ସର୍ବାଧିକ ପଠିତ ଓଡ଼ିଆ ଉଇକିପିଡ଼ିଆ ପ୍ରସଙ୍ଗସମୂହ । ସବୁଦିନ ଅପଡେଟ ହେଉଥାଏ । Learn more...
ଓଡ଼ିଆ (ଇଂରାଜୀ ଭାଷାରେ Odia /əˈdiːə/ or Oriya /ɒˈriːə/,) ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ-ଇଉରୋପୀୟ ଭାଷାଗୋଷ୍ଠୀ ଅନ୍ତର୍ଗତ ଇଣ୍ଡୋ-ଆର୍ଯ୍ୟ ଭାଷା । ଏହା ଭାରତ ଦେଶର ଓଡ଼ିଶା ପ୍ରଦେଶରେ ସର୍ବାଧିକ ବ୍ୟବହାର କରାଯାଉଥିବା ମୁଖ୍ୟ ସ୍ଥାନୀୟ ଭାଷା ଯାହା 91.85 % ଲୋକ ବ୍ୟବହର କରନ୍ତି । ଓଡ଼ିଶା ସମେତ ଏହା ପଶ୍ଚିମ ବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ (ମୂଳତଃ ସୁରଟ)ରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା । ଏହା ଭାରତର ସମ୍ବିଧାନ ସ୍ୱିକୃତୀପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଗୋଟିଏ ଓ ଝାଡ଼ଖଣ୍ଡର ୨ୟ ପ୍ରଶାସନିକ ଭାଷା ।
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଜଣେ ଭାରତୀୟ ଆଇନଜୀବୀ, ଉପନିବେଶ ବିରୋଧୀ ଜାତୀୟତାବାଦୀ ଏବଂ ରାଜନୈତିକ ନୈତିକତାବାଦୀ ଥିଲେ ଯିଏ ବ୍ରିଟିଶ ଶାସନରୁ ଭାରତର ସ୍ୱାଧୀନତା ପାଇଁ ସଫଳ ଅଭିଯାନର ନେତୃତ୍ୱ ନେବା ପାଇଁ ଅହିଂସାତ୍ମକ ପ୍ରତିରୋଧ ପ୍ରୟୋଗ କରିଥିଲେ । ସେ ସମଗ୍ର ବିଶ୍ୱରେ ନାଗରିକ ଅଧିକାର ଏବଂ ସ୍ୱାଧୀନତା ପାଇଁ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ । ୧୯୧୪ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ତାଙ୍କୁ ସମ୍ମାନଜନକଭାବେ ଡକା ଯାଇଥିବା ମହତ୍ମା (ସଂସ୍କୃତ 'ମହାନ, ସମ୍ମାନଜନକ') ଏବେ ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି।
ଜଗତର ନାଥ ଶ୍ରୀ ଜଗନ୍ନାଥ ହିନ୍ଦୁ ଓ ବୌଦ୍ଧମାନଙ୍କଦ୍ୱାରା ଓଡ଼ିଶା ତଥା ସମଗ୍ର ବିଶ୍ଵରେ ପୂଜିତ । ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ଭାବେ ଜଗତି (ରତ୍ନବେଦୀ) ଉପରେ ବଳଭଦ୍ର ଓ ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ପୂଜିତ ହୋଇଥାନ୍ତି । ମତବାଦ ଅନୁସାରେ ଜଗନ୍ନାଥ ପ୍ରାୟ ଏକ ସହସ୍ରାବ୍ଦୀ ଧରି ବର୍ଷର ବାର ମାସରୁ ଏଗାର ମାସ ହିନ୍ଦୁ ଦେବତା ବିଷ୍ଣୁ ରୂପରେ ଓ ଏକ ମାସ ଛଦ୍ମ ଭାବେ ବୁଦ୍ଧ ରୂପରେ ପୂଜା ପାଇ ଆସୁଛନ୍ତି । ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ବୁଦ୍ଧଙ୍କ ଅବତାର ରୂପରେ ପୂଜା ପାଉଥିଲେ । ଜଗନ୍ନାଥଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପୂଜା କରିବା ଦେଖାଯାଏ । ହିନ୍ଦୁମାନେ ଜଗନ୍ନାଥଙ୍କ ଧାମକୁ ଏକ ପବିତ୍ର ତୀର୍ଥକ୍ଷେତ୍ର ଭାବେ ମଣିଥାନ୍ତି। ଏହା ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଚାରିଧାମ ମଧ୍ୟରେ ଏକ ପ୍ରଧାନ ଧାମ ଭାବେ ବିବେଚନା କରାଯାଏ ।
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।
ମନମୋହନ ସାମଲ (ଜନ୍ମ: ୧୫ ଅପ୍ରେଲ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହି ବିଧାନ ସଭାରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର "ତେନ୍ତୁଳିପଦା"ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା "ସିଦ୍ଧେଶ୍ୱର ପରିଡ଼ା", ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ "ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ" ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା ।
ଓଡ଼ିଶାରେ ଫଗୁ ଦଶମୀରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ । ଏହାର ଗୁରୁତ୍ୱ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ । ପୃଥିବୀରେ ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ। ଦ୍ୱାଦଶ ଶତାବ୍ଦୀର ଓଡ଼ିଆ ଜ୍ୟୋତିର୍ବିଦ ଶତାନନ୍ଦଙ୍କ ରଚିତ ଶତାନନ୍ଦ ସଂଗ୍ରହରେ ଦୋଳଯାତ୍ରା ସଂପର୍କରେ ବିଭିନ୍ନ ବର୍ଣ୍ଣନାରୁ ସ୍ପଷ୍ଟ ଅନୁମିତ ହୁଏ ଯେ ଅତି କମରେ ଦୀର୍ଘ ଆଠଶହ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳିତ ହୋଇ ଆସୁଛି । ସାଧାରଣତଃ ଏହି ଯାତ୍ରା ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇ ରଜଦୋଳ ବା ପଞ୍ଚୁଦୋଳ ନାମରେ ନାମିତ ହୋଇଥାଏ । କେତେକ ସ୍ଥାନରେ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ପାଞ୍ଚଦିନ ପର୍ଯ୍ୟନ୍ତ ପଞ୍ଚଦୋଳ ଭାବେ ଯାତ୍ରା ପାଳନ କରାଯିବାବେଳେ ଆଉ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ । ଯେଉଁ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇ ଛଅଦିନ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ, ସେଠାରେ ଛଅଦୋଳ ଏବଂ ଯେଉଁଠି ନଅଦିନ ପର୍ଯ୍ୟନ୍ତ ପାଳନ କରାଯାଇପାରେ ସେଠାରେ ଏହାକୁ ନବଦୋଳ ବୋଲି କୁହାଯାଏ। ଅନେକ ସ୍ଥାନରେ ସାତଦିନ ଓ ଦଶଦିନ ଧରି ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।
"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ -
ଅତିବଡ଼ି ଜଗନ୍ନାଥ ଦାସ (୧୪୮୭-୧୫୪୭) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ) ଜଣେ ଓଡ଼ିଆ କବି ଓ ସାଧକ ଥିଲେ । ସେ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ (ପାଞ୍ଚ ଜଣ ଭକ୍ତକବିଙ୍କ ସମାହାର; ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଚୈତନ୍ୟ ଦେବଙ୍କ ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ") । ଜଗନ୍ନାଥ ଓଡ଼ିଆ ଭାଗବତର ରଚନା କରିଥିଲେ ।
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ ।
ମନୋଜ ଦାସ ( ୨୭ ଫେବୃଆରୀ ୧୯୩୪ - ୨୭ ଅପ୍ରେଲ ୨୦୨୧) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ଏତଦ ଭିନ୍ନ ସେ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜ ଲେଖନୀ ଚାଳନା କରିଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଖବରକାଗଜରେ ଲେଖାମାନ ଲେଖିଥିଲେ ।
ଇସଲାମ (اَلْإِسْلَامُ - ଅଲ୍-ଇସ୍ଲାମ୍ - ଅର୍ଥାତ୍ ଈଶ୍ବରଙ୍କଠାରେ ସମର୍ପଣ) ଏକ ଏକେଶ୍ୱରବାଦୀ ଆବ୍ରାହମୀୟ ଧର୍ମ । ଏହାର ମୂଳ ଶିକ୍ଷା ହେଉଛି ଆଲ୍ଲା ଏକ ଏବଂ ଅଦ୍ୱିତୀୟ ତଥା ମହମ୍ମଦ ଈଶ୍ବରଙ୍କ ପୈଗମ୍ବର । ଇସଲାମ ଧର୍ମପନ୍ଥୀ ମୁସଲମାନ ଭାବେ ପରିଚିତ ରାମ ନାମ ସତ୍ୟ। ଏହାର ବିଶ୍ୱର ଦ୍ୱିତୀୟ ବୃହତ୍ତମ ଧର୍ମ ଏବଂ ଏଥିରେ ୧୮୦ କୋଟି ଲୋକ ଅଛନ୍ତି । ୪୯ଟି ଦେଶରେ ମୁସଲମାନମାନେ ସଂଖ୍ଯା ଗରିଷ୍ଠ ଅଛନ୍ତି । ଇସଲାମ ଶିକ୍ଷା ଦିଏ ଯେ - ଆଲ୍ଲା ଦୟାମୟ, ସର୍ବଶକ୍ତିମାନ ଏବଂ ଅଦ୍ୱିତୀୟ ତଥା ଭବିଷ୍ଯଦ୍ବକ୍ତା, ଗ୍ରନ୍ଥ ଏବଂ ପ୍ରାକୃତିକ ସଙ୍କେତଦ୍ୱାରା ମନୁଷ୍ଯମାନଙ୍କର ପଥପ୍ରଦର୍ଶନ କରିଥିଲେ । ଇସଲାମର ପ୍ରମୁଖ ଗ୍ରନ୍ଥ ହେଉଛି କୋରାନ - ଆଲ୍ଲାଙ୍କ ମୁଖ ନିଃସୃତ ବାଣୀ ତଥା ସୁନ୍ନାଃ - ପୈଗମ୍ବର ମହମ୍ମଦଙ୍କ ନୈତିକ ଶିକ୍ଷା ତଥା ଜୀବନୀ ।ମୁସଲମାନମାନେ ବିଶ୍ବାସ କରନ୍ତି ଯେ ଇସଲାମ ହେଉଛି ସର୍ବପୂରାତନ ବାସ୍ତବ ଧର୍ମ ଯାହା ଆଗରୁ ଆଦମ, ନୋହା, ଆବ୍ରାହମ, ମୁସା, ଯୀଶୁ ଆଦିଙ୍କଦ୍ୱାରା ପ୍ରବର୍ତ୍ତନ କରାଯାଇସାରିଛି । ମୁସଲମାନଙ୍କ ମତରେ ଆରବୀୟ ଭାଷାରେ କୋରାନ ହେଉଛି ଆଲ୍ଲାଙ୍କ ଅପରିବର୍ତ୍ତନୀୟ ତଥା ଅନ୍ତିମ ମାର୍ଗଦର୍ଶନ । ଅନ୍ଯାନ୍ଯ ଆବ୍ରାହମୀୟ ଧର୍ମ ପରି ଇସଲାମରେ ମଧ୍ଯ ଶିଖାଯାଏ ଯେ ପୁଣ୍ଯାତ୍ମାମାନେ ଶେଷରେ ସ୍ୱର୍ଗ ଯିବେ ଏବଂ ପାପାତ୍ମାମାନେ ନର୍କ ଯିବେ । ମକ୍କା, ମଦିନା ତଥା ଜେରୁଜେଲମ ଇସଲାମର ତିନୋଟି ପବିତ୍ରତମ ତୀର୍ଥସ୍ଥଳୀ ।ଐତିହାସିକ ଦୃଷ୍ଟିକୋଣରୁ ଇସଲାମ ସପ୍ତମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆରବୀୟ ଉପଦ୍ବୀପ ସ୍ଥାପିତ ହୋଇଥିଲା ଏବଂ ଅଷ୍ଟମ ଶତାବ୍ଦୀ ବେଳକୁ ଉମୟଦ ଖିଲାଫତ ପଶ୍ଚିମରେ ଇବେରିଆଠାରୁ ପୂର୍ବରେ ସିନ୍ଧୁ ନଦୀ ପର୍ଯ୍ୟନ୍ତ ବ୍ଯାପି ସାରିଥିଲା । ଅଷ୍ଟମ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ସମୟକୁ ଇସଲାମୀୟ ସ୍ୱର୍ଣ୍ଣଯୁଗ ବୋଲି ବୋଲି କୁହାଯାଏ । ଏହି ସମୟରେ ଆବାଶିଦ ଖିଲାଫତର ଅଧିନରେ ମୁସଲିମ ଜଗତରେ ବୈଜ୍ଞାନିକ, ସାଂସ୍କୃତିକ ତଥା ଅର୍ଥନୈତିକ ବିକାଶ ପରିଲକ୍ଷିତ ହୋଇଥିଲା । hello :)
ଭୀମରାଓ ରାମଜୀ ଆମ୍ବେଦକର (୧୪ ଏପ୍ରିଲ ୧୮୯୧ - ୬ ଡିସେମ୍ବର ୧୯୫୬) ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ ଯିଏ ସମ୍ବିଧାନ ସଭା ବିତର୍କରୁ ଭାରତର ସମ୍ବିଧାନ ପ୍ରସ୍ତୁତ କରୁଥିବା କମିଟିର ନେତୃତ୍ୱ ନେଇଥିଲେ, ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ହିନ୍ଦୁ ଧର୍ମ ତ୍ୟାଗ କରିବା ପରେ ଦଳିତ ବୌଦ୍ଧ ଆନ୍ଦୋଳନକୁ ପ୍ରେରଣା ଦେଇଥିଲେ ।
ସ୍ୱାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିଥିଲେ । ୧୮୬୩ ମସିହା ଜାନୁଆରୀ ୧୨ ତାରିଖର କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୁପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠଦେହ ଓ ଦୃଢ଼ମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ ।
[[Category: with short description]]ଓଡ଼ିଶା ( ଓଡ଼ିଶା ) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।
ମଧୁସୂଦନ ଦାସ (ମଧୁବାବୁ ନାମରେ ମଧ୍ୟ ଜଣା) (୨୮ ଅପ୍ରେଲ ୧୮୪୮- ୪ ଫେବୃଆରୀ ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଏବଂ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ଏତଦ୍ ବ୍ୟତୀତ ଓଡ଼ିଶାର ସ୍କୁଲ ପାପେପୁସ୍ତକରେ ଛାତ୍ରମାନଙ୍କୁ ବିଦ୍ୟା ଅଧ୍ୟନରେ ମନୋନିବେଶ କରି ଭବିଷ୍ୟତରେ ମଧୁବାବୁଙ୍କ ଭଳି ଆଦର୍ଶ ସ୍ଥାନୀୟ ବ୍ୟକ୍ତି ହେବା ପାଇଁ ଓ ଦେଶର ସେବା କରିବା ପାଇଁ ଆହ୍ମାନ ଦିଆଯାଇ ଲେଖାଯାଇଛି-
[[Category: with short description]]ଗୁଜରାଟ ( Gujarat [ˈɡudʒəɾɑt] (listen)) ଭାରତର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ଥିବା ଏକ ରାଜ୍ୟ । ଏହାର ସମୁଦ୍ରତଟ 1,600 km (990 mi) ଓ ତାହାର ଅଧିକାଂଶ ଭାଗ କାଠିଆୱାଡ଼ ଉପଦ୍ୱୀପରେ ଅବସ୍ଥିତ । ଗୁଜରାଟର ମୋଟ ଜନସଂଖ୍ୟା ୬୦ ମିଲିଅନ । ଭାରତର ପଶ୍ଚିମରେ ଥିବା ଗୁଜରାଟର ପଶ୍ଚିମରେ ଆରବ ସାଗର ଉତ୍ତରରେ ସିନ୍ଧ (ପାକିସ୍ତାନ), ଉତ୍ତରପୂର୍ବରେ ରାଜସ୍ଥାନ, ପୂର୍ବରେ ମଧ୍ୟ ପ୍ରଦେଶ ଏବଂ ଦକ୍ଷିଣ ପୂର୍ବରେ ମହାରାଷ୍ଟ୍ର ରାଜ୍ୟ ତଥା ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହବେଳୀ କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ଗୁଜରାଟର ରାଜଧାନୀ ଗାନ୍ଧୀନଗର । ଅମଦାବାଦ ଗୁଜରାଟର ଏକମାତ୍ର ମହାନଗରୀ । ଗୁଜରାଟ ରାଜ୍ୟର ନାମ "ଗୁଜ୍ଜର"ରୁ ଆସିଛି ।
ହେପାଟାଇଟିସ ସି ଏକ ସଂକ୍ରାମକ ରୋଗ ଯାହା ହେପାଟାଇଟିସ ସି ଭୁତାଣୁ (ଏଚସିଭି) ଯୋଗୁ ହୁଏ ଓ ଏହା ପ୍ରାଥମିକ ଭାବରେ ଯକୃତକୁ ଆକ୍ରମଣ କରେ । ରୋଗ ଆରମ୍ଭରେ ସାମାନ୍ୟ ବା କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ବେଳେବେଳେ ଜ୍ୱର, ଗାଢ଼ ପରିସ୍ରା, ପେଟ ଯନ୍ତ୍ରଣା ଓ ହଳଦିଆ ଚର୍ମ ହୁଏ । ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟ ୭୫%ରୁ ୮୫% ଲୋକଙ୍କର ଯକୃତରେ ଭୁତାଣୁ ବଞ୍ଚିରହେ । ରୋଗ ସ୍ଥାୟୀ ବା କ୍ରନିକ ହୋଇଗଲେ ଆରମ୍ଭରୁ କୌଣସି ଲକ୍ଷଣ ଦେଖାଏ ନାହିଁ । ଅନେକ ବର୍ଷ ପରେ ଏହାଦ୍ୱାର ଯକୃତ ରୋଗ ହୁଏ ଓ ବେଳେବେଳେ ସିରୋସିସ ହୁଏ । କେତେକ କେଶ୍ରେ ସିରୋସିସରୁ ଯକୃତ ଫେଲ୍, ଯକୃତ କର୍କଟ ବା ଏସୋଫେଜିଆଲ ଓ ଗ୍ୟାସ୍ଟ୍ରିକ ଭାରିସେସ ହୁଏ । ହେପାଟାଇଟିସ ସି ମୂଖ୍ୟତଃ ରକ୍ତରୁ ରକ୍ତ ସଂସ୍ପର୍ଶରେ ଆସି ବ୍ୟାପେ ଯେପରିକି ଶିରାଭ୍ୟନ୍ତର ଡ୍ରଗ ବ୍ୟବହାର, ଅଣଶୋଧିତ ଡାକ୍ତରୀ ଯନ୍ତ୍ରପାତି, ସ୍ୱାସ୍ଥ୍ୟସେବାରେ ଛୁଞ୍ଚି ଆଘାତ ଓ ରକ୍ତ ସଂଚାରଣ ମାଧ୍ୟମରେ ହୁଏ । ରକ୍ତ ସ୍କ୍ରିନିଙ୍ଗ କଲାପରେ ୨ ନିୟୁତରେ ଗୋଟିଏ ସଞ୍ଚାରଣଦ୍ୱାରା ରୋଗ ସଙ୍କଟ ରହେ । ପ୍ରସବ ସମୟରେ ମାତାଠାରୁ ଶିଶୁ ସଂକ୍ରମିତ ହୋଇପାରେ । ଏହା ସ୍ଥୁଳ ସ୍ପର୍ଶରେ ସଞ୍ଚାରିତ ହୁଏ ନାହିଁ । ପାଞ୍ଚ ପ୍ରକାର ହେପାଟାଇଟିସ ଭୁତାଣୁ ଅଛନ୍ତି ଯଥା:- ଏ, ବି, ସି, ଡି, ଓ ଇ.
ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ସେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଭାରତର ସପ୍ତମ ମହିଳା ଲେଖିକା । ୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା । ତାଙ୍କ ରଚିତ "ଯାଜ୍ଞସେନୀ" (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ସେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।
ଲୋରାଟାଡାଇନ, ଏକ ପ୍ରକାର ବ୍ରାଣ୍ଡ ନାମ କ୍ଲାରିଟିନ୍, ଏକ ଔଷଧ ଯାହା ଆଲର୍ଜି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | ଏହା ଆଲର୍ଜିକ ନାକ ପ୍ରଦାହ ଏବଂ ହାଇଭ୍ସ ନିମନ୍ତେ ମଧ୍ୟ ଦିଆଯାଏ | ଏକ ଡିକଞ୍ଜେଷ୍ଟାଣ୍ଟ ସୁଡୋଏଫିଡ୍ରନ ସହିତ ମିଳିତ ଭାବରେ ଉପଲବ୍ଧ ଯାହା ଲୋରାଟାଡାଇନ/ସୁଡୋଏଫିଡ୍ରନ ନାମରେ ବିକ୍ରି ହୁଏ । ଏହା ପାଟିରେ ଦିଆଯାଏ | ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ, ଶୁଖିଲା ପାଟି ଏବଂ ମୁଣ୍ଡବିନ୍ଧା ଅନ୍ତର୍ଭୁକ୍ତ | ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ବିରଳ ଥାଏ ଏବଂ ଏଥିରେ ଆଲର୍ଜି ପ୍ରତିକ୍ରିୟା, ବାତ ଏବଂ ଯକୃତ ସମସ୍ୟା ଉତ୍ପନ୍ନ ହୋଇପାରେ | ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ମନେହୁଏ କିନ୍ତୁ ଏହାର ଅଧିକ ଅଧ୍ୟୟନ କରାଯାଇ ନାହିଁ | ଦୁଇ ବର୍ଷରୁ କମ୍ ପିଲାମାନଙ୍କଠାରେ ଏହା ସୁପାରିଶ କରାଯାଏ ନାହିଁ | ଏହା ଦ୍ୱିତୀୟ ପିଢ଼ୀ ଆଣ୍ଟିହିଷ୍ଟାମିନ ଔଷଧ ପରିବାରରେ ଅଛି | ଲୋରାଟାଡାଇନ ୧୯୮୦ ମସିହାରେ ପେଟେଣ୍ଟ ହୋଇ ୧୯୮୮ରେ ବଜାରରେ ମିଳିଲା ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ତାଲିକାରେ ଲିପିବଦ୍ଧ ଅଛି ।ଏହା ସାଧାରଣ ଔଷଧ ଭାବରେ ଉପଲବ୍ଧ | ବିକାଶଶୀଳ ଦେଶମାନଙ୍କରେ ୨୦୧୫ ମସିହାର ଏହାର ହୋଲସେଲ୍ ମୂଲ୍ୟ ୦।୦୧-୦।୦୬ ଡଲାର ଥିଲା । ଯୁକ୍ତରାଷ୍ଟ୍ରରେ ଏହା ବିନା ପ୍ରେସକ୍ରିପସନରେ ଉପଲବ୍ଧ | ୨୦୧୭ ମସିହାରେ ଏହା ଆମେରିକାରେ ୫୯ତମ ସାଧାରଣ ଔଷଧ ଥିଲା, ଯାହାର ବାର ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା।
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ବେଙ୍ଗ ଏକ ଉଭୟଚର ପ୍ରାଣୀ ଅଟେ ଯିଏ ଜଳ ଓ ସ୍ଥଳ ଉଭୟ ସ୍ଥାନରେ ରହିପାରେ । ଏହା ଏକ ଶୀତରକ୍ତୀ ପ୍ରାଣୀ ଅଟେ ଅର୍ଥାତ ଏହାର ଶରୀରର ତାପମାନ ବାତାବରଣ ତାପମାନ ଅନୁଶାରେ ଛାଲିଥାଏ । ଶିତକାଳରେ ଥଣ୍ଡାରୁ ବଞ୍ଚିବା ପାଇଁ ବର୍ଷାପାଣିରେ ଜମିରହିଥିବା କାଦୁଅ ଆଦି ସ୍ଥାନରେ ଦୁଇ ଫୁଟ ଭିତର ପର୍ଯ୍ୟନ୍ତ ଖୋଳି ସେଠାରେ ବାସ କରିଥାଏ, ଏହା ସହିତ କିଛି ଖାଦ୍ୟ ମଧ୍ୟ ଖାଇ ନଥାଏ । ଏହି ପକ୍ରୀୟାକୁ ଶୀତନିଦ୍ରା କିମ୍ବା "ଶୀତସୁଷୁପ୍ତାବସ୍ଥା" କୁହାଯାଏ । ଏହିପ୍ରକାର କ୍ରୀୟା ଗରମ ଦିନେ ମଧ୍ୟ ହୋଇଥାଏ । ଗ୍ରୀଷ୍ମକାଳରେ ଏହି ପକ୍ରୀୟାକୁ ଗ୍ରୀଷ୍ମୀୟ ଅବସ୍ଥା କିମ୍ବା "ଗ୍ରୀଷ୍ମସୁଷୁପ୍ତାବସ୍ଥା" କୁହାଯାଏ ।
ୟୁଟ୍ୟୁବ ଏକ ଆମେରିକୀୟ ୱେବସାଇଟ, ଯେଉଁଠାରେ ଭିଡିଓକୁ ଅପଲୋଡ଼ କରି ଅନ୍ୟମାନଙ୍କ ସହିତ ସେୟାର କରାଯାଏ । ଏହା ଫେବୃଆରୀ ୨୦୦୫ ମସିହାରେ ପେପାଲ୍ କଂପାନୀର କିଛି ପୂର୍ବତନ କର୍ମଚାରୀଙ୍କଦ୍ୱାରା ଆରମ୍ଭ ହୋଇଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ସାନ୍ ବ୍ରୁନୋ, କାଳିଫର୍ନିଆରେ ଅବସ୍ଥିତ । ୨୦୦୬ ମସିହାରେ ଏହାକୁ ଗୁଗୁଲ କିଣିନେଇଥିଲା । ଗୁଗୁଲ୍ ସର୍ଚ୍ଚ ପରେ ଏହା ହେଉଛି ୨ୟ ୱେବ୍ସାଇଟ୍ ଯେଉଁଠିକୁ ଅଧିକ ଲୋକ ବ୍ୟବହାର କରନ୍ତି । ମଇ ୨୦୧୯ର ଏକ ରିପୋର୍ଟ ଅନୁସାରେ, ୟୁଟ୍ୟୁବ୍ରେ ପ୍ରତି ମିନିଟ୍ରେ ୫୦୦ ଘଣ୍ଟାରୁ ଅଧିକ ଭିଡିଓ ଅପଲୋଡ଼ କରାଯାଉଥିଲା ।
ମାୟାଧର ମାନସିଂହ (୧୩ ନଭେମ୍ବର ୧୯୦୫–୧୧ ଅକ୍ଟୋବର ୧୯୭୩) ଜଣେ ଓଡ଼ିଆ କବି ଓ ଲେଖକ ଥିଲେ । ସେ ତରୁଣ ବୟସରେ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଥିଲେ । ସେ ସେକ୍ସପିୟର ଓ କାଳିଦାସଙ୍କ ସାହିତ୍ୟର ତୁଳନାତ୍ମକ ଗବେଷଣା କରିଥିଲେ । ଏତଦ୍ବ୍ୟତୀତ ସେ ଭାରତର ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ "ଆରତି" ପତ୍ରିକାର ସମ୍ପାଦନା ସହିତ ମଧ୍ୟ ସମ୍ପୃକ୍ତ ଥିଲେ । ସ୍ୱାଧୀନତା ପରେ ସେ "ଶଙ୍ଖ" ନାମକ ଏକ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରୁଥିଲେ । ଓଡ଼ିଆ ସାହିତ୍ୟିକା ହେମଲତା ମାନସିଂହ ତାଙ୍କର ଜୀବନସାଥି, ପୂର୍ବତନ ଭାରତୀୟ ପ୍ରାଶାସନିକ ଅଧିକାରୀ ଲଳିତ ମାନସିଂହ ତାଙ୍କର ପୁଅ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ପ୍ରାକ୍ତନ ସାଂସଦ ସୋନାଲ ମାନସିଂହ ତାଙ୍କର ପୁତ୍ରବଧୂ ।
ସୁରେନ୍ଦ୍ର ମହାନ୍ତି (୨୧ ମଇ ୧୯୨୨ - ୨୧ ଡିସେମ୍ବର ୧୯୯୦) କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଆଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ରାଜନେତା । ସେ ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ରାଜନୀତିଜ୍ଞ ଓ ସ୍ତମ୍ଭକାର । ସ୍ୱାଧୀନତା ପରେ ସମାଜରେ ବଦଳୁଥିବା ନାନାଦି ଘଟଣା ଓ ଅଘଟଣକୁ ସେ ନିଜ ଲେଖନୀ ଦେଇ ଗପରେ ପରିଣତ କରିଛନ୍ତି । ଶବ୍ଦ ସମ୍ଭାର ଭିତରେ ବୁଦ୍ଧ କାହାଣୀକୁ ସେ ଗପରେ ରୂପ ଦେବାରେ ଧୂରୀଣ ।
ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ, ଛାଇଆଲୁଅ ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ "ଉତ୍କଳ ସାହିତ୍ୟ ସମାଜ" ପ୍ରତିଷ୍ଠା କରିଥିଲେ ।
କ୍ଲୋନିଡିନ (ଇଂରାଜୀ ଭାଷାରେ Clonidine, ଏକ ବିକ୍ରୟ ନାମ କାଟାପ୍ରେସ) ଏକ ପ୍ରକାର ଔଷଧ ଯାହା ଔଷଧ (drug), ଆଲକୋହୋଲ, ଓପିଅଏଡ (opioids) ନିକୋଟିନ ଉଇଥଡ୍ରୟାଲ (smoking), ଉଚ୍ଚ ରକ୍ତଚାପ, ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର, ଋତୁବନ୍ଦ ଲାଲିମା (menopausal flushing), ତରଳ ଝାଡ଼ା ଓ କେତେକ ଯନ୍ତ୍ରଣାଦାୟକ ଅବସ୍ଥାର ଚିକିତ୍ସା ନିମନ୍ତେ ଦିଆଯାଏ । ଏହା ପାଟିରେ, ଇଞ୍ଜକସନ ବା ଚର୍ମ ପ୍ୟାଚ ଆକାରରେ ଦିଆଯାଏ । ଏକ ଘଣ୍ଟା ମଧ୍ୟରେ ରକ୍ତଚାପ ଉପରେ ପ୍ରଭାବ ଆରମ୍ଭ ହୋଇଯାଏ ଓ ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ରହେ ।କ୍ଲୋନିଡିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଷ୍କ ପାଟି, ମୁଣ୍ଡ ଓଜନିଆ, ମୁଣ୍ଡ ବିନ୍ଧା ଓ ନିଦ୍ରାଳୁ ଭାବ ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ହାଲୁସିନେସନ (ଅନ୍ୟମାନେ ଦେଖି ଶୁଣି ପାରୁନଥିବା ଜିନିଷ ନିଜେ ଅନୁଭବ କରିବା ), ଅନିୟମିତ ହୃତ୍ପିଣ୍ଡ ଗତି (heart arrhythmias) ଓ ଦ୍ୱନ୍ଦ୍ୱ ହୋଇପାରେ । ହଠାତ୍ ଔଷଧ ବନ୍ଦ କରିଦେଲେ ଉଇଥଡ୍ରୟାଲ ସିଣ୍ଡ୍ରୋମ ହୋଇପାରେ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଔଷଧ ଦେବାକୁ ମନା କରାଯାଏ । କ୍ଲୋନିଡିନଦ୍ୱାରା ମସ୍ତିଷ୍କରେ ଥିବା ଆଲଫା-୨ ଆଡ୍ରେନର୍ଜିକ ରିସେପ୍ଟର (α2 receptors) ଉତ୍ତେଜିତ ହେବା ଫଳରେ ଅନେକ ରକ୍ତନଳି ଶିଥିଳ ହୋଇଯିବା ଫଳରେ ରକ୍ତଚାପ କମିଯାଏ ।କ୍ଲୋନିଡିନ ସନ ୧୯୬୧ରେ ପେଟେଣ୍ଟ ହେବାପରେ ସନ ୧୯୬୬ରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର କରାଗଲା । ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସ ନିମନ୍ତେ ପ୍ରାୟ ୮ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ସନ ୨୦୧୯ରେ ପ୍ରାୟ ୨.୭୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । ସନ ୨୦୧୬ରେ ଏହି ଔଷଧର ୧୦ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୭୬ ସ୍ଥାନ ଅଧିକାର କରିଥିଲା ।
ନୂଆଖାଇ (ନୂଆଁଖାଇ ବା ନବାନ୍ନ ଭାବେ ମଧ୍ୟ ଜଣା) ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହି ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି । ନୂଆଖାଇ ପାଳନ ପରଦିନ "ନୂଆଖାଇ ବାସି" ପାଳନ ହୁଏ ଓ ଏହିଦିନ ବଳକା ନୂଆନ୍ନ, କ୍ଷୀରି-ପିଠା ଖିଆହେବା ସହ ମାଂସ ରନ୍ଧାଯାଇଥାଏ । ବାସି ପରଦିନ "ତିଆସି" ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ମାଂସ ସମେତ ବିଭିନ୍ନ ଖାଦ୍ୟ ଓ ମଦ ଖିଆପିଆ ଓ ପାରମ୍ପାରିକ ଖେଳ (ଯଥା ଡୁଡୁ, ଖୋଖୋ, ବାଡ଼ି-ଖିଚା, କୁସ୍ତି) ଖେଳି ସମୟ ଅତିବାହିତ କରିଥାନ୍ତି ।
ସିଷ୍ଟର ଶ୍ରୀଦେବୀ, ୨୦୧୭ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ୨୦୧୭ ମସିହା ରଜରେ ମୁକ୍ତିଲାଭ କରିଥିଲା । ତରଙ୍ଗ ସିନେ ପ୍ରଡକ୍ସନ ପ୍ରଯୋଜନାରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତିକାର ନିର୍ମଳ ନାୟକ ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ।
ଏକ ବ୍ରାଉଜର / ୱେବ ବ୍ରାଉଜର ହେଉଛି ଏକ ସଫ୍ଟୱେର ଆପ୍ଲିକେସନ , ଯାହାଦ୍ୱାରା ଇଣ୍ଟରନେଟରେ ତଥ୍ୟ ଖୋଜିବା , ତଥ୍ୟ ହାସଲ କରିବା ଓ ଜରୁରୀ ସୂଚନାର ନେଣଦେଣ କରାଯାଇଥାଏ । କୌଣସି ଏକ ନିର୍ଦ୍ଧିଷ୍ଠ ବିଷୟରେ ତଥ୍ୟ ଖୋଜିବା ପାଇଁ ନିର୍ଦ୍ଧିଷ୍ଠ ୱେବ ଠିକଣା ବା ୟୁ.ଆର.ଏଲ୍ର ସାହାଯ୍ୟ ନିଆଯାଇଥାଏ । ଏହାଦ୍ୱାରା ସେହି ପ୍ରସଙ୍ଗ ସମ୍ପର୍କିତ ତଥ୍ୟ , ଛବି ତଥା ଆଧାର ଆଦି ଖୋଜିବା ସହଜ ହୋଇଥାଏ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଷୋଡ଼ଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ସନ୍ଥ, କବି, ଦାର୍ଶନିକ ଏବଂ ତତ୍କାଳୀନ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ । ସେ ଆନୁମାନିକ ୧୬ଶ ଶତାବ୍ଦୀ ପ୍ରାରମ୍ଭରେ କଟକ ଜିଲ୍ଲା ତିଳକଣା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ ଏବଂ ଜଣାଣ ଏହିପରି ପାଖାପାଖି ୧୬୦,୦୦୦ ପଦ୍ୟାବଳୀ ସେ ରଚନା କରିଯାଇଛନ୍ତି । ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଆୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ତାଙ୍କୁ ଓଡ଼ିଶାର ପୁରପଲ୍ଳୀରେ 'ମହାପୁରୁଷ' ଭାବେ ଲୋକେ ଅଭିହିତ କରନ୍ତି ।
ପଦାର୍ଥ ବିଜ୍ଞାନ ହେଉଛି ପ୍ରାକୃତିକ ବିଜ୍ଞାନ ଯାହା ପଦାର୍ଥ, ଏହାର ମୌଲିକ ଉପାଦାନ, ସ୍ଥାନ ଏବଂ ସମୟ ମାଧ୍ୟମରେ ଏହାର ଗତି, ଆଚରଣ ଏବଂ ଶକ୍ତି ସମ୍ବନ୍ଧୀୟ ବିଷୟରେ ଅଧ୍ୟୟନ କରେ | ପଦାର୍ଥ ବିଜ୍ଞାନ ହେଉଛି ଅନ୍ୟତମ ମୌଳିକ ବୈଜ୍ଞାନିକ ଶାସ୍ତ୍ର, ଏହାର ମୂଳ ଲକ୍ଷ୍ୟ ହେଉଛି ବ୍ରହ୍ମାଣ୍ଡ କିପରି ବ୍ୟବହାର କରେ ତାହା ବୁଝିବା। ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ବିଶେଷଜ୍ଞଥିବା ଜଣେ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନୀ କୁହାଯାଏ।
ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି । ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭାଦ୍ୱାରା ନିର୍ମିତ) । ଏହା ଲୋକଙ୍କଦ୍ୱାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।
ଦାମୋଦର ରାଉତ (୨ ଜୁଲାଇ ୧୯୪୨–୨୨ ମାର୍ଚ୍ଚ ୨୦୨୪) ଜଣେ ଚିକିତ୍ସକ ଓ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାକୁ ସାତ ଥର ବିଧାୟକ ଭାବରେ ନିର୍ବାଚିତ ହୋଇ ଯାଇଥିଲେ । ୧୯୫୭, ୧୯୬୧, ୧୯୬୭ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଏରସମା ଓ ପାରାଦ୍ୱୀପ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ, ୧୦ମ, ୧୨ଶ, ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପ୍ରଫୁଲ୍ଲ ସାମଲ ([pɾɔpʰullɔ samɔlɔ] (listen)) (ଜନ୍ମ: ୧୫ ଅଗଷ୍ଟ ୧୯୪୭, ଭଦ୍ରକ) ଜଣେ ଭାରତୀୟ ରାଜନେତା ଏବଂ ବର୍ତ୍ତମାନ ବିଜୁ ଜନତା ଦଳର ସଭ୍ୟ । ସେ ୧୯୭୧ ମସିହାରେ ଓଡ଼ିଶାର ରାଜନୀତିରେ ଯୋଗ ଦେଇଥିଲେ । ୧୯୯୫ ମସିହାରେ ସେ ୧୦ମ ବିଧାନ ସଭାରେ ଜନତା ଦଳର ପ୍ରତିନିଧି ଭାବରେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୧ଶ ଓ ୧୨ଶ ବିଧାନ ସଭାରେ ଜନତା ଦଳର ପ୍ରତିନିଧି ଭାବରେ ଭଦ୍ରକରୁ, ୧୫ଶ ଓ ୧୬ଶ ବିଧାନ ସଭାରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୪ଶ ବିଧାନ ସଭାରେ ପ୍ରଫୁଲ୍ଲ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଥିଲେ । ୧୫ଶ ବିଧାନ ସଭାରେ ସେ ମହିଳା ଓ ଶିଶୁ ବିକାଶ କଲ୍ୟାଣ ଯୋଜନାର ମନ୍ତ୍ରୀ ଥିଲେ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ । ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
ଯକ୍ଷ୍ମା (ଟିବି) ଏକ ସଂକ୍ରମକ ରୋଗ ଯାହା ମାଇକୋବ୍ୟାକ୍ଟେରମ ଟ୍ୟୁବରକ୍ୟୁଲୋସିସଦ୍ୱାରା (MTB) ହୁଏ । ଯକ୍ଷ୍ମା ସାଧାରଣତଃ ଫୁସଫୁସକୁ ଆକ୍ରମଣ କଲେ ମଧ୍ୟ ଶରୀରର ଯେ କୌଣସି ଅଙ୍ଗରେ ଏହାଦ୍ୱାରା ରୋଗ ହୋଇପାରେ । ଅଧିକାଂଶ ସଂକ୍ରମଣରେ କୌଣସି ଲକ୍ଷଣ ହେଉ ନ ଥିବାରୁ ତାହାକୁ ପ୍ରଛନ୍ନ ଯକ୍ଷ୍ମା ଓ ଇଂରାଜୀ ଭାଷାରେ ଲେଟେଣ୍ଟ ଟ୍ୟୁବରକୁଲୋସିସ (latent tuberculosis) କୁହାଯାଏ । ଏହି ପ୍ରଛନ୍ନ ଯକ୍ଷ୍ମା ମଧ୍ୟରୁ ପ୍ରାୟ ୧୦% ସଂକ୍ରମଣ ସକ୍ରିୟ ରୋଗରେ ପରିଣତ ହୁଏ ଯାହାକୁ ଚିକିତ୍ସା ନ କଲେ ସେଥିରୁ ଅଧେ ଲୋକ ମୃତ୍ୟୁ ବରଣ କରନ୍ତି । ସକ୍ରିୟ ଫୁସଫୁସ ଯକ୍ଷ୍ମା ରୋଗରେ କ୍ରନିକ ବା ଦୀର୍ଘକାଳୀନ କାଶ ସହିତ ରକ୍ତ ମିଶ୍ରିତ ଖଙ୍କାର ପଡ଼େ, ଜ୍ୱର, ରାତ୍ରୀ ସ୍ୱେଦ ନିର୍ଗତ ଓ ଓଜନ ହ୍ରାସ ହୁଏ । ଓଜନ ହ୍ରାସ ହେଉଥିବାରୁ ଏହାକୁ କ୍ଷୟ ରୋଗ ନାମ ଦିଆଯାଇଥିଲା । ବିଭିନ୍ନ ଅଙ୍ଗର ସଂକ୍ରମଣରେ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।ଯକ୍ଷ୍ମା ଏକ ବାୟୁ ମାଧ୍ୟମରେ ବ୍ୟାପେ ଓ ଫୁସଫୁସ ଯକ୍ଷ୍ମା ରୋଗୀ କାଶିଲେ, ଛିଙ୍କିଲେ, ଛେପ ପକେଇଲେ ବା କଥା କହିଲେ ଏହାର ଜୀବାଣୁ ଦେହରୁ ବାହାରି ବାୟୁ ମାଧ୍ୟମରେ ବ୍ୟାପିଯାଏ । ପ୍ରଛନ୍ନ ଯକ୍ଷ୍ମା ରୋଗ ବ୍ୟାପେ ନାହିଁ । ଏଚଆଇଭି/ଏଆଇଡିଏସ ଦେହରେ ଥିଲେ ବା ଅତ୍ୟଧିକ ଦୂମ୍ରପାନ କରୁଥିଲେ ଏହି ରୋଗ ଅଧିକ ହେବା ସମ୍ଭାବନା ରହେ । ଛାତି ଏକ୍ସ-ରେ ଓ ଦେହର ତରଳ ପଦାର୍ଥକୁ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖି ବା ଅଣୁଜୀବ କଲଚର କରି ରୋଗ ନିର୍ଣ୍ଣୟ କରାଯାଏ । ମାଣ୍ଟୁକ୍ସ ପରୀକ୍ଷା ଓ ରକ୍ତ ପରୀକ୍ଷା ଉପରେ ପ୍ରଛନ୍ନ ଯକ୍ଷ୍ମା ରୋଗ ନିର୍ଣ୍ଣୟ ନିର୍ଭର କରେ । ଅଧିକ ସଙ୍କଟାପନ୍ନ କେଶ୍ରେ ଯକ୍ଷ୍ମା ପ୍ରତିଷେଧ ନିମନ୍ତେ ସ୍କ୍ରୀନିଙ୍ଗ, ଆଶୁ ଚିହ୍ନଟ ତଥା ଚିକିତ୍ସା ଓ ବିସିଜି ଟିକାକରଣ କରାଯାଏ । ଘରେ, କାର୍ଯ୍ୟସ୍ଥାନରେ ଓ ସାମାଜିକ ମିଳନ ସ୍ଥାନରେ ସକ୍ରିୟ ରୋଗୀ ଥିଲେ ଏହି ରୋଗ ସଙ୍କଟ ଅଧିକ ହୁଏ । ଅଧିକ ସମୟ ନିମନ୍ତେ ଏକାଧିକ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ । ଆଣ୍ଟିବାୟୋଟିକ ପ୍ରତିରୋଧ ଏକ ବର୍ଦ୍ଧିଷ୍ଣୁ ସମସ୍ୟା ରୂପେ ଠିଆ ହେଉଛି ।ପୃଥିବୀରେ ଏକ ତୃତୀୟାଂଶ ଲୋକଙ୍କର ଯକ୍ଷ୍ମା ରୋଗ ଥିବା ବିଶ୍ୱାସ କରାଯାଏ । ପ୍ରତିବର୍ଷ ଲୋକ ସଂଖ୍ୟାର ପ୍ରାୟ ୧% ଲୋକଙ୍କର ନୂଆ ରୋଗ ହୁଏ । ସନ ୨୦୧୪ରେ ୯.୬ ନିୟୁତ ଲୋକଙ୍କର ଯକ୍ଷ୍ମା ହୋଇ ପ୍ରାୟ ୧.୫ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିଲା । ମୋଟ ମୃତ୍ୟୁ ସଂଖ୍ୟାର ୯୫% ବିକାଶଶୀଳ ଦେଶମାନଙ୍କରେ ହୁଏ । ସନ ୨୦୦୦ ପରଠାରୁ ଏହି ରୋଗୀସଂଖା ବଢ଼ିଚାଲିଛି । ଏସିଆ ଓ ଆଫ୍ରିକାର ୮୦% ଲୋକ ଓ ଯୁକ୍ତରାଷ୍ଟ୍ର ଆମେରିକାର ୫ରୁ ୧୦% ଲୋକ ଟ୍ୟୁବରକୁଲିନ ପରୀକ୍ଷାର ପଜିଟିଭ ହୁଏ । ପୁରାକାଳରୁ ମାନବଙ୍କର ଦେହରେ ଯକ୍ଷ୍ମା ହେଉଥିବା ଜଣାଯାଏ । ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଯୋଗୁ ଜୀବାଣୁ ଦେହରେ ପ୍ରବେଶ କଲେ ମଧ୍ୟ ମରି ଯାଆନ୍ତି । କେତେକ କାରଣ ଯେପରିକି ଏଚ.ଆଇ.ଭି ସଂକ୍ରମଣ ରୋଗ ଯୋଗୁ ପ୍ରତିରୋଧକ ଶକ୍ତି କମିଯାଇ ରୋଗ ସଙ୍କଟ ସୃଷ୍ଟି ହୁଏ । ଅଧୁନା ଯକ୍ଷ୍ମା ରୋଗର ଅଧିକ ସଂକ୍ରମଣର ଏହା ଏକ ପ୍ରଧାନ, ଉଲ୍ଲେଖ ଯୋଗ୍ୟ ଓ ଚିନ୍ତା ଉଦ୍ରେକକାରୀ କାରଣ ।
ସୁଭାଷ ଚନ୍ଦ୍ର ବୋଷ (ନେତାଜୀ ସୁଭାଷ ଚନ୍ଦ୍ର ବୋଷ) (୨୩ ଜାନୁଆରୀ ୧୮୯୭ – ୧୯୪୫ ଅଗଷ୍ଟ ୧୮ [ମୃତ୍ୟୁ ଏବେ ମଧ୍ୟ ରହସ୍ୟମୟ]), ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଓଡ଼ିଶାର ବୀରପୁତ୍ର ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ କଟକର ଓଡ଼ିଆ ବଜାରଠାରେ ହୋଇଥିଲା । ପିତାଙ୍କ ନାମ ଜାନକୀନାଥ ବୋଷ । ଜାନକୀନାଥ ବୋଷଙ୍କର ପୁତ୍ରଭାବରେ ଜନ୍ମ ଗ୍ରହଣ କରିଥିବା ସୁଭାଷ ଭାରତ ତଥା ସମଗ୍ର ବିଶ୍ୱର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ । ସେ ହେଉଛନ୍ତି ବିଶ୍ୱର ନେତାଜୀ ।
ଟୁଇଟର () ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରଷ୍ପର ସହ ୧୪୦-ଅକ୍ଷର ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ "ଟୁଇଟ୍" ବୋଲି କୁହାଯାଏ । ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୂଆ ଟୁଇଟ୍ ପଢିପରିବେ । ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପରୁଛନ୍ତି ଏବଂ ପଢିପରୁଛନ୍ତି । Twitter Inc.
ଗୋଦାବରୀଶ ମହାପାତ୍ର (୧ ଅକ୍ଟୋବର ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ (ଇଂରାଜୀ ଭାଷାରେ Platelet transfusion, ଅନ୍ୟ ନାମ ପ୍ଲାଟେଲେଟ କନସେଣ୍ଟ୍ରେଟ, ଏକ ପଦାର୍ଥ ଯାହା ଥ୍ରୋମ୍ବୋସାଇଟିପେନିଆ (low platelet count) ବା ସ୍ୱଳ୍ପ ପ୍ଲାଟେଲେଟ କାମ (poor platelet function) ଯୋଗୁ ରକ୍ତସ୍ରାବ (bleeding) ହେଉଥିଲେ ତାହାର ପ୍ରତିଷେଧ ବା ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । କର୍କଟ କେମୋଥେରାପ (cancer chemotherapy) ନେଉଥିବା ଲୋକଙ୍କର ଏହା ସମସ୍ୟା ସାଧାରଣତଃ ହୁଏ । ପ୍ଲେଟେଲେଟ ସ୍ତର ୧୦x୧୦୯/ ଲିରୁ କମ୍ ଥିଲେ ପ୍ରତିଷେଧ ନିମନ୍ତେ ଦିଆଯାଏ । ରକ୍ତସ୍ରାବ ହେଉଥିବା ଲୋକର ପ୍ଲାଟେଲେଟ ସ୍ତର ୫୦x୧୦୯/ଲିରୁ କମ୍ ଥିଲେ ଏହା ଦିଆଯାଏ । ପ୍ଲାଟେଲେଟ ଦେବା ପୂର୍ବରୁ କ୍ରସ ମ୍ୟାଚିଙ୍ଗ (Cross matching) କରିବା ଆବଶ୍ୟକ । ଏହା ଶିରାଭ୍ୟନ୍ତରରେ ଇଞ୍ଜେକସନ (injection into a vein ଆକାରରେ ଦିଆଯାଏ ।ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ ଭଳି ଆଲର୍ଜି ପ୍ରତିକ୍ରିୟା, ସଂକ୍ରମଣ (infection) ଓ ଟ୍ରାନ୍ସଫ୍ୟୁଜନ ଜନିତ ଫୁସଫୁସ ଆଘାତ (lung injury) ହୋଇପାରେ । ପ୍ଲାଟେଲେଟ ଷ୍ଟୋର ହେଉଥିବା ସ୍ଥାନର ଉଷ୍ମତା ଯୋଗୁ ଜୀବାଣୁ ସଂକ୍ରମଣ (Bacterial infections) ସାଧାରଣଃ ଅଧିକ ଦେଖାଯାଏ । ସମ୍ପୁର୍ଣ୍ଣ ରକ୍ତରୁ (whole blood) ବା ଆଫେରେସିସଦ୍ୱାରା (apheresis) ପ୍ଲାଟେଲେଟ ସଂଗୃହିତ ହୁଏ । ଏହା ସଂଗୃହିତ ହେବା ପରେ ୫ରୁ ୭ଦିନ ପର୍ଯ୍ୟନ୍ତ ରହିପାରେ ।ପ୍ଲାଟେଲେଟ ବ୍ୟବହାର ୧୯୫୦ ପ ୧୯୬୦ ଦଶକରୁ ବ୍ୟବହୃତ ହେବା ଆରମ୍ଭ ହେଲା । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ୟୁନିଟର ମୂଲ୍ୟ ପ୍ରାୟ ୨୦୦ ପାଉଣ୍ଡ । ଏହାର କେତେକ ସଂସ୍କରଣରେ ଶ୍ୱେତ ରକ୍ତ କଣିକାମାନ (white blood cells) ଆଂଶିକ ଭାବେ ବାହାର କରିଦିଆଯାଇଥାଏ ବା ଗାମା ରାଡିଏସନ (gamma irradiated) କରାଯାଇଥାଏ କାରଣ ଏହା କେତେକ ଲୋକଙ୍କ ପ୍ରତି ଉପକାରୀ ସାବ୍ୟସ୍ତ ହୁଏ ।
ସନ୍ଥକବି ଭୀମ ଭୋଇ ଭୀମ ଭୋଇ (୧୮୫୦-୧୮୯୫ ) ରେଢ଼ାଖୋଲର ମଧୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ । ତାଙ୍କର ରଚନା ଗୁଡ଼ିକରେ ମାନବ ଧର୍ମ, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି । ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" କବିତା ଅନ୍ୟତମ । ତାଙ୍କ ସମସାମୟିକମାନଙ୍କ କବିତାସବୁ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବିଷୟରେ ହୋଇଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ବହିଗୁଡ଼ିକ ମଧ୍ୟରେ "ସ୍ତୁତିଚିନ୍ତାମଣି", "ହଲିଆ ଗୀତ", "ଡାଲଖାଈ", "ରସରକେଲି", "ଜାଇଫୁଲ", "ବ୍ରହ୍ମ ନିରୂପଣ ଗୀତା", "ଆଦିଅନ୍ତ ଗୀତା", "ଅଷ୍ଟକ ବିହାରୀ ଗୀତା", "ନିର୍ବେଦ ସାଧନା", "ଶ୍ରୁତିନିଷେଧ ଗୀତା", "ମନୁସଭାମଣ୍ଡଳ", "ଗୃହଧର୍ମ" ଓ "ମହିମାବିନୋଦ" । ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ସୁରକ୍ଷିତ । ତାଙ୍କ ରଚିତ ବହିଗୁଡ଼ିକ ବିଂଶ ଶତାବ୍ଦୀରେ ଛପାଯାଇଥିଲା । ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।
ଅଗ୍ନାଶୟ ପ୍ରଦାହ (ଇଂରାଜୀରେ Pancreatitis) ରୋଗ ଦେହରେ ଥିବା ଅଗ୍ନାଶୟର ପ୍ରଦାହକୁ ବୁଝାଏ । ପାକସ୍ଥଳୀର ପଛପଟେ ଅଗ୍ନାଶୟ ନାମକ ଏକ ବଡ଼ ଗ୍ରନ୍ଥି ବା ଗ୍ଲାଣ୍ଡ ଥାଏ ଯେଉଁଥିରୁ ପାଚକ ଏଞ୍ଜାଇମ ନିର୍ଗତ ହୁଏ । ଏହାର ଦୁଇ ପ୍ରକାର ପ୍ରଦାହ ହୋଇପାଏ ଯଥା ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ଓ କ୍ରନିକ ଅଗ୍ନାଶୟ ପ୍ରଦାହ । ଏହି ରୋଗର ଲକ୍ଷଣ ହେଲା ଉପର ପେଟର ମଧ୍ୟଭାଗରେ ବା ଏପିଗ୍ୟାସ୍ଟ୍ରିଅମରେ ଯନ୍ତ୍ରଣା, ଓକାଳ ଓ ବାନ୍ତି । ଅଧିକାଂଶ ସମୟରେ ଏହି ଯନ୍ତ୍ରଣା ପିଠିରେ ହୁଏ ଓ ଅତି ତୀବ୍ର ହୁଏ । ଆକ୍ୟୁଟ ଅଗ୍ନାଶୟ ପ୍ରଦାହରେ ଜ୍ୱର ହୋଇପାରେ ଯାହା କିଛିଦିନ ପରେ ଉପଶମ ହୋଇଯାଏ । କ୍ରନିକ ଅଗ୍ନାଶୟ ପ୍ରଦାହ ରୋଗରେ ଓଜନ ହ୍ରାସ, ଚର୍ବିଳ ମଳ ଓ ତରଳ ଝାଡ଼ା ହୁଏ । ଏହି ରୋଗ ଜଟିଳ ହେଲେ ସଂକ୍ରମଣ, ରକ୍ତସ୍ରାବ, ଡାଏବେଟିସ ମେଲିଟସ କିମ୍ବା ଏହା ସହିତ ଅନ୍ୟ ଅଙ୍ଗମାନଙ୍କର ଅସୁବିଧା ହୁଏ ।ଅତ୍ୟଧିକ ମଦ୍ୟପାନ ଓ ଅଗ୍ନାଶୟରେ ପିତ୍ତାସ୍ମରୀ ବା ପିତ୍ତକୋଷ ପଥର ଏହି ଅଗ୍ନାଶୟରେ ରହିଲେ ସାଧାରଣତଃ ଅଗ୍ନାଶୟ ପ୍ରଦାହ ହୁଏ । ଅନ୍ୟାନ୍ୟ କାରଣ ମଧ୍ୟରେ ଏହି ଅଙ୍ଗରେ ସିଧା ଆଘାତ, କେତେକ ଔଷଧ, ମମ୍ପରୋଗ ସଂକ୍ରମଣ ଭଳି ସଂକ୍ରମଣ ଓ ଅର୍ବୁଦ ଇତ୍ୟାଦି । ଅତ୍ୟଧିକ ମଦ୍ୟପାନ ଅନେକ ବର୍ଷ ଧରି ସେବନ କଲେ ସାଧାରଣତଃ ଏହି ରୋଗ ହୁଏ । ଅନ୍ୟ କାରଣ ମଧ୍ୟରେ ରକ୍ତରେ ଚର୍ବି ଅଂଶର ଆଧିକ୍ୟ, ରକ୍ତରେ ଅଧିକ ପରିମାଣର କ୍ୟାଲସିୟମ, କେତେକ ଔଷଧ ସେବନ, ଜେନେଟିକ ଅସୁବିଧା ଯେପରିକି ସିସ୍ଟିକ ଫାଇବ୍ରୋସିସ ରୋଗ ପ୍ରମୂଖ ଅଟନ୍ତି । ଧୁମ୍ରପାନ ଯୋଗୁ ଆକ୍ୟୁଟ ଅଗ୍ନାଶୟ ଓ କ୍ରନିକ ଅଗ୍ନାଶୟ ପ୍ରଦାହ ରୋଗ ସଙ୍କଟ ସୃଷ୍ଟି ହୁଏ । ରକ୍ତରେ ଆମିଲେଜ (amylase) କିମ୍ବା ଲାଇପେଜ (lipase) ପରିମାଣ ତିନିଗୁଣ ଅଧିକ ଥିଲେ ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ନିର୍ଣ୍ଣୟ କରାଯାଏ । କ୍ରନିକ ଅଗ୍ନାଶୟ ପ୍ରଦାହ ଥିଲେ ଏହି ପରୀକ୍ଷାରେ ସେଭଳି କିଛି ମିଳେନାହିଁ । ରୋଗ ନିର୍ଣ୍ଣୟରେ ମେଡିକାଲ ଇମେଜିଙ୍ଗ ଯେପରିକି ଅଲଟ୍ରାସାଉଣ୍ଡ ଓ ସିଟି ସ୍କାନ ସାହାଯ୍ୟ କରିପାରେ ।ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ହେଲେ ଶୀରାମାଧ୍ୟମ ତରଳ ପଦାର୍ଥ, ଯନ୍ତ୍ରଣା ଔଷଧ ଓ ବେଳେ ଆଣ୍ଟିବାୟୋଟିକ ଦିଆଯାଏ । ପାଟିରେ କୌଣସି ଖାଦ୍ୟ ଦିଆଯାଏ ନାହିଁ ଓ ନାସାପାକସ୍ଥଳୀ ନଳୀ ମାଧ୍ୟମରେ ଦିଆଯାଏ । ଅଗ୍ନାଶୟ ନଳିକା ବାଟ ବନ୍ଦ ଥିଲେ ଗୋଟିଏ ପ୍ରଥା ଅବଲମ୍ବନ କରାଯାଏ ଯାହାର ନାମ ଏଣ୍ଡୋସ୍କୋପିକ ରେଟ୍ରୋଗ୍ରେଡକୋଲାଞ୍ଜିଓପାଙ୍କ୍ରିଆଟୋଗ୍ରାଫି (ERCP) । ପିତ୍ତକୋଷରେ ପିତ୍ତପଥର ଥିଲେ ଅପରେଶନ କରି ପିତ୍ତକୋଷ ବାହାର କରିଦିଆଯାଏ । କ୍ରନିକ ଅଗ୍ନାଶୟ ପ୍ରଦାହ ହୋଇଥିଲେ ଉପରଲିଖିତ ଉପଚାର ସହିତ ସାମୟିକ ନାସାପାକସ୍ଥଳୀ ନଳୀ ମାଧ୍ୟମରେ ଯଥେଷ୍ଟ ପୋଷକ ଖାଦ୍ୟ ଦିଆଯାଏ । ଦୀର୍ଘସ୍ଥାୟୀ ଖାଦ୍ୟ ପରିବର୍ତ୍ତନ ଓ ଅଗ୍ନାଶୟ ଏଞ୍ଜାଇମ ପୁନଃସ୍ଥାପନ କରାଯାଏ । ବେଳେ ବେଳେ ଅପରେଶନ କରି ଅଗ୍ନାଶୟର କିଛି ଅଂଶ ବାହାର କରାଯାଏ ।ବାର୍ଷିକ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୩୦ ଜଣକୁ ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ହୁଏ । ପ୍ରତି ଏକ ଲକ୍ଷ ଲୋକରେ ନୂଆ କ୍ରନିକ ଅଗ୍ନାଶୟ ପ୍ରଦାହ ୮ ଜଣକୁ ହୁଏ ଓ ଆମେରିକାରେ ଅଧୁନା ଏକ ଲକ୍ଷ ଲୋକରେ ୫୦ ଜଣ ଏହି ରୋଗରେ ପୀଡ଼ିତ ଅଛନ୍ତି । ସନ ୧୯୯୦ରେ ପୃଥିବୀରେ ଅଗ୍ନାଶୟ ପ୍ରଦାହ ରୋଗରେ ୮୩,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ଏହି ସଂଖ୍ୟା ବଢ଼ିଯାଏ ୧୨୩,୦୦୦ ହୋଇଥିଲା । ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କଠରେ ଏହି ରୋଗ ଅଧିକ ହୁଏ । ଅଧିକାଂଶ ସମୟରେ କ୍ରନିକ ଅଗ୍ନାଶୟ ପ୍ରଦାହ ରୋଗ ୩୦ରୁ ୪୦ ବର୍ଷ ବୟସରେ ଆରମ୍ଭ ହୁଏ ଓ ପିଲାଙ୍କର କ୍ୱଚିତ ଏହି ରୋଗ ହୁଏ । ଶବ ବ୍ୟବଚ୍ଛେଦ କରି ୧୮୮୨ ମସିହାରେ ପ୍ରଥମେ ଆକ୍ୟୁଟ ଅଗ୍ନାଶୟ ପ୍ରଦାହ ରୋଗ ଓ ୧୯୪୬ ମସିହାରେ ପ୍ରଥମେ କ୍ରନିକ ଅଗ୍ନାଶୟ ପ୍ରଦାହ ରୋଗର ବର୍ଣ୍ଣନା କରାଯାଇଥିଲା ।
ବିଜୟ ମିଶ୍ର (୧୬ଜୁଲାଇ ୧୯୩୬ - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ । ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ଅଂଶୁମାନ ମହାନ୍ତି (ଜନ୍ମ: ୭ ନଭେମ୍ବର ୧୯୮୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ଅଂଶୁମାନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ମିଶେଲ ଲାଭୌଗ୍ନ ରବିନ୍ସନ ଓବାମା (ଜନ୍ମ ଜାନୁୟାରୀ ୧୭,୧୯୬୪) ହେଉଛନ୍ତି ଜଣେ ଆମେରିକୀୟ ଆଇନଜୀବୀ, ଜଣେ ଲେଖିକା,ଓ ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ପ୍ରଥମ ମହିଳା। ସେ ଆମେରିକାର ୪୪ତମ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ବିବାହ କରିଥିଲେ,ଓ ସେ ପ୍ରଥମ ଆଫ୍ରିକୀୟ ଆମେରିକୀୟ 'ପ୍ରଥମ ମହିଳା' ଅଟନ୍ତି। ସେ ଚିକାଗୋ ଇଲନୋଇସର ଦକ୍ଷିଣ ଭାଗରେ ବଢ଼ିଥିଲେ।ଓବାମା ହାୱାର୍ଡ ଅଇଁ ବିଦ୍ୟାଳୟ ପରେ 'ପ୍ରିନଷ୍ଟନ୍ ମହାବିଦ୍ୟାଳୟ'ରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।ସେ ତାଙ୍କ ବାକି ଆଇନ ଗତ ଜୀବନ ସିଡିଲେ ଅଷ୍ଟିନରେ କାମ କରି ବିତେଇଥିଲେ।ସେଠି ସେ ତାଙ୍କ ସ୍ୱାମୀଙ୍କୁ ପ୍ରଥମ ଥର ପାଇଁ ଭେଟ ହୋଇଥିଲେ। ସେହି ସମୟ ମଧ୍ୟରେ ସେ ୟୁନିଭର୍ସିଟି ଅଫ ଚିକାଗୋରେ ଛାତ୍ର ସଂସଦର ପ୍ରଧାନ ରୂପେ ଦାୟିତ୍ୱ ତୁଲାଇଥିଲେ।ଏହା ସହ ସେ ସେହି ୟୁନିଭର୍ସିଟିର ମେଡିକାଲ ବିଭାଗର ବୈଦେଶିକ ବ୍ୟାପାର ସଙ୍ଘର ଉପ ସଭାପତି ଥିଲେ।
ବିଶ୍ୱନାଥ କର, ବାଗ୍ମୀ ବିଶ୍ୱନାଥ କର ନାମରେ ଜଣା, (୨୪ ଡିସେମ୍ବର ୧୮୬୪–୧୯ ଅକ୍ଟୋବର ୧୯୩୪) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ, ବାଗ୍ମୀ ଥିଲେ । ସେ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ଥିଲେ ଓ ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ତଥା ବିହାର-ଓଡ଼ିଶା ପ୍ରଦେଶର ଜଣେ ବ୍ୟବସ୍ଥାପକ ଭାବେ କାମ କରିଥିଲେ । ତତ୍କାଳୀନ ବ୍ରିଟିଶ ସରକାରଙ୍କଠାରୁ "ରାୟ ବାହାଦୁର" ଉପାଧୀ ପାଇ ତାକୁ ପ୍ରତ୍ୟାଖ୍ୟାନ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୮୯୬ ମସିହାରେ ସେ ବିବିଧା ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ । ପୁସ୍ତକଟି ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ବିଷୟରେ ବିଭିନ୍ନ ସମୟରେ ରଚିତ ଓ ଉତ୍କଳ ସାହିତ୍ୟରେ ପୂର୍ବରୁ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।
ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। । "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।। ଅଶୋକ ଖ୍ରୀ.
ହଜ (ଆରବୀ : (حج ହଜ "ତୀର୍ଥଯାତ୍ରା"), ଏକ ଇସଲାମୀୟ ତୀର୍ଥଯାତ୍ରା ଏବଂ ମୁସଲିମମାନଙ୍କ ପବିତ୍ର ସହର ମକ୍କା ସହରରେ ପ୍ରତିବର୍ଷ ହେଉଥିବା ବିଶ୍ୱର ସବୁଠାରୁ ସମ୍ମେଳନ ଅଟେ । ଏହା ଇସ୍ଲାମର ପାଞ୍ଚୋଟି ସ୍ତମ୍ଭରୁ ଏକ ଅଟେ, ତାସହ ଏହା ଏକ ଧାର୍ମିକ କର୍ତ୍ତବ୍ୟ ଅଟେ ଯାହା ନିଜ ଜୀବନ କାଳରେ ଅତି କମରେ ଗୋଟିଏ ଥର ପୁରଣ କରିବା ସମସ୍ତ ମୁସଲମାନ , ସେ ସ୍ତ୍ରୀ ହେଉ କିମ୍ବା ପୁରୁଷର କର୍ତ୍ତବ୍ୟ ଅଟେ ଯାହାର କି ସକ୍ଷମ ଶରୀର ହେବା ସହ ଏହାର ଖର୍ଚ୍ଚ ଉଠେଇବାରେ ସମର୍ଥ ହୋଇପାରୁଥିବେ । ଶାରୀରିକ ଏବଂ ଆର୍ଥିକ ରୂପରେ ହଜ କରିବାରେ ସକ୍ଷମ ହେବାର ସ୍ଥିତିକୁ ଇସ୍ତି'ତାହ କୁହାଯାଏ ଏବଂ ଯେଉଁ ମୁସଲମାନମାନେ ଏହି ସର୍ତ୍ତକୁ ପୁରଣ କରନ୍ତି ସେମାନଙ୍କୁ ମୁସ୍ତାତି କୁହାଯାଇଥାଏ । ହଜ ମୁସଲମାନମାନଙ୍କର ଏକଜୁଟ ପ୍ରଦର୍ଶନୀ ହେବା ସହ ସେମାନଙ୍କ ଆଲ୍ଲାହ(ଈଶ୍ୱର)ଙ୍କୁ ବିଶ୍ୱାସ କରିବାର ଏକ ମୁଖ୍ୟ ଆଦର୍ଶ ଅଟେ ।ଏହି ତୀର୍ଥଯାତ୍ରା ଇସ୍ଲାମି କ୍ୟାଲେଣ୍ଡରର ୧୨ବିଂ ଏବଂ ଅନ୍ତିମ ମାସର "ଧୂ ଅଲ ହିଜ୍ଜାହ"ର ୮ବିଂରୁ ୧୨ବିଂ ତାରିଖ ପର୍ଯ୍ୟନ୍ତ ଚାଲିଥାଏ । ଇସ୍ଲାମୀ କ୍ୟାଲେଣ୍ଡର ଏକ ଚନ୍ଦ୍ର କ୍ୟାଲେଣ୍ଡର ଅଟେ , ଏଥିପାଇଁ ଏଥିରେ ପଶ୍ଚିମୀ ଦେଶର ପ୍ରୟୋଗରେ ଆସୁଥିବା ଗ୍ରେଗୋରୀୟନ କ୍ୟାଲେଣ୍ଡରରେ ଏଗାର ଦିନ କମ ହୋଇଥାଏ , ଏଥିପାଇଁ ଗ୍ରେଗୋରୀୟନ କ୍ୟାଲେଣ୍ଡର ଅନୁସାରେ ହଜର ତାରିଖ ପ୍ରତିବର୍ଷ ବଦଳି ଥାଏ । ଇହରମ ଏକ ବିଶେଷ ଆଧ୍ୟାତ୍ମିକ ସ୍ଥିତି ଅଟେ ଯେଉଁଥିରେ ମୁସଲମାନ ହଜ ଅନୁସାରେ ରହିଥାଏ ।
ଲାଟିନ ଭାଷା (; Latin: [lingua latīna] Error: {{Lang}}: text has italic markup (help); IPA-ˈlɪŋɡʷa laˈtiːna) ଏକ ଇଟାଲୀୟ ଭାଷା , ପ୍ରକୃତରେ ଏହା 'ଲାଟିଅମ' ଓ 'ପ୍ରାଚୀନ ରୋମ'ରେ କୁହାଯାଏ । ଏହା ଅନ୍ୟ ଇଉରୋପୀୟ ଭାଷା ଭଳି , ପ୍ରାଚୀନ 'ପ୍ରାକ-ଭାରତୀୟ-ଇଉରୋପୀୟ' ଭାଷାରୁ ଉଦ୍ଭବ । ଏହାର ଉତ୍ପତି ଇଟାଲୀୟ ପେନିସୁଲାଠାରେ ହୋଇଥିଲା । ଯଦିଓ ଏହା ଏକ ମୃତ ଭାଷା , ଆଜିବି ବହୁତ ଛାତ୍ର , ଭାଷାବିତ ଓ ଖ୍ରୀଷ୍ଟିୟାନ ପାଦ୍ରୀ ଏହାକୁ ସୁନ୍ଦର ଭାବେ କହିପାରନ୍ତି । ଏବେବି ବହୁତ ବିଦ୍ୟାଳୟ ଓ ଉଚ୍ଚ-ବିଦ୍ୟାଳୟରେ ଏହାକୁ ପଢାଯାଏ । ଲାଟିନ ଭାଷାକୁ ନୂଆ ଶବ୍ଦ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ଲାଟିନ ବ୍ୟତୀତ ଅନ୍ୟ ଇଟାଲୀୟ ପରିବାରର ଭାଷା ସବୁ ଊହ୍ୟ ହୋଇଗଲେଣି ।