ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଆଫ୍ରିକୀୟ ଟ୍ରିପାନୋସୋମିଆସିସ କିମ୍ବା ନିଦ୍ରାରୋଗ ଏକ ପରଜୀବୀ ରୋଗ ଯାହା ମାନବ ଓ ଅନ୍ୟାନ୍ୟ ପଶୁମାନଙ୍କୁ ହୁଏ ।ଏହି ରୋଗ ଟ୍ରିପାନୋସୋମାବ୍ରୁସି ନାମକ ଏକ ପରଜୀବୀ ସ୍ପେସିଦ୍ୱାରା ହୁଏ । ମାନବଙ୍କୁ ଦୁଇ ପ୍ରକାର ପରଜୀବୀ ଆକ୍ରମଣ କରନ୍ତି ଯଥା ଟ୍ରିପାନୋସୋମାବ୍ରୁସିଗାମ୍ବିଏନ୍ସ (ଟିବିଜି/ Tbg) ଓ ଟ୍ରିପାନୋସୋମାବ୍ରୁସିରୋଡେସିଏନ୍ସ (ଟିବିଆର/ Tbr) । ରିପୋର୍ଟ ହେଉଥିବା ରୋଗର ୯୮% ଟିବିଜି/ Tbg ପରଜୀବୀଦ୍ୱାରା ହୁଏ । ସଂକ୍ରମିତ ସିସି ମାଛି tsetse fly କାମୁଡ଼ିବାଦ୍ୱାରା ଏହି ଦୁଇ ପରଜୀବୀ ରୋଗ ହୁଏ ଓ ଏହା ଗ୍ରମାଞ୍ଚଳରେ ଅଧିକ ହୁଏ ।ପ୍ରାରମ୍ଭରେ ଏହି ରୋଗର ପ୍ରଥମ ସୋପାନରେ ଜ୍ୱର, ମୁଣ୍ଡବଥା, ଗଲୁ ଓ ଗଣ୍ଠି ଯନ୍ତ୍ରଣା (joint pain) ହୁଏ । ସିସି ମାଛି କାମୁଡ଼ିବାର ୧ରୁ୩ ସପ୍ତାହ ପରେ ଏହା ଆରମ୍ଭ ହୁଏ । ସପ୍ତାହ ଓ ମାସାଧିକ କାଳ ପରେ ଏହାର ଦ୍ୱିତୀୟ ସୋପାନ ଆରମ୍ଭ ହେଲେ ମାନସିକ ବିଭ୍ରାଟ, କାଲୁଆ ଲାଗିବା, କୋଅର୍ଡିନେସନ ଅଭାବ ଓ ନିଦ୍ରାହୀନତା ହୁଏ । ରକ୍ତ ପରୀକ୍ଷା କରି ସେଥିରେ ଏହି ପରଜୀବୀ ପାଇଲେ ରୋଗ ନିର୍ଣ୍ଣୟ କରାଯାଏ । ଲସିକା ନୋଡର ତରଳ ପଦାର୍ଥରେ (fluid of lymph node) ମଧ୍ୟ ଏହି ପରଜୀବୀ ପାଇଲେ ନିର୍ଣ୍ଣୟ ହୁଏ । ଲମ୍ବର ପଙ୍କଚର କରି ପ୍ରଥମ ଓ ଦ୍ୱିତୀୟ ସୋପାନର ଫରକ କୁହାଯାଏ ।
ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ।ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।
ନୂଆଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହି ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପାଳନ ପରଦିନ "ନୂଆଖାଇ ବାସି" ପାଳନ ହୁଏ ଓ ଏହିଦିନ ବଳକା ନୂଆନ୍ନ, କ୍ଷୀରି-ପିଠା ଖିଆହେବା ସହ ମାଂସ ରନ୍ଧାଯାଇଥାଏ । ବାସି ପରଦିନ "ତିଆସି" ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ମାଂସ ସମେତ ବିଭିନ୍ନ ଖାଦ୍ୟ ଓ ମଦ ଖିଆପିଆ ଓ ପାରମ୍ପାରିକ ଖେଳ (ଯଥା ଡୁଡୁ, ଖୋଖୋ, ବାଡ଼ି-ଖିଚା, କୁସ୍ତି) ଖେଳି ସମୟ ଅତିବାହିତ କରିଥାନ୍ତି ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଜଗତର ନାଥ ଶ୍ରୀ ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ନଈ ସେପାରୀ କନକ ଗୋରୀ, ୨୦୧୩ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ମହାନ୍ତି । ଅନନ୍ୟା ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଅଧିନରେ ଏହି ଚଳଚ୍ଚିତ୍ରଟିର ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଅଜୟ ମହାନ୍ତି ଏବଂ ସଂଳାପ ରଚନା କରିଥିଲେ ଦେବ ପ୍ରସାଦ ଦାସ । ପଙ୍କଜ ପାଢ଼ୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।ଅନେକ ବିଶେଷତ୍ୱ ମଧ୍ୟରୁ ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସହଜରେ ଚିହ୍ନା ପଡ଼ନ୍ତି । ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହନ କରାଯାଏ । ତାଙ୍କୁ ପଞ୍ଚଦେବତାମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
ଗୀତା ମେହେଟ୍ଟା (୧୯୪୩ରେ ଜନ୍ମ) ଜଣେ ଭାରତୀୟ ଲେଖିକା । ସେ ସ୍ୱାଧୀନତା ସଂଗ୍ରାମୀ ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ । ତାଙ୍କ ସାନ ଭାଇ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଓ ଭାରତ ଏବଂ ଇଂଲଣ୍ଡର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ, ନିଜର ଶିକ୍ଷା ଗ୍ରହଣ କରିଥିଲେ । ୨୦୧୯ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ବଛାଯାଇଥିଲା କିନ୍ତୁ ଏହି ପୁରସ୍କାର ଆଗତ ନିର୍ବାଚନକୁ ପ୍ରଭାବିତ କରିପାରେ ଭାବି, ସେ ଏହାକୁ ପ୍ରତ୍ୟାଖାନ କରିଥିଲେ ।ଗୀତା ଇଂଲଣ୍ଡ, ୟୁରୋପ ଏବଂ ଆମେରିକା ପାଇଁ ୧୪ଟି ଦୂରଦର୍ଶନ ପ୍ରାମାଣିକ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ । ୧୯୭୦-୧୯୭୧ ମସିହା ମଧ୍ୟରେ ସେ ଆମେରିକା ଦୂରଦର୍ଶନ ଏନ ବି ସି ପାଇଁ ଯୁଦ୍ଧସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଚଳଚ୍ଚିତ୍ର 'କମ୍ପାଇଲେସନ ଅଫ ଦି ବାଙ୍ଗଲାଦେଶ ରିଭୋଲୁସନ, ଡେଡଲାଇନ ବାଙ୍ଗଲାଦେଶ, ଉଭୟ ଭାରତ ଏବଂ ବିଦେଶର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା । ଆଲଫ୍ରେଡ ଏ.
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଚନ୍ଦ୍ରଯାନ-୩ (ସଂସ୍କୃତ: चन्द्रयान-3) ହେଉଛି ଭାରତୀୟ ମହାକାଶ ଗବେଷଣା ସଂଗଠନ, ଇସ୍ରୋଦ୍ୱାରା ତୃତୀୟ ଚନ୍ଦ୍ର ଅନୁସନ୍ଧାନ ଅଭିଯାନ । ଏଥିରେ ଚନ୍ଦ୍ରଯାନ-୨ ଭଳି ଲ୍ୟାଣ୍ଡର ଓ ରୋଭର ରହିଥିଲେ ହେଁ ଏଥିରେ ପରିକ୍ରମଣକାରୀ (ଅର୍ବିଟର) ନାହିଁ । ଏହାର ପ୍ରୋପଲ୍ସନ୍ ମଡ୍ୟୁଲ୍ ଏକ ଯୋଗାଯୋଗ ରିଲେ ସାଟେଲାଇଟ୍ ଭଳି ଆଚରଣ କରେ । ମହାକାଶଯାନ ୧୦୦ କିଲୋମିଟର ଚନ୍ଦ୍ର କକ୍ଷପଥରେ ରହିବା ପର୍ଯ୍ୟନ୍ତ ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଏବଂ ରୋଭର ବହନ କରିଥାଏ ।ଚନ୍ଦ୍ରଯାନ-୨ ପରେ ସଫ୍ଟ ଲ୍ୟାଣ୍ଡିଂ ଗାଇଡେନ୍ସ ସଫ୍ଟୱେୟାରରେ ଶେଷ ମୁହୂର୍ତ୍ତରେ ସଫ୍ଟ ଲ୍ୟାଣ୍ଡିଂ ଗାଇଡେନ୍ସ ସଫ୍ଟୱେୟାରରେ ତ୍ରୁଟି ଯୋଗୁଁ ସଫଳ କକ୍ଷପଥ ପ୍ରବେଶ ପରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ପ୍ରୟାସ ବିଫଳ ହେବା ପରେ ଆଉ ଏକ ଚନ୍ଦ୍ର ଅଭିଯାନ ପ୍ରସ୍ତାବ ଦିଆଯାଇଥିଲା। ଏହି ଅଭିଯାନକ୍ରମେ ୨୦୨୪ ମସିହାରେ ଜହ୍ନର ଦକ୍ଷିଣ ମେରୁରେ ରୋଭର (ଚନ୍ଦ୍ର ଉପରେ ବୁଲାବୁଲି କରି ତାହାର ମାଟିର ନମୁନା ସଂଗ୍ରହ କରିବା) ଏବଂ ଏକ ଲ୍ୟାଣ୍ଡର (ଚନ୍ଦ୍ର ଉପରେ ଓଲ୍ହାଇବା) ପଠାଯାଇ ନିରୀକ୍ଷଣ କରାଯିବ ।ଏହି ଅଭିଯାନଟି ନୂତନ ଭୂମି ଅନୁଧ୍ୟାନ ସହିତ ଜଡ଼ିତ କଳାକୌଶଳ ଯଥା ଯାନ ପରିବହନ ଏବଂ କିଛି ଶହ କିଲୋଗ୍ରାମ ଓଜନର ଆସବାବପତ୍ର ସହିତ ମେରୁ ସ୍ଥାନରେ କିପରି ଦୀର୍ଘସ୍ଥାୟୀ ରାତ୍ରଯାପନ ହୋଇପାରିବ ତାହା ଉପରେ ଅଧିକ ଅନୁଧ୍ୟାନ କରିବ । ସମ୍ଭାବିତ ପାଣିର ଖୋଜା, ନମୁନା ସଂଗ୍ରହ ଏବଂ ତଦନ୍ତ ମୁଖ୍ୟତଃ ଏହି ଅଭିଯାନର ଲକ୍ଷ୍ୟ ହୋଇପାରେ । ଅନ୍ୟାନ୍ୟ ଅନ୍ତରୀକ୍ଷ ସଂସ୍ଥାଗୁଡ଼ିକରୁ ପେଲୋଡ ବା ଆସବାବପତ୍ର ନେବାକୁ ପ୍ରସ୍ତାବ ଦିଆଯିବ ।୧୪ ଜୁଲାଇ ୨୦୨୩ ତାରିଖରେ ଚନ୍ଦ୍ରଯାନ-୩କୁ ସଫଳତାର ସହିତ ଏଲଭିଏମ୩ ଏମ୪ ରକେଟଦ୍ୱାରା କକ୍ଷପଥରେ ସ୍ଥାପନ କରାଯାଇଥିଲା । ଲ୍ୟାଣ୍ଡର ଓ ରୋଭର ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳ ନିକଟରେ ଅବତରଣ କରିଥିଲେ। ୨୩ ଅଗଷ୍ଟ ୨୦୨୩, ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ପ୍ରାୟ ୫ଟା ୪୫ ମିନିଟ୍ ରେ ଏହି ଅବତରଣ ଘଟିଥିଲା ଏବଂ ସେହି ଦିନ ସନ୍ଧ୍ୟା ପ୍ରାୟ ୬.୦୨ ମିନିଟ୍ ରେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରିଥିଲା, ଯାହା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ସଫଳତାର ସହ ମହାକାଶଯାନ ଅବତରଣ କରିବାରେ ପ୍ରଥମ ଦେଶ ଏବଂ ଚନ୍ଦ୍ରରେ ଧୀର ଅବତରଣ (soft landing) କରିଥିବା ଚତୁର୍ଥ ଦେଶ ଥିଲା।
ମହାରାଷ୍ଟ୍ରର ପୁଣେରେ ଜନ୍ମଗ୍ରହଣ କରିଥିବା ଦ୍ୱିତୀୟ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଳ ପିଭିସି (୧୪ ଅକ୍ଟୋବର ୧୯୫୦ - ୧୬ ଡିସେମ୍ବର ୧୯୭୧) ଭାରତୀୟ ସେନାର ଜଣେ ଅଧିକାରୀ ଥିଲେ ଏବଂ ଶତ୍ରୁଙ୍କ ସମ୍ମୁଖରେ ବୀରତ୍ୱ ପାଇଁ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମ ବୀର ଚକ୍ରରେ ମରଣୋତ୍ତର ସମ୍ମାନ ପାଇଥିଲେ । ୧୯୭୧ ମସିହାଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଶାକରଗଡ଼ ଯୁଦ୍ଧକ୍ଷେତ୍ରରେ ବସନ୍ତର ଯୁଦ୍ଧରେ ସେ ସହିଦ ହୋଇଥିଲେ, ଯେଉଁଠାରେ ତାଙ୍କ କାର୍ଯ୍ୟ ତାଙ୍କୁ ଏହି ସମ୍ମାନ ଦେଇଥିଲା ।
ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ ।
ସୁବେଦାର ଏବଂ ସମ୍ମାନିତ କ୍ୟାପଟେନ୍ କରମ ସିଂହ ପିଭିସି, ଏମ୍ଏମ୍ (୧୫ ସେପ୍ଟେମ୍ବର ୧୯୧୫ - ୨୦ ଜାନୁଆରୀ ୧୯୯୩), ଜଣେ ଭାରତୀୟ ସୈନିକ, ଯିଏକି ସାହସିକତା ପାଇଁ ସର୍ବୋଚ୍ଚ ପୁରସ୍କାର ପରମବୀର ଚକ୍ର (ପିଭିସି), ପାଇଥିଲେ । ସିଂହ ୧୯୪୧ ମସିହାରେ ସେନାରେ ଯୋଗ ଦେଇଥିଲେ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧର ବର୍ମା ଅଭିଯାନରେ ଭାଗ ନେଇଥିଲେ ଏବଂ ୧୯୪୪ ମସିହାରେ ଆଡମିନ୍ ବକ୍ସର ଯୁଦ୍ଧ ସମୟରେ ତାଙ୍କ କାର୍ଯ୍ୟ ପାଇଁ ସାମରିକ ପଦକ ଗ୍ରହଣ କରିଥିଲେ । ୧୯୪୭ ର ଭାରତ-ପାକିସ୍ତାନ ଯୁଦ୍ଧରେ ମଧ୍ୟ ସେ ଲଢ଼ିଥିଲେ ଏବଂ ତିଥୱାଲର ଦକ୍ଷିଣରେ ଥିବା ରିଚମାର ଗଲିରେ ଏକ ଫରୱାର୍ଡ ପୋଷ୍ଟ ବଞ୍ଚାଇବାରେ ତାଙ୍କର ଭୂମିକା ପାଇଁ ତାଙ୍କୁ ପିଭିସି ପ୍ରଦାନ କରାଯାଇଥିଲା । ୧୯୪୭ ମସିହାରେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଭାରତୀୟ ପତାକା ଉତ୍ତୋଳନ କରିବାକୁ ମନୋନୀତ ହୋଇଥିବା ପାଞ୍ଚ ଜଣ ସୈନିକଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ । ପରବର୍ତ୍ତୀ ସମୟରେ ସିଂ ସୁବେଦାର ପାହ୍ୟାକୁ ଉଠିଥିଲେ ଏବଂ ସେପ୍ଟେମ୍ବର ୧୯୬୯ରେ ଅବସର ନେବା ପୂର୍ବରୁ ତାଙ୍କୁ ସମ୍ମାନଜନକ ଅଧିନାୟକ) ପାହ୍ୟା ପ୍ରଦାନ କରାଯାଇଥିଲା ।
ପ୍ରତିଶୋଧ ୨୦୨୩ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ଷୀରୋଦ ପଟ୍ଟନାୟକ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସାଇ ସ୍ୱରାଜ ମଙ୍ଗରାଜ । ସଙ୍ଗୀତକାର ଗୁଡଲୀ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏଲିନା ସାମନ୍ତରାୟ । ସମରେଶ ରାଉତରାୟ, କୁନା ତ୍ରିପାଠୀ, ନିକି, ପ୍ରୀତିରାଜ ଶତପଥୀ, ପିୟୁଷ ତ୍ରିପାଠୀ, ଜୀବନ ପଣ୍ଡା, ପୁଷ୍ପା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିତ ୨୦୨୩ ମସିହାର ସେପ୍ଟମ୍ବର ୨୨ ତାରିଖରେ ମୁକ୍ତିଲାଭ କରିବ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଶ୍ରୀମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ । ପ୍ରତ୍ୟେକ ବର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତୋନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବଡଭାଇ ଶ୍ରୀ ବଳଭଦ୍ର ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ତାଳଧ୍ୱଜ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଡେଙ୍ଗୁ ଜ୍ୱର ଏକ ମଶା ବାହିତ (mosquito-borne ଗ୍ରୀଷ୍ମ ମଣ୍ଡଳୀୟ ରୋଗ (tropical disease) ଯାହା ଡେଙ୍ଗୁ ଭୁତାଣୁଦ୍ୱାରା (dengue virus) ହୁଏ । ଦେହରେ ସଂକ୍ରମଣ ପ୍ରବେଶ ପରେ ୩ରୁ ୧୪ ଦିନ ମଧ୍ୟରେ ଏହାର ଲକ୍ଷଣ ବାହାରେ । ଏହି ରୋଗରେ ଅଧିକ ଜ୍ୱର, ମୁଣ୍ଡ ବିନ୍ଧା, ବାନ୍ତି, ମାଂସପେଶୀ ଯନ୍ତ୍ରଣା (muscle|), ଗଣ୍ଠି ଯନ୍ତ୍ରଣା (joint pains) ଓ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଚର୍ମ ରାସ୍ (skin rash) ହୁଏ । ଏହା ୨/୩ ଦିନ ମଧ୍ୟରେ ଉପଶମ ହୋଇଯାଏ । ଅଳ୍ପ ଅନୁପାତରେ ଏହି ରୋଗ ସାଂଘାତିକ ହୋଇ ଡେଙ୍ଗୁ ରକ୍ତସ୍ରାବୀ ଜ୍ୱରରେ ପରିବର୍ତ୍ତିତ ହୋଇ ରକ୍ତସ୍ରାବ (bleeding), ସ୍ୱଳ୍ପ ପ୍ଲାଟେଲେଟ ସ୍ତର (low levels of blood platelets), ରକ୍ତ ପ୍ଲାଜ୍ମା (blood plasma) ଝରଣ (leak) ଓ ଶେଷରେ ଡେଙ୍ଗୁ ସିଣ୍ଡ୍ରୋମ ହୁଏ ଯେଉଁଥିରେ ଅତ୍ୟଧିକ ନିମ୍ନ ରକ୍ତଚାପ (dangerously low blood pressure) ହୁଏ । ଡେଙ୍ଗୁ ରୋଗ ଅନେକ ପ୍ରକାରର ଏଡିସ (Aedes) ଜାତିର ମଶା (mosquito) ବିଶେଷତଃ ଏ ଇଜିପ୍ଟିଦ୍ୱାରା (A. aegypti) ମୂଖ୍ୟତଃ ସୃଷ୍ଟି ହୁଏ । ପାଞ୍ଚ ପ୍ରକାରର ଏହି ଭୁତାଣୁ ଅଛନ୍ତି; ସେଥିମଧ୍ୟରୁ ଗୋଟିଏ ପ୍ରକାରର ଭୁତାଣୁଦ୍ୱାରା ସଂକ୍ରମିତ ହେଲେ ସେହି ପ୍ରକାର ଭୁତାଣୁ ନିମନ୍ତେ ଜୀବନବ୍ୟାପୀ ଇମ୍ମ୍ୟୁନିଟି (immunity) ହୁଏ, ଅନ୍ୟ ପ୍ରକାର ଭୁତାଣୁ ନିମନ୍ତେ ସ୍ୱଳ୍ପକାଳୀନ ଇମ୍ମ୍ୟୁନିଟି ରହେ । ଅନ୍ୟ ପ୍ରକାର ଭୁତାଣୁଦ୍ୱାରା ସଂକ୍ରମିତ ହେଲେ ସାଂଘାତିକ ଜଟିଳତା ସୃଷ୍ଟି ହେବା ସମ୍ଭାବନା ଥାଏ । ରୋଗ ନିଶ୍ଚିତ କରିବା ନିମନ୍ତେ ଅନେକ ପ୍ରକାରର ପରୀକ୍ଷା ଅଛି, ସେମାନଙ୍କ ମଧ୍ୟରୁ ଭୁତାଣୁ ଆଣ୍ଟିବଡି (antibodies) ଓ ଭୁତାଣୁର ଅରଏନଏ (RNA) ଅନୁସନ୍ଧାନ କରି ପାଇଲେ ନିଶ୍ଚିତ ହୋଇଯାଏ । ଗୋଟିଏ ନୂଆ ଡେଙ୍ଗୁ ଜ୍ୱର ଟିକା (vaccine for dengue fever) ବ୍ୟବହାର ନିମନ୍ତେ ତିନୋଟି ଦେଶରେ ଅନୁମୋଦନ ଲାଭ କରିଛି । ମଶାଙ୍କର ରହିବା ସ୍ଥାନ କମେଇ ଓ କାମୁଡ଼ିବାକୁ ନ ଦେଇ ଏହି ରୋଗ ପ୍ରତିରୋଧ କରିହେବ । ସ୍ଥିର ଜଳ ନିଷ୍କାସନ କରି ଓ ଦେହକୁ ଲୁଗାରେ ଆବୃତ କରି ଏହା ସମ୍ଭବପର କରିହେବ । ମଧ୍ୟମ ଓ ସାମାନ୍ୟ ଧରଣର ରୋଗ ପାଇଁ ସାହାଯ୍ୟକାରୀ ଚିକିତ୍ସା ଓ ତରଳ ପଦାର୍ଥ ପାଟିରେ ବା ଶିରାଭ୍ୟନ୍ତରରେ (intravenously) ଦିଆଯାଏ । ସାଂଘାତିକ ରୋଗରେ ରକ୍ତ ପରିଦାନ (blood transfusion) ଦରକାର ହୁଏ । ପ୍ରତି ବର୍ଷ ପ୍ରାୟ ୫ ଲକ୍ଷ ଲୋକଙ୍କର ଆଡମିଶନ ଆବଶ୍ୟକ ହୁଏ । ନନ୍ସ୍ଟିରଏଡାଲ ଆଣ୍ଟି-ଇନଫ୍ଲାମେଟରି ଡ୍ରଗ (nonsteroidal anti-inflammatory drug) ଯୋଗୁ ଅଧିକ ରକ୍ତସ୍ରାବ ଅଧିକ ହେଉଥିବାରୁ ତା ବଦଳରେ ଆଇବୁପ୍ରୋଫେନ ଔଷଧ ବ୍ୟବହାର କରିବାକୁ ସୁପାରିସ କରାଯାଉଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଡେଙ୍ଗୁ ଏକ ପୃଥିବୀବ୍ୟାପି ସମସ୍ୟା ହୋଇ ଠିଆ ହୋଇଛି ଓ ପ୍ରାୟ ୧୧୦ଟି ଦେଶରେ ଏହା ସ୍ଥାନୀକ ରୋଗ (endemic) ହୋଇ ରହିଛି । ପ୍ରତି ବର୍ଷ ପ୍ରାୟ ୫୦ରୁ ୫୨୮ ନିୟୁତ ଲୋକ ସଂକ୍ରମିତ ହେଉଛନ୍ତି ଓ ତାଙ୍କ ମଧ୍ୟରୁ ୧୦୦୦୦ରୁ ୨୦,୦୦୦ ଲୋକ ମରୁଛନ୍ତି । ସନ ୧୭୭୯ରୁ ଏହି ରୋଗ ବିଷୟରେ ବର୍ଣ୍ଣନା ଲିଖିତ ଅଛି । ବିଂଶ ଶତାବ୍ଦୀ ପ୍ରାରମ୍ଭରୁ ଏହି ରୋଗର କାରଣ ଓ ସଞ୍ଚାର ବିଷୟ ମଣିଷ ଜାଣିଛି । ମଶା ନିଶ୍ଚିହ୍ନ କରିବା ସହିତ ଭୁତାଣୁ ନିମନ୍ତେ ଔଷଧ ତିଆରି କାମ ଚାଲିଛି । ଏହାକୁ ଉପେକ୍ଷା କରାଯାଇଥିବା ଟ୍ରପିକାଲ ରୋଗ (neglected tropical disease) ଭାବରେ ବର୍ଗୀକରଣ କରାଯାଇଛି ।
କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେ, ପିଭିସି (୨୫ ଜୁନ୍ ୧୯୭୫ - ୩ ଜୁଲାଇ ୧୯୯୯) ଭାରତୀୟ ସେନାର ଜଣେ ଅଧିକାରୀ ଥିଲେ ଯିଏ କି ୧୯୯୯ରେ କାର୍ଗିଲ ଯୁଦ୍ଧ ସମୟରେ ତାଙ୍କର ଦୁଃସାହସିକ ସାହସ ଏବଂ ନେତୃତ୍ୱ ପାଇଁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ରରେ ସମ୍ମାନିତ ହୋଇଥିଲେ । ପ୍ରଥମ ବାଟାଲିୟନ ୧୧ ଗୋର୍ଖା ରାଇଫଲ୍ସ (୧/୧୧ ଜିଆର)ର ଅଧିକାରୀ ଭାବେ ସେ କାର୍ଗିଲର ଗାର୍କୋନ ଆର୍ଯ୍ୟନ ଉପତ୍ୟକାର ଗ୍ରାମରେ ଥିବା ଖଲୁବର ପାହାଡ଼ର ବଙ୍କର ପାହାଡ଼ କୂଳରେ ହୋଇଥିବା ଯୁଦ୍ଧରେ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ନିସାନ୍ (ପୂରା ନାମ: ଜନବାଦୀ ସଂସ୍କୃତିର ନିସାନ୍) ଓଡ଼ିଆରେ ପ୍ରକାଶିତ ଏକ ଭାରତୀୟ ସାହିତ୍ୟ ପତ୍ରିକା । ଓଡ଼ିଆ ସାହିତ୍ୟିକ ଲେନିନ୍ କୁମାର ଏହାର ପ୍ରତିଷ୍ଠାତା-ସମ୍ପାଦକ ଓ ୨୦୦୭ ମସିହାରେ ଓଡ଼ିଆ ଜନବାଦୀ ଲେଖକ ସଂଘଦ୍ୱାରା ଏହାର ପ୍ରକାଶନ ଆରମ୍ଭ ହୋଇଥିଲା । ନିସାନ୍ରେ ପ୍ରଗତିଶୀଳ ସାହିତ୍ୟ, ବିଶେଷ କରି ଦଳିତ ସାହିତ୍ୟ ଓ ଅନ୍ୟାନ୍ୟ ଜନବାଦୀ ଓଡ଼ିଆ ରଚନା ସ୍ଥାନପାଇଥାଏ । ନିସାନ୍ର ମୌଳିକ ଆଭିମୁଖ୍ୟ ଜନବାଦୀ ଏବଂ ଏହା ଉଭୟ ବ୍ରାହ୍ମଣବାଦ ଓ ଉପନିବେଶବାଦ ବିରୋଧରେ ବୋଲି ସେ ଏକ ସାକ୍ଷାତକାରରେ ଉଲ୍ଲେଖ କରିଥିଲେ । ଦଳିତ ପରିଚୟ ଓ ଚେତନା ସମ୍ବଳିତ ରଚନାକୁ ଓଡ଼ିଆ ସାହିତ୍ୟରେ ବଳବତ୍ତର କରିବାରେ ସକ୍ରିୟ ଭୂମିକା ନିଭାଇଥିବା ଅଖିଳ ନାୟକ, ବାସୁଦେବ ସୁନାନୀ ଓ ଭାରତ ମାଝୀ ଆଦି ସାହିତ୍ୟିକଙ୍କ ରଚନା ନିସାନ୍ ମାଧ୍ୟମରେ ଅଧିକ ପାଠକଙ୍କ ପାଖରେ ପହଞ୍ଚିଛି ବୋଲି ସାମାଜିକବିଦ୍ ଶୈଳେନ ରାଉତରାୟ ଉଲ୍ଲେଖ କରିଛନ୍ତି ।
ବିଶ୍ୱ ଓଜୋନ ଦିବସ ବା ଅନ୍ତଃରାଷ୍ଟ୍ରୀୟ ଓଜୋନ ସ୍ତର ସଂରକ୍ଷଣ ଦିବସ ସାରା ବିଶ୍ୱରେ ପ୍ରତିବର୍ଷ ୧୬ ସେପ୍ଟେମ୍ବର ଦିନ ପାଳିତ ହୁଏ । ୧୯୯୪ ମସିହାରୁ ପାଳିତ ହୋଇ ଆସୁଥିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଲା ବାୟୁ ମଣ୍ଡଳକୁ ଘେରି ରହିଥିବା ଓଜୋନ ସ୍ତରର ସଂରକ୍ଷଣ କରିବା ସହ ଓଜନ ସ୍ତର କ୍ଷୀଣ ହେବା ଜନିତ ସୃଷ୍ଟ ଭୟାବହତା ସଂପର୍କରେ ବିଶ୍ୱବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ।ବାୟୁ ମଣ୍ଡଳରେ ଓଜୋନର ପରିମାଣ କମ ହେଲେ ସୁଦ୍ଧା ବାୟୁମଣ୍ଡଳରେ ଏହାର ଆମ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ବିଭିନ୍ନ କାରଣ ମଧ୍ୟରେ ସୌର-ପବନ ଅନେକ ସମୟରେ ପୃଥିବୀ ଉପରିସ୍ଥ ଓଜୋନ ସ୍ତରର (Ozone-layer) କ୍ଷତି କରିଥାନ୍ତି; ଯଦ୍ୱାରା ଓଜୋନ ସ୍ତର ଦେଇ କ୍ଷତିକାରକ ଅତି ବାଇଗଣୀ ବିକୀରଣ ଭୁପୃଷ୍ଠକୁ ପ୍ରବେଶ କରିଥାଏ । ବାୟୁ ମଣ୍ଡଳରେ ଓଜୋନ ସ୍ତର କମିଯିବା ହେତୁ ଅତିବାଇଗଣୀ ରଶ୍ମୀ ଅଧିକା ହୋଇ ପରଳ କରାଇବାର ସମ୍ଭାବନା ବଢେ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭାଦ୍ୱାରା ନିର୍ମିତ) । ଏହା ଲୋକଙ୍କଦ୍ୱାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
ରେବତୀ ହେଉଛି ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି । ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ଫକୀରମୋହନଙ୍କ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଛି । ୧୮୯୮ ମସିହାରେ ତାଙ୍କ ରଚିତ 'ରେବତୀ' ବହୁତ ଜନପ୍ରିୟତା ଲାଭ କରିଥିଲା ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢ଼ିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଛି ।
ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା ନାମରେ ପାଳନ କରାଯାଏ । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କଦ୍ୱାରା ଏକ ବଡ଼ ସପ୍ତପୁରୀ (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ । ଏହାକୁ ସପ୍ତପୁରୀ ତାଡ଼ ମଧ୍ୟ କୁହାଯାଇଥାଏ ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ଅଭିମନ୍ୟୁ ସାମନ୍ତସିଂହାର (୨୩ ଫେବୃଆରୀ ୧୭୬୦, ଅନ୍ୟମତ ୧୭୫୭ - ୧୫ ଜୁନ ୧୮୦୬) ଯାଜପୁର ଜିଲ୍ଲାର ବାଲିଆଠାରେ ଜନ୍ମିତ ଜଣେ ରୀତିଯୁଗୀୟ ଓଡ଼ିଆ କବି ଓ ଓଡ଼ିଶୀ ସଙ୍ଗୀତକାର ଅଟନ୍ତି। ତରୁଣ ବୟସରେ ସେ ବାଘ ଗୀତ, ଚଢ଼ାଇ ଗୀତ ଆଦି ରଚନା କରି ଓଡ଼ିଆ ଲୋକ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ରାଧାକୃଷ୍ଣ ପ୍ରେମ ସମ୍ପର୍କରେ ସେ ଅନେକ କାବ୍ୟ ରଚନା କରିଛନ୍ତି। ବିଦଗ୍ଧ ଚିନ୍ତାମଣି ତାଙ୍କ ଶ୍ରେଷ୍ଠ କୃତି।
ବିଜୟ ମିଶ୍ର (୧୬ଜୁଲାଇ ୧୯୩୬ - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ । ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ଛ ମାଣ ଆଠ ଗୁଣ୍ଠ ହେଉଛି ଫକୀର ମୋହନ ସେନାପତିଙ୍କର ଲିଖିତ ଉପନ୍ୟାସ। ୧୮୯୭ରେ ପ୍ରଥମେ ଏହା ଧାରାବାହିକ ଭାବରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଫକୀର ମୋହନ ଏହାକୁ ଧୂର୍ଜଟି ଛଦ୍ମନାମରେ ପ୍ରକାଶ କରାଇଥିଲେ। ସେତେବେଳର ସାଧାରଣ ଜୀବନ ଉପରେ ଆଧାରିତ ଏହା ଏକ ବାସ୍ତବଧର୍ମୀ ଉପନ୍ୟାସ ଥିଲା। ଏପରିକି କିଛି ଲୋକ ଏହି କାହାଣୀକୁ ସତ ବୋଲି ମଧ୍ୟ ବିଚାର କରୁଥିଲେ। ୧୯୮୬ରେ ପାର୍ବତୀ ଘୋଷ ଉପନ୍ୟାସକୁ ଆଧାର କରି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ନାୟିକା ଥିଲେ । ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ । ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ, ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ଆୟତ କରିବା ଆଦି କଳାରେ ସେ ପାରଙ୍ଗମ ଥିଲେ ।
କ୍ୟାପ୍ଟେନ ବାନା ସିଂ ପିଭିସି (ଜନ୍ମ ୬ ଜାନୁଆରୀ ୧୯୪୯) ଜଣେ ଭାରତୀୟ ସୈନିକ ଏବଂ ଦେଶର ସର୍ବୋଚ୍ଚ ବୀରତ୍ୱ ପୁରସ୍କାର ପରମ ବୀର ଚକ୍ର ପ୍ରାପ୍ତକର୍ତ୍ତା ଅଟନ୍ତି । ଭାରତୀୟ ସେନାରେ ଜଣେ ନାଏବ ସୁବେଦାର ଭାବରେ ସେ ଦଳର ନେତୃତ୍ୱ ନେଇଥିଲେ ଯାହା "ଅପରେସନ୍ ରାଜୀବ"ର ଏକ ଅଂଶ ଭାବରେ ପାକିସ୍ତାନୀ ସେନା ଠାରୁ କାଶ୍ମୀରର "ସିଆଚେନ୍ ଗ୍ଲାସିୟର"ର ସର୍ବୋଚ୍ଚ ଶିଖରକୁ ନିୟନ୍ତ୍ରଣ କରିଥିଲା । ତାଙ୍କର ଏହି ସଫଳତା ପରେ ଭାରତ ତାଙ୍କ ସମ୍ମାନରେ ଶୀର୍ଷର ନାମ ବଦଳେଇ "ବାନା ପୋଷ୍ଟ" କରିଥିଲା ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ 'ବେଲ' ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।
ଭାରତୀୟ ସଂସ୍କୃତି ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।
ରାଜନୀତି ବିଜ୍ଞାନରେ ବିଭିନ୍ନ ଉପବିଭାଗ ରହିଛି ଯଥା ତୁଳନାତ୍ମକ ରାଜନୀତି, ରାଜନୀତିକ ଅର୍ଥନୀତି, ଅନ୍ତର୍ଜାତୀୟ ସମ୍ପର୍କ, ରାଜନୀତିକ ତତ୍ତ୍ୱ, ସାଧାରଣ ପ୍ରଶାସନ, ଜନନୀତି ଏବଂ ରାଜନୀତିକ ପଦ୍ଧତି । ଅଧିକନ୍ତୁ ରାଜନୀତି ବିଜ୍ଞାନ ଅର୍ଥନୀତି, ଆଇନ, ସମାଜ ବିଜ୍ଞାନ, ଇତିହାସ, ଦର୍ଶନ, ଭୂଗୋଳ, ମନୋବିଜ୍ଞାନ/ମାନସିକ ରୋଗ, ଆନ୍ଥ୍ରୋପୋଲୋଜି ଏବଂ ସ୍ନାୟୁବିଜ୍ଞାନ ସହିତ ଜଡ଼ିତ ଓ ଏବଂ ସେସବୁରୁ ଉଦ୍ଧୃତ ।
ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହାକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହାଯାଏ । ପ୍ରତ୍ୟେକ ବେଦର ନିଜସ୍ୱ ସଂହିତା,ବ୍ରାହ୍ମଣ,ଉପନିଷଦ,ଆରଣ୍ୟକ,ବେଦାଙ୍ଗ ଓ ଉପବେଦ ରହିଛି ।
ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ.
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଟାଇଫସ (ଇଂରାଜୀ ଭାଷାରେ Typhus, ଅନ୍ୟ ନାମ ଟାଇଫସ ଜ୍ୱର/ typhus fever,) ରୋଗସମୂହ ଏକ ସଂକ୍ରାମକ ରୋଗ (infectious diseases) ଦଳ ଯେଉଁଥିରେ ଏପିଡେମିକ ଟାଇଫସ (epidemic typhus), ସ୍କ୍ରବ ଟାଇଫସ (scrub typhus) ଓ ମୁରାଇନ ଟାଇଫସ (murine typhus) ଆଦି ରୋଗ ଅନ୍ତର୍ଭୁକ୍ତ ଥାଆନ୍ତି । ଏହି ସବୁ ରୋଗରେ ସାଧାରଣତଃ ଜ୍ୱର, ମୁଣ୍ଡବଥା ଓ ରାସ ଦେଖାଯାଏ । ସଂସ୍ପର୍ଶରେ ଆସିବାର ଏକରୁ ଦୁଇ ସପ୍ତାହ ପରେ ଏହି ରୋଗ ଆରମ୍ଭ ହୋଇଯାଏ । ଜୀବାଣୁ ସଂକ୍ରମଣ ଯୋଗୁ ଏହି ରୋଗ ହୁଏ । ଏପିଡେମିକ ଟାଇଫସ ରୋଗ ରିକେଟସିଆ ପ୍ରୋୱାଜେକି (Rickettsia prowazekii) ଯୋଗୁ ହୁଏ ଯାହା ଦେହ ଉକୁଣୀ (body lice) ଯୋଗୁ ବ୍ୟାପେ, ସେହିଭଳି ସ୍କ୍ରବ ଟାଇଫସ ରୋଗ ଓରିଏଣ୍ଟିଆ ସୁସୁଗାମୁସି (Orientia tsutsugamushi) ଯୋଗୁ ହୁଏ ଯାହା ଚିଗର (chiggers) ଯୋଗୁ ବ୍ୟାପେ ଓ ମୁରାଇନ ଟାଇଫସ ରୋଗ ରିକେଟସିଆ ଟାଇଫି (Rickettsia typhi) ଯୋଗୁ ହୁଏ ଯାହା ଫ୍ଲି (fleas) ଯୋଗୁ ବ୍ୟାପେ । ବ୍ୟବସାୟୀକ ଭିତ୍ତିରେ ଏହାର କୌଣସି ଟିକା vaccine ନାହିଁ । ଏହି ରୋଗ କରାଉଥିବା ଜୀବାଣୁ ସଂସ୍ପର୍ଶରୁ ଦୂରରେ ରହିଲେ ପ୍ରତିଷେଧ ହୋଇପାରିବ । ଡକ୍ସିସାଇକ୍ଲିନ ଆଣ୍ଟିବାୟୋଟିକ ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ । ଅପରିଚ୍ଛନ୍ନତା ଓ ଅଳ୍ପ ସ୍ଥାନରେ ବହୁତ ଲୋକ ରହିଲେ ଏପିଡେମିକ ଟାଇଫସ ମହାମାରୀ ହେବା ସମ୍ଭାବନା ରହେ । ଏକଦା ଏହି ରୋଗ ଅତି ସାଧାରଣ ଥିଲା କିନ୍ତୁ ଆଜିକାଲି ଏହା କ୍ୱଚିତ ଦେଖାଯାଏ । ଦକ୍ଷିଣପୂର୍ନ ଏସିଆ, ଜାପାନ ଓ ଉତ୍ତର ଅଷ୍ଟ୍ରେଲିଆରେ ସ୍କ୍ରବ ଟାଇଫସ ଦେଖାଯାଏ । ପୃଥିବୀର ଗ୍ରୀଷ୍ମମଣ୍ଡଳୀୟ (tropical) ଓ ଅନୁଗ୍ରୀଷ୍ମମଣ୍ଡଳୀୟ (subtropical) ଇଲାକାରେ ମୁରାଇନ ଟାଇଫସ ଦେଖାଯାଏ ।ସନ ୧୫୨୮ରୁ ଟାଇପସ ରୋଗ ବର୍ଣ୍ଣନା କରାଯାଇଛି । ଟାଇଫସ ରୋଗୀର ମାନସିକ ଅବସ୍ଥାକୁ ଦେଖି ଏହି ରୋଗର ନାମ ପୁରାତନ ଗ୍ରୀକ ଭାଷାରେ ଟାଇଫସ (Greek typhus ବା τύφος) ରଖାଯାଇଥିଲା ଯାହାର ଅର୍ଥ ଧୁଆଁଳିଆ । ଟାଇଫଏଡ ନାମଟି ଟାଇଫସ ଭଳି ଶୁଣାଯାଉଥିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ଅଲଗା ରୋଗ ଭିନ୍ନ ଜୀବାଣୁ ଯୋଗୁ ହୁଏ ।
ପଠାଣି ସାମନ୍ତ ବା ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଓଡ଼ିଶାର ନୟାଗଡ଼ର ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ଜଣେ ଜ୍ୟୋତିର୍ବିଦ ଓ ପଣ୍ଡିତ ଥିଲେ । ଉତ୍କଳର ପୁରପଲ୍ଲୀରେ ସେ ପଠାଣି ସାମନ୍ତ ନାମରେ ସୁପରିଚିତ ।ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ। ତାଙ୍କ ନାମରେ ପଠାଣି ସାମନ୍ତ ପଞ୍ଜିକା ମଧ୍ୟ ପ୍ରଚଳିତ ଯାହା ରାଶି, ଗ୍ରହ, ନକ୍ଷତ୍ର ଆଦିର ଅବସ୍ଥିତିକୁ ନେଇ ଭବିଷ୍ୟତ ଗଣନାରେ ସାହାଯ୍ୟ କରିଥାଏ ।
ମେଜର ସୋମନାଥ ଶର୍ମା (୩୧ ଜାନୁଆରୀ ୧୯୨୩ - ୩ ନଭେମ୍ବର ୧୯୪୭), ଭାରତୀୟ ସେନାର ଜଣେ ଅଧିକାରୀ ଥିଲେ । ସେ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ରର ପ୍ରଥମ ପ୍ରାପ୍ତ ବ୍ୟକ୍ତି ଥିଲେ, ଯାହାକୁ ସେ ମରଣୋତ୍ତର ଭାବେ ପୁରସ୍କୃତ ହୋଇଥିଲେ । ଶର୍ମା ୧୯୪୨ ମସିହାରେ ଅଷ୍ଟମ ବାଟାଲିୟନ, ୧୯ତମ ହାଇଦ୍ରାବାଦ ରେଜିମେଣ୍ଟରେ ଯୋଗ ଦେଇଥିଲେ । ଆରାକାନ ଅଭିଯାନ ୧୯୪୨-୪୩ ସମୟରେ ସେ ବର୍ମାରେ (ଏବେକାର ମିଆନ୍ମାର) କାର୍ଯ୍ୟ କରିଥିଲେ । ଦ୍ବିତୀୟ ବିଶ୍ୱଯୁଦ୍ଧର ଆରାକାନ ଅଭିଯାନ ସମୟରେ ସେ ବର୍ମାରେ କାର୍ଯ୍ୟ କରିଥିଲେ, ଯେଉଁଥିପାଇଁ ସେ ତାଙ୍କର ନାମ ସୁପାରିଶ କରାଯାଇଥିଲା । ୧୯୪୭-୧୯୪୮ ର ଭାରତ-ପାକିସ୍ତାନ ଯୁଦ୍ଧରେ ଲଢୁଥିବା ସୋମନାଥ ଶର୍ମା ୩ ନଭେମ୍ବର ୧୯୪୭ରେ ଶ୍ରୀନଗର ବିମାନବନ୍ଦର ନିକଟରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିବା ସମୟରେ ସହିଦ ହୋଇଥିଲେ । ବଡ଼ଗାମ ଯୁଦ୍ଧରେ ତାଙ୍କର ବୀରତା ଏବଂ ବଳିଦାନ ପାଇଁ ତାଙ୍କୁ ମରଣୋତ୍ତର ପରମବୀର ଚକ୍ର ରେ ସମ୍ମାନିତ କରାଯାଇଥିଲା ।
ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ସନ୍ଥକବି ଭୀମ ଭୋଇ ଭୀମ ଭୋଇ (୧୮୫୦-୧୮୯୫ ) ରେଢ଼ାଖୋଲର ମଧୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ । ତାଙ୍କର ରଚନା ଗୁଡ଼ିକରେ ମାନବ ଧର୍ମ, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି । ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" କବିତା ଅନ୍ୟତମ । ତାଙ୍କ ସମସାମୟିକମାନଙ୍କ କବିତାସବୁ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବିଷୟରେ ହୋଇଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ବହିଗୁଡ଼ିକ ମଧ୍ୟରେ "ସ୍ତୁତିଚିନ୍ତାମଣି", "ହଲିଆ ଗୀତ", "ଡାଲଖାଈ", "ରସରକେଲି", "ଜାଇଫୁଲ", "ବ୍ରହ୍ମ ନିରୂପଣ ଗୀତା", "ଆଦିଅନ୍ତ ଗୀତା", "ଅଷ୍ଟକ ବିହାରୀ ଗୀତା", "ନିର୍ବେଦ ସାଧନା", "ଶ୍ରୁତିନିଷେଧ ଗୀତା", "ମନୁସଭାମଣ୍ଡଳ", "ଗୃହଧର୍ମ" ଓ "ମହିମାବିନୋଦ" । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ସୁରକ୍ଷିତ । ତାଙ୍କ ରଚିତ ବହିଗୁଡ଼ିକ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)
ଫକିର ମୋହନ ସେନାପତିଙ୍କ ଲେଖା ଛ ମାଣ ଆଠ ଗୁଣ୍ଠକୁ ଆଧାର କରି ପାର୍ବତୀ ଘୋଷଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଛ ମାଣ ଆଠ ଗୁଣ୍ଠ - ୧୯୮୬ରେ ମୁକ୍ତିଲାଭ କରିଥିଲା ।
ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ । ପ୍ରତ୍ୟେକ ପର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତୋନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ।
ବୟସର ଅନ୍ତେ ୨୦୨୩ ମସିହାରେ ଓଡ଼ିଆ ଭାଷାରେ ମଞ୍ଚସ୍ଥ ଏକ ନାଟକ । ନାଟ୍ୟକାର ବିଶାଣ ବଳଭଦ୍ର ଶତପଥୀ ଏହି ନାଟକଟି ରଚନା କରିଥିଲେ ଏବଂ ଏହାର ନିର୍ଦ୍ଦେଶନା ଦେଇଥିଲ । ଏହି ନାଟକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମରେଶ ରାଉତରାୟ ଓ ଅନୁ ଚୌଧୁରୀ ।ଓଡ଼ିଆ ୱାନ୍ ଥିଏଟର୍ ଗ୍ରୁପ୍ ଦ୍ୱାରା ନିର୍ମିତ ଏହି ନାଟକି ପ୍ରଥମେ ୨୦୨୩ ମସିହାର ମାର୍ଚ୍ଚ ୨୩ ଓ ୨୪ ତାରିଖରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହୋଇଥିଲା । ପରେ ଏହା ଭୁବନେଶ୍ୱର ଓ ପୁରୀର ବିଭିନ୍ନ ମଞ୍ଚରେ ଅନୁଷ୍ଠିତ ହୋଇଥିଲା ।
ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣି ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ଶିବ ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି ।