏହି ସାପ ଘୋଣସ ନାମରେ ପରିଚିତ । ଭାରତରେ ଯେଉଁ ୪ ସାପଙ୍କ ଯୋଗୁଁ ସର୍ବାଧିକ ସାପକାମୁଡ଼ା ଦୁର୍ଘଟଣା ଘଟେ, ତା’ ମଧ୍ୟରେ ଚନ୍ଦନ ବୋଡ଼ା ଅନ୍ୟତମ । ନିଜ ଭୌଗୋଳିକ ବ୍ୟାପକତା, ଆକ୍ରମଣାତ୍ମକ ସ୍ୱଭାବ, ଜନବସତିପୂର୍ଣ୍ଣ ଅଞ୍ଚଳରେ ବାସ କରିବା ଇତ୍ୟାଦି କାରଣରୁ ଚନ୍ଦନ ବୋଡ଼ା ଅନ୍ୟ ବିଷାକ୍ତ ସାପଙ୍କ ତୁଳନାରେ ଅଧିକ ମାରାତ୍ମକ ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।