ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀ ର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), ମରାଠା ଶାସିତ ଝାନସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ନାୟିକା ଥିଲେ । ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ । ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟମ, ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ଆୟତ କରିବା ଆଦି କଳାରେ ସେ ପାରଙ୍ଗମ ଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଜେମ୍ସ ଜଏସ ବା ଜେମ୍ସ ଅଗସ୍ଟାଇନ (ଇଂରାଜୀ ଭାଷାରେ James Augustine Aloysius Joyce) ଆଲୋଏସିଅସ ଜଏସ (୨ ଫେବ୍ରୁଆରୀ ୧୮୮୨ – ୧୩ ଜାନୁଆରୀ ୧୯୪୧) ଏକ ଆଇରିସ (Irish) ଉପନ୍ୟାସକାର, ଛୋଟ ଗଳ୍ପ ଲେଖକ, କବି ଓ ସାହିତ୍ୟ ସମାଲୋଚକ ଥିଲେ । ଆଧୁନିକତାବାଦୀ ଅଣପରମ୍ପରାଗତ (modernist avant-garde) ଭାବ ନେଇ ସେ ଲେଖୁଥିଲେ ଓ ବିଂଶ ଶତାବ୍ଦୀର ସର୍ବାଧିକ ପ୍ରଭାବଶାଳୀ ଓ ମହତ୍ୱପୂର୍ଣ୍ଣ ଲେଖକ ଥିଲେ । ତାଙ୍କ ଲିଖିତ ଉଲିସେସ (୧୯୨୨) (Ulysses) ଏକ ଯୁଗାନ୍ତକାରୀ କାମ ଥିଲା ଯାହା ହୋମରଙ୍କ (Homer) ଲିଖିତ ଓଡିସି ଲେଖା ସହିତ ସମାନ୍ତରାଳ ବିବିଧତାପୂର୍ଣ୍ଣ ସ୍ଟାଇଲରେ ବିଖ୍ୟାତ ସ୍ଟ୍ରିମ ଅଫ କନସସ୍ନେସ (stream of consciousness) ଲେଖାହୋଇଥିଲା ଓ ସେଥି ପାଇଁ ସେ ବିଖ୍ୟାତ ହୋଇଥିଲେ । ତାଙ୍କର ଅନ୍ୟାନ୍ୟ ବିଖ୍ୟାତ ଛୋଟ ଗଳ୍ପ ସଂକଳନ ମଧ୍ୟରେ ଡବ୍ଲିନରସ (Dubliners) (୧୯୧୪), ଉପନ୍ୟାସ ମଧ୍ୟରେ ଏ ପୋର୍ଟ୍ରେଟ ଅଫ ଦି ଆର୍ଟିଷ୍ଟ ଆଜ ଏ ୟଙ୍ଗ ମ୍ୟାନ (A Portrait of the Artist as a Young Man) (୧୯୧୬) ଓ ଫିନେଗାନସ ୱେକ Finnegans Wake (୧୯୩୯) ଅନନ୍ୟ ଥିଲା । ଏହା ବ୍ୟତୀତ ତିନୋଟି କବିତା ପୁସ୍ତକ, ଗୋଟିଏ ନାଟକ ଲେଖିଥିଲେ: ଚିଠିପତ୍ର ଛପେଇଥିଲେ ଓ ସାମ୍ବାଦିକ କାମ କେତେବେଳେ କେମିତି କରୁଥିଲେ ।
ପିଚାଇ ସୁନ୍ଦରରାଜନ୍ (ଜନ୍ମ ଜୁଲାଇ ୧୨,୧୯୭୨) ବର୍ତ୍ତମାନର ଗୁଗଲ କମ୍ପାନିର ସି.ଇ.ଓ । ଗୁଗଲ କମ୍ପାନି ଗୋଟେ ଇଣ୍ଟରନେଟ ସମ୍ପକିତ ସେବା ଓ ସଚ୍ଚ ଇଞ୍ଜିନ୍ ଯିଏ ୨୦୧୫ ମସିହାରେ ମିଳିତ ଭାବେ ଆଲ୍ପାବେଟ୍ ଇନ୍ସ୍ କମ୍ପାନି ସହ ମିଶି ଗୁଗଲର ମୁଖ୍ୟ ଲାରି ପେଜ୍ଙ୍କୁ ସି.ଇ.ଓ ଓ ସର୍ଜି ବ୍ରିନ୍ଙ୍କଙ୍କୁ ପେସିଡେଣ୍ଟ ଓ ସୁନ୍ଦର ପିଚାଇ ଯିଏ ପ୍ରଡକ୍ଟ ଓ ଇଞ୍ଜିନିୟରିଙ୍ଗର ମୁଖ୍ୟ ଥିଲେ ତାଙ୍କୁ ଗୁଗଲର ସି.ଇ.ଓ କରାଗଲା ଯିଏକି ଗୋଟେ ବଡ କମ୍ପାନି ଆଲଫାବେଟର ଗୋଟେ ଅଂଶ । ପିଚାଇ ୨୦୦୪ ମସିହାରେ ଗୁଗଲରେ ଯୋଗ ଦେଲେ,ପ୍ରଡକ୍ଟ ମ୍ୟନେଜର ହିସାବରେ କାମ କଲେ । ତାଙ୍କର ଅନୁଦାନରେ ଗୁଗଲ ପ୍ରଡକ୍ଟୄଋ ଗୁଗଲ କୋମ୍ ଓ କୋମ୍ ଓସ୍ ଯିଏ କି ବହୁତ ସଫଳତା ସହ ଚାଲୁଅଛି ଏବଂ ତାଙ୍କର ଜିମେଲ୍ ଓ ଗୁଗଲ ଡକ୍ରେ ବି ଅନୁଦାନ ଅଛି ।
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି ।
ଲକ୍ଷ୍ମଣ ନାୟକ (୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩) ଓଡ଼ିଶାର ଜଣେ ଅଗ୍ରଣି ସ୍ୱାଧୀନତା ସଂଗ୍ରାମୀ । ଆଦିବାସୀ ପାଇଁ ସେ ମାଲକାନାଗିରିର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ କୋରାପୁଟ ଜିଲ୍ଲା (ବର୍ତ୍ତମାନର ମାଲକାନଗିରି ଜିଲ୍ଲା)ର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଲକ୍ଷ୍ମଣ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ଓ ସାନଭାଇ ଧନ ଭୁମିୟା । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା,ବେଜୁଣୀଗୁଡା,ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ ।
ଭାଇନା, କ'ଣ କଲା ସେ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର । ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାଷ୍ଟିଂକାଉଚର ସତ୍ୟାସତ୍ୟକୁ ନେଇ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିଲା । ଏଥିରେ ହାସ୍ୟ ଅଭିନେତା ବାଳକୃଷ୍ଣ, ପପୁ ପମ ପମଙ୍କ ଭଳି ଦେଖାଯାଉଛନ୍ତି । ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ପ୍ରଥମାବସ୍ଥାରେ ଏହି ଚଳଚ୍ଚିତ୍ରଟିର ନାମ ଏକ୍ସକ୍ୟୁଜ ମି କ'ଣ କଲା ସେ ଥିଲା, ମାତ୍ର ପରବର୍ତ୍ତୀ ସମୟରେ ଏହାର ଶୀର୍ଷକକୁ ବଦଳାଇ ଭାଇନା, କ'ଣ କଲା ସେ କରାଯାଇଥିଲା ।ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାଳକୃଷ୍ଣ ନାୟକ ଏବଂ ତମନ୍ନା । କୁନା ତ୍ରିପାଠୀ, ଚନ୍ଦନ କର, ଜୀନା ସାମଲ, ଲିକ, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା, ବିରେନ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ଭାବେ ୧୯୬୬ରୁ ୧୯୭୭ ଯାଏଁ ଏବଂ ପରେ ୧୯୮୦ରୁ ୧୯୮୪ (ଇନ୍ଦିରା ଗାନ୍ଧୀଙ୍କ ହତ୍ୟା) ପର୍ଯ୍ୟନ୍ତ ସର୍ବାଧିକ ଦିନ ଦେଶର ସେବା କରିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକମାତ୍ର ସନ୍ତାନ । ୧୯୫୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୪ରେ ପିତାଙ୍କ ମୃତ୍ୟୁ ପରେ ପ୍ରଧାନ ମନ୍ତ୍ରୀ ପଦପାଇଁ ଦୌଡରେ ସାମିଲ ହେବାକୁ ମନାକରି ଲାଲ ବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ କ୍ୟାବିନେଟ ମନ୍ତ୍ରୀଭାବେ ଯୋଗ ଦେଇଥିଲେ । ଶାସ୍ତ୍ରୀଙ୍କ ମୃତ୍ୟୁପରେ, ୧୯୬୬ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସେ ତାଙ୍କ ବିରୋଧୀ ପ୍ରାର୍ଥୀ ମୋରାରଜୀ ଦେଶାଇଙ୍କୁ ପରାସ୍ତ କରି ଭାରତର ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ।
ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଫିନାଇଲେଫ୍ରିନ (ଇଂରାଜୀ ଭାଷାରେ Phenylephrine) ଏକ ଔଷଧ ଯାହା ରକ୍ତ ଚାପ ବୃଦ୍ଧି କରିବାକୁ, ମିଡ୍ରିଆସିସ (dilate the pupil), ଡିକଞ୍ଜେସ୍ଟାଣ୍ଟ (decongestant) ନିମନ୍ତେ ଓ ଅର୍ଶ କମ୍ କରିବାକୁ ଦିଆଯାଏ । ଡିକଞ୍ଜେସ୍ଟାଣ୍ଟ ଭାବରେ ମାର୍କେଟରେ ମିଳିଲେ ମଧ୍ୟ ପାଟିରେ ଦିଆଗଲେ, ଆଲର୍ଜିକ ନାକ ପ୍ରଦାହ ରୋଗ ନିମନ୍ତେ ଏହାର ଉପକାର ସ୍ପଷ୍ଟ ହୋଇନାହିଁ । ଏହା ପାଟିରେ, ଶିରା ଓ ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ବା ଚର୍ମରେ ଲଗାଯାଏ ।ଫିନାଇଲେଫ୍ରିନ ପାଟିରେ ନେବାପରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡବିନ୍ଧା ଓ ଉଦ୍ବେଗ ପ୍ରକାଶ ପାଇପାରେ । ଅର୍ଶ ଚିକିତ୍ସାରେ ଏହା ସହ୍ୟ କରିହୁଏ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଧୀର ହୃଦ୍ଗତି , ଅନ୍ତନଳୀ ସ୍ୱଳ୍ପ ରକ୍ତହୀନତା, ଆଞ୍ଜାଇନା, ବୃକ୍କ ଫେଲ (kidney failure) ଓ ଇଞ୍ଜେକସନ ନେବା ସ୍ଥାନରେ ତନ୍ତୁ ମୃତ୍ୟୁ (tissue death) ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହି ଔଷଧର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ । ଫିନାଇଲେଫ୍ରିନ ଏକ ସିଲେକ୍ଟିଭ ଆଡ୍ରେନର୍ଜିକ ରିସେପ୍ଟର ସକ୍ରିୟକାରୀ (selective α1-adrenergic receptor); ତେଣୁ ଧମନୀ (arteries) ଓ ଶିରା (veins) ସଙ୍କୁଚିତ ହୋଇଯାଏ ।ସନ ୧୯୨୭ରେ ଫିନାଇଲେଫ୍ରିନ ପେଟେଣ୍ଟ ହେବାପରେ ସନ ୧୯୩୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଭାଏଲ ପିଛା ପ୍ରାୟ ୪ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଏହାର ଅପବ୍ୟବହାର ଅତି ସାଧାରଣ ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
'ନେବୁଲା ପୁରସ୍କାର ସଂଯୁକ୍ତ ରାଜ୍ୟ ଆମେରିକାରେ ପ୍ରକାଶିତ ବିଜ୍ଞାନ କଥା କିମ୍ବା ଫାଣ୍ଟାସୀର ସର୍ବଶ୍ରେଷ୍ଠ କାର୍ଯ୍ୟକୁ ମାନ୍ୟତା ଦେଇଥାଏ । ପୁରସ୍କାରର ଆୟୋଜନ ଏବଂ ସାଇନ୍ସ ଫିକ୍ସନ ଆଣ୍ଡ ଫାଣ୍ଟାସୀ ରାଇଟ୍ସ ଅଫ ଆମେରିକା (ଏସଏଫଡବ୍ଲୁଏ) ଦ୍ୱାରା ଆୟୋଜିତ ଓ ସମ୍ମାନିତ କରାଯାଇଥିଲା । ଏହା ପେଶାଗତ ବିଜ୍ଞାନ କଥା ଓ ଫାଣ୍ଟାସୀ ଲେଖକ ମାନଙ୍କର ସଂଘ ପାଇଁ ଆୟୋଜିତ ହୋଇଥିଲା । ଏହା ପ୍ରଥମ ଥର ୧୯୬୬ ମସିହାରେ ପ୍ରସ୍ତୁତ ହୋଇଥିବା ଏକ ସମାରୋହରେ ଦିଆଯାଇଥିଲା ଏବଂ ସାହିତ୍ୟିକ କାର୍ଯ୍ୟ ପାଇଁ ଚାରୋଟି ଶ୍ରେଣୀରେ ଦିଆଯାଇଥିଲା । ଫିଲ୍ମ ଓ ଟେଲିଭିଜନ ଏପିସୋଡ ସ୍କ୍ରୀପ୍ଟ ପାଇଁ ପଞ୍ଚମ ଶ୍ରେଣୀ ୧୯୭୪-୭୮ ଓ ୨୦୦୦-୦୯ ଦିଆଯାଇଥିଲା; ଏବଂ ଖେଳ ଲେଖକଙ୍କ ପାଇଁ ଏକ ଷଷ୍ଠ ଶ୍ରେଣୀ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା । ନେବୁଲା ପୁରସ୍କାରକୁ ନିୟନ୍ତ୍ରଣ କରୁଥିବା ନିୟମକୁ ପୁରସ୍କାରର ଇତିହାସ ଅନୁଶାରେ ବହୁଥର ବଦଳା ଯାଇଥିଲା । SFWA ନେବୁଲା ସମ୍ମେଳନ, ଯେଉଁଥିରେ ପୁରସ୍କାରର ଘୋଷଣା କରାଯାଏ ଓ ପ୍ରସ୍ତୁତ କରାଯାଏ , ସଂଯୁକ୍ତ ରାଜ୍ୟ ଆମେରିକାରେ ପ୍ରତ୍ୟେକ ବସନ୍ତରେ ଆୟୋଜିତ କରାଯାଏ । ସ୍ଥାନ ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ହୋଇଥାଏ ।
ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋତିତ ରାଣୀଗୁମ୍ଫା,ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀନୃତ୍ୟର ପ୍ରାଚୀନତା ପ୍ରତିପାଦନ କରେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ କଳିଙ୍ଗ ନୃତ୍ୟ ଶୈଳୀ ଓଡ଼ିଶୀ ନୃତ୍ୟର ସ୍ୱାତନ୍ତ୍ରତା ପ୍ରମାଣିତ କରେ । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର,ବୈତାଳ ମନ୍ଦିର,ଶିଶିରେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର,ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର,ଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କଦ୍ୱାରା ପରିବେଷିତ ହୋଇ ଆସୁଥିଲା । ଆମଦେଶ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମିତ କରାଗଲା ଓ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏହି ଉଦ୍ୟମରେ ସାର୍ଥକତା ଲାଭକରିଥିବା ବ୍ୟକ୍ତିମାନକ ମଧ୍ୟରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ନୃତ୍ୟଗୁରୁ ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ର ଅନ୍ୟତମ ।
ଉଇକିସୋର୍ସ (ଇଂରାଜୀ) ବା ଉଇକିସ୍ରୋତ ବା ଉଇକିପାଠାଗାର ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିରେ ମୁକ୍ତ ବିଷୟ/ ଲେଖାର ଉତ୍ସଗୁଡ଼ିକୁ ନେଇ ଏକ ଅନଲାଇନ ଡିଜିଟାଲ ପାଠାଗାର । ଭିନ୍ନ ଭିନ୍ନ ଭାଷାରେ ଏହି ଉଇକି ପାଠାଗାର ଉଇକିସୋର୍ସ ପ୍ରକଳ୍ପ ଅଧିନରେ କାର୍ଯ୍ୟ ହେଉଛି । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ମାଗଣା ଲେଖାର ସବୁ ଭାଷାରେ ଏବଂ ଅନୁବାଦରେ ପ୍ରତ୍ୟେକ ରୂପରେ ପରିପ୍ରକାଶ କରିବା । ପ୍ରଥମେ ଦରକାରୀ ଏବଂ ମୂଲ୍ୟବାନ ଐତିହାସିକ ଲେଖାର ଭଣ୍ଡାର ଭାବେ ପ୍ରକୃତରେ କଳ୍ପନା କରାଯାଇଥିଲା (ଏହାର ପ୍ରଥମ ଲେଖା ହେଉଛି Déclaration universelle des Droits de l'Homme), ଏହା ପରେ ଏକ ସାଧାରଣ ବିଷୟ ଧାରଣ କରୁଥିବା ପାଠାଗାର ଭାବେ ପରିବର୍ଦ୍ଧିତ କରାଯାଇଥିଲା । Project Sourcebergନାମ ଅଧିନରେ ଏହି ପ୍ରକଳ୍ପ ୨୦୦୩ ନଭେମ୍ବର ୨୪ରେ ଆରମ୍ଭ କରାଯାଇଥିଲା । Wikisource ନାମ ପରେ ସେହି ବର୍ଷ ଶେଷ ଆଡ଼କୁ ଦିଆଯାଇଥିଲା ଏବଂ ଏହା ନିଜ ଡୋମେନ ନାମ ସାତ ମାସ ପରେ ପାଇଥିଲା । ଏହା ଜାତୀୟ ଅଭିଲେଖାଗାର ଏବଂ ରେକର୍ଡ଼ ଆଡମିନଷ୍ଟ୍ରେସନକୁ ଆଧାର ଭାବେ ସୂଚାଯାଇଥିଲେ ମଧ୍ୟ ସେତେବେଳେ ଭରସାଯୋଗ୍ୟ ହୋଇନଥିବା କାରଣରୁ ଏହି ପ୍ରକଳ୍ପ ଆଲୋଚନାର ବସ୍ତୁ ହୋଇଥିଲା ।
କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୮) ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ୱାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ଏକାଧାରରେ ସେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାର ଏକ ମୁଖ୍ୟ ଅଙ୍ଗ ହେଉଛି ବୟନ ଶିଳ୍ପ । ଏହାର ବାନ୍ଧ କଳା ବିଶ୍ୱ ପ୍ରସିଦ୍ଧ । ସମ୍ବଲପୁରୀ ଶାଢୀ,ବରହମପୁରୀ ପାଟ , ସକତାପର ଶାଢୀ, ଖଣ୍ଡୁଆ ପାଟ, କୋଟପାଡ ବସ୍ତ୍ର ଆଦି କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଜନାଦୃତ । ଆମ ରାଜ୍ୟରେ ବୟନ ଶିଳ୍ପକୁ କେବଳ ବ୍ୟବସାୟିକ ଦୃଷ୍ଟିରେ ଦେଖାଯାଏ ନାହିଁ, ବରଂ ଏହା ଆମ ସଂସୃତିର ଏକ ପରିଭାଷା । ପିଢି ପିଢି ଧରି ଓଡ଼ିଶାର ଅଧିକାଂଶ ଗ୍ରାମ ନିଜ ଅଞ୍ଚଳର ପ୍ରସିଦ୍ଧ ବୟନ କଳାକୁ ପରମ୍ପରା, ବୃତ୍ତି ତଥା ରୋଜଗାର ଭାବରେ କରି ଆସୁଛନ୍ତି ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .
ପୃଥିବୀର ଅତି ସାଧାରଣ ତରଳ ହେଉଛି ଜଳ । ପୃଥିବୀର ପ୍ରାୟ ୭୧.୪% ଜଳପୂର୍ଣ୍ଣ ଅଟେ । ବିଶୁଦ୍ଧ ଜଳର ଗନ୍ଧ, ସ୍ୱାଦ ଓ ରଙ୍ଗ ନାହିଁ । ହ୍ରଦ, ନଦୀ ଓ ମହାସାଗର ଆଦିରେ ଜଳ ଥାଏ । ଆକାଶରେ ବାଦଲରୁ ବର୍ଷା ରୂପରେ ଜଳ ତଳକୁ ପଡେ । ଜଳ ଅତି ଥଣ୍ଡା ହେଲେ ବରଫରେ ପରିଣତ ହୁଏ । ଘନିଭୂତ ବର୍ଷା ତୁଷାରପାତରେ ପରିଣତ ହଏ । ଜଳ ଅତି ଗରମ ହେଲେ ଏହା ବାଷ୍ପରେ ପରିଣତ ହୁଏ । ଜୀବନ ପାଇଁ ଜଳ ଅତି ଜରୁରୀ । କିନ୍ତୁ ଜଣାଯାଏ ଯେ ୨୦୨୫ ସୁଦ୍ଧା ବିଶ୍ୱର ଅର୍ଦ୍ଧାଧିକ ଲୋକେ ଯଥେଷ୍ଟ ଜଳ ପାଇବେ ନାହିଁ । ହାଇଡ୍ରୋଫିଲିକ ଆଧାରରେ ଜଳ ଏକ ତରଳ ସ୍ଫଟିକ ଅବସ୍ଥାରେ ରହିଥାଏ ।ଜଳ ପୃଥିବୀପୃଷ୍ଟରେ ପ୍ରାକୃତିକ ଭାବେ ମିଳେ । ଜଳ ହେଉଛି ଏକମାତ୍ର ବସ୍ତୁ ଯାହା ସାଧାରଣ ତାପମାତ୍ରାରେ ୩ଟି ଅବସ୍ଥାରେ ରହେ । ଜଳର ୪୦ରୁ ଉର୍ଦ୍ଧ୍ୱ ବିଶେଷ ଜଳ ଘନିଭୂତ ହେଲେ ଏହାର ଆୟତନ ପାଖାପାଖି ୯% ବୃଦ୍ଧି ପାଏ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଟିକଟକ, ଯାହା ଡଇନ (ଚୀନ: 抖音; ପିନଇନ : Dǒuyīn; ଆକ୍ଷରିକ ଅର୍ଥ: 'ଶବ୍ଦ କମ୍ପନ') ନାମରେ ମଧ୍ୟ ଚୀନରେ ଜଣାଶୁଣା ଏକ ଆଣ୍ଡ୍ରୋଏଡ ଏବଂ ଆଇଓଏସ ଆପ ବା ଆପ୍ଲିକେସନ, ଯେଉଁଥିରେ ଛୋଟ ଛୋଟ ସମୟର ଅବଧିଯୁକ୍ତ ଭିଡିଓ ତିଆରି କରାଯାଇ ବଣ୍ଟା ଯାଇଥାଏ । ତିନିରୁ ପନ୍ଦର ସେକେଣ୍ଡ ସମୟ ବିଶିଷ୍ଟ ସଙ୍ଗୀତ ଭିଡିଓ ତିଆରି ହୋଇଥାଏ ଏବଂ ବାରମ୍ବାରତା ଛୋଟ ଭିଡିଓ ୩ରୁ ୬୦ ସେକେଣ୍ଡର ତିଆରି ହୋଇଥାଏ ।ଏହା ବାଇଟଡ୍ୟାନ୍ସ ନାମକ ଏକ କମ୍ପାନୀଦ୍ୱାରା ପରିଚାଳିତ । ଚୀନରେ ସେପ୍ଟେମ୍ବର ମାସ ୨୦୧୬ ମସିହାରେ ଏହା ପ୍ରଥମେ ଡଇନ ନାମରେ ଆରମ୍ଭ ହୋଇଥିଲା ଏବଂ ଅନ୍ୟ ଦେଶର ବଜାରଗୁଡିକୁ ଏକବର୍ଷ ପରେ ଟିକଟକ ନାମରେ ଛଡ଼ା ଯାଇଥିଲା । ଅକ୍ଟୋବର ମାସ ୨୦୧୮ରେ ଏହି ଆପଟି ଯୁକ୍ତରାଷ୍ଟ୍ରରେ ସବୁଠାରୁ ଅଧିକ ଡାଉନଲୋଡ଼ କରାଯାଇଥିଲା । ୨୦୧୮ ମସିହା ସୁଦ୍ଧା ଏହା ୧୫୦ଟି ଦେଶରେ, ୭୫ଟି ଭାଷାରେ ଉପଲବ୍ଧ ଅଟେ । ଜୁଲାଇ ମାସ ୨୦୧୮ ମସିହାରେ ଏହାର ୫୦ କୋଟିରୁ ଅଧିକ ଗ୍ରାହକ ଥିଲେ ।
ଆପେଣ୍ଡିସାଇଟିସ ରୋଗଟି ଅନ୍ତନଳୀର ଏକ ଅଂଶ ଆପେଣ୍ଡିକ୍ସର ପ୍ରଦାହକୁ ବୁଝାଏ । ଏହି ରୋଗକୁ ଏପିଟାଇଫ୍ଲାଇଟିସ (epityphlitis) ମଧ୍ୟ କୁହାଯାଏ । ଏହି ରୋଗ ହେଲେ ଉଦରର ବାମ ପାର୍ଶର ତଳ ଭାଗରେ ଯନ୍ତ୍ରଣା (abdominal pain), ଅଇ (nausea), ବାନ୍ତି (vomiting) ଓ ଅରୁଚି (decreased appetite) ଭଳି ଲକ୍ଷଣ ଦେଖାଯାଏ । ସୁଖର କଥା ପ୍ରାୟ ୪୦% ରୋଗୀଙ୍କର ଏହି ଭଳି ଲକ୍ଷଣ ଦେଖାଯାଏ ନାହିଁ । ଏହି ରୋଗ ଏକ ଜରୁରୀକାଳୀନ ବା ଆପାତସ୍ଥିତି ରୋଗ । ଏହି ରୋଗ ହେଲେ ଆପେଣ୍ଡିକ୍ସ ଫାଟି ଯାଇ ପେଟ ଭିତରେ ଯନ୍ତ୍ରଣାଦାୟକ ପେରିଟୋନାଇଟିସ (inflammation of the inner lining of the abdominal wall) ଓ ସେପ୍ସିସ ବା ପଚନ ହେବା ସମ୍ଭାବନା ଥାଏ । ଏହା ଯୋଗୁ ରୋଗୀ ମୃତ୍ୟୁ ମୁଖରେ ପଡ଼ନ୍ତି । ଏହି ରୋଗ ବିଷୟ ରେଜିନାଲ୍ଡ ଫିଜଙ୍କଦ୍ୱାରା ସର୍ବପ୍ରଥମେ ୧୮୮୬ ମସିହାରେ ଲେଖା ଯାଇଥିଲା । ଯେତେ ଶୀଘ୍ର ସମ୍ଭବ ଆପେଣ୍ଡିକ୍ସକୁ ଅପରେସନ ବା ଲାପରୋସ୍କୋପିଦ୍ୱାରା କାଟି ବାହାର କରି ଦିଆଯାଏ । ମନୁଷ୍ୟ ଶରୀରରେ ଏହି ଅଙ୍ଗଟି ଏକ ଅନାବଶ୍ୟକ ଅଙ୍ଗ, ଅନୁବଂଶିକ ଭାବେ ଶରୀରରେ ଥାଏ । ଏଣୁ ଏହାକୁ କାଟି ଦେଲେ କିଛି ଅସୁବିଧା ହୁଏ ନାହିଁ । ଅଧୁନା ସାରା ପୃଥିବୀରେ ତୀବ୍ର ପେଟ ବେଦନାର (Acute abdomen) ଅତି ସାଧାରଣ କାରଣମାନଙ୍କ ମଧ୍ୟରେ ଏହି ରୋଗକୁ ଅଗ୍ରାଧିକାର ଦିଆଯାଉଛି ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ପ୍ରମିଳା ମଲ୍ଲିକ (ଜନ୍ମ: ୪ ମାର୍ଚ୍ଚ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ୧୯୯୦ ମସିହାରେ ସେ ଓଡ଼ିଶା ବିଧାନ ସଭାର ୧୦ମ ସଭାକୁ ଜନତା ଦଳର ପ୍ରତିନିଧି ଭାବରେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ପୁଣିଥରେ ୨୦୦୦ ମସିହା ଓଡ଼ିଶା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ସେହି ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ଲଗାତାର ୨୦୦୪ ମସିହାରେ ୧୩ଶ, ୨୦୦୯ ମସିହାରେ ୧୪ଶ ଏବଂ ୨୦୧୪ ମିସିହାରେ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପ୍ରମିଳା ପ୍ରଥମଥର ପାଇଁ ୨୦୦୪ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ । ସେ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଥିଲେ ।
ମନୋଜ ଦାସ (ଜନ୍ମ: ୨୭ ଫେବୃଆରୀ ୧୯୩୪) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ , ପଦ୍ମଶ୍ରୀ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋସିପ ଗ୍ରହଣ କରିଛନ୍ତି । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଛନ୍ତି ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ବାଲିଯାତ୍ରା (ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା)ଏକ ଓଡ଼ିଆ ପର୍ବ । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ ।ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ |
ନରେନ୍ଦ୍ର ଦାମୋଦରଦାସ ମୋଦୀ (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୦) ଭାରତର ୧୫ମ ପ୍ରଧାନମନ୍ତ୍ରୀ । ସେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ। ସେ ୨୦୧୪ ଲୋକ ସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ ଏବଂ ଉତ୍ତର ପ୍ରଦେଶ ଓ ଗୁଜରାଟରୁ ଯଥାକ୍ରମେ ବାରଣାସୀ ଓ ଭଦୋଦରାରୁ ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ନେତା ଲାଲ କୃଷ୍ଣ ଆଡ଼ଭାନୀଙ୍କଦ୍ୱାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା । ୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସ୍ତଫା ଦେବାପରେ ସେ ମୂଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନ ସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ । ସେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ବିବାଦୀୟ ବ୍ୟକ୍ତି। ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ସେ ସ୍ୱେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହିଥିବା ସୈନିକ ମାନଙ୍କୁ ସେବା ଯୋଗାଇ ଦେଇଥିଲେ। ୧୯୬୭ରେ ସେ ଗୁଜରାଟରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଭରି ରହିଥିଲା ଏବଂ ସେ ଲୋକମାନଙ୍କର ଭାବାବେଗକୁ ଭଲ ଭାବରେ ବୁଝିପାରୁଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଯୋଗ ଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗୁଜରାଟର ବିଭିନ୍ନ ସାମାଜିକ-ରାଜନୈତିକ ଘଟଣାଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ।
ହିମାଳୟ ପର୍ବତଶ୍ରେଣୀ ବା ହିମାଳୟ ପର୍ବତମାଳା ବା କେବଳ ହିମାଳୟ (ଇଂରାଜୀରେ Himalayas) ଏସିଆ ମହାଦେଶର ଏକ ପର୍ବତଶ୍ରେଣୀ ଯାହା ଭାରତୀୟ ଉପମହାଦେଶ ଓ ତିବ୍ବତୀୟ ମାଳଭୂମି ମଧ୍ୟରେ ଅବସ୍ଥିତ । ପୃଥିବୀର ଅନେକ ଉଚ୍ଚ ଗିରିଶୃଙ୍ଗ ଏହି ପର୍ବତମାଳାର ଅଂଶବିଶେଷ । ତନ୍ମଧ୍ୟରୁ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ୍ ଅନ୍ୟତମ । ହିମାଳୟ ପର୍ବତମାଳାରେ ୫୦ରୁ ଅଧିକ ପର୍ବତ ରହିଛି ଯାହାର ସମୁଦ୍ରପତନରୁ ଉଚ୍ଚତା ୭୨୦୦ ମିଟର୍ ବା ତତୋଧିକ । ୮୦୦୦ ମିଟର୍ରୁ ଉଚ୍ଚ ୧୪ଟି ଶୃଙ୍ଗ ମଧ୍ୟରୁ ୧୦ଟି ହିମାଳୟରେ ରହିଛି । ଏସିଆ ବାହାରେ ରହିଥିବା ସର୍ବୋଚ୍ଚ ଗିରିଶୃଙ୍ଗ ହେଉଛି ଆଣ୍ଡିଜ୍ ପର୍ବତମାଳାର ଆକାଙ୍କାଗୁଆ (୬୯୬୧ ମିଟର୍) ।ଭାରତୀୟ ପ୍ଲେଟ୍ ସଞ୍ଚାଳିତ ହୋଇ ୟୁରେସିଆ ପ୍ଲେଟ୍ ସହିତ ଧକ୍କା ହେବା ପରେ ଦୁଇଟି ପ୍ଲେଟ୍ ଯଥାକ୍ରମେ ନିମ୍ନ ଓ ଉର୍ଦ୍ଧ୍ୱଗାମୀ ହେଲେ ଓ ସେଥିରୁ ହିମାଳୟ ସୃଷ୍ଟି ହୋଇଥିଲା । ହିମାଳୟ ପର୍ବତମାଳା ପଶ୍ଚିମ-ଉତ୍ତରପଶ୍ଚିମ ଓ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୨୪୦୦ କିଲୋମିଟର୍ ବ୍ୟାପ୍ତ ଏକ ବିଶାଳ ତୋରଣ ପରି । ହିମାଳୟର ପଶ୍ଚିମସୀମା ହେଉଛି “ନଙ୍ଗା ପର୍ବତ”, ଯାହା ସିନ୍ଧୁ ନଦୀର ଉତ୍ତରତମ ବାଙ୍କର ଠିକ୍ ଦକ୍ଷିଣପଟକୁ ଅବସ୍ଥିତ । ହିମାଳୟର ପୂର୍ବ ସୀମା “ନାମ୍ଚା ବରୁଆ” ୟାର୍ଲୁଂ ତ୍ସାଂଗପୋ ନଦୀର (ନିଜର ଉପରମୁଣ୍ଡରେ ବ୍ରହ୍ମପୁତ୍ର ନଦୀ ଏହି ନାମରେ ଜଣାଶୁଣା) ବଡ଼ ବାଙ୍କର ଠିକ୍ ପଶ୍ଚିମ ପଟକୁ ରହିଛି । ହିମାଳୟର ଉତ୍ତର-ପୂର୍ବ ଦିଗକୁ କାରାକୋରମ୍ ଓ ହିନ୍ଦୁକୁଶ ପର୍ବତଶ୍ରେଣୀ ରହିଛନ୍ତି । ୫୦-୬୦ କିଲୋମିଟର୍ ପ୍ରସ୍ଥ ବିଶିଷ୍ଟ “ଇଣ୍ଡସ୍-ତ୍ସାଙ୍ଗପୋ ସୁଚ୍ୟର୍” ନାମକ ଟେକ୍ଟୋନିକ୍ ଉପତ୍ୟକା ହିମାଳୟର ଉତ୍ତରାଂଶକୁ ତିବ୍ବତୀୟ ମାଳଭୂମିଠାରୁ ବିଚ୍ଛିନ୍ନ କରୁଛି । ହିମାଳୟ ବଳୟର ଦକ୍ଷିଣ ପଟକୁ ଗାଙ୍ଗେୟ ସମତଳ ଭୂମି ଅବସ୍ଥିତ । ପଶ୍ଚିମ ପାକିସ୍ତାନରେ ହିମାଳୟ ପର୍ବତଶ୍ରେଣୀର ପ୍ରସ୍ଥ ୩୫୦ କି.ମି. ହୋଇଥିବା ବେଳେ ପୂର୍ବରେ (ଅରୁଣାଚଳ ପ୍ରଦେଶ) ଏହାର ପ୍ରସ୍ଥ ପ୍ରାୟ ୧୫୦ କି.ମି.
ଭାଷା ହେଉଛି ଯୋଗାଯୋଗର ଜଟିଳ ପ୍ରଣାଳୀକୁ ଶିଖିବା ଓ ବ୍ୟବହାର କରିବା ପାଇଁ ଥିବା ମନୁଷ୍ୟର ସାମର୍ଥ୍ୟ ଏବଂ ଗୋଟିଏ ଭାଷା ହେଉଛି ଏହି ଜଟିଳ ଯୋଗାଯୋଗ ପ୍ରଣାଳୀର ଏକ ଉଦାହରଣ । ପୃଥିବୀରେ ସର୍ବମୋଟ କେତେ ଭାଷା ଅଛି ଏକଥା ସଠିକ ଭାବେ କହିବା ସମ୍ଭବ ନୁହେଁ ଏବଂ ଏହି ସଂଖ୍ୟା ଭାଷା (language) ଓ ଲୋକଭାଷା (dialects) ମଧ୍ୟରେ ସୂକ୍ଷ୍ମ ପ୍ରଭେଦ ଉପରେ ନିର୍ଭର କରେ । ତଥାପି ଆକଳନ କରାଯାଇଛି ଯେ ଏହି ସଂଖ୍ୟା ୬୦୦୦ରୁ ୭୦୦୦ ହେବ ।
ଧର୍ମର ବେଶ ବିବିଧ । ଏହା ବିଭିନ୍ନ ରାଷ୍ଟ୍ରରେ , ବିଭିନ୍ନ କାଳରେ ସ୍ଥାପିତ ହେଇଛି । ଏହା ମାନବ ଜାତିକୁ ଅନେକ ସଂପ୍ରଦାୟରେ ବିଭାଜିତ କରିଦେଇ ମାନବ ସମାଜର ଏକତ୍ୱରେ ଉଭା ହୋଇଛି ଏକ ପ୍ରବଳ ପ୍ରତିରୋଧକ ରୂପେ । ବ୍ୟାବହାରିକ ଦୃଷ୍ଟିକୋଣରୁ ବିଚାରକଲେ ପ୍ରତ୍ୟେକ ଧର୍ମ ଅନ୍ଯ ଧର୍ମର ବିରୋଧୀ ; ବରଂ ବିଭିନ୍ନ ଧର୍ମାବଲମ୍ବୀମାନେ ପରସ୍ପରକୁ ବିରୋଧ ନକରିବା ଦୃଷ୍ଟାନ୍ତ ବିରଳ । ଏହା ହେଉଛି ଏକ ପ୍ରକାର ଅନ୍ଧ ବିଶ୍ୱାସ ସହ ଅନ୍ଯ ଏକ ପ୍ରକାର ଅନ୍ଧବିଶ୍ୱାସ ମଧ୍ଯରେ ସଂଘର୍ଷ । ତଥାପି ଏହି ରକ୍ଷଣଶୀଳ ଧର୍ମଗୁଡିକ ମଧ୍ଯରେ ବି ରହିଛି ଆଧାରମୂଳକ ସାମଞ୍ଜସ୍ଯ । ପ୍ରତ୍ୟେକ ଧର୍ମର ଦୃଢ଼ ଆଧାର ହେଉଛନ୍ତି ଈଶ୍ୱର । ପ୍ରତ୍ଯେକ ଧର୍ମ ଈଶ୍ୱରଙ୍କ ସ୍ଥିତିକୁ ସ୍ୱୀକାର କରିଥାଏ । ପୁଣି ପ୍ରାୟ ପ୍ରତ୍ଯେକ ଧର୍ମ ପୌରାଣିକ କାହାଣୀ ଏବଂ ଅଲୌକିକ ଚମତ୍କାରିତାରେ ମଧ୍ଯ ଭରପୁର । ପୌରାଣିକ କାହାଣୀ କୈଣସି ଫଟୋକୁ କାଳ୍ପନିକ ରୂପ ଦିଏ ଏବଂ ଅଲୌକିକ ଚମତ୍କାରିତା ପ୍ରକୃତିର ନିୟମକୁ ଉପେକ୍ଷା କରି ପରିବେଷଣ କରିଥାଏ ନକଲି ଫଟୋ ।
ପ୍ରତାପରୁଦ୍ର ଦେବ (୧୪୯୭-୧୫୪୧)ସୂର୍ଯ୍ୟବଂଶର ତୃତୀୟ ଓ ଶେଷ ପ୍ରଧାନ ରାଜା ଥିଲେ । ତାଙ୍କ ଅନ୍ତେ ସୂର୍ଯ୍ୟବଂଶର ବିଶାଳ ସାମ୍ରାଜ୍ୟର ଗୌରବ ରବି ଅସ୍ତମିତ ହେଲା । ଓଡ଼ିଶାର ସୂର୍ଯ୍ୟବଂଶୀ ରାଜତ୍ୱ ସମୟରେ ପ୍ରତାପରୁଦ୍ର ଦେବ ଏକ ମହତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ରାଜତ୍ୱ କାଳରେ ଓଡ଼ିଶାର ଧର୍ମ ଓ ସାହିତ୍ୟ କ୍ଷେତ୍ରରେ ଏକ ନୂତନ ଜାଗରଣ ସୃଷ୍ଟି ହୋଇଥିଲା । ଧର୍ମ କ୍ଷେତ୍ରରେ ଚୈତନ୍ୟଙ୍କ ପ୍ରଭାବ ଓ ସାହିତ୍ୟ କ୍ଷେତ୍ରରେ ପଞ୍ଚସଖାଙ୍କ ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଥିଲା । କିନ୍ତୁ ରାଜନୈତିକ କ୍ଷେତ୍ରରେ ଓଡ଼ିଶା ସଂକୁଚିତ ହୋଇ ଆଭ୍ୟନ୍ତରୀଣ ବିଶୃଙ୍ଖଳା ଓ ପ୍ରତିବେଶୀ ଶକ୍ତିଶାଳୀ ଶତ୍ରୁଙ୍କ ଯୋଗୁଁ ନିଜର ପୂର୍ବ ଗୌରବ ହରାଇଥିଲା । ସୁସମୟ ଓ ଦୁସମୟର ମିଶ୍ରିତ ଅବସ୍ଥା ମଧ୍ୟର୍ରେ ସୂର୍ଯ୍ୟବଂଶୀୟ ତୃତୀୟ ରାଜଙ୍କର ରାଜତ୍ୱକାଳ ଅତିବାହିତ ହୋଇଥିଲା । ପୁରୁଷୋତ୍ତମ ଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଓ ଉତ୍ତରାଧିକାରୀ ପ୍ରତାପରୁଦ୍ର ଦେବ ଏପ୍ରିଲ୍ ମାସ ୧୪୯୭ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ସିଂହାସନ ଆରୋହଣ କରିଥିଲେ । ତାଙ୍କ ସିଂହାସନ ପ୍ରାପ୍ତି ବିବାଦ ଶୂନ୍ୟ ଥିଲା । କିନ୍ତୁ ଏହି ନିର୍ବିବାଦ ସିଂହାସନ ଅଧିକ କାଳ ପର୍ଯ୍ୟନ୍ତ ତାଙ୍କୁ ସୁଖ ପ୍ରଦାନ କରିନଥିଲା । ସେ ଉତ୍ତର ଦିଗରେ ବଙ୍ଗଳା ଓ ଗଙ୍ଗାନଦୀ ଠାରୁ ଦକ୍ଷିଣରେ ଆଧୁନିକ ନେଲୋର ଜିଲ୍ଲା ବ କାବେରୀ ନଦୀ ପର୍ଯ୍ୟନ୍ତ ଭୂଖଣ୍ଡ ପୈତୃକ ସାମ୍ରାଜ୍ୟ ରୂପେ ପାଇଥିଲେ । ସେ ନିଜର ରାଜସୁଲଭ ଗୂଣଦ୍ୱାରା ଏହି ବିଶାଳ ଭୁଖଣ୍ଡକୁ ସୂଚରୁରୂପେ ରାଜତ୍ୱ କରିଥିଲେ । ପ୍ରତାପରୁଦ୍ର ଦେବ ପ୍ରାଚୀନ ଓ ମଧ୍ୟଯୁଗୀୟ ବିଶିଷ୍ଟ ଉତ୍କଳୀୟ ସମ୍ରାଟମାନଙ୍କର ଶେଷ ଦାୟଦ ବୋଲି ବୋଲି ଗ୍ରହଣ କରିବା ସମୀଚିନ ଅଟେ । ଓଡ଼ିଶାର ରାଜନୈତିକ ଘଟଣାକ୍ରମ ଦୃଷ୍ଟିରୁ ତାଙ୍କର ଶାସନକାଳ ଅତ୍ୟନ୍ତ ଦୁଃସମୟ୍ ଥିଲା । ସେ ପାରିବାରିକ ଅଶାନ୍ତି, ଶାସନଗତ ଦୁଶ୍ଚିନ୍ତା, ପ୍ରାଦେଶକ କର୍ମଚରୀ, ସେନାପତିମାନଙ୍କ ବିଶ୍ୱାସଘାତକତା ଓ ପ୍ରତିବେଶୀ ଶତୃମାନଙ୍କ ବର୍ବର ଆକ୍ରମଣ ଯୋଗୁଁ ତାଙ୍କର ଜୀବନ ଜଞ୍ଜାଳମୟ ହୋଇଥିଲା । ତାଙ୍କ ଶାସନ କାଳରେ ଗଜପତି ସାମ୍ରାଜ୍ୟର ପରିସର ଓ ପ୍ରତିପତ୍ତି ବହୁ ପରିମାଣରେ ହ୍ରାସ ପାଇଥିଲା । ଏହା ସତ୍ତ୍ୱେ ଗଜପତି ପ୍ରତପରୁଦ୍ର ଦେବ ଦମ୍ଭିକତାର ସହ ହୁସେନ୍ ଶାହା, କୃଷ୍ଣଦେବ ରାୟ ଓ କୁଲିକୁତବ ଶାହା ସଙ୍ଗେ ଯୁଦ୍ଧକରି ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଓଡ଼ିଶା ସୀମାର ସୁରକ୍ଷା କରିଥିଲେ । ତାଙ୍କ ଶାସନ କାଳରେ ଓଡ଼ିଶା ଆକାରରେ ସଙ୍କୁଚିତ ହୋଇଥିଲା ସତ, କିନ୍ତୁ ଧର୍ମ ଓ ସାହିତ୍ୟ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ସାଧିତ ହୋଇଥିଲା । ଓଡୀଶାଅ ସାହିତ୍ୟ କ୍ଷେତ୍ରରେ ଏହା ଏକ ନବଜାଗରଣ ଯୁଗ ରୂପେ ପରିଚିତ । ଶ୍ରୀ ଚୈତନ୍ୟଙ୍କ ଧର୍ମପ୍ରଚାର ଓ ପଞ୍ଚସଖାଙ୍କ ଭଳି ସାହିତ୍ୟ ଓ ଦର୍ଶନ ଓଡ଼ିଶାର ସାମଜିକ ଓ ଆଧ୍ୟାତ୍ମିକ ଜୀବନରେ ଆଲୋଡନ ସୃଷ୍ଟି କରିଥିଲା । ରାୟ ରାମଚନ୍ଦ୍ରଙ୍କ ରଚିତ ଜଗନ୍ନାଥ ବଲ୍ଲଭ ନାଟକମ୍, ଜୀବଦେବାଚାର୍ଯ୍ୟଙ୍କ ରଚିତ ଭକ୍ତି ଭାଗବତ, ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ଓ ପ୍ରତାପରୁଦ୍ର ଦେବଙ୍କ ରଚିତ ସରସ୍ୱତୀ ବିଳାଅସମ୍ ଗ୍ରନ୍ଥ ସମୂହ ପ୍ରତାପରୁଦ୍ର ଦେବଙ୍କ ପୃଷ୍ଠପୋଷୋକତା ଓ ପ୍ରେରଣାର ନିଦର୍ଶନ ଅଟେ । ଉଣ୍ଡଭଲି ଶିଳାଲେଖାରେ ପ୍ରତାପରୁଦ୍ର ଦେବଙ୍କୁ ସବୁ ପ୍ରକାର କଳା ଓ ଚୌଷଠି ବିଦ୍ୟାରେ ଧୁରନ୍ଧର ବୋଲି ବର୍ଣ୍ଣନା କରାଯାଇଛି । ସେ ଜଣେ ଧର୍ମ ନିରପେକ୍ଷ ରାଜ ଥିଲେ । ନିଜେ ବୈଷ୍ଣବ ଧର୍ମର ସାଧକ ଥିଲେ ମଧ୍ୟ ଅନ୍ୟ ଧର୍ମ ପ୍ରତି ତାଙ୍କର ଘୃଣାଭାବ ନଥିଲା । ସେ ପ୍ରାୟତଃ ୧୫୩୮ରେ ମୃତ୍ୟୁବରଣ କରିଥିଲେ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ଟୁଇଟର ( /ˈtwɪtər/) ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରଷ୍ପର ସହ ୧୪୦-ଅକ୍ଷର ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ "ଟୁଇଟ୍" ବୋଲି କୁହାଯାଏ । ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୁଆ ଟୁଇଟ୍ ପଢିପରିବେ । ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପରୁଛନ୍ତି ଏବଂ ପଢିପରୁଛନ୍ତି । Twitter Inc.
ବିକ୍ରମ ଭେଧା ୨୦୧୭ ମସିହାର ଏକ ଭାରତୀୟ ତାମିଲ ଭାଷାରେ ନିର୍ମିତ ନିଓ-ନୋଇର ଆକ୍ସନ ଥ୍ରୀଲର ଫିଲ୍ମ ଅଟେ । ଏହି ଫିଲ୍ମକୁ ପୁଷ୍କର-ଗାୟତ୍ରୀଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ କରାଯାଇଥିଲା ଓ ଏସ.ଶସିକାନ୍ତଙ୍କ ଦ୍ୱାରା ତାଙ୍କ ବ୍ୟାନର ୱାଇ ନଟ (Y NOT) ଷ୍ଟୁଡିଓରେ ନିର୍ମିତ କରାଯାଇଥିଲା । ଫିଲ୍ମରେ ମାଧବନ, ବିଜୟ ସେତୁପତି, ଶ୍ରଦ୍ଧା ଶ୍ରୀନାଥ, କାଥିର ଏବଂ ଭାରଲକ୍ଷ୍ମୀ ସରତକୁମାର ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ । ପ୍ରେମ, ଅଚ୍ୟୁତ କୁମାର, ହରେଶ ପେରାଡୀ ଓ ବିବେକ ପ୍ରସନ୍ନା ସହାୟକ ଭୂମିକାରେ ଅଭିନୟ କରିଥିଲେ । ସାମ ସି. ଏସ. ସାଉଣ୍ଡଟ୍ରାକ ଏବଂ ସ୍କୋରର ରଚନା କରିଥିଲେ; ପି.
ଓଡ଼ିଆ ଭାଗବତ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଷାର ଏକ ପୁରାତନ ସାହିତ୍ୟିକ ପୁରାଣ କୃତି । ଏହା ୧୪ଶ ଶତାବ୍ଦୀରେ ରଚିତ ।, ଭାଗବତ ତାଳପତ୍ର ପୋଥିରେ ଲେଖାଯାଇଥିଲା । ପରେ ଏହି ପୋଥିମାନଙ୍କୁ ଏକାଠି କରି ତାହାକୁ ଛପା ବହି ଆକାରରେ ପ୍ରକାଶ କରାଗଲା । ଓଡ଼ିଶାରେ ପାରମ୍ପାରିକ ଭାବେ ଭାଗବତ ଟୁଙ୍ଗି ଓ ଭାଗବତ ଗାଦି/ଭାଗବତ ଗୋସାଇଁ ଆଦି ସାମୁହିକ ଭାଗବତ ପାଠ ପାଇଁ ରହିଥିଲା । ଜଗନ୍ନାଥଙ୍କ ପାଖେ ମଧ୍ୟ ଭାଗବତ ପଢ଼ାଯାଏ । ଏହା ଆଗ କାଳରେ ଭାଗବତ ଟୁଙ୍ଗି ମାନଙ୍କରେ ସଞ୍ଜ ଦେବା ପରେ ଭାଗବତ ବୋଲାଯାଉଥିଲା । ପରେ ଭାଗବତ ଟୁଙ୍ଗିର ସଂଖ୍ୟା କମିଯିବା ହେତୁ ଏହା ଓଡ଼ିଆ ଘର ମାନଙ୍କରେ ବୋଲାଯାଇଥାଏ । ଭାଗବତ ପ୍ରତି ଓଡ଼ିଆ ଘରେ ସନ୍ତାନ ଜନ୍ମ ହେବା ଏନ୍ତୁଡ଼ିଶାଳରେ, ମୁମୂର୍ଷର ଶେଯ ପାଖରେ ପଢ଼ାଯାଏ । ଆଗରୁ ବସନ୍ତ, ମହାମାରୀ, ହଇଜା ଓ ଗ୍ରାମର ଅନିଷ୍ଟ ଆଶଙ୍କା ଭୟରେ ଭାଗବତ ପାଠ କରାଯାଉଥିଲା ।
ଜାମୁକୋଳି (Ribes nigrum) ଏକ ଛୋଟ, କଷା-ସ୍ୱାଦ ଯୁକ୍ତ ଫଳ ଅଟେ । ଏହା ମଧ୍ୟ ଓ ଉତ୍ତର ୟୁରୋପ ଏବଂ ଉତ୍ତର ଏସିଆରେ ମିଳିଥାଏ । ଜାମୁକୋଳିରେ ପ୍ରଚୁର ପରିମାଣରେ ଭିଟାମିନ ସୀ ରହିଥାଏ । ଜାମୁକୋଳି ନିଜର ଗାଢା ରଙ୍ଗ ଦ୍ୱାରା ନିଜର ନାମ ପ୍ରାପ୍ତ କରିଥାଏ । ଏହାର ବ୍ୟବହାର ଜେଲି, ଆଇସକ୍ରିମ ତିଆରି କରିବା ପାଇଁ ବ୍ୟବହାର କରାଯାଏ ଓ ଏହାର ରସ ବଜାର ପାଇଁ ବ୍ୟବସାୟୀକ ଋପେ ବ୍ୟବହାର କରାଯାଏ । ଜାମୁକୋଳି ୟୁନାଇଟେଡ କିଙ୍ଗଡମର ଏକ ଲୋକପ୍ରୀୟ ସ୍ୱାଦ ଅଟେ । ଖିସମିସ ସମାନ, ସାଲଡ ଓ ବେକିଙ୍ଗରେ ଜାମୁକୋଳିର ବ୍ୟବହାର କରାଯାଏ । ଏହି ଫଳର ବ୍ୟବହାର ମାଦକ ଦ୍ରବ୍ୟର ତିଆରିରେ କରାଯାଏ ଓ ଫଳ ଏବଂ ପତ୍ରକୁ ପାରମ୍ପରିକ ଚିକିତ୍ସାରେ ଉପଯୋଗ କରାଯାଏ ।
ଅଲସରେଟିଭ କୋଲାଇଟିସ (ଇଂରାଜୀ ଭାଷାରେ Ulcerative Colitis ବା UC) ଏକ ଦୀର୍ଘକାଳୀନ ବା କ୍ରନିକ ବେମାରୀ ଯେଉଁଥିରେ ବୃହଦନ୍ତ୍ର ଓ ମଳାଶୟରେ ପ୍ରଦାହ ହୋଇ ଘାଆ ହୋଇଯାଏ । ଏହାର ପ୍ରାଥମିକ ଲକ୍ଷଣ: ଉଦର ଯନ୍ତ୍ରଣା ଓ ରକ୍ତ ମିଶ୍ରିତ ତରଳ ଝାଡ଼ା । ଏହା ବ୍ୟତୀତ ଓଜନ ହ୍ରାସ (Weight loss), ଜ୍ୱର, ଓ ଆନିମିଆ ହୋଇପାରେ । ଅନେକ ସମୟରେ ଲକ୍ଷଣ ଧୀରେ ଧୀରେ ଆସନ୍ତି ଓ ସାଧାରଣରୁ ସାଂଘାତିକ ହୋଇପାରନ୍ତି । ଲକ୍ଷଣ ଗୁଡ଼ିକ ମଝିରେ ମଝିରେ ପ୍ରକାଶ ପାଏ ଓ ମଧ୍ୟବର୍ତ୍ତୀ ସମୟରେ କୌଣସି ଲକ୍ଷଣ ନ ଥାଏ । ଏହି ରୋଗ ଜଟିଳ ହେଲେ ମେଗାକୋଲୋନ (megacolon), କୋଲୋନ କର୍କଟ (colon cancer) ଓ ଚକ୍ଷୁ, ଗଣ୍ଠି ବା ଯକୃତରେ ପ୍ରଦାହ ହୋଇପାରେ ।ଏହି ରୋଗର କାରଣ ଅଜଣା ଅଛି । ଏହାର କାରଣ ରୁପେ ଅଟୋଇମ୍ମ୍ୟୁନ କାରକ (immune system dysfunction), ଜେନେଟିକ (genetics), ଅନ୍ତନଳୀ ଜୀବାଣୁ ପରିବର୍ତ୍ତନ ଓ ପରିବେଶ ଇତ୍ୟାଦିକୁ ସମ୍ଭାବ୍ୟ କାରଣ ମନେ କରାଯାଉଛି । ବିକଶିତ ଦେଶମାନଙ୍କରେ ଏହି ରୋଗ ଅଧିକ ହେଉଥିବାର କାରଣରୁପେ ଅତ୍ୟଧିକ ସ୍ୱାସ୍ଥ୍ୟରକ୍ଷା (less exposure to intestinal infections), ପଶ୍ଚିମ ଖାଦ୍ୟ (Western diet) ଓ ଜୀବନଚର୍ଯ୍ୟାକୁ ଦାୟୀ କରାଯାଇଛି । ଅଳ୍ପ ବୟସରେ ଆପେଣ୍ଡିକ୍ସ ବାହାର କରିଦେଲେ ସୁରକ୍ଷା ମିଳିପାରେ । କୋଲୋନୋସ୍କୋପି (colonoscopy) ଓ ଟିସୁ ବାୟୋପ୍ସି (tissue biopsies) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଇନଫ୍ଲାମେଟରି ବାୱେଲ ଡିଜିଜ (inflammatory bowel disease/ IBD) ଦଳର କ୍ରନ ରୋଗ (Crohn's disease) ଓ ମାଇକ୍ରୋସ୍କୋପିକ କୋଲାଇଟିସ (microscopic colitis) ଭଳି ଏହା ଏକ ପ୍ରକାର ରୋଗ ।ଖାଦ୍ୟ ପରିବର୍ତ୍ତନ କଲେ ଲକ୍ଷଣରେ ଉନ୍ନତି ହୁଏ । ଉପଶମ କରିବା ଓ ରଖିବା ନିମନ୍ତେ ଅନେକ ପ୍ରକାର ଔଷଧ ବ୍ୟବହାର କରାଯାଏ । ଆମିନୋସାଲିସିଲେଟ (aminosalicylates) ସଲଫାସାଲାଜିନ (sulfasalazine), ସ୍ଟିରଏଡ (steroids), ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressants) ଯେପରିକି ଆଜାଥାଇଓପ୍ରିନ (azathioprine), ଓ ବାୟୋଲୋଜିକାଲ ଥେରାପି ଦିଆଯାଏ । ରୋଗ ସାଂଘାତିକ ହୋଇଥିଲେ ଅପରେଶନ କରି କୋଲୋନ କାଢ଼ିଦିଆଯାଏ (Removal of the colon by surgery) । ପ୍ରୋକ୍ଟୋକୋଲେଟୋମି କଲେ (Removal of the colon and rectum) ଏହି ରୋଗ ଆରୋଗ୍ୟ ହୋଇଯାଏ ।ସନ ୧୮୫୦ରେ ଅଲସରେଟିଭ କୋଲାଇଟିସ ବିଷୟରେ ପ୍ରଥମ ବର୍ଣ୍ଣନା ବାହାରିଥିଲା । ପ୍ରତି ବର୍ଷ ଏକ ଲକ୍ଷ ଲୋକରେ ୧-୨୦ ନୂଆ ଲୋକଙ୍କୁ ଏହି ରୋଗ ହୁଏ ଓ ଏକ ଲକ୍ଷ ଲୋକରେ ୫-୫୦ ଲୋକ ଆକ୍ରାନ୍ତ ହୁଅନ୍ତି । ଉତ୍ତର ଆମେରିକା ଓ ୟୁରୋପରେ ଏହା ଏକ ସାଧାରଣ ରୋଗ ଭାବରେ ଗଣ୍ୟ ହୁଏ । ୧୫ରୁ ୩୦ ବର୍ଷ ବୟସ ମଧ୍ୟରେ ଓ ୬୦ ବର୍ଷ ପରେ ଏହି ରୋଗ ଆରମ୍ଭ ହୁଏ । ପୁରୁଷ ଓ ମହିଳାମାନେ ସମ ପରିମାଣରେ ଆକ୍ରାନ୍ତ ହୁଅନ୍ତି । ସନ ୧୯୫୦ ପରଠାରୁ ଏହା ଅପେକ୍ଷାକୃତ ସାଧାରଣ ରୋଗ ହୋଇଯାଇଛି । ଯୁକ୍ତରାଷ୍ଟ୍ର ଆମେରିକାରେ କ୍ରନସ ରୋଗ ଓ ଅଲସରେଟିଭ କୋଲାଇଟିସ ମିଶି ପ୍ରାୟ ୫୦୦,୦୦୦ରୁ ୨ ନିୟୁତ ଲୋକଙ୍କୁ ଆକ୍ରମଣ କରନ୍ତି । ଉପଯୁକ୍ତ ଚିକିତ୍ସା ପାଇଲେ ସାଧାରଣ ଜନସଂଖ୍ୟା ସହ ସମାନ ମୃତ୍ୟୁ ସଙ୍କଟ ରହେ ।
କଟକ, କଟକ ଜିଲ୍ଲାର ଏକ ମୁଖ୍ୟ ନଗର ଓ ଓଡ଼ିଶାର ସର୍ବପୁରାତନ ନଗର । କଟକର ସୁନା, ରୂପା ଓ ହାତୀଦାନ୍ତର ତାରକସି କାମ ସହ ଏହାର ସୂତା ଓ ରେଶମ ଲୁଗା ଶିଳ୍ପ ଏହାକୁ ଏକ ନିଆରା ମାନ୍ୟତା ଦେଇଛି । ୯୮୯ ଖ୍ରୀ.ଅ.ରେ ଗଠିତ ଏହି ସହର ଭୁବନେଶ୍ୱର, ପୁରୀ ଓ କୋଣାର୍କର ପାଖାପାଖି ଅଛି । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆର ଜନ୍ମ ।
ପୌରାଣିକ ମତେ ହନୁମାନ ସୁଗ୍ରୀବଙ୍କ ଭଣଜା ଓ ରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତଭାବେ ପରିଚିତ । ଏହାଙ୍କ ମାତାଙ୍କ ନାମ ଅଞ୍ଜନା; ଏ ବାୟୁଦେବତାଙ୍କ ପୁତ୍ର । ଏ ପ୍ରଥମେ ବାଳିଙ୍କର ସେନାପତି ଥିଲେ, ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ଏ ସୁଗ୍ରୀବଙ୍କର ପାରିଷଦ ହେଲେ ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ଏ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଦକ୍ଷିଣକୁ ଯାଇ ଲଙ୍କାରେ ଅଶୋକବନରେ ସୀତାଙ୍କୁ ଠାବ କରି, ତାଙ୍କୁ ଶ୍ରୀରାମଙ୍କ ସଂବାଦ ଦେଇ, ତାଙ୍କଠାରୁ ଲେଉଟ ସଂବାଦ ଓ ସଂଙ୍କେତ ଆଣି ଶ୍ରୀରାମଙ୍କୁ ଦେଇଥିଲେ । ଏ ଅତ୍ୟନ୍ତ ବଳଶାଳୀ ଥିଲେ ଓ ଭାରତବର୍ଷରୁ ଲଙ୍କାକୁ ଡେଇଁଥିଲେ ଲକ୍ଷ୍ମଣଙ୍କ ଶକ୍ତିଭେଦ ହେବାରୁ ଏ ଅମରଔଷଧି ଆଣିବାକୁ ଯାଇ ଗନ୍ଧମାର୍ଦ୍ଦନ ପର୍ବତକୁ ଉପାଡ଼ି ନିଜ ମୁଣ୍ଡରେ ବୋହି ଲଙ୍କାକୁ ଆଣିବାରୁ ଲକ୍ଷ୍ମଣଙ୍କର ପ୍ରାଣରକ୍ଷା ହେଲା । ଏ ରାବଣଙ୍କ ରାକ୍ଷସ ସେନା ସଙ୍ଗେ ଖୁବ୍ ବୀରତା ସହକାରେ ୟୁଦ୍ଧ କରି ଥିଲେ ରାମଚନ୍ଦ୍ର ଦେହ ତ୍ୟାଗ କରିବା ସମଯରେ ଏହାଙ୍କୁ ଅମରବର ଦେଇଥିଲେ । କଥିତ ଅଛି ଯେ, ଲଙ୍କା ପୋଡ଼ିବା ପରେ ହନୁମାନ୍ ନିଜ ଲାଙ୍ଗୁଡ଼ରେ ଜଳୁଥିବା ନିଆଁକୁ ହାତରେ ଓ ଗୋଡ଼ରେ ମଳି ଲିଭାଇ ଦେଇ ସେହି କରତଳକୁ ମୁଁହରେ ବୋଳି ଦେବାରୁ ତାଙ୍କ ମୁହଁ କଳା ପଡ଼ିଗଲା ଓ ତଦବଧି ତାଙ୍କ ବଂଶଧରମାନେ (ହନୁମାଙ୍କଡ଼) ମୁହଁପୋଡ଼ା ବାନ୍ଦର ହେଲେ । ଦ୍ୱାପର ଯୁଗରେ ଭୀମଙ୍କ ସଙ୍ଗେ ଗନ୍ଧମାର୍ଦ୍ଦନ ପର୍ବତରେ ଏହାଙ୍କର ଭେଟ ହୋଇଥିଲା । ହିନ୍ଦୁମାନେ ଏହାଙ୍କୁ 'ମହାବୀର' ଠାକୁର ରୁପରେ ପୁଜା କରନ୍ତି ।