ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ମହାବିସ୍ଫୋଟ ସିଦ୍ଧାନ୍ତ ବା ବିଗ୍ ବେଂଗ୍ ସିଦ୍ଧାନ୍ତ (ଈଂରାଜୀରେ Big Bang Theory) ବ୍ରହ୍ମାଣ୍ଡର ସୃଷ୍ଟି ଓ ଗଠନ ସମ୍ପର୍କିତ ବୈଜ୍ଞାନିକ ମଡେଲ୍ ଦର୍ଶାଉଥିବା ସିଦ୍ଧାନ୍ତ । ବହୁ ପୁରାତନ କାଳରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରହ୍ମାଣ୍ଡର ବିବର୍ତ୍ତନ ଏହି ମଡେଲ୍ ବା ସିଦ୍ଧାନ୍ତରେ ଦର୍ଶିତ । ଏକ ଉତ୍ତପ୍ତ ଓ ଘନ ଅବସ୍ଥାରୁ କିପରି ବ୍ରହ୍ମାଣ୍ଡର ପ୍ରସାରଣ ଘଟିଲା, ହବ୍ୱଲ୍ଙ୍କ ନିୟମ, ଆଲୋକ କଣିକା, ବ୍ରହ୍ମାଣ୍ଡର ଗଠନ ଇତ୍ୟାଦି ବିଷୟରେ ମହାବିସ୍ଫୋଟ ସିଦ୍ଧାନ୍ତ ସମ୍ୟକ୍ ଧାରଣା ଦେଇଥାଏ । ଅତ୍ୟନ୍ତ ଘନ କ୍ଷେତ୍ରରେ ପଦାର୍ଥ ବିଜ୍ଞାନର ସମସ୍ତ ନିୟମ ମହାକର୍ଷଣୀୟ ଏକକତ୍ୱ (gravitational singularity) ପ୍ରାପ୍ତ କରନ୍ତି ଯାହା ମହାବିସ୍ଫୋଟ ଘଟିଥିବା ଅବସ୍ଥା ଆଡ଼କୁ ଇଙ୍ଗିତ କରିଥାଏ । ଏକକତ୍ୱରୁ ବ୍ରହ୍ମାଣ୍ଡ ସୃଷ୍ଟି ହେଲା ନା ବର୍ତ୍ତମାନ ସମୟରେ ଏହି ମହାଜାଗତିକ ପ୍ରକ୍ରିୟା ବୁଝିବାକୁ ଆମ ପାଖରେ ଯଥେଷ୍ଟ ଜ୍ଞାନ ନାହିଁ – ତାହା ପଦାର୍ଥ ବିଜ୍ଞାନୀମାନଙ୍କୁ ମଧ୍ୟ ଅଜଣା । ବର୍ତ୍ତମାନ ବ୍ରହ୍ମାଣ୍ଡର ପ୍ରସାରଣ ହାରରୁ ମହାବିସ୍ଫୋଟ ପ୍ରାୟ ୧୩୮୦ କୋଟି ବର୍ଷ ପୂର୍ବେ ହୋଇଥିବା ଅନୁମାନ କରାଯାଏ । ତେଣୁ ଆମ ବ୍ରହ୍ମାଣ୍ଡର ବୟସ ମଧ୍ୟ ୧୩୮୦ କୋଟି ବର୍ଷ ବୋଲି କୁହାଯାଏ । ପ୍ରାରମ୍ଭିକ ବିସ୍ଫୋରଣ ପରେ ବ୍ରହ୍ମାଣ୍ଡ ଶୀତଳ ହେବାକୁ ଲାଗିଲା ଏବଂ ପ୍ରଥମେ ଅବପରମାଣବିକ କଣିକା ଓ ପରେ ଅଣୁ-ପରମାଣୁ ଇତ୍ୟାଦିର ଗଠନ ସମ୍ଭବପର ହୋଇପାରିଲା । ଏପରି ବିଭିନ୍ନ ମୌଳିକ ଉପାଦାନର କଣିକାମାନ ମହାକର୍ଷଣୀୟ ପ୍ରଭାବରେ ଆସି ନକ୍ଷତ୍ର ଏବଂ ଆକାଶଗଙ୍ଗା ଆଦି ଗଠିତ ହେଲା ଯାହା ଆଜି ପର୍ଯ୍ୟନ୍ତ ଆମେ ଦେଖି ପାରୁଛେ । ପ୍ରଥମେ ୧୯୨୭ ମସିହାରେ ଜର୍ଜ୍ ଲେମୈଟର୍ (Georges Lemaître) ନାମକ ଜଣେ ପାଦ୍ରୀ କହିଥିଲେ ଯେ ଅତୀତରେ ଖୋଜିଲେ ବର୍ତ୍ତମାନ ସମୟରେ ପ୍ରସାରଣ ହେଉଥିବା ବ୍ରହ୍ମାଣ୍ଡର ଉତ୍ସ ଏକକତ୍ୱ ଥିଲା ବୋଲି ଜଣା ପଡ଼ିବ ଏବଂ ସେବେଠାରୁ ବୈଜ୍ଞାନିକମାନେ ତାଙ୍କର ଏହି ଉକ୍ତିକୁ ନିଜ ଗବେଷଣାର ଆଧାର ଭୂମି ନେଇ କାମ ଆରମ୍ଭ କରିଥିଲେ । ତେବେ ଏହି ତତ୍ତ୍ୱ ଓ ସ୍ଥିତାବସ୍ଥା ସିଦ୍ଧାନ୍ତ (Steady State Theory) ସମ୍ପର୍କରେ ବୈଜ୍ଞାନିକମାନଙ୍କ ମତ ବିଭାଜିତ ଥିଲା । କାରଣ କିଛି ବୈଜ୍ଞାନିକ ମହାବିସ୍ଫୋଟ ଓ ଅନ୍ୟ କିଛି ସ୍ଥିତାବସ୍ଥା ତତ୍ତ୍ୱର ସମର୍ଥନ କରୁଥିଲେ । ତେବେ ମହାବିସ୍ଫୋଟର ଅନେକ ବୈଜ୍ଞାନିକ ପ୍ରମାଣ ମିଳିବା ପରେ ବର୍ତ୍ତମାନ ଏହି ସିଦ୍ଧାନ୍ତ ସମସ୍ତଙ୍କଦ୍ୱାରା ଗୃହୀତ ହୋଇଅଛି । ୧୯୨୯ ମସିହାରେ ମହାଜାଗତିକ ଲୋହିତ ବିସ୍ଥାପନ ପରୀକ୍ଷଣରୁ ଏଡ୍ୱିନ୍ ହବ୍ୱଲ୍ ନିରୂପଣ କରି କହିଲେ ଯେ ଆକାଶଗଙ୍ଗାମାନେ କ୍ରମଶଃ ପରସ୍ପରଠାରୁ ଦୂରକୁ ଯାଉଛନ୍ତି ଓ ବ୍ରହ୍ମାଣ୍ତ କ୍ରମଶଃ ପ୍ରସାରିତ ହେଉଥିବା ଯୁକ୍ତି ପାଇଁ ଏହା ପ୍ରମାଣ ଯୋଗାଇଲା । ମହାବିସ୍ଫୋଟ ସିଦ୍ଧାନ୍ତ ଅନୁଯାୟୀ ବ୍ରହ୍ମାଣ୍ଡର ସୃଷ୍ଟି ବେଳକୁ ପୃଷ୍ଠରେ ବିକିରଣ ରହିଥିଲା; ତେଣୁ ୧୯୬୪ ମସିହାରେ ଖଗୋଳୀୟ ସୂକ୍ଷ୍ମତରଙ୍ଗ ପୃଷ୍ଠ ବିକିରଣ (cosmic microwave background radiation) ଆବିଷ୍କୃତ ହେବା ପରେ ମହାବିସ୍ଫୋଟ ମଡେଲ୍ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଲା । ବର୍ତ୍ତମାନ ସମୟରେ ଦେଖାଯାଇଥିବା ସୁପର୍ନୋଭା ଲୋହିତ ବିସ୍ଥାପନରୁ ଏହି ପ୍ରସାରଣ କ୍ରମେ ତ୍ୱରାନ୍ୱିତ ହୋଇ ଚାଲିଛି ଓ ଏଥିରେ କୃଷ୍ଣ ଶକ୍ତି (dark energy)ର ଭୂମିକା ରହିଛି ବୋଲି ଅନୁମାନ କରାଯାଏ । ପଦାର୍ଥ ବିଜ୍ଞାନର ବିଭିନ୍ନ ନିୟମର ପ୍ରୟୋଗ କରି ବ୍ରହ୍ମାଣ୍ଡର ସୃଷ୍ଟି ତଥା ଅତୀତର ବିଭିନ୍ନ ସମୟର ଅବସ୍ଥା (ଘନତା, ତାପମାତ୍ରା,..
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ | ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଲକ୍ଷ୍ମଣ ନାୟକ (୨୨ ନଭେମ୍ବର ୧୮୯୯ - ୨୯ ମାର୍ଚ୍ଚ ୧୯୪୩) ଓଡ଼ିଶାର ଜଣେ ଅଗ୍ରଣି ସ୍ୱାଧୀନତା ସଂଗ୍ରାମୀ । ଆଦିବାସୀ ପାଇଁ ସେ ମାଲକାନାଗିରିର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ । ଲକ୍ଷ୍ମଣ ନାୟକ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ କୋରାପୁଟ ଜିଲ୍ଲା (ବର୍ତ୍ତମାନର ମାଲକାନଗିରି ଜିଲ୍ଲା)ର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଲକ୍ଷ୍ମଣ ଥିଲେ ଦ୍ୱିତୀୟ ସନ୍ତାନ, ବଡଭାଇ ସନିଆ ଓ ସାନଭାଇ ଧନ ଭୁମିୟା । ତାଙ୍କ ପିତା ପଦଲମ ନାୟକ ଜାତିରେ ବୀର ଭୁମିୟା ଓ ଚାଷ ଥିଲା ଜୀବିକା । ଗ୍ରାମବାସୀଙ୍କ ମନୋନୟନ ଅନୁଯାୟୀ ତାଙ୍କୁ କୋରାପୁଟ ରାଜା ତୃତୀୟ ବିକ୍ରମଦେବ (ରାଜଗାଦୀ ୧୮୮୯ରୁ ୧୯୨୦ ) ମୁସ୍ତାଦାର ବା ନାୟକ ପଦର ନିୟୁକ୍ତ କରିଥିଲେ । ଦାୟିତ୍ୱ ଥିଲା ତେନ୍ତୁଲିଗୁମା,ବେଜୁଣୀଗୁଡା,ଲେକିଗୁଡା, ଅଅଁଳାଗୁଡାର ଖଜଣା ଆଦାୟ ।
ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର
୧୯୭୨ ମସିହାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିବା ଆଇ ଏସ ବି ଏନ ହେଉଛି ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବର । ଏହା ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ୧୩ଅଙ୍କ ବିଶିଷ୍ଟ ଏକ ଏକକ ପରିଚୟ ସଂଖ୍ୟା (ୟୁନିକ ଆଇଡେଣ୍ଟିଫିକେସନ ନମ୍ବର) । ଏହାର ୧୩ଟି ଅଙ୍କ ବାରକୋଡ଼ ଆକାରରେ ପୁସ୍ତକଗୁଡ଼ିକର ପଛଭାଗରେ ମୁଦ୍ରିତ ହୋଇଥାଏ । ଏହି ସଂଖ୍ୟାଟି ମେସିନ ପଢ଼ିପାରିଲା ଭଳି ଏକ ସଂଖ୍ୟା ଯଦ୍ୱାରା ଯେକୌଣସି ଅନ୍ତର୍ଜାତୀୟ ସ୍ତରର ପୁସ୍ତକକୁ ନିର୍ଭୁଲ ଭାବରେ ଚିହ୍ନିତ କରାଯାଇପାରିବ ।ଆଇଏସବିଏନ ନମ୍ବରର ୫ଟି ଭାଗ ଥାଏ ମୁଦ୍ରଣ ସୁଚକାଙ୍କ, ଗ୍ରୁପ ଆଇଡେଣ୍ଟିଫାୟାର, ପ୍ରକାଶକ କୋଡ଼, ଆଇଟମ ନମ୍ବର ଓ ଚେକ ଡିଜିଟ । ଭାରତରେ ଏହା ୧୯୮୫ ମସିହାରୁ ବ୍ୟବହାର କରାଗଲା । ଏହା ପୁସ୍ତକ ଗୁଡ଼ିକର ପ୍ରକାଶନ, ମୁଦ୍ରଣ ଏବଂ ବଣ୍ଟନରେ ବିଶେଷ ଭାବରେ ସହାୟକ ହୋଇଥାଏ ।
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ମାଣବସା ଗୁରୁବାର ଓଷା (ମାଣବସା ଓ ମାଣ ଓଷା ନାମରେ ମଧ୍ୟ ଜଣା) ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।
ମାୟାଧର ମାନସିଂହ (୧୯୦୫-୧୯୭୩) ପୁରୀ ଜିଲ୍ଲାର ନନ୍ଦଳାରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ରେଭେନ୍ସା ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ ସାରିବାପରେ, ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର (ଏମ.ଏ.) ପାସ କରିଥିଲେ । ସେ ବିଲାତର ଡ଼ରହାମ ବିଶ୍ୱବିଦ୍ୟାଳୟରେ 'ସେକ୍ସପିୟର ଓ କାଳିଦାସ'ଙ୍କ ସାହିତ୍ୟରେ ତୁଳନାତ୍ମକ ପ୍ରବନ୍ଧ ପ୍ରସ୍ତୁତ କରି ସେ ପି.ଏଚ.ଡି.
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଅଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀ ର ଲେଖକ ।ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।
ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ଫିନାଇଲେଫ୍ରିନ (ଇଂରାଜୀ ଭାଷାରେ Phenylephrine) ଏକ ଔଷଧ ଯାହା ରକ୍ତ ଚାପ ବୃଦ୍ଧି କରିବାକୁ, ମିଡ୍ରିଆସିସ (dilate the pupil), ଡିକଞ୍ଜେସ୍ଟାଣ୍ଟ (decongestant) ନିମନ୍ତେ ଓ ଅର୍ଶ କମ୍ କରିବାକୁ ଦିଆଯାଏ । ଡିକଞ୍ଜେସ୍ଟାଣ୍ଟ ଭାବରେ ମାର୍କେଟରେ ମିଳିଲେ ମଧ୍ୟ ପାଟିରେ ଦିଆଗଲେ, ଆଲର୍ଜିକ ନାକ ପ୍ରଦାହ ରୋଗ ନିମନ୍ତେ ଏହାର ଉପକାର ସ୍ପଷ୍ଟ ହୋଇନାହିଁ । ଏହା ପାଟିରେ, ଶିରା ଓ ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ବା ଚର୍ମରେ ଲଗାଯାଏ ।ଫିନାଇଲେଫ୍ରିନ ପାଟିରେ ନେବାପରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡବିନ୍ଧା ଓ ଉଦ୍ବେଗ ପ୍ରକାଶ ପାଇପାରେ । ଅର୍ଶ ଚିକିତ୍ସାରେ ଏହା ସହ୍ୟ କରିହୁଏ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଧୀର ହୃଦ୍ଗତି , ଅନ୍ତନଳୀ ସ୍ୱଳ୍ପ ରକ୍ତହୀନତା, ଆଞ୍ଜାଇନା, ବୃକ୍କ ଫେଲ (kidney failure) ଓ ଇଞ୍ଜେକସନ ନେବା ସ୍ଥାନରେ ତନ୍ତୁ ମୃତ୍ୟୁ (tissue death) ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହି ଔଷଧର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ । ଫିନାଇଲେଫ୍ରିନ ଏକ ସିଲେକ୍ଟିଭ ଆଡ୍ରେନର୍ଜିକ ରିସେପ୍ଟର ସକ୍ରିୟକାରୀ (selective α1-adrenergic receptor); ତେଣୁ ଧମନୀ (arteries) ଓ ଶିରା (veins) ସଙ୍କୁଚିତ ହୋଇଯାଏ ।ସନ ୧୯୨୭ରେ ଫିନାଇଲେଫ୍ରିନ ପେଟେଣ୍ଟ ହେବାପରେ ସନ ୧୯୩୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଭାଏଲ ପିଛା ପ୍ରାୟ ୪ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଏହାର ଅପବ୍ୟବହାର ଅତି ସାଧାରଣ ।
ଉଇକିପିଡ଼ିଆ (i /ˌwɪkɪˈpiːdi.ə/ କିମ୍ବା i /ˌwɪkiˈpiːdi.ə/ WIK-i-PEE-dee-ə କିମ୍ବା i /uikipiɽiaː/) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୧୮ ମିଲିଅନ ଲେଖା (ଯେଉଁଥିରୁ କେବଳ ୩.୬ ମିଲିଅନ ଇଂରାଜୀ ଉଇକିପିଡ଼ିଆ ଅଛି) ମିଳିତ ଭାବରେ ବିଶ୍ୱର କର୍ମୀମାନଙ୍କ ଦେଇ ଲେଖାଯାଇଛି ।। ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ଇଣ୍ଟରନେଟରେ ସବୁଠୁ ବେଶି ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।, ଆଲେକ୍ସା କ୍ରମ ଅନୁସାରେ ଏହା ବିଶ୍ୱର ୭ମ ସ୍ଥାନରେ ଅଛି ଓ ପାଖାପାଖି ୩୬୫ ମିଲିଅନ ପାଠକ ଏହାକୁ ନିୟମିତ ପଢିଥାନ୍ତି ।r ଇଣ୍ଟର୍ନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବକ ମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି | "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ ଅଟେ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆ ମାନଙ୍କ ଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା । ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟର୍ନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ଅଟେ । ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ ଅଟେ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକ ମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ । ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ଯୂବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ଦ ୱାସିଙ୍ଗଟନ ପୋଷ୍ଟ ଇଣ୍ଟର୍ନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ସେ ସାରଳାଙ୍କଠାରୁ ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋତିତ ରାଣୀଗୁମ୍ଫା,ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀନୃତ୍ୟର ପ୍ରାଚୀନତା ପ୍ରତିପାଦନ କରେ । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ କଳିଙ୍ଗ ନୃତ୍ୟ ଶୈଳୀ ଓଡ଼ିଶୀ ନୃତ୍ୟର ସ୍ୱାତନ୍ତ୍ରତା ପ୍ରମାଣିତ କରେ । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର,ବୈତାଳ ମନ୍ଦିର,ଶିଶିରେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର,ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର,ଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କଦ୍ୱାରା ପରିବେଷିତ ହୋଇ ଆସୁଥିଲା । ଆମଦେଶ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମିତ କରାଗଲା ଓ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏହି ଉଦ୍ୟମରେ ସାର୍ଥକତା ଲାଭକରିଥିବା ବ୍ୟକ୍ତିମାନକ ମଧ୍ୟରୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ନୃତ୍ୟଗୁରୁ ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ର ଅନ୍ୟତମ ।
ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ ଅଟେ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ, ଜନସଂଖ୍ୟା ଅନୁସାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଅଟେ । ଏହା ବିଶ୍ୱର ବୃହତ୍ତମ ଲୋକତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ ୨୯ ଗୋଟି ରାଜ୍ୟ ଓ ୭ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ବର୍ମା, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଅତି ଗୁରୁତର ଘୂର୍ଣ୍ଣିବାତ୍ୟା ଫଣୀ ( /ˈfɒniː/; ବଙ୍ଗଳା: ফণী) ୨୦୧୯ ମସିହା ମଇ ମାସ ପ୍ରାରମ୍ଭରେ ଆସିଥିବା ଏକ ଶକ୍ତିଶାଳୀ କ୍ରାନ୍ତୀୟ ଘୁର୍ଣ୍ଣିବାତ୍ୟା । ଏହାକୁ ଫୋନୀ, ଫନି ଏବଂ ଫନୀ ନାମରେ ମଧ୍ୟ ଉଲ୍ଲେଖ କରାଯାଇଥାଏ । ଏହା ପୂର୍ବ ଭାରତରେ ପୁରୀଠାରେ ମଇ ମାସ ୩ ତାରିଖ ସକାଳରେ ଲ୍ୟାଣ୍ଡଫଲ କରିଥିଲା । ୨୦୧୯ ଉତ୍ତର ଭାରତୀୟ ମହାସାଗର ବାତ୍ୟା ଋତୁର ଫଣୀ ପଞ୍ଚମ ଗୁରୁତର ଝଡ଼ବାତ୍ୟା ଏବଂ ଚତୁର୍ଥ ନାମିତ ବାତ୍ୟା ଥିଲା । ଫଣୀ ପ୍ରଭାବରେ ଓଡ଼ିଶାର ପୁରୀ ଜିଲ୍ଲା ଏବଂ ଭୁବନେଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲାବେଳେ ପାଖାପାଖି ଦେଢ଼ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ଓଡ଼ିଶାର ପ୍ରାୟ ୧୩ଟି ଜିଲ୍ଲାରେ ଏହି ବାତ୍ୟାଦ୍ୱାରା ପ୍ରଭାବିତ ହୋଇଥିଲା । ବଙ୍ଗଳାଦେଶରେ ଫଣୀ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା । ଓଡ଼ିଶାରେ ୪୧ ଜଣ ବ୍ୟକ୍ତିଙ୍କ ସମେତ ୩୪ ଲକ୍ଷ ୫୨ ହଜାର ପଶୁପକ୍ଷୀଙ୍କର ମୃତ୍ୟୁ ଘଟିଥିଲା ।
ଗୋବିନ୍ଦୁଡୁ ଅନ୍ଧାରିବଦେଲେ, କୃଷ୍ଣ ବାମସୀଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ୨୦୧୪ ମସିହାର ଭାରତୀୟ ତେଲୁଗୁ ଭାଷାର ଆକ୍ସନ ଡ୍ରାମା ଫିଲ୍ମ ଅଟେ । ପରମେଶ୍ୱର ଆର୍ଟ ପ୍ରଡକ୍ସନ ପାଇଁ ବନ୍ଦଲା ଗଣେଷଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ରାମ ଚରଣ, ଶ୍ରୀକାନ୍ତ, କାଜଲ ଅଗ୍ରୱାଲା ଏବଂ କମଳିନୀ ମୁଖାର୍ଜୀ ମୁଖ୍ୟ ଭୂମୀକାରେ ଅଭିନୟ କରିଛନ୍ତି ଏବଂ ପ୍ରକାଶ ରାଜ, ଜୟସୁଧା ଓ ଆଦର୍ଶ ବାଳକୃଷ୍ଣ ସହାୟକ ଭୂମୀକାରେ ଅଭିନୟ କରିଛନ୍ତି । ଜୁବାନ ଶଙ୍କର ରାଜା ଫିଲ୍ମର ସାଉଣ୍ଡ ଟ୍ରାକ ଓ ସ୍କୋରର ରଚନା କରିଥିଲେ ଓ ସମୀର ରେଡ୍ଡୀ ଛାୟାକାର ଋପେ କାମ କରିଥିଲେ ।
ଲାକ୍ଟୋଜ ଅସହନଶୀଳତା (ଇଂରାଜୀ ଭାଷାରେ Lactose intolerance) ଏକ ବେମାରୀ ଯେଉଁଥିରେ ଏକ ଦୁଗ୍ଧଜାତ ପଦାର୍ଥ (milk products) ଲାକ୍ଟୋଜକୁ (lactose) (ଏକ ପ୍ରକାର ଶର୍କରା) ହଜମ କରିବା ସାମର୍ଥ୍ୟ କମିଯାଇଥାଏ । ଏହି ଅସହନଶୀଳତା ଲୋକ ଅନୁସାରେ ଭିନ୍ନ ଭିନ୍ନ ଲାକ୍ଟୋଜ ପରିମାଣ ଉପରେ ନିର୍ଭର କରେ । ଏହି ବେମାରୀରେ ପେଟ ଯନ୍ତ୍ରଣା, ପେଟ ଫୁଲା (bloating), ତରଳ ଝାଡ଼ା, ବାୟୁ ଓ ଅଇ (nausea) ଇତ୍ୟାଦି ଲକ୍ଷଣ ଦେଖାଯାଏ । କ୍ଷୀର ପିଇବାର ୧/୨ରୁ ଦୁଇ ଘଣ୍ଟା ମଧ୍ୟରେ ଏହି ଲକ୍ଷଣ ପ୍ରକାଶ ପାଏ । ଖାଇବା ବା ପିଇବାର ପରିମାଣ ଉପରେ ଲକ୍ଷଣମାନଙ୍କର ଭୟାବହତା ନିର୍ଭର କରେ । ଏହା ଖାଦ୍ୟନଳୀର (gastrointestinal tract) କୌଣସି କ୍ଷତି ସାଧନ କରେନାହିଁ ।ଏହି ବେମାରୀରେ କ୍ଷୁଦ୍ରାନ୍ତ୍ରରେ ଯଥେଷ୍ଟ ଲାକ୍ଟେଜ ଏନଜାଇମ (enzyme) ନ ଥିବାରୁ ଲାକ୍ଟୋଜରୁ ଗ୍ଲୁକୋଜ (glucose) ଓ ଗାଲାକ୍ଟୋଜ (galactose) ତିଆରି ହୋଇପାରେ ନାହିଁ । ଚାରି ପ୍ରକାର ଲାକ୍ଟୋଜ ଅସହନଶୀଳତା ଦେଖାଯାଏ ଯଥା:- ପ୍ରାଇମେରୀ, ସେକେଣ୍ଡାରୀ, ବିକାଶମୂଳକ ଓ ଜନ୍ମଗତ । ବୟସ୍କ ଲୋକଙ୍କର ଲାକ୍ଟେଜ ପରିମାଣ କମିଯିବାରୁ ପ୍ରାଥମିକ ଲାକ୍ଟୋଜ ଅସହନଶୀଳତା ହୁଏ । ଆଘାତ ବା ଅନ୍ତନଳୀରେ ଆଘାତ ହେଲେ ସେକେଣ୍ଡାରୀ ଲାକ୍ଟୋଜ ଅସହନଶୀଳତା ଯେପରିକି ସଂକ୍ରମଣ, ସିଲିଆକ ଡିଜିଜ (celiac disease), ଇନଫ୍ଲାମେଟରୀ ବାୱେଲ ଡିଜିଜ (inflammatory bowel disease) ଓ ଅନ୍ୟାନ୍ୟ ରୋଗ । ଅସାମୟିକ ଶିଶୁର (premature babies) ଲାକ୍ଟୋଜ ଅସହନଶୀଳତା ହୋଇପାରେ କିନ୍ତୁ କିଛି କାଳ ମଧ୍ୟରେ ଉନ୍ନତି କରେ । ଜନ୍ମଗତ ଲାକ୍ଟୋଜ ଅସହନଶୀଳତା ରୋଗ ଏକ ଜେନେଟିକ ରୋଗ (genetic disorder) ଯାହା କ୍ୱଚିତ ହୁଏ ଓ ଏଥିରେ ଜନ୍ମରୁ ଆଦୌ ଲାକ୍ଟେଜ ତିଆରି ହୁଏନାହିଁ ।ଲାକ୍ଟୋଜ ନ ଥିବା ଖାଦ୍ୟ ଖାଇବା ପରେ ଲକ୍ଷଣ ଉପଶମ ହୋଇଗଲେ ଏହି ରୋଗ ନିର୍ଣ୍ଣୟ ହୋଇଯାଏ । ଅନ୍ୟାନ୍ୟ ସମର୍ଥନକାରୀ ପରୀକ୍ଷା ଯେପରିକି ହାଇଡ୍ରୋଜେନ ବ୍ରେଥ ଟେଷ୍ଟ (hydrogen breath test) ଓ ସ୍ଟୁଲ ଏସିଡିଟି ଟେଷ୍ଟ କରି (stool acidity test) ରୋଗ ନିଧାର୍ଯ୍ୟ କରାଯାଏ । ଅନୁରୂପ ଲକ୍ଷଣ ପ୍ରକାଶ କରୁଥିବା ରୋଗମାନଙ୍କର ନାମ: ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍, ସିଲିଆକ ଡିଜିଜ (celiac disease) ଓ ଇନଫ୍ଲାମେଟରି ବାୱେଲ ଡିଜିଜ । ଦୁଗ୍ଧ ଆଲର୍ଜି ଓ ଲାକ୍ଟୋଜ ଅସହନଶୀଳତା, ଏହି ଦୁଇଟି ଭିନ୍ନ ଭିନ୍ନ ବେମାରୀ । ଖାଦ୍ୟରେ ଲାକ୍ଟୋଜ ଓ ଲାକ୍ଟୋଜ ଅନୁପୂରକ (lactase supplements) ପରିମାଣ କମେଇ ଏହି ବେମାରୀର ଚିକିତ୍ସା କରାଯାଏ । ବିନା ଲକ୍ଷଣରେ ରୋଗୀ ଦିନକୁ ଗୋଟିଏ ଗ୍ଲାସ କ୍ଷୀର ପିଇପାରିବେ, ଏହାଠାରୁ ଅଧିକ କ୍ଷୀର ଖାଦ୍ୟ ସାଥୀରେ ଖାଇପାରିବେ ବା ଦିନଭରି ବାଣ୍ଟିକରି ଖାଇପାରିବେ । ଲାକ୍ଟୋଜ ଅସହନଶୀଳତା ସମ୍ପନ୍ନ ଲୋକଙ୍କ ସଂଖ୍ୟା ଅଜ୍ଞାତ ଅଛି । ବୟସାଧିକ୍ୟରେ ଲାକ୍ଟୋଜ କମୁଥିବା ସଂଖ୍ୟା ଉତ୍ତର ୟୁରୋପରେ ୧୦%ରୁ କମ୍ ଓ ଏସିଆ ତଥା ଆଫ୍ରିକାରେ ପ୍ରାୟ ୯୫% । ଯୁବାବସ୍ଥା ଓ ପିଲାବସ୍ଥାର ଶେଷଭାଗରେ ଏହି ରୋଗ ଆରମ୍ଭ ହୁଏ । ବିଗତ ୧୦,୦୦୦ବର୍ଷରେ କେତେକ ମାନବ ଜନ ସଂଖ୍ୟାରେ ଲାକ୍ଟୋଜ ହଜମକାରୀ ଶକ୍ତି ବିକାଶ ପ୍ରାପ୍ତ ହୋଇଛି ।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା
ଆଞ୍ଚଳିକ ଭାଷା ସାହିତ୍ୟରେ ଉଚ୍ଚକୋଟୀର ସାହିତ୍ୟ ରଚନା ନିମନ୍ତେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
ଏକ ଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟର (DOI) ଏକ ପ୍ରକାରର ପର୍ସିସେଣ୍ଟ ଆଇଡେଣ୍ଟିଫାୟର । ଏହା ନିଆରାଭାବେ ବସ୍ତୁମାନଙ୍କୁ ବାଛିବାରେ ବ୍ୟବହାର କରାଯାଇଥାଏ । DOI ବ୍ୟବସ୍ଥା ମୁଖ୍ୟତଃ ଜର୍ଣ୍ଣାଲ ଭଳି ଇଲେକ୍ଟ୍ରୋନିକ ଡକୁମେଣ୍ଟମାନଙ୍କରେ ବ୍ୟବହୃତ । DOI ବ୍ୟବସ୍ଥା ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଓ ଆନ୍ତର୍ଜାତିକ DOI ଫାଉଣ୍ଡେସନଦ୍ୱାରା ପରିଚାଳିତ ।DOIର ଅର୍ଥ "ଏକ ବସ୍ତୁର ଡିଜିଟାଲ ସୂଚକ" କିନ୍ତୁ "ଏକ ଡିଜିଟାଲ ବସ୍ତୁର ସୂଚକ" । ଏଣୁ DOI "digital object-identifier" ପାଇଁ ବ୍ୟବହୃତ କିନ୍ତୁ "digital-object identifier" ପାଇଁ ନୁହେଁ।
ସମ୍ବିଧାନର ଧାରା ୩୭୦ ଜାମ୍ମୁ-କାଶ୍ମୀର ରାଜ୍ୟକୁ ଏକ ବିଶେଷ ରାଜ୍ୟର ମାନ୍ୟତା ଦେଇଥିଲା । ସମ୍ବିଧାନର ଭାଗ ୨୧ "ବିଶେଷ ଓ ସମାୟିକ ପ୍ରାବଧାନ" ଅନ୍ତର୍ଭୁକ୍ତ ଧାରା ୩୭୦ଦ୍ୱାରା ଜାମ୍ମୁ କାଶ୍ମୀର ରାଜ୍ୟକୁ ବିଶେଷ ରାଜ୍ୟର କ୍ଷମତା ମିଳିଥିଲା । ଏହା ଯୋଗୁଁ ଜାମ୍ମୁ-କାଶ୍ମୀର ରାଜ୍ୟର ନିଜସ୍ୱ ସମ୍ବିଧାନ ତଥା ଜାତୀୟ ପତାକା ରହିଥିଲା । ଏହି ଧାରା ଜାମ୍ମୁ-କାଶ୍ମୀରର ସମ୍ବିଧାନ ପ୍ରଣୟନ ସଭାକୁ ଭାରତୀୟ ସମ୍ବିଧାନର ଯେ କୌଣସି ପ୍ରାବଧାନ ଜାମ୍ମୁ-କାଶ୍ମୀର ପ୍ରତି ପ୍ରଯୁଜ୍ୟ କରିବା କିମ୍ବା ଧାରା ୩୭୦କୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବାର କ୍ଷମତା ଦେଇଥିଲା । କିନ୍ତୁ ଜାମ୍ମୁ-କାଶ୍ମୀର ସମ୍ବିଧାନ ପ୍ରଣୟନ ସଭା ଏହି ଧାରାକୁ ନିଷିଦ୍ଧ କରିବା ପୂର୍ବରୁ ହିଁ ଭଙ୍ଗ କରିଦିଆଯାଇଥିଲା । ଫଳରେ ଏହି ଧାରା ଭାରତୀୟ ସମ୍ବିଧାନ ଏକ ସ୍ଥାୟୀ ଅଙ୍ଗ ରୂପେ ଗୃହୀତ ହୋଇଥିଲା । ଏହି ଧାରାକୁ ୨୦୧୯ ଅଗଷ୍ଟ ୫ ତାରିଖରୁ ନିଷିଦ୍ଧ କରିଦିଆଯାଇଛି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅଗଷ୍ଟ ୫ ଦିନ ଏକ ଆଦେଶନାମା ଜାରୀ କରି ପୂର୍ବତନ ସମସ୍ତ ଆଦେଶକୁ ନାକଚ କରିବା ସହ ଭାରତୀୟ ସମ୍ବିଧାନର ସମସ୍ତ ନିୟମ ଜାମ୍ମୁ-କାଶ୍ମୀର ପ୍ରତି ପ୍ରଯୁଜ୍ୟ ହେବ ବୋଲି ଘୋଷଣା କରିଥିଲେ । ସଂସଦର ଅନୁମୋଦନ ପରେ ସେ ଧାରା ୩୭୦ର ସମସ୍ତ ନିୟମ ଅଚଳ ହେବାର ଘୋଷଣା କରିଥିଲେ ।
ବୁଦ୍ଧ (ପାଳି: ସିଦ୍ଧାର୍ଥ ଗୌତମ ବୁଦ୍ଧ) ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ ଥିଲେ । ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ (P. sammāsambuddha, S. samyaksaṃbuddha) ଭାବରେ ଜଣା, "ବୁଧ/ବୁଦ୍ଧ" ଶବ୍ଦର ଅର୍ଥ ପାଳି ଭାଷାରେ "ଉଠିଥିବା" ବା "ଆଲୋକିତ" ବୁଝାଇଥାଏ ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା । ଅଶୋକଙ୍କ ଶିଳାଲେଖ, ଜଉଗଡ଼ର ଶିଳାଲେଖ ଓ ସେକାଳରେ ଓଡ଼ିଶାରେ ପ୍ରଚଳିତ ଭାଷା ପାଳି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ ।
ସେବାସେଅସ ଗ୍ରନ୍ଥି (ଇଂରାଜୀ ଭାଷାରେ Sebaceous glands) ଏକ କ୍ଷୁଦ୍ର ଅଣୁବୀକ୍ଷଣୀକ ଏକ୍ସୋକ୍ରାଇନ ଗ୍ରନ୍ଥି ଯାହା ଏକ ତେଲିଆ ବା ମହମ ଭଳି ପଦାର୍ଥ କ୍ଷରଣ କରନ୍ତି ଯାହାର ନାମ ସେବମ । ଏହି ସେବମ ସ୍ତନ୍ୟପାୟୀଙ୍କର ଚର୍ମ ଓ ରୁମକୁ ତୈଳାକ୍ତ କରେ ଓ ଜଳରୋଧ କରେ । ପାଦ ତଳିପା ଓ ପାପୁଲି ବ୍ୟତୀତ ସାରା ଦେହରେ ସେବାସେଅସ ଗ୍ରନ୍ଥି ଥାଏ । ମାନବ ଦେହରେ ସବୁଠାରୁ ଅଧିକ ସେବାସେଅସ ଗ୍ରନ୍ଥି ମୁଖମଣ୍ଡଲ ଓ ସ୍କାଲ୍ପରେ ଥାଏ । ସେବାସେଅସ ଗ୍ରନ୍ଥିର କ୍ଷରଣକୁ ହୋଲୋକ୍ରାଇନ (holocrine) କୁହାଯାଏ । ଆଖପତାରେ ମିବୋମିଆନ ବା ଟାର୍ସାଲ ଗ୍ରନ୍ତି ମଧ୍ୟ ଏକ ପ୍ରକାର ସେବାସେଅସ ଗ୍ରନ୍ଥି ଯେଉଁଥିରୁ ଏକ ବିଶେଷ ଧରଣର ସେବନ ଲୁହକୁ ଝରିଯାଏ । ମହିଳାଙ୍କର ସ୍ତନ ଚାରିପାଖରେ ଥିବା ଏରିଓଲାର ଗ୍ରନ୍ତି (Areolar glands) ମଧ୍ୟ ଏକ ପ୍ରକାର ସେବାସେଅସ ଗ୍ରନ୍ଥି ।
କିରଣ ଲେଖା ମହାନ୍ତି (୧ ଜାନୁଆରୀ ୧୯୨୬ - ୧୧ ମଇ ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ୧୯୭୭ ମସିହାରେ ଓଡ଼ିଶାର ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାର ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । କିରଣ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହି ସମୟରେ ସେ ରମା ଦେବୀ ଏବଂ ମାଳତୀ ଦେବୀଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ ସହ ବନ୍ଦୀ ହୋଇ କାରାଗାରରେ ରହିଥିଲେ । ୧୯୪୫ ମସିହାରେ ମାଳତୀ ଦେବୀଙ୍କ ତତ୍ତ୍ୱାବଧାନରେ ସେ ତାଙ୍କର ଭଉଣୀ ଉତ୍ତରାଙ୍କ ସହ ମିଶି ଅନୁଗୋଳଠାରେ ବାଜି ରାଉତ ଛାତ୍ରାବାସ ନାମରେ ଏକ ଛାତ୍ରାବାସ ଖୋଲିଥିଲେ । ଏହି ଛାତ୍ରାବାସ ଆଦିବାସୀ ବାଳକ ବାଳିକାଙ୍କ ପାଇଁ ନିର୍ମାଣ କରାଯାଇଥିଲା । ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇ ସ୍ୱାଧୀନତା ପାଇବା ପରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ, ମାତ୍ର ପରବର୍ତ୍ତୀ ସମୟରେ ସେ ୧୯୫୭ ମସିହାରେ କଂଗ୍ରେସ ଦଳ ପରିତ୍ୟାଗ କରିଥିଲେ ଏବଂ ସର୍ବୋଦୟ ଆଇଡୋଲୋଜି ଅଧିନରେ କାମ କରିବା ଆରମ୍ଭ କରିଥିଲେ । ୧୯୭୫ ମସିହାରେ ଭାରତରେ ସୃଷ୍ଟି ହୋଇଥିବା ଜରୁରୀ କାଳୀନ ପରିସ୍ଥିତି ସମୟରେ ସେ ଜନତା ଦଳରେ ଯୋଗ ଦେଇଥିଲେ ।
ରାମ ଜନ୍ମଭୂମି ବିବାଦ ବା ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦ ହେଉଛି ଭାରତର ଏକ ରାଜନୈତିକ, ଐତିହାସିକ ତଥା ସାମାଜିକ-ଧାର୍ମିକ ବିବାଦ । ଏହି ବିବାଦର ମୂଳ କାରଣ ହେଉଛି ଉତ୍ତରପ୍ରଦେଶର ଅଯୋଧ୍ୟାରେ ସ୍ଥିତ ୨ ଏକର ୭୭ ଡେସିମିଲ ଜମି ଉପରେ ମାଲିକାନାକୁ ନେଇ ବିବାଦ । ଏହି ବିବାଦିତ ଜମିକୁ ନେଇଁ ହିନ୍ଦୁ, ମୁସଲିମ ଏବଂ ନିର୍ମୋହି ଆଖାଡା ତରଫରୁ ବିବାଦ ଦେଖାଦେଇଥିଲା । ବିବାଦିତ ସ୍ଥଳକୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଏବଂ ରାମ ମନ୍ଦିରକୁ ଭାଙ୍ଗି ମସଜିଦ କରାଯାଇଛି ବୋଲି ହିନ୍ଦୁମାନେ ଦାବୀ କରିବା ସହ ତଥା କଥିତ ଭଗ୍ନ ରାମ ମନ୍ଦିର ସ୍ଥଳରେ ଏକ ନୂତନ ରାମ ମନ୍ଦିର ଗଢିବାକୁ ଅଡିବସିଥିଲା ବେଳେ ବର୍ତ୍ତମାନ ସେଠାରେ ଏକ ମସଜିଦ ଥିବାରୁ ମୁସଲମାନ ଗୋଷ୍ଠୀ ଏହି ନୂତନ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ ।
ମେରୀ ଓଲସ୍ଟୋନକ୍ରାଫ୍ଟ (ଇଂରାଜୀ ଭାଷାରେ Mary Wollstonecraft ( /ˈwʊlstənkræft/, also UK /ʔkrɑːft/; ୨୭ ଏପ୍ରିଲ ୧୭୫୯ – ୧୦ ସେପ୍ଟେମ୍ବର ୧୭୯୭) ଜଣେ ଇଂରାଜୀ ଭାଷାର ଲେଖକ, ଦାର୍ଶନିକ ଓ ମହିଳା ଅଧିକାରର (women's rights) ପ୍ରବକ୍ତା ଥିଲେ । ବିଂଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ମେରୀ ଓଲସ୍ଟୋନକ୍ରାଫ୍ଟଙ୍କ ଜୀବନରେ ଅନେକ ବ୍ୟକ୍ତିଗତ ଅଣପରମ୍ପରାଗତ ସମ୍ପର୍କ ଆସିଥିବା ଯୋଗୁ ସେ ତାଙ୍କର ଲେଖା ଅପେକ୍ଷା ଲୋକଙ୍କ ଧ୍ୟାନ ଅଧିକ ପାଉଥିଲେ । ଆଜି ତାଙ୍କୁ ନାରୀବାଦୀ ଦାର୍ଶନିକ ଭାବରେ ସମ୍ବର୍ଦ୍ଧନା ମିଳୁଛି ଓ ଅନ୍ୟାନ୍ୟ ନାରୀବାଦୀମାନେ ନିଜ ଉପରେ ତାଙ୍କର ଜୀବନ ଓ କାମର ପ୍ରଭାବ ପଡ଼ୁଥିବାର ସ୍ୱୀକାର କରୁଛନ୍ତି ।
ବାୟୁ (ପ୍ରଦୂଷଣ ନିବାରଣ ଓ ନିରାକରଣ) ଅଧିନିୟମ, ୧୯୮୧
ବାୟୁ (ପ୍ରଦୂଷଣ ନିବାରଣ ଓ ନିରାକରଣ) ଅଧିନିୟମ, ୧୯୮୧ ଭାରତରେ ୨୯ ମାର୍ଚ୍ଚ ୧୯୮୧ ରୁ କାର୍ଯ୍ୟକାରୀ ହୋଇଛି । ଶିଳ୍ପାଯନ ତଥା ଜଙ୍ଗଲ କ୍ଷୟରୁ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣର ନିବାରଣ ତଥା ନିରାକରଣ ନିମିତ୍ତ ଏହି ଅଧିନିୟମ ପ୍ରଣୀତ ହୋଇଛି ।ନିକଟରେ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ ବାୟୁ ପ୍ରଦୂଷଣ ରୋକିବା ଦିଗରେ ବାୟୁ (ପ୍ରଦୂଷଣ ନିବାରଣ ଓ ନିରାକରଣ) ଅଧିନିୟମ, ୧୯୮୧ର ସଂଶୋଧନ ପୂର୍ବକ ଏହି ଉଦ୍ଦେଶ୍ୟରେ ପଞ୍ଚବର୍ଷୀୟ ଯୋଜନା ପ୍ରସ୍ତୁତ କରିବା ପାଇଁ ପ୍ରଧାନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ମାଳତୀ ଚୌଧୁରୀ ୨୬ ଜୁଲାଇ ୧୯୦୪ରେ ଏକ ବ୍ରାହ୍ମ ପରିବାରରେ ବାପା ବାରିଷ୍ଟର କୁମୁଦ ନାଥ ସେନ ଓ ମାଆ ସ୍ନେହଲତା ସେନଙ୍କ ଠାରୁ ଜନ୍ମ ନେଇଥିଲେ । ୨.୫ ବର୍ଷ ବୟସରେ ବାପାଙ୍କୁ ହରାଇ ସେ ମାଆଙ୍କ ଦେଇ ପରିପାଳିତ ହୋଇଥିଲେ । ବିଶ୍ୱକବି ରବିନ୍ଦ୍ରନାଥ ତାଙ୍କୁ ସ୍ନେହରେ ମିନୁ ଓ ଗାନ୍ଧୀଜୀ ତାଙ୍କୁ ତୁଫାନୀ ନାମରେ ଡାକୁଥିଲା ବେଳେ ସେ ଓଡ଼ିଶାବାସୀଙ୍କ ଆଦରଣୀୟ ନୂମା (ନୂଆ ମା) ଭାବେ ପରିଚିତ ଥିଲେ ।
ବାଲିଯାତ୍ରା (ଡ଼ଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ମଧ୍ୟ ଜଣା)ଏକ ଓଡ଼ିଆ ପର୍ବ । ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରା । ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା । ଆଧୁନିକ ଓଡ଼ିଶା ଉପରୋକ୍ତ ରାଷ୍ଟ୍ରଗୁଡିକର ପରିବର୍ତ୍ତିତ ରୂପ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ । ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ ।ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ |
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
କିଙ୍ଗ କଙ୍ଗ ୨୦୦୫ ମସିହାର ଏକ ମହାକାବ୍ୟ ମୋନଷ୍ଟର ଆଡଭେଞ୍ଜର ଫିଲ୍ମ ଅଟେ । ଏହି ଫିଲ୍ମ ଟିକୁ ପୀଟର ଜ୍ୟାକ୍ସନ ଲେଖିବା ସହିତ ନିର୍ମାଣ ଓ ନିର୍ଦ୍ଦେଶିତ କରିଥିଲେ । ଏହି ଶୀର୍ଷକର ୧୯୩୩ ମସିହା ଫିଲ୍ମର ଦ୍ୱିତୀୟ ରିମିକ ଏକ ମହତ୍ତ୍ୱାକାଂକ୍ଷୀ ଫିଲ୍ମ ନିର୍ମାତାଙ୍କ କାହାଣୀ ଥିଲା, ଯାହା ଏକ ରହସ୍ୟମୟ ଖପୁରୀ ଦ୍ୱୀପର ଯାତ୍ରା କରିବା ପାଇଁ ନିଜ କଳାକାର ଓ ଭଡାରେ ଥିବା ଜାହାଜ ଚାଳକ ଦଳ ମାନଙ୍କୁ ଅସହାୟ କରିଥିଲା । ସେ, ସେହି ଦ୍ୱୀପରେ ରହୁଥିବା ବିଚିତ୍ର ଜୀବ ସହିତ ଏକ ବିଶାଳ କାୟ "ଗରିଲା" (ଆଫ୍ରିକାର ବିଶାଳ ଶକ୍ତିଶାଳୀ ବାନର)କୁ କଙ୍ଗ ନାମରେ ଜାଣିଛନ୍ତି , ଯାହାକୁ ସେ ନ୍ୟୁୟୋର୍କ ସହର ନେଇଆସନ୍ତି ।
ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱର ଠାରୁ ୬୦ କି.ମି. (୩୭ ମାଇଲ) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ଅଟେ । ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆଶାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ୱାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନାଧିନ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ .
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭–ଜଣାନାହିଁ), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ରାୟବାହାଦୁର ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ହଳଦୀ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ତିନିପ୍ରକାରର, ସାଧାରଣ ହଳଦୀ, କର୍ପୂର ହଳଦୀ ଓ ବଣ ହଳଦୀ । ଏହାଛଡ଼ା ଦାରୁ ହଳଦୀ ନାମରେ ଆଉ ଏକ ପ୍ରକାର ହଳଦୀ ମଧ୍ୟ ରହିଛି, ଯାହା ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଦାରୁହଳଦୀର ଗୁଣ ଏହାଠାରୁ ପୃଥକ୍। ହଳଦୀ ଗଛ ଦେଖିବାକୁ ଗଦଗଛ ପରି ଓ ପତ୍ର ମଧ୍ୟ ଗଦ ପତ୍ର ପରି। ସାରୁ ଫଳିଲାପ୍ରାୟ ଏହା ମାଟି ତଳେ ଫଳିଥାଏ । ପତ୍ରକୁ ମକଚି ଶୁଙ୍ଘିଲେ ହଳଦୀ ପରି ବାସ୍ନା ହୁଏ । ଓଡ଼ିଶାର କନ୍ଧମାଳରେ ଚାଷ ହେଉଥିବା ହଳଦୀ ଗୁଣ ଓ ରଙ୍ଗପାଇଁ ପ୍ରସିଦ୍ଧ।
ସାରଦା ଦେବୀ (୨୨ଡିସେମ୍ବର,୧୮୫୩ – ୨୦ ଜୁଲାଇ,୧୯୨୦) ବିଶିଷ୍ଟ ହିନ୍ଦୁ ଧର୍ମଗୁରୁ ରାମକୃଷ୍ଣ ପରମହଂସଙ୍କ ଧର୍ମପତ୍ନୀ ଓ ସାଧନ ସଙ୍ଗିନୀ ଥିଲେ ଏବଂ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ସଙ୍ଘଜନନୀ ରୂପେ ପରିଚିତ । ଭକ୍ତଗଣ ତାଙ୍କୁ ଦିବ୍ୟ ଜନନୀ ଓ ଶ୍ରୀଶ୍ରୀ ମା ନାମରେ ଅଭିହିତ କରିଥିଲେ । ରାମକୃଷ୍ଣ ଆନ୍ଦୋଳନର ବିକାଶ ଓ ପ୍ରସାରରେ ତାଙ୍କ ଭୂମିକା ଗୁରୁତ୍ତପୂର୍ଣ ।
ମଦନ ମୋହନ ପଟ୍ଟନାୟକ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ମଦନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଏବଂ ପରେ ତିନିଥର କାର୍ଯ୍ୟ କରିଥିଲେ । ୧୯୪୬ ମସିହାର ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାରେ ସେ ଉତ୍ତର ଯାଜପୁରରୁ ନିର୍ବାଚିତ ହୋଇଥିଲେ ଏବଂ ପରେ ଭାରତ ସ୍ୱାଧୀନ ହେବାପରେ ୧୯୫୭ ମସିହାରେ ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପରିମାଣ, ଗଠନ, ସ୍ଥାନ ଓ ପରିବର୍ତ୍ତନର ବିଦ୍ୟାକୁ ଗଣିତ କୁହାଯାଏ । ଗଣିତରେ ଆବିଷ୍କାର କରୁଥିବା ଲୋକଙ୍କୁ ଗଣିତଜ୍ଞ କୁହାଯାଏ । ସାଧାରଣ ଜୀବନରେ ଗଣିତର ଅନେକ ଆବଶ୍ୟକତା ରହିଛି, ତେଣୁ ଗଣିତଜ୍ଞଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ଏଥିରେ ଗବେଷଣା କରନ୍ତି । ଏବେ, ଅନେକ ସ୍ଥାନରେ ଗଣିତର ଆବଶ୍ୟକତା ରହିଛି । ବ୍ୟବସାୟ, ବିଜ୍ଞାନ, ଇଞ୍ଜିନିୟରିଙ୍ଗ୍, ସ୍ଥାପତ୍ୟ ସବୁଥିରେ ଗଣିତର ଆବଶ୍ୟକତା ରହିଛି ।
ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।
ହିମାଳୟ ପର୍ବତଶ୍ରେଣୀ ବା ହିମାଳୟ ପର୍ବତମାଳା ବା କେବଳ ହିମାଳୟ (ଇଂରାଜୀରେ Himalayas) ଏସିଆ ମହାଦେଶର ଏକ ପର୍ବତଶ୍ରେଣୀ ଯାହା ଭାରତୀୟ ଉପମହାଦେଶ ଓ ତିବ୍ବତୀୟ ମାଳଭୂମି ମଧ୍ୟରେ ଅବସ୍ଥିତ । ପୃଥିବୀର ଅନେକ ଉଚ୍ଚ ଗିରିଶୃଙ୍ଗ ଏହି ପର୍ବତମାଳାର ଅଂଶବିଶେଷ । ତନ୍ମଧ୍ୟରୁ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ୍ ଅନ୍ୟତମ । ହିମାଳୟ ପର୍ବତମାଳାରେ ୫୦ରୁ ଅଧିକ ପର୍ବତ ରହିଛି ଯାହାର ସମୁଦ୍ରପତନରୁ ଉଚ୍ଚତା ୭୨୦୦ ମିଟର୍ ବା ତତୋଧିକ । ୮୦୦୦ ମିଟର୍ରୁ ଉଚ୍ଚ ୧୪ଟି ଶୃଙ୍ଗ ମଧ୍ୟରୁ ୧୦ଟି ହିମାଳୟରେ ରହିଛି । ଏସିଆ ବାହାରେ ରହିଥିବା ସର୍ବୋଚ୍ଚ ଗିରିଶୃଙ୍ଗ ହେଉଛି ଆଣ୍ଡିଜ୍ ପର୍ବତମାଳାର ଆକାଙ୍କାଗୁଆ (୬୯୬୧ ମିଟର୍) ।ଭାରତୀୟ ପ୍ଲେଟ୍ ସଞ୍ଚାଳିତ ହୋଇ ୟୁରେସିଆ ପ୍ଲେଟ୍ ସହିତ ଧକ୍କା ହେବା ପରେ ଦୁଇଟି ପ୍ଲେଟ୍ ଯଥାକ୍ରମେ ନିମ୍ନ ଓ ଉର୍ଦ୍ଧ୍ୱଗାମୀ ହେଲେ ଓ ସେଥିରୁ ହିମାଳୟ ସୃଷ୍ଟି ହୋଇଥିଲା । ହିମାଳୟ ପର୍ବତମାଳା ପଶ୍ଚିମ-ଉତ୍ତରପଶ୍ଚିମ ଓ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୨୪୦୦ କିଲୋମିଟର୍ ବ୍ୟାପ୍ତ ଏକ ବିଶାଳ ତୋରଣ ପରି । ହିମାଳୟର ପଶ୍ଚିମସୀମା ହେଉଛି “ନଙ୍ଗା ପର୍ବତ”, ଯାହା ସିନ୍ଧୁ ନଦୀର ଉତ୍ତରତମ ବାଙ୍କର ଠିକ୍ ଦକ୍ଷିଣପଟକୁ ଅବସ୍ଥିତ । ହିମାଳୟର ପୂର୍ବ ସୀମା “ନାମ୍ଚା ବରୁଆ” ୟାର୍ଲୁଂ ତ୍ସାଂଗପୋ ନଦୀର (ନିଜର ଉପରମୁଣ୍ଡରେ ବ୍ରହ୍ମପୁତ୍ର ନଦୀ ଏହି ନାମରେ ଜଣାଶୁଣା) ବଡ଼ ବାଙ୍କର ଠିକ୍ ପଶ୍ଚିମ ପଟକୁ ରହିଛି । ହିମାଳୟର ଉତ୍ତର-ପୂର୍ବ ଦିଗକୁ କାରାକୋରମ୍ ଓ ହିନ୍ଦୁକୁଶ ପର୍ବତଶ୍ରେଣୀ ରହିଛନ୍ତି । ୫୦-୬୦ କିଲୋମିଟର୍ ପ୍ରସ୍ଥ ବିଶିଷ୍ଟ “ଇଣ୍ଡସ୍-ତ୍ସାଙ୍ଗପୋ ସୁଚ୍ୟର୍” ନାମକ ଟେକ୍ଟୋନିକ୍ ଉପତ୍ୟକା ହିମାଳୟର ଉତ୍ତରାଂଶକୁ ତିବ୍ବତୀୟ ମାଳଭୂମିଠାରୁ ବିଚ୍ଛିନ୍ନ କରୁଛି । ହିମାଳୟ ବଳୟର ଦକ୍ଷିଣ ପଟକୁ ଗାଙ୍ଗେୟ ସମତଳ ଭୂମି ଅବସ୍ଥିତ । ପଶ୍ଚିମ ପାକିସ୍ତାନରେ ହିମାଳୟ ପର୍ବତଶ୍ରେଣୀର ପ୍ରସ୍ଥ ୩୫୦ କି.ମି. ହୋଇଥିବା ବେଳେ ପୂର୍ବରେ (ଅରୁଣାଚଳ ପ୍ରଦେଶ) ଏହାର ପ୍ରସ୍ଥ ପ୍ରାୟ ୧୫୦ କି.ମି.
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଯିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଭୁବନେଶ୍ୱର ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି| ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଅଛି ।ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ ।
ଗୁଗଲ /ɡuːɡ(ə)l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ ପ୍ରତିବର୍ଷ ୨୨ଟି ବେଶ ସମ୍ପନ୍ନ ହେଲା ବେଳେ ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ । ଏହି ଦୁଇଟି ବିରଳ ବେଶ ହେଲା ରଘୁନାଥ ବେଶ ଓ ନାଗାର୍ଜୁନ ବେଶ । ଅନେକ ବର୍ଷ ଧରି ରଘୁନାଥ ବେଶ ଆଉହୋଇନଥିଲା ବେଳେ ୧୯୯୪ ମସିହା ପରେ ଆଉ ନାଗାର୍ଜୁନ ବେଶ ଯୋଗ ପଡ଼ିନାହିଁ । ଏ ସବୁ ବେଶ ମଧ୍ୟରୁ କେତେକ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କ ପୋଷାକ କେବଳ ବଦଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ତାଙ୍କର ଅବତାର ବଦଳିଯାଇଥାଏ, ଯଥା କେତେବେଳେ ସେ ବିଷ୍ଣୁ ତ ଆଉ କେତେବେଳେ ନୃସିଂହ ବେଶ ଧାରଣ କରିଥାନ୍ତି । ପୁଣି ମହାପ୍ରଭୁମାନଙ୍କ ସବୁଯାକ ବେଶରେ ଜଗନ୍ନାଥ ମୁଖ୍ୟ ଭୂମିକାରେ ରହୁଥିବା ବେଳେ କେବଳ ପ୍ରଳମ୍ବାସୁରବଧ ବେଶରେ ବଳଭଦ୍ର ମୂଖ୍ୟ ଭୂମିକା ଗ୍ରହଣ କରନ୍ତି । ଜଗନ୍ନାଥଙ୍କ ମୂଖ୍ୟ ୨୪ ବେଶ ମଧ୍ୟରୁ କେତେକ ବେଶ ବର୍ଷକରେ ଏକାଧିକବାର ସଂପନ୍ନ ହୋଇଥାଏ । ଯଥା : - ସୁନାବେଶ ପ୍ରାୟ ପାଞ୍ଚ ଥର ଓ ଶ୍ରାଦ୍ଧ ବେଶ ତିନିଥର ସଂପନ୍ନ ହୋଇଥାଏ ।
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
ଓଡ଼ିଶାରେ ମୁଖ୍ୟତଃ ଚାରିଗୋଟି ରଥଯାତ୍ରା ଅନୁଷ୍ଠିତ ହୁଏ । ବର୍ଷର ପ୍ରତି ତିନିମାସରେ ଥରେ ଗୋଟିଏ ରଥଯାତ୍ରା ହୁଏ । ଚୈତ୍ରମାସ ଶୁକ୍ଳ ଅଷ୍ଟମୀରେ ରୁକୁଣା ରଥଯାତ୍ରା, ଆଷାଢ ମାସ ଦ୍ୱିତୀୟାରେ ଗୁଣ୍ଡିଚା ରଥଯାତ୍ରା, ଆଶ୍ୱିନରେ ଦୁର୍ଗାଙ୍କ ଏବଂ ମାଘ ମାସ ପଞ୍ଚମୀରେ କୋଣାର୍କ ସୌର ରଥଯାତ୍ରା ପାଳନ ହେଉଥିବାର ପୁରାଣରେ ବର୍ଣ୍ଣନା ଅଛି । କିନ୍ତୁ ପ୍ରତି ତିନି ମାସ ବ୍ୟବଧାନରେ ଗୋଟିଏ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ କୋଣାର୍କର ସୌର ରଥଯାତ୍ରା ମାଘ ମାସ ପରିବର୍ତ୍ତେ ପୌଷମାସରେ ଅନୁଷ୍ଠିତ ହୁଏ ।
ଜର୍ମାନୀ (ଆଧିକାରିକ ରୂପେ ସଂଘୀୟ ଜର୍ମାନୀ ଗଣରାଜ୍ୟ) ପଶ୍ଚିମ-ମଧ୍ୟ ଇଉରୋପରେ ଅବସ୍ଥିତ ଏକ ସଂଘୀୟ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର । ୧୬ ଗୋଟି ରାଜ୍ୟକୁ ନେଇ ଗଠିତ ଜର୍ମାନୀର ରାଜଧାନୀ ଓ ସର୍ବବୃହତ୍ ସହର ହେଉଛି ବର୍ଲିନ । ଜର୍ମାନୀର କ୍ଷେତ୍ରଫଳ ୩୫୭,୦୨୧ କର୍ଗ କି.ମି ଓ ଜଳବାୟୁ ସମଶୀତୋଷ୍ଣ । ୮ କୋଟି ଜନସଂଖ୍ୟା ସହ ଜର୍ମାନୀ ଇଉରୋପୀୟ ସଂଘର ସବୁଠୁ ଜନବହୁଳ ରାଷ୍ଟ୍ର । ଏହା ଇଉରୋପର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଓ ରାଜନୈତିକ ଶକ୍ତି ।
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କଦ୍ୱାରା ଆରମ୍ଭ ହୋଇଥିବା ଏକ ପରିବେଶ ସଫାଇ ଅଭିଯାନ । ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ତାଙ୍କର ୧୫୦ତମ ଜୟନ୍ତୀ ସମ୍ମାନାର୍ଥେ ୨ ଅକ୍ଟୋବର ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଦିଲ୍ଲୀଠାରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ।
ସୁରମା ପାଢ଼ୀ (ଜନ୍ମ: ୨୯ ଡିସେମ୍ବର ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟି ରାଜନୈତିକ ଦଳ ସହ ସଂପୃକ୍ତ ଅଛନ୍ତି । ସୁରମା ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍ (ଆଇବିଏସ) ଏକ ଲକ୍ଷଣ ସମୂହ ଯେଉଁଥିରେ ପେଟ ଯନ୍ତ୍ରଣା, ଅନ୍ତର୍ନିହିତ ଅସୁବିଧା ନ ଥାଇ ମଳ ତ୍ୟାଗ ସମୟର ପରିବର୍ତ୍ତନ ପରିଲକ୍ଷିତ ହୁଏ । ବହୁତ ସମୟ ଧରି ଏପରିକି ବର୍ଷ ବର୍ଷ ଧରି ଏହି ରୋଗ ଲକ୍ଷଣ ଦେଖାଯାଏ । ରୋଗୀର ତରଳ ଝାଡ଼ା, କୋଷ୍ଠ କାଠିନ୍ୟ, ଉଭୟ ଥିବା ବା କିଛି ନ ଥିବାକୁ ନେଇ ଏହି ରୋଗକୁ ଯଥାକ୍ରମେ ଚାରି ଶ୍ରେଣୀରେ (ଆବିଏସ-ଡି, ଆବିଏସ-ସି, ଆବିଏସ-ଏମ୍ ବା ଆବିଏସ-ୟୁ) ବିଭକ୍ତ କରାଯାଇଛି । ଏହି ରୋଗ ଜୀବନର ମାନକୁ ପ୍ରଭାବିତ କରିବାରୁ କାମ ବା ସ୍କୁଲ ପାଠରେ ବ୍ୟାଘାତ ହୁଏ । ଉତ୍କଣ୍ଠା, ମେଜର ଅବସାଦ ଓ କ୍ରନିକ୍ ଫ୍ୟାଟିଗ୍ ସିଣ୍ଡ୍ରୋମ୍ ଆଦି ଲକ୍ଷଣ ଆଇବିଏସ୍ରେ ଦେଖାଯାଏ ।ଏହି ରୋଗର କାରଣ ଅଦ୍ୟାବଧି ଅସ୍ପଷ୍ଟ । ବିଭିନ୍ନ ପରିକଳ୍ପନା ଅନୁଯାୟୀ ଅନ୍ତନଳୀ-ମସ୍ତିଷ୍କ ଆକ୍ସିସ୍ ସମସ୍ୟା, କ୍ଷୁଦ୍ରାନ୍ତ୍ର ଜୀବାଣୁ ସଂଖ୍ୟା ଅତିବୃଦ୍ଧି, ଜେନେଟିକ କାରକ, ଖାଦ୍ୟ ସମ୍ଭେଦନଶୀଳତା ଓ ଅନ୍ତନଳୀ ଚଳନ ସମସ୍ୟା ଯୋଗୁ ରୋଗ ହେଉଛି । ଅନ୍ତନଳୀ ସଂକ୍ରମଣ ଏହାକୁ ସକ୍ରିୟ କରୁଥାଇପାରେ, ବା ଚାପଯୁକ୍ତ ଜୀବନର ଭୂମିକା ଥାଇପାରେ । ଏହି ରୋଗ ଏକ କାର୍ଯ୍ୟତ୍ମକ ବେମାରୀ । ଚିନ୍ତା ଜନକ ବୈଶିଷ୍ଟ୍ୟ ନ ଥିଲେ ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ବୟସ ୫୦ରୁ ଉର୍ଦ୍ଧ୍ୱ, ଓଜନ ହ୍ରାସ, ମଳରେ ରକ୍ତ ଓ ପରିବାରରେ ଏହି ରୋଗ ଇତିହାସ ଥିଲେ ଚିନ୍ତା ଜନକ ଅବସ୍ଥା ବୋଲି ଚିଚାର କରାଯାଏ । ଅନୁରୂପ ଲକ୍ଷଣମାନ ସିଲିଆକ୍ ରୋଗ, ଅଣୁବୀକ୍ଷଣୀୟ କୋଲାଇଟିସ୍, ପ୍ରଦାହସମ୍ପନ୍ନ ଅନ୍ତନଳୀ ରୋଗ, ବାଇଲ ଏସିଡ ମାଲଆବସର୍ପସନ୍, ଓ କୋଲୋନ କର୍କଟ ଇତ୍ୟାଦି ରୋଗମାନଙ୍କରେ ଦେଖାଯାଏ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯-୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) ଜଣେ ଖ୍ୟାତନାମା ଓଡ଼ିଆ ଭାଷାବିଦ, ଲେଖକ ଓ ବାରିଷ୍ଟର ଥିଲେ । ତାଙ୍କର ଜନ୍ମ ଓଡ଼ିଶାର କଟକ ଜିଲ୍ଲାର ସିଦ୍ଧେଶ୍ୱରପୁରଠାରେ ଏକ ସମ୍ଭ୍ରାନ୍ତ ଜମିଦାର ବ୍ରାହ୍ମଣ ପରିବାରରେ ହୋଇଥିଲା । ପେଷାରେ ଜଣେ ଓକିଲ ହୋଇଥିଲେ ମଧ୍ୟ ସେ ସାମାଜିକ, ରାଜନୈତିକ ଏବଂ ସେତେବେଳର ପ୍ରଚଳିତ ସଂସ୍କୃତି ଭିତ୍ତିକ ଅନେକ ବ୍ୟଙ୍ଗ ଏବଂ ବିଶ୍ଳେଷିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ, ରସଚକ୍ର, ନବଭାରତ, ସତ୍ୟ ସମାଚାର ଭଳି ପତ୍ରିକାରେ ଲେଖୁଥିଲେ ।
ବିଦ୍ୟୁତପ୍ରଭା ଦେବୀଙ୍କୁ, ଓଡ଼ିଆ ଭାଷାର ଶ୍ରେଷ୍ଠ ମହିଳା କବିମାନଙ୍କ ମଧ୍ୟରେ ପରିଗଣନା କରାଯାଏ । ନିଜ କାବ୍ୟ ସଙ୍କଳନ 'ସଞ୍ଚୟନ' ପାଇଁ, ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।ରେଭେନ୍ସା ବାଳିକା ବିଦ୍ୟାଳୟରେ ମାତ୍ର ନବମ ଶ୍ରେଣୀ ଯାଏଁ ପଢିଥିବା ବିଦ୍ଯୁତପ୍ରଭା ଆପେ ଆପେ ଇଂରାଜୀ, ବଙ୍ଗଳା ଭାଷା,ବ୍ୟାକରଣ ତଥା କବିତା ରଚନାର ବିଭିନ୍ନ ବିଭବ ଶିକ୍ଷାକରିଥିଲେ । ନିଜ ପିତାଙ୍କ ବନ୍ଧୁ କୃଷ୍ଣଚନ୍ଦ୍ର କର, ରାଧାମୋହନ ଗଡ଼ନାୟକ ଓ ମାୟାଧର ମାନସିଂହ ଆଦିଙ୍କଦ୍ୱାରା ପ୍ରଭାବିତ ହୋଇ ୧୯୪୦ ମସିହାରୁ କବିତା ଲେଖିବା ଆରମ୍ଭ କରିଥିଲେ । ନିଜ ବଡ଼ ଭଉଣୀ ବାସନ୍ତି ଦେବୀଙ୍କ ସହ ମିଶି ୧୯୪୯ ମସିହାରେ 'ସବିତା' ନାମରେ ନିଜର ପ୍ରଥମ କାବ୍ୟ ସଙ୍କଳନ ପ୍ରକାଶ କରିଥିଲେ । ବିବାହ ପରେ, ତାଙ୍କ ସ୍ୱାମୀ ପଞ୍ଚାନନ ମହାନ୍ତି ତାଙ୍କୁ ଏ ଦିଗରେ ଉତ୍ସାହିତ କରିଥିଲେ ଏବଂ ତାଙ୍କର କବିତା ରଚନା ଅନବରତ ଚାଲିରହିଥିଲା । ୧୯୫୨ ମସିହାରେ ମାତୃତ୍ୱ ଲାଭ କରିବା ପରେ, ବିଦ୍ୟୁତପ୍ରଭା ଶିଶୁମାନଙ୍କ ପାଇଁ ଲେଖିବା ଆରମ୍ଭ କଲେ ଏବଂ ଖୁବ ଲୋକପ୍ରିୟ ହୋଇପାରିଥିଲେ ଓ ବହୁବାର ପୁରସ୍କୃତ ହୋଇଥିଲେ ।