ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଆଜ୍ମା ଗୋଟିଏ ଅତି ସାଧାରଣ ଦୀର୍ଘସ୍ଥାୟୀ ରୋଗ ଯେଉଁଥିରେ ଶ୍ୱାସନଳୀର ପ୍ରଦାହ ହୁଏ ।. ଏହାକୁ ଭୁଲରେ ଅନେକ ଆସ୍ଥମା ବୋଲି କହନ୍ତି କିନ୍ତୁ ଏହାର ପ୍ରକୃତ ଉଚ୍ଚାରଣ ଆଜ୍ମା (Azma) । ଏହା ଏକ ଗ୍ରୀକ ଭାଷାର ଶବ୍ଦ ଯାହାର ଅର୍ଥ ପାଣ୍ଟିଙ୍ଗ (Panting) ବା ପରିଶ୍ରମ ପରେ ହେଉଥିବା ଛୋଟ ଛୋଟ ଦୃତ ଶ୍ୱାସ କ୍ରିୟା । ଓଡ଼ିଆ ଭାଷାରେ ଏହି ରୋଗକୁ 'ଶ୍ୱାସ' ଓ 'ଦମା' ନାମ ମଧ୍ୟ ଦିଆଯାଇଛି । ଏହି ରୋଗରେ ଶ୍ୱାସ ନଳୀ ପ୍ରଦାହ ହୋଇ ପୁନଃପୌନିକ ଲକ୍ଷଣ ପ୍ରକାଶ ହୁଏ, ଶ୍ୱାସ ନଳୀର ଅସ୍ଥାୟୀ ସଙ୍କୋଚନ ହେତୁ ବାୟୁ ପ୍ରବାହ ବାଧା ପ୍ରାପ୍ତ ହୁଏ । ଏହାର ବିଭିନ୍ନ ଲକ୍ଷଣ ଗୁଡ଼ିକ: ଶ୍ୱାସ କ୍ରିୟା ବେଳେ ହୁଇଜ୍(ହୁଇସିଲ୍ ଶବ୍ଦ) ଶବ୍ଦ ଶୁଣାଯିବା, କାଶ, ଛାତି ଚିପିହେବା ଭଳି ଲାଗିବା ଓ ଛୋଟ ଶ୍ୱାସକ୍ରିୟା, ଛୋଟ ପ୍ରଶ୍ୱାସ ସହ ଦୀର୍ଘ ନିଶ୍ୱାସ ଛାଡ଼ିବା । ଏହି ଲକ୍ଷଣଗୁଡ଼ିକ ଦିନରେ ବା ସପ୍ତାହରେ କିଛି ଥାର ଦେଖାଯାଏ ।. ରାତିରେ ଓ ବ୍ୟାୟାମ କଲାବେଳେ ଏହି ରୋଗ ଅଧିକ ହୋଇପାରେ ।ଜେନେଟିକ୍ ଓ ପରିବେଶ ଦ୍ୱୟର ମିଶ୍ରିତ ପ୍ରଭାବ ଯୋଗୁ ଆଜ୍ମା ହେବା ବିଶ୍ୱାସ କରାଯାଉଛି । ବାୟୁମଣ୍ଡଳୀୟ କାରକ ମଧ୍ୟରେ ବାୟୁ ପ୍ରଦୂଷଣ ଓ ଆଲର୍ଜେନର ଭୂମିକା ଅଛି ।.
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ଓଡ଼ିଶାରେ ଫଗୁ ଦଶମୀରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ । ଏହାର ଗୁରୁତ୍ୱ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ । ପୃଥିବୀରେ ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ। ଦ୍ୱାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ ଶତାନନ୍ଦଙ୍କ ରଚିତ ଶତାନନ୍ଦ ସଂଗ୍ରହରେ ଦୋଳଯାତ୍ରା ସଂପର୍କରେ ବିଭିନ୍ନ ବର୍ଣ୍ଣନାରୁ ସ୍ପଷ୍ଟ ଅନୁମିତ ହୁଏ ଯେ ଅତି କମରେ ଦୀର୍ଘ ଆଠଶହ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳିତ ହୋଇ ଆସୁଛି । ସାଧାରଣତଃ ଏହି ଯାତ୍ରା ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇ ରଜଦୋଳ ବା ପଞ୍ଚୁଦୋଳ ନାମରେ ନାମିତ ହୋଇଥାଏ । କେତେକ ସ୍ଥାନରେ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚଦୋଳ ଭାବେ ଯାତ୍ରା ପାଳନ କରାଯିବାବେଳେ ଆଉ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ । ଯେଉଁ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ, ସେଠାରେ ଛଅଦୋଳ ଏବଂ ଯେଉଁଠି ନଅଦିନ ପର୍ଯ୍ୟନ୍ତ ପାଳନ କରାଯାଇପାରେ ସେଠାରେ ଏହାକୁ ନବଦୋଳ ବୋଲି କୁହାଯାଏ। ଅନେକ ସ୍ଥାନରେ ସାତଦିନ ଓ ଦଶଦିନ ଧରି ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।
ଗ୍ରେଟ୍ ବ୍ରିଟେନ୍ ଓ ଉତ୍ତର ଆୟାର୍ଲ୍ଯାଣ୍ଡ୍ର ଯୁକ୍ତରାଜ୍ୟ, ବା ସାଧାରଣ ଭାବେ ଯୁକ୍ତରାଜ୍ୟ ଇଉରୋପୀୟ ମୂଳ ଭୂଖଣ୍ଡର ପଶ୍ଚିମ ଉପକୂଳରେ ଅବସ୍ଥିତ ଏକ ସାର୍ବଭୌମ ରାଷ୍ଟ୍ର ବା ରାଷ୍ଟ୍ରସଂଘ । ଯୁକ୍ତରାଜ୍ୟ ମଧ୍ୟରେ ଗ୍ରେଟ ବ୍ରିଟେନ ଦ୍ୱୀପ, ଆୟରଲ୍ୟାଣ୍ଡ ଦ୍ୱୀପର ଉତ୍ତରପୂର୍ବ ଭାଗ ଏବଂ ଅନେକ ଛୋଟ ଦ୍ୱୀପ ଅନ୍ତର୍ଭୁକ୍ତ । ଉତ୍ତର ଆୟରଲ୍ୟାଣ୍ଡ୍ ଓ ଆୟରଲ୍ୟାାଣ୍ଡ୍ ସାଧାରଣତନ୍ତ୍ର ମଝିରେ ସ୍ଥଳ ସୀମା ରହିଛି । ଏହାଛଡ଼ା ଯୁକ୍ତରାଜ୍ୟକୁ ଆଟଲାଣ୍ଟିକ ମହାସାଗର ଘେରିରହିଛି । ଏହାର ପୂର୍ବରେ ଉତ୍ତର ସମୁଦ୍ର, ଦକ୍ଷିଣରେ ଇଂରାଜୀ ପ୍ରଣାଳୀ ଏବଂ ଦକ୍ଷିଣ-ପଶ୍ଚିମରେ କେଲଟିକ ସାଗର ରହିଛି । ଏହାର ବେଳା ବିଶ୍ୱର ୧୨ତମ ଦୀର୍ଘ ଉପକୂଳ । ଆଇରିସ ସାଗର ଗ୍ରେଟ ବ୍ରିଟେନ ଏବଂ ଆୟରଲ୍ୟାଣ୍ଡକୁ ଅଲଗା କରିଥାଏ । ଯୁକ୍ତରାଜ୍ୟର ମୋଟ କ୍ଷେତ୍ରଫଳ ୨,୪୦,୦୦୦ ବର୍ଗ କି.ମି.
ପାକସ୍ଥଳୀ କର୍କଟ (ଇଂରାଜୀରେ Stomach cancer କିମ୍ବା gastric cancer), ଏକ କର୍କଟ ରୋଗ ଯାହା ପାକସ୍ଥଳୀର ଭିତର ସ୍ତରରୁ ଜାତ ହୁଏ । ପାକସ୍ଥଳୀର ଯେ କୌଣସି ଭାଗରେ କର୍କଟ ରୋଗ ହେଲେ ପାକସ୍ଥଳୀ କର୍କଟ କହନ୍ତି । ଏହାର ପ୍ରାରମ୍ଭ ଲକ୍ଷଣ ସମୂହ: ଛାତି ଜଳାପୋଡ଼ା, ଉପରପେଟରେ କଷ୍ଟ, ଓକାଳ ଓ କ୍ଷୁଧାହାନୀ । ପଶ୍ଚାତ ଲକ୍ଷଣ ମଧ୍ୟରେ: ଓଜନ ହ୍ରାସ, ହଳଦିଆ ଚମ, ବାନ୍ତି, ଗିଳିବାରେ କଷ୍ଟ ଓ ଝାଡ଼ାରେ ରକ୍ତ ପଡ଼ିବା । ପାକସ୍ଥଳୀ କର୍କଟ ଦେହର ଅନ୍ୟ ସ୍ଥାନମାନଙ୍କୁ ବ୍ୟାପିପାରେ (ମେଟାସ୍ଟାସିସ) ଯେପରିକି ଯକୃତ, ଫୁସଫୁସ, ହାଡ଼, ପେରିଟୋନିଅମ ଓ ଲସିକାଗ୍ରନ୍ଥି ।ଏହି ରୋଗ ସାଧାରଣତଃ ହେଲିବାବାକ୍ଟର ପାଇଲୋରି ଜୀବାଣୁଦ୍ୱାରା ହୁଏ ଯାହା ୬୦ %ରୁ ଅଧିକ କ୍ଷେତ୍ରରେ ଦେଖାଯାଏ । ଏହି ଜୀବାଣୁ ମଧ୍ୟରୁ କେତେକ ପ୍ରଜାତି ଜୀବାଣୁ ଅଧିକ ସଙ୍କଟ ଜନକ । ଅନ୍ୟାନ୍ୟ କାରଣ ମଧ୍ୟରେ ପରିବା ଆଚାର ଓ ଧୁମ୍ରପାନ ଉଲ୍ଲେଖଯୋଗ୍ୟ । ପ୍ରାୟ ୧୦ % ରୋଗ ପରିବାରରେ ଚାଲେ, ୧ %ରୁ ୩ % ପିତାମାତାଙ୍କଠାରୁ ଜୀନଦ୍ୱାରା ଯାଏ ଯାହାର ଉଦାହରଣ ହେରେଡିଟାରି ଡିଫ୍ୟୁଜ ଗ୍ୟାସ୍ଟ୍ରିକ କର୍କଟ । ପାକସ୍ଥଳୀ କର୍କଟ ମଧ୍ୟ ଅନେକ ପ୍ରକାର ଅଛି । ସେଥିରୁ ଅଧିକାଂଶ ଗ୍ୟାସ୍ଟ୍ରିକ କର୍କଟ । ଲିମ୍ଫୋମା ଓ ମେସେନ୍କାଇମାଲ ଟ୍ୟୁମର ମଧ୍ୟ ପାକସ୍ଥଳିରେ ହୁଏ । ଅଧିକାଂଶ ସମୟରେ ପାକସ୍ଥଳୀ କର୍କଟ ବିଭିନ୍ନ ସ୍ଟେଜ ମଧ୍ୟରେ ଅନେକ ବର୍ଷ ଧରି ଗତି କରନ୍ତି । ଏଣ୍ଡୋସ୍କୋପି କଲାବେଳେ ବାୟୋପ୍ସି ନିଆଯାଇ ରୋଗ ନିର୍ଣ୍ଣୟ କରାଯାଏ । ଏହା ପରେ ମେଡିକାଲ ଇମେଜିଙ୍ଗ କରି ଅନ୍ୟ ସ୍ଥନରେ ଥିବା ମେଟାସ୍ଟାସିସକୁ ଚିହ୍ନଟ କରାଯାଏ । ଜାପାନ ଓ ଦକ୍ଷିଣ କୋରିଆ, ଏହି ଦୁଇ ଦେଶରେ ସର୍ବାଧିକ ସଂଖ୍ୟକ ପାକସ୍ଥଳୀ କର୍କଟ ଥିବା ସ୍କ୍ରନିଙ୍ଗ କରି ଦେଖାଯାଏ । ଧୁମ୍ରପାନ ବନ୍ଦ କଲେ ଓ ମେଡିଟେରାନିଆନ ଖାଦ୍ୟ ଖାଇଲେ (ଇଂରାଜୀରେ Mediterranean diet] କର୍କଟ ସଙ୍କଟ କମିଯାଏ । ଏଚ.
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ମନମୋହନ ସାମଲ (ଜନ୍ମ: ୧୫ ଅପ୍ରେଲ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହି ବିଧାନ ସଭାରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଆଲର୍ଜି ସମୂହ ବା ଆଲର୍ଜି ରୋଗ ସମୂହ ଅନେକ ରୋଗମାନଙ୍କର ସମାହାର ଯେଉଁଥିରେ ପରିବେଶର କୌଣସି ଜିନିଷ ପ୍ରତି ଇମ୍ମ୍ୟୁନ ସିସ୍ଟମ ଅତିସୁଗ୍ରାହୀ ବା ଅତିସମ୍ବେଦନଶୀଳ ପ୍ରତିକ୍ରିୟା କରେ କିନ୍ତୁ ସାଧାରଣ ଅବସ୍ଥାରେ କୌଣସି ସମସ୍ୟା ହୁଏନି । ଏହିଭଳି ରୋଗମାନଙ୍କର ନାମ ହେ ଫିଭର, ଖାଦ୍ୟ ଆଲର୍ଜି, ଆଟୋପିକ ଡର୍ମାଟାଇଟିସ, ଆଲର୍ଜିକ ଆଜମା, ଓ ଆନାଫାଇଲାକସିସ । ଏଭଳି ରୋଗରେ ଆଖି ଲାଲ ହୁଏ, ଗଲୁ ହେଉଥିବା ରାସ ହୁଏ, ନାକରୁ ପାଣିବୋହେ, ଛୋଟ ଶ୍ୱାସକ୍ରିୟା ହୁଏ ଓ ଫୁଲିଯାଏ । ଖାଦ୍ୟ ଅସହନଶୀଳତା ଓ ଖାଦ୍ୟ ବିଷାକ୍ତତା ରୋଗଦ୍ୱୟ ଏହାଠାରୁ ଅଲଗା ରୋଗ । ମୂଖ୍ୟ ସାଧାରଣ ଆଲର୍ଜେନ ନାମ ପରାଗ ରେଣୁ ଓ ଖାଦ୍ୟ । ଧାତୁ ତଥା ଅନ୍ୟାନ୍ୟ ଦ୍ରବ୍ୟ ମଧ୍ୟ ସମସ୍ୟା ସୃଷ୍ଟି କରନ୍ତି । ଖାଦ୍ୟ, କୀଟ ଶୁଣ୍ଢ ଓ ବିଭିନ୍ନ ଔଷଧ ଅତ୍ୟନ୍ତ ଅଧିକ ପ୍ରତିକ୍ରିୟା କରନ୍ତି । ପରିବେଶ ଓ ଜେନେଟିକ କାରଣ ଯୋଗୁ ଏହି ରୋଗ ହୁଏ । ଶରୀରର ଇମ୍ମ୍ୟୁନ ସିସ୍ଟମର ଏକ ଅଂଶ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଇ ଆଣ୍ଟିବଡି (ଆଇଜିଇ) ଆଲର୍ଜେନ ସହିତ ସଂଯୁକ୍ତ ହୋଇ ପ୍ରଦାହୀ ରାସାୟନିକ ପଦାର୍ଥ ଯେପରିକି ହିସ୍ଟାମିନ କ୍ଷରଣ କରନ୍ତି । ରୋଗୀର ରୋଗ ଇତିହାସ ସଂଗ୍ରହ କରି ରୋଗ ନିର୍ଣ୍ଣୟ କରାଯାଏ । କେତେକ କେଶରେ ଚର୍ମ ଓ ରକ୍ତ ପରୀକ୍ଷା ଆବଶ୍ୟକ ହୁଏ । ଏକ ଯୁକ୍ତାତ୍ମକ ପରୀକ୍ଷା ଅର୍ଥ ନୁହେଁ ଯେ ନିର୍ଦ୍ଦିଷ୍ଟ ବସ୍ତୁ ପ୍ରତି ଯଥେଷ୍ଟ ଆଲର୍ଜି ଅଛି । ସମ୍ଭାବ୍ୟ ଆଲର୍ଜେନ ପ୍ରତି ପ୍ରାରମ୍ଭିକ ସଂସ୍ପର୍ଶ ରକ୍ଷାକାରୀ ହୋଇପାରେ । ଆଲର୍ଜେନ ଏଡ଼େଇବା, କର୍ଟିକୋସ୍ଟିରଏଡ ଓ ଆଣ୍ଟିହିସ୍ଟାମିନ ଭଳି ଓଷଧ ବ୍ୟବହାର କରି ଏହାର ଚିକିତ୍ସା କରାଯାଏ । ଅବସ୍ଥା ଗମ୍ଭୀର ହେଲେ ଆଡ୍ରାନାଲିନ ଇଞ୍ଜେକସନ ଦିଆଯାଏ । ହେ ଫିଭର ଓ କୀଟ ଦଂଶନ କେଶରେ ଆଲର୍ଜେନ ଇମ୍ମ୍ୟୁନୋଥେରାପି ଦିଆଯାଏ ଯାହା ଅଧିକରୁ ଅଧିକ ପରିମାଣର ଆଲର୍ଜେନ ସଂସ୍ପର୍ଷରେ ଆସିବାକୁ ଦିଏ । ଖାଦ୍ୟ ଆଲର୍ଜିରେ ଏହାର ଉପକାରୀତା ସ୍ପଷ୍ଟ ହୋଇନାହିଁ । ଆଲର୍ଜି ଏକ ସାଧାରଣ ରୋଗ । ବିକଶିତ ଦେଶମାନଙ୍କରେ ୨୦ % ଲୋକଙ୍କର ଆଲର୍ଜିକ ନାକ ପ୍ରଦାହ ରୋଗ ଅଛି, ପ୍ରାୟ ୬ % ଲୋକଙ୍କର ଖାଦ୍ୟ ଆଲର୍ଜି ଅଛି, ଓ ପ୍ରାୟ ୨୦ % ଲୋକଙ୍କର ଆଟୋପିକ ଡର୍ମାଟାଇଟିସ ଅଛି । ଦେଶ ଅନୁଯାୟୀ ୧ରୁ ୧୮ % ଲୋକଙ୍କର ଆଜମା ଥାଏ । 0.0୫–୨% ଲୋକଙ୍କର ଆନାଫାଇଲାକ୍ସିସ୍ ହୁଏ । ବିଭନ୍ନ ଆଲର୍ଜିର ରୋଗ ସଂଖ୍ୟା ବଢ଼ିବାକୁ ଲାଗିଛି । ଏହି ଆଲର୍ଜି ଶବ୍ଦଟି ପ୍ରଥମେ ସନ ୧୯୦୬ରେ କ୍ଲେମେନ୍ସ ଭନ ପିରକ୍ୟେଟ ବ୍ୟବହାର କରିଥିଲେ ।
ଜଗତର ନାଥ ଶ୍ରୀ ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା ତଥା ସମଗ୍ର ବିଶ୍ଵରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷଠାରୁ ତଥ୍ୟ (Data) ନିଏ, ସେସବୁକୁ ସାଇତି ରଖେ ଏବଂ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟକୁ ପ୍ରକ୍ରିୟାକରଣ କରି ଉତ୍ତର ଦିଏ ।ସଂରକ୍ଷିତ ଉତ୍ତର କମ୍ପ୍ୟୁଟର ( RAM memory)ରେ ରହିଥାଏ। ଏକ ସମୟରେ ଗାଣିତିକ ଏବଂ ତର୍କ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
ଇରା ମହାନ୍ତି ଓଡ଼ିଶାର ଭୁବନେଶ୍ୱରଠାରେ ଜନ୍ମିତ ଜଣେ ଓଡ଼ିଆ ପ୍ରଚ୍ଛଦପଟ ଗାୟିକା । ଇରା ମହାନ୍ତିଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି । ବାପା ଜିେତନ୍ଦ୍ର ମହାନ୍ତି ଓ ମାତା କଳ୍ପନା ମହାନ୍ତି । ବେଶ୍ ଛୋଟ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ମେଲୋଡି ମଞ୍ଚରୁ ଆରମ୍ଭ କରିଥିଲେ ଗୀତ ଗାଇବା । ପରେ ସେ ଚଳଚ୍ଚିତ୍ରରେ ଗୀତ ଗାଇଥିଲେ । ସମସ୍ତଙ୍କ ପାଖରେ ସେ ମେଲୋଡ଼ି କୁଇନ୍ ଭାବେର ବେଶ୍ ଜଣାଶୁଣା । ଏହା ଛଡ଼ା ସେ ଓଡ଼ିଶାର ବୁଲ୍ବୁଲ୍ ବୋଲି ମଧ୍ୟ ପ୍ରସିଦ୍ଧ । ଏବେ ସଂଗୀତ ସହ ସକ୍ରିୟ ରହିବା ସହ ସଂଗୀତ ସାଧନା ଜାରି ରଖିଛନ୍ତି ।
[[Category: with short description]]ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ଏରିଦେମା ମଲ୍ଟିଫର୍ମ ( EM ) ହେଉଛି ଏକ ଚର୍ମ ରୋଗ ଯେଉଁଥିରେ ଲାଲ ଦାଗ ମଝିରେ କିଛି ଦାଗ ନ ଥାଏ ଓ ତାହା ଲକ୍ଷ ସ୍ଥାନ (ଇଂରାଜୀ ଭାଷାର target) ଭଳି ଦେଖାଯାଏ । ଏହି ରୋଗ ଚର୍ମ କିମ୍ବା ପାଟିରେ ହୋଇପାରେ । ଏଗୁଡିକ ଦୁଇ ଦିନ ମଧ୍ୟରେ ଆସେ ଏବଂ ୩ରୁ ୬ ସପ୍ତାହ ମଧ୍ୟରେ ଉପଶମ ହୋଇଯାଏ । ସେଗୁଡ଼ିକ ପାପୁଲି ଓ ପାଦରେ ସ୍ପଷ୍ଟ ଭାବରେ ଦେଖାଯାଏ | ଅନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ। କେତେକଙ୍କର ବାରମ୍ବାର ଏହି ରୋଗ ହୁଏ ।ଏହି ରୋଗର ସବୁଠାରୁ ସାଧାରଣ ଟ୍ରିଗର ହେଉଛି ହର୍ପିସ୍ ସିମ୍ପ୍ଲେକ୍ସ (ଏଚଏସଭି/HSV) ସଂକ୍ରମଣ । ଅନ୍ୟାନ୍ୟ ଟ୍ରିଗରଗୁଡିକ ମଧ୍ୟରେ ସାଇଟୋମେଗାଲୋଭାଇରସ୍, ଏପଷ୍ଟେନ୍-ବାର୍ ଭୂତାଣୁ ଏବଂ ଏସଏଆରଏସ-ସିଓଭି-୨ଭଳି ସଂକ୍ରମଣ ହୋଇପାରେ; ନନଷ୍ଟେରଏଡାଲ ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ, ଆଣ୍ଟିବାୟୋଟିକ୍ ଏବଂ ଟିକା; ତଥା ଅନ୍ୟାନ୍ୟ ସମସ୍ୟା ଯେପରିକି ପ୍ରଦାହଜନକ ଅନ୍ତନଳୀ ରୋଗ, ଲିଉକେମିଆ ଏବଂ ଅନ୍ୟାନ୍ୟ କର୍କଟ ରୋଗ ହୋଇପାରେ । ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ପ୍ରତିରକ୍ଷା ପ୍ରଣାଳୀ ଜଡିତ ଥିବା ବିଶ୍ୱାସ କରାଯାଏ । ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ କରାଯାଏ ଏବଂ ତନ୍ତୁ ବାୟୋପ୍ସି କରି ନିଶ୍ଚିତ କରାଯାଇପାରେ । ଦୁଇ ପ୍ରକାର ଏହି ରୋଗ ଦେଖାଯାଏ: ଏରିଦେମା ମଲ୍ଟିଫର୍ମ ଛୋଟ ଏବଂ ଏରିଦେମା ମଲ୍ଟିଫର୍ମ ମେଜର ଅଛି ।ସାଧାରଣତଃ ଏହି ରୋଗରେ ସହାୟକ ଚିକିତ୍ସା କରାଯାଏ ବା ଅନ୍ତର୍ନିହିତ ଟ୍ରିଗର ଉପରେ ଚିକିତ୍ସା ଆଧାରିତ ହୁଏ । ଯେଉଁମାନଙ୍କରେଏଚଏସଭି ଥାଏ ତାଙ୍କୁ ସନସ୍କ୍ରିନ କିମ୍ବା ଭାଲାସାଇକ୍ଲୋଭିର ବ୍ୟବହାର କରାଯାଇପାରେ । ଅଧିକ ଗୁରୁତର କ୍ଷେତ୍ରରେ କର୍ଟିକୋଷ୍ଟିରଏଡ, ଡାପସୋନ କିମ୍ବା ସାଇକ୍ଲୋସ୍ପୋରିନ ବ୍ୟବହାର କରାଯାଇପାରେ । ଫଳାଫଳ ସାଧାରଣତ ଭଲ ଅଟେ ।ଏରିଥେମା ମଲ୍ଟିଫର୍ମ ଅସାଧାରଣ ରୋଗ ଅଟେ । ଏହା ସାଧାରଣତଃ ଜୀବନର ଦ୍ୱିତୀୟ ଏବଂ ତୃତୀୟ ଦଶକରେ ଘଟିଥାଏ । ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । ପ୍ରଥମେ ୧୮୬୦ ମସିହାରେ ଭନ ହେବ୍ରା ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ଗ୍ରେଭସ ରୋଗ, (ଇଂରାଜୀରେ Graves' disease, ବା toxic diffuse goiter ବା Flajani-Basedow-Graves disease, ଏକ ପ୍ରକାର ଅଟୋଇମ୍ମ୍ୟୁନ ରୋଗ ଯାହା ଥାଇରଏଡ ଗ୍ରନ୍ଥିକୁ ଆକ୍ରମଣ କରେ । ଏହି ଆକ୍ରମଣ ଫଳରେ ହାଇପରଥାଇରଏଡିଜମ ଓ ବର୍ଦ୍ଧିତ ଥାଇରଏଡ ଗ୍ରନ୍ଥି ବା ଗଏଟର ହୁଏ । ଏହି ରୋଗର ଚିହ୍ନ ଓ ଲକ୍ଷଣ: ଚିଡ଼ଚିଡ଼ା ସ୍ୱଭାବ, ମାଂସପେଶୀ ଦୁର୍ବଳତା, ଶୋଇବା ଅସୁବିଧା, ଦୃତ ହୃତ ସ୍ପନ୍ଦନ, ତରଳ ଝାଡ଼ା ଓ ଓଜନ ହ୍ରାସ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଆଣ୍ଠୁରୁ ବଳାଗଣ୍ଠି ପର୍ଯ୍ୟନ୍ତ ଲମ୍ବିଥିବା ଅସ୍ଥି ସାମନା ଚର୍ମ ମୋଟା ହୋଇଯାଏ ଯାହାକୁ ପ୍ରିଟିବିଆଲ ମିକସିଡିମା କୁହାଯାଏ ଓ ଆଖି ଡୋଳା ତା ଯାଗାରୁ ପଦାକୁ ବାହାରି ଆସେ ଯାହାକୁ ଏକ୍ସୋଫଥାଲମସ ବା ଗ୍ରେଭସ ଅଫଥାଲମୋପାଥି କୁହାଯାଏ । ୨୫ %ରୁ ୮୦ % ଲୋକଙ୍କର ଆଖି ଅସୁବିଧା ଦେଖାଯାଏ । ଏହି ରୋଗର ସଠିକ କାରଣ ସ୍ପଷ୍ଟ ନ ଥିଲେ ମଧ୍ୟ ଜେନେଟିକ ଓ ପରିବେଶର ମିଶ୍ରିତ ପ୍ରଭାବ ଯୋଗୁ ହେଉଥିବା ବିଶ୍ୱସା କରାଯାଏ । ପରିବାରରେ ଯଦି କାହାର ଏହି ରୋଗ ଥାଏ ତେବେ ସେହି ପରିବାରର ଅନ୍ୟମାନଙ୍କୁ ରୋଗ ହେବା ସମ୍ଭାବନା ଥାଏ । ଯମଜ ସନ୍ତାନ ମଧ୍ୟରୁ ଜଣକର ଥିଲେ ଆଉ ଜଣେ ୩୦% ରୋଗ ଭୋଗିବା ସମ୍ଭାବନା ଥାଏ । ମାନସିକ ଚାପ, ସଂକ୍ରମଣ ଓ ଶିଶୁ ଜନ୍ମ କଲାବେଳେ ଏହା ଟ୍ରିଗର ଭଳି କାମ କରେ । ଟାଇପ ୧ ଡାଏବେଟିସ ଓ ରିଉମାଟଏଡ ଆର୍ଥ୍ରାଇଟିସ ଭଳି ଅଟୋଇମ୍ମ୍ୟୁନ ରୋଗ ଥିଲେ ଏହି ରୋଗ ସମ୍ଭାବନା ରହେ । ଧୂମ୍ରପାନ କଲେ ଏହି ରୋଗ ସଙ୍କଟ ବଢ଼େ ଓ ଚକ୍ଷୁ ଅସୁବିଧା ଆହୁରି ଖରାପ ହୁଏ । ଥାଇରଏଡ ସ୍ଟିମୁଲେଟିଙ୍ଗ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (ଟିଏସଆଇ) ନାମକ ଏକ ଆଣ୍ଟିବଡି ଯୋଗୁ ଏହି ରୋଗ ହୁଏ ଓ ଏହାର ଶରୀରରେ ଥିବା ଥାଇରଏଡ ସ୍ଟିମୁଲେଟିଙ୍ଗ ହରମୋନ (ଟିଏସଏଚ) ସହ ସମପ୍ରଭାବ ଥାଏ । ଏହି ଆଣ୍ଟିବଡି ପ୍ରଭାବ ଯୋଗୁ ଥାଇରଏଡ ଗ୍ରନ୍ଥି ଅଧିକ ଥାଇରଏଡ ହରମୋନ ନିର୍ଗତ କରେ । ରୋଗ ଲକ୍ଷଣ ଓ ରକ୍ତ ପରୀକ୍ଷା କରି ସନ୍ଦେହ କରାଯାଏ କିନ୍ତୁ ରେଡିଓଆୟୋଡିନ ଅପଟେକ ପରୀକ୍ଷା କରି ନିଧାର୍ଯ୍ୟ କରାଯାଏ ।
ଆମ୍ଫେଟାମିନ (ଇଂରାଜୀ ଭାଷାରେ Amphetamine, Amphetamine, amfetamine and speed ଏକ ଶକ୍ତିଶାଳୀ (potent) କେନ୍ଦ୍ରୀୟ ସ୍ନାୟୁମଣ୍ଡଳ (central nervous system ବା CNS) ଉତ୍ତେଜକ (stimulant) ଔଷଧ ଯାହା ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର, ନିଦ୍ରାବେଶ, ଓ ମେଦ ବହୁଳତା ଆଦି ରୋଗମାନଙ୍କ ଚିକିତ୍ସାରେ ବ୍ୟବହୃତ ହୁଏ । ସନ ୧୮୮୭ରେ ଆମ୍ଫେଟାମିନ ଆବିଷ୍କୃତ ହୋଇଥିଲା ଓ ଏହା ଲେଭୋଆମ୍ଫେଟାମିନ (levoamphetamine) ଓ ଡେକ୍ସଟ୍ରୋଆମ୍ଫେଟାମିନ (dextroamphetamine) ନାମକ ଦୁଇଟି ଏନାଣ୍ଟୋମର (enantiomer) ଆମ୍ଫେଟାମିନ ଏକ ନିର୍ଦ୍ଦିଷ୍ଟ ରାସାୟନିକ ପଦାର୍ଥ, ରାସେମିକ (racemic) ଫ୍ରିବେସ (free base), ଯାହା ଦୁଇଟି ସମାନ ଭାଗର ଶୁଦ୍ଧ ଏନାଣ୍ଟିଓମର, ଲେଭୋଆମ୍ଫେଟାମିନ ଓ ଡେକ୍ସଟ୍ରୋଆମ୍ଫେଟାମିନ ନାମରେ ଥାଏ । ଇତିହାସ ଅନୁସାରେ ଏହି ଔଷଧ ନାକ ରକ୍ତ ବହୁଳତା ଓ ଅବସାଦ ରୋଗରେ ଦିଆଯାଏ । ଖେଳାଳିମାନଙ୍କର ଦକ୍ଷତା ବୃଦ୍ଧି (athletic performance enhancer), କାମୋଦ୍ଦିପକ (aphrodisiac) ଓ ବୋଧଶକ୍ତି ବୃଦ୍ଧି (cognitive enhancer) ନିମନ୍ତେ ମଧ୍ୟ ଏହା ବ୍ୟବହାର କରାଯାଏ । ଏହି ଔଷଧ ପ୍ରେସକ୍ରିପସନରେ ମିଳେ ଓ ଅନେକ ଦେଶମାନଙ୍କରେ ସ୍ୱାସ୍ଥ୍ୟସଙ୍କଟ ରୋକିବା ନିମନ୍ତେ ଏହା ଗଚ୍ଛିତ ରଖିବା ଓ ବଣ୍ଟନ କରିବା ଉପରେ ନିୟନ୍ତ୍ରଣ କରାଯାଏ ।
ଦାମୋଦର ରାଉତ (୨ ଜୁଲାଇ ୧୯୪୨–୨୨ ମାର୍ଚ୍ଚ ୨୦୨୪) ଜଣେ ଚିକିତ୍ସକ ଓ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାକୁ ସାତ ଥର ବିଧାୟକ ଭାବରେ ନିର୍ବାଚିତ ହୋଇ ଯାଇଥିଲେ । ୧୯୫୭, ୧୯୬୧, ୧୯୬୭ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଏରସମା ଓ ପାରାଦ୍ୱୀପ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ, ୧୦ମ, ୧୨ଶ, ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ "ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ" ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଆଟୋପିକ ଡର୍ମାଟାଇଟିସ (ଏଡି), ବା ଆଟୋପିକ ଏକଜିମା, ଏକ ପ୍ରକାର ଚର୍ମ ପ୍ରଦାହ ରୋଗ । ଏହି ରୋଗରେ ଚମ ଗଲୁ ହୁଏ, ଲାଲ ଦେଖାଯାଏ, ଫୁଲିଯାଏ ଓ ଚମ ଫାଟିଯାଏ । ପ୍ରଭାବିତ ସ୍ଥାନରୁ ପରିସ୍କାର ତରଳ ପଦାର୍ଥ ବାହାରେ ଓ ସମୟକ୍ରମେ ଏହି ଚର୍ମ ମୋଟା ହୋଇଯାଏ । ପିଲାଦିନେ ଏ ରୋଗ ଆରମ୍ଭ ହୁଏ ଓ ସମୟକ୍ରମେ ପରିବର୍ତ୍ତିତ ହୁଏ । ଏକ ବର୍ଷ ବୟସରୁ କମ ପିଲାଙ୍କର ଦେହର ବଡ଼ ଭାଗ ପ୍ରଭାବିତ ହୋଇପାରେ । ବୟସ ବଢ଼ିଲେ ଆଣ୍ଠୁ ପଛପଟ ଓ କହୁଣୀ ସାମନାପାଖରେ ରାସ ହୁଏ । ଯୁବକମାନଙ୍କର ହାତ ଓ ପାଦରେ ରୋଗ ହୁଏ । କୁଣ୍ଡେଇଲେ ଲକ୍ଷଣ ଖରାପ ଆଡ଼କୁ ଯାଏ ଓ ପରିଶେଷରେ ଚର୍ମ ସଂକ୍ରମଣ ହୁଏ । ଏହି ରୋଗୀମାନଙ୍କର ଆଲର୍ଜିକ ନାକ ପ୍ରଦାହ ବା ଆଜମା ହୋଇପାରେ । ଏହାର କାରଣ ଜଣାଯାଇ ନ ଥିଲେ ମଧ୍ୟ ଜେନେଟିକ, ପରିବେଶ ପ୍ରଭାବ, ଚର୍ମର ପରମିଏବିଲିଟି ଅସୁବିଧା ଓ ଇମ୍ମ୍ୟୁନ ସିସ୍ଟମ ଅପକର୍ମ ଥିବା ବିଶ୍ୱାସ କରାଯାଏ । ଯମଜ ପିଲାଙ୍କ ମଧ୍ୟରୁ ଜଣକର ରୋଗ ଥିଲେ ଆଉ ଜଣକର ଏହି ରୋଗ ହେବା ସମ୍ଭାବନା ୮୫ % ଥାଏ । ସହରରେ ଓ ଶୁଷ୍ଲ ଜଳବାୟୁରେ ଅବସ୍ଥାନ କରୁଥିବା ଲୋକଙ୍କର ଅଧିକ ରୋଗ ହୁଏ । ବାରମ୍ବାର ହାତ ଧୋଇବା ଓ ରାସାୟନିକ ଦ୍ରବ୍ୟ ପ୍ରଭାବ ଏହି ରୋଗ ଲକ୍ଷଣ ଅଧିକ ଖରାପ ଦିଗକୁ ନିଏ । ମାନସିକ ଚାପ ଏହାକୁ ଗମ୍ଭୀର କଲେ ମଧ୍ୟ ଏହା କାରଣ ନୁହେଁ । ଏହା ଏକ ଛୁଆଁ ରୋଗ ନୁହେଁ । ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ଅନ୍ତିମ ରୋଗ ନିର୍ଣ୍ଣୟ ପୂର୍ବରୁ କଣ୍ଟାକ୍ଟ ଡର୍ମାଟାଇଟିସ, ସୋରିଆସିସ ଓ ସେବୋରିକ ଡର୍ମାଟାଇଟିସ ରୋଗ ଇତ୍ୟାଦି ରୋଗ ଉପସ୍ଥିତି ବର୍ଜନ କରିବାକୁ ହୁଏ । ରୋଗ ସୃଷ୍ଟିକାରୀ ଜିନିଷକୁ ଏଡ଼େଇବା, ଦୈନନ୍ଦିନ ଗାଧୋଇବା ପରେ ମଏଶ୍ଚରାଇଜିଙ୍ଗ କ୍ରିମ ଲଗେଇବା, ରୋଗ ଅଧିକ ହେଲେ ସ୍ଟିରଏଡ କ୍ରିମ ଲଗେଇବା ଓ ଗଲୁ ନିମନ୍ତେ ଆବଶ୍ୟକ ଔଷଧ ଦେଇ ଏହାର ଚିକିତ୍ସା କରାଯାଏ । ଏହି ରୋଗକୁ ଗମ୍ଭୀର କରୁଥିବା ଜିନିଷ ମଧ୍ୟରେ ଉଲ୍ ପୋଷାକ, ସାବୁନ, ପରଫ୍ୟୁମ, କ୍ଲୋରିନ, ଧୂଳି ଓ ସିଗାରେଟ ଧୁଆଁ ନାମ ଉଲ୍ଲେଖଯୋଗ୍ୟ । ଫିଜିଓଥେରାପି କିଛି ଲୋକଙ୍କୁ ସାହାଯ୍ୟ କରେ । କୌଣସି ଔଷଧ କାମ ନ କଲେ ସ୍ଟିରଏଡ ବଟିକା ଦିଆଯାଇପାରେ । ସଂକ୍ରମଣ ହୋଇଥିଲେ ଆଣ୍ଟିବାୟୋଟିକ ଦରକାର ହୁଏ । ଖାଦ୍ୟ ଆଲର୍ଜି ଥିଲେ ଖାଦ୍ୟର ପରିବର୍ତ୍ତନ ଆବଶ୍ୟକ ହୁଏ । ଜୀବନର ଯେ କୌଣସି ସମୟରେ ୨୦% ଲୋକଙ୍କର ଆଟୋପିକ ଡର୍ମାଟାଇଟିସ ରୋଗ ହୁଏ । ଅଳ୍ପ ବୟସର ପିଲାଙ୍କୁ (younger children) ଏହି ରୋଗ ସାଧାରଣତଃ ହୁଏ । ପୁରୁଷ ଓ ମହିଳା ଉଭୟ ସମପରିମାଣରେ ରୋଗ ଭୋଗନ୍ତି । ଅନେକ ଲୋକଙ୍କର ଏହା ଉପଶମ ହୋଇଯାଏ । ବେଳେ ବେଳେ ଏହି ରୋଗକୁ ଏକଜିମା କହନ୍ତି ଯାହା ଏକ ବଡ଼ ଚର୍ମ ରୋଗର ଦଳର ନାମ । ଏହି ରୋଗର ଅନ୍ୟ ପ୍ରତିଶବ୍ଦ: ଇନଫାଣ୍ଟାଇଲ ଏକଜିମା, ଫ୍ଲେକସୁରାଲ ଏକଜିମା, ପ୍ରୁରାଇଗୋ ବେସନିଅର, ଆଲର୍ଜିକ ଏକଜିମା ଓ ନିଉରୋଡର୍ମାଟାଇଟିସ ।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ମହାମେଘ ବାହାନ ଐର ଖାରବେଳ ସ୍ୱାଇଁ (ଜନ୍ମ: ୨୫ ଅକ୍ଟୋବର ୧୯୫୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ । ୧୯୯୮, ୧୯୯୯ ଓ ୨୦୦୪ ମସିହାରେ ସେ ୧୨ଶ, ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭାକୁ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଖାରବେଳେ ସ୍ୱାଇଁ ବିଜେପିରୁ ଇସ୍ତଫା ଦେଇ ଉତ୍କଳ ଭାରତ ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ, ମାତ୍ର ପରେ ପୁଣିଥରେ ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏହାର ଦୂରତା ସଦର ମହକୁମାରୁ ପ୍ରାୟ ୮୦ କି.ମି ହେବ । ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତରାଞ୍ଚଳରେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଥିବାବେଳେ ଦକ୍ଷିଣରେ ରହିଛି ହରିଶଙ୍କର । ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ୱତନ୍ତ୍ରତା ରହିଛି । ହରିଶଙ୍କର ମନ୍ଦିର ଏବଂ ନୃସିଂହନାଥ ମନ୍ଦିର ମଧ୍ୟରେ ଅବସ୍ଥିତ ମାଳଭୂମିରେ ବୌଦ୍ଧ ଧର୍ମାଲମ୍ବୀଙ୍କଦ୍ୱାରା ନିର୍ମାଣ କରାଯାଇଥିବା ଧ୍ୱସ୍ତବିଧ୍ୱସ୍ତ ଏକ ପ୍ରାଚୀନ ପରିମଳଗିରି ବିଶ୍ୱବିଦ୍ୟାଳୟ ରହିଛି ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ସେ ଆନୁମାନିକ ୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦,୦୦୦ ପଦ୍ୟାବଳୀ ସେ ରଚନା କରିଯାଇଛନ୍ତି । ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଆୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ତାଙ୍କୁ ଓଡ଼ିଶାର ପୁରପଲ୍ଳୀରେ 'ମହାପୁରୁଷ' ଭାବେ ଲୋକେ ଅଭିହିତ କରନ୍ତି ।
ଡାଇନୋସର ଗୁଡ଼ିକ ହେଉଛନ୍ତି ଡାଇନୋସୋରିଆ Cladeର ଏକ ବିବିଧ ପ୍ରାଣୀ ପ୍ରଜାତି । ସେମାନେ ପ୍ରଥମେ ଟ୍ରାଇଆସିକ (Triassic) ଯୁଗରେ ଦେଖାଯାଉଥିଲେ , ପାଖାପାଖି ୨୩୦ ନିୟୁତ ବର୍ଷ ପୂର୍ବେ । ଜୁରାସିକ ଯୁଗର ଆରମ୍ଭରୁ (୨୦୦ ନିୟୁତ ବର୍ଷ ପୂର୍ବେ), କ୍ରେଟାସିଅସ ଯୁଗର ଶେଷ ପର୍ଯ୍ୟନ୍ତ (୬୫.୫ ନିୟୁତ ବର୍ଷ ପୂର୍ବେ) ସେମାନେ ସବୁଠାରୁ ପ୍ରଭାବଶାଳି ସ୍ଥଳଚର ଥିଲେ । Cretaceous-Paleogene extinction event ଯୋଗୁଁ ମେସୋଜୋଇକ ଯୁଗର ଶେଷ ବେଳକୁ ଅଧିକାଂଶ ଅଧିକାଂଶ ଡାଇନୋସର ପ୍ରଜାତି ବିଲୁପ୍ତ ହୋଇସାରିଥିଲେ । ଜୀବାଶ୍ମ ରେକଡ଼ ଅନୁଧ୍ୟାନରୁ ଜଣାଯାଏ ଯେ, ପକ୍ଷୀମାନଙ୍କର ଉଦ୍ଭବ ଜୁରାସିକ ଯୁଗରେ ଥେରୋପୋଡ଼ (theropod) ଡାଇନୋସରମାନଙ୍କଠାରୁ ହୋଇଥିଲା ଏବଂ ଆଧୁନିକ ଶ୍ରେଣୀବଭାଗ ବ୍ୟବସ୍ଥାରେ ସେମାନଙ୍କୁ ଡାଇନୋସରମାନଙ୍କ ଏକ ଉପ-ବିଭାଗର ମାନ୍ୟତା ଦିଆଯାଇଥାଏ । କିଛି ପକ୍ଷୀ ୬୫ ନିୟୁତ ବର୍ଷ ପୂର୍ବେ ହୋଇଥିବା ଏହି ବିଲୁପ୍ତ ପ୍ରକ୍ରିୟାରୁ ବର୍ତ୍ତି ଯାଇଥିଲେ ଓ ସେମାନଙ୍କ ବଂଶଧରମାନେ ଡାଇନୋସରଙ୍କ ପିଢୀକୁ ଆଜି ପର୍ଯ୍ୟନ୍ତ ନେଇ ଆସିଛନ୍ତି ।
ଭୀମରାଓ ରାମଜୀ ଆମ୍ବେଦକର (୧୪ ଏପ୍ରିଲ ୧୮୯୧ - ୬ ଡିସେମ୍ବର ୧୯୫୬) ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ ଯିଏ ସମ୍ବିଧାନ ସଭା ବିତର୍କରୁ ଭାରତର ସମ୍ବିଧାନ ପ୍ରସ୍ତୁତ କରୁଥିବା କମିଟିର ନେତୃତ୍ୱ ନେଇଥିଲେ, ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ହିନ୍ଦୁ ଧର୍ମ ତ୍ୟାଗ କରିବା ପରେ ଦଳିତ ବୌଦ୍ଧ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ରଥଯାତ୍ରା (ରଥ, ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀଠାରେ ପାଳିତ ଓ ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ପ୍ରଧାନ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩.
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ । ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।
ସନ୍ଥକବି ଭୀମ ଭୋଇ ଭୀମ ଭୋଇ (୧୮୫୦-୧୮୯୫ ) ରେଢ଼ାଖୋଲର ମଧୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ । ତାଙ୍କର ରଚନା ଗୁଡ଼ିକରେ ମାନବ ଧର୍ମ, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି । ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" କବିତା ଅନ୍ୟତମ । ତାଙ୍କ ସମସାମୟିକମାନଙ୍କ କବିତାସବୁ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବିଷୟରେ ହୋଇଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ବହିଗୁଡ଼ିକ ମଧ୍ୟରେ "ସ୍ତୁତିଚିନ୍ତାମଣି", "ହଲିଆ ଗୀତ", "ଡାଲଖାଈ", "ରସରକେଲି", "ଜାଇଫୁଲ", "ବ୍ରହ୍ମ ନିରୂପଣ ଗୀତା", "ଆଦିଅନ୍ତ ଗୀତା", "ଅଷ୍ଟକ ବିହାରୀ ଗୀତା", "ନିର୍ବେଦ ସାଧନା", "ଶ୍ରୁତିନିଷେଧ ଗୀତା", "ମନୁସଭାମଣ୍ଡଳ", "ଗୃହଧର୍ମ" ଓ "ମହିମାବିନୋଦ" । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ସୁରକ୍ଷିତ । ତାଙ୍କ ରଚିତ ବହିଗୁଡ଼ିକ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ପୋଡୋଫାଇଲମ ରେଜିନ (ଇଂରାଜୀ ଭାଷାରେ Podophyllum resin, ଅନ୍ୟ ନାମ ପୋଡୋଫାଇଲମ/podophyllum ବା ପୋଡୋଫାଇଲିନ/podophyllin) ଏକ ରେଜିନ (resin) ଯାହା ଆମେରିକାନ ମଣ୍ଡ୍ରେକ (American mandrake) ଗଛର ଚେରରୁ (roots) ତିଆରି କାରାଯାଏ । ଏଚଆଇଭି/ଏଡସ ରୋଗୀଙ୍କ ଭାତୁଡ଼ି, ଯୌନାଙ୍ଗ ଭାତୁଡ଼ି (genital warts) ଓ ପାଦ ଭାତୁଡ଼ି (plantar warts) ଚିକିତ୍ସାରେ ବ୍ୟବହାର କରାଯାଏ । ଏଚପିଭି ସଂକ୍ରମଣରେ (HPV infection) ବାହ୍ୟ ଭାତୁଡ଼ି ନଥିଲେ ଏହା ଦିଆଯାଏ ନାହିଁ । ଏହା ଚର୍ମରେ ସ୍ୱାସ୍ଥ୍ୟକର୍ମୀଙ୍କଦ୍ୱାରା ଲଗାଯାଏ ।ପୋଡୋଫାଇଲମ ରେଜିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲ ରଙ୍ଗ ଦେଖାଯାଏ, ଗଲୁ ହୁଏ ଓ ବ୍ୟବହାର କରୁଥିବା ସ୍ଥାନରେ ଯନ୍ତ୍ରଣା ହୁଏ । ପ୍ରତିକ୍ରିୟା ସାଂଘାତିକ ହେଲେ ବାନ୍ତି, ପେଟ ଯନ୍ତ୍ରଣା, ଦ୍ୱନ୍ଦ୍ୱ, ଅସ୍ଥିମଜ୍ଜା ଦମନ (bone marrow suppression) ଓ ତରଳ ଝାଡ଼ା ହୋଇପାରେ । ଗୋଟିଏ ଥରରେ ଏକ ଛୋଟ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଲଗେଇବା ଉଚିତ ନୁହେଁ । Use during ଗର୍ଭାବସ୍ଥାରେ ଏହା ବ୍ୟଭାର କଲେ ଶିଶୁର ହାନୀ ହୁଏ । ଏହ ପୋଡୋଫାଇଲୋଟକ୍ସିନ (podophyllotoxin) ମାଧ୍ୟମରେ ଏହା କୋଷ ବିଭାଜନ (cell division) ବନ୍ଦ କରି କାର୍ଯ୍ୟକ୍ଷମ ହୁଏ ।ସନ ୧୮୨୦ରୁ ଭାତୁଡ଼ି ଚିକିତ୍ସା ପୋଡୋଫାଇଲମ ରେଜିନ ସାହାଯ୍ୟରେ ଭାତୁଡ଼ି (warts) ଚିକିତ୍ସା କରାଯାଉଛି । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ଯୁକ୍ତରାଷ୍ଟ୍ର ଆମେରିକାରେ ଏକ କୋର୍ଷ ଚିକିତ୍ସାର ଖର୍ଚ୍ଚ ପ୍ରାୟ ୫୦ରୁ ୧୦୦ ଆମେରିକୀୟ ଡଲାର । ଏହାର ଅନ୍ୟ ଏକ କମ୍ ପ୍ରତିକ୍ରିୟା ହେଉଥିବା ଫର୍ମୁଲା ପୋଡୋଫାଇଲୋଟକ୍ସିନ (podophyllotoxin ) ମଧ୍ୟ ମିଳୁଛି ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩) ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଥିଲେ । ସେ ଓଡ଼ିଶାର ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ରଚନା କରିଥିଲେ । ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ । ତାଙ୍କର ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା "ଡିମ୍ବକ୍ରେସି ସଭା", "ହନୁମନ୍ତ ବସ୍ତ୍ରହରଣ", "ସମସ୍ୟା" ଆଦି ବ୍ୟଙ୍ଗ ନାଟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ । ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ.
ରାଧା (ହିନ୍ଦୀରେ राधा, ରୋମାନ ଲିପିରେ ଉଚ୍ଚାରଣଗତ ଦୃଷ୍ଟିରୁ ମୂଳ ସଂସ୍କୃତ ଶବ୍ଦ Rādhā), ଯିଏ ରାଧାରାଣୀ, ରାଧିକା, ରାଧୀକାରାଣୀ ବା ଶ୍ରୀମତୀ ରୂପେ ହିନ୍ଦୁଧର୍ମର ବୈଷ୍ଣବମାନଙ୍କଦ୍ୱାରା ପୂଜିତା, ବ୍ରହ୍ମ ବୈବର୍ତ ପୁରାଣ ଓ ଗୀତ ଗୋବିନ୍ଦ ଅନୁସାରେ ସିଏ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ବାଳସଖି, ପ୍ରେମିକା। ରାଧା ପ୍ରାୟ ସର୍ବଦା କୃଷ୍ଣଙ୍କ ସହିତ ପୂଜିତା ହୋଇଥାନ୍ତି। ଗୌଡ଼ୀୟ ବୈଷ୍ଣବମାନଙ୍କ ମତରେ ସେ ହେଉଛନ୍ତି ଆଦିଶକ୍ତି। ନିମ୍ବାର୍କ ସମ୍ପ୍ରଦାୟର ବୈଷ୍ଣବମାନଙ୍କର ମଧ୍ୟ ମୂଖ୍ୟ ଆରାଧିତା ଦେବୀ ହେଉଛନ୍ତି ରାଧା। ନିମ୍ବାର୍କ ଋଷି, ଯିଏ ନିମ୍ବାର୍କ ସମ୍ପ୍ରଦାୟ ପ୍ରତିଷ୍ଠା କରିଥିଲେ, ତାଙ୍କ ମତରେ ରାଧା ଓ କୃଷ୍ଣଙ୍କର ମିଳିତ ସତ୍ତା ହେଉଛି ସତ୍ୟର ପ୍ରତୀକ। କୃଷ୍ଣଙ୍କ ସହିତ ରାଧାଙ୍କର ଅପ୍ରାକୃତ ପ୍ରେମର ବର୍ଣ୍ଣନା ବ୍ରହ୍ମ ବୈବର୍ତ ପୁରାଣ, ଗର୍ଗ ସଂହିତା ଓ ବୃହଦ୍ ଗୌତମୀୟ ତନ୍ତ୍ରରେ ଦେଖିବାକୁ ମିଳେ।
ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧାଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ ।
ନେଲସନ ରୋଲିହ୍ହଲ୍ଲା ମଣ୍ଡେଲା (୧୮ ଜୁଲାଇ ୧୯୧୮ - ୫ ଡିସେମ୍ବର ୨୦୧୩) ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରମୁଖ୍ୟ (୧୯୯୪-୧୯୯୯) ଥିଲେ । ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣ ଶ୍ୱେତାଙ୍ଗ ବା କୃଷ୍ଣକାୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଶାସନକାଳ ମଧ୍ୟରେ ଅପାର୍ଥିଡ଼ ନୀତିର ପତନ ହୋଇଥିଲା ତଥା ଚାଲିଆସୁଥିବା ରଙ୍ଗଭେଦ, ଦାରିଦ୍ର୍ୟ, ସାମାଜିକ ଅସମାନତାକୁ ଦୂର କରିବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ରାଜନୈତିକ ଭାବେ ସେ ଗଣତାନ୍ତ୍ରିକ ସମାଜବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖିଥିଲେ ଏବଂ ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ୧୯୯୧ରୁ ୧୯୯୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଅନ୍ତର୍ଜାତୀୟ ପଦବୀ ଭାବେ "ନନ-ଆଲାଇନଡ ମୁଭମେଣ୍ଟ"ର ସାଧାରଣ-ସଚିବ ଭାବେ ୧୯୯୮-୧୯୯୯ ପାଇଁ କାର୍ଯ୍ୟରତ ଥିଲେ । ଯୋସା ସଂପ୍ରଦାୟର ଥେମ୍ବୁ ରାଜପରିବାରରେ ଜନ୍ମ ଗ୍ରହଣ କରି ମଣ୍ଡେଲା ଫୋର୍ଟ ହାରେ ବିଶ୍ୱ ବିଦ୍ୟାଳୟ ଓ ୱିଟୱାଟର୍ସରାଣ୍ଡ ବିଶ୍ୱବିଦ୍ୟାଳୟରେ ଆଇନ ଶିକ୍ଷା କରିଥିଲେ । ଜୋହାନ୍ସବର୍ଗରେ ରହିବା ସମୟରେ ଔପନିବେଶ ବିରୋଧୀ ରାଜନୀତିରେ ଅଂଶଗ୍ରହଣ କରି ଆଫ୍ରିକୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ ଓ ଏହାର ଯୁବ ସଂଘର ପ୍ରତିଷ୍ଠାତା ସଭ୍ୟ ଥିଲେ । ୧୯୪୮ରେ ନ୍ୟାସନାଲ ପାର୍ଟିର "ଆଫ୍ରିକାନ" ଜାତୀୟତାବାଦୀମାନେ ସରକାର ଗଠନ କରି କ୍ଷମତାକୁ ଆସିବା ପରେ ଅପାର୍ଥିଡ଼କୁ ନୀତିକୁ ପ୍ରାଧାନ୍ୟ ଦେଇଥିଲେ, ଏବଂ ସେହି ସମୟରେ ମଣ୍ଡେଲା ଜାତୀୟ କଂଗ୍ରେସଦ୍ୱାରା ୧୯୫୨ରେ ହୋଇଥିବା ଅସହଯୋଗ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରି ଟ୍ରାନ୍ସଭାଲ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ ଏବଂ ୧୯୫୫ରେ "ପିପୁଲ ଅଫ କଂଗ୍ରେସ"କୁ ଉଦବୋଧନ ଦେଇଥିଲେ । ଜଣେ ଓକିଲ ଭାବେ କାର୍ଯ୍ୟ କରୁଥିବା ସମୟରେ ସନ୍ଦେହଜନକ କାର୍ଯ୍ୟକଳାପ ପାଇଁ ଓ ଜାତୀୟ କଂଗ୍ରେସ ନେତା ଭାବେ ୧୯୫୫ରୁ ୧୯୬୧ ଯାଏଁ ଦେଶଦ୍ରୋହ ପାଇଁ ଅଭିଯୁକ୍ତ ହୋଇଥିଲେ ମଧ୍ୟ ଶେଷରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ । ଯଦିଓ ଆନ୍ଦୋଳନ ଆରମ୍ଭରେ ସେ ଅହିଂସା ନୀତିରେ ବିଶ୍ୱାସ ରଖିଥିଲେ; କିନ୍ତୁ ସାଉଥ ଆଫ୍ରିକାନ କମ୍ୟୁନିଷ୍ଟ ପାର୍ଟି ସହ ମିଶି ୧୯୬୧ରେ "ଉମଖୋଂତ ୱେ ସିଜୱେ" ନାମରେ ଏକ ସଶସ୍ତ୍ର ବାହିନୀ ଗଠନ କରି, ସରକାର ବିରୁଦ୍ଧରେ ବହୁ ବୋମାମାଡ଼ର ନେତୃତ୍ୱ ନେଇଥିଲେ । ୧୯୬୨ ମସିହାରେ ଗଣସଂହାର ଓ ଅନ୍ତର୍ଘାତୀ କାର୍ଯ୍ୟପାଇଁ ଦୋଷୀ ସାବ୍ୟସ୍ତ ହୋଇ ରିଭିନିଆ ଶୁଣାଣୀରେ ଆଜୀବନ କାରାବାସ ପାଇଁ ଦଣ୍ଡ ପାଇଥିଲେ । ରଙ୍ଗଭେଦ ନୀତି ଓ ଅପାର୍ଥିଡ଼ ବିରୋଧରେ ଲଢ଼ି ସେ ନିଜ ଜୀବନକାଳର ୨୭ ବର୍ଷ କାଳ ରୋବେନ ଦ୍ୱୀପର କାରାଗାର, ପୋଲ୍ସମୁର କାରାଗାର ଓ ଭିକ୍ଟର ଭର୍ଷ୍ଟର କାରାଗାରରେ କଟାଇଥିଲେ । ତାଙ୍କୁ ମୁକ୍ତ କରିବା ପାଇଁ ଆନ୍ତର୍ଜାତିକ ଚାପ ବଢ଼ିବାରୁ ୧୯୯୦ରେ ଛାଡ଼ ପାଇଥିଲେ । ଜାତୀୟ କଂଗ୍ରେସର ସଭାପତି ଥିବା ସମୟରେ ମଣ୍ଡେଲା ନିଜର ଆତ୍ମଜୀବନୀ ପ୍ରକାଶ କରିଥିଲେ ଓ ତତକାଳୀନ ରାଷ୍ଟ୍ରପତି ଏଫ.ଡବଲ୍ୟୁ.
ଲୋକରତ୍ନ କୁଞ୍ଜବିହାରୀ ଦାଶ, (୭ ମାର୍ଚ୍ଚ ୧୯୧୪ - ୧୪ ମାର୍ଚ୍ଚ ୧୯୯୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅଧ୍ୟାପକ, ଲେଖକ ଓ ଗବେଷକ ଥିଲେ । ତାଙ୍କର ଆମେରିକାରୁ ୟୁରୋପ୍ ଆଫ୍ରିକା ପୁସ୍ତକ ପାଇଁ ସେ ୧୯୬୫-୬୭ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ମୋ କାହାଣୀ ପାଇଁ ୧୯୭୯ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଥିଲେ । କଲିକତା ଏକାଡେମୀ ଅଫ୍ ଫୋକଲୋର ତାଙ୍କୁ ୧୯୭୮ ମସିହାରେ "ଲୋକରତ୍ନ" ଉପାଧି ପ୍ରଦାନ କରିଥିଲା । ଜଣେ ସାରସ୍ୱତ ସଂଗଠକ ଭାବରେ ସେ ବହୁ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ ।
ଅଖିଳ ମୋହନ ପଟ୍ଟନାୟକ (୧୮ ଡିସେମ୍ବର ୧୯୨୭ - ୨୯ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ଗଳ୍ପ ଲେଖକ ଥିଲେ । ୧୯୨୭ ମସିହା ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ବାଙ୍କବିହାରୀ ପଟ୍ଟନାୟକ ଥିଲେ ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସେ ୧୯୪୪ ମସିହାରେ ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ଓ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଏ ପାସ କରିଥିଲେ । ୧୯୫୨ ମସିହାରେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଛାତ୍ରଜୀବନରୁ ସେ ବାମପନ୍ଥୀ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇଥିଲେ । ଏଥିପାଇଁ ସେ ବହୁବାର କଲେଜରୁ ବରଖାସ୍ତ ହୋଇଥିଲେ ଓ କାରାବରଣ ମଧ୍ୟ କରିଥିଲେ । ଅଖିଳମୋହନ ପେଷାରେ ଜଣେ ଓକିଲ ଥିଲେ ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ବିଗତ ସହସ୍ରାବ୍ଦୀ ଧରି ଭାରତୀୟ ମହିଳାମାନଙ୍କ ପରିସ୍ଥିତିରେ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି । ସେମାନଙ୍କ ଜୀବନଶୈଳୀ, ସ୍ୱାଧୀନତା, ସାମାଜିକ ସ୍ଥିତିରେ ବହୁ ଉତ୍ଥାନ ପତନ ଘଟିଛି । ଅତି ପ୍ରାଚୀନ କାଳରୁ ମଧ୍ୟ ଯୁଗ ମଧ୍ୟରେ ତାଙ୍କର ସ୍ଥିତିରେ କ୍ରମାଗତ ଅବନତି ଘଟିଥିଲା । ସେମାନଙ୍କୁ ଅନେକ ଅଧିକାରରୁ ବଞ୍ଚିତ କରାଯାଉଥିଲା । ଏପରିକି କୁସଂସ୍କାର ବଶତଃ ସେମାନଙ୍କୁ ବିଦ୍ୟାଳୟରେ ପାଠ ପାଇଁ ବାରଣ କରାଯାଉଥିଲା । ତେବେ ଅଷ୍ଟାଦଶ ଶତାବ୍ଦୀର ପରବର୍ତ୍ତୀ କାଳରେ (ବ୍ରିଟିଶ ଶାସନ ସମୟରୁ) ଅନେକ ଉଦାରବାଦୀ ସମାଜ ସଂସ୍କାରକଙ୍କ ପ୍ରଚେଷ୍ଟା ଫଳରେ ସେମାନେ ଅନେକ ଅଧିକାର ପାଇଲେ ଓ ଅନେକ କୁସଂସ୍କାରକୁ କାଳ କ୍ରମେ ଦୂରେଇ ଦିଆଯାଇଥିଲା । ଫଳରେ ଆଧୁନିକ ଭାରତରେ ମହିଳାମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଲୋକ ସଭାର ବାଚସ୍ପତି, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀ, ରାଜ୍ୟପାଳ, ବିଭିନ୍ନ କମ୍ପାନୀର ପରିଚାଳନା ମୁଖ୍ୟ ତଥା ଅନ୍ୟ ସମସ୍ତ କ୍ଷେତ୍ର, ଯଥା କ୍ରୀଡ଼ା, ଆନ୍ତର୍ଜାତୀୟ କୂଟନୀତି ରେ ଅବସ୍ଥାପିତ ହେଇପାରିଛନ୍ତି । ସ୍ୱାଧୀନ ଭାରତର ସମ୍ବିଧାନରେ ମହିଳାମାନଙ୍କ ଅଧିକାରକୁ ପୁରୁଷମାନଙ୍କ ସହ ସର୍ବବିଧ ଭାବରେ ସମାନ ଭାବରେ ସହ ପ୍ରଦାନ କରାଯାଇଛି । ମହିଳାମାନଙ୍କ ପୂର୍ଣ୍ଣ ସ୍ୱାଧୀନତା ଓ ଅଧିକାରକୁ ସଂରକ୍ଷିତ କରିବା ପାଇଁ ସ୍ୱାଧୀନତା ପରେ ମଧ୍ୟ ଅନେକ ବିଧେୟକ ଭାରତର ପାର୍ଲିଆମେଣ୍ଟରେ ପ୍ରଣିତ ହେଇ ତାହାକୁ ବିଧିବଦ୍ଧ ଭାବରେ ପାଳନ ପ୍ରତି ଦୃଷ୍ଟି ଦିଆ ଯାଇଛି । ଏପରି ଏକ ସମୟ ଥିଲା ଯେ ୨୦୧୧ ମସିହାରେ ଏକା ସମୟରେ ଭାରତର ରାଷ୍ଟ୍ରପତି (ଶ୍ରୀମତୀ ପ୍ରତିଭା ପାଟିଲ), ଲୋକ ସଭାର ବାଚସ୍ପତି (ମୀରା କୁମାର) ଓ ଲୋକ ସଭାର ବିରୋଧୀ ଦଳର ନେତା ପଦବୀରେ ମହିଳାମାନେ ରହିଥିଲେ । ଏହା ସତ୍ତ୍ୱେ ଭାରତରେ ମହିଳାମାନେ ଅନେକ ସମସ୍ଯାରେ ସମ୍ମୁଖୀନ ହେଇଚାଲିଛନ୍ତି । ସେମାନେ କେତେକ ସ୍ଥାନରେ ବଳାତ୍କାର, ଏସିଡ ଫିଙ୍ଗା, ଯୌତୁକ ଜନିତ ହତ୍ୟା, ଜୋର ଜବରଦସ୍ତି କରି ଦେହ ବ୍ୟାପାରରେ ଜଡ଼ିତ କରିବା ପରି ଅତ୍ୟାଚାରର ଶିକାର ହଉଛନ୍ତି । ୨୦୧୨ ମସିହାରେ ଥୋମସନ୍ ରଏଟର ଫାଉଣ୍ଡେସନ ତରଫରୁ କରାଯାଇଥିବା ସର୍ଭେରେ ଜି୨୦ ଅନ୍ତର୍ଗତ ସମସ୍ତ ଦେଶଠାରୁ ଭାରତରେ ମହିଳାଙ୍କ ଉପରେ ଅତ୍ୟାଚାର ସର୍ବାଧିକ ଥିବା ଦର୍ଶାଯାଇଥିଲା । .
ଭାରତୀୟ ସଂସ୍କୃତି ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।
ଅଟିଜିମ୍ (ଇଂରାଜୀ ଭାଷାରେ Autism) ଏକ ତୃଟିଯୁକ୍ତ ଶାରୀରିକ ବିକାଶ (developmental disorder) ଯେଉଁଥିରେ ଅନ୍ୟ ଲୋକମାନଙ୍କ (social interaction|) ସହିତ ସାମାଜିକ ଭାବ ବିନିମୟ ଓ ଯୋଗାଯୋଗ (communication) ସମସ୍ୟା ଦେଖାଯାଏ ଓ ସୀମିତ ତଥା ପୁନଃପୌନିକ ବ୍ୟବହାର (behavior) ଦେଖାଯାଏ । ଶିଶୁର ପ୍ରଥମ ଦୁଇ ବା ତିନି ବର୍ଷ ମଧ୍ୟରେ ରୋଗ ଲକ୍ଷଣ ଲକ୍ଷ କରିପାରନ୍ତି । ସମୟ କ୍ରମେ ଲକ୍ଷଣଗୁଡ଼ିକ ଧୀରେ ବିକଶିତ ହୁଏ, କେତେକ ଶିଶୁ ବିକାଶର ମାଇଲ ଖୁଣ୍ଟରେ (developmental milestones ପହଞ୍ଚିବା ପରେ ଅବସ୍ଥା ହଠାତ ଖରାପ ଦିଗକୁ ଗତି (worsen) କରେ ।ଅଟିଜିମ୍ ରୋଗ ଉଭୟ ପରିବେଶ (environmental factors) ଓ ଜେନେଟିକ (Genetic) କାରଣରୁ ହୁଏ । ଗର୍ଭାବସ୍ଥାରେ ରୁବେଲା ସଂକ୍ରମଣ, ଭାଲପ୍ରୋଇକ ଏସିଡ (valproic acid), ଆଲକହଲ (ଡାକ୍ତରୀ ବ୍ୟବହାର), କିମ୍ବା କୋକେନ ସେବନ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । ପରିବେଶ କାରଣ ଭାବରେ କେତେକ (vaccine hypotheses) ନାମ ଉଲ୍ଲେଖ କରାଯାଇଥିଲେ ମଧ୍ୟ ତାହା ପ୍ରମାଣିତ ହୋଇପାରିନାହିଁ । ମସ୍ତିଷ୍କରେ ଥିବା ସ୍ନାୟୁ କୋଷ (nerve cell) ଓ ସିନାପ୍ସଗୁଡ଼ିକର (synapse) ସମାଚାର ସଂସାଧନର ତରିକା ବୁଝିହେଉନାହିଁ ।ଯଥା ଶୀଘ୍ର ବାକ ଓ ବ୍ୟବହାରୀକ ଥେରାପି (behavioral interventions) ଦେଲେ ଶିଶୁର ନିଜ ଯତ୍ନ, ସାମାଜିକ ଦକ୍ଷତା ଓ ଯୋଗାଯୋଗ ଦକ୍ଷତା ବିକାଶରେ ସାହାଯ୍ୟ ହୁଏ । ଯଦିଓ ଏହା ଆରୋଗ୍ୟ (cure) ହୁଏନି, ତଥାପି କେତେକ ଶିଶୁ ଏହି ରୋଗରୁ ସୁସ୍ଥ ହେଉଛନ୍ତି । ଅନେକ ରୋଗୀ ଯୁବାବସ୍ଥାରେ ସ୍ୱାଧୀନ ଭାବରେ ଚଳିପାରନ୍ତିନି ଓ ଅଳ୍ପ କେତେକ ସଫଳ ହୋଇପାରନ୍ତି । ଏହି ରୋଗ ବିଷୟରେ ଏକ ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣ (autistic culture) ବିକଶିତ ହୋଇଛି; କେତେକ ରୋଗୀ ଆରୋଗ୍ୟ କାମନା କରୁଛନ୍ତି ଓ ଅନ୍ୟମାନେ ଏହାକୁ ରୋଗ ଭାବରେ ବିବେଚନା ନକରି ଏକ ଭିନ୍ନତା ରୂପେ ବିବେଚନା କରିବାକୁ ଅଧିକାର ଆନ୍ଦୋଳନ (accepted as a difference and not treated as a disorder) କରୁଛନ୍ତି ।ସନ ୨୦୧୫ରେ ସାରା ପୃଥିବୀରେ ୨୪.୮ ନିୟୁତ ଲୋକଙ୍କୁ ଅଟିଜିମ୍ ରୋଗ ହୋଇଥିଲା । ବିଂଶ ଶତାବ୍ଦୀରେ ପୃଥିବୀରେ ପ୍ରତି ୧,୦୦୦ଲୋକରେ ୧-୨ ଜଣକୁ ଏହି ରୋଗ ହୁଏ । ବିକଶିତ ଦେଶମାନଙ୍କରେ (developed countries) ପ୍ରାୟ ୧.୫% ପିଲାଙ୍କର ସନ ୨୦୧୭ରେ ଏଏସଡି ରୋଗ ନିର୍ଣ୍ଣୟ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦୦ ମସିହାରେ ଏହାର ୦.୭ % ବୃଦ୍ଧି ହୋଇଥିଲା । ଝିଅଙ୍କ ଅପେକ୍ଷା ପୁଅଙ୍କର ୪-୫ ଗୁଣ ଅଧିକ ରୋଗ ହେବା ଦେଖାଯାଏ । ସନ ୧୯୬୦ ପରଠାରୁ ଏହି ରୋଗୀ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ହୋଇଛି, ଏହା ନିର୍ଣ୍ଣୟ କରିବାର ଉନ୍ନତ ପଦ୍ଧତି ଯୋଗୁ ହେଉଛି କି ପ୍ରକୃତ ବୃଦ୍ଧି ହେଉଛି ତାହା ସମାଧାନ ହୋଇନି ।
ଭାଷା ହେଉଛି ଯୋଗାଯୋଗର ଜଟିଳ ପ୍ରଣାଳୀକୁ ଶିଖିବା ଓ ବ୍ୟବହାର କରିବା ପାଇଁ ଥିବା ମନୁଷ୍ୟର ସାମର୍ଥ୍ୟ ଏବଂ ଗୋଟିଏ ଭାଷା ହେଉଛି ଏହି ଜଟିଳ ଯୋଗାଯୋଗ ପ୍ରଣାଳୀର ଏକ ଉଦାହରଣ । ପୃଥିବୀରେ ସର୍ବମୋଟ କେତେ ଭାଷା ଅଛି ଏକଥା ସଠିକ ଭାବେ କହିବା ସମ୍ଭବ ନୁହେଁ ଏବଂ ଏହି ସଂଖ୍ୟା ଭାଷା (language) ଓ ଲୋକଭାଷା (dialects) ମଧ୍ୟରେ ସୂକ୍ଷ୍ମ ପ୍ରଭେଦ ଉପରେ ନିର୍ଭର କରେ । ତଥାପି ଆକଳନ କରାଯାଇଛି ଯେ ଏହି ସଂଖ୍ୟା ୬୦୦୦ରୁ ୭୦୦୦ ହେବ ।