ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା ।ପୁରାଣମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ । ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।
ଅକ୍କିନେନି ନାଗାର୍ଜୁନ (ଜନ୍ମ ୨୯ ଅଗଷ୍ଟ ୧୯୫୯) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା, ପ୍ରଜୋଜକ ଏବଂ ଦୂରଦର୍ଶନର ଉପସ୍ଥାପକ । ସେ ମୁଖ୍ୟତଃ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । କିନ୍ତୁ ସେ ଏବେଯାଏ ପାଖାପାଖି ୯୦ଟିରୁ ଅଧିକ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ, ସହକାରୀ ଭୂମିକାରେ ଏବଂ ଅତିଥି କଳାକାର ଭୂମିକାରେ ଅଭିନୟ କରିଛନ୍ତି । ସେ ୯ଟି ରାଜ୍ୟ ନନ୍ଦି ପୁରସ୍କାର, ୩ଟି ଦକ୍ଷିଣ ଫିଲ୍ମଫୟାର ପୁରସ୍କାର ଏବଂ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଥରେ ଏକ ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ । ୧୯୯୬ରେ ମୁକ୍ତିଲାଭ କରିଥିବା ନାଗାର୍ଜୁନଙ୍କ ପ୍ରଜୋଜିତ ଏବଂ ଅଭିନୀତ ଚଳଚ୍ଚିତ୍ର ନିନ୍ନେ ପେଲ୍ଲାଦାତା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସେହି ବର୍ଷର ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର ଘୋଷିତ ହୋଇଥିଲା ।
ଗଣେଶ, ଗଣପତି, ବିନାୟକ ବା ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।ଅନେକ ବିଶେଷତ୍ୱ ମଧ୍ୟରୁ ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସହଜରେ ଚିହ୍ନା ପଡ଼ନ୍ତି । ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହନ କରାଯାଏ । ତାଙ୍କୁ ପଞ୍ଚଦେବତାମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ।
ୱିଲିଅମ୍ ସେକ୍ସପିଅର ଜଣେ ଇଂରେଜ କବି, ନାଟ୍ୟକାର ଓ ଅଭିନେତା ଥିଲେ । ଇଂରାଜୀ ଭାଷାର ଶ୍ରେଷ୍ଠତମ ଲେଖକ ଭାବେ ସେ ପରିଗଣିତ । "ବାର୍ଡ୍ ଅଫ୍ ଏଭୋନ୍" (ଏଭୋନର ଗୀତି କବି) ନାମରେ ପ୍ରସିଦ୍ଧ ଏହି ମହାକବିଙ୍କୁ ଇଂଲଣ୍ଡର ଜାତୀୟ କବି ବୋଲି ମଧ୍ୟ ଗ୍ରହଣ କରାଯାଏ । ତାଙ୍କ ରଚନା ସବୁ ମଧ୍ୟରେ ୩୮ଟି ନାଟକ, ୧୫୪ ସନେଟ, ଦୁଇଟି ଦୀର୍ଘ କବିତା ଓ କେତୋଟି କ୍ଷୁଦ୍ର ଧାଡି କବିତା ଅନ୍ତର୍ଭୁକ୍ତ । ତାଙ୍କ ନାଟକ ସବୁ ଅନେକ ଭାଷାରେ ଅନୂଦିତ ହୋଇଛି ।
ନୂଆଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହି ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପାଳନ ପରଦିନ "ନୂଆଖାଇ ବାସି" ପାଳନ ହୁଏ ଓ ଏହିଦିନ ବଳକା ନୂଆନ୍ନ, କ୍ଷୀରି-ପିଠା ଖିଆହେବା ସହ ମାଂସ ରନ୍ଧାଯାଇଥାଏ । ବାସି ପରଦିନ "ତିଆସି" ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ମାଂସ ସମେତ ବିଭିନ୍ନ ଖାଦ୍ୟ ଓ ମଦ ଖିଆପିଆ ଓ ପାରମ୍ପାରିକ ଖେଳ (ଯଥା ଡୁଡୁ, ଖୋଖୋ, ବାଡ଼ି-ଖିଚା, କୁସ୍ତି) ଖେଳି ସମୟ ଅତିବାହିତ କରିଥାନ୍ତି ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ପୁଷ୍କରା (୨୦୨୩ର ଓଡ଼ିଆ କଥାଚିତ୍ର)
ପୁଷ୍କରା ୨୦୨୩ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା । ଶଙ୍କର ତ୍ରିପାଠୀ ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି, ଚିତ୍ତ ପଟ୍ଟନାୟକ ଓ ଜନ୍ମେଜୟ ସିଂହ । ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାସ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବିଭୂତି ଭୂଷଣ ଗଡ଼ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଗୀତା ମେହେଟ୍ଟା (୧୯୪୩ - ୧୬ ସେପ୍ଟେମ୍ବର ୨୦୨୩) ଜଣେ ଭାରତୀୟ ଲେଖିକା, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତ୍ରୀ ଓ ସାମ୍ବାଦିକା ଥିଲେ । ସେ ସ୍ୱାଧୀନତା ସଂଗ୍ରାମୀ ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ । ତାଙ୍କ ସାନ ଭାଇ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଓ ଭାରତ ଏବଂ ଇଂଲଣ୍ଡର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ, ନିଜର ଶିକ୍ଷା ଗ୍ରହଣ କରିଥିଲେ । ୨୦୧୯ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ବଛାଯାଇଥିଲା କିନ୍ତୁ ଏହି ପୁରସ୍କାର ଆଗତ ନିର୍ବାଚନକୁ ପ୍ରଭାବିତ କରିପାରେ ଭାବି, ସେ ଏହାକୁ ପ୍ରତ୍ୟାଖାନ କରିଥିଲେ ।ଗୀତା ଇଂଲଣ୍ଡ, ୟୁରୋପ ଏବଂ ଆମେରିକା ପାଇଁ ୧୪ଟି ଦୂରଦର୍ଶନ ପ୍ରାମାଣିକ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ । ୧୯୭୦-୧୯୭୧ ମସିହା ମଧ୍ୟରେ ସେ ଆମେରିକା ଦୂରଦର୍ଶନ ଏନ ବି ସି ପାଇଁ ଯୁଦ୍ଧସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଚଳଚ୍ଚିତ୍ର 'କମ୍ପାଇଲେସନ ଅଫ ଦି ବାଙ୍ଗଲାଦେଶ ରିଭୋଲୁସନ, ଡେଡଲାଇନ ବାଙ୍ଗଲାଦେଶ, ଉଭୟ ଭାରତ ଏବଂ ବିଦେଶର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା । ଆଲଫ୍ରେଡ ଏ.
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଫ୍ଲାଇଂ ଅଫିସର ନିର୍ମଳଜୀତ ସିଂହ ଶେଖୋଁ, ପିଭିସି (୧୭ ଜୁଲାଇ ୧୯୪୫ - ୧୪ ଡିସେମ୍ବର ୧୯୭୧) ଭାରତୀୟ ବାୟୁସେନାର ଜଣେ ଅଧିକାରୀ ଥିଲେ । ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ବାୟୁସେନା (ପିଏଏଫ୍) ଏୟାର ଷ୍ଟ୍ରାଇକ୍ ବିରୋଧରେ ଶ୍ରୀନଗର ଏୟାରବେସ୍ ର ଏକମାତ୍ର ପ୍ରତିରକ୍ଷା ପାଇଁ ତାଙ୍କୁ ମରଣୋତ୍ତର ଭାବେ ଯୁଦ୍ଧ ସମୟରେ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ସେ ହେଉଛନ୍ତି ଭାରତୀୟ ବାୟୁସେନାର ଏକମାତ୍ର ସଦସ୍ୟ ଯିଏ ପରମବୀର ଚକ୍ରରେ ସମ୍ମାନିତ ହୋଇଛନ୍ତି ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣି ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହାକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହାଯାଏ । ପ୍ରତ୍ୟେକ ବେଦର ନିଜସ୍ୱ ସଂହିତା,ବ୍ରାହ୍ମଣ,ଉପନିଷଦ,ଆରଣ୍ୟକ,ବେଦାଙ୍ଗ ଓ ଉପବେଦ ରହିଛି ।
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ନଈ ସେପାରୀ କନକ ଗୋରୀ, ୨୦୧୩ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ମହାନ୍ତି । ଅନନ୍ୟା ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଅଧିନରେ ଏହି ଚଳଚ୍ଚିତ୍ରଟିର ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଅଜୟ ମହାନ୍ତି ଏବଂ ସଂଳାପ ରଚନା କରିଥିଲେ ଦେବ ପ୍ରସାଦ ଦାସ । ପଙ୍କଜ ପାଢ଼ୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ନରେନ୍ଦ୍ର ଦାମୋଦରଦାସ ମୋଦୀ (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୦) ଭାରତର ୧୫ମ ପ୍ରଧାନମନ୍ତ୍ରୀ । ସେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ। ସେ ୨୦୧୪ ଲୋକ ସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ ଏବଂ ଉତ୍ତର ପ୍ରଦେଶ ଓ ଗୁଜରାଟରୁ ଯଥାକ୍ରମେ ବାରଣାସୀ ଓ ଭଦୋଦରାରୁ ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ନେତା ଲାଲ କୃଷ୍ଣ ଆଡ଼ଭାନୀଙ୍କଦ୍ୱାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା । ୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସ୍ତଫା ଦେବାପରେ ସେ ମୂଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନ ସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ । ସେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ବିବାଦୀୟ ବ୍ୟକ୍ତି। ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ସେ ସ୍ୱେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହିଥିବା ସୈନିକମାନଙ୍କୁ ସେବା ଯୋଗାଇ ଦେଇଥିଲେ। ୧୯୬୭ରେ ସେ ଗୁଜରାଟରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଭରି ରହିଥିଲା ଏବଂ ସେ ଲୋକମାନଙ୍କର ଭାବାବେଗକୁ ଭଲ ଭାବରେ ବୁଝିପାରୁଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଯୋଗ ଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗୁଜରାଟର ବିଭିନ୍ନ ସାମାଜିକ-ରାଜନୈତିକ ଘଟଣାଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଚନ୍ଦ୍ରଯାନ-୩ (ସଂସ୍କୃତ: चन्द्रयान-3) ହେଉଛି ଭାରତୀୟ ମହାକାଶ ଗବେଷଣା ସଂଗଠନ, ଇସ୍ରୋଦ୍ୱାରା ତୃତୀୟ ଚନ୍ଦ୍ର ଅନୁସନ୍ଧାନ ଅଭିଯାନ । ଏଥିରେ ଚନ୍ଦ୍ରଯାନ-୨ ଭଳି ଲ୍ୟାଣ୍ଡର ଓ ରୋଭର ରହିଥିଲେ ହେଁ ଏଥିରେ ପରିକ୍ରମଣକାରୀ (ଅର୍ବିଟର) ନାହିଁ । ଏହାର ପ୍ରୋପଲ୍ସନ୍ ମଡ୍ୟୁଲ୍ ଏକ ଯୋଗାଯୋଗ ରିଲେ ସାଟେଲାଇଟ୍ ଭଳି ଆଚରଣ କରେ । ମହାକାଶଯାନ ୧୦୦ କିଲୋମିଟର ଚନ୍ଦ୍ର କକ୍ଷପଥରେ ରହିବା ପର୍ଯ୍ୟନ୍ତ ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଏବଂ ରୋଭର ବହନ କରିଥାଏ ।ଚନ୍ଦ୍ରଯାନ-୨ ପରେ ସଫ୍ଟ ଲ୍ୟାଣ୍ଡିଂ ଗାଇଡେନ୍ସ ସଫ୍ଟୱେୟାରରେ ଶେଷ ମୁହୂର୍ତ୍ତରେ ସଫ୍ଟ ଲ୍ୟାଣ୍ଡିଂ ଗାଇଡେନ୍ସ ସଫ୍ଟୱେୟାରରେ ତ୍ରୁଟି ଯୋଗୁଁ ସଫଳ କକ୍ଷପଥ ପ୍ରବେଶ ପରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ପ୍ରୟାସ ବିଫଳ ହେବା ପରେ ଆଉ ଏକ ଚନ୍ଦ୍ର ଅଭିଯାନ ପ୍ରସ୍ତାବ ଦିଆଯାଇଥିଲା। ଏହି ଅଭିଯାନକ୍ରମେ ୨୦୨୪ ମସିହାରେ ଜହ୍ନର ଦକ୍ଷିଣ ମେରୁରେ ରୋଭର (ଚନ୍ଦ୍ର ଉପରେ ବୁଲାବୁଲି କରି ତାହାର ମାଟିର ନମୁନା ସଂଗ୍ରହ କରିବା) ଏବଂ ଏକ ଲ୍ୟାଣ୍ଡର (ଚନ୍ଦ୍ର ଉପରେ ଓଲ୍ହାଇବା) ପଠାଯାଇ ନିରୀକ୍ଷଣ କରାଯିବ ।ଏହି ଅଭିଯାନଟି ନୂତନ ଭୂମି ଅନୁଧ୍ୟାନ ସହିତ ଜଡ଼ିତ କଳାକୌଶଳ ଯଥା ଯାନ ପରିବହନ ଏବଂ କିଛି ଶହ କିଲୋଗ୍ରାମ ଓଜନର ଆସବାବପତ୍ର ସହିତ ମେରୁ ସ୍ଥାନରେ କିପରି ଦୀର୍ଘସ୍ଥାୟୀ ରାତ୍ରଯାପନ ହୋଇପାରିବ ତାହା ଉପରେ ଅଧିକ ଅନୁଧ୍ୟାନ କରିବ । ସମ୍ଭାବିତ ପାଣିର ଖୋଜା, ନମୁନା ସଂଗ୍ରହ ଏବଂ ତଦନ୍ତ ମୁଖ୍ୟତଃ ଏହି ଅଭିଯାନର ଲକ୍ଷ୍ୟ ହୋଇପାରେ । ଅନ୍ୟାନ୍ୟ ଅନ୍ତରୀକ୍ଷ ସଂସ୍ଥାଗୁଡ଼ିକରୁ ପେଲୋଡ ବା ଆସବାବପତ୍ର ନେବାକୁ ପ୍ରସ୍ତାବ ଦିଆଯିବ ।୧୪ ଜୁଲାଇ ୨୦୨୩ ତାରିଖରେ ଚନ୍ଦ୍ରଯାନ-୩କୁ ସଫଳତାର ସହିତ ଏଲଭିଏମ୩ ଏମ୪ ରକେଟଦ୍ୱାରା କକ୍ଷପଥରେ ସ୍ଥାପନ କରାଯାଇଥିଲା । ଲ୍ୟାଣ୍ଡର ଓ ରୋଭର ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳ ନିକଟରେ ଅବତରଣ କରିଥିଲେ। ୨୩ ଅଗଷ୍ଟ ୨୦୨୩, ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ପ୍ରାୟ ୫ଟା ୪୫ ମିନିଟ୍ ରେ ଏହି ଅବତରଣ ଘଟିଥିଲା ଏବଂ ସେହି ଦିନ ସନ୍ଧ୍ୟା ପ୍ରାୟ ୬.୦୨ ମିନିଟ୍ ରେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରିଥିଲା, ଯାହା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ସଫଳତାର ସହ ମହାକାଶଯାନ ଅବତରଣ କରିବାରେ ପ୍ରଥମ ଦେଶ ଏବଂ ଚନ୍ଦ୍ରରେ ଧୀର ଅବତରଣ (soft landing) କରିଥିବା ଚତୁର୍ଥ ଦେଶ ଥିଲା।
ବିଜୟ ମିଶ୍ର (୧୬ଜୁଲାଇ ୧୯୩୬ - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ । ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ଖୁଦୁରୁକୁଣୀ ଓଷା ଓଡ଼ିଶାର ଏକ ପାରମ୍ପାରିକ ଓଷା । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହାକୁ କୁଆଁରୀ ଓଡ଼ିଆ ଝିଅମାନେ ପାଳନ କରିଥାନ୍ତି । ଏଥିରେ ଖୁଦୁରୁକୁଣୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣୀଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି।
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଅଧା ପ୍ରକୃତିକ ଓ ଅଧା ମଣିଷଦ୍ୱାରା ତିଆରି ଯାହାର ଐତିହାସିକ, ପୁରାତନ ତତ୍ତ୍ୱ ଓ ଧାର୍ମିକ ଗୁରୁତ୍ତ୍ୱ ରହିଛି । ଏହା ଓଡ଼ିଶାର ଭୁବନେଶ୍ୱରଠାରେ ଅବସ୍ଥିତ । ଗୁମ୍ଫାଗୁଡିକ ଦୁଇଟି ପାହାଡ଼ ଉଦୟଗିରି ଓ ଖଣ୍ଡଗିରିରେ ରହିଛି ଯାହା ହାତୀଗୁମ୍ଫାର ଶିଳାଲେଖରେ କୁମାରୀ ପର୍ବତ ନାମରେ ମଧ୍ୟ ଜଣା ଓ ଏହି ଦୁଇ ପାହାଡ଼ ଉଭୟଙ୍କ ଆଡକୁ ମୁଁହାଇ ରାସ୍ତାର ଦୁଇ ପାଖରେ ଅଛନ୍ତି ।ଖଣ୍ଡଗିରିରେ ୧୫ଟି ଗୁମ୍ଫା ଥିବାବେଳେ ଉଦୟଗିରିରେ ୧୮ଟି ଗୁମ୍ଫା ରହିଛି । ହାତୀ ଗୁମ୍ଫା ନିକଟରେ ବାରଭୁଜା ଦେବୀଙ୍କର ଏକ ମନ୍ଦିର ଅଛି।
ଆର୍ଯ୍ୟଭଟ୍ଟ (ସନ ୪୭୬– ସନ ୫୫୦) ହେଉଛନ୍ତି ଜଣେ ମହାନ ଭାରତୀୟ ଗଣିତଜ୍ଞ ଓ ଖଗୋଳ ବିଜ୍ଞାନୀ । ଆର୍ଯ୍ୟଭଟୀୟ(ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିବା ବେଳେ ସନ ୪୯୯ରେ ରଚିତ) ଓ ଆର୍ଯ୍ୟ-ସିଦ୍ଧାନ୍ତ ହେଉଛି ତାଙ୍କର ମହାନ କୃତି । ସେ ମୁଖ୍ୟତଃ ଗଣିତ ଓ ଖଗୋଳ ବିଜ୍ଞାନ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ; ଯାହା ମଧ୍ୟରେ "ପାଇ"ର ଆସନ୍ନ ମାନ ନିରୂପଣ ଅନ୍ୟତମ।
ମେଜର ଶୈତାନ ସିଂ ଭାଟି, ପିଭିସି (୧ ଡିସେମ୍ବର ୧୯୨୪ - ୧୮ ନଭେମ୍ବର ୧୯୬୨) ଜଣେ ଭାରତୀୟ ସେନା ଅଧିକାରୀ ଥିଲେ ଏବଂ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ର ପ୍ରାପ୍ତ କରିଥିଲେ । ସେ ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ । ସ୍ନାତକ ଶେଷ କରିବା ପରେ ସିଂହ ଯୋଧପୁର ଷ୍ଟେଟ୍ ଫୋର୍ସରେ ଯୋଗ ଦେଇଥିଲେ। ଯୋଧପୁର ରାଜ୍ୟ କୁ ଭାରତରେ ମିଶ୍ରଣ ହେବା ପରେ ତାଙ୍କୁ କୁମାଉଁ ରେଜିମେଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା । ସେ ନାଗା ପାହାଡ ଏବଂ ୧୯୬୧ ମସିହାରେ ଗୋଆକୁ ଭାରତୀୟ ଅକ୍ତିଆର କରିବାରେ ଅପରେସନରେ ଅଂଶଗ୍ରହଣ କରିଥିଲେ ।
ଜଗତର ନାଥ ଶ୍ରୀ ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ମଣିପୁର ଏବଂ ତ୍ରିପୁରା ତଥା ବଙ୍ଗଳାଦେଶରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଟାଇଫଏଡ ଜ୍ୱର ବା ଟାଇଫଏଡ ବା ଆନ୍ତ୍ରିକ ଜ୍ୱର ବା ଅନ୍ତ୍ର ଜ୍ୱର ଭାବରେ ପରିଚିତ, (ଇଂରାଜୀରେ Typhoid fever, ବା typhoid), ସାଲମୋନେଲା ଟାଇଫି ନାମକ ଜୀବାଣୁ ସଂକ୍ରମଣଦ୍ୱାରା ହୁଏ । ଏହି ରୋଗ ଅନ୍ୟ ରୋଗୀ ସଂସ୍ପର୍ଶର ଆସିବାର ୬ରୁ ୩୦ ଦିନ ପରେ ଆରମ୍ଭ ହୁଏ ଓ ମଧ୍ୟମ ବା ଗମ୍ଭୀର ଧରଣର ହୋଇପାରେ । ଏହି ଜ୍ୱର କିଛି ଦିନ ଧରି ହୁଏ ଓ ଧୀରେ ଧୀରେ ବଢ଼ିଚାଲେ । ଏହି ରୋଗରେ ସାଧାରଣତଃ ଦୁର୍ବଳ ଲାଗେ, ପେଟରେ କଷ୍ଟ ହୁଏ, କୋଷ୍ଠକାଠିନ୍ୟ ଓ ମୁଣ୍ଡବଥା ହୁଏ । ତରଳ ଝାଡ଼ା ଓ ବାନ୍ତି ସାଧାରଣତଃ ହୁଏ । କେତେକ ଲୋକଙ୍କର ଚର୍ମରେ ଗୋଲାପୀ ରାସ ଦେଖାଯାଏ । ରୋଗ ଗମ୍ଭୀର ହେଲେ ବିଚଳିତ ହେବା ଦେଖାଯାଏ । ଚିକିତ୍ସିତ ନ ହେଲେ ସପ୍ତାହ ସପ୍ତାହ ଓ ମାସ ମାସ ଧରି ରୋଗ ଲାଗିରହେ । କେତେକ ଲୋକ ଦେହରେ ଜୀବାଣୁ ଥାଏ କିନ୍ତୁ ସେମାନଙ୍କୁ ରୋଗ ହୁଏ ନାହିଁ; ସେମାନଙ୍କୁ କ୍ୟାରିଅର କୁହାଯାଏ ଓ ତାଙ୍କର ଅନ୍ୟକୁ ସଂକ୍ରମିତ କରିବା ଶକ୍ତି ଥାଏ । ପାରାଟାଇଫଏଡ ଜ୍ୱର ଭଳି ଟାଇଫଏଡ ଜ୍ୱର ଏକ ପ୍ରକାର ଆନ୍ତ୍ରିକ ଜ୍ୱର । ଟାଇଫଏଡ ରୋଗ ସାଲମୋନେଲା ଟାଇଫି ବା ସାଲମୋନେଲା ଏଣ୍ଟେରିକା ସେରୋଟାଇପ ଟାଇଫି ଜୀବାଣୁଦ୍ୱାରା ହୁଏ ଓ ଏହି ଜୀବାଣୁ ଅନ୍ତନଳୀ ଓ ରକ୍ତରେ ବଢ଼େ । ସଂକ୍ରମିତ ବ୍ୟକ୍ତିର ମଳ ସହିତ ଅପମିଶ୍ରିତ ଖାଦ୍ୟ ବା ପାନୀୟ ଗ୍ରହଣ କଲେ ଏହି ରୋଗ ବ୍ୟାପେ । ସଙ୍କଟ କାରକଙ୍କର ନାମ: ଦରିଦ୍ର ପରିଚ୍ଛନ୍ନତା, ଓ ଦରିଦ୍ର ସ୍ୱାସ୍ଥ୍ୟରକ୍ଷା । ବିକାଶଶୀଳ ଦେଶମାନଙ୍କୁ ଗଲେ ଏହି ସଙ୍କଟ ରହେ । ଜୀବମାନଙ୍କ ମଧ୍ୟରେ କେବଳ ମାନବକୁ ଏହି ରୋଗ ହୁଏ । ଜୀବାଣୁ କଲଚର କରି ଓ ରକ୍ତ, ମଳ ବା ଅସ୍ଥିମଜ୍ଜାରେ ତାହାର ଡିଏନଏ ମିଳିଲେ ରୋଗ ନିର୍ଣ୍ଣୟ ହୁଏ । ଜୀବାଣୁ କଲଚର କଷ୍ଟସାଧ୍ୟ ଅଟେ । ଅସ୍ଥିମଜ୍ଜା ପରୀକ୍ଷା ନିର୍ଣ୍ଣୟାତ୍ମକ । ଏହାର ଲକ୍ଷଣ ଅନ୍ୟାନ୍ୟ ସଂକ୍ରାମକ ରୋଗ ସହିତ ପ୍ରାୟ ସମାନ । ଟାଇଫସ ଏକ ଅଲଗା ରୋଗ । ଟାଇଫଏଦ ଟିକାଦ୍ୱାରା ପ୍ରାୟ ୫୦ରୁ ୭୦ % ରୋଗ ପ୍ରତିଷେଧ ହୋଇପାରେ । ସାତ ବର୍ଷ ପର୍ଯ୍ୟନ୍ତ ଏହି ଟିକା କାର୍ଯ୍ୟକାରୀ ହୁଏ । ରୋଗ ସଙ୍କଟାପନ୍ନ ଲୋକକୁ ବା ରୋଗ ଯେଉଁଠାରେ ସାଧାରଣତଃ ହୁଏ, ସେହି ସ୍ଥାନକୁ ଯାଉଥିବା ଲୋକକୁ ଟିକା ଦିଆଯାଏ । ଏହି ରୋଗରୁ ରକ୍ଷା ପାଇବା ନିମନ୍ତେ ବିଶୁଦ୍ଧ ପାନୀୟ ଜଳ ପିଇବା, ଉନ୍ନତ ପରିଚ୍ଛନ୍ନତା ଓ ଉତ୍ତମ ହାତଧୁଆ ଆବଶ୍ୟକ । ନିଧାର୍ଯ୍ୟ ଭାବରେ ରୋଗ ନ ଥିବା ଜଣାପଡ଼ିବା ପର୍ଯ୍ୟନ୍ତ ସଂକ୍ରମିତ ବ୍ୟକ୍ତି କାହାନିନ୍ତେ ଖାଦ୍ୟ ପ୍ରସ୍ତୁତ କରିବା ଅନୁଚିତ । ଆଜିଥ୍ରୋମାଇସିନ, ଫ୍ଲୋରୋକୁଇନୋଲିନ ବା ତୃତୀୟ ପିଢ଼ି ସେଫାଲୋସ୍ପୋରିନ ଭଳି ଆଣ୍ଟିବାୟୋଟିକ ଦିଆଯାଏ । କେତେକ ଆଣ୍ଟିବାୟୋଟିକ ପ୍ରତି ଜୀବାଣୁ ପ୍ରତିରୋଧ ହେବାରୁ ଚିକିତ୍ସା କଷ୍ଟସାଧ୍ୟ ହେଉଛି । ସନ ୨୦୧୦ରେ ୨୭ ନିୟୁତ କେଶ ରିପୋର୍ତ ହୋଇଥିଲା । ଏହି ରୋଗ ଭାରତରେ ଅତି ସାଧାରଣ ଓ ପିଲାମାନଙ୍କୁ ଅଧିକ ହୁଏ । ପରିମଳ ଓ ଆଣ୍ଟିବାୟୋଟିକ ଯୋଗୁ ବିକଶିତ ଦେଶମାନଙ୍କରେ ସନ ୧୯୪୦ରେ ଏହି ରୋଗ ହାର କମିଯାଇଥିଲା । ଆମେରିକାରେ ବାର୍ଷିକ ୬,୦୦୦ ଲୋକ ରୋଗାକ୍ରାନ୍ତ ହୁଅନ୍ତି ଓ ୪୦୦ କେଶ ରିପୋର୍ଟ ହୁଏ । ସନ୧୯୯୦ରେ ୧୮୧,୦୦୦ ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ରେ ଏହା କମିଯାଏ ୧୬୧,୦୦୦ ମୃତ୍ୟୁ (ପୃଥିବୀର ୦.୩ %) ହୋଇଥିଲା । ବିନା ଚିକିତ୍ସାରେ ମୃତ୍ୟୁ ସଙ୍କଟ ୨୫ % ରହୁଥିବାବେଳେ ଉପଯୁକ୍ତ ଚିକିତ୍ସାରେ ଏହି ହାର ମାତ୍ରା ୧ରୁ ୪ % ହୁଏ । ଟାଇଫସ ରୋଗ ଲକ୍ଷଣ ସାଥୀରେ ସାମଞ୍ଜସ୍ୟ ଥିବାରୁ ଏହାର ନାମ ଟାଇଫଏଡ ହୋଇଛି ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ପ୍ରାଧିକରଣ । ଏହା ପୃଥିବୀର ଛଅଟି ବଡ଼ ସରକାରୀ ମହାକାଶ ପ୍ରାଧିକରଣ ମଧ୍ୟରୁ ଅନ୍ୟତମ ଯଥା: ଆମେରିକାର ନାସା (NASA), ଋଷିଆର RKA, ଇଉରୋପର ଇସା (ESA), ଚୀନର ସିନସଏ (CNSA) ଓ ଜାପାନର JAXA । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା - ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ ।ଏହା ୧୯୬୯ରେ ପ୍ରତିଷ୍ଠା ହୋଇଥିଲା । ଭାରତୀୟ ରାଷ୍ଟ୍ରୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସମିତି (INCOSPAR) ବଦଳରେ ସ୍ଥାପିତ ହୋଇଥିଲା । ଇସ୍ରୋ ମୁଖ୍ୟ କାର୍ଯାଳୟ ବାଙ୍ଗାଲୋରଠାରେ ଅବସ୍ଥିତ । ଏହା ଭାରତ ସରକାରଙ୍କ ମହାକାଶ ବିଭାଗ ଅନ୍ତର୍ଗତ ଅଟେ, ଯାହାକି ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଅଛି । ଇସ୍ରୋକୁ ପ୍ରତିଷ୍ଠା କରିବାରେ ଡକ୍ଟର ବିକ୍ରମ ଅମ୍ବାଲାଲ୍ ସରାଭାଇଙ୍କର ଉଲ୍ଲେଖନୀୟ ଯୋଗଦାନ ଓ ଆପ୍ରାଣ ପ୍ରଚେଷ୍ଟା ଯୋଁଗୁ ତାଙ୍କୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବୋଲି କୁହାଯାଏ ।
ରେବତୀ ହେଉଛି ଓଡ଼ିଆ ଗାଳ୍ପିକ ଫକୀର ମୋହନ ସେନାପତିଙ୍କଦ୍ୱାରା ଲିଖିତ ଏବଂ ୧୮୯୮ ମସିହାରେ ପ୍ରକାଶିତ ଏକ କ୍ଷୁଦ୍ରଗଳ୍ପ । ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଭାବେ ଏହାର ମାନ୍ୟତା ରହିଛି । ଲଛମନିଆ ଫକୀରମୋହନଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ହୋଇଥିଲେ ହେଁ ଏହା ଦୁଷ୍ପ୍ରାପ୍ୟ ଥିବାରୁ ଫକୀରମୋହନଙ୍କ ରେବତୀ ହିଁ ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭ କରିଛି । ୧୮୯୮ ମସିହାରେ ତାଙ୍କ ରଚିତ 'ରେବତୀ' ବହୁତ ଜନପ୍ରିୟତା ଲାଭ କରିଥିଲା ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢ଼ିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା’ର ଅଧ୍ୟୟନକୁ ଦାୟୀ କରାଯାଇଛି । ଗଳ୍ପଟିରେ କଥାବସ୍ତୁକୁ ଜୀବନ୍ତ ଭାବେ ଚିତ୍ରିତ କରାଯାଇଛି ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ପୁଷ୍କର (ସଂସ୍କୃତ: पुष्कर) ମହାଭାରତରେ ବର୍ଣ୍ଣନା କରାଯାଇଥିବା ନିଶାଦର ରାଜା ନଳଙ୍କର ସାନ ଭାଇ । ଅସୁର କାଳୀଙ୍କ ସହିତ ମିଶି ସେ ଷଡ଼ଯନ୍ତ୍ର କରି ନଳଙ୍କୁ ପରାସ୍ତ କରି ତାଙ୍କୁ ରାଜ୍ୟ ଓ ଧନସମ୍ପତ୍ତିରୁ ବାସନ୍ଦ କରିଥିଲେ । ପରେ ନଳ ତାଙ୍କୁ ପରାସ୍ତ କରି ରାଜା ଭାବନକୁ ଫେଇଥିଲେ ଏବଂ ରାଜା ହୋଇଥିଲେ । ନଳ ତାଙ୍କ ଭାଇଙ୍କୁ ତାଙ୍କ ଷଡ଼ଯନ୍ତ୍ର ଓ ତାଙ୍କ ପତ୍ନୀ ଦମୟନ୍ତୀଙ୍କ ପ୍ରତି ଥିବା କାମନା ସତ୍ତ୍ୱେ ତାଙ୍କୁ କ୍ଷମା କରିଥିଲେ ଏବଂ ଉଭୟ ଭାଇଙ୍କ ମଧ୍ୟରେ ଶାନ୍ତି ସ୍ଥାପନ ହୋଇଥିଲା ।
ବାଘ ବା ବ୍ୟାଘ୍ର (ଈଂରାଜୀରେ Tiger, ସାନ୍ତାଳୀରେ ᱛᱟᱹᱨᱩᱵ, ସମ୍ବଲପୁରୀରେ ବାଘ୍, ହିନ୍ଦୀରେ बाघ, ଜୀବବିଜ୍ଞାନ ନାମ Panthera tigris) ବିରାଡି ପ୍ରଜାତିର ସର୍ବବୃହତ ଜୀବପ୍ରଜାତି । ଏହାର ଈଷତ୍ ହଳଦିିଆ ବା କମଳା ରଙ୍ଗର ଚମଡ଼ାରେ କଳା ରଙ୍ଗର ପଟା ପଟା ଦାଗ ଥାଏ ଓ ପେଟଟି ଧଳା ରଙ୍ଗର ହୋଇଥାଏ । ବାଘ, ସିଂହ, କଲରାପତରିଆ ବାଘ, ଜାଗୁଆର ଓ ହିମ କଲରାପତ୍ରିଆ ବାଘ ଇତ୍ୟାଦି ଜୀବ ପାନ୍ଥେରା ପ୍ରଜାତି ଭାବେ ପରିଗଣିତ ହୋଇଥାନ୍ତି । ବାଘ ନିଜ ପରିବାସର ଖାଦ୍ୟଶୃଙ୍ଖଳର ସର୍ବୋଚ୍ଚତମ ମାଂସାସୀ ଜୀବ । ଗୋରୁ ଓ ହରିଣ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏହାର ମୁଖ୍ୟ ଶିକାର । ବାଘମାନେ ମୁଖ୍ୟତଃ ଏକାକୀ ଜୀବନଯାପନ କରନ୍ତି, କେବଳ କେତେକ ପରିସ୍ଥିତିରେ କିଛି ବାଘମାନଙ୍କୁ ଏକାଠି ମିଳିମିଶି ରହୁଥିବା ଦେଖାଯାଏ । ବାଘମାନେ ସାଧାରଣତଃ ନିଜର ଏକ ଶିକାର କ୍ଷେତ୍ର ନିର୍ଦ୍ଧାରଣ କରି ତାହାର ନିୟନ୍ତ୍ରଣ କରନ୍ତି । ଶିକାରର ଚାହିଦା ମେଣ୍ଟାଇ ପାରୁଥିବା ଏକ ବିରାଟ ଅଞ୍ଚଳକୁ ସାଧାରଣତଃ ବାଘମାନେ ନିଜର ପରିବାସ ବା ଶିକାର କ୍ଷେତ୍ର ରୂପେ ଚୟନ କରିଥାନ୍ତି । ଅନେକ କାରଣରୁ ପୃଥିବୀର କେତେକ ଦେଶରେ ମନୁଷ୍ୟ ଓ ବାଘ ମୁହାଁମୁହିଁ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।
ପ୍ରଦୂଷଣ ହେଉଛି ପ୍ରାକୃତିକ ପରିବେଶରେ ପ୍ରଦୂଷକ ପଦାର୍ଥର ପରିଚୟ, ଯାହା ସ୍ୱାଭାବିକ ପ୍ରକୃତିରେ ପ୍ରତିକୂଳ ପରିବର୍ତ୍ତନ ଆଣିଥାଏ । ପ୍ରଦୂଷଣ ରାସାୟନିକ ପଦାର୍ଥ ବା ଶକ୍ତିର ରୂପ ନେଇପାରେ, ଯେପରିକି ଶବ୍ଦ, ଉତ୍ତାପ କିମ୍ବା ଆଲୋକ । ପ୍ରଦୂଷଣ, ପ୍ରଦୂଷଣର ଉପାଦାନ, ବିଦେଶୀ ପଦାର୍ଥ/ଶକ୍ତି କିମ୍ବା ପ୍ରାକୃତିକ ଭାବରେ ଘଟୁଥିବା ପ୍ରଦୂଷକ ହୋଇପାରେ । ପ୍ରଦୂଷଣ ପ୍ରାୟତଃ ଏକ ନିର୍ଦ୍ଧିଷ୍ଟ ଉତ୍ସ କିମ୍ବା ବହୁ ଉତ୍ସଜନିତ ପ୍ରଦୂଷଣ ଭାବରେ ଶ୍ରେଣୀଭୁକ୍ତ ହୋଇଥାଏ । ୨୦୧୫ରେ, ପ୍ରଦୂଷଣରେ ବିଶ୍ୱରେ ୯ ନିୟୁତ ଲୋକ ପ୍ରାଣ ହରାଇଥିଲେ। ପ୍ରଦୂଷଣର ମୁଖ୍ୟ ରୂପଗୁଡ଼ିକ ହେଲା: ବାୟୁ ପ୍ରଦୂଷଣ, ଆଲୋକ ପ୍ରଦୂଷଣ, ଆବର୍ଜନାର ଦୁରୁପବ୍ୟବହାର, ଶବ୍ଦ ପ୍ରଦୂଷଣ, ପ୍ଲାଷ୍ଟିକ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ, ରେଡିଓଆକ୍ଟିଭ୍ ପ୍ରଦୂଷଣ, ତାପଜ ପ୍ରଦୂଷଣ, ଦୃଷ୍ଟି ପ୍ରଦୂଷଣ ଏବଂ ଜଳ ପ୍ରଦୂଷଣ ।
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ସନ୍ଥକବି ଭୀମ ଭୋଇ ଭୀମ ଭୋଇ (୧୮୫୦-୧୮୯୫ ) ରେଢ଼ାଖୋଲର ମଧୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ । ତାଙ୍କର ରଚନା ଗୁଡ଼ିକରେ ମାନବ ଧର୍ମ, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି । ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" କବିତା ଅନ୍ୟତମ । ତାଙ୍କ ସମସାମୟିକମାନଙ୍କ କବିତାସବୁ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବିଷୟରେ ହୋଇଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ବହିଗୁଡ଼ିକ ମଧ୍ୟରେ "ସ୍ତୁତିଚିନ୍ତାମଣି", "ହଲିଆ ଗୀତ", "ଡାଲଖାଈ", "ରସରକେଲି", "ଜାଇଫୁଲ", "ବ୍ରହ୍ମ ନିରୂପଣ ଗୀତା", "ଆଦିଅନ୍ତ ଗୀତା", "ଅଷ୍ଟକ ବିହାରୀ ଗୀତା", "ନିର୍ବେଦ ସାଧନା", "ଶ୍ରୁତିନିଷେଧ ଗୀତା", "ମନୁସଭାମଣ୍ଡଳ", "ଗୃହଧର୍ମ" ଓ "ମହିମାବିନୋଦ" । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ସୁରକ୍ଷିତ । ତାଙ୍କ ରଚିତ ବହିଗୁଡ଼ିକ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧ - ୨୩ ଅଗଷ୍ଟ ୧୯୩୮) ଜଣେ ଓଡ଼ିଆ କବି ଥିଲେ । ତାଙ୍କର ଜନ୍ମ ବସ୍ତର ଦେଶୀୟ ରାଜ୍ୟରେ ହୋଇଥିଲା । ବସ୍ତର ଓଡ଼ିଆଭାଷୀ ଅଞ୍ଚଳ । ହେଲେ ତାହା ଓଡ଼ିଶାରେ ନାହିଁ । ତାଙ୍କ ପିତା ଦାନିଏଲ୍ ସାବତ ଜଣେ ଡାକ୍ତର ହିସାବରେ ବ୍ରହ୍ମଦେଶରେ ରହୁଥିଲେ । ଏକାଧାରରେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । କୁନ୍ତଳା ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
ଗୋଲୋକ ବିହାରୀ ଧଳ (୧୫ ଡିସେମ୍ବର ୧୯୨୧- ୨୪ ଜୁନ ୧୯୭୪) ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଜଣେ ଭାଷାତତ୍ତ୍ୱବିତ, ପ୍ରଫେସର, ଧ୍ୱନି ତତ୍ତ୍ୱବିତ୍, ଅନୁବାଦକ, ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ଜଣେ ପ୍ରାବନ୍ଧିକ ଭାବେ ସେ ବିଭିନ୍ନ ଗଠନମୂଳକ ମୂକ୍ୟବୋଧ ତଥା ଓଡ଼ିଶାର ସମାଜ, ଶିକ୍ଷା, ସଂସ୍କୃତି ଓ ପରମ୍ପରା ଉପରେ ପ୍ରବନ୍ଧମାନ ରଚନା କରୁଥିଲେ । ଭାରତର ଜାତୀୟ ଜୀବନର ତ୍ରୁଟିବିଚ୍ୟୁତି ଉପରେ ତାଙ୍କର କିଛି ପ୍ରବନ୍ଧ ରଚିତ । ତାଙ୍କ ପ୍ରବନ୍ଧମାନ ସରଳ, ସଂକ୍ଷିପ୍ତ ଓ ଇଙ୍ଗିତଧର୍ମୀ ।
ହିମାଳୟ ପର୍ବତଶ୍ରେଣୀ ବା ହିମାଳୟ ପର୍ବତମାଳା ବା କେବଳ ହିମାଳୟ (ଇଂରାଜୀରେ Himalayas) ଏସିଆ ମହାଦେଶର ଏକ ପର୍ବତଶ୍ରେଣୀ ଯାହା ଭାରତୀୟ ଉପମହାଦେଶ ଓ ତିବ୍ବତୀୟ ମାଳଭୂମି ମଧ୍ୟରେ ଅବସ୍ଥିତ । ପୃଥିବୀର ଅନେକ ଉଚ୍ଚ ଗିରିଶୃଙ୍ଗ ଏହି ପର୍ବତମାଳାର ଅଂଶବିଶେଷ । ତନ୍ମଧ୍ୟରୁ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ୍ ଅନ୍ୟତମ । ହିମାଳୟ ପର୍ବତମାଳାରେ ୫୦ରୁ ଅଧିକ ପର୍ବତ ରହିଛି ଯାହାର ସମୁଦ୍ରପତନରୁ ଉଚ୍ଚତା ୭୨୦୦ ମିଟର୍ ବା ତତୋଧିକ । ୮୦୦୦ ମିଟର୍ରୁ ଉଚ୍ଚ ୧୪ଟି ଶୃଙ୍ଗ ମଧ୍ୟରୁ ୧୦ଟି ହିମାଳୟରେ ରହିଛି । ଏସିଆ ବାହାରେ ରହିଥିବା ସର୍ବୋଚ୍ଚ ଗିରିଶୃଙ୍ଗ ହେଉଛି ଆଣ୍ଡିଜ୍ ପର୍ବତମାଳାର ଆକାଙ୍କାଗୁଆ (୬୯୬୧ ମିଟର୍) ।ଭାରତୀୟ ପ୍ଲେଟ୍ ସଞ୍ଚାଳିତ ହୋଇ ୟୁରେସିଆ ପ୍ଲେଟ୍ ସହିତ ଧକ୍କା ହେବା ପରେ ଦୁଇଟି ପ୍ଲେଟ୍ ଯଥାକ୍ରମେ ନିମ୍ନ ଓ ଉର୍ଦ୍ଧ୍ୱଗାମୀ ହେଲେ ଓ ସେଥିରୁ ହିମାଳୟ ସୃଷ୍ଟି ହୋଇଥିଲା । ହିମାଳୟ ପର୍ବତମାଳା ପଶ୍ଚିମ-ଉତ୍ତରପଶ୍ଚିମ ଓ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୨୪୦୦ କିଲୋମିଟର୍ ବ୍ୟାପ୍ତ ଏକ ବିଶାଳ ତୋରଣ ପରି । ହିମାଳୟର ପଶ୍ଚିମସୀମା ହେଉଛି “ନଙ୍ଗା ପର୍ବତ”, ଯାହା ସିନ୍ଧୁ ନଦୀର ଉତ୍ତରତମ ବାଙ୍କର ଠିକ୍ ଦକ୍ଷିଣପଟକୁ ଅବସ୍ଥିତ । ହିମାଳୟର ପୂର୍ବ ସୀମା “ନାମ୍ଚା ବରୁଆ” ୟାର୍ଲୁଂ ତ୍ସାଂଗପୋ ନଦୀର (ନିଜର ଉପରମୁଣ୍ଡରେ ବ୍ରହ୍ମପୁତ୍ର ନଦୀ ଏହି ନାମରେ ଜଣାଶୁଣା) ବଡ଼ ବାଙ୍କର ଠିକ୍ ପଶ୍ଚିମ ପଟକୁ ରହିଛି । ହିମାଳୟର ଉତ୍ତର-ପୂର୍ବ ଦିଗକୁ କାରାକୋରମ୍ ଓ ହିନ୍ଦୁକୁଶ ପର୍ବତଶ୍ରେଣୀ ରହିଛନ୍ତି । ୫୦-୬୦ କିଲୋମିଟର୍ ପ୍ରସ୍ଥ ବିଶିଷ୍ଟ “ଇଣ୍ଡସ୍-ତ୍ସାଙ୍ଗପୋ ସୁଚ୍ୟର୍” ନାମକ ଟେକ୍ଟୋନିକ୍ ଉପତ୍ୟକା ହିମାଳୟର ଉତ୍ତରାଂଶକୁ ତିବ୍ବତୀୟ ମାଳଭୂମିଠାରୁ ବିଚ୍ଛିନ୍ନ କରୁଛି । ହିମାଳୟ ବଳୟର ଦକ୍ଷିଣ ପଟକୁ ଗାଙ୍ଗେୟ ସମତଳ ଭୂମି ଅବସ୍ଥିତ । ପଶ୍ଚିମ ପାକିସ୍ତାନରେ ହିମାଳୟ ପର୍ବତଶ୍ରେଣୀର ପ୍ରସ୍ଥ ୩୫୦ କି.ମି. ହୋଇଥିବା ବେଳେ ପୂର୍ବରେ (ଅରୁଣାଚଳ ପ୍ରଦେଶ) ଏହାର ପ୍ରସ୍ଥ ପ୍ରାୟ ୧୫୦ କି.ମି.
ସାବିତ୍ରୀ ବାଇ ଖାନୋଲକର (ଜନ୍ମ ନାମ: ଇଭ ୟୋନେ ମାଦୟ ଦେ ମାରୋସ୍, ୨୦ ଜୁଲାଇ ୧୯୧୩ - ୨୬ ନଭେମ୍ବର ୧୯୯୦) ଜଣେ ସ୍ୱିସ୍ ଜନ୍ମିତ ଭାରତୀୟ ଡିଜାଇନର ଥିଲେ, ଯିଏ କି ଯୁଦ୍ଧ ସମୟରେ ଉଲ୍ଲେଖନୀୟ ବୀରତ୍ୱ ପ୍ରଦର୍ଶନ ପାଇଁ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ରର ଡିଜାଇନ୍ ପାଇଁ ଜଣାଶୁଣା ଥିଲେ । ଅଶୋକ ଚକ୍ର, ମହାବୀର ଚକ୍ର, କୀର୍ତ୍ତି ଚକ୍ର, ବୀର ଚକ୍ର ଏବଂ ଶୌର୍ଯ୍ୟ ଚକ୍ର ଭଳି ଅନେକ ପ୍ରମୁଖ ବୀରତା ପଦକ ରଚନା କରିଥିଲେ। ସେ ଜେନେରାଲ ସର୍ଭିସ ମେଡାଲ ୧୯୪୭ ମଧ୍ୟ ଡିଜାଇନ୍ କରିଥିଲେ, ଯାହା୧୯୬୫ ପର୍ଯ୍ୟନ୍ତ ବ୍ୟବହୃତ ହେଉଥିଲା । ଖାନୋଲକର ଜଣେ ଚିତ୍ରଶିଳ୍ପୀ ଓ କଳାକାର ଥିଲେ ।
ବାଲି ତୃତୀୟା ବ୍ରତ , ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଏ । ବିବାହିତା ନାରୀମାନେ ସ୍ୱାମୀଙ୍କ ଦୀର୍ଘ, ନିରାମୟ ଜୀବନ କାମନା କରି ଏହି ବ୍ରତ ରଖିଥାନ୍ତି । କେତେକ ସ୍ଥାନରେ ଅବିବାହିତା ଝିଅମାନେ ମଧ୍ୟ ସର୍ବଗୁଣସମ୍ପନ୍ନ ପତି କାମନା କରି ଏହି ବ୍ରତ ପାଳନ କରନ୍ତି । ଅତି ନିଷ୍ଠାର ସହ ତୃତୀୟା ଦିନ ସୂର୍ଯ୍ୟୋଦୟଠାରୁ ଚତୁର୍ଥୀ ଦିନ ପ୍ରତ୍ୟୁଷ ପର୍ଯ୍ୟନ୍ତ ଉପବାସ ରହିବାକୁ ହୁଏ । ଜଳସ୍ପର୍ଶ ନିଷେଧ, ଏପରିକି ଛେପ ଢୋକିବାକୁ ମଧ୍ୟ ବାରଣ କରାଯାଏ । ଏହି ବ୍ରତର ଆରାଧ୍ୟ ଦେବତା ହେଉଛନ୍ତି ମହାଦେବ । ମହାଦେବ ଯେପରି ଆଶୁତୋଷ ସେମିତି ବି ରୁଦ୍ର । ତେଣୁ ଏହି ବ୍ରତକୁ ନିଷ୍ଠାର ସହ ପାଳନ କଲେ ଅନେକ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି । ମା' ପାର୍ବତୀ ମୃତ୍ୟୁଞ୍ଜୟୀ ଶିବଙ୍କୁ ପତି ରୂପେ ପାଇବା ପାଇଁ କୈଳାସ ପର୍ବତରେ କଠୋର ତପ କରିଥିଲେ । ପାର୍ବତୀଙ୍କ ତପସ୍ୟାରେ ଶିବ ସନ୍ତୁଷ୍ଟ ହୋଇଥିଲେ । ତେଣୁ ବିବାହିତା ନାରୀମାନେ ବାଲି ତୃତୀୟା ଦିନ ସକାଳେ ନଦୀ ବା ପୁଷ୍କରିଣୀରେ ସ୍ନାନ କରନ୍ତି । ପୁଣି ଥରେ ଅପରାହ୍ଣରେ ସ୍ନାନ କରି ପାଣିରେ ବୁଡି ସାତ ମୁଠା ବାଲି ଆଣନ୍ତି । ସେଥିରେ ଜଳାଶୟ କୂଳରେ ଶିବ ଲିଙ୍ଗ ବା ବାଲୁଙ୍କା ପୂଜା କରନ୍ତି । ପରଦିନ ସ୍ନାନ ସମୟରେ ବାଲୁଙ୍କା ବିସର୍ଜନ କରାଯାଏ । ନୂତନ ବସ୍ତ୍ର ପରିଧାନ ପୂର୍ବକ ଚତୁର୍ଥୀ ଦିନ ବ୍ରତ ଉଦ୍ଯାପନ କରାଯାଏ ।
ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। । "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।। ଅଶୋକ ଖ୍ରୀ.
ସୁବେଦାର ଯୋଗିନ୍ଦର ସିଂ ସାହନାନ, ପିଭିସି (୨୬ ସେପ୍ଟେମ୍ବର ୧୯୨୧ - ୨୩ ଅକ୍ଟୋବର ୧୯୬୨) ଜଣେ ଭାରତୀୟ ସେନା ସୈନିକ ଥିଲେ ଯିଏ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ସାମରିକ ବୀରତା ପୁରସ୍କାର ପରମବୀର ଚକ୍ର ପାଇଥିଲେ । ୧୯୩୬ ମସିହାରେ ବ୍ରିଟିଶ ଭାରତୀୟ ସେନାରେ ଯୋଗ ଦେଇ ଶିଖ୍ ରେଜିମେଣ୍ଟର ପ୍ରଥମ ବାଟାଲିୟନରେ କାର୍ଯ୍ୟ କରିଥିଲେ । ୧୯୬୨ ଚୀନ-ଭାରତ ଯୁଦ୍ଧ ସମୟରେ ସେ ଉତ୍ତର-ପୂର୍ବ ସୀମାନ୍ତ ଏଜେନ୍ସିର ବମ୍ ଲା ପାସ୍ ରେ ଏକ ପ୍ଲାଟୁନ୍ କମାଣ୍ଡ କରୁଥିଲେ। ଯଦିଓ ତାଙ୍କ ସଂଖ୍ୟା ଅଧିକ ଥିଲା, ତଥାପି ସେ ସାହସିକତାର ସହ ଚୀନ୍ ଆକ୍ରମଣ ବିରୋଧରେ ତାଙ୍କ ସୈନ୍ୟମାନଙ୍କୁ ନେତୃତ୍ୱ ଦେଇଥିଲେ ଏବଂ ଆହତ ଏବଂ ଧରାପଡ଼ିବା ପର୍ଯ୍ୟନ୍ତ ତାଙ୍କ ପୋଷ୍ଟକୁ ରକ୍ଷା କରିଥିଲେ। ଚାଇନା ହେପାଜତରେ ଥିବା ବେଳେ ସିଂହଙ୍କ ମୃତ୍ୟୁ ଘଟିଥିଲା । ସେ ଏକାକୀ ୫୦ରୁ ଅଧିକ ଚୀନ୍ ସୈନିକଙ୍କୁ ହତ୍ୟା କରିବା ସହ ଭାରତୀୟ ସଶସ୍ତ୍ର ବାହିନୀରେ ଯୁଦ୍ଧ ନାୟକ ପାଲଟିଥିଲେ ।
ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକା
ଅନୁସୂଚିତ ଜନଜାତି ନିର୍ଦ୍ଦିଷ୍ଟ ଜନଜାତି ଯେଉଁମାନେ ସେ ସ୍ଥାନର ମୂଳ ଅଧିବାସୀ, ଯେଉଁଥି ପାଇଁ ସେମାନେ ଆଦିବାସୀ ଭାବରେ ମଧ୍ୟ ପରିଚିତ । ଭାରତରେ, ଭାରତୀୟ ଗଣତନ୍ତ୍ରର ସମ୍ବିଧାନଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନୁସୂଚିତ ଜନଜାତି ମଧ୍ୟରୁ ୬୨ ପ୍ରକାର ଅନୁସୂଚିତ ଜନଜାତି ଓଡ଼ିଶାରେ ବସବାସ କରନ୍ତି । ଏହି ୬୨ଟି ଜନଜାତି ମଧ୍ୟରୁ ୧୩ଟି ଜନଜାତି "ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ" ଶ୍ରେଣୀରେ ଅନ୍ତର୍ଭୁକ୍ତ । ଆଦିବାସୀମାନେ ଓଡ଼ିଶାର ମୋଟ ଜନସଂଖ୍ୟାର ୨୨.୫%ରୁ ଅଧିକ (ସମୁଦାୟ ୮,୧୪୫,୦୮୧) ଏବଂ ଭାରତର ମୋଟ ଆଦିବାସୀ ଜନସଂଖ୍ୟାର ୯.୭% ଅଟନ୍ତି ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ବିଶ୍ୱଜିତ ଦାସ (୧୯୩୬-୨୦୦୪) ଜଣେ ଖ୍ୟାତନାମା ଓଡ଼ିଆ ନାଟ୍ୟକାର ଥିଲେ । ସେ ପ୍ରିୟତମା ଓ ନିଝୁମ ରାତିର ସାଥୀ କଥାଚିତ୍ରର ନିର୍ଦ୍ଦେଶନା ଦେବା ସହ ଗୌରୀ, ନାଗଫାସ, ଅହଲ୍ୟା, କାବେରୀ ଓ ତୁଣ୍ଡବାଇଦ ଆଦି କଥାଚିତ୍ରର ସଂଳାପ ରଚନା କରିଥିଲେ । ଏଥି ସହିତ ସେ କେତୋଟି ବିଦେଶୀ ଭାଷାର ନାଟକକୁ ଓଡ଼ିଆରେ ଅନୁବାଦ ମଧ୍ୟ କରିଥିଲେ । ୧୯୬୪ ମସିହାରେ 'ସଂକେତ' ନାମକ ଏକ ନାଟ୍ୟ ଅନୁଷ୍ଠାନ ଗଠନ କରିଥିଲେ ।
ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଡାଇନୋସର ଗୁଡ଼ିକ ହେଉଛନ୍ତି ଡାଇନୋସୋରିଆ Cladeର ଏକ ବିବିଧ ପ୍ରାଣୀ ପ୍ରଜାତି । ସେମାନେ ପ୍ରଥମେ ଟ୍ରାଇଆସିକ (Triassic) ଯୁଗରେ ଦେଖାଯାଉଥିଲେ , ପାଖାପାଖି ୨୩୦ ନିୟୁତ ବର୍ଷ ପୂର୍ବେ । ଜୁରାସିକ ଯୁଗର ଆରମ୍ଭରୁ (୨୦୦ ନିୟୁତ ବର୍ଷ ପୂର୍ବେ), କ୍ରେଟାସିଅସ ଯୁଗର ଶେଷ ପର୍ଯ୍ୟନ୍ତ (୬୫.୫ ନିୟୁତ ବର୍ଷ ପୂର୍ବେ) ସେମାନେ ସବୁଠାରୁ ପ୍ରଭାବଶାଳି ସ୍ଥଳଚର ଥିଲେ । Cretaceous-Paleogene extinction event ଯୋଗୁଁ ମେସୋଜୋଇକ ଯୁଗର ଶେଷ ବେଳକୁ ଅଧିକାଂଶ ଅଧିକାଂଶ ଡାଇନୋସର ପ୍ରଜାତି ବିଲୁପ୍ତ ହୋଇସାରିଥିଲେ । ଜୀବାଶ୍ମ ରେକଡ଼ ଅନୁଧ୍ୟାନରୁ ଜଣାଯାଏ ଯେ, ପକ୍ଷୀମାନଙ୍କର ଉଦ୍ଭବ ଜୁରାସିକ ଯୁଗରେ ଥେରୋପୋଡ଼ (theropod) ଡାଇନୋସରମାନଙ୍କଠାରୁ ହୋଇଥିଲା ଏବଂ ଆଧୁନିକ ଶ୍ରେଣୀବଭାଗ ବ୍ୟବସ୍ଥାରେ ସେମାନଙ୍କୁ ଡାଇନୋସରମାନଙ୍କ ଏକ ଉପ-ବିଭାଗର ମାନ୍ୟତା ଦିଆଯାଇଥାଏ । କିଛି ପକ୍ଷୀ ୬୫ ନିୟୁତ ବର୍ଷ ପୂର୍ବେ ହୋଇଥିବା ଏହି ବିଲୁପ୍ତ ପ୍ରକ୍ରିୟାରୁ ବର୍ତ୍ତି ଯାଇଥିଲେ ଓ ସେମାନଙ୍କ ବଂଶଧରମାନେ ଡାଇନୋସରଙ୍କ ପିଢୀକୁ ଆଜି ପର୍ଯ୍ୟନ୍ତ ନେଇ ଆସିଛନ୍ତି ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ନିତ୍ୟାନନ୍ଦ ମହାପାତ୍ର ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଏବଂ ଓଡ଼ିଆ ଔପନ୍ୟାସିକ ଥିଲେ । ସେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୭-୭୧ରେ ସେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱାଧିନ ସ୍ୱତନ୍ତ୍ର ଜନ କଂଗ୍ରେସ ଶାସନ ସମୟରେ ସେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଥିଲେ । ସେ ଥରେ ଜନ କଂଗ୍ରେସରୁ ଓ ଦୁଇଥର ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବ୍ରିଟିଶ ଶାସନ ବିରୁଦ୍ଧରେ ଆନ୍ଦୋଳନ କରି ସେ ତିନିଥର କାରାବରଣ କରିଥିଲେ । ସେ ୧୧ ଖଣ୍ଡ ଉପନ୍ୟାସ, ୪ ଖଣ୍ଡ ଗଳ୍ପ ସଙ୍କଳନ ଓ ଏକାଧିକ କବିତା ସଙ୍କଳନ ରଚନା କରିଥିଲେ ।
ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩) ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
ଲ୍ୟୁଟେନାଣ୍ଟ କର୍ଣ୍ଣେଲ ଅର୍ଦଶିର ବୁର୍ଜୋରଜୀ ତାରାପୋର, ପବୀଚ (୧୮ ଅଗଷ୍ଟ ୧୯୨୩ - ୧୬ ସେପ୍ଟେମ୍ବର ୧୯୬୫) ଭାରତୀୟ ସେନାର ଜଣେ ଅଧିକାରୀ ଥିଲେ ଏବଂ ସାହସିକତା ପାଇଁ ଭାରତର ସର୍ବୋଚ୍ଚ ପୁରସ୍କାର ପରମବୀର ଚକ୍ର ପାଇଥିଲେ । ପୁନାରେ ପାଠପଢ଼ା ସାରି ସେ ହାଇଦ୍ରାବାଦ ସେନାରେ ଯୋଗ ଦେଇଥିଲେ ଏବଂ ଜାନୁଆରୀ ୧୯୪୨ରେ ନିଯୁକ୍ତି ପାଇଥିଲେ । ଆରମ୍ଭରେ ସେ ପଦାତିକ ବାହିନୀରେ ଯୋଗ ଦେଇଥିଲେ ହେଁ ପରେ ତାଙ୍କୁ ପ୍ରଥମ ହାଇଦ୍ରାବାଦ ଇମ୍ପେରିଆଲ୍ ସର୍ଭିସ୍ ଲାନ୍ସର୍ସ ନାମକ ଏକ ସୁରକ୍ଷା ରେଜିମେଣ୍ଟକୁ ବଦଳି କରାଯାଇଥିଲା । ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ତାରାପୁରରେ ମଧ୍ୟପ୍ରାଚ୍ୟରେ କାର୍ଯ୍ୟା କରିଥିଲେ ।
ଭାରତୀୟ ସଂସ୍କୃତି ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।
ଅଭିଶପ୍ତ ଗନ୍ଧର୍ବ ମହାପାତ୍ର ନୀଳମଣି ସାହୁଙ୍କ ରଚିତ ଏକ ଗପ ସଙ୍କଳନ । ଏହା ୧୯୮୧ମସିହାରେ ପ୍ରକାଶ ପାଇଥିଲା ଓ କଥାକାର ମହାପାତ୍ର ନୀଳମଣି ସାହୁଙ୍କୁ ଏଥି ପାଇଁ ୧୯୮୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପୁସ୍ତକଟି ଅନ୍ୟ ଭାରତୀୟ ଭାଷା ଓ ଇଂରାଜୀକୁ ମଧ୍ୟ ଅନୁବାଦିତ ହୋଇଛି ।ପୁସ୍ତକଟିରେ ୯ଟି ଗଳ୍ପ ସହିତ, ଲେଖକଙ୍କର ଆତ୍ମକଥାତ୍ମକ ଲେଖାଟିଏ ସ୍ଥାନ ପାଇଥିଲା । ସମସ୍ତଗପରେ ଲେଖକଙ୍କ ହିଁ ମୁଖ୍ୟ ଚରିତ୍ର ଭାବରେ ରହିଥିଲେ ।
ବିଶ୍ୱନାଥ କର (ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା) - (୧୮୬୪ - ୧୯୩୪) ଜଣେ ଓଡ଼ିଆ ସମାଜ ସଂସ୍କାରକ, ସଂପାଦକ, ପ୍ରାବନ୍ଧକ, ବାଗ୍ମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ 'ଉତ୍କଳ ସାହିତ୍ୟ' ପତ୍ରିକାର ସମ୍ପାଦକ ଥିଲେ । ସେ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ଓ ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ ସେ "ରାୟ ବାହାଦୁର" ଉପାଧୀ ପ୍ରାପ୍ତ ହୋଇ ତାହାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ 'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେ । 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
ଚନ୍ଦ୍ରଯାନ-୨ ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଥିଲା । ଚନ୍ଦ୍ରଯାନ-୧ର ସଫଳତା ପରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋଦ୍ୱାରା ଏହି ମିଶନର ପରିକଳ୍ପନା କରାଯାଇଥିଲା । ଚନ୍ଦ୍ରଯାନ-୨ ଅଭିଯାନରେ ଇସ୍ରୋକୁ ୯୫ ପ୍ରତିଶତ ସଫଳତା ମିଳିଥିଲା ।ଏହାର ପୂର୍ବବର୍ତ୍ତୀ ଅଭିଯାନ ଚନ୍ଦ୍ରଯାନ-୧ ପରି ଚନ୍ଦ୍ରଯାନ-୨ ସାଇଣ୍ଟିଫିକ୍ ପେଲୋଡ୍ ସହିତ ଏକ ମୁନ୍-ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରିଥିଲା । ଯୋଜନା ମୁତାବକ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପରେ, ପ୍ରଜ୍ଞାନ ରୋଭରକୁ ନେଇ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଏକ ଅପେକ୍ଷାକୃତ ଉଚ୍ଚ ମଇଦାନରେ ଅବତରଣ କରିବାକୁ ଚେଷ୍ଟା କରିଥିଲା । ଚନ୍ଦ୍ର ଭୂମିପୃଷ୍ଠକୁ ଅବତରଣ କରିବାବେଳେ ବିକ୍ରମ ଲ୍ୟାଣ୍ଡରଟି ନିର୍ଦ୍ଧାରିତ କକ୍ଷପଥରୁ ବିଚ୍ୟୁତ ହୋଇଥିଲା ଏବଂ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚତାରେ ଥିବା ସମୟରେ ଇସ୍ରୋ ସହ ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ଅର୍ବିଟର ଜରିଆରେ ପ୍ରାପ୍ତ ଥର୍ମାଲ୍ ଅପଟିକାଲ ଚିତ୍ରକୁ ଅନୁଧ୍ୟାନ କରି ବିକ୍ରମ ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଙ୍ଗ୍ କରିଛି ବୋଲି ବୋଲି ଇସ୍ରୋ ମୂଖ୍ୟ କେ.